କୃଷ୍ଣ ବଳରାମଙ୍କୁ ଇନ୍ଦୁମତୀର ଶାପ — ହରିବଂଶ (ଚତୁର୍ଥ ଖଣ୍ଡ) — ଅଚ୍ୟୁତାନନ୍ଦ ଦାସ · ସ୍ୱର୍ଣ୍ଣଲିପିଜାଣୁ ଜାଣୁ ରାମକୃଷ୍ଣ ଅରଜିଲ ପାପ ॥
ଦିଗପାଳ ସମାନରେ ମଉଳା ମାଇଲ ।ଆମ୍ଭର ସୋଦର ବୋଲି ବ୍ୟଥା ନ ପାଇଲ ॥
ଏଡ଼େ ବଡ଼ ନିରାପକ୍ଷ ଅଟେ ତୁମ୍ଭ କାୟା ।ବ୍ରହ୍ମା ଇନ୍ଦ୍ର ଶିବେ ଅଗୋଚର ତୁମ୍ଭ ମାୟା ॥
ମୁହିଁ ଗର୍ଭଧାରୀ ମାତା ମୂର୍ଚ୍ଛିବି କେମନ୍ତେ ।ବୃଦ୍ଧକାଳେ ନିଦାରୁଣ ଦୁଃଖ ଦେଲ ମୋତେ ॥
ଆହା ପୁତ୍ର ବୋଲି ଉଚ୍ଚେ କରଇ ରୋଦନ ।ବେନି ନୟନରୁ ଅଶ୍ରୁ ବହେ ଘନ ଘନ ॥
ପୁତ୍ରଙ୍କର ଗୁଣମାନ ସୁମରି ସକଳ ।କ୍ରୋଟରାଗ୍ନି ପ୍ରାୟେ ଦହେ ହୃଦେ ଶୋକାନଳ ॥
ହେତି ପ୍ରହେତି ବୋଲିଣ କଂସ ଭାର୍ଯ୍ୟା ବେନି ।କେଶ ବାସ ଅସମ୍ଭାଳ କାନ୍ଦନ୍ତି କାମିନୀ ॥
ଆହାରେ ଦଇବ ବୋଲି ଶିରେ କର ମାରି ।ଭର୍ତ୍ତାଗୁଣ ସୁମରନ୍ତି ତଳେ ଲୋଟିକରି ॥
ଅପୂର୍ବ ଚାରୁବଦନ ଧରଣୀରେ ଲୋଟି ।ପ୍ରାଣଗଲା ପରି ତଳେ ପଡ଼ିଲେ ଲେଉଟି ॥
ଧାଈ ମଦୁସୁଲୀ ଝଡ଼ା ପୋଇଲୀଙ୍କ ମୂଳେ ।ସମସ୍ତେ ରୋଦନ କଲେ ରାଣୀଙ୍କ ବିକଳେ ॥
ଅନ୍ତଃପୁର ଭିତରେ ଯେ ପଡ଼ିଲା ବୋବାଳି ।ନଗ୍ର ଚଉପାଶେ ପୂରି ଶୁଭେ ହାଇହୋଳି ॥
ଅମୃତ ବଚନ କହି କୃଷ୍ଣ ସଂକର୍ଷଣ ।ସମସ୍ତଙ୍କୁ ପ୍ରବୋଧନ୍ତି ନିଜେ ଭଗବାନ ॥
ବୋଲନ୍ତି ଗୋ ଇନ୍ଦୁମତୀ ନକର ତୁ ଚିନ୍ତା ।ତୁ କି ଜାଣି ନାହୁଁ ତୋର ପୁତଙ୍କର କଥା ॥
ଅମର କଣ୍ଟକ ପୁତ୍ର ହେଲା ତୋର କଂସ ।ବାରସ୍ୱତୀ ପୁର ଭାଙ୍ଗି ହେଳେ କଲା ନାଶ ॥
ଧର୍ମାଧର୍ମ ତ୍ୟାଗ କରି ହେଲା ଅନାଚାରୀ ।ନ ସହିଲା ତାର ପାଦଭାରା ବସୁନ୍ଧରୀ ॥
ଦେବକାର୍ଯ୍ୟ ନିମନ୍ତେ ମୁଁ ତାକୁ କଲି ନାଶ ।ତୁ ଏବେ ଶୋଚନା କଲେ ହେବ ଆଉ କିସ ॥
ମାଗୋ ପାପ ପୁଣ୍ୟ ବୋଲି କହୁଥାନ୍ତି ଯାହା ।ଏ ଦେହେ ପ୍ରତ୍ୟକ୍ଷେ ପ୍ରଣୀ ଭୋଗ କରେ ତାହା ॥
ସତସଙ୍ଗ ସଦବୁଦ୍ଧି ଆଚରେ ଯେ ଥାନ୍ତି ।ତାହାଙ୍କର ଯଶ ଶିରୀ ଆୟୁଷ ବଢ଼ନ୍ତି ॥
ଦୁର୍ବୁଦ୍ଧି ଯେ ଦୁରାଚାର ହୁଅଇ ଦୁର୍ଜ୍ଜନ ।ଅବଶ୍ୟ ଅକାଳେ ସେହୁ ଲଭଇ ମରଣ ॥
ଧର୍ମମାର୍ଗେ ଛାଡ଼ି ଯେହୁ ଅଧର୍ମରେ ଯାଏ ।ଧନାୟୁଷ ଯଶ ଶିରୀ ତାର କ୍ଷୟ ହୁଏ ॥
ଏଥକୁ ଶୋଚନା ତୁମ୍ଭେ ନ କର ଗୋ ମାତ ।ଏବେ ତୋ ଗର୍ଭରୁ ହେବେ ଅଷ୍ଟପୁତ୍ର ଜାତ ॥
କଂସଠାରୁ ବଳି ସର୍ବେ ହେବେ ବଳବନ୍ତା ।ତୁ ତାଙ୍କୁ ଦେଖିଲେ ତୋର ଛାଡ଼ିଯିବ ଚିନ୍ତା ॥
ଇନ୍ଦୁମତୀ ବୋଇଲେ ତୁ କରତା ପୁରୁଷ ।ତୋର ଅନୁଗ୍ରହ ଥିଲେ ଅପୂର୍ବ ବା କିସ ॥
ଲଲାଟ ଲେଖନ କଥା କରିପାରୁ ଆନ ।ଫିଟିବ ଅନ୍ଧପଟଳ ଦିଅ ପୁତ୍ର ଦାନ ॥
ଗୋବିନ୍ଦ ବୋଇଲେ ଆଈ ଛାଡ଼ି ମନୁ ଭ୍ରାନ୍ତି ।ଏ ମୋର ନିଶ୍ଚୟ ବାକ୍ୟ ଶୁଣି ହୁଅ ଶାନ୍ତି ॥
ଯେତେ କାଳ ଚନ୍ଦ୍ର ସୂର୍ଯ୍ୟ ଥିବେ ଦେହଧରି ।କହିବା ବଚନ ଆନ ନ ପାରେ ମୁଁ କରି ॥
ନିଶ୍ଚେଁ ଅଷ୍ଟପୁତ୍ର ଜାତ ହେବେ ତୋର ଗର୍ଭେ ।ତୁ ପରମ ମାହେଶ୍ୱରୀ ଚିନ୍ତା ଛାଡ଼ ଏବେ ॥
ପ୍ରତ୍ୟକ୍ଷେ କମଳା ଅଂଶେ ଜନ୍ମିଅଛୁ ତୁହି ।ଯଦୁବଂଶ ଠାକୁରାଣୀ ପାଟମହାଦେଈ ॥
ଦେବକୀ ପରା ଦୁହିତା କରିଅଛୁ ଜାତ ।ତୋର ନାତି ହେଲୁ ଆମ୍ଭେ ଅନାଦି ଅଚ୍ୟୁତ ॥
ତୋ ସେବା କରିବୁ ନିତି ଆମ୍ଭେ ବେନି ଭାଇ ।ଯାହା ତୋର ଇଚ୍ଛା ବର ମାଗି ଘେନ ଆଈ ॥
ଇନ୍ଦୁମତୀ ବୋଲେ ବାବୁ ସାବଧାନେ ଶୁଣ ।ପ୍ରତ୍ୟକ୍ଷ ଜାଣଇଁ ମୁହିଁ ତୁମ୍ଭେ ନାରାୟଣ ॥
ନୋହିଲେ କି ଆନବଳେ କଂସ ହୁଏ ମାରି ।ଭାରା ନିବାରଣେ ଜନ୍ମ ହେଲ ଦେହ ଧରି ॥
ରୋମକେ ବସଇ ତୋର ପୃଥ୍ୱୀ କୋଟି କୋଟି ।ତୁ ଯାହା କରିବୁ ତାହା କେ ପାରିବ ମେଣ୍ଟି ॥
ଶୋଷକ ନାଶକ ପୁଣି ଆବର ବ୍ୟାପକ ।ତୁହି ସେ ଭିଆଣ କରୁ ବିବେକାବିବେକ ॥
ତୁ ପୁଣି ସଂହାର କରୁ ସୃଷ୍ଟି କରି ଜାତ ।ଅବ୍ୟକ୍ତ ପୁରୁଷ ତୁ ଯେ ବ୍ରହ୍ମାଣ୍ଡର ନାଥ ॥
ସର୍ବମୟ ସର୍ବହେତୁ ଅଟୁ ସର୍ବବ୍ୟାପୀ ।ସମସ୍ତଙ୍କ ମନ ଜାଣୁ ସର୍ବଜ୍ଞ ସ୍ୱରୂପୀ ॥
ପୁତ୍ରଶୋକ ନିଦାରୁଣ ଦୁଃଖ ବଡ଼ ପୀଡ଼ା ।ଏତେକ ମାତ୍ର ଭୋ କୃଷ୍ଣ ମୋ ଶରୀରୁ ଛଡ଼ା ॥
ଦେବକୀ ଦେବୀ ବୋଇଲେ ଶୁଣ ଗୋ ଜନନୀ ।ବାଳୁତ ପୁତ୍ରଙ୍କୁ ମୋର ମାଇଲା କି ଘେନି ॥
କି ଦୋଷ କଲେ ମୋ ପୋଏ କଂସର ଗୋ ମାତ ।ଗୋଟା ଗୋଟା କରି କଲା ଷଡ଼ପତ୍ର ହତ ॥
ଶିଳେ କଚାଡ଼ିଲା ପୁଣି ସ୍ୱହସ୍ତରେ ଧରି ।ଭଗିନୀର ପୁତ୍ର ବୋଲି ଦୟା ନ ବିଚାରି ॥
ହାତ ଗୋଡ଼େ ଦେଲା ମୋର ଲୁହାର ଶିକୁଳି ।ବନ୍ଦିରେ ମୁଁ ପଡ଼ିଥାଇ ନ ପାରଇ ଚଳି ॥
ମୋ ସମାନେ ଦଶା ଭୋଗକରେ ତୋ ଜୁଆଇଁ ।ଶୋଚନା ନ କରୁ ଦିନେ ତୁ ଆମ୍ଭର ପାଇଁ ॥
ସାଧୁ ପୁତ୍ର କଂସ ତୋର ଅଟେ ବଡ଼ଜଣ ।ତେଣୁ ସେ ବାପକୁ ଦେଲା ଦଣ୍ଡୁଆସି ପଣ ॥
ନିଜେ ରାଜା ହୋଇ ବସି ଭୋଗ କଲା ରାଜ୍ୟ ।ତୁ ତା ପାଇଁ କାନ୍ଦୁଅଛୁ ନ ମାଡ଼ଇ ଲାଜ ॥
କର୍ମେ ଯାହା ଲେଖାଥାଏ କେ କରିବ ଆନ ।ଫିଟିବ ଅନ୍ଧପଟଳ ଘେନ ପୁତ୍ର ଦାନ ॥
ଜଗନ୍ନାଥ ବୋଇଲେ ତୁ ଶୁଣିସି ଗୋ ଆଈ ।ଏତେ ପ୍ରବୋଧିଲେ ଶାନ୍ତ ନୋହୁ କାହିଁପାଇଁ ॥
ଅଭିଶାପ ଦେବୁ ବୋଲି ଅଛୁ କ୍ରୋଧ ଘେନି ।ମୋତେ ଶାପଦେଲେ ସିନାତୋର ହେବ ହାନି ॥
ଇନ୍ଦୁମତୀ ବୋଲେ ମୋର ନ ଛାଡ଼ଇ ବ୍ୟଥା ।ଶ୍ରୀକୃଷ୍ଣ ବୋଲନ୍ତି ଯାହା କରିଛି ବିଧାତା ॥
ତାହାକି ଅନ୍ୟଥା ଆଉ ହେବ ଏତେବେଳେ ।ଶୁଣି ଇନ୍ଦୁମତୀ ରାଣୀ ବୋଲେ କୋପନଳେ ॥
ମୋ ଆଗରେ ମୋ ପୁତ୍ରଙ୍କୁ କରିଲୁ ତୁ ବଧ ।ତୋ ଛାମୁରେ ତୋର ପୁତ୍ର ହ୍ୱନ୍ତୁ ଶିରଶ୍ଚେଦ ॥
ଶାପ ଦେଇ ତୁନି ହେଲା ଇନ୍ଦୁମତୀ ରାଣୀ ।ଶୁଣି ମନ୍ଦହାସ କଲେ କୃଷ୍ଣ ହଳପାଣି ॥
ସେ ବନି ଭାଇଙ୍କ ପାଦେ ଚିତ୍ତବୃତ୍ତ ଦେଇ ।କହଇ ଅଚ୍ୟୁତ ଦାସ କୃଷ୍ଣ ରସ ଧ୍ୟାୟୀ ॥
ଶ୍ରୀକୃଷ୍ଣଙ୍କ ଠାରୁ ଦେବକୀର ବରଲାଭ
କହନ୍ତି ପରୀକ୍ଷ ଆଗେ ଶୁକ ମହାମୁନି ।ଶୁଣ ନୃପ ହେତୁକରି ହରିବଂଶ ଧ୍ୱନି ॥
ଏଥୁଅନ୍ତେ ବସୁଦେବ ଆବର ଦେବକୀ ।ପରମ ସନ୍ତୋଷ ହେଲେ ରାମକୃଷ୍ଣ ଦେଖି ॥
ଆନନ୍ଦରେ ଅଶ୍ରୁଜଳ ବହେ ଘନ ଘନ ।ଉଠି କୋଳ କରି ମୁଖେ ଦିଅନ୍ତି ଚୁମ୍ୱନ ॥
ବସୁଦେବ କୋଳେ ବିଜେ କଲେ ହଳପାଣି ।ଦେବକୀ କୃଷ୍ଣଙ୍କୁ କୋଳେ ବସାଇଲେ ଆଣି ॥
ସନ୍ତାପିତ ବାଧା ଯହୁଁ ଛାଡ଼ିଲା ମନରୁ ।ଅଦ୍ଭୂତେ କ୍ଷୀରେ ସ୍ରବିଲା ଦେବକୀ ସ୍ତନରୁ ॥
ଦୁଷ୍ଟ କଂସ ନାଶଗଲା ନାହିଁ ଆଉ ଭୟେ ।ବହୁ କଷ୍ଟ ପାଇଥିଲେ ପୂର୍ବେ ବାପ ମାଏ ॥
ଆଦିତ୍ୟ ଉଇଁଲେ ଯେହ୍ନେ କମଳ ବିକଶି ।ତେସନ ପ୍ରକାରେ ବସୁଦେବ ମୁଖ ଦିଶି ॥
ପୂର୍ଣ୍ଣଚନ୍ଦ୍ର ଦେଖି ଯେହ୍ନେ ଉଲ୍ଲୋଳ ଜଳଧି ।ଦରିଦ୍ର ପାଇଲା କିବା କୁବେର ସମୃଦ୍ଧି ॥
ଜନ୍ମାନ୍ଧକୁ ପ୍ରାପ୍ତ ହେଲା କିବା ଚକ୍ଷୁବେନି ।ମୃତ ପ୍ରାଣୀ ବଞ୍ଚିଲା କି ପୂର୍ବ ଦେହ ଘେନି ॥
ଜଗତ ବନ୍ଦନ ସ୍ୱାମୀ ଅନାଦି ପୁରୁଷ ।ତାଙ୍କୁ ଦେଖି କିଏ ଅବା ନୋହିବ ହରଷ ॥
ସେ ଲାବଣ୍ୟ କୋଟି ନିଧି ସର୍ବ ଅନ୍ତର୍ଯ୍ୟାମୀ ।ଜୀବେ ଜୀବେ ପୂରିଛନ୍ତି ଯେଉଁ ଦେବସ୍ୱାମୀ ॥
ଧନ୍ୟ ସେ ଦେବକୀ ନାରୀ ଧନ୍ୟ ବସୁଦେବ ।କାହିଁବସି ପୁଣ୍ୟ ଅର୍ଜିଥିଲେ ଅସମ୍ଭବ ॥
କେବଣ ତୀର୍ଥରେ ଅବା କରି କେଉଁ ତପ ।ରଜ ବୀର୍ଯ୍ୟେ ଜାତ କଲେ ଅବ୍ୟକ୍ତ ସ୍ୱରୂପ ॥
ପୃଥିବୀର ଭାରାଭର ନିବାରିବା ପାଇଁ ।ଅଦିତି କଶ୍ୟପ ଦୁହେଁ ମର୍ତ୍ତ୍ୟେ ଜନ୍ମ ହୋଇ ॥
ବନ୍ଦିଘରେ ରହିଥିଲେ ପାଇ ଯେତେ ବ୍ୟଥା ।ପୁଣି ସେହି ଘରେ କୃଷ୍ଣ ଜନ୍ମ ହେବା କଥା ॥
ଯମୁନା ନଦୀକି ପାର ହୋଇଯିବା ବେଳେ ।ଯେତେ କଷ୍ଟ ଭୋଗ କରିଥିଲେ ନିଶାକାଳେ ॥
ସେଦିନୁ ବିଚ୍ଛେଦ ହୋଇଥିଲେ ଯେ ଯାହାରେ ।ଆଠ ବରଷରେ ଭେଟି ହେଲେ ଏକଠାରେ ॥
ବଢ଼ିଲାକ ଅସମ୍ଭବ ସ୍ନେହ ଅନୁକ୍ଷଣେ ।ପରମ ସନ୍ତୋଷ ହେଲେ ଦେଖି ଜଣେ ଜଣେ ॥
ଆପେ ଇନ୍ଦୁମତୀ ରାଣୀ ଘେନି ଅର୍ଘ୍ୟଥାଳୀ ।ବନ୍ଦାପନା କଲେ ଆଣି ରାମ ବନମାଳୀ ॥
ଉଗ୍ରସେନ ସହିତରେ ଯଦୁବଂଶ ବୀରେ ।ଆନନ୍ଦ ହୁଅନ୍ତି ଦେଖି ସର୍ବେ ପରସ୍ପରେ ॥
ମୁଖେ ହୁଳହୁଳି ଦେଇ ସଧବା କାମିନୀ ।ରାମ କୃଷ୍ଣ ବନ୍ଦାଇଲେ ଅର୍ଘ୍ୟଥାଳୀ ଘେନି ॥
ଦୋଷରୀ ମହୁରୀ ଶଙ୍ଖ ବାଦ୍ୟ ବୀରତୁର ।ଉପାଙ୍ଗ କାହାଳି ବଂଶୀ ବୀଣା ଯନ୍ତ୍ର ସାର ॥
ଢ଼ୋଲ ଦମା ମର୍ଦ୍ଦଳ ଯେ ଟମକ ନିଷାଣ ।ଦାଉଣ୍ଡି ପଟହ ବିଜିଘୋଷ ବଜ୍ରବାଣ ॥
ନୃତ୍ୟକାଳେ ତାଳ ଧରି ଗାଆନ୍ତି ସୁସ୍ୱରେ ।ସୁଲଳିତ ଗୀତ ବାଦ୍ୟ ଶୁଭେ ନିରନ୍ତରେ ॥
ନାଚନ୍ତି ତାଣ୍ଡବ ରଙ୍ଗେ ବାରବିଳାସିନୀ ।କଂସାଳ ବଜାଇ ନାଚେ କେବଣ କାମିନୀ ॥
ଶୋଭଇ ମଥୁରା ପୁର ଦିଶେ ଅତି ସଞ୍ଚ ।ପଟାନ୍ତର ନାହିଁ ସ୍ୱର୍ଗ ରସାତଳ ମଞ୍ଚ ॥
ହାତୀ ରଥୀ ପଦାତିରେ ଗହଳ ଯେ ଥାଟ ।ତ୍ରେତାଯୁଗେ ରାମ ଯେହ୍ନେ ବାନ୍ଧିଥିଲେ ପାଟ ॥
କୋଟିପାଦେ କମଳିନୀ ବିଜେକଲେ ଯାଇ ।ଅବସନ୍ତେ ବସନ୍ତ ଯେ ବହେ ଆଜ୍ଞା ପାଇ ॥
ଇନ୍ଦ୍ର ବାରସ୍ୱତୀ କି ସେ କୁବେର ଅଳକା ।ଘରେ ଘରେ ପୂର୍ଣ୍ଣ ହେଲା ସମ୍ପଦ ଅଲେଖା ॥
ସ୍ୱଦେହ ବିଜୟ ଯହିଁ ଲକ୍ଷ୍ମୀର ବିଳାସ ।ସେ ପୁରକୁ ପଟାନ୍ତର ଦେବା ଆଉ କିସ ॥
ଆପେ ବିଶ୍ୱକର୍ମା ଆସି ବହୁରୂପ ହୋଇ ।ନଗର ନିର୍ମାଣ କଲେ କୃଷ୍ଣ ଆଜ୍ଞା ପାଇ ॥
ଅପୂର୍ବ ନଗର ଶୋଭା ମନୋହର ଭୂମି ।ଦିବ୍ୟରୂପେ ଯହିଁ ବିଜେ ନାରାୟଣ ସ୍ୱାମୀ ॥
ମଙ୍ଗଳାରୋପଣ ବିଧି ହେଲା ଘରେ ଘରେ ।ଶ୍ରଦ୍ଧା ପାଇ ଦେଖୁଛନ୍ତି ଲୋକେ ଯେ ଯାହାରେ ॥
ଦେବକୀ କୋଳରେ ବିଜେ ପ୍ରଭୁ ନାରାୟଣ ।ବସୁଦେବ କୋଳେ ବିଜେ ହେଲେ ସଂକର୍ଷଣ ॥
ଅବନୀର ଭାରାଭର ଉଶ୍ୱାସିବା ପାଇଁ ।ଯଦୁକୁଳେ ଜନ୍ମିଛନ୍ତି ବ୍ରହ୍ମାଣ୍ଡ ଗୋସାଇଁ ॥
ଅଷ୍ଟ ବରଷଇ ପୁତ୍ର ରୂପେଣ ସୁନ୍ଦର ।ନିର୍ମଳ ଆକାଶେ ଯେହ୍ନେ ଉଦେ ଶଶଧର ॥
ବିକଚ କମଳ ନେତ୍ର ଦର୍ହସିତ ମୁଖ ।ଦେଖିଣ ଯାଦବେ ମନୁ ପାସୋରିଲେ ଦୁଃଖ ॥
ସମସ୍ତଙ୍କ ମନ ଜାଣି ପ୍ରଭୁ ଦୟାନିଧି ।ଏକ ଆରେକେ ମାନନା କଲେ ଯଥାବିଧି ॥
ସାତବଂଶ ଯାଦବେ ହିଁ କୃଷ୍ଣପାଦେ ସେବା ।କରିଣ ଜାଣିଲେ ନିଶ୍ଚେ ଏ ଦେବାଧିଦେବା ॥
ଚର୍ମନେତ୍ରେ ଅଗୋଚର ହେଲେ ଦେହବନ୍ତା ।ଦେଖିବା ତାଙ୍କର ମୁଖ ଛାଡ଼ି ସବୁ ଚିନ୍ତା ॥
ଆସ ଏବେ ବିହରିବା ସର୍ବେ ତାଙ୍କ ସଙ୍ଗେ ।ପାପ କ୍ଳେଶ ଆଧି ବ୍ୟାଧି ନ ରହିବ ଅଙ୍ଗେ ॥
ଏସନ ପରମାନନ୍ଦ ଯଦୁବୀରେ ହୋଇ ।ଅନେକ ପ୍ରଶଂସା କଲେ ବସୁଦେବ ଚାହିଁ ॥
ଏଥୁଅନ୍ତେ ରବି ଅସ୍ତ ହେଲେ ପଶ୍ଚିମରେ ।ବନ୍ଦାପନା ସାରି ସର୍ବେ ଗଲେ ଯେଝା ଘରେ ॥
ରାମ କୃଷ୍ଣ ବସୁଦେବ ରାଜା ଉଗ୍ରସେନ ।ଦେବକୀ ସହିତେ ଗଲେ ଆପଣା ଭୁବନ ॥
ସକଳ ଗୋପାଳବୃନ୍ଦ ନନ୍ଦ ଆଦି କରି ।ମଣୋହି ମନ୍ଦିରେ ବିଜେ ବଳଦେବ ହରି ॥
ଆପଣେ ଦେବକୀଦେବୀ ପରଷନ୍ତି ଅନ୍ନ ।ଅଧାମ ଲବଣୀ ଘୃତ ବିବିଧ ବ୍ୟଞ୍ଜନ ॥
ଇକ୍ଷୁ ପଇଡ଼ର ପଣା କ୍ଷୀର ଖଣ୍ଡ ଚିନି ।ଅପୂର୍ବ କ୍ଷୀରୀସା କ୍ଷୀରି ସୁବାସିତ ପାଣି ॥
ନାନାବିଧ ପକ୍ୱଫଳ ନାନା ସ୍ୱାଦୁ ଦ୍ରବ୍ୟ ।ଭୁଞ୍ଜନ୍ତି ଶ୍ରୀରାମ କୃଷ୍ଣ ପରଷନ୍ତି ସର୍ବ ॥
ଷଡ଼ରସ ଯେତେ ବିଧି ନାନାଦି ରାନ୍ଧଣା ।ପୁଅଙ୍କୁ ସୁସ୍ୱାଦୁ ହୁଏ ଏକୁ ଏକ ଜିଣା ॥
ଜଣ ଜଣ ପ୍ରତି କୃଷ୍ଣ ପରସନ୍ନ ହୋଇ ।ଭୁଞ୍ଜାଇଲେ ମିଷ୍ଟ ଅନ୍ନ ଚାଟୁବାକ୍ୟ କହି ॥
ଭୁଞ୍ଜିଣ ସନ୍ତୋଷ ହେଲେ ରାମ ଶିରୀପତି ।ଆଚମନ ସାରି ବସ୍ତ୍ରେ ଶ୍ରୀମୁଖ ପୋଛନ୍ତି ॥
କର୍ପୂର ଚନ୍ଦନ ପାନ ନିଜେ ଲାଗି ହୋଇ ।ସନ୍ତୋଷ ହୋଇଲେ ପୁଣି ସନସ୍ତଙ୍କୁ ଦେଇ ॥
ଲାଗିଲା ଦିହୁଡ଼ି ଦୀପ ହୁଅନ୍ତେ ରଜନୀ ।ଗଗନ ମଣ୍ଡଳେ ଉଦେ ହେଲେ ନିଶାମଣି ॥
ବସୁଦେବ ପୁରେ ସ୍ୱାମୀ ନିଶ୍ଚିନ୍ତେ ରହିଲେ ।ଚନ୍ଦ୍ରଶାଳା ପୁରେ ରତ୍ନଖଟେ ବିଜେ କଲେ ॥
ସକଳ ଗୋପାଳେ ନିଦ୍ରାଗଲେ ନାନରଙ୍ଗେ ।ପଲ୍ୟଙ୍କେ ଶୋଇଲେ ନନ୍ଦ ରାମକୃଷ୍ଣ ସଙ୍ଗେ ॥
ନାନା କଥା ପ୍ରସଙ୍ଗରେ ନିଶି ହେଲା ଶେଷ ।ରବି ତଳେ ପରିମଳ ଦିଶେ ଦଶ ଦିଶ ॥
ପ୍ରାତେ ଉଠି ନିତ୍ୟକର୍ମ ସାରି ଯେ ଯାହାରେ ।ସମସ୍ତ ଯାଦବେ ଆସି ବସିଲେ ସଭାରେ ॥
ସହସ୍ର ବଖରା ଘର ନଗ୍ର ସିଂହଦ୍ୱାରେ ।ସବୁ ମଣ୍ଡା ହୋଇଅଛି ପାଟ ପତନିରେ ॥
ପାଞ୍ଚ ନଳ ଆୟତନ ବଖରାର ସ୍ଥଳୀ ।ଝିଙ୍କର ଛାଏଣୀ ଶୁଦ୍ଧ ସୁବର୍ଣ୍ଣର ଝଳି ॥
ହେଙ୍ଗୁଳ ଯେ ହରିତାଳ ହୀରା ନୀଳା କମ ।ଝଲକ ପାତିଆ ସଙ୍ଗେ ରସାଣିଲା ହେମ ॥
ଇନ୍ଦ୍ର ଗୋବିନ୍ଦ ଚାନ୍ଦୁଆ ଟଣା ଝିନବାସେ ।ବିଚିତ୍ର ଚାରୁ ଚାମର ଲମ୍ୱେ ଚଉପାଶେ ॥
ସୁବାସ କୁସୁମ ଜାତି ମଲ୍ଲିକା ମାଳତୀ ।ପୁନ୍ନାଗ ଚମ୍ପକ ଝରା ଶୋଭା ଦିଶେ ଅତି ॥
କ୍ଷୁଦ୍ର ଘଣ୍ଟି ଘାଗୁଡ଼ି ଯେ ଦରପଣ ପନ୍ତି ।ମଧ୍ୟାହ୍ନ ଆଦିତ୍ୟ ପ୍ରାୟ ତେଜେ ବିରାଜନ୍ତି ॥
ସ୍ଫଟିକ ସ୍ତମ୍ଭ ଉପରେ ବୈଡ଼ୁର୍ଯ୍ୟ ଖଞ୍ଜଣି ।ମାରାଗ ପାବଚ୍ଛ ଦିଶେ ଚନ୍ଦ୍ର ଜ୍ୟୋତି ଜିଣି ॥
ଧନ୍ୟ ରାଜଶିରୋମଣି କଂସ ବଳବନ୍ତ ।ଅର୍ଜିଲା ଅଶେଷ ଲକ୍ଷ୍ମୀ ଜିଣି ତ୍ରିଜଗତ ॥
ଏହି ସୋମବଂଶେ ପୂର୍ବେ ଥିଲେ ଯେତେ ରାଜା ।ନହୁଷ ନୃପ ଘେନିଲା ସ୍ୱର୍ଗେ ଇନ୍ଦ୍ର ପୂଜା ॥
ପୁରୁରବା ନୃପ କଥା ଲୋକେ ଅଗୋଚର ।ଯଯାତି ଯଦୁ ଏ ଦୁହେଁ ସପ୍ତ ଦ୍ୱୀପେଶ୍ୱର ॥
ଆବର ଯେତେକ ରାଜା ଥିଲେ ସୋମବଂଶୀ ।ପରମ ମହାତ୍ମା ସର୍ବେ କ୍ଷତ୍ରୀ ଗୁଣରାଶି ॥
ଧନ୍ୟ ସେ ପୁରୁଷମାନେ ଏକୁ ଏକ ବଳି ।ସେମାନଙ୍କଠାରୁ କଂସ ଅଟେ ମହାବଳୀ ॥
ସ୍ୱର୍ଗ ମର୍ତ୍ତ୍ୟ ରସାତଳ ଜିଣି ଭୁଜବଳେ ।ଏକଚକ୍ରବର୍ତ୍ତୀ ରାଜା ହେଲେ ରବିତଳେ ॥
ତା ନାମ ଧରନ୍ତେ ସ୍ୱର୍ଗେ ଡରନ୍ତି ତ୍ରିଦଶେ ।ଦୁର୍ବୁଦ୍ଧି ଅର୍ଜିଲା ଯହୁଁ ମଲା ଅଳ୍ପାୟୁଷେ ॥
ବସିଲା ସେ ପାଟ ମାଡ଼ି ଏବେ ଉଗ୍ରସେନ ।ଅମାତ୍ୟ ହୋଇଲେ ତାର ହଳୀ ଭଗବାନ ॥
ବେଭାରେ ରାଜାର ନାତି ଦୁହିତାର ପୁତ୍ର ।ସମସ୍ତେ ଡରିଲେ ଯହୁଁ କଂସ କଲେ ହତ ॥
ସକଳ ଯାଦବେ ତାଙ୍କୁ ଦରଶନ କରି ।ରାଜାଙ୍କୁ ଦର୍ଶନ କଲେ ରାଜକର୍ମଚାରୀ ॥
ସାତ୍ୟକି ଉଦ୍ଧବ ଅନାଧୃଷ୍ଟ ଏ ସହିତେ ।ପାତ୍ର ଅମାନାତ୍ୟେ ବେଢ଼ି ଅଛନ୍ତି ସମସ୍ତେ ॥
ରତ୍ନ ସିଂହାସନ ମାଡ଼ି ବସିଛନ୍ତି ରାୟେ ।ପଟୁଆରେ ବେଢ଼ିଛନ୍ତି ଦୃଷ୍ଟିପଥ ଯାଏ ॥
ଏ ସମୟେ ବସୁଦେବ ରାମକୃଷ୍ଣ ତୁଲେ ।ନବରୁ ବାହାର ହୋଇ ରାଜାଙ୍କୁ ଭେଟିଲେ ॥
ଖଣ୍ଡେଦୂରୁ ରାମକୃଷ୍ଣ ଶୁତି ପାଏ ପଡ଼ି ।କୋଳ କଲେ ଉଗ୍ରସେନ ସିଂହାସନ ଛାଡ଼ି ॥
ବସୁଦେବ ପାଏ ପଡ଼ି ଶୁତିଲେ ବହନ ।ହରଷରେ କୋଳ କଲେ ତାଙ୍କୁ ଉଗ୍ରସେନ ॥
ସିଂହାସନେ ରାମକୃଷ୍ଣ ଦୁହିଙ୍କୁ ବସାଇ ।ଉଭା ହେଲେ ଉଗ୍ରସେନ କାଖେ ହସ୍ତ ଦେଇ ॥
ଗୋବିନ୍ଦ ବୋଇଲା ଅଜା ତୁମ୍ଭେ ଅଟ ଗୁରୁ ।ଆମ୍ଭେ ଯାହା କହୁ ତାହା କିପାଁ ନାସ୍ତି କରୁ ॥
ଏ ମଥୁରା କଟକେ ତୁ ଅଟୁ ମହାରାଜା ।ସକଳେ କରିବୁ ଆମ୍ଭେ ତୋ ପାଦରେ ପୂଜା ॥
ତୁମ୍ଭଙ୍କୁ ମାନନା ଆମ୍ଭେ କରିଥିବୁ ନିତ୍ୟେ ।ତା ନୋହିଲେ ରାଜାମାନେ ମାନିବେ କେମନ୍ତେ ॥
ଶତ୍ରୁମାନେ ଉପହାସ କରିବେ ୟା ଶୁଣି ।ଏସନକ ଆଜ୍ଞା ଦେଇ ପ୍ରଭୁ ଚକ୍ରପାଣି ॥
ବୋଇଲେ ତୁ ଚକ୍ରବର୍ତ୍ତୀ ଭୋଜବଂଶ ରାଜା ।ବିଶେଷରେ ପୂଜ୍ୟତମ ଅଟୁ ଆମ୍ଭେ ଅଜା ॥
ପଣ୍ଡିତ ବିବେକ ଜ୍ଞାତୀ ନୀତିତତ୍ତ୍ୱ ଜ୍ଞାତା ।ଭୂତ ଭବିଷ୍ୟତ ଆଦି ଜାଣୁ ସବୁ କଥା ॥
ଚିତ୍ତ ଦୃଢ଼ କରି ରାଜଲକ୍ଷ୍ମୀ ଭୋଗକର ।ମର୍ତ୍ତ୍ୟେଇନ୍ଦ୍ର ପଦ ଆଝୁ ହୋଇଲା ତୋହର ॥
ଏମନ୍ତ ଆଶ୍ୱାସ ବାକ୍ୟ କହି ଚକ୍ରପାଣି ।ଯୁଗାବଧି ପାଟ ମାଥେ ବାନ୍ଧିଲେକ ଆଣି ॥
ବୋଇଲେ ମୁଁ ଯେତେ ଦିନ ଥିବି ଦେହବହି ।ସତେଦିନ ଯାଏ ତୋତେ ମୃତ୍ୟୁବାଧା ନାହିଁ ॥
ଗ୍ରହପୀଡ଼ା ଆଧି ବ୍ୟାଧି ରିଷ୍ଟ ରିପୁଭୟ ।ଜରାଜୀର୍ଣ୍ଣ ବାଧା ଲାଭ ନ କରୁ ତୋ କାୟା ॥
ବସୁଦେବ ଇନ୍ଦୁମତୀ ଦେବକୀ ସହିତେ ।ଏହିମତେ ଦେହ ଘେନି ଥିବେ ଏ ସମସ୍ତେ ॥
ପୁତ୍ର ନାତି ପଣନାତି କୁଟୁମ୍ୱ ସହିତେ ।ଇନ୍ଦ୍ରପଦ ଭୋଗ କରି ରହିବ ନିଶ୍ଚିନ୍ତେ ॥
ଆସ ଆସ ଅଜା ସିଂହାସନେ ବିଜେକର ।କଂସ ମଲା କଥା ଆଉ ଶୋଚନା ନ କର ॥
ଏହା ଶୁଣି ଉଗ୍ରସେନ ହେଲେ ମହାତୃଷ୍ଟି ।ଚାତକ ମୁଖରେ ଯେହ୍ନେ ଜଳଧାରା ବୃଷ୍ଟି ॥
ରାମ କୃଷ୍ଣଙ୍କର ନିରାଧାର ବାକ୍ୟ ଶୁଣି ।ମନରୁ ସକଳ ଭ୍ରାନ୍ତି ଛାଡ଼ି ନୃପମଣି ॥
ରାଜା ହୋଇବାକୁ ମନେ ନ ଥିଲା ଶରଧା ।ରାମକୃଷ୍ଣ ଛଡ଼ାଇଲେ ସବୁ ଭୟ ବାଧା ॥
ନିର୍ଭୟେ ବସିଲା ରାଜା ସିଂହାସନ ମାଡ଼ି ।ସମସ୍ତ ବେଦନା ତାର ମନୁ ଗଲା ଛାଡ଼ି ॥
ସକଳ ଯାଦବେ ଦେଖି ହେଲେ ତୋଷମନ ।ବହିଲେ ରାଜ୍ୟର ଭାର ରାଜା ଉଗ୍ରସେନ ॥
ଆସ୍ଥାନେ ଯେ ମଉଳିଲା ରାଜା ଗଲେ ଉଠି ।ଯେ ଯାହା ପୁରକୁ ଗଲେ ଯାଦବେ ଲେଉଟି ॥
ବଳଦେବ ଜଗନ୍ନାଥ ବସୁଦେବ ତିନି ।ସଙ୍ଗେ ଅଛି ନନ୍ଦରାଜା ଗୋପାଳଙ୍କୁ ଘେନି ॥
ଶ୍ରୀପୟରେ ଲୀଳା ବିଜେକଲେ ବେନିଭାଇ ।ଆପଣା ନବରେ ସ୍ୱାମୀ ପ୍ରବେଶିଲା ଯାଇ ॥
ଖଣ୍ଡେକ ଦୂରୁ ଦେବକୀ ପୁତ୍ର ମୁଖ ଦେଖି ।ତଳେ ଉଭାହେଲେ ଦେବୀ ପଲ୍ୟଙ୍କ ଉପେଖି ॥
ଦୁଇ ଭାଇ ହୋଇଛନ୍ତି ହସ୍ତ ଧରା ଧରି ।ମାତାଙ୍କ ପାଦରେ ଦୁହେଁ ନମସ୍କାର କରି ॥
ଆନନ୍ଦ ଗଦ୍ଗଦେ ମାତା ପୁତ୍ରେ କୋଳକଲେ ।ଆଶ୍ୱାସନା କରି ଦେବୀ ମୁଖେ ଚୁମ୍ୱ ଦେଲେ ॥
ଶ୍ରୀଅଙ୍ଗ ବାହୁନି ମାଏ ପୁଣି କଲେ ସ୍ତୁତି ।ତୁ ଅନାଦି ଅଣାକାର ଅବ୍ୟକ୍ତ ମୂରତି ॥
ନିର୍ମଳ ନୀଳେନ୍ଦୀଦଳ ପ୍ରାୟ ଦିଶେ ତନୁ ।ଆକାଶରେ ଉଦେ କିବା ହେଲା ଇନ୍ଦ୍ରଧନୁ ॥
ଯେଡ଼େବୋଲ ତେଡ଼େ ହୋଇପାରନ୍ତି ତ ଏହି ।ପୁରାଣ ପୁରୁଷ ବିଷ୍ଣୁ ସନାତନ ଦେହୀ ॥
ଏହାର ମୟାରୁ ଜାତ ହେଲା ଭାରାଭର ।ଅବ୍ୟକ୍ତି ଅଲେଖ ନିରଞ୍ଜନ ନିରାକାର ॥
ମୁଁ ସିନା ପାସୋରିଥିଲି ପୂର୍ବଜନ୍ମ ବିଧି ।ଅଭିଶାପ କ୍ଷୟ ଗଲା ହେଲା କାର୍ଯ୍ୟସିଦ୍ଧି ॥
ଗୋମାତାଙ୍କ ଶାପରୁ ମୁଁ ପାର ହେଲି ଏବେ ।ତୁମ୍ଭେ ନାରାୟଣ ଯେଣୁ ଜାତହେଲେ ଗର୍ଭେ ॥
ମାନବ ଦେହେ ଅଜ୍ଞାନ ହୋଇଥିଲି ଢ଼ାଳେ ।ତୁମ୍ଭଙ୍କୁ ଦେଖିଣ ଜ୍ଞାନ ହେଲା ଯୋଗବଳେ ॥
ମୁଁ ଦେବକୀ କଉଶଲ୍ୟା ରେଣୁକା ଅଦିତି ।ଭାରା ନିବାରଣ ଅର୍ଥେ ଜାତ ଚାରିମୂର୍ତ୍ତି ॥
ସବୁକାଳେ ମୋ ଗର୍ଭରୁ ତୁମ୍ଭେ ହୁଅ ଜାତ ।ମୁହିଁ ଅଟେ ଆଦିଦେବୀ ତୁମ୍ଭ ବୃଦ୍ଧାମାତ ॥
ତୁମ୍ଭଙ୍କୁ ପ୍ରସବକରି ପାଇ ଯୋଗମାର୍ଗ ।ପୂର୍ବହେତୁ ଦୃଶ୍ୟ ହେଲା ଲାଭ ହେଲା ସ୍ୱର୍ଗ ॥
ଯେତେଦିନ ତୁମ୍ଭଙ୍କୁ ମୁଁ ନ ଦେଖିଲି ବାବୁ ।ଦଶଦିଗ ଅନ୍ଧକାର ହୋଇଥିଲା ସବୁ ॥
ଏବେ ଯେ ଦେଖିଲି ତୁମ୍ଭରୂପ ପଦ୍ମମୁଖ ।ଖଣ୍ଡିଲି ସକଳ ଭୟ ଜନ୍ମ ମୃତ୍ୟୁ ଦୁଃଖ ॥
ବନ୍ଦୀଗୃହରେ ପ୍ରସବ ଦିନର ଯେ କଥା ।ଦଇବ ଜାଣଇ ଏକା ମୋହର ଅବସ୍ଥା ॥
ଏବେ ତ ସେ କଥା ଆଉ ନାହିଁ ମୋର ମନ ।ତୁମ୍ଭଙ୍କୁ ଦେଖିଲି ଦୃଶ୍ୟ ହେଲା ଦିବ୍ୟଜ୍ଞାନ ॥
ଏ ବଳରାମକୁ ଜାତ କଲି ଯେଉଁ ଦିନ ।ମରୁ ଅବା ଜୀଉ ବୋଲି ମୂର୍ଚ୍ଛିଥିଲି ଜାଣ ॥
ରୋହିଣୀ ତା ସଂହାରିଲା ଦେବ ଆଜ୍ଞା ପାଇ ।ପ୍ରଳମ୍ୱା ଅନ୍ତୁଡ଼ିଶାଳୁ ନେଲାକ ଚୋରାଇ ॥
ବୁଲାଇ ଫିଙ୍ଗନ୍ତେ ଦୈତ୍ୟ ପାଦ ବାଜି ମଲା ।ଗୋପାଳେ ଦେଖିଲେ ପୁତ୍ର ଗୋଷ୍ଠେ ପଡ଼ିଥିଲା ॥
ଏ ନନ୍ଦ ସହିଲା ପୁଣି ତୁମ୍ଭର ଆର୍ଦ୍ଦୋଳି ।ଜଗତ ସୋଦର ତୁମ୍ଭେ ରାମ ବନମାଳୀ ॥
ପାଇଲି ପୂର୍ବର ହେତୁ ଯିବି ସ୍ୱର୍ଗପୁରୀ ।ନିଜ ଧାମ ପ୍ରାପ୍ତ ମୋତେ କର ଦେବହରି ॥
ଗୋବିନ୍ଦ ବୋଇଲେ ମାତ ଆମ୍ଭକଥା ଶୁଣ ।ଆମ୍ଭଭଳି ପୁତ୍ର ପାଇ ହୋଇବ କାରଣ ॥
ଦ୍ୱାପର ଭାରତ ଯୁଦ୍ଧେ ହେବ ନାନାରଙ୍ଗ ।ରକତେ କର୍ଦ୍ଦମ ହେବ ହାତୀ ରଥୀ ଅଙ୍ଗ ॥
ଆବର ଦେଖିବ କେତେ ନାତି ପଣନାତି ।ଦାସୀପଣେ ଖଟିଥିବେ ଲକ୍ଷ୍ମୀ ସରସ୍ୱତୀ ॥
ବିପୁଳ କୁଟୁମ୍ୱ ଧନ ଜନ ବନ୍ଧୁବର୍ଗ ।ମାଗୋ ତୁମ୍ଭେ ଯହିଁ ଥିବ ତହିଁ ଥିବ ସର୍ବ ॥
ଏ ସକଳ ଭୋଗକର ନରତନୁ ବହି ।ତୁମ୍ଭେ ବାଞ୍ଛା କଲେ ଅବା କିସ ନ ମିଳଇ ॥
ଆମ୍ଭେ ବେନିଭାଇ ନିଜେ କରୁଥିବୁ ସେବା ।ସମୟେକ ଅନ୍ତେ ସର୍ବେ ଏକାବେଳେ ଯିବା ॥
ଦେବକୀ ବୋଇଲେ ତୁମ୍ଭେ ଭିଆଇଛ ସବୁ ।ଯେ ତୁମ୍ଭର ଆଜ୍ଞା ତାହା କେ ଲଘିଂବ ବାବୁ ॥
ତୋ ନାମ ଧରନ୍ତେ ହେବୁ ଭବନଦୀ ପାରି ।ତୋ ଶ୍ରୀମୁଖ ଦେଖୁଥିଲେ ସ୍ୱର୍ଗ ନୁହେ ସରି ॥
ନିସ୍ତରିଲି ନିସ୍ତରିଲି ସ୍ୱର୍ଗେ କାର୍ଯ୍ୟ ନାହିଁ ।ସମୟେକ ବଞ୍ଚିଥିବି ତୁମ୍ଭ ମୁଖ ଚାହିଁ ॥
କଲା କର୍ମମାନ ତୁମ୍ଭେ କରିପାର ଆନ ।ମାଗିବଇଁ ଏକ ବର ଦିଅ ଭଗବାନ ॥
ଶ୍ରୀକୃଷ୍ଣ ବୋଇଲେ ମାତା ଯେ ତୁମ୍ଭର ଇଚ୍ଛା ।ସେହି ବର ମାଗି ଘେନ ପୂର୍ଣହେଉ ବାଞ୍ଛା ॥
ଦେବକୀ ବୋଇଲେ ସର୍ବଘଟେ ତୁ ପୂରିଛୁ ।ଆପଣେ ସକଳ ଜାଣୁ ମୋତେ କିପାଁପୁଚ୍ଛୁ ॥
ଛ ପୁତ୍ର ମାଇଲା ମୋର କଂସ ମହାରଥା ।ମୁଁ ତାହା ସୁମରି ମନେ ପାଉଅଛି ବ୍ୟଥା ॥
ତାହାନ୍ତ ଜୀଆଇ ଯେବେ ଆଣିପାରୁ ବାବୁ ।ତେବେ ସେ ଜାଣିବି ମୋତେ ପ୍ରାପ୍ତ ହେଲା ସବୁ ॥
ତୁ ଯେବେ ପ୍ରାପତ ମୋତେ ହେଲୁ ନାରାୟଣ ।ଏ ଦେହରେ ପାଇବି ମୁଁ ଅସମ୍ଭବ ଜାଣ ॥
ଜଗନ୍ନାଥ ବୋଇଲେ ଗୋ ମାତ ହୁଅ ସ୍ଥିର ।ଅବଶ୍ୟ ପୁତ୍ରଙ୍କୁ ଆଣିଦେବି ମୁଁ ତୁମ୍ଭର ॥
ସାନ୍ଦୀପନୀ ପଣ୍ଡା ଘରେ ବିଦ୍ୟା ପଢ଼ିଯାନ୍ତେ ।ଗୁରୁ ଦକ୍ଷିଣା ମାଗିବେ ପ୍ରସନ୍ନ ହୁଅନ୍ତେ ॥
ତାହାଙ୍କର ଷଡ଼ପୁତ୍ର ଯାଇଛନ୍ତି ନାଶ ।ସେ ମଧ୍ୟ ଆମ୍ଭଙ୍କୁ ପୁତ୍ର ମାଗିବେ ଅବଶ୍ୟ ॥
ସଂଯବନୀପୁର ଆମ୍ଭେ ଯିବୁ ତହିଁପାଇଁ ।ଏକାବେଳେ ସବୁ ପୁତ୍ର ଆଣିବୁ ଜୀଆଇଁ ॥
ଦେବକୀ ବୋଇଲେ ବାବୁ ଯେ ତୁମ୍ଭର ଇଚ୍ଛା ।ବିହନ୍ତା ପୁରୁଷ ତୁମ୍ଭେ ଅଟ ପୁଣ୍ୟ ଦୀକ୍ଷା ॥
ଏ ତୁମ୍ଭର ବଚନ କେ କରିବ ଅନ୍ୟଥା ।ପୁତ୍ର ନ ଦେଖିଲେ ମୋର ନ ଛାଡ଼ଇ ବ୍ୟଥା ॥
ଶ୍ରୀକୃଷ୍ଣ ବୋଇଲେ ମାତ ଏହା ଲାଗେ ମୋତେ ।ଜୀଆଇଁ ପୁତ୍ରଙ୍କୁ ନିଶ୍ଚେଁ ଆଣିଦେବି ତୋତେ ॥
ଦେବକୀ ସଂପ୍ରତେ ଗଲେ କୃଷ୍ଣ ବଚନକୁ ।ସେ କଥା ପାଇଲା ବସୁଦେବଙ୍କ ମନକୁ ॥
ପ୍ରତ୍ୟକ୍ଷେ କଶ୍ୟପ ମୁନି ଗାୟତ୍ରୀଙ୍କ ଶାପେ ।ନରତନୁ ବହିଛନ୍ତି ବସୁଦେବ ରୂପେ ॥
ଜନ୍ମ ହୋଇ ବସୁଦେବେ କୃଷ୍ଣ କରି ମାୟା ।ଆପେ ଚତୁର୍ଭୁଜ ହୋଇ ଦେଖାଇଲେ କାୟା ॥
ନିଶାରେ ଯମୁନା ନଦୀ ଗଲେ ପାର ହୋଇ ।ନନ୍ଦ ଘରୁ ଆଣିଥିଲେ କନ୍ୟା ପାଲଟାଇ ॥
ତାହା ସବୁ ବସୁଦେବ ବିଚାରନ୍ତି ମନେ ।ଶ୍ରୀହରିଙ୍କ ଅବତାର ଜାଣି ଦିବ୍ୟଜ୍ଞାନେ ॥
ସେ କୃଷ୍ଣଙ୍କ ପାଦତଳେ ନିବେଶି ମାନସ ।କହଇ ଅଚ୍ୟୁତାନନ୍ଦ ଗୀତେ ହରିବଂଶ ॥