ଗୋପାଳଙ୍କ ସହିତ ନନ୍ଦର ଗୋପପୁର ପ୍ରତ୍ୟାବର୍ତ୍ତନ (୬) — ହରିବଂଶ (ଚତୁର୍ଥ ଖଣ୍ଡ) — ଅଚ୍ୟୁତାନନ୍ଦ ଦାସ · ସ୍ୱର୍ଣ୍ଣଲିପିତାର ବାର ଗ୍ରହ ରାଶି ନକ୍ଷତ୍ର ଏମାନେ ।ଖଞ୍ଜା ସ୍ଥାନ ମାଡ଼ି ବସିଅଛନ୍ତି ସେ ଯାନେ ॥
ତ୍ରିଗୁଣକୁ ଆଦିକରି ଅଷ୍ଟ ଧାତୁମାନ ।ଚିତ୍ରରେ ଲେଖା ହୋଇଣ ଅଛନ୍ତି ଏ ପୁଣ ॥
ଗଣ ଗନ୍ଧର୍ବ କିନ୍ନର ଯକ୍ଷ ଆଦି ଯେତେ ।ପିତୁଳା ହୋଇଣ ସର୍ବେ ଅଛନ୍ତି ସେ ରଥେ ॥
ଧ୍ରୁବ ମଣ୍ଡଳ ସହିତେ କୋଟି ତାରାଗଣ ।ଚନ୍ଦ୍ରାତପ ହୋଇ ରଥେ ରହିଛନ୍ତି ଜାଣ ॥
ଭୂଲୋକ ଆଦିକରି ଚରାଚର ସୃଷ୍ଟି ।ଏ ସମସ୍ତେ ହୋଇଛନ୍ତି ଚକକଣା କାଠି ॥
ନବ ଦୁର୍ଗା ଅଷ୍ଟ ଚଣ୍ଡୀ ଦ୍ୱାଦଶ ଚାମୁଣ୍ଡା ।ଏ ସକଳେ ହୋଇଛନ୍ତି ସେ ରଥର ଦଣ୍ଡା ॥
ଆବର ଯେ ଚଉଷଠୀ ଯୋଗ୍ନୀ ମତୁଆଳୀ ।ସେ ରଥ ଦଣ୍ଡାରେ ରହି ହୋଇଛନ୍ତି ଫଳି ॥
ଜଳକୂର୍ମ ବାସୁକି ଯେ ଭେକ ନାଗ କୂର୍ମ ।ଯୋଗଧାରଣ ପୁରୁଷମାନେ ତହିଁ ତୁମ୍ୱ ॥
ସୁଧର୍ମା ନାମେ ସଭା ଯେ ଅମର ଆସ୍ଥାନ ।ସେ ସଭା ହୋଇଛି ରଥ ମଧ୍ୟେ ସିଂହାସନ ॥
ସମୀରଣ ଆଦିକରି ଅଣଞ୍ଚାଶ ବାୟୁ ।ଚଉପାଶେ ରଥବାଡ଼ ହୋଇଛନ୍ତି ସେହୁ ॥
ଗଜଦନ୍ତ ପିତୁଳିକା ଚଉପାଶେ ଖଞ୍ଜା ।ରଜ୍ଜୁ ହୋଇ ରହିଛନ୍ତି ରଥେ ନାଗରାଜା ॥
ହିମ ଶିଶିର ବସନ୍ତ ଆଦି ଷଡ଼ଋତୁ ।ରହିଛନ୍ତି ସେ ରଥରେ ଘେନି ଯେଝାହେତୁ ॥
ଷାଠିଏ ବାନି ସୁବର୍ଣ୍ଣ ଶୁଦ୍ଧ ଜାତି ହେମ ।ହୀରା ପଗଡ଼ି ଝଲକ ପାତିଆ ଯେ କମ ॥
ରସାଣିଲା ଗଜଦନ୍ତେ ପିତୁଳିକା ପନ୍ତି ।ମରକତ ବଇଡ଼ୁର୍ଯ୍ୟ ମାଣିକ୍ୟ ଯେ ମୋତି ॥
ହରିତାଳ ହିଙ୍ଗୁଳରେ ଚିତ୍ର ପଟମାନ ।କ୍ଷଣ କ୍ଷଣକରେ ରୂପ ଦିଶେ ଆନୁଆନ ॥
ନେତ ପତନୀ ସିନ୍ଧୁଆ ଧବଳ ମାଞ୍ଜିଷ୍ଠ ।ବସନ୍ତ ସୁପୀତ ନୀଳ ନାନା ବର୍ଣ୍ଣେ ପାଟ ॥
ଝୋଲା ଶୁକଳ ସାହାଲା ରଙ୍ଗ କାଇକଳା ।ଦେବାଙ୍ଗ ଝୀନ ବସନ ଗନ୍ଧ ପୁଷ୍ପ ମାଳା ॥
ସୁବର୍ଣ୍ଣ ଘାଗୁଡ଼ି କ୍ଷୁଦ୍ର ଘଣ୍ଟି ମାଳା ମାଳ ।ବିଚିତ୍ର ନେତ ପତନୀ ଆଲମ୍ୱ ଚିରାଳ ॥
ଇନ୍ଦ୍ର ଗୋବିନଦ ଚାନ୍ଦୁଆ ସୁଚିକମ ଟେରା ।ଖମ୍ୱମାନଙ୍କରେ ଲମ୍ୱେ ରତ୍ନଝୁମ୍ପା ଝରା ॥
ଆଲମ୍ୱ ଧବଳ ଛତ୍ର ଶୁକଳ ଚାମର ।ଅଗୁରୁ ଚନ୍ଦନ ଧୂପ କସ୍ତୁରୀ କର୍ପୂର ॥
ଏହିରୂପେ ନାନାଦ୍ରବ୍ୟେ ପୂରିଛି ସେ ଯାନ ।ଚଉଦ ଭୁବନେ ନାହିଁ ତା ତୁଲେ ସମାନ ॥
ପରୀକ୍ଷ ଆଗେ କହନ୍ତି ଶୁକ ମହାତମା ।କହନ୍ତେ ନ ସରେ ନନ୍ଦିଘୋଷର ମହିମା ॥
ଅକ୍ଷୟ ଅଜରାମର ସେହି ଯାନ ଗୋଟି ।ପ୍ରଳୟରେ ସମ୍ଭାଳଇ ଚରାଚର ସୃଷ୍ଟି ॥
ଯେତେ ବିସ୍ତାରିଲେ ତେତେ ବିସ୍ତାର ହୁଅଇ ।ତହିଁରେ ବସିଲେ ମୃତ୍ୟୁବାଧା ନ ଲାଗଇ ॥
ଚଉରାଶୀ କୋଟି ସଂଖ୍ୟା ଚାରିଖାନି ଜୀବ ।ସ୍ଥାବର ଜଙ୍ଗମ ତହିଁ ସର୍ବେ ଏକ ଠାବ ॥
ଶଙ୍ଖ ଗୋକ୍ଷୀର ଧବଳ ଶ୍ୱେତ ଚାରି ଅଶ୍ୱ ।ନିମିଷକେ ବୁଲି ପାରନ୍ତି ସେ ଦଶ ଦିଶ ॥
କ୍ଷୁଧା ତୃଷା ନିଦ୍ରା ନ ବାଧଇ ତାଙ୍କ ଅଙ୍ଗେ ।ଇଚ୍ଛା କଲେ ଗମନ୍ତି ସେ ମନଠାରୁ ବେଗେ ॥
ଏ ଚାରି ଅଶ୍ୱେ ବହନ୍ତି ନନ୍ଦିଘୋଷ ରଥ ।କୋଟିଏ ବ୍ରହ୍ମାଣ୍ଡ ବହିବାକୁ ସେ ସମର୍ଥ ॥
ତାଣ୍ଡବ କରନ୍ତି ବାମ ଭାଗେ ରୁଦ୍ରମୂର୍ତ୍ତି ।ଦକ୍ଷିଣ ଭାଗରେ ଉଭା ଆପେ ଗଣପତି ॥
ଏହିପରି ତାଳଧ୍ୱଜ ରଥର ମଣ୍ଡଣି ।ତହିଁରେ ବିଜୟ କରିଛନ୍ତି ହଳପାଣି ॥
ଦକ୍ଷିଣ ଭୁଜରେ ଶୋହେ ସୌନନ୍ଦ ମୁଷଳ ।କୋଟିଏ କୃତାନ୍ତ ତେଜ ବାମ କରେ ହଳ ॥
କୁନ୍ଦେନ୍ଦୁ କର୍ପୂର ପ୍ରାୟେ ବିରାଜଇ ତନୁ ।ନିର୍ମଳ ଆକାଶେ ଯେହ୍ନେ ଉଦେ ହୁଏ ଭାନୁ ॥
କୁଟିଳ କୁନ୍ତଳ ଜଟା ଶିରେ ଚାରୁ ବେଣୀ ।ଅନନ୍ତ ମୂରତି ଭୟାନକ ସପ୍ତଫେଣୀ ॥
ବେନି ବର୍ଣ୍ଣେ ଶୋଭାବନ ସ୍ଫଟିକ କୁଣ୍ଡଳ ।ନିଦାଘ କାଳରେ ଯେହ୍ନେ ଆଦିତ୍ୟ ମଣ୍ଡଳ ॥
ସୁନୀଳ ବସନ ପରିଧାନ କଟୀଭାଗେ ।ମହାବ୍ରହ୍ମବେତ୍ତା ଜିତ ସେ ଅଷ୍ଟାଙ୍ଗ ଯୋଗେ ॥
ନୟନର ଜ୍ୟୋତି ଦିଶେ କୋକନଦ ପ୍ରାୟେ ।କାଦମ୍ୱରୀ ପାନେ ସଦା ଭୋଳ ଦେବରାୟେ ॥
ସଦାନନ୍ଦ ପ୍ରଭୁ କୋଟି କନ୍ଦର୍ପ ମୂରତି ।ଅଷ୍ଟରତ୍ନ ହାର ଗଳେ ଶୋଭା ପାଏ ଅତି ॥
ଅପୂର୍ବ ରୂପ ଧରିଣ ବଳଦେବ ସ୍ୱାମୀ ।ତାଳଧ୍ୱଜ ରଥପରେ ବିଜେ ଅନ୍ତର୍ଯ୍ୟାମୀ ॥
ଯୋଗୀ ଜନମାନେ ଯାକୁ କରୁଥାନ୍ତି ଲୟେ ।ଦ୍ୱାପରେ ସେ ଦେହ ଧରି ରଥରେ ବିଜୟେ ॥
ନନ୍ଦିଘୋଷ ସ୍ୟନ୍ଦନରେ ବିଜେ ଜଗନ୍ନାଥ ।ଶଙ୍ଖ ଚକ୍ର ଗଦା ପଦ୍ମ ଶାର୍ଙ୍ଗ ଧନୁହସ୍ତ ॥
ହୃଦୟେ କୌସ୍ତୁଭମଣି ଶ୍ରୀବତ୍ସର ଚିହ୍ନ ।ତହିଁପରେ ବନମାଳା ଦିଶେ ମନୋରମ ॥
ନାନା ରତ୍ନ ଆଭରଣେ ଶୋହେ ଦିବ୍ୟତନୁ ।ନିର୍ମଳ ଗଗନେ ଯେହ୍ନେ ଉଦେ ଇନ୍ଦ୍ରଧନୁ ॥
ଗଣ୍ଡ ମଣ୍ଡଳରେ ଶୋହେ ମକର କୁଣ୍ଡଳ ।ଏମନ୍ତ ଅପୂର୍ବ ବେଶ ମଦନ ଗୋପାଳ ॥
ନନ୍ଦିଘୋଷ ଯାନ ମଧ୍ୟେ ରତ୍ନ ସିଂହାସନ ।ତଥିପରେ ବିଜେ କରିଛନ୍ତି ଭଗବାନ ॥
ଜୟ ବିଜୟ ଛାମୁରେ ହୋଇଛନ୍ତି ଉଭା ।ଅପୂର୍ବ ସେ ବିଶ୍ୱରୂପ ଦେଖିବାକୁ ଶୋଭା ॥
ମହାଲକ୍ଷ୍ମୀବଲ୍ଲଭ ସେ ତିନିଲୋକ ଈଶ ।ଏ ବିଶ୍ୱ ସଂସାର ତାଙ୍କୁ ଅସମ୍ଭବ କିସ ॥
ସମସ୍ତ ଯାଦବେ ଦେଖି ଅପୂର୍ବ ମଣିଲେ ।ବୋଲନ୍ତି କିମ୍ଭୂତ ମାୟା ଜାଣି ନ ପାରିଲେ ॥
ନୟନରେ ଦେଖା ନାହିଁ ଶୁଣିନାହିଁ କାନ ।ଅଲୋକିତ ମାୟା କଲେ ପ୍ରଭୁ ଭଗବାନ ॥
ଗୁରୁଙ୍କ ଘରକୁ ଯାଇଥିଲେ ବିଦ୍ୟା ପଢ଼ି ।କୋଟି ସମ୍ପଦ ଅରଜି ଅଇଲେ ବାହୁଡ଼ି ॥
ଥୋକେ ବୋଲନ୍ତି ସୁରଥ କହୁଥିଲେ ଯାହା ।ଶତେ ଗୁଣ ଅଧିକରେ ଦେଖାଇଲା ତାହା ॥
କେତେ ଦିବସରେ ଅରଜିଲେ ଏତେ ଧନ ।ସମୁଦ୍ର ପରାୟେ ଲକ୍ଷ୍ମୀ ହେଲା ବର୍ଦ୍ଧମାନ ॥
ଦେବଙ୍କୁ ଦୁର୍ଲ୍ଲଭ ଏହି ନନ୍ଦିଘୋଷ ରଥ ।ବିଷ୍ଣୁବିନା ବସିବାକୁ କେ ହେବ ସମର୍ଥ ॥
ଶଙ୍ଖ ଚକ୍ର ଗଦା ପଦ୍ମ ଶାର୍ଙ୍ଗଧନୁ କରେ ।ନାରାୟଣ ନୋହିଲେ କି ଆନ ବହିପାରେ ॥
ଚତୁର୍ଦ୍ଧା ମୂରତି ଦେଖ ଧରିଛନ୍ତି ହରି ।ଏ ରୂପ ଦେଖିଲେ ଯିବା ଭବଜଳୁ ତରି ॥
କୋ ବୋଲଇ ଏହୁ ନାରାୟଣ ନୋହିଥିଲେ ।ମଲା ପ୍ରାଣୀ ଜିଅନ୍ତା କି ଆନଲୋକ ବଳେ ॥
କେହୁ ଯେ ବୋଲନ୍ତି ଭଲା ଏ ଦ୍ୱାପର ଯୁଗ ।ଏ ମଞ୍ଚ ମେଦିନୀ ଅର୍ଜିଥିଲା କେତେ ଭାଗ୍ୟ ॥
ମର୍ତ୍ତ୍ୟପୁରେ ଜମ୍ୱୁଦ୍ୱୀପ ଭୂମି ଅଟେ ଶ୍ରେଷ୍ଠ ।ଛୟାଣୋଇ ସସ୍ର ରାଜା ଏଥିରେ ଗରିଷ୍ଠ ॥
ଶଏ ଛତିଶ କୁଳୀନ ରାଜାଙ୍କର ଗୋତ୍ର ।ଏମାନଙ୍କ ମଧ୍ୟେ ଯଦୁବଂଶ ସୁପବିତ୍ର ॥
ତହିଁରେ ପ୍ରତ୍ୟକ୍ଷେ ବିଷ୍ଣୁ ଅବତାର ହେଲେ ।ଏ ଯାଦବେ କାହିଁ ବସି କେତେ ତପ କଲେ ॥
ଜଗତେ ପବିତ୍ର ହେଲା ଏହାଙ୍କର ବଂଶ ।ସକଳ ପାତକରାଶି ହୋଇଲା ବିଧ୍ୱଂସ ॥
ଏ ବଂଶରେ ମହାପାପୀ କଂସରାଜା ଥିଲା ।ଯାଦବଙ୍କ ରକ୍ଷା ପାଇଁ ଆଗହୁଁ ସେ ମଲା ॥
ହରି ହର ଏକ ଆତ୍ମା କୃଷ୍ଣ କାମପାଳ ।ବିଶ୍ୱମୟ ପୁରୁଷ ଏ ପ୍ରଭୁ ଆଦିମୂଳ ॥
ଥୋକେ ଯେ ବୋଲନ୍ତି ନନ୍ଦିଘୋଷ ରଥ ଚାହିଁ ।ଆଜଯାଏ ଆମ୍ଭ ନେତ୍ର ଏହା ଦେଖି ନାହିଁ ॥
ତାଳଧ୍ୱଜ ରଥେ ବଳଦେବ ଛନ୍ତି ବସି ।ଶୁକ୍ଳାମ୍ୱର ବିଷ୍ଣୁ ଏହି କୋଟି ବ୍ରହ୍ମରାଶି ॥
ଦୀପିତ ଦିବ୍ୟ ସ୍ୱରୂପ ତେଜପୁଞ୍ଜ କାୟ ।ଅଷ୍ଟାଙ୍ଗ ଯୋଗରେ ହୋଇଅଛନ୍ତି ଉଦୟ ॥
ଅକଳିତ କଳେବର କଳି ତ ନ ପାରି ।ନିର୍ବାଣ ମୁକତି ହୋଇଲା କି ଦେହଧାରୀ ॥
କୋଟିଏ କନ୍ଦର୍ପ ରୂପ ସମ ନୋହେ ଶଶୀ ।କେତେକାଳ ଲାଗି ଧାତା ଗଢ଼ିଥିଲା ବସି ॥
ବଦନ ନାସିକା କର ଚରଣ ଅଙ୍ଗୁଳି ।ସର୍ବ ଗୁଣେ ସୁଶୋଭନ ଏକୁ ଏକ ବଳି ॥
ନାନା ରତ୍ନ ଆଭରଣ ଅଙ୍ଗେ ମଣ୍ଡିହୋଇ ।ବାହୁଡ଼ା ବିଜୟେ ବେନି ରଥେ ବେନିଭାଇ ॥
ଉଗ୍ରସେନ ଆଦିକରି ସକଳ ଯାଦବେ ।ଯାତ୍ରାକାରୀ ଘେରିଛନ୍ତି ଗହଣ ଉତ୍ସବେ ॥
ବାହୁଡ଼ା ଗୁଣ୍ଡିଚା ପ୍ରାୟେ ଦିଶିଲା ପୃଥିବୀ ।ପରିଚାର ପଣେ ଥିଲା ଏ ଅଚ୍ୟୁତ କବି ॥
ଉଗ୍ରସେନ ସହିତ ରାମକୃଷ୍ଣଙ୍କର ମଥୁରା ପ୍ରବେଶଏଥୁଅନ୍ତେ ପରୀକ୍ଷିତ ଆଗେ ଶୁକ କହି ।ଶୁଣ ତୁ ହୋ ମହାରାଜା କୃତ ପୁଣ୍ୟଦେହୀ ॥
ପବିତ୍ର ପୁରାଣ ଏ ଯେ ଶିରୀ ଭାଗବତ ।ଶ୍ରବଣେ ଶୁଣିଲେ ପ୍ରାଣୀ ହୁଅଇ ମୁକତ ॥
ହରି ନାମ ସୁମରି ଯେ ଏ ଗ୍ରନ୍ଥ ଶୁଣିବ ।ପାପାଧିପାତକମାନ ତାର କ୍ଷୟ ଯିବ ॥
ହରିବଂଶ ପୁରାଣ ଏ ଶ୍ରୀହରିଙ୍କ କୀର୍ତ୍ତି ।ଅତି ଯତ୍ନେ ସଞ୍ଚିଥିଲେ ବେଦବ୍ୟାସ ଯତି ॥
ମୁହିଁ ତାହା ଯୋଗବଳେ କହୁଅଛି ଶୁଣ ।ଇହଲୋକେ ପରଲୋକେ ଲଭିବୁ କାରଣ ॥
କୋଟିଧେନୁ ଦାନ ଦେଲେ କୋଟି ତୀର୍ଥକଲେ ।ପ୍ରୟାଗ ମଣିକର୍ଣ୍ଣିକା ତୀର୍ଥେ ଝାସ ଦେଲେ ॥
କାୟ କଦର୍ଥନ କରି ସାଧି ବ୍ରହ୍ମଜ୍ଞାନ ।ମେଢ଼ ମଣ୍ଡପ ଜଗତୀ କରୁଥିବ ଦାନ ॥
ଜପ ମନ୍ତ୍ର ଉପାସନା ଦେବାର୍ଚ୍ଚନ କରି ।ଦୁର୍ଗମ ପଥରେ ଛତ୍ର ଦେବ ଅନ୍ନ ବାରି ॥
ଏସନକ ପୁଣ୍ୟଯାକ ଏକତ୍ରିତ କଲେ ।ସମ ନୋହେ ହରିବଂଶ ଶ୍ରବଣର ତୁଲେ ॥
ଏଥୁ ଅନନ୍ତରେ ସଙ୍ଗେ ଘେନି ସୈନ୍ୟବଳ ।ଉଗ୍ରସେନ ଆଦିକରି ଯାଦବ ସକଳ ॥
ଅଶେଷ ଆନନ୍ଦେ ଆସୁଅଛନ୍ତି ପାଛୋଟି ।କଞ୍ଚଣ ପର୍ବତ ତଳେ ହେଲେ ଭେଟା ଭେଟି ॥
ଯମୁନା ନଦୀ ସେଠାରୁ ଉତ୍ତର ବାହିନୀ ।ପୂର୍ବକାଳେ ଥିଲେ ତହିଁ ପଉଲସ୍ତ୍ୟ ମୁନି ॥
ଉଗ୍ରସେନକୁ ଦେଖିଣ ରାମ ଦାମୋଦର ।ରଥରୁ ଓହ୍ଲାଇ ପାଦେ କଲେ ନମସ୍କାର ॥
ଆବର ଯେ ତାଙ୍କ ସଙ୍ଗେ ଥିଲେ ଷଡ଼ଭ୍ରାତ ।ସେ ଆସି ରାଜାଙ୍କ ପାଦେ କଲେ ଦଣ୍ଡବତ ॥
ଏ ସମୟେ ବସୁଦେବ ମିଳନ୍ତେ ଆଗରେ ।ଗଡ଼ଘାଲି ରାମକୃଷ୍ଣ ଶୁତିଲେ ଯାଦବେ ॥
ବସୁଦେବ ଉଗ୍ରସେନ ଆନନ୍ଦ ହୁଅନ୍ତି ।ନିସ୍ତରିଲୁ ନିସ୍ତରିଲୁ ବୋଲିଣ ବୋଲନ୍ତି ॥
ମୁଖରେ ଚୁମ୍ୱନ ଦେଇ ଆଉଁଷିଣ କାୟେ ।ପୁଲକିତ ରୋମାବଳୀ ଉଗ୍ରସେନ ରାୟେ ॥
ସ୍ତୁତିବାକ୍ୟ ଭଣି ରାଜା ଶିରେ କରଯୋଡ଼େ ।ନୟନୁ ଆନନ୍ଦ ଅଶ୍ରୁ ଜଳ ବହିପଡ଼େ ॥
ଅନ୍ତର୍ଗତେ ପାଦପଦ୍ମ ଚିନ୍ତେ ପୁଣ ପୁଣ ।ଜାଣଇ ସେ ଉଗ୍ରସେନ ଭକତି ଲକ୍ଷଣ ॥
ସାତ୍ୟକି ସହସ୍ରାଜିତ ଉଦ୍ଧବ ଅକ୍ରୂର ।ଅନେକ ଯାଦବ ମୂଳେ ଅନାଧୃଷ୍ଟ ବୀର ॥
ସକଳ ଆନନ୍ଦ ହେଲେ ରାମ କୃଷ୍ଣ ଚାହିଁ ।ସମସ୍ତଙ୍କୁ ସମ୍ଭାବନା କଲେ ଭାବଗ୍ରାହୀ ॥
ତଦନ୍ତେ ଯେ ଯାହା ଯାନ ବାହନେ ବସିଲେ ।ମଥୁରା କଟକେ ଯାଇ ପ୍ରବେଶ ହୋଇଲେ ॥
ସିଂହଦ୍ୱାରେ ପରବେଶ ହୋଇଲେ ସଭିଏଁ ।ନଗର ଭିତରେ ବିଜେ ଉଗ୍ରସେନ ରାୟେ ॥
ସୁରଥ ସହିତେ ବଳଦେବ ଚକ୍ରଧାରୀ ।ଅନ୍ତଃପୁର ଭିତରକୁ ଗଲେ ବିଜେ କରି ॥
ବସୁଦେବ ଶକ୍ରାଜିତ ସାତ୍ୟକି ଅକ୍ରୂର ।ସହସ୍ରାଜିତ ଉଦ୍ଧବ ଅନାଧୃଷ୍ଟ ବୀର ॥
କଂସ ନୃପତିର ପୁତ୍ର ହଂସ ଡ଼ିମ୍ୱ ବେନି ।ଭିତରକୁ ଗଲେ ସଙ୍ଗେ ବିଶ୍ୱାସୀଙ୍କୁ ଘେନି ॥
ଯେବଣ ଠାବରେ ବିଜେ ଇନ୍ଦୁମତୀ ରାଣୀ ।ସେଠାରେ ମିଳିଲେ ଯାଇ ରାମ ଚକ୍ରପାଣି ॥
ବସୁଦେବ ଆଦି ଉଗ୍ରସେନ ମହୀପତି ।ସମସ୍ତେ ଗୋଡ଼ାଇ ଆସୁଛନ୍ତି ପଛକତି ॥
ଆଈ ଇନ୍ଦୁମତୀ ରାଣୀ କୃଷ୍ଣ ମୁଖ ଦେଖି ।ଖଣ୍ଡେ ଦୂରୁ ଉଠିଗଲେ ଆସନ ଉପେକ୍ଷି ॥
ନବରତ୍ନ ଅର୍ଘ୍ୟଥାଳୀ ଘେନି ନିଜ କରେ ।ଦୁର୍ବାକ୍ଷତ ବନ୍ଦାଇଲେ ରାମକୃଷ୍ଣ ଶିରେ ॥
ମାତା ମାଉସୀ ଦେବକୀ ଦଇବକୀ ଘେନି ।ବନ୍ଦାପନା କଲେ କରେ ଅର୍ଘ୍ୟଥାଳୀ ଘେନି ॥
ପୁତ୍ରଙ୍କ ପୌରୁଷେ ଉଗ୍ରସେନର ଦୁଲାଳୀ ।ଆନନ୍ଦ ହୁଅନ୍ତେ ଫୁଲି ଉଠେ ରୋମାବଳୀ ॥
ଇନ୍ଦୁମତୀ ମୁଖ ଚାହିଁ ବୋଲନ୍ତି ମାଧୋଇ ।ଏ ପୁତ୍ରମାନଙ୍କୁ ଚିହ୍ନି ପାରିଲ କି ଆଈ ॥
ପୂର୍ବେ କଂସ ମାରିଥିଲା କଚାଡ଼ିଣ ଶିଳେ ।ଏବେ ବର୍ତ୍ତି ଆସିଛନ୍ତି ତୁମ୍ଭ ପୁଣ୍ୟବଳେ ॥
ମଲା ପ୍ରାଣୀ ବଞ୍ଚିକରି ଆସି କେତେ ଭାଗ୍ୟେ ।ଅନେକ କାଳେ ମିଳିଲେ ଆସି ତୁମ୍ଭ ଆଗେ ॥
ଇନ୍ଦୁମତୀ ବୋଲେ ତୁମ୍ଭେ କରତା ପୁରୁଷ ।ତୁମ୍ଭଠାରେ ଅସମ୍ଭବ ହେବ ଅବା କିସ ॥
ଚରାଚର ଜଗତରେ ତୁମ୍ଭେ ଅଧୀଶ୍ୱର ।ପ୍ରାଣୀଙ୍କର ଜନ୍ମ ମୃତ୍ୟୁ ଆନ କରିପାରେ ॥
ସର୍ବଜ୍ଞ ପୁରୁଷ ତୁମ୍ଭେ ନିହନ୍ତା ବିହନ୍ତା ।ନୋହିଲେ କି ଆନବଳେ ମଲା ଜୀଇଥାନ୍ତା ॥
ବାବୁ ତୁମ୍ଭ ଭ୍ରାତାମାନେ ବାହୁଡ଼ି ଅଇଲେ ।ମୋର ବେନି ପୁତ୍ରେ କେତେ ପାପ ଅର୍ଜିଥିଲେ ॥
ମହତ ଆଶ୍ରେ ନ କରି ନାଶ କଲେ ଧର୍ମ ।କାହାକୁ କହିବି ବାବୁ ମୋର ପାପକର୍ମ ॥
ସପତ ସମୁଦ୍ରେ ପଶି ନ ତିନ୍ତେ ଚରଣ ।ଅଷ୍ଟନିଧି ଆବୋରିଲି ନୋହିଲା କାରଣ ॥
ଅମୃତକୁଣ୍ଡେ ବୁଡ଼ିଲି ନ ଗଲା ମୋ ତୃଷା ।ଶତେ ରବି ଉଦେ ହେଲେ ନ ତୁଟିଲା ନିଶା ॥
ପ୍ରତ୍ୟକ୍ଷରେ ନାରାୟଣ ତୁ ଯେ ପୁଣ୍ୟମୟ ।ତୋ ନାମ ଧରନ୍ତେ ସର୍ବ ପାପ ହୋଏ କ୍ଷୟ ॥
ଯୋଗୀଜନମାନେ ଚିନ୍ତାକରି ଅବିରତେ ।ବୃହତ୍ସାମ ଗାନ କରି ଭଜୁଥାନ୍ତି ତୋତେ ॥
ତୋ ସମାନେ ସହୋଦର ପାଇ ମୁଁ ଅଦ୍ୟାପି ।ଇହଲୋକ ପୁତ୍ରକଷ୍ଟ ପରଲୋକେ ପାପୀ ॥
ମନହିଁ ସେ ଜାଣେ ଏକା ହୃଦର ବେଦନା ।ଏତେ ବୋଲି ଇନ୍ଦୁମତୀ କରନ୍ତି ଶୋଚନା ॥
ଏହା ଶୁଣି ଜଗନ୍ନାଥ ବୋଇଲେ ଗୋ ଆଈ ।ଆମ୍ଭେ ଥାଉଁ ଥାଉଁ ଭୟ କରୁଛୁ କିପାଇଁ ॥
ଭୋଜବଂଶ ରାଣୀ ତୁମ୍ଭେ ଅଟ ବୃଦ୍ଧମାତା ।ତୁମ୍ଭେ କି ନଜାଣ ମାଗୋ ସଂସାର ବ୍ୟବସ୍ଥା ॥
ଅମରକଣ୍ଟକ ମାଗୋ ହେଲା ତୁମ୍ଭ ପୁତ୍ର ।ଅକାଳ ମରଣ ତାର ଥିଲା ଘଟସୂତ୍ର ॥
ଅନିତ୍ୟ ସଂସାର ମାୟା ମୋହର ପାଟଣା ।ବ୍ରହ୍ମା ଇନ୍ଦ୍ର ଗଙ୍ଗାଧର ହେଉଛନ୍ତି ବଣା ॥
ନ ଜାଣିଣ ପ୍ରାଣୀମାନେ ହେଉଛନ୍ତି ଗଞ୍ଜି ।ପାପ ପୁଣ୍ୟ ଲେଖି ଯମରାଜା କରେ ପାଞ୍ଜି ॥
ଯେ ଯାହା ଅର୍ଜଇ ତାହା କରଇ ସେ ଭୋଗ ।ଲାଭହାନି ଶୁଭାଶୁଭ ଜନ୍ମମୃତ୍ୟୁ ଯୋଗ ॥
କଂସ ସୁନାସା ତୁମ୍ଭର ସ୍ୱଧର୍ମ ଛାଡ଼ିଲେ ।ଆପଣା ପାପରେ ଆପେ ମରଣ ଲଭିଲେ ॥
ତୁମ୍ଭେ ଅତି ପୁଣ୍ୟବତୀ ଶୁଭ ତୁମ୍ଭ କର୍ମ ।ଆବର ଗର୍ଭୁରୁ ଅଷ୍ଟପୁତ୍ର ହେବେ ଜନ୍ମ ॥
ପରମ ସାଧିବି ତୁମ୍ଭେ ଶରଚ୍ଚନ୍ଦ୍ରମୁଖୀ ।ପୂର୍ବର କଥା ପାସୋରି ଆମ୍ଭେ ମୁଖ ଦେଖି ॥
ଇନ୍ଦୁମତୀ ବୋଲେ ତୁମ୍ଭେ ତ୍ରିଜଗତ ସାଇଁ ।ତୁମ୍ଭ ଆଜ୍ଞା ନ ମାନିବ କିଏ ଦେହ ବହି ॥
ନିହନ୍ତା ବିହନ୍ତା ତୁମ୍ଭେ ଦେବଙ୍କର ନାହା ।ତୁମ୍ଭେ ସିନା ଜାଣ ତୁମ୍ଭେ ଭିଆଇଛ ଯାହା ॥
ଏତେ ବୋଲି ରାଣୀ ମନୁ ଛାଡ଼ି ଦୁଃଖବାଧା ।ରାମକୃଷ୍ଣ ମୁଖେ ଚୁମ୍ୱ ଦେଇ କଲେ ଶ୍ରଦ୍ଧା ॥
ପୋଇଲୀ ଯେ ମୁଦୁସୁଲୀ ଧାଈ ପରିବାରୀ ।ସଇରିନ୍ଧ୍ରୀ ମାଳାକାର ନାରୀ ଆଦି କରି ॥
ହେତୀ ପ୍ରହେତୀ ଯେ ଜରାସନ୍ଧର ଦୁହିତା ।ହଂସ ଡ଼ିମ୍ୱ ବେନିଙ୍କର ଅଟନ୍ତି ସେ ମାତା ॥
ଏହାଙ୍କ ମୂଳରେ ଅନ୍ତଃପୁର ନାରୀ ଯେତେ ।ଶ୍ରୀକୃଷ୍ଣ ବଚନ ଶୁଣି ମୋହିତ ସମସ୍ତେ ॥
ସମସ୍ତଙ୍କୁ ବିଷ୍ଣୁମାୟା ଲାଗିଲା ଉଚ୍ଚାଟ ।ଶୋକଚିନ୍ତା ଦୂର କଲେ ଶୁଣ ଧର୍ମବାଟ ॥
ସୁରଥ ଯେ ଷଡ଼ଭ୍ରାତ ରାମ ଲକ୍ଷ୍ମୀସାଇଁ ।ବସୁଦେବ ଭୁବନରେ ବିଜେ କଲେ ଯାଇ ॥
ଉଗ୍ରସେନ ନରପତି ବିଜେ ନିଜ ବାସେ ।ଯେ ଯାହା ପୁରକୁ ଚଳିଗଲେ ସାତବଂଶେ ॥
ସ୍ନାନ ସନ୍ଧ୍ୟା ଅଧ୍ୟୟନ ପୂଜା ଜପ ହୋମ ।ଆହାର ବିହାର ଆଦି କଲେ ନିତ୍ୟକର୍ମ ॥
ଇତି ଶ୍ରୀ ଭାଗବତ ପୁରାଣ ପୁଣ୍ୟମୟେ ।ଇଦଂ ଷଟ ପଞ୍ଚାଶତ ଅଧ୍ୟା ଶେଷ ହୋଏ ॥
ଜୟ ଜୟ ଜଗନ୍ନାଥ ଲକ୍ଷ୍ମୀ ପ୍ରାଣବନ୍ଧୁ ।ଅଶେଷ ମହିମା ନାଥ କୃପାଜଳସିନ୍ଧୁ ॥
ଶଙ୍ଖ ଚକ୍ର ଗଦା ପଦ୍ମ ଶୋହେ ଚାରିଭୁଜ ।ଅନନ୍ତ ମୂରତି ବିଶ୍ୱମୟ ଦେବରାଜ ॥
ସ୍ଥାବର ଜଙ୍ଗମ କୀଟ ପତଙ୍ଗାଦି କରି ।ଚଉରାଶୀ କୋଟି ଜୀବ ଜନ୍ତୁ ରକ୍ଷାକାରୀ ॥
କଳ୍ପନା କାମନା ନିଧି ଭକ୍ତ ଗୁଣଗ୍ରାହୀ ।ଜଗତ ବ୍ୟାପକ ତୁମ୍ଭେ ଠୁଳ ଶୂନ୍ୟଦେହୀ ॥
ବ୍ରହ୍ମା ଇନ୍ଦ୍ର ଗଙ୍ଗାଧର ତାକୁ କରି ଲୟେ ।ଅକ୍ଷୟ ଅଜରାମର ନିରାଲମ୍ୱ କାୟେ ॥
ମନ ବୁଦ୍ଧି ଅହଂକାର ଅଟେ ତୁମ୍ଭେ ତନୁ ।ନିମିଷକେ ହୁଏ ଯାର କୋଟିକଳ୍ପ ମନୁ ॥
କଳ୍ପାନ୍ତକ ଯୁଗାନ୍ତକ ପ୍ରଳୟ ପାତନା ।ଯା ମାୟାରେ ଦେବ ନାଗ ନରେ ହ୍ୱନ୍ତି ବଣା ॥
ଦେବଙ୍କ ଉପରେ ଦେବ ପୁରୁଷ ଉତ୍ତମ ।କ୍ଷର ବିବର୍ଜ୍ଜିତ ହେତୁ ଅକ୍ଷର ଯା ନାମ ॥
ଶ୍ରୁତି ସ୍ମୃତି ପ୍ରକୃତି ଯେ ସୃଜି ଆପେ ଏକା ।ଏକରୁ ଅନେକ ରୂପ ତୁମ୍ଭର ଅଲେଖା ॥
ସତ୍ତ୍ୱ ରଜ ତମ ତିନି ଗୁଣରୁ ଅନ୍ତର ।ରୂପ ଗୁଣ ଧାମ ଜଣା ନ ଯାଏ ତୁମ୍ଭର ॥
ପୃଥିବୀ ଜଳ ଅନଳ ଅନିଳ ଆକାଶ ।ଏ ପଞ୍ଚ ଭୂତେ ତୁମ୍ଭର ଶରୀରୁ ପ୍ରକାଶ ॥
କର୍ମର ବାସନା ଧାତୁ ପ୍ରକୃତିର ମୂଳେ ।ଉତ୍ପତ୍ତି ପ୍ରଳୟ କର୍ତ୍ତା ତୁମ୍ଭେ ସର୍ବକାଳେ ॥
ଆସ୍ଥା ଅନୁରୂପେ ତୁମ୍ଭ ଧରି ନାନା ମୂର୍ତ୍ତି ।ଜଗତେ ବୋଲାଅ ତୁମ୍ଭେ ଅନନ୍ତ ପ୍ରକୃତି ॥
ଏ ଭବ ସଂସାର ତୁମ୍ଭେ ଖେଳଘର ଲୀଳା ।କୌତୁକେ ଅନେକ ରୂପ ଧରି ନନ୍ଦବଳା ॥
ଦ୍ୱାପର ଭାରତ ଯୁଦ୍ଧ ଆପଣେ ଭିଆଇ ।ସସୈନ୍ୟ ଲକ୍ଷେକ ରାଜା ମରାଇବ ତହିଁ ॥
ପରମ ଦାରୁଣ ଦେହ ନିଷ୍ଠୁର ତୋ ବାନା ।ଭକ୍ତଗୁଣଗ୍ରାହୀ ତୁ ଯେ ଅଭୟଦ ସିନା ॥
ନମସ୍ତେ ନମସ୍ତେ ଦେବ ପରଂବ୍ରହ୍ମ ଜ୍ୟୋତି ।କ୍ଷଣକରେ ଘେନିପାର କୋଟି ଇନ୍ଦ୍ର ଭୂତି ॥
କଳିକାଳ ଧ୍ୱଂସନ ଯେ ପ୍ରତ୍ୟକ୍ଷ ସ୍ୱରୂପ ।ଲୋଭ ମୋହ ଅହଂକାର ଯହିଁଯାର କୋପ ॥
ଦାରୁମୟ ରୂପ ନୀଳଗିରିରେ ସୁସଞ୍ଚ ।ସାଦରେ ଆବୋରି ସ୍ୱର୍ଗ ପାତାଳ ଯେ ମଞ୍ଚ ॥
ଆଦ୍ୟରୁ ସେ ନିରାକାର ଆକାର ଯେ ନାହିଁ ।ଚିନ୍ତନ୍ତି ଗୁରୁ ବଚନ ଭିନ୍ନାଭିନ୍ନ ହୋଇ ॥
ହରିତ ପୀତ ନିର୍ମଳ ନିଜେ ନିଷ୍କଳଙ୍କ ।ମତ୍ସ୍ୟ ଅଙ୍କିତ ନୟନାଧର ଚାରୁ ବଙ୍କା ॥
ଦକ୍ଷିଣ ଜଳଧିକୂଳେ ଶୋହେ ନୀଳଗିରି ।ତହିଁ ସ୍ୱର୍ଣ୍ଣ ସିଂହାସନେ ବିଜୟେ ଶ୍ରୀହରି ॥
ଧୂପ ଅବକାଶେ ଯଥା ଆଳତି ବନ୍ଦନା ।ମଥୁରାବାସୀଏ କଲେ ତେସନେ ମାନନା ॥
ଲକ୍ଷ୍ମୀର ବଲ୍ଲଭ ପାଦେ ଲୁଳୁ ମୋର ମାଥ ।ଅଚ୍ୟୁତ ଦାସ କହଇ ହରିକଥାମୃତ ॥
ପଣ୍ଡିତ ଜନମାନଙ୍କ ଦାସର ମୁଁ ଦାସ ।ବିନୟେ ମାଗୁଛି ମୋର କ୍ଷମାକର ଦୋଷ ॥
ଜନ୍ମରୁ ମୂରୁଖ ମୁହିଁ ନ ଜାଣଇ ପାଠ ।ବିଦ୍ୟାବନ୍ତ ସଙ୍ଗେ ଦିନେ ନାହିଁ ମୋର ଭେଟ ॥
ଶୂଦ୍ରଜାତି ପ୍ରଧାନ ମୁଁ କର୍ମ ମୋର ଚାଷ ।କର୍ମରେ କିସ କରିବି ଭୂମିକି ମୋ ଆଶ ॥
ନଟ ଭାଟ ଜୀବିକା ମୋ ଉଦର ପୋଷଣେ ।ଦିନବଞ୍ଚେ ହରିନାମ ଧରି ଅନୁକ୍ଷଣେ ॥
ସୁଜ୍ଞଜନମାନଙ୍କର ଦାସର ମୁଁ ଦାସ ।ବାଳୁତ ମତି ମୋହର ନ ଘେନିବା ଦୋଷ ॥
ରାଗ ଦ୍ୱେଷ ଅହଙ୍କାର ମାୟା ମୋହେ ପଡ଼ି ।ଅଜ୍ଞାନ ସମୁଦ୍ର ମଧ୍ୟେ ରହିଅଛି ବୁଡ଼ି ॥
ହରିନାମ ଭେଳା କରି ବସ ମୁଁ ତହିଁରେ ।ବିଚାରୁଛି ପାର ହୋଇ ଯିବି ଅକ୍ଳେଶରେ ॥
ଅଗାଧ ସାଗର ଏହି ହରିବଂଶ ଗ୍ରନ୍ଥ ।କୋଟି ବ୍ରହ୍ମା ନ ଜାଣିବେ ଏଥିର ତଦନ୍ତ ॥
ମୁଁ ଏହା ସଞ୍ଚପି ଅବା କହିବି ଯେ କାହିଁ ।ଯାହା ଲେଖୁଅଛି ତାହା ଗୋଚର ନୁହଇ ॥
ବ୍ରହ୍ମାନନ୍ଦିନୀ ସାରଦା ଦେବୀ ମୋତେ ସାହା ।ସେ ଯାହା କହନ୍ତି ମୋତେ ଲେଖଇଁ ମୁଁ ତାହା ॥
ଯେତେ ମୋତେ ଦୃଶ୍ୟ ହେଉଅଛି ଶାସ୍ତ୍ରବିଧି ।ଲେଖନୀରେ ଲେଖି କେତେ କରିବଇଁ ସିଦ୍ଧି ॥
ଦଶ ବିଂଶ ଶତ ସହସ୍ରେକ ପଦ ଛାଡ଼ି ।ଠିକ ଠିକ ପଦ ବାଛି ଲେଖୁଅଛି ଯୋଡ଼ି ॥
ଶ୍ରୀହରି ଦିବ୍ୟ ଚରିତ ପୁରାଣ ସଙ୍ଗୀତେ ।ମୁକ୍ତିମାର୍ଗେ ଦେଖାଉଛି ସଂସାରର ହିତେ ॥
ଅତି ଭାଗ୍ୟେ ଭାଗବତ ଅମୃତ ଏ ପଦ ।ଯତନେ ସୃଜିଲେ ବ୍ୟାସ ମୁନି ପଞ୍ଚ ବେଦ ॥
ବିଷ୍ଣୁ ପଞ୍ଜର ସଙ୍ଗତେ କଣ୍ଠଭୂଷା ମଣି ।ପଦ ପଦକେ ଅମୃତ ପୂରାଇଛି ଆଣି ॥
ପଢ଼ିଲେ ଶୁଣିଲ ଅଙ୍ଗୁ ପାପ ଯିବ କ୍ଷୟେ ।ଆୟୁଷ ସମ୍ପଦ ଯଶ ହୋଇବ ଉଦୟେ ॥
ଅପୁତ୍ରିକ ଜନ ଏହା ପଢ଼ନ୍ତେ ଶୁଣନ୍ତେ ।ସତପୁତ୍ର ଲାଭକରେ ବରଷକ ଅନ୍ତେ ॥
ଅନିତ୍ୟ ସଂସାର ଏହି ମାୟାର ପଟଣା ।ଜାଣୁ ଜାଣୁ ପ୍ରାଣୀମାନେ ହେଉଛନ୍ତି ବଣା ॥
ରକ୍ତ ମାଂସରେ ଗଠିତ ଏ ଶରୀର ଗୋଟି ।ଜଳବିମ୍ୱ ପ୍ରାୟେ ଦିନେ ଯିବ ପାଣି ଫାଟି ॥
ଚାହୁଁ ଚାହୁଁ ଶରୀରରୁ ଛାଡ଼ିଯିବ ପ୍ରାଣ ।ରଖି ନ ପାରିବେ ପୁତ୍ର ଭାର୍ଯ୍ୟା ନାତିଗଣ ॥
କେ କାହାର ଭାଇବନ୍ଧୁ କେ କାହାର ସଖା ।ଏକା ହୋଇ ଆସିଥାଏ ପୁଣି ଯାଏ ଏକା ॥
କେବଳ ସଙ୍ଗତେ ଥାନ୍ତି ପାପପୁଣ୍ୟ ବେନି ।ଇହଲୋକ ପରଲୋକ ଶୁଭାଶୁଭ ଦାନୀ ॥
ସକଳ ଧର୍ମରେ ଦୟା ଅଟଇ ପ୍ରଧାନ ।ଦୟାରୁ ସକଳ ଧର୍ମ ନୁହଇ ବର୍ଦ୍ଧନ ॥
ଗୋ ଭୂମି ହିରଣ୍ୟ ଆଦି ଦାନ ଅଛି ଯେତେ ।ଜପ ତପ ଯାଗ ହୋମ ମନ୍ତ୍ର ତୀର୍ଥ ବ୍ରତେ ॥
ଦେବାର୍ଚ୍ଚନ ପୂଜା ବଳି ସ୍ନାହାନ ତର୍ପଣ ।ଦୟା ବିନା ଏ ସକଳ କର୍ମ ଅକାରଣ ॥
ସଦବିଦ୍ୟା ସଦବୁଦ୍ଧି ସାଧୁସଙ୍ଗେ ମେଳା ।ସଂସାର ତରିବା ପାଇଁ ହରି ନାମ ଭେଳା ॥
ଜଗନ୍ନାଥ ଶ୍ରୀ ଚରଣେ ସଦା ମୋର ସେବା ।ଅଚ୍ୟୁତ ଦାସ କବିକି ସାଧୁ ସଙ୍ଗ ଦେବା ॥
ମଥୁରାପୁରେ ଚନ୍ଦନ ଯାତ୍ରାରମ୍ଭ ଓ ରାମକୃଷ୍ଣଙ୍କୁ ବଧିବା ପାଇଁ କଂସ ପୁତ୍ରାଦିଙ୍କର କୂଟ ବିଚାରଏଥୁଅନ୍ତେ ପରୀକ୍ଷିତ ନାମେ ମହାରାଜା ।ଶୁକମୁନି ଚରଣରେ କଲେ ଦିବ୍ୟ ପୂଜା ॥
ଭୋ ମୁନି ତୁମ୍ଭ ପ୍ରସନ୍ନେ ଶୁଣି ହରିବଂଶ ।କୋଟି ଜନ୍ମ ପାପ ମୋର ହୋଇଲା ବିଧ୍ୱଂସ ॥
ବିଦ୍ୟା ପଢ଼ି ରାମକୃଷ୍ଣ ଗୁରୁପୁତ୍ର ଦେଲେ ।ଆପଣାର ଷଡ଼ଭ୍ରାତ ଜୀଆଇ ଆଣିଲେ ॥
ମଥୁରା ନଗରେ ଯାଇ ହୋଇଲେ ପ୍ରବେଶ ।ତହିଁପରେ କିସ ହେଲା କହ ବ୍ୟାସଶିଷ୍ୟ ॥
ଆଉ ଯେତେ କୃତ୍ୟ କଲେ ରାମ ଚକ୍ରପାଣି ।କୃତାର୍ଥ ହୋଇବି ତାହା ତବ ମୁଖୁଁ ଶୁଣି ॥
ସଂକ୍ଷେପି ସେ କଥା ମୋତେ କହ ବ୍ରହ୍ମବେତ୍ତା ।ମୁକତ ହୋଇବି ଶୁଣି ହରି ଗୁଣଗାଥା ॥
ଏତେ ବୋଲି ମୁନିପାଦେ ପଡ଼ିଲେ ରାଜନ ।ସନ୍ତୋଷ ହୋଇଲେ ଦେଖି ଶୁକ ତପୋଧନ ॥
ଉଠ ମହାରାୟେ ବୋଲି ସୁକଲ୍ୟାଣ କଲେ ।ପୁରାଣ ପୁସ୍ତକ ଫେଡ଼ି କହି ଆରମ୍ଭିଲେ ॥
ଶୁଣ ସାବଧାନ ହୋଇ ସୁଭଦ୍ରାର ନାତି ।ପବିତ୍ର ବିଷ୍ଣୁ ପୁରାଣ ହରିବଂଶ କୀର୍ତ୍ତି ॥
ମଥୁରା କଟକେ ବସୁଦେବର ନଗର ।ଅଚିନ୍ତେ ରହିଲେ ତହିଁ ରାମ ଦାମୋଦର ॥
ସ୍ୱର୍ଗ ମର୍ତ୍ତ୍ୟ ପାତାଳରେ ଶୁଭେ ଜୟରବ ।ଜାଣିଲେ ସକଳ ଋଷି ଦେବତା ଗନ୍ଧର୍ବ ॥
ସାଧୁନୃପଗଣେ ଶୁଣି ହେଲେ ତୋଷ ମତି ।ଦୁଷ୍ଟ ରାଜାମାନଙ୍କର ଉପୁଜିଲା ଭୀତି ॥
ଗର୍ବଚ୍ୟୁତ ହେଲା ଅଙ୍ଗେ ଲାଗି ବିଷ୍ଣୁ ତେଜ ।ତୁଟିଲାକ ଆୟୁ ସଙ୍ଗେ ବଳ ବୀର୍ଯ୍ୟ ଓଜ ॥
ଆଗୁଁ ଶଙ୍କା ପାଇଥିଲେ କଂସ ମଲା ଶୁଣି ।ଯମଘରୁ ମଲା ଲୋକ ଜୀଆଇଲେ ପୁଣି ॥
ଅଲୋକିତ କର୍ମ ଯହୁଁ କଲେ ଦେବରାୟ ।ଅସୁରଙ୍କ ହୃଦେ ଜାତ ହେଲା ମହାଭୟ ॥
ଧର୍ମବନ୍ତ ରାଜାମାନେ ହୋଇଣ ହରଷ ।ସମସ୍ତେ ଖଟିଲେ ଆସି ରାମକୃଷ୍ଣ ପାଶ ॥
ନାନା ଉପହାର ଦ୍ରବ୍ୟ ଦେଖାଦରଶନୀ ।ପାଦତଳେ ଥୋଇ କଲେ ଅନେକ ଦଇନୀ ॥
ଧରଣୀରେ ଉପୁଜିଲା ନାନା ଶସ୍ୟଫଳ ।ବାଞ୍ଛା କଲେ ମେଘମାଳେ ବରଷନ୍ତି ଜଳ ॥
ସୁଶୀତଳ ମନ୍ଦ ମନ୍ଦ ବହିଲା ବସନ୍ତ ।ପାପ ଛାଡ଼ି ପ୍ରାଣୀମାନେ ହେଲେ ପୁଣ୍ୟବନ୍ତ ॥
ବିପ୍ରେ ବେଦ ପାଠକଲେ ଷଟ କର୍ମ କରି ।ସନ୍ନ୍ୟାସ ଦୀକ୍ଷା ଘେନିଲେ କୁଳବତୀ ନାରୀ ॥
କ୍ଷତ୍ରିଙ୍କର କ୍ଷତ୍ରିବୃତ୍ତେ ହେଲା ତେଜରାଶି ।ବାଣିଜ୍ୟ କରିଲେ ବୈଶ୍ୟ ଶୂଦ୍ରକଲେ କୃଷି ॥
ଯେ ଯାହାର ସଦାଚାର କଲେ ଜନପ୍ରଜା ।ସ୍ୱଧର୍ମେ ରାଜ୍ୟ ପାଳନ୍ତି ଉଗ୍ରସେନ ରାଜା ॥
ହାତୀ ଘୋଡ଼ା ରଥ ରଥୀ ପଦାତି ଗହଳ ।ଚୌରାଶୀ କୋଟି ଯାଦବ ସୈନ୍ୟ ଅଙ୍ଗବଳ ॥
ଆବର ଯେତେକ ଭୂୟାଁ ଭୂମିପାଳ ରାଜା ।ସର୍ବେ ଖଟି ଉଗ୍ରସେନ ପାଦ କଲେ ପୂଜା ॥
ବଡ଼ଇ ଧାର୍ମିକ ଉଗ୍ରସେନ ମହୀପତି ।ଯାର ନାତି ନିରଞ୍ଜନ ପୁରୁଷ ଅଟନ୍ତି ॥
ଭୋଜବଂଶ ନୃପତି ସେ କ୍ଷତ୍ରିଗୁଣେ ଶ୍ରେଷ୍ଠ ।ସତ୍ୟଯୁଗ ଆଚରଣେ ପାଳେ ସମରାଷ୍ଟ୍ର ॥
ସପତ ବଂଶ ଯାଦବେ କରିଥାନ୍ତି ସେବା ।ସ୍ୱର୍ଗପୁରେ ପୂଜା ପାନ୍ତି ଯେସନେ ମଘବା ॥
ପାତ୍ର ମନ୍ତ୍ରୀ ପୁରୋହିତ ପଣ୍ଡିତ ସୁଜନ ।ଗୌରବ କରନ୍ତି ଜାଣି ଯେ ଯେତେ ଭାଜନ ॥
ଭାଇବନ୍ଧୁ ସହୋଦର କୁଟୁମ୍ୱ ଅସଂଖ୍ୟ ।ଧନବନ୍ତ ପଣରେ ସେ କୁବେରଙ୍କୁ ଲକ୍ଷ୍ୟ ॥
ଉଗ୍ରସେନ ରାଜାଙ୍କର ଭାର୍ଯ୍ୟା ଇନ୍ଦୁମତୀ ।ସର୍ବ ସୁଲକ୍ଷଣୀ ବାମା ପତିବ୍ରତା ସତୀ ॥
ତିନିକନ୍ୟା ବେନିପୁତ୍ର କରିଥିଲେ ଜାତ ।ଦେବକାର୍ଯ୍ୟ ସେ ପୁତ୍ରଙ୍କୁ ହରି କଲେ ହତ ॥
ଜ୍ୟେଷ୍ଠ ଦୁହିତାକୁ କୁନ୍ତଭୋଜ ରାଜା ନେଲେ ।କୁନ୍ତୀ ନାମ ଦେଇ ତାକୁ ପାଳି ସେ ରଖିଲେ ॥
ଦେବକୀ ନାମରେ କନ୍ୟା ବସୁଦେବ ନେଲେ ।ଦୈବକୀଙ୍କୁ ଦମଘୋଷ ନୃପ ବିଭା ହେଲେ ॥
ପୁନରପି ଜଗନ୍ନାଥେ ଦେଲେ ସଦଭାବେ ।ଅଷ୍ଟପୁତ୍ର ଜାତ ହେଲେ ପୁଣି ଚାରିଗର୍ଭେ ॥
ସମ୍ଭାରେ ରାଜ୍ୟ କରନ୍ତି ଉଗ୍ରସେନ ରାୟ ।ରାମକୃଷ୍ଣ ପ୍ରସାଦରୁ ନାହିଁ ତାଙ୍କୁ ଭୟ ॥
ଏଥୁ ଅନନ୍ତରେ ପୁଣି ଗଲା କିଛି ଦିନ ।ସଭାର ଆସ୍ଥାନେ ବିଜେ ରାଜା ଉଗ୍ରସେନ ॥
ବସୁଦେବ ଶକ୍ରାଜିତ ଅନାଧୃଷ୍ଟ ବୀର ।ସାତ୍ୟକି ସହସ୍ରାଜିତ ଉଦ୍ଧବ ଅକ୍ରୂର ॥
କୃତବର୍ମା ଆଦିକରି ପ୍ରଧାନ ଯାଦବେ ।ସଭାରେ ବସିଲେ ଆସି ଯେ ଯାହାର ଠାବେ ॥
ଏମନ୍ତ ସମୟେ ଆସି ରାମକୃଷ୍ଣ ବେନି ।ରାଜାଙ୍କ ପାଶେ ବସିଲେ ସୁରଥକୁ ଘେନି ॥
ଆବର ଯେ ଷଡ଼ଭାଇ ବଞ୍ଚି ଆସିଥିଲେ ।ରାମକୃଷ୍ଣ ସଙ୍ଗେ ଆସି ସଭାରେ ବସିଲେ ॥
ଥୋକାଏ ଯାଦବେ ତଳେ ହୋଇଛନ୍ତି ଉଭା ।ବେନି ଧାଡ଼ି ପଟୁଆର ପାଉଛନ୍ତି ଶୋଭା ॥
ରଥ ଗଜ ସହିତରେ ଚତୁରଙ୍ଗ ବଳ ।ଯେ ଯାହାର ଶସ୍ତ୍ର ଘେନି ହୋଇଛନ୍ତି ଠୁଳ ॥
ପଡ଼ିହାରୀମାନେ କରେ ବେତବାଡ଼ି ଧରି ।ଜାଗ୍ରତ କରନ୍ତି ଲୋକମାନଙ୍କୁ ତିଆରି ॥
ଧୂପଧୂମ ଆମୋଦରେ ପୂରି ଉଠେ ସଭା ।ସିଂହାସନେ ଉଗ୍ରସେନ ପାଉଛନ୍ତି ଶୋଭା ॥
ଆଲଟ ଚାମର ଛତ୍ର ଶିରେ ଟେକିଛନ୍ତି ।ସୁଧର୍ମା ସଭାରେ ଯେହ୍ନେ ବିଜେ ସୁରପତି ॥
ତହିଁର ମଧ୍ୟେ ଯାଦବ ଏକ ମହାବୀର ।ବୃଷପର୍ବା ବୋଲି ନାମ ଅଟଇ ତାଙ୍କର ॥
ବାସୁଦେବ ପିତା ବସୁଦେବଙ୍କ ସାନଭ୍ରାତା ।କେତୁକା ନାମରେ କନ୍ୟା ଅଟେ ତାଙ୍କ ମାତା ॥
କୃଷ୍ଣଙ୍କର ଖୁଡ଼ୁତା ସେ ଜ୍ଞାନୀ ମହାତେଜା ।ସର୍ବ ଯାଦବେ କରନ୍ତି ତାଙ୍କ ପାଦପୂଜା ॥
ବୃହସ୍ପତି ସମାନ ସେ ପଣ୍ଡିତ ସୁବୁଦ୍ଧି ।ଜାଣନ୍ତି ତ୍ରିକାଳ କଥା ସର୍ବ ଶାସ୍ତ୍ର ବିଧି ॥
କ୍ଷତ୍ରି ଗୁଣେ ବିବେକ ସେ ସଂଗ୍ରାମେ ଶକତା ।ତାଙ୍କ ସମାନରେ କେହି ନାହିଁ ବଳବନ୍ତା ॥
ଐଶାନ୍ୟ ଖମ୍ୱ ମାଡ଼ି ସେ ବସନ୍ତେ ଆସ୍ଥାନେ ।ଉଗ୍ରସେନ ଆଦି ମାନ୍ୟ କଲେ ସଭାଜନେ ॥
ଜଣ ଜଣ ପ୍ରତି ସ୍ୱସ୍ତି କଲ୍ୟାଣ ସେ କଲେ ।ଉଗ୍ରସେନ ମୁଖ ଚାହିଁ ହସିଣ କହିଲେ ॥
ବାବୁ ଉଗ୍ରସେନ ତୁମ୍ଭେ ଇନ୍ଦ୍ରସମ ରାଜା ।ସର୍ବ ଯାଦବେ କରନ୍ତି ତୁମ୍ଭ ପାଦେ ପୂଜା ॥
କେବଣ ତୀର୍ଥରେ ବସି କେତେ ତପ କଲ ।ଦେବକୀ ପରାୟେ କନ୍ୟା ଭାଗ୍ୟେ ଅରଜିଲ ॥
ପ୍ରତ୍ୟକ୍ଷରେ ବିଷ୍ଣୁଙ୍କୁ ସେ ଗର୍ଭୁ କଲେ ଜାତ ।ତେଣୁ ଯଦୁବଂଶ ଏବେ ହୋଇଲା ଉଦିତ ॥
ପରମାନନ୍ଦ ପୁରୁଷ ଉପୁଜିଲେ କୁଳେ ।ଏଡ଼େ ଭାଗ୍ୟ ଦେଖିଲାଇଁ ଆମ୍ଭେ ଚର୍ମଡ଼ୋଳେ ॥
ଯୋଗୀଜନମାନେ ଯାକୁ ଅନ୍ତର୍ଗତେ ଚିନ୍ତି ।ସେ ଏବେ ପ୍ରତ୍ୟକ୍ଷେ ଦେହବନ୍ତ ହୋଇଛନ୍ତି ॥
ବାବୁ ଧନ୍ୟ ଏହି ବସୁଦେବର ଜୀବନ ।ସ୍ୱର୍ଗ ମଞ୍ଚ ପାତାଳରେ ଏକ ପୁଣ୍ୟବାନ ॥
ଲକ୍ଷ୍ମୀର ବଲ୍ଲଭ ଆସି କୋଳେ ହେଲେ ଜାତ ।ସଫଳ ହୋଇଲା ଏବେ ଏହାଙ୍କ ଜୀବିତ ॥
ଏହାଙ୍କର ପିତୃ ପିତାମହ ଆଦିକରି ।କୋଟିଏ କୋଟି ପୁରୁଷ ହେଳେ ଗଲେ ତରି ॥
ଦେବକୀ ନାମରେ ଜେମା ଯେ ଅଟେ ତୁମ୍ଭର ।ସାକ୍ଷାତେ ଅଦିତି ସେହି ମର୍ତ୍ତ୍ୟେ ଅବତାର ॥
ନିରାକାର ପୁରୁଷଙ୍କୁ ଗର୍ଭେ ଦେଲେ ଠାବ ।ଗର୍ଭେ ଦଶମାସ ବହି କରିଲା ପ୍ରସବ ॥
କୋଟିଏ ବ୍ରହ୍ମାଣ୍ଡ ବସେ ଯା ଲୋମ ମୂଳରେ ।ମାନବୀ ହୋଇଣ ତାଙ୍କୁ ବହିଲା ଗର୍ଭରେ ॥
ସ୍ୱପ୍ନଦେଖି ପାଇଥିଲା ଆଗୁଁ ବ୍ରହ୍ମଜ୍ଞାନ ।ଜନ୍ମକାଳେ ଚତୁର୍ଭୁଜ କଲା ଦରଶନ ॥
ତାହାର ମହିମା ହାଦେ କେବା କହିପାରି ।ସ୍ତ୍ରୀଲିଙ୍ଗ ନୁହଇ ସେ ଯେ ସ୍ୱୟଂ ମାହେଶ୍ୱରୀ ॥
ଇନ୍ଦୁମତୀ ଜାତ କଲେ ଏସନ ଦୁହିତା ।ଏହାକୁ ଦୁହିତା ବୋଲି କୁଳକୁ ଏ ହିତା ॥
ଉଦ୍ଧବ ଅକ୍ରୂର ଅନାଧୃଷ୍ଟ ଉଗ୍ରସେନ ।କୃତବର୍ମା ଆଦି ଧନ୍ୟ ଏହାଙ୍କ ଜୀବନ ॥
ନିରନ୍ତର ବିହରନ୍ତି ରାମକୃଷ୍ଣ ସଙ୍ଗେ ।ଆଉ କି ପାତକ ଅଛି ଏହାଙ୍କର ଅଙ୍ଗେ ॥
ଧନ ଏ କଟକ ଯଦୁବଂଶ ସଭା ଗୋଟି ।ଏ ବଂଶର ବାହୁବଳେ ସାଧ୍ୟ ହେବ ସୃଷ୍ଟି ॥
ଦେବତା ସମାନେ ଜଣେ ଜଣେ ଏ ଯାଦବେ ।ମନ କଲେ ତ୍ରିଭୁବନ କ୍ଷଣକେ ଜିଣିବେ ॥
କଂସ ସମାନେ ଶକତା ଅଟନ୍ତି ଆଗହୁଁ ।ପୁଣି ସଖା ହେଲେ ଏବେ କୃଷ୍ଣ ମହାବାହୁ ॥
ଏବେ ରାମ କୃଷ୍ଣଙ୍କୁ ଏ ପାଇଲେ ସପକ୍ଷ ।କିଞ୍ଚିତେ ଜିଣିବେ ଦେବ ଦୈତ୍ୟ ନାଗ ଯକ୍ଷ ॥
ସମସ୍ତ ଯାଦବ ଏବେ ଶୁଣ ମୋର ବୋଲ ।ମୁହିଁ ତୁମ୍ଭ କୁଳବୃଦ୍ଧ କହୁଅଛି ଭଲ ॥
ରାମ କୃଷ୍ଣ ଆରାଧନା କର ଏକମନେ ।କାରଣ ପାଇବ ତୁମ୍ଭେ ଏହାଙ୍କ ପ୍ରସନ୍ନେ ॥
କୋଟି କୋଟି ବ୍ରହ୍ମାଣ୍ଡର ଏହି କୃଷ୍ଣ କର୍ତ୍ତା ।ଶରଣ ପଞ୍ଜର ବାନା ଭକ୍ତି ମୁକ୍ତି ଦାତା ॥
ପ୍ରତ୍ୟକ୍ଷରେ କର୍ମ ଯାହା କଲେ ଅଗୋଚର ।ମଲା ଜୀଆଇ ଆଣିବା କ୍ଷମତା କାହାର ॥
ଦ୍ୱାଦଶ ଦିନେ ସକଳ ବିଦ୍ୟା କଲେ ସିଦ୍ଧି ।ବରୁଣ ଯମ ଭୁବନ ବୁଲି ଗୁଣନିଧି ॥
ଇନ୍ଦ୍ରଲୋକେ ପୂଜା ପାଇ ବ୍ରହ୍ମଲୋକେ ଗଲେ ।ସେଠାରେ ଏହାଙ୍କୁ ବ୍ରହ୍ମା ଆପେ ବ୍ରତ କଲେ ॥
ଗୁରୁପୁତ୍ର ଆଣି ଦେଲେ ଗୁରୁଙ୍କର ଆଗେ ।ଦେବକୀର ଷଡ଼ପୁତ୍ର ଆଣିଛନ୍ତି ସଙ୍ଗେ ॥
ଏଡ଼େ ବଡ଼ କରମ କି ଆନେ ହୋଏ କରି ।ନିରଞ୍ଜନ ପୁରୁଷ ଏ ହେଲେ ଦେହଧାରୀ ॥
ଏହାଙ୍କୁ ସେବିଲେ କାର୍ଯ୍ୟ ହୋଇବ ସଫଳ ।ଲଭିବ ସକଳ ବାଞ୍ଛା ପାଇ ଶୁଭଫଳ ॥
ଆମ୍ଭ ବଂଶେ ପୁରୁରବା ନାମେ ନରପତି ।ଅପ୍ରସନ୍ନ କୁଶକେତୁ ତାଙ୍କର ସନ୍ତତି ॥
ଯଦୁଭୋଜ ଆଦି ସାତବଂଶ ଲୋକେ ଯେତେ ।ଏ ସଂସାରେ କୀର୍ତ୍ତି କରି ନାହାନ୍ତି ସେ କେତେ ॥
ବୀର ଶୂରପଣେ ସର୍ବେ ହୋଇଲେ ଶକତା ।ବିଷ୍ଣୁ ନାମ ବହିବାକୁ କାହାର କ୍ଷମତା ॥
ଅତ୍ରି ଋଶିଙ୍କ ଭାରିଯା ଅନୁସୂୟା ନାରୀ ।ଚନ୍ଦ୍ର ଦୁର୍ବାସା ବେଦାନ୍ତ ପୁତ୍ର ଯେ ତାଙ୍କରି ॥
ସେଠାରୁ ଆମ୍ଭର ବଂଶ ହୋଇଲା ଉଦୟ ।ଏତେକାଳେ ଆସି ପାପ ହୋଇଲାକ କ୍ଷୟ ॥
ଅନେକ ଲକ୍ଷ୍ମୀ ଅର୍ଜିବେ ରାମ ନାରାୟଣ ।ଧନଧର୍ମ ତୁଲେ ବଂଶ ହେବ ବର୍ଦ୍ଧମାନ ॥
ଇନ୍ଦ୍ରାଦି ଅମରେ ସେବା କରିବେଟି ଆସି ।କୁବେର ସମ୍ପଦ ତୁଲ୍ୟ ହେବ ଲକ୍ଷ୍ମୀରାଶି ॥
କଲା କର୍ମମାନ କପି ପାରନ୍ତି ଏ ଆନ ।ଦେବଙ୍କ ଉପରେ ଦେବ ଏହି ଭଗବାନ ॥
ଏହାଙ୍କୁ ସେବିଲେ ପ୍ରାପ୍ତ ହେବ ସର୍ବଭୂତି ।ଶୁଣି ସକଳ ଯାଦବେ ହୋଇଲେ ତୃପତି ॥
ଥୋକାଏ ବୋଇଲେ ଆମ୍ଭେ ଜାଣିଛୁ ଆଗହୁଁ ।ଯେ ଯାହାରେ ରାମକୃଷ୍ଣେ କରନ୍ତି ମାନନା ॥
ବୃଷପର୍ବା ବାକ୍ୟ ଶୁଣି ସର୍ବେ ତୋଷମନା ।କଂସରାଜା ବେନିପୁତ୍ର ହଂସ ଡ଼ିମ୍ୱ ନାମ ॥
ସୁକୁମାର ସୁଲକ୍ଷଣ ରୂପେ ଅନୁପମ ।ହେତୀ ସେ ପ୍ରହେତୀ ଜରାସନ୍ଧର ଦୁହିତା ॥
ହଂସ ଡ଼ିମ୍ୱ ବେନିଙ୍କର ଅଟନ୍ତି ସେ ମାତା ।ଉଭୟ କୁଳ ବିଶୁଦ୍ଧ ସେ କୁମାର ଘେନି ॥
ଅବହେଳେ ତିନିପୁର ପାରନ୍ତି ସେ ଜିଣି ।ଜରାସନ୍ଧ ଅଜା ଯାର କଂସ ଯାର ପିତା ॥
ମହାରଥୀ ପଣରେ ସେ ଅଟନ୍ତି ଗଣିତା ।ପିତାଅଂଶ ଘେନି ଦୁହେଁ ହୋଇଛନ୍ତି ଜାତ ॥
ରାମକୃଷ୍ଣ ଅପଘାତ ଭାଳନ୍ତି ସନ୍ତତ ।ସନ୍ଥ ପ୍ରୀତି ଛାଡ଼ି ଚିତ୍ତେ ଧରି ଅନାଚାର ॥
ଗୋବ୍ରହ୍ମଣ ହିଂସାବୃତ୍ତି ଅଟଇ ତାଙ୍କର ।ଉଗ୍ରସେନ ତିଆରିଲେ ନ ଘେନନ୍ତି ବୋଲ ॥
ସାତବଂଶ ଯାଦବଙ୍କୁ ହୋଇଥାନ୍ତି ସଲ ।ଆସୁରୀ ବୁଦ୍ଧିରୁ ଦେହେ ନାହିଁ ସଦଜ୍ଞାନ ॥
ସର୍ବଦା ଘେନନ୍ତି ପ୍ରାଣୀମାନଙ୍କ ଜୀବନ ।କେଶୀ ବେନିପୁତ୍ର ଉଡ଼ଙ୍ଗ ଯେ ଅଂଶୁମାଳୀ ॥
ଶକଟା ନନ୍ଦନ ବେନିବୀର ବେଲାବେଳି ।କଞ୍ଚଣ କୁମୁଦ କାଳିନାଗ ସଉମିତ୍ର ॥
ବଳବନ୍ତ ଏ ଚାରିହେଁ ଷଣ୍ଢାସୁର ପୁତ୍ର ।ଦାବାନଳ ପ୍ରତାପ ଏ ପୂତନାର ପୁଅ ॥
ମୁଷ୍ଟିକର ପୁତ୍ର ବେନି ଜୟ ଯେ ବିଜୟ ।ଚାଣୁର ପୁତ୍ର ଦୁର୍ଗମ ଜଗଜ୍ଜେଠି ବେନି ॥
ମହାସୁର ନାମେ ପୁତ୍ର ମୁଷ୍ଟିକର ପୁଣି ।ଏ ଚଉଦ ଜଣ ରାମକୃଷ୍ଣ ବଳ ଦେଖି ॥
ପିତା ଶତ୍ରୁ ବୋଲି ମନେ ହେଉଥାନ୍ତି ଦୁଃଖୀ ।ଏକମେଳ ହୋଇଥାନ୍ତି ଏ ଚଉଦ ବୀର ॥
ମାରନ୍ତି ଧରନ୍ତି ହାଟ ବାଟ କରି ଜୂର ।ଇନ୍ଦ୍ର ଚନ୍ଦ୍ର ହେଲେ ତାଙ୍କ ମନେ ନାହିଁ ଭୀତି ॥
ପରଧନ ପରନାରୀ ବଳେ ଘେନିଯାନ୍ତି ।ଆବର ବୋଲନ୍ତି ଉଗ୍ରସେନକୁ ମାରିବା ॥
ମଥୁରା କଟକେ ଆମ୍ଭେ ନୃପତି ହୋଇବା ।ଏତେ ବୋଲି ରାଜା ଆଜ୍ଞା କରନ୍ତି ସେ ଭ୍ରଷ୍ଟ ॥
ଏକୁ ଏକ ମହାବଳୀ ସେ ଚଉଦ ଦୁଷ୍ଟ ।ଥୋକାଏ ପଦାତି ରଥ ଗଜ ଥାନ୍ତି ସଙ୍ଗେ ॥
ଇନ୍ଦ୍ର ହେଲେ ଜିଣି ପାରନ୍ତି ସେ ରଣରଙ୍ଗେ ।ଅନ୍ୟୋନ୍ୟରେ ସରିସମ ସର୍ବେ ଦୁଷ୍ଟବୁଦ୍ଧି ॥
ପିତୃ ଅଂଶ ଘେନି ହୋଇଛନ୍ତି ଅସୁରାଧି ।ଶୁକମୁନି ବୋଇଲେ ହୋ ଶୁଣ ପରୀକ୍ଷିତ ॥
ପବିତ୍ର ଗଙ୍ଗାଜଳ ଏ ଶ୍ରୀହରି ଚରିତ ।ବୈଶାଖ ଶୁକ୍ଳ ତୃତୀୟା ତିଥି ଗୁରୁବାର ॥
ରୋହିଣୀ ନାମେ ନକ୍ଷତ୍ର ଅଟେ ସେ ଦିନର ।ଯୁଗାଦି ତିଥି ଅକ୍ଷୟ ତୃତୀୟା ତା ନାମ ॥
ରୁଚିର ଚନ୍ଦନ ଯାତ୍ରା ଆରମ୍ଭ ସେ ଦିନ ।ଜଳରେ ଚନ୍ଦନ ଯାତ୍ରା ଅପୂର୍ବ ଉତ୍ସବ ॥
ଯମୁନା ଭିତରେ ନେଇ ପକାଇଲେ ନାବ ।ମେଢ଼ ମଣ୍ଡପ ଜଗତୀ ଅଟ୍ଟାଳିକା ମାନ ॥
ପାଣି ଭିତରେ ସଞ୍ଚିଲେ ସମସ୍ତ ବିଧାନ ।ମଣ୍ଡପର ଚଉପାଶେ ବେଢ଼ା ସିଂହଦ୍ୱାର ॥
ବେନି ଯୋଜନ ଦୀର୍ଘ ସେ ଯୋଜନେ ବିସ୍ତାର ।ନଦୀ ବେନିକୂଳେ ବନ ପରବତ ମାଡ଼ି ॥
ରହିଲେ ଥୋକାଏ ଲୋକ ଦେଖିବାକୁ ବେଢ଼ି ।ହାଟ ପାଟଣା ବଜାର ବସେ ଚଉପାଶେ ॥
ନବର ଆବୋରି ଥୋକେ ରହିଲେ ହରଷେ ।ପାତ୍ରମନ୍ତ୍ରୀ ଅମନାତ୍ୟ ଦ୍ୱାରୀ ପଢ଼ିହାରି ॥
ଯେ ଯାହା ସ୍ଥାନରେ ଆସି ରହିଲେ ଆବୋରି ।ଅଶ୍ୱ ଗଜ ଛତ୍ର ଶାଳ ଆଖଡ଼ାର ଶାଳ ॥
ଝିଙ୍କର ଝାଏଣି ଘର ତ୍ରୋଣା ମାଳ ମାଳ ।ସୁବର୍ଣ୍ଣ କଳଶ ପରେ ଉଡ଼େ ବିତପନ ॥
ପଲ୍ଲବ ତୋରଣା ଚିତ୍ର ଲେଖା ସୁଶୋଭନ ।ଚାପ ଚଉକି ଗଭୀର ନାବ କର୍ମ ବାରି ॥
ଯୋଗବାଦୀ ତଲାଉ ଯେ ଗଭୀର ଉଭାରି ।ଶାମୁକା କୋଶଳୀ କ୍ଷୁଦ୍ର ଡଙ୍ଗା ଶୋହ୍ଲଭେଳା ॥
ମଳଙ୍ଗି ତାଳୁଆ ପଞ୍ଚମୁଖୀ ଅସଂଖଳା ।ଏ ବିଧି ଅନେକ ଜାତି ନବଲକ୍ଷ କୋଟି ॥
ଝିଙ୍କ ପକ୍ଷୀ ପ୍ରାୟ ବହି ଯମୁନାକୁ ଘୋଟି ।ନଉକା ଉପରେ ନାଟ୍ୟମଣ୍ଡପ ଯେ ଶୋଭା ॥
ଅଷ୍ଟରତ୍ନ ମଣ୍ଡଣିରେ ନିନ୍ଦେ ସୂର୍ଯ୍ୟପ୍ରଭା ।ଏଥୁ ଅନନ୍ତରେ ହେଲା ପାଞ୍ଚଘଡ଼ି ବେଳ ॥
ଯାତ୍ରାକୁ ବିଜୟେ ଉଗ୍ରସେନ ମହୀପାଳ ।ରାମ କୃଷ୍ଣ ମୂଳେ ଦେବକୀର ଷଡ଼ପୁତ୍ର ॥
ସଙ୍ଗେ ଭାଇ ସୁନାମା ଯେ ଆବର ସୁରଥ ।ହଂସ ଡ଼ିମ୍ୱ ବୋଲି କଂସରାଜାର ତନୟେ ॥
ଏକାଦଶ ନାତି ଘେନି ବିଜେ ନୃପରାୟେ ।ଅଷ୍ଟମଲ୍ଲଙ୍କର ପୁତ୍ରେ ରଥେ ରଥେ ଚଢ଼ି ॥
କପଟେ ସେବା କରନ୍ତି ନୃପତିଙ୍କି ବେଢ଼ି ।ସାତ୍ୟକି ସାହାସ୍ରାଜିତ ଉଦ୍ଧବ ଅକ୍ରୂର ॥
ବସୁଦେବ ଅନାଧୃଷ୍ଟ କୃତବର୍ମା ବୀର ।ଏମାନଙ୍କ ମୂଳେ ସାତବଂଶର ଯାଦବେ ॥
ଯମୁନାକୂଳରେ ଯାଇ ରୁଣ୍ଡହେଲେ ସର୍ବେ ।ଢ଼ୋଲ ଦମାଲୁ ନିଷାଣ ମର୍ଦ୍ଦଳ ମହୁରୀ ॥
ପଟହ ମୂରଜ ଚାଙ୍ଗୁ ଯୋଡ଼ା ଶଙ୍ଖଭେରୀ ।ଏମନ୍ତ ବିବଧ ବାଜା ବାଜେ କୁତୂହଳେ ॥
ବାଦ୍ୟ ନାଦ ଶବଦରେ କୁରୁମ ଉଛୁଳେ ।ସକୁଟୁମ୍ୱ ଘେନି ଉଗ୍ରସେନ ନରରାୟେ ॥
ଉତ୍ସବ ନଗରେ ଯାଇ ଆନନ୍ଦେ ବିଜୟେ ।ଯମୁନା ନଦୀର କୂଳେ ନାବ କଲେ ସଜ ॥
ଅପ୍ରମିତ ପଦାତିକ ରଥ ଅଶ୍ୱଗଜ ।ମେଘ ଆଡ଼ମ୍ୱର ଛତ୍ର ଲକ୍ଷେକ ବିମଳ ॥
ଉଦ୍ଦଣ୍ଡ ଆଲମ୍ୱ ନେତ ପତାଙ୍ଗ ଚିରାଳ ।ଆଲଟ ଚାମର ପୁଷ୍ପ ଦରପଣ ପନ୍ତି ॥
ସୁଗନ୍ଧ ଚନ୍ଦନ ଧୂପ ସଜାଇ ରଖନ୍ତି ।ରାମକୃଷ୍ଣ ହସ୍ତ ଧରି ଉଗ୍ରସେନ ରାୟେ ॥
ଚନ୍ଦନ ଚାପରେ ଯାଇ କରିଲେ ବିଜୟେ ।ମଣିମା ମଣିମା ଡାକ ଦିଅଇ ଖୁଣ୍ଟିଆ ॥
ନାବମଙ୍ଗେ ରାମକୃଷ୍ଣ ବେନି ଭାଇ ଠିଆ ।ସୁରଥକୁ ଆଦିକରି ଆଉ ଯେତେ ନାତି ॥
ସର୍ବେ ଉଠି ଉଭା ହେଲେ ରାଜା ପଛକତି ।ପାତ୍ରମନ୍ତ୍ରୀ ଅମନାତ୍ୟ ବିଶ୍ୱାସିକ ଲୋକେ ॥
ଯେ ଯାହା ସେବାରେ ଲାଗିଅଛନ୍ତି ସେବକେ ।ଶ୍ରୀଛାମୁରେ ନୃତ୍ୟଗୀତ ପାଏଡ଼ା ଖଟଣି ॥
ନାଚନ୍ତି ବିବିଧ ରଙ୍ଗେ ବାର ବିଳାସିନୀ ।ସତ୍ୟଆପ୍ତବାଦୀ ବଇତାଳ ସେନାପତି ॥
ଅତି ଉତ୍ତମ ଗଣିକା ବିଂଶ ଅଷ୍ଟଜାତି ।ଯଦୁବଂଶ ଭୋଜବଂଶ କରିଣ ଗଣନା ॥
ଅଗ୍ରେ ଭାଟ ବନ୍ଦିଗଣ କରନ୍ତି ବନ୍ଦନା ।ଛାମୁରେ କରନ୍ତି ବିପ୍ରଗଣେ ବେଦଧ୍ୱନି ॥
ଜ୍ୟୋତିଷେ ଲଗ୍ନ କହନ୍ତି ହସ୍ତେ ପାଞ୍ଜି ଘେନି ।ଏମନ୍ତ ସମୟେ ଉଗ୍ରସେନ ମହାରାୟେ ॥
ରାମ କୃଷ୍ଣ ଘେନି ସିଂହାସନରେ ବିଜୟେ ।ପବନହୁଁ ବେଗେ ନାବ ଚଳାନ୍ତି ନାବିକେ ॥
ଅଝାଳନ୍ତ ବାନ୍ଧି କାତ ମାରୁଛନ୍ତି ଥୋକେ ।ଯେ ଯାହା ଲଙ୍ଗ ସାଲଙ୍ଗ ଉଦଣ୍ଡ ଆବୋରି ॥
ନାବକ୍ରୀଡ଼ା କରୁଛନ୍ତି ନାବେ ନାବେ ଧରି ।ଶୁଷ୍କକାଠ ଷଣପଟ କାଠୀ ଶୋଲଭେଳା ॥
ବିବିଧ ରଙ୍ଗେ ରଞ୍ଜିତ ନାବ ଅସଂଖଳା ।ଦଶବିଂଶ ପଞ୍ଚାଶତ ଏକରୁଣ୍ଡ ହୋଇ ॥
ଭିନ୍ନ ଭିନ୍ନ କରି ନାବ ଘେନିଯାନ୍ତି ବାହି ।ପବନହୁଁ ଖରେ ନାବ ବାହି ଅତିବେଗେ ॥
ଏକ ପର କରି ଅନ୍ୟ ଚଳିଯାଏ ଆଗେ ।ଶୁକମୁନି ବୋଲନ୍ତି ଯେ ଶୁଣ ପରୀକ୍ଷିତ ॥
ଜଳକ୍ରୀଡ଼ା କରୁଛନ୍ତି ହଳୀ ଲକ୍ଷ୍ମୀକାନ୍ତ ।ଉଦ୍ଧବ ଅକ୍ରୂର ଆଦି ସକଳ ଯାଦବେ ॥
ଯେ ଯାହାରେ ରହିଛନ୍ତି ଭିନ୍ନ ଭିନ୍ନ ନାବେ ।ରାଜା ନାବେ ବସିଛନ୍ତି କୃଷ୍ଣ କାମପାଳ ॥
ଦେବକୀର ଷଡ଼ପୁତ୍ର ସୁନାମା ଦୁଲାଳ ।ତହିଁର ପାରୁଶେ ଆଉ ନାବେକ ମଣ୍ଡଣି ॥
ଅପୂର୍ବ ରଙ୍ଗ ମନ୍ଦିରେ ଝିଙ୍କାର ଛାଏଣି ।ସେ ନାବରେ ଆରୋହିଲେ ହଂସ ଡ଼ିମ୍ୱ ବେନି ॥
ଅଷ୍ଟମଲ୍ଲ କୁମରଙ୍କୁ ସଙ୍ଗତରେ ଘେନି ।ସେ ସରବେ ମହାବୀର ଏକୁ ଏକ ବଳି ॥
ପୃଥ୍ୱୀଦେବୀ ନ ସହଇ ତାଙ୍କର ଆର୍ଦ୍ଦୋଳି ।ଏକେ ନାବେ ବସି ସର୍ବେ କରନ୍ତି ଭାଳେଣି ॥
ପିତାଶତ୍ରୁ ଆମ୍ଭର ଏ ରାମ ଚକ୍ରପାଣି ।ପିତୃଶତ୍ରୁ ହେଲେ ଆମ୍ଭ ଶତ୍ରୁ ଏ ଯୁକତେ ॥
ଏହାଙ୍କୁ ମାରିବା ଆମ୍ଭେ ବିଚାର କେମନ୍ତେ ।ପିତା ବୈରୀ ମାତା ବୈରୀ ଦାରାବୈରୀ ତିନି ॥
ଏମାନଙ୍କୁ ବଧ କଲେ ନାହିଁ ଧର୍ମହାନି ।ଏ ଆମ୍ଭ ପିତାଙ୍କୁ ମାରି ଅଛନ୍ତି ନିଃଶଙ୍କେ ॥
ଆମ୍ଭେ ୟାଙ୍କୁ ନ ମାଇଲେ ପଡ଼ିବା ନରକେ ।ଶରୀରେ ସାମର୍ଥ ଥିଲେ ସମର କରିବା ॥
ନୋହିଲେ ବିଶ୍ୱାସ କରି କପଟେ ମାରିବା ।ଆଖଡ଼ା ଶାଳରେ ଅବା ମାରିବା କପଟେ ॥
ନୋହିଲେ ତ ଭୋଜନରେ ବିଷ ଦେବା କୂଟେ ।କିବା ନିଦ୍ରାକାଳେ ଜଗି ଚିପିଦେବା ତୋଟି ॥
ନୋହିଲେ ମାରିବା ରାତ୍ରେ ବାଟେଘାଟେ ପିଟି ।ଘରେ ଥିବେ ଦ୍ୱାର କିଳି ଅଗ୍ନି ଲଗାଇବା ॥
ନୋହିଲେ ପଛରେ ଥାଇ ଖଡ଼ଗେ ହାଣିବା ।ଏତେ ବାଗେ ନ ମରିବେ ଯେବେ ବେନିଭାଇ ॥
ଜୀବନ ତେଜିବା ପଛେ ପିତଶତ୍ରୁ ପାଇଁ ।ଦିନୁ ଦିନ ଏହାଙ୍କର ବଢ଼ୁଅଛି ଯଶ ॥
ଏ ଥିଲେ ଆମ୍ଭଙ୍କୁ ନିଶ୍ଚେ କରିବେ ବିନାଶ ।ଏହାଙ୍କ ଯୋଗେ ଆମ୍ଭଙ୍କୁ ନାହିଁ ଆଉ ଭଲ ॥
ମଥୁରାପୁରକୁ ନିଶ୍ଚେଁ ହୋଇଲେ ଏ ସଲ ।ଉଗ୍ରସେନ ନରପତି ନ ଜାଣଇ ଏହା ॥
କଂସ ପରା ପୁତ୍ର ମାରି ଅଛନ୍ତି ଦାରୋହା ।କ୍ଷତ୍ରିୟର ଧର୍ମତ୍ୟାଗ କରି ସେ ଅଦ୍ୟାପି ॥
ପୁତ୍ରହନ୍ତା ପାଦେ ସେବା କଲେ ମହାପାପୀ ।ପୃଥିବୀରେ ରେତେକାଳ ଥିବ ଦେହ ବହି ॥
ଏତେ ନିସତ ହୋଇଣ ରାଜ୍ୟ ଏ କରଇ ।ଯଦୁ ଭୋଜବଂଶେ ଯେତେ ମହାପାପ ଥିଲା ॥
ଉଗ୍ରସେନ ରୂପ ଧରି ଜନମ ହୋଇଲା ।ଏ ପାପୀର ଏହିଗୁଣ ଜାଣି କଂସ ରାଜା ॥
ୟା ଠାରୁ ଛଡ଼ାଇ ନେଲେ ରାଜ୍ୟ ଧନ ପ୍ରଜା ।ଜଗୁଆଳପଣେ ଦେଇ ଦଣ୍ଡୁଆସି ଶାଢ଼ୀ ॥
ସିଂହାସନ ପରେ ଆପେ ବସିଥିଲେ ମାଡ଼ି ।ଏ ଯଦ୍ୟପି ନୋହିଥାନ୍ତା ଏତେ ମାନେ ନଷ୍ଟ ॥
ବୃଦ୍ଧକାଳେ ପାଇଥାନ୍ତା କିପାଁ ପୁତ୍ରକଷ୍ଟ ।ଗୁଆ ବୃକ୍ଷ ଛାଡ଼ି ଗବ ଗଛେ ପାଣି ଦେଲା ॥
ରାଣୀ ତେଜି ପରିବାରୀ ସଙ୍ଗରେ ରମିଲା ।ବିଦ୍ୟାବନ୍ତ ଛାଡ଼ି ମୂର୍ଖଜନେ କଲା ପୂଜା ॥
ବିଷ ଆବୋରି ଅମୃତ କଲା ପରିତ୍ୟଜା ।ଘଣ୍ଟା ପଥ ମାର୍ଗ ତେଜି ଉଠିଲା ଉଠାଣେ ॥
ଦ୍ୱିଜବର ସଙ୍ଗ ଛାଡ଼ି ମିଳିଲା ପଠାଣେ ।କ୍ଷୁଦ୍ର ପାଷାଣ ପୂଜିଲା ଶିବଲିଙ୍ଗ ଛାଡ଼ି ॥
ଆମ୍ୱ ତେଜି ମହାକାଳ ଫଳ ଖାଏ ଲୋଡ଼ି ।ସୁବର୍ଣ୍ଣକୁ ତ୍ୟାଗ କରି ତମ୍ୱା ଆବୋରିଲା ॥
ମତ୍ତଗଜ ତ୍ୟାଗ କରି ଗର୍ଦ୍ଦଭେ ବସିଲା ।ନିକଟରେ ତୀର୍ଥ ଛାଡ଼ି ଜୀର୍ଣ୍ଣକୂପେ ବୁଡ଼େ ॥
ବେଦବିଦ୍ୟା ନ ପଢ଼ିଣ ବୈତାଳିକ ପଡ଼େ ।ସ୍ୱହସ୍ତରେ ବିଷପାନ କଲା ଦେଖୁ ଦେଖୁ ॥
ଏଡ଼େକ ଅଜ୍ଞାନ ସେ ଯେ ହୋଇଲା ମନକୁ ।ସିଂହ ଛାଡ଼ି ଶୃଗାଳକୁ ଆପଣେ ବରିଲା ॥
ଆମ୍ଭେ ଥାଉ ଦୁହିତାର ପୁତ୍ରକୁ ଭଜିଲା ।ଶତ୍ର ନୋହିଥିଲେ କିପାଁ ସେ ଏହା କରନ୍ତା ॥
ଏଡ଼େ ବଡ଼ ଅଇଶ୍ୱର୍ଯ୍ୟ ପରକୁ ଦିଅନ୍ତା ।ଆମ୍ଭର ବଳରେ ଏହା ନୋହେ ମନା କରି ॥
କେତେକାଳ ତୁନି ହୋଇ ରହିଥିବା ଡ଼ରି ।ସେ ଅବା ବାତୁଳ ହୋଇ ନ ଜାଣିଲା କିଛି ॥
ଆମ୍ଭ ବଳେ ଏଡ଼େ ଶିରୀ ନୁହଇ ମୂରୁଛି ।ଆମ୍ଭର ଏ ପିତ୍ରାର୍ଜିତ ଅଚଳା ସମୃଦ୍ଧି ॥
ଆମ୍ଭ ବଳେ ମନ କଲେ ତାଙ୍କର କି ବୁଦ୍ଧି ।ଉଗ୍ରସେନ ଦେଲେ ନାହିଁ ଆମ୍ଭ ସନମତ ॥
ସକଳେ ଜାଣନ୍ତି ଏହି କଥାର ତଦନ୍ତ ।ଉପାୟରେ ଆଗ ରାମ କୃଷ୍ଣଙ୍କୁ ମାରିବା ॥
ପଛେ ଏ ଉଗ୍ରସେନକୁ ବନ୍ଦିରେ ଭରିବା ।ପ୍ରାଣେ ନ ମାରି ପଛକେ ଦେବାକ ଘଉଡ଼ି ॥
ମୂର୍ଦ୍ଧା ଅଭିଷେକୀ ହେବା ସିଂହାସନ ମାଡ଼ି ।ସୁନାମ ପୁତ୍ର ସୁରଥ ଅଟେ ବଡ଼ ନଷ୍ଟ ॥
ଆଗହୁଁ କରିବା ଆମ୍ଭେ ତାର ମୁଣ୍ଡା କାଟ ।ଆମ୍ଭଙ୍କୁ ଉପେକ୍ଷି ଶତ୍ରୁ ପାଗେ ସେବା କଲା ॥
ଆପଣା ମରଣ ଆପେ ଲୋଡ଼ି ସେ ଆଣିଲା ।ଜାଣିବା ନା ରାମ କୃଷ୍ଣ କେହ୍ନେ ତାକୁ ରଖି ॥
ଅବଶ୍ୟ ଧରିଣ ଆମ୍ଭେ ଖୋଳିବା ତା ଆଖି ।ଏମନ୍ତ କହି ନିୟମ କରନ୍ତି ସକଳେ ॥
କରତାଙ୍କୁ ସାକ୍ଷୀ ଦେଇ ଯମୁନାର ଜଳେ ।ଅଂଶୁମାଳୀ ନାମେ ବୀରକେଶୀର ନନ୍ଦନ ॥
ହଂସଡ଼ିମ୍ୱ ମୁଖ ଚାହିଁ କହିଲା ଏସନ ।ଏ କଥାକୁ ମନେ କିଛି ନ କର ଶୋଚନା ॥
ଜଗତେ ବୀରଧୂ ନାମେ ଉଡ଼େ ମୋର ବାନା ।ଅନେକ ଉପାୟ ମୋତେ କହିଛନ୍ତି ପିତା ॥
ଅସୁର ସେନାପତି ମୁଁ ଅଟେ ଜଗଜ୍ଜିତା ।ତୁମ୍ଭ କାର୍ଯ୍ୟ କରି ପିତୃଋଣ ମୁଁ ଶୁଝିବି ॥
ଉପାୟ କରିଣ ରାମ କୃଷ୍ଣଙ୍କୁ ମାରିବି ।ପ୍ରତାପ ଦାବାନଳ ଯେ ପୂତନା ତନୟ ॥
ସେ ବୋଲେ ରାମ କୃଷ୍ଣଙ୍କୁ ନାହିଁ ମୋର ଭୟ ।ମୋହର ମାତାଙ୍କୁ କୃଷ୍ଣ ମାରିଅଛି ଏକା ॥
ତାକୁ ନ ମାରି ଜୀବନ ମୋର କାହିଁ ଲେଖା ।ବୀର ବେଲାବଳି ବୋଲି ଶକଟାର ବଳା ॥
ଦୁର୍ବାର ବଳବନ୍ତ ସେ ତେଜ ଅନର୍ଗଳା ।ବାହାନାଦ କରିଣ ସେ ବୋଲେ ପରିଘାଇ ॥
ରାମକୃଷ୍ଣ ନା ମାଇଲେ ପ୍ରାଣେ କାର୍ଯ୍ୟ ନାହିଁ ।ମୋ ପିତାଙ୍କୁ ମାରିଛି ସେ ଯେତେ କଷ୍ଟଦେଇ ॥
ଅବଶ୍ୟ ତା ଶୁଝାଇବି ତୁମ୍ଭ ଅନ୍ନ ଖାଇ ।ଷଣ୍ଢାର ପୁତ୍ର କଞ୍ଚନ ନାମେ ମହାବୀର ॥
ପ୍ରତାପୀ ସେ ସାମରଥ ସଂଗ୍ରାମରେ ଶୂର ।କୋପଭରେ ଶିର ଝୁଣି ବୋଲଇ ସେ ରାଗେ ॥
ରାମ କୃଷ୍ଣ ବେନି ଭାଇ ରହିଲେ ମୋ ଭାଗେ ।ପିତୃହନ୍ତା ବୈରୀ ମୋର ସାଧିବି ଅବଶ୍ୟ ॥
ଶତେ ଉଗ୍ରସେନ ହେଲେ କରିବେଟି କିସ ।ଦୁର୍ଗମ ଜଗଜ୍ଜେଠି ସେ ଚାଣୁର ତନୟ ॥
ବୋଲନ୍ତି ତ୍ରିପୁର ଆମ୍ଭେ କରିପାରୁ ଜୟ ।ତୁମ୍ଭେ କି ନ ଜାଣ ଆମ୍ଭ ପିତାର ପ୍ରତାପ ॥
ଦେବ ଗନ୍ଧର୍ବଙ୍କୁ ଧରି ମାଇଲା ମୋ ବାପ ।ଅନିବାର ରଣେ ତାଙ୍କୁ ମାଇଲା ଏ ହରି ॥
ମୁଁ ଏହାକୁ ନ ମାଇଲେ ନ ପାରେ ପାସୋରି ।ତୁମ୍ଭେ ଯେ ସମସ୍ତେ ଏବେ ଘେନ ମୋର ବୋଲ ॥
ରାମକୃଷ୍ଣ ଥିଲେ ଆଉ ନାହିଁ ଆମ୍ଭ ଭଲ ।କ୍ଷୀର ଦେଇ କାଳସର୍ପ ପୋଷିବା ସଦୃଶ ॥
ଶତ୍ରୁକୁ ବଢ଼ାଇଥିଲେ ଆମ୍ଭେ ଯିବା ନାଶ ।ଏଥିରେ ବିଳମ୍ୱ ଆମ୍ଭେ ଆଉ ନ କରିବା ॥
କୂଟ ପାଞ୍ଚି ଚାଲ ବେନି ଭାଇଙ୍କି ମାରିବା ।କେହୁ ଯେ ବୋଲନ୍ତି ଜଳେ ମାରିବା ବୁଡ଼ାଇ ॥
ପଦ ଧରି ଓଟାରିଣ ନେବା ତଳେ ଥାଇ ।କେ ବୋଲନ୍ତି କଉତୁକେ ବୁଡ଼ାବୁଡ଼ି ହେବା ॥
ଏକବେଳେ ବେଇ ସର୍ବେ ବୁଡ଼ାଇ ମାରିବା ।କେହି ଯେ ବୋଲନ୍ତି ନାବୁ ଦେବା ଫୋପାଡ଼ାଇ ॥
ତହିଁର ଉପରେ ସର୍ବେ ପଡ଼ିବାକ ଡ଼େଇଁ ।ହଂସ ଡିମ୍ୱ ବୋଇଲେକ ଯେ ତୁମ୍ଭର ଇଚ୍ଛା ॥
ଯେମନ୍ତେ ପ୍ରକାରେ ଆମ୍ଭେ ଏଥୁ ହେବା ରକ୍ଷା ।ତହିଁକି ଉପାୟ ତୁମ୍ଭେ ନାନାମତେ କର ॥
ବଳ ନ ପାଇଲେ ଭାଳି ଆଗୁଁ ଅପସର ।ଯେ ଯାହାର ବନ୍ଧୁ ଆଶ୍ରେ କରିବାକ ଯାଇ ॥
ଅନିମିତ୍ତେ ପ୍ରାଣ ଦେବା କିପାଁ ଏଥେଁ ରହି ।ମାଲଙ୍କ ପୁତ୍ରେ ବୋଲନ୍ତି ଶୁଣ ଯୁବରାଜା ॥
ପିତା ଶତ୍ରୁ ନ ମାଇଲେ ପାଉଥିବ ଲଜ୍ଜା ।ଆବର ଅଳପ ଦିନ ଥାଅ ସ୍ଥିରହୋଇ ॥
ଏହି ସଞ୍ଜାତେ ମାରିବା ରାମ କୃଷ୍ଣ ଦୁଇ ।ଏସନ ବିଚାର କରି ପାଞ୍ଚନ୍ତି ସେ କୂଟ ॥
ଅଚ୍ୟୁତ ବୋଲଇ କାଳ ହୋଇଲା ନିକଟ ।ମୟାଧାର ବାନା ଅଟେ ଯେଉଁ କୃଷ୍ଣଙ୍କର ॥
ତାଙ୍କୁ କି କରିବେ କୂଟ ପାଞ୍ଚିଣ ଏ ଛାର ।ଚନ୍ଦନ ଯାତ୍ରାଶୁକ ବ୍ରହ୍ମ ବୋଲନ୍ତି ଯେ ପରୀକ୍ଷିତ ଶୁଣ ।ଏସନ ଭାଳେଣି କଲେ ସେ ଚଉଦ ଜଣ ॥
ଉଗ୍ରସେନ ଆଦିକରି ନ ଜାଣନ୍ତି କେହି ।ମନକଥା ମନମଧ୍ୟେ ରଖିଲେ ଲୁଚାଇ ॥
ଏଥୁ ଅନନ୍ତରେ ଦିନକର ଅସ୍ତ ହେଲେ ।ବ୍ରାହ୍ମଣେ ସନ୍ଧ୍ୟା ସୁମରି ଦେବପୂଜା କଲେ ॥
ପଢ଼ା ସାରି ଚାଟ ପୋଏ ଗଲେ ଯେଝା ଘରେ ।ପକ୍ଷିଗଣ ଆଶ୍ରା ନେଲେ ବୃକ୍ଷମାନଙ୍କରେ ॥
କାକ ବକ ମୌନ ହେଲେ ବସି ବୃକ୍ଷଶିଖେ ।ଉଲୁକ ପେଚକ ବୁଲିଗଲେ ଅନ୍ତରୀକ୍ଷେ ॥
କମଳେ ମୁଦ୍ରିତ ହେଲେ କଇଁ ବିକଶିଲେ ।ତାରଗଣ ଉଦେ ହୋଇ ଗଗନ ମଣ୍ଡିଲେ ॥
ସଧବା ଯୁବତୀମାନେ ହୋଇଲେ ହରଷ ।ବିଧବା ଯୁବତୀ ମନେ ବଢ଼ିଲା ବିରସ ॥
କଟୁଆଳମାନେ ଜଗି ଆବୋରିଲେ ଠଣା ।ବିଟପୀଏ ପତିଙ୍କର ବୁଦ୍ଧି କଲେ ବଣା ॥
ତସ୍କର ବୁଲିଲେ କନ୍ଦି ବିକନ୍ଦିର ବାଟେ ।ହାଟୁଆ ତାମ୍ୱୁଳୀ ଦୀପ ଲଗାଇଲେ ହାଟେ ॥
ବେଶ୍ୟାଏ ବସିଲେ ବିଟ ପୁରୁଷଙ୍କୁ ଜଗି ।ଦାଣ୍ଡ ହାଟ ପରିମଳ ଦିଶେ ଦୀପ ଲାଗି ॥
ବିରହିଣୀ ନାୟିକାଙ୍କୁ ଲାଗିଲାକ ବ୍ୟଥା ।ଦୂତୀର ଆଗେ କହନ୍ତି ହୃଦୟର ବ୍ୟଥା ॥
ଦେବଦେବୀ ମନ୍ଦରରେ ବସି କଲେ ପୂଜା ।ଧୂପ ଦୀପ ନଇବେଦ୍ୟ ନାନା ବଳି ଭୋଜା ॥
ନିଶାଚର ଜନ୍ତୁମାନେ ହୋଇଲେ ବାହାର ।ପ୍ରହରୀ ଜଗିଲେ ସ୍ଥାନ ମାଡ଼ି ଯେ ଯାହାର ॥
ନିଅବକାଶରେ ବିଜେ ରାଜା ଉଗ୍ରସେନ ।ବସୁଦେବପୁରେ ଗଲେ ରାମ ଭଗବାନ ॥
ଆବର ଯେ ଷଡ଼ଭ୍ରାତ ସୁରଥ ସହିତେ ।ରାମକୃଷ୍ଣ ସଙ୍ଗତରେ ଗଲେ ଏ ସମସ୍ତେ ॥
ଅଷ୍ଟମଲ୍ଲ କୁମରଙ୍କୁ ସଙ୍ଗତରେ ଘେନି ।ଆପଣା ପୁରକୁ ଗଲେ ହଂସ ଡ଼ିମ୍ୱ ବେନି ॥
ସକଳ ଯାଦବ ପାତ୍ର ମନ୍ତ୍ରୀ ଆଦି କରି ।ରହିଲେ ଯମୁନାନଦୀ କୂଳକୁ ଆବୋରି ॥
ସେଠାରେ କରନ୍ତି ସର୍ବେ ସ୍ନାହାନ ଭୋଜନ ।ଚନ୍ଦନ ଯାତ୍ରାରେ ଭୋଳ ସମସ୍ତଙ୍କ ମନ ॥
ଏହି ପରକାରେ କିଛି ଦିନ ଗଲା ବହି ।ଉଗ୍ରସେନ ଆଗେ ଚାର ଜଣାଇଲା ଯାଇ ॥
ସାବଧାନ ହୋଇ ତୁମ୍ଭେ ଶୁଣ ଭୋଜ ରାୟେ ।ମଥୁରାକୁ ଲାଗିଲା ତୋ ନାତିଙ୍କର ଭୟେ ॥
ଯୁବରାଜ ବୋଇ କିପାଁ କରନ୍ତି ଅନୀତି ।ଏବେ ତିଆର ସେ ନ ଧରନ୍ତୁ ଦୁଷ୍ଟମତି ॥
ଶୁଣି ଉଗ୍ରସେନ ନାତିମାନଙ୍କୁ ହକାରି ।ଅନେକ ମନେ ବୁଝାଇ କହିଲେ ତିଆରି ॥
ଦେବକୀ ସହିତେ ଇନ୍ଦୁମତୀ ରାଣୀ କେତେ ।ବୁଝାଇ କହିଲେ ପାଶେ ବସି ନାନାମତେ ॥
ବଧିର ଶୁଣଇ ନିକି କମ୍ୱୁ ଶବ୍ଦବାଣୀ ।ଅଧିକରେ କୋପ କଲେ ହିତ କଥା ଶୁଣି ॥
ବୋଲନ୍ତି ବୃଦ୍ଧ ପ୍ରାଣୀର ବୁଦ୍ଧି ଯାଏ ନାଶ ।ବୁଦ୍ଧି ନାଶ ଗଲେ ତାର ତୁଟଇ ଆୟୁଷ ॥
ନିସତ ହୋଇଲ ତେଣୁ ତୁମ୍ଭେ ବୃଦ୍ଧ କାଳେ ।ଆମ୍ଭେ ନାଶଯିବୁ ନିଶ୍ଚେଁ ପିତାଙ୍କର ଛଳେ ॥
ଏ ଶରୀର ଅଜ୍ରାମର ନୁହଇ କାହାରି ।ସଂସାରେ ଜନମ ହେଲେ ପ୍ରାଣୀ ନିଶ୍ଚେଁ ମରି ॥
ଆମ୍ଭେ କରି ନ ପାରିବୁ ଯେବେ ପିତୃକାର୍ଯ୍ୟ ।ଏ ଜୀବନ ରଖି ଆଉ ହେବ କେଉଁ କାର୍ଯ୍ୟ ॥
ତୁମ୍ଭର ଏଥିରେ ଆଉ ଅଛି କି ଉପାୟ ।ରାଜ୍ୟ ଛାଡ଼ି ଯାଅ ଯେବେ ଲାଗୁଅଛି ଭୟ ॥
ଶୁଣି ଶଙ୍କା କଲେ ଉଗ୍ରସେନ ନରନାହା ।ଇନ୍ଦୁମତୀ ବୋଇଲେ ମୁଁ ଅର୍ଜିଅଛି ଯାହା ॥
ଆଗହୁଁ ଶ୍ରୀକୃଷ୍ଣ ମୁଖୁଁ ଏହା ମୁଁ ଶୁଣିଛି ।ବିଧାତାର ଘଟସୂତ୍ର କେ ପାରିବ ଲେଖି ॥
କଂସପରା ପୁତ୍ରକୁ ମୁଁ ମୂର୍ଚ୍ଛିଲି ଏ ଦେହେ ।କେତେ ଗଞ୍ଜି ହେବି ତୁମ୍ଭ କଥା ଶୁଣି ମୋହେ ॥
କର୍ମକର୍ତ୍ତା ପୁରୁଷର ସଙ୍ଗେ ବାଦୀ ହେଲ ।ଆପଣା ହସ୍ତରେ ଆପେ ଗରଳ ଭକ୍ଷିଲ ॥
କର୍ମେ ଯାହା ଲେଖିଅଛି ବିଧାତା ପୁରୁଷ ।ମୁଁ ତାହା ଭୁଞ୍ଜିବି ଏଥେ ନାହିଁ କାରଦୋଷ ॥
ଏତେ ବୋଲି ଭିତରକୁ ରାଣୀ ଗଲେ ଉଠି ।ଉଗ୍ରସେନ ବିଚାରନ୍ତି ପଡ଼ିଲା ଅରିଷ୍ଟି ॥
କଂସ ନୃପତିର ପୁତ୍ର ହଂସ ଡ଼ିମ୍ୱ ବେନି ।ପ୍ରତିଜ୍ଞା କରିଣ ଗଲେ ମାଲ ପୁତ୍ର ଘେନି ॥
ଏମନ୍ତ ବିଚାରୁ ରାତ୍ର ହେଲା ପାଞ୍ଚ ଘଡ଼ି ।ଉଗ୍ରସେନ ନିଦ୍ରାଗଲେ ପଲ୍ୟଙ୍କେ ପହୁଡ଼ି ॥
ସମସ୍ତ ଯାଦବେ ଗଲେ ଯେଝା ନିଜ ସ୍ଥାନେ ।ପୁଣିହିଁ ଚରଚା କଲେ ରାତ୍ର ଅବସାନେ ॥
ଯେ ଯାହା ଚରଚା ସାରି ଉତ୍ସବରେ ମିଳି ।ଅଝାଲ ବାନ୍ଧିଣ ନାବେ କରୁଛନ୍ତି କେଳି ॥
ଚାପ ଚଉକୀ ଯୋଗେଣ ଗଭୀର ତ ବାରି ।ଯୋଖି ଯାଖି ବୋଇତ ଯେ ନାବ ମହାତରୀ ॥
ଝଙ୍କା ଝଙ୍କା ପଲ ପଲ ନାବ ଭେଳା ଭେଳା ।ହାଲ ହୋଳି କାଳିନ୍ଦୀରେ ଯେ ତରଙ୍ଗମାଳା ॥
ସିଂହାସନ ଚଉକୀରେ ବିଜେ ଉଗ୍ରସେନ ।ବାମ ଡ଼ାହଣରେ ଉଭା ରାମ ଭଗବାନ ॥
ଛାମୁରେ ସୁରଥ ଧରିଛନ୍ତି ଶ୍ୱେତଛତ୍ର ।ନାବରେ ଅଛନ୍ତି ଦେବକୀର ଷଡ଼ପୁତ୍ର ॥
ହଡ଼ପ ଧୂପ ନିଯୋଗ ଛୁରୀ ଖଣ୍ଡା ଫରୀ ।ଖଟଣି ସାମନ୍ତ ହୋଇ ନାତିମାନେ ଧରି ॥
ବାହୁଛନ୍ତି କଣ୍ଡେଆର ପ୍ରଖର ଯେ ନାବ ।କାତ କେରୁଆଳ ମେଲି ହୁଂକାର ପ୍ରଭାବ ॥
ବାଜଇ ବିବିଧ ବାଜା ଅପ୍ରମିତ ଧ୍ୱନି ।ଅମର ଦୁନ୍ଦୁଭି ରବେ କମ୍ପେ ପୁରତିନି ॥
ବିଷ୍ଣୁ ଚାପକେଳି କଥା କହନ୍ତେ ନ ସରେ ।ମନୋହର ଦିଶୁଅଛି ଯମୁନା ଜଳରେ ॥
ଏ ଭବସାଗରେ ଭେଳା ଯାହାଙ୍କର ନାମ ।ସେ ହରିପାଦେ ଅଚ୍ୟୁତ ପଶଇ ଶରଣ ॥
ହଂସଡିମ୍ୱ ଓ ଅଷ୍ଟମଲ୍ଲ ପୁତ୍ରଙ୍କର ମୃତ୍ୟୁ ଏବଂ ମଥୁରା ନରନାରୀଙ୍କର ଶୋକଶୁକ ବୋଇଲେ ହେ ଶୁଣ ପରୀକ୍ଷ ନୃପତି ।ଇଦଂ ଶିରୀ ଭାଗବତ ପୁଣ୍ୟମୟ କୀର୍ତ୍ତି ॥
ଅଶେଷ କୋଟି ଚରିତ କେ ଅନ୍ତ କରିବ ।ସପ୍ତସିନ୍ଧୁ ବାହି କେବା ଶୁଖାଇ ପାରିବ ॥
ନାମ ମାତ୍ର ଉଗ୍ରସେନ ମଥୁରାରେ ରାଜା ।ବିଷ୍ଣୁନାଥ ବ୍ୟତିରେକେ ଆନେ ନାହିଁ ପୂଜା ॥
ଯେ ମହତ ଲୋକ ସେହୁ ନ ଲଙ୍ଘଇ କୂଳ ।ମହତ ଲଙ୍ଘିଲେ ପୃଥ୍ୱୀ ଯିବ ରସାତଳ ॥
ଦେବକୀର ପୁତ୍ର ରାମ କୃଷ୍ଣ ବେନି ଭାଇ ।ଉଗ୍ରସେନ ଦେବକୀର ଜନକ ଅଟଇ ॥
ରାମ କୃଷ୍ଣ ବେନିଭଇ ଉଗ୍ରସେନ ନାତି ।ତେଣୁ ମାନ୍ୟ କରି ତାକୁ ରାଜା କରିଛନ୍ତି ॥
ମହତକର୍ମା ଧାର୍ମିକ ଅଟନ୍ତି ଶ୍ରୀହରି ।ଉଗ୍ରସେନ ରାଜା ଏହା ଜାଣେ ତଥ୍ୟ କରି ॥
ପରମା ସାଧବୀ ସତୀ ଇନ୍ଦୁମତୀ ରାଣୀ ।ପ୍ରତ୍ୟକ୍ଷ ଏ ବିଷ୍ଣୁ ବୋଲି ପୂର୍ବୁ ଅଛି ଜାଣି ॥
ସାତ୍ୟକି ଯେ ଅନାଧୃଷ୍ଟ ଉଦ୍ଧବ ଅକ୍ରୂର ।ଏମାନଙ୍କୁ ଆଦି ଯେତେ ଯଦୁବଂଶ ବୀର ॥
ସମସ୍ତେ ନିଶ୍ଚୟ କରି ମନେ ଗଲେ ପ୍ରତେ ।ଏ ଦେହରେ ମୁକ୍ତିଲାଭ କରିବା ନିଶ୍ଚିନ୍ତେ ॥
ବୈଷ୍ଣବ ମତରେ ସେବା କରୁଥାନ୍ତି ନିତି ।ଜନ୍ମ ମୃତ୍ୟୁ ବାଧାକୁ ସେ ଭୟ ନ କରନ୍ତି ॥
ସର୍ବଦା ଯାଦବଗଣ ଅଟନ୍ତି ଶକତା ।କଂସ ମଲା ଦିନୁ ପୁଣି ଭାଳନ୍ତି ଏ କଥା ॥
ଏ ବଂଶରେ ଅବତାର ହୋଇଛନ୍ତି ହରି ।ଯାଦବଙ୍କୁ ସଂସାରେ କେ ଅଛି ସମସରି ॥
ନାବକେଳି କରୁଛନ୍ତି ରାଜା ଉଗ୍ରସେନ ।ଶ୍ରୀକୃଷ୍ଣଙ୍କ ମୁଖ ଚାହିଁ ଆନନ୍ଦିତ ମନ ॥
କଂସର ନନ୍ଦନ ହଂସ ଡ଼ିମ୍ୱ ଭାଇ ଭେନି ।ନାବ ଖେଳୁଥିଲେ ଅଷ୍ଟମଲ୍ଲ ପୁତ୍ର ଘେନି ॥
ପବନ ଆଘାତେ ନାବ ବାହନ୍ତି ଚହଟି ।ରାଜାଙ୍କ ନାବ ସନ୍ନିଧେ ହେଲେ ଭେଟାଭେଟି ॥
ବିଚିତ୍ର ମଣ୍ଡଣି ନାବ ମଧ୍ୟେ ସିଂହାସନ ।ନବରତ୍ନେ ନିର୍ମାଣ ସେ ଦିଶେ ଶୋଭାବନ ॥
ନେତ ପତନି ସିନ୍ଧୁଆ ଶାଢ଼ୀ ଝୀନବାସ ।ଝଲକନ୍ତି ଚଉପାଶେ ତାରକା ସଦୃଶ ॥
ଇନ୍ଦ୍ରଗୋବିନ୍ଦ ଚାନ୍ଦୁଆ ସୂଚିକମ ନୂଆ ।ରସାଣିଲା ପାନପତ୍ର ଝଲକ ପାତିଆ ॥
ସୁବର୍ଣ୍ଣ କଲଶ ଉର୍ଦ୍ଧ୍ୱ ଉଡ଼େ ବିତପନ ।ଶାରଦା ମେଘରେ ଶୋହେ ବିଜୁଳି ଯେସମ ॥
ସେବତୀ ମାଳତୀ ମଲ୍ଲୀ ଚମ୍ପକ ବକୁଳ ।ଚଉପାଶେ ଫୁଲଧଣ୍ଡା ଲମ୍ୱେ ମାଳ ମାଳ ॥
ପାଟ ଫୁଲମାନଙ୍କରେ ଝରା ଝୁମ୍ପା ଲମ୍ୱେ ।ନାବ ସିଂହାସନେ ବିଜେ ରାଜା ଉଗ୍ରସେନ ॥
ବାମ ଦକ୍ଷିଣରେ ଛନ୍ତି ରାମ ଭଗବାନ ।ସୁରଥ ଧବଳ ଛତ୍ର ଟେକି ଆଗେ ଉଭା ॥
ଆବର ଯେ ଷଡ଼ ନାତି କରୁଛନ୍ତି ସେବା ।କଂସ ରାଜା ପୁତ୍ରେ ଯାଇ ଭେଟିଣ ନିକଟେ ॥
ବକ୍ରଭାବେ ନାବ ବାହି ନେଲେ ଆନବାଟେ ।ରାଜାଙ୍କୁ ଆଦିକରି ସେ ନ କଲେ ଦର୍ଶନ ॥
ସମସ୍ତେ ବିଚାର କରି ହେଲେ ଏକମନ ।ବୋଲନ୍ତି ମରିବା ରାମ କୃଷ୍ଣଙ୍କୁ ଯେ ବେଢ଼ି ॥
ଏତେ ପାଞ୍ଚି କପଟରେ ହେଲେ ବୁଡ଼ା ବୁଡ଼ି ।ଆମ୍ଭଙ୍କୁ ଅନ୍ତର କରେ ଉଗ୍ରସେନ ଚିତ୍ତେ ॥
ଏତେ ମାନହୀନ କଥା କହିବା କେମନ୍ତେ ।ତିଳେମାତ୍ର ଜ୍ଞାନ ନାହିଁ ଦେଖ ୟାର ଦେହେ ॥
ଦୁହିତା ପୁଅଙ୍କୁ ମାନି ଆମ୍ଭଙ୍କୁ ନ ଚାହେଁ ।ବସୁଦେବ ବଂଶ ଆମ୍ଭେ ସଂହାରିବା ଏବେ ॥
ଦେବତା ଗନ୍ଧର୍ବ ହେଲେ ରଖି ନ ପାରିବେ ।ଉଗ୍ରସେନକୁ ଏଠାକୁ ଦେବାକ ଘଉଡ଼ି ॥
ମଥୁରା କଟକ ଆମ୍ଭେ ବସିବା ଯେ ମାଡ଼ି ।ସ୍ୱର୍ଗ ମର୍ତ୍ତ୍ୟ ରସାତଳ ଜିଣି ଭୁଜବଳେ ॥
ଇନ୍ଦ୍ରଙ୍କୁ ଜିଣିମା ପଶି ଅମର ମଣ୍ଡଳେ ।ଆମ୍ଭ ମାତାମହ ଜରାସନ୍ଧ ନୃପବର ॥
ଛୟାଣୋଇ ସସ୍ରରାଜା ବନ୍ଦୀ ଯାହାଘର ।ଭାଇ ଶିଶୁପାଳ ବଳବନ୍ତ ଶିରୋମଣି ॥
ଶ୍ୱଶୁର ବାଣାସୁର ତ ତ୍ରୈଲୋକ୍ୟ କାରେଣି ।ରୁକ୍ମଣ ଦନ୍ତବକ୍ର ଏ ଦୁହେଁ ଆମ୍ଭ ମିତ୍ର ॥
ପବିତ୍ର ବଂଶରେ ଜାତ ଆମ୍ଭେ କଂସ ପୁତ୍ର ।ବୀରଧୂ ବୋଲାଉ ଆମ୍ଭେ ସୋମବଂଶୀ କ୍ଷତ୍ରୀ ॥
ସ୍ୱର୍ଗେ ପୂରିଅଛି ପିତୃ ପିତାମହ କୀର୍ତ୍ତି ।ପୁରୁରବା ସ୍ୱର୍ଗପୁର ବସିଥିଲେ ମାଡ଼ି ॥
ନହୁଷ ଇନ୍ଦ୍ର ହୋଇଲେ ଦେବେ ଗଲେ ଛାଡ଼ି ।ଅତ୍ରି ମହାଋଷି ହେଲେ ତହିଁରେ କାରେଣି ॥
ଏ ନିମନ୍ତେ ସ୍ୱର୍ଗଲୋକେ ପଡ଼ିଲା ଭାଳେଣି ।ଆମ୍ଭ ପିତା ସ୍ୱର୍ଗପୁର ଜୟ କଲେ ହେଳେ ॥
ଦେବଗଣେ ଖଟୁଥିଲେ ତାଙ୍କ ପାଦତଳେ ।ସବୁ ଅକାରଣ ହେଲା ରାମକୃଷ୍ଣ ଯୋଗୁଁ ॥
ପାରୁ ବା ନ ପାରୁ ବେଳେ ତା ସଙ୍ଗତେ ଲାଗୁ ।କଂସ ନନ୍ଦନର ମୁଖୁ ଏସନକ ଶୁଣି ॥
କେଶୀ ପୁତ୍ର କର ଯୋଡ଼ି କହେ ତାକୁ ପୁଣି ।ଅବିଚାର କରି ତୁମ୍ଭେ ଏ କଥା କହିଲ ॥
ପ୍ରତ୍ୟକ୍ଷ ଦେଖିବା କଥା ଅନୁମାନ କଲ ।ରାମକୃଷ୍ଣ କଥା ମୋତେ ଲଗେ ଅଗୋଚର ॥
ସାମାନ୍ୟ ପରାୟେ ତାଙ୍କୁ ମନରେ ନ ଧର ।କେଶୀ ଷଣ୍ଢା ବକା ଆଦି ବୀରଙ୍କୁ ବଧିଲା ॥
କ୍ଷୀର ସଙ୍ଗେ ପୂତନାର ପରାଣ ବଧିଲା ।କଂସପରା କ୍ଷତ୍ରୀ ମଲା ଦେଖନ୍ତେ ଯାହାକୁ ॥
ସମରେ ଜିଣନ୍ତା ଆମ୍ଭେ ନୋହିବା ତାହାକୁ ।ସମ୍ମୁଖ ସଂଗ୍ରାମେ ଆମ୍ଭେ ନୋହୁ ତାକୁ ସରି ॥
କେବଳ ମାରିବା କୂଟେ କଉଶଳ କରି ।ବିଚାରି ବିଚାରି କଥା ଦିନୁ ଦିନୁ ଆନ ॥
ବେଳ ଜାଣି କାର୍ଯ୍ୟ କଲେ ରକ୍ଷା ହୋଏ ମାନ ।ଆଜହୁଁ ଅଧିକ ଭେଟ ପାଇବା ଯେ ନାହିଁ ॥
ଏଠାରେ ମାରିବା ତାର ସଙ୍ଗେ କେହି ନାହିଁ ।ସର୍ବେ ବସିଛନ୍ତି ରୁଣ୍ଡ ହୋଇ ଏକ ନାବେ ॥
ଏପରି ସୁଯୋଗ ନ ପାଇବା ଆନ ଠାବେ ।ପାଣି ଭିତରେ ନଉକା ବିମାନେ ଆରୋହି ॥
ଖେଳରଙ୍ଗେ ମାତିଛନ୍ତି କଉତୁକ ପାଇ ।ପ୍ରୀତି ଉପୁଜାଇ ତାଙ୍କୁ କପଟେ ଆଣିବା ॥
ଯେ ଯାହାର ଜଗି ବାଟ ନିରୋଧି ମାରିବା ।ଏବେ କୁଟ କରି ତାଙ୍କୁ ଡାକିବା କତିକି ॥
ପ୍ରତେ କରି ଆସେ କିବା ନ ଆସେ ତରିକି ।ପାଶକୁ ଅଇଲେ ସିନା ସବୁ କରିପାରି ॥
ସମସ୍ତେ ଆଦର କରି ଆଣିବା ହକାରି ।ଏଥୁ ଅନନ୍ତରେ ନାବ ବାହନ୍ତି ବାହକେ ॥
କୀଳା ପୋତି ତରୀମାନେ ଖଟାଇଲେ ଥୋକେ ।ବାରିମଧ୍ୟେ ଥୋକେ ନାବ ଧୀରେ ଧୀରେ ଚଳେ ॥
ଥୋକେ ନାବ ସ୍ଥିର ହୋଇ ରହିଅଛି କୂଳେ ।ଥୋକାଏ ନାବରେ ଶୁଭେ ଗୀତ ନୃତ୍ୟରଙ୍ଗ ॥
ବେଣୁ ବୀଣା ଅଁଳାବେଶୀ ଅଧାଟୀ ଉପାଙ୍ଗ ।ବହଇ ଦକ୍ଷିଣ ବାତ ଉଛୁଳଇ ଜଳ ॥
କର୍ପୂର କସ୍ତୁରୀ ଗନ୍ଧ ଚନ୍ଦନ ଶୀତଳ ।ବିଞ୍ଚନ୍ତି ଆମୋଦ ପାଇ ପୁଷ୍ପ ବିଞ୍ଚଣାରେ ॥
ଭୀସିତ ବାସିତ ପୁଷ୍ପ ପାଣିର ଭିତରେ ।ନାବକେଳି କରୁଛନ୍ତି ହଳୀ ଚକ୍ରପାଣି ॥
ହଂସ ଡ଼ିମ୍ୱ ଆଦି ଦୁଷ୍ଟେ ସେ ସମୟ ଜାଣି ।ନାଚେ ନାବ ଭେଟାଇଣ ରାଜାଙ୍କୁ ନମିଲେ ॥
ଏକକୁ ଆରେକ ଚାହିଁ ପୁଚ୍ଛାପୁଚ୍ଛି ହେଲେ ।କୂଟରେ ମଧୁର କହି ବଢ଼ାଇଣ ଭାବ ॥
ସର୍ବେ ଉଠି ଆରୋହିଲେ ରାଜାଙ୍କର ନାବ ।ଦେଖିଣ ସନ୍ତୋଷ ହେଲେ ଉଗ୍ରସେନ ରାୟେ ॥
ମାଲଯୁଦ୍ଧ ଘେନି ଉଭା କଂସ ବେନି ପୋଏ ।ମନପବନ ନାବକୁ ବାହେ କର୍ଣ୍ଣଧାର ॥
ସଦଭାବେ ବସିଛନ୍ତି ରାମ ଦାମୋଦର ।ଅଷ୍ଟମଲ୍ଲ କୁମରଙ୍କୁ ହଂସ ଡ଼ିମ୍ୱ ଚାହିଁ ॥
ବୋଲନ୍ତି ଏପରି ଯୋଗ ଖୋଜିଲେ ନ ପାଇ ।ରାମକୃଷ୍ଣ ଏ ଦୁହିଙ୍କୁ ନାବୁ ପେଲିଦେବା ॥
ଜଳରେ ପଡ଼ନ୍ତେ ଡ଼େଇ ମାଡ଼ିଣ ବସିବା ।ଏକାବେଳେ ଗୋଳକରି ମାରିବା ବୁଡ଼ାଇ ॥
ଆମ୍ଭ ହସ୍ତୁ ଫିଟି ସତେ ଯିବେ କି ପଳାଇ ।ଏମନ୍ତେ ବିଚାର କରି ଠରା ଠରି ହ୍ୱନ୍ତେ ॥
ଅନ୍ତର୍ଯ୍ୟାମୀ ପ୍ରଭୁ ତାହା ଜାଣି ଅନ୍ତର୍ଗତେ ।ମନେ ମନେ ବିଚାରନ୍ତି ଏ ଦୁଷ୍ଟ ପାମରେ ॥
ଅନିମିତ୍ତେ ହିଂସା କରୁଛନ୍ତି ଆମ୍ଭଠାରେ ।କାଳ ଆସି ଏହାଙ୍କର ଧଇଲାଣି ବାଳ ॥
ଆପଣା ଦୋଷରେ ଆପେ ଯିବେ ଯମଆଳ ।ଏହାଙ୍କର ପିତାମନେ ଦୁଷ୍ଟପଣ କରି ॥
ଦେହ ଛାଡ଼ି ଯାଇଛନ୍ତି ଆମ୍ଭ ହସ୍ତେ ମରି ।ତାଙ୍କଠାରୁ ବଳି ଦୁଷ୍ଟ ଏ ଚଉଦ ଜଣ ॥
ସର୍ବଦା ଏ ସଜ୍ଜନଙ୍କୁ ଦିଅନ୍ତି କଷଣ ।ମୋତେ ମାରିବାକୁ କୂଟେ କରନ୍ତି ଉପାୟ ॥
ମୁଁ ୟାଙ୍କୁ ମାଇଲେ ପୃଥ୍ୱୀଭାରା ହେବ କ୍ଷୟ ।ପୃଥ୍ୱୀଭାରା ନିବାରଣେ ମୋର ଅବତାର ॥
ନିବର୍ତ୍ତି ରହିବା କଥା ନୁହଇ ବେଭାର ।ଏମନ୍ତ ଭାବନା କରି ପ୍ରଭୁ ଶିରୀପତି ॥
ପବନଙ୍କୁ ଅନ୍ତର୍ଗତେ ଧ୍ୟାୟି କଲେ ସ୍ତୁତି ।ଜୟ ତୁ ପବନ ଦେବ ସର୍ବ ଅନ୍ତର୍ଯ୍ୟାମୀ ॥
ନିମିଷକେ ଚରାଚର ସୃଷ୍ଟି ପାର ଭ୍ରମି ।ସ୍ଥାବର ଜଙ୍ଗମ କୀଟ ପତଙ୍ଗ ଶରୀରେ ॥
ବାସକରି ରହିଅଛ ପ୍ରାଣ ସ୍ୱରୂପରେ ।ମେରୁଗିରି ଶତ୍ରୁ ତୁମ୍ଭେ ମହା ବଳବନ୍ତା ॥
ମନ ବୁଦ୍ଧି ଅହଙ୍କାର ସବୁହିଁ ପୂରନ୍ତା ।କଳ୍ପନା କାମନାନିଧି ସର୍ବତ୍ର ଅଜେୟ ॥
କଳ୍ପ କଳ୍ପାନ୍ତପ କାଳେ ନାହିଁ ତୁମ୍ଭ କ୍ଷୟ ।ତବ ଗର୍ଭ ମଧ୍ୟେ ସୃଷ୍ଟି ହୁଏ ଆତଯାତ ॥
ଅନାଦି ଅନନ୍ତ ତୁମ୍ଭେ ସର୍ବଦା ଅଚ୍ୟୁତ ।ଅଶେଷ କୋଟି ବ୍ରହ୍ମାଣ୍ଡେ ରହିଅଛି ଘୋଟି ॥
ନିମିଷକେ ଜିଣିପାରେ ଚରାଚର ସୃଷ୍ଟି ।ସଂସାରେ ନୋହବ ଯେବେ ତୁମ୍ଭେ ଆତଯାତ ॥
କ୍ଷଣେ ରହି ନ ପାରିବ ଅଶେଷ ଜଗତ ।ଅଜୀବର ଜୀବ ତୁମ୍ଭେ ଅଟ ଜୀବଦାନୀ ॥
ବିହନ୍ତା ପୁରୁଷ ତୁମ୍ଭେ କର ଲାଭ ହାନି ।ଯେତେ ବୋଲି ତେତେମାନେ ଧରିପାର ରୂପ ॥
ଯୋଗୀଗମ୍ୟ ଅଟେ ତୁମ୍ଭେ ଅଚିନ୍ତ୍ୟ ସ୍ୱରୂପ ।କୀଟୁ ବ୍ରହ୍ମ ପରିଯନ୍ତେ ସୃଷ୍ଟି ତମ୍ଭେ ସ୍ଥାପି ॥
ଜଳ ସ୍ଥଳ ଅନଳରେ ରହିଅଛି ବ୍ୟାପି ।ନମସ୍ତେ ହେ ସମୀରଣ ପୃଥ୍ୱୀ ଆପତତ୍ତ୍ୱ ॥
ଅନଳ ଆକାଶ ଘେନି ତୁମ୍ଭେ ପଞ୍ଚଭୂତ ।ତୁମ୍ଭେ ଯହିଁ ଅଛ ତହିଁ ରହିଅଛି ଜୀବ ॥
ତୁମ୍ଭେ ଛାଡ଼ିଗଲେ ପ୍ରାଣୀ ହୁଏ ମୃତ୍ୟୁଶବ ।ଲୋହପାଶଧାରୀ ତୁମ୍ଭେ ଶରଚାପ କର ॥
ବିଜୟ ନାମରେ ମୃଗ ବାହନ ତୁମ୍ଭର ।ନାନା ରତ୍ନ ଆଭରଣେ ଶୋଭାପାଏ ତନୁ ॥
ଅକ୍ଷୟ ପୁରୁଷ ତୁମ୍ଭେ ଯୁଗକଳ୍ପ ମନୁ ।ପବନ ଦେବତା ପାଦେ ଶତେ ବାର ନମି ॥
ଅଚ୍ୟୁତଦାସ କବିଙ୍କି ଉଦ୍ଧରିବା ସ୍ୱାମୀ ।ଏସନକ ସ୍ତୁତି ଯହୁଁ କଲେ ନାରାୟଣ ॥
ଛାମୁରେ ମରୁତ ଆସି ମିଳେ ତତ୍କ୍ଷଣ ।ଶିରେ କରପତ୍ର ଯୋଡ଼ି ପବନ ବୋଲନ୍ତି ॥
କେବଣ କାରଣେ ମୋତେ ସ୍ମରିଲ ଶ୍ରୀପତି ।ଶ୍ରୀକୃଷ୍ଣ ବୋଇଲେ ଆମ୍ଭେ ଭାରାନାଶ ଅର୍ଥେ ॥
ମାନବ ଶରୀର ଧରି ଜାତ ହେଲୁଁ ଏଥେଁ ।ସନ୍ଥଜନ ପାଳି ଆମ୍ଭେ ନାଶିବୁ ଦୁର୍ଜ୍ଜନ ॥
ଏ କଥା କି ଜାଣି ନାହିଁ ପବମାନ ।ହଂସଡ଼ିମ୍ୱ ନାମେ କଂସରାଜା ପୁତ୍ର ବେନି ॥
ଅଷ୍ଟମଲ୍ଲ ପୁତ୍ରଙ୍କୁ ସେ ସଙ୍ଗତରେ ଘେନି ।ଏବେ ଆମ୍ଭ ଦ୍ରୋହ ମନେ କରନ୍ତି ବିଚାର ॥
ନାବ ଲେଉଟାଇ ତାଙ୍କୁ ବୁଡ଼ାଇଣ ମାର ।ଅଣଚାଶ ମୂର୍ତ୍ତି ସଖା ସଙ୍ଗତରେ ଘେନି ॥
ଅସୁରଙ୍କୁ ବଧି ରକ୍ଷା କର ଏ ମେଦିନୀ ।ପବନ ଦେବଙ୍କୁ ଏତେ କହି ଲକ୍ଷ୍ମୀସାଇଁ ॥
ହଂସ ଡ଼ିମ୍ୱ ନାବେ ସ୍ୱାମୀ ବିଜେ କଲେ ଯାଇ ।ମାଲଙ୍କର ପୁତ୍ରମାନେ କଂସ ପୁତ୍ର ବେନି ॥
ଏକ ନାବେ ଆରୋହିଲେ ଶ୍ରୀକୃଷ୍ଣଙ୍କୁ ଘେନି ।ବିଚାରନ୍ତି ଭଲା ଆଜି ପଡ଼ିଲା ସୁଯୋଗ ॥
ପିତୃହନ୍ତା ମାରି ଆମ୍ଭେ ହେବା କୃତକାର୍ଯ୍ୟ ।ପଳାଇ ନ ଯିବ ଆଉ ପଡ଼ିଅଛି ବାଗେ ॥
ଏତେ ବୋଲି ନାବବାହି ନେଲେ ଅତିବେଗେ ।ଉଗ୍ରସେନ ପାଶେ ବଳରାମ ଯେ ସୁରଥ ॥
ଆବର ଅଛନ୍ତି କୃଷ୍ଣଙ୍କର ଷଡ଼ଭ୍ରାତ ।ହଂସଡ଼ିମ୍ୱ ଆଦି ବୀରେ କାନ କୁହା କୁହି ॥
ହୋଇଣ ଅଦୃଶ୍ୟ ଯାଏ ନାବ ନେଲେ ବାହି ।ଦଇବ ଘଟଣ କଥା ଦେଖ ପରୀକ୍ଷିତ ॥
ଅଣଞ୍ଚାଶ ମୂର୍ତ୍ତି ଘେନି ବହିଲେ ମରୁତ ।ପ୍ରଚଣ୍ଡ ହୁଂକାର ନାଦେ ଗର୍ଜଇ ପବନ ॥
ଭୟଙ୍କର ଶବଦରେ ପୂରିଲା ଗଗନ ।ବାତଘାତ ଶାଳଶିଳ ପଡ଼ିଲେ ଉପୁଡ଼ି ॥
ଦଶଦିଗ ଅନ୍ଧକାର ହେଲା ଧୂଳି ଉଡ଼ି ।କୂଳ ଲଘିଂ ଉଛୁଳିଲା ଯମୁନାର ଜଳ ॥
ଭୟେ ଜୀବ ଜନ୍ତୁମାନେ ହୋଇଲେ ଆକୁଳ ।ଯାଦବେ ଦେଖିଣ ମନେ ପାଇ ମହାଭୟ ॥
ବୋଲନ୍ତି ଅକାଳେ କିବା ହୋଇଲା ପ୍ରଳୟ ।ବିପରୀତ କଥା ଏ ତ ଦେଖା ଶୁଣା ନାହିଁ ॥
କୃତାନ୍ତ ଆସଇ କିବା ସୃଷ୍ଟି ନାଶ ପାଇଁ ।ଅଣଞ୍ଚାଶ ପବନରେ କମ୍ପଇ ଧରଣୀ ॥
କି ଯୋଗରେ ବିଧି ଏହା ଘଟାଇଲା ଆଣି ।ବିଜୁଳି ଝଲକି ମାରେ ବଜ୍ର ଘଡ଼ଘଡ଼ି ॥
ମେରୁ ମହୀଧର ଅବା ପଡ଼ିଲା ଉପୁଡ଼ି ।ହଂସ ଡ଼ିମ୍ୱ ଦୁହେଁ ଦେଖି ମହାଭୟ ପାଇ ॥
କାତରେ କହିଲେ ମାଲ ପୁତ୍ରଙ୍କୁ ଅନାଇଁ ।କେବଣ ଚରିତ ଏହା କଳନା ନ ଯାଏ ॥
ଅଣଞ୍ଚାଶ ମୂର୍ତ୍ତିଧରି ବାୟୁ କିପାଁ ବହେ ।ଦିବସରେ ଅନ୍ଧକାର ଦିଗ ନ ଦିଶଇ ॥
ଧରାଧର ସହିତରେ ଧରଣୀ କମ୍ପଇ ।ଘଡ଼ଘଡ଼ି ଚଡ଼ଚଡ଼ି ବିଜୁଳି ପ୍ରବଳ ॥
ମୂଷଳଧାରା ପ୍ରମାଣେ ବରଷଇ ଜଳ ।ପ୍ରଚଣ୍ଡ ପବନ ଘୋର ଗରଜନ ରଡ଼ି ॥
ଯମୁନା ଉଛୁଳି ବଢ଼େ ବେନିକୂଳ ମାଡ଼ି ।ପବନ ଆଘାତେ ଉଠେ ପ୍ରଚଣ୍ଡ ଲହରୀ ॥
କୂଳର ଭିତରେ ନାବ ନୋହେ ଥୟ କରି ।ଅକାତ ଗଭୀର ନଦୀ ନାହିଁ କୂଳ ପାଶ ॥
ପରକୁ ମନ୍ଦ ପାଞ୍ଚିଲେ ଆପେ ଯାଇ ନାଶ ।ଭୋ ଧର୍ମଦେବ ଆମ୍ଭଙ୍କୁ ସୁଦୟା କରିବା ॥
ସପତାଙ୍ଗେ ନାସ ଗଲୁ ଉଦ୍ଧରି ଧରିବା ।ଯାହା ବିଚାରିଲୁ ତାହା ନୋହିଲାକ ସିଦ୍ଧି ॥
ନିସତ କାଳକୁ ହେଲା ବିପରୀତ ବୁଦ୍ଧି ।ନାବରୁ ଡେଇଁଣ ଅବା ପହଁରନ୍ତୁ ଜଳେ ॥
ଘୋର ଅନ୍ଧକାରେ ଉଠି ନ ପାରିବୁ କୂଳେ ।କାଳବଶେ ହରାଇଲୁ ଆମ୍ଭେ ସଦବୁଦ୍ଧି ॥
ସମୂଳେ ବିନାଶ ହେଲା କଂସର ସମୃଦ୍ଧି ।କହୁଁ କହୁଁ ଘୋର ବାତ ବହିଲା ପ୍ରଚଣ୍ଡ ॥
କ୍ଷଣକରେ ନାବ ଭାଙ୍ଗି ହେଲା ଖଣ୍ଡ ଖଣ୍ଡ ।ଅକାତ ଗଭୀର ଜଳେ ଭାସେ ନାବ ଫାଟି ॥
ପ୍ରଳୟ ପବନଘାତେ ପଡ଼ିଲା ଲେଉଟି ।ଅଶେଷ କୋଟି ବ୍ରହ୍ମାଣ୍ଡ ଠାକୁର ଯେ ସ୍ୱାମୀ ॥
ଦେବାଧିଦେବଙ୍କ ରାଜା ସର୍ବ ଅନ୍ତର୍ଯ୍ୟାମୀ ।ତାଙ୍କୁ ମନ୍ଦ ଚିନ୍ତା କରି ନୋହେ ଆନ ବଳେ ॥
ଅଶୁଭ ଶୁଭଦାନୀ ସେ ଅଟନ୍ତି ଶୟଳେ ।କଂସ ନୃପତିର ପୁତ୍ର ହଂସ ଡ଼ିମ୍ୱ ବେନି ॥
ଯମୁନାରେ ବୁଡ଼ିମଲେ ବାର ଜଣ ଘେନି ।କେଶୀର ନନ୍ଦନ ଉଡ଼ଙ୍ଗ ଯେ ଅଂଶୁମାଳୀ ॥
ଶକଟା ବେନି ନନ୍ଦନ ବୀର ବୋଲାବଳୀ ।କଞ୍ଚଣ ଯେ କାଳିନାଗ କୁମୁଦ ସୌମିତ୍ର ॥
ଏ ଚାରିହେଁ ମହାବୀର ଷଣ୍ଢାସୁର ପୁତ୍ର ।ପ୍ରତାପ ଦାବାନଳ ଯେ ପୂତନାର ପୁଅ ॥
ମୁଷ୍ଟିକର ପୁତ୍ର ବେନି ଜୟ ଯେ ବିଜୟ ।ଚାଣୁର ପୁତ୍ର ଦୁର୍ଗମ ଆଉ ଜଗଜ୍ଜେଠି ॥
ମହାସୁର ନାମେ ଅରିଷ୍ଟିର ପୁତ୍ର ଗୋଟି ।କଂସ ରାଜାର ତନୟ ହଂସ ଡ଼ିମ୍ୱ ଦୁଇ ॥
ଯମୁନାରେ ବୁଡ଼ିମଲେ ଜଳେ ରୁନ୍ଧି ହୋଇ ।ଯୁକତେ ଗଭୀର ନଦୀ ଅକାତ ସଲିଳ ॥
ପ୍ରଚଣ୍ଡ ଘୋର ପବନେ ଲହରୀ ହାନ୍ଦୋଳ ।ବିଶେଷରେ ନାବ ଭାଙ୍ଗି ଗଲା ମଧ୍ୟ ଖଣ୍ଡ ॥
ପ୍ରଖର ସ୍ରୋତରେ ପଡ଼ି ଭାସେ ମୃତପିଣ୍ଡ ।ଥୋକେ ପିଣ୍ଡ ଭାସି ଭାସି ଲାଗିଲା କୂଳରେ ॥
ଥୋକାଏ ସେ ଜଳମଧ୍ୟେ ଭକ୍ଷିଲେ କୁମ୍ଭୀରେ ।ଭାଙ୍ଗିଲା ଅନେକ ବୃକ୍ଷ ନଗର ପାଟଣା ॥
କେତେ ଘର ଉଡ଼ିଗଲା ନ ଯାଏ କଳନା ।ଥୋକାଏକ ବେଳେ ଶାନ୍ତି ହୋଇଳା ମଉଳି ॥
ବସୁଦେବ ପୁରେ ଯାଇ ବିଜେ ବନମାଳୀ ।ବଳଦେବ ଉଗ୍ରସେନ ନୃପତି ସୁରଥ ॥
ଭିତରକୁ ବିଜେ କଲେ ଘେନି ଷଡ଼ଭ୍ରାତ ।ସକଳ ଯାଦବେ ଚଳିଗଲେ ଯେଝା ଘର ॥
ଉଗ୍ରସେନ ଆଗେ ମିଳି ଜଣାଇଲା ଚାର ।ଭୋ ମଣିମା ସାବଧାନେ ଶୁଣ ତଥ୍ୟ ବାଣୀ ॥
ନିଶ୍ଚୟ ବାରତା ଆମ୍ଭ ଆସିଅଛୁ ଜାଣି ।ହଂସ ଡ଼ିମ୍ୱ ଜେନାମଣି ନାବ ଖେଳୁଥିଲେ ॥
ମଲ୍ଲ ପୁତ୍ରମାନେ ତାଙ୍କ ସଙ୍ଗତରେ ଥିଲେ ।ଜଗନ୍ନାଥ ବିସିଥିଲେ ସେହି ନାବ ପରେ ॥
ମଙ୍ଗ ଛଡ଼ାଇ ନାବକୁ ନେଲେ ବହୁ ଦୂରେ ।ପ୍ରଚଣ୍ଡ ପବନେ ନାବ ବୁଡ଼ିଲା ସେ ଜଳେ ॥
ନାବ ସଙ୍ଗେ ବୁଡ଼ି ମଲେ ସର୍ବେ ଏକାବେଳେ ।କର୍ଣ୍ଣଧାର ଆଧିକରି ଜଣେ କେହି ନାହିଁ ॥
କେଉଁଆଡ଼େ ଗଲେ ଦେଖି ନ ପାରିଲୁ କେହି ।ଶୁଣି ଉଗ୍ରସେନ ରାଜା ହୋଇଲେ ଆକୁଳ ॥
ବେନି ନୟନରୁ ଫୁଟି ବହେ ଅଶ୍ରୁଜଳ ।ଶୋକେ ମୂର୍ଚ୍ଛାଗତ ହୋଇ ଦେବକୀର ପିତା ॥
କପାଳରେ କର ମାରି ସୁମରେ ବିଧାତା ।ସମୂଳରେ ନାସ ଗଲା ଏବେ ମୋର ବଂଶ ॥
କେବଣ ଦେବତା ଠାରେ କଲି ମୁହିଁ ଦୋଷ ।ଦିଗପାଳ ସମ ନାତିମାନେ ମଲେ ମୋର ॥
ବୃଦ୍ଧ ବୟସରେ ଦୁଃଖ ହେଲା ଗୁରୁତର ।କି କରିବି ଦଶଦିଶ ଅନ୍ଧକାର ମୋତେ ॥
ଏତେ ବୋଲି ନୃପବର ପଡ଼େ ମୂର୍ଚ୍ଛାଗତେ ।ଦେଖି ସୁରଥ କୁମର ମୁଖେ ପାଣି ସିଞ୍ଚି ॥
କୁସୁମ ବିଞ୍ଚଣା ଘେନି ଧୀରେ ଧୀରେ ବିଞ୍ଚି ।ଘଡ଼ିକେ ଚେତନା ପାଇ ଉଠି ଉଗ୍ରସେନ ॥
ନାତିଙ୍କ ଗୁଣ ବାହୁନି କରନ୍ତି ରୋଦନ ।ପଡ଼ିଲାକ ଅନ୍ତଃପୁର ଭିତରେ ବୋବାଳି ॥
ସମୁଦ୍ର ଗର୍ଜ୍ଜନ ପ୍ରାୟେ ଶୁଭେ ହାଲହୋଳି ।ଧାଈ ମୁଦୁସୁଲୀ ପୋଇଲୀ ଯେ ପରିବାରୀ ॥
କୁଟୁଣୀ ବାଟଣୀ ମହାଦେଈ ଆଦିକରି ।ଏମାନଙ୍କ ମୂଳେ ପାଟରାଣୀ ଇନ୍ଦୁମତୀ ॥
କଂସ ନୃପତିର ଭାର୍ଯ୍ୟା ହେତି ଯେ ପ୍ରହେତି ।ହଂସ ଡ଼ିମ୍ୱ ବେନିଙ୍କର ଅଟନ୍ତି ସେ ମାତା ॥
ଜରାସନ୍ଧ ନୃପତିର ସେ ବେନି ଦୁହିତା ।ସୁକୁମାରୀ ସୁଲକ୍ଷଣୀ ଶରଚ୍ଚନ୍ଦ୍ରମୁଖୀ ॥
ଭର୍ତ୍ତାକୁ ପାସୋରିଥିଲେ ପୁତ୍ରମୁଖ ଦେଖି ।ଦିଗପାଳ ସମ ପୁତ୍ର ଦୁହେଁ ଯାନ୍ତେ ନାଶ ॥
ଜରାସନ୍ଧର ନନ୍ଦିନୀ ପାଇ ମନେ ତ୍ରାସ ।ଆହା ପୁତ୍ର ବୋଲି ଉଚ୍ଚେ କରନ୍ତି ରୋଦନ ॥
ନୟନ ଜଳରେ ତିନ୍ତି ବୁଡ଼ିଲା ବସନ ।କଳା ପଡ଼ିଗଲା ତାଙ୍କ ସ୍ୱର୍ଣ୍ଣ ବର୍ଣ୍ଣ କାନ୍ତି ॥
କେଶ ବାସ ଅସମ୍ଭାଳ ମହୀରେ ଲୋଟନ୍ତି ।ଦେହ ସନ୍ତାପିତ ମନ ହୁଅଇ ଆକୁଳ ॥
କମଳ ଲୋଚନୁ ଫୁଟି ବହେ ଅଶ୍ରୁଜଳ ।ବୋଲନ୍ତି ଭୋ ଦୈବ ଆମ୍ଭେ କଲୁ କେଉଁ ପାପ ॥
କେବଣ ପୁରୁଷ ଦେଲେ ଏସନକ ଶାପ ।ନବ ଯୁବା ବୟସରେ ଭର୍ତ୍ତା ନାଶ ଗଲେ ॥
ଅକାତ ସମୁଦ୍ର ଜଳେ ପୁତ୍ରେ ବୁଡ଼ି ମଲେ ।ଦଶ ଦିଗ ଅନ୍ଧକାରେ ଆବୃତ ଦିଶଇ ॥
ନିର୍ଲ୍ଲଜ୍ଜ ଜୀବନ ଦେହେ ରହିଛି କିପାଇଁ ।ସ୍ୱାମୀଶୋକ ଠାରୁ ବଳିଗଲା ପୁତ୍ର ଶୋକ ॥
ସଂସାରେ ଚାହିଁବୁ ଆଉ ଆମ୍ଭେ କାହା ମୁଖ ।ଦିଗପାଳ ଚୂଡ଼ାମଣି କଂସ ଯାର ପତି ॥
ଯାର ପିତା ଜରାସନ୍ଧ ତ୍ରୈଲୋକ୍ୟାଧିପତି ।ଏଡ଼େ ବଡ଼ କୁଳେ ଆମ୍ଭେ ହୋଇଥିଲୁ ଜାତ ॥
ମେଣ୍ଟଣ ନ ଗଲା କାଳେ ବିଧାତାର କୃତ୍ୟ ।ସାତ ସିନ୍ଧୁ ଜଳେ ପଶି ପାଦ ନ ତିନ୍ତିଲା ॥
ସପ୍ତ ନିଧି ପାଇ ଦରିଦ୍ରତାହିଁ ନ ଗଲା ।ମନ ସେ ଜାଣଇ ସିନା ମନର ବେଦନା ॥
କାହାକୁ କହିବୁ କିଏ ଘେନିବ ଶୋଚନା ।ରାମକୃଷ୍ଣ ଶତ୍ରୁ ହୋଇ ଏଡ଼େ କୃତ୍ୟ କଲେ ॥
ଆଗ ଭର୍ତ୍ତା ମାରି ପଛେ ପୁତ୍ରଙ୍କୁ ମାଇଲେ ।ବୀରଙ୍କ ଉପରେ ବୀର ହଂସ ଡ଼ିମ୍ୱ ବେନି ॥
କ୍ଷଣକେ ଜିଣି ପାରନ୍ତି ସମଗ୍ର ମେଦିନୀ ।ଆରହିଁ ମାଲ ପୁତ୍ରେ ଥିଲେ ତାଙ୍କ ମେଳେ ॥
ଗଣ ଗନ୍ଧର୍ବଙ୍କୁ ସାଧି ପାରନ୍ତି ସେ ବଳେ ।ସାମାନ୍ୟ ବଳରେ ତାଙ୍କୁ ହୁଅଇ କି ମାରି ॥
ନିଶ୍ଚୟେ ଏଥିର କର୍ତ୍ତା ହେଲେ ଦେବ ହରି ।କଂସକୁ ମାଇଲା ଦିନୁ ଅହନ୍ତା ବହିଲେ ॥
ବେଳ କାଳ ଜାଣି ଏବେ ପୁତ୍ରଙ୍କୁ ବଧିଲେ ।ବଧୂମାନଙ୍କ ରୋଦନ ଶୁଣି ଇନ୍ଦୁମତୀ ॥
ଅତି ଉଚ୍ଚସ୍ୱରେ ଶୋକ କଲେ ମହାସତୀ ।ପୁତ୍ରଶୋକ ସଙ୍ଗେ ନାତି ମରଣକୁ ଦେଖି ॥
ଝର ଝର ଅଶ୍ରୁ ବହେ ଫୁଟି ବେନି ଆଖି ।କ୍ରୋଟରାଗ୍ନି ପ୍ରାୟ ଦେହ ଦହେ ଶୋକାନଳ ॥
କ୍ଷଣକରେ ମୂର୍ଚ୍ଛା ଯାଇ ଭେଟେ ମହୀତଳ ।ଆକାଶରୁ ଚାହିଁ ଧର୍ମଦେବେ କରି ସାକ୍ଷୀ ॥
ବୋଲନ୍ତି ଭୋ ଧର୍ମ ଆମ୍ଭେ ହେଲୁ ନିରିମାଖି ।ପୁତ୍ର ମଲା ପୁଣି ଏବେ ନାତି ଗଲେ ନାଶ ॥
ଏ ପାପ ଜୀବନ ଥାଇ ପ୍ରୟୋଜନ କିସ ।ନିଶ୍ଚୟ ଯମୁନା ଜଳେ ଝାସ ଦେବି ଯାଇ ॥
ନୋହିଲେ ମରିବି କାଳକୂଟ ବିଷ ଖାଇ ।ଗଳେ ପାଶ ଦେଇ ଅବା ଅନଳେ ପଶିବି ॥
ଆତ୍ମହତ୍ୟା ହେଉ ପଛେ ପ୍ରାଣ ବିସର୍ଜିବି ।କାହାକୁ କହିବି ମୋର କର୍ମେ ଲେଖା ଥିଲା ॥
ଦେବକୀର ପୁତ୍ର ଯୋଗୁ ବଂଶ ନାଶ ଗଲା ।ସ୍ୱହସ୍ତେ ପୁତ୍ରଙ୍କୁ ମୋର ମାଇଲା ଶ୍ରୀହରି ॥
ନୋହିଲେ କି ଏଡ଼େ କର୍ମ ଆନେ ହୋଏ କରି ।ଚୌରାଶୀ କୋଟି ଯାଦବ ରଥ ଅଶ୍ୱ ବଳ ॥
ଅଚିନ୍ତାରେ ବର୍ତ୍ତି ରହିଅଛନ୍ତି ସକଳ ॥ ।ଏମାନଙ୍କ ମଧ୍ୟେ ମୁହିଁ ମହାଘୋର ପାପୀ ॥
କୃଷ୍ଣ ହେତୁ ବଂଶ ମୋର ବୁଡ଼ିଲା ଅଦ୍ୟାପି ।ସ୍ୱହସ୍ତରେ ମଉଳାକୁ ମାରି ଦେବରାୟେ ॥
ଲୋକ ଅପବାଦକୁ ସେ ନ କରିଲେ ଭୟେ ।ସେହି ଅହନ୍ତାରେ ଏବେ ନାତିକି ମାଇଲେ ॥
ସାପତାଙ୍ଗେ ଅଷ୍ଟମଲ୍ଲ ବଂଶ ନାଶ କଲେ ।ମାୟାଧର ପୁରୁଷ ସେ ଅଟନ୍ତି ନିର୍ଦ୍ଦୟ ॥
ପୃଥ୍ୱୀଭାରା ଉଶ୍ୱାସିବେ ଦୁଷ୍ଟକରି କ୍ଷୟ ।ଦୁଷ୍ଟ ମାରି ସାଧୁଜନ ପାଳିବାର ପାଇଁ ॥
କପଟରେ ଜନ୍ମିଛନ୍ତି ନରଦେହ ବହି ।ନିରାକାର ପୁରୁଷ ସେ ସ୍ୱୟଂ ବିଶ୍ୱବାସ ॥
ପାପ ପୁଣ୍ୟ ନ ଲାଗଇ ତାଙ୍କ ଅଙ୍ଗେ ଲେଶ ।ଯେ ଯାକୁ ମାରିବେ ତାକୁ କେ ରକ୍ଷା କରିବ ॥
ଏଥିପାଇଁ ଶୋକ କଲେ ଆଉ କିସ ହେବ ।କୃଷ୍ଣ ଅନୁରାଗ କଲେ କି ଅପୂର୍ବ ମୋତେ ॥
ଅନ୍ତର୍ଯ୍ୟାମୀ ପ୍ରଭୁ ଦେଇ ନ ପାରନ୍ତି କେତେ ।ଏତେ ପାଞ୍ଚି ଇନ୍ଦୁମତୀ ଶୋକ କଲେ ଶାନ୍ତି ॥
ଶୁଣ ହୋ ପରୀକ୍ଷ ଶୁକମୁନି ଯେ କହନ୍ତି ।ଉଗ୍ରସେନ ବିଚାରକ ନିଜ ଅନ୍ତର୍ଗତେ ॥
ଜଗତନାଥଙ୍କୁ ଛାଡ଼ି ପାରିବ କେମନ୍ତେ ।ଶୁଭାଶୁଭ କର୍ମ କରି ପାରନ୍ତି ଯେ ଆନ ॥
ଦେବାଧିଦେବ ଅଟନ୍ତି ଯେଉଁ ଭଗବାନ ।ଭାରା ନିବାରଣେ ସେହି ହେଲେ ଦେହବନ୍ତା ॥
ସ୍ଥାବର ଜଙ୍ଗମ ଆଦି ସୃଷ୍ଟିର କରତା ।ଲିହନ୍ତା ବିହନ୍ତା ସେ ଯେ ଭକ୍ତ ଦୀକ୍ଷା ଗୁରୁ ॥
ଯାହା ତାର ଇଚ୍ଛା ହେଉଅଛି ତାହା କରୁ ।ସେ ଆପେ ଭିଆଣ କରି ଚରାଚର ମହୀ ॥
ଆପଣାର ମସ୍ତକରେ ଧରିଛନ୍ତି ବହି ।ଏତେ ପାଞ୍ଚି ଉଗ୍ରସେନ ହୋଇଣ ବିବେକ ॥
ନାତିଙ୍କ ମଲାକୁ ଆଉ ନ କରିଲେ ଶୋକ ।କଂସପୁତ୍ର ତୁଲେ ମାଲପୁତ୍ରେ ଯାନ୍ତେ ନାଶ ॥
ସକଳ ଯାଦବେ ଶୁଣି ହୋଇଲେ ହରଷ ।ହେତି ପ୍ରହେତିଙ୍କର ଜରାସନ୍ଧ ନିକଟକୁ ଗମନ ଓ ଦୁଃଖ ନିବେଦନଶୁକ ବୋଲନ୍ତି ଯେ ଶୁଣ ପରୀକ୍ଷ ନୃବର ।ସ୍ୱର୍ଗେ ସୁରପତି ଆଗେ ଜଣାଇଲା ଚାର ॥
କଂସ ପୁତ୍ର ହଂସ ମାଲପୁତ୍ର ଯେତେ ।ସମସ୍ତଙ୍କୁ ଆଜି କୃଷ୍ଣ ମାଇଲେ କିଞ୍ଚିତେ ॥
ଅକାତ ଯମୁନାଜଳେ ସର୍ବେ ମଲେ ବୁଡ଼ି ।ମୃତ ଶବ ଆଦିକରି ନ ପାଇଲେ ଲୋଡ଼ି ॥
ଶୁଣିଣ ପରମାନନ୍ଦ ହେଲେ ସୁରନାଥ ।ବୃହସ୍ପତି ବୋଲନ୍ତି ଯେ ଲାଗିବ ଅନର୍ଥ ॥
ହେତି ଯେ ପ୍ରହେତି ଜରାସନ୍ଧର ଦୁହିତା ।କଂସରାଜା ପ୍ରିୟବତୀ ହଂସ ଡ଼ିମ୍ୱ ମାତା ॥
ଭର୍ତ୍ତାର ବିଯୋଗେ ଥିଲେ ପୁତ୍ରଙ୍କୁ ଆବୋରି ।କୌତୁକରେ ସେ ପୁତ୍ରଙ୍କ ମାଇଲେ ଶ୍ରୀହରି ॥
ପିତାର ଛାମୁକୁ ଯାଇ କାନ୍ଦିଣ କହିବେ ।ଶୁଣି ଜରାସନ୍ଧ କୋପେ ଦଣ୍ଡ ବାହିଯିବେ ॥
ମଥରାକୁ ଧାଡ଼ି ଦେବେ ଅଷ୍ଟାଦଶ ବାର ।ଅନେକ ସୈନ୍ୟ ସଂଗ୍ରାମେ ମାରିବେ ଶ୍ରୀଧର ॥
ସେଠାରୁ ଭାରତଯୁଦ୍ଧ ହୋଇବ ଉଦ୍ଯୋଗ ।ତେବେ ଯେ ଅଗ୍ନିଙ୍କି ପ୍ରାପ୍ତ ହେବେ ହବିର୍ଭାଗ ॥
ଆଜହୁଁ ଅଚିନ୍ତା ତୁମ୍ଭେ ହେଲ ସସ୍ରଯୋନି ।ଭାରା ନିବାରିବେ କୃଷ୍ଣ ପାଣ୍ଡବଙ୍କୁ ଘେନି ॥
ଏଥୁ ଅନନ୍ତରେ ହେତି ପ୍ରହେତି ଯେ ବେନି ।ଇନ୍ଦୁମତୀ ଚରଣରେ କରନ୍ତି ଦଇନୀ ॥
ବିକଳେ କହନ୍ତି କାନ୍ଦି କାନ୍ଦି ଉଦବେଗେ ।ପିତାର ଘରକୁ ଆମ୍ଭେ ଯିବୁ ଏହି ଲାଗେ ॥
ଇନ୍ଦୁମତୀ ବୋଲେ ମାଗୋ ଯେ ତୁମ୍ଭର ଇଚ୍ଛା ।ତୁମ୍ଭ କୁଳଧର୍ମ ତୁମ୍ଭେ ଆପେ କର ରକ୍ଷା ॥
ସ୍ତିରୀଙ୍କର ତିନି ଦଶା ଘଟଇ ଦେହରେ ।ବାଳକାଳେ ସୁସ୍ଥ ହୋଇଥାନ୍ତି ପିତା ଘରେ ॥
ପତି ପ୍ରତିପାଳେ ପୁଣି ହୁଅନ୍ତେ ଯୁବତୀ ।ବୃଦ୍ଧକାଳେ ପୁତ୍ର କନ୍ୟା ପାଳନ କରନ୍ତି ॥
ରାଜାର କୁମାରୀ ତୁମ୍ଭେ ଜନ୍ମକାଳୁ ସୁଖୀ ।ଭର୍ତ୍ତା ବିହୀନରେ ହେଲ ଯୁବାକାଳେ ଦୁଃଖୀ ॥
ବୃଦ୍ଧ ବୟସକୁ ଯେବେ ପୁତ୍ର କନ୍ୟା ଥାନ୍ତା ।ତେବେ ମାଗୋ ସଫଳରେ ତୁମ୍ଭ ଦିନ ଯାନ୍ତା ॥
ହଂସ ଡ଼ିମ୍ୱ ମଲା ଦିହୁ ସୁଖ ହେଲା ଲୋପ ।ତୁମ୍ଭ ମୋର କୁଳବଧୂ ପରମା ସାଧବୀ ॥
ପତି ପୁତ୍ର ଛାଡ଼ି ଯାହା ମାଗିବ ତା ଦେବି ।ଜରାସନ୍ଧ ପ୍ରାଏ ପିତା ପାଇ ପୁଣ୍ୟ ବଳେ ॥
ବିଧି ବିଡ଼ମ୍ୱନା କଲା କର୍ମର ଅବଳେ ।ଯାଅ ପିତା ଘରକୁ ଗୋ ନ କର ଶୋଚନା ॥
ସମୟେକ ରହି ପଛେ ଫେରିଆସ କିନା ।ଉଗ୍ରସେନ ଆଗେ ଜଣାଇଲେ ଇନ୍ଦୁମତୀ ॥
ପିତାର ଘରକୁ ଯିବେ ହେତି ଯେ ପ୍ରହେତି ।ଉଗ୍ରସେନ ବୋଲେ ଯେବେ ହେଲା ତାଙ୍କ ମନ ॥
କିଛି ଦିନ ରହି ପୁଣି ଆସିବେ ବହନ ।ମୁଁ ପାତକୀ ମହାପାପ କରିଥିଲି ପୂର୍ବେ ॥
ପୁତ୍ର ନାତି ମଲେ ଅପୁତ୍ରକ ହେଲି ଏବେ ।କେବଣ ପୁରୁଷ ଶାପେ ଘଟିଲା ଏ ବାଧା ॥
ପୁତ୍ର ବିଯୋଗରେ ଆଉ କି ଅଛି ଶରଧା ।ଏତେ ବୋଲି ମହାରାୟେ ହୋଇଲେକ ତୁନି ॥
ପିତାଘରେ ଗଲେ ହେତି ପ୍ରହେତି ଯେ ବେନି ।ମଗଧ ଦେଶେ ପ୍ରବେଶ ହେଲେ ଯାଇ ବେଗେ ॥
କାନ୍ଦନ୍ତି ବିକଳ ସ୍ୱରେ ଜରାସନ୍ଧ ଆଗେ ।ଭୋ ତାତା ରାଜାଧିରାଜ କ୍ଷତ୍ରି ଶିରୋମଣି ॥
ବାରେ ଦୟା କରି ଶୁଣ ଆମ୍ଭ ଦୁଃଖ ବାଣୀ ।ଛୟାଣୋଇ ସସ୍ର ରାଜା ବନ୍ଦୀ ତୁମ୍ଭ ଘରେ ॥
ତୁମ୍ଭ ଭୟେ ସୁରପତି ଡ଼ରେ ସ୍ୱର୍ଗପୁରେ ।ପାତାଳେ ବାସୁକି ରାଜା ହୁଏ କମ୍ପମାନ ॥
ତବ ବଶେ ରହିଅଛି ଏ ତିନି ଭୁବନ ।ଗଣ ଗନ୍ଧର୍ବ ଦେବତା କରୁଛନ୍ତି ପୂଜା ॥
ପିତା ହୋଇ ହୋଇଥିଲା ଠାରେ ତୁମ୍ଭ ପ୍ରଜା ।ପତି ପୁତ୍ର ମଲେ କଷ୍ଟ ପାଇଲୁଁ ବହୁତ ॥
ଏ ଜନ୍ମ ବିଫଳ ହେଲା ଆମ୍ଭର ହେ ତାତ ।ଇହଲୋକ ପରଲୋକ ଉପହାସ ପାଇ ॥
ନିର୍ଲ୍ଲଜ ଜୀବନ ଘେନି ରହିବୁ କିପାଇଁ ।ବସୁଦେବ ପୁତ୍ରେ ଆମ୍ଭ ବଇରୀ ହୋଇଲେ ॥
ସ୍ୱାମୀକି ମାରିଣ ଏବେ ପୁତ୍ରଙ୍କୁ ମାଇଲେ ।ଅଷ୍ଟମଲ୍ଲ ପୁତ୍ରେ ଥିଲେ ପୁତ୍ରଙ୍କ ସଙ୍ଗତେ ॥
ଯମୁନାରେ ବୁଡ଼ାଇଣ ମାଇଲେ ସ୍ୱହସ୍ତେ ।ଏକା ରାମ କୃଷ୍ଣ ଯୋଗୁଁ ହେଲା ଏତେ ଦ୍ୱନ୍ଦ ॥
ଶୁଣି ପ୍ରଜ୍ୱଳିତ ହେଲେ ରାଜା ଜରାସନ୍ଧ ।ଇତି ଶିରୀ ଭାଗବତ ହରିବଂଶ ବାଣୀ ॥
କହଇ ଅଚ୍ୟୁତାନନ୍ଦ କବି ଗୀତେ ଭଣି ।ଲହଡ଼ି ଖଣ୍ଡେ ସମାପ୍ତ ହୋଇଲାକ ଆସି ॥
ଧାଡ଼ି ଖଣ୍ଡ ଶୁଣି ଧ୍ୱଂସ କର ପାପରାଶି ।ଯେତେ ଦୂରେ ପଶିଲି ମୁଁ ତେତେ ଅନ୍ତକଲି ॥
ଆଉ ଏଣିକି ଯେ ଥଳ କୂଳ ନ ପାଇଲି ।ଶ୍ରୀଚଣ୍ଡୀ ସାରଦା ଦେବୀ ଚରଣେ ଶରଣ ॥
ପଶିଣ ଅଚ୍ୟୁତ କବି ନିସ୍ତରିଲା ଜାଣ ।ହିମବନ୍ତ ନନ୍ଦିନୀ ଗୋ ଈଶ୍ୱର –ଘରଣୀ ॥
ସଙ୍କଟ ପଡ଼ିଲେ ରକ୍ଷା କରୁ ଠାକୁରାଣୀ ।ଭାବେ ଭଜି ଈଶ୍ୱରଙ୍କୁ ପାଇଲୁ ଗୋ ମାଏ ॥
ଯୁଗେ ଯୁଗେ ରହିଅଛୁ ଅମର ତୋ କାୟେ ।ଜଳ ସ୍ଥଳ ଅଗ୍ନି ଆଦି କେହି ଯେ ନ ଥାନ୍ତେ ॥
ଏ ସଂସାର ସ୍ଥାପନା ତୁ କଲୁ ଇଚ୍ଛାମତେ ।ଅଷ୍ଟାଙ୍ଗରେ ଯୋଗ ସାଧି ଭବଙ୍କୁ ବରିଲୁ ॥
ଭବାନୀ ବୋଲିଣ ନାମ ତେଣୁ ତୁ ବହିଲୁ ।ଯେତେବେଳେ ଯେଉଁ ରୂପେ ଇଚ୍ଛା ହୁଏ ତୋର ॥
ବାଳ ବୃଦ୍ଧି ଆଦି ଆପେ ଧରୁ ତୋ ଶରୀର ।ଯେ ତୋତେ ସଂସାରେ ଚିନ୍ତା କରନ୍ତି ଗୋ ମାଏ ॥
ଧନ ଧାନ୍ୟ ପୌତ୍ର ସେହି ଲଭଇ ନିଶ୍ଚୟେ ।ଦୁର୍ଗତି ନାଶିନୀ ମାଗୋ ଦୁର୍ଗା ନାମ ତୋର ॥
ଦୁର୍ଗତି ପଡ଼ିଲେ ରକ୍ଷା କରୁ ତୁ ସଂସାର ।ସଂସାର ସାଗରେ ପଡ଼ି ଭାସୁଅଛି ମୁହିଁ ॥
ଉଦ୍ଧରି ଧରିବା ମୋତେ ଆଗୋ ମହାମାୟି ।ସ୍ଥଳ ବୋଲି ପଶିଗଲି ଅକାତ ଜଳରେ ॥
ସ୍ଥଳ ନ ପାଇଣ ବୁଡ଼ି ମରୁଛି ମଧ୍ୟରେ ।ଲହଡ଼ିର ଶେଷ ଏବେ ଧାଡ଼ିର ମହିମା ॥
କେମନ୍ତେ କରିବି ମାଗୋ ମୁଁ ଏହା ରଚନା ।ତୁ କହି ନ ଦେଲେ ଲେଖି ନୋହେ ହରିବଂଶ ॥
ଲୋକେ ଅପବାଦ ପାଇ ଯିବି ନିଶ୍ଚେଁ ନାଶ ।ଇହ ଲୋକେ ପରଲୋକେ ହେବି ଅକାରଣ ॥
ମାଗଇ ଅଚ୍ୟୁତଦାସ ତୋ ପାଦେ ଶରଣ ।ହରିବଂଶ ଚତୁର୍ଥ ଖଣ୍ଡ ସମାପ୍ତ ॥