ଭାଗ ୮ — ଜୀବନ ପଞ୍ଜିକା (ପ୍ରଥମ ଭାଗ) — ଚିନ୍ତାମଣି ମହାନ୍ତି · ସ୍ୱର୍ଣ୍ଣଲିପିସମ୍ପୂର୍ଣ୍ଣ ସୂଚୀପତ୍ର
ମୟୂରଭଞ୍ଜରେ ମୋର ‘‘ମେଘାସନ’’ ପୁସ୍ତକ ଲିଖିତ ହୋଇଥିଲା । ଫକୀରମୋହନ ବାବୁଙ୍କ ଆଦେଶରେ ତାହା ମନୋରମା ପ୍ରେସରେ ମୁଦ୍ରିତ ହୋଇଥିଲା । ପୁସ୍ତକ ଖଣ୍ଡି ବ୍ୟାସ କବିଙ୍କ ନାମରେ ଉତ୍ସୃଷ୍ଟ । ‘‘ଶିଶୁପାଳ ବଧ’’ ସେହି ମୟୂରଭଞ୍ଜରେ ଲେଖିଥିଲି । ରାଧାନାଥ ବାବୁ ମାଲ୍ୟଗିରି ଶିଖରରେ ମେଘାସନ ଉପହାର ପାଇ ପ୍ରାପ୍ତି ସମ୍ବାଦ ଲେଖିଥିଲେ । ସରସ୍ୱତୀଙ୍କର ବରପୁତ୍ର ମାଲ୍ୟଗିରିରୁ ଫେରି ଆସି କଟକରେ ପହଞ୍ଚି ଜ୍ୟୋତିର୍ମୟ ସାରସ୍ୱତ ସ୍ୱର୍ଗକୁ ମହାପ୍ରସ୍ଥାନ କଲେ । ତାଙ୍କର ବିୟୋଗ ଦିବସ ଉତ୍କଳ ପକ୍ଷରେ ଭୀଷଣ ଦୁର୍ଦ୍ଦିନ । ତାଙ୍କର କୁକ୍ଷଣରେ ମାଲ୍ୟଗିରି ଯାତ୍ରା ଉତ୍କଳ ସାହିତ୍ୟ ଭାଗ୍ୟରେ ଅଭିଶାପ ।
ମନୋରମା ପ୍ରେସ୍ରେ ଆଉ ଖଣ୍ଡିଏ ଉଲ୍ଲେଖଯୋଗ୍ୟ ପୁସ୍ତକ ଛାପା ହୋଇଥିଲା । ତାହା କହ୍ନେୟାଲାଲ ପଣ୍ଡିତଙ୍କ ଅନୁବାଦିତ ଭଗବଦ୍ଗୀତା । ଅନୁବାଦ ଖୁବ୍ ସରଳ, ପ୍ରାଞ୍ଜଳ ଏବଂ ପୂର୍ଣ୍ଣ । ଲେଖୁଁ ଲେଖୁଁ ଗୋଟାଏ ହାସ୍ୟକର କଥା ମନେପଡ଼ିଲା । ଜଣେ ବୟୋବୃଦ୍ଧ ବ୍ୟକ୍ତିଙ୍କୁ ମୁଁ ସେହି ଗୀତାରୁ ଖଣ୍ଡିଏ ଉପହାର ଦେଇଥିଲି । ସେ ଗୀତାଖଣ୍ଡି ନେଇଯାଇ ଘରେ ଫିଟାଇ ଦେଖିଲେ ଯେ–ପ୍ରଚ୍ଛଦପଟର ଆଦ୍ୟରେ ଓଁ ଲେଖା ହୋଇଅଛି । ପରପାରଯାତ୍ରୀ ବୃଦ୍ଧ, କଳାଛତା ଦେଖି ମଇଁଷି କ୍ଷିପ୍ତ ହେଲା ପରି, ପୁସ୍ତକଖଣ୍ଡି ତଳେ ଥୋଇ ଦେଇ କହିଲେ–‘‘ଆରେ ରାମ, ରାମ, ଏଥିରେ ଓଁ ଲେଖା ହୋଇଅଛି–ଏ ଖଣ୍ଡେ ବରହ୍ମୀ ବହି । ଏହା ଜାଣିଥିଲେ ମୁଁ ଛୁଇଁ ନ ଥାଆନ୍ତି ।’’ ମୁଁ ଏକଥା ଶୁଣି ଗୁଡ଼ାଏ ଅନୁତାପ କଲି, ଭାବିଲି–ପବିତ୍ର ଗୀତା ଶାସ୍ତ୍ରର ଏ ଅବମାନନା–ପାପର ମୂଳ ମୁଁ; ଯେହେତୁ ପବିତ୍ର କଦଳୀ ଫଳ ଘୁଷୁରୀକୁ ଦେଇଥିଲି । ମହତ୍ ପଦାର୍ଥ ଅପାତ୍ରରେ ଦେବା ପାପ, ଏହା ଭାବି ମୁଁ ଏପରି କୁକାର୍ଯ୍ୟ ଆଉ କରିବି ନାହିଁ ବୋଲି ପ୍ରତିଜ୍ଞା କରି କାନ ମୋଡ଼ି ହୋଇ ପ୍ରାୟଶ୍ଚିତ କଲି । ଓଁ କୁ ଯେ ବ୍ରାହ୍ମଧର୍ମର ଚିହ୍ନ ଏବଂ ବ୍ରାହ୍ମଧର୍ମ ଗନ୍ଧରେ ପୂର୍ଣ୍ଣ ବୋଲି ଜାଣନ୍ତି, ସେ ଧର୍ମର ଛେନାଗୁଡ଼ କଅଣ ବୁଝନ୍ତି, ତାହା ସେହି ଏକା ଜାଣନ୍ତି । ଏକାକ୍ଷରୀ ମହାମନ୍ତ୍ର ଓଁ ର ଅର୍ଥ ଏବଂ ମହତ୍ୱ ହୃଦୟଙ୍ଗମ କରିବା ତାଙ୍କ ଧର୍ମଜ୍ଞାନର ଅତୀତ । ପାତ୍ର ନ ବିଚାରି ଦାନ କଲେ ସେ ଦାନରେ ପୁଣ୍ୟ ହୁଏ ନାହିଁ–ପାପ ହିଁ ହୁଏ । ବୟସ ଅଧିକ ହେଲେ ଯେ ଧର୍ମଜ୍ଞାନ ଅଧିକ ହୁଏ–ଏ ଭ୍ରାନ୍ତଧାରଣା ସେହିଦିନଠାରୁ ମୋର ଛାଡ଼ିଗଲା ।
ମୟୂରଭଞ୍ଜରେ ଥିବା ସମୟରେ ଖଡ଼ିଆଳର ଯୋଗଜନ୍ମା ରାଜା ବୀର ବିକ୍ରମଦେବଙ୍କର ପୁସ୍ତକ ମୁଁ ସଂଶୋଧନ କରୁଥିଲି । ରାଜା ବୀର ବିକ୍ରମ ଜଣେ ନିଷ୍ଠାପର ସାହିତ୍ୟସେବୀ ଥିଲେ । ଅଳଙ୍କାର ଶାସ୍ତ୍ରରେ ତାଙ୍କର ଅସାଧାରଣ ଦକ୍ଷତା ଥିଲା । ସେ ହିନ୍ଦି ଭାଷାର ଅନେକ ନାଟକ ଓଡ଼ିଆରେ ଅନୁବାଦ କରିଥିଲେ, ତାଙ୍କ ଅର୍ଥାନୁକୂଲ୍ୟରେ କେତେ ଖଣ୍ଡ ସତ୍ ସାହିତ୍ୟ ଦେଶରେ ପ୍ରଚାରିତ ହୋଇଥିଲା । ସେ ‘‘ପଞ୍ଜାବ ପତନ’’ ନାଟକ ହିନ୍ଦିରୁ ଅନୁବାଦ କରି ସଂଶୋଧନ ପାଇଁ ପଠାଇଥିଲେ ଏବଂ ସଂଶୋଧନ ପରେ ମନୋରମା ପ୍ରେସ୍ରେ ହଜାରେ ଖଣ୍ଡ ଛପାଇ ଦେବାପାଇଁ ଆଦେଶ ମଧ୍ୟ ଦେଇଥିଲେ । ତଦନୁଯାୟୀ ପାଣ୍ଡୁଲେଖ୍ୟ ସଂଶୋଧିତ ହୋଇ ପୁସ୍ତକ ଛାପା ହୋଇଗଲା । ଛାପା ଖର୍ଚ୍ଚ ବିଲ୍ ସହ କେତେ ଖଣ୍ଡ ମୁଦ୍ରିତ ପୁସ୍ତକ ରାଜାଙ୍କ ନିକଟକୁ ପଠାଗଲା । ସେ ବିଲ୍ଟଙ୍କା ପଠାଇ ଦେଇ ପାଣ୍ଡୁଲିପି ସହ ମୁଦ୍ରିତ ପୁସ୍ତକ ଗୁଡ଼ିକ ଅତି ଶୀଘ୍ର ପୋଡ଼ି ପକାଇବା ପାଇଁ ରେଜେଷ୍ଟରୀ ଡାକରେ ପତ୍ର ଲେଖିଲେ । ତେତେବେଳେ ରାଜଦ୍ରୋହ ଅପରାଧରେ ଅନେକ ପୁସ୍ତକ ଧରାହୋଇ ବାଜ୍ୟାପ୍ତ ହେଉଥାଏ । ରାଜା ଲେଖିଲେ–‘‘ମୁଁ ହିନ୍ଦିରୁ ଅବିକଳ ଅନୁବାଦ କରିଅଛି । ମୂଳ ପୁସ୍ତକରେ ଯେବେ ଦୋଷ ଥାଏ, ତେବେ ଅନୁବାଦରେ ତାହା ରହି ଯାଇଥିବ । ଗୋଟାଏ ଆଶଙ୍କା ପୋଷଣ କରିବା ଅପେକ୍ଷା ପୁସ୍ତକ ଗୁଡ଼ାକ ନଷ୍ଟ କରିଦେବା ହିଁ ଶ୍ରେୟସ୍କର । ଆପଣ ଏ ପତ୍ର ପାଇଲାମାତ୍ରେ ପୁସ୍ତକ ଏବଂ ପାଣ୍ଡୁଲିପି ପୋଡ଼ିଦେଇ ଫେରନ୍ତା ଡାକରେ ମୋତେ ପତ୍ର ଲେଖିବେ ।’’ ରାଜାଙ୍କ ଆଦେଶାନୁସାରେ ମୁଁ ପୁସ୍ତକ ଏବଂ ତତ୍ସମ୍ୱନ୍ଧୀୟ ସମସ୍ତ କାଗଜପତ୍ର ଅଗ୍ନି ସାତ୍ କରିଦେଇ ପଞ୍ଜାବ ପତନର ଅଶୌଚ ସମ୍ବାଦ ରାଜାଙ୍କୁ ରେଜିଷ୍ଟରୀ ପତ୍ରଦ୍ୱାରା ଜଣାଇ ଦେଲି । କେଉଁ କାଳବେଳାରେ ବାଳରିଷ୍ଟ ଘେନି ପୁସ୍ତକ ଖଣ୍ଡି ଜନ୍ମ ହୋଇଥିଲା କେଜାଣି, ଜନ୍ମ ହେଲା ପରେ ଅଗ୍ନି ତୁଣ୍ଡରେ ଆହୂତି ହେଲା । ବାଳରିଷ୍ଟ, ଚନ୍ଦ୍ରପୀଡ଼ା କି ସ୍ଥାବର କି ଜଙ୍ଗମ ସମସ୍ତଙ୍କର ଅଛି ? ଅନ୍ତୁଡ଼ି ପିଲାକୁ ବାଘ ଖାଇଲା, ରାଜା ନିଶ୍ଚିନ୍ତ ହେଲେ–ମୁଁ ବି ନିଶ୍ଚିନ୍ତ ହେଲି ।
ରାଜା ବିକ୍ରମ ଜଣେ ଗୁଣଗ୍ରାହୀ, ହୃଦୟୀ ନରପାଳ ଥିଲେ । ମୋତେ ସେ ଅନେକ ଥର ଅର୍ଥ ସାହାଯ୍ୟ କରିଅଛନ୍ତି । ପ୍ରତିଥର ପଚିଶ ଟଙ୍କାରୁ ଊଣା ପଠାନ୍ତି ନାହିଁ । ଅଯାଚିତ ଭାବରେ ଏରୂପ ଅନୁଗ୍ରହ ବାସ୍ତବରେ ବିରଳ । ଟଙ୍କା ପଠାଇ ମନିଅର୍ଡ଼ର କୁପନରେ ଲେଖନ୍ତି–ଆପଣଙ୍କ ଖର୍ଚ୍ଚ ସକାଶ ପଠାଗଲା, ମନରେ କିଛି କରିବେ ନାହିଁ । ଦାରୁଣ ପରିତାପର ବିଷୟ, ସେହି ସାହିତ୍ୟ ବନ୍ଧୁ ଆଦର୍ଶ କ୍ଷଣଜନ୍ମା ରାଜା ଅକାଳରେ ସାଧନୋଚିତ ମହାଧାମକୁ ଯାତ୍ରା କରିଅଛନ୍ତି । ରାଜା ବୀର ବିକ୍ରମ କବିପୁତ୍ର କବି । ତାଙ୍କ ପିତୃଦେବଙ୍କର ଅଳଙ୍କାର ଗ୍ରନ୍ଥ ଉତ୍କଳ ସାହିତ୍ୟାକାଶରେ ଉଜ୍ୱଳ ଜ୍ୟୋତିଷ୍କ ରୂପେ ଆଲୋକ ଦାନ କରୁଅଛି । ଖଡ଼ିଆଳର ରାଜସିଂହାସନ ଉତ୍କଳର ଅନ୍ୟତମ ସାରସ୍ୱତ ଗାଦି । ରାଜା ବୀର ବିକ୍ରମ ଦେବ ମୋର ‘‘ଶିଶୁପାଳ ବଧ’’ କାବ୍ୟ ଛାପା ସକାଶ ବୌଦ ପ୍ରେସ୍କୁ ପଠାଇଥିଲେ । ମାତ୍ର ଛାପା ପୁସ୍ତକ ଦେଖି ପାରିନାହାନ୍ତି । ପୁସ୍ତକ ପ୍ରକାଶ ପୂର୍ବରୁ ତାଙ୍କର ମହାପ୍ରୟାଣ ଘଟିଥିଲା । ପରେ ବୌଦପ୍ରେସ୍ରୁ ମୁଁ ଛାପା ପୁସ୍ତକ ଗୁଡ଼ିକ ପାଇଥିଲି-। ତେତେବେଳେ ପ୍ରଥିତନାମା ରାଜକିଶୋର ତ୍ରିପାଠୀ ବୌଦର ଦେଓ୍ୱାନ୍ (ସୁପରିଣ୍ଟେଣ୍ଡେଣ୍ଟ) ଥିଲେ । ତାଙ୍କର ଚେଷ୍ଟାରେ ମୁଁ ବହି ଗୁଡ଼ିକ ପାଇଥିଲି । ତ୍ରିପାଠୀ ମହୋଦୟ ମୋ ପ୍ରତି ଯଥେଷ୍ଟ ଅନୁଗ୍ରହ ପ୍ରକାଶ କରି ଅଛନ୍ତି । ଆଉଥରେ ମୋର ‘‘ଯୁଗଳ ମଠ’’ ଉପନ୍ୟାସ ବଲାଙ୍ଗିର ପ୍ରେସ୍ରୁ ପଠାଇ ଦେଇଥିଲେ । ସେ ସମୟରେ ସେ ପାଟନା ଷ୍ଟେଟ୍ର ସୁପରିଣ୍ଟେଣ୍ଡେଣ୍ଟ ଥିଲେ । ପଣ୍ଡିତ ନୀଳମଣି ବିଦ୍ୟାରତ୍ନଙ୍କ ଦ୍ୱାରା ମୁଁ ଖଡ଼ିଆଳ ରାଜାଙ୍କ ସହ ପରିଚିତ ହୋଇଥିଲି । ପତ୍ରିକାର ସମ୍ପାଦକ ରୂପେ ପୂର୍ବରୁ ପରିଚୟ ଥିଲା, ମାତ୍ର ଘନିଷ୍ଠତା ଥିଲା ନାହିଁ । ନୀଳମଣି ବାବୁ ରାଜାଙ୍କର ଖଣ୍ଡିଏ ନାଟକର ପାଣ୍ଡୁଲିପି ସଂଶୋଧନ ସକାଶେ ପାଇ ତାଙ୍କର ସମୟାଭାବରୁ ମୋତେ ସଂଶୋଧନ କରିବାକୁ କହିଲେ । ମୁଁ ସଂଶୋଧନ କରିଦେଲି । ତାହା ରାଜାଙ୍କର ମନୋମତ ହେଲା । ସେହିଦିନୁ ସଂଶୋଧନର ଭାର ମୋ ଉପରେ ରହିଲା । ଏହି ସୂତ୍ରରେ ପରିଚୟ ଘନିଷ୍ଠତର ହେଲା । ତାଙ୍କର ଅକାଳ ବିୟୋଗ ଦୁଃଖ ମୋ ମନରୁ ଅବଧି ପାସୋର ଯାଇନାହିଁ । ଆଜି ସେହି ଧର୍ମପ୍ରାଣ ମହାତ୍ମାଙ୍କର ପବିତ୍ର ଆଖ୍ୟାନ ଯତ୍କିଞ୍ଚିତ୍ ଲେଖି ଅଶ୍ରୁତର୍ପଣ ଦ୍ୱାରା ନିଜ ମନକୁ ସାନ୍ତ୍ୱନା ଦେଉଅଛି-।
ମେଜର କୋମ୍ପାନୀର ସ୍ୱତ୍ୱାଧିକାରୀ ପଦ୍ମଲୋଚନ ମହାନ୍ତି ଉତ୍କଳବାସୀ ପରିଚାଳନ ସମୟରେ ମୋତେ ଯଥେଷ୍ଟ ସାହାଯ୍ୟ କରୁଥିଲେ, ତାହା ଯଥାସ୍ଥାନରେ ଲିଖିତ ହୋଇଅଛି । ମନୋରମା ବେଳେ ସୁଦ୍ଧା ସେ ସେହିପରି ସାହାଯ୍ୟ କଲେ । ସେ ପ୍ରାୟ ପ୍ରତ୍ୟହ ଅନେକ ଦୈନିକ, ସାପ୍ତାହିକ, ପାକ୍ଷିକ, ମାସିକ ପତ୍ରିକା ପଠାନ୍ତି । ସେଥିରୁ ପତ୍ରିକାର ଅନେକ ଉପାଦାନ ମିଳେ । ତାଙ୍କର ଔଷଧ ବିଜ୍ଞାପନ ମନୋରମାର ପ୍ରଥମ ପୃଷ୍ଠାରେ ବାହାରୁଥାଏ । ଉତ୍କଳବାସୀ ସମୟରୁ ଭଦ୍ରଖ ସ୍କୁଲ ସମ୍ବନ୍ଧରେ ମୁଁ ଅନେକଥର ଲେଖିଅଛି । ମନୋରମାରେ ବି ଲେଖିଲି, ପୁଣି ଅନ୍ୟାନ୍ୟ ଓଡ଼ିଆ ପତ୍ରିକାରେ ମଧ୍ୟ ଲେଖିଲି । ତେତେବେଳେ ସ୍ୱନାମଧନ୍ୟ ଗଣପତି ବାବୁ ଭଦ୍ରଖ ସ୍କୁଲର ସଂସ୍କାରରେ ଲାଗିଥାଆନ୍ତି । ସେ ଏବଂ ଭଗବାନ ବାବୁ ମୋତେ ଉପକରଣ ଯୋଗାନ୍ତି । ମୁଁ ଭଦ୍ରଖ ଆସିଲେ ଗଣପତିବାବୁଙ୍କ ସଙ୍ଗରେ ଦେଖାହୁଏ । ସେ କଚେରୀ ଫେରନ୍ତା ଆସି ଆମ ଗାଁ ଠାକୁର ବଙ୍ଗଳାରେ ବସନ୍ତି । ବଙ୍ଗଳାଟି ସେ ନିଜେ ତୟାର କରାଇ ଦେଇଥିଲେ । ସେହିଠାରେ ଭଦ୍ରଖ ସ୍କୁଲ ସମ୍ବନ୍ଧରେ ଆଲୋଚନା ହୁଏ । ସେ ସମୟରେ ଭଦ୍ରଖ ସ୍କୁଲର ଅବସ୍ଥା ଅତି ଶୋଚନୀୟ ଥିଲା-। ଏମ୍. ଏ. ବି. ଏ. ଉପାଧିଧାରୀ ବିଦେଶୀ ହେଡ଼୍ମାଷ୍ଟରମାନେ ପକ୍ଷୀ ପରି ଉଡ଼ିଆସି ଉଡ଼ିଯାଉଥିଲେ । ବର୍ଷ ପୂର୍ଣ୍ଣ ହେବା କାହାରି ଭାଗ୍ୟର ଘଟୁ ନ ଥିଲା । କେହି ଦରମା ନପାଇ ପଳାଉଥିଲେ, କେହି ବା ଅନ୍ୟ ଚାକିରୀ ଯୋଗାଡ଼ କରି ଚାଲିଯାଉଥିଲେ । ସ୍କୁଲ କମିଟି ନିରୂପାୟ ହୋଇ ସେକେଣ୍ଡ ମାଷ୍ଟର ଶରଚ୍ଚନ୍ଦ୍ର ବନ୍ଦୋପାଧ୍ୟାୟଙ୍କୁ ହେଡ଼୍ମାଷ୍ଟର ନିଯୁକ୍ତ କଲେ । ଶିକ୍ଷକମାନେ ରୀତିମତ ବେତନ ପାଆନ୍ତି ନାହିଁ । ଛାତ୍ରଦତ୍ତ ବେତନ ଯାହା ହାତରେ ଯାହା ପଡ଼େ ସେ ତାହା ମାରିନିଏ । ବେତନ ନ ପାଇବାରୁ ଶିକ୍ଷକମାନେ ବି ଯଥା ସମୟରେ ସ୍କୁଲକୁ ଆସନ୍ତି ନାହିଁ–ଆସିଲେ ଦି ଘଡ଼ି ବସି ଚାଲିଯାଆନ୍ତି । ସ୍କୁଲରେ ମୂଳ ବହି ପଢ଼ା ହୁଏ ନାହିଁ । ବ୍ୟାଖ୍ୟା, ଟୀକା, ପ୍ରଶ୍ନୋତ୍ତର ଘୋଷା ହୁଏ । ଶରତ୍ ବାବୁ ବିଦ୍ୱାନ୍ ସ୍ୱାଧୀନଚେତା, ପରିଶ୍ରମୀ; କିନ୍ତୁ ଉପର କ୍ଳାସ ପିଲାଙ୍କୁ ନେଇ ଅନ୍ତୁଡ଼ି ଜଗିଲା ପରି ତାଙ୍କରି ସଙ୍ଗରେ ଲାଗିଥାଆନ୍ତି–ତଳ ଶିକ୍ଷକମାନଙ୍କର କାର୍ଯ୍ୟ ଦେଖନ୍ତି ନାହିଁ । ଏହିସବୁ ବିଷୟ ପତ୍ରିକାରେ ଆଲୋଚନା କରାଗଲା । ତେତେବେଳେ ଇନ୍ସ୍ପେକ୍ଟର ମଧୁସୂଦନ ରାଓ । ସେ ଗସ୍ତରେ ବାରିପଦା ଯାଇଥିଲେ, ମୁଁ ତାଙ୍କୁ ଦେଖାକରି ଭଦ୍ରଖ ସ୍କୁଲର ଅଭାବ, ଅସୁବିଧା ସବୁ ବୁଝାଇ କହିଲି । ଏଥିପୂର୍ବରୁ ଡିରେକ୍ଟର ଏବଂ ଇନିସ୍ପେକ୍ଟରଙ୍କୁ ଏକାଧିକ ଥର ଭଦ୍ରଖ ସ୍କୁଲର ଅବସ୍ଥା ଜଣାଇ ପ୍ରତିକାର ପ୍ରାର୍ଥୀ ହୋଇଥିଲି । ମଧୁବାବୁ ମୋ ଠାରୁ ସବୁ ଶୁଣି କହିଲେ, ମୁଁ ଏ ଅଞ୍ଚଳରୁ ଫେରିଲେ ଭଦ୍ରଖ ଯିବି । ସ୍କୁଲ ଦେଖି ଉପଯୁକ୍ତ ବ୍ୟବସ୍ଥା କରିବି ।’’ ଦରମା ଲୋଭରେ ଅଯୋଗ୍ୟ ପିଲାଙ୍କୁ ଉପରକ୍ଳାସକୁ ଉଠାଇ ଦିଆଯାଏ–ମୂଳ ପୁସ୍ତକ ନ ପଢ଼ାଇ ତାହାର ବ୍ୟାଖ୍ୟା, ପ୍ରଶ୍ନୋତ୍ତର ଘୋଷା ହୁଏ, ଏହିପରି ଯାବତୀୟ ତ୍ରୁଟି ମୁଁ ତାଙ୍କ ଆଗରେ କହିଥିଲି । ସେ ତାହା ସବୁ ନୋଟ୍ କରି ନେଇଥିଲେ । ତେତେବେଳେ ସ୍କୁଲରେ ଜଣେ ସୁଦ୍ଧା ଗ୍ରାଜୁଏଟ୍ କିମ୍ବା ଆଇ, ଏ. ଶିକ୍ଷକ ନ ଥିଲେ । ତଳୁ ଉପରଯାଏଁ ସମସ୍ତେ ଏଣ୍ଟ୍ରେନ୍ସ ପାସ, କେହି ବା ଏଣ୍ଟ୍ରେନ୍ସ ଫେଲ । ମଧୁବାବୁ ସ୍କୁଲ ଦେଖି ମୋ କଥାର ପୂର୍ଣ୍ଣ ପ୍ରମାଣ ପାଇଲେ । ସେ ହେଡ଼୍ମାଷ୍ଟରଙ୍କର ଦରମା ପାଞ୍ଚ ଟଙ୍କା କାଟିଦେଇଗଲେ । ଏକଥା ମନୋରମାରେ ବାହାରିଲା । ଶରତ୍ ବାବୁ ମୋ ଉପରେ ଖପାହୋଇ ମୋ ନାମରେ ମକଦ୍ଦମା କରିବାକୁ ବାହାରିଲେ । ଦିନେ ଭଗବାନ ବାବୁ ତାଙ୍କୁ ଯାଇ କହିଲେ–‘‘କି ମାଷ୍ଟର ମହାଶୟ, ଆପଣ ପରା ଚିନ୍ତାମଣି ବାବୁଙ୍କ ନାମରେ ମକଦ୍ଦମା କରିବେ ? ଭାବିଥିବେ ତାଙ୍କର ପଇସା ନାହିଁ, ତାଙ୍କୁ ସହଜରେ ପରାସ୍ତ କରି ପ୍ରତିଶୋଧ ନେବେ, ମାତ୍ର ଜାଣିଥାଉନ୍ତୁ–ତାଙ୍କ ପଛରେ ଅନେକ ଟଙ୍କା ତୋଡ଼ା ଧରି ଠିଆ ହୋଇଛନ୍ତି । ଆପଣଙ୍କ ବ୍ୟବହାରରୁ ଭଲ ଶିକ୍ଷକ ସ୍କୁଲରେ ରହିପାରୁନାହାନ୍ତି, ଆପଣ ପୁଣି କହନ୍ତି–‘‘ଆମାର ସ୍କୁଲ, ଆମି ଯାଇଚ୍ଛା ତାଇ କରବ, କେ ଆମାର କି କର୍ତେ ପାରେ ?’’ ଏ ବିଷୟର ପ୍ରମାଣ ଆମ୍ଭେମାନେ ଦେବୁଁ । ଆପଣ ମାନହାନି ନାଲିସ୍ କରନ୍ତୁ । ସେଥିପାଇଁ କେହି ସୋରିଷ ଖୋଳି ପଶିବ ନାହିଁ ।’’ ଏହା ଶୁଣି ଶରତ୍ ବାବୁ ବୁଝିପାରିଲେ ଯେ ମୋ ପଛରେ ଗୋଟାଏ ପୃଷ୍ଠପୋଷକଦଳ ଅଛି । ସୁତରାଂ ଆଉ ମକଦ୍ଦମା କରିବାକୁ ସାହସ କଲେ ନାହିଁ । ମୁଁ ଶରତ୍ ବାବୁଙ୍କ ଉପରେ ଦୋଷ ଲଦି ଲେଖି ନ ଥିଲି, ବରଂ ତାଙ୍କୁ ପ୍ରଶଂସା କରିଥିଲି । ମୁଁ ଲେଖିଥିଲି–ଶରତ୍ ବାବୁ ନିଜେ ଯେପରି ଖଟନ୍ତି, ଅନ୍ୟ ଶିକ୍ଷକମାନଙ୍କୁ ସେପରି ଖଟାନ୍ତି ନାହିଁ । ସେମାନଙ୍କ କାର୍ଯ୍ୟ ସେ ଆଦୌ ଦେଖନ୍ତି ନାହିଁ । ଏକଥା ଶରତ୍ ବାବୁ ପଛରେ ବୁଝିପାରିଥିଲେ । ଶେଷ ଜୀବନରେ ସେ ମୋ ସହିତ ଅତି ଘନିଷ୍ଠତା କରିଥିଲେ । ଅଧିକାଂଶ ସମୟ ଆମ ଘର ପାଖକୁ ଆସନ୍ତି । ସାହିତ୍ୟର ଆଲୋଚନା ହୁଏ । ତାଙ୍କର ଶେଷ ପୁସ୍ତକ ‘‘ପ୍ରାର୍ଥନା ଶତକ’’ର ଓଡ଼ିଆ ପଦ୍ୟାନୁବାଦ ମୋଠାରୁ କରାଇ ନେଇଥିଲେ । ଇଂରାଜୀ ଏବଂ ସଂସ୍କୃତ ସାହିତ୍ୟରେ ସେ ଧୁରନ୍ଧର । ଅନେକ ପୁସ୍ତକ ମଧ୍ୟ ଲେଖିଅଛନ୍ତି । ବର୍ତ୍ତମାନ ସେ ପରଲୋକଗତ । ଶରତ୍ ବାବୁ ନୈସର୍ଗିକ କବି । ତାଙ୍କର ‘‘କୃଷ୍ଣପ୍ରେମ ତରଙ୍ଗିଣୀ’’, କୁମାର ସମ୍ଭବ, ମେଘଦୂତର ଅନୁବାଦ ପ୍ରାଜ୍ଞ ସମାଜରେ ଆଦୃତ ହୋଇଅଛି । ସେ ଏକାଦିକ୍ରମେ ତିରିଶ ବର୍ଷକାଳ ଭଦ୍ରଖ ସ୍କୁଲରେ କାର୍ଯ୍ୟ କରିଥିଲେ । ଦୁଃଖର ବିଷୟ ସ୍କୁଲ କମିଟି ତାଙ୍କୁ ଶୂନ୍ୟ ହସ୍ତରେ ବିଦାୟ ଦେଇଥିଲେ । ଭଦ୍ରଖର ଅଧିକାଂଶ ଓକିଲ, ହାକିମ, ଅମଲା ତାଙ୍କର ଛାତ୍ର । ଭଦ୍ରଖ ସ୍କୁଲରେ ଯେପରି ହେଡ଼୍ମାଷ୍ଟର ଦୁର୍ଭିକ୍ଷ ପଡ଼ିଥିଲା, ଶରତ୍ ବାବୁ ବହୁ ବର୍ଷ ବ୍ୟାପି କଷ୍ଟ ସହି ରହି ନ ଥିଲେ ସ୍କୁଲର ଅସ୍ତିତ୍ୱ ସନ୍ଦେହଜନକ ହୋଇଥାଆନ୍ତା । ସେହି ଭଦ୍ରଖ ସ୍କୁଲରୁ ବର୍ତ୍ତମାନ ଦଳ ଦଳ ହୋଇ ପାସ୍ କରୁଅଛନ୍ତି । ବୃତ୍ତି ପ୍ରାୟ ଲାଗି ରହିଅଛି । ବର୍ଷେ ବର୍ଷେ ଦୁଇଟା ଲେଖାଏଁ ବୃତ୍ତି ନେଉଅଛି । କାଳର ଗତି ଏହିପରି ପରିବର୍ତ୍ତନଶୀଳ । ସ୍କୁଲଟି ଯେପରି ଗତିରେ ଉନ୍ନତି ଆଡ଼କୁ ଅଗ୍ରସର ହେଉଅଛି, ସେଥିରୁ ବୋଧହୁଏ ଅଦୂର ଭବିଷ୍ୟତରେ ତାହା ଦ୍ୱିତୀୟଶ୍ରେଣୀ କଲେଜରେ ପରିଣତ ହେବ । କିନ୍ତୁ ମୁଁ ଜନ୍ମଭୂମିର ସେହି ଶୁଭ ସୌଭାଗ୍ୟ ଦେଖିପାରିବି ନାହିଁ । ବର୍ତ୍ତମାନ ସ୍କୁଲ ଗ୍ରାଜୁଏଟ୍ମୟ । ଏମ, ଏ, ବା ଟ୍ରେନିଂର ଅଭାବ ନାହିଁ । ଛାତ୍ର ଗହଳରେ ସ୍କୁଲଘର ଘୋ ଘୋ ଡାକୁଛି । ଏତିକି ଦେଖି ମୁଁ କୃତାର୍ଥ । ମଫସଲର ଲୋକେ ଶିକ୍ଷାର ମୂଲ୍ୟ, ମହତ୍ୱ ବୁଝିଲେଣି । ମଫସଲରୁ ଦଳ ଦଳ ହୋଇ ପିଲା ପଢ଼ିବାକୁ ଆସୁଛନ୍ତି । ଇତର ଜାତି ମହାମୂର୍ଖ ପାଣ, ମୋଚି ପ୍ରଭୃତି ଶିକ୍ଷା ପ୍ରତି ଆଗ୍ରହ ପ୍ରକାଶ କଲେଣି । ତେତେବେଳେ ଗାଁରେ ଜଣେ ଦୁଇଜଣ ପାଠୁଆ ନ ଥିଲେ, ବର୍ତ୍ତମାନ ଘରେ ଘରେ ପାଠୁଆ । ନିଜର ଦେଶକୁ–ନିଜର ଜାତିକୁ ଲୋକେ ଚିହ୍ନୁଅଛନ୍ତି । ପୂର୍ବ ଗୌରବ ଏବଂ ଆତ୍ମସମ୍ମାନ ହେଜି ପାରିଲେଣି । ବିଦେଶ ଯାଇ ଜ୍ଞାନାର୍ଜନ କରିବାକୁ ଆଉ ମନା ନାହିଁ । ସମାଜର ସେ ମୂଢ଼ତା କଟିଗଲାଣି । ମହାତ୍ମାଗାନ୍ଧୀଙ୍କ ଯୋଗୁଁ ସମସ୍ତଙ୍କ ପ୍ରାଣରେ ଦେଶ ପ୍ରତି ମାତୃମମତା ଜାତ ହେଲାଣି–ଏହା ଶୁଭସୂଚନା ନୁହେଁ କି ?
ସେ ସମୟରେ ମୟୂରଭଞ୍ଜ ହାଇସ୍କୁଲରେ ଶୈଳେନ୍ଦ୍ରନାଥ ସର୍କାର ହେଡ଼୍ମାଷ୍ଟର ଥିଲେ-। ସେ ସୁପ୍ରସିଦ୍ଧ ଇଂରାଜୀ ଫାଷ୍ଟବୁକ ପ୍ରଣେତା ପ୍ୟାରୀ ଚରଣ ସର୍କାରଙ୍କ ପୁତ୍ର । ଫାଷ୍ଟବୁକ୍ର ମାହାତ୍ମ୍ୟ ଆଜିଯାଏଁ ଅକ୍ଷୁଣ୍ଣ ଅଛି । ଆଉ କାହାରି କୌଣସି ପୁସ୍ତକ ଏତେ ଦୀର୍ଘକାଳ ବ୍ୟାପି ଚଳି ନ ଥିଲା । ନୂତନ ଧରଣର ସମଶ୍ରେଣୀୟ ଅନେକ ପୁସ୍ତକ ବାହାରିଲେ ସୁଦ୍ଧା ପ୍ରତିଯୋଗିତାରେ ଫାଷ୍ଟବୁକ୍ ସ୍ୱସ୍ଥାନରୁ ତିଳେ ମାତ୍ର ଖସିନାହିଁ । କେବେ ପୁରୁଣା ହୁଏ ନାହିଁ । ଶୈଳେନ୍ଦ୍ର ବାବୁ ଉପଯୁକ୍ତ ପୁତ୍ର, ସେ ଡବଲ ଏମ୍, ଏ । ଓଡ଼ିଆ ବଙ୍ଗାଳୀ ଭେଦାଭାବ ତାଙ୍କଠାରେ ନ ଥିଲା । ସମସ୍ତଙ୍କୁ ସେ ସମାନ ଚକ୍ଷୁରେ ଦେଖୁଥିଲେ । ହୋମିଓପ୍ୟାଥିକ ଚିକିତ୍ସାରେ ସେ ସିଦ୍ଧହସ୍ତ ଥିଲେ । ସ୍କୁଲ ଛାତ୍ର ବା ଅନ୍ୟ କେହି ପୀଡ଼ିତ ଥିବାର ଶୁଣିଲେ ସେ ତତ୍କ୍ଷଣାତ୍ ଔଷଧ ବାକ୍ସ ଘେନି ରୋଗୀ ପାଖରେ ଉପସ୍ଥିତ ହୋଇ ଚିକିତ୍ସା କରନ୍ତି । କାହାରି ଘର ପୋଡ଼ିଗଲେ ସେ ସ୍କାଉଟ୍ଦଳକୁ ଘେନି ଯାଇ ନିଆଁ ଲିଭାଇ ଦିଅନ୍ତି । ମୋତେ ଥରେ ଜ୍ୱର ହୋଇଥିଲା । ସେ ଚାରିଦିନ ଯାଏଁ ସକାଳ ସନ୍ଧ୍ୟାରେ ମୋ ବସାକୁ ଆସି ମୋତେ ଔଷଧ ଦେଇ ଭଲ କରିଥିଲେ । ସେ ନିଜ ଗୁଣରେ ମୟୂରଭଞ୍ଜବାସୀଙ୍କର ଭକ୍ତିଭାଜନ ହୋଇଥିଲେ । ତାଙ୍କ ପରି ଦେବହୃଦୟ ବ୍ୟକ୍ତିମାନେ ବଙ୍ଗଦେଶର ଗୋଟିଏ ଗୋଟିଏ ରତ୍ନ ସ୍ୱରୂପ । ବାରିପଦା ସ୍କୁଲ ଠିକ୍ ଗୋଟାଏ କଲେଜ ପରି । ଉପକରଣ ଏବଂ ଯନ୍ତ୍ରପାତିର ଅଭାବ ନାହିଁ । ସ୍କୁଲର ସେକେଣ୍ଡ ପଣ୍ଡିତ ମଧୁସୂଦନ ଦାଶ ମୋର ଜଣେ ଅନ୍ତରଙ୍ଗ ବନ୍ଧୁ । ସେ ପ୍ରତ୍ୟହ ସନ୍ଧ୍ୟା ସମୟରେ ଆସି ମୋର ତତ୍ତ୍ୱ ନିଅନ୍ତି । ବୈଷ୍ଣବ ଚରଣ ବିଦ୍ୟାସାଗର ଟୋଲର ହେଡ଼୍ପଣ୍ଡିତ ଥିଲେ । ସେ ଜଣେ ଦେଶ ବିଖ୍ୟାତ ପଣ୍ଡିତ ଏବଂ ଅଗାଧ ବିଦ୍ୱାନ୍ । ଲାଲ ସାହେବ ହରିଶ୍ଚନ୍ଦ୍ର ଭଞ୍ଜ ପ୍ରତ୍ୟହ ମୋର ତତ୍ତ୍ୱ ନିଅନ୍ତି । ସେ ଜଣେ ବିଦ୍ୱାନ୍, ବିନୟୀ, ଶାନ୍ତ, ସଦାଳାପୀ ବ୍ୟକ୍ତି ଏବଂ ଗୁପ୍ତଦାତା । ରାଜପୁରୁଷ ସମାଜରେ ତାଙ୍କପରି ସରଳ, ନିରଭିମାନ ବିରଳ । ସେ ମୋର ଅନେକ ସୁବିଧା କରିଦେଇଥିଲେ । ଲାଲ ସାହେବ ମ୍ୟୁନିସିପାଲଟିର ଚେୟାରମେନ୍ ଥିଲେ । ସେ ବଡ଼ ଶିକାରପ୍ରିୟ । ଗୋଟାଏ ଦନ୍ତାହାତୀ ବେତନଟିଠାରେ ଭାରୀ ଉପଦ୍ରବ କଲା । ତାହା ଦୌରାତ୍ମ୍ୟରେ ଘରେ ଘରେ ତାଟି କବାଟ ପଡ଼ିଲା । ଲାଲ ସାହେବ ଯାଇ ଛଅଟା ଗୁଳିରେ ତାକୁ ମାରି ଭୂତଳଶାୟୀ କଲେ । ଏହା ମୋର ମୟୂରଭଞ୍ଜରେ ଥିବା ସମୟର ଘଟଣା ।
ସ୍ୱର୍ଗୀୟ ନୀଳଗିରି ରାଜା ମୟୂରଭଞ୍ଜ ରାଜାଙ୍କ ଭାଇ । ସେ ଅଧିକାଂଶ ସମୟ ମୟୂରଭଞ୍ଜରେ ଆସି ରହନ୍ତି । ସେ ଜଣେ ତେଜସ୍ୱୀ କ୍ଷତ୍ରିୟ ବୀର । ମୁଖ ଏବଂ ଚକ୍ଷୁରେ କ୍ଷାତ୍ର ତେଜ ଆଭାସି ଉଠୁଥାଏ । ମୃଗୟା ତାଙ୍କର ଅତି ପ୍ରିୟ ବ୍ୟସନ, ସେ ପ୍ରାୟ ସତତ ଶିକାରରେ ବ୍ୟାପୁତ ଥାଆନ୍ତି । ମନୋରମା ଅଫିସ୍ ଆଗରେ ଗୋଟାଏ ପୁଷ୍କରିଣୀ ଅଛି, ସେଥିରେ ସମୟ ସମୟରେ ବନଶୀ ପକାଇ ଆମୋଦ ଉପଭୋଗ କରନ୍ତି । ଅଣ୍ଟାଏ ପାଣି ଭିତରେ ସେ ଭାଡ଼ି ଉପରେ ବସି ବନଶୀ ପକାନ୍ତି, ଜଣେ ଚାକର ପାଖରେ ଥାଇ ଥୋପ ଗୁନ୍ଥିଦିଏ । ରାଜା ଖୁବ୍ କଷ୍ଟସହିଷ୍ଣୁ, ଗ୍ରୀଷ୍ମକାଳର ପ୍ରଚଣ୍ଡ ଖରାରେ ତାଙ୍କୁ ଅନେକଥର ବନଶୀ ଖେଳାଉଥିବାର ମୁଁ ଦେଖିଅଛି । ଉକ୍ତ ପୋଖରୀର ଜଳ ପାଟଳବର୍ଣ୍ଣ । ପାଣି ପାଖରେ ଗୋଟାଏ ଗାତ ଖୋଳି ଗାମୁଛା ତିନ୍ତାଇ ରଖିଲେ ଗାମୁଛା ଚମ୍ପାଫୁଲିଆ ରଙ୍ଗ ଧରିଯାଏ । ବାରିପଦା ଖୁବ୍ ଉର୍ବରା ଭୂମି, ବଳଙ୍ଗ କୂଳରେ ଗୋଟାଏ ଗୋଟାଏ ବୋଇତାଳୁ ଅଧମହଣ ପର୍ଯ୍ୟନ୍ତ ବଡ଼ ହୁଏ । ମକା ସେହିପରି ଫୁଟକରୁ ଅଧିକ ଲମ୍ବ ଏବଂ ତଦୁପଯୋଗୀ ମୋଟା ହୁଏ । ମୟୂରଭଞ୍ଜ ରାଜବାଟୀ ବଳଙ୍ଗର ଦାଢ଼ରେ ଅବସ୍ଥିତ । ରାଜବାଟୀର ଦୈର୍ଘ୍ୟ ପ୍ରାୟ ଏକମାଇଲରୁ ଅଧିକ । ଏଭଳି ସୁବୃହତ୍ ରାଜନବର ଅନ୍ୟ ଗଡ଼ଜାତରେ ଦେଖାଯାଏ ନାହିଁ । ମୟୂରଭଞ୍ଜ ବଣରେ ଅତି ବୃହତ୍କାୟ ଭାଲୁ ଅଛନ୍ତି । ଦିନେ ରାଉତରା ସାହେବ ଗୋଟାଏ ଭାଲୁ ମାରି ଆଣିଥିଲେ । ଭାଲୁଟା ପ୍ରକାଣ୍ଡ, ଲମ୍ବରେ ଆଠ ହାତ । ତାହାର ଦାନ୍ତ, ନଖଗୁଡ଼ାକ ରେକେ ଲେଖାଏଁ ମୋଟ ଏବଂ ମୁଣ୍ଡଟା ଧାନଉଁଷା ହାଣ୍ଡି ପରି । ମଲା ଭାଲୁଟାକୁ ଦେଖି ସୁଦ୍ଧା ଭୟରେ ଅନ୍ତ ଥରି ଉଠୁଥାଏ ।
ବର୍ତ୍ତମାନ ମହାରାଜା ଶ୍ରୀ ପ୍ରତାପଚନ୍ଦ୍ର ଭଞ୍ଜ ଦେବ ସେତେବେଳେ ଖୁବ୍ ଅଳ୍ପବୟସ୍କ । ସେ ଦୁଇଭାଇଙ୍କୁ ଜଣେ ଗୃହଶିକ୍ଷକ ପଢ଼ାଉଥିଲେ । ଦିନେ ସେ ଶିକ୍ଷକ ମୋତେ ନେଇ ଯାଇ ରାଜକୁମାର ଦ୍ୱୟଙ୍କ ସହିତ ସାକ୍ଷାତ୍ ଏବଂ ପରିଚୟ କରାଇଦେଲେ । ବର୍ତ୍ତମାନ ମହାରାଜାଙ୍କର ବାଲ୍ୟକାଳରେ ପ୍ରବୀଣ-ସ୍ୱରୂପ ପ୍ରତିଭାର ପରିଚୟ ପାଇ ମୁଁ ଆଶ୍ଚର୍ଯ୍ୟ ଏବଂ ମୁଗ୍ଧ ହୋଇଥିଲି । ତାଙ୍କର ସୌଜନ୍ୟ, ଶିଷ୍ଟାଚାର ମୋତେ ବିଶେଷ ଆନନ୍ଦ ଦାନ କରିଥିଲା ।
ଯେଉଁ କୋଠାରେ ମନୋରମା ଅଫିସ୍ ହେଉଥିଲା, ତାହା ଉଆଁସ ଅନ୍ଧାରର ଅନ୍ତୁଡ଼ିଶାଳ । ଘରଗୁଡ଼ାକ ଏପରି ବେବାଗରେ ତିଆରି ଯେ, ବାୟୁ ଏବଂ ଆଲୋକ ପଶିବାର ଉପାୟ ନାହିଁ–ଦିନରେ ସୁଦ୍ଧା ନିର୍ଜନ କାରାଗାର ପରି ଅନ୍ଧକାରମୟ । ଘର, ପିଣ୍ଡା ସର୍ବତ୍ର ବାଉଚଢ଼ାଇମାନେ ନିର୍ଭୟରେ ବଂଶବୃଦ୍ଧିରେ ନିଯୁକ୍ତ ଥାଆନ୍ତି । ସଂଖ୍ୟାରେ ପ୍ରାୟ ହଜାରକରୁ ଊଣା ହେବେ ନାହିଁ । ସେମାନଙ୍କ କଳକୋଳାହଳରେ କାନ ବଧିର ହୋଇଯାଏ । ଅନ୍ୟଆଡ଼ୁ ଦଳେ ଦଳେ ଆସି ଯୁଦ୍ଧ ଲଗାନ୍ତି । ତେତେବେଳେ ସ୍ଥାନଟା ବାସ୍ତବରେ ଯୁଦ୍ଧକ୍ଷେତ୍ର ପରି ମହାମୁଖର ହୋଇଉଠେ । ସେମାନେ ଅକ୍ଷର କେଶ୍ରୁ ଅକ୍ଷର କାଢ଼ି ଇତସ୍ତତଃ କରିଦିଅନ୍ତି । ବୋଧହୁଏ କମ୍ପୋଜ ଦେଖି ଦେଖି ପକ୍ଷୀଗୁଡ଼ିକ କମ୍ପୋଜିଟରର ଅଭିନୟ କରି ଆନନ୍ଦ କୌତୁକ ଉପଭୋଗ କରନ୍ତି । ତାଙ୍କର ଦୌରାତ୍ମ୍ୟ ଅସହ୍ୟ ହେବାରୁ ପ୍ରେସ୍କର୍ମଚାରୀମାନେ ଦିନେ କୌଶଳରେ ଗୋଟାକୁ ଧରି ବାନ୍ଧିବାକୁ ଉପକ୍ରମ କଲେ । ତହୁଁ ସବୁ ବାଉଯାକ ଆସି ରୀତିମତ ଯୁଦ୍ଧ ଲଗାଇଦେଲେ । କିଏ ଆସି ଧରିଲା ଲୋକର ମୁଣ୍ଡ ଖୁମ୍ପିଲା–କିଏ ପିଠି ଖୁମ୍ପିଲା–କିଏ ହାତ ଖୁମ୍ପିଲା, ଏହିପରି ବ୍ୟତିବ୍ୟସ୍ତ କରି ତାଙ୍କ ଜାତି ପକ୍ଷୀଟିକୁ ଛଡ଼ାଇ ନେବାକୁ ଚେଷ୍ଟା କଲେ । ଦୁର୍ବଳ, ଅଜ୍ଞାନ ପକ୍ଷୀଗୁଡ଼ିକର ଏକତା ଦେଖି ପ୍ରବଳ, ଜ୍ଞାନଗର୍ବୀ ମନୁଷ୍ୟ ଲଜ୍ଜିତ ହେବ । ଗୋଟାକ ବିପଦରେ ସମସ୍ତେ ବିପନ୍ନ ହେବାକୁ ଉଦ୍ୟତ ହେଲେ । ଧୃତ ପକ୍ଷୀଟି ବନ୍ଧନରେ ପଡ଼ି ଧକେଇ ହେବାକୁ ଲାଗିଲା । କି କରୁଣ ଚିତ୍କାର, ବୋଧହୁଏ ମୁକ୍ତ ହେବା ପାଇଁ ମନୁଷ୍ୟର ଦୟା ଭିକ୍ଷା କରୁଅଛି, ଅଥବା ସ୍ୱାଧୀନତାହାରୀ ପ୍ରତି ଅଭିସମ୍ପାତ ଢାଳୁଛି ତାହା କିଏ ବୁଝିପାରିବ । ସ୍ୱାଧୀନତା ନଷ୍ଟ ହେଲେ ସମସ୍ତଙ୍କ ପ୍ରାଣ ଏହିପରି ଧକେଇ ହୁଏ । ପକ୍ଷୀଟି ଦେହରେ ପ୍ରେସ୍ କାଳି ବୋଳି ତାକୁ ଛାଡ଼ିଦିଆଗଲା । ଆଉ ତାହାର ଲାଞ୍ଛନା କହିଲେ ନ ସରେ । ତାକୁ ଉଦ୍ଧାର କରିବା ପାଇଁ ଯେଉଁମାନେ ପ୍ରାଣପଣ କରିଥିଲେ, ସେହିମାନେ ପୁଣି ବିଜାତୀୟ ଘୃଣା କଲେ । ଦୁର୍ବୋଧ୍ୟ ବାଉ ଭାଷାରେ ତିରସ୍କାର କରି ଚାରିଆଡ଼ୁ ତାକୁ ଖୁମ୍ପି ଅସ୍ଥିର କରି ପକାଇଲେ । ସମ୍ଭବତଃ ତାକୁ ଗଞ୍ଜଣା କରି କହୁଥାଆନ୍ତି–ଛି କୁଳାଙ୍ଗାର, ତୁ ବାଉ ମହାବଂଶରେ ଜନ୍ମ ହୋଇ ଛାର ମନୁଷ୍ୟଟା ହାତରେ ଧରାଦେଲୁ । ଏ କଳଙ୍କ ଯେ ଧୋଇଲେ ଛାଡ଼ିବ ନାହିଁ । ତୁ ମହାଶକ୍ତିଧର ବାଉ, କ୍ଷୀଣଶକ୍ତି ଚେଡ଼ଙ୍ଗା ମନୁଷ୍ୟ କି ତୋତେ ବଳିଗଲା । ଏହିପରି କହି ବିଚରାକୁ ଖୁମ୍ପି ଖୁମ୍ପି ଦଳରୁ କାଢ଼ିଦେଲେ–ସେ ପ୍ରାଣ ବିକଳରେ ଉଡ଼ି ପଳାଇଗଲା । କ୍ଷୁଦ୍ର ପକ୍ଷୀପ୍ରାଣରେ ବି ଆତ୍ମସମ୍ମାନ ଜାଗ୍ରତ ଥାଏ, ମାତ୍ର କ୍ଷୋଭର ବିଷୟ–ଅନେକ ମନୁଷ୍ୟ ଆଖ୍ୟାଧାରୀଙ୍କ ପ୍ରାଣରେ ତାହା ଦୁର୍ଲଭ । ଏ ତ ଗଲା ଘରର ଭିତର ଅବସ୍ଥା । ମାତ୍ର ବାହାର ଅବସ୍ଥା ଗାଆଣ ଗାଇଲେ ସରିବ ନାହିଁ । ଛାତ ଉପରେ ଫାଟି ଯାଇ ଫାଙ୍କ ହୋଇ ଥିବାରୁ ବର୍ଷାବେଳେ ବଡ଼ ହରବର ହେବାକୁ ହୁଏ । ଉପରକୁ ଯାଇ ଫାଟୁରେ ଚିକିଟା ମାଟି ନ ନେସିଲେ ନିସ୍ତାର ନାହିଁ । ତେତିକି ନ କଲେ ପ୍ରେସ୍, କେଶ୍, ଅକ୍ଷର, କାଗଜପତ୍ର ସମସ୍ତଙ୍କ ଭାଗ୍ୟରେ ମହାସ୍ନାନ ଯୋଗ ଘଟେ । ସେହି ଘରେ ମୋତେ ବର୍ଷେକାଳ କଟାଇବାକୁ ହୋଇଥିଲା ।
ବାରିପଦା ରେଳଷ୍ଟେସନର ଖଣ୍ଡେ ଦୂରରେ ଗୋଟାଏ ହାଟ ବସେ । ହାଟରେ କୁକୁଡ଼ା ଲଢ଼େଇ ଅଧିକ ହୁଏ । ବଣୁଆମାନେ ବହୁଦୂରରୁ କୁକୁଡ଼ା ଘେନି ଆସନ୍ତି । କୁକ୍କୁଟ ଯୁଦ୍ଧ ସେମାନଙ୍କର ଗୋଟାଏ ନିଷ୍ଠୁର କୌତୁକ । ଦୁଇଟା ଗଞ୍ଜା କୁକୁଡ଼ା ଗୋଡ଼ରେ ତୀକ୍ଷ୍ଣଧାର ଛୁରୀଫଳା ବାନ୍ଧିଦେଇ ଛାଡ଼ିଦିଅନ୍ତି । ସେମାନେ ଉଡ଼ି ଉଡ଼ି ଭୂଷାଭୂଷି ହୁଅନ୍ତି । ଯେଉଁଟା ଅଶକ୍ତ ହୋଇପଡ଼େ ସେହିଟା ହାରେ । ସେଟାକୁ ବିଜେତା କୁକୁଡ଼ାର ମାଲିକ ଗ୍ରହଣ କରେ । ଯାହାର କୁକୁଡ଼ା ଜିଣେ, ତାହାର ଆନନ୍ଦର ସୀମା ରହେ ନାହିଁ–ଯେପରି ସେ ଗୋଟାଏ ରାଜ୍ୟ ଜୟ କରିଅଛି-। ବିଜୟୀ କୁକ୍କୁଟ ବୀରର ଗୌରବ ବହୁଗୁଣିତ ହୋଇଉଠେ । ତାହାର ମାଲିକ ଆନନ୍ଦ ଚିତ୍କାର ଛାଡ଼ି ତାକୁ ଘନଘନ ଚୁମ୍ବନ କରେ । ବାଦ୍ୟ ବାଜେ, ବନ୍ୟ ଜାତିଏ ହାଣ୍ଡିଆ, ମଦ ପିଇ ନୃତ୍ୟ କରନ୍ତି, କେହି କେହି ବଜ୍ରଗମ୍ଭୀର ନାଦରେ ଆନନ୍ଦ କୁହାଟ ଛାଡ଼ନ୍ତି । ଏ ନିଷ୍ଠୁର ପ୍ରଥା ଏବେ ଅଛି କି ଉଠିଗଲାଣି ତାହା ମୋର ଅଜ୍ଞାତ । ନିରୀହ ଇତର ପ୍ରାଣୀର ପ୍ରାଣ ବିନାଶ କରି ଯେଉଁମାନେ କୌତୁକ ଉପଭୋଗ କରନ୍ତି, ସେମାନେ କେଉଁ ଶ୍ରେଣୀର ଜୀବ ? ସେମାନେ ନରକର କୀଟ ଠାରୁ ଇତର । ବଣୁଆମାନେ ଏକବୁଝା, ରାଢ଼ । ସେମାନଙ୍କ ବଦ୍ଧମୂଳ କୁସଂସ୍କାରକୁ ବଦଳାଇବାକୁ ଚେଷ୍ଟା କରିବା ବିପଜ୍ଜନକ । ସେଥିପାଇଁ ଅନେକ ସ୍ଥାନରେ ଏ ନିଷ୍ଠୁର କୁପ୍ରଥାର ପ୍ରତିକାର ହୋଇପାରି ନାହିଁ । ଏରୂପ ସ୍ଥଳରେ ‘‘ଶନୈଃ ପର୍ବତ ଲଙ୍ଘନମ୍’’ ନୀତି ଧରିବା ବାଞ୍ଛନୀୟ-।
ଅର୍ଥାଭାବରୁ ମନୋରମା ଏକାବେଳକେ ବନ୍ଦ ହୋଇଗଲା । ସେହି ସମୟରେ ପଦ୍ମଲୋଚନ ବାବୁ କଲିକତାରୁ ‘‘ଓଡ଼ିଆ’’ ନାମରେ ଖଣ୍ଡେ ସାପ୍ତାହିକ ସମ୍ବାଦପତ୍ର ପ୍ରକାଶ କରିବାର ଚେଷ୍ଟାରେ ଥିଲେ । ତାହା ବଙ୍ଗବାସୀ ଆକାରରେ କଲିକତାରୁ ବାହାରିବାର ସ୍ଥିର ହୋଇଥିଲା । ସେହି ପତ୍ରିକା ସକାଶ ପଦ୍ମଲୋଚନ ବାବୁ ଲାଲ ସାହେବଙ୍କୁ ମନୋରମା ପ୍ରେସ୍ ମାଗିଲେ । ତଦନୁସାରେ ପ୍ରେସ୍ ଏବଂ ଜାତୀୟ ଉପକରଣ କଲିକତା ପଠାଗଲା । ଓଡ଼ିଆ ପତ୍ରିକାର ଦୁଇପୃଷ୍ଠା ଛାପା ହୋଇଗଲା, ମାତ୍ର କାହିଁକି କେଜାଣି ପତ୍ରିକା ବାହାରିଲା ନାହିଁ । ସ୍ୱର୍ଗୀୟ ଗୋପବନ୍ଧୁ ବାବୁ ସତ୍ୟବାଦୀରୁ ‘‘ସମାଜ’’ ବାହାର କରିବା ବେଳେ ପଦ୍ମଲୋଚନ ବାବୁଙ୍କଠାରୁ ମନୋରମା ପ୍ରେସ୍ ଏବଂ ଉପକରଣମାନ ପାଇଥିଲେ । ମୁଁ ମୟୂରଭଞ୍ଜରୁ ଆସି ମାସେ ଯାଏ ଘରେ ରହିଲି । ଏଥିମଧ୍ୟରେ ଶଶୀବାବୁଙ୍କ ଆହ୍ୱାନମତେ କଟକ ଯାଇ ରାଧାନାଥ ବାବୁଙ୍କର ସମାଧି ମନ୍ଦିର ଦେଖି ଆସିଥିଲି । ଘରେ ବସି ସେହି ସମ୍ବନ୍ଧରେ ‘‘ସମାଧି-କ୍ଷେତ୍ର’’ ନାମରେ ଖଣ୍ଡିଏ ପୁସ୍ତକ ଲେଖିଲି । ‘‘ନାମ ମାହାତ୍ମ୍ୟ’’ ମଧ୍ୟ ସେହି ସମୟରେ ଲିଖିତ ହୋଇଥିଲା । ସୋମନାଥ ମୟୂରଭଞ୍ଜରୁ ମୋ ସଙ୍ଗରେ ଆସିଥିଲା । ସେ ଆଉ ମୟୂରଭଞ୍ଜ ଯାଇନାହିଁ–ସେହିଠାରୁ ପଢ଼ା ଛାଡ଼ି ଦେଇ ମୋର ଲେଖାଲେଖି କାର୍ଯ୍ୟରେ ସାହାଯ୍ୟ କରିବାକୁ ଲାଗିଲା । ଉପଯୁକ୍ତ ସହକାରୀ ପାଇ ମୋର ଲିଖନ ସ୍ପୃହା ଆହୁରି ବଢ଼ିଉଠିଲା । ମୁଁ ଯାହା ଲେଖେଁ, ସେ ତାକୁ ସାଫିକରି ମାସିକ, ସାପ୍ତାହିକ ପତ୍ରିକାମାନଙ୍କୁ ପଠାଏ ଏବଂ ପୁସ୍ତକର ପାଣ୍ଡୁ ଲିପି ତିଆରି କରେ । ମୁଁ ତାକୁ ସହକାରୀ ରୂପେ ପାଇ ନ ଥିଲେ ସାହିତ୍ୟ ସେବାରେ ଅଧିକ ଅଗ୍ରସର ହୋଇପାରି ନଥାନ୍ତି । ସେ ମୋ ଭାଗ୍ୟରେ ବିଧାତା ପ୍ରଦତ୍ତ ଅତିରିକ୍ତ ଦୟାର ଦାନ । ସେ ଜଣେ ତ୍ୟାଗବୀର, ମୋ ସକାଶେ ସେ ଯେଉଁ ଅଦ୍ଭୁତ ତ୍ୟାଗର ଦୃଷ୍ଟାନ୍ତ ଦେଖାଇ ଅଛି, ତାହା ଅତୁଳନୀୟ । ମୋ ପାଇଁ ସେ ନିଜର ଉନ୍ନତି ସୁଦ୍ଧା ଅକାତରରେ ତ୍ୟାଗ କରିଅଛି । ମୋ ପାଇଁ ସେ ଯୌବନରେ ଯୋଗୀ ହୋଇ ମୋ ସଙ୍ଗରେ କେତେ ଦୁର୍ଗମ ବଣ ପର୍ବତରେ ବୁଲିଅଛି । ମୋର କେତେ ସେବା ଶୁଶ୍ରୂଷା କରିଅଛି–ନିଜକୁ ନ ଚାହିଁ ମୋର ସୁଖ ସୁବିଧା ପ୍ରତି ଯେତେ ଦୃଷ୍ଟି ଦେଇଅଛି, ତାହାର କଳନା ନାହିଁ । ତାହାର ଯତ୍ନ, ଆସ୍ଥା ମୋର ସବୁ ଦୁଃଖ କଷ୍ଟ ହରି ନିଏ ।
ଦିନେ ହଠାତ୍ ଧରାକୋଟ ରାଜା ମାନନୀୟ ମଦନମୋହନ ସିଂହଦେବଙ୍କର ଖଣ୍ଡିଏ ପତ୍ର ପାଇଲି । ଶୀଘ୍ର ଯାଇ ତାଙ୍କୁ ସାକ୍ଷାତ୍ କରିବା ପାଇଁ ସେ ଲେଖିଥିଲେ ଏବଂ ପାଥେୟ ମଧ୍ୟ ପଠାଇ ଥିଲେ । ମୁଁ ସୋମନାଥକୁ ସଙ୍ଗରେ ନେଇ ଧରାକୋଟ ଯାଇ ରାଜା ମହୋଦୟଙ୍କୁ ସାକ୍ଷାତ୍ କଲି । ସେ କହିଲେ–‘‘କୃଷ୍ଣସିଂହ ମହାଭାରତ ଛାପା ହେବ, ଆପଣ ଏହିଠାରେ ରହି ଗ୍ରନ୍ଥ ସଂଶୋଧନ କରି ପାଣ୍ଡୁ ଲିପି ପ୍ରସ୍ତୁତ କରି ପାରିବେ କି ? ପାଖରେ ରହିଲେ ସେ ସମ୍ବନ୍ଧରେ ମୋ ସଙ୍ଗରେ ପରାମର୍ଶ କରିବାର ସୁବିଧା ହେବ । ଆପଣଙ୍କର କିଛି ଅସୁବିଧା ହେବ ନାହିଁ–ମୁଁ ସବୁ ସୁବିଧା କରିଦେବି ।’’ ରାଜାଙ୍କ ପ୍ରସ୍ତାବରେ ମୁଁ ସ୍ୱୀକୃତ ହୋଇ ଧରାକୋଟରେ ରହିଲି । ମୋତେ ଉପଯୁକ୍ତ ବସା ଦିଆଗଲା । ପାଣି ଆଣିଦେବା ପାଇଁ ଗଉଡ଼ର ବନ୍ଦୋବସ୍ତ କରିଦିଆଗଲା, ମୋର ଅଭାବ ଅସୁବିଧା ବୁଝିବାର ଭାର ଜଣେ କର୍ମଚାରୀଙ୍କ ଉପରେ ରହିଲା । କୃଷ୍ଣସିଂହ ମହାଭାରତର ଛନ୍ଦ ତ୍ରୟୋଦଶାକ୍ଷରୀ, ମାତ୍ର ଅଧିକାଶଂ ସ୍ଥଳରେ ବ୍ୟତିକ୍ରମ ଘଟି ଅକ୍ଷର ସଂଖ୍ୟା ଊଣା ଅଧିକ ହୋଇଅଛି । ମହାଭାରତର କିଭଳି ସଂଶୋଧନ ହେବା ଆବଶ୍ୟକ ଏ ବିଷୟ ରାଜା ଏବଂ ପଣ୍ଡିତମାନେ ବସି ପରାମର୍ଶ କଲେ । କେହି କେହି କହିଲେ–ଅକ୍ଷର ସଂଖ୍ୟା ସମାନ କରିଦେବା ଉଚିତ । ମୁଁ ସେଥିରେ ଆପତ୍ତି କରି କହିଲି–‘‘ସେପରି କଲେ କବିଙ୍କର କାବ୍ୟର ମୌଳିକତା ବିକୃତ ହେବ, ପୁଣି କବିଙ୍କୁ କ୍ଷତବିକ୍ଷତ କଲାପରି ହେବ । ଅକ୍ଷର ସମାନ ନ ହେଉ, ସେଥିରେ କିଛି କ୍ଷତି ନାହିଁ–ତାହା ଓଡ଼ିଆ ଭାଷାରେ ମହାକବି ସୃଷ୍ଟ ଏକ ନୂତନ ଛନ୍ଦ ରୂପେ ଗଣ୍ୟ ହେବ । ସେଥିରେ ଆମର ଛନ୍ଦ ସଂଖ୍ୟା ବଢ଼ିବ–ତାହା ଆମ ଜାତିର ଗୋଟାଏ ଗୌରବର କାରଣ ।’’ ମୋର ଏ ପ୍ରସ୍ତାବ ରାଜା ଏବଂ ଅଧିକାଂଶ ପଣ୍ଡିତ ମଣ୍ଡଳୀର ମନୋନୀତ ହେଲା । ସଂସ୍କୃତ ମହାଭାରତ ସଙ୍ଗେ କେତେପ୍ରକାର ତାଳପତ୍ର ପୋଥି ମିଳାଇ ପାଣ୍ଡୁଲିପି ପ୍ରସ୍ତୁତ କରିବା ଧାର୍ଯ୍ୟ ହେଲା । ମୁଁ ସଂଶୋଧକ ନିଯୁକ୍ତ ହେଲି, ସୋମନାଥ ଲେଖକ ନିଯୁକ୍ତ ହେଲା । ଉଭୟେ ଧରାକୋଟରେ ବ୍ୟାସ ଗଣେଶଙ୍କ ସେବକ ସୌଭାଗ୍ୟ ଲାଭ କରି ରହିଲୁଁ । କୃଷ୍ଣସିଂହ ମହାଭାରତ ସଂସ୍କୃତ ମୂଳକ । ସ୍ଥାନେ ସ୍ଥାନେ କବିକଳ୍ପନା ସଂଯୁକ୍ତ ହୋଇଅଛି, ମାତ୍ର ସେଥିରେ ମୂଳ ଗ୍ରନ୍ଥ ବିକୃତ ନ ହୋଇ ସମୃଦ୍ଧ ହୋଇଅଛି । କବି କଳ୍ପନାରେ ଉତ୍କଳର ରାଜନୀତି, ଧର୍ମ ନୀତି, ବ୍ୟବହାର, ଲୋକଚିତ୍ର ଫୁଟି ଉଠିଅଛି । ଭାଷା ଗଙ୍ଗାଜଳ ପରି ସ୍ୱଚ୍ଛ, ନିର୍ମଳ । ଓଡ଼ିଆ ଭାଷାର ପ୍ରାଣ ଏବଂ ଆତ୍ମା ତାହାରି ଭିତରେ ଅଛି ।
ଧରାକୋଟ ଗୋଟିଏ ଦର୍ଶନୀୟ ସ୍ଥାନ । ତାହା ଶୋଭା ସୁନ୍ଦରୀଙ୍କର ବିଳାସ ବାଟିକା । ଧରାକୋଟ ଉତ୍କଳର ଅନ୍ୟତମ ସାରସ୍ୱତ ତୀର୍ଥ–ମହାକବି କୃଷ୍ଣସିଂହଙ୍କର ପବିତ୍ର ଲୀଳାସ୍ୱର୍ଗ । ତାହାର ଏକ ଦିଗରେ ସୁବଳୟା ପ୍ରଭୃତି ପର୍ବତଶ୍ରେଣୀ ଗଗନଚୁମ୍ବୀ ମର୍କତ ପ୍ରାଚୀର ପ୍ରାୟ ଦଣ୍ଡାୟମାନ, ଅନ୍ୟ ଦିଗରେ ପୌରାଣିକ ଋଷିକୂଲ୍ୟା ପ୍ରୌଢ଼ା ତପସ୍ୱିନୀ ପ୍ରାୟ ମଧୁର ଗଭୀର ସ୍ୱରରେ ପ୍ରଣବ ମନ୍ତ୍ର ଉଚ୍ଚାରଣ କରି ଚାଲିଅଛି । ଉତ୍କଳ ଜାହ୍ନବୀ ଋଷିତପସଂଭୂତା ଋଷିକୂଲ୍ୟା କୂଳରେ ଅଷ୍ଟଶମ୍ଭୂ ମନ୍ଦିର ସ୍ୱର୍ଣ୍ଣଦୀ ତୀରରେ କୈଳାସ ଭୁବନର ଶ୍ରୀ ଧାରଣ କରିଅଛି । ଗିରି ପ୍ରକୃତି ଏବଂ କାନନ ପ୍ରକୃତି ଧରାକୋଟ ଧରଣୀର ନୈସର୍ଗିକ ଚାରୁ ଅଳଙ୍କାର । ବୋଧହୁଏ କୃଷ୍ଣସିଂହଙ୍କୁ କବି କରିବା ଅଭିପ୍ରାୟରେ ତାଙ୍କ ଜନ୍ମ ପୂର୍ବରୁ ବିଧାତା ଧରାକୋଟକୁ କବିକେଳି କୁଞ୍ଜ ରୂପରେ ମଣ୍ଡିତ କରିଥିଲେ । ଋଷିକୂଲ୍ୟା କୂଳରେ ସତୀମଠ ନାମକ ସ୍ଥାନରେ କୃଷ୍ଣସିଂହଙ୍କର ପବିତ୍ର ଚିତା ସ୍ମୃତି ଅଦ୍ୟାପି ରକ୍ଷିତ ହୋଇଅଛି । ସ୍ଥାନଟି ବିବିଧ ତରୁଲତାରେ ଆବୃତ ହୋଇ ଋଷି ଆଶ୍ରମ ପରି ମନୋହର ଦିଶେ । ଋଷିକୂଲ୍ୟା କୁଳରେ ଅନେକ ବ୍ରାହ୍ମଣ ଶାସନ ଅଛି, ସେଗୁଡ଼ିକ ଧରାକୋଟର ଦାନଶୀଳ ରାଜାମାନଙ୍କର କୀର୍ତ୍ତି । ଶାସନରେ ଅନେକ ବୃତ୍ତିଧାରୀ ବ୍ରାହ୍ମଣ ପଣ୍ଡିତ ଅଛନ୍ତି । ଅନନ୍ତ ଦାଶ ନାମରେ ଜଣେ ପ୍ରତିଭାଶାଳୀ ପଣ୍ଡିତ ଥିଲେ । ସେ କେତେ ଖଣ୍ଡ ଗ୍ରନ୍ଥ ଲେଖିଯାଇଅଛନ୍ତି । ରାଜଦତ୍ତ ପଦବୀଧାରୀ ପଣ୍ଡିତମାନେ ବାସ୍ତବରେ ଜଣେ ଜଣେ ପ୍ରସିଦ୍ଧ ପଣ୍ଡିତ ।
ରାଜା ମଦନମୋହନ ସିଂହଦେବ ଜଣେ ରାଜନୀତିଜ୍ଞ, ଧର୍ମପ୍ରାଣ ରାଜା । ରାଜନ୍ୟ ବାଞ୍ଛିତ ଅନେକ ସଦ୍ଗୁଣରେ ସେ ବିଭୂଷିତ । ସାହିତ୍ୟରେ ସେ ଅନେକ କାର୍ଯ୍ୟ କରିଅଛନ୍ତି । ତାଙ୍କ ପ୍ରଦତ୍ତ ଅର୍ଥ ସାହାଯ୍ୟରେ ଅନେକ ସଦ୍ଗ୍ରନ୍ଥ ପ୍ରକାଶିତ ହୋଇଅଛି । ଏକା ସାହିତ୍ୟରେ ନୁହେଁ–ଦେଶ ଏବଂ ଜାତିର ପ୍ରତ୍ୟେକ ମଙ୍ଗଳ ଅନୁଷ୍ଠାନରେ ସେ ଯଥାଶକ୍ତି ମୁକ୍ତହସ୍ତ । ରାଜା ଜଣେ ପ୍ରବୀଣ ମୃଗୟୁ, ସେ ଶତାଧିକ ବ୍ୟାଘ୍ର ବଧ କରିଅଛନ୍ତି । ତାଙ୍କର ସାହିତ୍ୟସଭା ଅଛି । ପ୍ରତ୍ୟେହ ରାତ୍ରରେ ପୁରାଣ ପାଠ ପରେ ଉପସ୍ଥିତ ପଣ୍ଡିତମାନେ ସାହିତ୍ୟର ଆଲୋଚନା କରନ୍ତି । ରାଜାଙ୍କର ଶାସନ ପାଳନରେ ଗୋଟାଏ ଉଚ୍ଚ ଆଦର୍ଶ ଅଛି ।
ଧରାକୋଟ ରାଜା ଗୋଟିଏ ଅଦ୍ଭୁତ ମନୁଷ୍ୟ ପାଳିଥିଲେ । ଲୋକଟି ଦୈତ ପରି ପ୍ରକାଣ୍ଡକାୟ । ରଥଯାତ୍ରାଦିନ ହଜାର ମନୁଷ୍ୟ ମଧ୍ୟରୁ ସେ ଦେଖାଯାଏ । ଉଚ୍ଚରେ ପ୍ରାୟ ପାଞ୍ଚହାତ ହେବ । ମୋଟରେ ଗୋଟାଏ ଲଙ୍ଗଳ ଦଉଡ଼ି ଘେରିଲେ ବଳିବ ନାହିଁ । ତାକୁ ଭାଙ୍ଗି ସାଧାରଣ ମନୁଷ୍ୟ ତିଆରି କଲେ ପ୍ରାୟ ଚାରୋଟି ମନୁଷ୍ୟ ହେବେ । ସେ ଗୋଟାଏ ପ୍ରଦର୍ଶନୀରେ ରଖିବା ଭଳି ପଦାର୍ଥ । କଳିଯୁଗର ସେ ଲୋକଟିକୁ ଦେଖିଲେ ପୁରାଣ ବର୍ଣ୍ଣିତ ଦ୍ୱାପର ଯୁଗର ମହାମଲ୍ଲ ଭୀମର ମୂର୍ତ୍ତି ଅସ୍ୱାଭାବିକ ବୋଧ ହେବ ନାହିଁ । ବିଧାତା ପୁଞ୍ଜାକର ମାଲ ମସଲା ଖର୍ଚ୍ଚ କରି ଗୋଟାଏ ଗଢ଼ିଲେ କି ଖିଆଲରେ କେଜାଣି । ତେତେବେଳେ ତାଙ୍କ ପାଖରେ କେହି ଦେଶହିତୈଷୀ ଥିଲେ ସେ ବିଧାତାଙ୍କର ଏ କାର୍ଯ୍ୟକୁ ଅପବ୍ୟୟ ବୋଲି କହିଥାଆନ୍ତା । ତାହାପାଇଁ ଦେବାଳୟରୁ ଖଜା ପିଠା ବରାତ୍ ଅଛି । ଲୋକଟି ରାଜଭୋଗ ଖାଇ ଆହା ମଉଜରେ ଥାଏ । ଲୁଗାପଟା ବି ରାଜସରକାରରୁ ମିଳେ । ରାଜଅନୁଗ୍ରହରୁ ସେହି ମନୁଷ୍ୟ ହାତୀଟି ପୋଷା ହୋଇଥାଏ । ତାହାପାଇଁ ଉପଯୁକ୍ତ ହାତୀଶାଳ ମଧ୍ୟ ତିଆରି ହୋଇଥାଏ । ରାତିରେ ଚାଲିବାବେଳେ ଭୂତ ପରି ଦିଶେ । ଆକୃତି ଦେଖିଲେ ବୋଧହୁଏ ଲୋକଟା ଦୈତ୍ୟଦାନବ ପରି ଅସାଧାରଣ ବଳବାନ୍, କିନ୍ତୁ ଭିତରଟା ଉଇ ହୁଙ୍କା ପରି ଫମ୍ପା । ଏଡ଼େ ବଡ଼ ଅତିମନୁଷ୍ୟଟା ଦେହରେ କଡ଼ାକର ବଳ ନାହିଁ । ଲୋକଟା ଇତର ଜାତୀୟ, ଗୁଣରେ ଗଜମୂର୍ଖ । ଖତଗଦା ମାରିଷଖଡ଼ା ପରି ଆଡ଼ମ୍ବର ଭୀଷଣ, ଖଣ୍ଡେ ବାଡ଼ ଧରି ଠିଆ ହେଲେ ପଚାଶ ଜଣ ଲୋକ ତାହାର ପାଖ ପଶିବାକୁ ସାହସୀ ହେବେ ନାହିଁ ।
ଧରାକୋଟରେ ଗୋଟାଏ ବାଘ ପୋଷା ହୋଇଅଛି । ପଶୁବୀର ଆଚ୍ଛା ଆରାମରେ ଅଛି-। ଲୌହ ବାଡ଼ ଘେରା ପ୍ରସ୍ତର ଦୁର୍ଗରେ ବୀରମଣି କାରାରୁଦ୍ଧ ହୋଇଅଛନ୍ତି, ତଥାପି ସେବାଟେ ଲୋକ ଗଲାକ୍ଷଣି କ୍ଷତ୍ରିୟ ପ୍ରତାପ ଦେଖାଇ ହୁଅନ୍ତି । ସେ ବ୍ୟର୍ଥ ଆସ୍ଫାଳନ ଦେଖି ଲୋକେ ପରିହାସ କରନ୍ତି । ଅଗତ୍ୟା ତାହା ସହିବାକୁ ପଡ଼େ । ରୁଦ୍ଧ ରୋଷ–ରୁଦ୍ଧ ଅଭିମାନ ତାହା ପ୍ରାଣରେ ବଡ଼ ବ୍ୟଥା ଦେଉଥିବ । ସେ ମନେ ମନେ କହୁଥିବ–ହାୟରେ ଦିଗୁଡ଼ିଆ ମନୁଷ୍ୟ, ତୁମର କି ମହତ୍ୱ ମର୍ଯ୍ୟାଦା ଜ୍ଞାନ ନାହିଁ ? ତୁମେ ଖାଦ୍ୟ, ମୁଁ ଖାଦକ, ମୋତେ ପୁଣି ଟାପରା । ମୁଁ ପରା ତୁମଙ୍କୁ ସଂସାର ଜ୍ୱାଳାରୁ ମୁକ୍ତ କରିଦିଏଁ, ହା ଅକୃତଜ୍ଞ, ଏହି ପାପରୁ ତୁମେ ସାତ ଜନ୍ମ ମନୁଷ୍ୟ ହୁଏ ।
ଶାସନମାନଙ୍କରୁ କେତେ ଖଣ୍ଡ ତାଳପତ୍ର ମହାଭାରତ ପୋଥି ଆସିଲା, ଆହୁରି କେତେ ସ୍ଥାନରୁ ବି ଆସିଲା, ମାତ୍ର କାହାରି ସଙ୍ଗରେ କାହାରି ସମ୍ପୂର୍ଣ୍ଣ ମେଳ ନାହିଁ । ଉତୁରା ଉତୁରି ଦୋଷରେ ଅନେକ ଜାଗାରେ ବିକୃତ ହୋଇ ପଡ଼ିଅଛି । ପୁଣି କେତେକ ଲେଖକ ଉତାରୁଁ ଉତାରୁଁ ନିଜେ କବି ପାଲଟି ଯାଇ କେତେ ସ୍ଥାନରେ କେତେ ଧାଡ଼ି ଗୁଞ୍ଜି ଦେଇଅଛନ୍ତି । ମାତ୍ର ତାହା ସବୁ ଧଳା ଲୁଗାରେ କଳା ବିନ୍ଦୁପରି ଜଣା ପଡ଼ିଯାଉଅଛି । କବି କୃଷ୍ଣସିଂହଙ୍କ ଅତୁଲ୍ୟ ଭାଷା ସଙ୍ଗରେ ତାହା ଖାପ ଖାଉ ନାହିଁ । ପାଞ୍ଚ ଛ ଖଣ୍ଡ ତାଳପତ୍ର ପୋଥି, ସଂସ୍କୃତ ମହାଭାରତ, ତାହାର ଅନୁବାଦ ମିଳାଇ ପାଣ୍ଡୁଲିପି ଲେଖିବାକୁ ହେଲା । ଖଣ୍ଡକ ପରେ ଖଣ୍ଡେ ଅଗ୍ରସର ହେଲା । ଗୋଟାଏ ପର୍ବ ଶେଷ ହେଲେ ତାହାର ପାଣ୍ଡୁଲିପିଯାକ ରାଜାଙ୍କ ପାଖରେ ଦେଇଆସେଁ । ଯେଉଁ ସ୍ଥାନରେ ସନ୍ଦେହ ହୁଏ, ତାହା ରାଜାଙ୍କୁ ପଚାରି ବୁଝିବାକୁ ହୁଏ । ଏଭଳି କେତେଗୁଡ଼ାଏ ଶବ୍ଦ ଅଛି, ତାହା ରାଜାଘର ଛଡ଼ା ଅନ୍ୟତ୍ର ଅଜ୍ଞାତ । ସେହିପରି ଶବ୍ଦ କୃଷ୍ଣସିଂହ ମହାଭାରତରେ ଯଥେଷ୍ଟ ଅଛି । ପାଞ୍ଚପ୍ରକାର ମିଳାଇ ଲେଖିବା ସମୟ ସାପେକ୍ଷ, ରାତିରେ ବି ଦୁଇଘଣ୍ଟା ଲେଖିବାକୁ ପଡ଼େ । ସମୟାଭାବରୁ ମୋର ନିଜର କିଛି ଲେଖାଲେଖି ହୋଇପାରେ ନାହିଁ । କେବଳ ସାଳନ୍ଦୀର ଲେଖା ଖୁବ୍ ମନ୍ଥର ଗତିରେ ଅଗ୍ରସର ହେଉଥାଏ । ତାହା ବି ନିୟମିତ ନୁହେଁ–ଟିକିଏ ଅବସର ମିଳିଲେ କେତେ ଧାଡ଼ି ଲେଖିଦିଏଁ । ଦିନେ ଦିନେ ରାଜପ୍ରେରଣାରେ ତାଙ୍କ ପାଖ ପଣ୍ଡିତ ବାସୁଦେବ ତର୍କାଳଙ୍କାର, ପଣ୍ଡିତ ଅନନ୍ତ ଦାଶ ପ୍ରଭୃତି ମହାଭାରତର ଲେଖା କିପରି ଚାଲିଛି ଦେଖିବାକୁ ଆସନ୍ତି । ସେମାନଙ୍କର ଅନୁକୂଳ ମତ ଶୁଣି ରାଜା ବଡ଼ ପ୍ରୀତ ହୁଅନ୍ତି । ସେ ନିଜେ ମଧ୍ୟ ପାଣ୍ଡୁଲିପି ପଢ଼ନ୍ତି । କ୍ରମେ ମୋ ପ୍ରତି ତାଙ୍କର ଗୋଟାଏ ସ୍ନେହ ଜନ୍ମିଗଲା । ସମୟ ସମୟରେ ରଜାଘରୁ ଅନେକ ପଦାର୍ଥ ଆସେ । ବଡ଼ି, ଆଚାର, ଠାକୁର ପ୍ରସାଦ, ପୁନେଇ ପର୍ବରେ ଭଲ ଦିନ ଭଲ ବାରରେ ପିଠା, ପଣା, ଖଜା ପ୍ରଭୃତି ମୋ ବସାକୁ ପଠାଯାଏ ।
ଧରାକୋଟରେ ଅନେକ ବନ୍ଧୁ ମିଳିଲେ । ମୁଁ ଯେତେ ପୁରୁଣା ହେଉଥାଏ, ବନ୍ଧୁ ସଂଖ୍ୟା ତେତେ ବଢ଼ୁଥାଆନ୍ତି । ବିନାୟକ ପାଠାଗାରର ସମ୍ପାଦକ ଶ୍ୟାମସୁନ୍ଦର ଦାସ ଗୋସ୍ୱାମୀ (ବର୍ତ୍ତମାନ ପଦ୍ୟାଳଙ୍କାର) ମୋର ଜଣେ ଅକୃତ୍ରିମ ବନ୍ଧୁ, ତାଙ୍କ ଦ୍ୱାରା ମୁଁ ନାନା ଭାବରେ ଉପକୃତ ହୋଇଅଛି-। ଉପେନ୍ଦ୍ର ଭଞ୍ଜଙ୍କ ବଂଶୀୟ ଲକ୍ଷ୍ମୀଶରଣ ଭଞ୍ଜ ଧରାକୋଟର ତାଲୁକଦାର ଥିଲେ । ସେ ଜଣେ ସଂସ୍କୃତଜ୍ଞ, ପ୍ରବୀଣ, ବହୁଦର୍ଶୀ ଏବଂ ପ୍ରିୟଭାଷୀ ବ୍ୟକ୍ତି । ତାଙ୍କପରି ସୁବନ୍ଧୁ ମୋର ଅଳ୍ପ ଅଛନ୍ତି । ତେତେବେଳେ ଧରାକୋଟ ସେକେଣ୍ଡାରୀ ସ୍କୁଲର (ପ୍ରାୟ ମାଇନର) ହେଡ଼୍ମାଷ୍ଟର ଥିଲେ–କଟକ ନିବାସୀ ତାରକାନାଥ ବୋଷ । ସେ ସୁପ୍ରସିଦ୍ଧ ଓଡ଼ିଶା ଇତିହାସ ପ୍ରଣେତା ପ୍ୟାରିମୋହନ ସେନଙ୍କ ସହପାଠୀ । ତାରକାନାଥ ବାବୁ ବଡ଼ ନିରୀହ । ଶତ୍ରୁକୁ ବି ମର ବୋଲି କହନ୍ତି ନାହିଁ । ତାଙ୍କ ପ୍ରଥମ ସହକାରୀ ଦୟାନିଧି ଦାସ ସବୁବେଳେ ତାଙ୍କ ବିରୁଦ୍ଧରେ ଚାଲିଥାଆନ୍ତି-। ଦୟାନିଧି ବାବୁ ବିଦ୍ୱାନ, ବହୁଦର୍ଶୀ, ମାତ୍ର ବିନୟୀ ନୁହନ୍ତି । ସେ ଅତିରିକ୍ତ ସ୍ପଷ୍ଟବାଦୀ, ମାତ୍ର ସେ ସ୍ପଷ୍ଟବାଦ ବଡ଼ ତିକ୍ତ ଏବଂ ବିଷାକ୍ତ । ତାଙ୍କର ଭାଷା ବିଦ୍ରୂପ, ବକ୍ରୋକ୍ତି ପ୍ରଭୃତି ଦୁଷ୍ଟ ଅଳଙ୍କାରରେ ପୂର୍ଣ୍ଣ । ଏହି ହେତୁରୁ ସେ ପ୍ରାୟ ସମସ୍ତଙ୍କର ଅପ୍ରିୟପାତ୍ର ହୁଅନ୍ତି । ଏହିପରି ପ୍ରକୃତିରୁ ସେ ଯୁବରାଜଙ୍କ ଗୃହଶିକ୍ଷକ ପଦରୁ ବିତାଡ଼ିତ ହୋଇ ଥିଲେ । ତାଙ୍କର ହେତୁ ସ୍କୁଲର ଶିକ୍ଷକମାନଙ୍କ ମଧ୍ୟରେ ଦୁଇଟା ଦଳର ସୃଷ୍ଟି ହୋଇଥିଲା । ପରେ ନାନା କୌଶଳରେ ବୃଦ୍ଧ ହେଡ଼୍ମାଷ୍ଟରଙ୍କୁ ବାହାର କରି ନିଜେ ହେଡ଼୍ମାଷ୍ଟର ହୋଇଥିଲେ । କିନ୍ତୁ ସେହି ପାପର ଫଳ ସେ ଦେହକେ ଭୋଗ କରିଥିଲେ । ସ୍କୁଲରେ ଆଉ ଦୁଇଜଣ ଓଡ଼ିଶାବାସୀ ଶିକ୍ଷକ ଥିଲେ । ବନ୍ଧୁମାନଙ୍କ ଅନୁରୋଧରେ ମୁଁ ‘‘ଧରାକୋଟ ଦର୍ଶନ’’ ନାମରେ ଖଣ୍ଡିଏ ପୁସ୍ତକ ଲେଖିଥିଲି ।
ଧରାକୋଟରୁ ଖଣ୍ଡେ ମାସିକ ପତ୍ରିକା ବାହାର କରିବା ସକାଶ ରାଜାଙ୍କର ଇଚ୍ଛା ହେଲା-। ପତ୍ରିକାର ନାମ ‘‘ଜ୍ଞାନ ଦର୍ପଣ’’ ରଖିବାର ଧାର୍ଯ୍ୟ ହେଲା । ମୁଁ ସମ୍ପାଦକ ନିଯୁକ୍ତ ହୋଇ ଡିକ୍ଳେୟାରେସନ କରି ଆସିଲି । ଯଥା ସମୟରେ ରାଜାଙ୍କ ‘‘କେଶରୀ’’ ପ୍ରେସରୁ ଜ୍ଞାନଦର୍ପଣ ବାହାରିଲା । ସେଥିରେ କୃଷି, ଶିଳ୍ପ, ବାଣିଜ୍ୟ, ସାହିତ୍ୟ ଏବଂ ଦେଶାନୁରାଗ ସମ୍ବନ୍ଧରେ ପ୍ରବନ୍ଧମାନ ପ୍ରକାଶିତ ହେଲା । ପ୍ରାକୃତିକ ଉତ୍କଳର ଅନେକ ଭଲ ଭଲ ଲେଖକ ସେଥିରେ ପ୍ରବନ୍ଧ ଲେଖିଥିଲେ-। ପତ୍ରିକାର ପ୍ରସାର କ୍ରମଶଃ ବଢ଼ିବାକୁ ଲାଗିଲା । ମୋର ମହାଭାରତ କାର୍ଯ୍ୟ ଥିଲା, ପତ୍ରିକାର କାର୍ଯ୍ୟ ବୋଝ ଉପରେ ନଳିତାବିଡ଼ା ହେଲା । ଯାହା ଟିକିଏ ସମୟ ମିଳୁଥିଲା, ତାହା ଆଉ ମିଳିଲା ନାହିଁ । କଠିନ ପରିଶ୍ରମ କରିବାକୁ ପଡ଼ିଲା । ପତ୍ରିକା ସମ୍ବନ୍ଧରେ ଅନେକ ଖ୍ୟାତନାମା ବ୍ୟକ୍ତି ନିଜ ନିଜର ଅଭିମତ ଲେଖି ପଠାଇଲେ । ତାହା ସବୁ ଜ୍ଞାନ ଦର୍ପଣରେ ପ୍ରକାଶିତ ହେଲା । ସେଥିରେ ଗ୍ରାହକ ସଂଖ୍ୟା କ୍ରମେ ବଢ଼ିବାକୁ ଲାଗିଲା । ଏହିପରି ଭାବରେ କେତେ ସଂଖ୍ୟା ବାହାରିଲା ।
ଏହି ସମୟରେ ହେଲି ଧୂମକେତୁ ଆକାଶରେ ଆବିର୍ଭୂତ ହେଲା । ଆମେରିକାର ‘‘ହେଲି’’ ସାହେବ ଏହି ଧୂମକେତୁ ବିଷୟ ଗଣନା କରି କହିଥିଲେ । ତାଙ୍କର ଗଣନା ସତ୍ୟ ହେଲା-। ନିର୍ଦ୍ଦିଷ୍ଟ ସମୟରେ ଏହି ପ୍ରକାଣ୍ଡ ଧୂମକେତୁ ଦେଖାଗଲା । ରାତି ତିନିଟା ପରେ ପୂର୍ବ ଦିଗରେ ଧୂମକେତୁ ବାହାରି ସକାଳ ପର୍ଯ୍ୟନ୍ତ ରହେ । ପ୍ରାୟ ମାସକ ପରେ ଓଲଟି ଯାଇ ବିପରୀତ ଦିଗରେ ଦେଖା ଦେଲା । ଆକାର ଠିକ୍ ମୁଠାଏ କଞ୍ଚି ପହଁରା ପରି ମୂଳରୁ ଊର୍ଦ୍ଧ୍ୱକୁ କ୍ରମେ ପ୍ରସାରିତ । ମୂଳରେ ଗୋଟିଏ କ୍ଷୁଦ୍ର ତାରା ଥାଏ । ଧୂମକେତୁର ଜ୍ୟୋତିରେ ସୃଷ୍ଟି ଜହ୍ନରାତି ପରି ଉଜ୍ୱଳ ଦିଶେ-। ସେହି ବିରାଟ ଧୂମକେତୁ ଦେଖିଲେ ପ୍ରାଚୀତପସ୍ୱିନୀ ସୂର୍ଯ୍ୟ ଦେବତାଙ୍କ ଉଦୟ ପଥରେ ସୁବର୍ଣ୍ଣମାର୍ଜନୀରେ ଛେରା ପହଁରା କଲା ପ୍ରାୟ କଳ୍ପନା ଜାତ ହୁଏ କିମ୍ବା ମହାଯୋଗୀ ଗଗନ କପାଳରେ ଦାଣ୍ଡିତିଳକ କାଟି ସମାଧିରେ ନିମଗ୍ନ ଥିଲା ପ୍ରାୟ ବୋଧହୁଏ । ଅଥବା ବିଧାତା ଆକାଶକୁ ମାପିବା ପାଇଁ ମାନଦଣ୍ଡ ସୃଷ୍ଟି କରିଅଛି । ତାହାର ଭୀଷଣତା ଦେଖି ତାରାଗୁଡ଼ିକ ଭୟରେ ଆଖି ବୁଜି ପକାନ୍ତି । କେତେ ଦିନ ପରେ ଧୂମକେତୁଟି ସମ୍ପୂର୍ଣ୍ଣ ଅଦୃଶ୍ୟ ହୋଇଗଲା । ବିଜ୍ଞାନର ଅସାଧ୍ୟ କିଛି ନାହିଁ, ସେ ଅନନ୍ତ ଆକାଶକୁ ବଶୀଭୂତ କରିବାକୁ ଉଦ୍ୟତ । ଆଉ ଥରେ ପୋର୍ଟା ସାହେବ ବୋଲି ଜଣେ ଗଣନା କରି ଅମୁକ ତାରିଖରେ ପୃଥିବୀ ଧ୍ୱଂସ ହୋଇଯିବ ବୋଲି ଘୋଷଣା କରିଥିଲେ । ମାତ୍ର ପୃଥିବୀର ଗୋଟାଏ ଲୋମ ସୁଦ୍ଧା ଧ୍ୱଂସ ହେବାର ଦେଖାଗଲା ନାହିଁ । ହେଲି ସାହେବଙ୍କ ଗଣନା ମୂଳରେ ଥିଲା ବିଜ୍ଞାନ ବିଦ୍ୟା, ମାତ୍ର ପୋର୍ଟା ସାହେବ ଅଜ୍ଞାନ ବିଦ୍ୟା ବଳରେ ଗଣନା କରିଥିଲେ । ଅଥବା ତାହା ଅତିରିକ୍ତ ସୁରା ଦେବୀଙ୍କର ଅଦ୍ଭୁତ ପ୍ରଭାବ, ତାହା କିଏ କହିପାରିବ । ପୂର୍ବେ ଜଣେ ମଦତୀ ହୁକା ତଳେ ଠୁଙ୍କିବା ବେଳେ ‘‘ମେରୁ’’ ଉପରୁ ନିଆଁ ଛିଡ଼ିକି ଯାଇ ସମ୍ମୁଖସ୍ଥ ଜଳ ପାତ୍ରରେ ପଡ଼ିଲା । ତାହା ଦେଖି ଆଉ ଜଣେ ମଦତୀ କହିଲା–‘‘ଭାଇ, ଚାନ୍ଦବାଲି ଜାହାଜ ବୁଡ଼ିଗଲା ।’’ ପୋର୍ଟାଙ୍କ ଭବିଷ୍ୟତ ଗଣନା ସେହି ଧରଣର ହୋଇଥିବ । ଖବର କାଗଜବାଲାମାନେ ପୋର୍ଟା ସାହେବଙ୍କ ଉପରେ ଥଟ୍ଟା ବିଦ୍ରୂପ ଅଜାଡ଼ିଦେଲେ । କଲିକତା ନାୟକ ପତ୍ରିକାର ପ୍ରସିଦ୍ଧ ତେଜସ୍ୱୀ ସମ୍ପାଦକ ସ୍ୱର୍ଗୀୟ ପାଞ୍ଚକଡ଼ି ବନ୍ଦୋପାଧ୍ୟାୟ ଲେଖିଥିଲେ–‘‘ପୋର୍ଟା ସାହେବେର୍ କାନ୍ଟା ହାତେର କାଛେ ପେଲେ ଆଛାକରେ ମଲେ ଦିତାମ୍ ।’’ ସାହେବଙ୍କ ଘୋଷଣାରେ ବାସ୍ତବରେ ଅନେକ ଲୋକ ଭବିଷ୍ୟତ୍ ଆଶଙ୍କାରେ ଆକୁଳ ହୋଇଥିଲେ । ସେମାନଙ୍କ ପିଣ୍ଡରେ ପ୍ରାଣ ବସିଲା । ଜଣେ ବୃଦ୍ଧା ତାହାର ପୁଅମାନଙ୍କୁ କହିଥିଲା–ମଡ଼ାମରା ବିଲରେ ଆଉ ନିଆଁଲଗା ଧାନଚାଷ କାହିଁକି କରୁଛ ରେ-? ବସୁମାତା ତ ଧସିଯିବ, ସମସ୍ତେ ମରିବେ, ଆଉ ଧାନ କିଏ ଖାଇବ ?’’ ଯାହାହେଉ ପୋର୍ଟା ସାହେବ ଅନେକ ଆଶୀର୍ବାଦ ପାଇଥିଲେ । ଫଳରେ ପୃଥିବୀ ଧ୍ୱଂସ ହେଲା ନାହିଁ–ପୋର୍ଟା ସାହେବଙ୍କର ଗଣନା ଏବଂ ଘୋଷଣା ଧ୍ୱସଂ ହେଲା । କୃପଣ ଧନୀ ମନରେ ସବୁଠାରୁ ଅଧିକ ଆଶଙ୍କା ଜାତ ହୋଇଥିଲା । ହାୟ, ସେ କେତେ କଷ୍ଟ କରି–କେତେ ଲୋକଙ୍କ ତଣ୍ଟିଚିପି–ନିଜେ ପେଟରେ ଓଦାକନା ଢାଙ୍କି ଯେଉଁ ଧନ ସଞ୍ଚୟ କରିଛି, ତାହା ଧ୍ୱଂସ ହୋଇଯିବ–ଏହା କଅଣ ସହିବାର କଥା ! ଧନରତ୍ନଗୁଡ଼ାକ ଉପରକୁ ଅର୍ଥାତ୍ ପରଲୋକକୁ ବହି ନେବାର ଉପାୟ ଥିଲେ ସେ ପୂର୍ବରୁ ସେ ବ୍ୟବସ୍ଥା କରିଥାଆନ୍ତା । ମାତ୍ର ‘‘ଖଳ ବିଧାତା’’ ‘‘ମନ୍ଦ ବିହି’’ ତ ସେ ବାଟ ରଖିନାହିଁ ।
ଧରାକୋଟରେ ଥିବା ସମୟରେ ମୋର ମାତୃବିୟୋଗ ଘଟିଲା । ଟେଲିଗ୍ରାମ ପଢ଼ି ଚାରିଆଡ଼େ ଅନ୍ଧାର ଦିଶିଲା । ବିଧାତା ମୋ ଜୀବନରେ ଆଶ୍ରୟ କକ୍ଷଟି ଛଡ଼ାଇ ନେଲା । ଯେ ନିଜର ଆହାର ଦେଇ ମୋତେ ବଞ୍ଚାଇଥିଲା–ରୋଗବେଳେ ପାଖରେ ବସି ମୁଣ୍ଡରେ ହାତ ବୁଲାଇ ଦେଇ ନୀରବ ଅଶ୍ରୁରେ ଶଯ୍ୟା ତିନ୍ତାଇ ଦେଉଥିଲା, ଶେଷବେଳେ ସେବା କରିବା ଦୂରେ ଥାଉ, ତାକୁ ଦେଖି ସୁଦ୍ଧା ପାରିଲି ନାହିଁ–ଏହି ଅନୁତାପ ବେଳେ ବେଳେ ପ୍ରାଣକୁ ଦଗ୍ଧ କରେ । ଏ ଜୀବନରେ ଦେଖା ଶେଷ, ମନୁଷ୍ୟ ଜୀବନରେ ଥରେ ମାତ୍ର ଦେଖା ସାକ୍ଷାତ୍ । ତେଣିକି କିଏ କୁଆଡ଼େ ଯିବ–କେଉଁଠି ଯାଇ ଜନ୍ମ ହେବ, ଆଉ ପର୍ବତ କୟାଁ ସମୁଦ୍ର ମାଛର ଭେଟ କାହିଁ । ଭାବିଲି ଜନ୍ମ ମୃତ୍ୟୁ ନେଇ ସଂସାର, ଗୋଟିକରେ ପଥରୁଦ୍ଧ ହେଲେ ଅନ୍ୟଟିର ହେବ । ଯାହା ସମସ୍ତଙ୍କ ଭାଗ୍ୟରେ ଘଟେ, ସେଥିପାଇଁ ଦୁଃଖ କରିବା ବୃଥା । ମନେ ମନେ ଏହା ବୁଝିଲି, କିନ୍ତୁ ପ୍ରକୃତି ତ ବୁଝିବାର ପାତ୍ର ନୁହେଁ–ସେ ଅଜ୍ଞାତରେ ନେତ୍ରରୁ ଧାରା ଗଡ଼ାଇ ଦେଇଯାଏ । ଅବସ୍ଥା ସ୍ୱଚ୍ଛଳ ନୁହେଁ–ଏ ସଂକଟରୁ କିପରି ଉଦ୍ଧାର ପାଇବି–ଏହି ଚିନ୍ତା ଅବସନ୍ନ କରିପକାଇଲା । କିନ୍ତୁ ଅର୍ଥାଭାବରୁ କାମ ଅଟକେ ନାହିଁ–ସେଥିରେ ବାଟ ପ୍ରକୃତି ଦେବୀ ଆଗରୁ କରି ରଖିଥାଆନ୍ତି । ମନୁଷ୍ୟ ସହଜ ଦୃଷ୍ଟିରେ ତାହା ଦେଖିପାରେ ନାହିଁ ବୋଲି ଅଣ୍ଡାଳି ହୁଏ । ବେତନରୁ ପ୍ରତିମାସ ପାଞ୍ଚଟଙ୍କା ଲେଖାଏଁ କଟାଇ ଦେବାର ସର୍ତ୍ତ କରି ଧରାକୋଟ ରାଜାଙ୍କ ପାଖରୁ ଅଶୀଟଙ୍କା ଧାର ନେଇ ଘରକୁ ଆସିଲି । ହାତରେ କୋଡ଼ିଏ ଟଙ୍କା ଥିଲା–ଏହି ଶହେ ଟଙ୍କାରେ ଶୁଦ୍ଧି କ୍ରିୟା ହୋଇଗଲା । ତେତେବେଳେ ଶହେ ଟଙ୍କାରେ ଯାହା ହୋଇଥିଲା, ବର୍ତ୍ତମାନ ପାଞ୍ଚଶହରେ ତାହା ହୋଇ ପାରିବ ନାହିଁ । ତେତେବେଳେ ସୁସ୍ଥକାଳ ଥିଲା । ମାତୃଶୋକରେ ଘରପାଖରେ ‘‘ଜନନୀ’’ ନାମରେ ଖଣ୍ଡିଏ ପୁସ୍ତକ ଲେଖିଥିଲି । ଘରେ କେତେ ଦିନ ରହି ଧରାକୋଟ ଗଲି । ସୋମନାଥ ସଙ୍ଗରେ ଆସିଥିଲା, ସେ ବି ସଙ୍ଗରେ ଗଲା । ତେତେବେଳେ ଧରାକୋଟରେ ହୁଲସ୍ଥୁଲ କାଣ୍ଡ ଲାଗିଥାଏ । କେଜାଣି କିପରି ଗୋଟାଏ ଲୋକ ଆହତ ହେଲା । ତାହାର ଗୋଟାଏ ଜଙ୍ଘ ଫୁଟି ଯାଇଥାଏ । ସେ ବିଷୟ କିଏ ଉପରକୁ ଲେଖିଦେଲା–ରାଜା ଶିକାର କରୁଁ କରୁଁ ମୃଗ ଭ୍ରମରେ ଗୋଟାଏ ମନୁଷ୍ୟକୁ ଲାଛି ଦେଇଅଛନ୍ତି । ଆସିକା ଡେପୁଟୀ ଆସି ତଦାରଖ କରି କିଛି ପ୍ରମାଣ ପାଇଲେ ନାହିଁ । ଆହତ ବ୍ୟକ୍ତି କହିଲା–‘‘ମୁଁ ବାଉଁଶ ବୁଦାରେ ଚଢ଼ି ଶୁଖିଲା ବାଉଁଶ ହାଣୁଥିଲି । ଗୋଡ଼ ଖସି ଯିବାରୁ ଗୋଟାଏ ବାଉଁଶ ଖୁଞ୍ଚ ଉପରେ ପଡ଼ିଗଲି, ସେହି ଖୁଞ୍ଚ ଜଙ୍ଘରେ ଫୁଟିଗଲା ।’’ ତାହାପରେ ଘୁମୁଷର ତାଲୁକା ରସୁଲକୁଣ୍ଡାର ଡେପୁଟୀ ମାଜିଷ୍ଟ୍ରେଟ୍ ତଦନ୍ତ କରିବାକୁ ଆସି ଭୀଷଣ ଗର୍ଜନ କଲେ । ସେ ଜଣେ କମା, ଭାରୀ କଡ଼ା ହାକିମ । ସେ ଘରେ ଘରେ ପଶି ସମସ୍ତଙ୍କୁ ଭୟ ଦେଖାଇ ପଚାରିଲେ, ମାତ୍ର କିଛି ପ୍ରମାଣ ପାଇଲେ ନାହିଁ । ଆହତ ବ୍ୟକ୍ତି ପାଖକୁ ଯାଇ କହିଲେ–‘‘ଜାଣୁ, ମୁଁ ସର୍କାର ଚାକର–ମହାବଳ ବାଘ, ମିଛ କହିଲେ ଗିଳି ପକାଇବି ।’’ ଏହିପରି ଭୟ ଦେଖାଇଲେ ଏବଂ ସାକୁଲା ସାକୁଲି ମଧ୍ୟ କଲେ, ମାତ୍ର ସେ ପୂର୍ବରେ ଯାହା କହିଥିଲା, ଡେପୁଟୀ କଲେକ୍ଟରଙ୍କୁ ବି ତାହା କହିଲା । ତହୁଁ ପରୀକ୍ଷା ନିମନ୍ତେ ତାକୁ ଆସିକା ଡାକ୍ତରଖାନାକୁ ପଠାଗଲା । ଡାକ୍ତର ପରୀକ୍ଷା କରି ରିପୋର୍ଟ ଦେଲେ–ଏ କ୍ଷତ ଗୁଳି ଫୁଟା ବି ହୋଇପାରେ । ଆହତ କହିବା ଅନୁସାରେ ବାଉଁଶ ଖୁଞ୍ଚ ଫୁଟା ବି ହୋଇପାରେ ।’’ ଏଥିରେ ହାକିମଙ୍କର ଶସ୍ତ୍ର କୁନ୍ଥା ହେଲା, ତଥାପି ସେ ରାଜାଙ୍କର ଗୋଟାଏ ଦୋଷ ବାହାର କରିବାର ଚେଷ୍ଟାରେ ଲାଗିଲେ । ହଠାତ୍ ଯାଇ ପ୍ରେସ୍ ତଦାରଖ କଲେ । ଛାପା ଫାଇଲ୍ରୁ ‘‘ଉତ୍କଳ କୋଇଲି’’ ନାମରେ ଖଣ୍ଡେ କାଗଜ ପାଇଲେ । ସେଥିରେ ପ୍ରେସ୍ର ନାମ ଥିଲା ନାହିଁ । ହାକିମଙ୍କୁ ଆଉ ଖଣ୍ଡେ ଧାରିଆ ଅସ୍ତ୍ର ମିଳିଗଲା-। ତହୁଁ ପ୍ରେସ୍ ମେନେଜରଙ୍କୁ ଖୋଜା ପଡ଼ିଲା । ରାଜାଙ୍କର ପ୍ରାଇଭେଟ ସେକ୍ରେଟେରୀ ବାସୁଦେବ ପଟ୍ଟନାୟକ ପ୍ରେସ୍ର ମେନେଜର । ସେ ଆସିଲାରୁ ତାଙ୍କୁ ପ୍ରଶ୍ନ ହେଲା–‘‘ତୁମ୍ଭେ ଡିକ୍ଲେୟାରେସେନ୍ କରିଛ ?’’ ସେ କହିଲେ–‘‘ହଁ, ମୁଁ ଆପଣଙ୍କ ପାଖରେ କରିଛି ।’’ ତହୁଁ ତାଙ୍କୁ ଡିକ୍ଲେୟାରେସନ୍ ଫାରମ୍ ତଲପ ହେଲା । ସେ କହିଲେ–ଫାରମ୍ ଆପଣ ଦସ୍ତଖତ କରି ରଖିଲେ, ମୋତେ ଦେଇନାହାନ୍ତି । ଉତ୍ତର ଶୁଣି ହାକିମଙ୍କ ବୁଦ୍ଧି ବଣା ହେଲା । ସେ ପ୍ରସଙ୍ଗ ଛାଡ଼ି ସେ ଅନ୍ୟ ବାଟରେ ଚାଲିଲେ । କୋଇଲିରେ ପ୍ରେସ୍ ନାମ ଦିଆ ନ ଯିବାର କାରଣ ମେନେଜରଙ୍କୁ ପ୍ରଶ୍ନ ହେଲା । ସେ କହିଲେ–ଏ କାଗଜ ଆମ ପ୍ରେସ୍ରେ ଛାପା ହୋଇ ନାହିଁ, ଫାଇଲରେ କିଏ କେଉଁଠୁ ଆଣି ରଖିଛି ମୁଁ ଜାଣେ ନାହିଁ । ସମୟ ଅଭାବରୁ ମୁଁ ମେନେଜର ପଦରେ ଇସ୍ତଫା ଦେଇଅଛି, ଅନ୍ୟ ମେନେଜର ନିଯୁକ୍ତ ହୋଇନାହାନ୍ତି । ବର୍ତ୍ତମାନ ପ୍ରେସ୍ କାର୍ଯ୍ୟ ବନ୍ଦ ଅଛି ।’’ ହାକିମ ସେହି କୋଇଲି ଛାପା କାଗଜ ଖଣ୍ଡ ନେଇ ଚାଲିଗଲେ ।
ମୁଁ ଘରେ ଥିବା ସମୟରେ ଉକ୍ତ କୋଇଲି ସେଠାରେ ଛାପା ହୋଇଥିଲା । ଲେଖକ ସେହି ଦୟାନିଧି ଦାସ । ଲେଖାତଳେ ନିଜର ନାମ ନ ଦେଇ କ୍ଷେତ୍ରବାସୀ ପାଠୀଙ୍କ ନାମ ଲେଖି ଦେଇଥିଲେ । କ୍ଷେତ୍ରବାସୀ ପାଠୀ ଧରାକୋଟରେ ସର୍ଭେୟର ଥିଲେ । ସେ ବଡ଼ ଦେଶାଭିମାନୀ । ଦେଶମିଶ୍ରଣ ଆନ୍ଦୋଳନ ସମୟରେ ସେ ଅନେକ କାର୍ଯ୍ୟ କରିଥିଲେ । ସେଥିପାଇଁ ତେଲଙ୍ଗାମାନେ ତାଙ୍କ ବିପକ୍ଷ ହେବାରୁ ସେ ଗଭର୍ଣ୍ଣମେଣ୍ଟ ଚାକିରୀରୁ ଇସ୍ତଫା ଦେଇ ଧରାକୋଟରେ ଆସି ଚାକିରୀ କରିଥିଲେ । ସେ ଖୁବ୍ ସ୍ପଷ୍ଟବାଦୀ, ତେଲଙ୍ଗାମାନେ ତାଙ୍କୁ ଯୁକ୍ତିରେ ପରାସ୍ତ କରି ପାରନ୍ତି ନାହିଁ । କୋଇଲିର ଏକ ସ୍ଥାନରେ ଲେଖାଥିଲା–
ତେଲି ଦ୍ୱାରେ ଡେରୁଁ ଡେରୁଁ କଲେ ରାଜପଣ ଲୋ କୋଇଲି ।’’
ଏହି ପଦକରେ ତେଲଙ୍ଗା ଜାତିକୁ ଆକ୍ରମଣ କରାଯାଇଅଛି ବୋଲି ଡେପୁଟୀ କଲେକ୍ଟର ଧରିବସିଲେ ଏବଂ ଖୁବ୍ ଘଣ୍ଟାଚକଟା ଲଗାଇଲେ । ଢଙ୍କଣର ଅର୍ଥ ଖୋଜାଗଲା, ଓଡ଼ିଆ ଡିକ୍ସିନାରୀ ହନ୍ତଳାଗଲା, ମାତ୍ର ସେ ଶବ୍ଦ ସୁଦ୍ଧା ମିଳିଲା ନାହିଁ । ଯାହାକୁ ପଚରାଗଲା, ସେ ମଧ୍ୟ ସନ୍ତୋଷଜନକ ଉତ୍ତର ଦେଇପାରିଲା ନାହିଁ ।
ଶେଷରେ ଡେପୁଟୀ କଲେକ୍ଟର ହେଡ଼୍କମ୍ପୋଜିଟରକୁ ଧମକାଇ ନାନା ପ୍ରକାର ଭୟ ଦେଖାଇଲେ । କହିଲେ ତୁ ସତକଥା ନ କହିଲେ ନିଶ୍ଚୟ ଦଣ୍ଡ ପାଇବୁ । ହେଡ଼୍କମ୍ପୋଜିଟର ଡରିଯାଇ କ୍ଷେତ୍ରବାସୀ ପାଠୀ ନାମ କହିଦେଲା । ଷଣ୍ଢ ଧାନ ଖାଇଲା, କିନ୍ତୁ ତନ୍ତୀ ବନ୍ଧାରେ ପଡ଼ିଲା–ଫଳରେ ପାଠୀଙ୍କର ଚାକିରୀ ଖଣ୍ଡି ଗଲା । ତାଙ୍କର ବି ଉଚିତ ଶିକ୍ଷା ହେଲା । ସେ ପରଲୁଗା ପିନ୍ଧି ଫୁଲାଇ ହେବାର ଭାବ ପାଇଲେ । ମାଇପେ ଛଟା ମେଲନ୍ତି–‘‘ହାତ ନ ଲାଗେ, ଗୋଡ଼ ନ ଲାଗେ, ଚଟୁପିଠା ଖଣ୍ଡ ସୁଆଦ ଲାଗେ ।’’ ସାତଫୁଲାରେ ଲେଖକ ଉପାଧି ମିଳିଯିବ, ପୁଣି ଦେଶହିତୈଷୀ ବୋଲି ପ୍ରଶଂସାଟାଏ ମଧ୍ୟ ମିଳିଯିବ, ଏହା କଅଣ ଅଳ୍ପ ଗୌରବ ଅଳ୍ପ ଲାଭର କଥା । ଦୁର୍ଭାଗ୍ୟ ବେଳେ ଲୋକେ ଏହିପରି ବିପଦର ଗୋଡ଼ହାତ ଧରି ଡାକି ଆଣନ୍ତି । ଏହା ଅତି ବୁଦ୍ଧିଆଙ୍କର କାର୍ଯ୍ୟ ।
ହାକିମଙ୍କର ଭୟରୁ ହେଉ ବା ଯେ କାରଣରୁ ହେଉ ବାସୁଦେବ ବାବୁ ପ୍ରେସ୍ ମେନେଜର କାର୍ଯ୍ୟରେ ଇସ୍ତଫା ଦେଇଥିଲେ । ଅନ୍ୟ ମେନେଜର ନିଯୁକ୍ତ ନ ହେବା ଯାଏଁ ପ୍ରେସ୍ରେ ଜ୍ଞାନଦର୍ପଣ ଛପା ହୋଇପାରିବ ନାହିଁ, ସେଥିପାଇଁ ରାଜା ମୋତେ ମେନେଜର ନିଯୁକ୍ତ କରି ଡିକ୍ଲେୟାରେସନ୍ କରିବାକୁ ପଠାଇଲେ । ମୁଁ ରସୁଲକୁଣ୍ଡା ଯାଇ ଉପରୋକ୍ତ ଶକ୍ତିଧର ହାକିମଙ୍କ ନିକଟରେ ଡିକ୍ଲେୟାରେସନ୍ ଫାରମ୍ ଦାଖଲ କଲି । ହାକିମ ମୋତେ ନାନା କଥା ପଚାରି ଲେଖିବାକୁ ଲାଗିଲେ । ଦୟାନିଧି ଦାସ କୋଇଲିର ଲେଖକ ବୋଲି ମୁଁ ଜାଣେ କି–ଢଙ୍କଣର ଅର୍ଥ କଅଣ, ଢାଙ୍କୁଣୀ ହୋଇପାରେ କି–ମୋ ଘର କେଉଁ ଜିଲାରେ–ମୋର ଆଉ କିଏ ଅଛି–ଭୂମି ବାଡ଼ି କେତେ ଅଛି, ଏହିପରି ଅପ୍ରାସଙ୍ଗିକ ପ୍ରଶ୍ନରେ ମୋତେ ପୋତି ପକାଇଲେ । ମୁଁ କେତେ ପ୍ରଶ୍ନର ଉତ୍ତର ଦେଇ ଶେଷକୁ କହିଲି–‘‘ମୁଁ ଯହିଁ ପାଇଁ ଆସିଛି, ସେହି ପ୍ରସଙ୍ଗରେ ପ୍ରଶ୍ନ କଲେ ଉତ୍ତର ଦେବି, ମାତ୍ର ଆପଣ ବାଜେ ପ୍ରଶ୍ନ ପଚାରୁଅଛନ୍ତି, ସେଥିରେ ଉତ୍ତର ଦେବାକୁ ମୁଁ ବାଧ୍ୟ ନୁହେଁ ।’’ ବି, ଏନ୍ ମିଶ୍ର କି ମୋକଦ୍ଦମାରେ ସେଦିନ କୋର୍ଟକୁ ଯାଇଥିଲେ । ସେ ମୋତେ ଆଖି ଠାରି ଏରୂପ କଡ଼ା ଉତ୍ତର ଦେବାକୁ ମନାକଲେ, ମାତ୍ର ମୁଁ ସେଥିରେ ଭ୍ରୁକ୍ଷେପ କଲି ନାହିଁ । ଦୁଇ ତିନିଘଣ୍ଟାକାଳ ଠିଆ ହୋଇ ମୋତେ ବିରକ୍ତ ବୋଧ ହେଉଥାଏ । ହାକିମ ଏବଂ ମିଶ୍ରଙ୍କ ମଧ୍ୟରେ ଇଂରାଜୀରେ କି କଥାବାର୍ତ୍ତା ହେଲା, ହାକିମ ଦୟାକରି ମୋତେ ଖଣ୍ଡେ ବେଞ୍ଚ ଦେଖାଇ ଦେଇ ବସିବାକୁ କହିଲେ । ମୁଁ ବସିଲି, ସେ ମକଦ୍ଦମା ବୁଝିଲେ । ଘଣ୍ଟାକ ପରେ କହିଲେ–‘‘କାଲି ପହିଲା କଚେରୀରେ ଡିକ୍ଲେୟାରେସନ୍ ବିଚାର କରାଯିବ ।’’ ହୁକୁମ ଦିଆଯିବ ନାହିଁ, ପୁଣି ବିଚାର କରାଯିବ । ଧର୍ମାବତାରଙ୍କର ଆଦେଶ ଶୁଣି କୃତାର୍ଥ ହୋଇଗଲି । ନୀରବରେ ଗୋଟାଏ ଦଣ୍ଡବତ ପକାଇ କୋର୍ଟରୁ ବାହାରି ଆସିଲି । ମୋ ପଛେ ପଛେ ମିଶ୍ରେ ଆସି କୋର୍ଟ ବାରଣ୍ଡାରେ ମୋତେ ଝୁଣି ପକାଇଲେ । କହିଲେ–‘‘ହାକିମଙ୍କୁ ଏପରି କଥା କହନ୍ତି ନାହିଁ, ଆମ ଦେଶୀ ହାକିମ ବୋଲି ସିନା, ବିଲାତି ହୋଇଥିଲେ କଅଣ ହୁଅନ୍ତା ।’’ ମୁଁ ହସି ହସି କହିଲି–‘‘କିଛି ହୋଇଥିଲେ ଆପଣ ତ ପାଖରେ ଥିଲେ, ଆପଣଙ୍କୁ ଓକିଲାତି ଦେଇଥାଆନ୍ତି ।’’ ମିଶ୍ରେ ଆପଣେ କଅଣ ଭାବି ହସି ମୋତେ କୁଣ୍ଢାଇ ପକାଇଲେ । ବସାକୁ ଆସି ଦେଖିଲି ଯେଉଁ ବସା ଭଡ଼ା ନିଆଯାଇଛି, ତାହା ବସା ନୁହେଁ–ଅନ୍ଧକାରମୟ କାରାଗାର । ରସୁଲକୁଣ୍ଡା ଟ୍ରେନିଂ ସ୍କୁଲର ମାଷ୍ଟର ଗଙ୍ଗାଧର ସାହୁ ମୋର ଜଣେ ପୁରୁଣା ବନ୍ଧୁ, ଭଲ ବସା ସଜିଲ କରିବା ପାଇଁ ତାଙ୍କୁ ପୂର୍ବରୁ ପତ୍ର ଲେଖିଥିଲି । ସେ ବାଛି ବାଛି ଯେଉଁ ଭଲ ବସାଟି ସଜିଲ କରିଥିଲେ ସେଥିରେ କୁକୁର ବି ରହିବାକୁ ଇଚ୍ଛା କରିବ ନାହିଁ । ଶୁଣିଲି ରସୁଲକୁଣ୍ଡାରେ ତାହାଠାରୁ ଭଲ ବସା ନାହିଁ । ବସାପ୍ରତି ମୋର ଅରୁଚି ଦେଖି ଗଙ୍ଗାଧର ବାବୁ ତାଙ୍କ ବୋର୍ଡ଼ିଂକୁ ମୋତେ ନେଇଗଲେ । ସେ ରାତିକ ସେହିଠାରେ କଟାଇଲି । ପରଦିନ ସକାଳେ ରାଜାଙ୍କର ଟେଲିଗ୍ରାମ ପାଇଲି । ତେତେବେଳେ ନୂଆ ପ୍ରେସ୍ ଆଇନ୍ ଜାରି ହୋଇଥାଏ । ସେହି ନାଗପାଶରେ କେତେ ପ୍ରେସ୍ର ବନ୍ଧନ ଦଶା ଘଟୁଥାଏ । ଧରାକୋଟ ପ୍ରେସ୍ ସମ୍ୱନ୍ଧରେ ଏଥିମଧ୍ୟରେ କି ଗୁପ୍ତ ଷଡ଼ଯନ୍ତ୍ର ହେବାରୁ ରାଜା ମୋତେ ଡିକ୍ଲେୟାରେସନ୍ ନ କରି ଶୀଘ୍ର ଫେରି ଯିବାକୁ ଟେଲିଗ୍ରାମ୍ କରିଥିଲେ । ତଦନୁସାରେ ମୁଁ ଧରାକୋଟ ଫେରି ଆସିଲି । ରାଜା ବିରକ୍ତ ହୋଇ ପ୍ରେସ୍ ରଖିବା ନିରାପଦ ମନେ କଲେ ନାହିଁ, କିଛିଦିନ ପରେ ପ୍ରେସ୍ ବିକ୍ରୟ ହୋଇଗଲା ।
ଘୁମୁଷରର ଗୋଟାଏ ଅଂଶ ଦେଖି ଦେଖି ଆସିଲି । ଘୁମୁଷର ଉତ୍କଳର ସାରସ୍ୱତ ତୀର୍ଥ–ମହାକବି ଭଞ୍ଜଙ୍କର ପବିତ୍ର ଜନ୍ମଭୂମି । ଘୁମୁଷର ପ୍ରକୃତି ଖଣ୍ଡିଏ ଉପାଦେୟ ପ୍ରକାଣ୍ଡ କାବ୍ୟ । ଉପେନ୍ଦ୍ରଭଞ୍ଜଙ୍କୁ କବି କରିବାର ଇଚ୍ଛା ବିଧାତାଙ୍କର ପୂର୍ବରୁ ଥିଲା । ତେଣୁ ତାଙ୍କ ଜନ୍ମ ପୂର୍ବରୁ ତାଙ୍କ ଜନ୍ମଭୂମି ଘୁମୁଷରକୁ କବି ମୋହନ ବେଶରେ ସଜାଇ ରଖିଥିଲେ । କବିତାର ସରଳ ଭାବପରି ଶାଳତରୁରାଜି ଊର୍ଦ୍ଧ୍ୱକୁ ଉଠିଯାଇଅଛି । କେତେ ସ୍ଥାନରେ ହରିତକୀ ବିଭିତକୀ ବେନିସଖୀ ହାତ ଧରାଧରି ହୋଇ ଉଭା ହୋଇଅଛନ୍ତି । କେଉଁଠାରେ ଲଇବାହାଡ଼ା ଲତା କାନନ ଲକ୍ଷ୍ମୀଙ୍କର କପାଳରେ ଚନ୍ଦନପାଟି ଅଙ୍କିତ କରିଅଛି । ଅରଣ୍ୟ, ନଦୀ, ପର୍ବତସବୁ କବିତାମୟ । ବୋଧହୁଏ ସମସ୍ତେ ଭଞ୍ଜକବିତା ସ୍ୱରଧରି ଆବୃତ୍ତି କରୁଅଛନ୍ତି । ପକ୍ଷୀ କଣ୍ଠରୁ କବିତା ଝରିପଡ଼ୁଛି–ପୁଷ୍ପହାସରୁ କବିତା ଝରିପଡ଼ୁଛି–ପାର୍ବତୀୟ ବାୟୁରେ କବିତା ଉଡ଼ି ବୁଲୁଛି, ଯେଉଁ ଆଡ଼କୁ ଚାହିଁଲେ କବିତାର ମହାମେଳା ବସିଅଛି । କାନନ ପ୍ରକୃତିର ସ୍ଥାବର ଜଙ୍ଗମ ସମସ୍ତେ ଆଜି ପର୍ଯ୍ୟନ୍ତ ଭଞ୍ଜକବିଙ୍କୁ ଭୁଲିପାରି ନାହାନ୍ତି–ସବୁବେଳେ ତାଙ୍କର ରସମୟୀ କବିତା ନିଜ ଭାଷାରେ ଘୋଷି ହେଉଅଛନ୍ତି । ଶ୍ୟାମକାନ୍ତ ଦୂର ପର୍ବତମାଳା ମେଘନାଦ ପାଚେରୀ ପରି ନେତ୍ର ଆକର୍ଷଣ କରୁଅଛି । ସତେ ଯେପରି ପ୍ରକୃତିରାଣୀଙ୍କ ଗନ୍ତାଘରରେ ନୀଳକାନ୍ତମଣି ସ୍ତରେ ସ୍ତରେ ସଜ୍ଜିତ ହୋଇ ରହିଅଛି । ଭଞ୍ଜ ଜନ୍ମତୀର୍ଥ ସାରସ୍ୱତ ଧାମ ଘୁମୁଷରର ଚିତ୍ତହର ଶୋଭା ଲେଖୁଥିଲେ ସରିବ ନାହିଁ । ତାହା ଦେଖିବାର ଏବଂ ଉପଭୋଗ କରିବାର ସାମଗ୍ରୀ । ସେହି ମହାତୀର୍ଥର ପବିତ୍ରରେଣୁ ମସ୍ତକରେ ବୋଳି ହୋଇ ମହାକବିଙ୍କ ଉଦ୍ଦେଶ୍ୟରେ ମୁଁ ନମସ୍କାର କଲି । ସମ୍ପୂର୍ଣ୍ଣରୂପେ ଘୁମୁଷର ଦେଖି ପାରିଲି ନାହିଁ ବୋଲି ଆକାଙ୍କ୍ଷାର ଗୋଟାଏ ବିରାଟ ଅପୂର୍ଣ୍ଣତା ମନକୁ ଆଘାତ କଲା ।
ଧରାକୋଟ ଆସିଲି । ପ୍ରେସ୍ ଡିକ୍ଲେୟାରେସନ୍ ହେଲା ନାହିଁ, ବ୍ରହ୍ମପୁର ସରସ୍ୱତୀ ପ୍ରେସରୁ ଜ୍ଞାନଦର୍ପଣ ଛପାଇ ଆଣିବାର ବ୍ୟବସ୍ଥା ହେଲା । ଅନିବାର୍ଯ୍ୟ କାରଣରୁ ଅଗତ୍ୟା ଫେରି ଆସିବାକୁ ହେଲା ବୋଲି ରସୁଲକୁଣ୍ଡା ଡେପୁଟୀ ମାଜିଷ୍ଟ୍ରେଟଙ୍କୁ ତାର କରିଦେଲି । ପ୍ରେସ୍ ପରିବର୍ତ୍ତନ ହେଲେ ପୁଣି ଡିକ୍ଲେୟାରେସନ କରିବାକୁ ହେବ । ମୁଁ ଆସି ବ୍ରହ୍ମପୁରସ୍ଥ ଧରାକୋଟ ବଙ୍ଗଳାରେ ରହିଲି । ସାନକଲେକ୍ଟରଙ୍କ କୋର୍ଟରେ ଡିକ୍ଲେୟାରେସନ କରିବାକୁ ହେଲା । ବ୍ରହ୍ମପୁରରେ ପତ୍ରିକା ଏବଂ ମହାଭାରତ ଉଭୟ କାର୍ଯ୍ୟ ଚଳିଲା । ଭୁବନେଶ୍ୱର ମିଶ୍ର ଧରାକୋଟ ବଙ୍ଗଳାରେ ରହି କଲେଜରେ ପଢ଼ୁଥିଲେ । ମିଶ୍ରେ ଖୁବ୍ ପରିମିତବ୍ୟୟୀ, ଖଣ୍ଡେ କାଠ ଜାଳି ତାକୁ ଲେଉଟ ପାଉଟ କରି କରି ସେଥିରେ ରୋଷାଇ କରନ୍ତି । ସମୟର ବାଜେ ଖର୍ଚ୍ଚ ହୁଏ ନାହିଁ । ପାଠପଢ଼ା ଭାତରନ୍ଧା ଏକ ସମୟରେ ଲାଗିଥାଏ । କଲେଜର ସେ ଜଣେ ଭଲ ଛାତ୍ର ଥିଲେ । ସେହି ସମୟରୁ ମୁଁ ତାଙ୍କର ସାହିତ୍ୟ ପ୍ରୀତିର ପରିଚୟ ପାଇଥିଲି । ବର୍ତ୍ତମାନ ସେ କବି ବଲ୍ଲଭ ଉପାଧି ମଣ୍ଡିତ । ସେହି ନିର୍ଜନ ପୁରୀରେ ଭୁବନେଶ୍ୱର ବାବୁ ମୋର କଥା ବାର୍ତ୍ତାର ସଙ୍ଗୀ ଥିଲେ । ତାଙ୍କ ସାଧୁ ସରଳ ବ୍ୟବହାର ମୋତେ ଆପ୍ୟାୟିତ କରିଥିଲା । ଧରାକୋଟ ବଙ୍ଗଳାରେ ଗୋଟାଏ ଅଜଣା ଗଛ ଅଛି, ତାହା ପତ୍ରରେ ଭାତ ଖାଇଲେ ଘିଅର ସୁବାସ ବାହାରେ । ଶଗଡ଼ିଆମାନେ ସେହି ପତ୍ରରେ ଖଲି କରି ଭାତ ଖାଆନ୍ତି । ତରକାରୀର ଆବଶ୍ୟକ ହୁଏ ନାହିଁ । ଘିଅ ସୁବାସରେ ଗୁଣ୍ଡା ଚଳିଯାଏ । ବଙ୍ଗଳା ପାଖରେ ଖଣ୍ଡିଏ ଫଳମୂଳର ଛୋଟ ବଗିଚା ଅଛି । ସେଥିରେ ଦୁଇକିଆରି କଟା ପୋଇଶାଗ ହୋଇଥାଏ । ସାଧାରଣ ପୋଇ ପରି ସେ ମାଡ଼େ ନାହିଁ, ନେଉଟିଆଶାଗ ପରି ତାକୁ କାଟିବାକୁ ହୁଏ । ଶାଗ ଖୁବ୍ ନରମ ଏବଂ ସୁସ୍ୱାଦୁ । ବଗିଚାରେ ସ୍ୱଦେଶୀ, ବିଦେଶୀ ନାନା ପ୍ରକାର ଫୁଲଗଛ ଅଛି । ସ୍ଥାନଟି ପ୍ରଶସ୍ତ ଏବଂ ନିକାଞ୍ଚନ । ବଙ୍ଗଳାଟି ଋଷି ଆଶ୍ରମ ପରି ବୋଧହୁଏ । ସେଠାରେ ମୋର ଲେଖାଲେଖିର ଖୁବ୍ ସୁବିଧା ହେଲା । ବେଳେ ବେଳେ ଗୁନ୍ନେୟା ଶାସ୍ତ୍ରୀ ଆସନ୍ତି ଏବଂ ସ୍ଥାନୀୟ ଅନେକ ବନ୍ଧୁ ମଧ୍ୟ ଆସନ୍ତି । ବନ୍ଧୁମେଳରେ ସୁଖରେ ଦିନ କଟିଯାଏ । ସେଠାରେ ମୁଁ ପ୍ରାୟ ଦୁଇ ତିନି ମାସ ରହିଥିଲି ।
ଦିନେ ରାତିରେ ତୋଫାନ ହେଲା । ଅନ୍ଧାର ରାତି, ମୂଷଳଧାରାରେ ବୃଷ୍ଟି, ତାହା ଉପରେ ଭୀଷଣ ତୋଫାନ । ପ୍ରକୃତି ରୁଦ୍ରମୂର୍ତ୍ତି ଧାରଣ କରି ଉଠିଲା । ପ୍ରଥମେ ଗୋଟାଏ ସୁ-ସୁ ଶବ୍ଦ ହେଲା, ତାହା ପରେ ମଡ଼୍ମାଡ଼୍ କଡ଼୍କାଡ଼୍-ଧୂଷ୍ଧାସ୍-କେଁକାଁ-ଚେଁଚାଁ ପ୍ରଭୃତି ରୁଦ୍ର, କରୁଣସ୍ୱରରେ ସମୟ ଭୀତିପ୍ରଦ ହୋଇଉଠିଲା । ପ୍ରଭଞ୍ଜନର ପ୍ରଚଣ୍ଡ ବେଗରେ ବଡ଼ ବଡ଼ ଗଛ ଉପୁଡ଼ି ଆକାଶରେ ଉଡ଼ିବାକୁ ଲାଗିଲା । କେତେ ପଶୁପକ୍ଷୀର ମୃତ୍ୟୁକାଳୀନ ଆର୍ତ୍ତଚିତ୍କାର ପବନରେ ଭାସି ଆସିଲା । ରୁଦ୍ର କରୁଣ ରସର ଏ ମହା ତାଣ୍ଡବଲୀଳାରେ ଭୂମି କମ୍ପି ଉଠିଲା । ଭୁବନେଶ୍ୱର ବାବୁ କୌଣସିମତେ ଧରିଧାରି ହାବୁଡ଼ି ହୁବୁଡ଼ି ଆମ ବସାକୁ ଆସିଲେ । ଭଗ୍ନ ଶାଖା ପତ୍ରରେ ଦ୍ୱାର ରୁଦ୍ଧ ହୋଇଯାଇଥିଲା । କଷ୍ଟରେ ତାହା ଭିତରେ ଗଳିଗଳି ଭୁବନେଶ୍ୱର ବାବୁ ଆସିଲେ । ଘରେ କବାଟ କିଳି ଦେଇ ମୋତେ ମଝିରେ ବସାଇ ସୋମନାଥ ଏବଂ ଭୁବନେଶ୍ୱର ବାବୁ ମୋର ଦୁଇପାଖରେ ରକ୍ଷୀ ରୂପେ ଠିଆ ହୋଇ ରହିଲେ । କିନ୍ତୁ ଦୁଃଖର ବିଷୟ, ଉତ୍କଳମାତାଙ୍କର ଦୁଇଜଣ ଏଡ଼େ ବଡ଼ ବୀରଙ୍କୁ ରକ୍ଷୀରୂପେ ପାଇ ସୁଦ୍ଧା ମୁଁ ନିଶ୍ଚିନ୍ତ ହୋଇପାରିଲି ନାହିଁ । ଭାଗବତର ଦୁଇଧାଡ଼ି ମନରେ ପଡ଼ିଗଲା–‘‘ନିଜରକ୍ଷଣ ଅସମ୍ଭବ, ସେ ପୁଣି ପରକୁ ରଖିବ-।’’ ଯାହାହେଉ, ଦୁହିଙ୍କର ଭକ୍ତି, ମମତାରେ ପ୍ରାଣ ଟିକିଏ ଆଶ୍ୱସ୍ତ ହେଲା । ନିଜର ପ୍ରାଣଯାଉଥିବା ବେଳେ ଅନ୍ୟର ପ୍ରାଣରକ୍ଷା କରିବାକୁ ଯିବା ସାମାନ୍ୟ ବୀରତ୍ୱର କଥା ନୁହେଁ । ଯେଉଁ ଘରେ ଥିଲୁଁ, ସେ ଘର ଉପରେ ଗୋଟାଏ ବଡ଼ ତେନ୍ତୁଳିଗଛ ଉପୁଡ଼ି ପଡ଼ିଲା । ଘରର ଖପର ସବୁ ଚୂନା ହୋଇ ଝରଝର ହୋଇ ପଡ଼ିଲା । ଉପାୟ ନ ଦେଖି ତିନି ଜଣଯାକ ଧରାଧରି ହୋଇ ଘରୁ ବାହାରି ଆଉ ଗୋଟାଏ ଘରକୁ ଗଲୁଁ । ପବନ ଏଡ଼େ ଯୋରରେ ବହୁଥାଏ ଯେ ପ୍ରତି ମୁହୂର୍ତ୍ତରେ ଉଡ଼ାଇ ନେବାର ଭୟ ହେଉଥାଏ । ପରସ୍ପରକୁ ଯାକି ଯୁକି ଧରି ଆତ୍ମରକ୍ଷା କରିବାକୁ ପଡ଼ୁଥାଏ । ଅତି କଷ୍ଟରେ ଆସି ଘରେ ପଶିଲୁଁ, ପ୍ରାଣ ଆସି ଆମ ପିଣ୍ଡରେ ପଶିଲା । ପ୍ରକୃତି, ପବନର ଭୟଙ୍କର ଯୁଦ୍ଧ ପ୍ରାୟ ତିନିଚାରି ଘଣ୍ଟାଯାଏଁ ଲାଗିଲା । ରାତି କ୍ରମେ ପାହି ଆସିଲା–ପବନର ଗତି ଊଣା ହୋଇ ଆସିଲା । ସକାଳେ ଦେଖାଗଲା କୌଣସି ଘର ବା ଗଛ ଅକ୍ଷତ ନାହିଁ । ଖୁବ୍ ମୋଟ ମୋଟ ପୁରୁଣା ଗଛ ଉପୁଡ଼ି କିଏ କୋଡ଼ିଏ ହାତ ଦୂରରେ–କିଏ ପଚିଶ ହାତ ଦୂରରେ ଉଡ଼ିଯାଇ ପଡ଼ିଅଛି । ପଥ ଅପଥ ସବୁ ଏକାକାର, ହାଇରୋଡ଼୍ରେ ଗଛଛାଇ ଯାଇ ତାହାର ଚିହ୍ନ ଲୋପକରି ଦେଇଅଛି । ଯେଠାରେ ସେଠାରେ ମୃତ ପଶୁପକ୍ଷୀ ବହୁ ସଂଖ୍ୟାରେ ପଡ଼ି ରହିଅଛନ୍ତି । କେତେ ଯମପୁର ଯାତ୍ରା ପଥରେ ଶେଷ ନିଃଶ୍ୱାସ ଛାଡ଼ୁ ଅଛନ୍ତି । କେତେ ଆଘାତରେ ଶକ୍ତିହୀନ ହୋଇ ମିନତିବୋଳା କରୁଣ ଚାହାଁଣିରେ ସାହାଯ୍ୟ ଖୋଜୁ ଅଛନ୍ତି । ସୋମନାଥ, ଭୁବନେଶ୍ୱର ବାବୁ କେତେଗୁଡ଼ିଏ ମୁମୂର୍ଷୁ ଜୀବଜନ୍ତୁର ଶୁଶ୍ରୂଷାରେ ଲାଗିଗଲେ । କୁଟା ଜାଳି ସେକି କେତେଟା ବାଦୁଡ଼ି, ଗୁଣ୍ଡୁଚିମୂଷା, କୁଆ, ଚିଲ, ଛଞ୍ଚାଣ, ହଳଦୀବସନ୍ତ, ନେଉଳ ପ୍ରଭୃତିକୁ ବଞ୍ଚାଇଲେ । ସେମାନେ ଶକ୍ତି ପାଇଲାମାତ୍ରେ ଚାଲିଗଲେ । ଯିବାବେଳେ ସେମାନଙ୍କ ଚକ୍ଷୁରେ ଆନନ୍ଦର ଦୀପ୍ତି ଖେଳିଉଠିଲା, ତାହାହିଁ ସାଙ୍କେତିକ କୃତଜ୍ଞତା । ଅନେକ ଗୋରୁ, ମଇଁଷୀ, ଛେଳି, ମେଣ୍ଢା, ଗଧ, କୁକୁର, ଶିଆଳ ଏହି ତୋଫାନରେ ପ୍ରାଣ ହରାଇଥିଲେ । ଏଭଳି ଭୀଷଣ ତୋଫାନ ମୋ ଜୀବନରେ ମୁଁ ଥରେ ମାତ୍ର ଦେଖିଥିଲି, ତାହା ୧୮୮୫ ଖ୍ରୀଷ୍ଟାବ୍ଦର ସୁନିଆଁ ରାତିରେ ହୋଇଥିଲା । ଆମ୍ଭେମାନେ ପ୍ରଥମେ ଯେଉଁ ଘରେ ଥିଲୁଁ ସକାଳୁ ଦେଖାଗଲା ସେ ଘରେ ପାଞ୍ଚଶଗଡ଼ ହେବ ଭଙ୍ଗାଖପର ବିକ୍ଷିପ୍ତ ହୋଇ ପଡ଼ିଅଛି । ଖୁବ୍ ଗୋଟାଏ ମୋଟା ତେନ୍ତୁଳି ଗଛ ସେ ଘର ଉପରେ ପଡ଼ିଅଛି । ମୁଁ ଯେଉଁଠାରେ ଶୋଉଥିଲି ସେଠାରେ ଗୋଟାଏ ଖପର ସ୍ତୁପ ହୋଇଅଛି । ନିଦ୍ରିତାବସ୍ଥାରେ ଏ ଘଟନା ଘଟିଥିଲେ ମୁଁ ସେହି ଖପର ସମାଧିତଳେ ରହିଥାଆନ୍ତି । ଏକଥା ମନେକରି ବିସ୍ମିତ ହୋଇଗଲି–ଦେହ ଶୀତେଇ ଉଠିଲା–ମନରେ ଅସ୍ଥାୟୀ ବୈରାଗ୍ୟର କ୍ଷଣିକ ଛାୟାପାତ ହେଲା, ମନେମନେ ଈଶ୍ୱରଙ୍କ ନିକଟରେ କୃତଜ୍ଞତା ପ୍ରକାଶ କରି କହିଲି–ହେ ଭଗବାନ, ଏ ଉପସ୍ଥିତ ସଂକଟରୁ ମୋତେ କିଏ ରକ୍ଷାକଲା–ଦୟାମୟ ? ଏହିପରି ପ୍ରତି ମୁହୂର୍ତ୍ତରେ ମୁଁ ତୁମ୍ଭର ଅସୀମ ଦୟା ଉପଭୋଗ କରୁଅଛି, ମାତ୍ର କାହିଁ–ଥରେ ତ ତାହା ସ୍ମରଣ କରୁନାହିଁ । ହରି ହେ, ‘‘ମତ୍ତୋଽପି ନାରକୀ ନାସ୍ତି–ନାସ୍ତିତ୍ୱତ୍ତୋଽପି ତାରକଃ ।’’ ମନୁଷ୍ୟ ପ୍ରାଣ ସଂକଟରେ ପଡ଼ିଲେ ତାହା ମନରେ ଈଶ୍ୱର ଭାବ ସ୍ୱତଃ ଜାତ ହୁଏ ।
କିଛିଦିନ ପରେ ରାଜା ବ୍ରହ୍ମପୁର ଆସିଲେ । ଫେରିବାବେଳେ ମୁଁ ତାଙ୍କ ସଙ୍ଗରେ ଧରାକୋଟ ଗଲି । ସେଠାରେ କଠିନ ଆମାଶୟ ରୋଗରେ ପୀଡ଼ିତ ହୋଇ ଅନେକ କଷ୍ଟ ଭୋଗକଲି । ରାଜ ବୈଦ୍ୟ ଔଷଧ ଦେଲେ । କଖାରୁ ଶାକର, କଦଳୀଭଣ୍ଡା, ଓଲ ଖାଇବାକୁ ବ୍ୟବସ୍ଥା ଦେଲେ । ରାଜ ଅନୁଗ୍ରହରୁ ତାହା ଅଭାବ ହେଲା ନାହିଁ । ଓଲ ମିଳିଲା ନାହିଁ, ବହୁଚେଷ୍ଟାରେ ଗୋଟାଏ ମିଳିଲା । ଓଲ ମୋର ଆବାଲ୍ୟପ୍ରିୟ । କଣ୍ଡୁନାଶକ ପଦାର୍ଥ ଦ୍ୱାରା ଓଲ ସିଝାହୋଇ ଗୁଆଘିଅରେ ଭଜା ହେଲା । ଖଣ୍ଡକରୁ ସୁଉକି ଆକାରରେ ଭାଙ୍ଗିନେଇ ପରୀକ୍ଷା କରିବାକୁ ଲାଗିଲି । ତଣ୍ଟି କୁଣ୍ଡାଇ ହେବାରୁ ଆଉ ଖାଇଲି ନାହିଁ, ମାତ୍ର ଯେଉଁ ଟିକ ଖାଇଥିଲି, ତାହାରି ଜାଳା ସହି ହେଲା ନାହିଁ । କଣ୍ଠନାଳୀ ଫୁଲିଯାଇ ବନ୍ଦହୋଇ ଯିବାର ଉପକ୍ରମ ହେଲା । ପ୍ରତିଷେଧକ ଔଷଧ ତଣ୍ଟିରେ ଗଳିଲା ନାହିଁ । ଯନ୍ତ୍ରଣା ଅସହ୍ୟ ହେଲା । ଗୋଟାଏ ଆପଦକୁ ଘଉଡ଼ିବାକୁ ଯାଇ ଆଉ ଏକ ବିଷମ ଆପଦ କବଳରେ ପଡ଼ିଲି । ସେହି ତଣ୍ଟିଫୁଲାରେ ଦୁଇଦିନ ଯାଏଁ କିଛି ଖାଇ ହେଲା ନାହିଁ–ଦୁଧ ପିଇ ରହିବାକୁ ହେଲା । ଅବଶିଷ୍ଟ ଓଲଭଜାକୁ ନମସ୍କାର କରି ଖତଗଦାକୁ ପଠାଇଦେଲି । ଆମାଶୟ ଅର୍ଶରେ ପରିଣତ ହୋଇ ଆସିଥିଲା, କଖାରୁ ଶାକରରେ ତାହା ଭଲ ହୋଇଗଲା ।
ପାର୍ବତ୍ୟ ପ୍ରଦେଶରେ ସବୁ ୠତୁ ପ୍ରବଳ ହୁଏ । ଧରାକୋଟରେ ଶୀତ ଯେପରି, ଖରା ସେହିପରି, ବର୍ଷା ବି ସେହିପରି ଅଧିକ ହୁଏ । ବିଶେଷତଃ ଖରା ଅତି ଅସହ୍ୟ ହୁଏ । ଯେଉଁ ଦିନ ପାର୍ଶ୍ୱସ୍ଥ ସୁବଳୟା ପର୍ବତରେ ନିଆଁ ଲାଗେ ସେଦିନ ଗଡ଼ରେ ରହି ହୁଏ ନାହିଁ । ଲୋକେ ଘର ଛାଡ଼ି ଅନ୍ୟ ଗ୍ରାମକୁ ପଳାଇ ଯାଆନ୍ତି । ରାଜା ଯାଇ ‘‘ଦାମୋଦର ପଲ୍ଲୀ’’ ବଙ୍ଗଳାରେ ରହନ୍ତି । ସେ ସ୍ଥାନ ଅପେକ୍ଷାକୃତ ଶୀତଳ । ସେଠାରେ ରାଜାଙ୍କର ଆଦର୍ଶ କୃଷିକ୍ଷେତ୍ର ଅଛି । ଧରାକୋଟର ଦୁଇମାଇଲ ପଶ୍ଚିମରେ ଋଷିକୁଲ୍ୟା ତୀରରେ ‘‘ମୁଣ୍ଡମରାଇ’’ ଗ୍ରାମ । ସେଠାରେ ରାଜାଙ୍କର ବଙ୍ଗଳା ଏବଂ ଉଦ୍ୟାନ ଅଛି । ଉଦ୍ୟାନରେ ଦେଶୀ ବିଦେଶୀ ଫସଲ ହୁଏ । ପ୍ରତ୍ୟହ ଏହି ଦୁଇ ଉଦ୍ୟାନରୁ ରାଜବାଟୀକୁ ପରିବା, ଫଳମୂଳ, ପାନ ପ୍ରଭୃତି ଆସେ ।
ଲେଖିବାକୁ ଭୁଲିଯାଇଅଛି–ଧରାକୋଟ ରାଜା ଜମିଦାରଙ୍କ ତରଫରୁ ମାନ୍ଦ୍ରାଜ କାଉନ୍ସିଲ ସଭାର ମେମ୍ୱର ହୋଇଥିଲେ । ସେ ଗଞ୍ଜାମର ପ୍ରଥମ ଓଡ଼ିଆ କାଉନ୍ସିଲ ମେମ୍ୱର । ସେ ସମୟରେ ଅନେକ ସ୍ଥାନରେ ତାଙ୍କ ପାଇଁ ଅଭ୍ୟର୍ଥନା ସଭା ହୋଇଥିଲା । ଶିକ୍ଷକ ଛାତ୍ରମାନେ ମିଶି ସ୍କୁଲରେ ସଭା କରି ଅଭିନନ୍ଦନ ଦେଇଥିଲେ । ଗଡ଼ବାସୀ ସ୍ୱତନ୍ତ୍ର ସଭା କରିଥିଲେ । ମୁଁ ଅଭ୍ୟର୍ଥନା ସଭାର ଚାଳକ ହୋଇଥିଲି । ଧରାକୋଟରେ ରଥଯାତ୍ରା ପ୍ରଧାନ ପର୍ବ । ଦର୍ଶକ ପ୍ରାୟ ଦଶ ପନ୍ଦର ହଜାରରୁ ଊଣା ହୁଅନ୍ତି ନାହିଁ । ଠିକ୍ ପୁରୀ ଧରଣରେ ଯାତ୍ରା ହୁଏ । କୃଷ୍ଣସିଂହ ଯେଉଁ ସ୍ଥାନରେ ବସି ମହାଭାରତ ରଚନା କରୁଥିଲେ, ସେହି ଉଦ୍ୟାନ–ସେହି ମଣ୍ଡପ ଅଦ୍ୟାପି ଅଛି । ନିକଟରେ କେତକୀ ବେଷ୍ଟିତ କ୍ଷୁଦ୍ର ଜଳାଧାରଟି ପୋତିହୋଇ ଯାଇଥିବାର ଦେଖିଥିଲି । ବୋଧହୁଏ ତାହାର ସଂସ୍କାର ହୋଇଥିବ । ପର୍ବତରେ ନିଆଁ ଲାଗିଲେ ବଡ଼ ବଡ଼ ସାପ ଓହ୍ଲାଇ ଆସି ଗ୍ରାମର ନିଭୃତ ସ୍ଥାନରେ ବା ପୋଖରୀ ଘାଟରେ ଆଶ୍ରୟ ନିଅନ୍ତି । ସେମାନେ ବନ୍ଧୁକରେ ମରା ହୁଅନ୍ତି । ଧରାକୋଟ ବଣରେ ଭାଲୁ ଅଧିକ, ସମୟ ସମୟରେ ଭାଲୁ ଉପଦ୍ରବ ଶୁଣାଯାଏ । ଥରେ ରାତିରେ ମୁଣ୍ଡମରାଇ ସଡ଼କ ପାଖରେ ଭାଲୁ ଉଇହୁଙ୍କା ଖୋଳୁଥିବାର ମୁଁ ଦେଖିଅଛି, ସୌଭାଗ୍ୟ ଯେ–ତାହାଠାରୁ କୌଣସି ଅଭ୍ୟର୍ଥନା ପାଇ ନାହିଁ । ଶୁଣିଛି–ମନୁଷ୍ୟ ଦେଖିଲେ ଅନେକ ଭୀରୁ ଭାଲୁ ପଳାଇ ଯାଆନ୍ତି, ମାତ୍ର ଯେଉଁମାନେ ଅତି ସାହସୀ, ସେମାନେ ଆସି ମନୁଷ୍ୟକୁ ଟିକିଏ ପ୍ରେମାଲିଙ୍ଗନ କରନ୍ତି । ଭାଲୁ ଉଚ୍ଚନାଦରେ ଭଲ ହୁଳାହୁଳି ଦେଇପାରେ । ରାଜା ‘‘ରୁକ୍ଷସୁନ୍ଦରୀଙ୍କୁ ବୈଧବ୍ୟ ଦୀକ୍ଷା’’ ଦେବାକୁ ଇଚ୍ଛା କରନ୍ତି ନାହିଁ । ମାତ୍ର ବାଘ ମାରିବାକୁ ଆଗ । ଅନେକ ରାଜକୀୟ ଉତ୍ସବ ମୁଁ ଦେଖିଅଛି । ଉତ୍ସବ ସମୟରେ ବଡ଼ ଜନଗହଳି ହୁଏ । ଧରାକୋଟ କବିପ୍ରସୂତି, ସେଠାରେ କ୍ଷତ୍ରିୟ କବି–ବ୍ରାହ୍ମଣ କବି–କରଣ କବି ଏବଂ ଅନ୍ୟ ଜାତିର କବି ଥିଲେ–ଏବେ ମଧ୍ୟ ଅଛନ୍ତି । ସୁବଳୟା ଉପରେ ବର୍ଷରେ ଥରେ ଭୋଜି ହୁଏ । ରାଜା ବିଜେ ହୁଅନ୍ତି । ରାଜା ପର୍ବତରେ ଅବ୍ୟାହତ ଗତି କରିବା ବିଷୟରେ ଧୁରନ୍ଧର ମହାରଥି, ତାଙ୍କ ସାଙ୍ଗରେ କେହି ପର୍ବତକୁ ଉଠି ପାରନ୍ତି ନାହିଁ ।
ଧରାକୋଟକୁ ସାହିତ୍ୟିକ, କବି, ପଣ୍ଡିତ ବା କୌଣସି ଗୁଣବାନ୍ ବ୍ୟକ୍ତି ଆସିଲେ ତାଙ୍କର ଉପଯୁକ୍ତ ଆଦର ହୁଏ । ଯୋଗ୍ୟତାନୁରୂପ ପୁରସ୍କାର ମଧ୍ୟ ଦିଆଯାଏ । ଦଶହରା ସମୟରେ ଖୁବ୍ ଆଡ଼ମ୍ବରରେ ଦେବୀପୂଜା ହୁଏ । ରାଜା ଧର୍ମପରାୟଣ । ସବୁ କାର୍ଯ୍ୟ ସେ ନିଜେ ଉପସ୍ଥିତ ରହି କରନ୍ତି । ହାଣ୍ଡିରଜାର ଆବଶ୍ୟକ ହୁଏ ନାହିଁ । କେତେ ସ୍ଥାନରେ ରାଜାଙ୍କ ପ୍ରତିନିଧି ରୂପେ ଗୋଟାଏ ହାଣ୍ଡି ବସାଇ ପୂଜାପର୍ବାଦି କର୍ମ କରାଯାଏ । ପିତୃଶ୍ରାଦ୍ଧାଦି ହାଣ୍ଡିରଜା କରେ । ପୁରୋହିତ ହାଣ୍ଡିରଜା ଉପରକୁ ଅକ୍ଷତ ଫିଙ୍ଗି କର୍ମ କରି ଯାଆନ୍ତି । ଲକ୍ଷେ ବର୍ଷ ପରମାୟୁର ଆଶୀର୍ବାଦ ବି ସେହି ହାଣ୍ଡିରଜା ପାଏ । ହାଣ୍ଡିରଜା ଖିଆପିଆ କରି ପାରୁଥିଲେ ପ୍ରତିନିଧି ରୂପେ ତାହା ବି କରନ୍ତା । ଧର୍ମକାର୍ଯ୍ୟରେ ପ୍ରତିନିଧି ନିଯୁକ୍ତି ପ୍ରଥା କାହାର ସୃଷ୍ଟି କେଜାଣି । ହାୟ, ଧର୍ମ ଦେବତା, ତୁମ୍ଭ ପୂଜାପାଇଁ ବି ପ୍ରତିନିଧି ଦରକାର । ଏହା ତୁମ୍ଭର ଦୁର୍ଭାଗ୍ୟ କି ଦେଶର ଦୁର୍ଭାଗ୍ୟ ତାହା ତୁମ୍ଭେ ଏକା ଜାଣ । ଏଥିରେ ତୁମ୍ଭର ସମ୍ମାନ ହୁଏ କି ଅବମାନନା ହୁଏ, ତାହା ବି ତୁମ୍ଭେ ଜାଣ । ଗୋଟାଏ ରାଜ୍ୟରେ ବାଧ୍ୟତାମୂଳକ ଶିକ୍ଷା ପ୍ରଚଳିତ । ଜଣକର ପୁଅ ହଳ କରିବାକୁ ଯାଇଥିଲା, ରଜାଘର ପିଆଦା ଆସି ତାକୁ ପାଠଶାଳାକୁ ନେବାପାଇଁ ଖୋଜିବାରୁ ବାପ କହିଲା–ମୁଁ ତ ବୁଢ଼ା ହେଲିଣି, ଆଉ କାମ ଦାମ କରିପାରୁ ନାହିଁ, ସେଥିପାଇଁ ପୁଅକୁ ହଳ କରିବାକୁ ପଠାଇଅଛି । ପାଠ ପଢ଼ିବାକୁ ନ ଗଲେ ଯେବେ ନ ଚଳିବ, ତେବେ ପୁଅ ବଦଳରେ ମୁଁ ଯାଉଛି, ଦିଘଡ଼ି ତା ପାଇଁ ପଢ଼ି ଆସିବି ।’’ ଧର୍ମ ଉପାର୍ଜନରେ ପ୍ରତିନିଧି ନିଯୁକ୍ତି ଠିକ୍ ସେହିଭଳି କଥା । ଏକାଳରେ ଧର୍ମବିଶ୍ୱାସ କିପରି ଶିଥିଳ ହୋଇ ଆସୁଅଛି ଉପରୋକ୍ତ ହାଣ୍ଡିରଜା ପ୍ରଥା ସେଥିର ଜ୍ୱଳନ୍ତ ଦୃଷ୍ଟାନ୍ତ । ରାଜାନୁଗତ ଧର୍ମ, ଅର୍ଥାତ୍ ରାଜା ଯେଉଁପରି ଧର୍ମାଚରଣ କରିବେ, ପ୍ରଜା ତାହା ଅନୁକରଣ କରିବ । ଏଣିକି ବୋଧହୁଏ ସାଧାରଣ ଲୋକ ବି ହାଣ୍ଡି ପ୍ରତିନିଧି ଦ୍ୱାରା ଶ୍ରାଦ୍ଧପୂଜାଦି ନିର୍ବାହ କରିବେ । ସେ ଶୁଭଦିନ ଆସିବାକୁ ଆଉ କେତେ ବିଳମ୍ୱ ଅଛି କେଜାଣି । ଲେଖକ ବୋଧହୁଏ ଦେଖି ପାରିବ ନାହିଁ, କିନ୍ତୁ ଯେଉଁମାନେ ଦେଖିବେ, ସେମାନେ ମହାଭାଗ୍ୟଧର ।
ଦେଶପୂଜ୍ୟ ନରସିଂହ ଦାସ ପେନ୍ସନ୍ ନେବା ପୂର୍ବରୁ ଛୁଟି ନେଇ ଧରାକୋଟରେ ଥିଲେ । ସେଠାରେ ତାଙ୍କର ଦେବାନ୍ ହେବାର ଜନରବ ଉଠିଲା । ନରସିଂହ ବାବୁ ରାଜକାର୍ଯ୍ୟରେ କେତେକ ସହାୟତା କରୁଥିଲେ, କାହିଁକି କେଜାଣି ଜନରବ ସଫଳ ହେଲା ନାହିଁ । ସେହି ସମୟରେ ବାସୁଦେବ ପଟ୍ଟନାୟକ ଇସ୍ତଫା ଦେଲେ । ଅଳ୍ପଦିନ ପୂର୍ବରୁ ତାଙ୍କୁ ଗୋଟାଏ ଭଲ ଘୋଡ଼ା ପୁରସ୍କାର ଦିଆଯାଇଥିଲା । ହଠାତ୍ ତାଙ୍କର କର୍ମତ୍ୟାଗ ଶୁଣି ଅନେକେ ଆଶ୍ଚର୍ଯ୍ୟ ବୋଧକଲେ । ପରେ ଜଣାଗଲା କୌଣସି ରାଜନୈତିକ କାରଣରୁ ତାହା ଘଟିଲା । ତାଙ୍କ ପରେ ତେଲଙ୍ଗା ଆନାଜି ରାଓ ହୁଜୁର କ୍ଳାର୍କ କାର୍ଯ୍ୟରେ ନିଯୁକ୍ତ ହେଲେ । ସେ ଜଣେ ସୁନାରୀ ବଣିଆ । ଉଚ୍ଚ ପଦ ପାଇ ସେ ଖୁବ୍ ଭାରୀ ହୋଇ ଉଠିଲେ । ଏତେ ଭାରୀ ହେଲେ ଯେ, ଅଳ୍ପ କାଳରେ ପତନ ଘଟିଲା । ସିରସ୍ତାଦାର ଉପାଧିକ ସର୍ବପ୍ରଧାନ କର୍ମଚାରୀ କୁଟୁମ୍ୱ ରାଓ ପଣ୍ଡିତ ଜଣେ କମା ବ୍ରାହ୍ମଣ । ସେ ଗଭର୍ଣ୍ଣମେଣ୍ଟ ପେନ୍ସନ୍ ଭୋଗୀ ଏବଂ ଜଣେ ନ୍ୟାୟପରାୟଣ ବ୍ୟକ୍ତି । ହରିହର ପଣ୍ଡା ରାଜାଙ୍କର ଓକିଲ, ସେ ଅଧିକାଂଶ ସମୟ ଧରାକୋଟ ଆସନ୍ତି । ହରିହର ବାବୁ ଗଞ୍ଜାମ ଓଡ଼ିଆ ସମାଜର ସମ୍ପାଦକ ରୂପେ ଦେଶର ଅନେକ କାର୍ଯ୍ୟ କରି ଅଛନ୍ତି । ସେ ସମୟରେ ଗଞ୍ଜାମର ସେ ଜଣେ ପ୍ରଧାନ ନେତା ଥିଲେ । ତାଙ୍କର ଜାତୀୟ ଅଭିମାନ ଅନୁକରଣୀୟ ।
ଧରାକୋଟର ଏକକ୍ରୋଶ ଦକ୍ଷିଣରେ ‘‘ପୁଟୁ’’ ଗ୍ରାମ । ପ୍ରସିଦ୍ଧ ବିନାୟକ ପାଠାଗାର ସେହି ଗ୍ରାମରେ ଅବସ୍ଥିତ । ସମ୍ପାଦକ ଶ୍ୟାମସୁନ୍ଦର ଦାସ ଗୋସ୍ୱାମୀ ତାଙ୍କ ପିତାମହଙ୍କ ନାମରେ ଉକ୍ତ ପାଠାଗାର ସ୍ଥାପନ କରିଅଛନ୍ତି । ପରିଚାଳନର ବ୍ୟବସ୍ଥା ଖୁବ୍ ଭଲ । ଥରେ ପାଠାଗାର ସଭାକୁ ମୁଁ ନିମନ୍ତ୍ରିତ ହୋଇଥିଲି । ବାଟରେ ଗୋଟାଏ କେନାଲ ପଡ଼େ । ନରବାହନରେ କେନାଲ ପାର ହୋଇ ସଭାରେ ଯାଇ ଯୋଗଦେଲି । ମୋତେ ସଭାପତି କରାଗଲା । ସଭାପତି ରୂପେ କଣ ଦୁଇପଦ କହିଥିଲି ଠିକ୍ ସ୍ମରଣ ନାହିଁ । ସେ ଅମୂଲ୍ୟ ଆଭାଷଣ ନ ଶୁଣିଲେ ସୁଦ୍ଧା କାହାରି କିଛି କ୍ଷତି ନାହିଁ । ଜଳଯୋଗର ବ୍ୟବସ୍ଥା ବି ହୋଇଥିଲା । ଏ କାଳର ସଭାସମିତିର ତାହାହିଁ ବିଶେଷତ୍ୱ ଏବଂ ପରିଶ୍ରମର ମଜୁରି ।
ଧରାକୋଟର ପୂର୍ବରେ ଖଣ୍ଡେ ଡିମିରା ଅଛି । ସେହି ଡିମିରାରେ ଦିନେ ରାତିରେ ଷଣ୍ଢ ଶାର୍ଦ୍ଦୁଳର ଯୁଦ୍ଧ ହୋଇଥିଲା । ବାଘ ଷଣ୍ଢକୁ ପରାସ୍ତ କରି ନ ପାରି ତାହା ପିଠିରେ ଥିବା ହୁଙ୍କୁଡ଼କୁ ଭୀଷଣ ଭାବରେ କ୍ଷତବିକ୍ଷତ କରି ପକାଇଥିଲା । ଷଣ୍ଢର ଶିଙ୍ଘ ଲହୁଲୁହାଣ ହୋଇଥିଲା, ବୋଧହୁଏ ସେ ଶିଙ୍ଘରେ ବାଘକୁ ବିନ୍ଧିଥିଲା । ସକାଳୁ ଲୋକେ ଷଣ୍ଢର ଅବସ୍ଥା ଦେଖି ରକ୍ତଧାରା ଅନୁସରଣ କରି ଯାଇ ଦେଖିଲେ ଯେଉଁଠାରେ ଯୁଦ୍ଧ ହୋଇଥିଲା, ସେଠାରେ ଗଛପତ୍ର ସବୁ ରକ୍ତରଞ୍ଜିତ ହୋଇଅଛି । ଖୋଜି ଖୋଜି ଏକ ସ୍ଥାନରେ ଦେଖିଲେ–ବାଘଟା ମରି ପଡ଼ିଅଛି । ତାହାର ଦେହଯାକ କ୍ଷତବିକ୍ଷତ । ଶିବଙ୍କ ବାହନ ଦୁର୍ଗାଙ୍କ ବାହନର ସାନଭାଇକୁ ପରାସ୍ତ କରି ସଂହାର କଲା–କଳିଯୁଗର ଏ ଅଘଟଣ ବି ସମ୍ଭବ ହେଲା । ଖାଦ୍ୟ ହାତରେ ଖାଦକ ମଲା । ଥରେ ଗୋଟାଏ ବ୍ରାହ୍ମଣିଆ ବେଙ୍ଗ ଗୋଟାଏ କାଣ୍ଡନାଳ (ମାଟିବିରାଡ଼ିଆ) ସାପକୁ ଗିଳିଦେବାର ଦେଖିଥିଲି । ଆଉଥରେ ବି ଏହିପରି ଗୋଟାଏ ଅସ୍ୱାଭାବିକ ଘଟନା ଦେଖିଥିଲି । ଗୋଟାଏ ଧମଣାସାପ ରୋଜ ଘରେ ପଶି ଚାଳରୁ ମୂଷା ଛୁଆ ଖାଏ । ଦିନେ ଦୁଇଟା ବଡ଼ ମୂଷା ତାକୁ ଛକି ଛକି ଖୁମ୍ପି ବ୍ୟତିବ୍ୟସ୍ତ କରି ପକାଇଲେ । ଶେଷରେ ସାପଟା ଯନ୍ତ୍ରଣାରେ ଅସ୍ଥିର ହୋଇ ଚାଳରୁ ଖସିପଡ଼ିଲା । ଘଣ୍ଟାଏ ଯାଏଁ ଉଠି ପାରିଲା ନାହିଁ । ପବନ ଖାଇ ଟିକିଏ ସାଷ୍ଟମ ହେଲା ପରେ ଅତି କଷ୍ଟରେ ଧୀରେ ଧୀରେ ବାହାରିଗଲା । ସେହିଦିନଠାରୁ ସାପଟାକୁ ଆଉ ଘରେ ପଶିବାର ଦେଖାଗଲା ନାହିଁ–ବୋଧହୁଏ ମରିଯାଇଥିବ । ମୋ ଜୀବନରେ ମୁଁ ଏ ତିନୋଟି ଅସ୍ୱାଭାବିକ ଘଟନା ଦେଖିଅଛି । ବାଘ ଏବଂ ସାପର କଅଣ ପୌରୁଷ ଥିଲା ନାହିଁ ଯେ, ସେମାନେ ଖାଦ୍ୟଠାରୁ ପରାସ୍ତ ହେଲେ ? ‘‘ଭାଗ୍ୟଂ ଫଳତି ସର୍ବତ୍ର ।’’ ସଂସାରରେ କିଛି ଅସମ୍ଭବ ନୁହେଁ, ଅସମ୍ଭବ ବି ସମୟରେ ସମ୍ଭବ ହୁଏ–କପାଳଦୋଷରୁ ସବୁ ଘଟେ । କଥାରେ କହନ୍ତି–‘‘କପାଳ ଦୋଷେ କର୍ମଙ୍ଗା ଫଳେ, ଲାଉ ଲଗାଇଲେ ଚଲଣା ଫଳେ ।’’
ଧରାକୋଟରେ ମୋର ସ୍ୱାସ୍ଥ୍ୟ ଭଲ ରହିଲା ନାହିଁ । ‘‘ନୀଳିଆ ବନ୍ଧ’’ର ପାଣି ଛ ଦିନକୁ ନ ରୋଗ ଆଣିଦେଲା । ପାଣି ଛାଙ୍କିକରି ଆଣି ରଖିଦେଲେ ଘଣ୍ଟାକ ପରେ ପାତ୍ର ତଳେ ଆଙ୍ଗୁଳିଏ ବହଳରେ ନୀଳପଙ୍କ ବସିଯାଏ । ଧୋବଲୁଗା ଧୋଇଲେ ନୀଳରଙ୍ଗ ଧରିଯାଏ । ଅନେକ ଚେଷ୍ଟାରେ ସୁଦ୍ଧା ବନ୍ଧର ପାଣି ଭଲ ହେଲା ନାହିଁ । ସେହି ବନ୍ଧଟି ଧରାକୋଟର ରୋଗର ଖଣି । ରାଜା କହିଲେ–ଆପଣ ମୁଣ୍ଡମରାଇ ବଙ୍ଗଳାରେ ଯାଇ ରହନ୍ତୁ । ଋଷିକୁଲ୍ୟା କୂଳରେ ରହିଲେ ସ୍ୱାସ୍ଥ୍ୟ ଭଲ ରହିବ । ତଦନୁସାରେ ଯାଇ ମୁଣ୍ଡମରାଇରେ ରହିବାକୁ ହେଲା । ହେଡ଼୍ମାଷ୍ଟର ତାରକାନାଥ ବାବୁଙ୍କ ବସା ମୁଣ୍ଡମରାଇରେ ଥିଲା । ରାଜାଙ୍କର ଜଣେ ମୁସଲମାନ ଫରେଷ୍ଟ କର୍ମଚାରୀ ବି ସେଠାରେ ବସା କରିଥିଲେ । ଦୁଇଜଣ ଶିକ୍ଷିତ ଭଦ୍ରଲୋକଙ୍କ ସହବାସରେ ରହିବାର ସୁବିଧା ହେଲା । ଋଷିକୁଲ୍ୟାର ଜଳବାୟୁରେ ଶରୀର ଟିକିଏ ସୁସ୍ଥ ବୋଧ ହେଲା । ମୁଣ୍ଡମରାଇ ଗୋଟାଏ ଜନାକୀର୍ଣ୍ଣ ଗ୍ରାମ, ତାହା ଧରାକୋଟର ଗୋଟାଏ ବାଣିଜ୍ୟ କେନ୍ଦ୍ର । କେତେ ଜଣ ବଡ଼ ମହାଜନ ଅଛନ୍ତି । ତମାଖୁ ଏବଂ ଲଙ୍କାମରିଚ ଫସଲ ସେଠାରେ ଅଧିକ ହୁଏ । ଋଷିକୁଲ୍ୟା ତୀର ଖୁବ୍ ଉର୍ବର । ଗୃହସ୍ଥମାନେ ତେନ୍ତୁଳୀ ଗଛରେ ଏବଂ ବବୁରି ଗଛରେ ବୋଇତାଳୁ, କଖାରୁ ଗଛ ମଡ଼ାଇଥାଆନ୍ତି । ବଡ଼ ବଡ଼ ବୋଇତାଳୁ କଖାରୁ ଫଳି ଓହଳି ଥାଏ । ସେ ଅନାସ୍ଥାଜାତ ଫଳଗୁଡ଼ିକ ବାୟୁରେ ଦୋଳି ଖେଳି ବଡ଼ ସୁନ୍ଦର ଦିଶେ । ଦିନେ ଦିନେ ଶାସନକୁ ବୁଲିବାକୁ ଯାଏଁ । ସମୟ ସମୟରେ ସତୀମଠରେ ଯାଇ ବୁଲି ଦେଖେଁ । ଭୁବନେଶ୍ୱର ମିଶ୍ର ମୋତେ ଅନେକ ଥର ନେଇ ବିଭିନ୍ନ ଶାସନରେ ବୁଲାଇ ଆଣନ୍ତି । ‘‘ସତୀମଠ’’ ନାମରେ ଖଣ୍ଡିଏ ପୁସ୍ତକ ମୁଣ୍ଡମରାଇ ବଙ୍ଗଳାରେ ଲେଖିଥିଲି, ତାହା ଜ୍ଞାନଦର୍ପଣରେ ପ୍ରକାଶିତ ହୋଇଥିଲା । ମୁଣ୍ଡମରାଇରେ ପାତିମାଙ୍କଡ଼ର ଉପଦ୍ରବ ଅଧିକ । ସବୁବେଳେ ପିମ୍ପୁଡ଼ିମାଳପରି ପିଢ଼ାରେ ଚାଲିଥାଆନ୍ତି । ରାତିରେ ପିଢ଼ାର ଛଣ ଟେକି ଦେଇ ତାହା ତଳେ ଶୁଅନ୍ତି । ସେମାନଙ୍କ ଦୌରାତ୍ମ୍ୟରେ ଗୃହସ୍ଥମାନେ ଖୁବ୍ ସାବଧାନରେ ଚଳନ୍ତି ।
ଜଣ ଜଣଙ୍କର ବ୍ୟବହାରରେ ଏପରି ମଧୁ ଥାଏ ଯେ, ପ୍ରଥମ ସାକ୍ଷାତ୍ରେ ସୁଦ୍ଧା ଗୋଟାଏ ଆତ୍ମୀୟତା ଜନ୍ମିଥାଏ । ଉପରୋକ୍ତ ଫରେଷ୍ଟରଙ୍କର ପନ୍ଦର-ଷୋଳବର୍ଷର ଗୋଟିଏ ପୁଅ କାହିଁକି କେଜାଣି ମୋତେ ବଡ଼ ଭକ୍ତି କରେ । ଦିନେ ବନ୍ଧୁକରେ ଗୋଟାଏ ଗେଣ୍ଡାଳିଆ ଜାତୀୟ ପକ୍ଷୀ ମାରିଆଣି ଭକ୍ତ୍ୟୁପହାର ଦେଲା । ମୁଁ ଖୁବ୍ ଖୁସି ହେବି ବୋଲି ସେ ଗୋଟାଏ ପ୍ରକାଣ୍ଡ ଆଶା ଧରି ଆସିଥିଲା । ଗେଣ୍ଡାଳିଆ ମାଂସର ଗୁଣ ଏବଂ ସ୍ୱାଦୁ ଅଧ୍ୟାଏ ବର୍ଣ୍ଣନା କରିଗଲା, ନିଜେ କେଳେଇ କୁଟେଇ ଦେବ ବୋଲି ଭାରୀ ଆଗ୍ରହ ପ୍ରକାଶ କଲା । ମୁଁ କହିଲି–‘‘ଆମର ସେ ଚଳେ ନାହିଁ ।’’ ପିଲାଟି ଶୁଣି ତାଟକା ହୋଇଗଲା । କିଛିକ୍ଷଣ ନିର୍ବାକ ଦୃଷ୍ଟିରେ ମୋତେ ଚାହିଁ ରହି କହିଲା–‘‘ଆପଣ ଚିଲିକା ହଂସ ଖାଆନ୍ତି ନାହିଁ ?’’ ତାହାର ଶୁଷ୍କମୁଖରୁ ବୋଧ ହେଲା, ଆଶାହତର ବେଦନା ତାହାର ଶିରାରେ ଶିରାରେ ଘାରିଗଲାଣି । ମୁଁ ହସି ହସି ଉତ୍ତର ଦେଲି–କୌଣସି ହଂସ ଚଳେ ନାହିଁ । ପିଲାଟି ଛାଡ଼ିବାର ପାତ୍ର ନୁହେଁ, ପୁନଶ୍ଚ କହିଲା–ପାରା ଖାଇବେ ତ କହନ୍ତୁ, ମୁଁ ରୋଜ୍ ମାରି ଆଣି ଦେବି । ତାହାର ପ୍ରବଳ ଆଗ୍ରହ ଦେଖି ମୁଁ କଅଣ କିଛି ସ୍ଥିର କରିପାରିଲି ନାହିଁ । ପିଲାଟି ଜିଜ୍ଞାସୁଦୃଷ୍ଟିରେ ମୋ ମୁହଁକୁ ଚାହିଁ ରହିଥାଏ । ଆଉ ଅଧିକ କ୍ଷଣ ନୀରବ ନ ରହି କହିଲି–‘‘ମୁଁ ମାଂସ ଖାଏ ନାହିଁ ।’’ ଏହାଶୁଣି ସେ ଭୂତ ଦେଖିଲା ପରି ଚମକି ଉଠିଲା–ମୋର ଏ ଦୁର୍ଭାଗ୍ୟ ପାଇଁ ଅନେକ ହାଇପିସାଇପି ହେଲା । ବୋଧହୁଏ ତାହାର ବିଶ୍ୱାସ–ଯେଉଁମାନେ ମାଂସ ନ ଖାଆନ୍ତି ସେହିମାନେ ଏକା ସଂସାରରେ ଦୁର୍ଭାଗ୍ୟ ଜୀବ ।
ଋଷିକୁଲ୍ୟା ନଦୀର ଜଳ କାଚଧାରପରି ସ୍ୱଚ୍ଛ । ମୁଁ ଅନେକ ଥର ସେହି ପବିତ୍ର ଜଳରେ ସ୍ନାନକରି ପ୍ରାଣ, ମନ, ଶରୀର ସ୍ନିଗ୍ଧ ଶୀତଳ କରିଅଛି । ତେତେବେଳେ ମୁଁ ସାଳନ୍ଦୀକୁ ସ୍ମରଣ କରି ଚିର ଅଭ୍ୟସ୍ତ ସାଳନ୍ଦୀର ସ୍ନାନ ସୁଖ ଉପଭୋଗ କରେଁ । ସାଳନ୍ଦୀ ପରି ଋଷିକୁଲ୍ୟା ଅନ୍ତଃସ୍ରୋତା, ତାହାର ଉପରସ୍ରୋତ ମରିଗଲେ ଭିତରେ ଭିତରେ ସ୍ରୋତ ଚାଲିଥାଏ । ବାଲି ଖୋଳିଦେଲେ ନିର୍ମଳ ବିଶୁଦ୍ଧ ଜଳ ବାହାରି ପଡ଼େ । ଋଷିକୁଲ୍ୟାରେ ବାଲିକିରା ମାଛର ପହଣା ପରି କ୍ଷୁଦ୍ର କ୍ଷୁଦ୍ର ମାଛ ଢେର ଦେଖାଯାଆନ୍ତି । ସେଥିରେ ଉପାଦେୟ ମହୁର ପ୍ରସ୍ତୁତ ହୁଏ । ତାହାକୁ ହୁଳି ମାଛ ବୋଲି କହନ୍ତି । ହୁଳି ସେ ଅଞ୍ଚଳର ଲୋକଙ୍କର ଭାରୀ ପ୍ରିୟ ଖାଦ୍ୟ, ଧରାକୋଟ ବଜାରକୁ ଯେଉଁଦିନ ହୁଳିଆ ଆସେ, ସେଦିନ ଗୋଟାଏ ହୁରି ପଡ଼ିଯାଏ । କ୍ରେତା ଗହଳରେ ବିକ୍ରେତା ଦେଖାଯାଏ ନାହିଁ । ଦଣ୍ଡକ ମଧ୍ୟରେ ମାଛ ଭାର ଖାଲି ହୋଇଯାଏ ।
ମହାଭାରତ କାର୍ଯ୍ୟ ଶେଷ ହୋଇଗଲା । ଛାପାଖର୍ଚ୍ଚ ବୁଝିବା ସକାଶ କଟକଠାରୁ କଲିକତା ଯାଏଁ ସବୁ ଓଡ଼ିଆ ପ୍ରେସ୍କୁ ଚିଠି ଲେଖାଗଲା । ଆଠହଜାର ଟଙ୍କାରୁ ଊଣା କେହି କହିଲେ ନାହିଁ । ସେହି ସମୟରେ ପଦ୍ମଲୋଚନ ବାବୁଙ୍କ ‘‘ଓଡ଼ିଆ’’ ପତ୍ରିକା କଲିକତାରୁ ଶୀଘ୍ର ପ୍ରକାଶିତ ହେବାର ବିଜ୍ଞାପନ ବାହାରୁଥାଏ । ମହାଭାରତ ସଚିତ୍ର ହେବାର କଥା ଥିଲା । ତାଙ୍କରି ଓଡ଼ିଆ ପ୍ରେସ୍ରେ ଛପାଇଲେ ଅଳ୍ପ ମୂଲ୍ୟରେ ଛବି ଦେଇ ହେବ, ଛବିଗୁଡ଼ିକ ମଧ୍ୟ ଉତ୍କୃଷ୍ଟ ହେବ । ସୁତରାଂ ସେହିଠାରେ ଛପାଇବାର ସାର ହେଲା, ଏବଂ ଆଠ ହଜାର ଟଙ୍କାରେ ଛାପାଖର୍ଚ୍ଚ ଚୁକ୍ତି ହେଲା । ଓଡ଼ିଆ ପତ୍ରିକା ସମ୍ୱନ୍ଧରେ ପରାମର୍ଶ କରିବା ସକାଶ ପଦ୍ମଲୋଚନ ବାବୁ ମୋତେ ଆହ୍ୱାନ କଲେ । ମୁଁ ସୋମନାଥକୁ ସଙ୍ଗରେ ନେଇ କଲିକତା ଗଲି । ବହୁବଜାରସ୍ଥ ଗୋଟାଏ ତେତାଲା କୋଠାରେ ମେଜର କୋମ୍ପାନୀର ଅଫିସ୍ ହେଉଥାଏ । ମୁଁ ଯାଇ ସେହିଠାରେ ରହିଲି । ମେଜର କୋମ୍ପାନୀର ସାଲସା ଏବଂ ହେୟାର୍ଲାଇନ୍ ନାମକ କେଶ ତୈଳର ଆଦର ଖୁବ୍ ଥାଏ । ପ୍ରତ୍ୟହ ଆମେରିକା, ଆଫ୍ରିକା, ଇଉରୋପ ପ୍ରଭୃତିକୁ ଅନେକ ପାର୍ଶଲ ଯାଉଥାଏ । ପଦ୍ମଲୋଚନ ବାବୁଙ୍କର ଅତିଥିସତ୍କାର ଖୁବ୍ ବଡ଼ଲୋକି ଧରଣର । ମୋର ସୁଖସୁବିଧା ସକାଶ ସେ ଖୁବ୍ ଭଲ ବନ୍ଦୋବସ୍ତ କରିଥିଲେ । ମୋତେ ସଙ୍ଗରେ ନେଇ କଲିକତାର ଅନେକ ଦ୍ରଷ୍ଟବ୍ୟସ୍ଥାନ ସେ ଦେଖାଇଥିଲେ । ଥିଏଟର, ବାଏସ୍କୋପ୍ ବି ବାଦ୍ଯାଇ ନ ଥିଲା । ତାଙ୍କର ଖିଆଲିଆ ଭାବ କି ଊଣା ନ ଥିଲା । କପ୍ତିପଦାର ମେନେଜର ତାଙ୍କ ବସାରେ ଥିଲେ । ସେ ଗୋଟାଏ ବୃହତ୍ ହାତୀଦାନ୍ତ ବିକ୍ରୟ କରିବାକୁ ନେଇଥିଲେ । ଲୋକଟି ଖୁବ୍ ସରଳ ଅମାୟିକ । ମୁଣ୍ଡରେ ବାଳ ପାଚି ଯାଇଥାଏ । ଦିନେ ପଦ୍ମଲୋଚନ ବାବୁ ତାଙ୍କୁ କଳପ ଲଗାଇବା ସକାଶ ଉସ୍କେଇ ନେଇଗଲେ । ବାଳଗୁଡ଼ିକ କଳା କଟକଟ ଦେଖାଗଲା । ସକାଳୁ ଉଠିବା ବେଳକୁ ମୁହଁଯାକ କଳା, ଠିକ୍ ହନୁମାଙ୍କଡ଼ ମୁହଁପରି ଦିଶୁଥାଏ । ଯେ ଦେଖିଲା ସେ ନ ହସି ରହିପାରିଲା ନାହିଁ । ମେନେଜର ବାବୁ ବୁଢ଼ାକାଳରେ ଭେଣ୍ଡିଆ ହେବାକୁ ଯାଇ ବାଳି ସୁଗ୍ରୀବଙ୍କ ବଂଶଧର ହୋଇପଡ଼ିଲେ । ଦର୍ପଣରେ ନିଜର ଅପୂର୍ବ ସୁନ୍ଦର ମୁହଁ ଦେଖି ବଡ଼ ଅପ୍ରସ୍ତୁତ ହୋଇ କଳକୁ ମୁଣ୍ଡ ଦେଖାଇ ଧୋଇଧାଇ ହେଲେ । କଳପ ଧୋଇଗଲା, ବାଳଗୁଡ଼ାକ ଯେଉଁ ଝୋଟକୁ ସେହି ଝୋଟ ।
ଭଦ୍ରଖବାସୀ କଲିକତାରେ ଅନେକ ଅଛନ୍ତି । ସେମାନେ ମୋତେ ସାକ୍ଷାତ୍ କରିବାକୁ ଆସନ୍ତି, ମୋତେ ନେଇ ବହୁ ଦର୍ଶନୀୟ ସ୍ଥାନ ଦେଖାଇ ଆଣନ୍ତି । ଖ୍ୟାତନାମା ଦାଶରଥି ଦାସ ପ୍ରତ୍ୟହ ମେଜର କୋଠାକୁ ଆସନ୍ତି । ପଦ୍ମଲୋଚନ ବାବୁ ମୋତେ କୁଣ୍ଢାଇ ପକାଇ ସେହିକ୍ଷଣି ଖଣ୍ଡେ ଗାଡ଼ି ଡାକି ଆଣି ତାଙ୍କ ଘରକୁ ନେଇଗଲେ । ଠାକୁର ବାଡ଼ି, ଘର, ବଗିଚା, ପୋଖରୀ ଦେଖାଇ ଆଣି ଜଳଖିଆ ଖାଇବାକୁ ଅନୁରୋଧ କଲେ । ମୁଁ ଖାଇ ସାରି ବସିଅଛି, ତାଙ୍କ ପୁଅ ରତ୍ନାକର ବାବୁ ଆସି ପହଞ୍ଚିଲେ । ତାଙ୍କ ସଙ୍ଗରେ କେତେଜଣ ଭଦ୍ରଲୋକ ଆସିଥିଲେ । ରତ୍ନାକର ବାବୁ ମୁହଁ ଶୁଖାଇ କହିଲେ–ମୁଁ ଶୁଣି ଆସିଲି ମିଷ୍ଟର ଦାସଙ୍କର କାଳ ହୋଇଗଲା । ସତ କି ମିଛ କେଜାଣି, ଏହିପରି ଗୋଟାଏ ରଟନା ହୋଇଅଛି । ତାଙ୍କ ସଙ୍ଗୀ ବଙ୍ଗାଳୀ ଭଦ୍ରଲୋକ ମଧ୍ୟରୁ ଜଣେ କହିଲେ–‘‘ଯା ରଟେ, ତା କିଛୁ କିଛୁ ବଟେ ।’’ ଆଉ ଜଣେ କହିଲେ–‘‘ବୟସ ବି ହଏଛିଲ ।’’ ଆଉ ଜଣେ ଓଡ଼ିଆ କହିଲେ–‘‘ମଲା ଖବର ମିଛ ହୁଏ ନାହିଁ ।’’ ଏହିପରି ସମର୍ଥନ ଅନୁମୋଦନ ଦ୍ୱାରା କଥାଟା ସାବ୍ୟସ୍ତ ହୋଇଗଲା । ଦାଶରଥି ବାବୁ ବ୍ୟସ୍ତ ହୋଇ ବୁଝିବାକୁ ଧାଇଁଲେ । ଅଳ୍ପକ୍ଷଣ ପରେ ଫେରିଆସି କହିଲେ–କଥାଟା ମିଛ । ତହୁଁ ସମସ୍ତେ ଆନନ୍ଦ ପ୍ରକାଶ କରି କହିଲେ–ତେବେ ତାଙ୍କର ଆୟୁଷ ବଢ଼ିବ । ମୃତ୍ୟୁ ପ୍ରସ୍ତାବ ପରେ ଆୟୁଷ ବୃଦ୍ଧିର ସିଦ୍ଧାନ୍ତ ଏକ ବିଷମ ରହସ୍ୟ । କଲିକତା ଅଜବ ସହର, ସେଠାରେ ଏହିପରି ଅମୂଳକ ଆଚମ୍ୱିତ ରଟନା ନିତ୍ୟ ବ୍ୟାପାର । କଲିକତାରେ ଦାଶରଥି ବାବୁଙ୍କର ‘‘ଫାଲ୍ଗୁନ ଦାସ ଲେନ’’ ନାମରେ ଗୋଟାଏ ପଡ଼ା ଅଛି । ସେଠାରେ ଓଡ଼ିଆ କୁଲିମାନେ ରହନ୍ତି । ଦାଶରଥି ବାବୁଙ୍କ ପିତାଙ୍କ ନାମାନୁସାରେ ଏହି ପଡ଼ାର ନାମକରଣ ହୋଇଅଛି । ଓଡ଼ିଆମାନଙ୍କ ବସାଘର ଦେଖି ମନରେ ଦୁଃଖ ଜାତ ହେଲା । ସବୁ ଘର ସନ୍ତସନ୍ତିଆ । କୁଲିମାନେ କୁଟା ବିଛାଇ କେହି ବା ଛିଣ୍ଡା ଅଖା ପକାଇ ଶୁଆବସା କରନ୍ତି । ଭାବିଲି–ଏଥିରେ ସ୍ୱାସ୍ଥ୍ୟହାନି ନ ଘଟିବ କାହିଁକି ? ଘରୁ ଆସିଲାବେଳେ ହୃଷ୍ଟପୁଷ୍ଟ, ଥାକୁଲ ଥାକୁଲ ହୋଇଥାନ୍ତି, ଫେରିବା ବେଳେ ଦୁର୍ଭିକ୍ଷ ପୀଡ଼ିତ ପରି ଅସ୍ଥି କଙ୍କାଳ ଘେନି ଘରକୁ ଆସନ୍ତି । ଓଡ଼ିଆଙ୍କ ପରିଶ୍ରମ ଦେଖିଲେ ସ୍ତମ୍ଭୀଭୂତ ହେବାକୁ ହୁଏ । ସ୍ୱଦେଶରେ ସେହିପରି ହାଡ଼ଭଙ୍ଗା ପରିଶ୍ରମ କରୁଥିଲେ ଆଉ ସେମାନଙ୍କୁ କଲିକତା ଯିବାକୁ ହୁଅନ୍ତା ନାହିଁ । ଯଥେଷ୍ଟ ଆଦର ଆପ୍ୟାୟନ ପରେ ଦାଶରଥି ବାବୁ ମୋତେ ଆଣି ମେଜର କୋମ୍ପାନୀ କୋଠାରେ ଛାଡ଼ିଗଲେ । ସେ ଜଣେ ଜାତି ବତ୍ସଳ ହୃଦୟବାନ୍ ବ୍ୟକ୍ତି ।
ମାର୍କଣ୍ଡ ମହାନ୍ତି ପ୍ରେସିଡ଼େନ୍ସି କଲେଜରେ ବି. ଏ. ପଢ଼ୁଥିଲେ । ସେ ଦିନେ ଆସି ମୋତେ ନେଇଯାଇ କଲେଜ, ବୋର୍ଡ଼ିଂ, ବିଜ୍ଞାନ ମନ୍ଦିର ଦେଖାଇ ଆଣିଲେ । ଆଲମାରୀରେ ନାନାବିଧ ବିଜ୍ଞାନ ଯନ୍ତ୍ର ସଜ୍ଜିତ ହୋଇ ରହିଅଛି । କେଉଁ ଯନ୍ତ୍ରର ଶକ୍ତି କେତେ, ତାହା ଜାଣିବା ମୋ ପରି ଅବୈଜ୍ଞାନିକ ପକ୍ଷରେ ଧାନ କୁଟୁଣୀର ଭାଗବତ ଶୁଣିଲା ପରି । ମୁଁ ଖାଲି ଦର୍ଶନୀୟ ପଦାର୍ଥ ରୂପେ ଯନ୍ତ୍ରସ୍ତୂପ ଗୁଡ଼ିକ ଦେଖି ଆସିଲି । ଜାଦୁ ଘରେ ଓଡ଼ିଆର ମୂର୍ତ୍ତି ଦେଖି ବିସ୍ମିତ ହୋଇଥିଲି । ବିଦେଶୀଙ୍କ ନେତ୍ରରେ ସବୁ ବିଷୟରେ ଓଡ଼ିଆ ହେୟ । ସେଠାରେ ବା ନ ହେବ କାହିଁକି ? ତାହା ମୂର୍ତ୍ତି, କି ବିଦ୍ରୁପ ବୁଝିବା କଠିନ । ମୂର୍ତ୍ତି ଗଠନକାରୀ ଉତ୍କଳର କେଉଁ ଅଞ୍ଚଳରେ ସେଭଳି ବିଚିତ୍ର ଓଡ଼ିଆ ଲୋକ ଦେଖିଥିଲେ ତାହା ସେହି ମହାପୁରୁଷ ଜାଣନ୍ତି ।
ଦିନେ କେତେ ଜଣ ବନ୍ଧୁ ବୁଲିବାକୁ ବାହାରିଲୁଁ । ଧର୍ମଶାଳା ଷ୍ଟ୍ରିଟ୍ ପାଖରେ ତିନି ଜଣ ଯୁବକ ଆସି ଆମ୍ଭମାନଙ୍କୁ ଶିକାର ଧରିଲେ । ଫଟୋ ତୋଳାଇବା ପାଇଁ ନିକଟବର୍ତ୍ତୀ ଘରକୁ ଯିବାକୁ ଅନୁରୋଧ କଲେ । ସଙ୍ଗୀମାନେ କହିଲେ–ସେଗୁଡ଼ାକ ଠକ, ତାଙ୍କ କଥାରେ ଭୁଲିବା ବିପଜ୍ଜନକ । ମୁଁ କହିଲି–ଆମେ ତ ପଞ୍ଝାଏ ଅଛନ୍ତି, ଭୟ କଅଣ ? ଠକ ବିଦ୍ୟାରେ ଏମାନେ କେତେଦୂର ଉନ୍ନତି କରିଛନ୍ତି, ତାହା ଦେଖିଲେ କ୍ଷତି ନାହିଁ । ସମସ୍ତେ ତାଙ୍କ ସଙ୍ଗରେ ଗଲୁଁ । ଗୋଟାଏ କେଉଁ ମାନଧାତା ଅମଳର ଦଦରା କୋଠାରେ ଯାଇ ବସିଲୁ । ଦରଦାମ ହେଲା ଫଟୋ ଖଣ୍ଡକୁ ଟଙ୍କାଏ । ମୁଁ କହିଲି ଚାରି ଅଣା, କିନ୍ତୁ ସଙ୍ଗେ ସଙ୍ଗେ ଫଟୋ ଦେବାକୁ ହେବ । ଅନେକ ରଦ୍ ଖଦ୍–ରୁଷା ରୁଷି ପରେ ତାହାହିଁ ସ୍ଥିର ହେଲା । ଗୋଟାଏ ଖଞ୍ଜ ଚୌକିରେ ଗୋଟାଏ ଗୋଡ଼ ଯୋଡ଼ି ଦିଆଗଲା । ମୁଁ ସେଥିରେ ବିସିଲି । ଫଟୋଗ୍ରାଫର ଯନ୍ତ୍ର ଆଣି ଫଟୋ ଉଠାଇ ନେଲା । ଘଣ୍ଟାକ ପରେ ଫଟୋ ଆଣି ଦେଲା । ଫର୍ମା ମାଗିବାରୁ ଦୁଇଅଣା ଅଧିକ ଦେଲେ ମିଳିବ ବୋଲି ଉତ୍ତର ମିଳିଲା । ମୁଁ ଫଟୋ ନେବାକୁ ଅସ୍ୱୀକୃତ ହେଲି । ସମସ୍ତେ ଉଠି ବାହାରିଲୁଁ । ଶେଷରେ ସେହି ଚାରି ଅଣାରେ ଫର୍ମା ସହ ଫଟୋ ମିଳିଲା । ଫଟୋଟି ଖୁବ୍ ଭଲ ରୂପେ ଉଠିଥିଲା, ରଙ୍ଗ ମଧ୍ୟ ଚମତ୍କାର-। କିନ୍ତୁ ଆଠ ଦିନ ପରେ ଦେଖାଗଲା–ଅଧେ ରଙ୍ଗ ଉଡ଼ି ଯାଇ ସାରିଛି । ମାସକ ପରେ ସାଦା ଦେଖାଗଲା । ‘‘ଶସ୍ତାରେ ଅବସ୍ଥା’’ ଏକଥା ଭୁଲ ନୁହେଁ । ଜନ୍ତୁଗୁଡ଼ିକ ଠକ ନୁହନ୍ତି–ଠକଙ୍କର ପଣ ଗୋସାଇଁ ବାପ । ବିଦ୍ୟାର ଯଥେଷ୍ଟ ଉନ୍ନତି କରିଅଛନ୍ତି ।