ଭାଗ ୫ — ଜୀବନ ପଞ୍ଜିକା (ପ୍ରଥମ ଭାଗ) — ଚିନ୍ତାମଣି ମହାନ୍ତି · ସ୍ୱର୍ଣ୍ଣଲିପିସମ୍ପୂର୍ଣ୍ଣ ସୂଚୀପତ୍ର
ବିଦ୍ୟାରତ୍ନଙ୍କ ବସାରେ ପହଞ୍ଚିଲା ବେଳକୁ ସେ ଖାଇସାରି ବିଶ୍ରାମ କରୁଥିଲେ । ତାଙ୍କ ଲେଖା ଲେଖିର ଭାବଭଙ୍ଗୀରୁ ମୁଁ ମନେକରିଥିଲି ବିଦ୍ୟାରତ୍ନ ହାତୀପରି ଗୋଟାଏ ପ୍ରକାଣ୍ଡ ଲୋକ ହୋଇଥିବେ । କିନ୍ତୁ ମୋର ସେ କଳ୍ପନା ଏକାବେଳକେ ବିପରୀତ । ଦେଖିଲି ଦେହର ହାଡ଼ କେତେ ଖଣ୍ଡ ଗଣି ହେଉଛି, ଦେହର ଉଚ୍ଚତା ପ୍ରାୟ ତିନିହାତ ହେବ । ମନେମନେ କହିଲି, ଏ ଖର୍ବ ଦେହ ଖଣ୍ଡକରେ ଏତେ ବିଦ୍ୟା ରହିଛି କିପରି । ପୁଣି ଭାବିଲି–ଅସମ୍ଭବ ବା କଅଣ ? କ୍ଷୁଦ୍ର ବୁଢ଼ିଆଣୀ ପେଟରେ କେତେ ସୂତା ଥାଏ କିଏ କଳିପାରିବ । ଆକୃତି ତ ଗୁଣର ପରିମାପକ ନୁହେଁ । ଶିଷ୍ଟାଚାରର ଆଦାନ ପ୍ରଦାନ ହୋଇଗଲା । କି ସୁନ୍ଦର ମନଖୋଲା ସରଳ ବ୍ୟବହାର । ଯେପରି ଏଥିପୂର୍ବରୁ ବହୁବାର ଦେଖାସାକ୍ଷାତ୍, କଥାବାର୍ତ୍ତା, ମିଳାମିଶା ହୋଇଯାଇଛି । ଖାଦ୍ୟପ୍ରସ୍ତୁତ ହୋଇ ଖାଦକର ପ୍ରତୀକ୍ଷାରେ ଥିଲା । ସାମାନ୍ୟ କଥାବାର୍ତ୍ତା ପରେ ବିଦ୍ୟାରତ୍ନ ମୋତେ ଅନ୍ୟ ଗୋଟିଏ ଘରକୁ ନେଇଗଲେ । ଦେଖିଲି–ସରୁଚାଉଳ ଭାତ, ଗୋଟା ଦଶଭଜା, ତରକାରି ଦୁଇଜଣଙ୍କ ପାଇଁ ବଢ଼ା ହୋଇ ରହିଅଛି । ଆଗରୁ ତ ବିଦ୍ୟାରତ୍ନଙ୍କ ଅମାୟିକ ଅମୂଲ୍ୟ ବ୍ୟବହାରରେ ପେଟ ପୂରିଯାଇଥିଲା । ତଥାପି ସେ ଖାଦ୍ୟଗୁଡ଼ିକର ଉପଯୁକ୍ତ ସଦ୍ବ୍ୟବହାର କରିବାକୁ ମୁଁ କୁଣ୍ଠିତ ହେଲି ନାହିଁ । ଗୋଟାଏ ରାତି ଓ ଗୋଟାଏ ଦିନର ଉପବାସରେ ଉଦର ଦେବତା ହତାଶ ହୋଇ ପଡ଼ିଥିଲେ, ତାଙ୍କୁ ସନ୍ତୁଷ୍ଟ କରିସାରି ମୁଁ ଆଶ୍ୱସ୍ତ ହେଲି । ବିଦ୍ୟାରତ୍ନ ମୋତେ ପ୍ରଜାବନ୍ଧୁ କାର୍ଯ୍ୟାଳୟକୁ ନେଇଯାଇ ପ୍ରିଣ୍ଟିଂପ୍ରେସ, ଅକ୍ଷର ରହିବାର କେସ୍ ଏବଂ ଆଉ କେତେ ଯନ୍ତ୍ରପାତି ଦେଖାଇ ଅଫିସକୁ ଘେନିଗଲେ । ସେଠାରେ ପ୍ରୁଫ୍ କାଟିବାର ଧାରା ଓ ଯେଉଁ ସଙ୍କେତ ବ୍ୟବହୃତ ହୁଏ, ତାହା ସବୁ ବୁଝାଇ ଦେଲେ । ଏଥିପୂର୍ବରୁ ମୁଁ ପ୍ରେସ ଦେଖି ନ ଥିଲି, ଏହିଠାରେ ମୋର ପ୍ରେସ ସାଙ୍ଗରେ ଚାକ୍ଷୁଷ ପରିଚୟ ହେଲା । ଅଫିସ କାର୍ଯ୍ୟ ଶେଷ ହେଲା ପରେ କର୍ମଚାରୀମାନଙ୍କ ସଙ୍ଗେ ବସାକୁ ଫେରି ଆସିଲୁଁ । ଅଧିକାଂଶ କର୍ମଚାରୀ ବିଦ୍ୟାରତ୍ନଙ୍କ ବସାରେ ଥାଆନ୍ତି । କଟକ ଏବଂ ଭୁବନେଶ୍ୱରବାସୀ କେତେ ଜଣ କମ୍ପୋଜିଟର ପ୍ରଜାବନ୍ଧୁ ପ୍ରେସରେ କାର୍ଯ୍ୟ କରୁଥିଲେ । ବିଦ୍ୟାରତ୍ନ କହିଲେ–‘‘ତୁମ୍ଭଙ୍କୁ ଏହି ରାତ୍ରିରେ ବ୍ରହ୍ମପୁର ଯିବାକୁ ହେବ । ଶାସ୍ତ୍ରୀଙ୍କ ପତ୍ରିକା ନ ବାହାରିବାରୁ ସେ ଅଧୈର୍ଯ୍ୟ ହୋଇ ପଡ଼ିଲେଣି । ଶୀଘ୍ର ପତ୍ରିକା ବାହାରିବା ଦରକାର । ତାହା ନିୟମିତରୂପେ ବାହାରେ ନାହିଁ ବୋଲି ଗ୍ରାହକମାନେ ଅନେକ ଥର ପ୍ରଜାବନ୍ଧୁରେ ଅଭିଯୋଗ ପ୍ରକାଶ କରିଥିଲେ, ତାହା ତୁମ୍ଭେ ଜାଣିଥିବ । ପତ୍ରିକା ଖଣ୍ଡ ଯେମିତି ଏଣିକି ନିୟମିତ ସମୟରେ ବାହାରେ, ସେଥିରେ ଚେଷ୍ଟା କରିବ । ଗୁନେୟା ଶାସ୍ତ୍ରୀ ଭାରୀ ଚଞ୍ଚଳମତି, ତୁମ୍ଭେ ବୁଝି ଶୁଝି କାର୍ଯ୍ୟ କରିବ । ଖାଇ ସାରିଲା ପରେ ଜୟକୃଷ୍ଣ ବାବୁ ତୁମ୍ଭଙ୍କୁ ନେଇ ରେଳରେ ବସାଇ ଦେଇ ଆସିବେ । ବ୍ରହ୍ମପୁର ଷ୍ଟେସନରେ ଅନେକ ଝଟକା ଗାଡ଼ି ମିଳେ । ଭଡ଼ା ଖୁବ୍ ଊଣା, ଛ ପଇସା ଦେଇ ଝଟକାବାଲାକୁ କହିଲେ ସେ ତୁମ୍ଭଙ୍କୁ ନେଇ ଖଲିକୋଟ ରାଜାଙ୍କ ବଙ୍ଗଳାରେ ପହଞ୍ଚାଇ ଦେବ । ସେଠାରେ ଫକୀରମୋହନ ସେନାପତି ଅଛନ୍ତି । ତୁମ୍ଭେ ଯାଇ ପ୍ରଥମେ ତାଙ୍କ ବସାରେ ଓହ୍ଲାଇବ ବୋଲି ସେ କହିଛନ୍ତି । ସେଠାରେ ରାତି କଟାଇ ସକାଳେ ଗୁନେୟା ପ୍ରେସକୁ ଯିବ । ଫକୀରମୋହନ ବାବୁ ସ୍ୱାସ୍ଥ୍ୟ ପରିବର୍ତ୍ତନ ଉଦ୍ଦେଶ୍ୟରେ ରମ୍ଭା ଆସିଥିଲେ । କେତେ ଦିନ ହେଲା ଯାଇ ବ୍ରହ୍ମପୁରରେ ଅଛନ୍ତି-। ସେଠାରେ ଆହୁରି ଆଠ ଦଶ ଦିନ ଯାଏ ରହିବେ ।’’ ବିଦ୍ୟାରତ୍ନଙ୍କ କଥାମୁତାବକ କାର୍ଯ୍ୟ ହେଲା-। ଜୟକୃଷ୍ଣ ବାବୁ ଟିକଟ କାଟି ଆଣି ଆମ୍ଭ ଦୁହିଁଙ୍କୁ ରେଳରେ ବସାଇ ଦେଇ ଗଲେ । ତେତେବେଳେ ଭଦ୍ରକରୁ ବ୍ରହ୍ମପୁର ଯାଏଁ ତୃତୀୟ ଶ୍ରେଣୀର ଟିକଟଭଡ଼ା ଦୁଇଟଙ୍କା ଆଠଅଣା ଥିଲା-। ମେଲ ପାସେଞ୍ଜର ଭଡ଼ା ସମାନ ଥିଲା-। ବର୍ତ୍ତମାନ ବଢ଼ି ବଢ଼ି ଦୁଇଗୁଣର ପାଖକୁ ଆସିଲାଣି । ସେ ସମୟ ଅପେକ୍ଷା ରେଳ ଷ୍ଟେସନର ସଂଖ୍ୟା ମଧ୍ୟ ଅଧିକ ହେଲାଣି । ସବୁ ଷ୍ଟେସନରେ ଅନ୍ୟାନ୍ୟ ଭାଷା ସଙ୍ଗେ ଓଡ଼ିଆରେ ଷ୍ଟେସନର ନାମ ଲେଖା ଯାଇଥାଏ । ମାତ୍ର ଓଡ଼ିଆ ଅକ୍ଷରର ବିଚିତ୍ର ଭଙ୍ଗୀ ଦେଖି ତାହା ଅକ୍ଷର କି ମେଲେରିଆ ରୋଗୀ, ଚିହ୍ନିବା କଠିନ । ହୁମା ଷ୍ଟେସନର ନାମ ବହୁ କଷ୍ଟରେ ‘ଦୂଣା’ ବୋଲି ପଢ଼ିଲି-। ସମ୍ପାଦିକ ହୋଇ ଏ ବିଷୟ ମୁଁ ‘ହିତବାଦିନୀ’ରେ ଲେଖି ପ୍ରତିକାର ପ୍ରାର୍ଥନା କରିଥିଲି । ରମ୍ଭା ନାମରେ ଦୁର୍ଦ୍ଦଶା ଦେଖି ହସ ମାଡ଼ିଲା, ଓଡ଼ିଆ ଅକ୍ଷରର ବିକୃତିରେ ଦୁଃଖ ବି ହେଲା । ‘ମ୍ଭ’ ଅକ୍ଷରଟିକୁ କେହି ଯେପରି ଶୂଳରେ ଭୁଷି ଚିତ୍ପଟାଙ୍ଗ କରି ପକାଇ ଦେଇଛି ।
ଯଥା ସମୟରେ ବ୍ରହ୍ମପୁର ଷ୍ଟେସନରେ ରେଳଗାଡ଼ି ରହିଲା । ମୁଁ ଏବଂ ହରେକୃଷ୍ଣ ଓହ୍ଲାଇ ପ୍ଳାଟଫର୍ମ ପାରି ନହେଉଣୁ ଜଣେ ଡାକ୍ତର ଆସି ପ୍ଳେଗ୍ ପରୀକ୍ଷା କଲେ । ତେତେବେଳେ ପ୍ରଧାନ ପ୍ରଧାନ ଷ୍ଟେସନରେ ପ୍ଳେଗ୍ ପରୀକ୍ଷା ଲାଗିଥାଏ । କଲିକତାରେ ପ୍ଳେଗ୍ରୋଗ ପ୍ରବଳଭାବରେ ଲାଗିଥାଏ । ତେଣୁ ଯେଉଁ ଯାତ୍ରୀମାନେ ଆସନ୍ତି ତାଙ୍କର ପରୀକ୍ଷା ନ ଦେଇ ନିସ୍ତାର ନାହିଁ । ଡାକ୍ତରଟି ଯାହାକୁ ମଳିମୁଣ୍ଡିଆ ଦେଖେ ତାକୁ ଦଶଦିନ ପର୍ଯ୍ୟନ୍ତ ବ୍ରହ୍ମପୁରରେ ରହି ଡାକ୍ତରଖାନା ଯିବାପାଇଁ କହେ । ସେମାନେ ନାଲିଛାଲି ହୋଇ ଦୁଇ ପଇସା ବା ଅଣାଏ ଦେଲେ ଛାଡ଼ିଦିଏ । ଆମେ ଦୁହେଁ ପଇସା ଦେଲୁନାହିଁ, ଡାକ୍ତର ଦୁଇଖଣ୍ଡି ଫାରମ କାଟି ଆମ ଦୁହିଁଙ୍କ ହାତରେ ଦେଇ କହିଲା–‘‘ପ୍ରତି ରୋଜକି ତରେ ଆସ ପତ୍ରିକି ଯିବି ହେ ।’’ ଏ ବିଚିତ୍ର ଓଡ଼ିଆ ଭାଷାର ମୁଣ୍ଡଗଣ୍ଡି ଆମେ କିଛି ବୁଝି ପାରିଲୁଁ ନାହିଁ । ଫାରମ ଦୁଇଖଣ୍ଡ ପକେଟରେ ପକାଇ ଚାଲି ଆସିଲୁ । ବାହାରେ ଝଟକାବାଲାମାନେ ଆସି ତୀର୍ଥପଣ୍ଡାମାନଙ୍କ ପରି ଘେରି ଗଲେ । ‘‘ଆୟା ବାଣ୍ଡି ଆକା-ଆୟା ବାଣ୍ଡି ଆକା’’ (ବାବୁ, ଗାଡ଼ି ଲୋଡ଼ା) କହି ପଛରେ ଗୋଡ଼ାଇଲେ । ରେଳଗାଡ଼ି ପହଞ୍ଚିବା ପୂର୍ବରୁ ଦୁଇଟା ଝଟକା ଆସି ଷ୍ଟେସନ ପଛ ପାଖରେ ଭିଡ଼ାଭିଡ଼ି ହୋଇ ରହିଥାଏ । ଝଟକା ଏକ ପ୍ରକାର ଏକବାହନଯୁକ୍ତ ହାଲୁକା ଶଗଡ଼ । କାହିଁରେ ଗୋଟାଏ ଘୋଡ଼ା, କାହିଁରେ ବା ଗୋଟାଏ ବଳଦ ଯୋଚା ହୋଇଥାଏ । ତାହା କଳି ଯୁଗର ପୁଷ୍ପକ ରଥ । ପକ୍ଷୀରାଜ ଘୋଡ଼ା ଏକାଳରେ ନାହାନ୍ତି । ଝଟକା ରଥରେ ଯେଉଁ ଅଶ୍ୱିନୀ କୁମାରଟି ଯୋଟା ହୋଇଥାଏ ତାହା ଏକ ଦର୍ଶନୀୟ ପଦାର୍ଥ । ସେଗୁଡ଼ିକ ବରଡ଼ା ପତ୍ର ପରି ଥରି ଥରି ସ୍ପନ୍ଦିତ ପାଦରେ ଚାଲନ୍ତି । ଝଟକାରେ ବସିବା ଆଉ ମୁଦ୍ଗରରେ ଛେଚା ଖାଇବା ଏକା କଥା । ଶରୀରର ଅବସ୍ଥା କୁଟାଠାରୁ ଟିକିଏ ମୋଟ, ତହିଁ ଉପରେ ସାରଥିର କଷାଘାତ, ଘୋଡ଼ାଗୁଡ଼ିକ ଯମଦେବତାକୁ ନାକ ଫରୁଡ଼ି ଛଳରେ କଠୋର ଅଭିଶାପ ଦେଇ ଅଗ୍ରସର ହୁଅନ୍ତି । ସୁରଭିନନ୍ଦନଯୁକ୍ତ ରଥଗୁଡ଼ିକ ଆହୁରି ଚମତ୍କାର । ସେ ବାଟଯାକ କରୁଣ ସ୍ୱରରେ ସଂଗୀତ ଆଳାପ କରି କରି ଚାଲେ । ସେହି ଅପୂର୍ବ ରାଗିଣୀ ଶୁଣି ଆରୋହୀର ବ୍ୟଥା, ବେଦନା ସବୁ ହରିଯାଏ । ପୃଥୁଳ ପରିଧିବିଶିଷ୍ଟ ବ୍ୟକ୍ତିଙ୍କ ପକ୍ଷରେ ଝଟକା ଆରୋହଣ ଅଭିସମ୍ପାତ ତୁଲ୍ୟ ।
ଖଣ୍ଡେ ଝଟକାରେ ଯାଇ ଖଲ୍ଲିକୋଟ ବଙ୍ଗଳାରେ ପହୁଞ୍ଚିଲି । ତେତେବେଳକୁ ପ୍ରାୟ ରାତି ଦୁଇଟା । ଫକୀରମୋହନ ବାବୁ ଶୋଇଥିଲେ । ତାଙ୍କୁ ଉଠାଇବା ଉଚିତ ମନେ କଲି ନାହିଁ । ଝଟକାବାଲାକୁ ବିଦାକରି ଦେଇ ସାମାନପତ୍ର ବାରଣ୍ଡାରେ ରଖି ଟିକିଏ ବିଶ୍ରାମ କଲି । ବସୁଁ ବସୁଁ ତିନିଟା ବାଜିଗଲା । ହରେକୃଷ୍ଣକୁ ସେଠାରେ ଜଗାଇ ବଙ୍ଗଳା ଜଗିବା ଲୋକଟିକୁ ସଙ୍ଗରେ ଘେନି ମୁଁ ନିତ୍ୟକର୍ମ କରିବାକୁ ବାହାରିଲି । ପ୍ରତ୍ୟହ ଚାରିଟା ବେଳେ ସ୍ନାନ କରିବାର ଅଭ୍ୟାସ ମୋର ବହୁଦିନରୁ ଥିଲା । ଖଲିକୋଟ ବଙ୍ଗଳା ଯେଉଁଠି ସେ ସ୍ଥାନର ନାମ ବିଜିପୁର । ନିକଟରେ ସୁପ୍ରଶସ୍ତ ‘‘ବିଜିପୁର ବନ୍ଧ’’, ଜଳ କାଚଧାର ପରି ସ୍ୱଚ୍ଛ । ପାହାନ୍ତିଆ ପବନ ପୁଷ୍କରିଣୀରେ ଜଳବେଣୀ ସୃଷ୍ଟି କରୁଛି । ଦାନ୍ତ ଘଷିସାରି ଗାଧୋଇଲି । ବଙ୍ଗଳା ନାଇକ ଦୂରରୁ ଭାପୁର ସହର ଦେଖାଇ ଦେଲା । ମାଛି ଅନ୍ଧାର ବେଳ । ସହରଟି ଗୋଟାଏ ମାନଚିତ୍ର ପରି ଦେଖାଯାଉଥାଏ । ଗାଧୋଇ ସାରି ଆସି ବାରଣ୍ଡାରେ ବସି ଠାକୁର ନାମ ନେଲି, ହରେକୃଷ୍ଣ ନିତ୍ୟକର୍ମ କରିବାକୁ ଗଲା । ମୋର ପୂଜା ସରିଲା, କିଛିକ୍ଷଣ ପରେ ଫକୀରମୋହନ ବାବୁ ଉଠି ବାହାରକୁ ଆସି ମୋତେ ଦେଖିଲେ । ତାଙ୍କର ବ୍ୟସ୍ତତାର ସୀମା ରହିଲା ନାହିଁ । କହିଲେ–‘‘ତୁମ୍ଭେ କେତେବେଳକୁ ଆସି କାକରରେ ବସି କଷ୍ଟ ସହିଲ, ମୋତେ ଉଠାଇଲ ନାହିଁ । କେହି ଆସିଲେ ମୋତେ ଉଠାଇ ଦେବାପାଇଁ ବଙ୍ଗଳା ଜଗାଳି ନାଇକକୁ କହିଥିଲି । ସେବି ଉଠାଇଲା ନାହିଁ ।’’ ତାଙ୍କୁ ଏପରି ସନ୍ତାପି ହେବାର ଦେଖି ମୁଁ କହିଲି–ନାଇକ ମୋତେ କହିଥିଲା, କିନ୍ତୁ ମୁଁ ଆପଣଙ୍କୁ ଡାକିବାକୁ ମନାକଲି । ଏହା କହି ମୁଁ ଯାଇ ତାଙ୍କୁ ପ୍ରଣାମ କଲି । ସେ ମୋ ମୁଣ୍ଡରେ ସ୍ନେହ ଶୀତଳହାତ ବୁଲାଇ କଲ୍ୟାଣ କଲେ । ଚଞ୍ଚଳ କଫି କରିଦେଇ ରୋଷାଇ କରି ଦେବାକୁ ସେ ପାଚକକୁ ଆଦେଶ ଦେଲେ । ଦୁହେଁ ବସି କଥାବାର୍ତ୍ତା ହେଉଛୁଁ, ଫକୀରମୋହନ ବାବୁ ଦୂରକୁ ଚାହିଁ ଦେଇ କହିଲେ–ଏହି ଶାସ୍ତ୍ରୀ ଆସୁଛନ୍ତି । ତୁମ୍ଭେ ନ ଆସିବାରୁ କାଲି କେତେ ଭାବନା କରୁଥିଲେ । ମୁଁ ଦେଖିଲି ବନ୍ଧହୁଡ଼ା ବାଟେ ଆମରି ଆଡ଼କୁ ଜଣେ ଭଦ୍ରଲୋକ ଆସୁଛନ୍ତି । ମୁଣ୍ଡରେ ବାବୁରି ବାଳ, ହାତରେ ସୁନା ବଳା ଏବଂ କାନରେ ପଥରବସା ସୁନାଫୁଲ । ଚାହୁଁ ଚାହୁଁ ଆସି ସେ ପହୁଞ୍ଚି ଗଲେ । ଫକୀରମୋହନ ବାବୁ କହିଲେ–ଶାସ୍ତ୍ରୀ ଗାରୁ, ଏହି ଆପଣଙ୍କ ଚିନ୍ତାମଣି ବାବୁଙ୍କୁ ନେଉନ୍ତୁ; କାଲି ଆପଣଙ୍କ ପାଇଁ କେତେ ଭାଳେଣୀ କରୁଥିଲେ । ଶାସ୍ତ୍ରୀ ଆସି ମୋତେ କୁଣ୍ଢେଇ ପକେଇଲେ । ଶିଷ୍ଟ ସମ୍ଭାଷଣ, ମିଷ୍ଟାଳାପ ପ୍ରଭୃତି ହୋଇଗଲା । ଶାସ୍ତ୍ରୀ ମୋତେ ତାଙ୍କ ଘରକୁ ନେଇଯିବା ପାଇଁ ଝଟକା ଡାକିବାକୁ ଉଦ୍ୟତ ହେଲେ । ଫକୀରମୋହନ ବାବୁ କହିଲେ–ଶାସ୍ତ୍ରୀ ଗାରୁ, ସେ ଖଞ୍ଜ ପଟିବ ନାହିଁ, ବହୁଦିନ ପରେ ଅଜା ନାତିର ସାକ୍ଷାତ, ମୁଁ ତାଙ୍କୁ ନଖୁଆଇ ଛାଡ଼ିଦେବି ନାହିଁ । ଆପଣ ମୋର ପ୍ରିୟ ଅତିଥିଙ୍କୁ ବଳାତ୍କାରରେ ଛଡ଼ାଇ ନେଲେ ମୁଁ ପୁଲିସ ଡାକିବି । ଶାସ୍ତ୍ରୀ ହସି ହସି କହିଲେ–ହେଉ, ସେ ଏଠାରେ ପଛରେ ଖାଇବେ, ମୁଁ ନେଇଯାଉଛି ମୋର ଘର ଆଉ ପ୍ରେସ ଦେଖାଇ ଆଣି ଛାଡ଼ି ଦେଇଯିବି । ପୁଲିସକୁ ବି ସଙ୍ଗରେ ଡାକି ଆଣିଥିବି । ମୋତେ ଧରାଇ ଦେବାକୁ ହେଲେ ଏହିଠାରେ ଧରାଇ ଦେବେ । ଉଭୟଙ୍କର ଏହି ମଧୁର ପରିହାସ ପରେ ଶାସ୍ତ୍ରୀ ଝଟକା ଡାକିଆଣି ମୋତେ ନେଇଗଲେ । ହରେକୃଷ୍ଣ ବି ସଙ୍ଗରେ ଗଲା । ବାଟରେ ଯାଉଁ ଯାଉଁ ଶାସ୍ତ୍ରୀ ତାଙ୍କର ପତ୍ରିକାର ଅବସ୍ଥା, ପ୍ରେସର ଅବସ୍ଥା ନିଜର ହାଲ ଏବଂ ଆପଣା ଶିଙ୍ଗରେ ମାଟିଖୋଳି ନିଜ ଗୋଡ଼ରେ ଠିଆ ହେବାର ବହୁ ପୁରୁଣା କାଳର କଥା, ଏହିପରି କେତେ କଥା କହିଗଲେ । ସେ ପୁରୋହିତ ବଂଶ, ତାଙ୍କର ଜଣେ ଓକିଲ ଯଜମାନ ନିଜ ଆୟରୁ ଫି’ଟଙ୍କାରେ ପାହୁଲେ ଲେଖାଏଁ ରଖି ସେହି ଟଙ୍କାରେ ତାଙ୍କୁ ପାଠ ପଢ଼ାଇଥିବା କଥା ମଧ୍ୟ କହିଲେ । ମୁଁ ଶୁଣି ଶୁଣି ମନେ ମନେ ଭାବୁଥାଏ, ବିଦ୍ୟାରତ୍ନ ଯାହା କହିଥିଲେ ଚଞ୍ଚଳମତି ବୋଲି ତାହା ଠିକ୍ । କିନ୍ତୁ ତାଙ୍କର ସ୍ୱଚ୍ଛ, ସରଳ ହୃଦୟକୁ ମନେ ମନେ ପ୍ରଶଂସା କରୁଥାଏଁ । ବାଟରେ ସେ ମୋତେ ଖଲିକୋଟ କଲେଜ ଦେଖାଇ ଦେଲେ । କଲେଜଟି ଖଲିକୋଟର ସ୍ୱନାମଧନ୍ୟ ସ୍ୱର୍ଗୀୟ ରାଜା ହରିହର ମର୍ଦ୍ଦରାଜ ଦେବଙ୍କ ଲକ୍ଷାଧିକ ଟଙ୍କା ଦାନରେ ପ୍ରତିଷ୍ଠିତ । କଲେଜରେ ଓଡ଼ିଆ ଓ ତେଲେଙ୍ଗା ଉଭୟ ଜାତି ପଢ଼ନ୍ତି । ଓଡ଼ିଆ ଛାତ୍ରଙ୍କ ପାଇଁ ବିଶେଷ ସୁବିଧା ଅଛି, ସେମାନେ ଅର୍ଦ୍ଧ ବେତନରେ ପଢ଼ନ୍ତି । କଲେଜ ପରେ କ୍ଳବ୍ ପଡ଼ିଲା । ସେଠାରେ ନାନା ଭାଷାର ନାନାପ୍ରକାର ପୁସ୍ତକ ପଢ଼ିବାର ଏବଂ ନାନା ପ୍ରକାର ଖେଳ ଖେଳିବାର ସୁବିଧା ଅଛି-। ସହରର ଶିକ୍ଷିତ, ସମ୍ଭ୍ରାନ୍ତ ବ୍ୟକ୍ତିମାନେ ପ୍ରତ୍ୟହ କ୍ଳବକୁ ଆସନ୍ତି । ବଡ଼ ବଡ଼ ଓକିଲମାନଙ୍କର କୋଠା, ପୋଷ୍ଟ ଅଫିସ ଏବଂ ପ୍ରଧାନ ପ୍ରଧାନ ଦୃଶ୍ୟ ଦେଖାଇ ଦେଖାଇ ଶାସ୍ତ୍ରୀ ଚାଲିଥାଆନ୍ତି । ଏ ଅଞ୍ଚଳରେ କୋଠାଘରକୁ ମେଢ଼ା ବୋଲି କହନ୍ତି । ସଡ଼କ ଦୁଇ ପାଖରେ ପାନ ଦୋକାନ, ଦହି ଦୋକାନ, କଫି ଦୋକାନ, ଜଳଖିଆ ଦୋକାନ ପ୍ରଭୃତି ବସିଥାଏ । ଜଳଖିଆ ମଧ୍ୟରେ ପକୋଡ଼ି ଅର୍ଥାତ୍ ପିଆଜ ଲଙ୍କା ମରିଚ ବହୁଳ ବିରି ବା ଚଣାବଡ଼ା ପ୍ରଧାନ । ଶାସ୍ତ୍ରୀଙ୍କ ‘‘ମେଢ଼ା’’ ଭାପୁର ସହର ମଧ୍ୟରେ, ଘର ପାଖରେ ପ୍ରେସ ଅଫିସ । ପ୍ରେସର ନାମ–‘‘ଶ୍ରୀ ସରସ୍ୱତୀ ପ୍ରେସ ।’’
ଝଟକା ଯାଇ ଶାସ୍ତ୍ରୀଙ୍କ ଦ୍ୱାରରେ ପହୁଞ୍ଚିଲା । ଶାସ୍ତ୍ରୀ ମୋତେ ନେଇ ସିଧେସିଧେ ତାଙ୍କ ‘‘ମେଢ଼ା’’ ଉପରକୁ ବାହାରିଲେ । କୋଠାଟି ଦୁଇ ମହଲା, ତଳ ମହଲାରେ ଛାପାଖାନା, ଉପର ମହଲାରେ ଶାସ୍ତ୍ରୀଙ୍କର ଅଫିସ । ଅଫିସ କକ୍ଷ ସୁସଜ୍ଜିତ, ଭାରତର ପ୍ରଧାନ ପ୍ରଧାନ ନେତା, ଖ୍ୟାତନାମା ବ୍ୟକ୍ତି ଏବଂ ଦେବଦେବୀଙ୍କ ଚିତ୍ରମୂର୍ତ୍ତି ଟଙ୍ଗା ହୋଇଅଛି । ଆଉ ଯାହା ଅଛି ତାହା ସୌଖିନ ସାମଗ୍ରୀ ନୁହେଁ ଦରକାରୀ । ଶାସ୍ତ୍ରୀ କହିଲେ–ଏ ମେଢ଼ାର ଉତ୍ପତ୍ତି ଇତିହାସ ଶୁଣନ୍ତୁ । ଏହା କହି ବିସ୍ତୃତ ଭାବରେ ସାଳଙ୍କୃତ ଇତିହାସ ଶୁଣାଇଲେ । ଭାବାର୍ଥ ଏହି ଯେ ‘‘ପୋଲିସ ମେନୁଏଲ’’ ନାମରେ ଖଣ୍ଡେ ପୁସ୍ତକ ସେ ଓଡ଼ିଆ ଓ ତେଲୁଗୁ ଭାଷାରେ ତର୍ଜମା କଲେ । ସେହି ପୁସ୍ତକ ବିକ୍ରୟରୁ ୫ହଜାର ଟଙ୍କା ଲାଭ ମିଳିଥିଲା । ସେହି ଟଙ୍କାରେ ମେଢ଼ା ପ୍ରସ୍ତୁତ ହେଲା । ଶାସ୍ତ୍ରୀ ମୋ ପାଇଁ କାଫି ବରାଦ କଲେ । ଓଡ଼ିଆ ବା ବଙ୍ଗାଳିଙ୍କ ପରି ତେଲୁଗୁଜାତି ଚା ଖୋର ନୁହେଁ–କାଫି ଖୋର । ମୁଁ ମନା କରି କହିଲି–ମୋର ସେ ଅଭ୍ୟାସ ନାହିଁ । ସକାଳଟାରେ ଗରମ ପାଣି ଗୁଡ଼ାଏ ଗିଳି ଲାଭ ବା କଅଣ ? ବରଂ ଥଣ୍ଡା ପାଣି ଗିଲାସେ ପିଇବା ଭଲ । ଶାସ୍ତ୍ରୀ ହସି ହସି କହିଲେ ବାସ୍ତବରେ ଏହା ଆମ୍ଭମାନଙ୍କର ଏକ ବଦ୍ ଅଭ୍ୟାସ । ପୁଣି ଦୁର୍ଭାଗ୍ୟକୁ ତାହା ସମାଜର ଶିଷ୍ଟାଚାର ହୋଇ ପଡ଼ିଛି । ସେହି ମେଢ଼ା ଉପରେ ବସି ତାଙ୍କର କେଉଁ କର୍ମଚାରୀ ଶାନ୍ତ, କିଏ ଦୁର୍ଦ୍ଦାନ୍ତ, କିଏ କାମିକା, କିଏ ଅଳସୁଆ ଠକ, ତାହା ସବୁ ମୋତେ ବୁଝାଇ କହିଲେ । ପତ୍ରିକାର ଆୟ ବ୍ୟୟ କଥା କହିଲେ । ତାଙ୍କ ପତ୍ରିକାକୁ ଅନେକ ରାଜା, ଜମିଦାର ସାହାଯ୍ୟ କରୁଥିଲେ । ସବୁଠାରୁ ବେଶୀ ସାହାଯ୍ୟ କରୁଥିଲେ ବଡ଼ଖେମଣ୍ଡିର ରାଜା କୃପାମୟଦେବ । ସେ ବର୍ଷକୁ ଛଅ ଶଗଡ଼ ଧାନ ଏବଂ ତିନିଶ ଟଙ୍କା ଦେଉଥିଲେ । ଆହୁରି କେତେକ ସ୍ଥାନରୁ ମଧ୍ୟ ବାର୍ଷିକ ସାହାଯ୍ୟ ମିଳୁଥିଲା । ପ୍ରାଇମେରୀ ଶିକ୍ଷାର ପ୍ରାୟ ଯାବତୀୟ ଓଡ଼ିଆ ପୁସ୍ତକ ଶାସ୍ତ୍ରୀଙ୍କ ଦ୍ୱାରା ପ୍ରକାଶିତ ହୋଇ ସ୍କୁଲମାନଙ୍କରେ ଚଳୁଥିଲା । ସେଥିରେ ତାଙ୍କର ଆୟ ମଧ୍ୟ ଯଥେଷ୍ଟ ହେଉଥିଲା । ସେ ଓଡ଼ିଆ କହି ପାରନ୍ତି, ମାତ୍ର ଲେଖି ପାରନ୍ତି ନାହିଁ । ସାମାନ୍ୟ ନାମ–ମାତ୍ର ପାରିଶ୍ରମିକ ଦେଇ ଅନ୍ୟଠାରୁ ପୁସ୍ତକ ଲେଖାଇ ନେଇ ନିଜ ଛାପାଖାନାରେ ଛପାଇ ନିଜ ନାମରେ ପ୍ରକାଶ କରୁଥିଲେ । ଜଣେ ଖ୍ରୀଷ୍ଟିଆନ ତାଙ୍କର ପ୍ରଧାନ ଲେଖକ ଥିଲେ । ତାଙ୍କୁ ଟଙ୍କାକର ମଦ ପିଆଇଲେ ସେ ଖଣ୍ଡିଏ ପୁସ୍ତକ ଲେଖିଦିଅନ୍ତି । ଏଣୁତେଣୁ କଥାବାର୍ତ୍ତା ପରେ ଛାପାଖାନା ଦେଖିବାକୁ ତଳକୁ ଓହ୍ଲାଇ ଆସିଲୁଁ । ଛାପାଖାନାର କର୍ମଚାରୀମାନେ ଯେ ଯାହା କାମରେ ଲାଗିଛନ୍ତି । କର୍ମଚାରୀ ଅପେକ୍ଷା ଉମେଦ୍ଦାର ଅଧିକ । କିଏ କମ୍ପୋଜ ଶିଖୁଛି, କିଏ ଡିଷ୍ଟ୍ରିବିଉଟ୍ କରୁଛି–କିଏ ଛପା କାର୍ଯ୍ୟରେ ସାହାଯ୍ୟ କରୁଛି । କେତେକ ପିଲା ଅକ୍ଷର ଖୁଣ୍ଟା, ଘର ଖରକା, ପୁସ୍ତକସିଆଁ ଓ କାଗଜ ଭଙ୍ଗା ପ୍ରଭୃତିରେ ଲାଗିଛନ୍ତି । ଅନାହାରୀ ହାକିମଙ୍କ କପାଳଠାରୁ ସେମାନଙ୍କ କପାଳ ଆହୁରି ଊଣା । ଅନାହାରୀ ହାକିମଙ୍କ ଭାତ, ବର୍ତ୍ତନ ନ ଥିଲେ ସୁଦ୍ଧା ଗୋଟିଏ ଫମ୍ଫା ଉପାଧି ଅଛି । ମାତ୍ର ଏ ବିଚାରା ଗୁଡ଼ିକଙ୍କର ସେତକ ବି ନାହିଁ । କିଏ ତିନି ମାସ, କିଏ ଚାରି ମାସ ହେଲା ଘରୁ ଖାଇ ଘୋଡ଼ା ଆଗରେ ଦଉଡ଼ୁଛନ୍ତି । ଆଉ କେତେ ଦିନେକେ ସେମାନେ ଅକ୍ଷରଖୁଣ୍ଟା, ଘର ଖରକା ଇତ୍ୟାଦି କାର୍ଯ୍ୟରେ ପଣ୍ଡିତ ହେବେ କେଜାଣି ! ଶିକ୍ଷା ପାକଳ ହେବାର ସାର୍ଟିଫିକେଟ୍ ମିଳିଲେ ତାଙ୍କର ପୋଡ଼ା କପାଳ ଖୋଲିବ । ତେବେ ଯାଇଁ କିଏ ଛ ସୁଉକା, କିଏ ଦୁଇ ଟଙ୍କା, କିଏ ବା ଅଢ଼େଇ ଟଙ୍କା ଦରମା ପାଇବେ । ଉମେଦ୍ଦାର ପାଇଁ କିଛି ଫିସ୍ ଲାଗେ ନାହିଁ–ଏତିକି କର୍ତ୍ତାଙ୍କର ଦୟା । ଆଉ ଗୋଟାଏ ପୁରସ୍କାର ବି ଅଛି–ତାହା ବେଠିରେ ବୋଲଣା । କେବେ ଆସିବାକୁ ଟିକିଏ ଡ଼େରି ହୋଇଗଲେ ବକାବକି ଶୁଣିବାକୁ ହୁଏ । ଛାପାଖାନା ଦେଖିସାରି ମୋ ଲାଗି ଯେଉଁ ବସାଘର ଅପେକ୍ଷା କରି ବସିଛି, ତାକୁ ଦେଖିବାକୁ ଗଲି । ବସାଟି ନିର୍ଜନ ସ୍ଥାନରେ ଅବସ୍ଥିତ, ପରିଷ୍କାର, ପରିଚ୍ଛନ୍ନ । କୂଅ ଏବଂ ପାଇଖାନାର ସୁବିଧା ଅଛି । ସ୍ଥାନମଧ୍ୟ ପ୍ରଶସ୍ତ, ସୁତରାଂ ମୋର ଖୁବ୍ ମନୋନୀତ ହେଲା । ଯେ ଆସିଲେ ତାହା ସଙ୍ଗରେ ଶାସ୍ତ୍ରୀ ମୋତେ ପରିଚୟ କରାଇ ଦେଉଥାନ୍ତି । ଓଡ଼ିଶାରୁ ମୁଁ ଆସିଛି ବୋଲି ଅନେକ ଆଶ୍ଚର୍ଯ୍ୟ ହେଉଥାନ୍ତି, ସମ୍ମାନ ମଧ୍ୟ କରୁଥାନ୍ତି । ଜଣେ ଅତି ମାନ୍ୟକରି ସାଧୁଭାଷାରେ ମୋତେ ପଚାରିଲା–‘‘ତତେ ଇଂଲିଶ ଫାଟ ଆସୁଛନ୍ତିନା’’ । ମୁଁ କହିଲି–କୁଞ୍ଜୁମ କୁଞ୍ଜୁମ । ସୌଭାଗ୍ୟର ବିଷୟ ଏ ମଧ୍ୟରେ ମୁଁ ‘‘କୁଞ୍ଜୁମ’’ ଶବ୍ଦଟି ଶିଖି ନେଇଥିଲି । ସେ ଦିନ ଦୁଇଜଣ ଓଡ଼ିଶାବାସୀଙ୍କୁ ଦେଖିଥିଲି । ଜଣେ ବାରିଷ୍ଟର ବିଶ୍ୱନାଥ ମିଶ୍ର, ତେତେବେଳେ ସେ ରସଲକୋଣ୍ଡା ଟ୍ରେନିଂସ୍କୁଲର ସହକାରୀ ଶିକ୍ଷକ ଥିଲେ । ଆଉ ଜଣେ ସତ୍ୟନାରାୟଣ ପଟ୍ଟନାୟକ-। ସେ ଶିକ୍ଷା ବିଭାଗର ସୁପରଭାଇଜର ଥିଲେ । ସେ ଓଡ଼ିଶାରୁ ନିର୍ବାସିତ ହୋଇ ଗଞ୍ଜାମରେ ଯାଇ ବାସ କରୁଥିଲେ । ତାଙ୍କ ଘର ଗଡ଼ଜାତରେ । ସେ ଏଣ୍ଟ୍ରେନ୍ସ ପାସ କରିବାରୁ ରାଜା ତାଙ୍କୁ ସବଂଶରେ ରାଜ୍ୟରୁ ତଡ଼ି ଦେଇଥିଲେ । ସେ ଇଂରାଜୀ ପଢ଼ିଲେଣି, କାଳେ ରାଜାଙ୍କ ନାମରେ ସରକାରଙ୍କୁ କିଛି ଲେଖିଦେବେ, ଏହି ଆଶଙ୍କାରେ ବୁଦ୍ଧିମାନ ରାଜା ଏପରି ବ୍ୟବସ୍ଥା କରିଥିଲେ ।
ପ୍ରାୟ ଦଶଟା ବେଳେ ଶାସ୍ତ୍ରୀ ମୋତେ ଆଣି ଫକୀରମୋହନ ବାବୁଙ୍କ ବସା ପାଖରେ ଛାଡ଼ି ଦେଇଗଲେ । ପୂର୍ବରୁ ଖାଦ୍ୟ ପ୍ରସ୍ତୁତ ହୋଇ ସାରିଥିଲା । ବାବୁ ମୋତେ ଅପେକ୍ଷାକରି ବସିଥିଲେ । ନିପୁଣ ପାଚକ ଲିଙ୍ଗରାଜ ଅଳ୍ପ ସମୟ ମଧ୍ୟରେ ଅନେକ ଉପାଦେୟ ତରକାରୀ ରାନ୍ଧିଥିଲା । ଦୁଇଦିନର ଉପବାସୀ ଉଦର ଦେବତା ବହୁ ଉପଚାରରେ ପୂଜାପାଇ ସନ୍ତୁଷ୍ଟ ହେଲେ । ଭୋଜନ ଶେଷରେ ବିଶ୍ରାମ ଓ ବିଶ୍ରାମ ଭିତରେ ଗଳ୍ପାମୋଦ ଚାଲିଥାଏ । ଫକୀରମୋହନ ବାବୁ କେତେଗୁଡ଼ାଏ ଲେଖା କାଗଜ ଦେଇ କହିଲେ–‘‘ତୁମ୍ଭ ଶାସ୍ତ୍ରୀ ମୋତେ ଏହି ଜଞ୍ଜାଳରେ ପକାଇଛନ୍ତି-। ମୋତେ ତିରିଶଟି ଟଙ୍କା ଦେଇ ଅପରପ୍ରାଇମେରୀ ସାହିତ୍ୟ ଲେଖି ଦେବାକୁ ବରାଦ କରିଛନ୍ତି । ମୁଁ କେତେଗୁଡ଼ିଏ ଗଦ୍ୟ ପଦ୍ୟ ଲେଖିଛି, ଏହି ଲେଖାଗୁଡ଼ିକୁ ନିଅ, ଅବଶିଷ୍ଟ ତୁମେ ପୂର୍ଣ୍ଣ କରିବ ।’’ କାଗଜଗୁଡ଼ିକୁ ମୁଁ ରଖିଲି, ପରେ ସେଥିରେ କେତେଗୁଡ଼ିଏ ଗଦ୍ୟ ପଦ୍ୟ ଯୋଗକରି ଦେଇଥିଲି, ପୁଷ୍ପମାଳା ନାମ ଦେଇ ଶାସ୍ତ୍ରୀ ତାକୁ ଛପାଇଥିଲେ । ଠିକ୍ ଦୁଇଟା ବେଳେ ଖଣ୍ଡେ ଝଟକା ନେଇ ଶାସ୍ତ୍ରୀ ଆସି ଉପସ୍ଥିତ । ମୁଁ ଏବଂ ମୋର ଛାତ୍ର ହରେକୃଷ୍ଣ ଫକୀରମୋହନ ବାବୁଙ୍କ ଠାରୁ ବିଦାୟ ନେଇ ଶାସ୍ତ୍ରୀଙ୍କ ସଙ୍ଗରେ ଝଟକାରେ ବସି ଭାପୁର ଆସିଲୁଁ । ନିର୍ଦ୍ଦିଷ୍ଟ ବସାରେ ଓହ୍ଲାଇବା କ୍ଷଣି ପ୍ରେସ କର୍ମଚାରୀମାନେ ଆସି ପହୁଞ୍ଚିଲେ । ଆଳାପ ପରିଚୟ ପରେ ସମସ୍ତେ କାମରେ ଲାଗିଗଲେ-। ନୂତନ ବସାରେ ଯାହା ଯାହା ସବୁ ଅଭାବ ଥିଲା ତାହା ସବୁ ଆଣି ପୂର୍ଣ୍ଣ କରିଦେଲେ । ଯିବା ବେଳେ ମୋଠାରୁ ‘‘ଶିଲ୍’’ ନେଇଗଲେ । ଶିଲ୍ ଶବ୍ଦ ସଙ୍ଗରେ ମୋର ପରିଚୟ ଥିଲା ନାହିଁ । ଶାସ୍ତ୍ରୀ ବୁଝାଇ ଦେଇ କହିଲେ ଏ ଅଞ୍ଚଳରେ ବିଦାୟକୁ ‘‘ଶିଲ୍’’ କହନ୍ତି । ସେହି ଦିନରୁ ଶିଲ୍ ସଙ୍ଗରେ ବନ୍ଧୁତା ହେଲା । ମୁଁ ନୂଆ ବନ୍ଧୁଟିଏ ପାଇ ଖୁସି ହେଲି । ତେଣିକି ରାନ୍ଧିବା, ଖାଇବା, ଶୋଇବା ପ୍ରଭୃତି ମାମୁଲିକଥା ସେ ଗୁଡ଼ାକ ବଖାଣି ପୋଥି ମୋଟା କରିବା ଉଚିତ ନୁହେଁ ।
ଗୁନେୟା ଶାସ୍ତ୍ରୀ ଜଣେ ନିତ୍ୟୋଦ୍ଯୋଗୀ ପୁରୁଷ । କେତେବେଳେ ସେ ତୁଚ୍ଛା ବସି ରହନ୍ତି ନାହିଁ । ‘‘ଉଦ୍ଯୋଗୀନଂ ପୁରୁଷସିଂହ ମୁପୈତି ଲକ୍ଷ୍ମୀଃ’’ ଉପଦେଶଟି ତାଙ୍କରିଠାରେ ସାର୍ଥକ-। କଥା କହିବା ବେଳେ ଏକସ୍ଥାନରେ ବସି ବା ଠିଆ ହୋଇ କଥା କହନ୍ତି ନାହିଁ । ପିଣ୍ଡାର ଏ ମୁଣ୍ଡରୁ ସେ ମୁଣ୍ଡ ଯାଏଁ ଟହଲି କଥାବାର୍ତ୍ତା କରୁଥାନ୍ତି; କାରଣ ପଚାରିଲେ କହନ୍ତି ଚାଲିବା ଅଭ୍ୟାସଟାକୁ ବଞ୍ଚାଇରଖିବା ଭଲ । ବନ୍ଧୁବାନ୍ଧବ ବା ପରିଚିତ ଲୋକଙ୍କୁ ଦେଖିଲେ ସେ ଗୋଟାଏ କାମ କରାଇ ନ ନେଇ ଛାଡ଼ନ୍ତି ନାହିଁ । ରାତିରେ ଦେଖାହୋଇଥାଏ, ସକାଳୁ ଉଠିଲା ବେଳକୁ ସେ ପଳାସା, ନୌପଡ଼ା ପ୍ରଭୃତି କେତେସ୍ଥାନ ବୁଲିଆସି ଥାଆନ୍ତି । କେତେଟା କୋମ୍ପାନୀର ସେ ଏଜେଣ୍ଟ ଥିଲେ । ପୁସ୍ତକ ପତ୍ରିକା ଓ କୋମ୍ପାନୀର ଗ୍ରାହକ ସଂଗ୍ରହ ତାଙ୍କ ଭ୍ରମଣର ପ୍ରଧାନ ଉଦ୍ଦେଶ୍ୟ । ସେ ଏକ ସ୍ଥାନରେ ଥୟ ହୋଇ ରହି ପାରନ୍ତି ନାହିଁ । ଏଥିପାଇଁ ମୁଁ ତାଙ୍କର ନାମ ‘‘ବିଜୁଳି’’ ଦେଇଥିଲି । ତାଙ୍କର କର୍ମଶକ୍ତି ଏବଂ ଅଦମ୍ୟ ଅଧ୍ୟବସାୟ ତାଙ୍କୁ ସାମାନ୍ୟ ଅବସ୍ଥାରୁ ଉଚ୍ଚ ଅବସ୍ଥାକୁ ଘେନି ଯାଇଥିଲା । ତାଙ୍କର ପିତା ପୁରୋହିତ କରନ୍ତି, ଠିକ୍ ଓଡ଼ିଆ ପରି ଓଡ଼ିଆ କଥା କହନ୍ତି । ତେତେବେଳେ ତାଙ୍କୁ ତେଲେଙ୍ଗା ବୋଲି ବାରି ହୁଏ ନାହିଁ । ତାଙ୍କର ବେଦ ଉଚ୍ଚାରଣ ସୁସ୍ପଷ୍ଟ ଏବଂ ବିଶୁଦ୍ଧ ।
ମୁଁ ଚାର୍ଯ ନେଇ କାମ କରିବାକୁ ଲାଗିଲି । ପତ୍ରିକାର ‘‘ଗଞ୍ଜାମ ଓଡ଼ିଆ ହିତବାଦିନୀ’’ ନାମ ମୋତେ ଭଲ ଲାଗିଲା ନାହିଁ । ଦେଶବନ୍ଧୁ ସମ୍ୱାଦପତ୍ରକୁ ଏରୂପ ସଂକୀର୍ଣ୍ଣ ଗଣ୍ଡିମଧ୍ୟରେ ଆବଦ୍ଧରଖିବା ମୋ ବିବେଚନାରେ ଉଚିତ ନୁହେଁ । ପତ୍ରିକା ସମସ୍ତଙ୍କର ହିତସାଧନ କରେ, ଏକା ଗଞ୍ଜାମ ଓଡ଼ିଆଙ୍କର ନୁହେଁ । ମୁଁ କେବଳ ‘‘ହିତବାଦିନୀ’’ ନାମ ରଖିଲି । ଛାପାକାର୍ଡ଼ ପଠାଇ ନାନାସ୍ଥାନରୁ ଲେଖକ ଓ ସମ୍ୱାଦଦାତା ସଂଗ୍ରହର ବ୍ୟବସ୍ଥା କଲି । ପତ୍ରିକା ଦେଢ଼ଶ ଖଣ୍ଡ ଛପା ହେଉଥିଲା; ମୁଁ ପାଞ୍ଚଶ ଖଣ୍ଡ ଛପାଇଲି । ପ୍ରାକୃତିକ ଉତ୍କଳର ସମସ୍ତ ପରିଚିତ ବିଶିଷ୍ଟ ବ୍ୟକ୍ତିଙ୍କ ପାଖକୁ ହିତବାଦିନୀ ପ୍ରେରିତ ହେଲା । ବିନିମୟ ସୂତ୍ରରେ ସମସ୍ତ ଓଡ଼ିଆ ପତ୍ରିକା ଅଣାଇଲି । ପ୍ରସିଦ୍ଧ ବଙ୍ଗଳା ପତ୍ରିକା କେତେଖଣ୍ଡ ମୂଲ୍ୟଦେଇ ଅଣାଇଲି । ଶାସ୍ତ୍ରୀ ରୋଜ କ୍ଳବକୁ ଯାଇ ତେଲୁଗୁ ଏବଂ ଇଂରାଜୀ ପତ୍ରିକାମାନଙ୍କରୁ ଆବଶ୍ୟକୀୟ ସମ୍ୱାଦ ଟିପି ଆଣିଦେଲେ । ସମ୍ୱାଦସଂଗ୍ରହ ସମ୍ୱନ୍ଧରେ ଶାସ୍ତ୍ରୀ ଖୁବ୍ ଧୂରନ୍ଧର । କଚେରି ପ୍ରଭୃତିରେ ବୁଲିଆସି ଅନେକ ସମ୍ୱାଦ ସଂଗ୍ରହ କରି ଆଣି ଦିଅନ୍ତି । ଏତେ ସମ୍ୱାଦ ଆଣି ଦିଅନ୍ତି ଯେ ସେ ସବୁକୁ ପତ୍ରିକାରେ ସ୍ଥାନ ଅଣ୍ଟେ ନାହିଁ, ଅନେକ ସମ୍ୱାଦ ବାସି ହୋଇ ପଡ଼ିଥାଏ । ହିତବାଦିନୀ ପାଇ ଉତ୍କଳର ସମସ୍ତ ପତ୍ରିକା ଉଚ୍ଚ ମନ୍ତବ୍ୟ ପ୍ରକାଶ କଲେ । ରାଧାନାଥ ରାୟ, ଫକୀରମୋହନ ସେନାପତି, ଚନ୍ଦ୍ରମୋହନ ମହାରଣା, ପୁରୀର ଦିବ୍ୟସିଂହ ମିଶ୍ର ପ୍ରଭୃତି ବିଶିଷ୍ଟ ବ୍ୟକ୍ତିମାନେ ଉତ୍ସାହଦେଇ ପତ୍ର ଲେଖିଲେ । ସମ୍ୱାଦ, ପ୍ରବନ୍ଧ ଅନେକ ଆସିଲା । ଗ୍ରାହକସଂଖ୍ୟା ମଧ୍ୟ କ୍ରମଶଃ ବୃଦ୍ଧି ପାଇଲା । ମଥୁରି ବାବୁ ଭଦ୍ରକରୁ ଅନେକ ଗ୍ରାହକ କରାଇ ଦେଲେ । ପ୍ରତ୍ୟେକ ସ୍କୁଲ ଶିକ୍ଷକଙ୍କୁ ହିତବାଦିନୀର ଗ୍ରାହକ ହେବାପାଇଁ ସେ ଅନୁରୋଧ କଲେ । ତାଙ୍କରି ଚେଷ୍ଟାରେ ଅନେକ ଶିକ୍ଷକ ଗ୍ରାହକ ହେଲେ । ଛାତ୍ରମାନଙ୍କ ପାଇଁ ମୂଲ୍ୟ ଊଣା କରି ଦେବାରୁ ଅନେକ ଛାତ୍ର ଗ୍ରାହକମିଳିଲେ । ହିତବାଦିନୀ ନିୟମିତ ରୂପେ ପ୍ରକାଶିତ ହେଲା । ଗଞ୍ଜାମରୁ ଅନେକ ଲେଖିଲେ । ବିଖ୍ୟାତ ପଣ୍ଡିତ ସଦାଶିବ ବିଦ୍ୟାଭୂଷଣ ମଧ୍ୟ ପ୍ରବନ୍ଧ ଲେଖି ପଠାଇଲେ । ତାଙ୍କ ପ୍ରବନ୍ଧ ମଧ୍ୟରୁ ଅନେକ ଉପହାର ପ୍ରାପ୍ତ ପୁସ୍ତକର ସମାଲୋଚନା । ବିଦ୍ୟାଭୂଷଣ ଖୁବ୍ ମେଳିଆ ଓ ନବରସରେ ରସିକ । ତାଙ୍କର ପ୍ରତ୍ୟୁତ୍ପନ୍ନ ମତି ଖୁବ୍ ଅସାଧାରଣ । ଖୁବ୍ ଖିଆଲିଆ କଥା କହନ୍ତି । କାନ୍ଦିବା ଲୋକକୁ ହସାଇ ପାରନ୍ତି । ତାଙ୍କପରି ବହୁ ଭାଷାଜ୍ଞ ପଣ୍ଡିତ ବିରଳ । ସରଳ ଅମାୟିକ ବ୍ୟବହାରରେ ସେ ମୋତେ ଏକାବେଳେକେ କିଣିନେଲେ । ପ୍ରତ୍ୟହ ସେ ଆସି ଦେଖା ଦିଅନ୍ତି । ତାଙ୍କୁ ସୁବନ୍ଧୁରୂପେ ପାଇ ମୁଁ କୃତାର୍ଥ ହେଲି । ଦୁଃଖର ବିଷୟ ବର୍ତ୍ତମାନ ସେ ଇହଜଗତରେ ନାହାନ୍ତି । ପାରଳାରୁ ଶଶିଭୂଷଣ ରଥ, ପ୍ୟାରିମୋହନ ପାଣିଗ୍ରାହୀ, ରାମକୃଷ୍ଣ ମିଶ୍ର ନିୟମିତ ଭାବରେ ସମ୍ୱାଦ ଓ ପ୍ରବନ୍ଧ ପଠାଇଲେ । ତେତେବେଳେ ଏ ତିନିହେଁ ପାରଳା ଖେମଣ୍ଡି କଲେଜରେ ପଢ଼ୁଥିଲେ । ସେହି ଛାତ୍ରାବସ୍ଥାରୁ ଶଶିବାବୁଙ୍କ ହୃଦୟରେ ସ୍ୱଦେଶଭିମାନ ଗଠିତ ହୋଇ ଆସୁଥିଲା । ସେ ଥରେ କଲେଜର ଜଣେ ତେଲେଙ୍ଗା ମାଷ୍ଟରଙ୍କର ଅଦ୍ଭୁତ ଓଡ଼ିଆ ଜ୍ଞାନର ନମୂନା ପ୍ରକାଶ କରିଥିଲେ । ମାଷ୍ଟରଟି ଜଣେ ଓଡ଼ିଆ ଛାତ୍ରକୁ କହିଥିଲେ–‘‘କାଲି ସାଇଁତ୍ରୀକି ତୁ ବନ୍ଧ ଖାଟୁ ଉପରେ ଥିଲି ନାହିଁକି ହେ ।’’ ଏତକ ଶଶିବାବୁ ନୀରବରେ ଜୀର୍ଣ୍ଣ କରି ପାରିଲେ ନାହିଁ-। ହିତବାଦିନୀରେ ତାହା ବାହାରିବାରୁ ତେଲୁଗୁ ଶିକ୍ଷକ ସମାଜରେ ଗୋଟାଏ ଆନ୍ଦୋଳନ ଖେଳିଗଲା । ଲେଖକ ନାମରେ ମାନହାନି ମକଦ୍ଦମା କରିବାର ପରାମର୍ଶ ମଧ୍ୟ ହୋଇଥିଲା । ମାତ୍ର ସେକେଣ୍ଡ ପ୍ରିନ୍ସ ସ୍ୱନାମ ଧନ୍ୟ ପଦ୍ମନାଭ ଗଜପତି ନାରାୟଣ ଦେବଙ୍କ ଯୋଗୁଁ ତାହା ହୋଇ ପାରିଲା ନାହିଁ । ସେ କହିଲେ–‘‘ ଏଥିରେ ଯେ ବାହାରିବ ସେ ନିଜକୁନିଜେ ଅଯୋଗ୍ୟ ବୋଲି ଚିହ୍ନାଇବ ଓ ଏହାର ଶେଷଫଳ ବଡ଼ ବିଷମ ହେବ । ଏତିକି ଶୁଣି ଆନ୍ଦୋଳନ ଥଣ୍ଡା ହୋଇଗଲା । ବାସ୍ତବରେ ଯେଉଁମାନେ ଓଡ଼ିଆରେ ଏହିପରି କାଣ୍ଡଜ୍ଞାନଶୂନ୍ୟ, ସେ ଓଡ଼ିଆ ପିଲାଙ୍କୁ କଅଣ ପଢ଼ାଇବେ । ଏହିପରି ବିକୃତ ଓଡ଼ିଆ ଭାଷାରେ କଥା କହିଲେ ଓଡ଼ିଆ ପିଲେ ଶୁଣି କଅଣ ଛେନା ଗୁଡ଼ ବୁଝି ଭଟ୍ଟାଚାର୍ଯ୍ୟ ପଣ୍ଡିତ ପାଲଟି ଯିବେ । ଏହା କହିଲେ ପୁଣି କୋପ, ଅଭିମାନ-! ଆଉ ଥରେ ପ୍ୟାରିମୋହନ ପାଣିଗ୍ରାହୀ ଏହିପରି ବିପଦରେ ପଡ଼ିଥିଲେ । କିନ୍ତୁ ଦୁଃଖର ବିଷୟ ଏ ବିବାଦ ଓଡ଼ିଆ ତେଲେଙ୍ଗା ମଧ୍ୟରେ ନୁହେଁ–ଓଡ଼ିଆ ଓଡ଼ିଆ ମଧ୍ୟରେ, ପୁଣି ଗୁରୁଶିଷ୍ୟ ମଧ୍ୟରେ । ତେତେବେଳେ ଗୋପୀନାଥ ନନ୍ଦ କଲେଜର ଦ୍ୱିତୀୟ ପଣ୍ଡିତ ଥିଲେ । ନାମ ଆଦ୍ୟରେ ପ୍ୟାରୀମୋହନ ଶ୍ରୀ ଲେଖିଥିବାରୁ ପଣ୍ଡିତେ ତାଙ୍କର ନମ୍ୱର କାଟିଦେଲେ । ତାଙ୍କ ବିଚାରରେ ଶ୍ରୀଟା ବଡ଼ ବିଶ୍ରୀ । ହିତବାଦିନୀରେ ‘ଶ୍ରୀ ବିଦ୍ୱେଷୀ ପଣ୍ଡିତ’ ଶୀର୍ଷକ ପ୍ରବନ୍ଧ ବାହାରିଲା । ପଣ୍ଡିତେ ଅଗ୍ନି ଶର୍ମା ହୋଇଉଠି ପ୍ରତିବାଦ ଅନ୍ୟଦ୍ୱାରା ଲେଖାଇଲେ । ପ୍ରତିବାଦର ବହୁ ପ୍ରତିବାଦ ହେଲା । ଲେଖକଙ୍କୁ କଲେଜରୁ ବାହାର କରିଦେବାଯାଏଁ କଥାଉଠିଲା । ପଛକୁ ନନ୍ଦେ ନିଜର ଭ୍ରମ ବୁଝିପାରି ଲଜ୍ଜା ଢାଙ୍କିବା ପାଇଁ ଶ୍ରୀ ବିଦ୍ୱେଷ କଥା ସମ୍ପୂର୍ଣ୍ଣ ମିଥ୍ୟା ବୋଲି କହିଲେ । ପ୍ୟାରୀମୋହନ ବାବୁଙ୍କର ଯେଉଁ ଖାତାରେ ଶ୍ରୀ କଟା ଯାଇଥିଲା ସେ ଉକ୍ତ ଖାତା ଖଣ୍ଡକ ମୋ ପାଖକୁ ପଠାଇ ଦେଲେ । ହିତବାଦିନୀରେ ସେହି ପ୍ରମାଣ ଦେଖାଇ ଦିଆଗଲା । ସେହିଠାରୁ ପଣ୍ଡିତେ ନୀରବ ରହିଲେ । ମଣିଷ ଜୀବନରେ ଏହିପରି ଘଟନା କେତେ ଘଟେ, ସେଥିପାଇଁ କ୍ରୋଧ ପୋଷିବା ନିତାନ୍ତ ଅବିବେଚନାର କାର୍ଯ୍ୟ । ନନ୍ଦପଣ୍ଡିତେ ଏହି ସାମାନ୍ୟ ଘଟନାଲାଗି ମୋ ପ୍ରତି ଗୋଟାଏ ବିଫଳ ବିଦ୍ୱେଷ ଆଜୀବନ ପୋଷଣ କରିଥିଲେ । ସେ ଜଣେ ପ୍ରତିଭାଶାଳୀ ପଣ୍ଡିତ, ଏହା କାହାରି ଅସ୍ୱୀକାର୍ଯ୍ୟ ନୁହେଁ । ତାଙ୍କର ଗଭୀର ଗବେଷଣାଶକ୍ତି ଦୃଷ୍ଟିରେ ତାଙ୍କ ପ୍ରେତାତ୍ମାକୁ ମଧ୍ୟ ସମ୍ମାନ ପ୍ରଦର୍ଶନ କରିବା ଉଚିତ, କିନ୍ତୁ ସତ୍ୟର ଅନୁରୋଧରେ କହିଲେ ସେ ଟିକିଏ ଆତ୍ମଗର୍ବୀ ଥିଲେ । ଅନ୍ୟର ଅଭ୍ରାନ୍ତ ମତକୁ ସୁଦ୍ଧା ସେ ଗ୍ରାହ୍ୟ କରୁ ନ ଥିଲେ ।
ଆଉ ଗୋଟିଏ କଥା ଭୁଲିଯାଇଛି । ବ୍ରହ୍ମପୁରରେ ରହିବାର କିଛିଦିନ ପରେ ଜଣେ ହେଡ଼ କନେଷ୍ଟବଳ ଦୁଇଖଣ୍ଡ ପରଓ୍ୱାନା ଧରି ଆସିଲା–ଖଣ୍ଡିଏ ମୋ ନାମରେ ଓ ଅନ୍ୟ ଖଣ୍ଡିଏ ହରେକୃଷ୍ଣ ନାମରେ । ଆମ୍ଭେ ଦୁହେଁ ଡାକ୍ତରଖାନାକୁ ନ ଯାଇ ପ୍ଳେଗ ନିୟମ ଲଙ୍ଘନ କରିଥିବାରୁ ଆମ୍ଭ ନାମରେ ମକଦ୍ଦମା ହୋଇଛି । ସେଥିରେ ଗୋଟାଏ ତାରିଖ ଧାର୍ଯ୍ୟ ହୋଇଛି । ସେହିଦିନ କୋର୍ଟରେ ହାଜର ହେବାକୁ ହେବ । ହେଡ଼ କନେଷ୍ଟବଳଟି ପାରଳାବାସୀ ଓଡ଼ିଆ, ଅତି ଭଦ୍ର ଲୋକ-। ମକଦ୍ଦମାର ଫଳ କଅଣ ହେବ ବୋଲି ପଚାରିବାରୁ ସେ କହିଲା–ଏହିପରି ମୋକଦ୍ଦମାରେ ପଚାଶ ଟଙ୍କା ଜୋରିମାନା ହେବ ବୋଲି ଆଇନରେ ଅଛି । ଏହା ଶୁଣି ଭାବିଲି ବିପଦଟା ମନ୍ଦ ନୁହେଁ । ଆସିବା ଦିନ ଡାକ୍ତର ଯେଉଁ କାଗଜ ଦୁଇଖଣ୍ଡ ଦେଇଥିଲେ ତାହା ପକେଟ୍ରେ ପଡ଼ିଥାଏ; ସେ କଥା ଆଉ ମନରେ ଥିଲା ନାହିଁ । ଶାସ୍ତ୍ରୀ ଆସି ପହୁଁଞ୍ଚିଲେ, ତାଙ୍କୁ ଘଟନା କହିଲି । ଫାରମ ଦୁଇଖଣ୍ଡ ଦେଖି ସେ କହିଲେ–ଚାରିଟା ବେଳେ ବଡ଼ଡାକ୍ତର ଏହି ବାଟେ ଡାକ୍ତରଖାନାକୁ ଯିବେ, ମୁଁ ତାଙ୍କୁ କହିବି । ତେତେବେଳେ ପାଉଲ ସାହେବ ସିଭିଲସର୍ଜନ । ତାଙ୍କ ଗାଡ଼ି ଆସିବାବେଳେ ଶାସ୍ତ୍ରୀ ମୋତେ ସଙ୍ଗରେ ନେଇ ଗାଡ଼ି ଅଟକାଇ ସବୁକଥା କହିଲେ । ହାସପିଟାଲକୁ ନଯିବା କାରଣ ମୋତେ ଡାକ୍ତର ପଚାରିଲେ । ମୁଁ କହିଲି ତେଲୁଗୁ ଫାରମରେ କଅଣ ଲେଖା ଅଛି, ମୁଁ ତାହା କିପରି ଜାଣିବି ? ମୁଁ ଗଞ୍ଜାମକୁ ନୂଆ ଆସିଛି, ତେଲୁଗୁ ଜାଣେ ନାହିଁ-। ଓଡ଼ିଆ ଫାରମ ହୋଇଥିଲେ ମୁଁ ପଢ଼ି ଜାଣି ଥାଆନ୍ତି । ଡାକ୍ତର ହସିହସି କହିଲେ, ମୁଁ ଆଗେ ଯାଉଛି, ତୁମ୍ଭେ ଦୁହେଁ ଫାରମ ଘେନି ଡାକ୍ତରଖାନାକୁ ଆସ । ତଦନୁସାରେ ଶାସ୍ତ୍ରୀଙ୍କୁ ଘେନି ଆମ୍ଭେମାନେ ଡାକ୍ତରଖାନାକୁ ଗଲୁଁ । ପାଉଲ ସାହେବ ଫାରମରେ ଦଶଦିନର ଦସ୍ତଖତ କରି ଦେଇ ରଖିଲେ । ତାଙ୍କରି ମନ୍ତବ୍ୟରେ ଆମ୍ଭେମାନେ ରକ୍ଷା ପାଇଲୁଁ । ମକଦ୍ଦମା ଉଠାଇ ନିଆଗଲା ।
ଦିନେ ଶାସ୍ତ୍ରୀ ମୋତେ କହିଲେ–‘‘ମୁଁ ଏଠୁସେଠୁ ପୁସ୍ତକ ଲେଖାଇ ଆଣୁଛି । ଏଣିକି ତୁମ୍ଭେ ଲେଖ, ଲାଭର ଚାରିପଣ ଅଂଶ ତୁମର ରହିବ । ମୁଁ ମଧ୍ୟ ତେଲେଙ୍ଗା ପୁସ୍ତକରୁ କେତେ ସାହାଯ୍ୟ କରିବି ।’’ ମୁଁ ସ୍ୱୀକୃତ ହେଲି । ସାହିତ୍ୟ, ଇତିହାସ, ଭୂଗୋଳ, ବର୍ଣ୍ଣବୋଧ, ସ୍ୱାସ୍ଥ୍ୟରକ୍ଷା, କେତେ ପ୍ରଶ୍ନୋତ୍ତର ଏହିପରି କେତେ ପୁସ୍ତକ ଲେଖିଲି । କାହିଁରେ ଉଭୟଙ୍କର ନାମ ରହିଲା, କାହିଁରେ ବା ଏକା ତାଙ୍କରି ନାମ ରହିଲା । ମୂଲ୍ୟ ପୁସ୍ତକରେ ଗୋଟିଏ ନିର୍ଦ୍ଦିଷ୍ଟ ଥାଏ । ମାତ୍ର ବିକ୍ରୟରେ ଭିନ୍ନ ନୀତି । ଚାରିଅଣା ମୂଲ୍ୟ ଲେଖାଯାଇଥିବା ପୁସ୍ତକ ତିନିଅଣା, ଦଶ ପଇସା, ସ୍ଥାନ ବିଶେଷରେ ଦୁଇଅଣାରେ ବିକ୍ରୟ ହୁଏ । ପ୍ରେସ୍ରେ ସୁଦ୍ଧା ନିର୍ଦ୍ଧାରିତ ରେଟ୍ ନାହିଁ । ଶହେ ଖଣ୍ଡ ପୋଷ୍ଟ କାର୍ଡ଼ର ଛାପାଖର୍ଚ୍ଚ ଟଙ୍କାକ ଠାରୁ ଚାରିଅଣା ପର୍ଯ୍ୟନ୍ତ ହୁଏ । ସବୁ କାର୍ଯ୍ୟ ଅବ୍ୟବସ୍ଥିତ । ତାଙ୍କପରି ଅର୍ଥପିପାସୁ ଜଗତରେ ଅଳ୍ପ ଥିବେ । ସେ ନିଜେ କହନ୍ତି–ଯେଉଁ ଦିନ ମୋ ପେଡ଼ିରେ ଅତି ଊଣାରେ ପାଞ୍ଚଟା ଟଙ୍କା ନ ପଡ଼ିବ ସେ ଦିନ ମୁଁ ପାଗଳ ହୋଇଯିବି । ପୁସ୍ତକର ଭୁଲ କଟାଯାଏ ନାହିଁ । କହନ୍ତି, ବହିରେ କଣ ଭୁଲ ଥାଏ ନାହିଁ, ଗୋଟାଏ ଗୋଟାଏ କାଟିଦିଅ । ଚଞ୍ଚଳ ପାଇଟି ହୋଇଯାଉ । ତାଲୁକା ବୋର୍ଡ଼ରେ ମେମ୍ବର ଥିବାରୁ ତାଙ୍କ ପୁସ୍ତକ ବିକ୍ରୀରେ ସୁବିଧା ଥିଲା । କର୍ମଚାରୀମାନଙ୍କୁ ଦରମା ଅଳ୍ପ ଦିଅନ୍ତି, ମାତ୍ର ଦୁଇଗୁଣ ଖଟାଇ ନିଅନ୍ତି । ଏହି ହେତୁରୁ କର୍ମଚାରୀ ବଦଳ ବରାବର ଲାଗିଥାଏ । ପ୍ରେସ୍କାର୍ଯ୍ୟ, ପୁସ୍ତକ ଲେଖା, ପତ୍ରିକା ପାଠ ଏବଂ ଲେଖା ଏହି ସବୁ ପ୍ରେସ କାର୍ଯ୍ୟରେ ମୋର ଅବକାଶ ରହିଲା ନାହିଁ । ରାତି ବାରଟାଯାଏଁ କାମ କରିବାକୁ ହୁଏ, ଅତିରିକ୍ତ ପରିଶ୍ରମରେ ସ୍ୱାସ୍ଥ୍ୟ ଭାଙ୍ଗି ପଡ଼ିଲା । ମୋତେ ଜ୍ୱର ହେଲା । ଆଉ ଶାସ୍ତ୍ରୀଙ୍କର ବିକଳ ଦେଖେ କିଏ ! ଏ ବିକଳ ମୋ ପାଇଁ ନୁହେଁ । ତାଙ୍କ ପୁସ୍ତକ ଲେଖା ବନ୍ଦ ହୋଇଗଲା ସେଥିପାଇଁ । ସେ ଯାଇ ପାଉଲ ସାହେବଙ୍କୁ ଡାକିଆଣିଲେ । ଗୋରା ସାହେବ ନୁହେଁ–କଳାସାହେବ । ସେ ଆସି ଜିଭ, ଆଖି, କାନ ନାକ କେତେ ପରୀକ୍ଷା କଲେ । ପୂର୍ବକାଳର ବୈଦ୍ୟମାନେ ନାଡ଼ି ପରୀକ୍ଷା, ମୂତ୍ର ପରୀକ୍ଷା କରୁଥିଲେ । ଏଣିକି ଜିଭ, ନାକ ଚିପି ରୋଗର ପରୀକ୍ଷା କରାଯାଏ । ଡାକ୍ତର ପରୀକ୍ଷା କରିସାରି ଔଷଧ ଲେଖିଦେଇ ଗଲେ । ପ୍ରେସ୍ ପାଖରେ ଔଷଧ ଦୋକାନ । ଶାସ୍ତ୍ରୀ ଯାଇ ଔଷଧ କିଣି ଆଣିଲେ । ଔଷଧ ଖାଇ ଦୁଇଦିନ ପରେ ଟିକିଏ ଉପଶମ ଜଣାଗଲା । ସେ ଦିନ ସନ୍ଧ୍ୟାବେଳକୁ ଶାସ୍ତ୍ରୀ ଗୁଡ଼ାଏ ଲୁଣ–ଲଙ୍କାମରିଚ–ପିଆଜ–ହିଙ୍ଗୁବହୁଳ ବିରିସିଝା ଆଣି ଦେଲେ । ଆଉ ଚାରୁ ମଧ୍ୟ ଗିଲାସେ ଆଣିଥିଲେ । ଉଭୟ ପଦାର୍ଥରୁ ବାମ୍ଫ ଉଠୁଥାଏ । କହିଲେ,–ପଣ୍ଡିତେ, ଏହାକୁ ଖାଇ ଚାରୁ ପିଅନ୍ତୁ । ଚାରୁ ସର୍ବରୋଗହର । କଅଣ କରିବି, ସେହି ଘୋଡ଼ାଦାନାରୁ ମୁଠାଏ ପାଟିରେ ପକାଇ ଆଉ ଯାଏ କୁଆଡ଼େ । ଜିଭ, ତଣ୍ଟି, ଓଠ ସବୁ ହୁତାଶନ ପରି ଜଳିଲା । ପୋଡ଼ା ଛାଡ଼ିଯିବ ବୋଲି ଟିକିଏ ଚାରୁ ପିଇଲି, ମାତ୍ର ସେ ପ୍ରଥମର ବଡ଼ଭାଇ କିମ୍ବା ଗୁରୁଗୋସାଇଁ । ଜଳା ପୋଡ଼ା ଛାଡ଼ିବ କଅଣ, ଦ୍ୱିଗୁଣ ହେଲା । ଶାସ୍ତୀ ଆହୁରି ଦାନା ପାଣି ଗର୍ଭସ୍ଥ କରିବାକୁ ବାରମ୍ବାର ଅନୁରୋଧ କରିଥାନ୍ତି । ମାଡ଼ ଭୟରେ ଚାଟ ପିଲା ପାଠ ନ ଆସୁ ଥିଲେ ସୁଦ୍ଧା ‘‘ହଁ ଅବଧାନେ ଆସିଲାଣି’’ ବୋଲି କହି ପକାଇଲା ପରି ମୁଁ ଛାନିଆଁ ହୋଇ କହିଲି–‘‘ମୋର ଜ୍ୱର ଛାଡ଼ିଗଲାଣି ଶାସ୍ତ୍ରୀ, ଆଉ ଦରକାର ନାହିଁ । ଛାର ଜ୍ୱରକଥା କିଏ ପଚାରେ, ଜ୍ୱରର ବାପକୁ ଜ୍ୱର ହୋଇଥିଲେ ବି ଛାଡ଼ି ପଳାଇବ । ଶାସ୍ତ୍ରୀ ହସି ହସି କହିଲେ–‘‘ତୁମ୍ଭ ପାଇଁ ଅଳ୍ପ ରାଗ ଦିଆ ଯାଇଛି ।’’ ଭାବିଲି ମୋ ପାଇଁ ନ ହୋଇଥିଲେ ବୋଧହୁଏ ଆହୁରି ଅଧମହଣେ ଲଙ୍କାମରିଚ ପୁଟ ଦିଆ ହୋଇଥାନ୍ତା ପରା । ଜ୍ୱର ଛାଡ଼ି ଗଲା, ଶାସ୍ତ୍ରୀ ଗାରୁ ନିଶ୍ୱାସ ଛାଡ଼ି ଆଶ୍ୱାସ ପାଇଲେ । ଏବେ ତାଙ୍କର ପୁସ୍ତକ ଲେଖା ଚାଲିବ । ମୋର ଜ୍ୱର ଛାଡ଼ିଗଲା–ତାଙ୍କର ଗ୍ରହରିଷ୍ଟ ତୁଟିଲା । ଶାସ୍ତ୍ରୀଙ୍କ ଘରୁ ଚଟଣି ଖାଇ ମୁଁ ବୁଝିଛି ସେ ଚଟଣି ଖିଆ ନୁହେଁ, ଚଟକଣିଖିଆ ତେଲଙ୍ଗାମାନେ ଖୁବ୍ ରାଗ ଖାଇ ପାରନ୍ତି । ସେମାନେ ଖଟାଖୋର୍, ମିଠାର ଶତ୍ରୁ । ବଡ଼ଖେମଣ୍ଡିରେ ବିଦ୍ୟାରତ୍ନଙ୍କ ବସାରେ ଦେଖିଥିଲି ତାଙ୍କର ଜଣେ ଚାକରାଣୀକୁ ପଇସାଟିଏ ଦକ୍ଷିଣା ଦେଲେ ସେ ପଣେ କଞ୍ଚା ଲଙ୍କାମରିଚ ଚୋବାଇ ଖାଇଦିଏ । ଲୋକଟି ଦେଖିବାକୁ ସୁର୍ପଣଖାର ମାଉସୀ ପରି ଦିଶେ । ଏତେ ଲଙ୍କାମରିଚ ଖାଇ ତାର ପେଟ ଟିକିଏ ସୁଦ୍ଧା ଖରାପ ହୁଏ ନାହିଁ । ଖାଇଲା ବେଳେ ଟିକିଏ ‘‘ସୁ–ସା’’ ଶବ୍ଦ କରେ ନାହିଁ । ମୁଁ ସ୍ୱଚକ୍ଷୁରେ ଏହା ଦେଖି ଆଶ୍ଚର୍ଯ୍ୟ ହୋଇଛି ।
ରଙ୍ଗେୟା ନାମକ ଜଣେ ତେଲେଙ୍ଗା ପ୍ରେସ୍ମ୍ୟାନ ଥିଲା । ଲୋକଟି ଅତି ନିରୀହ । ସେ ଓଡ଼ିଆ, ତେଲୁଗୁ ଉଭୟ ଭାଷା ଲେଖିପଢ଼ି ଜାଣେ । ଓଡ଼ିଆ ଉଚ୍ଚାରଣ ତାହା ତୁଣ୍ଡରେ ବିକୃତ ହୁଏ ନାହିଁ । ସାଧାରଣ ତେଲେଙ୍ଗାମାନେ ଗୁରୁପ୍ରାଣ ସ୍ଥାନରେ ଲଘୁପ୍ରାଣ ଓ ଲଘୁପ୍ରାଣ ସ୍ଥାନରେ ଗୁରୁପ୍ରାଣ ବର୍ଣ୍ଣ ବ୍ୟବହାର କରନ୍ତି । କାନ୍ଧକୁ ‘‘ଖାନ୍ଦ’’ ସ ବାଘକୁ ‘‘ଭାଗ’’ ବୋଲି କହନ୍ତି । ରଙ୍ଗେୟା ଓକିଲ ମୋହରିର ଥିଲା । ଦୁର୍ଭାଗ୍ୟ ବଶତଃ କାଲ ହୋଇଗଲା । ଏପରି କାଲ ଯେ କାନ ପାଖରେ ଢୋଲ ବଜାଇଲେ ଜାଣି ପାରିବ ନାହିଁ । ଠାର ଚଞ୍ଚଳ ବୁଝିପାରେ । ତାହା ହାତରେ ଲେଖି ଦେଲେ ବି ବୁଝେ । ଦୁର୍ଭାଗ୍ୟ ଯାହାଠାରୁ ଦାଉ ସାଧିବାକୁ ବସେ ତାକୁ ଚୂଡ଼ାନ୍ତ ନ କରି ଛାଡ଼େ ନାହିଁ । ଭାଗ୍ୟ ବିପର୍ଯ୍ୟୟରେ ପଡ଼ି ରଙ୍ଗେୟା ପ୍ରେସମେନ୍ ହେଲା–ତାହାର ମୂଲ୍ୟ ହେଲା ସପ୍ତମୁଦ୍ରା । ସେ ସକାଳୁ ଆସି ଦିନେ ଦିନେ ଦୁଇଟା ପର୍ଯ୍ୟନ୍ତ କାର୍ଯ୍ୟ କରେ । ଅନେକ ସମୟରେ ଉପରଓଳିର କାର୍ଯ୍ୟ ରାତି ଦଶଟା ପର୍ଯ୍ୟନ୍ତ କରେ । ଦିନେ ଦିନେ ମୋତେ ଆସି କହେ–ପଣ୍ଡିତେ, ଆଜି ଦୁଇହଜାର କାଗଜ ଛାପିସାରି ଘରକୁ ଯିବାକୁ ହେବ ବୋଲି ବରାଦ ହୋଇଛି । ଉଃ, ଢେର ରାତି ହୋଇଯିବ । ତେତେବେଳକୁ ବଜାର ପଡ଼ିଯାଇଥିବ ପରା । ଆଜି ଆଉ କପାଳରେ ଭାତ ନାହିଁ । ଏଣୁ ଯାଇ ବଜାରରୁ କିଣିନେଲେ ସିନା ରନ୍ଧା ହେବ । ବଜାର ପଡ଼ିଗଲେ ଆଉ କଣ କରିବି । ଏହା କହି କପାଳରେ ହାତ ପକାଇ କାନ୍ଦି ପକାଏ । କେବେ କେବେ ମୋ ପାଖରୁପଇସା ଧାରନେଇ ଚାଉଳ, ପରିବା କିଣି ଘରେ ଦେଇ ଆସେ । ଏତେ କାମ କରି ସୁଦ୍ଧା ଦିନେ ଟିକିଏ ଉଛୁର ହୋଇଗଲେ ଗାଳି ଖାଏ । ପୁଣି ଜର ବାଧକରେ ଦିନେ ନ ଆସିଲେ ଦରମା କଟିଯାଏ । ବେଙ୍ଗଉପରେ ସବୁ ପରୀକ୍ଷା ଗଲାପରି ତାହାଉପରେ ସମସ୍ତେ ପ୍ରତାପ ଦେଖାନ୍ତି । ତାକୁ ଆଉ ଗୋଟିଏ ଟଙ୍କା ଦେବାକୁ ମୁଁ ବାରମ୍ବାର ଅନୁରୋଧ କରି ସୁଦ୍ଧା କିଛି ଲାଭ ହେଲା ନାହିଁ । ସେ ଆଉ ପ୍ରେସକୁ ଆସିଲା ନାହିଁ । ଏଣେ ପ୍ରେସରେ କାମ ବନ୍ଦ ରହିଲା । ତେତେବେଳେ ଯାଇ କର୍ତ୍ତାଙ୍କର ଚେତନା ଆସିଲା । ତାହା ଘର ପାଖକୁ ଯାଇ ତାର ଦରମା ବଢାଇ ତାକୁ ଆଣିବାକୁ ହେଲା । ସିଧା ଆଙ୍ଗୁଳିରେ ଘିଅ ଉଠେ ନାହିଁ । ଯାହା ସଙ୍ଗରେ ଶାସ୍ତ୍ରୀଙ୍କର ଅପଡ଼ ହୁଏ, ମୋ ପାଖରେ ତାର ଦୁର୍ଗୁଣ ଗାଇ କହନ୍ତି–‘‘ଏଥର ପତ୍ରିକାରେ ତାକୁ ଆଣ୍ଟ କରି ମାରିବାର ଅଛି ।’’ କିନ୍ତୁ ମୁଁ ତାହା ଶୁଣେ ନାହିଁ । ମୁଁ ଥରେ କହିଲି–ବିଦ୍ୱେଷ କଲେ ସମ୍ପାଦକୀୟ ଉଦାରତା ବଦଳରେ ହୀନତା ପ୍ରକାଶ ପାଏ-। ଶାସ୍ତ୍ରୀ ଆଉ କିଛି କହିଲେ ନାହିଁ, ମୁହଁ ଭାରି କରି ରହିଲେ । ମନଭାଙ୍ଗି ଗଲେ ସେ ମୁହଁଟା ପେଡ଼ି ପରି କରନ୍ତି, କିନ୍ତୁ ପରେ ନିଜର ଭୁଲ ବୁଝି ପାରନ୍ତି–ଏହା ତାଙ୍କର ଗୋଟାଏ ଭଲଗୁଣ । ତାଙ୍କର କ୍ରୋଧ ଠିକ୍ ଝୋଟ ନିଆଁ ପରି, ଯେତେ ଶୀଘ୍ର ଲାଗେ, ତେତେ ଶୀଘ୍ର ଲିଭିଯାଏ । କଲେଜର ପରୀକ୍ଷା ପ୍ରଶ୍ନ ତାଙ୍କରି ପ୍ରେସ୍ରେ ଛପାହୁଏ । ପିଲାମାନଙ୍କୁ ପ୍ରଶ୍ନ କହିଦେଇ କିଛି ଲାଭ ହୁଏ, ଏହା ମୁଁ ଜାଣେ ନାହିଁ । ଥରେ ମୋ ସମୟରେ ପ୍ରଶ୍ନ ଛପା ହେଲା । ମୁଁ କବାଟ କିଳିଦେଇ ଛପାଇବାର ବ୍ୟବସ୍ଥା କଲି । ପିଲାମାନେ ଝରକା ପାଖରେ ଲୁଙ୍ଗୁପୁଙ୍ଗୁ ହେଲେ । ଶାସ୍ତ୍ରୀ ଆସି ମୋ କାନରେ କହିଲେ ‘‘ପଣ୍ଡିତେ, ଏତେ କଡ଼ା କଲେ ଚଳିବ ନା ? କେତେଟା ପିଲା ମିଶି ଅଶୀ ଟଙ୍କା ଧରି ଆସିଛନ୍ତି । ଗୋଟାଏ ପ୍ରଶ୍ନ କହିଦେଲେ ହେଲା । ମୁଁ କହିଲି–ଏ ଅନେକଙ୍କର ଭାଗ୍ୟ ପରୀକ୍ଷା, ଜାଣୁ ଜାଣୁ ଏ ପାପ କିଏ ମୁଣ୍ଡାଇବ–ଅନ୍ୟାୟ କଲେ ଧର୍ମ ସହିବ ନାହିଁ । ସେ ମୋତେ ଅନେକ ଟଗରା ଟଗରୀ କଲେ, ମୁଁ ବିରକ୍ତ ହୋଇ କାମ ଛାଡ଼ି ବସାକୁ ବାହାରିଲି ଏବଂ କହିଲି–ଆପଣ ପଛେ କରନ୍ତୁ, ମୁଁ ପାରିବି ନାହିଁ-। ଏ କଥା ପ୍ରକାଶ ହେଲେ ଫଳ ବଡ଼ ଭୟଙ୍କର ହେବ । ବହୁ କଷ୍ଟରେ ଶାସ୍ତ୍ରୀ ନିରସ୍ତ ହେଲେ କିନ୍ତୁ ତିନିଦିନ ଯାଏଁ ମୋତେ କଥା କହିଲେ ନାହିଁ । ତାଙ୍କ ପରିବାରମାନେ ଶୁଣି ମୋ ଉପରେ ଭାରି ଖପା ହୋଇଗଲେ । ଶାସ୍ତ୍ରୀଙ୍କର ବ୍ୟବସାୟ ବୁଦ୍ଧି ପ୍ରଖର, ମାତ୍ର ପାରିଉଠନ୍ତି ନାହିଁ । କଟକରୁ ସାନ ସାନ ପୁସ୍ତକ କିଣିନେଇ ଗୋଟାଏ ଦୋକାନ ଖୋଲାହେଲା । ବିକ୍ରୟର ଭାର ତାଙ୍କ ପିତାଙ୍କ ହାତରେ ରହିଲା । ବୁଢ଼ା ଯାହା ବିକ୍ରୟ କରନ୍ତି, ସେଥିରେ ପରିବା କିଣି ପକାନ୍ତି, ଲାଭ ଦୂରେ ଥାଉ ମୂଳ ବୁଡ଼ିବାକୁ ବସିଲା । ତହୁଁ ନିଜେ ଚାବିରଖି କର୍ମଚାରୀମାନଙ୍କ ଦ୍ୱାରା ବିକ୍ରୟର ବ୍ୟବସ୍ଥା କଲେ । କର୍ମଚାରୀ ମଧ୍ୟରୁ କେତୋଟି ‘ଗୁଳାଖିଆ’ ଥାଆନ୍ତି । ‘‘ଗୁଳା’’ ଗଞ୍ଜେଇରେ ତୟାର ହୋଇ ନବାତ ପାଗ ଦିଆଯାଏ । ସେଥିରେ ଭାରି ନିଶା ହୁଏ । ଗୁଳାଖୋର କର୍ମଚାରୀମାନେ ପୁସ୍ତକ ବିକି ଗୁଳାପାଇଁ ଅଧେ ରଖି ଶାସ୍ତ୍ରୀଙ୍କୁ ଅଧେ ଦିଅନ୍ତି । ସେଥିରେ ଲେଖାଲେଖି କିଛି ରହେ ନାହିଁ । କର୍ମଚାରୀମାନଙ୍କ ପକ୍ଷରେ ତାହା ଆହୁରି ସୁବିଧା । ଖଇକୁଲାରେ ବା’ ପଶିଲାପରି ଲାଭ, ମୂଳ ସବୁ ଉଡ଼ିଗଲା–ପୁସ୍ତକ ଦୋକାନ ଶେଷ ହେଲା ।
ବ୍ରହ୍ମପୁର ସହରକୁ ଅନେକ ଯାତ୍ରା, ଥିଏଟର, ସର୍କସ ଦଳ ଆସନ୍ତି । ସେଥିରେ ନୋଟିସ ବିଜ୍ଞାପନ ପ୍ରଭୃତି ଶାସ୍ତ୍ରୀଙ୍କ ପ୍ରେସରେ ଛପା ହୁଏ । ପ୍ରେସ କର୍ମଚାରୀମାନେ ବିନାଟିକଟରେ ଯାଇ ଦେଖନ୍ତି । ଏହି ସୁବିଧାରେ ମୁଁ ଅନେକ ଥର ଦେଖିବାକୁ ଯାଇଛି । ଥରେ ତୁନି ରାଜାଙ୍କର ସର୍କସ ଦଳ ହାତୀ, ଘୋଡ଼ା, ବାଘ, ଭାଲୁ ନେଇ ଆସିଲେ । ସେହି ସମୟରେ ପ୍ରବଳ ବର୍ଷା ତୋଫାନ ହେଲା । ସର୍କସର ସୁବୃହତ୍ ତମ୍ବୁ ଛିନ୍ନ ଭିନ୍ନ ଅକର୍ମଣ୍ୟ ହୋଇଗଲା ଏବଂ ଛଅଟା ସର୍କସ ଘୋଡ଼ା ମରିଗଲେ । ତୁନି ରାଜା ସମ୍ବାଦ ପାଇ ଦୁଇ ହଜାର ଟଙ୍କା ପଠାଇ ଦେଲେ । ମେନେଜର କୋଡ଼ି ରାମମୂର୍ତ୍ତି ନାଇଡୁ ନୂତନ ତମ୍ବୁ ପ୍ରସ୍ତୁତ କରି ସର୍କସ ଦେଖାଇଲେ । ତାଙ୍କର ଅଦ୍ଭୁତ କୌଶଳ ଦେଖି ଲୋକେ ମୁଗ୍ଧ ହୋଇଗଲେ । ସେହି ରାମମୂର୍ତ୍ତି ବର୍ତ୍ତମାନ ପୃଥିବୀ ବିଖ୍ୟାତ ପ୍ରୋଫେସର ରାମମୂର୍ତ୍ତି-। ଦିନେ ତାଙ୍କ ବାଘଟା ଫିଟିଗଲା । ଗୋଟାଏ ହୁଲସ୍ଥୂଲ ପଡ଼ିଗଲା । ସମସ୍ତେ କବାଟ କିଳି ଲୁଚିଲେ-। ରାମମୂର୍ତ୍ତି ଯାଇ ବିରାଡ଼ି ପରି ବାଘଟାକୁ ଧରି ଘେନି ଆସିଲେ । ବ୍ରହ୍ମପୁରର ଠାକୁରାଣୀ ଯାତ୍ରା ଗୋଟିଏ ଦର୍ଶନୀୟ ପର୍ବ । ଅନେକ ସୁମଣ୍ଡିତ ବଡ଼ ବଡ଼ ରଥ ବାହାରେ । ରଥରେ ପ୍ରକାଣ୍ଡ ପୌରାଣିକ ମୂର୍ତ୍ତି ଥାଏ । ମୂର୍ତ୍ତିଗୁଡ଼ିକ ଅନିନ୍ଦ୍ୟସୁନ୍ଦର । ଅଶ୍ଳୀଳଚିତ୍ର ଏବଂ ବେଶ ମଧ୍ୟ ସୁରୁଚିର ବାହାରେ, ସେହି ଶ୍ରେଣୀୟ ଲୋକଙ୍କର ସେଥିରେ ମନୋରଞ୍ଜନ ହୁଏ । ଗଞ୍ଜାମର ବେଶ ଖୁବ୍ ସୁନ୍ଦର ଓ ସଙ୍ଗୀତକଳାର ସ୍ୱର ମଧ୍ୟ ଖୁବ୍ ମଧୁର । ଶୀତଳ ଷଷ୍ଠୀରେ ଜଗନ୍ନାଥଙ୍କର ଫୁଲବେଶ ହୁଏ । ଜଗନ୍ନାଥଙ୍କୁ ଧନୁର୍ଦ୍ଧାରୀ ରାମଚନ୍ଦ୍ରଙ୍କ ବେଶରେ ସଜ୍ଜିତ କରାଯାଏ । ଫୁଲ ଏବଂ ତୁଳାରେ ହନୁମାନ, ଅଙ୍ଗଦ ପ୍ରଭୃତିଙ୍କର ମୂର୍ତ୍ତି ପ୍ରସ୍ତୁତ ହୁଏ । ମୂର୍ତ୍ତିଗୁଡ଼ିକ ବଡ଼ ବାହାର । ସେ ଚମତ୍କାର ଦୃଶ୍ୟ ଦର୍ଶକର ହୃଦୟରେ ଅଙ୍କିତ ହୋଇଯାଏ, ଜୀବନରେ ଭୁଲି ହୁଏ ନାହିଁ । ଦେବାଳୟଗୁଡ଼ିକ ସୂକ୍ଷ୍ମ କାରୁକଳାମଣ୍ଡିତ । ଗଞ୍ଜାମର ବାଦ୍ୟ ମଧୁର । ତେଲଙ୍ଗା ବାରିକମାନେ ଢୋଲ ମହୁରୀ ପ୍ରଭୃତି ବଜାନ୍ତି । ଉତ୍ସବରେ ବାଦ୍ୟ ବାଜେ, କେହି ଜନ୍ମ ହେଲେ ବାଦ୍ୟ ବାଜେ, ମଲେ ବି ବାଦ୍ୟ ବାଜେ । ଶବକୁ ଚୋର ଖଣ୍ଟ ପରି କୁକେଇରେ ବାନ୍ଧି ନିଅନ୍ତି ନାହିଁ । ମଣ୍ଡିତ ଚୌଦୋଳରେ ବସାଇ ଫୁଲହାର ପିନ୍ଧାଇ ବିଜୟୀ ବୀରପରି ଆଡ଼ମ୍ବରରେ ଶ୍ମଶାନକୁ ନିଅନ୍ତି । ଏ ରୀତି ଅତି ଉତ୍କୃଷ୍ଟ । ଭଣ୍ଡାରୀକୁ ତେଲଙ୍ଗାମାନେ ‘ମଙ୍ଗ୍ଲି’ କହନ୍ତି । ‘ମନ୍ତ୍ରୀ’ ବୋଲି ବି କହନ୍ତି । ଧୋବାକୁ ‘ଚାକ୍ଲି’ କହନ୍ତି-। ଓଡ଼ିଆମାନେ ମଢ଼ିଆଳି–କହନ୍ତି । ମଢିଆଳି ଶବ୍ଦ ପୁରାଣମାନଙ୍କରେ ବି ଦେଖାଯାଏ–ତାହା ଖାଣ୍ଟି ଓଡ଼ିଆ ଶବ୍ଦ । କମା ବ୍ରାହ୍ମଣମାନେ ଧୋବାକୁ ପବିତ୍ର ଜ୍ଞାନ କରନ୍ତି । ଧୋବା ପାଣିରେ ଗାଧୁଅନ୍ତି । ପୁଣି ଧୋବାହାତରୁ ଚଲ୍ହା (ଘୋଳ ଦହି) ଖାଆନ୍ତି । ବାସ୍ତବରେ ଧୋବାଜାତି ପବିତ୍ର-। ଲୋକେ ତାଙ୍କର କଚାଲୁଗା ପିନ୍ଧି ପବିତ୍ର ହୁଅନ୍ତି । ଅଥଚ ତାଙ୍କ ଅସ୍ପୃଶ୍ୟ ମଣନ୍ତି–ଏହା ବିଚିତ୍ର କଥା ।
ରାଧାନାଥ ବାବୁ କାହାକୁ କିଛି ନ ଲେଖି ମହେନ୍ଦ୍ରଗିରି ଦେଖିବା ଉଦ୍ଦେଶ୍ୟରେ ହଠାତ୍ ଆସି ବ୍ରହ୍ମପୁରରେ ପହଞ୍ଚିଲେ । ତେତେବେଳେ ଭଗବତୀ ଚରଣ ଚାଟୁର୍ଯ୍ୟା ଗଞ୍ଜାମର ସ୍କୁଲ ଡେପୁଟି ଇନ୍ସପେକ୍ଟର । ଗଞ୍ଜାମରେ ସେ ବଙ୍ଗାଳି ବାବୁ ନାମରେ ପରିଚିତ । ତାଙ୍କ ଭାଇ ବିପ୍ରଚରଣ ଚାଟୁର୍ଯ୍ୟା ବ୍ରହ୍ମପୁରର ପ୍ରସିଦ୍ଧ ଓକିଲ ଥିଲେ । ରାଧାନାଥ ବାବୁ ତାଙ୍କରି ଘରେ ଆସି କୁଣିଆ ହେଲେ । ଠିକ୍ ଚାରିଟାବେଳେ ସରସ୍ୱତୀ ପ୍ରେସରେ ପହୁଞ୍ଚି ମୋତେ ଖୋଜିଲେ । ମୁଁ ତାଙ୍କୁ ହଠାତ୍ ଦେଖି ଆାଶ୍ଚର୍ଯ୍ୟାନ୍ୱିତ ହୋଇଗଲି । ରାଧାନାଥ ବାବୁ କହିଲେ–‘‘ମହେନ୍ଦ୍ରଗିରି’’ ଦେଖିବା ଉଦ୍ଦେଶ୍ୟରେ ମୁଁ ହଠାତ୍ ବାହାରି ଆସିଲି, ଆପଣଙ୍କୁ ପତ୍ର ଲେଖିବାକୁ ଅବସର ହେଲା ନାହିଁ । ଆପଣ ମହେନ୍ଦ୍ରଗିରି ଦେଖିଛନ୍ତି କି ? ମୁଁ କହିଲି–‘‘ଅଳ୍ପଦିନ ହେଲା ଆସିଛି, ସବୁବେଳେ କାର୍ଯ୍ୟରେ ଲିପ୍ତ ରହିବାକୁ ହୁଏ । ଏଥିମଧ୍ୟରେ ମୁଁ କୁଆଡ଼େ ଯାଇପାରି ନାହିଁ ।’’ ତାପରେ ସେ କହିଲେ–‘‘ଯାହାହେଉ ଆପଣଙ୍କର ଥରେ ମହେନ୍ଦ୍ରଗିରି ଦେଖିବା ଉଚିତ ।’’ ମୁଁ କହିଲି–‘‘ଆପଣ ଦେଖି ଆସିଲା ପରେ ମୁଁ ଆପଣଙ୍କଠାରୁ ଶୁଣି ଦେଖିବାକୁ ଯିବି ।’’ ରାଧାନାଥ ବାବୁ କହିଲେ–ନିଶ୍ଚୟ ଯିବାକୁ ଚେଷ୍ଟା କରିବେ । ତେବେ ଆସନ୍ତୁ, ଖଣ୍ଡେ ବୁଲିଆସିବା । ସହର ଭିତରକୁ ଯିବା ନାହିଁ । ବାରାକସ୍ ପଡ଼ିଆରେ ବୁଲିବା । ସେହିଠାରୁ ମହେନ୍ଦ୍ରକୁ ଦୂରରୁ ଚିହ୍ନିବାକୁ ଚେଷ୍ଟା କରିବା । ବାରାକସ୍ ପଡ଼ିଆ ଖୁବ୍ ବିସ୍ତୃତ ପଡ଼ିଆ । ତୃଣ ଗହଳରେ କମ୍ବଳବିଛା ହେଲାପରି ଦିଶେ । ଶେଷ ସୀମାରେ ଗୋଟାଏ ଶାଖା କେନାଲ । ମୁନି ଆଶ୍ରମ ପରି ଖଣ୍ଡେ ସାନ ବଗିଚା ଦୂରରେ ଅଛି । ସେଠାକୁ ମହେନ୍ଦ୍ର-ମାଳ ଦୂର ଆକାଶର ନୀଳରେଖା ପ୍ରାୟ ଦିଶେ । ରାଧାନାଥ ବାବୁ ଦେଖି କହିଲେ–‘‘ଏହି ଯେ ଅନେକ ପର୍ବତ-ସ୍ତର ଭେଦି ଉଚ୍ଚ ଚୂଡ଼ା ଦିଶୁଛି, ବୋଧହୁଏ ସେହି ମହେନ୍ଦ୍ର । ଆମ ଅନୁମାନ ଠିକ୍ କି ନା ମୁଁ ଦେଖି ଆସିଲେ କହିବି । ବୁଲିସାରି ଫେରିବା ବେଳେ ହଠାତ୍ ଠିଆହୋଇ ଯାଇ କହିଲେ–‘‘ଏହି ଗୋଟିଏ ପକ୍ଷୀର ସ୍ୱର ଶୁଣନ୍ତୁ, ପକ୍ଷୀଟିର ନାମ ଫୁଲଚୁରୀ ।’’ କହୁଁ କହୁଁ ପକ୍ଷୀଟି ଉଡ଼ିଗଲା । ବାବୁ ଅଙ୍ଗୁଳି ସଂକେତରେ ମତେ ଦେଖାଇ ଦେଲେ । ମୁଁ ଚିହ୍ନି ପାରିଲି, ପକ୍ଷୀଟି ଅତି କ୍ଷୁଦ୍ର; ସେହିପରି ପକ୍ଷୀକୁ କନିଅର ଫୁଲଭିତରେ ପଶି ମହୁ ଶୋଷିବାର ମୁଁ ଅନେକ ଥର ଦେଖିଛି । ମାତ୍ର ନାମ ଜାଣି ନଥିଲି । ରାଧାନାଥ ବାବୁ କହିଲେ–ବସନ୍ତ ଆରମ୍ଭରେ ଏହାର ଶବ୍ଦ ହୁଏ । ଫୁଲଚୁରୀର ସ୍ୱର ଠିକ୍ ବୀଣା ଶବ୍ଦ ପରି ମଧୁର । ଏହିପରି କଥାବାର୍ତ୍ତା ହୋଇ ତାଙ୍କ ବସାରେ ଆସି ପହଞ୍ଚିଲୁଁ । ସେ ଦିନ ରାତିରେ ସେ ମଞ୍ଜୁଷା ଗଲେ । ଫେରିବାବେଳେ ବ୍ରହ୍ମପୁରରେ ଓହ୍ଲାଇବା ପାଇଁ ଏବଂ ମଞ୍ଜୁଷାରୁ ମୋତେ ପତ୍ର ଲେଖିବାପାଇଁ କହିଗଲେ ।
ରାଧାନାଥ ବାବୁ ମଞ୍ଜୁଷାରେ ପହୁଞ୍ଚିଲେ । ତେତେବେଳେ ଜଣେ ତେଲଙ୍ଗା ମଞ୍ଜୁଷାର ଦେୱାନ ଥିଲେ । ସେ ଶୁଣିଲେ ଯେ ବାବୁ ଶିକ୍ଷା ବିଭାଗର ଇନିସ୍ପେକ୍ଟର ଥିଲେ । ବର୍ତ୍ତମାନ ପେନ୍ସନ୍ ପାଉଅଛନ୍ତି । ମଞ୍ଜୁଷା ରାଜା ଜଣେ ଓଡ଼ିଆ ରାଜା, ପୁଣି ବାବୁ ଓଡ଼ିଶାବାସୀ, ଏତିକିରେ ସେ ଅଦ୍ଭୁତ ଉର୍ବର ପରିକଳ୍ପନା ବଳରେ ସିଦ୍ଧାନ୍ତ କରିନେଲେ ଯେ, ରାଧାନାଥ ବାବୁ ତାଙ୍କ ଦାନାରେ ଧୂଳି ପକାଇ ଦେୱାନ ହେବାପାଇଁ ଆସିଛନ୍ତି । ରାଜା ଜଣେ ଜାତ୍ୟଭିମାନୀ ବ୍ୟକ୍ତି, ଏଡ଼େ ବଡ଼ ଯୋଗ୍ୟ ଲୋକ ପାଇଲେ ସେ ନିଶ୍ଚୟ ଆଗ୍ରହରେ ଦେୱାନ କରିନେବେ, ତାହା ହେଲେ ତ ମୋର କପାଳ ଫାଟିବ । ଏହା ଭାବି ସେ ରାଧାନାଥ ବାବୁଙ୍କ ମହେନ୍ଦ୍ର ଯିବାର କିଛି ବ୍ୟବସ୍ଥା କଲେ ନାହିଁ । ଏ କଥା କବିବର ଜାଣିପାରି କହିଲେ–ମୋ ଲାଗି ଲୋକ ଏତେ ଭୟ କରୁଛି ଆଉ ଚାକିରୀ ଯିବାର ସ୍ୱପ୍ନ ମଧ୍ୟ ଦେଖୁଛି । ମହେନ୍ଦ୍ର ଦେଖା ପଛେ ନ ହେଉ, ମୁଁ ଏହିକ୍ଷଣି ଫେରିଯାଉଛି, ତାହାହେଲେ ଲୋକଟିର ଆଶଙ୍କା ଦୂର ହେବ, ସେ ନିଶ୍ଚିନ୍ତ ହେବେ । ଏହା କହି ମଞ୍ଜୁଷାରୁ ଫେରି ଆସିଲେ । ରାଧାନାଥଙ୍କର ମହତ୍ତ୍ୱ ଏଥିରୁ ଅନୁମେୟ । ତାଙ୍କର ମନ କେଡ଼େ ପବିତ୍ର, ଉଦାର ଏବଂ କୋମଳ ଥିଲା ତାହା କଳନା କରିହେବ ନାହିଁ । ଜଣେ ଲୋକକୁ ରେଳରେ ରମ୍ଭା ପଠାଇ ବାବୁଙ୍କ ଆସିବା ଖବର ମୁଁ ବିଦ୍ୟାରତ୍ନଙ୍କୁ ଜଣାଇଥିଲି । ସେ ଶୁଣିବା ମାତ୍ରେ ଦଳବଳ ଘେନି ଆସି ବ୍ରହ୍ମପୁରରେ ପହଞ୍ଚିଲେ । ବିଦ୍ୟାରତ୍ନ ଏକୁଟିଆ ଯାଆନ୍ତି ନାହିଁ, ଯେଉଁଠିକି ଗଲେ ଅଧଡ଼ଜନ ବା ଡଜନେ ଲୋକ ସଙ୍ଗରେ ନେଇ ଯାଆନ୍ତି । ଦୁଇ ତିନିଟା ଚାକର, ପୁଞ୍ଜାଏ କି ପାଞ୍ଚଟା ପାଚକ ଏବଂ କେତେ ଜଣ ବନ୍ଧୁ ସାଙ୍ଗରେ ନେଇ ଯାଆନ୍ତି । ଉତ୍କଳର ସର୍ବ ପ୍ରଧାନ କବି ଗଞ୍ଜାମ ଆସିଛନ୍ତି, ତାଙ୍କୁ ଉପଯୁକ୍ତ ସମ୍ମାନ ନ କଲେ ନିନ୍ଦା ହେବ, ଏହି ବିଷୟରେ ଆଲୋଚନା ଲାଗିଲା । ମୁଁ ଏବଂ ବିଦ୍ୟାରତ୍ନ ଦୁହେଁ ବ୍ରହ୍ମପୁରର ପ୍ରଧାନ ମହାଜନ ମଥୁରି ସାହୁଙ୍କ ନିକଟକୁ ଗଲୁଁ । ସେ ଜଣେ ଖୁବ୍ ଜାତୀୟ ଅଭିମାନୀ ଲୋକ ଥିଲେ । ସେ କହିଲେ ମୋର କୋଠାରେ ସଭାକରି ଅଭିନନ୍ଦନ ଦେବା-। ତତ୍କ୍ଷଣାତ୍ ସବୁ ବ୍ୟବସ୍ଥା କରିବା ପାଇଁ ତାଙ୍କ ଗୁମାସ୍ତାମାନଙ୍କୁ ଆଦେଶ ଦେଲେ । ଅଶୀଟଙ୍କା ପଠାଇ ଦେଇ ଯୋଡ଼େ ବ୍ରହ୍ମପୁରୀ ପାଟ କବିଙ୍କୁ ଉପହାର ଦେବାପାଇଁ କିଣିଆଣିଲେ । ରାଧାନାଥ ବାବୁଙ୍କ ଆଗମନ ବାର୍ତ୍ତା ବିଜୁଳି ବେଗରେ ସହର ତମାମ ଖେଳିଗଲା । ମଥୁରି ସାହୁଙ୍କ ଗାଡ଼ିରେ ସଦାଶିବ ବିଦ୍ୟାଭୂଷଣ ଏବଂ ନୀଳମଣି ବିଦ୍ୟାରତ୍ନ ରାଧାନାଥ ବାବୁଙ୍କୁ ନେଇ ସରସ୍ୱତୀ ପ୍ରେସରେ ଆସି ପହୁଞ୍ଚିଲେ । ମୋତେ ଗାଡ଼ିରେ ବସିବାକୁ ଡାକିଲେ । ମୁଁ ସ୍ଥାନ ହେବନା ବୋଲି ପଚାରିବାରୁ ରାଧାନାଥ ବାବୁ କହିଲେ–ଆପଣଙ୍କ ପରି ପାଞ୍ଚଜଣ ସଜ୍ଜନ ଆସି ବସି ପାରନ୍ତି କିନ୍ତୁ ଜଣେ ଦୁର୍ଜ୍ଜନ ସକାଶ ସ୍ଥାନ ନାହିଁ । ଏହା ଶୁଣି ଭାରି ଗୋଟିଏ ହାସ୍ୟ କଲ୍ଲୋଳ ଉଠିଲା । ମୁଁ କହିଲି–କଥାରେ ବି କାବ୍ୟ ରଚନା, ବିଦ୍ୟାଭୂଷଣ ମୋ କଥା ସମର୍ଥନ କରି କହିଲେ–‘‘ଆପଣଙ୍କ କଥା ଅକ୍ଷରେ ଅକ୍ଷରେ ସତ୍ୟ ।’’ ଗାଡ଼ି ମଥୁରି ସାହୁଙ୍କ କୋଠା ପାଖରେ ପହଞ୍ଚିଲାବେଳକୁ ପ୍ରାୟ ପାଞ୍ଚ ହଜାର ଦର୍ଶକ ଉପସ୍ଥିତ । ଲୋକ ଗହଳରେ ଯିବାକୁ ବାଟ ନାହିଁ । ବହୁ କଷ୍ଟରେ ବାଟକରି ରାଧାନାଥ ବାବୁଙ୍କୁ ନେଇ ମଥୁରି ସାହୁଙ୍କ କୋଠାଉପରକୁ ଗଲୁଁ । ଶାସ୍ତ୍ରୀ, ପର୍ଶୁରାମ ପାତ୍ର ପ୍ରଭୃତି ବ୍ୟକ୍ତି ଆସି ପହୁଞ୍ଚିଲେ । ମଥୁରୀ ସାହୁ ସମସ୍ତଙ୍କୁ ସମ୍ବର୍ଦ୍ଧନା କରିନେଲେ । ରାତି ସାତଟା ବେଳେ ସଭା ବସିଲା-। ବିଦ୍ୟାଭୂଷଣ, ପର୍ଶୁରାମ ପାତ୍ର କବିଙ୍କ ଶୁଭାଗମନରେ ଆନନ୍ଦ ପ୍ରକାଶ କରି ବତ୍କୃତା ଦେଲେ । ଗଞ୍ଜାମବାସୀଙ୍କ ପକ୍ଷରୁ ଅଭିନନ୍ଦନ ଦିଆଗଲା । ରାଧାନାଥ ବାବୁ ତାଙ୍କ ସ୍ୱଭାବ-ସୁଲଭ ସରଳ, ସୁନ୍ଦର, ନୀତିଗର୍ଭକ ଭାଷାରେ କେତେ ସାରକଥା କହିଲା ପରେ ତାଙ୍କ କଣ୍ଠରେ କର୍ପୂରମାଳା ଏବଂ ଫୁଲହାର ଲମ୍ବାଇ ଦିଆଗଲା । ଉପସ୍ଥିତ ଭଦ୍ରବ୍ୟକ୍ତିମାନଙ୍କୁ ବି ଅତର, କର୍ପୂରମାଳା ଦିଆଗଲା । ତହିଁପରେ ସଭାଭଙ୍ଗ ହେଲା । ତେତେବେଳେ ଯାଏଁ ଲୋକଗହଳି ଭାଙ୍ଗିନାହିଁ । କବିଙ୍କୁ ଦେଖିବା ପାଇଁ ସମସ୍ତଙ୍କର ପ୍ରବଳ ଆଗ୍ରହ । ଅନେକ ସ୍ଥାନ ନ ପାଇ ନିକଟସ୍ଥ କୋଠା ଉପରେ ଚଢ଼ି ଦେଖିଲେ । ଚାରିଆଡ଼ୁ ନମସ୍କାର ବୃଷ୍ଟି ହେଉଥାଏ । କବିଙ୍କ ଅଜ୍ଞାତରେ କେତେ ନମସ୍କାର ହୋଇ ଯାଉଥାଏ, ଜନତା ମଧ୍ୟରୁ କବିଙ୍କ ଉପରେ ପୁଷ୍ପବୃଷ୍ଟି ହେଉଥାଏ । ସେ କି ଆନନ୍ଦ, କି ଉତ୍ତେଜନା, ତାହା ବର୍ଣ୍ଣନା କରିହେବ ନାହିଁ । ରାଧାନାଥ ବାବୁଙ୍କୁ ନେଇଆସି ଆମ୍ଭେମାନେ ଗାଡ଼ିରେ ବସିଲୁ, ତେତେବେଳଯାଏଁ ଫୁଲଫିଙ୍ଗା ଲାଗିଥାଏ । ଫୁଲରେ ଗାଡ଼ି ଅଧେ ପୂର୍ଣ୍ଣ ହୋଇଗଲା । ଜାତୀୟ କବିଙ୍କ ପ୍ରତି ଲୋକଙ୍କର କି ଭକ୍ତି, କି ଆନ୍ତରିକ ଶ୍ରଦ୍ଧା, କି ହୃଦୟର ଗଭୀର ଆତ୍ମୀୟତା, ତାହା ଯେ ଦେଖିଛି ସେ ଜାଣେ । ଦିନେ ଦେଖା ସାକ୍ଷାତ ନାହିଁ, ପରିଚୟ ନାହିଁ, କେବଳ ନାମମାତ୍ର ଶୁଣି ଉଲ୍ଲାସରେ ଲୋକମାନେ ଅଧୀର ହୋଇ ଉଠୁଥାନ୍ତି । ଏରୂପ ଅଯାଚିତ ସମ୍ମାନ, ଆକସ୍ମିକ ପ୍ରୀତିପୂଜା ଯାହା ଭାଗ୍ୟରେ ଘଟେ, ସେ ନର ନୁହେଁ–ନରଦେବତା । ତାଙ୍କ ଜନ୍ମ ଧନ୍ୟ, ଜୀବନ ଧନ୍ୟ ଏବଂ ନାମ ଶତଧନ୍ୟ । ଗୁଣ ମଣିଷକୁ ଏପରି ଆଦର ବଳେ ବଳେ ଆଣି ଦିଏ ସିନା । ବାବୁଙ୍କୁ ବସାରେ ନେଇ ଛାଡ଼ି ଆମ୍ଭେମାନେ ଫେରି ଆସିଲୁଁ ।
ତାହା ପରଦିନ ସକାଳେ ଯାଇ ଦେଖିଲି ରାଧାନାଥ ବାବୁ ଗଞ୍ଜାମର ମାନଚିତ୍ର ଦେଖୁଅଛନ୍ତି । ନଦୀ ପର୍ବତମାନଙ୍କ ସମ୍ବନ୍ଧରେ; ଭଗବତୀ ବାବୁଙ୍କୁ ନାନା ପ୍ରକାର ପ୍ରଶ୍ନ ପଚାରୁଛନ୍ତି । ମୁଁ ଯାଇ ପହଞ୍ଚିଲି । ସେ ଭଗବତୀ ବାବୁଙ୍କ ନିକଟରେ ମୋର ପରିଚୟ ଦେଇ ଯଥେଷ୍ଟ ସୁଖ୍ୟାତି କଲେ । ଭଗବତୀ ବାବୁ କହିଲେ–ତାଙ୍କ ସଙ୍ଗରେ ମୋର ଘନିଷ୍ଠ ପରିଚୟ ନ ଥିଲେ ସୁଦ୍ଧା ତାଙ୍କ ଲେଖାରୁ ମୁଁ ପରିଚୟ ପାଇଛି । ରାଧାନାଥ ବାବୁ ପଚାରିଲେ–ତେଲେଙ୍ଗାମାନଙ୍କର ପ୍ରଧାନ ଖାଦ୍ୟ କଅଣ ? ମୁଁ କହିଲି–ତେନ୍ତୁଳି, ଲଙ୍କାମରିଚ । ଶୁଣି ସେ ଆଶ୍ଚର୍ଯ୍ୟ ହେଲେ । ତେଣୁ ମୁଁ କହିଲି ଦିନରେ ଯେ ଅଧମହଣ ତେନ୍ତୁଳି ଓ ଲଙ୍କାମରିଚ ହଜମ କରିପାରନ୍ତି ତାଙ୍କର ପ୍ରଧାନ ଖାଦ୍ୟ ସେହି ତେନ୍ତୁଳି, ଲଙ୍କାମରିଚ ନ କହି ଆଉ କଅଣ କହିବି ? ମୋ କଥା ଶୁଣି ଦୁହେଁଯାକ ହସିଲେ । ଭଗବତୀ ବାବୁ କହିଲେ ଚିନ୍ତାମଣି ବାବୁ ଠିକ୍ କଥା କହିଛନ୍ତି । ରାଧାନାଥ ବାବୁ କହିଲେ–ପୂର୍ବ ବଙ୍ଗରେ ବି ସେହି ଧାରା । ସେମାନେ ଲଙ୍କାମରିଚକୁ ଗୋଟିଏ ସ୍ୱତନ୍ତ୍ର ତରକାରୀ ରୂପେ ବ୍ୟବହାର କରନ୍ତି । ଭାତ ସଙ୍ଗରେ ଜଣେ ଜଣେ ଲୋକ ଆଠଦଶଟା ବଡ଼ ବଡ଼ ଭଜା ଲଙ୍କାମରିଚ ଖାଆନ୍ତି । ସେହି ଲଙ୍କାମରିଚ ଖାଇବାରୁ ତେଲଙ୍ଗାମାନେ ଏତେ ଟାଣ । ଲଙ୍କାମରିଚ ତାଙ୍କୁ ଗୋଟିଏ ଶକ୍ତି ଦିଏ । ଭଗବତୀ ବାବୁ କି ସକାଶ ଘରକୁ ଉଠିଗଲେ । ଆମ୍ଭେ ଦୁହେଁ ବସି ଏଣୁତେଣୁ କଥାବାର୍ତ୍ତା ହେଲୁଁ । ମୁଁ କେତେଗୁଡ଼ିଏ ବରକୋଳି ନେଇଥିଲି, ଦେଲି । ରାଧାନାଥ ବାବୁ ଭାରି ଖୁସି ହୋଇ ପଚାରିଲେ–ବରକୋଳି ମୋର ପ୍ରିୟ ବୋଲି କିପରି ଜାଣିଲେ, ଆଉ ଅସମୟରେ ଏ ଗୁଡ଼ିକ ବା କେଉଁଠୁ ପାଇଲେ ? କହିଲି–ବରକୋଳିକୁ ଆପଣ ଖୁବ୍ ଭଲ ପାଆନ୍ତି ବୋଲି ଶୁଣିଥିଲି । ଜଣେ କମ୍ପୋଜିଟର ବାଡ଼ିରେ ଗୋଟାଏ ବାରମାସି ବରକୋଳି ଗଛ ଅଛି । ସେଥିରେ ପ୍ରାୟ ସବୁଦିନେ କୋଳି ଥାଏ । ମୁଁ ସେହିଠାରୁ ଅଣାଇଥିଲି । ବାବୁ ମୋତେ ସବୁବେଳେ ଆପଣ ସମ୍ବୋଧନ କରନ୍ତି, ସେଥିରେ ମୁଁ ଲଜ୍ଜିତ ହୁଏଁ । ସେଦିନ ସାହସ ଧରି କହିଲି–ମୁଁ ଆପଣଙ୍କୁ ଗୁରୁପରି ଜ୍ଞାନ କରେ, ଆପଣ ମୋତେ ଆପଣ ବୋଲି ସମ୍ବୋଧନ କରନ୍ତି । ସେଥିରେ ମୁଁ ବଡ଼ ଲଜ୍ଜିତ ଓ ସଂକୁଚିତ ହୁଏ-। ରାଧାନାଥ ବାବୁ ହସିହସି କହିଲେ–ମୁଁ ଅପାତ୍ରରେ ସମ୍ମାନ ଦାନ କରେ ନାହିଁ; ଆପଣ ସେଥିପାଇଁ ବିଚଳିତ ହେବେ ନାହିଁ ।
ଅପରାହ୍ଣରେ ରାଧାନାଥ ବାବୁ କହିଲେ–‘‘ଚାଲ, ବୁଲିବାକୁ ଯିବା । ସହରରେ ବୁଲି କୋଠାବାଡ଼ି ଦେଖିଲେ କିଛି ଫଳ ନାହିଁ । ଯଦି ସହର ବାହାରେ ନଦୀ, ପର୍ବତ ବା ବଣ ଥାଏ ତେବେ ସେଠାକୁ ଯିବା । ସହରର ଉପକଣ୍ଠରେ ସୀତାଫଳ ପାହାଡ଼ ନାମରେ ଗୋଟାଏ ସାନ ଡିମିରା ଅଛି, ତାହାର ଆପାଦମସ୍ତକ ଆତ ଗଛରେ ପୂର୍ଣ୍ଣ । ଆତକୁ ଗଞ୍ଜାମରେ ସୀତାଫଳ କହନ୍ତି-। ପାହାଡ଼ଟିରେ ଆତଗଛର ଆଧିକ୍ୟ ହେତୁ ତାହାର ଉପରୋକ୍ତ ନାମ ହୋଇଅଛି । ଚାରିଟା ବେଳେ ସେହି ପାହାଡ଼ ଦେଖିବାକୁ ଗଲୁଁ । ପ୍ରେସର କେତେ ଜଣ କର୍ମଚାରୀ ପଥପ୍ରଦର୍ଶକ ହେଲେ-। ବାଟରେ ଯାଉଁ ଯାଉଁ ଗୋଟାଏ ଆଚ୍ଛା କୌତୁକ ହେଲା । ଦୁଇଜଣ ସ୍ତ୍ରୀ ପାଣି ଆଣିବାକୁ ଯାଉଥିଲେ । ପ୍ରଥମା କହିଲା, ‘‘ମୋ ଯା’ର ଗୁଣ ଶୁଣିବୁ, ଦୁଧ ଆଉଟା ସରିଲେ ତାକୁ ନେଇ ଦହି ବସାଇ ଦେଉଛି । ମୋ ପଲାଟି ଟିକିଏ ଦୁଧ ପାଉନାହିଁ ।’’ ଦ୍ୱିତୀୟା କହିଲା, ‘‘ତୁ କଳି କରୁନାହୁଁ ।’’ ତହୁଁ ପ୍ରଥମା କହିଲା, ମୋତେ କଳି କରି ଆସେ ନାହିଁ ଲୋ ଭଉଣୀ ।’’ ଦ୍ୱିତୀୟା ତାହା କଥା ଶୁଣି ହସରେ ଉଡ଼ାଇ ଦେଇ କହିଲା–‘‘ତିରୀ ଜନ୍ମ ପାଇ କଳି ନ କଲେ ତରିବୁ କେମିତି ଲୋ ହୁଣ୍ଡି ? କଳି ନ କଲେ ପୁଣି ମନ ଆରିମାନ ମେଣ୍ଟିବ କେମିତି ? ସାତଥର କଳି କରିବା ପୁଣି ସାତଥର ମିଶିଯିବା, ନ ହେଲେ ମାଇକିନା ଝିଅ ହୋଇ ଘର କରିବା କିମିତି ? କଳିକରିବା ଏକା ମାଇପି ଜାତିଙ୍କୁ ସୁନ୍ଦର । ତୁ ଆଜି ଏ ପାଣି ମାଠିଆଟା ନେଇ ରଖିବା ବାହାନାରେ କଚାଡ଼ି ଦେବୁ, ମାଠିଆଟା ଫାଟିଯିବ । ତାହାଦେଖି ତୋର ଯା’ଟା ତ ମୁକର କଟର ମଟର ହେବ । ତେତେବେଳେ ତୁ କହିବୁ–ମୁଁ ମାଠିଆଟା ଭାଙ୍ଗିଦେଲି ବୋଲି ତୁ କାନ୍ଦୁଛୁ, ତୁ ଯେ ଦୁଧ, ଦହି ସବୁ ବସାଇ ଦେଉଛୁ, ମୋ ପିଲାଟା ଦୁଧ ନ ପାଇ କାନ୍ଦୁଛି । ମୋତେ କଣ କଳି କରି ଆସେ ନାହିଁ ? ଇମିତି କହିଲେ ସିନା ସମସ୍ତେ ଜାଣିବେ, ସାହି ପଡ଼ିଶା ସମସ୍ତେ ତାକୁ ଛି ଛାକର କରିବେ । ଆଉ ନ ଜାଣିଲେ କିଏ କହିବ । ରାଧାନାଥ ବାବୁ ଶୁଣି ହସି କହିଲେ–‘‘ଉପଯୁକ୍ତ ଶିକ୍ଷୟିତ୍ରୀ । ବୋଧହୁଏ ନିମ୍ନ ଶ୍ରେଣୀର ସ୍ତ୍ରୀଲୋକମାନଙ୍କର ଧାରଣା ଯେ କଳି କରିବା ସ୍ତ୍ରୀଜାତିର ଧର୍ମ । କଳି ନକଲେ ସେମାନେ ସଂସାରରୁ ତରିବେ ନାହିଁ । କଳି ସେମାନଙ୍କର ତାରକମନ୍ତ୍ର ସ୍ୱରୂପ । ପୁଣି କଳି ନକଲେ ଘରକରଣା ବି କରିହେବ ନାହିଁ । କଳି ବିଦ୍ୟାରେ ସ୍ତ୍ରୀ ଲୋକଟି ଟ୍ରେନିଂ ପାସ କରିଥିବ ।’’ କବିଙ୍କର ପରିହାସ ଶୁଣି ସମସ୍ତେ ହସିଲେ । ଖୁବ୍ ଗୋଟାଏ ନିର୍ଦ୍ଦୋଷ ଆନନ୍ଦ ମିଳିଲା–ବାଟ-ଚଲା ବାଧିଲା ନାହିଁ ।
ସମସ୍ତେ ପର୍ବତ ଉପରକୁ ଉଠିଲୁଁ । ପ୍ରାୟ ପର୍ବତର କଟିଦେଶରେ ଖଣ୍ଡେ ପ୍ରସ୍ତର ଚଟାଣ ଅଛି । ବାବୁ ଏବଂ ମୁଁ ଦୁହେଁ ସେଠାରେ ବସିଲୁଁ । ଆଉ ସମସ୍ତେ ପର୍ବତ ଉପରେ ଉଠିଲେ । ବ୍ରହ୍ମପୁର ସହରର କେତେକ ଅଂଶ ଖଣ୍ଡିଏ ଅସମ୍ପୂର୍ଣ୍ଣ ମାନଚିତ୍ର ପରି ଦେଖାଯାଉଥାଏ । ଝିଙ୍କର ଘରଗୁଡ଼ିକ ଦୂରରୁ ବଡ଼ ସୁନ୍ଦର ଦିଶେ । ଧାଡ଼ି ଧାଡ଼ି ଖପରାଗୁଡ଼ିକ ଗୃହର ବେଣୀ ବିନ୍ୟାସ ତୁଲ୍ୟ ବୋଧହୁଏ । ସେଠାରେ ବସି ଅନେକ କଥାବାର୍ତ୍ତା ହେଲା । ଅମିତ୍ରାକ୍ଷରୀ କବିତା ସମ୍ବନ୍ଧରେ ମୋତେ କେତେକ ଉପଦେଶ ଦେଲେ । ପର୍ବତ ଉପରକୁ ଯାଉଥିବା ଲୋକେ ଫେରି ଆସିଲେ । ସମସ୍ତେ ମିଶି ତଳକୁ ଓହ୍ଲାଇ ଆସିଲୁଁ । ବାବୁ କହିଲେ–ବ୍ରହ୍ମପୁରରେ ଏତେ ବଡ଼ଲୋକ–ଏତେ ବଡ଼ ବଡ଼ ମହାଜନ ଅଛନ୍ତି, ଏ ସୁନ୍ଦର ପର୍ବତଟି ଉପରେ କେହି ଗୋଟିଏ ଘର ବା ବଙ୍ଗଳା କରି ନାହାନ୍ତି କାହିଁକି ? ସ୍ଥାନଟି ଯେପରି ମନୋହର, ଅଥଚ ନିକାଞ୍ଚନ, ଏଠାରେ ସେପରି ହେବା ଦରକାର । ମୁଁ କହିଲି–ଧନୀ ବ୍ୟକ୍ତି ଅନେକ ଅଛନ୍ତି ସତ୍ୟ, କିନ୍ତୁ ସେପରି ରୁଚି ବୋଧହୁଏ କାହାର ନାହିଁ । ଆସିବା ବାଟରେ ବ୍ରହ୍ମପୁରର ଡେରାସାହୀ ପଡ଼ିଲା । ସେମାନେ ପାଟ ବୁଣନ୍ତି । ଦାଣ୍ଡରେ କିଏ ଲୁଣ୍ଡି କାଢୁଛି, କିଏ ତାସଣ କରୁଛି, କିଏ ପିଣ୍ଡାରେ ବସି କଣ୍ଡା ବଳୁଛି । ବିବିଧରଙ୍ଗର ପାଟସୂତା ବିସ୍ତୃତ ହୋଇ ସଡ଼କର ଦୁଇପାଖ ବଡ଼ ବାହାରିଆ ଦିଶୁଛି । ତାହାଉପରେ ଅସ୍ତୋନ୍ମୁଖ ସୂର୍ଯ୍ୟର ସ୍ୱର୍ଣ୍ଣ କିରଣ ପଡ଼ି ଚକଚକ ଦିଶୁଥାଏ । ମୁହଁ ଅନ୍ଧାର ବେଳକୁ ଆସି ଭାପୁରରେ ପହଞ୍ଚିଲୁଁ । ବାବୁଙ୍କୁ ବଙ୍ଗାଳି ବାବୁଙ୍କ ବସାରେ ଛାଡ଼ି ଆମ୍ଭେମାନେ ବିଦାୟ ନେଇ ଆସିଲୁଁ ।
ତାହା ପରଦିନ ମୁଁ ତାଙ୍କ ପାଖକୁ ନ ଯାଉଣୁ ସେ ଆସି ପ୍ରେସରେ ଉପସ୍ଥିତ । କହିଲେ–‘‘ଚାଲ, ବିଦ୍ୟାଭୂଷଣଙ୍କ ଘରକୁ ଯିବା । ଖଣ୍ଡେ ଅପ୍ରକାଶିତ ସଂସ୍କୃତ କାବ୍ୟର ଗୋଟାଏ ସ୍ଥାନ ମୋର ଦେଖିବା ଦାରକାର, ସେ କାବ୍ୟ ବିଦ୍ୟାଭୂଷଣଙ୍କ ଘରେ ଅଛି ବୋଲି ସେ ମୋତେ କହିଥିଲେ । ମୁଁ ତାଙ୍କ ସଙ୍ଗରେ ବାହାରିଲି, ମୋ ପଛେ ପଛେ କର୍ମଚାରୀମାନେ ବାହାରିଲେ । ସମସ୍ତେ ଯାଇ ବିଦ୍ୟାଭୂଷଣଙ୍କ ଘରଠାରେ ପହଞ୍ଚିଲୁଁ । ସଦାଶିବ ବିଦ୍ୟାଭୂଷଣ କେତେଖଣ୍ଡ ତାଳପତ୍ର ଲେଖା କାବ୍ୟ ଆଣିଲେ । ବହୁଦିନ ପରେ ପୋଥି ଗୁଡ଼ିକର ଡୋର ଫିଟିଲା । ବିଦ୍ୟାଭୂଷଣ ପଢ଼ିଲେ । ରାଧାନାଥ ବାବୁ ଶୁଣୁଥାନ୍ତି । ସେ ଯାହା ଖୋଜୁଥିଲେ ସେ ଅଂଶ ମିଳିଲା । ବାବୁ ନିଜେ ତାକୁ ଥରେ ପଢ଼ିଲେ ସେଠାରୁ ଫେରିଆସି ଏଣେତେଣେ ଟିକିଏ ବୁଲି ସେ ଦିନର ଭ୍ରମଣ ଶେଷକରାଗଲା ତହିଁ ପରଦିନ ତାଙ୍କର କଟକ ଫେରିଯିବାର ସ୍ଥିର ହେଲା ।
ଷ୍ଟେସନକୁ ଯିବା ସକାଶେ ମଥୁରି ସାହୁଙ୍କ ଗାଡ଼ି ଆସିଲା । ପର୍ଶୁରାମ ବାବୁ ସେ ଦିନ କୋର୍ଟକୁ ନ ଯାଇ ତାଙ୍କ ଗାଡ଼ି ଘେନି ଆସିଲେ । ଏଣେ ବିପ୍ରବାବୁଙ୍କ ଗାଡ଼ି ପ୍ରସ୍ତୁତ ହୋଇଥାଏ । ବାବୁ କାହା ଗାଡ଼ିରେ ଯିବେ ? ଯାହାଗାଡ଼ି ଫେରିଯିବ ସେ ମନ ଊଣା କରିବ । ରାଧାନାଥ ବାବୁ ସାପ ନ ମରିବା–ବାଡ଼ି ନ ଭାଙ୍ଗିବା ନ୍ୟାୟ ଧରି କହିଲେ–ଏତେ ବଡ଼ ଘୋଡ଼ାଗାଡ଼ିରେ ମୁଁ ବସିପାରେ ନାହିଁ–ମୋର ଭୟ ହୁଏ । ମୋ ପାଇଁ ଖଣ୍ଡେ ଝଟକା ହେଲେ ଭଲ ହେବ । ତାହା ଧୀରେ ଧୀରେ ଚାଲିବ, ମୋର ବେଶ୍ ସୁବିଧା ହେବ । ତହୁଁ ଖଣ୍ଡେ ଝଟକା ଆସିଲା । ରାଧାନାଥ ବାବୁ ଏବଂ ପର୍ଶୁରାମ ପାତ୍ର ସେଥିରେ ବସିଲେ । ଆଉଖଣ୍ଡେ ଝଟକାରେ ମୁଁ, ବିଦ୍ୟାଭୂଷଣ ଏବଂ ଶାସ୍ତ୍ରୀ ତିନିଜଣ ବସିଲୁଁ । ପ୍ରେସର କର୍ମଚାରୀ କେତେ ଜଣ ଚାଲିକରି ଗଲେ । ରେଳ ଆସି ପହୁଞ୍ଚି ନ ଥାଏ-। ବାବୁ ୱେଟିଂ ରୁମ ବାରଣ୍ଡାରେ ଯାଇ ବସିଲେ । ଦୂରରେ ଥାଇ ଜଣେ ଭିକାରୀ କିଛି ମାଗିଲା, ରାଧାନାଥ ବାବୁ ତାହା ପାଖକୁ ଯାଇ ଗୋପନରେ ତାକୁ କଅଣ ଦେଇ ଚାଲିଆସିଲେ । ରେଳ ଆସିଲା, ଆମ୍ଭେମାନେ ତାଙ୍କୁ ରେଳରେ ବସାଇ ଦେଇ ବିଦାୟ ନେଇ ଆସିଲୁଁ । ଷ୍ଟେସନ ଏପାଖରେ ଆସି ଭିକାରୀକୁ ପଚାରି ବୁଝିଲୁଁ–ବାବୁ ତାକୁ ଟଙ୍କାଟିଏ ଦେଇଥିଲେ । ତାହାର ଆନନ୍ଦର ସୀମା ନାହିଁ । କେହି ତାକୁ ପାହୁଲାଏ ବା ପଇସାଟିରୁ ଅଧିକ ଦିଏ ନାହିଁ । ଟଙ୍କା ପାଇ ସେ ଆନନ୍ଦ ନ ହେବ କାହିଁକି ? ଶୁଣିଥିଲି–ରାଧାନାଥ ବାବୁ କ୍ଷୁଦ୍ରଦାନ କରନ୍ତି ନାହିଁ । ପୁଣି ଗୋପନରେ ଦାନ କରନ୍ତି । ତାଙ୍କ ଡାହାଣ ହାତର ଦାନ ବାମ ହାତ ଜାଣିପାରେ ନାହିଁ । ସେ ଦିନ ଏ କଥାରେ ପ୍ରତ୍ୟକ୍ଷ ପ୍ରମାଣ ପାଇଲି । ଏହିପରି ଦାନ ଯେ କରନ୍ତି, ସେ ଦାନର ମହତ୍ତ୍ୱ ଜାଣନ୍ତି, ଆଉ ଏହିଭଳି ଦାନହିଁ ପ୍ରକୃତ ସାତ୍ତ୍ୱିକ ଦାନ । ସେ ଦାନରେ ଦାତା ଧନ୍ୟ ହୁଏ ଦାନ ବି ଧନ୍ୟ ହୁଏ-। ଲୋକ ଦେଖା ଦାନର ମୂଲ୍ୟ ନାହିଁ, ପୁଣ୍ୟ ନାହିଁ କି ପୁରୁଷାର୍ଥ ନାହିଁ । ସେହି ଦିନ ଠାରୁ ମୋର ତାଙ୍କ ସଙ୍ଗରେ ଦେଖା ହୋଇନାହିଁ–ସେହି ଶେଷ ଦେଖା, କିନ୍ତୁ ଦିନେ ପୁଣି ଦେଖା ହେବ–ଏ ବିଶ୍ୱାସ ମୋର ଅଛି । ସେ ଦିନ ଦେଖାର ଆଉ ବିଚ୍ଛେଦ ଘଟିବ ନାହିଁ । ଭଗବାନ ସେ ଶୁଭଦିନ କେବେ ଆଣିବେ, ତାହା ସେହି ଏକା ଜାଣନ୍ତି; କିନ୍ତୁ ନିଶ୍ଚୟ ଦିନେ ଆଣିବେ–ଏହା ଧ୍ରୁବ ସତ୍ୟ ।
ରାଜନ୍ୟ ବର୍ଗଙ୍କ ମଧ୍ୟରେ ସର୍ବପ୍ରଥମେ ମୁଁ ଧରାକୋଟ ରାଜାଙ୍କ ସହିତ ପରିଚିତ ହୋଇଥିଲି । ସେ ଅନେକ ଥର ବ୍ରହ୍ମପୁର ଆସନ୍ତି । ବ୍ରହ୍ମପୁରରେ ତାଙ୍କର ସ୍ୱତନ୍ତ୍ର ବଙ୍ଗଳା ଅଛି । ଥରେ ଗୁନେୟା ଶାସ୍ତ୍ରୀ ମୋତେ ନେଇ ତାଙ୍କ ସହିତ ପରିଚୟ କରାଇ ଦେଲେ । ସେ ମୋତେ ଓଡ଼ିଶା ସମ୍ବନ୍ଧରେ ବହୁକଥା ପଚାରିଲେ । ହିତବାଦିନୀ ଏଣିକି ଭଲ ହେଉଛି ବୋଲି କହିଲେ । ରାଜା ମହୋଦୟ ହିତବାଦିନୀର ଗ୍ରାହକ ଏବଂ ଅନ୍ୟତମ ପୃଷ୍ଠପୋଷକ ଥିଲେ । ଥରେ ବଡ଼ଖେମଣ୍ଡିର ରାଜା କୃପାମୟ ଦେବ ଶାସ୍ତ୍ରୀଙ୍କ ଦ୍ୱାରା ମୋତେ ଡାକି ପଠାଇଥିଲେ । ହିତବାଦିନୀର ସେ ପ୍ରଧାନ ପୃଷ୍ଠପୋଷକ, ଏହା ପୂର୍ବରୁ କହିଅଛି । ମୁଁ ଏବଂ ଗୁନେୟା ଶାସ୍ତ୍ରୀଙ୍କ ଭାଇ ଖଣ୍ଡେ ଶଗଡ଼ କରି ବଡ଼ ଖେମଣ୍ଡି ଗଲୁଁ । ଆମ୍ଭେମାନେ ରାତିରୁ ବାହାରିଥିଲୁଁ । ସକାଳେ ଦିଗପହଣ୍ଡି ଗଡ଼ରେ ପହଞ୍ଚିଲୁଁ । ଦିଗପହଣ୍ଡି ବଡ଼ଖେମଣ୍ଡିର ରାଜଧାନୀ । ତେଲଙ୍ଗାମାନେ ଦିଗପହଣ୍ଡି ‘‘ଦିଗୁ ପୁଡ଼ି’’ କହନ୍ତି । ଗଞ୍ଜାମର ଅନେକ ସ୍ଥାନର ନାମ ଏହିପରି ତେଲେଙ୍ଗାମାନଙ୍କ ଦ୍ୱାରା ବିକୃତ ହୋଇଛି । ବ୍ରହ୍ମପୁର ସୁଦ୍ଧା ‘‘ବେରହମପୁର ’’ ହୋଇଅଛି । ପ୍ରଧାନ ସଭା ପଣ୍ଡିତ ମୋତେ ନେଇ ରାଜାଙ୍କ ପାଖରେ ସାକ୍ଷାତ କରାଇ ଦେଲେ । ତେତେବେଳେ ମାର୍କଣ୍ଡେୟ ତର୍କ ପଞ୍ଚାନନ ବଡ଼ ଖେମଣ୍ଡି ରାଜସଭାର ପ୍ରଧାନ ପଣ୍ଡିତ ଥିଲେ । ସେ ଜଣେ ଯୋଗ୍ୟ ବ୍ୟକ୍ତି । କେତେ ବର୍ଷ ସେ ‘‘ଗଞ୍ଜାମ ଗୁଣଦର୍ପଣ’’ ନାମକ ସପ୍ତାହକ ପତ୍ରର ସମ୍ପାଦକ ଥିଲେ । ରାଜାଙ୍କ ସହିତ ସାହିତ୍ୟ ସମ୍ପର୍କରେ କଥାବାର୍ତ୍ତା ହେଲା । ହିତବାଦିନୀର ସେ ଖୁବ୍ ପ୍ରଶଂସା କଲେ । ସେଦିନ ହୁମାର ଯୁବରାଜ ସେଠାରେ ଥିଲେ । ତାଙ୍କ ସଭାପଣ୍ଡିତ ପାଦଶ୍ଳୋକ ନେଇ ଯାଇଥିଲେ । ବଡ଼ ଖେମଣ୍ଡିର ପଣ୍ଡିତମାନେ ସେଥିରେ ଆର ପାଦ ପୂରଣ କରିବେ । ସେମାନେ ମୂଳ ଶ୍ଳୋକ ପାଦକୁ ଅଶୁଦ୍ଧ ବୋଲି କହିଲେ । ହୁମା ତରଫରୁ ପ୍ରତିବାଦ ହେଲା । ବାଦାନୁବାଦ ବଢ଼ି ଭଦ୍ର କଳିରେ ପରିଣତ ହେଲା । ବାଦୀ ପାଲାପରି ପଣ୍ଡିତ କଳି ଖୁବ୍ ଉପଭୋଗ୍ୟ । ଅତି ସାମାନ୍ୟ କଥା ନେଇ ସୃଷ୍ଟି, ସ୍ଥିତି, ପ୍ରଳୟ ପର୍ଯ୍ୟନ୍ତ କଥାଉଠେ । ବର୍ଣ୍ଣାଶୁଦ୍ଧିରୁ ସୃଷ୍ଟିତତ୍ତ୍ୱ ବାହାରିପଡ଼େ । ଆଳୁ ଖୋଳୁଁ ଖୋଳୁଁ ଆଳୁ ଗାତରୁ ମହାଦେବ ବାହାରି ପଡ଼ନ୍ତି । ସେହିଠାରୁ ମହାଦେବଙ୍କ ବିଷୟରେ ତକ ବିତର୍କ ଚାଲେ । ମୂଳ ଆଳୁକଥା ଆଉ କାହାରି ମୁହଁରେ ନ ଥାଏ । ତାହା କୁଆଡ଼େ ମିଳାଇ ଯାଇ ଅଦୃଶ୍ୟ ହୋଇଥାଏ । ଏ ପଣ୍ଡିତ ଯୁଦ୍ଧରେ ହୁମା ପଣ୍ଡିତଙ୍କର ପରାଜୟ ହେଲା, ହେବାର ମଧ୍ୟ କଥା । ହୁମା ପଣ୍ଡିତ ଜଣେ ମାତ୍ର, ତାଙ୍କୁ ଚାରିଜଣ ପଣ୍ଡିତଙ୍କ ସଙ୍ଗେ ଯୁକ୍ତି କରିବାକୁ ହେଲା, ଠିକ୍ ଚକ୍ରବ୍ୟୁହ ଭିତରେ ଅଭିମନ୍ୟୁ ପରି ସେ ରହିଲେ । ସପ୍ତରଥୀ ବଦଳରେ ଚାରିଜଣ ରଥୀ ତାଙ୍କୁ ବାକ୍ୟ ବାଣ ବିନ୍ଧିଲେ । ସେ ପରାସ୍ତ ନ ହୋଇ ବା କୁଆଡ଼େ ଯାଆନ୍ତେ । ବୋଧହୁଏ ପଣ୍ଡିତେ ବଦ୍ ଅନୁକୂଳରେ ଘରୁ ବାହାରି ଥିଲେ ।
ଦୁଇ ଚାରିଦିନ ରହିବା ସକାଶେ ରାଜା କହିଲେ । କିନ୍ତୁ ମୋର ସମୟାଭାବ, ସେହିଦିନ ଫେରି ଆସିଲେ ହିତବାଦିନୀର ପ୍ରୁଫ୍ ଦେଖିବି, ପରଦିନ ପତ୍ରିକା ଡାକରେ ପଠାଯିବ । ଏହି ଅସୁବିଧା ଦେଖାଇ ମୁଁ କହିଲି, ଅବସର ସମୟରେ ଆସି ଦୁଇ ଚାରିଦିନ ରହି ଏ ଅଞ୍ଚଳ ବୁଲି ଦେଖିବି । ଅରଣ୍ୟ ପ୍ରକୃତି ସହ ପାର୍ବତ୍ୟ ପ୍ରକୃତିର ମିଳନ ଦୃଶ୍ୟ ବଡ଼ ମଧୁର–ବଡ଼ ଲୋଭନୀୟ, କିନ୍ତୁ ଭାଗ୍ୟବାନର ଉପଭୋଗ୍ୟ । ରାଜା ହସିଲେ, କହିଲେ–ହିତବାଦିନୀକୁ ମୁଁ ଯେଉଁ ସାହାଯ୍ୟ ଦିଏ ତାହା ବନ୍ଦ କରିଦେଇ ଥାନ୍ତି, ମାତ୍ର ତୁମ୍ଭର ଲେଖା ପଢ଼ି ବନ୍ଦ କରିବାକୁ ଇଚ୍ଛା ହେଲା ନାହିଁ । ରାଜା ଜଣେ ପାଚକ ପଠାଇ ଖାଦ୍ୟ ପ୍ରସ୍ତୁତିର ସୁବିଧା କରି ଦେଇଥିଲେ । ରାଜ ଘର କୁଣିଆ ଅଧିକ କଣ କହିବି । ଅତିଥି ସତ୍କାରରେ ଗଜପତି ବଂଶ ଚିରପ୍ରସିଦ୍ଧ । ରାଜ କୃପାମୟ ଦେବ ମିଷ୍ଟଭାଷୀ, ଗୁଣଗ୍ରାହୀ, ଦାତା ଏବଂ ସାହିତ୍ୟ–ସହାୟ, କିନ୍ତୁ ଭାରି ଅଭିମାନୀ । ତାହା ବା ନାହିଁ କେଉଁଠାରେ ? ସମ୍ପଦ, ପ୍ରଧାନ୍ୟ, ଆଧିପତ୍ୟ ଯେଉଁଠି ଅଭିମାନ ସେହିଠି । ଉପଯୁକ୍ତ ସମ୍ମାନ ପାଇ ରାଜାଙ୍କଠାରୁ ବିଦାୟ ନେଇ ଆସିଲି ।
ପ୍ରାୟ ଦୁଇବର୍ଷ ପୂର୍ବରୁ ‘‘ଗଞ୍ଜାମ ଓଡ଼ିଆ ସମାଜ’’ ସ୍ଥାପିତ ହୋଇଥିଲା । ସମ୍ପାଦକ ଥିଲେ ପର୍ଶୁରାମ ପାତ୍ର । ତାଙ୍କ ସଙ୍ଗରେ ଶାସ୍ତ୍ରୀଙ୍କର ପଡ଼େ ନାହିଁ, ଯାହା ସଙ୍ଗରେ ନ ପଡ଼େ ‘‘ପତ୍ରିକାରେ ତାକୁ ଆଣ୍ଟ କରି ମାଡ଼ ମାରିବା’’ ଇଚ୍ଛା ତ ସବୁବେଳେ ଥାଏ । ପର୍ଶୁରାମ ବାବୁଙ୍କ ବିରୁଦ୍ଧରେ ହିତବାଦିନୀରେ ଲେଖିବା ପାଇଁ ମୋତେ ପ୍ରବର୍ତ୍ତାଇଲେ । ମୁଁ କହିଲ–‘‘ମୋ ଦାୟିତ୍ୱରେ ମୁଁ ତାହା କରି ପାରିବି ନାହିଁ । ପତ୍ରିକା ଖଣ୍ଡେ ହାତରେ ଅଛି ବୋଲି ଯାହାକୁ ଇଚ୍ଛା ତାକୁ ଆକ୍ରମଣ କରିବା ଧର୍ମ ନୁହେଁ–ସେଥିରେ ପତ୍ରିକାର ଗୌରବଟିକକ ନଷ୍ଟ ହୁଏ ।’’ କିନ୍ତୁ ଶାସ୍ତ୍ରୀ ଦୃଢ଼ପ୍ରତିଜ୍ଞ; ସେ କାହାଠାରୁ ଗୋଟାଏ ପ୍ରବନ୍ଧ ଲେଖାଇ ଆଣି କହିଲେ–ତୁମ୍ଭେ ସିନା ଲେଖିବ ନାହିଁ, ପାତ୍ର ତୁମ ଓଡ଼ିଆ ଭାଇ ପରା, ମୁଁ ଅନ୍ୟ ଜଣଙ୍କଠାରୁ ଲେଖାଇ ଆଣିଛି–ପତ୍ରିକାର ଏହି ସଂଖ୍ୟାରେ ଦିଅ । ସେଥିରେ ବି ମୁଁ ରାଜି ହେଲି ନାହିଁ । ମୋତେ ସାକୁଲା ସାକୁଲି କରି କହିଲେ–‘‘ଗଞ୍ଜାମର ବଡ଼ ପ୍ଳିଡ଼ର ରାଘବରାଓଙ୍କୁ ମୁଁ ଏହି ଲେଖା ଦେଖାଇଥିଲି, ସେ କହିଲେ ଏଥିରେ କିଛି ଦୋଷ ନାହିଁ । ଯଦି କିଛି ହୁଏ ତେବେ ମୁଁ ଅଛି ।’’ ଏତେ ଅଭୟ ଦାନରେ ସୁଦ୍ଧା ମୁଁ ମୋର ସେହି ‘ନ’ରେ ବାଡ଼ି ସଂକଳ୍ପରୁ ତିଳେ ଟଳିଲି ନାହିଁ । ତହୁଁ ଶାସ୍ତ୍ରୀ ବିରକ୍ତ ହୋଇ କହିଲେ ‘‘ମୁଁ ପ୍ରବନ୍ଧ ତଳେ ମୋର ନାମ ଦେବି, ଏବେ ପ୍ରକାଶ କର ।’’ ତାଙ୍କର ଏ ଜିଦି ଦେଖି ମୋତେ ଭାରି ବିରକ୍ତ ବୋଧ ହେଲା, କିନ୍ତୁ ଏଥର ଆଉ ମନା ନ କରି କହିଲି–‘‘ହେଉ, ପତ୍ରିକାରେ ଦେଉଛି । କିନ୍ତୁ ଆଜିଠାରୁ ମୁଁ ସମ୍ପାଦକ କାର୍ଯ୍ୟ ଛାଡ଼ିଲି, ଏଣିକି, ତୁମ୍ଭେ ଯାହା କହିବ, ମୁଁ ତାହା ଲେଖିବି–ଏକଥା ମୁଁ ପତ୍ରିକାରେ ସାଧାରଣଙ୍କୁ ଜଣାଇ ଦେଉଛି ।’’ ପ୍ରବନ୍ଧ ଛାପା ହେଲା, ତାହା ଖାଲି କୁତ୍ସାରେ କଳୁଷିତ । ସେହି ସଂଖ୍ୟାର ସମ୍ପାଦକୀୟ ସ୍ତରରେ ମୁଁ ଲେଖିଲି–‘‘ନାନା କାରଣରୁ ମୋର ଆଉ ସମ୍ପାଦକ କାର୍ଯ୍ୟ କରିବାକୁ ଇଚ୍ଛା ନାହିଁ । ଏଣିକି ପତ୍ରିକାର ସ୍ୱତ୍ତ୍ୱାଧିକାରୀ ଯାହା କହିବେ ମୁଁ ଲେଖିବି । ପତ୍ରିକା ସବୁ ଛାପା ହୋଇ ଡାକରେ ବାହାରି ଗଲା । ଶାସ୍ତ୍ରୀ ଏହି ନିଆଁ ଜାଳିଦେଇ ପାରଳା ଚାଲିଗଲେ । ହିତବାଦିନୀର ସାହାଯ୍ୟ ସେଠାରୁ କିଛି ମିଳେ । ରାଜଭ୍ରାତା ପଦ୍ମନାଭ ଗଜପତି ନାରାୟଣ ଦେବ ବାର୍ଷିକ କୋଡ଼ିଏ ଟଙ୍କା ଦିଅନ୍ତି ବୋଲି ଶୁଣିଥିଲି । ପର୍ଶୁରାମ ବାବୁଙ୍କ ନିନ୍ଦା ଏବଂ ମୋର ଆତ୍ମନିବେଦନ ପଢ଼ି ଶାସ୍ତ୍ରୀଙ୍କ ପ୍ରତି କେହି କେହି ବିରକ୍ତ ହେଲେ । ଯେଉଁମାନେ ତାଙ୍କର ସ୍ୱଭାବ ଜାଣନ୍ତି ସେମାନେ ଘଟଣାର କାରଣ ଠଉରି ନେଲେ । ସେକେଣ୍ଡ ପ୍ରିନ୍ସ କାରଣ ପଚାରିଲେ, ଶାସ୍ତ୍ରୀ କହିଲେ–ମୁଁ ଏଣେ ଚାଲି ଆସିଛି, କିଛି ଜାଣେ ନାହିଁ ।’’ ଏହି ଉତ୍ତରରେ ଖୁବ୍ ଗୋଟାଏ ଶୋଧନ ପାଇଲେ, ବାର୍ଷିକ ସାହାଯ୍ୟ କିଛି ପାଇଲେ ନାହିଁ । ରାଜଭ୍ରାତାଙ୍କ ସହ ମୋର ଚାକ୍ଷୁଷ ପରିଚୟ ଥିଲା ନାହିଁ, କିନ୍ତୁ ସେ ମୋତେ ଖୁବ୍ ଭଲ ପାଉଥିଲେ ବୋଲି ଶୁଣୁଛି । ଶାସ୍ତ୍ରୀ ଫେରିଆସି ମୋତେ କହିଲେ ରାଗ କରି ପରା ପତ୍ରିକାରେ ଆତ୍ମ ନିବେଦନ ଲେଖିଦେଲେ । ଉଃ, ତୁମ ଲାଗି ସେକେଣ୍ଡ ପ୍ରିନ୍ସ ମୋତେ ଗାଳି କଲେ, ମୁଁ ବଡ଼ ଅପମାନ ପାଇଲି । କହିଲେ ତୁମେ ଯେବେ ପତ୍ରିକା ପରିଚାଳନର ଭାର ନେବ, ତେବେ ସେ ସାହାଯ୍ୟ ଦେବେ, ନ ହେଲେ ଦେବେ ନାହିଁ । ପାତ୍ର ପ୍ରବନ୍ଧ ନିମନ୍ତେ ତୁମେ ପରା ଡରୁଥିଲ, କାହିଁ କଅଣ ହେଲା ? ମୁଁ କେତେ ବଡ଼ ବଡ଼ ପ୍ଳିଡ଼ରଙ୍କୁ ପଚାରିଛି । ସମସ୍ତେ ହସି ଉଡ଼ାଇ ଦେଲେ । କହିଲେ, ଏଥିରେ କିଛି ଦୋଷର କଥା ନାହିଁ-। ଦରକାର ହେଲେ ବିନା ଫିସରେ ଆମେ ଓକିଲାତି କରିବୁ ।’’ ଏ କଥା ଶୁଣି ମୋତେ ହସ ମାଡ଼ିଲା ମୁଁ କିଛି କହିଲି ନାହିଁ । ସେ ବାହାରେ ଫଉରବି ଦେଖାଉ ଥାଆନ୍ତି । କିନ୍ତୁ ଭିତରେ ଅନ୍ତ ଧୁକୁ ଧୁକୁ ହେଉଥାଏ । ଓକିଲମାନଙ୍କ ଘରକୁ ବାରମ୍ବାର ଦଉଡ଼ୁ ଥାନ୍ତି–(ବାର୍)ର ଖବର ବୁଝୁଥାନ୍ତି-। ଲୋକେ ଅନ୍ୟାୟ କଲାବେଳେ ଈଶ୍ୱରଭୟ ଏକାବେଳେକେ ଭୁଲି ଯାଆନ୍ତି ନାହିଁ । ତିନି ଚାରିଦିନ ପରେ ପର୍ଶୁରାମବାବୁ ଶାସ୍ତ୍ରୀଙ୍କ ନାମରେ ରେଜିଷ୍ଟରୀ ନୋଟିସ ଦେଲେ । ଶାସ୍ତ୍ରୀ କ୍ଷମା ପ୍ରାର୍ଥନା ନ କଲେ ସେ ମାନହାନିରେ ନାଲିସ କରିବେ । ଶାସ୍ତ୍ରୀ ନୋଟିସ ଧରି ରାଘବରାଓଙ୍କ ପାଖକୁ ଧାଇଁଲେ-। ରାଘବ ରାଓ କହିଲେ–‘‘ମୁଁ ତରତରିଆ ଭାବରେ ଥରେ ମାତ୍ର ପ୍ରବନ୍ଧ ପଢ଼ିଯାଇଥିଲି, ଭଲରୂପେ ବିଚାର ନକରି କହିଥିଲି; କିନ୍ତୁ ଏବେ ଦେଖୁଛି ଦୋଷର କଥା ଅଛି । ତୁମେ ଭଲରୂପେ ବିଚାର ନକରି ଏପରି କାମ କାହିଁକି କଲ ? ଯାହା ହେଉ ଏବେ ଭାଙ୍ଗିଭୁଙ୍ଗି ଦିଅ-। ଏକଥା ଶୁଣି ଶାସ୍ତ୍ରୀଙ୍କ ତାଳୁରେ ତେନ୍ତୁଳିଆ ବିଛା ହୂଳ ମାରିଲା । ଭାବିଥିଲେ ତାଙ୍କର ଅକ୍ଷୟ ତୁଣୀର ଅଛି, ମାତ୍ର ଦେଖିଲା ବେଳକୁ ଶୂନ୍ୟ ତୁଣୀର । ମୋତେ ଆସି ସବୁ କଥା କହିଲେ ଏବଂ ଓକିଲ ସ୍ୱଭାବର ବହୁତ ନିନ୍ଦା ବାଢ଼ି ବସିଲେ । ପୁଣି କହିଲେ–ତୁମ କଥା ନ ମାନି ମୁଁ ଏହି ବିପଦ କିଣିଲି । କହିବାକୁ ମୋତେ ଲଜ୍ଜା ଲାଗୁଛି–ତୁମେ ଯାଇ ପାତ୍ରଙ୍କ ସଙ୍ଗରେ ମୀମାଂସା କର ।’’ ତେତେବେଳକୁ ପାତ୍ରଙ୍କ ସଙ୍ଗରେ ମୋର ସାମାନ୍ୟ ଭାବରେ ପରିଚୟ ହୋଇଥିଲା, ମାତ୍ର ଘନିଷ୍ଠତା ଜମି ନ ଥିଲା । ମଥୁରୀ ସାହୁଙ୍କ ଗୁମାସ୍ତା କୃଷ୍ଣଚନ୍ଦ୍ର ସାହାଣୀ ମୋର ଜଣେ ପ୍ରିୟ ବନ୍ଧୁ । ସେ ଜଣେ ଓଡ଼ିଆ ଅଭିମାନୀ, ମୋ ବସାକୁ ପ୍ରତିଦିନ ଆସନ୍ତି ତାଙ୍କୁ ସଙ୍ଗରେ ନେଇ ମୁଁ ପର୍ଶୁରାମ ପାତ୍ରଙ୍କ ପାଖକୁ ଗଲି । ସାହାଣୀ ମୋର ପରିଚୟ ଦେବାକୁ ବସିଲେ । ପାତ୍ର କହିଲେ–‘‘ମୁଁ ତାଙ୍କୁ ଭଲରୂପେ ଚିହ୍ନେ, ତାଙ୍କର ଲେଖା ମୋତେ ତାଙ୍କୁ ଚିହ୍ନେଇ ଦେଇଛି । ବିଶେଷତଃ ମୋ ପାଇଁ ସେ ସମ୍ପାଦକ ପଦ ଛାଡ଼ି ଦେଇଛନ୍ତି ।’’ ଶାସ୍ତ୍ରୀଙ୍କ କଥା ପଡ଼ିଲା ପର୍ଶୁରାମ ବାବୁଙ୍କୁ ଆମ୍ଭେ ବହୁତ କହିଲୁଁ, ଯୁକ୍ତିତର୍କ ବି ହେଲା । ଶେଷରେ ସେ କହିଲେ–ଗୁନେୟା ଶାସ୍ତ୍ରୀ ଅର୍ଦ୍ଧପାଗଳ, ତାହା ମୁଁ ଜାଣେ, ତଥାଚ ଶିକ୍ଷା ଦରକାର । ଆପଣମାନଙ୍କ କଥା ମୁଁ ଭାଙ୍ଗି ପାରୁ ନାହିଁ, ତେବେ ଗୋଟାଏ ଦିନ ଧାର୍ଯ୍ୟ ହେବ, ସେ ଦିନ ମୋର କେତେ ଜଣ ବନ୍ଧୁଙ୍କୁ ମୁଁ ଡାକିବି । ଆପଣ ଦୁହେଁ ଶାସ୍ତ୍ରୀଙ୍କୁ ସଙ୍ଗରେ ଆଣିବେ । ସମସ୍ତଙ୍କ ଆଗରେ ସେ କ୍ଷମା ମାଗିବେ, ପୁଣି ସେହି କ୍ଷମା ପାର୍ଥନା କଥା ଏହି ସଂଖ୍ୟାର ପତ୍ରିକାରେ ପ୍ରକାଶ ପାଇବ ।’’ ତାଙ୍କ କହିଲା ପରି କାର୍ଯ୍ୟ ମଧ୍ୟ ହେଲା । ତହିଁ ଆରଦିନ ଶାସ୍ତ୍ରୀଙ୍କୁ ନେଇ ଆମ୍ଭେ ଦୁହେଁ ଗଲୁଁ । ପର୍ଶୁରାମ ବାବୁ କେତେ ଜଣ ବନ୍ଧୁଙ୍କ ସଙ୍ଗରେ ବସିଥିଲେ । ଆମ୍ଭମାନଙ୍କ ବସିବାକୁ କହିଲେ, ସମସ୍ତେ ବସିଲୁଁ, କୁଶଳ ପ୍ରଶ୍ନୋତ୍ତର ପରେ–ଶାସ୍ତ୍ରୀ ଠିଆ ହୋଇ କ୍ଷମାପ୍ରାର୍ଥନା କଲେ । ପର୍ଶୁରାମ ବାବୁଙ୍କ ହୃଦୟ ବଡ଼ ଉଦାର । ସେ ଆଉ ଗତ କଥା ନ ପକାଇ ହସିହସି କହିଲେ–‘‘ଆଗରୁ ତ ମୁଁ ଚିନ୍ତାମଣି ବାବୁଙ୍କ କଥାରେ କ୍ଷମା କରି ସାରିଛି, ତେବେ ଆଗାମୀ ସଂଖ୍ୟାର ହିତବାଦିନୀର ଏହି କ୍ଷମାପ୍ରାର୍ଥନା ପ୍ରକାଶ କରିବାକୁ ହେବ ।’’ ଶାସ୍ତ୍ରୀ ସ୍ୱୀକୃତ ହେଲେ, ପରବର୍ତ୍ତୀ ସଂଖ୍ୟାର କ୍ଷମାପ୍ରାର୍ଥନା ପ୍ରବନ୍ଧ ବାହାରିଲା । ଶାସ୍ତ୍ରୀଙ୍କର ଉଚିତ ଶିକ୍ଷା ହେଲା । ସେହିଦିନଠାରୁ ସେ କାହାକୁ ‘‘ପତ୍ରିକାରେ ଆଣ୍ଟ କରି ମାଡ଼ ମାରିବାକୁ’’ କହିନାହାନ୍ତି । ସେ ଅନେକ ପ୍ରଭିଡ଼େଣ୍ଟ କମ୍ପାନୀର ଏଜେଣ୍ଟ ଥିଲେ । ଜଣେ ଦୁଇଜଣଙ୍କୁ ମୁଠାଏ ମୁଠାଏ ଲାଭ ଦେଇ ମାୟାଜାଲ ବିସ୍ତାର କରିଦେଲେ । ସେଥିରେ ଅଶିକ୍ଷିତ ଇତର ଲୋକେ ମାତି ଉଠିଲେ । କିଏ ଗୋରୁ ବିକି, କିଏ ବାସନ ବନ୍ଧା ଦେଇ ଟଙ୍କା ଆଣି କମ୍ପାନୀରେ ଜମା ଦେଲେ । ରୋଜ୍ ଏତେ ଲୋକ ଆସି ଜମା ହେଲେ ଯେ ତାଙ୍କ ଦ୍ୱାରରେ ବାଟ ମିଳିଲା ନାହିଁ-। ରସିଦ୍ ଦେଖିବା ପାଇଁ ତିନିଟା କିରାନୀ ରହିଲେ । କିଛିଦିନ ଗଲା ପରେ ଲୋକେ ଲାଭ ନେବାକୁ ଆସି ଶୁଣିଲେ କୋମ୍ପାନୀ ଫେଲ୍ ହୋଇଗଲା । ଯେଉଁ ଗରିବଗୁଡ଼ାକ ଏକାରାତିକେ କୁବେର ପାଲଟି ଯିବାର ଭରସା ବାନ୍ଧିଥିଲେ ସେମାନେ ମୁଣ୍ଡରେ ହାତ ଦେଇ କାନ୍ଦିଲେ । ଶାସ୍ତ୍ରୀ ଛୁତିଛଡ଼ା ହୋଇ କହିଲେ–‘‘ମୁଁ କଅଣ କରିବି, କୋମ୍ପାନୀତ ଆଉ ଦିଶୁନାହିଁ, ମୋର ବି କେତେ ହଜାର ଟଙ୍କା ବୁଡ଼ିଲା ।’’ ନିର୍ବୋଧ ମୂର୍ଖ ଲୋକେ ଆଗରୁ ତ ବାଡ଼ି ହଜାଇଛନ୍ତି, କଅଣ କରିବେ ? ନାକ କାନ ଆଉଁସି ଏଜେଣ୍ଟକୁ ଆଶୀର୍ବାଦ କରି କରି ଫେରିଗଲେ । କୋମ୍ପାନୀରେ ଟଙ୍କା ଜମା ଦେବାକୁ ମୋତେ ମଧ୍ୟ ଅନେକ ପ୍ରବର୍ତ୍ତାଇ ଥିଲେ–ହାତୀଘୋଡ଼ାର ପ୍ରଲୋଭନ । କୋମ୍ପାନୀର ଅସମ୍ଭବ ଲାଭ ସମ୍ବନ୍ଧରେ ମୋତେ ଅନେକ ବୁଝାନ୍ତି–ଗଣ୍ଡା ଗଣ୍ଡା ଦୃଷ୍ଟାନ୍ତ ଦେଖାନ୍ତି, ମାତ୍ର ମୋର ତାହା ଏ କାନ ବାଟେ ପଶି ଆର କାନ ବାଟେ ବାହାରିଯାଏ । ମୋଠାରୁ ଅନେକ ପୁସ୍ତକ ଲେଖାଇ ନେଇ ମୋତେ କିଛି ଦେଲେ ନାହିଁ, ତହୁଁ ମୁଁ ଆଉ ପୁସ୍ତକ ଲେଖିଲି ନାହିଁ । ସୁତରାଂ ମୋର ଯଖ ପାଲଟିବା ହେଲା ନାହିଁ-।
କିଛିଦିନ ପରେ ଦେଶମିଶ୍ରଣ ଆନ୍ଦୋଳନ ଆରମ୍ଭ ହେଲା । ସମଗ୍ର ଗଞ୍ଜାମ ଜିଲା କମ୍ପିଉଠିଲା । ଉତ୍ସାହ, ଉତ୍ତେଜନାର ବହୁମୂଖୀ ଧାରା ପ୍ରବାହିତ ହେଲା । ଓଡ଼ିଆ, ତେଲଙ୍ଗା ଉଭୟ ପକ୍ଷରୁ ସ୍ୱାକ୍ଷର ସଂଗ୍ରହ ଚାଲିଲା । କୁଟ, କପଟ, ଛଳନା, ଚାତୁରୀର ଆଶ୍ରୟ ନିଆଗଲା । ତେଲଙ୍ଗାମାନେ ଦେଶମିଶ୍ରଣ ବିପକ୍ଷରେ ଲାଗିଲେ । ନାନା ଅସଦୁପାୟରେ ସ୍ୱାକ୍ଷର ସଂଗ୍ରହ କରିବାକୁ ସେମାନେ ଦ୍ୱିଧାବୋଧ କରିନଥିଲେ । ସେଥିରେ ପ୍ରମାଣ ମୁଁ ପ୍ରତ୍ୟକ୍ଷରେ ଦେଖିଅଛି । ହାଡ଼ିଆଣୀ ରାସ୍ତା ସଫା କରୁଥାଏ, ଜଣେ କର୍ମଚାରୀ ଆସି ପଚାରିଲେ–‘‘ଏ ଓଡ଼୍ୟାଣି ମାଇକିଣା, ତୁ ବରଂପୁରରେ ରହିବେ, ନା କାଟାକାମ୍ ଯିବେ ।’’ ସେ କହିଲା, ‘‘କି ଆୟା, ମୁଁ ଘର ଛାଡ଼ି କଟକ କାହିଁକି ଯିବି ?’’ ଏତିକିରେ ହାଡ଼ିଆଣୀର ଦେଶମିଶ୍ରଣର ଇଚ୍ଛା ନାହିଁ ବୋଲି ସାବ୍ୟସ୍ତ କରି ତାର ନାମଧାମ ଲେଖିନେଲେ । ଏହିପରି ମଫସଲରୁ ଆସିଥିବା ଶଗଡ଼ିଆ, ବେପାରୀ ପ୍ରଭୃତି ନିରକ୍ଷର, ନିର୍ବୋଧ ଲୋକମାନଙ୍କର ଅସ୍ୱୀକୃତି ନିଆଗଲା । ‘‘ଓଡ଼ିଶାର ପୋଲିସ ବଡ଼ ଗରମ, ହାକିମମାନେ ପ୍ରମାଣ ନ ନେଇ ମନକୁ ମକଦ୍ଦମା ଡିଗ୍ରୀ, ଡିସ୍ମିସ୍ କରି ଦିଅନ୍ତି, ଓଡ଼ିଶାର ଭୂମିକର ଅଧିକ’’ ଏହିପରି ମିଥ୍ୟା କଥା କହି ନିରୀହ ଓଡ଼ିଆମାନଙ୍କୁ ଭୟ ଦେଖାଇବାକୁ ହେଲା । ଏସବୁ କଥା ପ୍ରଜାବନ୍ଧୁରେ ବାହାରିଲା ଏବଂ ତୀବ୍ର ପ୍ରତିବାଦ କରାଗଲା । କେବଳ ଦେଶମିଶ୍ରଣ ସମସ୍ୟାରେ ପତ୍ରିକାରେ କଳେବର ପୂର୍ଣ୍ଣ ହେଲା । ନୀଳମଣି ବିଦ୍ୟାରତ୍ନ ଶତହସ୍ତ ହୋଇ ଆନ୍ଦୋଳନରେ ଲାଗିପଡ଼ିଲେ । ତେଲଙ୍ଗାମାନଙ୍କର ପ୍ରତାରଣା ପ୍ରତିସଂଖ୍ୟାର ପତ୍ରିକାରେ ଦେଖାଇ ଦିଆଗଲା । ସେମାନେ ପ୍ରଜାବନ୍ଧୁ ଉପରେ ଅଗ୍ନି ଶର୍ମା ହୋଇ ଉଠିଲେ ଏବଂ ମକଦ୍ଦମା କରିବାକୁ ବାହାରିଲେ । ମାତ୍ର ପ୍ରଜାବନ୍ଧୁର ପୀଢ଼ ବଡ଼ ଟାଣ । ତାହା ସଙ୍ଗରେ ପ୍ରବଳ ଖଲିକୋଟ ରାଜାଙ୍କର ସମ୍ପର୍କ ଥିବାରୁ କିଛି କରି ନ ପାରି ରାଗରେ ରକ୍ତ ଚାଉଳ ଚୋବାଇ ହେଲେ । କିଏ କହିଲା–ଗଞ୍ଜାମକୁ ଲେଉଟାଇ ପକାଇବା । କିଏ କହିଲା–ସମୁଦ୍ରରେ ଭସାଇ ଦେବ, ଏହିପରି କେତେ ଆସ୍ଫାଳନ ଦେଖାଇଲେ । ଘନ ଘନ ସଭାସମିତି ବସିଲା–ଗରମ ଗରମ ବକ୍ତୃତା ଝଡ଼ା ହେଲା । ଚାନ୍ଦା ସଂଗୃହୀତ ହୋଇ ବିପୁଳ ପାଣ୍ଠି ସ୍ଥାପିତ ହେଲା । ତେଲେଙ୍ଗା ଓଡ଼ିଆ ମଧ୍ୟରେ ବିଦ୍ୱେଷ ଭାବ ବର୍ଦ୍ଧିତ ହେଲା । ଅନ୍ୟାୟ, ଅତ୍ୟାଚାର, ଉପଦ୍ରବ ମଧ୍ୟ ବଢ଼ିଉଠିଲା । ଅର୍ଥ, ପ୍ରାଧାନ୍ୟ, ଆଧିପତ୍ୟ କେହି ଛାଡ଼ିବାକୁ ଇଚ୍ଛାକଲେ ନାହିଁ । ସ୍ୱାର୍ଥ ଯେଉଁଠାରେ ଅନର୍ଥ ମଧ୍ୟ ସେହିଠାରେ । ଆନ୍ଦୋଳନ କ୍ରମେ ପୃଥୁଳ ହୋଇ ଉଠିଲା । ତେତେବେଳେ ବଡ଼ଲାଟ ସ୍ୱନାମପ୍ରସିଦ୍ଧ ଲର୍ଡ଼ କର୍ଜନ । ଓଡ଼ିଆମାନଙ୍କର ଦାବୀପ୍ରତି ତାଙ୍କର ପୂର୍ଣ୍ଣ ସହାନୁଭୂତି ଥିଲା । ତାହା ଜାଣି କେତେ ତେଲେଙ୍ଗା ଗଞ୍ଜାମ ଛାଡ଼ି ମାନ୍ଦ୍ରାଜ ଅଞ୍ଚଳକୁ ଚାଲିଗଲେ । ଭାତହାଣ୍ଡି ଶୂନ୍ୟ ହେବାର ଆଶଙ୍କା ଜନ୍ମିଲେ କିଏ ବା ଧୈର୍ଯ୍ୟଧରି ରହିପାରେ ? କେତେ ନିର୍ବୋଧ ଓଡ଼ିଆ ମାୟାଜାଲରେ ପଡ଼ି ତେଲଙ୍ଗା ପଟ ଧରିଥିଲେ, ପୁଣି କେତେକ ହୃଦୟବାନ୍ ତେଲଙ୍ଗା ଓଡ଼ିଆମାନଙ୍କ ନ୍ୟାଯ୍ୟ ଦାବୀ ସମ୍ମାନ କରୁଥିଲେ l ତେଲଙ୍ଗା ପତ୍ରିକାମାନ ଏକସ୍ୱର ଧରି ଗର୍ଜି ଉଠିଲେ । ଓଡ଼ିଆ ପତ୍ରିକାମାନେ ବି ସମସ୍ତେ ଏକସ୍ୱର ଧରିଲେ, କିନ୍ତୁ ହିତବାଦିନୀ କାହିଁରେ ସ୍ୱର ନ ମିଶାଇ ନୀରବ ରହିଲା । ଗୁନେୟା ଶାସ୍ତ୍ରୀଙ୍କୁ ତେଲଙ୍ଗାମାନେ ଭୟ ଦେଖାଇ କହିଲେ–‘‘ତୁ ତେଲଙ୍ଗା ହୋଇ ଖଣ୍ଡେ ଓଡ଼ିଆ ପତ୍ରିକା କାହିଁକି ବାହାର କରୁଛୁ । ସେଥିରେ ଓଡ଼ିଆମାନଙ୍କ ସପକ୍ଷରେ କିଛି ଲେଖିଲେ ତୋତେ ଜାତିବାଛନ୍ଦ କରିବୁଁ–ତୁ ଏକଘରକିଆ ହୋଇ ରହିବୁ ।’’ ଏଣେ ଓଡ଼ିଆମାନେ କହିଲେ ଆମ ସପକ୍ଷରେ ନ ଲେଖିଲେ କେହି ପତ୍ରିକା ନେବୁ ନାହିଁ, ପୁଣି ରାଜାମାନଙ୍କୁ କହି ପତ୍ରିକାର ସାହାଯ୍ୟ ବନ୍ଦ କରିଦେବୁଁ । ସ୍ଥଳରେ ବ୍ୟାଘ୍ର ଭୟ, ଜଳରେ କୁମ୍ଭୀର ଭୟ । ଶାସ୍ତ୍ରୀ ବିଚରା କଣ କରିବେ–ଉଭୟ ସଙ୍କଟରେ ପଡ଼ି ‘‘ତ୍ରାହି ମଧୁସୂଦନ’’ ଜପ କଲେ । ପତ୍ରିକା ଖଣ୍ଡି ଗଲେ ତାଙ୍କ ଭେକାଳ ବୁଡ଼ିବ । ରାଜାମାନେ ସମସ୍ତେ ଓଡ଼ିଆ, ସେହିମାନଙ୍କ ପ୍ରଦତ୍ତ ଅର୍ଥରେ ପତ୍ରିକା ଚଳେ । ତେତକ ବନ୍ଦ ହେଲେ ସବୁ ସରିଲା । ଏହି ଚିନ୍ତାରେ ତାଙ୍କୁ ଚୌଦିଗ ଅନ୍ଧାର ଦିଶିଲା ଏବଂ ଅନ୍ନଜଳ ବିଷ ହେଲା । ସେ କିଛି ଉପାୟ ଖୋଜି ପାଇଲେ ନାହିଁ । ଏଣେ ହିତବାଦିନୀରେ ଦେଶମିଶ୍ରଣ ସମ୍ବନ୍ଧରେ କିଛି ଲେଖା ନ ହେବାରୁ ଖଣ୍ଡିଏ ଖଣ୍ଡିଏ ପତ୍ରିକା ଫେରିଆସି ତାଙ୍କ ଆଶଙ୍କାକୁ ବହୁଗୁଣିତ କଲା ।
ଧ୍ୟାନ ମଗ୍ନ ଯୋଗୀପରି ଶାସ୍ତ୍ରୀ ନିର୍ବାକ ହୋଇ ବସି ରହିଲେ । ତାଙ୍କର ସ୍ୱଭାବ–ଚଞ୍ଚଳ–ମତି ବିଦ୍ରୋହୀ ହୋଇ ଉଠିଲା । କୌଣସି କାର୍ଯ୍ୟରେ ମନ ଦେଲେ ନାହିଁ । ତାଙ୍କର ଏ ଭାବାନ୍ତର ଦେଖି ମୁଁ କହିଲି–ଆପଣ ଧୈର୍ଯ୍ୟ ଧରନ୍ତୁ, ଦେଶମିଶ୍ରଣ ସମ୍ବନ୍ଧରେ ମୁଁ ପତ୍ରିକାରେ ଲେଖେ । ଅନେକ ପ୍ରାପ୍ତ ପ୍ରବନ୍ଧ ଅଛି, ତାହା ବି ପ୍ରକାଶ କରିବି । କେହି ପଚାରିଲେ–ଆପଣ କହିବେ–‘‘ଜଣେ ଓଡ଼ିଆ ମୋର ପତ୍ରିକା ଚଳାନ୍ତି, ସେ କଅଣ ଲେଖନ୍ତି ମୁଁ ଜାଣେ ନାହିଁ ।’’ ଶାସ୍ତ୍ରୀ କହିଲେ–‘‘ପଣ୍ଡିତେ, ଜାତି ଆଗରେ ହାତୀ ଯାଇପାରେ ନାହିଁ । ଆପଣ ଆମ ଜାତି କଥା ଜାଣନ୍ତି ନାହିଁ, ସେମାନେ ନାନାଭାବରେ ମୋର ଅନିଷ୍ଟ ଘଟାଇବେ । ମୁଁ କହିଲି–ତାହା ଠିକ୍, କିନ୍ତୁ ନଈବଢ଼ିକୁ ରାଜାଙ୍କ ଦୋହି ନାହିଁ । ଦେଶ ଯେତେବେଳେ ଉଛୁଳି ଉଠୁଛି, ତେତେବେଳେ ଦେଶମିଶ୍ରଣ ବିଷୟରେ ନଲେଖିଲେ ତ୍ରାହି ନାହିଁ । ଏହିପରି କେତେଦିନ ଗଲା । ଓଡ଼ିଆ ରାଜାଙ୍କ ପୋଷିତ ଓଡ଼ିଆ ପତ୍ରିକା ହିତବାଦିନୀରେ ଓଡ଼ିଆ ଦେଶମିଶ୍ରଣ ବିଷୟ କାହିଁକି ବାହାରୁ ନାହିଁ ବୋଲି ପ୍ରଜାବନ୍ଧୁ ବାରମ୍ବାର ଅଭିଯୋଗ କଲା । ଫଳରେ ଅନେକ ଓଡ଼ିଆ ଗ୍ରାହକ ପତ୍ରିକା ଫେରାଇ ଦେଲେ । ରାଜମାନଙ୍କ ମଧ୍ୟରୁ କେହି କେହି ସାହାଯ୍ୟ ବନ୍ଦ କରିଦେଲେ । ଏଣେ ଶାସ୍ତ୍ରୀଙ୍କ ନାମରେ ବେନାମୀ ଚିଠି ଆସିଲା । କାହିଁରେ ଗାଳି, କାହିଁରେ ମାଡ଼, କାହିଁରେ ବା ଘର ପୋଡ଼ି ଦେବାର ଧମକ୍ । ଏହିପରି କାଣ୍ଡ ଲାଗିଲା । ଶେଷରେ ତାଙ୍କୁ ବାଧ୍ୟ ହୋଇ ହତବାଦିନୀ ବନ୍ଦ କରିବାକୁ ପଡ଼ିଲା । ତାଙ୍କ ପରିବାରମାନେ କେତେଦିନ ଯାଏଁ ତାଙ୍କ ଜାତି ପୁଅଙ୍କର ଜୀବିତ ଶ୍ରାଦ୍ଧ ବାଢ଼ିଲେ । ଶାସ୍ତ୍ରୀ ମଧ୍ୟ-‘‘ଏଧବା-ଏଧବା’’ କହି ଜ୍ୱାଳାମୟ ଆଶୀର୍ବାଦ ବର୍ଷଣ କଲେ ତାଙ୍କର ଏକମାତ୍ର ଗାଳି–‘‘ଏଧବା-।’’ ତାହାର ଅର୍ଥ ବିଧବା ଅର୍ଥାତ୍ ତୋର ମାଇପ ମରୁ । ପୁରୁଷ ମଲେ ସ୍ତ୍ରୀ ବିଧବା, ସ୍ତ୍ରୀ ମଲେ ପୁରୁଷ ବିଧବା । ତେଲଙ୍ଗା ଜାତିର ସ୍ତ୍ରୀ ଲୋକମାନେ ବାସ୍ତବରେ ଗୃହଲକ୍ଷ୍ମୀ । ଉପାର୍ଜ୍ଜନ ଛଡ଼ା ପୁରୁଷର ଅନ୍ୟ ଦାୟିତ୍ୱ ନାହିଁ । ଘରକରଣାର ସବୁକାମ ସ୍ତ୍ରୀ ମାନେ କରନ୍ତି । ସ୍ତ୍ରୀ ମରିଗଲେ ପୁରୁଷ ଉପରେ ସବୁ ଭାର ପଡ଼େ ସୁତରାଂ ସ୍ତ୍ରୀ ମରିବା ଗାଳିଟା ତେଲଙ୍ଗାଙ୍କ ପକ୍ଷରେ ବଡ଼ କଠୋର ଅଭିଶାପ । ପ୍ରେସ୍ରେ ରହିବା ପାଇଁ ଶାସ୍ତ୍ରୀ ମୋତେ ବହୁତ ଅନୁରୋଧ କଲେ, କିନ୍ତୁ ମୋର ରହିବାକୁ ଇଚ୍ଛା ହେଲା ନାହିଁ । ମୁଁ ବିଦାୟ ନେଇ ଆସିଲି । ପର୍ଶୁରାମ ବାବୁ ଶୁଣି ଦୁଃଖିତ ହେଲେ । ସେ କହିଲେ, ‘‘ଆପଣ ମୋ ବସାରେ ରହନ୍ତୁ, ପନ୍ଦର ଦିନ ମଧ୍ୟରେ ମୁଁ ଯେଉଁଠାରୁ ହେଉ ଖଣ୍ଡେ ସାପ୍ତାହିକ ସମ୍ବାଦପତ୍ର ବାହାର କରିବାକୁ ଚେଷ୍ଟା କରିବି, ଆପଣ ସେହି ପତ୍ରିକାର ସମ୍ପାଦକ ହେବେ ।’’ ମୁଁ କହିଲି– ଅନେକ ଦିନରୁ ଘରକୁ ଯାଇନାହିଁ, ମୁଁ ବର୍ତ୍ତମାନ ଯାଉଛି, ଆପଣ ସଜିଲକରି ପତ୍ର ଦେଲେ ଆସିବି । ଏହା କହି ତାଙ୍କଠାରୁ ବିଦାୟ ନେଇ ଆସିଲି ।
ଘରକୁ ଯାଉଛି, ଏ ଅଞ୍ଚଳର ଅପୂର୍ବ ପଦାର୍ଥ କିଛି ନେବା ଉଚିତ । ବଜାରକୁ ଯାଇ କିଛି ସଉଦା କିଣିଲି ଏବଂ ଖଣ୍ଡେ ଜରୀ ଚାଦର ମଧ୍ୟ କିଣିଲି । ତାହାର ମୂଲ୍ୟ ଆଠଟଙ୍କା ଆଠଅଣା, ମୁଁ ଭୁଲରେ ଟଙ୍କା, ରେଜିକି ମିଶାଇ ନଅଟଙ୍କା ଦେଇ ଆସିଥିଲି । ବସାକୁ ଆସି ଦେଖିଲି ସେହି ଲୁଗା ଦୋକାନର ଗୁମାସ୍ତା ଆସି ମୋର ଅପେକ୍ଷାରେ ବସିଅଛନ୍ତି । ମୋତେ ଆଠଅଣା ଫରାଇ ଦେଇ କହିଲେ–‘‘ସାହୁକାର ଦେଇଛନ୍ତି–ଆପଣ ଭୁଲରେ ଆଠଅଣା ଅଧିକ ଦେଇ ଆସିଥିଲେ ।’’ ଅପରିଚିତ ବ୍ୟବସାୟୀର ଏ ସାଧୁତାରେ ହୃଦୟ କୃତଜ୍ଞତାରେ ପୁରି ଉଠିଲା, ମନରେ ଅପୂର୍ବ ଆନନ୍ଦ ଖେଳି ବୁଲିଲା, ସାହୁକାରକୁ ଧନ୍ୟବାଦ ଦେବାକୁ ଯେପରି ମନ ଭିତରୁ କିଏ କହିବାକୁ ଲାଗିଲା । ମୁଁ ଫେରିଯାଇ ଭଦ୍ରଲୋକଟିକୁ ଧନ୍ୟବାଦ ଜଣାଇଲି । ସେ ହସି ହସି ମୋତେ ନେଇ ତାଙ୍କର ସବୁ ଘର ଦେଖାଇଲେ । ସେଥିରେ ପ୍ରାୟ ଲକ୍ଷାଧିକ ଟଙ୍କାର ଲୁଗା ଅଛି । ସବୁ ସ୍ୱଦେଶୀ, ବିଦେଶୀର ନାମଗନ୍ଧ ନାହିଁ । ସାଉକାର କହିଲେ ‘‘ବାବୁ, ମୁଁ ଅନ୍ୟାୟ କଲେ ମୋର ଏ ଲକ୍ଷ୍ମୀଭଣ୍ଡାର ଉଡ଼ିଯିବ । ସତ୍ୟ, ଧର୍ମ, ନ୍ୟାୟ ସିନା ବ୍ୟବସାୟର ମୂଳ, ସେତକ ନଥିଲେ ବ୍ୟବସାୟ ଉଧାଏ ନାହିଁ । ବାସ୍ତବିକ କଥା, ବ୍ୟବସାୟୀ ସତ୍ୟପ୍ରିୟ, ସାଧୁ ଏବଂ ଚରିତ୍ରବାନ୍ ହେବା ଉଚିତ୍ । ଠକ ବ୍ୟବସାୟୀ ବି ବଡ଼ଲୋକ ହୁଅନ୍ତି, ମାତ୍ର ସେ ବଡ଼ଲୋକ ଅଢ଼େଇଦିନିଆ । କଥାରେ ଅଛି–‘‘ଅଧର୍ମ ବିତ୍ତ ବଢ଼େ ବହୁତ, ଯିବାବେଳେ ଯାଏ ମୂଳ ସହିତ ।’’ ଏହା ପ୍ରବାଦ ହେଲେ ସୁଦ୍ଧା ଦେବବାଣୀ ପରି ସତ୍ୟ ।
ଗଞ୍ଜାମବାସୀ ଖୁବ୍ ଅଳଙ୍କାର ପ୍ରିୟ, ପୁରୁଷମାନେ ଅଳଙ୍କାର ପିନ୍ଧନ୍ତି, ଶିକ୍ଷିତ ସମାଜରେ ଅବଶ୍ୟ ଏ ରୀତି ନାହିଁ । କୌଣସି କୌଣସି ରାଜାଙ୍କୁ ଅଳଙ୍କାରରେ ଭାରାକ୍ରାନ୍ତ ଦେଖିଅଛି । ଦକ୍ଷିଣର ସୁନା ବିଶୁଦ୍ଧ, ରତ୍ନଜଡ଼ିତ ସୂକ୍ଷ୍ମ କାରୁକଳା ଅତି ସୁନ୍ଦର । ସୁନାର ଅଳଙ୍କାର ସମସ୍ତେ ପିନ୍ଧନ୍ତି-। ଏମନ୍ତ କି ଭିକାରୀ ଦେହରେ କିଛି ସୁନା ଗହଣା ଥାଏ । ଜଣେ ଜଣେ କୁମୁଟିଙ୍କ ଦେହରେ ଯେତେ ସୁନା ଗହଣା ଥାଏ, କୌଣସି ବେଶ୍ୟା ଦେହରେ ତେତେ ଥିବ ନାହିଁ । କମା ଘରର ସ୍ତ୍ରୀମାନେ ଗୋଡ଼ ଛଡ଼ା ଅନ୍ୟତ୍ର ରୂପା ଗହଣା ପିନ୍ଧନ୍ତି ନାହିଁ । କମା ବ୍ରାହ୍ମଣ ବଡ଼ ନିଷ୍ଠାପର, ସ୍ୱଜାତି ଛଡ଼ା ଅନ୍ୟ ଜାତିର ଜଳ ସ୍ପର୍ଶ କରନ୍ତି ନାହିଁ । ବିଧବା ହେଲେ ସ୍ତ୍ରୀଲୋକମାନେ ଲାଣ୍ଡୀ ହୁଅନ୍ତି ଏବଂ ମୁଣ୍ଡରେ ଲୁଗା ଦିଅନ୍ତି । ବିଧବାମାନେ କୌଣସିପ୍ରକାର ରଙ୍ଗବସ୍ତ୍ର ବ୍ୟବହାର କରନ୍ତି ନାହିଁ, ଶୁକ୍ଳବସ୍ତ୍ର ପରିଧାନ କରନ୍ତି । ଏଭଳି ନିୟମ ଚିତ୍ତ ସଂଯମର ଅନୁକୂଳ । ଓଡ଼ିଶାରେ ଭଦ୍ର ବିଧବାମାନେ ‘‘ସାହାଲା’’ ବ୍ୟବହାର କରୁଥିଲେ । ସେଥିରେ ଧଡ଼ି ଥାଏ ନାହିଁ । କମା ଘରର ସ୍ତ୍ରୀମାନେ ଓଦାଲୁଗା ପିନ୍ଧି ପାଣି ଆଣନ୍ତି, ଲୁଗା ଶୁଖିଗଲେ ପାଣି ମାରୁ ହୋଇଯାଏ । ସେ ଜାତି ଆମୀଷ ବ୍ୟବହାର କରନ୍ତି ନାହିଁ, କିନ୍ତୁ ପିଆଜ ଖାଆନ୍ତି । ପ୍ରତ୍ୟହ ରାନ୍ଧିସାରି ଅଗ୍ନିକୁ ଆହୂତି ଦିଅନ୍ତି ।