ଭାଗ ୩ — ଜୀବନ ପଞ୍ଜିକା (ପ୍ରଥମ ଭାଗ) — ଚିନ୍ତାମଣି ମହାନ୍ତି · ସ୍ୱର୍ଣ୍ଣଲିପିସମ୍ପୂର୍ଣ୍ଣ ସୂଚୀପତ୍ର
(ପଣ୍ଡିତ ଗୋବିନ୍ଦରଥଙ୍କ ‘‘କବିତା କଳାପ’’ ବହୁ ବର୍ଷ ଯାଏଁ ଅପର ପ୍ରାଇମେରୀ ପାଠ୍ୟ ଥିଲା । ସେ ବର୍ଷ ତାହା ପରିବର୍ତ୍ତରେ ଭୂପତିନାଥ ବସୁ ଏବଂ ଚକ୍ରଧର ଆଚାର୍ଯ୍ୟଙ୍କ ‘‘କବିତାକୁସୁମ’’ ପାଠ୍ୟ ନିରୂପିତ ହେଲା । ତାହା ଅପେକ୍ଷାକୃତ କଠିନ । ଶିକ୍ଷକମାନେ ତାହା ବୁଝାଇ ପାରୁ ନ ଥିଲେ-।) ମୁଁ ସେହି ପୁସ୍ତକର ଖଣ୍ଡିଏ ବ୍ୟାଖ୍ୟା ଲେଖିଲି । କବିତାର ବାକ୍ୟାନ୍ୱୟ, ସରଳ ଅର୍ଥ, ଭାବାର୍ଥ, ଶବ୍ଦର ବ୍ୟୁତ୍ପତ୍ତି, ସମାସ ପ୍ରଭୃତି ଲିଖିତ ହେଲା । ସେ ସମୟରେ ଗୋବିନ୍ଦ ପ୍ରସାଦ ଦତ୍ତ ନାମରେ ଜଣେ ଇନ୍ସପେକ୍ଟିଂ ପଣ୍ଡିତ ସବ୍ଇନ୍ସପେକ୍ଟରଙ୍କ କିରାଣୀ ସ୍ୱରୂପ କାର୍ଯ୍ୟ କରୁଥିଲେ-। ସେ ମୋର ବ୍ୟାଖ୍ୟା ଦେଖି ବଡ଼ ସନ୍ତୁଷ୍ଟ ହେଲେ ଏବଂ ତାହା ନେଇ ସବ୍ଇନ୍ସପେକ୍ଟରଙ୍କୁ ଦେଖାଇଲେ । ଇ: ପଣ୍ଡିତମଣ୍ଡଳୀ ସହ ସ: ଇ: ତାହା ପାଠକରି ଖୁବ୍ ଉଚ୍ଚ ମନ୍ତବ୍ୟ ପ୍ରକାଶ କଲେ ଏବଂ ସେହି ବ୍ୟାଖ୍ୟା ଉତ୍ତାରି ନେଇ ପିଲାମାନଙ୍କୁ ପଢ଼ାଇବା ସକାଶ ସମସ୍ତ ଅ: ପ୍ରା: ସ୍କୁଲର ଶିକ୍ଷକମାନଙ୍କୁ ଆଦେଶ ଦେଲେ । ତଦନୁସାରେ କାର୍ଯ୍ୟ ମଧ୍ୟ ହେଲା । ପ୍ରତିବେଶୀ ଗ୍ରାମ ସାହାପୁରରେ ଗୋଟିଏ ଅ: ପ୍ରା: ସ୍କୁଲ ଥିଲା, ଉକ୍ତ ସ୍କୁଲର ଶିକ୍ଷକ ମୋର ପ୍ରତିବେଶୀ । ସାହିତ୍ୟ ଏବଂ ଜ୍ୟାମିତିରେ ସେ ବଡ଼ ଦୁର୍ବଳ । ସମୟ ସମୟରେ ସେ ମୋତେ ଡାକିନେଇ ପ୍ରଥମ ଶ୍ରେଣୀର ପିଲାମାନଙ୍କୁ ପଢ଼ାଇବା ପାଇଁ ଅନୁରୋଧ କରନ୍ତି । ମୁଁ ସାହିତ୍ୟ, ଇତିହାସ, ଭୂଗୋଳ, ଜ୍ୟାମିତି ଏବଂ କ୍ଷେତ୍ର ପରିମାଣ ପିଲାମାନଙ୍କୁ ପଢ଼ାଏଁ । ସେ ବର୍ଷ ଉକ୍ତ ସ୍କୁଲର ଫଳ ଖୁବ୍ ଭଲ ହେଲା । ଅଧିକନ୍ତୁ ଗୋଟିଏ ପିଲା ବୃତ୍ତି ପାଇଲା । ସେଥିରେ ମୋର ସୁଖ୍ୟାତି ଟିକିଏ ବଢ଼ିଗଲା । ନିକଟବର୍ତ୍ତୀ ସ୍କୁଲର ଶିକ୍ଷକମାନେ ସମୟ ସମୟରେ ଆସି ମୋଠାରୁ ସାହିତ୍ୟ ବୁଝିଯାଇ ଛାତ୍ରମାନଙ୍କୁ ଶିକ୍ଷା ଦେଉଥିଲେ । ସେହି ସମୟରେ ମୁଁ କେତେଗୁଡ଼ିଏ ଭକ୍ତିରସର ଚୌପଦୀ ଲେଖିଥିଲି । ଯାତ୍ରାବାଲାମାନେ ତାହା ପିଲାଙ୍କୁ ଶିଖାଇ ଆଦର ପୂର୍ବକ ବ୍ୟବହାର କଲେ । ବର୍ତ୍ତମାନ ସେ ଚୌପଦୀଗୁଡ଼ିକ ବହୁ ଚେଷ୍ଟାରେ ମିଳି ପାରିଲା ନାହିଁ । ସେ ଗୁଡ଼ିକ ମୁଁ ଯାତ୍ରାଦଳର ଅଧିକାରୀଙ୍କ ନାମରେ ଭଣତି କରିଥିଲି । ଏହିପରି ଆତ୍ମଗୋପନ ଭାବରେ ସାହିତ୍ୟଚର୍ଚ୍ଚା ଚାଲିଥାଏ, ତାହା ମୋର ଅନ୍ତରଙ୍ଗ ବନ୍ଧୁମାନେ ସୁଦ୍ଧା ଜାଣନ୍ତି ନାହିଁ ।
ଦୁଇ ବର୍ଷ କାଳ ଏକଟିଂରେ କଟିଲା ପରେ ହରିଶଙ୍କରପୁର ଖାସମାହାଲ ଅପର ପ୍ରାଇମେରୀ ସ୍କୁଲରେ ମୁଁ ସ୍ଥାୟୀ ଭାବରେ ନିଯୁକ୍ତ ହେଲି । ସ୍କୁଲ ବସିଲା ଦିନରୁ ସେଠାରୁ ପରୀକ୍ଷାକୁ ଛାତ୍ର ପ୍ରେରିତ ହୋଇ ନ ଥିଲେ । ମୁଁ ଚାର୍ଜ ନେବା ବେଳକୁ ପରୀକ୍ଷା ଆଉ ଚାରିମାସ ଥିଲା । ପ୍ରଥମ ଶ୍ରେଣୀରେ ଦୁଇଟି ଛାତ୍ର ଥିଲେ । ପାଠ୍ୟପୁସ୍ତକ ମଧ୍ୟରୁ କେତେ ଖଣ୍ଡ ଆରମ୍ଭ ସୁଦ୍ଧା ହୋଇ ନ ଥିଲା-। ଯାହା ହେଉ ଦିନ ରାତି ଲାଗି ଉକ୍ତ ଦୁଇଜଣ ଛାତ୍ରଙ୍କୁ ପରୀକ୍ଷାକୁ ପଠାଇଲି, ସୁଖର ବିଷୟ ଦୁହେଁଯାକ ପାସ କଲେ । ପରବର୍ତ୍ତୀ ବର୍ଷ ଚାରିଜଣ ପରୀକ୍ଷା ଦେଇ ସମସ୍ତେ ପାସ କଲେ । ଅଧିକନ୍ତୁ ଜଣେ ଛାତ୍ର ଜିଲାର ପ୍ରଥମସ୍ଥାନ ଅଧିକାର କରି ବୃତ୍ତି ପାଇଲା । ହରିଶଙ୍କରପୁର ଗୋଟିଏ ରମଣୀୟ ସ୍ଥାନ । ଗ୍ରାମ ବାହାରେ ରାମେଶ୍ୱର ମହାଦେବଙ୍କ ମନ୍ଦିର ଏବଂ ଗୋଟିଏ ପୁଷ୍କରିଣୀ ଅଛି-। କଥିତ ହୁଏ, ରାମଚନ୍ଦ୍ର ବନବାସ କାଳରେ ଏହି ଶିବ ଲିଙ୍ଗ ସ୍ଥାପନ କରି ପୂଜା କରିଥିଲେ । ରାମେଶ୍ୱରଙ୍କର ଖୁବ୍ ନାମ ଡାକ, ଲୋକେ ତାଙ୍କୁ ନଡ଼ିଆ ମାନସିକ କରନ୍ତି । ହରିଶଙ୍କରପୁର ବଡ଼ ଗ୍ରାମ ନୁହେଁ, ତଥାପି ଗ୍ରାମବାସୀ ଦୁଇଦଳ । ଗ୍ରାମର ଦୁଇ ସରବରାକାର ଦଳପତି, ସେମାନେ ପୁଣି ଦୁଇଭାଇ । ଏକ ଅନ୍ନରେ ଥାଆନ୍ତି ତଥାପି ବିରୋଧ ଚାଲିଥାଏ । କଥା କଥାକେ ଏକଦଳ ଅନ୍ୟଦଳକୁ ଆକ୍ରମଣ କରେ । ପିଟାପିଟି ଲାଗେ, ମାଲିମୋକଦ୍ଦମା ହୁଏ, ଜମିଦାରକୁ ତଣ୍ଡ ଦେବାକୁ ହୁଏ–ଏହିପରି ଲାଗିଥାଏ । ପିଲାଠାରୁ ବୁଢ଼ାଯାଏ ହେମନ୍ତିଆ ପଣରେ ଅଦ୍ୱିତୀୟ । ଏହି ଗ୍ରାମର ଲୋକେ ଜମିଦାର ସଙ୍ଗରେ ଯୁଦ୍ଧ କରିଥିଲେ ବୋଲି ସେମାନଙ୍କ ବଂଶଧରମାନେ ଅବଧି ବଡ଼େଇ କରନ୍ତି । ଏ ଗ୍ରାମର କାଶୀନାଥ ସେନାପତି ମୋର ପ୍ରଥମ ଛାତ୍ର । ତାହା ପରି ଗୁରୁଭକ୍ତିପରାୟଣ ଛାତ୍ର କୋଟିକେ ଗୋଟିଏ ମିଳିବା ଦୁର୍ଲଭ । ପିତାଙ୍କର ଅନିଚ୍ଛାସତ୍ତ୍ୱେ ସେ ନିଜ ଶିଙ୍ଗରେ ମାଟିଖୋଳି ସର୍ଭେ ପାସ କରିଥିଲା । ବାଲେଶ୍ୱରରେ କାନୁନଗୋ କାର୍ଯ୍ୟରେ ଥିବା ସମୟରେ ତାହାର ଅକସ୍ମାତ୍ ମୃତ୍ୟୁ ଘଟିଲା । ସଜ୍ଜନ ସ୍ୱଳ୍ପାୟୁ, ଏହା ବିଧିଲିପି । କାଶୀନାଥ ଚରିତ୍ରରେ ଦେବତା, ବଡ଼ ଘରର ପୁଅ ବୋଲି ତାହାର ତିଳେ ମାତ୍ର ଅଭିମାନ ଥିଲା ନାହିଁ, ବରଂ ସବୁବେଳେ ଗରିବ ବୋଲି ପରିଚୟ ଦିଏ ଏବଂ ଗରିବଙ୍କ ସଙ୍ଗରେ ମିଶିବାକୁ ଭଲ ପାଏ ।
ହରିଶଙ୍କରପୁରର ତିନି ପାଖରେ ସାଳନ୍ଦୀ ନଦୀର ଗୋଟିଏ ଶାଖା ଘେରି ରହିଅଛି । କେବଳ ଦକ୍ଷିଣ ପାଖଟା ମୁକୁଳା, ମାତ୍ର ସେ ପାଖରେ ଗାଁ ଗଣ୍ଡା ନାହିଁ । ଯେଉଁ ତିନି ପାଖ ନଦୀରେ ଆବଦ୍ଧ ସେହି ପାଖମାନଙ୍କରେ ଅନେକ ଗ୍ରାମ ଅଛି । ଚତୁର୍ମାସ୍ୟା ସମୟରେ ନଈ ପାରି ହୋଇ ସେ ପାଖର ଲୋକମାନଙ୍କ ପକ୍ଷରେ ହରିଶଙ୍କରପୁର ଆସିବା ବଡ଼ ଅସୁବିଧାଜନକ । ନୂଆ ଶାସନ ଗ୍ରାମ ପାଖରେ ନଦୀ ଉପରେ ତାଳ ବା ଖଜୁରୀ ଗଛ ଶୋଇଦେଇ ସେହି ଗଛ ଉପରେ ଲୋକେ ଯିବା ଆସିବା, ମାତ୍ର ପିଲାମାନଙ୍କ ପକ୍ଷରେ ସେପରି ବାଉଁଶ ବା ତାଳଗଛ ଶଙ୍ଖ ନିରାପଦ ନୁହେଁ । ସେହି ଅସୁବିଧା ହେତୁ ସ୍କୁଲରେ ଅଧିକ ପିଲା ହୁଅନ୍ତି ନାହିଁ । ଛାତ୍ରାଭାବରୁ ଦୁଇ ବର୍ଷ ପରେ ହରିଶଙ୍କରପୁର ସ୍କୁଲ କୁମାରପୁରକୁ ଉଠିଗଲା । ପ୍ରଥମ ବର୍ଷ ସେଠାରୁ ଦୁଇଟି ପିଲା ପାସ କଲେ । ଗୋଟିକର ବୟସ ଷୋଳବର୍ଷ ହେତୁ ସେ ଦାବୀ ସତ୍ତ୍ୱେ ବୃତ୍ତି ପାଇ ପାରିଲା ନାହିଁ । ପରବର୍ତ୍ତୀ ବର୍ଷ ଠାରୁ ପ୍ରତିବର୍ଷ ବୃତ୍ତି ଲାଗି ରହିଲା । ସ୍କୁଲର ସୁଖ୍ୟାତି କ୍ରମେ ବଢ଼ିଲା, ସେହି ସୁଖ୍ୟାତି ରକ୍ଷା କରିବା ସକାଶ ମୋତେ କଠିନ ପରିଶ୍ରମ କରିବାକୁ ପଡ଼ିଲା । ଏ ସ୍କୁଲଟି ମୋର ଉନ୍ନତିର ଦ୍ୱାର ସ୍ୱରୂପ, ସଙ୍ଗ ସୁବିଧା ମଧ୍ୟ ମିଳିଲା । ଏହିଠାରୁ ମୋର କବିତା ଲେଖା ଆରମ୍ଭ ହେଲା । ଗୋଟିଏ ଖାତାରେ କେତୋଟି ଖଣ୍ଡ କବିତା ଲେଖିଲି । ଖାତା ଖଣ୍ଡି ଖୁବ୍ ଗୋପନରେ ରଖିଥାଏଁ । ତେତେବେଳେ ବାଲେଶ୍ୱରବାସୀ ରମାନାଥ ବାବୁ ସ୍କୁଲ ସବ୍ଇନ୍ସପେକ୍ଟର ଥିଲେ । ଦିନେ ସେ ପରୀକ୍ଷା କରି ସାରି ସ୍କୁଲରେ ଖାତାପତ୍ର ଦେଖୁଁ ଦେଖୁଁ ତାହାରି ଭିତରେ ମୋର କବିତା ଖାତା ଖଣ୍ଡି ଦେଖିଲେ । ନିବିଷ୍ଟ ଚିତ୍ତରେ କବିତାଗୁଡ଼ିକ ପଢ଼ି ସାରି ମୋତେ କହିଲେ–ତୁମ୍ଭେ କବିତା ଲେଖ ବୋଲି ମୁଁ ଜାଣି ନ ଥିଲି କିମ୍ବା ଶୁଣି ବି ନ ଥିଲି । ବୋଧହୁଏ ଏହା ତୁମ୍ଭର ଆତ୍ମଗୋପନ ଭାବ । ତହୁଁ କବିତା ରଚନା ସମ୍ୱନ୍ଧରେ ଅନେକ କଥା ପଡ଼ିଲା । କବିତା ଲେଖିବା ସକାଶ ମୋତେ ଆଶାତୀତ ଉତ୍ସାହ ଦେଲେ । ଖାଲି ଉତ୍ସାହ ଦେଇ କ୍ଷାନ୍ତ ହେଲେ ନାହିଁ,–ଯଥେଷ୍ଟ ଉତ୍ତେଜିତ ମଧ୍ୟ କଲେ । ସେହି ଜୀବନ୍ତ ଉତ୍ତେଜନା ମୋ ପ୍ରାଣ ମଧ୍ୟରେ ଗୋଟିଏ ଶକ୍ତି ପୂରାଇ ଦେଲା । ରମାନାଥ ବାବୁ ଯିବାବେଳେ କହିଗଲେ–ତୁମ୍ଭେ ଯେବେ ଘରକୁ ଯାଉଥିବ, ମୋ ସଙ୍ଗରେ ନିଶ୍ଚୟ ଦେଖାକରୁଥିବ । ଏହି ଉତ୍ସାହ-ସହାନୁଭୂତିକୁ ସମ୍ୱଳ କରି ମୁଁ ନିୟମିତରୂପେ ଲେଖିବାକୁ ଆରମ୍ଭ କଲି । ଘରକୁ ଆସିଲେ ରମାନାଥ ବାବୁଙ୍କ ସଙ୍ଗେ ସାହିତ୍ୟ ଆଲୋଚନାରେ ସମୟ ଯାଏ । ଆମ ଘରଠାରୁ ତାଙ୍କ ବସା ପ୍ରାୟ ଦୁଇଶ ହାତ ଅନ୍ତର ହେବ । ସେହି ବସାରେ ତାଙ୍କର ଅଫିସ ହୁଏ । ଜହ୍ନ ରାତିରେ ସାଳନ୍ଦୀ ନନ୍ଦୀର କୋମଳ ବାଲୁକା-ଗଦିରେ ବସି ଲେଖିବାକୁ ମୋତେ ବଡ଼ ସୁଖ ଲାଗେ । ନଈ ବାଲିରେ ନିର୍ଜନ ଚନ୍ଦ୍ରାଲୋକରେ ବସି ପୁସ୍ତକ ପାଠର ଅଭ୍ୟାସ ମୋର ବାଲ୍ୟକାଳରୁ ଥିଲା । ସେ ଯେ କି ସୁଖ–କି ଆନନ୍ଦ, ତାହା ଭୁକ୍ତଭୋଗୀ ଛଡ଼ା ଅନ୍ୟ କେହି ବୁଝି ପାରିବ ନାହିଁ, କିମ୍ବା କଥାରେ ବୁଝାଇ କହି ହେବ ନାହିଁ । ସେ ସୁଖର ମୂଲ୍ୟ–ଅମୂଲ୍ୟ ।
ରମାନାଥ ବାବୁ ବ୍ରାହ୍ମ ଧର୍ମାବଲମ୍ୱୀ ୠଷି ପ୍ରକୃତିକ ସଜ୍ଜନ ବ୍ୟକ୍ତି, କର୍ତ୍ତବ୍ୟ ନିଷ୍ଠାରେ ତାଙ୍କୁ କେହି ବଳିଯିବ ନାହିଁ । ଦୋଷ ଦେଖିଲେ ସେ ଛାଡ଼ିବାର ପାତ୍ର ନୁହନ୍ତି । ସେ କହନ୍ତି–ଦୋଷ ଦେଖି ଛାଡ଼ି ଦେଲେ ଈଶ୍ୱର ମୋତେ ଦଣ୍ଡଦେବେ । ତାଙ୍କ ଅମଳରେ ଶିକ୍ଷକମାନେ ଖୁବ୍ ସାବଧାନ ଥିଲେ । ସେ ଯାହାକୁ ସତ୍ୟବାଦୀ ବୋଲି ଜାଣନ୍ତି, ତାକୁ ସମ୍ପୂର୍ଣ୍ଣ ବିଶ୍ୱାସ କରନ୍ତି । ସେ କାଳର ଶିକ୍ଷାବିଭାଗ ବଡ଼ ପବିତ୍ର–ବଡ଼ ନିର୍ମଳ ଥିଲା । ରମାନାଥ ବାବୁ ଜଣେ ସାହିତ୍ୟିକ ଏବଂ ଗ୍ରନ୍ଥକାର । ତାଙ୍କର କେତେ ଖଣ୍ଡ ପୁସ୍ତକ ଶିକ୍ଷାବିଭାଗରେ ଚଳୁଥାଏ । ସେ ତତ୍ତ୍ୱଗୀତା ନାମରେ ବ୍ରାହ୍ମ-ଧର୍ମ ପୁସ୍ତକ ଲେଖୁଥାଆନ୍ତି, ତାହା ସାତ ଖଣ୍ଡରେ ବିଭକ୍ତ । ସୃଷ୍ଟିତତ୍ତ୍ୱ, ଧର୍ମତତ୍ତ୍ୱ ଲେଖା ପରେ ସେ ବ୍ରହ୍ମତତ୍ତ୍ୱ ଖଣ୍ଡ ଲେଖୁଥାଆନ୍ତି । ଦିନେ ମୋତେ ପାଣ୍ଡୁଲିପିଗୁଡ଼ିକ ପଢ଼ିବାକୁ ଦେଇ ନିର୍ଭୟରେ ଭ୍ରମପ୍ରସାଦ ବ୍ୟକ୍ତ କରିବାକୁ ଆଦେଶ ଦେଲେ । ମୁଁ ଦୁଇ ଚାରିଟି ଦୋଷ ଦେଖାଇ ଦେଲି, ତାଙ୍କଠାରୁ ଆଦେଶ ପାଇ ତାହା ସଂଶୋଧନ ମଧ୍ୟ କରିଦେଲି । ସେ ଏତିକିରେ କୃତଜ୍ଞତାରେ ମୋତେ କିଣି ନେଲେ । ସେହି ଦିନଠାରୁ ବନ୍ଧୁତା କ୍ରମେ କ୍ରମେ ବଢ଼ି ପ୍ରଗାଢ଼ ହୋଇ ଉଠିଲା । ତାଙ୍କର ‘‘ଗୀତିମାଳା’’ ନିମ୍ନ ପ୍ରାଇମେରୀର ପାଠ୍ୟ ଥିଲା । ବର୍ଷେ ତାହା ଉଠିଯାଇ ମଧୁରାଓଙ୍କ ‘‘ଛାନ୍ଦମାଳା’’ ପାଠ୍ୟ ହେଲା । କିନ୍ତୁ ରମାନାଥବାବୁ ଛାଡ଼ିବାର ପାତ୍ର ନୁହନ୍ତି । ସେ ‘‘ଗୀତିମାଳା’’ ସଂଶୋଧନ କରି ପାଣ୍ଡୁଲିପି ଦେଖିବା ପାଇଁ ରାଧାନାଥବାବୁଙ୍କ ପାଖକୁ ପଠାଇଲେ । ସେଥିରେ ବସନ୍ତ ବର୍ଣ୍ଣନାରେ ଗୋଟାଏ ଧାଡ଼ି ଥିଲା–‘‘ନବ ପତ୍ର କିଶଳୟେ ଶୋଭିଲା ଦିଶେ ଅତି ଶୋଭନ ।’’ ରାଧାନାଥବାବୁ ସେହି ଧାଡ଼ି ତଳେ ଗାର ଦେଇ ଲେଖିଲେ–‘‘ଅତି ଦୁର୍ବଳ ପଙ୍କ୍ତି, ପରିବର୍ତ୍ତନ ଆବଶ୍ୟକ ।’’ ରମାନାଥବାବୁ ମୋତେ ତାହା ଦେଖାଇ ସଂଶୋଧନ କରିଦେବାକୁ କହିଲେ । ମୁଁ ସାମାନ୍ୟ ପରିବର୍ତ୍ତନ କରି ଏହି ପରି କରିଦେଲି–‘‘ ସୁଚାରୁ ନବୀନ ମୁକୁଳେ ଦିଶେ ଅତି ଶୋଭନ-।’’ ବାବୁଙ୍କ ମନକୁ ତାହା ବେଶ୍ ଘେନିଲା । ତାଙ୍କ ଆନନ୍ଦର ସୀମା ରହିଲା ନାହିଁ । ପୁଣି ପାଣ୍ଡୁଲିପି ପ୍ରସ୍ତୁତ ହୋଇ ରାଧାନାଥବାବୁଙ୍କ ନିକଟକୁ ଗଲା । ଏଥର ସେ ପୂର୍ବପରି ଧାଡ଼ିଟିକୁ ରେଖାରୂଢ଼ କରି ଲେଖିଲେ– ‘‘ଅତି ସୁନ୍ଦର ହୋଇଅଛି ।’’ ସାଧୁ ସତ୍ୟବାଦୀ ରମାନାଥବାବୁ ସେ ପ୍ରଶଂସା ନିଜ ଦେହକୁ ନ ନେଇ ପରିଚୟ ସହ ମୋ ଦ୍ୱାରା ସଂଶୋଧିତ ହୋଇଅଛି ବୋଲି ରାଧାନାଥବାବୁଙ୍କୁ ପତ୍ର ଦ୍ୱାରା ଜଣାଇ ଦେଲେ । କର୍ତ୍ତବ୍ୟନିଷ୍ଠା ଏବଂ ସତ୍ୟବାଦିତା ହେତୁ ରାଧାନାଥବାବୁ ତାଙ୍କୁ ଖୁବ୍ ଆଦର କରୁଥିଲେ । ସଂଶୋଧିତ ଗୀତମାଳା ପରବର୍ତ୍ତୀ ବର୍ଷ ପୁଣି ବାଲେଶ୍ୱର ଜିଲ୍ଲାରେ ପୂର୍ବପରି ପାଠ୍ୟ ହେଲା ।) ତତ୍ତ୍ୱଗୀତାର ଭୂମିକାରେ ସେ ମୋର ନାମ ଉଲ୍ଲେଖ କରିଥିଲେ । ତାଙ୍କ କୃତ ‘‘ସରଳକ୍ଷେତ୍ର ପରିମାଣ’’ରେ ମୁଁ କେତେଗୁଡ଼ିଏ ନୂତନ ଅଙ୍କ ଅଧିକା ଯୋଗ କରିଥିଲି । ଏହି ସମୟରେ ମୋର ଶିକ୍ଷା ବହୁମୁଖୀ ଆକାର ଧାରଣ କଲା । ପାଠ୍ୟପୁସ୍ତକର ବହୁ ବିଷୟ ଶିକ୍ଷାଦାନ ଛଳରେ ଅନୁଶୀଳନ କରିବାକୁ ହେଲ ॥ ପୁଣି ଉପଯୁକ୍ତ ସଙ୍ଗୀ ପାଇ ସାହିତ୍ୟାଲୋଚନାରେ ସୁବିଧା ମିଳିଲା । ତେତେବେଳେ ‘‘ସମ୍ବଲପୁର ହିତୈଷିଣୀ’’ ବିଶେଷ ପ୍ରଭାବ ବିସ୍ତାର କରିଥିଲା । ଦେଶୋନ୍ନତିର ସକଳବିଭାଗରେ ଆଲୋଚନା ସେଥିରେ ହେଉଥିଲା । ବିଶେଷତଃ ସାହିତ୍ୟରେ ନବଜାଗରଣ ଆଣିବା ତାହାର ଲକ୍ଷ୍ୟ ଥିଲା । କବିବର ରାଧାନାଥ, ମଧୁସୂଦନ, ବିଶ୍ୱନାଥ କର, ଲାଲାରାମନାରାୟଣ ରାୟ, ଗଙ୍ଗାଧର ମେହେର, ବାମଣ୍ଡାର ରାଜା ସୁଢ଼ଳଦେବ ପ୍ରମୁଖ ସାହିତ୍ୟରଥୀମାନଙ୍କର ଲେଖାବଳୀ ସେଥିରେ ବାହାରୁଥିଲା-। ସ୍ଥୂଳତଃ ସାରସ୍ୱତ ଜ୍ୟୋତିରେ ସାପ୍ତାହିକ ହିତୈଷିଣୀର କଳେବର ଆଲୋକିତ ହେଲା । ରମାନାଥ ବାବୁଙ୍କ ନାମରେ ହିତୈଷିଣୀ ଆସୁଥିଲା । ରମାନାଥ ବାବୁଙ୍କ ପ୍ରେରଣାରେ ମୁଁ ହିତୈଷିଣୀର ଗ୍ରାହକ ହେଲି । ପୁସ୍ତକ ପତ୍ରିକା ସକାଶ ମୋତେ ଅନେକ ଥର ପରର ଦ୍ୱାରସ୍ଥ ହେବାକୁ ପଡ଼ୁଥିଲା । ତେତେବେଳେ ଏତେ ପୁସ୍ତକ ବା ପତ୍ରିକା ଥିଲା ନାହିଁ । କେହି କେହି ବଙ୍ଗଳା ପତ୍ରିକା ‘‘ବଙ୍ଗବାସୀ’’ ଅଣାଉଥିଲେ । ତେତେବେଳେ ପଣ୍ଡିତ କୃଷ୍ଣଚନ୍ଦ୍ର ବନ୍ଦୋପାଧ୍ୟାୟ ବଙ୍ଗବାସୀର ସମ୍ପାଦକ । ଲେଖକ ହିସାବରେ ସେ ସରସ୍ୱତୀଙ୍କର ବରପୁତ୍ର । ଓଡ଼ିଆ ପତ୍ରିକା ମଧ୍ୟରେ ‘‘ଉତ୍କଳଦୀପିକା’’ର ପ୍ରଚାର ବଢ଼ୁଥାଏ । ଦୀପିକାର ଲେଖାଗୁଡ଼ିକ କଚେରିଆ ଧରଣର ଥିଲା । ଏହି ସମୟରେ ମୋ ଭାଗ୍ୟରେ ଦୁଇଜଣ ସୁବନ୍ଧୁ ବିଧାତା ଘଟାଇଦେଲେ । ଜଣେ ଜଗବନ୍ଧୁ ମହାପାତ୍ର ଏବଂ ଆଉ ଜଣେ ପଣ୍ଡିତ ଅନିରୁଦ୍ଧ ଷଡ଼ଙ୍ଗୀ । ଜଗବନ୍ଧୁ ବାବୁ ସ୍ୱନାମଧନ୍ୟ ମଧୁସୂଦନ ମହାପାତ୍ରଙ୍କର କନିଷ୍ଠପୁତ୍ର । ମଧୁସୂଦନ ମହାପାତ୍ର ଗୁଆମାଳ ଅଞ୍ଚଳକୁ ପ୍ରଥମେ ଶିକ୍ଷାଲୋକ ଆନୟନ କରିଥିଲେ । ବର୍ତ୍ତମାନ ଗୁଆମାଳ ସେହି ଆଲୋକରେ ଆଲୋକିତ । ମଧୁସୂଦନଙ୍କ ସଂକ୍ଷିପ୍ତ ଜୀବନୀ ମୋର ‘‘ବିବିଧଚିନ୍ତା’’ ପୁସ୍ତକରେ ସନ୍ନିବେଶିତ ହୋଇଅଛି । ଜଗବନ୍ଧୁ ବାବୁ ଆଇ, ଏ, ପରୀକ୍ଷା ଦେଇ ଫେଲ୍ ହୋଇଥିଲେ ମାତ୍ର ପଛକୁ ନିଜ ଅଧ୍ୟବସାୟବଳରେ ଜ୍ଞାନ ଗରିମାରେ ଗ୍ରାଜୁଏଟଙ୍କୁ ବଳିଯାଇଥିଲେ । ଇଂରାଜୀ ସାହିତ୍ୟ ଏବଂ ମାତୃସାହିତ୍ୟରେ ତାଙ୍କର ଅସାଧାରଣ ଦକ୍ଷତା ଥିଲା । ସେ କିଛିକାଳ ଦୋଳସାହି ମାଇନର ସ୍କୁଲର ହେଡ଼ମାଷ୍ଟର ଥିଲେ । ପ୍ରତିଦିନ ସେ କୁମାରପୁର ସ୍କୁଲକୁ ଆସନ୍ତି । ସେକ୍ସପିଅର, ମିଲଟନ୍ ପ୍ରଭୃତିଙ୍କର ଲେଖା ସେ ମୋତେ ବୁଝାଇ ଦିଅନ୍ତି । ଦୁହେଁ ଏକାସନରେ ବସି କବିତା ଲେଖୁଁ । ପରସ୍ପରର ଲେଖା ପରସ୍ପର ସଂଶୋଧନ କରୁଁ-। ତାଙ୍କଠାରୁ ମୁଁ ସାମାନ୍ୟ ଇଂରାଜୀଶିକ୍ଷା ମଧ୍ୟ କରିଥିଲି । ମାତ୍ର ବୃଦ୍ଧାବସ୍ଥାରେ ତାହା ମୁଢ଼ୀ କିଣାରେ ଖର୍ଚ୍ଚ ହୋଇ ସାରିଲାଣି । ରମାନାଥ ବାବୁଙ୍କ ପ୍ରବର୍ତ୍ତନାରେ ମୁଁ ହିତୈଷିଣୀରେ ଲେଖିବାକୁ ଆରମ୍ଭ କଲି । ଜଗବନ୍ଧୁ ବାବୁ ମଧ୍ୟ ମୋହରି ପନ୍ଥା ଧରିଲେ । ଦୁହେଁ ନିୟମିତ ଭାବରେ ଗଦ୍ୟ ପଦ୍ୟ ଲେଖିବାକୁ ଲାଗିଲୁଁ । ଏହି ସୂତ୍ରରେ ପଣ୍ଡିତ ନୀଳମଣି ବିଦ୍ୟାରତ୍ନଙ୍କ ସହିତ ପରିଚୟ ହେଲା-। ଦୁହିଙ୍କ ଲେଖା ସେ ପତ୍ରିକାସ୍ଥ କରି ଉତ୍ସାହିତ କଲେ । ଅଧିକନ୍ତୁ ପତ୍ର ଲେଖି ପ୍ରାଣରେ ଉତ୍ତେଜନାର ଅମୃତଧାରା ଢାଳିଦେଲେ । ନୀଳମଣି ବାବୁ ତେତେବେଳେ ହିତୈଷିଣୀର ପ୍ରତିଷ୍ଠାଶାଳୀ ସମ୍ପାଦକ ଥିଲେ । ସେକାଳର ଉତ୍ସାହଦାତା ଏକାଳରେ ଏକାବେଳକେ ଦୁଲର୍ଭ । ଏକଥା ଭାବିଲେ ମନରେ ଦାରୁଣ ବେଦନା ଜାତ ହୁଏ । ସେକାଳର ଲୋକଙ୍କର କି ଦେବହୃଦୟ ଥିଲା । ଜଗବନ୍ଧୁ ବାବୁ ଏବଂ ମୁଁ ଅଧେ ଅଧେ ଭାଗଦେଇ ନାନାପ୍ରକାର ପୁସ୍ତକ ଏବଂ ପତ୍ରିକା ଅଣାଇ ପଢ଼ିବାକୁ ଲାଗିଲୁଁ ।
କୁମାରପୁରର ନିକଟବର୍ତ୍ତୀ ଗଣେଶ୍ୱରପୁର ଶାସନରେ ଗୋଟିଏ ସଂସ୍କୃତ ଟୋଲ ଥିଲା । ପଣ୍ଡିତ ଅନିରୁଦ୍ଧ ଷଡ଼ଙ୍ଗୀ ସେହି ଟୋଲର ଅଧ୍ୟାପକ ନିଯୁକ୍ତ ହୋଇ ଆସିଲେ । ତାଙ୍କ ସଙ୍ଗରେ ପରିଚୟ ହେଲା । ସେ ସଂସ୍କୃତରେ ଅଗାଧ ପଣ୍ଡିତ । ଭାଷା ଜ୍ଞାନ ମଧ୍ୟ ତଦନୁରୂପ । ପ୍ରାଚୀନ ଛାନ୍ଦକାବ୍ୟମାନେ ତାଙ୍କର କଣ୍ଠସ୍ଥ । ବୈଦେହୀଶବିଳାସ, କୋଟିବ୍ରହ୍ମାଣ୍ଡ ସୁନ୍ଦରୀ ପ୍ରଭୃତି କାବ୍ୟର ସେ ଖୁବ୍ ପ୍ରାଞ୍ଜଳ ଅର୍ଥ କରିପାରନ୍ତି । ଖୁବ୍ ମଧୁର ମନୋହର ସ୍ୱରରେ ଛନ୍ଦଗୀତ ମଧ୍ୟ ଗାଇ ପାରନ୍ତି । ସେ ପ୍ରତ୍ୟହ ସନ୍ଧ୍ୟାବେଳେ କୁମାରପୁର ସ୍କୁଲକୁ ଆସନ୍ତି । ଭାଙ୍ଗପିଆ ପରେ ଭଞ୍ଜସାହିତ୍ୟ, କବିସୂର୍ଯ୍ୟ ଚମ୍ପୂ, ଅଭିମନ୍ୟୁ, ଦୀନକୃଷ୍ଣ ପ୍ରଭୃତିଙ୍କର କାବ୍ୟାବଳୀ ଆଲୋଚିତ ହୁଏ । ସେ ଧାରାବାହିକରୂପେ ମୋତେ ତାହା ଅର୍ଥକରି ବୁଝାଇ ଦିଅନ୍ତି । ପ୍ରତ୍ୟୁପକାର ସ୍ୱରୂପ ମୋଠାରୁ ଇଂରାଜୀ ବର୍ଣ୍ଣମାଳା ଶିକ୍ଷା କରନ୍ତି । ଇଂରାଜୀ ବିଦ୍ୟାରେ ମୁଁ ଯେପରି ଧୂରନ୍ଧର ପଣ୍ଡିତ, ତାହା ପୂର୍ବରୁ କହିଅଛି । ସେ ମୋ ପରି ଭଟାଚାର୍ଯ୍ୟ ଗୁରୁ ପାଇ ଇଂରାଜୀବର୍ଣ୍ଣମାଳାତକ ଶିଖିପାରିଲେ ନାହିଁ । ସେଥିରେ ତାଙ୍କର ତୁଣ୍ଡ ଲେଉଟିଲା ନାହିଁ, ସୁତରାଂ ଅଧା ଅଧିରୁ ପାଠ ଛାଡ଼ିଦେଲେ । ଚୁଡ଼ାଖିଆ ତୁଣ୍ଡରେ ହେଡ଼ାଖିଆ ପାଠ ଆସିଲା ନାହିଁ ।
ପ୍ରତ୍ୟହ ପଣ୍ଡିତେ, ଜଗବନ୍ଧୁବାବୁ ଏବଂ ମୁଁ ବସି ହିତୈଷିଣୀ ପ୍ରଭୃତି ପତ୍ରିକାପାଠ ଏବଂ ସାହିତ୍ୟଚର୍ଚ୍ଚାରେ ଲାଗୁଁ । ତେତେବେଳେ ‘‘ଇନ୍ଦ୍ରଧନୁ’’ ଏବଂ ‘‘ବିଜୁଳି’’ ଦୁହେଁ ପ୍ରଭା ବିସ୍ତାରକରି ଉଠିଲେ ।
କାଲି ଏହି ପର୍ଯ୍ୟନ୍ତ ଲେଖା ହୋଇଥିଲା, କିନ୍ତୁ ଆଜି ଲେଖା ବନ୍ଦ । ଅଭିସମ୍ପାତ ଭଳି ଗୋଟାଏ ଦାରୁଣ ଦୁଃସମ୍ୱାଦ ଆଜି ଶୁଣାଗଲା । ଜଗତର ସର୍ବଶ୍ରେଷ୍ଠ ମାନବ ମହାତ୍ମାଗାନ୍ଧି ରାଜବନ୍ଦୀରୂପେ ଧୃତ ହୋଇଅଛନ୍ତି । ଗାନ୍ଧି ଅତିମାନବ ହେଉନ୍ତୁ ବା ନ ହେଉନ୍ତୁ–ମାହାତ୍ମା ହେଉନ୍ତୁ ବା ନ ହେଉନ୍ତୁ ମାତ୍ର ତେତିଶକୋଟି ଭାରତବାସୀଙ୍କର ଶ୍ରଦ୍ଧାଭକ୍ତିର ପାତ୍ର ହୋଇଅଛନ୍ତି । ଏତେ ଲୋକଙ୍କର ଶ୍ରଦ୍ଧାଭକ୍ତିରେ ଯଦି କିଛି ମାହାତ୍ମ୍ୟ ଥାଏ, ତେବେ ସେହି ମାହାତ୍ମ୍ୟହିଁ ଗାନ୍ଧିଙ୍କୁ ମହାମାନବ ବା ମହାତ୍ମା କରିଦେଇ ସାରିଅଛି । ଏ ରୂପ ଜଗତ୍ପୂଜ୍ୟ ବ୍ୟକ୍ତିଙ୍କ ବିପଦରେ କିଏ ବା ଦୁଃଖିତ ନ ହେବ ? ସେହି ଦୁଃଖରେ ଆଜି ପଞ୍ଜିକାଲେଖା ବନ୍ଦ ରହିଲା । ଦୁର୍ବଳ ଉପରେ ବଳପ୍ରୟୋଗ ପୌରୁଷ ନୁହେଁ–ଦୁର୍ବଳର ବଳପୁଷ୍ଟ କରିବା ହିଁ ପୌରୁଷ । ଦୁଃଖ କ୍ଷୋଭର ବିଷୟ ଶାସକବୃନ୍ଦ ତାହା ଭୁଲି ଯାଉଅଛନ୍ତି । କେବଳ ଏତିକି ଅଭିମାନ ପ୍ରକାଶ ଛଡ଼ା ଅଧୀନ ଜାତିର ଆଉ କିଛି ଅଧିକାର ନାହିଁ । ଯେ ପରାଧୀନ, ତାହାର ପୁଣି ମାନ ଗୋଟାଏ କଅଣ–ଅପମାନ ତାହାର ଲଲାଟ ଲିଖନ ।
ଆଜି ମହାତ୍ମାଗାନ୍ଧି କାରାମୁକ୍ତ ହେଲେ । ଏହି ଶୁଭସମ୍ୱାଦ ଶୁଣି ଆନନ୍ଦରେ ଅଧୀର ହୋଇ ପ୍ରଥମେ ଗୋଟିଏ ସଙ୍ଗୀତ ଲେଖି ପୁଣି ପଞ୍ଜିକା ଲେଖାରେ ଅଗ୍ରସର ହେଲି । ଅହିଂସାପ୍ରାଣ, ଜଗତ୍ପୂଜ୍ୟ ମହାତ୍ମାଗାନ୍ଧିଙ୍କୁ ବନ୍ଦୀକରି ରାଜପୁରୁଷଙ୍କର ପ୍ରଥମରେ ଭୁଲ ହୋଇଥିଲେ ସୁଦ୍ଧା ଶେଷ ବିଚାର ପ୍ରଶଂସନୀୟ । ମହାପୁରୁଷଙ୍କ ପୁଣ୍ୟସ୍ପର୍ଶରେ କାରଗାରର ଭାଗ୍ୟ ପବିତ୍ର ହେଲା । ସେ ପ୍ରସଙ୍ଗ ଯଥାସ୍ଥାନରେ ଲିଖିତ ହେବ । ସେ ସ୍ଥାନ ବହୁ ଦୂରରେ ଅଛି ।
ହେ ମହାତ୍ମାଗାନ୍ଧି ମହାଯୋଗୀ ସନ୍ନ୍ୟାସୀ,
ତୁମ୍ଭ ଦରଶନେ ପୂତ ପୃଥିବୀବାସୀ । ଘୋଷା ।
ମାତୃମହୀ ସମୁଦ୍ଧାର ମନେ ମନାସି ।୧।
ଧନ୍ୟ କଲ କାରା ପୁଣ୍ୟପାଦ ବିନ୍ୟାସି ।୨।
ପ୍ରଚଣ୍ଡ ମାର୍ତ୍ତଣ୍ଡ ପ୍ରାୟ ତେଜ ପ୍ରକାଶି ।୩।
କୋଟିଧାରେ ବହିଯାଏ ପୁଲକରାଶି ।୪।
ଜୟ ମା ଭାରତଭୂମି ଭାରତବାସୀ ।୫।
ନବ୍ୟସାହିତ୍ୟ ଭକ୍ତ ଲାଲା ରାମନାରାୟଣ ରାୟ ‘‘ଉତ୍କଳପ୍ରଭା’’ ମାସିକ ପତ୍ରିକାରେ ‘‘ବୈଦେହୀଶ ବିଳାସ’’ର ସମାଲୋଚନା ଆରମ୍ଭ କଲେ । ଉତ୍କଳପ୍ରଭା ମୟୂରଭଞ୍ଜର ରାଜଧାନୀ ବାରିପଦାରୁ ବାହାରୁଥିଲା । ସେଥିରୁ ସ୍ୱର୍ଗୀୟ କବିବର ରାଧାନାଥରାୟ, ଲାଲାରାମନାରାୟଣ, ଚନ୍ଦ୍ରମୋହନ ମହାରଣା ପ୍ରଭୃତି ସେକାଳର ପ୍ରସିଦ୍ଧ ଲେଖକମାନେ ଲେଖୁଥିଲେ, ଏବଂ ଗୁଣାନୁସାରେ ପୁରସ୍କାର ମଧ୍ୟ ପାଉଥିଲେ । ରାମନାରାୟଣ ବାବୁ ସମାଲୋଚନା ପ୍ରସଙ୍ଗରେ ଭଞ୍ଜକବିଙ୍କୁ ବିଦ୍ରୂପକରି କହିଲେ–‘‘ମାଙ୍କଡ଼ ହାତରେ ଶାଳଗ୍ରାମ, ନଚାଇ ନଚାଇ ନେଲା ପ୍ରାଣ ।’’ ଅର୍ଥାତ୍ ପବିତ୍ର ରାମାୟଣ ଚିତ୍ରକୁ କବି ବିଭତ୍ସ ଭାବରେ ଆଙ୍କି ଅଛନ୍ତି । ଉତ୍କଳର ପ୍ରାତଃ ସ୍ମରଣୀୟ ମହାକବିଙ୍କର ଏ ଅବମାନନାରେ ସାହିତ୍ୟ ଜଗତ୍ ତାତି ଉଠିଲା । ସାହିତ୍ୟ ରାଜ୍ୟରେ ଶତମୁଖୀ ବିଜୁଳି ଖେଳିଗଲା । ଆକାଶ କଡ଼ କଡ଼ ଡାକିଲା–ଉତ୍କଳ ସାହିତ୍ୟରେ ଗୋଟାଏ ନବଜୀବନର ଜ୍ୟୋତିର୍ମୟ ସ୍ରୋତ ବହିଗଲା । ଭଞ୍ଜକବିଙ୍କ ଭକ୍ତମାନେ ପ୍ରଚଣ୍ଡ ବୀରବେଶରେ ବଜ୍ରନାଦରେ ପ୍ରତିବାଦ କ୍ଷେତ୍ରରେ ଅବତୀର୍ଣ୍ଣ ହେଲେ । ସେମାନେ ‘‘ଇନ୍ଦ୍ରଧନୁ’’ ନାମରେ ଖଣ୍ଡିଏ ପତ୍ରିକା ବାହାର କଲେ । ତେଣେ ବିପକ୍ଷଦଳ ‘‘ବିଜୁଳି’’ ନାମରେ ଖଣ୍ଡେ ପତ୍ରିକା ବାହାରକରି ମହାଲେଖନୀ ସମରର ପ୍ରବୃତ୍ତ ହେଲେ । ଇନ୍ଦ୍ରଧନୁ ସାତରଙ୍ଗର କାଗଜରେ ପ୍ରକାଶିତ ହେଲା । କିନ୍ତୁ ବିଜୁଳି ଏକରଙ୍ଗୀ । ଇନ୍ଦ୍ରଧନୁ କଟକରୁ ଏବଂ ବିଜୁଳି ବାମଣ୍ଡାରୁ ବାହାରିଲା । ଇନ୍ଦ୍ରଧନୁର ମୂଲ୍ୟ ଦୁଇପଇସା ମାତ୍ର ବିଜୁଳି ଅ–ମୂଲ୍ୟ । ଉତ୍କଳଦୀପିକାର ସମ୍ପାଦକ ଗୌରୀଶଙ୍କର ରାୟ, ସୁଦାମଚରଣ ନାୟକ, ଗୋପାଳପ୍ରସାଦ ଦାସ, ବାଲେଶ୍ୱର ଦୈତ୍ୟାରି ଶଙ୍ଖୁଆ (ପରେ ଦାସ) ପ୍ରଭୃତି ଅନେକ ବିଶିଷ୍ଟବ୍ୟକ୍ତି ଇନ୍ଦ୍ରଧନୁର ଚାଳକ, ଲେଖକ ଏବଂ ପୃଷ୍ଠପୋଷକ ଥିଲେ । ବିଜୁଳିର ପୃଷ୍ଠପୋଷକ ସାହିତ୍ୟବନ୍ଧୁ ବାମଣ୍ଡାରାଜା ସୁଢ଼ଳଦେବ ଏବଂ ହିତୈଷିଣୀ ପତ୍ରିକା । ଆହୁରି ଅନେକ ବିଶିଷ୍ଟ ଏବଂ ଉଚ୍ଚ ଶିକ୍ଷିତ ଲେଖକ ଗୋପନରେ ବିଜୁଳିରେ ପ୍ରବନ୍ଧ ଲେଖୁଥିଲେ । ନବସାହିତ୍ୟମୋଦୀ ସମ୍ପ୍ରଦାୟର ଅଧିକାଂଶ ଲେଖକ ଏବଂ ପାଠକ ବିଜୁଳିର ସପକ୍ଷରେ ଥିଲେ । ଗଞ୍ଜାମର ଉଜ୍ଜ୍ୱଳରତ୍ନ ପାରଳାଖେମଣ୍ଡୀର ରାଜଭ୍ରାତା ପଦ୍ମନାଭ ଗଜପତି ନାରାୟଣ ଦେବ ଇଦ୍ରଧନୁକୁ ମୁକ୍ତହସ୍ତରେ ଅର୍ଥସାହାଯ୍ୟ କରି ଏବଂ ବଡ଼ ବଡ଼ ପଣ୍ଡିତଙ୍କ ଦ୍ୱାରା ନାନାକାବ୍ୟ ନାଟକ ଅଳଙ୍କାର ଶାସ୍ତ୍ର ପ୍ରଭୃତିରୁ ଭଞ୍ଜ କବିଙ୍କ ସପକ୍ଷରେ ଯୁକ୍ତି ତର୍କ ଲେଖାଇ ଇନ୍ଦ୍ରଧନୁକୁ ଶକ୍ତି ପ୍ରଦାନ କଲେ । ରାଜକୁମାର ନିଜେ ମଧ୍ୟ ଜଣେ ଅସାଧାରଣ ପଣ୍ଡିତ ଥିଲେ । ପ୍ରାଚୀନ ଓଡ଼ିଆ ସାହିତ୍ୟରେ ସୁଦ୍ଧା ଅତି ଧୂରନ୍ଧର ଥିଲେ । ଇନ୍ଦ୍ରଧନୁ ସକାଶ ସେ ସ୍ୱତନ୍ତ୍ର ଅଫିସ ରଖି ଉଚ୍ଚ ବେତନରେ ପ୍ରତିଭାଶାଳୀ ପଣ୍ଡିତମାନଙ୍କୁ ନିଯୁକ୍ତ କରି ରଖିଲେ । କେତେ ଅପ୍ରକାଶିତ, ଅପରିଚିତ ପ୍ରାଚୀନଗ୍ରନ୍ଥର ଆଲୋଚନା ଉଭୟ ପକ୍ଷରୁ ଲାଗିଲା । କେତେ ଅଦେଖା, ଅଶୁଣା, ଅଜଣା ଅମୂଲ୍ୟ ମହାରତ୍ନର ଜ୍ୟୋତି ଝଟ୍ ଝଟ୍ ହେବାକୁ ଲାଗିଲା । ବ୍ୟଙ୍ଗ, ବିଦ୍ରୂପ, କୁଟ, ଶ୍ଳେଷ, ଛଳ, ଛଟା, ଢଗ, ଚଟଣୀ, ଚଟକଣୀ, ମୁଥ ପ୍ରଭୃତି ଅନର୍ଗଳ ବର୍ଷିଲା । ବକକାବ୍ୟ, ଶାର୍ଗୁଣା କାବ୍ୟ ପ୍ରଭୃତି ମର୍ମକୁଟା ନୂତନ କାବ୍ୟ ନାଟକର ସୃଷ୍ଟି ହୋଇଗଲା । ସାହିତ୍ୟର ଅନୁଶୀଳନ, ସାହିତ୍ୟର ସମାଲୋଚନା ନିବିଡ଼ ଭାବରେ ଲାଗିଗଲା । ବହୁକାଳର ଡୋରବନ୍ଧା କୀଟକଟା ଅଭିଧାନ ଫିଟିଲା । ଉତ୍କଳସାହିତ୍ୟରେ ପ୍ରଚ୍ଛନ୍ନରେ କେତେ ମହାମୂଲ୍ୟ ମଣିରତ୍ନ ଅଛି, ତାହା ଓଡ଼ିଆ ଜାତି ଜାଣିପାରିଲା । ଖାଲି ଉତ୍କଳସାହିତ୍ୟ ନୁହେଁ–ସଂସ୍କୃତ, ବଙ୍ଗଳା, ହିନ୍ଦି, ତୈଲଙ୍ଗ, ଇଂରାଜୀ, ଲାଟିନ୍ ପ୍ରଭୃତି ବିବିଧ ସାହିତ୍ୟର ଆଲୋଚନା ଲାଗିଲା । ପ୍ରସଙ୍ଗ କ୍ରମେ ବିଜ୍ଞାନ, ଇତିହାସ, ପୁରାଣ, ଦର୍ଶନ, ଭାଷାତତ୍ତ୍ୱ, ମନସ୍ତତ୍ତ୍ୱ ଲୋକଚିତ୍ର ପ୍ରଭୃତି ବହୁ ବିଷୟର ଅବତାରଣ ହେଲା । ବ୍ୟାଖ୍ୟା, ବିଶ୍ଳେଷଣ, ଟିପା ଟିପ୍ପଣୀର ସ୍ରୋତ ଉତ୍କୂଳାନଦୀ ପ୍ରାୟ ବହିଗଲା । ଏହି ଆନ୍ଦୋଳନ କେବଳ ଉତ୍କଳସୀମାରେ ଆବଦ୍ଧ ଥିଲା ନାହିଁ । ବଙ୍ଗଦେଶରୁ ବଙ୍ଗାଳୀମାନେ ଇନ୍ଦ୍ରଧନୁରେ ଲେଖିଲେ । ସେମାନେ ଭଞ୍ଜକବି ସପକ୍ଷରେ ଲେଖିଥିଲେ । ଭଞ୍ଜକବିଙ୍କୁ ସେମାନେ ଭଲରୂପେ ଚିହ୍ନନ୍ତି । ଭଞ୍ଜଙ୍କ କାବ୍ୟ ହେତୁ ଓଡ଼ିଆଭାଷା ବଙ୍ଗକବଳରୁ ରକ୍ଷା ପାଇଥିଲା । ନଚେତ୍ ଓଡ଼ିଶାରେ ବଙ୍ଗଭାଷା ଚଳୁଥାନ୍ତା । ଓଡ଼ିଆ ପ୍ରବଳ ଭାଷା ନୁହେଁ–ଓଡ଼ିଆଭାଷାରେ ଉଚ୍ଚସାହିତ୍ୟ ନାହିଁ, ଏହିପରି ଛଳନା ଦେଖାଇ ବଙ୍ଗାଳୀମାନେ ଓଡ଼ିଶାରେ ବଙ୍ଗଳାଭାଷା ଚଳାଇବାକୁ ରାଜଦ୍ୱାରରେ ନିବେଦନ କରିଥିଲେ । ସେତେବେଳେ ଦେଶଭକ୍ତ ଗୌରୀଶଙ୍କର ରାୟ, ଉତ୍କଳପ୍ରାଣ ନନ୍ଦକିଶୋର ଦାସ, ବ୍ୟାସକବି ଫକୀରମୋହନ ସେନାପତି, ସୁଦାମଚନ୍ଦ୍ର ନାୟକ ପ୍ରଭୃତି ମହାତ୍ମାମାନେ ଭଞ୍ଜଙ୍କ କାବ୍ୟ କବିତା ଦେଖାଇ ବଙ୍ଗାଳୀଙ୍କ କୂଟଯୁକ୍ତି ଖଣ୍ଡନ କରି ସ୍ୱୀୟ ମାତୃଭାଷାର ଜୀବନ ରକ୍ଷା କରିଥିଲେ । ସେହି ପ୍ରାତଃନମସ୍ୟ ଉତ୍କଳ ସନ୍ତାନଙ୍କ ନିକଟରେ ଓଡ଼ିଆଭାଷା ଚିରଋଣୀ, ପୁଣି ଓଡ଼ିଆ ଜାତି ଚିରକୃତଜ୍ଞ । ଯେତେ କାଳଯାଏଁ ଓଡ଼ିଆଭାଷା ଥିବ ତେତେ କାଳଯାଏଁ ଭଞ୍ଜକବିଙ୍କ ସଙ୍ଗେ ସେମାନଙ୍କ ପବିତ୍ର ନାମ ଜାତୀୟ ଇତିହାସ ବକ୍ଷରେ ସ୍ୱର୍ଣ୍ଣଦୀପ୍ତିରେ ବିରାଜୁଥିବ । ସେମାନେ ସ୍ୱଗୁଣରେ ଅମର ହୋଇଅଛନ୍ତି ।
ଇନ୍ଦ୍ରଧନୁର ଚଟଣୀଗୁଡ଼ିକ ବଡ଼ ଉପାଦେୟ–ବଡ଼ ମଜାଦାର ହେଉଥିଲା । ସେଥିରେ ଗୁଡ଼, ତେନ୍ତୁଳୀ, ଲଙ୍କାମରିଚ ସମାନ ଭାବରେ ଥାଏ । ପୁଣି ପ୍ରଚ୍ଛନ୍ନ ଗଭୀର ହାସ୍ୟରସରେ ପୁଟ ଦିଆହୋଇଥାଏ । ହାସ୍ୟ-କୌତୁକ, ରଙ୍ଗ-ରହସ୍ୟରେ ପତ୍ରିକା ଦୁଇଖଣ୍ଡି ଅପୂର୍ବ ଅଭିନୟର କ୍ଷେତ୍ର ହୋଇଉଠିଲା । ଗାଳି, ଖୁଣ୍ଟା ଦିଆରେ କୈବର୍ତ୍ତ-କାମିନୀକୁ ବଳି ପଡ଼ିଲା । ବିଜୁଳି ଇନ୍ଦ୍ରଧନୁର ନାମ ‘‘ଆଦିରସିଆ’’ ଦେଲା । ଇନ୍ଦ୍ରଧନୁ ବି ଛାଡ଼ିବାର ପାତ୍ର ନୁହେଁ–ସେ ବିଜୁଳି ଦଳକୁ ‘‘ଅନାଦିରସିଆ’’ ଉପାଧି ପ୍ରଦାନ କଲା । ପତ୍ରିକା ଦୁଇଖଣ୍ଡି ସବୁ ରସରେ ଏପରି ଉପାଦେୟ ହେଲା ଯେ, ଶିକ୍ଷିତଠାରୁ ନିରକ୍ଷର ପର୍ଯ୍ୟନ୍ତ ସମସ୍ତଙ୍କ ଚିତ୍ତ ହରଣ କରିବାକୁ ସମର୍ଥ ହେଲା । କିନ୍ତୁ ବିଜୁଳିଦଳ ରାଧାନାଥଙ୍କୁ ଭଞ୍ଜଭକ୍ତ ଜାଣି ସୁଦ୍ଧା ଭଞ୍ଜଙ୍କ ସଙ୍ଗେ ପ୍ରତିଯୋଗିତା କ୍ଷେତ୍ରରେ ତାଙ୍କୁ ଠିଆ କରାଇ ବଡ଼ ଭୁଲ କଲେ । ଫଳରେ ରାଧାନାଥଙ୍କ ଉପରେ ଗାଳି ବୃଷ୍ଟି ହେଲା । ତାଙ୍କର ବିଦ୍ରୂପ ଛବି ବାହାରିଲା । ବିଜୁଳି କହିଲା–ଭଞ୍ଜକାବ୍ୟ ଅଶ୍ଳୀଳ, ରାଧାନାଥଙ୍କ କାବ୍ୟରେ ଅଶ୍ଳୀଳତା ନାହିଁ । ସେଥିରେ ବିପକ୍ଷ ଦଳ ରାଧାନାଥଙ୍କ କାବ୍ୟରୁ ଉଦ୍ଧାର କରି କେତେ ସ୍ଥାନ ଦେଖାଇ ଦେଇ ବିଜୁଳିର ମତ ଖଣ୍ଡନ କରିବାକୁ ପ୍ରୟାସ କଲେ । ଏହି ଯୁକ୍ତି ପ୍ରତିଯୁକ୍ତିରେ ହାସ୍ୟଜନକ ଖିଆଲିଆ କଥାର ମଧ୍ୟ ଅବତାରଣା ହେଲା । ରାଧାନାଥଙ୍କ କାବ୍ୟରୁ ‘‘ଗାଣ୍ଡିବ’’ ଶବ୍ଦ ଉଦ୍ଧାର କରି କୁହାଗଲା–ଏହାର ମୂଳ ଦୁଇ ଅକ୍ଷର ଅଶ୍ଳୀଳ । ଏହିପରି ଭଣ୍ଡ ଯୁକ୍ତି–ପଣ୍ଡଯୁକ୍ତିର ସୀମା ରହିଲା ନାହିଁ । ଅସଂଯମର ମାତ୍ରା ମଧ୍ୟ ବଳି ଉଠିଲା ।
ଏହି ଆନ୍ଦୋଳନ ଉତ୍କଳ-ସାହିତ୍ୟ ପ୍ରାଣରେ ଗୋଟାଏ ମହା ଅଦ୍ଭୁତ ସ୍ପନ୍ଦନ ଆନୟନ କଲା । ସେରୂପ ସ୍ପନ୍ଦନ ଭାଗ୍ୟରେ ଥିଲେ ଆସେ । ସବୁଦେଶରେ ସବୁକାଳରେ ରୁଚି ଅନୁସାରେ ସାହିତ୍ୟ ଗଠିତ ହୁଏ । ସବୁ କାଳର ରୁଚିକୁ ପାଇବ, ଏଭଳି ସାହିତ୍ୟ ହୋଇପାରେ ନାହିଁ । ସମାଲୋଚନା ବେଳେ ଯେଉଁ କାଳର ସାହିତ୍ୟ, ସେହି କାଳର ରୁଚି ପ୍ରତି ସର୍ବାଦୌ ଲକ୍ଷ୍ୟ ରଖିବାକୁ ହେବ–ଏହା କହିବା ବାହୁଲ୍ୟମାତ୍ର । ପ୍ରାଚୀନ ସାହିତ୍ୟରେ ମହାକବି ଭଞ୍ଜ ଯେପରି ଅଦ୍ୱିତୀୟ ମହାରଥୀ, ନବୀନ ସାହିତ୍ୟରେ କବିବର ରାଧାନାଥ ସେହିପରି ଧୁରନ୍ଧର । ସେ ଯାହାହେଉ ଏହି ସାହିତ୍ୟ-ସାଗର ମନ୍ଥନଦ୍ୱାରା ଯେଉଁ ମହାମୃତ ବାହାରିଛି, ତାହା ଚିରକାଳ ତୃଷିତ ସାହିତ୍ୟସେବିମାନଙ୍କୁ ପରିତୃପ୍ତ କରିବ ଏବଂ ସେହି ଅମୃତ ଏ ମହା ଆନ୍ଦୋଳନକୁ ଅମର କରି ରଖିବ । ଏହି ଆନ୍ଦୋଳନ ଉତ୍କଳ ସାହିତ୍ୟକୁ ଉଚ୍ଚଲକ୍ଷ୍ୟ ଏବଂ ଉଚ୍ଚଆଦର୍ଶର ସୁବର୍ଣ୍ଣ ପଥ ଦେଖାଉଥିବ । ସ୍ଥୂଳରେ କହିବାକୁ ଗଲେ ଏହି ଆନ୍ଦୋଳନ ଉତ୍କଳ ସାହିତ୍ୟର ଭାଗ୍ୟ ପରିବର୍ତ୍ତନ ଘଟାଇଅଛି ।
ରାଧାନାଥ ବିଜୁଳିଦଳର ପ୍ରବର୍ତ୍ତକ ବୋଲି ଇନ୍ଦ୍ରଧନୁ ଦଳର କାହାରି କାହାରି ଧାରଣା ଥିଲା, କିନ୍ତୁ ତାହା ତୁଛା ମିଛ । ସାଧୁ ସତ୍ପୁରୁଷଙ୍କୁ ଏ ଭଳି ଅପବାଦ ଦେଇ କଳଙ୍କିତ କରିବା ମହାପାପ । ରାଧାନାଥ ଭଞ୍ଜକବିଙ୍କୁ ଏତେ ଦୂର ଭଲପାଉଥିଲେ ଯେ, ତାଙ୍କର କବିତାମାନ କଣ୍ଠସ୍ଥ କରି ରଖିଥିଲେ । ଛାନ୍ଦଗୀତକୁ ସ୍ୱର ଧରି ସେ ଅତିସୁନ୍ଦର ଭାବରେ ଗାଇପାରୁଥିଲେ । ଭଞ୍ଜଭକ୍ତ ରାଧାନାଥ ଭଞ୍ଜଙ୍କ ବୈଦେହୀଶବିଳାସ ଆବୃତ୍ତି କରି ଏବଂ ସରଳ ଅର୍ଥ ଶୁଣାଇ ତାତ୍କାଳିକ ବଙ୍ଗ-ବିହାର-ଓଡ଼ିଶାର ଶିକ୍ଷାଧିକାରୀ ମହାମନା ମହାପ୍ରାଜ୍ଞ ଭୂଦେବଚନ୍ଦ୍ର ମୁଖୋପାଧ୍ୟାୟଙ୍କୁ ସ୍ତବ୍ଧ, ମୁଗ୍ଧ କରିଦେଇଥିଲେ । କବିତାର ସ୍ୱର, ଚାତୁରୀ, ଭାବ ଏବଂ ଅର୍ଥରେ ଭୂଦେବବାବୁ ଅତ୍ୟନ୍ତ ତୃପ୍ତିଲାଭ କରି ଭଞ୍ଜ କବିଙ୍କୁ ବିସ୍ତାର ପ୍ରଶଂସା କରିଥିଲେ । ଏ ଅପବାଦରେ ରାଧାନାଥ ବଡ଼ ବ୍ୟଥା ଅନୁଭବ କରି ନିଜର କଥା ‘‘ଓଡ଼ିଆ ଓ ନବସମ୍ୱାଦ’’ ରେ ସାଧାରଣଙ୍କୁ ଜଣାଇ ଦେଇଥିଲେ । ତାହାର ଅଳ୍ପଦିନ ପରେ ‘‘ବିଜୁଳି’’ ମେଘରେ ମିଳେଇ ଯାଇ ଅଦୃଶ୍ୟ ହୋଇଗଲା । ମାତ୍ର ‘‘ଇନ୍ଦ୍ରଧନୁ’’ ଅନେକଦିନ ଯାଏଁ ବାହାରିଲା । ପୁଣି ଉଚ୍ଚ ସନ୍ଦର୍ଭ ଉନ୍ନତ ପ୍ରବନ୍ଧ ବକ୍ଷରେ ଧରି କିଛିକାଳ ପୁସ୍ତକାକାରରେ ପ୍ରକାଶିତ ହେଲା । ପରିଶେଷରେ ଜାତୀୟ ମହାକବିଙ୍କର ଟେକ ଅକ୍ଷତ ରଖି ‘‘ଇନ୍ଦ୍ରଧନୁ’’ ଆକାଶରେ ମିଶିଗଲା । ପ୍ରୌଢ଼ର ପକ୍ୱବୁଦ୍ଧୀରେ ଯୁବକର ଉଷ୍ଣଶକ୍ତି ମିଶିଲେ କାର୍ଯ୍ୟ ସର୍ବାଙ୍ଗ-ସୁନ୍ଦର ହୁଏ, ‘‘ଇନ୍ଦ୍ରଧନୁ’’ ସେଥିର ଜୀବନ୍ତ ପ୍ରମାଣ ଉତ୍କଳକୁ ଦେଖାଇଗଲା ।
ପଣ୍ଡିତ ଅନିରୁଦ୍ଧ ଷଡ଼ଙ୍ଗୀ, ଜଗବନ୍ଧୁ ମହାପାତ୍ର ଏବଂ ମୁଁ ବିଜୁଳି ଇନ୍ଦ୍ରଧନୁର ଗ୍ରାହକ ହୋଇ ପତ୍ରିକା ଅଣାଇଲୁଁ । ପ୍ରତ୍ୟହ ସନ୍ଧ୍ୟାଠାରୁ ଦୁଇଘଣ୍ଟାଯାଏଁ କୁମାରପୁର ସ୍କୁଲରେ ବସି ତାହା ପାଠ କରୁଁ । ଗ୍ରାମର ଅନେକ ଲୋକ ଆସି ବସନ୍ତି ଏବଂ କୌତୁକିଆ କଥାଶୁଣି ଅପାର ଆମୋଦ ଉପଭୋଗ କରନ୍ତି । ପଢ଼ୁ ପଢ଼ୁ ମାତୃ-ଗୌରବରେ ହୃଦୟ ଗର୍ବରେ ଫୁଲି ଉଠୁଥାଏ । ଉତ୍କଳସାହିତ୍ୟର ଗୌରବିତ ପ୍ରତିଭାର ଜ୍ୟୋତି ଚାରିଆଡ଼େ ଝରିପଡ଼ିଲା ପ୍ରାୟ ବୋଧ ହେଉଥାଏ । ଗର୍ବରେ, ଆନନ୍ଦରେ ମନ ସେହି ଆକର୍ଷଣ ପଛରେ ଗୋଡ଼ାଇଥାଏ । ଆମ୍ଭେମାନେ କେଉଁ ପକ୍ଷରେ ଥିଲୁଁ ନାହିଁ । କେବଳ ଶିଷ୍ଟାଚାରର ସୀମାଲଙ୍ଘନ ଦେଖି ଉଭୟ ପକ୍ଷକୁ ଶାନ୍ତ, ସଂଯତ ଭାବରେ ବାଦ ପ୍ରତିବାଦ କରିବା ସକାଶ ସବିନୟ ଅନୁରୋଧ କରି ପତ୍ର ଲେଖୁଥିଲୁଁ । ଜଣେ ଅନ୍ଧ ଏପରି ଆକୃଷ୍ଟ ହୋଇଥିଲା ଯେ, ବିଜୁଳି ଇନ୍ଦ୍ରଧନୁର ଲେଖା ଶୁଣିବା ପାଇଁ ସେ ଦିନରୁ ଆସି କୁମାରପୁର ସ୍କୁଲରେ ଅପେକ୍ଷା କରି ବସିଥାଏ । ପାଠଶେଷରେ ଆନନ୍ଦରେ ବିଭୋର ହୋଇ ଦୁଇ ମାଇଲ ଦୂରବର୍ତ୍ତୀ ସ୍ୱଗୃହକୁ ଫେରିଯାଏ । ତାହା ପକ୍ଷରେ ଦିନରାତି ସମାନ ।
ଅନ୍ଧର ନାମ ବିଷ୍ଣୁଚରଣ ଦୀକ୍ଷିତ, ଘର ନୂଆଶାସନ ଗ୍ରାମରେ । ନୂଆଶାସନରେ କୁମାରେଶ୍ୱର ମହାଦେବଙ୍କର ଦେଉଳ ଅଛି । କଥିତ ଅଛି–ରାମଚନ୍ଦ୍ରଙ୍କ ବନବାସ କାଳରେ ଲକ୍ଷ୍ମଣ ଏହି ଶିବଲିଙ୍ଗ ପ୍ରତିଷ୍ଠା କରିଥିଲେ । କୁମାରେଶ୍ୱର ବଡ଼ ପ୍ରତାପୀ ଦେବତା । ରାମେଶ୍ୱରଙ୍କ ପରି ତାଙ୍କୁ ସୁଦ୍ଧା ଲୋକେ ନଡ଼ିଆ ମାନସିକ କରନ୍ତି । ଦୀକ୍ଷିତ ବଂଶ ମହାଦେବଙ୍କର ପୁଝାରୀ, ବିଷ୍ଣୁ ଚରଣ ସେହି ବଂଶୀୟ । ସେ ମହାଦେବଙ୍କର ପାଦୋଦକ ଘେନି ପ୍ରାୟ ପ୍ରତିଦିନ କୁମାରପୁରକୁ ଆସେ । ମୋ ପାଖରୁ ମଧ୍ୟ ସାମାନ୍ୟ କିଛି ପାଏ । ସେ ସମ୍ପୂର୍ଣ୍ଣ ଅନ୍ଧ କିନ୍ତୁ ତାହାର ସ୍ମରଣଶକ୍ତି ଅସାଧାରଣ । ସେ ଯାହା ଥରେ ଶୁଣେ, ଆଉ ତାହା ଭୁଲିଯାଏ ନାହିଁ । ଅମରକୋଷ ଅଭିଧାନ, ଚଣ୍ଡୀ, ମହିମ୍ନସ୍ତୋତ୍ର, ବିଷ୍ଣୁ-ସହସ୍ର-ନାମ ଏଗୁଡ଼ିକ ତାହାର କଣ୍ଠସ୍ଥ । ତାହାର ଆଉ ଗୋଟିଏ ଅଦ୍ଭୁତଶକ୍ତି ଏହି ଯେ, ପିଲାମାନଙ୍କ ଲେଖିବା ଖଡ଼ିକୁ ଖୋଳି ସେ ଗଣେଶ, ସରସ୍ୱତୀ, ଦୁର୍ଗା ପ୍ରଭୃତି ଦେବଦେବୀଙ୍କର ସୁନ୍ଦର ଅଳଙ୍କୃତ ମୂର୍ତ୍ତି ତିଆରି କରିପାରେ । ସେରୂପ ଶିକ୍ଷାହୀନ ପଟୁତା କୌଣସି ଚକ୍ଷୁଷ୍ମାନ୍ ନିପୁଣଶିଳ୍ପୀ ପକ୍ଷରେ ସୁଦ୍ଧା ସମ୍ଭବ ନୁହେଁ । ବିଧାତା ତାକୁ ଅନ୍ଧ କରି ତାର ଯେଉଁ କ୍ଷତି କରିଥିଲେ ପ୍ରତିଭାଦାନଦ୍ୱାରା ସେହି କ୍ଷତି ପୂର୍ଣ୍ଣ ମଧ୍ୟ କରିଥିଲେ । ଦୃଷ୍ଟିହୀନର ସୂକ୍ଷ୍ମ କାରୁକଳାରେ ଦକ୍ଷତା ସାମାନ୍ୟ ପ୍ରତିଭାର ପରିଚାୟକ ନୁହେଁ । ଦୁଃଖର ବିଷୟ, ବିଷ୍ଣୁଚରଣ ଜୀବିତ ନାହିଁ । ୨୨।୨୩ ବର୍ଷ ବୟସରେ ସେ ପରଲୋକ ପ୍ରାପ୍ତ ହୋଇଅଛି ।
ଏହି ସମୟରେ ମୋର ପ୍ରଥମ ପୁସ୍ତକ ‘‘ମୋହିନୀ’’ ପ୍ରକାଶିତ ହେଲା । ଦେବହୃଦୟ ପଣ୍ଡିତ ନୀଳମଣି ବିଦ୍ୟାରତ୍ନଙ୍କ ସହାୟତାରେ ଏବଂ ଗୁଣଗ୍ରାହୀ ବାମଣ୍ଡାରାଜା ସଚ୍ଚିଦାନନ୍ଦ ଦେବଙ୍କ ଅର୍ଥାନୁକୂଲ୍ୟରେ ହିତୈଷିଣୀ ପ୍ରେସରେ ‘‘ମୋହିନୀ’’ ଛାପା ହୋଇ ଆସିଲା । ସଚ୍ଚିଦାନନ୍ଦ ଦେବ ସେତେବେଳେ ଯୁବରାଜ ଥିଲେ । ବିଦ୍ୟାରତ୍ନ ମୋତେ ଖାଲି ଉତ୍ସାହ ଦେଇ କ୍ଷାନ୍ତ ହୋଇ ନଥିଲେ– ନାନାଭାବରେ ମୋର ଉନ୍ନତି ଏବଂ ଉପକାର କରି ମୋତେ ଚିରଋଣୀ କରିଯାଇଅଛନ୍ତି । ଘଟଣାକ୍ରମେ ମୋର ଏ ଜୀବନ ପଞ୍ଜିକାର ଅନେକ ସ୍ଥାନରେ ତାଙ୍କ ପବିତ୍ର ନାମ ଲିଖିତ ରହିବ । କାହାରିଠାରୁ ମୋର ଟିକିଏ ପ୍ରଶଂସା ଶୁଣିଲେ ସେ କୁଣ୍ଢେ ମୋଟ ହୋଇ ମୋତେ ତାହା ପତ୍ରଦ୍ୱାରା ଜଣାଇ ଦେଉଥିଲେ । ସମ୍ୱଲପୁର ହିତୈଷିଣୀରେ ମୋର ରଚନା ପଢ଼ି ବାମଣ୍ଡାର ପ୍ରାତଃସ୍ମରଣୀୟ ମହାରାଜା ସୁଢ଼ଳଦେବ ଅନେକ ଥର ଉଚ୍ଚ ମନ୍ତବ୍ୟ ପ୍ରକାଶ କରିଥିଲେ । ବିଦ୍ୟାରତ୍ନ ମୋତେ ଉତ୍ସାହିତ କରିବାପାଇଁ ତାହା ସବୁ ଯଥା ସମୟରେ ମୋତେ ପତ୍ରଦ୍ୱାରା ଜଣାଇ ଦେଉଥିଲେ । ସେ ମୋତେ ଠିକ୍ ଭାଇ ପରି ସ୍ନେହାଦର କରୁଥିଲେ । ବର୍ତ୍ତମାନ ସେ ସ୍ୱର୍ଗରେ, ତାଙ୍କ ଗୁଣ ଭାବିଲେ ଅସହ୍ୟ ଦୁଃଖରେ ନେତ୍ର ଲୋତକପୂର୍ଣ୍ଣ ହୋଇଉଠେ ।
ଏଥିପୂର୍ବରୁ ରାଧାନାଥ ବାବୁଙ୍କ ସହ ମୋର ପରିଚୟ ହୋଇସାରିଥିଲା । ତାଙ୍କ ‘‘ଯଯାତି କେଶରୀ’’ ସମ୍ୱଲପୁର ହିତୈଷିଣୀରେ କ୍ରମଶଃ ଭାବରେ ବାହାରୁଥିଲା । ଠିକ୍ ତାହାରି ତଳେ ମୋର ‘‘ସୁଲକ୍ଷଣା’’ ସେହିପରି କ୍ରମଶଃ ବାହାରୁଥିଲା । ରାଧାନାଥ ହିତୈଷିଣୀକୁ ଖୁବ୍ ସମ୍ମାନ କରୁଥିଲେ । ସେ ଉତ୍ତର ଗସ୍ତରେ ଆସି କେତେ ସପ୍ତାହର ହିତୈଷିଣୀ ପଢ଼ିବାର ସୁବିଧା ପାଇନଥିଲେ । ତେଣୁ ଫେରି ଭଦ୍ରଖରେ ପହୁଞ୍ଚି ହିତୈଷିଣୀ ଖୋଜିଲେ । ତେତେବେଳେ ଭଦ୍ରଖର ସ୍କୁଲ ସବ୍ଇନସ୍ପେକଟ୍ର–ରମାନାଥ ବାବୁ । ତାଙ୍କର ହିତୈଷିଣୀ ଆସୁ ନଥାଏ । ରାଧାନାଥ ବାବୁ ତାଙ୍କୁ ପଚାରି ବୁଝିଲେ ଯେ ମୋ ଛଡ଼ା ଭଦ୍ରଖରେ ଆଉ କେହି ହିତୈଷିଣୀ ଆଣନ୍ତି ନାହିଁ । ତାଙ୍କ ଆଦେଶାନୁସାରେ ରମାନାଥ ବାବୁ କୁମାରପୁରକୁ ଜଣେ ଇନସ୍ପେକଟିଂ ପଣ୍ଡିତ ପଠାଇ ମୋଠାରୁ ହିତୈଷିଣୀ ସାତଖଣ୍ଡ ନେଇ ଗଲେ । ସାତଖଣ୍ଡ ଯାକରେ ଯଯାତିକେଶରୀ ଏବଂ ମୋର ସୁଲକ୍ଷଣା ଥାଏ । ସୁଲକ୍ଷଣା ଭିନ୍ନ ନାମଧରି ପୁସ୍ତକାକାରରେ ପ୍ରକାଶିତ ହୋଇଅଛି । ମୋର କବିତା ତଳେ ମୋର ନାମ ଥାଏ ଏବଂ କୁମାରପୁର ବୋଲି ଠିକଣା ମଧ୍ୟ ଥାଏ । ରାଧାନାଥ ବାବୁ ତାହା ପଢ଼ି ରମାନାଥବାବୁଙ୍କୁ ମୋର ପରିଚୟ ପଚାରିଲେ । ସେ ପରିଚୟ ଦେବାରୁ ତାଙ୍କୁ ଆଦେଶଦେଲେ, ‘‘ମୋର ଆଗାମୀ ଭଦ୍ରଖ ଗସ୍ତବେଳେ ତାଙ୍କୁ ସମ୍ୱାଦ ଦେଇ ଆଣି ମୋତେ ଦେଖାଇବେ ।’’ ତେତେବେଳକୁ ରେଲ ହୋଇ ନଥାଏ–କେନାଲ ପଥରେ କଟକରୁ ଭଦ୍ରଖ୍ ଯାଏଁ ବୋଟ ଯିବାଆସିବା କରୁଥାଏ । ରାଧାନାଥ ବାବୁ ବୋଟରେ କଟକ ଯାଉଁ ଯାଉଁ ଜେନାପୁରଠାରୁ ମୋତେ ଖଣ୍ଡିଏ ଚିଠି ଲେଖି ଦେଇଗଲେ ।ପତ୍ରରେ ମୋର ଲେଖାର ବିସ୍ତର ପ୍ରଶଂସା ସହ ଆଗାମୀ ଗସ୍ତ ସମୟରେ ତାଙ୍କୁ ଭଦ୍ରଖରେ ସାକ୍ଷାତ୍ କରିବାର ଆଦେଶ ମଧ୍ୟ ଥାଏ । ଅଳ୍ପ ଦିନ ପରେ ଭଦ୍ରଖ ଗସ୍ତରେ ଆସି ଡାକବଙ୍ଗଳାରେ ରହିଲେ । ଜଣେ ଇନସ୍ପେକ୍ଟିଂ ପଣ୍ଡିତ ଧାଉଁଡ଼ିଆ ଯାଇ ମୋତେ ଡାକିଆଣିଲା । ମୁଁ ଆସି ସାକ୍ଷାତ୍ କଲି । ପରିଚୟ ପରେ ସାହିତ୍ୟ ସମ୍ୱନ୍ଧରେ ଅନେକ କଥାହେଲା-। ସେହି କଥା ମଧ୍ୟରେ ପ୍ରଚ୍ଛନ୍ନରେ ପରୀକ୍ଷା ଚାଲିଥାଏ । ଶେଷରେ କହିଲେ–‘‘ମୋର କାବ୍ୟ ତ ଆପଣ ସବୁ ପଢ଼ିଛନ୍ତି ? କେଉଁ ଖଣ୍ଡ ଆପଣଙ୍କୁ ଭଲଲାଗେ ?’’ ଏ ପ୍ରଶ୍ନ ଶୁଣି ମୁଁ ହସି ହସି ଉତ୍ତର ଦେଲି–‘‘ରତ୍ନର ଭଲମନ୍ଦ ସିନା ଜହୁରି ବାଛିପାରେ, ମାତ୍ର ସାଧାରଣ ଚକ୍ଷୁରେ ସବୁରତ୍ନ ସମାନ ଆଉ ମୂଲ୍ୟବାନ୍ । ମୁଁ ଜଣେ ସାଧାରଣ ଲୋକ, ଆପଣଙ୍କ ସବୁକାବ୍ୟ ମୋତେ ଜ୍ୟୋତିଷ୍ମାନ୍ ଦିଶେ-।’’ ମୋର ଏ ଉତ୍ତରରେ ସେ ଖୁବ୍ ଖୁସି ହେଲେ । ମୋର ସମସ୍ତ ଲେଖାର ପାଣ୍ଡୁଲିପି ଦେଖିବାକୁ କହିଲେ । ମୁଁ ଯାହା ଯାହା ଲେଖିଥିଲି, ସେ ସମସ୍ତର ପାଣ୍ଡୁଲେଖା ଘରୁ ନେଇ ତାଙ୍କୁ ଦେଲି । ସେଗୁଡ଼ିକ ନିଜ ହାତ ବାକ୍ସରେ ରଖି ମୋତେ କହିଲେ–‘‘ମୁଁ ଆଜି କଟକ ଯାଉଛି, ସେହିଠାରୁ ଆପଣଙ୍କ ପାଣ୍ଡୁଲିପି ସଂଶୋଧନ କରି ମୋର ମନ୍ତବ୍ୟ ସହ ପଠାଇଦେବି । ମୁଁ ଯେବେ ଭଦ୍ରଖ ଆସୁଥିବି, ଆପଣ ମୋତେ ଦେଖାକରୁଥିବେ । ଆପଣ ବରପାଲିର ଗଙ୍ଗାଧର ମେହେରଙ୍କୁ ଜାଣିଥିବେ, ସେ ବି ହିତୈଷିଣୀରେ ଲେଖନ୍ତି । ସେ ଠିକ୍ ଆପଣଙ୍କ ଶ୍ରେଣୀୟ, ବୋଧହୁଏ ଆପଣଙ୍କଠାରୁ ବୟସରେ କିଛି ବଡ଼ ହେବେ । ଦୁହିଙ୍କ ଲେଖା ପଢ଼ି ମୁଁ ଖୁବ୍ ତୃପ୍ତିଲାଭ କରେଁ । ଆପଣ ଖୁବ୍ ଅଳ୍ପ ବୟସରେ ଲେଖା ଆରମ୍ଭ କଲେ । ସାବଧାନ ଥିବେ, ସେ ବଡ଼ ଉଗ୍ର ନିଶା, କୌଣସି କଠିନ ରୋଗରେ ଯେପରି ନ ପଡ଼ନ୍ତି । ମୋର ତ ସେହି ଦଶା ।’’ ଏହାପରେ ମୁଁ ବିଦାୟ ହୋଇ ଆସିଲି । କବିଙ୍କର ଭବିଷ୍ୟତ୍ବାଣୀ ମୋ ଜୀବନରେ ଘଟିଲା । ସେହି ଦିନଠାରୁ ପତ୍ର ଲେଖାଲେଖି ଚାଲିଲା । ତାଙ୍କର ଯେତେବେଳେ ଯେଉଁ ପୁସ୍ତକ ପ୍ରକାଶିତ ହୁଏ, ମୋତେ ତାହା ଉପହାର ପଠାନ୍ତି । ସଂସ୍କୃତ କାବ୍ୟ ନାଟକର ଉପାଦେୟତା ଅନୁଭବ କରି କିଛି ସଂସ୍କୃତ ପଢ଼ିବାକୁ ମୋର ଇଚ୍ଛା ହେଲା । ରାଧାନାଥବାବୁଙ୍କ ଉପଦେଶମତେ ପ୍ରଥମେ ‘‘ଶିକ୍ଷା’’ ଏବଂ ‘‘ଉପକ୍ରମଣିକା’’ ଆରମ୍ଭ କଲି । ‘‘ଶିକ୍ଷା’’ ନୂଆ ବାହାରିଥାଏ । ପ୍ରାପ୍ତିସ୍ଥାନର ଠିକଣା ରାଧାନାଥବାବୁ ଲେଖି ପଠାଇଥିଲେ । ସେ ଭଦ୍ରଖ ଆସିଲେ ମୁଁ ତାଙ୍କୁ ସାକ୍ଷାତ୍ କରେଁ । କେବେ କେବେ ତାଙ୍କ ଚପରାସି ପଦନକୁ ଆମ ଘରକୁ ପଠାଇ ମୋତେ ଡକାଇ ନିଅନ୍ତି । ଏହିପରି ଭାବରେ ପରିଚୟ କ୍ରମେ ଦୃଢ଼ୀଭୂତ ହେଲା । ଅଳ୍ପଦିନ ପରେ ମୋର ପାଣ୍ଡୁଲିପିମାନ ସ୍ଥାନ ବିଶେଷରେ ସଂଶୋଧନ କରି ନିଜର ମନ୍ତବ୍ୟ ଲେଖି ଡାକରେ ପଠାଇଦେଲେ । ସେହି ମନ୍ତବ୍ୟଟି ମୋର ‘‘ମୋହିନୀ’’ ପୁସ୍ତକର ମୂଳରେ ଅଛି ।
ବଙ୍ଗଳା ରାମାୟଣ ଓ ମହାଭାରତ ମୁଁ ଅନେକ ଥର ପଢ଼ିଅଛି । ଓଡ଼ିଆ ପୁରାଣମାନ ପଢ଼ିବା ସକାଶ ମୋର ଭାରି ଆଗ୍ରହ ଜାତ ହେଲା । ତେତେବେଳକୁ ଓଡ଼ିଆରେ ରାମାୟଣ, ମହାଭାରତ ପ୍ରଭୃତି ଛାପା ହୋଇ ନଥାଏ । ତାଳପତ୍ର ପୋଥି ସଂଗ୍ରହ କରି ପଢ଼ିବାକୁ ସମୟାଭାବ, ଅନ୍ୟ ଦ୍ୱାରା ପଢ଼ାଇ ଶୁଣିବା ମଧ୍ୟ ସୁବିଧାଜନକ ନୁହେଁ, ତହିଁକି ବା ସମ୍ୱଳ କାହିଁ ? ଅନେକ ଭାବିଚିନ୍ତି କୁମାରପୁର ସ୍କୁଲରେ ଗୋଟିଏ ପୁରାଣ ସଭା ସ୍ଥାପନ କଲି । ହରି ଅଗସ୍ତି ନାମରେ ଜଣେ ସୁବ୍ରାହ୍ମଣ ପାଠକ ନିଯୁକ୍ତ ହେଲେ । ପିଲାମାନେ ରାତି ପଢ଼ା ଶେଷକରି ଗଲା ପରେ ପ୍ରାୟ ଆଠଟା ସମୟରେ ପୁରାଣ ଆରମ୍ଭ ହୁଏ, ପ୍ରାୟ ବାରଟାରେ ଶେଷ ହୁଏ । ଗ୍ରାମର ଅନେକ ଲୋକ ଆସି ଶୁଣନ୍ତି । ଯେଉଁଦିନ ଯେଉଁ ପୁରାଣ ପଢ଼େ, ସେଦିନ ଶ୍ରୋତାମାନେ କିଛି କିଛି ଦକ୍ଷିଣା ଦିଅନ୍ତି, ମୁଁ ବି କିଛି ଦିଏଁ । ଏହି ସୂତ୍ରରେ ପୁରାଣପାଠକ ସାତ ଆଠ ଟଙ୍କା ପାଇଯାଆନ୍ତି । ଏହିପରି ରାମାୟଣ, ମହାଭାରତ, ହରିବଂଶ ପ୍ରଭୃତି ଅନେକ ପୁରାଣ ପାଠ ହେଲା । ଗଣେଶ୍ୱରପୁର ଶାସନ ନିବାସୀ ଦୀନବନ୍ଧୁ ପଣ୍ଡାଙ୍କର ସେ ସମୟରେ ପୁରାଣ ପଢ଼ାରେ ଭାରି ନାମ ଡାକ ଥିଲା । ଦିନେ ତାଙ୍କୁ ଡାକରା ହେଲା, ସେ ରାମାୟଣ ପଢ଼ିଲେ । ହନୁମାନର ଯୁଦ୍ଧ ପଢ଼ିଲାବେଳେ ପଣ୍ଡେ ଠିକ୍ ହନୁମାନ ହୋଇଯାନ୍ତି । ଆଖି ତରାଟି ଦାନ୍ତ କଡ଼ମଡ଼ ରଗଡ଼ି ଗଭୀର ଗର୍ଜନରେ ଲମ୍ପଝମ୍ପ ମାରି ଠିକ୍ ବୀରମୂର୍ତ୍ତି ଧାରଣ କରନ୍ତି । ତେତେବେଳେ ତାଙ୍କର ଅଭିନୟ ଦେଖି ଡରମାଡ଼େ, ପୁଣି ହସ ବି ମାଡ଼େ । ଓଡ଼ିଆ ପୁରାଣ ଶେଷରେ ସଂସ୍କୃତ ଭାଗବତ ଆରମ୍ଭ ହେଲା । ଟୋଲପଣ୍ଡିତ ଅନିରୁଦ୍ଧ ଷଡ଼ଙ୍ଗୀ ଶ୍ଳୋକ ପାଠକରି ଖୁବ୍ ସରଳଭାଷାରେ ଅର୍ଥ ବୁଝାଇ ଦିଅନ୍ତି । ମୋର ବାଲ୍ୟଗୁରୁ ଦାଶରଥି ପାଣିଗ୍ରାହୀ ତେତେବେଳେ ଦୋଳସାହି ସର୍କଲର ଇନ୍ସପେକ୍ଟିଙ୍ଗ ପଣ୍ଡିତ ଥାଆନ୍ତି । ସେ ଜଣେ ପରମାର୍ଥ ପରାୟଣ ବ୍ୟକ୍ତି । ଦୁଇ ମାଇଲ ଦୂରବର୍ତ୍ତୀ ସ୍ଥାନରୁ ଆସି ସେ ପ୍ରତ୍ୟହ ସଭାରେ ଯୋଗ ଦିଅନ୍ତି । କୁମାରପୁରର ଏବଂ ନିକଟବର୍ତ୍ତୀ ଗ୍ରାମମାନଙ୍କର ବୃଦ୍ଧ, ଶିକ୍ଷିତ ଏବଂ ଧର୍ମପ୍ରାଣ ପ୍ରବୀଣ ବ୍ୟକ୍ତିମାନେ ଆସି ମଧ୍ୟ ଯୋଗ ଦିଅନ୍ତି । ଧର୍ମ ବିଷୟରେ ନାନା ଆଲୋଚନା ହୁଏ । ପ୍ରତିବର୍ଷ ମୁଁ ସ୍କୁଲରେ ସରସ୍ୱତୀ ପୂଜା କରେଁ । ପ୍ରତିମା ମାଟିରେ ପ୍ରସ୍ତୁତ ହୁଏ, ବସନ ଭୂଷଣ ସବୁ ସେହି ମାଟିରେ ହୁଏ । ବୈଦିକମତରେ ପୂଜା ହୁଏ, ଜଣେ ସଂସ୍କୃତଜ୍ଞ ପ୍ରବୀଣ ପୂଜକ ଠିକ୍ ବିଧି ଅନୁସାରେ ପୂଜା କରନ୍ତି । ଅନେକ ବର୍ଷଯାଏଁ ମୁଁ ସରସ୍ୱତୀ ପୂଜା କରୁଥିଲି, ଶେଷରେ ଉପଯୁକ୍ତ ପୂଜକ ଅଭାବରୁ ଛାଡ଼ିଦେଲି । ଗୁଆମାଳରେ ପୁରୁଷୋତ୍ତମ ହୋତା ମୋର ସରସ୍ୱତୀ ପୂଜା କରୁଥିଲେ । ସେ ଜଣେ ନିଷ୍ଠାପର ବ୍ରାହ୍ମଣ ଏବଂ ସୁପୂଜକ । ତାଙ୍କପୂଜାରେ ମୋର ସମ୍ପୂର୍ଣ୍ଣ ବିଶ୍ୱାସ-। ତାନ୍ତ୍ରିକ ପୂଜାରେ ତାଙ୍କର ଅସାଧାରଣ କ୍ଷମତା ଦେଖି ମୁଁ ଆଶ୍ଚର୍ଯ୍ୟାନ୍ୱିତ ହୋଇଅଛି । ମୋର ଗୋଟିଏ ଗରିବ ଛାତ୍ର ଦିନରେ ୧୦।୧୨ ଥର ମୂର୍ଚ୍ଛାଯାଏ । ରୋଗ ନିରୂପଣ ସକାଶ ମୁଁ ଅନେକ କବିରାଜଙ୍କୁ ପଚାରିଲି, ମାତ୍ର ପତ୍ୟେକ ବିଭିନ୍ନ ମତ ପ୍ରକାଶ କଲେ । ଶେଷରେ ପୁରୁଷୋତ୍ତମ ହୋତାଙ୍କର ଆଶ୍ରୟ ନେଲି, ଦିନେ ଅକସ୍ମାତ୍ ତାଙ୍କୁ ଏକଥା ପଚାରିଲି । ସେ ମୋତେ ଗୋଟାଏ ନିର୍ଜନ ଘରେ ବସାଇ ରୋଗୀ ଛାତ୍ରଟିକୁ ଡାକିବାକୁ କହିଲେ, ଛାତ୍ରଟି ଆସିଲା । ହୋତା ତାକୁ ଏକ ନିଃଶ୍ୱାସରେ ଲୋଟାଏ ପାଣି ଆଣିବାକୁ କହିଲେ । ପିଲାଟି ପାଣି ଆଣିଲା । ଗୋଟାଏ ଘିଅ ଦୀପ ଜଳାଗଲା; ଲେଖନ, ତାଳପତ୍ର ଏବଂ ଟିକିଏ ସିନ୍ଦୂର ଅଣାହେଲା । ହୋତା ପୂଜାରେ ବସି ମନ୍ତ୍ର ଜପକଲେ । ଜପ ଶେଷରେ ପିଲାଟି ହାତରେ ଲେଖନ ତାଳପତ୍ରରେ କି ଗୋଟାଏ ଦୁର୍ବୋଧ୍ୟ ମନ୍ତ୍ର ଲେଖାଇ ସେଥିରେ ସିନ୍ଦୂର ବୋଳି ତାକୁ ଦୀପରେ ପୋଡ଼ି ପକାଇଲେ । ପାଉଁଶଗୁଡ଼ିକ ନିଜ ହାତ ଚକିରେ ବୋଳି ହାତ ଦେଖାଇ ଉପରୋକ୍ତ ଲୋଟାରୁ ପାଣି ଢାଳିବାକୁ କହିଲେ । ପିଲାଟି ପାଣି ଢାଳିଲା ପରେ ଦେଖାଗଲା–ହାତରେ ଗୋଲ ଅକ୍ଷରରେ ସ୍ପଷ୍ଟରୂପେ ଲେଖା ହୋଇଅଛି–‘‘ଏ ଦେବ ଉନ୍ମାଦ ବାତ’’ । ମୁଁ ଦେଖି ତାଟଙ୍କା ହୋଇଗଲି । ଛଗଳାଦିଘୃତ ଉନ୍ମାଦରୋଗର ଔଷଧ । ସ୍ୱର୍ଗୀୟ ବ୍ୟାସକବି ଫକୀରମୋହନ ସେନାପତିଙ୍କଠାରୁ ସେହି ଔଷଧ ଆଣି ପିଲାଟିକୁ ଖୁଆଇଲି । ଦୁଇଅଣା ଓଜନର ଔଷଧ ଖାଇ ରୋଗୀ ସମ୍ପୂର୍ଣ୍ଣ ରୋଗମୁକ୍ତ ହେଲା । ଫକୀରମୋହନବାବୁଙ୍କର ଜାମାତା ରଘୁନାଥ ଚୌଧୁରୀ ଭଦ୍ରଖରେ ନାଜର ଥିଲେ । ସେ ଆମ ଘରେ ବସା କରିଥିଲେ । ଫକୀରମୋହନବାବୁ ତେତେବେଳେ କେନ୍ଦୁଝରର ଦେଓ୍ୱାନ । ଭଦ୍ରଖ ଆସିଲେ ସେ ଝିଅକୁ ଦେଖା କରିବାକୁ ଆସନ୍ତି । ଏହି ସୂତ୍ରରେ ତାଙ୍କ ସଙ୍ଗରେ ମୋର ଆଗରୁ ପରିଚୟ ହୋଇଥିଲା । ସେ ମୋତେ ନାତି ଲେଖାକରି ବଡ଼ ସ୍ନେହ କରନ୍ତି । ମୋତେ ସେ କେନ୍ଦୁଝର ନେଇଯିବାକୁ ଇଚ୍ଛା କରିଥିଲେ । ସେହି ସମୟରେ କେନ୍ଦୁଝରରେ ଭୟଙ୍କର ପ୍ରଜାବିଦ୍ରୋହ ଘଟିବାରୁ ଏବଂ ଫକୀରମୋହନବାବୁ ସେଠାରୁ ଚାଲି ଆସିବାରୁ ତାଙ୍କର ସେ ସଙ୍କଳ୍ପ କାର୍ଯ୍ୟରେ ପରିଣତ ହୋଇପାରିଲା ନାହିଁ ।
ସେହି ସମୟରେ ‘‘ସମ୍ୱଲପୁର ହିତୈଷିଣୀ’’ରେ ଫକୀରମୋହନ ବାବୁଙ୍କର ଖଣ୍ଡିଏ ଚିଠି ପ୍ରକାଶିତ ହୋଇଥିଲା । ତାହା କବିଙ୍କର ଅସାଧାରଣ ପ୍ରତ୍ୟୁତ୍ପନ୍ନମତି, ଅପୂର୍ବ ପ୍ରତିଭା, ଅଦ୍ଭୁତକୌଶଳ ଏବଂ ବାକ୍ଚାତୁରୀର ପରିଚାୟକ । ସେହି ପ୍ରବଳ ମେଳି ସମୟରେ ରାଜା ଧନୁର୍ଜୟ ଭଞ୍ଜ ଏବଂ ଫକୀରମୋହନ ବାବୁ ବଅନ୍ତ ବାହାରି ଆସିଲେ । ସଙ୍ଗରେ କେତେଟା ହାତୀ ଏବଂ ଅଳ୍ପ ସଂଖ୍ୟକ ପାଇକ ଆଣିଥିଲେ । ବଅନ୍ତରେ ଆସି ଶୁଣିଲେ–ମେଳିଆମାନେ ଖଜଣାଖାନା ଲୁଟ୍କରି ଗଡ଼ ଆକ୍ରମଣ କରିବାକୁ ବାହାରିଛନ୍ତି । ଫକୀରମୋହନବାବୁ ଏ ବିପଦବାର୍ତ୍ତା ଶୁଣି ଅଧୀର ହୋଇ ପଡ଼ିଲେ । ରାଜାଙ୍କୁ କହିଲେ–‘‘ମୋର ପ୍ରାଣପଛେ ଯାଉ, ମୁଁ ଯାଉଛି, ରାଣୀଙ୍କୁ ଉଦ୍ଧାର କରିବାର ଚେଷ୍ଟା କରିବି ।’’ ଏହା କହି ହାତୀରେ ଚଢ଼ି କେତେ ଜଣ ପାଇକ ନେଇ ବାହାରିଲେ । ଯାଉଁ ଯାଉଁ ବାଟରେ ମେଳିଆମାନଙ୍କଦ୍ୱାରା ବନ୍ଦୀ ହେଲେ । ମେଳିଆ ସର୍ଦ୍ଦାର ଧରଣୀଧର ଭୂୟାଁ ତାଙ୍କୁ ନେଇ ଗୋଟାଏ ନିର୍ଜନ ପର୍ବତ ଉପରେ ଲୁଚାଇ ରଖିଲା । ଏକଥା ଗଡ଼ରେ କେହି ଜାଣିପାରିଲେ ନାହିଁ, ରାଜା ବି ଜାଣିପାରିଲେ ନାହିଁ । ଫକୀରମୋହନବାବୁ ଉଦ୍ଧାର ଉପାୟ ଚିନ୍ତା କରିବାକୁ ଲାଗିଲେ । ସେ ଧରଣୀର ଦେବାନ ପଦ ଗ୍ରହଣ କଲେ । ତାଙ୍କ ସଙ୍ଗରେ ତାଙ୍କର ଜଣେ ବିଶ୍ୱାସୀ ଚାକର ବନ୍ଦୀ ହୋଇ ଆସିଥିଲା । ସେ ତାକୁ କହିଲେ–ମୁଁ ଧରଣୀପାଖରେ ବସିଥିବାବେଳେ ତୁ ଯାଇ ତଳେ ଗଡ଼ି ଛାଟିପିଟି ହୋଇ ଖୁବ୍ କାନ୍ଦିବୁ, ମାତ୍ର କିଛି କହିବୁ ନାହିଁ, ଯାହା କହିବାର ମୁଁ ସବୁ କହିବି । ଚାକରଟି ଠିକ୍ ସେହିପରି କଲା । ଧରଣୀ କାରଣ ପଚାରିବାରୁ ଫକୀରମୋହନ କହିଲେ–ଆଜ୍ଞା, ଏ ମୋର ଚାକର, ଲୋକଟା ଭାରି ହୁଣ୍ଡା ପୁଣି ହାଉଡ଼ା । ତାହାର ପେଟ ବିନ୍ଧାରୋଗ, ତାହାର ଔଷଧ ମୋ ବସାରେ ଅଛି । ତାକୁ ଛାଡ଼ି ନଦେଲେ ସେ ଏହିକ୍ଷଣି ମରିଯିବ । ସେ ଯାଉ ଔଷଧ ନେଇଆସିବ । ସେଟା ହାଉଡ଼ା, କଥା କହିପାରେ ନାହିଁ, ସୁତରାଂ ଭୟର କିଛି କାରଣ ନାହିଁ । ରଜା ତ କୁଆଡ଼େ ପଳେଇଲାଣି, ଛାମୁ ବର୍ତ୍ତମାନ ରାଜା । ରାଜ୍ୟ ତ ଛାମୁଙ୍କର, ଗନ୍ତାଘର ଗନ୍ତାଘରିଆ ତ ଛାମୁଙ୍କର । ଛାମୁ ତ ଢେର ପାନ ଖାଆନ୍ତି, ପାନ ଆସି ସରିଲାଣି । ମୁଁ ଗନ୍ତାଘରିଆକୁ ଛାମୁଙ୍କର ହୁକୁମନାମା ଲେଖିଦେଉଛି, ଦୁଇଜଣ ପାଇକ ତାହା ଧରି ଯାଆନ୍ତୁ । ସେମାନେ ଗନ୍ତାଘରିଆଠାରୁ ପାନ ଆଣିବେ, ଆଉ ଏ ରୋଗୀଟା ବି ସଙ୍ଗରେ ଯାଉ, ତାହାର ଔଷଧ ଘେନି ଆସିବ । ଧରଣୀ ଏଥିରେ ସମ୍ମତି ହେବାରୁ ଦୁଇଜଣ ପାଇକ ହୁକୁମ୍ନାମା ଧରିଗଲେ । ବାବୁଙ୍କ ଚାକରଟି ବି ସଙ୍ଗରେ ଗଲା । ଫକୀରମୋହନବାବୁଙ୍କ ବସାରେ ଭୋଳାନାଥ ବୋଲି ତାଙ୍କର ଜଣେ ଆତ୍ମୀୟ ଥିଲା । ଚାକର ହାତରେ ତାହା ପାଖକୁ ବାବୁ ଖଣ୍ଡେ ଚିଠିଦେଲେ । ସେଥିରେ ଲେଖାଥିଲା,–
ମୋର ଆଖୁକ୍ଷେତ ଶୁଖିଯାଇଥିବ, ତେଣ୍ଡାମାରି ପାଣି ବୁହାଇବ । ଦକ୍ଷିଣରୁ ତେଣ୍ଡା ମାରିଲେ ପାଣି ଉଠିବା ବିଳମ୍ବ ହେବ, ତୁମ୍ଭେ ଉତ୍ତରରୁ ତେଣ୍ଡା ମାରିବ । ଗୁଡ଼ିଏ ସିତାର ତାର ପଠାଇଲି, ମୋର ସିତାରରେ ଚଢ଼ାଇବ । ଖୁବ୍ କସିକରି ତାର ଚଢ଼ାଇବ । ମୋ ପାଇଁ କିଛି ବାଲେଶ୍ୱରୀ ପାନ ଆଉ କଟକୀ ଗୁଆ ପଠାଇବ ।’’
ଏହାର ଅର୍ଥ–‘‘କଟକ କମିସନର ଏବଂ ବାଲେଶ୍ୱର କଲେକ୍ଟରଙ୍କୁ ଟେଲିଗ୍ରାମ୍ କରି ଘଟଣା ଜଣାଇବ । ଦକ୍ଷିଣ ମାନ୍ଦ୍ରାଜ ଅଞ୍ଚଳରୁ ସୈନ୍ୟ ଆସିବାକୁ ବିଳମ୍ବ ହେବ, ସୁତରାଂ ଉତ୍ତର ଅଞ୍ଚଳ କଲିକତାକୁ ଛୋଟଲାଟଙ୍କ ପାଖକୁ ତାର କରି ଶୀଘ୍ର ସୈନ୍ୟ ଆଣିବାକୁ ଚେଷ୍ଟା କରିବ ।’’ ଏହା କବିକଳ୍ପନାର ଚୂଡ଼ାନ୍ତ ଏବଂ ସାମାନ୍ୟ ବୁଦ୍ଧିମତ୍ତାର କଥା ନୁହେଁ । ଭୋଳାନାଥ ଏ ପତ୍ର ପାଇ ଏବଂ ଚାକରଠାରୁ ସବୁ ଅବଗତ ହୋଇ ଅତିଶୀଘ୍ର ଭଦ୍ରଖ ଆସି ସବୁ ସ୍ଥାନକୁ ଟେଲିଗ୍ରାମ୍ କରିଦେଲେ । ଫଳରେ କମିଶନର, କଲେକ୍ଟର ଏବଂ ପୋଲିସ ସାହେବ ବ୍ରିଟୀଶ ଫୌଜ ଘେନି କେନ୍ଦୁଝରରେ ପହୁଞ୍ଚିଲେ ଏବଂ ଧରଣୀକୁ ଧରି ଭଦ୍ରଖ ଘେନି ଆସିଲେ । ବିଚାରରେ ଧରଣୀକୁ କୋଡ଼ିଏ ବର୍ଷ ନିର୍ବାସନ ଦଣ୍ଡ ହେଲା । ଏହି ଅଦ୍ଭୁତ କୌଶଳରେ ଫକୀରମୋହନ ବାବୁ ବନ୍ଦୀରୁ ମୁକ୍ତ ହେଲେ ଏବଂ ମେଳି ମଧ୍ୟ ଭାଙ୍ଗିଗଲା । କଥା ଲହସରେ ଅନେକଦୂର ଚାଲିଆସିଲି, ଏବେ ପୂର୍ବସ୍ଥାନକୁ ଫେରିଯିବି ।
କୁମାରପୁର ସ୍କୁଲର ସମ୍ପାଦକ ପରଶୁରାମ ପାଣିଗ୍ରାହୀ ସେ ଅଞ୍ଚଳର ଜଣେ ବିଶିଷ୍ଟ ବ୍ୟକ୍ତି । ତାଙ୍କୁ ସମସ୍ତେ ମହାଜନ ବୋଲି କହନ୍ତି । ଗୁଆମାଳ ଆଠ ଶାସନ ମଧ୍ୟରେ ତାଙ୍କର ଧାନ ଟଙ୍କା ମହାଜନୀ ଚଳୁଥାଏ । ସେଥିପାଇଁ ସେ ଦଶଟଙ୍କା ଇନକମ୍ଟାକ୍ସ ଦେଉଥିଲେ । ତେତେବେଳେ ଯାହାର ହଜାରେ ଟଙ୍କା ବାର୍ଷିକ ଆୟ, ସେ ଦଶଟଙ୍କା ଉକ୍ତ ଟାକ୍ସ ଦେଉଥିଲା । ଆଠଶାସନ ମିଶି ଗୁଆମାଳ ଏହାପୂର୍ବରୁ କହିଅଛି । ଉତ୍କଳର ଶେଷ ସ୍ୱାଧୀନ ସମ୍ରାଟ୍ ମୁକୁନ୍ଦଦେବ ତୀର୍ଥଯାତ୍ରା ସମୟରେ ଏହି ଆଠଟି ଶାସନ ବସାଇଥିବାର କିମ୍ବଦନ୍ତୀ ଅଦ୍ୟାପୀ ପ୍ରଚଳିତ ଅଛି । ପରଶୁରାମ ପାଣିଗ୍ରାହୀ ସେହି ଆଠଶାସନରେ ବଡ଼ ମହାଜନ ଥିଲେ । ସେ ଜଣେ ହୁରହୁଲୁରିଆ ଥିଲେ । ଅନେକ ଶିଳ୍ପରେ ତାଙ୍କର ଶିକ୍ଷା ବିହୀନ ପଟୁତା ଯଥେଷ୍ଟ ଥିଲା । କୁମାରପୁର ସ୍କୁଲ ଘରଟିକୁ ସେ ଚିତ୍ର ପ୍ରଦର୍ଶନୀ ପରି ସଜାଇ ଥିଲେ । ପରିଶ୍ରମ ତାଙ୍କ ଜୀବନର ସହଚର, ତାଙ୍କୁ ନିଷ୍କର୍ମା ହୋଇ ବସି ରହିବାର କେବେ କେହି ଦେଖିନାହିଁ । କୃଷିବିଦ୍ୟାରେ ତାଙ୍କର ଦକ୍ଷତା ଅନୁକରଣୀୟ । ଗୋଟାଏ ଗୋଟାଏ ମାରିସ ଗଛକୁ ଖତ ମାଟି ଦେଇ ଏପରି ବଢ଼ାଇଥାଆନ୍ତି ଯେ, ସେଥିରେ ବଳଦ ବାନ୍ଧିଲେ ଉପୁଡ଼େ ନାହିଁ । ସେହିପରି ଗୋଟାଏ ଗଛ ବର୍ତ୍ତମାନ ଚାରିଅଣାରୁ ଅଧିକ ହେବ । ତାଙ୍କ ସ୍ତ୍ରୀଙ୍କ ପରି ଦୟାବତୀ ନାରୀ ଖୁବ୍ ଅଳ୍ପ ଦେଖାଯାନ୍ତି । ଦୁଃଖିର କଷ୍ଟ ଦେଖିଲେ ବା ଶୁଣିଲେ ତାଙ୍କର ଚକ୍ଷୁ ଶୁଷ୍କ ରହେନାହିଁ । ବୋଧହୁଏ ବିଧାତା ତାଙ୍କୁ କେବଳ ଅଶ୍ରୁ ଉପାଦାନରେ ତିଆରି କରିଥିଲେ । ଗୁପ୍ତଦାନ ତାଙ୍କର ଖୁବ୍ ପ୍ରିୟକାର୍ଯ୍ୟ ଥିଲା । ସେଥିପାଇଁ ସମୟ ସମୟରେ ପରିବାରଙ୍କଠାରୁ ଗଞ୍ଜଣା ମଧ୍ୟ ଭୋଗ କରୁଥିଲେ । ସେ ଯାହା ନକରନ୍ତି, ଏପରି ଉଷାବ୍ରତ ନାହିଁ । ସ୍ୱାମୀ ସ୍ତ୍ରୀ ଦୁହେଁ ମୋତେ ପୁତ୍ରାଧିକ ସ୍ନେହ କରନ୍ତି । ତାଙ୍କର ଜ୍ୟେଷ୍ଠପୁତ୍ର ଜଗବନ୍ଧୁ ମୋର ଅକୃତ୍ରିମ ବନ୍ଧୁ । ତାଙ୍କର ସାଧୁ ସରଳ ସଦୟ ବ୍ୟବହାର ମୁଁ ଜୀବନରେ ଭୁଲି ପାରିବି ନାହିଁ ।
ବର୍ଷକ ପରେ ରାଧାନାଥ ବାବୁ ପୁଣି ଭଦ୍ରଖ ଗସ୍ତରେ ଆସିଲେ । ତାଙ୍କ ଆସିବା କେହି ଜାଣନ୍ତି ନାହିଁ । ରବିବାର ଛୁଟିରେ ମୁଁ ଘରକୁ ଆସିଥିଲି । ତାଙ୍କ ଚପରାସି ପଦନ ଆସି ମୋତେ ଡାକି ନେଇଗଲା । ମୁଁ ଯାଇ ଡାକବଙ୍ଗଳାରେ ତାଙ୍କୁ ସାକ୍ଷାତ୍ କଲି । ସେ ବାରନ୍ଦାରେ ଖଣ୍ଡିଏ ଶପ ଉପରେ ବସି କଅଣ ଲେଖୁଥିଲେ । ମୋତେ ସେହି ଶପରେ ବସିବାକୁ କହିଲେ । ସାହିତ୍ୟ ଏବଂ ଅନ୍ୟାନ୍ୟ ବିଷୟରେ ଅନେକ କଥାହେଲା । ମୋତେ ପଚାରିଲେ–ଆପଣ କେବେ ଅରଣ୍ୟ ବା ପର୍ବତ ଦେଖିଛନ୍ତି କି ? ମୁଁ କହିଲି–ଦେଖିବାକୁ ଇଚ୍ଛାହୁଏ କିନ୍ତୁ ଦେଖିବାର ସୁବିଧା ନାହିଁ । ତହୁଁ ସେ କହିଲେ–ଆପଣଙ୍କର ତାହା ଦେଖିବା ଉଚିତ । ସେ ସବୁ ସ୍ଥାନରେ ମୁକ୍ତ ପ୍ରକୃତିର ଉଲଗ୍ନ ଶୋଭା ଖେଳି ବୁଲୁଥାଏ । ଥରେ ଆପଣ ଯାଇ ଆଗରପଡ଼ା ଅଞ୍ଚଳ ବୁଲି ଦେଖିଆସନ୍ତୁ । ସେ ଅଞ୍ଚଳରେ ପ୍ରାକୃତିକ ଓ ଐତିହାସିକ ଦୃଶ୍ୟ ଅନେକ ଅଛି । ଏହି ସମୟରେ ଜଣେ ବ୍ରାହ୍ମଣକୁ ସେହି ଆଡ଼କୁ ଆସୁଥିବାର ଦେଖି ମୋତେ କହିଲେ ଏହି ବ୍ରାହ୍ମଣଟି ଜଣେ ପଣ୍ଡିତ, ଘର ଯାଜପୁର । ସେ ଜଣେ ଅଗ୍ନିହୋତ୍ରୀ, ତାଙ୍କର ସଂସ୍କୃତ ଶୁଣିବେ ରହନ୍ତୁ, ସେ ସଂସ୍କୃତ ଜାଳାରେ ଆପଣ ରହିପାରିବେ ନାହିଁ । ଏହି କଥା କହୁଁ କହୁଁ ବ୍ରାହ୍ମଣ ଆସି ପହଞ୍ଚିଗଲେ । ଯଥାବିଧି ପ୍ରଣାମ, ଆଶୀର୍ବାଦର ଅଦଳ ବଦଳ ପରେ ବ୍ରାହ୍ମଣ ଆସି ସ୍ୱତନ୍ତ୍ର ଆସନରେ ବସିଲେ । ତହୁଁ ରାଧାନାଥବାବୁ ତାଙ୍କୁ କହିଲେ–ଆପଣ ଗଙ୍ଗାରେ ସ୍ନାନ କରୁଥିବାବେଳେ କାଶୀରାଜା ଆପଣଙ୍କ ବାସସ୍ଥାନ କେଉଁଠି ବୋଲି ସଂସ୍କୃତରେ ପଚାରିବାରୁ ଆପଣ କଅଣ କହିଲେ ? ତହୁଁ ବ୍ରାହ୍ମଣ ପାଟି ବିସ୍ତାର କରି ସଂସ୍କୃତ ବାକ୍ୟ ଉଚ୍ଚାରଣ କରିବାକୁ ଲାଗିଲେ । ବାସ୍ତବରେ ତାଙ୍କର ଉଚ୍ଚସ୍ୱରରେ କାନ୍ଥ ବାଡ଼ ଥରି ଉଠିଲା ପରି ବୋଧ ହେଲା । ତାଙ୍କ କଥା ମଧ୍ୟରେ ‘‘ନାଭିଗୟା’’ ଶବ୍ଦ ଥିଲା । ସେ ତାକୁ ‘‘ଲାଭିଗୟା’’ ବୋଲି ଉଚ୍ଚାରଣ କଲେ । ରାଧାନାଥବାବୁ ତାହା ଶୁଣି ‘‘ବାସ୍ତବିକ ଲାଭିଗୟା, ବାସ୍ତବିକ ଲାଭିଗୟା–ଯାଜପୁର ବାସ୍ତବିକ ଲାଭିଗୟା’’ ବୋଲି କହି ମୃଦୁ ମୃଦୁ ହସିବାକୁ ଲାଗିଲେ ଏବଂ ମୋ ଆଡ଼କୁ କଣେଇଁ କଣେଇଁ ଚାହିଁବାକୁ ଲାଗିଲେ । କିନ୍ତୁ ଅଗ୍ନିହୋତ୍ରୀ ନିଜର ଭୁଲ ବୁଝିପାରିଲେ ନାହିଁ । ଏହି ବିଦ୍ରୂପକୁ ନିଜର ପ୍ରୌଢ଼ୀ ମଣି ଆନନ୍ଦରେ ସ୍ଫୀତ ହେଲା ପ୍ରାୟ ବୋଧ ହେଲେ । କିଛିକ୍ଷଣ ପରେ ବ୍ରାହ୍ମଣ ଆଠ ଅଣିଟିଏ ଦକ୍ଷିଣା ପାଇ ବିଦାୟ ହୋଇଗଲେ । ମୁଁ ମଧ୍ୟ ବିଦାୟ ହୋଇ ଆସିଲି । ଆସିବାବେଳେ ରାଧାନାଥବାବୁ ମୋତେ କହିଲେ–ଏହି ଗସ୍ତରେ ମୁଁ ଦୋଳସାହି ସ୍କୁଲ ଦେଖି ଗଣେଶ୍ୱରପୁର ଟୋଲ ଦେଖିବାକୁ ଯିବି–ଆପଣଙ୍କ କୁମାରପୁର ସ୍କୁଲ ମଧ୍ୟ ଦେଖିବି । ତାଙ୍କଠାରୁ ବିଦାୟ ହୋଇଆସି ମୁଁ ସେହି ଦିନ କୁମାରପୁର ଗଲି ।
କହିବାକୁ ଭୁଲିଯାଇଅଛି–ଏଥିମଧ୍ୟରେ ମୋ ଭାଗ୍ୟାକାଶରେ କେତେ ଜଣ ଗୁପ୍ତ ଶତ୍ରୁ ଧୂମକେତୁ ପରି ଆବିର୍ଭୂତ ହୋଇ ଖୁବ୍ ଆସ୍ଫାଳନରେ ପୁଚ୍ଛ ସଞ୍ଚାଳନ କରିବାକୁ ଲାଗିଲେ । ସେମାନେ ଶିକ୍ଷିତ ଶତ୍ରୁ । ତେତେବେଳେ ଭର୍ଣ୍ଣାକ୍ୟୁଲାର ସ୍କୁଲର ହେଡ଼ପଣ୍ଡିତ ଏବଂ ଇନ୍ପେକ୍ଟିଂ ପଣ୍ଡିତମାନେ ବଡ଼ପାଠୁଆ ବୋଲାଉ ଥିଲେ । ସେହି ଶ୍ରେଣୀୟ ଦୁଇ ତିନି ଜଣ ମୋର ଶତ୍ରୁ ହୋଇଥିଲେ । ସେମାନଙ୍କ ନାମ ପ୍ରକାଶ କରି ତାଙ୍କର ସ୍ୱର୍ଗୀୟ ଆତ୍ମାକୁ ଅସମ୍ମାନ କରିବା ମୋର ସ୍ୱଭାବ ବିରୁଦ୍ଧ । ବୈରତାର କାରଣ ଏହି ଯେ, ମୋଠାରୁ ସେମାନେ କିଛି ଅତିରିକ୍ତ ସମ୍ମାନ ଆଦାୟ କରିବାକୁ ଆଶା କରନ୍ତି, ମାତ୍ର ଶିଷ୍ଟାଚାର ହିସାବରେ ଯେତିକି ତାଙ୍କର ପ୍ରାପ୍ୟ ମୁଁ ତାହାଠାରୁ ରେଣୁଏ ଅଧିକ ଦେବାକୁ ଅସ୍ୱୀକୃତ । ମୋର ପ୍ରତିଷ୍ଠା ବୃଦ୍ଧି ଏବଂ ଉପରିସ୍ଥ କର୍ମଚାରୀମାନଙ୍କର ଆନୁକୂଲ୍ୟ ସେମାନଙ୍କ ଶତ୍ରୁତା ବ୍ୟାଧିର ଉପସର୍ଗ ହୋଇ ଉଠିଲା । ମୋ ନାମରେ ଅନେକ ବେନାମି ଦରଖାସ୍ତ ପଡ଼ିଲା । ସେ ସବୁ ତଦାରଖ ପାଇଁ ଇନ୍ସପେକ୍ଟର ରମାନାଥ ବାବୁଙ୍କ ପାଖକୁ ଆସେ । ସେ ତଦାରଖ ନ କରି ଦରଖାସ୍ତ ଉପରେ ‘‘ମିଥ୍ୟା’’ ବୋଲି ମନ୍ତବ୍ୟ ଲେଖି ଫେରାଇ ଦିଅନ୍ତି । ମୁଁ ମାସରେ ପନ୍ଦର ଦିନ ଘରେ ଥାଏଁ, ପିଲାଙ୍କୁ ନ ପଢ଼ାଇ ସବୁବେଳେ ବସି କବିତା ଲେଖେଁ । ଏହିପରି ମିଥ୍ୟା ଅପବାଦରେ ଦରଖାସ୍ତ ପୂର୍ଣ୍ଣ ହୋଇଥାଏ । ଏଣେ ପ୍ରତିବର୍ଷ ସ୍କୁଲ ବୃତ୍ତି ପାଉଥାଏ । ଏହି ଅସଙ୍ଗତ କଥାରେ ହାକିମମାନେ କର୍ଣ୍ଣପାତ କରନ୍ତି ନାହିଁ । ମୂଷାର ଗୋଟାଏ ଗାତ ବୁଜି ଦେଲେ ସେ ଆଉ ଗୋଟାଏ ଫୁଟାଏ । ଶତ୍ରୁମାନଙ୍କର ସେ ପଥ ରୁଦ୍ଧ ହେବାରୁ ସେମାନେ ଅନ୍ୟପଥ ଧରିଲେ । ମୋ ନାମରେ ଅନେକ ବେରିଂ ଚିଠି ଆସିଲା-। ତେତେବେଳେ ଜଗବନ୍ଧୁବାବୁ ଦୋଳସାହି ସ୍କୁଲର ହେଡ଼ମାଷ୍ଟର ଏବଂ ପୋଷ୍ଟମାଷ୍ଟର । ସେ ଚିଠି ଗୁଡ଼ାକ ଆଣି ମୋତେ ଦେଖାନ୍ତି । ଖୋଲି ଦେଖିଲା ବେଳକୁ ତାହା ଭିତରେ ଖାଲି ରେଖା ଗୁଡ଼ାଏ ଛଡ଼ା ଆଉ କିଛି ଲେଖାଥାଏ ନାହିଁ । ଜଗବନ୍ଧୁବାବୁ ତାକୁ ସବୁ ଫେରାଇ ଦିଅନ୍ତି । ଶୁଭକ୍ଷଣରେ ଶତ୍ରୁମାନଙ୍କ ସହିତ ମୋର ଶତ୍ରୁତା ହୋଇଥିଲା । ସେହି ଶତ୍ରୁତା ଫଳରେ ମୋର ଟଙ୍କାଟିଏ ଦରମା ବଢ଼ିଥିଲା । ସେ ପ୍ରସଙ୍ଗ ଯଥା ସ୍ଥାନରେ ଲିଖିତ ହେବ । କିନ୍ତୁ ଶତ୍ରୁମାନେ ମୋର ପରମ ବନ୍ଧୁ ହୋଇଥିଲେ । ନିଜର ଭ୍ରମ ବୁଝିପାରି ଅନୁତାପ ମଧ୍ୟ କରିଥିଲେ ।
ଦୁଇ ତିନି ଦିନ ପରେ ରାଧାନାଥବାବୁ ଦୋଳସାହି ସ୍କୁଲ ଏବଂ ଗଣେଶ୍ୱରପୁର ଟୋଲ ଦେଖିସାରି କୁମାରପୁର ଆସିଲେ । ସଙ୍ଗରେ ଡେପୁଟୀ ଇନ୍ସପେକ୍ଟର, ସବ୍ଇନ୍ସପେକ୍ଟର, ସ୍କୁଲପଣ୍ଡିତ, ଇନ୍ସପେକ୍ଟିଂ ପଣ୍ଡିତ ପ୍ରଭୃତି ଦଳେ ଶିକ୍ଷାବିଭାଗୀୟ କର୍ମଚାରୀ ଥିଲେ । ଓଡ଼ିଶାର ପ୍ରଧାନ କବିଙ୍କୁ ଦେଖିବା ପାଇଁ ଗ୍ରାମର ସମସ୍ତ ଲୋକ ଆସି ରୁଣ୍ଡ ହେଲେ । ଏମନ୍ତ କି ଭୁଆସୁଣୀମାନେ ସୁଦ୍ଧା କାନ୍ଥ ବାଡ଼ ଉହାଡ଼ରେ ଠିଆ ହୋଇଥିଲେ । ପରୀକ୍ଷା ଆରମ୍ଭ ହେଲା । ସାହିତ୍ୟ ଓ ମାନସାଙ୍କ ପ୍ରଶ୍ନମାନ କୌଶଳପୂର୍ଣ୍ଣ ଥିଲେ ସୁଦ୍ଧା ପିଲାମାନେ ଗୋଟିଏ ପ୍ରଶ୍ନରେ ସୁଦ୍ଧା ଫେଲ ହେଲେ ନାହିଁ । ରାଧାନାଥବାବୁ ଅତ୍ୟନ୍ତ ସନ୍ତୁଷ୍ଟ ହୋଇ ମୋର ଯଥେଷ୍ଟ ପ୍ରଶଂସା କରିବାକୁ ଲାଗିଲେ । ଏହି ସମୟରେ ଡେପୁଟୀ ଇନ୍ସପେକ୍ଟର ରଘୁନାଥ ଘୋଷ କହିଲେ–ବଡ଼ ଦୁଃଖର ବିଷୟ ଏଭଳି ସୁଶିକ୍ଷକ ନାମରେ ସୁଦ୍ଧା ବେନାମି ଦରଖାସ୍ତ ପଡ଼େ । ମୁଁ ଆଜି ଖଣ୍ଡେ ଦରଖାସ୍ତ ତଦାରଖ କରିବାକୁ ଆସିଛି । ଏହା କହି ପକେଟରୁ ଦରଖାସ୍ତ ବାହାର କରି ରାଧାନାଥବାବୁଙ୍କ ହାତକୁ ବଢ଼ାଇଦେଲେ । ରାଧାନାଥବାବୁ ପଢ଼ିସାରି ତାଚ୍ଛଲ୍ୟ ପ୍ରକାଶ ପୂର୍ବକ ଦରଖାସ୍ତଟା ଫିଙ୍ଗି ଦେଇ ହସି ହସି କହିଲେ–‘‘କବିତା ଲେଖିବାଟା କି ଗୋଟାଏ ଏଡ଼େ ମହତ୍ପାପ, ନିଜର ଉନ୍ନତି ଚେଷ୍ଟା ବି ଦୋଷାବହ । ପୂର୍ବେ କାଗଜ କଲମ ଅଭାବ ଥିଲା, ପୋଷ୍ଟାଫିସ ବି ଅଭାବ ଥିଲା । ବର୍ତ୍ତମାନ ଗାଁ ଗାଁ କେ ପୋଷ୍ଟାଫିସ, ଆଉ ଘରେ ଘରେ କାଗଜ କଲମ । ଯେ ଇଚ୍ଛା କଲା ଖଣ୍ଡେ ଲେଖି ଡାକଘରେ ପକାଇଦେଲା । ମୋ ନାଁରେ ବି ଏହିପରି ପ୍ରତିଦିନ ଦଶ ଖଣ୍ଡ ଦରଖାସ୍ତ ପଡ଼ିପାରେ । ଅଳ୍ପବିଦ୍ୟା ଭୟଙ୍କରୀ ପରା । ରଘୁବାବୁ, ତୁମେ ପୁଣି ସେ ଦରଖାସ୍ତ ତଦାରଖ କରିବାକୁ ଆସ କାହିଁକି ? ସାକ୍ଷାତରେ ତ ସ୍କୁଲର ପିଲା ଦେଖିଲ । ମୁଁ ଠିକ୍ ଏହି ପ୍ରଶ୍ନ ଦୋଳସାହି ସ୍କୁଲରେ ପଚାରିଥିଲି, ଭର୍ଣ୍ଣାକ୍ୟୁଲାର ଉଚ୍ଚଶ୍ରେଣୀର ଛାତ୍ରମାନେ ବି ଉତ୍ତର ଦେଇ ପାରିଲେ ନାହିଁ । କୁମାରପୁର ସ୍କୁଲ ପ୍ରତିବର୍ଷ ବୃତ୍ତି ନିଏ, ଏପରି ଅବସ୍ଥାରେ ବେନାମୀ ଦରଖାସ୍ତ କଥା ଶୁଣିବା ଉଚିତ ନୁହେଁ ।’’ ତହୁଁ ରଘୁବାବୁ ଇତସ୍ତତଃ ହୋଇ କହିଲେ–‘‘ମୁଁ କଅଣ କରିବି, ଏ ଖାସମାହାଲ ସ୍କୁଲ, ଏଥିରେ ବୋର୍ଡ଼ର ଅଧିକାର ନାହିଁ । ଦରଖାସ୍ତ ସବୁ କଲେକ୍ଟରଙ୍କ ପାଖରେ ହୁଏ, ମୁଁ ସାହେବଙ୍କ ହୁକୁମ ଅନୁସାରେ ତଦାରଖ କରିବାକୁ ଆସିଛି । ମୋ ପାଖକୁ ଯେଉଁ ଦରଖାସ୍ତ ଯାଏ, ମୁଁ ତାକୁ ଫାଇଲ ସୁଦ୍ଧା କରେନାହିଁ–ଚିରିଦିଏଁ । ଯେଉଁମାନେ ଏହି ନୀଚ କାର୍ଯ୍ୟ କରନ୍ତି, ସେମାନେ ବର୍ତ୍ତମାନ ବି ଏହିଠାରେ ଉପସ୍ଥିତ ଅଛନ୍ତି–ସେମାନଙ୍କ ମୁହଁ ଚାହିଁବା ପାପ ।’’ ଏହା ଶୁଣି ରାଧାନାଥବାବୁ କହିଲେ–‘‘ଏହିଥର ଏ ଦରଖାସ୍ତ ସଙ୍ଗରେ ସାହେବଙ୍କୁ ଲେଖିଦିଅ ଯେ, ଏ ଅଞ୍ଚଳରେ ଅନେକ ପରଶ୍ରୀକାତର ଲୋକ ଅଛନ୍ତି, ବେନାମୀ ଦରଖାସ୍ତ ଲେଖିବା ସେମାନଙ୍କର ଗୋଟାଏ ଖିଆଲ, ସେ ମିଥ୍ୟାବାଦୀଙ୍କ କଥା ଶୁଣିବା ଉଚିତ ନୁହେଁ ।’’ ପୁଣି କହିଲେ ଏ ଭଳି ଜଣେ ଯୋଗ୍ୟ ବ୍ୟକ୍ତିର ଉନ୍ନତି ନ ହେବା ବି ବଡ଼ ଆଶ୍ଚର୍ଯ୍ୟର ବିଷୟ । ମୁଁ ଦେଖୁଛି–ଭର୍ଣ୍ଣାକ୍ୟୁଲାର ସ୍କୁଲର ହେଡ଼ପଣ୍ଡିତ କାର୍ଯ୍ୟ ଏ ସୁନ୍ଦର ରୂପେ ଚଳାଇ ପାରିବେ ।’’ ତହୁଁ ରଘୁବାବୁ କହିଲେ–‘‘ସେ କାର୍ଯ୍ୟ ତାଙ୍କୁ ଅନେକ ଥର ଯଚା ହୋଇଛି, କିନ୍ତୁ ସେ ଯିବାକୁ ନାରାଜ ।’’ ରାଧାନାଥବାବୁ କହିଲେ–‘‘ବୋଧହୁଏ ଉପଯୁକ୍ତ ସ୍ଥାନ ପାଇଲେ ସେ ଅସ୍ୱୀକୃତ ହେବେ ନାହିଁ ।’’ ଏହାପରେ ଆହୁରି ଅନେକ କଥା ହେଲା । ଜନତା ମଧ୍ୟରୁ ଅନେକେ ମୋର ବିପୁଳ ପ୍ରଶଂସା ଗାଇବାକୁ ଲାଗିଲେ । ଉପସ୍ଥିତ ଶତ୍ରୁମାନେ ସୁଦ୍ଧା ସେ ସ୍ୱରରେ ସ୍ୱର ମିଳାଇଲେ । ତାହା ଶୁଣି ରଘୁବାବୁ କହିଲେ–ଏହି ଯେଉଁମାନେ ପ୍ରଶଂସା କରୁଅଛନ୍ତି, ତାଙ୍କରି ମଧ୍ୟରେ ଏହି ଦରଖାସ୍ତ କରିବା ଲୋକ ଅଛନ୍ତି । ରାଧାନାଥବାବୁ ଶୁଣି ହସିଲେ, ମାତ୍ର କିଛି କହିଲେ ନାହିଁ । ସେ ଦର୍ଶକାଭିପ୍ରାୟରେ ମନ୍ତବ୍ୟ ଲେଖି ବସିଲେ । ତାଙ୍କର ମନ୍ତବ୍ୟ ନିମ୍ନରେ ଦିଆଗଲା ।
‘‘ଅଦ୍ୟ କୁମାରପୁର ଉଚ୍ଚ ପ୍ରାଇମେରୀ ସ୍କୁଲ ଦେଖିଲି, ପରୀକ୍ଷାର ଫଳ ଆଶାତୀତ ସନ୍ତୋଷଜନକ । ଏଭଳି ଆଦର୍ଶ ଉଚ୍ଚ ପ୍ରାଇମେରୀ ସ୍କୁଲ ମୁଁ ସମଗ୍ର ଉତ୍କଳରେ ଦେଖିନାହିଁ । ବାଲେଶ୍ୱର ଜିଲ୍ଲାର ଅନେକ ଭର୍ଣ୍ଣାକ୍ୟୁଲାର ସ୍କୁଲ ସୁଦ୍ଧା ଏହାର ସମକକ୍ଷ ନୁହେଁ । ଶିକ୍ଷକ ଜଣେ ବିଦ୍ୱାନ, ସଚ୍ଚରିତ୍ର ଏବଂ ବହୁଦର୍ଶୀବ୍ୟକ୍ତି । ଏ ଭଳି ଶ୍ରମପ୍ରାଣ ସୁଶିକ୍ଷକ ସର୍ବାଦୌ ଉତ୍ସାହର ଯୋଗ୍ୟ-।’’
ରଘୁବାବୁ ଏହି ମନ୍ତବ୍ୟ ସହିତ ନିଜର ମନ୍ତବ୍ୟ ଖୁବ୍ ବନେଇ ଚୂନେଇ ଲେଖି ବେନାମୀ ଦରଖାସ୍ତ ସଙ୍ଗରେ ସାହେବଙ୍କ ପାଖକୁ ପଠାଇଦେଲେ । ଏହା ମୁଁ ବିଶ୍ୱାସ ସୂତ୍ରରେ ପରେ ଜାଣିପାରିଥିଲି । ତେତେବେଳେ ମହାମତି, ଗୁଣଗ୍ରାହୀ, ଇଜାରଟନ୍ ସାହେବ ବାଲେଶ୍ୱର ଜିଲାର କଲେକ୍ଟର ଥିଲେ । ସେ ରଘୁବାବୁଙ୍କ ରିପୋଟ ପଢ଼ି ଅତ୍ୟନ୍ତ ସନ୍ତୁଷ୍ଟ ହୋଇ ମୋର ବେତନ ଟଙ୍କାଟିଏ ବଢ଼ାଇଦେଲେ । ବେନାମୀ ଦରଖାସ୍ତ ଫଳରେ ମୋର ଏହି ଉନ୍ନତି ହେଲା । ସେଥିପାଇଁ ପୂର୍ବରୁ କହିଥିଲି–‘‘ଶୁଭକ୍ଷଣରେ ଶତ୍ରୁମାନଙ୍କ ସହିତ ମୋର ଶତ୍ରୁତା ଘଟିଥିଲା ।’’ ବାସ୍ତବରେ ଏହି ଶତ୍ରୁ ଗୁଡ଼ିକ ମୋର ଛଦ୍ମରୂପୀ ସୁବନ୍ଧୁ ।
ରାଧାନାଥବାବୁଙ୍କୁ ବାଟେଇ ଦେବାପାଇଁ ମୁଁ ଦୋଳସାହି ପର୍ଯ୍ୟନ୍ତ ଗଲି । ଡେପୁଟୀ ଇନ୍ସପେକ୍ଟର ଓ ସବ୍ଇନ୍ସପେକ୍ଟରଙ୍କ ସହ ରାଧାନାଥବାବୁଙ୍କର ବାଟଯାକ ମୋହରି କଥା ଲାଗିଥାଏ । କଥାବାର୍ତ୍ତା ଅବଶ୍ୟ ଇଂରାଜୀରେ, କିନ୍ତୁ ଆଭାସ ଇଙ୍ଗିତରୁ ମୁଁ ବୁଝିପାରୁଥାଏଁ । ମୁଁ ଦୋଳସାହିରୁ ବିଦାୟ ନେଇ ଆସିଲି । ସେଥର ଗସ୍ତରେ ରାଧାନାଥବାବୁ ଭଦ୍ରଖର ଯେଉଁ ସ୍କୁଲକୁ ଗଲେ ସେଠାରେ ମୋର ପ୍ରଶଂସା ଏବଂ ସ୍କୁଲର ପ୍ରଶଂସା ବଖାଣି ବୁଲିଲେ । ଭଦ୍ରକରେ ମୋର ପରିଚୟ ସେ ବିଞ୍ଛୁଡ଼ି ଦେଇଗଲେ । ସେହିଠାରୁ ସେ ତାଙ୍କର ନୂତନ ପୁସ୍ତକ ପ୍ରକାଶ ହେଲାମାତ୍ରେ ମୋତେ ଖଣ୍ଡିଏ ଲେଖାଏଁ ସ୍ନେହୋପହାର ଦେବାକୁ ଲାଗିଲେ । ପରିଚୟ ଏବଂ ସମ୍ୱନ୍ଧ ଘନିଷ୍ଠରୁ ଘନିଷ୍ଠତର ହେବାକୁ ଲାଗିଲା । ହାୟ, ସେ ପ୍ରାତଃସ୍ମରଣୀୟ ମହାତ୍ମା ବର୍ତ୍ତମାନ ସ୍ୱର୍ଗର ଦେବତା । କାହିଁକି ଏ ଅକିଞ୍ଚନ ପ୍ରତି ତାଙ୍କର ଏତେ ସ୍ନେହ–ଏତେ ଆତ୍ମୀୟତା, ସେହି ଏକା ଜାଣନ୍ତି । ମନେ ମନେ ମୁଁ ତାଙ୍କୁ ଗୁରୁପଦରେ ବରଣ କରିନେଇଥିଲି, ପରେ ମୁଁ ତାଙ୍କଠାରୁ ଶିକ୍ଷା ଏବଂ ଉପଦେଶ ଯଥେଷ୍ଟ ପାଇଲି । ଏହି ହେତୁ ମୁଁ ତାଙ୍କୁ ‘‘ଗୁରୁଦେବ’’ ବୋଲି ସମ୍ୱୋଧନ କରେଁ । ଏବେ ସେ କାଳ ନାହିଁ–ସେ ଉତ୍ସାହଦାତା ନାହାନ୍ତି । କାହାରି ଲେଖାରେ ଟିକିଏ ବିଶେଷତ୍ୱ ଦେଖିଲେ ରାଧାନାଥବାବୁ ତାଙ୍କୁ ପୁତ୍ର ଲେଖି ଉତ୍ସାହିତ କରୁଥିଲେ । ଆଜିକାଲି କେତେ ଜଣ ସେପରି କରନ୍ତି-? କର୍ତ୍ତବ୍ୟରେ ତାଙ୍କର ମୁଖଲଜ୍ଜା ଥିଲା ନାହିଁ । ଥରେ ଭଦ୍ରଖ ଫ୍ରେଜର ବାଳିକା ସ୍କୁଲରେ ବିଭିନ୍ନ ସ୍କୁଲର ଛାତ୍ର ଛାତ୍ରୀ, ଶିକ୍ଷକ, ପରିଦର୍ଶକ କର୍ମଚାରୀମାନଙ୍କର ସମାବେଶ ହୋଇଥିଲା । ରାଧାନାଥବାବୁ ମାନସାଙ୍କ ପଚାରିଲେ । ଦୀର୍ଘ ଦେଢ଼ କାହାଣ ପ୍ରତି ଦେଢ଼ କାହାଣରେ ଜମି କେତେ ହେବ ପ୍ରଶ୍ନ ହେଲା, ମାତ୍ର କୌଣସି ପିଲା ତାହା କହି ପାରିଲେ ନାହିଁ । ତହୁଁ ରାଧାନାଥବାବୁ ପିଲାମାନଙ୍କୁ ବୁଝାଇଦେବା ସକାଶ ଜଣେ ଇନ୍ସପେକ୍ଟିଂ ପଣ୍ଡିତଙ୍କୁ ଆଦେଶ ଦେଲେ । ସେ ବୁଝାଇଦେଲେ–‘‘ଦେଢ଼ରେ ଦେଢ଼ ଗୁଣିଦିଅ, ଜମି ହେଲା ତିନି ଗୁଣ୍ଠ ।’’ ରାଧାନାଥବାବୁ ଏ ବିଚିତ୍ର ନଳଭଙ୍ଗା ଶୁଣି ଘୃଣାରେ–ବିସ୍ମୟରେ ଅଭିଭୂତ ହୋଇ କହିଲେ–‘‘ତୁମ୍ଭର ତ କାଣ୍ଡଜ୍ଞାନ ନାହିଁ, ତୁମ୍ଭଙ୍କୁ ଇନ୍ସପେକ୍ଟିଂ ପଣ୍ଡିତ ପଦ କିଏ ଦେଲା ?’’
ଦିନେ ମୁଁ ଏବଂ ମୋର କେତେ ଜଣ ଛାତ୍ର ମିଶି ପାଳିଆ ଗ୍ରାମର ବିରଞ୍ଚିନାରାୟଣଙ୍କ ମନ୍ଦିର ଦେଖିବାକୁ ଯାଇଥିଲୁଁ । ଦେଉଳଟି ଗ୍ରାମର ବାହାରେ ପ୍ରଶସ୍ତ ସ୍ଥାନରେ ଅବସ୍ଥିତ । ଚାରି ପାଖରେ ଉଚ୍ଚ ପ୍ରସ୍ତର ପ୍ରାଚୀର । ବେଢ଼ା ଭିତରେ ଥିବା ରୋଷାଇଘର ଏବଂ ପାନ୍ଥନିବାସ ପ୍ରଭୃତି ସମସ୍ତ ଗୃହ ପ୍ରସ୍ତର ନିର୍ମିତ । ବର୍ତ୍ତମାନ ସେ ସବୁର ଭଗ୍ନାବଶେଷ ମାତ୍ର ଅଛି । ବେଢ଼ା ମଧ୍ୟରେ କେତେଗୁଡ଼ିଏ ବଡ଼ ବଡ଼ ଆମ୍ୱଗଛ ଏବଂ ନାନାପ୍ରକାର ଫୁଲଗଛ ଅଛି । ସ୍ଥାନଟି ତପୋବନ ତୁଲ୍ୟ ପବିତ୍ର, ମନୋହର ଏବଂ ନିକାଞ୍ଚନ । ଦେଖିଲେ କି ଗୋଟାଏ ଅଜ୍ଞାତ ଉଲ୍ଲାସରେ ମନ ପୂରିଉଠେ–ପ୍ରାଣ ଉଶ୍ୱାସ ବୋଧହୁଏ । ଦେଉଳଟି ରଥ ଆକୃତିରେ ପ୍ରସ୍ତୁତ । ପ୍ରାକୃତିକ ଉପଦ୍ରବରୁ ବହୁଦିନରୁ ତାହାର ଚୂଡ଼ା ଖସି ପଡ଼ିଅଛି । ଦେଉଳ ଦେହରେ କୌଣସି ଶିଳ୍ପ–ଚାତୁରୀ ନାହିଁ, ତାହା ଆଡ଼ମ୍ୱରଶୂନ୍ୟ, ସରଳ, ସୁନ୍ଦର ଭାବରେ ପ୍ରସ୍ତୁତ । କିନ୍ତୁ ଚୌକାଠ ବନ୍ଧର ଛୁଞ୍ଚିଖୋଳା ଚାରୁ ସୂକ୍ଷ୍ମ ଶିଳ୍ପକଳା ଦେଖିଲେ ବାସ୍ତବରେ ଆଶ୍ଚର୍ଯ୍ୟାନ୍ୱିତ ହେବାକୁ ହୁଏ । ଦେଉଳର ଚାରିଆଡ଼କୁ ଚାରିଗୋଟି ଦ୍ୱାର । ପ୍ରତି ଦ୍ୱାରରେ ମୁଗୁନି ପଥର ନିର୍ମିତ ଦ୍ୱାରବନ୍ଧ ବସିଅଛି–ତାହା ଖଣ୍ଡିଏ ଖଣ୍ଡିଏ ପଥରରେ ତିଆରି । ଶିଳ୍ପୀ ସେହି କଠିନ ପାଷାଣକୁ ନିଜର ଅସାଧାରଣ ପ୍ରତିଭା ଏବଂ କଳ୍ପନା ବଳରେ ଜୀବନଦାନ କରିଅଛି । ଅଙ୍କିତ ଲତା, ପୁଷ୍ପ, ପଶୁ ପକ୍ଷୀଗୁଡ଼ିକ ସତେ ଯେପରି କୃତ୍ରିମ ନୁହେଁ–ନୈସର୍ଗିକ । ତାହା ଲେଖିବାର କଥା ନୁହେଁ–ଦେଖିବାର କଥା । ତାହା ପାଷାଣର ସ୍ୱପ୍ନ ବା ସଙ୍ଗୀତ-। ଦେଉଳ ଭିତରେ ଖଣ୍ଡିଏ ସ୍ଥୂଳ ଚତୁଷ୍କୋଣ ପ୍ରସ୍ତରର ଚାରିପାଖକୁ ଲାଗି ଚାରିଗୋଟି ସ୍ୱତନ୍ତ୍ର ମୂର୍ତ୍ତି-। ତାହା ବ୍ରହ୍ମାଙ୍କର ମୂର୍ତ୍ତିବୋଲି ପରିଚିତ । କିନ୍ତୁ ପ୍ରକୃତରେ ତାହା ବ୍ରହ୍ମାଙ୍କର ମୂର୍ତ୍ତି ନୁହେଁ–ସୂର୍ଯ୍ୟଙ୍କର ମୂର୍ତ୍ତି । ବିରଞ୍ଚି ନାରାୟଣ ଏକା ବ୍ରହ୍ମାଙ୍କର ନାମ ନୁହେଁ–ସୂର୍ଯ୍ୟଙ୍କର ନାମ ବି ବିରଞ୍ଚିନାରାୟଣ । ବ୍ରହ୍ମାଙ୍କର ଏକ ଶରୀରରେ ଚାରି ମୁହଁ, କିନ୍ତୁ ଏଠାରେ ଚାରିଆଡ଼କୁ ଚାରିଗୋଟି ସ୍ୱତନ୍ତ୍ର ଶରୀର । ସୂର୍ଯ୍ୟଙ୍କର ଜ୍ୟୋତି ଚାରିଦିଗରେ ପଡ଼େ ବୋଲି ବୋଧହୁଏ ଶିଳ୍ପୀ ଚାରିଦିଗକୁ ଚାରିମୂର୍ତ୍ତି କଳ୍ପନା କରିଅଛନ୍ତି । ବ୍ରହ୍ମାଙ୍କର ମୂର୍ତ୍ତି କଦାପି ପୂଜିତ ହେବାର ପ୍ରାୟ ଦେଖାଯାଏ ନାହିଁ । ସୁତରାଂ ମୂର୍ତ୍ତିଟି ସୂର୍ଯ୍ୟଙ୍କର ଏବଂ ମନ୍ଦିରଟି ସୂର୍ଯ୍ୟମନ୍ଦିର । ‘‘ପାଳିଆକୁ ସମୁଦ୍ର କେତେ ଘୁଞ୍ଚିଗଲାଣି’’ ବୋଲି ଗୋଟାଏ କିମ୍ବଦନ୍ତୀ ଅଛି । ସେଥିରୁ ଅନୁମତି ହୁଏ, ପୂର୍ବେ ସମୁଦ୍ରର ବିସ୍ତୃତି ପାଳିଆ ପର୍ଯ୍ୟନ୍ତ ଥିଲା-। ସେଠାରେ କୂପ, ପୁଷ୍କରିଣୀ ଖୋଳିବା ସମୟରେ ଜାହାଜର ଭଗ୍ନନଙ୍ଗର, ଭଗ୍ନମାସ୍ତୁଲ ମଧ୍ୟ ମିଳିଥିବାର ଶୁଣାଯାଏ । ଅଦ୍ୟାପି ସ୍ଥାନେ ସ୍ଥାନେ ଖୋଳିବାବେଳେ ଜାହାଜର ଭଙ୍ଗାତକ୍ତା ଏବଂ ପଥରକୋଇଲା ବାହାରିବାର ଦେଖାଯାଏ । କାଳକ୍ରମେ ପ୍ରକୃତିର ଅଦ୍ଭୁତ ନିୟମରେ ପାଳିଆ ପାଖରୁ ସମୁଦ୍ର ଘୁଞ୍ଚିଯିବା ଅସମ୍ଭବ କଥା ନୁହେଁ । ବୋଧହୁଏ ଯେଉଁ ସମୟରେ ସମୁଦ୍ର କୂଳବର୍ତ୍ତୀ କୋଣାର୍କ ଏବଂ ରାଜମହେନ୍ଦ୍ରୀ ପ୍ରଭୃତି ସ୍ଥାନରେ ସୂର୍ଯ୍ୟମନ୍ଦିର ପ୍ରସ୍ତୁତ ହୋଇଥିଲା, ଏ ମନ୍ଦିରଟି ସୁଦ୍ଧା ସେହି ସମୟରେ ତିଆରି ହୋଇଥିଲା । ପରେ ଅନେକ ଥର ସଂସ୍କୃତ ଏବଂ ପୁନର୍ନିର୍ମିତ ହୋଇଥିବ, ଏହା ବୋଲିବା ବାହୁଲ୍ୟମାତ୍ର । ଏଭଳି ଗୋଟିଏ ପ୍ରାଚୀନ ପ୍ରସିଦ୍ଧ କୀର୍ତ୍ତି ଉପଯୁକ୍ତ ସଂସ୍କାର ଅଭାବରେ ଏବେ ଧ୍ୱଂସ ହେବାକୁ ବସିଅଛି, ସେ ଆଡ଼କୁ କାହାରି ଦୃଷ୍ଟିଥିବାପରି ବୋଧହେଉ ନାହିଁ–ଏହା ଅତି ପରିତାପର ବିଷୟ । ଗବର୍ଣ୍ଣମେଣ୍ଟଙ୍କ ‘‘ପ୍ରାଚୀନ କୀର୍ତ୍ତିରକ୍ଷା ବିଭାଗ’’ର କଣ ଏ ସମ୍ୱନ୍ଧରେ କିଛି କର୍ତ୍ତବ୍ୟ ନାହିଁ ? ଦେଶର ପ୍ରତିନିଧି ସାଜି କାଉନ୍ସିଲ ସଭାକୁ ଯେଉଁମାନେ ଯାଆନ୍ତି, ସେମାନେ ବୋଧହୁଏ ବଡ଼ ବଡ଼ କଥା ଭାବନ୍ତି–ଏ ଆଡ଼କୁ ନଜର ଦେବାକୁ ସେମାନେ କର୍ତ୍ତବ୍ୟ ବୋଲି ମଣନ୍ତି ନାହିଁ । ଏ ଭଳି ମହାକୀର୍ତ୍ତି କେଉଁ ମହାପୁରୁଷ କେଉଁ ସମୟରେ କରିଥିଲେ ସେ ତଥ୍ୟ ନିରୂପଣ କରିବା ଅତିଦୁରୂହ ବ୍ୟାପାର । ସେ ବିଷୟରେ ସ୍ଥାନୀୟ କିମ୍ୱଦନ୍ତୀ ସୁଦ୍ଧା ନାହିଁ-। ଏତେ ଅଧିକ କାଳର ଘଟଣା ଯେ, ସେଥିର ସ୍ମୃତି ମିଳାଇଯାଇ ଦୀର୍ଘଜୀବୀ କିମ୍ୱଦନ୍ତୀ ବି ମରିଗଲାଣି ।
ଆନନ୍ଦର ବିଷୟ. ଭଦ୍ରଖ ଗଗନ ଭାସ୍କର ଏଡ଼ତାଳର ପ୍ରସିଦ୍ଧ ଜମିଦାର ସ୍ୱନାମଧନ୍ୟ ଭୂୟାଁ ଭାସ୍କରଚନ୍ଦ୍ର ମହାପାତ୍ର ସେହି ଜୀର୍ଣ୍ଣଦେଉଳକୁ ଭାଙ୍ଗି ବହୁ ବ୍ୟୟରେ ଗୋଟିଏ ସୁନ୍ଦର ଦେଉଳ ପ୍ରସ୍ତୁତ କରାଇ ଦେଇଅଛନ୍ତି । ଭଦ୍ରଖର, ବିଶେଷତଃ ଉତ୍କଳର ପ୍ରତ୍ୟେକ ଶୁଭାନୁଷ୍ଠାନରେ ତାଙ୍କର ଦାନ ବାସ୍ତବରେ ଆଦର୍ଶସ୍ଥାନୀୟ । ସେ ଜଣେ ମନସ୍ୱୀ, ଧର୍ମପ୍ରାଣ ଏବଂ ଉଚ୍ଚ ହୃଦୟୀ ବ୍ୟକ୍ତି । ଗବର୍ଣ୍ଣମେଣ୍ଟ ତାଙ୍କ ଗୁଣରେ ମୁଗ୍ଧ ହୋଇ ତାଙ୍କୁ ସମ୍ମାନିତ ‘‘ରାୟବାହାଦୁର’’ ଉପାଧିରେ ଅଳଙ୍କୃତ କରିଅଛନ୍ତି । ତାଙ୍କର ନିତ୍ୟପ୍ରବର୍ଦ୍ଧନଶୀଳ କୃତିତ୍ୱ ଦେଖି ବୋଧହୁଏ, ସେ ଅଦୂର ଭବିଷ୍ୟତରେ ଆହୁରି ଉଚ୍ଚ ଉପାଧିରେ ଉତ୍ସାହିତ ହେବେ । ଭାସ୍କରବାବୁ ଖାଲି ଅର୍ଥ ସଞ୍ଚୟରେ ପ୍ରବୀଣ ନୁହନ୍ତି, ଅର୍ଥର ସଦ୍ବ୍ୟବହାରରେ ମଧ୍ୟ ପ୍ରବୀଣ । ଅର୍ଥ ଏବଂ ଉପାଧି ତାଙ୍କୁ ଆଲିଙ୍ଗନ କରି ଧନ୍ୟ ହୋଇଅଛନ୍ତି ।
ପାଳିଆ ଗ୍ରାମଠାରୁ ଏକ କ୍ରୋଣ ଦୂରରେ ‘‘ଗୁପ୍ତଗଙ୍ଗାତୀର୍ଥ’’ । ବାରୁଣୀ ଯୋଗ ବେଳେ ସେଠାରେ ମଝିବିଲରୁ ଅକସ୍ମାତ୍ ପାଣି ବାହାରେ ବୋଲି ଶୁଣିଥିଲି । ଥରେ ବାରୁଣୀଦିନ ଦେଖିବାକୁ ଗଲି । କେହି କହେ–କଅଁଳା ବାଛୁରୀ ଧାଇଁଲା ପରି ପାଣି ମାଡ଼ି ଆସେ । କେହି କହେ–ବିଲ ମଝିରୁ ଭୁଷୁଳ ଫିଟି ଲହମାକେ ବିଲବାଡ଼ି ବୁଡ଼ାଇଦିଏ । ଏହିପରି ଆଶ୍ଚର୍ଯ୍ୟ କଥା ଶୁଣି କାହାରି ବା ଦେଖିବାକୁ ଇଚ୍ଛା ନ ବଳିବ ? ଯାଇ ଦେଖିଲି–ବୃକ୍ଷତୃଣ ଶୂନ୍ୟ ନିଛାଟିଆ ବିଲ ମଧ୍ୟରେ ଖଣ୍ଡିଏ ନାଳ । ତାହା ସାଳନ୍ଦୀନଦୀର ଗୋଟିଏ ଉପଶାଖା । ନାଳରେ ସ୍ଥାନେ ସ୍ଥାନେ ଅଳ୍ପ ପାଣି ଥାଏ । ନାଳଗର୍ଭର ଅବଶିଷ୍ଟ ସ୍ଥାନ ଶୁଖିଲା । ସେହି ନାଳଖଣ୍ଡି ଗୁପ୍ତଗଙ୍ଗା ନାମରେ ଆଖ୍ୟାତ । ଦୁଇ ତୀରରେ କିଣାବିକା ଲାଗିଥାଏ । ଅନେକ ଯାତ୍ରାକାଳୀ ବା ଯାତ୍ରା କାଙ୍ଗାଳୀଙ୍କର ସମାଗମରେ ଘୋ ଘୋ ଶବ୍ଦ ଉଠୁଥାଏ । ଏଣେ ଖରାରେ ମୁଣ୍ଡ ଫାଟି ଯାଉଥାଏ । ହରିବୋଲ, ହୁଳା ହୁଳି ଏବଂ ଶଙ୍ଖ ଶବ୍ଦରେ ଦିଗ କମ୍ପି ଉଠୁଥାଏ । ‘‘ଗଙ୍ଗାମାତାଙ୍କର ଆବିର୍ଭାବ ହେଲା, ଗଙ୍ଗାମାତାଙ୍କର ଆବିର୍ଭାବ ହେଲା’’ କହି ଜନତା ଇତସ୍ତତଃ ଧାଇଁ ବୁଲୁଥାଏ । ସମସ୍ତେ ନାଳ ଆଡ଼କୁ ଚାତକ ଦୃଷ୍ଟିରେ ଚାହିଁ ଥାଆନ୍ତି । ସମସ୍ତଙ୍କ ମନରେ ଅସମ୍ଭାଳ ଉତ୍କଣ୍ଠା ଏବଂ ନେତ୍ରରେ ବ୍ୟାକୁଳ ଚଞ୍ଚଳତା ପୂରି ରହିଥାଏ-। କିନ୍ତୁ କାହିଁ, ଚାହିଁ ଚାହିଁ ଆଖିରୁ ପାଣିମଲା, ତେବେ ବି ଗଙ୍ଗାଦେବୀଙ୍କର ଶୁଭାଗମନର ସୂଚନା ଦେଖାଗଲା ନାହିଁ । କାହିଁକି କେଜାଣି ଭାଗୀରଥୀ ମୋର ପାପଚକ୍ଷୁର ଅନ୍ତରାଳରେ ଲୁଚି ରହିଲେ । ଆଶାହତର ଯନ୍ତ୍ରଣାଠାରୁ ଆଉ ଯନ୍ତ୍ରଣା ନାହିଁ । ସେହି ହତାଶ ଯନ୍ତ୍ରଣାର ବିଫଳ ଭାର ବହି ଶୁଷ୍କମୁଖରେ ଫେରି ଆସିବାକୁ ବାଧ୍ୟ ହେଲି । ଅନେକ ବୃଦ୍ଧ ଲୋକଙ୍କୁ ଗଙ୍ଗାଙ୍କ ଅଦର୍ଶନର କାରଣ ପଚାରିବାରୁ ସେମାନେ କହିଲେ–‘‘ତାହା ସେ କାଳରେ ହେଉଥିଲା ନା ଏ କଳିଯୁଗରେ ହେବ ।’’ ଏହି ସହଜ ସରଳ ଉତ୍ତର ଶୁଣି ଭାବିଲି–ବୋଧହୁଏ ଏ ପ୍ରବାଦଟା ତେବେ ସତ୍ୟ ଯୁଗର, ମାତ୍ର ଏ ଯୁଗର ନୁହେଁ । ଏହିପରି ଅନେକ ପ୍ରବାଦ ମୂଳରେ ଗୋଲଆଳୁ ଫଳେ । ତହୁଁ ଖରାରେ ଶିଝି କାନମୁଣ୍ଡ ଆଉଁସି ଅଗତ୍ୟା ଫେରି ଆସିଲି । ତୀର୍ଥ ଦର୍ଶନର ପୁଣ୍ୟ ବି ହାତେ ହାତେ ମିଳିଗଲା-।
ବଣ ପର୍ବତ ଦେଖିବାର ଆଗ୍ରହ ମୋର ସ୍ୱାଭାବିକ । ରାଧାନାଥବାବୁ ସେହି ଆଗ୍ରହକୁ ବହୁଗୁଣିତ କରି ଦେଇଗଲେ । ସେ ସମୟରେ ମୋର ଜଣେ ଛାତ୍ର ବନ୍ତ ଅ: ପ୍ରା: ସ୍କୁଲର ହେଡ଼ପଣ୍ଡିତ ଥିଲା । ତାହାଠାରୁ ଶୁଣିଲି–ବନ୍ତଠାରୁ ୪।୫ କ୍ରୋଶ ଦୂରରେ ‘‘ସୁନାଘାଇ’’ ନାମରେ ଗୋଟିଏ ପର୍ବତ ଅଛି । ତାହାକୁ ‘‘ଚକ୍ରତୀର୍ଥ ପାହାଡ଼’’ ବୋଲି ମଧ୍ୟ କହନ୍ତି । ସେହି ପାହାଡ଼ରେ ‘‘ସୀତାକୁଣ୍ଡ’’ ନାମରେ ଗୋଟିଏ ଜଳପ୍ରପାତ ଅଛି । ସେହି ପ୍ରପାତ କୁଣ୍ଡକୁ ସ୍ଥାନୀୟ ଲୋକେ ‘‘ଚକ୍ରତୀର୍ଥ’’ ବୋଲି କହନ୍ତି । ରଜସଂକ୍ରାନ୍ତି ଦିନ ସେଠାରେ ମେଳା ହୁଏ । ବହୁ ଯାତ୍ରୀଙ୍କର ସମାଗମ ହୁଏ । ସମସ୍ତେ ପ୍ରପାତ କୁଣ୍ଡରେ ସ୍ନାନ କରି ତୀର୍ଥସ୍ନାନର ଆନନ୍ଦ ଉପଭୋଗ କରନ୍ତି । ଛାତ୍ରଟି ଏହିପରି କେତେ ବର୍ଣ୍ଣନା କରି ମୋତେ ନିମନ୍ତ୍ରଣ କରିଗଲା । ତଦନୁସାରେ ମୁଁ ଦୁଇଟି ଛାତ୍ର ସଙ୍ଗରେ ଘେନି ରଜସଂକ୍ରାନ୍ତି ଦିନ ଯାଇ ବନ୍ତରେ ପହୁଞ୍ଚିଲି । ମୋର ପୂର୍ବୋକ୍ତ ବାଲ୍ୟଗୁରୁ ଶ୍ରୀ ଦାଶରଥି ପାଣିଗ୍ରାହୀ ବନ୍ତ ସର୍କଲର ଇନ୍ପେକ୍ଟିଂ ପଣ୍ଡିତ ଥିଲେ । ତାଙ୍କୁ କହିବାରୁ ସେ ସୁନାଘାଇ ଯିବାକୁ ମହା ଆଗ୍ରହରେ ସମ୍ମତ ହେଲେ । ବନ୍ତରେ ଦୁଇଟି ବୃହତ୍ ପୁଷ୍କରିଣୀ ଅଛି । ଗୋଟିଏ ଶ୍ୱେତ ଶତଦଳରେ ପୂର୍ଣ୍ଣ, ଅପରଟି ରକ୍ତ ପଦ୍ମରେ ପୂର୍ଣ୍ଣ । ପ୍ରଥମୋକ୍ତ ପୁଷ୍କରିଣୀଟି ଗ୍ରାମଠାରୁ ଟିକିଏ ଦୂରରେ ପ୍ରଶସ୍ତ ବିଲ ମଧ୍ୟରେ ଅବସ୍ଥିତ । ତାହାର ଦକ୍ଷିଣ ଆଡ଼ିରେ ପ୍ରସ୍ତର ନିର୍ମିତ ଚଣ୍ଡୀମନ୍ଦିର ଏବଂ ଶିବମନ୍ଦିର ବିଦ୍ୟମାନ । ମନ୍ଦିର ଚାରିପାଖରେ ପ୍ରସ୍ତର ବେଢ଼ା ଏବଂ ବେଢ଼ା ଭିତରେ ଭୋଗ ପ୍ରସ୍ତୁତ କରିବାର ଏବଂ ବିଶ୍ରାମ କରିବାର ପଥର ଘର ଅଛି । ସ୍ଥାନଟି ମହାଯୋଗୀ ମହାଯୋଗିନୀ ଶିବ ଦୁର୍ଗାଙ୍କର ଯୋଗ ସାଧନର ଉପଯୁକ୍ତ ନିକାଞ୍ଚନ ସ୍ଥଳ । ସେଠାରେ ବସିଲେ ମନ ଦେହରୁ ବାହାରିଯାଇ କେଉଁ ଅଜଣା ଆନନ୍ଦ ସ୍ୱର୍ଗରେ ବିଚରଣ କରେ । ପଦ୍ମବନର ସ୍ନିଗ୍ଧ, ମଧୁର ଆମୋଦରେ ଅନ୍ତରାତ୍ମା ପୁଲକିତ ହୋଇ ଉଠେ । ସେହି ସାରସ୍ୱତ ରାଜ୍ୟର ମୋହନ ମାଧୁରୀ ଚିତ୍ତକୁ ଏପରି ଆକର୍ଷଣ କରି ରଖେ ଯେ, ଦର୍ଶକର ମନ ଏବଂ ନେତ୍ରକୁ ଫେରାଇ ଦିଏ ନାହିଁ । ମୃଦୁ ପବନରେ ଫୁଲଗୁଡ଼ିକ ଛନ୍ଦାଛନ୍ଦି ହୋଇ ଅସଂଖ୍ୟ ପୁଷ୍ପକୁଞ୍ଜ ସୃଷ୍ଟିକରେ-। ଦୂରରୁ ଦେଖିଲେ ପୁଷ୍କରିଣୀଟି କ୍ରୀଡ଼ାଚପଳ ହଂସ ଯୂଥରେ ପୂର୍ଣ୍ଣହେଲା ପ୍ରାୟ ଦିଶେ । ସେଠାରେ ଘଡ଼ିଏ ବସି ମୁଁ ଯେଉଁ ସ୍ୱର୍ଗୀୟ ସୁଖଶାନ୍ତି ଉପଭୋଗ କରିଥିଲି, ତାହା ଆଉ ଜୀବନରେ ପାଇବି ନାହିଁ । ସେ ସ୍ମୃତି ହୃଦୟରେ ଗଭୀର ରେଖା ଟାଣି ଦେଇଅଛି ।
ରାତି ଦୁଇଘଡ଼ି ଥାଏ, ଆମ୍ଭେମାନେ ସୁନାଘାଇ ଅଭିମୁଖରେ ଯାତ୍ରା କଲୁଁ । ମୁଁ, ମୋର ଦୁଇଜଣ ଛାତ୍ର, ବନ୍ତ ସ୍କୁଲମାଷ୍ଟର, ଦାଶରଥି ପାଣିଗ୍ରାହୀ, ଜଣେ ଅକସ୍ମାତ୍ ସଙ୍ଗୀ ଏବଂ ଜଣେ ଭାରିଆ ଏହି ସାତ ଜଣରେ ଆମ ଦଳଟି ଗଠିତ ହୋଇଥିଲା । ଭାରର ଗୋଟାଏ ପାଖରେ ଗରାଏ ପାଣି ଏବଂ ଆରପାଖରେ ପଣ୍ଡିତଙ୍କର କୋଥଳି ଲଦା ହୋଇଥିଲା । ପଣ୍ଡିତଙ୍କ କୋଥଳି ସରଞ୍ଜାମଗୁଡ଼ିକ ଭାରକରୁ ବେଶି ହେବ । କିନ୍ତୁ ସେଦିନ ଯଥାସମ୍ଭବ ସଂକ୍ଷେପ କରି ନେଇଥିଲେ । ବାଟରେ ‘‘ଗୁଡ଼ା, ଗମ୍ଭୀରା’’ ପ୍ରଭୃତି ଅନେକ ଗ୍ରାମ ପଡ଼ିଲା । ପ୍ରତ୍ୟେକ ଗ୍ରାମରେ ଏକାଧିକ ପୁଷ୍କରିଣୀ ଏବଂ ପ୍ରତି ପୁଷ୍କରିଣୀ ପଦ୍ମରେ ପରିପୂର୍ଣ୍ଣ । ଏତେ ପୁଷ୍କରିଣୀ ଅନ୍ୟତ୍ର ଦେଖାଯାଏ ନାହିଁ । ଅକସ୍ମାତ୍–ସଙ୍ଗୀଟି ବଡ଼ ଖିଆଲିଆ । ହାସ୍ୟ କୌତୁକରେ ସେ ସମସ୍ତଙ୍କର ପଥକ୍ଳେଶ ହରି ନେଉଥାଏ । ବାଟ ଚାଲିବାବେଳେ ଏହିପରି ଜଣେ ଲୋକ ଥିବା ଦରକାର । ଗମ୍ଭୀରାଠାରୁ ଜଙ୍ଗଲ ଆରମ୍ଭ ହେଲା । ଆମ୍ୱ, ଶାଳ, ତେନ୍ତୁଳି, ପଳାଶ, ବଣଅଉ, ଲେମ୍ୱୁ, ପିଦୁଡ଼ି ପ୍ରଭୃତି ବିବିଧ ତରୁ ଗୁଳ୍ମରେ ଅରଣ୍ୟ ପୂରିରହିଅଛି । ଯାଉଁ ଯାଉଁ ଦୁଇଟି ବନ୍ୟବାଳିକା ଦୋଳି ଖେଳୁଥିବାର ଦେଖିଲୁଁ । ସେମାନେ ଗୀତ ଗାଇ ଗାଇ ଝୁଲୁଥାଆନ୍ତି । ସେ ଗୀତ ମଧ୍ୟରୁ ଦୁଇପାଦ ମୋ ମନରେ ଅଛି, ତାହା ଏହି,–‘‘କାଲିଆ କୁକୁର ପାରିଥିଲି ହାଇ ମୋ ଦୂରି ଲୋ, ଭାଇଙ୍କ କାନ୍ଧରେ ନାରି ଗାମୁଛା ହାଇ ମୋ ଦୂରି ଲୋ ।’’ ଜଙ୍ଗଲ ଭିତରେ କୋଶେ ବାଟ ଯାଇ ପର୍ବତ ମୂଳରେ ପହୁଞ୍ଚିଲୁଁ । ତେତେବେଳେ ସମୟ ଠିକ୍ ଆଠଟା । ପର୍ବତ ଦୂରାରୋହ, ପଥ ନାହିଁ, ଯେଉଁ ଅସ୍ପଷ୍ଟ ସଂକୀର୍ଣ୍ଣ ପଥରେ ଗଲୁଁ, ତାହା କର୍କରା ପିଛିଳ । ଦଳ ଦଳ ହୋଇ ଯାତ୍ରୀମାନେ ଢୋଲ, ମହୁରୀ, ଝାଞ୍ଜ, କରତାଳ, ମୃଦଙ୍ଗ ବଜାଇ ଗୀତଗାଇ ଚାଲିଥାଆନ୍ତି । ଶୁଣିଲୁଁ–ହିଂସ୍ରଜନ୍ତୁଙ୍କ ମନରେ ଭୟଜାତ କରିବାପାଇଁ ଏହିପରି ବାଦ୍ୟ ବଜାଇ ଯାଆନ୍ତି । ସ୍ଥାନ ଯେପରି ନିବିଡ଼ ଜନାକୀର୍ଣ୍ଣ, ସେଥିରେ ହିଂସ୍ରଜନ୍ତୁ ଥିବା ବିଚିତ୍ର ନୁହେଁ-। ସ୍ଥାନେ ସ୍ଥାନେ ହାତୀ ବନ ମନ୍ଥିଥିବାର ଚିହ୍ନ ମଧ୍ୟ ଦେଖାଗଲା । ଉଠାଣିଆ ବାଟରେ ଭାର ଚାଲିଲା ନାହିଁ । ସମସ୍ତେ ଅଳ୍ପ ଅଳ୍ପ ବାଣ୍ଟି ନେଇ ଚାଲିଲୁଁ । ପ୍ରଚଣ୍ଡ ଖରା, ବାଟରେ ପାଣିସବୁ ଶେଷ ହୋଇଗଲା । ଯାହାହେଉ ତୃଷାରେ ଆତୁର ନ ହେଉଣୁ ଗତିପଥରେ ଗୋଟାଏ ଝରଣା ମିଳିଗଲା-। ଏକ ସ୍ଥାନରେ ଗୋଟିଏ ସୁନ୍ଦର ପ୍ରସ୍ତର ପ୍ରତିମା ପର୍ବତ ଦେହକୁ ଡେରା ହୋଇଅଛି, ଉପରୁ ପାଣି ବହି ଆସି ପ୍ରତିମା ଶିରରେ ପଡ଼ି ତଳକୁ ବହି ଯାଉଅଛି । ପ୍ରତିମା ଦେହର ଛୁଞ୍ଚିକାମ କାରିଗରି ବାସ୍ତବରେ ଲୋଭନୀୟ । ଝରଣାର ଜଳ କାଚଧାର ପରି ସ୍ୱଚ୍ଛ ଏବଂ କରକାତୁଲ୍ୟ ଶୀତଳ । ସେଠାରୁ କିଛି ଦୂର ଯାଇ ଗୋଟାଏ ପ୍ରଶସ୍ତ ପୟଃପ୍ରଣାଳୀ ଭେଟିଲୁଁ । ପ୍ରାୟ ପଚାଶ ହାତ ଓସାରରେ ଜଳସ୍ରୋତ ଚାଲିଅଛି । ପର୍ବତଚୂଡ଼ା ଉପରେ ନଈ ବହିଯାଇ ସୃଷ୍ଟିକର୍ତ୍ତାଙ୍କର ଅନନ୍ତ ଅସମ୍ଭବ ମହିମାର ପରିଚୟ ଦେଉଅଛି । ନଈ ଭିତରେ କମ୍ୱଳ ବିଛାଇଲା ପରି ବଡ଼ ବଡ଼ ପ୍ରସ୍ତର ଖଣ୍ଡ ବିସ୍ତୃତ ରହିଅଛି । ସମସ୍ତେ ସେଥିରୁ ଖଣ୍ଡିଏ ଖଣ୍ଡିଏ ଅଧିକାର କରି ବସିଲୁଁ । ପଣ୍ଡିତେ ନଈରେ ଗାଧୋଇ ପଥର ଆସନ ଉପରେ କୋଥଳି ମେଲାଇ ପୂଜା କରିବାକୁ ବସିଲେ । ଆମ୍ଭେମାନେ ଗାଧୋଇ ସାରି ଉଦର ସେବାରେ ଲାଗିଗଲୁଁ । ସଙ୍ଗରେ ଜଳଖିଆ ଥିଲା, ସେଗୁଡ଼ିକର ସଦ୍ବ୍ୟବହାର ହେଲା । ପୂର୍ଣ୍ଣ ଘଣ୍ଟାକ ପରେ ପଣ୍ଡିତଙ୍କର ସଂକ୍ଷିପ୍ତ ପୂଜା ଶେଷ ହେଲା-। ସେ କୃଷ୍ଣସେବା (ଅଫିମ ସେବା) ପରେ ଉଦର ସେବାରେ ଲାଗିଲେ । ତେତେବେଳକୁ ବେଳ ଦୁଇ ପ୍ରହର ।
ସେଠାରୁ ଖଣ୍ଡେ ଦୂର ଗଲୁଁ । ଅନ୍ୟ ପଥ ନାହିଁ, ନଈ ଭିତରେ ପାଣିରେ ପଶି ଚାଲିବାକୁ ହେଲା । ସେହିଠାରୁ ପର୍ବତଚୂଡ଼ା କାଟି ଦେଲାପରି ତଳକୁ ଖସି ଯାଇଅଛି । ପାଣିଗୁଡ଼ାକ କୁଣ୍ଢେମୋଟରେ ପ୍ରାୟ ୩୦।୪୦ ହାତ ତଳକୁ ଡେଇଁ ପଡ଼ୁଅଛି ଏବଂ ଗୋଟାଏ କ୍ଷୁଦ୍ର କୁଣ୍ଡରେ ପଡ଼ି ନଦୀଆକାରରେ ତଳକୁ ବହିଯାଉଅଛି । ସେହି କୁଣ୍ଡର ନାମ–‘‘ସୀତାକୁଣ୍ଡ’’ । ଜଳପ୍ରପାତର ପ୍ରଚଣ୍ଡ ଶକ୍ତି କୁଣ୍ଡ ଚାରିପାଖରେ ବିଞ୍ଛୁଡ଼ି ପଡ଼ୁଅଛି । କିନ୍ତୁ ସେ ଶକ୍ତି ସେଠାରେ ବ୍ୟର୍ଥ ହେଉଅଛି । କୌଣସି ଉନ୍ନତ ଦେଶରେ ଏପରି ଗୋଟାଏ ଶକ୍ତି ଜାତ ହେଉଥିଲେ ତାହାରି ସାହାଯ୍ୟରେ କେତେ କଳ କାରଖାନା ଚାଳିତ ହୋଇ ଦେଶର ଯଥେଷ୍ଟ ମଙ୍ଗଳ ସାଧିତ ହେଉଥାଆନ୍ତା । କିନ୍ତୁ ଏଠାରେ ଶ୍ମଶାନ ତୁଳସୀ ପରି କେହି ପଚାରିବାକୁ ନାହିଁ । କି ଭୀଷଣ ଗର୍ଜନ, ଜଳସ୍ତମ୍ଭର ପତନ ବେଗରେ ଚିର ଭୂମିକମ୍ପ ପ୍ରାୟ ଅରଣ୍ୟ ପ୍ରକୃତି ସର୍ବଦା ଦୁଲୁକୁ ଥାଏ । କୁଣ୍ଡର ଗଭୀରତା ଅଶିହାତରୁ ଅଧିକ । ଶଙ୍ଖ, ହୁଳାହୁଳି, ହରିବୋଲ, ଝାଞ୍ଜ, କର୍ତ୍ତାଳ, ମୃଦଙ୍ଗ, ଢୋଲ, ମହୁରୀର ପୃଥୁଳଶବ୍ଦରେ ପ୍ରପାତର ଗର୍ଜନ ମିଶି ସେଠାରେ ଗୋଟାଏ ଉତ୍କଟ ଶବ୍ଦ-ତାଣ୍ଡବ ସୃଷ୍ଟି କରୁଅଛି । ଚୂଡ଼ାର ଦକ୍ଷିଣ ପାଖ ନହୁରୁଣୀ ମୁହଁ ପରି ତୀର୍ଯ୍ୟକ୍ ଭାବରେ ପ୍ରାୟ ପଚାଶ ହାତ ପର୍ଯ୍ୟନ୍ତ ତଳକୁ ଓହ୍ଲାଇଯାଇଅଛି । ସେହି ତୀର୍ଯ୍ୟକ୍ ଭୂମିରେ ଛୋଟ ବଡ଼ ଅନେକ ଗଛ ଅଛି । ଶୁଣିଲୁଁ–ହାତୀମାନେ ସେହି ଗଛ ଧରି ଧରି ତଳକୁ ଓହ୍ଲାଇ ଆସି କୁଣ୍ଡରୁ ପାଣି ପିଇସାରି ପୁଣି ସେହିପରି ଗଛ ସାହାଯ୍ୟରେ ଉପରକୁ ଉଠିଯାଆନ୍ତି । ଆମ୍ଭେମାନେ ବି ସେହି ଧାରା ଧରି ତଳକୁ ଓହ୍ଲାଇଲୁଁ । ତଳେ ଖଣ୍ଡିଏ ବିଶାଳ ସମତଳ ପ୍ରସ୍ତର ବହୁ ଦୂର ଯାଏଁ ବିସ୍ତୃତ ରହିଅଛି । ତାହାରି ଉପରେ ଦୋକାନ ବସି ମେଳା ଲାଗିଅଛି । ସେହି ପଥରର ଖଣ୍ଡେ ଦୂର ତଳେ ସୀତାକୁଣ୍ଡ । ଉପରୋକ୍ତ ତୀର୍ଯ୍ୟକ୍ ଭୂମିତଳେ ଗୋଟାଏ ଗୁମ୍ଫା ଅଛି । ଆକାର ଗୋଟିଏ ସାନ କୋଠରୀ ପରି । ସେଠାରେ ଦିବାଲୋକ ପଶିପାରେ ନାହିଁ, ସର୍ବଦା ଅନ୍ଧକାରମୟ । ତାହାକୁ ସୀତାଙ୍କ ଅନ୍ତୁଡ଼ିଶାଳ ବୋଲି କହନ୍ତି । ଅଗର୍ଭସମ୍ଭବା ସୀତାଙ୍କର ଅନ୍ତୁଡ଼ିଶାଳ କଥା ଆଗେ ଅସିଦ୍ଧ । ପରବର୍ତ୍ତୀକାଳରେ ଏହିପରି ସୀତାଙ୍କ ଅନ୍ତୁଡ଼ିଶାଳ ମୁଁ ଅନେକ ସ୍ଥାନରେ ଦେଖିଅଛି । ଯାହାହେଉ ଯେବେ ତାହା ଅନ୍ତୁଡ଼ିଶାଳ ହୋଇଥାଏ, ତେବେ ସେ ପ୍ରକୃତରେ ଅନ୍ଧାରର ଅନ୍ତୁଡ଼ିଶାଳ । ନୋଚେତ୍ ଭଲ୍ଲୁକ ସୁନ୍ଦରୀର ଅନ୍ତୁଡ଼ିଶାଳ । ଗୁମ୍ଫାରେ ଭଲ୍ଲୁକ ପରିବାର ବାସ କରୁଥିବାର ପ୍ରମାଣ ମଧ୍ୟ ଦେଖାଗଲା । ଗୁମ୍ଫା ଦେହରେ ଭାଲୁର ବଡ଼ ବଡ଼ ଲୋମ ଲାଗି ରହିଥାଏ । ସେଠାରୁ ଏପରି ଉତ୍କଟ ଦୁର୍ଗନ୍ଧ ବାହାରେ ଯେ ସେଥିରେ ଅନ୍ନପ୍ରାଶନର ଅନ୍ନ ସୁଦ୍ଧା ଉଦ୍ଗୀରିତ ହୋଇପଡ଼ିବ । ପର୍ବତର ଶୋଭା ଅତୁଳନୀୟ । ସ୍ଥୂଳରେ ତାହା ଶୋଭାଲକ୍ଷ୍ମୀଙ୍କର ରତ୍ନଗନ୍ତାଘର । ବାସ୍ତବରେ ଗିରିକାନନ ପ୍ରକୃତିର ଦୃଶ୍ୟ ଅତି ମହୀୟାନ୍–ଅତି ଲୋଭନୀୟ । ଭୀଷଣ ହେଉପଛେ, ଦେଖିଲେ ଆଉ ଛାଡ଼ି ଆସିବାକୁ ଇଚ୍ଛା ହୁଏ ନାହିଁ । ସେ ମହାଶୋଭା ନିକଟରେ ମୃତ୍ୟୁଭୟ ସର୍ବଥା ପରାଜୟ ସ୍ୱୀକାର କରେ ।
ପ୍ରାୟ ଦୁଇଟାବେଳେ ଆମ୍ଭେମାନେ ଫେରିଆସିଲୁଁ । ପର୍ବତର ସ୍ଥାନେ ସ୍ଥାନେ ବିଶ୍ରାମ କରିବାକୁ ହେଲା । ଗୋଟାଏ ଜାଗାରେ ଖଣ୍ଡେ ବହଳ ଅରଣ୍ୟ ପଡ଼ିଲା । ସେଠାରେ ନିସ୍ତବ୍ଧତାର ସାଇଁ ସାଇଁ ଶବ୍ଦ ଛଡ଼ା ଅନ୍ୟ ଶବ୍ଦ ନାହିଁ । ତାହା ମୌନବାନ୍ ଯୋଗ୍ନୀର ଯୋଗବେଦୀ ପରି ନୀରବ, ନିସ୍ତବ୍ଧ । ମହାଯୋଗିବର ପର୍ବତ ମଧ୍ୟାହ୍ନ ଉପାସନାର ମହାଯୋଗରେ ନିମଗ୍ନ । ଆମ୍ଭେମାନେ ତାହାର ଗଭୀର ଯୋଗ ଭଗ୍ନ କରିବାକୁ ସାହସୀ ହେଲୁ ନାହିଁ । ଭୟରେ ନୀରବରେ ସେ ସ୍ଥାନରୁ ଚାଲିଆସିଲୁଁ । ଖଣ୍ଡେ ବିରଳ ବନର ଉପତ୍ୟକା ବାଟରେ ପଡ଼ିଲା । ସେଠାରେ ସମସ୍ତେ ଟିକିଏ ଗିରି ବିହାର କଲୁଁ । ବାଡ଼ି କଟାର ଧୁମ୍ ଲାଗିଗଲା । କେହି ବାଉଁଶ ବାଡ଼ି କାଟିଲା–କେହି ଅନ୍ୟ ଗଛର ଡାଳ କାଟିଲା, ମନ ଆଖୁବାଡ଼ିରେ ପଶିଲା ପରି ହେଲା । କାହାକୁ ଛାଡ଼ି କାହାକୁ ନେବାକୁ ହେବ, ଯାହାକୁ ଦେଖିଲେ ସେ ସୁନ୍ଦର, ସେ ଲୋଭନୀୟ । ପର୍ବତଟାଯାକ ନେଇଯିବାକୁ ଇଚ୍ଛା ହେଲା, କିନ୍ତୁ ଦେହରେ ତ ସେ ହନୁମାନୀଶକ୍ତି ନାହିଁ, ସୁତରାଂ କଷ୍ଟରେ ସେ ବିଫଳ ଦୁରାଶା ତ୍ୟାଗ କରିବାକୁ ହେଲା । ଜଣେ ବନ୍ୟ ଯୁବକକୁ ସେହି ବାଟେ ଯିବାର ଦେଖିଲୁଁ । ଲୋକଟି ହୃଷ୍ଟପୁଷ୍ଟ ଏବଂ କଜ୍ଜ୍ୱଳକୃଷ୍ଣ । ଚାରି ଆଙ୍ଗୁଳି ଓସାରର ଖଣ୍ଡିଏ ଲେଙ୍ଗୁଟି ଛଡ଼ା ଦେହରେ ଅନ୍ୟ ଆବରଣ ନାହିଁ-। ହାତରେ ଖଣ୍ଡିଏ ଟାଙ୍ଗିଆ ଏବଂ କାନ୍ଧରେ ଖଣ୍ଡେ ସଦ୍ୟକର୍ତ୍ତିତ ଶାଳଗଜା, ସେଥିରେ ପତ୍ରବନ୍ଧା ମାଉଁସ ପୋଟଳାଏ ଝୁଲୁଅଛି । ତାକୁ ଆମ୍ଭେମାନେ ଟାଙ୍ଗିଆ ମାଗିଲୁଁ, ମାତ୍ର ସେ ଆମ କଥା ବୁଝି ପାରିଲା ନାହିଁ, ନୀରବରେ ଚାଲିଗଲା । ପଛରେ ଆଉ ଜଣେ ଆସିଲା । କେଉଁ ଗଛ ବାଡ଼ି ହୁଏ ବୋଲି ପଚାରିବାରୁ ସେ ଗୋଟାଏ ଗଛର ଡାଳ କାଟି ଆଣି ସେଥିରେ ଗୋଟାଏ ପତ୍ର ରଖି ଆଣିଦେଲା ଏବଂ କହିଲା–‘‘ଏହିପରି ପତ୍ର ଯେଉଁ ଗଛରେ ଦେଖିବ, ତାକୁ କାଟିନେବ । ଏହାର ନାମ ‘‘ଟାଙ୍ଗିଣୀଚମ୍ପା’’, ଏ ଖୁବ୍ ଭଲ ବାଡ଼ି ହୁଏ ।’’ ଯାହାହେଉ ଲୋକଟି ଅନ୍ଧକୁ ଗୋହିରୀ ବାଟ ଦେଖାଇଦେଲା । ଆମ୍ଭେମାନେ ଆସୁଁ ଆସୁଁ ସେହିପରି ଗଛ ଏବଂ ଆଉ କେତେକ ଗଛ କାଟିଲୁଁ । ବାଡ଼ିଗୁଡ଼ିକ ଏତେ ହେଲା ଯେ, ବହି ଆଣିବା ଦୁଷ୍କର । ତହୁଁ ବାଛି ବାଛି କେତେ ଖଣ୍ଡ ଆଣିଲୁଁ ଅବଶିଷ୍ଟ ପର୍ବତର ମାଲ ପର୍ବତରେ ପଡ଼ିରହିଲା । ଜଙ୍ଘମୋଟର ଗୋଟାଏ ଟୁଙ୍ଗାଆଳୁ ଉପରକୁ ହାତେ ବାହାରିଥିବାର ଦେଖି ତାକୁ ଖୋଳି ଆଣିବାକୁ ପାରୁପର୍ଯ୍ୟନ୍ତ ଚେଷ୍ଟାକରି ବିଫଳକାମ ହେଲୁଁ-। ପଥରରେ ଖୋଳି ହେଲା ନାହିଁ । ନିରୂପାୟ ହୋଇ ଶେଷରେ ତାହାକୁ ମୁଣ୍ଡକାଟ ଶାସ୍ତିଦେଇ ଯେତକ ଉପରକୁ ଥିଲା, ତେତେକ କାଟି ଆଣିଲୁଁ । ଟୁଙ୍ଗାଆଳୁର ସେହି କଟା ମୁଣ୍ଡ ଧରି ବିଜୟୀବୀର ପରି ଅଗ୍ରସର ହେଲୁଁ । ପଣ୍ଡିତ ମହାଶୟ କେନ୍ଦୁଗଛ ଲଗ୍ନ ଲତା–ଦୋଳିରେ ବସି ଝୁଲିବାବେଳେ ପାକଲା କେନ୍ଦୁ ଝର ଝର ହୋଇ ଝଡ଼ି ପଡ଼ିଲା । ମାନବ ବଂଶର ଆଦି ପୁରୁଷ ପରି ସେ ଗୁଡ଼ିକ ଉଦରସାତ୍ କରାଗଲା । କେତେ ଅପରିଚିତ ପାକଲା କୋଳି ତୋଳି ମଧ୍ୟ ସଦ୍ବ୍ୟବହାର କରାଗଲା । ପଥର ଫିଙ୍ଗି ଗଛରୁ ବଣଅଉ ଝଡ଼ାଇ ଖାଇଲୁଁ । ଅଉଗୁଡ଼ିକ ଠିକ୍ ଅୟଁଳା କୋଳି ପରି । ତାହା ଅଉ ପରି ପାଞ୍ଚଫଡ଼ା, ସ୍ୱାଦୁ ଅମ୍ଳମଧୁର ମିଶାମିଶି । ସନ୍ଧ୍ୟାପୂର୍ବରୁ ପର୍ବତର ତଳେ ଆସି ପହୁଞ୍ଚିଲୁଁ । ସେଠାରେ ଗୋଟାଏ କ୍ଷୁଦ୍ରନଦୀ ବହିଯାଉ ଅଛି । ନଈ ଭିତରେ ଅସଂଖ୍ୟ ଗେରୁମୁଣ୍ଡା ଗଡ଼ୁଥିବାର ଦେଖି ସେଥିରୁ କିଛି ସଂଗ୍ରହକଲୁଁ । ଏହି ସମୟରେ ହଠାତ୍ ମେଘ ଉଠାଇ ମୂଷଳ ଧାରାରେ ବୃଷ୍ଟିହେଲା । ଏତେ ବର୍ଷା ହେଲା ଯେ, ଆମ୍ଭେମାନେ ଯେଉଁ ଶୁଖିଲା ବାଟରେ ଯାଇଥିଲୁଁ, ସେହି ବାଟରେ ଜଙ୍ଘେ ପାଣି ହେଲା । ଯାହାହେଉ ତିନ୍ତିବୁଡ଼ି ଅଧିକ ଅନ୍ଧାର ନ ହେଉଣୁ ଆସି ଜମ୍ଭୀରାଚଣ୍ଡୀମଣ୍ଡପରେ ପହୁଞ୍ଚିଲୁଁ । ସେଠାରେ ଜଣେ ସାଧୁ ଥାଆନ୍ତି । ସେ ଆମ୍ଭମାନଙ୍କର ଯଥେଷ୍ଟ ସୁବିଧା କରିଦେଲେ । ଶିଷ୍ୟମାନଙ୍କ ଦ୍ୱାରା ଦୂରରୁ ପିଇବା ପାଣି ଏବଂ ଦୁଇ ବାହାଣୀ ଗୁଡ଼ ଅଣାଇ ଦେଲେ । ଗ୍ରାମରେ କାହାରି ଅଧିକା ଘର ନାହିଁ, ଜଣକର ଗୋଟାଏ ବାହାର ବଙ୍ଗଳା ଥିଲା । ସେଥିରେ ଖୁବ୍ ମୋଟ ବେଢ଼ିଆ ଖୁଣ୍ଟ ପଡ଼ିଅଛି । ବଣ ଭିତରେ ବା କାଠର ଅଭାବ କଅଣ । କିନ୍ତୁ ବଙ୍ଗଳା ଭିତରେ ଗୋଟାଏ ପ୍ରକାଣ୍ଡ ଗୋବର ଖାତ, ଦୁର୍ଗନ୍ଧରେ ନାକ ଫାଟି ଯାଉଥାଏ । କଅଣ କରିବୁଁ, ଗୃହସ୍ଥର ରୁଚିକୁ ଧନ୍ୟବାଦ କି ଅଭିସମ୍ପାତ କଅଣ ଗୋଟାଏ ଦେଇ ଲୁଗାରେ ଘେରି ଗୋଟାଏ ପାଖରେ ରହିଲୁଁ । ଗ୍ରାମଟି କେନ୍ଦୁଝରର ଅନ୍ତର୍ଗତ । ଆମ୍ଭମାନଙ୍କୁ ଦେଖିବା ପାଇଁ ଅନେକ ଲୋକ ଆସିଲେ–ମୋଗଲବନ୍ଦିର ହାଲ ଚାଲ ପଚାରିଲେ । ଆମ୍ଭ ବାଡ଼ିଗୁଡ଼ିକ ଦେଖି ସେଥିରୁ ଖଣ୍ଡିଏ ଫୋପାଡ଼ିଦେଇ କହିଲେ–ଏ ଖଣ୍ଡ ‘‘ଧ’’ କାଠ । ପ୍ରବାଦ ଅଛି–‘‘ଧ, ଧମଣା, ଭୁରୁକୁଣ୍ଡୀ, ଘରେ ନରଖେ ଖୁଦଗୁଣ୍ଡୀ ।’’ ଏ କାଠ ବଡ଼ ଅମଙ୍ଗଳ, ଏହାକୁ ଛୁଇଁବା ଉଚିତ ନୁହେଁ । ଆଉ ଖଣ୍ଡିଏ ବାଡ଼ି ଚିହ୍ନି କହିଲେ–‘‘ଏ ଖଣ୍ଡ ଯଷ୍ଟିମଧୁ, କିନ୍ତୁ ମିଠାକାଠ ହେତୁ ଅଳ୍ପଦିନରେ ଘୁଣ ଖାଇ ଝାଡ଼ି ଦେବେ ।’’ ଆମ୍ଭେ ତ ତାକୁ ଚିହ୍ନିକରି ଆଣି ନଥିଲୁଁ–ପୋକ କାଟୁ କାଟୁ ଅକ୍ଷର ହୋଇଯାଇ ଥିବାରୁ ମନ ବଡ଼ ଖୁସିହେଲା । କିନ୍ତୁ ବାସ୍ତବରେ ଦୁଇ ମାସ ପରେ ଦେଖିଲା ବେଳକୁ ବାଡ଼ିଟିଯାକ ଘୁଣ ଖାଇ ନଷ୍ଟ କରିଦେଇ ଅଛନ୍ତି ।
ରାତିରେ ସେହି ବଙ୍ଗଳାରେ ରୋଷେଇ ହେଲା । ଡାଲି ଛଡ଼ା କିଛି ପରିବା ଆମ ପାଖରେ ଥିଲା ନାହିଁ । ପଣ୍ଡିତଙ୍କ କୋଥଳିପେଡ଼ିରେ ମାନଧାତାଙ୍କ ଅମଳରୁ କେତେଟା ଶୁକୁଟା ପଣସ ମଞ୍ଜି ପଡ଼ିଥିଲା । ତାକୁ ଭାତରେ ଦେଇ ଚଟଣି କରାଗଲା । ତେଲ ଅଭାବରୁ ପାଣି ଆଉ ଲଙ୍କାମରିଚରେ ଡାଲି ବଘରା ହେଲା । ଏହି ଅଦ୍ଭୁତ ବ୍ୟଞ୍ଜନ ପାଇ ସୁଦ୍ଧା କାହାରିଗୁଣ୍ଡା ଅଟକିଲା ନାହିଁ । ସେଦିନ ଆମ୍ଭେମାନେ କିଛି ଖାଇନାହୁଁ–ଆମ୍ଭମାନଙ୍କର ପରିଶ୍ରମ ତୃପ୍ତିପୂର୍ବକ ସବୁ ଖାଇଦେଲା । ପରିଶ୍ରମ କଞ୍ଚା ଦରସିଝା ଅଲଣା ତୁଣକୁ ବି ଅମୃତପରି ସ୍ୱାଦୁ କରିଦିଏ–ତାହାର ପ୍ରଭାବ ଊଣା ନୁହେଁ । ସକାଳୁ ଉଠି ବନ୍ତ ଅଭିମୁଖରେ ଅଗ୍ରସର ହେଲୁଁ, କିନ୍ତୁ ପୂର୍ବ ରାତିରେ ବର୍ଷା ହୋଇ ବାଟ ଖସରା ହୋଇଥିବାରୁ ଭାରିଆଟି ଭାର ନେବାକୁ ଅମଙ୍ଗ ହେଲା । ମାତ୍ର ପଣ୍ଡିତଙ୍କୁ ସେ ରୋଗର ଔଷଧ ଜଣା । ଦୁଷ୍ଟଘୋଡ଼ା ଅଡ଼ିଲେ, ଚାବୁକ ତାକୁ ସିଧା କରିଦିଏ, ପଣ୍ଡିତଙ୍କ ଚବିଶପଳିଆ ଚାପୁଡ଼ା ଦୁଇଟା ଦକ୍ଷିଣାପାଇଲା ମାତ୍ରେ ଭାରିଆପୁଅଟି ବିନା ଆପତ୍ତିରେ ଗାଲ ଆଉଁସି ଆଉଁସି ସୁନାପୁଅ ପରି ଭାର କାନ୍ଧେଇ ଆଗରେ ଚାଲିଲା । ‘‘ସନ୍ଥକୁ ସନ୍ଥ ବୁଝାଏ, ମୂର୍ଖେ ବୁଝାଏ ଠେଙ୍ଗା ।’’ ଏ ପ୍ରବଚନ ଯଥାର୍ଥ । ପ୍ରାୟ ଦୁଇଟାବେଳେ ବନ୍ତରେ ପହୁଞ୍ଚି ସେଦିନ ରହିଲୁଁ । ମୁଁ ଲୋକ ପଠାଇ ଚଣ୍ଡୀ ଦିଘୀରୁ କିଛି ଶତଦଳ ସଂଗ୍ରହ କଲି । କେତୋଟି ଫୁଲର ପାଖୁଡ଼ା ଗଣି ଦେଖିଲି ଶହେ ତିନିଠାରୁ ଶହେ ପନ୍ଦର ପର୍ଯ୍ୟନ୍ତ ଥିଲା । ସକାଳୁ ଆସିବାବେଳେ ସ୍ଥାନୀୟ ଭଦ୍ରବ୍ୟକ୍ତିମାନେ ସେ ଦିନକ ରହିବା ସକାଶେ ମୋତେ ଅନୁରୋଧ କଲେ । ମାତ୍ର ସମୟାଭାବରୁ ମୁଁ ବିନୟର ସହିତ ସେ ଅନୁରୋଧ ପ୍ରତ୍ୟାଖାନ କରିବାକୁ ବାଧ୍ୟ ହେଲି । ସେହିଦିନ ସନ୍ଧ୍ୟାସମୟରେ ମୁଁ ଏବଂ ମୋର ସହଯାତ୍ରୀ ଦୁଇଜଣ ଛାତ୍ର କୁମାରପୁରରେ ଆସି ପହୁଞ୍ଚିଲୁଁ ।
ପିଲାମାନଙ୍କ ହସ୍ତାକ୍ଷର ଲେଖାସମ୍ୱନ୍ଧରେ ମୋର ଧାରା ଭିନ୍ନ ପ୍ରକାର ଥିଲା । ଖାଲି ବହିରୁ ନ ଉତ୍ତାରି ନିତ୍ୟଦର୍ଶନୀୟ ଘଟଣା ଲେଖିବା ସକାଶ ସେମାନଙ୍କ ପ୍ରତି ଆଦେଶ ଥିଲା । ସେଥିରେ ରଚନାଶକ୍ତିର ବିକାଶ ସଙ୍ଗେ ସଙ୍ଗେ ସ୍ୱାଧୀନ–ଚିନ୍ତା ଶକ୍ତିର ବିକାଶ ଘଟେ ବୋଲି ମୋର ବିଶ୍ୱାସ । ଏହି ବିଶ୍ୱାସର ଆଶାତୀତ ଫଳ ମଧ୍ୟ ଦେଖିଅଛି । ସେହି ରଚନାଗୁଡ଼ିକ ଗୋଟାଏ ନିର୍ଦ୍ଦିଷ୍ଟ ସମୟରେ ଦେଖି ସଂଶୋଧନ କରିଦିଏ ।
ମୋର ଟିକିଏ ଇଂରାଜୀ ପଢ଼ିବାକୁ ଇଚ୍ଛା ହେଲା । ସେ ଇଚ୍ଛାକୁ ସାର୍ଥକ କରିବା ସକାଶ ଗୋଟାଏ ପନ୍ଥା ଖୋଜିଲି । ନିକଟବର୍ତ୍ତୀ ଅ: ପ୍ରା: ସ୍କୁଲର ଶିକ୍ଷକମାନଙ୍କୁ ମତାଇ ଗୋଟାଏ ଶିକ୍ଷକ ସମିତି ସ୍ଥାପନ କଲି । ପ୍ରତିଦିନ ରାତ୍ରିରେ ସେମାନେ ମୋ ସ୍କୁଲକୁ ଆସନ୍ତି । ଶିକ୍ଷା ସମ୍ୱନ୍ଧରେ ଆଲୋଚନା ହୁଏ । ଏହି କାର୍ଯ୍ୟଦ୍ୱାରା ମୁଁ ଉପରିସ୍ଥ କର୍ମଚାରୀମାନଙ୍କର ଅନୁରାଗ ଭାଜନ ହୋଇଥିଲି । ଯଥେଷ୍ଟ ସହାନୁଭୂତି ମଧ୍ୟ ପାଇଥିଲି । ଦିନେ ସେହି ସମିତିରେ ସମସ୍ତଙ୍କୁ, ଇଂରାଜୀ ପଢ଼ିବା ସକାଶ ପ୍ରସ୍ତାବ କଲି, ସମସ୍ତେ ମଙ୍ଗିଗଲେ । ଇଂରାଜୀଶିକ୍ଷକର ସୁବିଧା ମଧ୍ୟ ଘଟିଗଲା । ମୋର ଜଣେ ବନ୍ଧୁ ପ୍ରାଣବନ୍ଧୁ ତ୍ରିପାଠୀ ଏଣ୍ଟ୍ରେନ୍ସ ସେକେଣ୍ଡକ୍ଳାସ ଯାଏଁ ପଢ଼ି ନିଷ୍କର୍ମା ହୋଇ ଘରେ ବସିଥାଆନ୍ତି । ସମସ୍ତେ ମାସିକ ଟଙ୍କାଏ ଲେଖାଏଁ ଦେଇ ତାଙ୍କରି ପାଖରେ ପଢ଼ିଲୁଁ । ମାତ୍ର ସମୟାଭାବରୁ ମୋର ବଡ଼ ଅସୁବିଧା ହେଲା । ମୁଁ ଫାଷ୍ଟବୁକ୍ ଖଣ୍ଡି ପଢ଼ିସାରି ପଢ଼ା ଛାଡ଼ିଦେଲି । ଏକଆଡ଼େ ସ୍କୁଲର ପ୍ରତିଷ୍ଠାରକ୍ଷା ଏବଂ ଅନ୍ୟଆଡ଼େ ଆତ୍ମୋନ୍ନତି ପିପାସା ଏ ଉଭୟ ମଧ୍ୟରେ ଅବକାଶର ସ୍ଥାନ ରହିଲା ନାହିଁ । ନାନାସ୍ଥାନରୁ ପୁସ୍ତକ, ପତ୍ରିକା ଏବଂ ତାଳପତ୍ର ପୋଥି ମାଗିଆଣି ପଢ଼େ । ଏଣେ ରାତ୍ରିର ଅଧିକାଂଶ ସମୟ ପାଠ ପଢ଼ାଇବାରେ ଯାଏ । ଆତ୍ମୋନ୍ନତିର ଅଦମ୍ୟ ପିପାସା ତ୍ୟାଗ କରି ନ ପାରି ରାତ୍ରି ଉପବାସବ୍ରତ ଧାରଣ କଲି । ପ୍ରାୟ ତିନିବର୍ଷକାଳ ରାତ୍ରିରେ ଖାଇବା ଏବଂ ଶୋଇବା ପ୍ରାୟ ଛାଡ଼ିଦେଲି । ଶରୀର ପ୍ରତି ଏହି ଅତିରିକ୍ତ ଅତ୍ୟାଚାର ଉତ୍ତର କାଳରେ ବାତରକ୍ତ ରୋଗରୂପରେ ଉପସ୍ଥିତ ହେଲା । କବିଗୁରୁ ରାଧାନାଥଙ୍କର ଭବିଷ୍ୟତ୍ବାଣୀ ଅକ୍ଷରେ ଅକ୍ଷରେ ସତ୍ୟ ହେଲା । ସେ ପ୍ରସଙ୍ଗ ପୂର୍ବରୁ ଲିଖିତ ହୋଇଅଛି । ମୁଁ ଜାଣିଶୁଣି ଜଞ୍ଜାଳକୁ ଡାକିଆଣି ବେକରେ ବାନ୍ଧିଥିଲି, ତାହା ମୋର ସମୟାଭାବର ଅନ୍ୟତମ କାରଣ । ସ୍କୁଲରୁ ପାସକରି ଯାଇଥିବା ଛାତ୍ରମାନେ ମୋ ପାଖରୁ ଭର୍ଣ୍ଣାକ୍ୟୁଲାର ପାଠ୍ୟ ଅଧ୍ୟୟନ କରନ୍ତି । ପୂର୍ବୋକ୍ତ ବନ୍ତ ସ୍କୁଲର ମାଷ୍ଟର ନାରାୟଣ ସାହୁ ମୋହରି ପାଖରୁ ବର୍ଣ୍ଣଶିକ୍ଷା ଆରମ୍ଭକରି ଭର୍ଣ୍ଣାକ୍ୟୁଲାର ଯାଏଁ ପଢ଼ି ପାସ କରିଥିଲା । ପ୍ରାୟ କୋଡ଼ିଏ ବର୍ଷ ବୟସ ପର୍ଯ୍ୟନ୍ତ, ସେ କିଛି ପଢ଼ି ନ ଥିଲା । ନଡ଼ିଆସଢ଼େଇ ବଜାଇ ସଂକୀର୍ତ୍ତନ ଶିଖୁଥିଲା । ସେ ପ୍ରତ୍ୟହ ଆସି ସ୍କୁଲରେ ବସେ, ପିଲାମାନଙ୍କ ପଢ଼ାପଢ଼ି ଶୁଣେ । ଦିନେ ମୋତେ ପଢ଼ିବାସକାଶ କହିବାରୁ ମୁଁ ବିନାପାରିଶ୍ରମିକରେ ତାକୁ ପଢ଼ାଇବାକୁ ସ୍ୱୀକୃତ ହେଲି । ସେହିଦିନଠାରୁ ସେ ଏପରି ପରିଶ୍ରମ କରି ପଢ଼ିଲା ଯେ ତିନିବର୍ଷ ମଧ୍ୟରେ ଅପରପ୍ରାଇମେରୀ ପାସକରି ଭର୍ଣ୍ଣାକ୍ୟୁଲାର ପାସକଲା । ନିଷ୍ଠା ଏବଂ ଅଧ୍ୟବସାୟର ଅସାଧ୍ୟ କିଛି ନାହିଁ । ତାହାର ମା ବିଧବା ବ୍ରାହ୍ମଣୀ ମୋତେ ଅଭିଶାପ ଦେଇ ପାଣି ଟେକୁଥାଏ । ତାହା ପୁଅକୁ ମୁଁ କୁଶିକ୍ଷାଦେଇ ପାଠ ପଢ଼ାଇଲି, ସେ ବିଲ ବାଡ଼ିକୁ ଯାଇ କାମଦାମ କଲାନାହିଁ–ଏହା ହିଁ ମୋର ଗୁରୁତର ଅପରାଧ । ସେକାଳରେ ମୋଫସଲରେ ବିଦ୍ୟାପ୍ରତି କିପରି ହତାଗ୍ରହ ଥିଲା, ଏହି ଘଟଣା ସେଥିର ଜୀବନ୍ତ ପ୍ରମାଣ । ପରେ ସବ୍ଇନ୍ସ୍ପେକ୍ଟରଙ୍କୁ କହି ନାରଣକୁ ବନ୍ତ ସ୍କୁଲରେ ଚାକିରୀ କରାଇଦେଲି । ତେତେବେଳେ ତାହାର ମାଆର ଆନନ୍ଦ କହିଲେ ନ ସରେ । ଯେଉଁ ମୁହଁରୁ ଅଭିସମ୍ପାତ ବାହାରୁଥିଲା, ସେହି ମୁହଁରୁ କେତେ ଆଶୀର୍ବାଦ ବାହାରିଲା । ପ୍ରଥମରେ ମୁଁ ବିଷ ଭକ୍ଷଣ କରି ଶେଷରେ ଅମୃତ ଭକ୍ଷଣ କଲି । ବ୍ରତାଚାରିଣୀ, ନିଷ୍ଠାବତୀ ବିଧବା ବ୍ରାହ୍ମଣୀର ସେହି ପ୍ରାଣର ଆଶୀର୍ବାଦ ଫଳରେ ସେହିବର୍ଷ ମୋର ପୁତ୍ର ଶ୍ରୀମାନ୍ ଉପେନ୍ଦ୍ର ଜନ୍ମଗ୍ରହଣ କଲା । ମୋର ପୌଢ଼ି ପ୍ରକାଶ ଉଦ୍ଦେଶ୍ୟରେ ଏହା ମୁଁ ଲେଖୁନାହିଁ । ପ୍ରସଙ୍ଗକ୍ରମେ ଲେଖିବାକୁ ହେଲା । ଈଶ୍ୱର ସବୁ କରନ୍ତି ମନୁଷ୍ୟ ନିମିତ୍ତ ମାତ୍ର–ଏ ବିଶ୍ୱାସ ମୋର ଅଛି । କେହି ଯେବେ ଭିନ୍ନପ୍ରକାର ବୁଝେ, ତେବେ ସେଥିକି ମୁଁ ନାଚାର । ପରେ ଗୋଟିଏ ବାଳିକା କୁମାରପୁର ସ୍କୁଲରୁ ଅପର ପ୍ରାଇମେରୀ ବୃତ୍ତି ପାଇ ସେହି ସ୍କୁଲରେ ଭର୍ଣ୍ଣାକ୍ୟୁଲାର ପଢ଼ିବାକୁ ଇଚ୍ଛାକଲା । ମୁଁ ଶିକ୍ଷାବିଭାଗରୁ ମଞ୍ଜୁରି ଅଣାଇ ତାକୁ ପଢ଼ାଇଥିଲି ।