କାଉଁରୀ କୁହୁକୁ
୧୮୬୭–୧୯୪୩
- ସଂକଳନ: ବ୍ରଜରେଣୁ
- ପଢ଼ିବା ସମୟ
- ୨ ମିନିଟ୍
- ଶବ୍ଦ
- ୨୫୨
- ସ୍ଥିତି
- ସାର୍ବଜନୀନ (Public domain)
ମନ, ତୁହି ଜାଣୁ କେତେ କାଉଁରୀ କୁହୁକ,ମୁହୂର୍ତ୍ତକେ ବୁଲି ଆସୁ ସହସ୍ରେ ମୁଲୁକ ।ଅଥବା ତୁ ଯୋଗିବର, ତୀବ୍ର ଯୋଗବଳେ,ବର୍ଷକର ବାଟ ଯାଉ ହେଳେ ଅର୍ଦ୍ଧପଳେ ।କିମ୍ବା ଉଡ଼ା-ଜାହାଜ ତୁ ଯୁଗ-ଅବତାର,ସେ ଆକାରବନ୍ତ, ମାତ୍ର ତୁହି ନିରାକାର ।ସବୁବେଳେ କରି ବୁଲୁ ଚଉକିଆଗିରି,ନାହିଁ ଭାତ ବରତନ ଅଥବା ଜାଗିରି ।ଜଗତର ଶିକ୍ଷାଭାର ନ୍ୟସ୍ତ ତୋର ହସ୍ତେ,ତୋହୋ ଶିକ୍ଷା ଅନୁଯାୟୀ ଚଳନ୍ତି ସମସ୍ତେ ।ବୃକଲାସ ପରି ତୁହି ଧରୁ ନାନାରୂପ,ମୁହୂର୍ତ୍ତେ ଭିକାରୀ ପୁଣି ମୁହୂର୍ତ୍ତକେ ଭୂପ ।ଛଳନା-ରସିକ ତୁହି ଶଠ-ଚୂଡ଼ାମଣି,ଅଦ୍ଭୁତ କୌତୁକ ତୋର ଅସୀମ କରଣୀ ।ଦୃଢ଼ ସ୍ୱରେ ଯାହାକୁ ତୁ କହିଥାଉ ଖାଣ୍ଟି,ଭେଡ଼େ ବୁଲି ଆସି ପୁଣି କହୁ ତାକୁ ମାଟି ।ଏ ମୁହଁରେ କହୁ ମନ୍ଦ ସେ ମୁହଁରେ ଭଲ,ଏ ତୋହର ଭଲା ମନ, କିଭଳି ଅକଲ ।ମିଶିଛି ତୋ ସଙ୍ଗେ ଆଶା, ଯୋଗ୍ୟ ସହଚରୀ,ଭଣ୍ଡାଇ ଭଣ୍ଡାଇ ବଳେ ମାରେ ସେ ପାମରୀ ।ସେ ପାପିଷ୍ଠା ଚଣ୍ଡାଳୁଣୀ ମାଂସ ଖଣ୍ଡେ ଧରି,ଡ଼ାକିଦିଏ ଜୀବ-ଶ୍ୱାନେ ଲୋଭେ ବଶ କରି ।ବହୁ ଦୂର ଯାଇ ଶ୍ୱାନ ବାରେ ଆଘ୍ରାଣରେ,ମାଂସ ନୁହେଁ, ମାଟି ମେଞ୍ଚେ ଧରିଛି ସେ କରେ ।ଫେରିଆସେ ସେହିଠାରୁ ହୋଇ ସେ ନିରାଶ,ଧାଇଁ ଧାଇଁ ହୁଏ ଖାଲି କଣ୍ଠଗତ ଶ୍ୱାସ ।ତା କାଉଁରି ହାଡ଼ ଖଣ୍ଡ ଛୁଇଁଦେଲା ମାତ୍ରେ,ଯୁବକର ଶକ୍ତି ଆସି ଖେଳେ ବୃଦ୍ଧଗାତ୍ରେ ।ଉଡ଼ନ୍ତା ଘୋଟକୀ ଆଶା, ମନ ତୁ ଘୋଟକ,ଦୁହିଙ୍କ ମିଳନ ଆହା କି ରାଜଯୋଟକ !ଆଶା ଲୋ, ତୁ ଡ଼ାକି ହାକି ଅତିଥି ସଂଗ୍ରହୁ,ପତ୍ରରେ ପରଶୁ କିନ୍ତୁ କାଦୁଅ ଚିତଉ ।ମନରେ ତୁ ଅସନ୍ତୋଷୀ, ଅତିଠାରୁ ଅତି,କୋଟିଏ କୁବେର ଧନେ ନ ଲଭୁ ତୃପତି ।ଦୁଷ୍ଟାମିରେ ତୁମ୍ଭେ ବେନି ବଳ ଏକୁଁ ଏକ,ରଖନ୍ତି କି ସୃଷ୍ଟି ତୁମ୍ଭେ ନ ଥିଲେ ବିବେକ ।ସ୍ୱଭାବରେ ତୁମ୍ଭେ ବେନି ବଡ଼ ଅଥାଉଡ,ବିବେକ-ଚାବୁକ କରେ ତୁମ୍ଭଙ୍କୁ ସାଉଡ ।ତୁମ୍ଭ ଚିନ୍ତାବୃକ୍ଷେ ହୁଏ ଲକ୍ଷ ଲକ୍ଷ କସି,ଗୋଟେ କି ଦୁଇଟା ରହେ ସବୁ ପଡ଼େ ଖସି ।ବ୍ୟର୍ଥତା ତୁମ୍ଭର ପ୍ରାଣ ବ୍ୟର୍ଥତା ହିଁ ସୁଖ,କେବେ ଅକସ୍ମାତେ ଦେଖ ସାଫଲ୍ୟର ମୁଖ ।
ସମ୍ବନ୍ଧିତ ରଚନା
ଗୋପାଳକୃଷ୍ଣଙ୍କ ଚଉତିଶା
ଗୋପାଳକୃଷ୍ଣ ପଟ୍ଟନାୟକ
ନାନାବାୟା ଗିତ
ନନ୍ଦକିଶୋର ବଳ