ଅରଜି
୧୮୬୭–୧୯୪୩
- ସଂକଳନ: ବ୍ରଜରେଣୁ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୧୮୭
- ସ୍ଥିତି
- ସାର୍ବଜନୀନ (Public domain)
କେତେ ଦୂରେ ଶେଷଦିନ ଅଛି ମୋର ହରି,ଲାଗୁଛି ତ ବହୁଦୂର ଘୁଞ୍ଚିଗଲା ପରି ।ଦିନେ ସୁଦ୍ଧା ମହଲତ ମୁଁ ତ ମାଗି ନାହିଁ,ବୃଥା କିପାଁ ଧାର୍ଯ୍ୟ ଦିନ ଦେଉଛ ଘୁଞ୍ଚାଇ ।ଜବାନବନ୍ଦି ମୁଁ କରି ନ ପାରିବି କିଛି,ଓକୀଲ ଦେବାକୁ ଅବା ସାମର୍ଥ୍ୟ କାହିଁଛି ।ତୁମ୍ଭଙ୍କୁ ମୁଁ ଓକିଲାତି ଦେଲି ହେ ଅସୀମ,ତୁମ୍ଭେ ହିଁ ଓକୀଲ ମୋର ତୁମ୍ଭେ ହିଁ ହାକିମ ।ସାକ୍ଷୀ କେହି ନାହିଁ ପୁଣି, ହେବ ତୁମ୍ଭେ ସାକ୍ଷୀ,ଘରୁ ଖାଇ ସାକ୍ଷ୍ୟ ଦେବ ପ୍ରଭୁ ଚକାଆଖି ।ଖାଲି ତୁମ୍ଭ ଏଜଲାସେ ହେବି ମୁଁ ହାଜର,ଆଉ ସବୁ ତୁଲାଇବ ତୁମ୍ଭେ ବିଶ୍ୱେଶ୍ୱର !କିନ୍ତୁ ପ୍ରଭୁ ରାୟ ଦେବ ହୋଇ ସାବଧାନଲାଭ ବିନା ହେବ ନାହିଁ ଯେହ୍ନେ ଲୋକସାନ ।ଯାହା ଇଚ୍ଛା ମୋ ଭାଗ୍ୟରେ କର ପଛେ ଧାର୍ଯ୍ୟ,ମାତ୍ର ନିଅ ନାହିଁ ଦେବ ଆଇନ ସାହାଯ୍ୟ ।ଆଇନରେ କେତେ ଅଛି ପେଞ୍ଚ ପୁଣି ଫାଙ୍କ,ବଙ୍କାକୁ ସେ ସିଧା କରେ ସଳଖକୁ ବାଙ୍କ ।ସେ ଗୋଲକଧନ୍ଦା ଗର୍ଭ ଜଟିଳ ବିରାଟ,ଜନ୍ମେ ଜନ୍ମେ ଘୁରୁଥିଲେ ମିଳେ ନାହିଁ ବାଟ ।କି ଲୋଡ଼ା ଆଇନ୍ମୋର, ଲୋଡେ ମୁଁ କରୁଣା,ସହସ୍ର ଆଇନ୍ତୁମ୍ଭ କରୁଣାକୁ ଉଣା ।ବାକୀ ଗଡ଼ାଇବ ନାହିଁ ହେ ଦୟାସାଗର,ପୋଛି ସାଫ୍କରିଦିଅ ମୂଳ କଳନ୍ତର ।ଆଣ ମୋ ତାରିଖ ଦିନ ପାଖକୁ ଘୁଞ୍ଚାଇ,ମାଗୁଛି ମୁଁ ଏହି ଭିକ୍ଷା ଅଷ୍ଟାଙ୍ଗ ଲୋଟାଇ ।ହେ ପ୍ରଭୁ ହେ ବିଚାରକ, ଚାଣ୍ଡେ ଫଏସଲା-କରିଦିଅ ମୋର ତୁଚ୍ଛ ଜୀବନ-ମାମଲା ।ଛାମୁରେ ଜଣାଇ ଦୁଃଖ, ଦେଲି ଏ ଅରଜି,ଯାହା ବୁଝାମଣା କର ତୁମ୍ଭର ମରଜି ।
ସମ୍ବନ୍ଧିତ ରଚନା
ଗୋପାଳକୃଷ୍ଣଙ୍କ ଚଉତିଶା
ଗୋପାଳକୃଷ୍ଣ ପଟ୍ଟନାୟକ
ନାନାବାୟା ଗିତ
ନନ୍ଦକିଶୋର ବଳ