ଦ୍ୱିତୀୟ ଖଣ୍ଡ ଏ ଗୁରୁଭକ୍ତି ଗୀତା ରସ ॥ — ଗୁରୁଭକ୍ତି ଓ ଗୀତା (ଦ୍ୱିତୀୟ ଖଣ୍ଡ) — ଅଚ୍ୟୁତାନନ୍ଦ ଦାସ · ସ୍ୱର୍ଣ୍ଣଲିପିଶ୍ୟାମ ପଞ୍ଚାକ୍ଷରୁ କଲେ ଅଠର ଅକ୍ଷର ।
ବ୍ରହ୍ମା ପୁଣ ନିଗମରୁ କଲେକ ବାହାର ॥
ତାରକ ମନ୍ତ୍ରକୁ କଲେ ଗାୟତ୍ରୀ ଯେ ଆଠ ।ଏକାକ୍ଷରୁ ନାରାୟଣ ମନ୍ତ୍ର କଲେ ପାଠ ॥
ଅଣ ଯେ ଅକ୍ଷର ପୁଣ ମନ୍ତ୍ରଙ୍କର ମୂଳ ।ତାରକ ଯେ ଏକାକ୍ଷର ଶ୍ୟାମ ଅଟେ ଡାଳ ॥
ଆବର ଯେତେକ ମନ୍ତ୍ର ଡାଳ ଶାଖା ଜାଣ ।ସବୁ ମୂଳମନ୍ତ୍ର ଅଣକ୍ଷର ପ୍ରମାଣ ॥
ହରେ ରାମ ମନ୍ତ୍ରରାଜ ଚୈତନ୍ୟ ଶ୍ରୀଗୁରୁ ।ନୀଳଚଳ ସାର୍ବଭୌମ ବୁଝିଲେ ସେଠାରୁ ॥
କୃଷ୍ଣମନ୍ତ୍ର ଦ୍ୱାପରେ ବୁଝିଲେ ସଖାଗଣ ।କାମଗାୟତ୍ରୀ ଜପିଲେ କ୍ରେତା ଭକ୍ତଗଣ ॥
ସତ୍ୟଯୁଗେ ପଞ୍ଚାକ୍ଷର କପିଳ ମୂରତି ।ବୁଝିଲେ ସଙ୍ଗତେ ଥିଲେ ଯେତେ ମୁନି ଯତି ॥
ଯୁଗଳ ମନ୍ତ୍ର ଯେ ପୁଣ କଳିର ଭଗତ ।ଚଇତନ ରୂପେ ଏକ ବୁଝାଇ ଆପେତ ॥
ଠାକୁରାଣୀ ମନ୍ତ୍ର ଯେ ଦ୍ୱାପର ଯୁଗେ ଜପ ।ବ୍ରହ୍ମଗାୟତିରୀ ଯେ ତ୍ରେତାରେ ମହାଗୋପ୍ୟ ॥
ଶୂନ୍ୟ ଯେ ଭଜନ ମନ୍ତ୍ର ସତ୍ୟଯୁଗେ ସାର ।ସଦଗୁରୁ ଜାଣନ୍ତି ଯେ ମନ୍ତ୍ରର ବିଚାର ॥
ଏମନ୍ତେଣ ଚଉରାଶି ମନ୍ତ୍ର ପୁଣ ଅଛି ।ଚଉରାଶି ଯନ୍ତ୍ରକୁ ଯେ ଛନ୍ଦିଣ ରହିଛି ॥
ରାମ ଭ୍ରଥ ଶିଷ୍ୟମାନେ ରାହାସ ପ୍ରଧାନ ।ଅକିଞ୍ଚନ ଦଶ ତ ଧଇଲେ ହେତୁମନ ॥
ବିଷ୍ଣୁଦାସଗଣେ ତୁମ୍ଭେ ହେତୁ ମନେ ଧର ।ପାଷାଣ୍ଡ ଗୋପାଳକୁଳେ ତୁମ୍ଭ ଅଧିକାର ॥
ବିଷ୍ଣୁଗଣେ ନୁହନ୍ତି ତ ରାହାସର ଦାସ ।ଦୀକ୍ଷା ଶିକ୍ଷା କର ତୁମ୍ଭେ ଜଗାଇବ ଦେଶ ॥
ଉତ୍ଥାନ ପବନ ମଧୁ ମଥୁରୀ ଯେ ଦାସ ।ନପୁଂସକ ଶରୀର ଯେ ଯତି ତାଙ୍କ ଅଂଶ ॥
ମୁକୁନ୍ଦ ଅନନ୍ତ ବତ୍ସ ସୁଦାମ ଗୋବିନ୍ଦ ।ବାଳକ ଯେ ବୃନ୍ଦାବନ ଆବର ଆନନ୍ଦ ॥
ଏମାନେ ଯେ ସତ ଅଙ୍ଗ ଅଟନ୍ତି ଧାରଣ ।ସତୀ ଯତି ଅଙ୍ଗ ଧରି କଲେ ରାସ ପୁଣ ॥
ଧର୍ମଦାସ ବକ୍ର ବିଷ୍ଣୁ ତିନିଗଣମାନେ ।ସେବା କରିଥିବ ତୁମ୍ଭେ ରାମଦାସ ପଣେ ॥
କଳିଯୁଗେ ସଂକୀର୍ତ୍ତନ ଭୁବନ ମଙ୍ଗଳ ।ଦ୍ୱାପର ଯୁଗେ ରାହାସ ହରେ ଅମଙ୍ଗଳ ॥
ତ୍ରେତୟା ଯୁଗରେ ତାଳ ମର୍ଦ୍ଦୁଳ ସୁଲଭ ।ସତ୍ୟଯୁଗେ ନାରଦ ଯେ ବୀଣାରେ ପ୍ରଭାବ ॥
ଖେମଟା ତାଳ ବଜାଇ ତିନିପୁରେ ଥାନ୍ତି ।ଶ୍ରୀକୃଷ୍ଣଗୁଣ ଗାଇଣ ଆନନ୍ଦେ ନାଚନ୍ତି ॥
ଏ ଲୀଳାମାନଙ୍କୁ ଏହୁ ହୋଇଲେ ଭାଜନ ।ଧନ ଜନ ପଣ ତେଜି ରାହାସରେ ମନ ॥
ତୁମ୍ଭେ ବିଷ୍ଣୁଦାସ ଭକ୍ତମାନେ ଯେତେ ।ଆବୋରିଲ ଧନଜନ ପଣର ସହିତେ ॥
ମାୟାମୋହ ସଂସାରକୁ ତେଜି ନ ପାରିଲ ।ଏଣୁକରି ସଂସାରରେ ବନ୍ଧନ ହୋଇଲ ॥
ଏବେ ଯେ ନିସ୍ତାର ପଥ କହିବା ତୁମ୍ଭରେ ।ବରଷ ଦିନରେ କରି ମହୋତ୍ସବ ଥରେ ॥
ମାତାର ସମ୍ୱନ୍ଧ ପିତା ସମ୍ୱନ୍ଧ ନ ଥିବ ।ରାଗଚିନ୍ତା ଗୃହଚିନ୍ତା କଳ୍ପଣା ନ ଥିବ ॥
ବାଡ଼ି ବୃତ୍ତି ଧନ ଆଶେ ନ କରିବ ମେଳେ ।ନିସ୍ତାର ନୁହଇ ଏହୁ କଳ୍ପନା ଯେ ଥିଲେ ॥
ସେରେ ଭିକ୍ଷା କରି ତହୁଁ ମୁଠାଏ ରଖିବ ।ବରଷ ଦିନରେ ତାହା କୃଷ୍ଣେ ସମର୍ପିବ ॥
ଶିଷ୍ୟଠାରୁ ଦିନେ ଦିନେ ରଖି କିଛି କିଛି ।ମହୋତ୍ସବ କୃଷ୍ଣଭାବେ ସାଧୁଗଣ ପୁଚ୍ଛି ॥
ଖୋଳ କରତାଳ ଦାସ ଏହାଙ୍କୁ ବରିବ ।ଫୁଲ ପାନ ଚନ୍ଦନ ବସନମାନ ଦେବ ॥
ଏ ପଞ୍ଚଭାବରେ ପୁଜି ରାହାସର ଜନ ।ମିଷ୍ଟାନ୍ନଭାବେ ମିଳିବ ଯେତେ ପୁଣ ଅନ୍ନ ॥
ପିଷ୍ଟ ଫଳମୂଳଜନ ପାନ ଯେ ମିଳିବ ।ଅର୍ଦ୍ଧରାତ୍ରେ ବସାଇଣ ଏହାଙ୍କୁ ପୂଜିବ ॥
ପିତାପୁତ୍ରଭାବ ପ୍ରିୟ ଶରଧା ବଳାଇ ।ତେବେ ସେ ରାହ ସଫଳ ପରାପତ ହୋଇ ॥
କେବା ତିନିରାତ୍ର କରି ଦିନେ ଅଧିବାସ ।ଦିନେକ ଯାତ୍ରା କରିବ ଦିନେ ଅଧିବାସ ॥
ଏମନ୍ତେଣ ତିନି ଦିନ କେହୁ ପୁଣ କରି ।ନ ଲାଗିବ କଳିତାପ ହୃଦରେ ତୁମ୍ଭରି ॥
କେବା ପାଞ୍ଚରାତ୍ର କରି ଦିନେ ଅଧିବାସ ।ତିନିରାତ୍ର ଯେ ରାହାସ ଦିନେ ଅଧିବାସ ॥
ପାଞ୍ଚ ଯେ ପାତକମାନ ଖଣ୍ଡନ ହୁଅଇ ।ବ୍ରହ୍ମହତ୍ୟା ଗୁରୁହତ୍ୟା ପାତକ ଖଣ୍ଡଇ ॥
ମାତୃ ଯେ ହରଣ ଭଗ୍ନୀହରଣର ଦୋଷ ।ମଦିରା ଖଣ୍ଡନ ପାପ ହୁଅଇ ବିନାଶ ॥
କିବା ସପ୍ତରାତ୍ର କରି ଦିନେ ଅଧିବାସ ।ପଞ୍ଚରାତ୍ର ମହୋତ୍ସବ ଦିନେ ଅଧିବାସ ॥
ସନ୍ତାପ ତାପ ଯେ ତାଙ୍କ ଦେହେ ନ ଲାଗଇ ।ଭଗତ ଦର୍ଶନ ତାର ଶୋକ ଦେହୁଁ ଯାଇ ॥
ଅନ୍ନତାପ ପୁତ୍ରତାପ ବିଷତାପ ମାନ ।ରୋଗତାପ ଶତ୍ରୁ, ତାପ ବିନାଶି ବନ୍ଧନ ॥
ନାନାରିଷ୍ଟ ଶାନ୍ତିହୁଏ ଭଗତ ଦଶନେ ।ସପ୍ତ ରାତ୍ର ଶୁଣନ୍ତି ଯେ ହରିଧ୍ୱନି କର୍ଣ୍ଣେ ॥
କେବା ନବରାତ୍ର କରେ ଦିନେ ଅଧିବାସ ।ସପ୍ତଦିନ ମହୋତ୍ସବ ଦିନେ ଅଧିବାସ ॥
ନବଧା ଭଗତିଫଳ ପ୍ରାପତ ହୁଅଇ ।ସେ ଜନ ଦର୍ଶନ କଲେ ପାତକ ଘୁଞ୍ଚଇ ॥
ଦର୍ଶନ ଭଗତି ପାଏ ଶ୍ରବଣ ଭଗତି ।ବନ୍ଦନ ଭଗତି ପାଏ ଚରଣ ଭଗତି ॥
ସ୍ମରଣ ଭଗତିମାନ ଭଗତ ଲଭଇ ।କୀର୍ତ୍ତନ ଭଗତି ତାକୁ ପ୍ରାପତ ହୁଅଇ ॥
ଧର୍ମଅର୍ଥ କାମ ମୋକ୍ଷ ଚତୁର୍ବଗ ପାଇ ।ଏ ଦ୍ୱାଦଶ ମହୋତ୍ସବ ଯେ ଜନ କରଇ ॥
ଧର୍ମ ତିନିଦିନ ଫଳ ଅର୍ଥ ତିନି ଦିନ ।କାମ ତିନି ଦିନ ଫଳ ମୋକ୍ଷ ତିନି ଦିନ ॥
ଧର୍ମ ଅର୍ଥ କାମ ମୋକ୍ଷ ଚତୁର୍ବଗ ପାଇ ।ବୈଷ୍ଣବ ଚରଣ ପୁଜି ଅବଶେଷ ଖାଇ ॥
ଷୋଳଦିନ କରେ ଯେହୁ ମହୋତ୍ସବ ବିଧି ।ସର୍ବଫଳ ପରାପତ ହୋଏ ତାଙ୍କ ସିଦ୍ଧି ॥
ପଞ୍ଚରାତ୍ର ତିନିରାତ୍ର ସପ୍ତରାତ୍ର ଅବା ।ଦ୍ୱାଦଶ ଦିନନ୍ତେ ପୂଜା ଷୋଳରେ ଲଭିବା ॥
ଆଷାଢ଼ ମାସରେ ଯେହୁ ଶୁକଳ ପ୍ରତିପ ।ଅଧିବାସ କରିବ ଚାହିଁଣ ମୋର ରୂପ ॥
ଚଉଦିନ କରିବ ଯେ ମହୋତ୍ସବ ମୋର ।ପ୍ରତିପତ ଦିନ ଅଧିବାସର ବିଚାର ॥
ଦ୍ୱାଦଶ ଦିନର ଫଳ ଗୁଣ୍ଡିଚା ବାହୁଡ଼ା ।ଅୟନ ପୂରିଲେ ହୋଏ ଶୟନ ବାହୁଡ଼ା ॥
ଚତୁର୍ଦ୍ଦଶୀ ଫଳ ଲଭେ ଏକାଦଶେ ରାତ୍ରେ ।ବାହୁଡ଼ି ଦୀପ ଦେଖନ୍ତି ଯେହୁ ଜନ ନେତ୍ରେ ॥
ଏମନ୍ତେଣ ମହୋତ୍ସବ କରି ରାସମାନ ।ବାରଜନ ପୂଜି ତୁମ୍ଭେ କରିବ ଭୋଜନ ॥
ଶୁଣ ବିଷ୍ଣୁଦାସଗଣ ବକ୍ରଦାସ ଗଣ ।ଧର୍ମଦାସଗଣ ଶୁଣ ମହୋତ୍ସବ ଗୁଣ ॥
ବକ୍ରଗଣ ଶ୍ୟାମଦାସ ହରିଦାସ କହେ ।ଗୋକୁଳ ଦାସର ନରସିଂହର ବିନୟେ ॥
ବିନୋଦ ଦାସ ଯେ ଲାଞ୍ଜ ଶ୍ରୀଧର ଗୋପାଳ ।ଗୋପୀ ଦାସ ବଂଶୀଦାସ ମୋହନ ଶଙ୍କର ॥
ଏହୁ ବାର ଗୋପାଳର ମନର ସଂଶୟେ ।ମାସ ଦିନ ମହୋତ୍ସବ ରହିବ ଥୋକାଏ ॥
ଶୁଣ ବକ୍ର ଦାସ ଗଣ ଭଲ ପଚାରିଲ ।ଲାଞ୍ଜୁଆ ଶ୍ରୀଧର ଦାସ ମନେ ହେତୁ କଲ ॥
ରହିଲା ସନ୍ଧିରେ ଯେବେ ଶିଷ୍ୟ ରଖେ ମନ ।ଭକ୍ତଶିଷ୍ୟ ବୋଲି ଯେ ବୋଲିବା ବିଦ୍ୟମାନ ॥
ଶୁଣ ବକ୍ରଦାସ ଧର୍ମଦାସ ରାତ୍ର ଗୁଣ ।ଭାଦ୍ରବ ମାସରେ ଜନ୍ମ ଅଷ୍ଟମୀ ସେ ଦିନ ॥
ଜଳପାନ ବିଧି ଦେବ ସଜାଡ଼ କରିଣ ।ରାତ୍ର ଉଜାଗରେ ଦୀପ ଜାଳିବ ସେ ପୁଣ ॥
ଦିବସେ ଭୋଜନ ଦେବ ନବମୀ ତିଥିରେ ।ଅର୍ଦ୍ଧରାତ୍ରେ ଉତ୍ସବ କରିବ ମାନସରେ ॥
ଆଶ୍ୱିନ ମାସରେ ଦିନ କୁଆଁର ପୂର୍ଣ୍ଣମୀ ।ଅର୍ଦ୍ଧରାତ୍ରେ ମହୋତ୍ସବ ନିମଗ୍ନେଣ ପୁଣି ॥
ରାତ୍ରରେ ଭୋଜନ ଦେଇ ପ୍ରଭାତେ ମେଲାଣି ।ହେତୁକର ଅଚ୍ୟୁତ ବଚନ ପରମାଣି ॥
ଦ୍ୱିତୀୟଖଣ୍ଡ ଯେ ଗୁରୁଭକ୍ତି ଗୁପ୍ତଗୀତା ।
ଅଚ୍ୟୁତ ଯେ ପ୍ରାଣପତେ ହୋଇ ବ୍ରହ୍ମଚେତା ॥
ଚତୁର୍ଦ୍ଦଶ ଛାନ୍ଦ ଏହୁ ମନ୍ତ୍ରଭେଦ ଜାଣି ।
ମହୋତ୍ସବମାନ ଏହୁ ଅଧ୍ୟାରେ ବଖାଣି ॥
ଇତି ଶ୍ରୀ ଗୁରୁଭକ୍ତି ଗୀତାୟାଂ ଦ୍ୱିତୀୟଖଣ୍ଡେ ଗୁରୁଶିଷ୍ୟବୋଧନେ ମନ୍ତ୍ରାଦି ମହୋତ୍ସବ ବିଧିକଥନେ ନାମ ଚତୁର୍ଦ୍ଦଶପଟଳପଞ୍ଚଦଶ ପଟଳବେତ ଯେ ମୁରାରି ଆଦି ଆନନ୍ଦ କହନ୍ତି ।ବିନୟ ଭାବରେ ଗୁରୁ କରୁଅଛୁ ସ୍ତୁତି ॥
ଆବର ଯେତେକ ବିଧି ଅଛି ସେ ଯେ ପୁଣ ।ପରମ ଗୁରୁଙ୍କ ମୁଖୁଁ ଶୁଣିବୁ ପ୍ରମାଣ ॥
ଶୁଣ ଆହୋ ନାଉପୁତ୍ର ବେତ ହୋ ମୁରାରି ।କାର୍ତ୍ତିକ ମାସରେ ଯେ ସପତ ରାତ୍ର କରି ॥
ପଞ୍ଚରାତ୍ର କରିବ ଯେ ଫଗୁଣର ଦୋଳ ।ରାମ ଯେ ନବମୀ କର ଚଇତ୍ରର କାଳ ॥
ଦ୍ୱାଦଶ ଦିନ କରିବ ବୈଶାଖ ମାସରେ ।ଶୁକଳପକ୍ଷ ହୋଇବ ଚନ୍ଦ୍ରର ବାସରେ ॥
ମଧ୍ୟରାତ୍ରେ କରିବ ଯେ ମାଘପୁଷ ମାସେ ।ମଧ୍ୟରାତ୍ରେ କରିବ ଯେ ଶ୍ରାବଣର ଶେଷେ ॥
ଦଶମୀ କାର୍ତ୍ତିକମାସ କର ଅଧିବାସ ।ପଞ୍ଚଦିନ ମହୋତ୍ସବ ଦିନେ ଅଧିବାସ ॥
ଚତୁର୍ମାସ ଫଳ ଲଭେ ଏକାଦଶୀ ଦିନ ।ପଞ୍ଚମାସ ଫଳ ଲଭେ ପୂର୍ଣ୍ଣମୀ ଦିନେଣ ॥
ସପ୍ତାଦି ପାପ ଖଣ୍ଡାଇ ସପ୍ତମ ଦିନରେ ।ସପ୍ତଦିନ ମହୋତ୍ସବ କରେ ଯେଉଁ ନରେ ॥
ବ୍ରାହ୍ମଣ କ୍ଷତ୍ରିୟ ବୈଶ୍ୟ ଶୂଦ୍ର ଚାରିଜାତି ।ପତିତ ଚଣ୍ଡାଳ ଯେ ଭିକ୍ଷୁକ ନାନାଜାତି ॥
ଅଷ୍ଟାଦଶ ପାଟକ ଯେ ଯେତେ ଭେକ ବହି ।ବିଷ୍ଣୁ ପ୍ରାୟ ପୂଜିବ ଯେ ଅନ୍ନପାଣି ଦେଇ ॥
ଛିଦ୍ର କରି ପୂଜିଲେ ଯେ ସାତକୋଟି ପାପ ।ମହୋତ୍ସବ କରଣିରେ ଅଙ୍ଗ ହୋଏ ଗୋପ୍ୟ ॥
ସର୍ବଘଟେ ଜୀବରୂପେ ନାମ ନାରାୟଣ ।ଆତ୍ମା ଚିହ୍ନି ଯେଉଁମାନେ କରେ ଅନ୍ନଦାନ ॥
ଅନ୍ନର କଣିକା ଯେତେ ହୁଏ ସମ ଜାଣ ।ବହୁତ ଅନ୍ନ ଯେ ବୋଲି ନ କର ପୂଜନ ॥
ତୁଳସୀର ପତର ଯେ ଅଟେ ପୁଣ ସରି ।ସାନ ବଡ଼ ନ କରିବ ଯେତେ ଭେକଧାରୀ ॥
ବିଷ୍ଣୁମୂର୍ତ୍ତି ସାନ ବଡ଼ ନୁହଇ ଯେମନ୍ତ ।ହରି ଆଶ୍ରେ କଲା ଲୋକ ପୂଜିବ ତେମନ୍ତ ॥
ଅଛିଦ୍ରେ ପୂଜିଲେ ପାଏ ପରମ ସୁଗତି ।ଛିଦ୍ର କରି ଭଜିଲେ ଯେ ପାପରେ ସଙ୍ଗତି ॥
ଧର୍ମଗଣ ବିଷ୍ଣୁଗଣ ବକ୍ରଗଣ ଯେତେ ।ରାମ ଭ୍ରାଥ ଦ୍ୱାଦଶଙ୍କୁ ପୂଜିବ ଯେମନ୍ତେ ॥
ରାମର ଅଟନ୍ତି ଆଠ ଭ୍ରାଥର ଯେ ଚାରି ।ଚବିଶ ଜଣରେ ଏହୁ ଅଟେ ଅଧିକାରୀ ॥
ବ୍ରଜକୁଳେ ଅଧିକାରୀ ରାମଚନ୍ଦ୍ର ଦାସ ।ସକଳ ଶିଷ୍ୟରେ ସେହୁ ଆଗ ଉପଦେଶ ॥
ରାମର ଯେ ଶିଷ୍ୟ ଏଣୁ ବ୍ରଜକୁଳେ ସାର ।ଭୁବନ ମଙ୍ଗଳ ଧୁନି ଅଛି ତାଙ୍କ କର ॥
କରଯୋଡ଼ି ମୁକୁନ୍ଦ ଅନନ୍ତ ମଧୁ କହି ।ଉତ୍ଥାନ ପବନ ଯେ ଗୋବିନ୍ଦ ବାଳକହି ॥
ବତ୍ସ ଯେ ଯାଦବ ବୃନ୍ଦାବନ ଯେ ଆନନ୍ଦ ।ମଥୁରି ମିଶିଣ ବାରଗୋଟି ଗୋପବୃନ୍ଦ ॥
ଗୁରୁଶିଷ୍ୟମାନଙ୍କର ଲାଗିଥିବ କଳି ।ଭାଇମାନେ ନ ମିଳିବେ ଅନ୍ୟେ ଅନ୍ୟେ ମିଳି ॥
ପିତାଙ୍କୁ ପୁତ୍ର ନ ଘେନି କରୁଥିବେ ଘର ।ଶଶୁର ଘରରେ ଯାଇ ହେବେ ପରିଚାର ॥
ରାଜାମାନେ ପାତ୍ରହାତେ ସଭାମାନ ଦେବେ ।ଖଚୁଆ ମିଛୁଆ ଲୋକେ ଶିରିପା ପାଇବେ ॥
ସତ୍ୟବନ୍ତ ଲୋକଙ୍କୁ ଯେ ସଭାରେ ନ ଲେଖି ।ଦୁଧ ନ ଦେଇଣ ଗୋରୁମାନେ ହେବେ ଦୁଃଖୀ ॥
ଅବିରତ କାଳରେ କି ସୁଖ ଭୋଗଥିବ ।ଏଥିର ସନ୍ଦେଶ ଫେଡ଼ି କହ ଗୁରୁଦେବ ॥
ଶୁଣ ବାରଟିଆ ଦାସ ଅଚ୍ୟୁତ ବଚନ ।ଭବିଷ୍ୟ ଆଗତ କଥା ହେତୁ ମନେ ଘେନ ॥
ତିନି ପୀଢ଼ି ତୁମ୍ଭର ଯେ ସୁଖ ଭୋଗେ ଯିବ ।ରାଜଦଣ୍ଡ ତାପମାନ ବହୁତ ଲାଗିବ ॥
ବୃନ୍ଦାବନ ବାସୁଦେବ ବେଣୁଦାସ ତିନି ।ମୁଁ ଅକ୍ଷରେ ତାପ ତାଙ୍କୁ ଲାଗିବ ଯେ ପୁଣି ॥
ବାଳକର ଦାସ ଅଂଶେ ଗୋବିନ୍ଦ ଯେ ପୁତ୍ର ।ବ ଅକ୍ଷରେ କିଛି ତାଙ୍କୁ ତାପ ଲାଗିବତ ॥
ଅନନ୍ତ ଅଂଶରେ ଯାତ ଭିଖାରୀ ଅଟଇ ।ରା ଅକ୍ଷରେ ବଳପୁତ୍ରେ ଦାସ ତାପ ପାଇ ॥
ମୁକୁନ୍ଦ ଅଂଶରେ ଜାତ ହେବ ଭାଗ୍ୟରଥି ।ନିଶ୍ଚିନ୍ତେଣ ନିରଞ୍ଜନ ଲେଖୁଥିବ ପୋଥି ॥
ତଦଅଂଶେ ବ ଅକ୍ଷର କଳିତାପ ଭୟେ ।ଘୋର କଳିତାପ ପୀଡ଼ା ଲାଗିବ ସମୟେ ॥
ବଳଠାରେ ଶାସ୍ତ୍ର ଗ୍ରନ୍ଥ ରହିବ ଯେ ପୁଣ ।ଗୁପତେ ରହିବ ଯାଇଁ ପାରାଦ୍ୱୀପେ ପୁଣ ॥
କଳିକାଳ ଭକ୍ତମାନେ ସେଠାରେ ଗୁପତ ।ବ୍ରହ୍ମାବିଷ୍ଣୁ ମହେଶ୍ୱର ସେଠାରେ ଯେ ସ୍ଥିତ ॥
ଖେଡ଼ମାନ ଦେଖିଥିବେ କଳିରେ ଗୁପତ ।ଯେଝାମାନେ ଭକ୍ତେଛନ୍ତି ପାରାଦ୍ୱୀପେ ଜାତ ॥
ଚତୁର୍ଥ ପୀଢ଼କୁ ତାପ ତାହାକୁ ପଡ଼ିବ ।ମୁକୁନ୍ଦର ସଙ୍ଗ ପୁଣ କଳଙ୍କି ଦେଖିବ ॥
ପବନ ଉତ୍ଥାନ ତୁମ୍ଭେ ବଇରାଗ ଦୁଇ ।ଏଥିରେ କି ତାପ ପୁଣ ଅଂଶ ଯହିଁ ନାହିଁ ॥
ମଧୁଦାସ ବୈରାଗ୍ୟ ତ ଏଥି ନାହିଁ ଅଂଶ ।ବୃନ୍ଦାବନ ଦାସର ଦୁହିତା କୁଳେ ଅଂଶ ॥
ମଥୁରି ଦାସର ନିଜ ପୁତ୍ର ଭ୍ରାଥ ସୁତ ।ମଥୁରି ଅର୍ଜୁନ ନାମ ଗୋପାଳ ବିଦିତ ॥
ଏ ତିନି ପୀଢ଼ରେ ସେହୁ ନ ଅକ୍ଷରେ ତାପ ।ଭବିଷ୍ୟର କଥା ଏହୁ ଅଟଇଟି ଗୋପ୍ୟ ॥
ସୁଦାମ ଅଂଶରେ ଜାତ ବରଜ ମୋହନ ।ବଂଶୀଧର ଅଂଶେ ରା ଅକ୍ଷରେ ସେହୁ ପୁଣ ॥
ବତ୍ସ ଅଂଶେ ବାସୁଦେବ ବନମାଳୀ ଜାତ ।ଭଗତର ଥିଲାକାଳ କଳି ଯେ ପୀଡ଼ିତ ॥
ଯାଦବ ଯେ ହଳଧର ଅପରତି ସୁତେ ।ତ୍ରି ଅକ୍ଷରେ ତାପ ପୁଣ ଲାଗିବ ସେ ପୁତ୍ରେ ॥
ଗୋବିନ୍ଦ ଦାସର ଅଂଶେ ଯାଦବ ଯେ ହୋଏ ।ବ-କ୍ଷରେ ତାପ ଲାଗିବ ସେ ଗୋପର ପୋଏ ॥
ଆନନ୍ଦ ଅଂଶରେ ଜାତ ଭଗବାନ ସୁତ ।କୃପାସିନ୍ଧୁ ସୁତେ ତାପ ଲାଗିବ ପୀଡ଼ିତ ॥
କିଛିଦିନ ତୁମ୍ଭେମାନେ ରାସଲୀଳା କର ।ନିତ୍ୟସ୍ଥଳେ ତୁମ୍ଭର ଯେ ରହିବ ଶରୀର ॥
ମହାନଦୀ କୁଳେ ସ୍ଥାନ ବାଟେଣୀ କୁଦେଣ ।ଜଙ୍ଖର ବିଷେକେ ମୃତ୍ୟୁ ମୁକୁନ୍ଦ ଯେ ସ୍ଥାନ ॥
ଚନ୍ଦ୍ରଭାଗ ତଟରେ ଯେ ଜଙ୍ଖର ବିଷରେ ।ବାଲିଚା ନଗରେ ମୃତ୍ୟୁ ଅନନ୍ତ ସେଠାରେ ॥
ଜଙ୍ଖର ବିଷରେ କଧ ଗଙ୍ଗାତଟେ ସ୍ଥାନ ।ଶୁଙ୍ଗୁଡ଼ା ଗ୍ରାମରେ ଯେ ଯାଦବର ମରଣ ॥
ପୀତାମ୍ୱର ପୁରେ ଖଣ୍ଡି ବିଷେ ଡେଙ୍ଗା ଗ୍ରାମ ।ମରଣ ଲଭିବ ତୁମ୍ଭେ ଆନନ୍ଦ ସୁଦାମ ॥
ବଛ ଯେ ଗୋବିନ୍ଦ ଦୁଇ କୋଠଦେଶ ସ୍ଥାନେ ।ଭାର୍ଗବୀ ତଟରେ ଥିବ ତୁମ୍ଭେ ଦୁଇ ଜଣେ ॥
କ୍ଷେତ୍ରବର ନୀଳାଚଳେ ବାଙ୍କି ମଠକୋଣେ ।ପବନ ମଥୁରି ତୁମ୍ଭେ ରହ ଦୁଇଜଣେ ॥
ଭଟୁଆ ଗ୍ରାମରେ ଚଉଦ୍ୱାର ଯେ ସେ ସ୍ଥାନ ।ସେ ସ୍ଥାନେ ସମାଧି ହୁଅ ତୁମ୍ଭେ ଯେ ଉତ୍ଥାନ ॥
ମଧୁ ବୃନ୍ଦାବନ ରହ ଜଙ୍ଖର ବିଷରେ ।ଚାସ ଗଡ଼ିଆ ବୋଲିଣ ଗ୍ରାମ ତାକୁ ବୋଲେ ॥
ଥାନେ ଥାନେ ତୁମ୍ଭର ଯେ ରହୁ ଅଂଶ ମାନ ।ଗୋପାଳେ ଶିଖିବେ ଖୋଳ କରତାଳ ପୁଣ ॥
ଶୁଣ ଖୋଳ ଦାସ ତୁମ୍ଭେ ବାରଗୋଟି ଜନ ।ଚାରି ପୀଢ଼ ଯାଏ ଏଥି ଶୁଭ ଭୋଗମାନ ॥
ଦାରା ଆବୋରିଲେ ଅଂଶ ହୁଅଇ ଯେ ପୁଣ ।ପୁତ୍ର ହେଲେ ସଂସାରରେ ହୋଇବ ଧାରଣ ॥
ମୂଳ ଯେ ଗୋପାଳ ତୁମ୍ଭ ଅଂଶ ସଙ୍ଗେ ମିଳି ।ଖୋଳ ସଙ୍ଗେ ମିଶି ବଜାଇବ କରତାଳି ॥
ଖୋଳ କରତାଳ ଫଳେ ପାଅ ତୁମ୍ଭେ ପୁଜା ।ତୁମ୍ଭଙ୍କୁ ପୂଜୁଣଥିବେ ଦିଗପାଳ ରାଜା ॥
ଫୁଲ ପାନ ଚନ୍ଦନ ବସନ ଭଲ ଥାନ ।ଦିବ୍ୟଭୋଗ ଭୁଞ୍ଜିବ ହେ ତୁମ୍ଭେ ବାରଜଣ ॥
ଆମ୍ଭ ଅଂଶ ଭ୍ରଥ ଅଂଶ ରାମ ଅଂଶ ମାନେ ।ଧର୍ମୁ ଅଂଶ ଯାଦବ ଅଂଶ ଆତ୍ମା ତୁମ୍ଭେ ଜନେ ॥
ବିଷ୍ଣୁ ଅଂଶ ନାହାନ୍ତି ତ ବଇରାଗ ଜନେ ।ଏଥୁଁ ପାଞ୍ଚ ଅଂଶ ଛନ୍ତି ଆମ୍ଭ ଅଂଶମାନେ ॥
କିସ ଭିକ୍ଷାକୁ ସେ ଯେଣୁ କରିଥିବ ମନ ।ମୂଢ଼ ଯେ ଗଉଡ଼ ଘରେ ବୁଲୁଥିବେ ପୁଣ ॥
ନେତ ଗୋପଳର ଘରେ ବୁଲୁଥିବେ ନିତି ।ବସ୍ତ୍ରେ ପଣେ ଘେନିଣ ଆରମ୍ଭେ ବଡ଼ ଜାତି ॥
ଦମ୍ଭ ମୁରାଟରେ ସେହୁ ଉଜ୍ୱଳ ନୋହିବେ ।ଭଜନ ବିଜନ ଶାସ୍ତ୍ରମାନ ନ ଖୋଜିବେ ॥
ଯନ୍ତ୍ର ମନ୍ତ୍ର ତନ୍ତ୍ର ଛାୟା ଜ୍ୟୋତି ନ ସାଧିବେ ।ଅବାଡ଼ ସମାଧି ଭେଦ ଯେଣୁ ସେ ଛାଡ଼ିବେ ॥
ଗୋ ବ୍ରହ୍ମହତ୍ୟା ଯେ ମାତୃହରଣ ବିଶୁଳି ।ସୁରାପାନ ଜୀବହତ୍ୟା ବିଶ୍ୱାସ ମାତଳି ॥
ଏତେକର ପାପମୂଳେ ଅଠର ଯେ ପାପ ।ଅଠର ମୂଳରେ ଅଷ୍ଟାଦଶ ଗୋଟି ଗୋପ୍ୟ ॥
ଅଷ୍ଟାଦଶ ଗୋଟିକି ଅଠର ବୀଜ ମନ୍ତ୍ର ।ଜପ କଲେ ନାଶଇ ସକଳ ଦେହ ମନ୍ତ୍ର ॥
ଏ ପାପୀମାନଙ୍କୁ ଛେଦେ ଯେହୁ ମନ୍ତ୍ର ଜପି ।ମନ୍ତ୍ରକୁ ରୂପରେ ଯେବେ ଯେହୁ ପାରେ ସ୍ଥାପି ॥
ଅଣାକ୍ଷର ମନ୍ତ୍ରକୁ ହଜ–ସମାଧି ଯେ ଲଏ ।ଏକାକ୍ଷର ମନ୍ତ୍ରକୁ ଯେ ଜ୍ୟୋତିରୂପ ଧ୍ୟାୟେ ॥
ତାରକ ମନ୍ତ୍ରକୁ ଅର୍ଦ୍ଧମାତ୍ରା କର ଧ୍ୟାନ ।ଶ୍ୟାମ ପଞ୍ଚାକ୍ଷରକୁ ଓଁ କାର ଗିରା ସ୍ଥାନ ॥
ହରେ ରାମ ମନ୍ତ୍ରକୁ ଓମଠି କର ଲୟେ ।ମନ୍ତ୍ର ମୂର୍ତ୍ତି ପଞ୍ଚଦେବ ସୁଜ୍ଞ ସାଧୁ ଧ୍ୟାଏ ॥
ଅଣକ୍ଷର ଏକାକ୍ଷର ତାରକ ମନ୍ତର ।ଶ୍ୟାମ ପଞ୍ଚାକ୍ଷର ହରେ ରାମ ମନ୍ତ୍ର ସାର ॥
ଏହୁ ପଞ୍ଚ ମନ୍ତ୍ର ପଞ୍ଚ ଯୁଗେ ଅଟେ ସାର ।ଏହୁ ପଞ୍ଚ ମନ୍ତ୍ର ଧରି ଭବୁ ହେବୁ ପାର ॥
ମୋହ ନାମେ ଯଜ୍ଞକୁଣ୍ଡେ ପାପ କ୍ଷୟକର ।ରାହାସ ଗୋପାଳ ତୁମ୍ଭେ ବାର ଜାତି ମୋର ॥
ନାମ ଧୁନି ଶବଦରେ ସର୍ବ ଦିନ ହର ।ସୁବର୍ଣ୍ଣ ରଜତ ବସ୍ତ୍ର କଉଡ଼ି ଅପାର ॥
ରାହାସ ମଣ୍ଡଳେ ଦେଲେ ପାପ ନ ଲାଗିବ ।ପାପକୁ ବିନାଶି ତୁମ୍ଭେ ଭୋଗ କରୁଥିବ ॥
ପଞ୍ଚମୂର୍ତ୍ତି ପଞ୍ଚମନ୍ତ୍ର ପଞ୍ଚଶାଖା ପୋଏ ।ଜପିଲେଣ ପାପମାନ ହୋଇବ ଯେ କ୍ଷଏ ॥
ଏ ଭେଦ ନ ଜାଣି ବିଭା ବନ୍ଦାପନା ଶୁଦ୍ଧେ ।ବିରୋଧ ବିଟାଳମାନ ଖାଆନ୍ତି ଯେ ଲୋଭେ ॥
ଦରିଦ୍ର ହୁଏ ଯେ ବ୍ୟାଧି ପୀଡ଼ଇ ଶରୀର ।ନିପୁତ୍ରୀ ହୋଇଣ ବିଡ଼ମ୍ୱନା ସେହୁ ନର ॥
ରାହାସ ଦାସ ହେ ଶୁଣ ମୁକୁନ୍ଦ ଅନନ୍ତ ।ଅଚ୍ୟୁତ କହିଲେ ଗୁରୁଭକ୍ତିଗୀତା ତତ୍ତ୍ୱ ॥