ଗୋପାଳଙ୍କ ସହିତ ନନ୍ଦର ଗୋପପୁର ପ୍ରତ୍ୟାବର୍ତ୍ତନ (୩) — ହରିବଂଶ (ଚତୁର୍ଥ ଖଣ୍ଡ) — ଅଚ୍ୟୁତାନନ୍ଦ ଦାସ · ସ୍ୱର୍ଣ୍ଣଲିପିକେବଣ ଦେବତା କୂଟେ ଧରିଛନ୍ତି ବପୁ ।କି ଅବା ଏ କାମଦେବ ସଦାଶିବ ରିପୁ ॥
ତିନିହେଁ ଦିଶନ୍ତି ନୀଳ ଧବଳ ଶ୍ୟାମଳ ।ଧନ୍ୟ ଜନ୍ମ ତାର ଅଟେ ଏ ଯାହାର ବାଳ ॥
ଏ ନଗ୍ର ଭିତରେ ୟାଙ୍କୁ ଦିନେ ଦେଖା ନାହିଁ ।ଜଗମୋହନ ପୁରୁଷ ଗୁପ୍ତେ ଥିଲେ କାହିଁ ॥
ଏ ଚାଟଶାଳୀର ଆଜି ବିକାଶିଲା ପୁଣ୍ୟ ।ଏହାଙ୍କୁ ପଢ଼ାଇ ଗୁରୁ ବୋଲାଇବେ ଧନ୍ୟ ॥
ଏସନ ବିଚାରି ଚାଟେ ଛାଡ଼ିଲେ ପଢ଼ିବା ।କେବଳ ଦେଖନ୍ତି ନେତ୍ରେ ରାମକୃଷ୍ଣ ଶୋଭା ॥
ନୀଳେନ୍ଦି ଦଳ ପରାୟେ ଦିଶେ ଦିବ୍ୟ ବପୁ ।ବାଳଗୋପାଳ ରୂପକୁ ଧରି କଂସରିପୁ ॥
ଗୁରୁ ଆଗେ କରଯୋଡ଼ି ଉଭାହେଲେ ଯହୁଁ ।ଗୁରୁ ପଚାରିଲେ ବାବୁ ଆସିଅଛୁ କାହୁଁ ॥
କି କାର୍ଯ୍ୟରେ ଆସିଅଛ କେଉଁଦେଶେ ଘର ।କେ ତୁମ୍ଭର ପିତାମାତା କି ନାମ ତୁମ୍ଭର ॥
ତିନିଙ୍କର ଏକରୂପ ସମାନ ବୟସ ।କପଟ ନ ରଖି ବାବୁ କହ ଆମ୍ଭ ପାଶ ॥
ଗୁରୁଙ୍କ ବଚନ ଶୁଣି ବୋଲନ୍ତି ଶ୍ରୀହରି ।ମଥୁରା ନଗରେ ଘର ଅଟଇ ଆମ୍ଭରି ॥
ଜାତିରେ କ୍ଷତ୍ରିୟ ଆମ୍ଭେ ବେନି ସହୋଦର ।ଭାଇ ନାମ ବଳଭଦ୍ର କୃଷ୍ଣ ନାମ ମୋର ॥
ଆମ୍ଭ ପିତାଙ୍କର ନାମ ଅଟେ ବସୁଦେବ ।ଦେବକୀ ଗର୍ଭରୁ ଦୁହେଁ ହୋଇବୁ ସମ୍ଭବ ॥
ଜନ୍ମକାଳୁ ପାଳିଥିଲେ ନନ୍ଦ ଯଶୋବନ୍ତୀ ।ତେଣୁ ସେ ଆମ୍ଭର ପିତା ଜନନୀ ଅଟନ୍ତି ॥
ଏ ଆମ୍ଭ ମଉଳା ପୁତ୍ର ସୁରଥ ଅଟଇ ।ଏହାଙ୍କ ପିତା ସୁନାସ କଂସ ସାନଭାଇ ॥
ପାଠ ପଢ଼ିବାକୁ ଆମ୍ଭେ ଆସିଅଛୁଁ ଗୁରୁ ।ଏଠାରେ ପଢ଼ିବୁ ରହି ତବ ସୁଦୟାରୁ ॥
କହିବା ବେଗରେ ଭ୍ରମ କରାଇଲେ ହରି ।ସାନ୍ଦୀପନି ପଣ୍ଡା ତାହା ନ ପାରିଲେ ବାରି ॥
ଯାର ମାୟା ବ୍ରହ୍ମ ଶିବେ ଗୋଚର ନୁହଇ ।ସାନ୍ଦୀପନି ପଣ୍ଡା ଅବା ଜାଣିବେ ତା କାହିଁ ॥
କେବଳ ସନ୍ତୋଷ ହୋଇ ବୋଇଲେରେ ବାବୁ ।ତୁମ୍ଭଙ୍କୁ ଯତନେ ରଖି ପାଠ ପଢ଼ାଇବୁ ॥
ଯେଉଁ ବିଦ୍ୟା ପଢ଼ିବାକୁ ଅଛି ତୁମ୍ଭ ମନ ।ସେ ବିଦ୍ୟା ପଢ଼ାଇ ଦେବୁ ଇଚ୍ଛା ସୁଖେ ଘେନ ॥
ଏହା କହିଣ ଆସନ ତିନିଖଣ୍ଡ ଦେଲେ ।ଖଡ଼ି ଧରାଇ ଶ୍ରୀ ଲେଖି ମୁଣ୍ଡଳା କାଟିଲେ ॥
ପୁଷ୍ପ ଚନ୍ଦନ ଅକ୍ଷତ ଧୂପ ଦୀପ ଦେଇ ।ଗଣପତି ସରସ୍ୱତୀ ପୂଜାକଲେ ତହିଁ ॥
ବିନାୟକ ମନ୍ତ୍ରସ୍ମରି ଭାଙ୍ଗି ନାରିକେଳ ।ପୂର୍ବ ମୁଖ ହୋଇ ବସି କୃଷ୍ଣ କାମପାଳ ॥
ଖଡ଼ି ଧରି ସିଦ୍ଧିରସ୍ତୁ ପ୍ରଥମେ ଲେଖିଲେ ।ତହିଁପରେ ସ୍ୱରବର୍ଣ୍ଣ ଲେଖିଣ ଘୋଷିଲେ ॥
ବ୍ୟଞ୍ଜନ ଲେଖିଣ ମାତ୍ରା କହିଦ୍ୟନ୍ତେ ଗୁରୁ ।କହୁଁ କହୁଁ ଛଡ଼ାଇଲେ ଗୁରୁଙ୍କ ମୁଖରୁ ॥
ଗଛ ଗ୍ରାମ ଜୀବ ଜନ୍ତୁ ଚିହ୍ନାଇଣ ଦେଲେ ।ପଣକିଆ ଆଦି ଫେଡ଼ା ମିଶା ଶିଖାଇଲେ ॥
ଶୋଧି କୋଟା ହରଗୁଣ କଷ ତୁଳ ଆଦି ।ଏକା ଦିବସକେ ଏତେ ପଢ଼ି କଲେ ସିଦ୍ଧି ॥
ସର୍ବ ଗୁଣନିଧି ସେହୁ ବ୍ରହ୍ମାଣ୍ଡ ଠାକୁର ।ଅସାଧନ ବିଦ୍ୟା ସାଧ୍ୟ ଅଟଇ ତାଙ୍କର ॥
ଶ୍ରୀହସ୍ତରେ ଖଡ଼ି ଘେନି ହଳୀ ଭଗବାନ ।ଲେଖନ୍ତେ ଅକ୍ଷର ପନ୍ତି ସ୍ଫୁରେ ଘନ ଘନ ॥
ଗୁରୁ ବିଚାରନ୍ତି ଏତ ଅସମ୍ଭବ ବାଣୀ ।ନୟନେ ଦେଖିଲା ନାହିଁ ଶ୍ରବଣେ ନଶୁଣି ॥
ସବୁଠାରୁ ବୁଦ୍ଧିମନ୍ତ ଏହି ବେନି ଚାଟ ।ଦିନକେ ଶିଖିଲେ ପାଞ୍ଚ ବରଷର ପାଠ ॥
ଏମନ୍ତ ସମୟେ ସୂର୍ଯ୍ୟଦେବ ଅସ୍ତ ହୋଏ ।ଯେ ଯାହା ଘରକୁ ଉଠି ଗଲେ ଚାଟପୋଏ ॥
ରାମକୃଷ୍ଣ ସୁରଥ ଏ ରହି ଗୁରୁଘରେ ।ସ୍ନାହାନ ଭୋଜନ କଲେ ଗୁରୁଙ୍କ ସଙ୍ଗରେ ॥
ନିଶିମାନେ ନିଦ୍ରାଗଲେ ଶଯ୍ୟାରେ ପହୁଡ଼ି ।ଆରଦିନ ପ୍ରଭାତରୁ ଉଠି ଗଲେ ପଢ଼ି ॥
ତାଙ୍କ ପଛେ ପଛେ ସବୁ ଚାଟପୋଏ ଆସି ।ଲେଖିଲେ ଅକ୍ଷର ଫଳା ଯେ ଯାହାରେ ବସି ॥
ଆରଦିନ ଗୁରୁ ପୁଣି ଶାରଦା ପୂଜିଲେ ।ଅଭିଧାନ ବ୍ୟାକରଣ ସୂତ୍ର ପଢ଼ାଇଲେ ॥
ଦୀର୍ଘ ହ୍ରସ୍ୱ ମାତ୍ରା ରେଫ ତାଲବ୍ୟ ମୂର୍ଦ୍ଧନ୍ୟ ।ଦନ୍ତ୍ୟସ ବିସର୍ଗ ଆଦି କଲେ ଉଚ୍ଚାରଣ ॥
ପଞ୍ଚାଶ ବର୍ଣ୍ଣ ଅକ୍ଷର ପଞ୍ଚବର୍ଗ ଆଦି ।ନବଲକ୍ଷ କଳା ଏକଦିନେ କଲେ ସିଦ୍ଧି ॥
ସୂର୍ଯ୍ୟ ଅସ୍ତେ ଚାଟଶାଳୀ ଘରୁ ବାହୁଡ଼ିଲେ ।ଗୁରୁଙ୍କ ମନ୍ଦିରେ ଅନ୍ନ ବ୍ୟଞ୍ଜନ ଭୁଞ୍ଜିଲେ ॥
ଅନାଦି ନିରଞ୍ଜନ ସେ ପରମ ପୁରୁଷ ।ଦିନୁ ଦିନ ଦେଖି ଗୁରୁ ହୁଅନ୍ତି ହରଷ ॥
ଆତ୍ମାରୁ ଅଧିକ ପାଳିଥାନ୍ତି ସାନ୍ଦୀପନି ।ଚାଟଙ୍କ ସଙ୍ଗତେ ପାଠ ପଢ଼ନ୍ତି ଯେ ତିନି ॥
ପୁଣି ଆରଦିନ ଉଠି ଗଲେ ପାଠଲ ପଢ଼ି ।କାଖରେ ଲେଖନ ପତ୍ର ହସ୍ତେ ଧରି ଖଡ଼ି ॥
ଶ୍ରୀ ଲେଖି ଗୁରୁଙ୍କ ପାଦେ ନମସ୍କାର କଲେ ।ଶିଖିଥିବା ବିଦ୍ୟାମାନ ଗୁରୁଙ୍କୁ କହିଲେ ॥
ଅକ୍ଷର ବ୍ୟାକରଣ ଏ ଦୁଇପାଠ ଜାଣି ।ଜ୍ୟୋତିଷ ଆରମ୍ଭ କରି ଶିକ୍ଷା କଲେ ପୁଣି ॥
ସାତ ବାର ପଞ୍ଚଦଶ ତିଥି ସତାଇଶ ।ନକ୍ଷତ୍ର ଦ୍ୱାଦଶ ରାଶି ଲଗ୍ନ ହୋରା ଅଂଶ ॥
ମୁହୂର୍ତ୍ତ କରଣ ଯୋଗ ଗ୍ରହଙ୍କ ବସତି ।ଆରୁଢ଼ ପତାକା ଶିଶୁ ଅଷ୍ଟବର୍ଗ ସ୍ଥିତି ॥
ଦଶାଶେଷ ଲଗ୍ନ ଅଂଶ ପାଞ୍ଜିତୋଳା ବିଧି ।ଦଶାନ୍ତର ଫଳାଫଳ ପ୍ରତ୍ୟନ୍ତର ସାଧି ॥
ତ୍ରିକୋଣ ଷଟ୍କୋଣ ଚନ୍ଦ୍ର ସୂର୍ଯ୍ୟ ଉପରାଗ ।ବିବାହ ମେଳକ ପ୍ରଶ୍ନଫଳ ଯାତ୍ରାଯୋଗ ॥
ଜାରଣ ମାରଣ ଖଡ଼ି ଧରା ପ୍ରଶ୍ନ ଠିକେ ।ଜ୍ୟୋତିଷ ବିଦ୍ୟା ସାଧିଲେ ଏଖ ଦିବସକେ ॥
ଶ୍ରଦ୍ଧା କରି ଗୁରୁ ତାଙ୍କୁ ପଢ଼ାଇଲେ ପାଠ ।ଆଶ୍ଚର୍ଯ୍ୟ ହୁଅନ୍ତି ତାହା ଦେଖି ସବୁ ଚାଟ ॥
ପୁଣି ଆରଦିନ ଚାଟଶାଳୀକି ସେ ଗଲେ ।ସାରଦାଙ୍କୁ ପୂଜା କରି ବିଦ୍ୟା ଆରମ୍ଭିଲେ ॥
ହରଭର ବିଦ୍ୟା ଯାହା ଶିବ ଥାନ୍ତି ବହି ।ଏକା ଦିବସକେ ତାହା ସିଦ୍ଧ କଲେ ତହିଁ ॥
ଆରଦିନ ପଢ଼ିଲେ ସେ ନାଟକର ବିଧି ।ଚାରିଦେହ ଷଡ଼ଶାସ୍ତ୍ର ଦିବସକେ ସିଦ୍ଧି ॥
ଶସ୍ତ୍ର ବିଦ୍ୟା ଧନୁର୍ବିଦ୍ୟା ସମସ୍ତ ସାଧିଲେ ।ରାଜନୀତି ଅଷ୍ଟାଦଶ ପୁରାଣ ପଢ଼ିଲେ ॥
ଧର୍ମଶାସ୍ତ୍ର ଦଣ୍ଡନୀତି ନ୍ୟାୟ ପାତଞ୍ଜଳ ।କାବ୍ୟ ଅଳଙ୍କାର ଆଦି ଶିଖିଲେ ସକଳ ॥
ମନ୍ତ୍ର ତନ୍ତ୍ର କୂଟତତ୍ତ୍ୱ ବଶ୍ୟ ଉଚ୍ଚାଟନ ।ସ୍ତମ୍ଭନ ମୋହନ ଆଦି ଶିଖିଲେ ଏମାନ ॥
ଔଷଧି ଧାରଣ ଲେପ ଅଞ୍ଜନ ଗୁଟିକା ।ଦେଦଶାଖା ଛନ୍ଦ ତୁଲେ ନାଟକ ନାଟିକା ॥
ଯୋଗ ଧ୍ୟାନ ମନ୍ତ୍ର ଧ୍ୟାନ ଭିବଷ୍ୟତ ଜ୍ଞାନ ।ଅତୀତ କାଳର କଥା ଆଉ ଆର୍ତ୍ତମାନ ॥
ଅଷ୍ଟାଙ୍ଗ ଯୋଗ ଆବର ଚୌରାଶୀ ଯେ ଜ୍ଞାନ ।ଯଜନ ଯାଜନ ଅଧ୍ୟୟନ ଅଧ୍ୟାପନ ॥
ଏପରି ଜଗତ ମଧ୍ୟେ ଯେତେ ବିଦ୍ୟା ଥିଲେ ।ରାମ କୃଷ୍ଣ ଗର୍ଭରେ ସେ ସମସ୍ତେ ରହିଲେ ॥
ବିଚକ୍ଷଣ ଶିଷ୍ୟ ଦେଖି ଗୁରୁ ସାନ୍ଦୀପନ ।ଅନ୍ତର୍ଗତେ ବିଚାରନ୍ତି ଜୀବନ ମୋ ଧନ୍ୟ ॥
ଅନେକ କାଳରୁ ପାଠ ପଢ଼ାଉଛୁଁ ଏଥେ ।ନାହିଁ କେ ନୋହିବ ଚାଟ ଏହାଙ୍କର ସାଥେ ॥
ଏ କି ଦେବଗୁରୁ ଅବା ଅଟନ୍ତି ଅଙ୍ଗିରା ।ନୋହିଲେ ଦାନବଗୁରୁ ଶୁକ୍ର ହେବେ ପରା ॥
କି ଅବା ଉମାଙ୍କ ପୁତ୍ର ଗଣେଶ ଅଟନ୍ତି ।ମାନବ ଶରୀର ଧରି ପଢ଼ି ଆସିଛନ୍ତି ॥
କିବା ଇନ୍ଦ୍ର ଚନ୍ଦ୍ର ଭାନୁ ଭାସ୍କର ବରୁଣ ।କି ଅବା ମନୁଷ୍ୟରୂପେ ହେଲେ ନାରାୟଣ ॥
ପାତାଳ ପୁରରୁ ଅବା ଅଇଲେ ବାସୁକୀ ।ବ୍ରହ୍ମଲୋକ ତେଜି ବ୍ରହ୍ମା ଅସି ଅଛନ୍ତି କି ॥
କହିବାକୁ ଅସମ୍ଭବ ଶ୍ରୁତି ଅଗୋଚର ।ଏ କେଉଁ ଦେବତା ଦୁହେଁ ହେଲେ ନିରାକାର ॥
କଳି ନ ପାରିଲି ମୁହିଁ ଏହାଙ୍କର ବୁଦ୍ଧି ।କେତେଦିନ ପଢ଼ି କେତେ ବିଦ୍ୟା କଲେ ସିଦ୍ଧି ॥
ଏ ଯେତେ ବିଦ୍ୟା ଶିଖିଲେ ନରଦେହ ବହି ।ଏକ ବିଦ୍ୟା ଶତବର୍ଷେ ପଢ଼ି ସାଧ୍ୟ ନୋହି ॥
ଅନ୍ତର୍ଗତେ ଏତେ ଚିନ୍ତା କରି ସାନ୍ଦୀପନି ।ଗୃହକୁ ଚଳିଲେ ସଙ୍ଗେ ରାମକୃଷ୍ଣ ଘେନି ॥
ଛଦ୍ମରୂପ ଧରିଛନ୍ତି ବଳରାମ ହରି ।ଅବନ୍ତୀ ନଗରେ କେହି ନ ପାରନ୍ତି ବାରି ॥
ଭିକ୍ଷୁକ ଦରିଦ୍ର ଯେହ୍ନେ ଚଞ୍ଚଳିତ କାୟେ ।ତେସନ ସଞ୍ଜାତ ରୂପ ଧରି ଦେବରାୟେ ॥
ଖଡ଼ିଗୁଣ୍ଡ ଦେହେ ବୋଳି ମଳି ବସ୍ତ୍ର ପିନ୍ଧି ।ଲୋଟଣି ଛନ୍ଦରେ ଚଳ ମସ୍ତକରେ ବାନ୍ଧି ॥
ଶ୍ରୀମଣ୍ଡଳ ପୋଛି ଭାଲେ କାଟି ଶୁକ୍ଳ ଚିତା ।ଗଳାଦେଶେ କ୍ଷୁଦ୍ର ମୋତେ ଗୁନ୍ଥା ଗଣ୍ଠିସୂତା ॥
କର୍ଣ୍ଣରେ ଶୋହ୍ଲ ବନ୍ଦିଆ ଭୁଜେ ଜଉକଣ୍ଠି ।ଖଡ଼ି ଇଟାଗୁଣ୍ଡ ଭରି ଖୋଷିଛନ୍ତି ଅଣ୍ଟି ॥
ଏମନ୍ତ କୃପଣ ରୂପ ଧରି ଦେବସ୍ୱାମୀ ।ଚାଟମେଳେ ପାଠ ପଢୁଥାନ୍ତି ଅନ୍ତର୍ଯ୍ୟାମୀ ॥
ଗୌରବେ ଅନ୍ନ ଭୁଞ୍ଜନ୍ତି ଗୁରୁଙ୍କ ସଦନେ ।ଷଡ଼ରସ ପରିପକ୍ୱ ନାନାଦି ବିଧାନେ ॥
ଶୁକମୁନି ବୋଇଲେ ହେ ପରୀକ୍ଷ ନୃମଣି ।କଳୁଷ ଖଣ୍ଡନ କର ଭାଗବତ ଶୁଣି ॥
ମାୟାଧର ପୁରୁଷ ସେ ସବୁ ମୋହିଛନ୍ତି ।ସାନ୍ଦୀପନି ପଣ୍ଡା ତାଙ୍କୁ ଚିହ୍ନି ନ ପାରନ୍ତି ॥
ବିଦ୍ୟାସୂତ୍ର ହେତୁ ପାଠ ପଢ଼ାନ୍ତି ଆଦରେ ।ଗୁଣ ଦେଖିବାରୁ ସ୍ନେହ ଥାଏ ତାଙ୍କଠାରେ ॥
ମନେ ବିଚାରନ୍ତି ଏ ତ ମୋର ଧର୍ମପୁତ୍ର ।ୟାଙ୍କୁ ବିଦ୍ୟା ପଢାଇଲେ ହୋଇବି ପବିତ୍ର ॥
କହଇ ଅଚ୍ୟୁତ ଦାସ ଆହେ ରାମ ହରି ।ଅନ୍ତଃକାଳେ ଦେବ ମୋତେ ତବ ନାମ ତରୀ ॥
ସେ ତରୀ ପାଇଲେ ମୁହିଁ ଭବ-ଜଳଧିକି ।ସୁଖେ ପାର ହୋଇଯିବି କାହାକୁ ନ ଶଙ୍କି ॥
ଦାମୋଦର ବିପ୍ର ସହିତ କୃଷ୍ଣଙ୍କର ମିତ୍ରତା ସ୍ଥାପନ ଓ ଦକ୍ଷିଣା ପାଇଁ ଶ୍ରୀକୃଷ୍ଣଙ୍କୁ ଗୁରୁପତ୍ନୀଙ୍କର ପ୍ରାର୍ଥନାଶୁକ ବୋଲନ୍ତି ଯେ ଶୁଣ ପରୀକ୍ଷ ରାଜନ ।ଏହିରୂପେ ଗତ ହେଲା ତହିଁ କିଛି ଦିନ ॥
ପାଠ ପଢ଼ି ରାମ କୃଷ୍ଣ ହେଉଥାନ୍ତି ତୋଷ ।କୁମ୍ଭ ଶୁକଳ ଚଉଠି ହେଲା ପରବେଶ ॥
ଗୁରୁ ଆଜ୍ଞା ଦେଲେ ସବୁ ଚାଟଙ୍କୁ ଅନାଇଁ ।ସାରଦା ପୂଜିବା ଫୁଲ ଫଳ ଆଣ ଯାଇ ॥
ଗୁରୁଙ୍କ ବଚନେ ଚାଟେ ଗଲେ ଫୁଲ ତୋଳି ।ସବୁରି ସଙ୍ଗତେ ଗଲେ ରାମ ବନମାଳୀ ॥
ବନସ୍ତ ଭିତରେ ଚାଟେ ପହଞ୍ଚିଲେ ଯାଇ ।ତୋଳନ୍ତି ଅନେକ ଫୁଲ ପ୍ରଫୁଲ୍ଲିତ ହୋଇ ॥
ତରୁଲତା ଶୋଭା ଦେଖି ହେଉଥାନ୍ତି ତୋଷ ।କେ ବୋଲେ ଏଠାରେ ଫୁଲ ଅଛି ଧାଇଁ ଆସ ॥
ଜାଈ ଜୁଇ ବଣମଲ୍ଲୀ ମାଳତୀ ଚମ୍ପକ ।ପୁନ୍ନାଗ ପାଟଳି ଜବା କଞ୍ଚନ ଅଶୋକ ॥
ଟଗର ତରାଟ ଆଉ ବଧୁଲୀ ବକୁଳ ।ନାଗେଶ୍ୱର ଛୁରିଅନା କୁନ୍ଦ ବିଲ୍ୱଦଳ ॥
ଏମନ୍ତେ ଅନେକ ପୁଷ୍ପ ତୋଳି ଶିଷ୍ୟମାନେ ।ଅଣ୍ଟିଭରି କରିଛନ୍ତି ପୂରାଇ ଯତନେ ॥
ଫୁଲ ତୋଳୁ ତୋଳୁ ହେଲା ଚୌଦଘଡ଼ିବେଳ ।ଘୋଟିଲେ ବାୟବ୍ୟ କୋଣୁ ଉଠି ମେଘମାଳ ॥
ଚାହୁଁ ଚାହୁଁ ଆଚ୍ଛାଦିଲେ ବନ ଗିରି ମହୀ ।ଅଣଞ୍ଚାଶ ମୂର୍ତ୍ତି ଧରି ପବନ ବହଇ ॥
ହୁଂକାରି ଘୋର ପବନ ଉଠିଲା ଗରଜି ।ଶାଳଶିଳମାନେ ତଳେ ପଡ଼ିଗଲେ ଭାଜି ॥
ଭୟଙ୍କର ଘଡ଼ଘଡ଼ି ଗର୍ଜ୍ଜନ ପ୍ରଚଣ୍ଡ ।ଦଲ ଦଲ ହୋଇ କମ୍ପେ ପୃଥ୍ୱୀ ନବଖଣ୍ଡ ॥
ଝଟକ ବିଜୁଳି ମାରେ ଅଗ୍ନିକଣା ଜାଣି ।ମୂଷଳ ଧାରା ପ୍ରମାଣେ ବରଷିଲା ପାଣି ॥
ପାଣି ସଙ୍ଗତେ କରକା ମିଶି ହେଲା ବୃଷ୍ଟି ।ଉଲୁକା ପଡ଼ିଲା ପ୍ରାୟେ ଦିଶେ ନବ ସୃଷ୍ଟି ॥
ବାଟ ପୋଏ ଦେଖି ମନେ ପାଇ ମହାଭୀତି ।ବୋଇଲେ ମଲାଇଁ ନିଶ୍ଚେଁ ସମସ୍ତେ ଏଘାନ୍ତି ॥
ଏ ଘୋର ଅରଣ୍ୟ ମଧ୍ୟେ ଘର ଗ୍ରାମ ନାହିଁ ।ଅବେଳେ ବରଷା ହେଲା ଯିବା ଆଉ କାହିଁ ॥
ଫୁଲ ତୋଳି ଆସିଥିଲେ ଗୁରୁଙ୍କ ବଚନେ ।ଘୋର ବରଷାରେ ଦୁଃଖ ପାଇଲେ ଏ ବନେ ॥
ପିନ୍ଧିଲା ବସନ ଥୋକେ ଗୁଡ଼ାଇଲେ ଶିରେ ।ଥୋକାଏ ପଶିଲେ ଯାଇ ଲତା ଗହଳରେ ॥
ବୃକ୍ଷମୂଳେ ବସି ଥୋକେ ହେଲେ ଥୁରୁ ଥୁରୁ ।ଝର ଝର ହୋଇ ଜଳ ପଡ଼ଇ ବୃକ୍ଷରୁ ॥
ଏମନ୍ତ ଦୁର୍ମଗ ବର୍ଷା ହେଲା ଅପ୍ରମାଣ ।ପୃଥ୍ୱୀ ଅନ୍ଧକାର ଘଡ଼ଘଡ଼ି ବଜ୍ର ବାଣ ॥
କହୁଁ କହୁଁ ପରବେଶ ହୋଇଲା ରଜନୀ ।ପଶ୍ଚିମ ପର୍ବତେ ଅସ୍ତ ହେଲେ ଦିନମଣି ॥
ବନ ଗିରି ଦୁର୍ଗମେ ରହିଲେ ସର୍ବ ଚାଟ ।ଗୁରୁଙ୍କ ମନରେ ତେଣେ ଲାଗିଲା ଉଚ୍ଚାଟ ॥
ସୁରଥକୁ ସଙ୍ଗେ ଘେନି ବଳରାମ ହରି ।ତିନିହେଁ ରହିଲେ ବୃକ୍ଷକ୍ରୋଟ ଆଶ୍ରା କରି ॥
ଭିକ୍ଷୁ ଦାମୋଦର ପଣ୍ଡା ନାମେ ଏକ ଶିଷ୍ୟ ।ସେ ଯାଇ ରହିଲେ ରାମ କୃଷ୍ଣଙ୍କର ପାଶ ॥
କେଶ ବାସ ତିନ୍ତି ବୃଷ୍ଟି ଜଳେ ଜର ଜର ।ରୋମ ଟାଙ୍କୁରଇ ଶୀତେ କମ୍ପେ କଳେବର ॥
ଦୁଃଖିଜନବାନ୍ଧବ ସେ ଅଟନ୍ତି ଶ୍ରୀହରି ।ପାଶେ ବସାଇଲେ ତାଙ୍କୁ ଆଶ୍ୱାସନା କରି ॥
ପର ଦୁଃଖରେ କାତର ସଦା ଦେବରାୟେ ।ଶ୍ରୀହସ୍ତରେ ଆଉଁଷିଲେ ସେ ବିପ୍ରର କାୟେ ॥
ଆଶ୍ୱାସି କୋମଳ ବାକ୍ୟେ ଜଗତ ନିବାସ ।ପଚାରିଲେ ଆହେ ବିପ୍ର ତୁମ୍ଭ ନାମ କିସ ॥
କେ ତୁମ୍ଭର ପିତା ମାତା କେଉଁଠାରେ ଘର ।କେଉଁ ବେଦ କେଉଁ ଶାଖା ଅଟଇ ତୁମ୍ଭର ॥
ଗୋବିନ୍ଦ ବଚନ ଶୁଣି ଦ୍ୱିଜ କୃତକୃତ୍ୟ ।ବୋଲେ ଭରଦ୍ୱାଜ ଗୋତ୍ରେ ହୋଇଛି ମୁଁ ଜାତ ॥
ମୋ ପିତାଙ୍କ ନାମ ବିଦ୍ୟାନନ୍ଦ ଶତପଥି ।ମାତାଙ୍କ ନାମ ମୋହର ଅଟେ ବେଦମତୀ ॥
ଯଜୁର୍ବେଦ ଆମ୍ଭର ଯେ ଅଧ୍ୟାପନ ଶାଖା ।ପିତାମାତାଙ୍କର ପୁତ୍ର ଅଟଇ ମୁଁ ଏକା ॥
ବଶିଷ୍ଠ ବସାଇଥିଲେ ବ୍ରାହ୍ମଣ ଶାସନ ।ବେଦପୁର ବୋଲି ଖ୍ୟାତ ହୋଇଛି ତା ନାମ ॥
ସେ ଶାସନେ ମୋର ପିତୃ ପିତାମହେ ଥାଇ ।ସୁଖେ ବାସ କରୁଥିଲେ ବାଡ଼ି ବୃତ୍ତି ପାଇ ॥
ଏବେ ମୁଁ ଦରିଦ୍ର ହୋଇ ତା ସବୁ ବିକିଲି ।ଉଦର ପୋଷଇ ନିତି ଭିକ୍ଷା ମାଗି ବୁଲି ॥
ମାତା ପିତା ବୃଦ୍ଧ ହୋଇ ବସିଛନ୍ତି ଘରେ ।ତିନି ପ୍ରାଣୀ ବଞ୍ଚୁ ଆମ୍ଭେ ବହୁତ କଷ୍ଟରେ ॥
ନବ ବର୍ଷ ଯାଏ ବୁଲି ମୂର୍ଖ ହୋଇଥିଲି ।ଏବେ ବିଦ୍ୟା ପଢ଼ିବାକୁ ଏଥକୁ ଅଇଲି ॥
ଅଦ୍ୟାପି ସେ ବେଦପୁର ଶାସନେ ମୋ ଘର ।ମୋ ନାମ ଅଟଇ ଜାଣ ଭିକ୍ଷୁ ଦାମୋଦର ॥
ଏମନ୍ତ ବଚନ ଶୁଣି ବୋଲନ୍ତି ଅଚ୍ୟୁତ ।ମୋର ନାମ ଦାମୋଦର ତୁମ୍ଭେ ଆମ୍ଭେ ମିତ ॥
ଅନେକ ପୁଣ୍ୟରେ ନାମ ମିତ୍ର ପାଇ ଭେଟ ।ବିଶେଷରେ ଆମ୍ଭେ ଦୁହେଁ ଏକ ଗୁରୁ ଚାଟ ॥
ତୁମ୍ଭ ମାତାଙ୍କର ନାମ ଅଟେ ବେଦମତୀ ।ପିତାଙ୍କର ନାମ ବିଦ୍ୟାନନ୍ଦ ଶତପଥୀ ॥
ଦେବକୀ ଆମ୍ଭର ମାତ ପିତା ବସୁଦେବ ।ତାଙ୍କର ଦୁଃଖ ଶୁଣିଲେ ତାଟକା ହୋଇବ ॥
ଲୁହାର ଶାଙ୍କୋଳି ଲାଗିଥାଏ ଚରଣରେ ।ଦିନ ରାତି ପଡ଼ିଥାନ୍ତି କଂସ ବନ୍ଦିଘରେ ॥
ଭାବିଲେ ଦୁହିଙ୍କ ଦୁଃଖ ଅଟଇ ସମାନ ।ଏକା ନାମ ହୋଇଅଛି ନାହିଁ କିଛି ଭିନ୍ନ ॥
ଏତେ ବୋଲି ବ୍ରାହ୍ମଣକୁ ପ୍ରଭୁ କୋଳ କଲେ ।ଆଝୁଁ ଦୁହେଁ ମିତ୍ର ହେଲେ ବୋଲିଣ କହିଲେ ॥
ଆପଦ ସମ୍ପଦ କାଳେ ଆମ୍ଭଙ୍କୁ ଲୋଡ଼ିବ ।ସର୍ବଦା ମନରେ ମିତ୍ରଭାବ ରଖିଥିବ ॥
ରାଜଦ୍ୱାରେ ଶ୍ମଶାନରେ ଦୁର୍ଭିକ୍ଷେ ବ୍ୟସନେ ।ଶତ୍ରୁ ପୀଡ଼ା କାଳେ ମୋତେ ସୁମରିବ ମନେ ॥
ତୁମ୍ଭେ ଆମ୍ଭ ପଞ୍ଚଭୂତ ଆତ୍ମା ସହୋଦର ।ନ ଗଲେ ନଇଲେ ହ୍ୱନ୍ତି ସହୋଦର ପର ॥
ଏତେ କହୁ କହୁ ହେଲା ରାତ୍ରି ବେନି ଘଡ଼ି ।ରହିଲାକ ବରଷା ଯେ ମେଘଗଲା ଛାଡ଼ି ॥
ଗଗନ ନିର୍ମଳ ହେଲା ଉଦେ ହେଲେ ଶଶୀ ।ଏକଠାବେ ସର୍ବ ଚାଟେ ରୁଣ୍ଡ ହେଲେ ଆସି ॥
ସାନ୍ଦୀପନି ବିଚାରନ୍ତି ମନ୍ଦ କୃତ୍ୟ କଲି ।ବାଳୁତ ପୁଅଙ୍କୁ ଫୁଲ ତୋଳି ପଠାଇଲି ॥
ବୋଲ ନ ଭାଙ୍ଗିଣ ପୋଏ ଗଲେ ପୁଷ୍ପ ଆଣି ।ଚାରି ମେଘ ଘୋଟି ଏବେ ବରଷିଲେ ପାଣି ॥
ବେଳ ଦୁଇଘଡ଼ି ଥାଉ ଏତେ ରାତ୍ରଯାଏ ।ବର୍ଷା ହୋଇ ଦିଶିଲାଣି ପୃଥ୍ୱୀ ଜଳମୟେ ॥
ଭୟଙ୍କର ଘଡ଼ଘଡ଼ି ଅଣଞ୍ଚାଶ ବାତ ।ଢ଼ଳ ଢ଼ଳ ବସୁନ୍ଧରୀ ବ୍ରହ୍ମାଣ୍ଡହିଁ ସାତ ॥
ପବନରେ ଛାଟି ହୋଇ ବରଷିଲା ପାଣି ।କେଣେ ଗଲେ ବାଳ ପୋଏ ନ ପାରିଲି ଜାଣି ॥
ଏତେ ରାତ୍ର ହୋଇଲାଣି ନ ଆସିଲେ କେହି ।କ୍ରୋଟରାଗ୍ନି ପ୍ରାଏ ମୋର ଦହୁଅଛି ଦେହୀ ॥
ବେଭାରେ ବାଳୁତ ପୋଏ ଖେଳୁଆଳ ମତି ।ବନେ ଫୁଲ ତୋଳିଗଲେ ହେଲା ଏତେ ରାତି ॥
ପିତା ମାତାଙ୍କର ମନେ ନ ଥିବ ଅପ୍ରତେ ।ବୋଲୁଥିବେ ଗୁରୁପାଶେ ପୋଏ ଛନ୍ତି ସୁସ୍ଥେ ॥
ମୁହିଁ ଜାଣୁ ଜାଣୁ କଲି ଏଡ଼େ ମନ୍ଦକୃତ୍ୟ ।ସଂସାରରେ ଅପଖ୍ୟାତି ପାଇବି ବହୁତ ॥
ଏତେ ଚିନ୍ତି ମନ୍ଦିରରୁ ବାହାର ହୋଇଲେ ।ଚାଟେ ଯାଇଥିବା ବାଟ ଅନୁସରି ଗଲେ ॥
ଉଚ୍ଚରେ ଉଠି ଡାକନ୍ତି ଏକ ଏକ କରି ।ଗୋବିନ୍ଦ ମାଧବ ରାମ ମୁକୁନ୍ଦ ଶ୍ରୀହରି ॥
ରଘୁନାଥ ଗଦାଧର ଶ୍ରୀଧର ଅନନ୍ତ ।ଈଶ୍ୱର ଈଶାନ ସଦାଶିବ ଗୁଣବନ୍ତ ॥
ବୀରଭଦ୍ର ମାରକଣ୍ଡ ନୀଳକଣ୍ଠ ହଳୀ ।ନାରାୟଣ ଦଇତ୍ୟାରି ଶ୍ୟାମ ବନମାଳୀ ॥
ଆସ ହେ କହ୍ନାଇ ଆସ ଦନାଇଁ ଅଚ୍ୟୁତ ।ହଳଧର ଜଳଧର ଶ୍ରୀକର ଶ୍ରୀମନ୍ତ ॥
ଆଶ ବିଷ୍ଣୁ ବାସୁଦେବ ବିଶ୍ୱନାଥ କାଶୀ ।ରାମନାଥ ସୋମନାଥ ଲମ୍ୱୋଦର ମଶି ॥
ପ୍ରଭାକର ଚକ୍ରଧର ମୋହନ ମୁରାରି ।ଜଗନ୍ନାଥ ଗୋପୀନାଥ ଆସ ବେଗ କରି ॥
କୃପାନିଧି ଦୟାନିଧି ଦୀନବନ୍ଧୁ ଆସ ।ତୁମ୍ଭଙ୍କୁ ନ ଦେଖି ମୋର ଉଡ଼ଇ ସାହସ ॥
ଏ ପ୍ରକାରେ ଶତେ ଚାଟ ଗୋଟି ଗୋଟି କରି ।ଉଚ୍ଚରେ ଡାକନ୍ତି ଗୁରୁ ନାମମାନ ଧରି ॥
ଅତି ଆର୍ତ୍ତେ ବିଦ୍ୟାଗୁରୁ ପୁଣି ଡାକ ଦ୍ୟନ୍ତି ।କେଣେ ଗଲ ବାଳ ପୋଏ ଆସ ଶୀଘ୍ର ଗତି ॥
ଚାରିଦିଗେ ଦୃଷ୍ଟି ଦେଇ ପୁଣ ଉଚ୍ଚ କରି ।ଡାକନ୍ତି ଆସ ହେ ରାମ ଆସ ନରହରି ॥
ଡାକ ନ ଶୁଣନ୍ତେ ଗୁରୁ ପାଇ ମନେ ତ୍ରାସ ।ଦଣ୍ଡେକ ବିଶ୍ରାମ କରି ଛାଡ଼ନ୍ତି ନିଃଶ୍ୱାସ ॥
କଣ୍ଠ ଅବରୁଦ୍ଧ ଶ୍ୱାସ ବହେ ଘନ ଘନ ।ତ୍ରିପଣ୍ଡ ଝାଳେ ତିନ୍ତିଲା ପିନ୍ଧିବା ବସନ ॥
ଝାଳ ଗଳନ୍ତେ ଲିଭିଲା ଦ୍ୱାଦଶ ଯେ ଚିତା ।ଅଜ୍ଞାନରେ କନ୍ଧୁ ଖସି ପଡ଼ୁଛି ପଇତା ॥
ତୁଳସୀ ରୁଦ୍ରାକ୍ଷମାଳା କରୁ ଜପାମାଳୀ ।ହସ୍ତଟେକି ଡାକ ଦ୍ୟନ୍ତେ ବଟୁ ପଡ଼େ ଗଳି ॥
ବଳଦେବ ଦାମୋଦର ଡାକନ୍ତେ ସେ ପଛେ ।ଥୋକେ ଦୂରେ ଥାଇ ତାହା ଶୁଣି ନନ୍ଦବତ୍ସେ ॥
ଲୁଗା ବିପୁଡ଼ିଣ ବାଟେ ସଜ ହେଉଥିଲେ ।ଗୁରୁ ଡାକ ଶୁଣି ବେଗ ହୋଇ ସେ ଅଇଲେ ॥
ଯାଉଛୁ ଯାଉଛୁ ବୋଲି ଉଚ୍ଚରେ କହନ୍ତି ।ସାନ୍ଦୀପନି ପଣ୍ଡା ଶୁଣି ହେଲେ ଶାନ୍ତ ମତି ॥
ମନେ ବିଚାରନ୍ତି ପୋଏ ଅଛନ୍ତି ଜୀବନେ ।ଜଗନ୍ନାଥ ରକ୍ଷାକଲେ ତାଙ୍କୁ ଘୋର ବନେ ॥
ଏମନ୍ତ ବିଚାରି ମନେ ହୋଇଲେ ଆନନ୍ଦ ।ଦରିଦ୍ର ପାଇଲା ଅବା କୁବେର ସମ୍ପଦ ॥
ଜନ୍ମାନ୍ଧକୁ ମିଳିଲା କି ଅବା ଚକ୍ଷୁଦାନ ।ମୃତକ ଶବରେ ଅବା ପଶିଲା ଜୀବନ ॥
ବିରହିଣୀ ପାଇଲା କି ଦେଶାନ୍ତର ପତି ।ତେସନ ଆନନ୍ଦ ହେଲା ଗୁରୁଙ୍କର ମତି ॥
ଆସ ଆସ ବାବୁ ବୋଲି ଖଣ୍ଡେଦୂର ଗଲେ ।ନିସ୍ତରିଲି କହି ବାଟେ ପୁଅଙ୍କୁ ଭେଟିଲେ ॥
ସର୍ବ ଅଗ୍ରେ ଆସୁଛନ୍ତି ରାମ ବନମାଳୀ ।ଦେଖିଣ ପରମ ତୋଷ ହେଲେ ତପଶାଳୀ ॥
ଗୁରୁ ବୋଇଲେ ଅଇଲଟିକି ଅପ୍ରମାଦେ ।ଚାଟେ ବୋଇଲେ ଅଇଲୁ ତବ ପରସାଦେ ॥
ଗୁରୁ ଚାଟେ ମିଳି ଚାଟଶାଳୀକି ଅଇଲେ ।ରାତ୍ର ତିନିଘଡ଼ିମାନେ ସାରଦା ପୂଜିଲେ ॥
ମଣ୍ଡଳ ସ୍ଥାପିଲେ ଗୃହେ ଝୋଟି ଚିତା ଦେଇ ।ବିଚିତ୍ର ଚାନ୍ଦୁଆ ଆମ୍ୱ ତୋରଣା ଲମ୍ୱାଇ ॥
ନାନା ପୁଷ୍ପ ନାନା ଦ୍ରବ୍ୟ ଫଳ ନାନା ଜାତି ।ଧୂପ ଦୀପ ଦେଇ ପୂଜା କଲେ ସରସ୍ୱତୀ ॥
ଚନ୍ଦନ କର୍ପୂର ଚୁଆ କସ୍ତୁରୀ ଅଗୁର ।ମନ୍ତ୍ର ସ୍ତୋତ୍ର ଧ୍ୟାନ ଜପ ନାନା ଉପଚାର ॥
ମୋଦକ ଗୁଟିକା ଲଡ଼ୁ ଛେନାପଣା ଖଜା ।ନୈବେଦ୍ୟ ଅର୍ପଣ କରି ବଢ଼ାଇଲେ ପୂଜା ॥
ସକଳ ବିଦ୍ୟାରେ ପୂର୍ଣ୍ଣ ସାନ୍ଦୀପନି ଗୁରୁ ।ରାମକୃଷ୍ଣ ପଢ଼ୁଛନ୍ତି ତେଣୁ ତାଙ୍କଠାରୁ ॥
ଯଥାବିଧି ବିଧାନରେ ସାରଦା ପୂଜିଲେ ।ଏକମୁଖ ହୋଇ ଚାଟେ ପୁଷ୍ପାଞ୍ଜଳି ଦେଲେ ॥
ଚାଟଙ୍କୁ ପ୍ରସାଦ ଭୋଗ ଗୁରୁ ଦେଲେ ଯାଚି ।ଗୋଟି ଗୋଟିକେ ସଙ୍ଖୋଳି ସାନବଡ଼ ବାଛି ॥
ଆଗେ ପ୍ରସାଦ ଗ୍ରହଣ କଲେ ଦେବରାଜା ।ବିଷ୍ଣୁଥାନ୍ତେ ହେବ କାହୁଁ ଆନେ ଅଗ୍ରପୂଜା ॥
ଗୁରୁ ବିଦ୍ୟା ପରୀକ୍ଷିଲେ ଡାକି ଜଣ ଜଣ ।ପଣକିଆ ଫେଡ଼ା ମିଶା ଶୋଧି ହରଗୁଣ ॥
ଯେ ଯାହାର ପରି ମୁଖେ କହିଲେ ସକଳ ।ସର୍ବୋପରି ଶ୍ରେଷ୍ଠ ହେଲେ କୃଷ୍ଣ କାମପାଳ ॥
ଯେତେ ଯେତେ ବିଦ୍ୟା ପଢ଼ି ରଖିଥିଲେ ଗର୍ଭେ ।ବିସ୍ତାରି କହିଲେ ସବୁ ଗୁରୁଙ୍କର ଆଗେ ॥
ଯେତେବିଦ୍ୟା କହିଲେ ସେ ପଦେ ଭୁଲ ନାହିଁ ।ସର୍ବଜ୍ଞ ପୁରୁଷ ସେହୁ ପାସୋରିବେ କାହିଁ ॥
ଅସାଧନ ବିଦ୍ୟା ଯାର ସାଧନ ଆଗହୁଁ ।କେବଳ ସେ ଉପଦେଶ ନେଲେ ଗୁରୁ ତହୁଁ ॥
ପରୀକ୍ଷା ଶୁଣନ୍ତେ ଗୁରୁ ସନ୍ତୋଷ ହୋଇଲେ ।ତୁମ୍ଭର ଜନମ ଧନ୍ୟ ବୋଲି ପ୍ରଶଂସିଲେ ॥
କେତେକାଳୁ ପଢ଼ୁଛନ୍ତି ରହି କେତେ ଚାଟ ।ତୁମ୍ଭ ପ୍ରାୟ ଗୋଟିକର ହୋଇ ନାହିଁ ପାଠ ॥
ତୁମ୍ଭ ପାଠପଢ଼ା ଦେଖି ହୋଇଲୁ ସନ୍ତୋଷ ।ଶ୍ରୀଫଳ ଗୋଟିଏ ଦେଇ ଯାଅ ନିଜ ଦେଶ ॥
ନୋହିଲେ ଆମ୍ଭର ଘରେ ଥାଅ ତୁମ୍ଭେ ବାବୁ ।ଯେତେ ଅନ୍ନ ବସ୍ତ୍ର ଲୋଡ଼ା ଆମ୍ଭେ ଦେଉଥିବୁ ॥
ପ୍ରୟାଗ ବଟରେ ଉଠି ତୀର୍ଥେ ଝାସ ଦେଇ ।କେତେ ପୁଣ୍ୟ ଅର୍ଜିଥିଲେ ତୁମ୍ଭ ମୁଖ ନାହିଁ ॥
ଅଧିକ ସମ୍ପାଦି ଅବା କହିବି ମୁଁ କେତେ ।ପ୍ରତ୍ୟକ୍ଷେ ଦେବତା ପ୍ରାୟ ଦିଶୁଅଛ ମୋତେ ॥
ତୁମ୍ଭଙ୍କୁ ଛାଡ଼ିବା ପାଇଁ ବଳୁ ନାହିଁ ଚିତ୍ତ ।ଦେଖିଲା ବେଳୁ ମୋହିଲ ମୋର ପଞ୍ଚଭୂତ ॥
ଶ୍ରୀକୃଷ୍ଣ ବୋଇଲେ ଆସିଥିଲୁ ଯହିଁ ପାଇଁ ।ସେ କାର୍ଯ୍ୟ ତ ସିଦ୍ଧ ହେଲା ରହିବୁ କିପାଇଁ ॥
ହେ ଗୁରୁ ତୁମ୍ଭର ଋଣ ଶୁଝିଲୁ କିପରି ।ଇହଲୋକ ପରଲୋକେ ତୁମ୍ଭେ ହିତକାରୀ ॥
ସକଳ ବିଦ୍ୟା ପଠନ କଲୁ ତୁମ୍ଭଠାରୁ ।ପିତୃ ପିତାମହ ତୁଲ୍ୟ ଅଟ ତୁମ୍ଭେ ଗୁରୁ ॥
ଦେହ ବହି ଅରଜିବୁ ଆମ୍ଭେ ଯେତେ ଦ୍ରବ୍ୟ ।ଧର୍ମ ଶାସ୍ତ୍ର ପ୍ରମାଣରେ ତୁମ୍ଭର ସେ ସର୍ବ ॥
ଛ ପ୍ରକାରେ ପୁତ୍ର ବୋଲି ଶାସ୍ତ୍ରେ ଅଛି ଯାହା ।ମହାଜ୍ଞାନୀ ଅଟ ତୁମ୍ଭେ ନ ଜାଣ କି ତାହା ॥
ତୁମ୍ଭ ଅନ୍ନ ଖାଇ ଆମ୍ଭେ ଶିକ୍ଷା କଲୁ ପାଠ ।ଜନମ ସଫଳ କଲୁ ପାଇ ଧର୍ମ ବାଟ ॥
ଯେଉଁମାନେ ମହାତମା ପୁଣ୍ୟବନ୍ତ ଦେହୀ ।ଜୀବ ଥିଲେ ଉପକାର ଘେନୁଥାନ୍ତି ସେହି ॥
ପୁଣି କୃତକୃତ୍ୟ ହୋଇ ବୋଲନ୍ତି ଶ୍ରୀପତି ।କଥାଏ କହିବି ଗୁରୁ ନ କରିବ ନାସ୍ତି ॥
ତୁମ୍ଭେ ପାଠ ପଢ଼ାଇଲେ ଆମ୍ଭେ ଶିକ୍ଷା କଲୁ ।ପଦ ପଦକେ ଅମୂଲ୍ୟ ରତନ ପାଇଲୁ ॥
ତୁମ୍ଭଠାରୁ ଘେନିଅଛୁ ଆମ୍ଭ ବିଦ୍ୟାମାନ ।ଦକ୍ଷିଣା ସ୍ୱରୂପ ଦେବୁ କିଛି ଦ୍ରବ୍ୟ ଘେନ ॥
ଗୁରୁ ଦକ୍ଷିଣା ନ ଦେଲେ ବିଦ୍ୟା ନୋହେ ସିଦ୍ଧି ।ଆପଣ ଭିଆଇଛନ୍ତି ଶାସ୍ତ୍ରରେ ଏ ବିଧି ॥
ଯଦି ଆମ୍ଭଠାବେ ଅଛି ତୁମ୍ଭ ଅନୁରାଗ ।ଜୀବନ ବୋଇଲେ ଦେବୁ ସନ୍ତୋଷରେ ମାଗ ॥
ଗୁରୁ ବୋଇଲେ ହେ ବାବୁ ମୋର କିସ ନାହିଁ ।ଯେତେ ପାର ତେତେ ଧନ ନିଅ ତୁମ୍ଭେ ବହି ॥
ତୁମ୍ଭେ ମୋର ଶିଷ୍ୟ ପୁତ୍ର ସର୍ବ ଗୁଣବନ୍ତ ।ଭାଗ୍ୟବଳେ ପାଇଲି ମୁଁ ତୁମ୍ଭପରି ଛାତ୍ର ॥
ଅନେକ ଭଣ୍ଡାର ମୋର ଅଛି ରତ୍ନକୋଷ ।ତାହା ସବୁ ନେଇ ବାବୁ ମୋତେ ତୁମ୍ଭେ ପୋଷ ॥
ଧନ ଗୃହ ଦେଇ ନେବି ମୁଁ ସନ୍ନ୍ୟାସୀ ଦୀକ୍ଷା ।ତୁମ୍ଭ ପ୍ରାୟ ପୁତ୍ରଥିଲେ ପୂରନ୍ତା ମୋ ବାଞ୍ଛା ॥
ବୃଦ୍ଧ ହେଲି ପୁତ୍ର କନ୍ୟା କିଛି ମୋର ନାହିଁ ।ଅକାରଣ ପ୍ରାଣ ଘେନି ଥିବି କାହିଁ ପାଇଁ ॥
ଇହଲୋକେ ପରଲୋକେ ହେଲି ମହାପାପୀ ।ଅପୁତ୍ରକ ଦୋଷ ମୋର ରହିଲା ଅଦ୍ୟାପି ॥
ଏଡ଼େକ ସମ୍ପଦ ମୋର ଗଲା ଅକାରଣେ ।ଅପୁତ୍ରିକ ଗୃହଶୂନ୍ୟ ଶୁଣିଛ ପୁରାଣେ ॥
ଏ ଧନ ସମ୍ଭାଳ ବାବୁ ତୁମ୍ଭେ ସୁଖେ ରହି ।ସବୁ ଛାଡ଼ି ତୀର୍ଥବାସ କରିବି ମୁଁ ଯାଇ ॥
ଜନ୍ମ ହୋଇ ଷଡ଼ପୁତ୍ର ଗଲେ ମୋର ନାଶ ।ଫିଟାଇ କହିଲି ବାବୁ ହୃଦୟ ସନ୍ଦେଶ ॥
ଏତେ କହି ବୋଲନ୍ତି ଯେ ଗୁରୁ ସାନ୍ଦୀପନି ।ତୁମ୍ଭ ତହୁଁ ଧନ ଆମ୍ଭେ କି କରିବୁ ଘେନି ॥
ଶ୍ରୀକୃଷ୍ଣ ବୋଇଲେ ଯେବେ ଧନେ ନାହିଁ ମନ ।ଏହା ଛଡ଼ା ଆଉ କିଛି ଦ୍ରବ୍ୟ ମାଗି ଘେନ ॥
ଗୁରୁ ବୋଇଲେ ମୋହର ଗଛ ବାଡ଼ି ବୃତ୍ତି ।ଗାଈ ଗୋରୁ ଛେଳି ମେଣ୍ଢା ବହୁତ ଅଛନ୍ତି ॥
ଯେତେବେଳେ ଯାହା ଲୋଡ଼ା ତା ସବୁ ମିଳଇ ।ତୁମ୍ଭେ ତ ଦେଖୁଛ ବାବୁ ମୋ ଗୃହରେ ଥାଇ ॥
ଶ୍ରୀକୃଷ୍ଣ ବୋଇଲେ ଯେବେ ଏହା କଲ ତ୍ୟାଗ ।ଇଚ୍ଛା ଥିଲେ ନ ମିଳିବା ଦ୍ରବ୍ୟ ମୋତେ ମାଗ ॥
ସାନ୍ଦୀପନି ବୋଇଲେ ମୁଁ କି ମାଗିବି ଆନ ।ସକଳ ବିଦ୍ୟା ତୁମ୍ଭଙ୍କୁ କରିଅଛି ଦାନ ॥
ମୁଁ ଦେବାର ବିଦ୍ୟା ମୋର ପ୍ରୟୋଜନ ନାହିଁ ।ଆନ ବିଦ୍ୟା ଜାଣିଥିଲେ ତା ଦିଅ ଶିଖାଇ ॥
ଗୋବିନ୍ଦ ବୋଇଲେ ଗୁରୁ ସର୍ବଜ୍ଞାତ ତୁମ୍ଭେ ।ତୁମ୍ଭଙ୍କୁ ବିଦ୍ୟା ପଢ଼ାଇ ପାରିବୁ କି ଆମ୍ଭେ ॥
ଏହା ଛଡ଼ା ଜଗତରେ କେତେ ଦ୍ରବ୍ୟ ନାହିଁ ।ଧାତିକାରେ ଯିବୁ ଯାହା ମାଗିବ ତା ଦେଇ ॥
ଅଦକ୍ଷିଣା ବିଦ୍ୟା ଆଉ ଅସନ୍ତୋଷ ଦାନ ।ଅସାଧୁ ସହିତ ସଙ୍ଗ ଅସତ୍ୟ ବଚନ ॥
ଉତ୍ତମ ଚରିତ ଲୋକେ ଏହା ନ କରନ୍ତି ।ସବୁ ଅକାରଣ ତୁମ୍ଭେ ନ ହୋଇଳେ ତୃପ୍ତି ॥
ଗୁରୁ ବୋଇଲେ ହେ ବାବୁ ସନ୍ତୋଷ ହୋଇଲୁ ।ତୁମ୍ଭର ଏ କଥା ଶୁଣି ସମସ୍ତ ପାଇଲୁ ॥
ଗୋବିନ୍ଦ ବୋଇଲେ ଆମ୍ଭ ଋଣୀ ହେବୁ ସିନା ।ଯିସ ତିସ ପଦାର୍ଥେକ ମାଗ ନାହିଁ ମନା ॥
ଯାହା ମାଗିବ ଅବଶ୍ୟ ତାହା ଦେଇଯିବୁ ।ଦକ୍ଷିଣା ନ ଦେଇ ଗଲେ ପାତକୀ ହୋଇବୁ ॥
ମାଗ ମାଗ ବୋଲି କହୁଥିଲେ ଦେବରାଜା ।ଭିତରେ ଥାଇ ଶୁଣିଲେ ଗୁରୁଙ୍କ ଭାରିଯା ॥
ତକ୍ଷଣେ ବାହାର ହୋଇ ପ୍ରାଙ୍ଗଣେ ମିଳିଲେ ।ତାଙ୍କୁ ଦେଖି ରାମକୃଷ୍ଣ ନମସ୍କାର କଲେ ॥
ବୋଲନ୍ତି ପଣ୍ଡାଙ୍କ ମୁଖ ଚାହିଁ ଶୁଭ୍ରକେଶୀ ।କି ବିଚାର କରୁଅଛ ଗୁରୁଶିଷ୍ୟ ବସି ॥
ସାନ୍ଦୀପନି ବୋଇଲେ ଗୋ ଶୁଣ ବରାନନେ ।ଏ ଶିଷ୍ୟଙ୍କ କଥା କହି ନୁହଇ ବଚନେ ॥
ବେଦଶାସ୍ତ୍ର ଆଦି ଥିଲେ ଯେତେ ବିଦ୍ୟାବିଧି ।ଦ୍ୱାଦଶ ଦିବସେ ପଢି ସବୁ କଲେ ସିଦ୍ଧି ॥
ପୁରୁଷ ଉତ୍ତମ ଏ ଶ୍ରୀମନ୍ତ ଶିରୋମଣି ।ଗୁରୁ ଦକ୍ଷିଣା ଯାଚନ୍ତି ମୋତେ ପୁଣି ପୁଣି ॥
ଅନେକ ମତେ ଯାଚିଲେ ନାହିଁ କଲୁ ଆମ୍ଭେ ।ଘେନିମାକୁ ଇଚ୍ଛାଥିଲେ ମାଗି ଘେନ ତୁମ୍ଭେ ॥
ଗୁରୁପତ୍ନୀ ବୋଇଲେ ସେ ଆମ୍ଭ ଧର୍ମସୁତ ।ଯାଚି ଦେଉଛନ୍ତି କିପାଁ ନ ନେବା କହ ତ ॥
ତୁମ୍ଭେ ନାସ୍ତି କଲେ ପୁଣି ଯାଚୁଛନ୍ତି ଯେବେ ।କଥାଏ ମାଗିବି ଦେଇପାରିବ କି ଏବେ ॥
ଗୋବିନ୍ଦ ବୋଇଲେ ମା ଗୋ ମାଗ କିନା ତୁମ୍ଭେ ।ଦେବା ଦ୍ରବ୍ୟ ହୋଇଥିଲେ ଦେଇପାରୁ ଆମ୍ଭେ ॥
ପତି ପତ୍ନୀ ଦୁହେଁ ତୁମ୍ଭେ ଅଟ ଏକ ଦେହୀ ।ଆପଣ ଦକ୍ଷିଣା ଘେନ ଗୁରୁ ନେଲେ ନାହିଁ ॥
ପଣ୍ଡିଆଣୀ ବୋଲେ ବାବୁ ମାଗିବି ମୁଁ ସିନା ।ତା ଦେଇ ପାରିବଟିକି କହ ମୋତେ କିନା ॥
ଦେଖ ମୋର ଘରେ କେତେ ଧନ ରତ୍ନ ନାହିଁ ।ତୁମ୍ଭଠାରୁ ଧନ ଆଉ ଘେନିବି କିପାଇଁ ॥
ତୁମ୍ଭେ ଗୁଣବନ୍ତ ବୋଲି ଗୁରୁ ମୋ ଆଗରେ ।ପ୍ରଶଂସା କରିଣ ନିତି କହୁଥାନ୍ତି ଘରେ ॥
ଦେଖିବା ଲୋକେ କହନ୍ତି ତୁମ୍ଭେ ଗୁଣଗ୍ରାହୀ ।ମୁଁ ମଧ୍ୟ ତୁମ୍ଭର ଗୁଣ ଦେଖି ପ୍ରଶଂସଇ ॥
ମନର ବେଦନା ବାବୁ ମନ ଜାଣେ ଏକା ।ଲୋକ ସଂସାରରେ ମୋତେ ନକର ତୁଲେଖା ॥
ଶ୍ରୀକୃଷ୍ଣ ବୋଇଲେ ମାତ ମାଗ ଯାହା ଇଚ୍ଛା ।ଅବଶ୍ୟ ତା ଦେଇ ଆମ୍ଭେ ପୂରାଇବୁ ବାଞ୍ଛା ॥
ଏହା ଶୁଣି ଗୁରୁପତ୍ନୀ ଅଳପ ହସିଲେ ।ଦର୍ହସିତ ବଦନରେ ମାଗୁଛି ବୋଇଲେ ॥
ମାଗ ମାଗ ମାଏ ବୋଲି ବୋଲନ୍ତି ଶ୍ରୀହରି ।ନିଶ୍ଚେଁ ଦେବୁ ବୋଲି ତିନିବାର ସତ୍ୟକରି ॥
ପଣ୍ଡିଆଣୀ ବୋଲେ ଯେବେ ଦେବାର ପ୍ରମାଣ ।ମୃତ ଷଡ଼ପୁତ୍ରେ ମୋର ଲେଉଟାଇ ଆଣ ॥
ଉତ୍ତମକୁ ଆଶ୍ରେ କଲେ ସ୍ୱଗତି ମିଳଇ ।ପରଶ ପଥର ଲାଗି ଲୁହା ସୁନା ହୋଇ ॥
ମହତ ଜନଙ୍କ ବାକ୍ୟ ନ ହୁଅଇ ଆନ ।ନିଶ୍ଚୟ ଦେବାର ହେଲେ ଦିଅ ପୁତ୍ର ଦାନ ॥
ଗୋବିନ୍ଦ ବୋଇଲେ ମା ଗୋ କହ ମୋର ପାଶ ।କେବଣ ପ୍ରକାରେ ତୁମ୍ଭ ପୁତ୍ର ଗଲେ ନାଶ ॥
ଗୁରୁପତ୍ନୀ ବୋଇଲେ ତୁ ଶୁଣ ଦାମୋଦର ।ସତ୍ୟ ବଚନ କହୁଛି ଆଗରେ ତୁମ୍ଭର ॥
ମାଘମାସେ ଅର୍କତୀର୍ଥେ ଯୋଗେ ପଡ଼ିବାରୁ ।ପୁତ୍ର ଭାର୍ଯ୍ୟାସଙ୍ଗେ ଘେନି ଗଲେ ତୁମ୍ଭ ଗୁରୁ ॥
ସମୁଦ୍ର କୂଳରେ ଯାଇ ପ୍ରବେଶ ହୋଇଲେ ।ଗଡ଼ୁ ପାତ୍ର କୁଶାସନ ଉତ୍ତରୀ ଥୋଇଲେ ॥
ପୁତ୍ରଙ୍କୁ ଘେନି ମୁଁ ଠିଆ ହୋଇଥିଲି ତୀରେ ।ସ୍ନାନ କଲେ ଗୁରୁ ପଶି ସମୁଦ୍ରର ନୀରେ ॥
ଗୁରୁଙ୍କ ପଶିବା ଦେଖି ପୁତ୍ରେ ପଶିଯାଇ ।ସମୁଦ୍ରରେ ସ୍ନାନ କଲେ ଧରାଧରି ହୋଇ ॥
ସେକାଳେ ବରୁଣ ଟେକି ଉତ୍ତୁଙ୍ଗ ଲହଡ଼ି ।ପୁତ୍ରଙ୍କ ଉପରେ ଆସି ପଡ଼ିଲାକ ମାଡ଼ି ॥
କୂଳରେ ଲାଗିଲେ ଗୁରୁ ତରତରେ ଆସି ।ଷଡ଼ଗୋଟି ପୁତ୍ର ମୋର ଗଲେ ଜଳେ ଭାସି ॥
ଜଳେ ଖୋଜି ନ ପାଇଲୁ ମୃତ୍ୟୁଶବ ଲେଶ ।ବରୁଣ ରାଜାର ଆମ୍ଭେ କଲୁ କେଉଁ ଦୋଷ ॥
ଅକାରଣେ ଷଡ଼ପୁତ୍ର ମୋର ବୁଡ଼ି ମଲେ ।ଯମର ଏ ଦୋଷ ନାହିଁ ବରୁଣ ୟା କଲେ ॥
ତୁମ୍ଭେ ଦିଶୁଅଛ ମୋତେ ଦେବତା ପରାୟେ ।ଯାଇ ପାରିବ କି ବାବୁ ବରୁଣଙ୍କ ଯାଏ ॥
ରତ୍ନାକର ପାଟଣାରେ ପୁତ୍ର ମଲେ ବୁଡ଼ି ।ନ ପାଇ ଘରକୁ ଶୋକେ ଅଇଲୁ ବାହୁଡ଼ି ॥
ପୁତ୍ରଙ୍କୁ ସୁମରି ଦହ୍ୟ ହେଉଅଛି ପ୍ରାଣ ।ଲୁହ ବହି ବହି ଚକ୍ଷୁ ହୋଇଲାଣି ଜାଣ ॥
ମନ ସେ ଜାଣଇ ବାବୁ ହୃଦର ବେଦନା ।ଏସବୁ ସମ୍ପଦ ବ୍ୟର୍ଥ ହେବ ପୁତ୍ର ବିନା ॥
ଏତେ ବୋଲି ବିକଳରେ ପୁତ୍ରଗୁଣ ଗୁଣି ।ରାମ କୃଷ୍ଣ ଆଗେ ଶୋକ କଲେ ସେ ବ୍ରାହ୍ମଣୀ ॥
ଗୋବିନ୍ଦ ବୋଇଲେ ମା ଗୋ ବିକଳ ନୋହିବା ।ମୁଁ ତୁମ୍ଭ ପୁତ୍ରଙ୍କୁ ଆଣି ଦେଇପାରେ ଅବା ॥
ଏ ତୁମ୍ଭ ମନରୁ ଭ୍ରାନ୍ତି ଛାଡ଼ସି ଗୋ ମାଏ ।ଥୟ ହୋଇଥାଅ କାଲି ସୂର୍ଯ୍ୟଅସ୍ତ ଯାଏ ॥
ପୁତ୍ରଙ୍କୁ ତୁମ୍ଭ ଛାମୁରେ ଦେବି ନିଶ୍ଚେଁ ଆଣି ।ଏସନକ ଆଜ୍ଞା ଯହୁଁ ଦେଲେ ଚକ୍ରପାଣି ॥
ସାନ୍ଦୀପନି ବୋଇଲେ ଏ ଅସମ୍ଭବ ଗିର ।କେ ଦେଖିଛ ମଲାପ୍ରାଣୀ ଜୀଇଁ ଆସିବାର ॥
ଅନନ୍ତ କୋଟି ବ୍ରହ୍ମାଣ୍ଡେ ଯେତେ ଦେହଧାରୀ ।କଲା କର୍ମମାନ କେବା ପାରେ ଆନ କରି ॥
ସୃଷ୍ଟି ସ୍ଥିତି ଉତପତ୍ତି ସଂହାରଣ ମୂଳେ ।ଭୂତ ଭାବୀ ବର୍ତ୍ତମାନ ଯାର କରତଳେ ॥
ସ୍ଥାବର ଜଙ୍ଗମ ଆଦି ଜୀବ ଚାରିଖାନି ।ଅକାର ଉକାର ସଙ୍ଗେ ମକାରକୁ ଘେନି ॥
ବେଦ ବେଦାଙ୍ଗ ସମାଧି ଧାରଣାରେ ଦେହୀ ।ମଲା ଲୋକଙ୍କୁ ଜୀଆଇଁ ନ ପାରନ୍ତି କେହି ॥
ଉପହାସ କଥା କହି ଆମ୍ଭଙ୍କୁ ନ ଭଣ୍ଡ ।ସିନ୍ଧୁଜଳେ ଭାସିଗଲା ପୁତ୍ର ମୃତପିଣ୍ଡ ॥
ଅସ୍ଥି ଚର୍ମ ମାଂସ ମେଦ ଶିରା ସ୍ନାୟୁ ଯେତେ ।ପାଣିରେ ପଡ଼ି ମିଳାଇ ଗଲେ ଯେଝାମତେ ॥
ଜଳଚର ଜୀବମାନେ କାଟି ଖଣ୍ଡ ଖଣ୍ଡ ।ପ୍ରତ୍ୟକ୍ଷରେ ଖାଇଗଲେ ପୁତ୍ରଙ୍କର ପିଣ୍ଡ ॥
ଏବେ ଲୋଡ଼ି ସେ ପୁତ୍ରଙ୍କୁ ପାଇବା କିପରି ।ଭଣ୍ଡି କହୁଅଛ ବାବୁ କିପାଇଁ ଏପରି ? ॥
ଗୋବିନ୍ଦ ବୋଇଲେ ଗୁରୁ କହିଲ ଯେ କଥା ।କେ ତୁମ୍ଭ ବଚନ ଆନ ବୋଲିବ ସର୍ବଥା ? ॥
ଭୋ ଗୁରୁ ଶୁଣିଛି ମୁହିଁ ପୁରାଣର ମାର୍ଗେ ।ବିଘ୍ନେଶ୍ୱର ଜନ୍ମ ବିଧି ନାମ ସତ୍ୟଯୁଗେ ॥
ତାହାଙ୍କ ଶିର ଈଶ୍ୱର ପକାଇଲେ ହାଣି ।ହସ୍ତୀମୁଣ୍ଡ ଲଗାଇଣ ଜୀଆଇଁଲେ ପୁଣି ॥
ମଣିଭଦ୍ର ଶିର ଆଣି ଯୋଡ଼ିଲେ ଈଶାନ ।ଗଜମୁଣ୍ଡ ଲାଗିବାରୁ ନାମ ଗଜାନନ ॥
ଲକ୍ଷ୍ମଣଙ୍କୁ ଶକ୍ତି ଫିଙ୍ଗି ରାବଣ ମାଇଲା ।ବିଷଲ୍ୟ କରଣି ଆଣି ହନୁ ଜୀଆଇଁଲା ॥
ଅନେକ ଋକ୍ଷ ବାନର ସଂଗ୍ରାମରେ ପଡ଼ି ।ରଘୁନାଥ ବଚନରେ ବଞ୍ଚିଲେ ବାହୁଡ଼ି ॥
ତାରକାସୁର ସଂଗ୍ରାମ କଲା ଯେତେବେଳେ ।ଇନ୍ଦ୍ର ଦେବତା ପଡ଼ିଲେ ମାରନ୍ତେ ସେ ଶୂଳେ ॥
ସମୟେକ ହତପାଟ ହେଲା ସ୍ୱର୍ଗଭୂମି ।ମୃତ ସଞ୍ଜୀବନୀ ମନ୍ତ୍ରେ ବଞ୍ଚିଲେ ସେ ପୁଣି ॥
ଈଶ୍ୱରଙ୍କ କୋପାନଳେ କାମ ଭସ୍ମ ହେଲା ।ସୁଧର୍ମା ସଭାରେ ରତି ବିକଳେ କାନ୍ଦିଲା ॥
ଦୁହିତାର କଷ୍ଟଦଶା ଦେଖି କୁଶପାଣି ।ଅନଙ୍ଗ ନାମ ଦେଇଣ ଜୀଆଇଁଲେ ପୁଣି ॥
ଜମଦଗ୍ନିଙ୍କର ଭାର୍ଯ୍ୟା ରେଣୁକା ବ୍ରାହ୍ମଣୀ ।ମୁନିଙ୍କ ତର୍ପଣ କାଳେ ଦେଉଥିଲେ ପାଣି ॥
ସେକାଳେ ବିମାନେ ବସି ଶୂନ୍ୟେ ଚିତ୍ରସେନ ।ଚଳିଯାନ୍ତେ ଶୁଭିଲା ତା ଘଣ୍ଟିର ନିଃସ୍ୱନ ॥
ସେ ଶବଦ ରେଣୁକାର କର୍ଣ୍ଣକୁ ଶୁଭିଲା ।ଶ୍ରବଣ ଟେକନ୍ତେ ବାମା ବିଭ୍ରମ ହୋଇଲା ॥
ତାହା ଦେଖି ମୁନି ହୋଇ କୋପେ ପରଚଣ୍ଡ ।ପୁତ୍ରଙ୍କୁ ବୋଇଲେ ବେଗେ କାଟ ୟାର ମୁଣ୍ଡ ॥
ସେ କାଳକୁ ତିନିପୁତ୍ର ପାଶେ ବସିଥିଲେ ।ପିତା ଆଜ୍ଞା ନ ମାନି ସେ ଆଡ଼ ହୋଇଗଲେ ॥
ଏ ସମୟେ ପର୍ଶୁରାମ ସେ ସ୍ଥାନକୁ ଆସି ।ଦେଖିଲେ ଅତ୍ୟନ୍ତ କୋପେ ବସିଛନ୍ତି ଋଷି ॥
ପିତାଙ୍କୁ ବୋଇଲେ କିପାଁ କରୁଅଛ ଖେଦ ।ଜମଦଗ୍ନି ବୋଇଲେ ତୁ ମାତା ମୁଣ୍ଡ ଛେଦ ॥
ଆବର ଏ ତିନିଭାଇ ମୁଣ୍ଡ ବେଗେ ହାଣ ।ତାହା ଶୁଣି ପର୍ଶୁରାମ ଚ୍ଛେଦିଲେ ତକ୍ଷଣ ॥
ମାତା ଭ୍ରାତାଙ୍କର ଶିର କରନ୍ତେ ଛେଦନ ।ପରମ ସନ୍ତୋଷ ହେଲେ ଦେଖି ତପୋଧନ ॥
ବହୁତ ପ୍ରଶଂସା କରି ପରଶୁରାମଙ୍କୁ ।ବୋଇଲେ ରେ ପୁତ୍ର ବର ମାଗ ତୁ ଆମ୍ଭଙ୍କୁ ॥
ପର୍ଶୁଧର ବୋଇଲେ ମୋ ମାତା ତିନିଭାଇ ।ତବ ପ୍ରସାଦେ ଉଠନ୍ତୁ ପୂର୍ବ ଦେହ ପାଇ ॥
ତକ୍ଷଣେ ସେ ଚାରିଜଣ ପାଇଲେ ପରାଣ ।ମୁଁ କିସ କହିବି ଗୁରୁ ତୁମ୍ଭେ କି ନ ଜାଣ ? ॥
ଅସୁରବଂଶେ ହିରଣ୍ୟକଶିପୁ ଯେ ଥିଲା ।ଆପଣାର ପୁତ୍ରକୁ ସେ ନାନା ଶାସ୍ତି ଦେଲା ॥
ଖଣ୍ଡ ଖଣ୍ଡ କାଟି ସେହି ପ୍ରହ୍ଲାଦର ମାଂସ ।ଅନଳେ ପୋଡ଼ିଲା ପୁଣି ଖୁଆଇଲା ବିଷ ॥
ହାତୀଗୋଡ଼େ କୁଦାଇଲା ଜଳେ ବୁଡ଼ାଇଲା ।ପର୍ବତ ଉପରୁ ଟେକି ତଳେ ଫିଙ୍ଗିଦେଲା ॥
ଏମନ୍ତ ପ୍ରକାରେ ତାକୁ ମାଇଲା ସେ ଯେତେ ।ସେ ପୁତ୍ର ନ ମରି ପୁଣି ରହିଲା ଜୀବିତେ ॥
କଚ ନାମରେ ଯେ ବୃହସ୍ପତିଙ୍କ କୁମର ।ଶୁକ୍ରଙ୍କର ଜୁଆଇଁ ସେ ଦେବଯାନୀ ବର ॥
ସକଳ ଅସୁରେ ତାଙ୍କୁ ବହି ଅମରଷ ।କପଟରେ ଡାକିନେଇ କଲେ ପ୍ରାଣେ ନାଶ ॥
ମାଂସ ପୋଡ଼ି ସୁରା ସଙ୍ଗେ ମିଶାଇ ଖାଇଲେ ।ଝିଅଛଳେ ପୁଣି ଶୁକ୍ର ତାଙ୍କୁ ଜୀଆଇଁଲେ ॥
ଏ ବିଧିରେ କେତେ ଦେବ ଦାନବ ମାନବେ ।ପୁନରପି ପ୍ରାଣ ପାଇ ବଞ୍ଚିଛନ୍ତି ଭବେ ॥
ଏଥକୁ ମନରେ ଗୁରୁ ନ କରିବା ଭ୍ରାନ୍ତି ।ଅବଶ୍ୟ ତୁମ୍ଭର ପୁତ୍ର ଆସିବେ ବରତି ॥
ଗୁରୁ ବୋଇଲେ ହେ ବାବୁ ଯେ ତୁମ୍ଭର ଇଚ୍ଛା ।ଅଦୃଷ୍ଟି ଅଶ୍ରୁତି କଥା ଆମ୍ଭର କି ବାଞ୍ଛା ॥
ଯେତେ ଦୃଷ୍ଟାନ୍ତର ତୁମ୍ଭେ କହିଗଲ ଠିକେ ।ମର୍ତ୍ତମଣ୍ଡଳେ ଦୁର୍ଲ୍ଲଭ କଥା ଏକେ ଏକେ ॥
ଅନେକ ଜନ୍ମ ବହୁତ ପୁଣ୍ୟ ଯେବେ କରି ।ତେବେ ସେ ଏସନ ଗତି ଲଭି ହୁଏ ପାରି ॥
ଗୋବିନ୍ଦ ବୋଇଲେ ଗୁରୁ ଆଜକ ସହିବା ।କାଲି ଯାଇ ନିଶ୍ଚେଁ ତୁମ୍ଭ ପୁତ୍ରଙ୍କୁ ଆଣିବା ॥
ଏତେ ବୋଲି ଗୁରୁପାଦେ ନମସ୍କାର କରି ।ବଳଦେବଙ୍କୁ ପ୍ରଣାମ କଲେ ଦେବ ହରି ॥
ସେ ରାମ କୃଷ୍ଣଙ୍କ ପାଦପଙ୍କଜଳୁ ଆଶ ।କହଇ ଅଚ୍ୟୁତାନନ୍ଦ ଗୀତେ ହରିବଂଶ ॥
କୃଷ୍ଣ ଯମଭୁବନରୁ ପୁତ୍ରଙ୍କୁ ଆଣି ଗୁରୁଙ୍କୁ ଦେବା ଏବଂ ରାମ କୃଷ୍ଣଙ୍କର ବାହୁଡ଼ା ବିଜେଏଥୁଅନ୍ତେ ଶୁକମୁନି ବୋଲନ୍ତି ରାଜନ ।କହିବା ଅପୂର୍ବ କଥା ହେତୁକରି ଘେନ ॥
ଗୋବିନ୍ଦ କହିଲେ ବଳଦେବଙ୍କୁ ଅନାଇ ।ସୁରଥଙ୍କୁ ଘେନି ତୁମ୍ଭେ ଥିବ ଆହେ ଭାଇ ॥
ଗୁରୁ ଦକ୍ଷିଣା ଦେବାକୁ ଆମ୍ଭେ ଆରମ୍ଭିଲୁ ।ପୁତ୍ରକୁ ଜୀଆଇଁ ଆଣିଦେବୁ ସତ୍ୟ କଲୁ ॥
ରତ୍ନାକର ଭୁବନକୁ ଯିବୁ ଏହିକ୍ଷଣି ।ଗୁରୁଙ୍କର ଷଡ଼ ପୁତ୍ର ଦେବୁଁ ତହୁଁ ଆଣି ॥
ଏହା ଶୁଣି ଗୁରୁଗୃହେ ବିଶ୍ରାମିଲେ ହଳୀ ।ଶୁଭ ଯୋଗେ ଅନୁକୂଳ କଲେ ବନମାଳୀ ॥
ପାଦୁକା ମନ୍ତ୍ର ସୁମରି ଲକ୍ଷ୍ମୀଦେବୀ ସାଇଁ ।ଲବଣ ସମୁଦ୍ର ତୀରେ ପ୍ରବେଶିଲେ ଯାଇ ॥
ଦକ୍ଷିଣ ମୁଖରେ ଉଭା ହୋଇ ଦେବରାୟେ ।ଦେଖିଲେ ଦୁସ୍ତର ବାରାନିଧି ବିଶ୍ୱମୟେ ॥
ଲକ୍ଷେକ ଯୋଜନେ ଜମ୍ୱୁଦ୍ୱୀପେ ବିଦ୍ୟମାନ ।କ୍ଷାର ସମୁଦ୍ର ବେଢ଼ିଛି ତାଠାରୁ ଦ୍ୱିଗୁଣ ॥
ତଦନ୍ତରେ ଶୋଭାବନ ପାଞ୍ଚଲକ୍ଷ ପୃଥ୍ୱୀ ।ବେନି ଲକ୍ଷ ଯୋଜନ ସେ ଅଟେ ଦୀର୍ଘପ୍ରତି ॥
ମେରୁର ବାୟବ୍ୟ କୋଣେ ସେ ଅପୂର୍ବ ଦେଶ ।ନୀଳ ସମୁଦ୍ର ବେଢ଼ାଇ ଅଛି ଚଉପାଶ ॥
ତଦନ୍ତେ ଶୋଭା ଦିଶଇ କୁଶଦ୍ୱୀପ ବୋଲି ।ଦୀର୍ଘପ୍ରତି ଚାଲିଲକ୍ଷ ଯୋଜନ କହିଲି ॥
ଇକ୍ଷୁନାମେ ସମୁଦ୍ରେକ ଅଛି ତାକୁ ବେଢ଼ି ।ସେ ସମୁଦ୍ର ରହିଅଛ ଶତେ ଯୂଣ ମାଡ଼ି ॥
ତଦନ୍ତେ କାମ୍ୟକ ଦ୍ୱୀପ ଅତି ବିତପନ ।ଆଡ଼ଦୀର୍ଘ ପ୍ରତିରେ ସେ ଲକ୍ଷେକ ଯୋଜନ ॥
ସୁରାନାମେ ସମୁଦ୍ରେକ ଆବୋରିଛି ତାହା ।ପୂର୍ବେ ମୟ ବିଶ୍ୱକର୍ମା ରଚିଥିଲା ଯାହା ॥
ବାରଲକ୍ଷ ଯୋଜନ ସେ ଆଡ଼ଦୀର୍ଘ ପ୍ରତି ।ଅଠର କାଠି ଗଭୀର ଜଳର ଆକୃତି ॥
ତଦନ୍ତେ ସାଗର ନାମେ ଅଛି ଏକ ଦ୍ୱୀପ ।ଏଗାର ଲକ୍ଷ ଯୋଜନ ଅଟେ ତାର ମାପ ॥
ଦଧିନାମେ ସମୁଦ୍ରେକ ତହିଁକି ଆବୋରି ।ପନ୍ଦର ଲକ୍ଷ ଯୋଜନ ତହିଁର ଯେ ବାରି ॥
ବାଇଶ କାଠି ଗଭୀର ଜଳ ଅତି ସଞ୍ଚ ।ନାହିଁ ପଟାନ୍ତର ସ୍ୱର୍ଗ ରସାତଳ ମଞ୍ଚ ॥
ତହିଁର ଅନ୍ତେ ସାକଲ୍ୟ ନାମେ ଦ୍ୱୀପ ଶୋଭା ।ପନ୍ଦର ଲକ୍ଷ ଯୋଜନ ଆଡ଼ ଦୀର୍ଘ ପ୍ରଭା ॥
କ୍ଷୀରନାମେ ସମୁଦ୍ରେକ ରହିଛି ଆବୋରି ।ଅନନ୍ତ ଶଯ୍ୟାରେ ତହିଁ ବିଜେ ନରହରି ॥
ଅଠର ଲକ୍ଷ ଯୋଜନ ପୁଣ୍ୟ ଜଳମୟ ।ସେ ଜଳରୁ ଚନ୍ଦ୍ର ସୂର୍ଯ୍ୟ ହୁଅନ୍ତି ଉଦୟ ॥
ଅଠଚାଳିଶ କାଠିର ଗଭୀର ସେ ଜଳ ।ଆକାଶକୁ ଘୋଟିଅଛି ଅକଳିତ କୂଳ ॥
ଶୁଣ ହେ ପରୀକ୍ଷ ରାଜା କହି ଶୁକ ଯତି ।ଇତି ଶିରୀ ଭାଗବତ ପୁଣ୍ୟମୟ କୀର୍ତ୍ତି ॥
କହନ୍ତେ ନ ସରେ ସାତ ସିନ୍ଧୁର ମହିମା ।ଗଣ୍ଡୂଷକେ ପାନ କଲେ ଅଗସ୍ତି ମହତ୍ମା ॥
ଶୁକଳ ଦ୍ୱୀପେକ ଅଛି ତହିଁର ପାରୁଶେ ।ବତିଶଲକ୍ଷ ଯୋଜନ ବିସ୍ତାର ସେ ଦିଶେ ॥
ତହିଁକି ବେଢ଼ିଛି ଅମ୍ୱୁ ନାମେ ବାରାନିଧି ।ଧର୍ମ ଅର୍ଥ କାମ ମୋକ୍ଷ ଯହିଁ ହୋଇ ସିଦ୍ଧି ॥
ଷାଠିଏ ଲକ୍ଷ ଯୋଜନ ଅଟଇ ସେ ଜଳ ।ପାତାଳକୁ ଘୋଟିଅଛି ନାହିଁ ସ୍ଥଳ କୂଳ ॥
ସେ ଜଳେ ବଡ଼ବାନଳ ଅଛି ତୋଜୋମୟେ ।ଧ୍ରୁବଣ୍ଡଳ ପର୍ଯ୍ୟନ୍ତେ ତାର ଶିଖା ଯାଏ ॥
ଆବର ତହିଁରେ ଅଛି ସୁଧାକର କୁଣ୍ଡ ।ଅଶେଷ କୋଟି ବ୍ରହ୍ମାଣ୍ଡଯାକ ତହିଁ ରୁଣ୍ଡ ॥
ପଞ୍ଚାଣୋଇ ଲକ୍ଷ ଯୂଣ ଆଡ଼ ଦୀର୍ଘ ତାର ।ସେ ସିନ୍ଧୁ ମଧ୍ୟରେ ଅଛି ବରୁଣ ନବର ॥
ପାଣି ଭିତରେ କଟକ ଯେହ୍ନେ ବାରସ୍ୱତୀ ।ଦିଲକ୍ଷ ଯୋଜନ ଲମ୍ୱ ଷଡ଼ଲକ୍ଷ ପ୍ରତି ॥
କହନ୍ତେ ନ ସରେ ନୃପ ସେ କଟକ ଗୁଣ ।କୋଟି ବିଶ୍ୱକର୍ମା ଯାହା କରିଛି ନିର୍ମାଣ ॥
ଜଳାଧିପତି ବରୁଣ ସେ କଟକେ ରାଜା ।ସବୁ ସମୁଦ୍ରେ କରନ୍ତି ତା ପାଦରେ ପୂଜା ॥
ଏକାଙ୍ଗ ଲକ୍ଷ୍ମୀ ଭୋଗ ସେ କରେ ସମରାଷ୍ଟ୍ର ।ଯାହାର ମହିମା ବାଜେ ଜଗତେ ମୁରାଟ ॥
ଜଳଜନ୍ତୁମାନଙ୍କର ଅଟଇ ସେ ନେତା ।ନଦ ନଦୀ ହ୍ରଦ ସପ୍ତ ସିନ୍ଧୁର କରତା ॥
ସମୁଦ୍ର ଜାତ ରତ୍ନର ଅଟଇ କାରେଣି ।ଅଷ୍ଟଦିଗପାଳ ସଙ୍ଗେ ହୁଅଇ ବରଣି ॥
ସେ ପୁରକୁ ଆଗମନ କରନ୍ତି ଶ୍ରୀହରି ।ଆନର ବଳେ ହୋଏ କି ଏଡ଼େ କର୍ମ କରି ॥
ଅପାଙ୍ଗ ଭଙ୍ଗୀରେ ଦୃଷ୍ଟି ଦେଲେ ଦକ୍ଷିଣକୁ ।ଉଚ୍ଚାଟ ଲାଗିଲା ସେହି ବରୁଣ ପୁରକୁ ॥
ଗମନ କରନ୍ତେ ପଥ କେତେଦୂର ଛଡ଼ା ।ପାଦୁକାମନ୍ତ୍ର ସୁମରି କଲେ ଏକ ଭଡ଼ା ॥
ମନର ପଛେ ପବନ ହୋଇଲା ବାହାର ।ପବନ ସଙ୍ଗରେ ଉଡ଼ି ଚଳିଲା ଶରୀର ॥
ଏମନ୍ତ ପ୍ରକାରେ ଅଟେ ମନ୍ତ୍ରର ପ୍ରଭାବ ।ଅଶେଷ କୋଟି ବ୍ରହ୍ମାଣ୍ଡ କ୍ଷଣକରେ ଯିବ ॥
ସେ ମନ୍ତ୍ର ମନରେ ଚିନ୍ତା କରି ନାରାୟଣ ।ବରୁଣ ଭୁବନେ ଯାଇ ମିଳିଲେ ତକ୍ଷଣ ॥
ଗଡ଼ର ପ୍ରଥନେ ଦ୍ୱାରେ ସୁବର୍ଣ୍ଣ କାଙ୍ଗୁଲା ।ଆଡ଼ ଦୀର୍ଘେ ଦଶ ଦଶ ଯୋଜନ ଦିଶିଲା ॥
କୋଶେକୋଶେ ଓସାର ତାହାର ବନ୍ଧ ଜୋଡ଼ା ।ଲୁହା କବାଟରେ ବଜ୍ରକିଳଣୀ ନିବିଡ଼ା ॥
ସହସ୍ରେ ବଖରା ଘର ତାର ବେନି ପାଖେ ।ଦ୍ୱାଦଶ ନଳ ଓସାର ଏକ ବଖରାକେ ॥
ଲୁହାର ପାଚେରୀ ଅଛି ଶତେ ଯୂଣ ଉଚ୍ଚ ।ସାତ ତାଳ ଆୟତନ କାଙ୍ଗୁଲା ସୁସଞ୍ଚ ॥
ମୁକୁତା ପୋଡ଼ା ଚୂନରେ ଧବଳ ଭୁବନ ।ବିଜୁଳୀ ପରାୟ ତେଜ ଦିଶେ ଛନ୍ନ ଛନ୍ନ ॥
ରତ୍ନାକର ପାଟଣାରେ ବସନ୍ତି ଶ୍ରୀହରି ।ପ୍ରଥମ ଦ୍ୱାରକୁ ଦେଖି ପରଶଂସା କରି ॥
ହାତୀ ରଥୀ ପଦାତିକ ଅଶ୍ୱ ନିରନ୍ତରେ ।ଗଡ଼ ଦ୍ୱାର ଜଗିଛନ୍ତି ଶସ୍ତ୍ର ଧରି କରେ ॥
ଦ୍ୱାର ଲଘିଂ ଦେବରାୟେ ଭିତରକୁ ଯାଇ ।ପରମ ଆନନ୍ଦ ହେଲେ ପାଟଣାକୁ ଚାହିଁ ॥
ମଣିମାଣିକ୍ୟ ମୁକୁତା ବେଷ୍ଟିତ ସେ ପୁରେ ।ଖଞ୍ଜିଅଛି ନାନା ଜାତି ରତ୍ନ ଘରେ ଘରେ ॥
ପ୍ରତ୍ୟକ୍ଷରେ ଦେବତା ସେ ପୁର ନର ନାରୀ ।ବ୍ରହ୍ମ ପ୍ରଳୟ ପର୍ଯ୍ୟନ୍ତେ ଥାନ୍ତି ଦେହ ଧରି ॥
ଏକକୁ ଆରେକ ବଳି ଦିଶୁଛନ୍ତି ଶୋଭା ।ବାଳ ବୃଦ୍ଧ କେହି ନାହିଁ ସର୍ବେ ନବ ଯୁବା ॥
କଟକ ଭିତରେ ପଶି ଥୋକେ ଦୂର ଗଲେ ।ନଗ୍ର ସିଂହଦ୍ୱାରେ ଯାଇ ପ୍ରବେଶ ହୋଇଲେ ॥
ପୁରବାସୀ ନରନାରୀ ପଛରେ ଗୋଡ଼ାଇ ।ମୋହିତ ହୋଇଲେ ସର୍ବେ କୃଷ୍ଣମୁଖ ଚାହିଁ ॥
ବୋଲନ୍ତି ଅଇଲେ କାହୁଁ ଅପୂର୍ବ ପ୍ରବାସୀ ।କୋଟିଏ କନ୍ଦର୍ପ ପ୍ରାୟେ ଦିଶେ ରୂପରାଶି ॥
କେତେକାଳ ବସି ଯତ୍ନେ ଗଢ଼ିଥିଲା ଧାତା ।କେ ବୋଲନ୍ତି ଧନ୍ୟ ଧନ୍ୟ ଗର୍ଭଧାରୀ ମାତା ॥
କୋ ବୋଲଇ କେତେ ପୁଣ୍ୟ ପିତା କରିଥିଲେ ।ଏପରା ପୁତ୍ରକୁ ପାଇ କୋଳରେ ଧଇଲେ ॥
ଏ କେଉଁ ଦେବତା ଅବା ନରରୂପ ଧରି ।ଆସିଅଛି ବରୁଣଙ୍କ ପାଶେ କି ବିଚାରି ॥
ଦେଖିବା ଲେକେ ଏମନ୍ତ କଥା ହେଉଥିଲେ ।ଦ୍ୱାର ଲଘିଂ ଲଘିଂ ପ୍ରଭୁ ଭିତରକୁ ଗଲେ ॥
ଦ୍ୱାରପାଳମାନେ ଦେଖି ଛାଡ଼ିଦେଲେ ବାଟ ।ଚତୁର୍ଥ ଦ୍ୱାରେ ପ୍ରବେଶ ହେଲେ ନନ୍ଦଚାଟ ॥
ସିଂହାସନରେ ବରୁଣ ବିଜେ କରିଥିଲେ ।ଗୋବିନ୍ଦ ଆସିବା ଦେଖି ଉଚ୍ଚାଟ ହୋଇଲେ ॥
ଧାତିକାରେ ଆସନରୁ ଉଠି ଜଳସାଇଁ ।ଥୋକେ ଦୂର ଚାଲିଗଲେ ପାଛୋଟିବା ପାଇଁ ॥
ଖଣ୍ଡେଦୂରୁ ଶ୍ରୀକୃଷ୍ଣଙ୍କୁ ଦେଖି ଜଳାଧିପ ।ବୋଇଲେ ଖଣ୍ଡିଲି ଆଜି କୋଟି ଜନ୍ମ ପାପ ॥
ମୁକୁଟ ଫିଟାଇ ଶିରେ ବେନି କର ଯୋଡ଼ି ।ସାଷ୍ଟାଙ୍ଗେ ପଡ଼ଇ ରାଜା ଶୁତି ଗଡ଼ଘାଲି ॥
କରପତ୍ର ଯୋଡ଼ି ପୁଣି ବୋଲେ ଜଳପତି ।ଜୟ ଜୟ ନାରାୟଣ ଅଗତିର ଗତି ॥
ତୁମ୍ଭେ ପ୍ରଭୁ ଜଳ ସ୍ଥଳ ଅନଳ ପବନ ।ସ୍ଥାବର ଜଙ୍ଗମ ଆଦି କରିଛ ଭିଆଣ ॥
ବେଦର ବଦନ ତୁମ୍ଭେ ବେଦାନ୍ତର ଶାଖା ।ତୁମ୍ଭର ମହିମା ପ୍ରଭୁ ତୁମ୍ଭେ ଜାଣ ଏକା ॥
ପୃଥିବୀର ଭାରାଭର ନିବାରିବା ପାଇଁ ।କଉତୁକେ ଜନ୍ମିଅଛ ନର ଦେହ ବହି ॥
ସ୍ତୁତିମୂର୍ତ୍ତି ପ୍ରତିମୂର୍ତ୍ତି ବିବର୍ଜିତ ଯାର ।ତୁମ୍ଭେ ସେ ଅନାଦି ନାଥ ଅଜର ଅମର ॥
ତୁମ୍ଭ କଳ୍ପନାରୁ ସ୍ୱାମୀ ଜଗତ ଉତ୍ପନ୍ନ ।ଯହିଁ ଜାତ ହୁଏ ପୁଣି ତହିଁ ହୁଏ ଲୀନ ॥
ନମସ୍ତେ ହେ ଲକ୍ଷ୍ମୀକାନ୍ତ କୃପା ଜଳନିଧି ।ବାଞ୍ଛା କଳ୍ପତରୁ ତୁମ୍ଭେ ବାଞ୍ଛା କର ସିଦ୍ଧି ॥
ଶଙ୍ଖ ଚକ୍ର ଗଦା ପଦ୍ମ ଶୋହେ ଚାରିଭୁଜ ।ଦନୁଜ ଅନ୍ତକ ସ୍ୱାମୀ ଅଲୋକିତ ତେଜ ॥
ଶ୍ରୀଜଗନ୍ନାଥ ଚରଣେ ସଦା ମୋର ସେବା ।ଅଚ୍ୟୁତ ଦାସ କବିକି ଗତି ମୁକ୍ତି ଦେବା ॥
ଏସନକ ସ୍ତୁତି କରି ସେ ବରୁଣ ରାଜା ।ଶ୍ରୀକୃଷ୍ଣଙ୍କ ପାଦପଦ୍ମେ କଲେ ଦିବ୍ୟପୂଜା ॥
ରତ୍ନମୟ ସିଂହାସନେ ବସାଇଲେ ନେଇ ।ଆପେ ତଳେ ଉଭାହେଲେ କାଖେ ହସ୍ତଦେଇ ॥
ବରୁଣ ବୋଲନ୍ତି ପ୍ରଭୁ ଶୁଣ ଜଗନ୍ନାଥ ।ପରିଶ୍ରମ କଲ କିପାଁ ଚାଲି ଏତେ ପଥ ॥
ଆଜ୍ଞା ଦେଇଥିଲେ ମୋତେ ଯାଇଥାନ୍ତି ମୁହିଁ ।ମନମଧ୍ୟେ ସୁମରଣା ନ କଲ କିପାଇଁ ॥
ତବ ସୁଦୟାରୁ ଆମ୍ଭେ ବୋଲାଉ ଦେବତା ।ଆଜ୍ଞା ଦେଲେ ଲଘିଂବାକୁ କେ ଅଛି ଶକତା ॥
କି ଆଜ୍ଞା ହେଉଛି ମୋତେ ହେଉ ଧାତିକାର ।ଏତେ ବୋଲି ଜଳାଧିପ ଯୋଡ଼େ ବେନିକର ॥
ଜଗନ୍ନାଥେ ଆଜ୍ଞା ଦେଲେ ଶୁଣ ଜଳପତେ ।ଅର୍କତୀଥେ ଆସିଥିଲେ ସାନ୍ଦୀପନି ସୁତେ ॥
ସ୍ନାନ କରୁଥିଲେ ପଶି ସମୁଦ୍ରର ଜଳେ ।ତରଙ୍ଗ ନାମରେ ତୁମ୍ଭ ମନ୍ତ୍ରୀ ଯାଇ ବଳେ ॥
ଷଡ଼ଗୋଟି ବାଳକ ସେ ଆଣିଲା ଭସାଇ ।ଗୁରୁଙ୍କୁ କହିଛୁ ଆମ୍ଭେ ଦେବୁ ତାଙ୍କୁ ନେଇ ॥
କାହିଁଛନ୍ତି ସେ ବାଳକେ ଦିଅ ବେଗେ ଆଣି ।ପାଇଲା ମାତ୍ରକେ ଆମ୍ଭେ ଯିବୁ ଏହିକ୍ଷଣି ॥
ବରୁଣ ବୋଇଲେ ତୁମ୍ଭେ ସର୍ବ ଅନ୍ତର୍ଯ୍ୟାମୀ ।ତୁମ୍ଭେ କି ନ ଜାଣ ମୋତେ ପଚାରୁଛ ସ୍ୱାମୀ ॥
ଯେଉଁ ଅଧିକାର ତୁମ୍ଭେ ଯାକୁ ଅଛ ଦେଇ ।ସେ ତାହା ଆବୋରିଛନ୍ତି ତୁମ୍ଭ ଆଜ୍ଞା ପାଇ ॥
ସ୍ୱାମୀ ସଂଯମନୀପୁରେ ଅନ୍ତକ ଦେବତା ।ତାକୁ ଲାଗେ ପ୍ରାଣୀଙ୍କର ଜନ୍ମ ମୃତ୍ୟୁ କଥା ॥
ତୁମ୍ଭେ ଯେ ବୋଇତ ପ୍ରାୟେ ଜଳେ ଗଲେ ଭାସି ।ସମୁଦ୍ର ଲହରୀମାନେ ହେଲେ ଏଥେଁ ଦୋଷୀ ॥
ଏଥିର ତଦନ୍ତ ତୁମ୍ଭେ ନ ଜାଣ କି ହରି ।ଯେ ଯାହାର ଶୁଭାଶୁଭ କର୍ମ ଭୋଗ କରି ॥
ଜଳ ସ୍ଥଳ ଆଦି କୀଟ ପତଙ୍ଗ ପର୍ଯ୍ୟନ୍ତେ ।ତୁମ୍ଭ କଳ୍ପନାରୁ ଜାତ ହୁଅନ୍ତି ସମସ୍ତେ ॥
ଏ ସବୁ ପ୍ରାଣୀଙ୍କୁ ଏକା ଅନ୍ତକ ମାରନ୍ତି ।ଯମନେଲା ବୋଲି ଲୋକେ କେହି ନବୋଲନ୍ତି ॥
ଯମ ଆସି ନ ମାଇଲେ ପ୍ରାଣୀ ନୋହେ ନାଶ ।ବ୍ୟାଧି ସର୍ପ ଜଳାଦିରେ ଲାଗଇ ସେ ଦୋଷ ॥
ଦେବଙ୍କ ଉପରେ ଦେବ ତୁମ୍ଭେ ଚକ୍ରପାଣି ।ନିଜ ଅନ୍ତର୍ଗତେ ପ୍ରଭୁ ବିଚାର ଏ ବାଣୀ ॥
ଅନିମିତ୍ତେ କୋପ ତୁମ୍ଭେ ନ କର ମୋଠାରେ ।ଯେ ତୁମ୍ଭର ଇଚ୍ଛା କିସ କହିବି ଛାମୁରେ ॥
ଜଗନ୍ନାଥେ ବୋଇଲେ ଯେ ତୁମ୍ଭ ଦୋଷନାହିଁ ।ନିଶ୍ଚୟେ ଗୁରୁ ପୁତ୍ରଙ୍କୁ ଯମ ଅଛି ନେଇ ॥
ଏତେ ବୋଲି ବରୁଣଙ୍କୁ ସଙ୍ଗତରେ ଘେନି ।ଯମ ଭୁବନକୁ ବିଜେ କଲେ ଚକ୍ରପାଣି ॥
ପାଦୁକା ମନ୍ତ୍ର ସୁମରି ଗଲେ ଅତି ବେଗେ ।ପ୍ରବେଶ ହୋଇଲେ ଯାଇ ଯମପୁର ଲାଗେ ॥
କୃତାନ୍ତକ ମଣ୍ଡପରେ ବିଜେ ଜନ୍ତୁପତି ।ଆଗେ ଉଭା ହୋଇଛନ୍ତି ଗଣ ସେନାପତି ॥
ଆବର ବାସ୍ତରି କାଳଗଣ ଆଗେ ଉଭା ।ଚଉରାଶୀ ପ୍ରେତମାନେ ବେଢ଼ିଛନ୍ତି ସଭା ॥
ଗର୍ଦ୍ଦଭ ମଇଁଷୀ ଓଟ ବିରାଡ଼ି ବାହାନେ ।ବେନି ଧାଡ଼ି ପଟୁଆରି ଉଭା ସନ୍ନିଧ୍ୟାନେ ॥
କାଳ ବିକାଳ ଏ ବେନି କରେ ପାଶ ଧରି ।ଆଜ୍ଞା ଦେଉଛନ୍ତି ଦୂତଗଣଙ୍କୁ ତିଆରି ॥
ଝିଞ୍ଜିର ଚମଦଉଡ଼ି କିଳା କଣ୍ଟା ଛାଟ ।କ୍ଷୁର ନହୁରୁଣୀ ତପ୍ତ ଷଣ୍ଢୁଆସି ଖୁଣ୍ଟ ॥
ଏମନ୍ତ ଆୟୁଧମାନ ଧରି ଯେଝାକରେ ।ସର୍ବେ ଉଭା ହୋଇନ୍ତି ଯମଙ୍କ ଛାମୁରେ ॥
ନିଜେ ଯମ ବସିଛନ୍ତି ସିଂହାସନ ମାଡ଼ି ।ଅଷ୍ଟରତ୍ନ ଶୋଭାପାଏ ଆସ୍ଥାନରେ ଜଡ଼ି ॥
କାଳାନ୍ତକ ମହିଷ ଯେ ଅଛି ଉଭା ହୋଇ ।ଯୁଗାନ୍ତକ ଯାଏ ଯାର ମୃତ୍ୟୁ ଭୟ ନାହିଁ ॥
ଛାମୁରେ ଅଛନ୍ତି ଚିତ୍ରଗୁପ୍ତେ ପାଞ୍ଜି ଘେନି ।ସଂସାରର ହାନି ଲାଭ ଲେଖନ୍ତି ସେ ଜାଣି ॥
ଯୁଗାନ୍ତକ ଖଡ଼ଗରେ ଶୋହେ ଭୁଜଦଣ୍ଡ ।ବାମକରେ କାଳପାଶେ ତେଜରେ ପ୍ରଚଣ୍ଡ ॥
ଲୋହିତ ପିଙ୍ଗଳ ବର୍ଣ୍ଣ ଦିଶେ ତନୁକାନ୍ତି ।ଅଷ୍ଟରତ୍ନ ଆଭରଣେ ଶୋଭାପାଏ ଅତି ॥
ଧର୍ମ ପୁରାଣ ପୁସ୍ତକ ପଡ଼ିଛି ଆଗରେ ।ଶିରେ କର ଯୋଡ଼ି ବାର୍ତ୍ତା ଜଣାନ୍ତି ଡଗରେ ॥
ଭୂତ ଭାବୀ ବର୍ତ୍ତମାନ ପାପ ପୁଣ୍ୟ ଆଦି ।ଚିତ୍ରଗୁପତ କରଣେ ଜଣାନ୍ତି ସମ୍ପାଦି ॥
ତାଙ୍କ ପାଞ୍ଜି ପ୍ରମାଣରେ ବୁଝି ସବୁ କଥା ।ବିଚାରି ଦଣ୍ଡ ଦିଅଇ ସେ ଧର୍ମ ଦେବତା ॥
ନିରାଲମ୍ୱ ପୁରୁଷ ସେ ଅଟେ ପୁଣ୍ୟଦେହୀ ।ଶତ୍ରୁ ମିତ୍ର ଉଦାସୀନ ତାର କିଛି ନାହିଁ ॥
ମାତା ଅଭିଶାପେ କୁଷ୍ଠବ୍ୟାଧି ଜାତ ହୋଇ ।ଦକ୍ଷିଣ ପାଦରୁ ପୂଯ ଶୋଣିତ ବହଇ ॥
ସଂସାରରେ ନାମଧାରୀ ପୁଣ୍ୟବନ୍ତ ଲୋକେ ।ଯେଝା ଅନୁରୂପେ ଉଭା ହୋଇଛନ୍ତି ଥୋକେ ॥
ସୋମବଂଶୀ ସୂର୍ଯ୍ୟବଂଶୀ କୋଟିରାଜା ମୂଳେ ।ପଣ୍ଡୁରାଜା ବସେ ତିନି ପାବଚ୍ଛରେ ତଳେ ॥
ଏ ସମୟେ ବରୁଣଙ୍କୁ ଘେନି ନାରାୟଣ ।ମଣ୍ଡପ ଉପରେ ଯାଇ ଉଠିଲେ ତକ୍ଷଣ ॥
ନିର୍ଭରେ ଯମଦେବତା ସେ ଦୁହିଙ୍କୁ ଦେଖି ।ଉଠି ଆସି କୋଳ କଲେ ଆସନ ଉପେକ୍ଷି ॥
ଯେ ଯାହାର ମାନ୍ୟ କରି ବସନ୍ତେ ଆସନେ ।ଦିଶିଲେ ସେ ବ୍ରହ୍ମା ବିଷ୍ଣୁ ଶିବଙ୍କ ସମାନେ ॥
କୃତାନ୍ତ ଭୁବନେ ଥିଲା ସଂଜୀବନୀ ମଣି ।କୃଷ୍ଣଙ୍କୁ ତା ଭେଟିଲେ ଦେଲେ ଯମ ଆଣି ॥
କରପତ୍ର ଯୋଡ଼ି ଯମଦେବତା କହଇ ।ତୁମ୍ଭେ ଆସିବାର ବାଟ ଚାହିଁଥିଲି ମୁହିଁ ॥
ଦୁର୍ବାସା ଋଷିଙ୍କି ମୁଁ ଯେ ଦେଲି ଅପବାଦ ।ଗଳିତ କୁଷ୍ଠବ୍ୟାଧିରେ ଗଳୁଛି ମୋ ପାଦ ॥
ଶାପକୁ କାରଣ ମୋତେ କହିଛନ୍ତି ଋଷି ।ସେ କଥା ପ୍ରତ୍ୟକ୍ଷେ ଭେଟ ହେଲା ଆଜ ଆସି ॥
ତୁମ୍ଭଙ୍କୁ ଦେଖିଲେ ମୋର ବ୍ୟାଧି ଯିବ ନାଶ ।ଗୋବିନ୍ଦ ବୋଇଲେ ଦେଖି କାଢ଼ କିନା ବାସ ॥
ଶୁଣି ଜନ୍ତୁପତି ଫିଟାଇଲେ ବସ୍ତ୍ର ଗୋଟି ।କମଳ ଲୋଚନ ସ୍ୱାମୀ ଦେଲେ ଦିବ୍ୟ ଦୃଷ୍ଟି ॥
ସନ୍ତପରେ ପୂଯ ରକ୍ତ ମିଶି ଗଳୁଥିଲା ।ଗୋବିନ୍ଦ ଦୃଷ୍ଟି ପଡ଼ନ୍ତେ କ୍ଷଣକେ ଶୁଣିଲା ॥
ମକର କେତନ ପ୍ରାୟେ ଦିଶେ ଯମରାଜା ।ପୂଜସ୍ରୋତ ବହିବାରୁ ପାଉଥିଲା ଲଜ୍ଜା ॥
ବ୍ରଣ ଶୁଖି ମାଂସ ଚର୍ମ ଉଠିଲା କଅଁଳି ।ନୂଆନଖେ ବିରାଜିତ ଦିଶଇ ଆଙ୍ଗୁଳି ॥
ତା ଦେଖି ଆନନ୍ଦ ମନେ ଉଠି ଜନ୍ତୁପତି ।ଶିରେ କରପତ୍ର ଯୋଡ଼ି ଆରମ୍ଭିଲେ ସ୍ତୁତି ॥
ଜୟ ଜୟ ଜଗନ୍ନାଥ ପ୍ରାଣୀଙ୍କ ଜୀବନ ।ଅବ୍ୟକ୍ତ ପୁରୁଷ ତୁମ୍ଭେ ପ୍ରଭୁ ନିରଞ୍ଜନ ॥
ମନ ବଚନ କର୍ତ୍ତବ୍ୟେ ତୁମ୍ଭେ ଯେ ଅଗମ୍ୟ ।ପରାପର ପରମାଣୁ ପୁରୁଷ ଉତ୍ତମ ॥
ତୁମ୍ଭ କଳ୍ପନାରୁ ସୃଷ୍ଟି ହେଉଅଛି ଜାତ ।କ୍ଷଣକେ କୋଟି ବ୍ରହ୍ମାଣ୍ଡ କରିପାର ଅନ୍ତ ॥
ପାପୀଙ୍କି ତାରିବା ପାଇଁ ତୁମ୍ଭେ ଅବତାର ।ତୁମ୍ଭେ ମନ ଚକ୍ଷୁ ବୁଦ୍ଧି ଜ୍ଞାନ ଅହଙ୍କାର ॥
ତୁମ୍ଭ ବିନା ଇହ ପରେ ଆନ କେହି ନାହିଁ ।ଅଶେଷ କୋଟି ବ୍ରହ୍ମାଣ୍ଡ ଗର୍ଭେ ଅଛ ବହି ॥
ଜଳ ସ୍ଥଳ ଆକାଶରେ ପୂର୍ଣ୍ଣ ତୁମ୍ଭ କାୟ ।କେବଣ କାରଣେ କଲ ମୋ ପୁରେ ବିଜୟ ॥
ବରୁଣ ଦେବତା କିପାଁ ସଙ୍ଗେ ଆସିଛନ୍ତି ।କି ଆଜ୍ଞା ପାଳିବି ମୋତେ କହ ଲକ୍ଷ୍ମୀପତି ॥
ଗୋବିନ୍ଦ ବୋଇଲେ ଆମ୍ଭେ ଅବନ୍ତୀ ନଗରେ ।ପାଠ ପଢ଼ୁଥିଲୁ ରହି ସାନ୍ଦୀପନି ଘରେ ॥
ଗୁରୁ ଦକ୍ଷିଣା ଯାଚନ୍ତେ ମାଗିଲେ ଯେ ଯାହା ।ଅସମ୍ଭବ କଥା ଶୁଣ କହୁଅଛୁ ତାହା ॥
ବୋଇଲେ ମୋ ଷଡ଼ପୁତ୍ର ମରିଛନ୍ତି ପୂର୍ବେ ।ତାହାଙ୍କୁ ଜୀଆଇ ତୁମ୍ଭେ ଆଣିଦେବ ଏବେ ॥
ଦେବୁ ବୋଲି ସତ୍ୟ କରି ସେ ପତି ପତ୍ନୀଙ୍କି ।ଭରସା ଦେଇଣ ଆମ୍ଭେ ଅଇଲୁ ଏଥିକି ॥
ସେ ପୁତ୍ରଙ୍କୁ ଆଣି ଯେବେ ଦେବ ଜନ୍ତୁରାଜ ।ତେବେ ଜଗତରେ ଆମ୍ଭେ ନ ପାଇବୁ ଲାଜ ॥
ଶମନ ବୋଇଲେ ତୁମ୍ଭେ ଆସିବାର ପାଇଁ ।ଯତ୍ନେ ଆଣି ସେ ପୁତ୍ରଙ୍କୁ ରଖିଅଛି ମୁହିଁ ॥
ଦେବକୀର ଷଡ଼ପୁତ୍ର ତାଙ୍କ ସଙ୍ଗେ ଛନ୍ତି ।ତୁମ୍ଭ ଆଗମନ ଜାଣି ରଖିଛି ସାଇତି ॥
ଏତେ କହି ସେ ଦ୍ୱାଦଶ ପୁତ୍ର ଆଣିଦେଲେ ।ବରୁଣ ଗୋବିନ୍ଦ ଦୁହେଁ ଦେଖଇ ତୋଷ ହେଲେ ॥
ଦ୍ୱାଦଶ ପୁତ୍ରଙ୍କ ପାଇ ଆନନ୍ଦିତ ମନ ।ସନ୍ତୋଷେ କହିଲେ ପୁଣି କମଳ ଲୋଚନ ॥
କାର୍ଯ୍ୟ ସିଦ୍ଧି ହେଲା ଆମ୍ଭେ ଯିବୁ ଏଥୁ ଫେରି ।ଆବର କଥାଏ ଶୁଣ କାଳଦଣ୍ଡ ଧାରି ॥
ଯୁଧିଷ୍ଠିର ପିତା ଏ ଯେ ପଣ୍ଡୁ ନରପତି ।ମର୍ତ୍ତ୍ୟଭୁବନରେ ଖ୍ୟାତ ଏହାଙ୍କର କୀର୍ତ୍ତି ॥
ଗୁଣବନ୍ତ ପାଞ୍ଚପୁତ୍ର କରିଛନ୍ତି ଜନ୍ମ ।ଏହାଙ୍କ ବଂଶରେ ଅଛି କେଉଁ ପାପକର୍ମ ॥
ଏ କିପାଇଁ ତୁମ୍ଭ ସଙ୍ଗେ ସଭାରେ ନ ବସି ।ତିନି ପାବଚ୍ଛର ତଳେ ବସିଛନ୍ତି ଆସି ॥
ଯମ ଦେବତା ବୋଇଲେ ଶୁଣ ନନ୍ଦବତ୍ସି ।ପଣ୍ଡୁ ରାଜା ପୂର୍ବେ ବ୍ରହ୍ମହତ୍ୟା କରିଅଛି ॥
ତୀର୍ଥ ଦୀନ ବ୍ରତ କଲେ ପାପକ୍ଷୟେ ପାଇ ।ବ୍ରହ୍ମହତ୍ୟା ପାତକରେ ପ୍ରାୟଶ୍ଚିତ ନାହିଁ ॥
ଏକମାତ୍ର ରାଜସୂୟ ଯାଗ ଯେବେ କରି ।ବ୍ରହ୍ମହତ୍ୟା ପାତକରୁ ପ୍ରାଣୀ ହୋଇ ପାରି ॥
ନିରପେକ୍ଷ ଅଟଇ ମୁଁ ଉପ୍ରୋଧ ନ କରେ ।ପାପ ପୁଣ୍ୟ ଦେଖି ଦଣ୍ଡ ଦିଅଇ ବିଚାରେ ॥
ତୁମ୍ଭେ ଯାହା ଆଜ୍ଞା ମୋତେ ଦେଇଅଛ ଆଗେ ।ଧର୍ମଶାସ୍ତ୍ର ବିଚାରି ମୁଁ ଚଳେ ସେହି ମାର୍ଗେ ॥
ତୁମ୍ଭେ ଦେବ ଆନ ଯେବେ କରିବଟି ଏହା ।ଆନ ପାତନା ହୋଇବ ବିଚାରୁଛୁ ଯାହା ॥
ଗୋବିନ୍ଦ ବୋଇଲେ ଆମ୍ଭେ ନ ଲଘିଂବୁ ମାର୍ଗ ।ଆଗହୁଁ ବିଧାତା ଭିଆଇଛି ନର୍କ ସ୍ୱର୍ଗ ॥
ଯମ ବୋଇଲେ କହିବ ଯୁଧିଷ୍ଠିଙ୍କି ଯାଇ ।ରାଜସୂୟ ଯାଗ କରୁ ସେ ପିତାଙ୍କ ପାଇଁ ॥
ଦେବତା ସେମାନେ ପାଞ୍ଚ ପୁତ୍ର ଯେଉଁ ବଂଶେ ।ସେ ବଂଶ କଳଙ୍କୀ ନୋହୁ ବ୍ରହ୍ମହତ୍ୟା ଦୋଷେ ॥
ଏମନ୍ତ ବଚନ ଶୁଣି ଉଠି ପଣ୍ଡୁରାଜା ।ଶିରେ କର ଦେଇ କଲେ ଗୋବିନ୍ଦଙ୍କୁ ପୂଜା ॥
ବୋଇଲେ ଭୋ ଦେବ ଯମ କହୁଛନ୍ତି ଯାହା ।ଯୁଧିଷ୍ଠିର ଆଗେ ଯାଇ କହିବଟି ତାହା ॥
ଯେବେ ରାଜସୂୟ ଯାଗ କରି ସେ ପାରଇ ।ତେବେ ସିନା ଧର୍ମଲୋକେ ବସିବି ମୁଁ ଯାଇ ॥
ଏତିକି ପ୍ରାର୍ଥନା ପ୍ରଭୁ ମୋ ତୁମ୍ଭ ଆଗେ ।ପାଣ୍ଡବଙ୍କ ଆଗେ ଏହା କହିବଟି ବେଗେ ॥
ତୁମ୍ଭେ ପ୍ରଭୁ ହେବ ଯେବେ ମୋ ପୁତ୍ରଙ୍କ ସଖା ।ତେବେ ସଂସାରେ ପାଣ୍ଡବେ ହେବେ ସିନା ଲେଖା ॥
ଗୋବିନ୍ଦ ବୋଇଲେ ଆମ୍ଭେ ତା ଜାଣୁ ଆଗହୁଁ ।ପାଣ୍ଡବେ ଜନମ ପାଇଛନ୍ତି ଆମ୍ଭ ଦେହୁଁ ॥
ଅଭେଦାତ୍ମା ଆମ୍ଭେ ହରି ଅରଜୁନ ବେନି ।ପୃଥ୍ୱୀ ଭାରା ଉସ୍ୱାସିବୁ ତାଙ୍କୁ ସଙ୍ଗେ ଘେନି ॥
ପଣ୍ଡୁରାଜା ବୋଲେ ପ୍ରଭୁ ଯେ ତୁମ୍ଭର ଇଚ୍ଛା ।ପାଣ୍ଡବଙ୍କୁ ଆବୋରିଣ ପୃଥ୍ୱୀ କର ରକ୍ଷା ॥
ଧାତିକାରେ କରାଇବ ରାଜସୂୟ ଯାଗ ।ନିକଟେ ଯେପରି ମୋର ଯାଏ ନର୍କ ଭୋଗ ॥
ଗୋବିନ୍ଦ ବୋଇଲେ ନୃପ ଚିନ୍ତା ଛାଡ଼ ତୁମ୍ଭେ ।ନିଶ୍ଚେଁ ଯାଇ ରାଜସୂୟ କରାଇବୁ ଆମ୍ଭେ ॥
ଏଥେ କହି ଦେବରାଜ ହୁଅନ୍ତେ ବାହାର ।ଯମଦେବତା ଅଣାଇଁ ଦେଲେ ରହୁବର ॥
ବୋଇଲେ ପୁଷ୍ପକଯାନେ ବସ ପୀତବାସ ।ପଥଶ୍ରାନ୍ତ ହୋଇଗଲେ ଜାତ ହେବ କ୍ଳେଶ ॥
ଏହା ଶୁଣି ଜଗନ୍ନାଥ ଭାଇଙ୍କୁ ଘେନାଇଁ ।ରଥେ ବିଜେ କଲେ ସଙ୍ଗେ ବରୁଣଙ୍କୁ ନେଇ ॥
ତ୍ୱରିତେ ସାରଥି ଶୂନ୍ୟେ ବାହିନେଲା ଯାନ ।ବାୟୁବେଗେ ଅଶ୍ୱମାନେ କରନ୍ତି ଗମନ ॥
ରତ୍ନାକର ପାଟଣାରେ ମିଳିଲେ ସେ ଆସି ।ବରୁଣଙ୍କୁ ଛାଡ଼ି ଦେଇ ଗଲେ ବ୍ରହ୍ମରାଶି ॥
ଗଗନ ମାର୍ଗରେ ସୂତ ରଥ ନେଲା ବାହି ।ଦେବତାମାନେ ଆଶ୍ଚର୍ଯ୍ୟ ହେଲେ ତାହା ଚାହିଁ ॥
ଅର୍ଦ୍ଧ ଆକାଶରେ ଥାଇ ପୁଷ୍ପ ବରଷନ୍ତି ।ସ୍ୱର୍ଗେ ହୁଳହୁଳି ଦେଲେ ଅମର ଯୁବତୀ ॥
ବାଜିଲା ଦୁନ୍ଦୁଭିବାଦ୍ୟ ଗାନ କଲେ ଗୀତ ।ଅପସରାଗଣେ ମିଳିଲ ଆରମ୍ଭିଲେ ନୃତ୍ୟ ॥
ଉପାଙ୍ଗ ଅଧାଟି ତାଳ ବୀଣା ଯନ୍ତ୍ର ଧରି ।ଗନ୍ଧର୍ବେ ଗାଇଳେ ଗୀତ ମଣ୍ଡଳ ଆବୋରି ॥
ପଡ଼ଇ ଛତ୍ର ଚମର ଆଲଟ ବିଞ୍ଚଣୀ ।ପନୀର ଶୀତଳ ନୀର କେ ସିଞ୍ଚଇ ଆଣି ॥
ଏସନ ପ୍ରକାରେ ରଥ ଯାଇ ଶୂନ୍ୟମାର୍ଗେ ।ଅବନ୍ତୀନଗ୍ରେ ପ୍ରବେଶ ହେଲା ଅତି ବେଗେ ॥
ଗୁରୁ ଆଗେ କଣ୍ଟ କରି ଯାଇଥିଲେ ହରି ।ସେ କଥାକୁ ଗୁରୁ ମନେ ଭାଳନ୍ତି ବିଚାରି ॥
ଥୋକାଏ ପ୍ରତେ କରନ୍ତି ଥୋକେ ପ୍ରତେ ନାହିଁ ।ବୋଲନ୍ତି ମରିବା ପ୍ରାଣୀ ବଞ୍ଚିଆସେ କାହିଁ ॥
ବୋଧ ବାକ୍ୟ କହି କୃଷ୍ଣ ଭଣ୍ଡିଗଲେ ଭଲା ।କେବଳ କହିବା ଯାଏ ମନେ ପ୍ରତେ ଗଲା ॥
କହୁଥିଲେ ବିମ୍ୱାଧରେ ମନ୍ଦ ମନ୍ଦ ହସି ।ଅପୂର୍ବ ମୂରତି ଦେଖି ହେଲୁ ଆମ୍ଭେ ତୋଷୀ ॥
ଲେଉଟି ଆସିବେ ଏଥେଁ କିପାଁ ଦାମୋଦର ।ଅସମ୍ଭବ କଥା କହି ଗଲେ ଅଗୋଚର ॥
ଏତେ ପାଞ୍ଚୁ ପାଞ୍ଚୁ ବେଳ ପ୍ରହର ଯେ ତିନି ।ଜଗନ୍ନାଥ ପ୍ରବେଶିଲେ କୁମରଙ୍କୁ ଘେନି ॥
ଚାହୁଁ ଚାହୁଁ ରଥ ପଡ଼େ ଗଗନରୁ ଖସି ।ଆଦିତ୍ୟ ମଣ୍ଡଳ ପ୍ରାୟେ ତେଜ ପରକାଶି ॥
ଅଦ୍ଭୁତ ପରାୟେ ମଣି ସର୍ବେ ଛନ୍ତି ଚାହିଁ ।ଗ୍ରାମ ନିକଟରେ ରଥ ଉଭା ହେଲା ଯାଇ ॥
ତକ୍ଷଣେ ରଥ ତେଜିଣ ଓହ୍ଲାଇ ଶ୍ରୀହରି ।ଗୁରୁ ପୁତ୍ରଙ୍କୁ ସଙ୍ଗରେ ଘେନି ବିଜେ କରି ॥
ନଗ୍ର ନରନାରୀ ଦେଖି ସ୍ତମ୍ଭୀଭୂତ ହୋଇ ।ବୋଲନ୍ତି ଅପୂର୍ବ କଥା ଦେଖା ଶୁଣା ନାହିଁ ॥
କେ ବୋଲଇ ଦେଖ ଏହି ସାନ୍ଦୀପନି ସୁତେ ।ସମୁଦ୍ରରେ ବୁଡ଼ି ମରିଥିଲେ ଏ ସମସ୍ତେ ॥
ଜୀଆଇ ଆଣିଛି ଏବେ ଦାମୋଦର ଚାଟ ।ଏମନ୍ତ ବୋଲିଣ ସର୍ବେ ହୁଅନ୍ତି ଉଚ୍ଚାଟ ॥
ନଗ୍ରଯାକ ହାଲହୋଳି ସର୍ବେ ରୁଣ୍ଡ ହେଲେ ।ଶ୍ରୀଜଗନ୍ନାଥଙ୍କ ପଛେ ପଛେ ଗୋଡ଼ାଇଲେ ॥
ଗୁରୁଙ୍କର ଷଡ଼ପୁତ୍ର ଚାଲନ୍ତି ଆଗରେ ।ଦେବକୀର ଷଡ଼ ପୁତ୍ର ବାମ ଦକ୍ଷିଣରେ ॥
ବାଳକେ ଚାଲନ୍ତି ଦାଣ୍ଡେ ପରିମଳ ଦିଶେ ।କାମଦେବ ପ୍ରାୟେ ତାଙ୍କ ଶୋଭା ପରକାଶେ ॥
ମଧ୍ୟେ ବିଜେ କରିଛନ୍ତି ନାରାୟଣ ମୂର୍ତ୍ତି ।ମଧ୍ୟାହ୍ନ ଆଦିତ୍ୟ ଜାଣି ବିରାଜଇ ଜ୍ୟୋତି ॥
କହୁ କହୁ ମିଳିଲେ ସେ ଗୁରୁଙ୍କ ଦୁଆରେ ।ଚାଟ ଘେନି ବସିଛନ୍ତି ପଣ୍ଡାଏ ପିଣ୍ଡାରେ ॥
ଖଣ୍ଡେ ଦୂରୁ ଦେଖି ଶିଷ୍ୟେ ଅଇଲେ ବୋଲନ୍ତି ।ତଥାପି ତହିଁରେ ଗୁରୁ ପରତେ ନ ଯାନ୍ତି ॥
ଏମନ୍ତ ସମୟେ ପୁତ୍ରେ ଗଲେ ନିକଟକୁ ।ଆଶ୍ଚର୍ଯ୍ୟ ହୋଇଲେ ପିତା ଦେଖି କୁମରଙ୍କୁ ॥
ବଶିଷ୍ଠ ଅନନ୍ତ ରୁକ ଧ୍ରୁବ ସନାତନ ।ବିଷ୍ଣୁ ଆଦି କରି ଗୁରୁପୁତ୍ରେ ବିଦ୍ୟମାନ ॥
ଦେବକୀଙ୍କ ଷଡ଼ପୁତ୍ର ଜନ୍ମ ହୋଇ ମରି ।ନାମକରଣ ତାଙ୍କର ନାହିଁ ତେଣୁ କରି ॥
ଏମନ୍ତେ ଦ୍ୱଦାଶ ପୁତ୍ର ଘେନି ପୀତବାସ ।ଗୁରୁଙ୍କ ପିଣ୍ଡାରେ ଆସି ହୋଇଲେ ପ୍ରବେଶ ॥
ଆନନ୍ଦେ ବସିଲେ ପୁତ୍ରେ ଯାଇ ଅତି ବେଗେ ।ଥୋକେ ମାତା କୋଳେ ଥୋକେ ପିତାଙ୍କର ଆଗେ ॥
ଯେତେ ଖେଳ ଦ୍ରବ୍ୟ ପୂର୍ବେ ଥୋଇଥିଲେ ଯହିଁ ।ନିଦରୁ ଉଠିଲା ପ୍ରାୟେ ଖୋଜିଲେ ସେ ଯାଇ ॥
ଗୁରୁପାଦେ ନମସ୍କାର କରି ଦାମୋଦର ।ପାଦରେ ବନ୍ଦିଲେ ପୁଣି ବଳରାମଙ୍କର ॥
ସାନ୍ଦୀପନି ବୋଲେ ଏତ ଅସମ୍ଭବ ବାଣୀ ।ନୟନରେ ଦେଖି ନାହିଁ କର୍ଣ୍ଣେ ନାହିଁ ଶୁଣି ॥
ଉପହାସ ପ୍ରାୟ ମୁହିଁ ମଣୁଥିଲି ଉଭା ।ପୂର୍ବଭାଗ୍ୟ ଆସି ମୋର ପ୍ରାପତ ହୋଇଲା ॥
ପୁଣି ବିଚାରନ୍ତି ଇନ୍ଦ୍ରଜାଲ ମୟାବଳେ ।ଦେଖାନ୍ତି ଅନେକ ବହୁ ରୂପ କୁତୂହଳେ ॥
ଏ କଥା ମନକୁ ପ୍ରତେ ଯାଉ ନାହିଁ ମୋର ।ମାୟା କରି ଭୁଲାଇଛି କିବା ଦାମୋଦର ॥
ଜାଳନ୍ଧର ବିଦ୍ୟାଶିକ୍ଷା କରିଥିବେ ଏହି ।ଏହାଙ୍କର ମାୟା ମୋତେ ଗୋଚର ନୁହଇ ॥
ଏ ଦୁଇ ଭାଇଙ୍କ କଥା ବିଚାରିବି କେତେ ।ମାନବ ପରାୟେ ଦୁହେଁ ନ ଦିଶନ୍ତି ମୋତେ ॥
ଚତୁର୍ଦ୍ଦଶ ଦିବସରେ ସବୁ ବିଦ୍ୟାଯାକ ।ପଢ଼ି ସିଦ୍ଧ କଲେ ଥିଲା ମୋ ଠାରେ ଯେତେକ ॥
ଏତେ ଦିନେ ଏତେ ବୁଦ୍ଧି କାହୁଁ ଏ ପାଇଲେ ।ଆପଣା ଇଚ୍ଛାରେ ମୋତେ ଦକ୍ଷିଣା ଯାଚିଲେ ॥
ମଲା ମନୁଷ୍ୟକୁ ପୁଣି ଆଣିଲେ ଜୀଆଇ ।ଆଜଯାଏ ଏ କଥା କେହି କରି ନାହିଁ ॥
ଦେଖୁ ଦେଖୁ କେମନ୍ତେ ମୁଁ ନ ଯିବି ପରତେ ।ଆବର କହିଲେ ପୋଏ ପୂର୍ବକଥା ଯେତେ ॥
ନିଜ ପୁତ୍ର ବୋଲି ଆମ୍ଭେ ଚିହ୍ନିଲୁ ତ ଭଲା ।ନିଶ୍ଚେଁ ଆମ୍ଭ ପୁତ୍ର ବୋଲି ମନେ ପ୍ରତେ ଗଲା ॥
ଆନ ଲୋକହାତେ ଏଡ଼େ କର୍ମ ନୋହେ କରି ।ନିଶ୍ଚେଁ ଜଣାଗଲା ଏହୁ ଅଟନ୍ତି ଶ୍ରୀହରି ॥
ନେହିଲେ କି ମଲା ଲୋକ ଆନରେ ଜୀଅଇ ।ଅକର୍ମ କର୍ମଦାୟକ କର୍ତ୍ତା ନିଶ୍ଚେଁ ଏହି ॥
ଗୁରୁପତ୍ନୀ ବୋଲେ ବାବୁ ମୋ ଜୀବନ ଧନୀ ।ସୁଭାଗ୍ୟେ ବଳେ ମିଳିଲ ତୁମ୍ଭେ ଚାଟ ତିନି ॥
ମରିଥିଲେ ପୁତ୍ର ମୋର ଆଣିଲ ଜୀଆଇ ।ଏଥିରୁ ଅଧିକ ପୁଣ୍ୟ ପାଇବି ମୁଁ କାହିଁ ॥
କେବଣ ଦେବତା ତୁମ୍ଭେ ନ ପାରିଲୁ ଜାଣି ।ଏ ଜନ୍ମ ସଫଳ କଲ ମୃତପୁତ୍ର ଆଣି ॥
ଅଚଳ ଭାବରେ ମୋର ପୂରିଅଛି ଧନ ।ପୁତ୍ରର ବିହୀନେ ଭୋଗ କରିଥାନ୍ତା ଆନ ॥
ଅପୁତ୍ରକ ଦୋଷ ଗଲା ପାଇଲୁ ସୁଗତି ।ତୁମ୍ଭ ଯୋଗୁ ପତିପତ୍ନୀ ଲଭିଲୁ ମୁକତି ॥
ଯେତେକ ବ୍ରାହ୍ମଣ ଥିଲେ ଅବନ୍ତୀ ନଗରେ ।ଏକହୁ ଆରେକ ଏହା ଶୁଣି ପରସ୍ପରେ ॥
ବାଳବୃଦ୍ଧ ଯୁବା ସର୍ବେ ଏକରୁଣ୍ଡ ହୋଇ ।ବୋଲନ୍ତି ଅଶ୍ରୁତି କଥା ତ୍ରିଭୁବନେ ନାହିଁ ॥
ଏତେ ବୋଲି ଆନନ୍ଦରେ ଦେଖନ୍ତି କୌତୁକ ।ହାଟୁଆ ବାଟୁଆ ଆଦି ଛତିଶ ପାଟକ ॥
ସମସ୍ତେ ଦେଖନ୍ତି ଆସି ଚଉପାଶେ ଘେରି ।ଆନନ୍ଦ ଉତ୍ସବେ ପୂର୍ଣ୍ଣ ହୋଇଲା ସେ ପୁରୀ ॥
ଜଗନ୍ନାଥ ଆଜ୍ଞା ଦେଲେ ଗୁରୁମୁଖ ଚାହିଁ ।ବିଦ୍ୟା ଶିକ୍ଷା କଲୁ ଆମ୍ଭେ ତୁମ୍ଭ ଅନ୍ନ ଖାଇ ॥
ଥୋକାଏ ଦକ୍ଷିଣା ସିନା ଦେଲୁ ଆମ୍ଭ ଯାଚି ।ସନ୍ତୋଷରେ ମାଗ ଆଉ ଯାହା ଇଚ୍ଛା ଅଛି ॥
ପଣ୍ଡାଏ ବୋଇଲେ ଆମ୍ଭ କି କରିବୁ ଦ୍ରବ୍ୟ ।କୁବେର ସମ୍ପଦ ଘରେ ପୂରିଅଛି ସର୍ବ ॥
ଯେବଣ ପଦାର୍ଥ ବାଞ୍ଛା କରିଥିଲୁ ମନେ ।ସେ ବାଞ୍ଚା ପୂରଣ କଲ ତୁମ୍ଭେ ବିଦ୍ୟମାନେ ॥
ଏତେ ବୋଲି ଗୁରୁ ରାମ କୃଷ୍ଣେ କଲେ ସ୍ତୁତି ।ଜୟ କୃଷ୍ଣ କାମପାଳ ହରିହର ମୂର୍ତ୍ତି ॥
ସତ୍ତ୍ୱ ରଜ ତମ ଗୁଣୁ ଅନ୍ତର ଯେ ସ୍ୱାମୀ ।ଚିହ୍ନି ନ ପାରିଲି ତାଙ୍କୁ ମାୟା ମୋହେ ଭ୍ରମି ॥
ଅସୁରଙ୍କ ପାଦେ ଭାର ପାଇ ବସୁନ୍ଧରୀ ।ସୁଧର୍ମା ସଭାରେ କଲା ଅନେକ ଗୁହାରି ॥
ବେନି ନୟନରୁ ଫୁଟି ଅଶ୍ରୁଧାର ଗଳେ ।ବ୍ରହ୍ମାଙ୍କ ମୁଖକୁ ଚାହିଁ କାନ୍ଦିଲା ବିକଳେ ॥
ମୁଖେ ଉଦ୍ଗାରଇ ରକ୍ତ ଧାର ଘନ ଘନ ।ଚିନ୍ତାକୁଳେ ଅନ୍ତରାଳ ବସୁମତୀ ମନ ॥
ତାହା ଦେଖି ବ୍ରହ୍ମା ସହ ଦେବେ ଚିନ୍ତା କଲେ ।ଅନନ୍ତ ଶଯ୍ୟାରେ ଯାଇ ବିଷ୍ଣୁଙ୍କୁ କହିଲେ ॥
ଦେବଙ୍କ ଗୁହାରି କର୍ଣ୍ଣେ ଶୁଣି ଦଇତ୍ୟାରି ।କଳା ଶୁକ୍ଳ ବେନି ରାମ ଦେଲେ ଦୟାକରି ॥
ସେ ରୋମରୁ ଅବତାର ତୁମ୍ଭେ ବେନିଜଣ ।ଅଚିରେ କରିବ ପୃଥ୍ୱୀ ଭାରା ନିବାରଣ ॥
ନମାମି ଶ୍ରୀ ରାମ କୃଷ୍ଣ ସର୍ବ ଗୁଣନିଧି ।ଧର୍ମ ଅର୍ଥ କାମ ମୋକ୍ଷ କରିପାର ସିଦ୍ଧି ॥
ଅପାର ମହିମା ନାଥ ପୁରୁଷ ଉତ୍ତମ ।ଅକର୍ମ କର୍ମଦାୟକ ଯୋଗୀ ଗମ୍ୟ ଧାମ ॥
ରୋହିଣୀ ନନ୍ଦନ ନାଥ ଦେବକୀ ତନୟ ।ବସୁଦେବ ନନ୍ଦସୁତ ସ୍ୱୟଂ ବିଶ୍ୱମୟ ॥
ନ ଜାଣି ମୁଁ ଅପରାଧ କରିଅଛି ଯେତେ ।ତାହା ସବୁ କ୍ଷମା କର ଦୟା କରି ଚିତ୍ତେ ॥
କେବଣ ଭାଗ୍ୟେ ତୁମ୍ଭଙ୍କୁ ଦେଖିଲି ନୟନେ ।ସବୁ ପାପ କ୍ଷୟ ଗଲା ତବ ଦରଶନେ ॥
ଅଚ୍ୟୁତ ଦାସ ମାଗଇ ଆହେ ଚକ୍ରଧର ।ତବ ଶ୍ରୀଚରଣେ ଥାଉ ଚିତ୍ତବୃତ୍ତି ମୋର ॥
ସାନ୍ଦୀପନି କଲେ ଯହୁଁ ଏସନକ ସ୍ତୁତି ।ସନ୍ତୋଷ ହେଲେ ରେବତୀ ପତି ଲକ୍ଷ୍ମୀପତି ॥
ଗୋବିନ୍ଦ ବୋଇଲେ ଗୁରୁ ତୁମ୍ଭେ ଆମ୍ଭେ ପିତା ।ତୁମ୍ଭ ବିଦ୍ୟା ପ୍ରସାଦରେ ହେଲୁଁ ଜଗଜ୍ଜିତା ॥
ଅଧିକା ଭାବନା ତୁମ୍ଭେ ନ କରିବ କିଛି ।ଆମ୍ଭେ ଅଟୁ ନନ୍ଦସୁତ ବସୁଦେବ ବତ୍ସି ॥
ଆମ୍ଭ ନଗରକୁ ଏବେ ବାହୁଡ଼ି ଯାଉଛୁଁ ।କାର୍ଯ୍ୟକାଳେ ସୁମରିବ ଏତିକି ମାଗୁଛୁଁ ॥
ଏମନ୍ତ ସମୟେ ମିଳି ସକଳ ବ୍ରାହ୍ମଣ ।ରାମକୃଷ୍ଣ ଶିରେ କଲେ ଅକ୍ଷତ ଅର୍ପଣ ॥
ବୃହତ୍ସାମ ଉଚ୍ଚାରଣ ସୁକଲ୍ୟାଣ ଦେଲେ ।ଜୟ ରାମ କୃଷ୍ଣ ବୋଲି ସର୍ବେ ସ୍ତୁତି କଲେ ॥
ଚାଟଙ୍କୁ ପ୍ରବୋଧ ଦେଇ ହଳୀ ଦାମୋଦର ।ଗୁରୁ ଗୁରୁପତ୍ନୀ ପାଦେ କଲେ ନମସ୍କାର ॥
ଦ୍ୱିଜଙ୍କୁ ବନ୍ଦନା କରି ଭାଇଙ୍କି ଘେନିଲେ ।ଉତ୍ତରାଭିମୁଖ ହୋଇ ପଥ ଚଳିଗଲେ ॥
ଗୋବିନ୍ଦ ବାହୁଡ଼ା ବିଜେ ଜାଣି ସୁରସାଇଁ ।ମାତଳିକୁ ପଠାଇଲେ ନନ୍ଦିଘୋଷ ଦେଇ ॥
ମାତଳି ଇନ୍ଦ୍ରଙ୍କୁ ବୋଲେ ରଥ ଆଣି ବେଗେ ।ପ୍ରବେଶ ହୋଇଲେ ଆସି ରାମକୃଷ୍ଣ ଆଗେ ॥
ଶିରେ କରପତ୍ର ଯୋଡ଼ି କହଇ ମାତଳି ।ଏ ରଥରେ ବିଜେ କର ରାମ ବନମାଳୀ ॥
ଇନ୍ଦ୍ର ଦେବ ପେଷିଛନ୍ତି ମୋତେ ରଥ ଦେଇ ।ଶୁଣି ରାମ କୃଷ୍ଣ ରଥେ ବିଜେ କଲେ ଯାଇ ॥
ଦେବକୀଙ୍କ ଷଡ଼ପୁତ୍ର ଆବର ସୁରଥ ।ଏ ସମସ୍ତେ ଆରୋହିଲେ ନନ୍ଦିଘୋଷ ରଥ ॥
ଆଗରେ ମାତଳି ବସି ବାହିନେଲେ ଯାନ ।ବିଦ୍ୟା ପଢ଼ି ବାହୁଡ଼ନ୍ତି ରାମ ଭଗବାନ ॥
ସେ ରାମ କୃଷ୍ଣଙ୍କ ପାଦେ ଲୁଳୁ ମୋର ମାଥ ।ଗୀତବନ୍ଧେ ହରିବଂଶ କହଇ ଅଚ୍ୟୁତ ॥
ସାନ୍ଦୀପନି ପଣ୍ଡାଙ୍କର ପୂର୍ବଶାପ ବିବରଣଏହା ଶୁଣି କରଯୋଡ଼ି ପରୀକ୍ଷ ପୁଚ୍ଛଇ ।ଏ ବଡ଼ ସନ୍ଦେହ କଥା କହିଲ ଗୋସାଇଁ ॥
ସାନ୍ଦୀପନି ଗୁରୁ ହୋଇ ପଢ଼ାଇଲେ ପାଠ ।ବ୍ରହ୍ମାଣ୍ଡ କରତା ହେଲେ ତାହାଙ୍କର ଚାଟ ॥
ଏଡ଼େ ବଡ଼ ପୁଣ୍ୟ ସେହୁ ଅର୍ଜି ଥିଲେ କାହିଁ ।ନିର୍ବାଣ ମୁକ୍ତି ପାଇଲେ କୃଷ୍ଣମୁଖ ଚାହିଁ ॥
ଆବର ଯେ ଷଡ଼ପୁତ୍ର ପୂର୍ବେ ମରିଥିଲେ ।ମଲାପରେ କେମନ୍ତେ ସେ ବାହୁଡ଼ି ଅଇଲେ ॥
ଏ କଥା ସନ୍ଦେହ ମୋତେ ଲାଗଇ ସର୍ବଥା ।ଶୁଣିଲେ ମୁକତି ହେବି କହି ବ୍ରହ୍ମବେତ୍ତା ॥
ରାଜା ବଚନେ ବୋଲନ୍ତି ଶୁକ ମହାଯତି ।ଏକମନ ହୋଇ ଶୁଣ ପଣ୍ଡୁ ପଣନାତି ॥
ବିଡ଼ୋଜା ନାମରେ ଥିଲେ ସତ୍ୟଯୁଗେ ଇନ୍ଦ୍ର ।ଅର୍କନାମେ ସୂର୍ଯ୍ୟ ପୁଣି ପ୍ରସାଦନ ଚନ୍ଦ୍ର ॥
ସ୍ୱାୟମ୍ଭୁବ ମନୁ ଗଲା ଏକସ୍ତରି ଯୁଗ ।ତଦନ୍ତରେ ଭଦ୍ରମନୁ କଲେ ରାଜ୍ୟ ଭୋଗ ॥
ଶତ ବଦନ ବ୍ରହ୍ମାର ବର୍ଷ ଚଉରାଶୀ ।ଶୁଭ ନାମେ ସମ୍ୱତ୍ସର ପ୍ରବେଶିଲା ଆସି ॥
ତୁଳ କୃଷ୍ଣ ଚତୁର୍ଥୀ ଯେ ଚନ୍ଦ୍ରନାମେ ବାର ।କୃତ୍ତିକା ନାମେ ନକ୍ଷତ୍ର ଭୋଗ ସେ ଦିନର ॥
ସେ ଦିନ ଧର୍ମଦେବତା ଗୋଲୋକ ମଣ୍ଡଳେ ।ଆସନରେ ବସିଛନ୍ତି କଳ୍ପବଟ ତଳେ ॥
ଗୋକ୍ଷୀର ବରନ କାନ୍ତି ଅଜ୍ରାମର କାୟ ।କୋଟିଏ ଚନ୍ଦ୍ରମା କିବା ହୋଇଛି ଉଦୟ ॥
ମକର କୁଣ୍ଡଳ କର୍ଣ୍ଣେ ଦିଶେ ଦିବ୍ୟ ଜ୍ୟୋତି ।ଆଦିତ୍ୟ ମଣ୍ଡଳେ ଯେହ୍ନେ ପ୍ରଭା ଶୋଭା ପାନ୍ତି ॥
ସ୍ୱର୍ଣ୍ଣ ନାରିକେଳ ପ୍ରାୟେ ଉତ୍ତମାଙ୍ଗ ଗୋଟି ।ସୁଚାରୁ କୁନ୍ତଳ ଲମ୍ୱି ପଡ଼ିଅଛି ଲୋଟି ॥
ସ୍ଫଟିକ ରୁଦ୍ରାକ୍ଷ ପୋଇ ଚାନ୍ଦୁଆ ତୁଳସୀ ।ମାଳ ଗଳେ ବିରାଜଇ ବକ୍ଷ ଯାଏ ଖସି ॥
କାଖରେ ବେଦକରାଣ୍ଡି ହସ୍ତେ କୁଶବଟୁ ।ରୁଦ୍ରବନ୍ଧ ଓଢ଼ିଆଣୀ ଯୋଗାସନ ପଟୁ ॥
ପଦ୍ମାସନେ ବସିଛନ୍ତି ମୂଳ କମଳରେ ।ଡାହାଣ ବର୍ତ୍ତକ ଶଙ୍ଖ ଅଛି ନିକଟରେ ॥
ପାଦର ଉପରେ ପାଦ ଛନ୍ଦି ମହାଜ୍ଞାତା ।ସ୍ଫଟିକ ଆସନେ ବସିଛନ୍ତି ଉର୍ଦ୍ଧ୍ୱରେତା ॥
ଛାମୁରେ ଗୋମାତା ଆସି ଉଭା ହୋଇଛନ୍ତି ।ଅଣ୍ଡିର ବାଛୁରୀ ଷଡ଼ଗୋଟି ସଙ୍ଗେ ଛନ୍ତି ॥
ଗୋମାତା ରହିଲେ ଧର୍ମ ଦେବଙ୍କ ଆଗରେ ।ବାଳୁତ ବତ୍ସାଏ ଚରିଗଲେ ଯେ ଯାହାରେ ॥
ଧର୍ମ ଦେବ ମଢ଼ିଆରେ ବାଡ଼ ଭାଙ୍ଗି ପଶି ।ହାଣ୍ଡି ଭାଙ୍ଗି ଅନ୍ନ ଖାଇ ହେଲେ ଘଷାଘଷି ॥
ସେ ସମୟେ ଦଶମୁଖ ବ୍ରହ୍ମା ହଂସ ଚଢ଼ି ।ବାଟ ଭାଙ୍ଗିଗଲେ ତାଙ୍କୁ ନ ଦେଲେ ଘଉଡ଼ି ॥
ସେ ବ୍ରହ୍ମା ମିଳିଲେ ଯାଇ ଧର୍ମଦେବ ଆଗେ ।ଆସନ ଉପରେ ଧର୍ମ ବସିଛନ୍ତି ଯୋଗେ ॥
ମୂଳ କମଳକୁ ଚାପି ଚିତ୍ତ ଦୃଢ଼ କରି ।ପ୍ରାଣ ପବନ ଭିତରେ ଅପାନକୁ ଭରି ॥
ଷଡ଼ଚକ୍ରେ ପଞ୍ଚ ଊନ ପଞ୍ଚାଶ ପାଖୁଡ଼ା ।ହଂସ ଘରକୁ ଦ୍ୱାଦଶ ଅଙ୍ଗୁଳି ସେ ଛଡ଼ା ॥
ଷୋଳ ଡମ୍ୱରୁ ଫୁଟାଇ ବାୟୁ ଜିଣି ଯିବ ।ସହସ୍ର ଦଳ କମଳେ ଭ୍ରମର ଭେଟିବ ॥
କାଉଁରି ମଣ୍ଡଳ ପରେ ମାନ ସରୋବର ।ସେଠାରେ ଭେଟିଛି ଆସି ତ୍ରିବେଣୀର ଧାର ॥
ଇଳା ପିଙ୍ଗଳା ସୁଷୁମ୍ନା ତିନି ଧାର ରୂନ୍ଧି ।ମନ ପବନ ଏ ଦୁହେଁ ହୋଇଛନ୍ତି ବନ୍ଦୀ ॥
ତହୁଁ ସେ ଝରଇ ତହିଁ ପୂରଇ ସେ ଯାଇ ।କାଳ କାମ ନିଦ୍ରା ଅଛି ତାକୁ ବାଟ ଚାହିଁ ॥
ପଞ୍ଚଭୂତ ପଞ୍ଚତତ୍ତ୍ୱ ପ୍ରକୃତି ପଚିଶ ।ମନ ବୁଦ୍ଧି ଅହଙ୍କାର କରିଛନ୍ତି ବାସ ॥
ତା ମଧ୍ୟେ ଚେତନା ପଶି ଭ୍ରମେ ନାନାମତେ ।ସ୍ଥାବର ଜଙ୍ଗମ କୀଟ ପତଙ୍ଗ ସହିତେ ॥
ଏସନ ପ୍ରକାରେ ଧର୍ମଦେବତା ଆସ୍ଥାନେ ।ବସିଛନ୍ତି ସମାଧିରେ ଆଧ୍ୟାତ୍ମିକ ଜ୍ଞାନେ ॥
କେତେ ଯୁଗ କେତେ ମନୁ କଳ୍ପାନ୍ତର ଗଲା ।ଯୋଗଭଙ୍ଗ ହୋଇ ବାହ୍ୟଜ୍ଞାନ ପ୍ରସରିଲା ॥
ଅମୃତ ଲୋଚନ ଫେଡ଼ି ଚାହିଁ ଜଗଜ୍ଜ୍ୟୋତି ।ଦେଖିଲେ ଗୋମାତା ବ୍ରହ୍ମା ଏ ଦୁହେଁ ଅଛନ୍ତି ॥
ଗୁରୁଙ୍କ ପ୍ରଣାମ କରି ଆଗେ ହେଲେ ଉଭା ।ଧର୍ମ ପଚାରିଲେ କିପାଁ ଆସିଅଛ ବାବା ॥
ସେ ଦୁହେଁ ବୋଇଲେ ତବ ଦରଶନ ପାଇଁ ।ବସିଅଛୁ ଏ ସ୍ଥାନରେ କେତେ କାଳୁ ଚାହିଁ ॥
ଅନେକ ଜନ୍ମରେ ଯେବେ କରିଥିବ ତପ ।ସେହି ତପବଳେ ଦେଖାଯାଏ ତୁମ୍ଭ ରୂପ ॥
ଏକାଳେ ମିଳିଲେ ତହିଁ ଆସି ଷଡ଼ବତ୍ସା ।ପେଟ ଭରି ଖାଇଛନ୍ତି ଯେତେ ଯାର ଇଚ୍ଛା ॥
ବାଡ଼ିର ତୁଳସୀ ଗଛ ଫଳ ଫୁଲ ତୋଟା ।ସବୁ ଖାଇ କରିଛନ୍ତି ଦେହ ମୋଟା ମୋଟା ॥
ଅନ୍ନ ଖାଇ ମଢ଼ିଆରେ ଥିଲା ଯେତେ ହାଣ୍ଡି ।ପାଦେ ଭାଙ୍ଗି କରିଛନ୍ତି ସବୁ ଖଣ୍ଡି ଖଣ୍ଡି ॥
ଧର୍ମବେଦ ପଚାରିଲେ ସେ ବତ୍ସାଙ୍କୁ ଚାହିଁ ।ଗୋମାତାର ପୁତ୍ରମାନେ ଥିଲ ତୁମ୍ଭେ କାହିଁ ॥
ବତ୍ସାଏ ବୋଇଲେ ପେଟ ପୋଷିବାର ପାଇଁ ।ତୃଣ ପତ୍ର ଚରୁଥିଲୁ କେତେ ଦୂରେ ଯାଇ ॥
ଚରିଲୁ ଅନେକ ବନ ପର୍ବତ ସୀମାରେ ।ତଥାପି ଉଦର ପୂର୍ଣ୍ଣ ନୋହିଲା ତହିଁରେ ॥
ଦଦରା କୁଡ଼ିଆଟିଏ ନିକଟରେ ଥିଲା ।ତହିଁରେ ଚରନ୍ତେ ପଟେ ପୂରଣ ହୋଇଲା ॥
ଗୋଟିଏ ହାଣ୍ଡିରୁ ଅନ୍ନ ନ ପାଇଲୁ ଖାଇ ।ଯେତେ ଖାଉ ତେତେ ପୁଣି ଉବୁରି ପଡ଼ଇ ॥
ବାଡ଼ିରେ ଅନେକ ଫୁଲ ଫଳ ଗଛ ଥିଲା ।ସ୍ୱଇଚ୍ଛାରେ ଖାଇଲୁ ସେ ପେଟକୁ ଅଣ୍ଟିଲା ॥
ବେଉଷା ଖାଇଲୁ କେହି ଅଡ଼ାଇଲେ ନାହିଁ ।ତେଣୁ ଆମ୍ଭେ ଚରୁଥାଉ ନିର୍ଭୟରେ ତହିଁ ॥
ଖାଇ ଖାଇ ଦେହ ପୁଷ୍ଟ ହୋଇଲା ଆମ୍ଭର ।ଏ କଥାରେ କିଛି ମିଥ୍ୟା ନାହିଁ ମନେ କର ॥
ଧର୍ମଦେବତା ବୋଇଲେ ମନ୍ଦ କୃତ୍ୟ କଲ ।ଆମ୍ଭର ମଢ଼ିଆ ଭାଙ୍ଗି ପାତକ ଅର୍ଜିଲ ॥
ଯେବଣ ତୋଟା ଉଜାଡ଼ି ଖାଇଅଛ ତୁମ୍ଭେ ।ସେ ତୋଟା ପୁଷ୍ପରେ ପୂଜା କରୁଥିଲୁ ଆମ୍ଭେ ॥
ବାଡ଼ ଭାଙ୍ଗି ସବୁ ଦ୍ରବ୍ୟ କଲ ନାରାଖାର ।ପୁରୁଣା ମଢ଼ିଆ ଗୋଟି ବହୁତ କାଳର ॥
ଏ କେତ ଅଣ୍ଡିରା ଗୋରୁ ଗୋମାତାର ବଳା ।ଜାତି ସ୍ୱଭାବରେ ମୂର୍ଖ ବଳେ ଅନର୍ଗଳା ॥
ତୁମ୍ଭର ପେଲନ୍ତେ ଗିରି ପଡ଼ିଯିବ ଟଳି ।ଡାଳ ପତ୍ର ଘର ଗୋଟି ପଶିଗଲ ପେଲି ॥
ଭିତରେ ପଶିଣ ପୁଣି କଲ ଅନାଚାର ।ଏମନ୍ତ ଅନ୍ୟାୟ କର୍ମ ଅଟଇ ତୁମ୍ଭର ॥
ଜାଣୁ ଜାଣୁ କଲ କିପାଁ ଅନୀତି ଅକର୍ମ ।ଆଜହୁଁ ତୁଟିଲା ଆୟୁ ନାଶ ଗଲା ଧର୍ମ ॥
ଆମ୍ଭ ଶରୀରକୁ ଏବେ ଲାଗୁଅଛି କ୍ଷୁଧା ।ଅନ୍ନ ନ ଖାଇଲେ ଜାତ ହେବ ବ୍ୟାଧି ବାଧା ॥
ବ୍ୟାଧି ଜାତ ହେଲେ ପୁଣି ସତ ରହେ ନାହିଁ ।ଦେହ ସୁସ୍ଥ ଥିଲେ ଦେହୀ ଧର୍ମ ଆଚରଇ ॥
ଆବର କରିବୁ ଦେବ ପୂଜା ନିଶା ଭାଗେ ।ଧୂପ ଦୀପ ନଇବେଦ୍ୟ ଗନ୍ଧ ପୁଷ୍ପ ଯୋଗେ ॥
ଫୁଲ ଫଳ ନଇବେଦ୍ୟ ପାଇବୁଟି କାହୁଁ ।ଯାହା ଯେତେବେଳେ ଲୋଡ଼ା ଆଣୁଥିଲୁ ତହୁଁ ॥
ତା ପରା ତୋଟା ଆମ୍ଭର ଖାଇ କଲ ନାଶ ।ମଢ଼ିଆ ସହିତେ ଭାଙ୍ଗି ସବୁ କଲ ଧ୍ୱଂସ ॥
ବିଶ୍ରାମ କରିବୁ ଏବେ ଗଲେ ଆମ୍ଭେ କାହିଁ ।ଆତ୍ମା ଲିଙ୍ଗ ପୂଜା କ୍ଷୁଧା ବଞ୍ଚିବୁ କି ଖାଇ ॥
ତୁମ୍ଭଯୋଗେ ହେଲା ସିନା ଆମ୍ଭର ଏ କଷ୍ଟ ।ଗୋରୁ ପଶୁଜାତି ତୁମ୍ଭ ବୁଦ୍ଧି ବଡ଼ ନଷ୍ଟ ॥
ବତ୍ସାଏ ବୋଇଲେ ତୁମ୍ଭେ ଯାହା ଭିଆଇଛ ।ସଂସାରେ ଯେତେ ପଦାର୍ଥ ସବୁ ଆମ୍ଭ ଭକ୍ଷ୍ୟ ॥
ଆମ୍ଭ ନୟନରେ ଆମ୍ଭେ ଯାହା ଦେଖୁ ଚାହିଁ ।ଶତେ ବାଡ଼ ଥିଲେ ଭାଙ୍ଗି ତାହା ଖାଉ ଯାଇ ॥
ଆମ୍ଭର ନିମନ୍ତେ ଖଣା କାନ୍ଥ କଣ୍ଟା ବାଡ଼ ।ଅତିଅନ୍ତ ଲୋଭୀ ଆମ୍ଭେ ଖାଉ ବନଝାଡ଼ ॥
ଏଣୁ ବିଚାରିଲେ ଆମ୍ଭେ ଦୋଷ ତିଳେ ନାହିଁ ।ଏ ବ୍ରହ୍ମା ଦେଖିଲେ କିପାଁ ନ ଦେଲେ ଅଡ଼ାଇ ॥
ତୁମ୍ଭର ବିଶ୍ରାମ ବୋଲି ଜାଣି ନାହୁଁ ଆମ୍ଭେ ।ନୂତନ ପଲ୍ଲବ ବୋଲି ପଶିଗଲୁ ଲୋଭେ ॥
ଜାଣିଥିଲେ ଖାଇଥାନ୍ତୁ କିପାଁ ଆମ୍ଭେ ଯାଇ ।ଅଜ୍ଞାନରେ ପାପାବାଧା ଲାଗଇ କି ନାହିଁ ॥
ଧର୍ମଦେବତା ବୋଇଲେ ଅଜ୍ଞାନରେ ବିଷ ।ଯେ ପାନ କରଇ ତାର ପୂରଇ ଆୟୁଷ ॥
ନ ଜାଣି ଅଗ୍ନି କୁଦିଲେ ପାଦ ଯାଏ ପୋଡ଼ି ।ନ ଜାଣି ଜଳେ ପଶିଲେ ନିଶ୍ଚେଁ ମରେ ବୁଡ଼ି ॥
ନ ଜାଣି ନ ବୁଣି ବୀଜ ପଡ଼ିଲେ ଭୂମିରେ ।ଅବଶ୍ୟ ଅଙ୍କୁରି ଫଳ ଫଳଇ ତହିଁରେ ॥
ଏତେ ବୋଲି କହିଲେ ସେ ବ୍ରହ୍ମା ମୁଖ ଚାହିଁ ।ତୁମ୍ଭେ ତ ଦେଖିଲ କିପାଁ ନ ଦେଲ ଅଡ଼ାଇ ॥
ତୁମ୍ଭେ ବ୍ରହ୍ମା ଅଟ ସର୍ବ ଜୀବର କାରେଣି ।ଜଗତ କାରଣ ହୋଇ ନ ବୁଝିଲ ଜାଣି ॥
ନୟନରେ ଦେଖି ତୁମ୍ଭେ ନ ଦେଲ ଅଡ଼ାଇ ।ଏଥିକି ମାତ୍ର ନ କଲ ତୁମ୍ଭେ ଆମ୍ଭ ପାଇଁ ॥
ବିଦ୍ୟାବନ୍ତ ହୋଇ ଯେବେ ଛାଡ଼ିଲ ବିବେକ ।ଏଥିରେ ତୁମ୍ଭର ପାପ ହୋଇଲା ଅନେକ ॥
ଏ ଯେ ଗୋମାତା ଏହାଙ୍କୁ କହିବା କି ବାଛି ।ଭୃତ୍ୟ ଅପରାଧେ ଦଣ୍ଡ ସ୍ୱାମୀର ତ ଅଛି ॥
ଏଡ଼େ ଦୁଷ୍ଟ ପୁତ୍ର ବୋଲି ଆଗୁଁ ଜାଣିଥିଲ ।ଆମ୍ଭ ଭୁବନକୁ କିପାଁ ସଙ୍ଗତେ ଆଣିଲ ॥
ଯଦ୍ୟପି ଆଣିଲ କିପାଁ ପାଶୁଁ ଦେଲ ଛାଡ଼ି ।ପଳାଇଲା ପରେ କିପାଁ ନ ଆଣିଲ ଲୋଡ଼ି ॥
ଏହାଙ୍କ ଯୋଗୁଁ ଆମ୍ଭର ଗଲା ସର୍ବ ନାଶ ।ଅବଶ୍ୟ ପିତାମାତାଙ୍କୁ ଲାଗେ ପୁତ୍ର ଦୋଷ ॥
ଏଣୁ ତୁମ୍ଭେ ଆଠ ଜଣ ହେଲ ଅପରାଧୀ ।ଧର୍ମମାର୍ଗ ଛାଡ଼ି ଦୁଷ୍ଟ ପରପଞ୍ଚ ବୁଦ୍ଧି ॥
କଲା ପାପ ଅନୁକ୍ରମେ ପାଅ ପ୍ରାୟଶ୍ଚିତ୍ତ ।ସହସ୍ର ଜନ୍ମ ମାନବ ଦେହେ ହୁଅ ଜାତ ॥
ବିଧାତା ଗୋମାତା ଦୁହେଁ ପତି ପତ୍ନୀ ହେବ ।ମାନବ ଶରୀରେ ସୁଖ ଦୁଃଖ ପାଉଥିବ ॥
ଏହି ଷଡ଼ ବତ୍ସା ତୁମ୍ଭ ଷଡ଼ ପୁତ୍ର ହେବେ ।ଜଳେ ବୁଡ଼ି ଅକାଳରେ ମରଣ ଲଭିବେ ॥
ବ୍ରହ୍ମାଏ ବୋଇଲେ ତୁମ୍ଭେ ସର୍ବ ଅନ୍ତର୍ଯ୍ୟାମୀ ।ଶାପର କାରଣ ମୋତେ କହିଦେବା ସ୍ୱାମୀ ॥
କେବଣ ପ୍ରକାରେ କ୍ଷୟ ହେବ ପାପରାଶି ।ତେସନକ ଆଜ୍ଞା ମୋତେ ଦିଅ ବ୍ରହ୍ମରାଶି ॥
ମୋହର ଶାପରେ ଯେବେ ମୁହିଁ ଗଲି ନାଶ ।ତୁମ୍ଭ ସୁଖ ଚାହିଁଲେ କି ଥିବ ଆଉ ଦୋଷ ॥
ନିରଞ୍ଜନ ଆଜ୍ଞା ଦେଲେ ସମୟେକ ଯାନ୍ତେ ।କୃଷ୍ଣ ଅବତାର ହେବେ ଦ୍ୱାପର ଯୁଗାନ୍ତେ ॥
ନନ୍ଦଘରେ ରହି ଆଠ ବରଷ ବଢ଼ିବେ ।କଂସକୁ ମାରିବା ପାଇଁ ଗୋପ ଛାଡ଼ିଯିବେ ॥
ସାନ୍ଦୀପନି ପଣ୍ଡା ନାମ ବହି ମର୍ତ୍ତ୍ୟପୁରେ ।ତୁମ୍ଭେ ବାସ କରିଥିବ ଅବନ୍ତୀ ନଗରେ ॥
ମଥୁରା ନଗରୁ ରାମକୃଷ୍ଣ ଚାଟ ବେଶେ ।ବିଦ୍ୟା ଶିକ୍ଷା କରିବାକୁ ଯିବେ ତୁମ୍ଭ ପାଶେ ॥
ଦକ୍ଷିଣା ଯାଚିବେ ତୁମ୍ଭଠାରେ ପାଠ ପଢ଼ି ।ଏ ଷଡ଼ ବତ୍ସାଏ ମରି ଥିବେ ଜଳେ ବୁଡ଼ି ॥
ଏହାଙ୍କୁ ଜୀଆଇ ଯମପୁରୁ ଆଣି ଦେବେ ।ସେ ଦିନ ଶାପରୁ ମୁକ୍ତ ହେବ ତୁମ୍ଭେ ସର୍ବେ ॥
ମୁକତ ହୋଇବ ରାମ କୃଷ୍ଣ ଦରଶନେ ।ଏତେ କହି ଧର୍ମଦେବ ରହିଲେ ମଉନେ ॥
ସେ ଦିନୁ ସେ ଆଠଜଣ ଜନ୍ମିଲେ ମର୍ତ୍ତ୍ୟରେ ।ସହସ୍ରେ ଜନ୍ମ ତାଙ୍କର ଏହିଠାରୁ ସରେ ॥
ସାନ୍ଦୀପନି ଷଡ଼ପୁତ୍ରେ ବୁଡ଼ି ମରିଥିଲେ ।ଶ୍ରୀକୃଷ୍ଣ ଜୀଆଇ ତାଙ୍କୁ ପୁଣି ଆଣି ଦେଲେ ॥
ସମୟେକ ସୁଖଭୋଗ କରିବେ ନିଶ୍ଚିନ୍ତେ ।ଶାପୁଁ ମୁକ୍ତ ହୋଇ ପୁଣି ଯିବେ ସ୍ୱର୍ଗପଥେ ॥
ପରୀକ୍ଷ ଆଗେ କହନ୍ତି ଶୁକ ମହାମୁନି ।ଇତି ଶ୍ରୀବିଷ୍ଣୁ ପୁରାଣ ଭାଗବତ ଧ୍ୱନି ॥
ପବିତ୍ର ଗଙ୍ଗାଜଳ ଏ ଗ୍ରନ୍ଥ ପୁଣ୍ୟମୟେ ।ଇଦଂ ଏକ ପଞ୍ଚାଶତ ଅଧ୍ୟା ଶେଷ ହୋଏ ॥
ଜୟ ଜୟ ବିଶ୍ୱନାଥ ଜୟ ବ୍ୟୋମକେଶ ।ବିଶ୍ୱ ଚିନ୍ତାମଣି ତୁମ୍ଭେ ଅନାଦି ପୁରୁଷ ॥
ଶୁକଳ ବରନ ତନୁ ଦିବ୍ୟ ଜଟା ଶିରେ ।ତ୍ରିଶୂଳ ପିନାକ ଧନୁ ଶୋଭା ପାଏ କରେ ॥
ଡମ୍ୱୁରୁ ପରଶୁ ଖଣ୍ଡା ଶ୍ୱେତନାଗ ମୃଗ ।ଚିତାଭସ୍ମ ନୃକରୋଟୀ ବିଭୂଷିତ ଅଙ୍ଗ ॥
ଜଟାମୂଳ ଗଙ୍ଗାତଟେ ଶୋହେ ବାଳ ଇନ୍ଦୁ ।ନମସ୍ତେ ହେ ବିଶ୍ୱନାଥ ଉମାପ୍ରାଣ ବନ୍ଧୁ ॥
ତାଣ୍ଡବ ନୃତ୍ୟରଙ୍ଗରେ ଭୋଳେ ତୁମ୍ଭ ମତି ।ଅଷ୍ଟାଙ୍ଗ ଯୋଗେ ନିର୍ଜିତ ନମୋ ପଶୁପତି ॥
ବାମ କନ୍ଧେ କାଳସର୍ପ ଗଳେ ମୁଣ୍ଡମାଳ ।ବେନି ପାରୁଶରେ ଉଭା ନନ୍ଦୀ ମହାକାଳ ॥
କାର୍ତ୍ତିକେୟ ଗଣନାଖ ନାଗାର୍ଜୁନ ମୂଳେ ।ରୁଦ୍ରଗଣ ଖଟିଥାନ୍ତି ପାଦପଦ୍ମ ତଳେ ॥
ବୃଷଭ ପିଠିରେ ବିଜେ ଗତି ଧୀର ଧୀର ।ରୁଣୁ ଝୁଣୁ କ୍ଷୁଦ୍ର ଘଣ୍ଟି ବାଜେ ନିରନ୍ତର ॥
ମର୍କତ କୁଣ୍ଡଳ ଶୋଭା ପାଏ ଗଣ୍ଡସ୍ଥଳେ ।ଝର ଝର ହୋଇ ଗଙ୍ଗା ମସ୍ତକରେ ଗଳେ ॥
ଡିବି ଡିବି ଡମ୍ୱରୁ ଯେ ବାଜେ ନବ କୋଟି ।ସ୍ଫଟିକ ରୁଦ୍ରାକ୍ଷ ମାଳା କନ୍ଥା ଚିରିକୁଟି ॥
ଚଞ୍ଚକାର ଚଞ୍ଚପଟ ଭର ହର ରଙ୍ଗେ ।ଶ୍ମଶାନ ଭୂମିରେ କ୍ରୀଡ଼ା ଭୂତଗଣ ସଙ୍ଗେ ॥
ମହାନ୍ତ ଭୈରବ ରୂପ ଭୟଙ୍କର ଶୀଳ ।ନାମ ସୁମରିବା ମାତ୍ରେ ହୁଅଇ ମଙ୍ଗଳ ॥
ନମସ୍ତେ ଶ୍ରୀ ସଦାଶିବ ଭକ୍ତଜନ ବନ୍ଧୁ ।ନମସ୍ତେ ଶ୍ରୀ ସଦାଶିବ କୃପାଜଳ ସିନ୍ଧୁ ॥
ନମସ୍ତେ ଶ୍ରୀ ସଦାଶିବ ଚଉବର୍ଗ ଦାନି ।ସର୍ବଜ୍ଞ ପୁରୁଷ ତୁମ୍ଭେ ସର୍ବ ଅନ୍ତର୍ଯ୍ୟାମୀ ॥
ମର୍ତ୍ତ୍ୟରେ ପବିତ୍ର ଭୂମି ଭାରତ ବରଷ ।ସର୍ବଗୁଣେ ଅଳଂକୃତ ଏ ଉତ୍କଳ ଦେଶ ॥
ବିରଜା ମଣ୍ଡଳ ଠାରୁ ଲାଉକେଶ ଯାଏ ।ଦ୍ୱାଦଶ ଯୋଜନ ଭୂମି ଅତି ପୁଣ୍ୟମୟେ ॥
କୀର୍ତ୍ତିବାସ କୋଣାରକ ଶ୍ରୀପୁରୁଷୋତ୍ତମ ।ବିରଜା ଏ ଚାରିକ୍ଷେତ୍ର ଆଦି ବ୍ରହ୍ମା ନାମ ॥
ଚତ୍ରୋତ୍ପଳା ନାମେ ପୁଣି ବହେ ପୁଣ୍ୟନଦୀ ।ବିନ୍ଧ୍ୟ ପର୍ବତରୁ ଫୁଟି ସମୁଦ୍ରକୁ ଭେଦି ॥
ଅନେକ ବନ କନ୍ଦରେ ହାଟ ପାଟମୂଳେ ।ସିଦ୍ଧ ସାଧ୍ୟ ଋଷିମାନେ ଛନ୍ତି ବେନି କୂଳେ ॥
ସେ ନଦୀ ଦକ୍ଷିଣ କୋଣେ ଗୁପ୍ତ ବାରାଣସୀ ।ବିଶ୍ୱେଶ୍ୱର ନାମେ ତହିଁ ବିଜେ କାଶୀବାସୀ ॥
କୋଟିଏ ଲିଙ୍ଗ ସଙ୍ଗତେ ଘେନି ପଞ୍ଚମଥା ।ବିଜେ କରିଛନ୍ତି ସ୍ୱାମୀ ଭୁକ୍ତି ମୁକ୍ତି ଦାତା ॥
ବାରେ ଦରଶନ କଲେ ପାପ ହୋଏ ଖଣ୍ଡି ।ଭୟେ ଯମଦେବ ତାକୁ ନ ପାରଇ ଦଣ୍ଡି ॥
ବିଶ୍ୱନାଥ ବୋଲି ଯେହୁ ଉଚ୍ଚାରଇ ମୁଖେ ।ଖଣ୍ଡଇ ଦରିଦ୍ର ବାଧା ବସେ ଶିବ ଲୋକେ ॥
ଚିତ୍ରୋତ୍ପଳା ଜଳେ ସ୍ନାନ କରି ବିଶ୍ୱନାଥ ।ଦରଶନ କଲେ ପ୍ରାଣୀ ପାଏ ମୋକ୍ଷ ପଥ ॥
ଧନ୍ୟ ଧନ୍ୟ ଚିତ୍ରୋତ୍ପଳା ନଦୀ ପୁଣ୍ୟ ବାରି ।ଜମ୍ୱୁଦ୍ୱୀପ ମେଦିନୀରେ ତୁହି ଅଧିକାରୀ ॥
ଗଣ୍ଡୁଷ ପ୍ରମାଣେ ଜଳ ଆପ୍ୟାନ କରନ୍ତେ ।କଳୁଷ ଖଣ୍ଡଇ ସୁଖେ ଯାଏ ସ୍ୱର୍ଗପଥେ ॥
ଶ୍ରୀ ବିଶ୍ୱନାଥ ଚରଣେ ଲୁଳୁ ମୋର ମାଥ ।ଅଚ୍ୟୁତ ଦାସ କରିବ ମୁକ୍ତିମାର୍ଗ ଚିନ୍ତା ॥
ରୁକ୍ମିଣୀଙ୍କ ସ୍ୱୟମ୍ୱର ଉପଲକ୍ଷେ ରାଜାମାନଙ୍କର ସମାଗମ ଓସ୍ୱୟମ୍ୱର ସଭା ବର୍ଣ୍ଣନାଏଥୁ ଅନନ୍ତପେ ପୁଣି ପରୀକ୍ଷିତ ରାଜା ।ଶୁକ ବ୍ରହ୍ମା ଚରଣରେ କଲେ ଦିବ୍ୟ ପୂଜା ॥
ଭୋ ମୁନି ଅପୂର୍ବ କଥା କହିଲ ମୋ ଆଗେ ।ସଂକ୍ଷେପରେ ଶ୍ରବଣ ମୁଁ କଲି ପୂର୍ବଭାଗ୍ୟେ ॥
ଏଥୁଅନ୍ତେ କିସ ହେଲା କହ ପୁଣ୍ୟମୟ ।ଶୁଣିବି ଶ୍ରୀ ହରିବଂଶ ପାପଯିବ କ୍ଷୟ ॥
ରାଜାର ବଚନ ଶୁଣି ଶୁକ ମହାଜ୍ଞାତା ।ବୋଇଲେ କହିବା ଶୁଣ ହରିବଂଶ ଗାଥା ॥
ଅବନ୍ତୀ ନଗରୁ ରାମକୃଷ୍ଣ ବେନି ଭାଇ ।ବିଦ୍ୟା ପଢ଼ି ବାହୁଡ଼ିଲେ ରଥରେ ଆରୋହି ॥
ଦେବକୀର ଷଡ଼ପୁତ୍ର ଆବର ସୁରଥ ।ଏହାଙ୍କୁ ବସାଇ ବିଜେ କଲେ ଜଗନ୍ନାଥ ॥
ଗଗନ ମାର୍ଗେ ମାତଳି ବାହେ ଦେବଯାନ ।ଈଶାନ ମାର୍ଗରେ ଚଳେ ବିଜୁଳି ସମାନ ॥
ଏକାଳେ ଶୁଭିଲା ତାଙ୍କୁ ଆକାଶର ବାଣୀ ।ସାବଧାନ ହୋଇ ତୁମ୍ଭେ ଶୁଣ ଚକ୍ରପାଣି ॥
କୁଣ୍ଡିନ କଟକେ ଭୀଷ୍ମ ନାମେ ମହୀପତି ।ରୁକ୍ମିଣୀ ନାମେ ପଦ୍ମିନୀ କନ୍ୟା ତା ଦୁହିତୀ ॥
ପ୍ରତ୍ୟକ୍ଷେ ସେ ଲକ୍ଷ୍ମୀ ଜନ୍ମିଅଛି ଦେହ ଧରି ।ସର୍ବଗୁଣେ ସୁଲକ୍ଷଣୀ ପରମା ସୁନ୍ଦରୀ ॥
ତୁମ୍ଭେ ସ୍ୱୟଂ ନାରାୟଣ ଅଟ ଦେବରାଜା ।ରୁକ୍ମିଣୀ ପ୍ରତ୍ୟକ୍ଷେ ଲକ୍ଷ୍ମୀ ସେ ତୁମ୍ଭ ଭାରିଯା ॥
ବିଳମ୍ୱ ନ କରି ବେଗେ ବଳ ଶୀଘ୍ରଗତି ।ସ୍ୱୟମ୍ୱରେ ମିଳିଛନ୍ତି ଲକ୍ଷେକ ନୃପତି ॥
ସେ ଭୀଷ୍ମ ରାଜାର ପୁତ୍ର ରୁକ୍ମଣ ପାପିଷ୍ଠ ।ଧର୍ମାଧର୍ମ ନ ବିଚାରେ ବଡ଼ଇ ଗରିଷ୍ଠ ॥
ନ ପୁଣ ତୋ ଭାରିଯାକୁ ଆନେ କରେ ବିଭା ।ଏହି ଅନୁକୂଳେ ତହିଁ ବିଜୟ କରିବା ॥
ଏ ସମୟେ ଯେବେ ତୁମ୍ଭେ ହୋଇବ ମଉନ ।ଅବଶ୍ୟ ତୁମ୍ଭର ଭାର୍ଯ୍ୟା ଘେନିଯିବ ଆନ ॥
ଆକାଶ ବଚନ ଶୁଣି ଲକ୍ଷ୍ମୀଦେବୀ ନାହା ।ମାତଳିକି ଆଜ୍ଞା ଦେଲେ ବେଗେ ରଥ ବାହା ॥
କୁଣ୍ଡିନ ନଗର ଅଛି ବିଦର୍ଭ ଦେଶରେ ।ଭୀଷ୍ମନାମେ ନରପତି ତହିଁ ରାଜ୍ୟ କରେ ॥
ରୁକ୍ମିଣୀ ନାମେ ଦୁହିତା ଅଛଇ ତାହାର ।ସେ କନ୍ୟା ପାଇଁ ହେଉଛି ଆଜି ସ୍ୱୟମ୍ୱର ॥
ଲକ୍ଷେକ ନୃପତି ଆସି ହୋଇଛନ୍ତି ରୁଣ୍ଡ ।ଉତ୍ସବରେ ପୂରିଅଛି ସେ ନଗର ଦାଣ୍ଡ ॥
ଆମ୍ଭେ ତା ଦେଖିବା ବେଗେ ରଥ ନିଅବାହି ।ଏପରି ସୁଯୋଗ କଥା ଛାଡ଼ିବା କିପାଇଁ ॥
ଆଜ୍ଞା ପାଇଣ ମାତଳି ଲେଉଟାଏ ଯାନ ।ପୂର୍ବମୁଖେ ବିଜେ କଲେ ପ୍ରଭୁ ଭଗବାନ ॥
କୃଷ୍ଣବେଣୀ କୂଳେ କୂଳେ ଥୋକେ ଦୂର ଗଲେ ।ବିଦର୍ଭ ନାମ ଦେଶରେ ପ୍ରବେଶ ହୋଇଲେ ॥
ସେ ନଦୀ ଦକ୍ଷିଣ କୂଳେ ଅଛି ଏକ ଗିରି ।ମଳୟ ନାମେ ପର୍ବତ ତହିଁ ବିଜେ କରି ॥
ସେ ପର୍ବତ ତଳେ କୁଣ୍ଡୀନଗ୍ର ବିତପନ ।ଆଡ଼ ଦୀର୍ଘ ପ୍ରତିରେ ସେ ପଞ୍ଚାଶ ଯୋଜନ ॥
କୃଷ୍ଣବେଣୀ ନଦୀଠାରୁ ଖଣ୍ଡେ ଦୂର ଛାଡ଼ି ।ସେ କଟକ ଅଛି ପାଞ୍ଚ ଯୂଣ ଭୂମି ମାଡ଼ି ॥
ଦ୍ୱାଦଶ ଯୋଜନ ସେହି ପର୍ବତରେ ଉଚ୍ଚ ।ଦୀର୍ଘରେ ପଞ୍ଚାଶ ଯୂଣ ପ୍ରତି ଯୂଣ ପାଞ୍ଚ ॥
ଉତ୍ତରକୁ ବକ୍ର ହୋଇ ଅଛି ସେ ଗିରିଟି ।ଶିବକାଞ୍ଚୀଠାରୁ କୃଷ୍ଣବେଣୀଯାଏ ଘୋଟି ॥
ସାତ ମର୍ଭୁତ ଘର ସେ କଟକ ଭିତରେ ।ଇଚ୍ଛା ସୁଖେ ନରନାରୀ ଅଛନ୍ତି ତହିଁରେ ॥
ବ୍ରାହ୍ମଣ କ୍ଷତ୍ରିୟ ବୈଶ୍ୟ ଶୂଦ୍ର ଚାରିଜାତି ।ଛତିଶ ପାଟକ ଆଦି ଅନେକ ଅଛନ୍ତି ॥
ନଟ ଭାଟ ଜଉତିଶ ବାର ବଣିଜାର ।ଗଣିକା ଗୁଣିକା ମୂଳେ ହାଟୁଆ ଅପାର ॥
ଜାତି ଅନୁକ୍ରମେ ଯେଝା ବୃତ୍ତିମାନ କରି ।ଧନ ରତ୍ନ ରଖିଛନ୍ତି ଘରେ ଘରେ ଭରି ॥