ଗଞ୍ଜାମ ଭ୍ରମଣ — ଚିନ୍ତାମଣି ମହାନ୍ତି · ସ୍ୱର୍ଣ୍ଣଲିପି[୧୯୦୬ ସାଲରେ ‘‘ଗଞ୍ଜାମ-ଭ୍ରମଣ’’ ଲିଖିତ ହୋଇ ରମ୍ଭାରୁପ୍ରକାଶିତ ‘‘ପ୍ରଜାବନ୍ଧୁ’’ରେ ପ୍ରକାଶିତ ହୋଇଥିଲା]ଗଞ୍ଜାମ ପବିତ୍ର ଭୂମି କବି-କୁଞ୍ଜଧାମ,ପ୍ରକୃତିର ଲୀଳାକ୍ଷେତ୍ର ଦୃଶ୍ୟ ଅଭିରାମ ।ଉତ୍ତରେ ନୀଳାଦ୍ରି ଧାମ ପୂର୍ବେ ପାରାବାର,ଦକ୍ଷିଣେ ବିଶାଖାପଟୁ ତେଲଙ୍ଗାଙ୍କ ଘର ।ପଶ୍ଚିମେ ସହ୍ୟାଦ୍ରି, ଯଥା ନିସର୍ଗ ପ୍ରାଚୀର,କେରାଣ୍ଡିମାଳ ଆଖ୍ୟାରେ ଟେକିଅଛି ଶିର ।ମଧ୍ୟେ ବହେ ସ୍ୱଚ୍ଛନୀରା ଯଥା ବିଷ୍ଣୁପଦୀ,ଗଞ୍ଜାମ-ହୀରକ-ହାର ୠଷିକୁଲ୍ୟା ନଦୀ ।ନୀଳାମ୍ବୁ ଚିଲିକା ହ୍ରଦ ସୌନ୍ଦର୍ଯ୍ୟର ଖଣି,ଗଞ୍ଜାମ-ବକ୍ଷରେ କି ସେ କଉସ୍ତୁଭ ମଣି ।ବର୍ଣ୍ଣି ନୁହେଁ ମହେନ୍ଦ୍ରର ଶୋଭା ବିବରଣ,ମହେନ୍ଦ୍ର-ତନୟା ଯାର ଧୂଅଇ ଚରଣ ।ପ୍ରକୃତି ଏଠାରେ ଯେଉଁ ଶୋଭା ଦେଖାଇଛି,ସେପରି ଅତୁଳ ଶୋଭା ଜଗତେ କାହିଁଛି ?କହିଛନ୍ତି ଶୋଭା ଦେଖି ରାୟ କବିବର,‘‘ଗଞ୍ଜାମ ସଂକ୍ଷିପ୍ତ ସାର ଉତ୍କଳ ଦେଶର ।’’ଉତ୍କଳର ଅନ୍ତର୍ଗତ ଥିଲା ଏହି ମାଟି,ବିଚ୍ଛିନ୍ନ କରୁଛି ଏବେ ଛତ୍ରଗଡ଼ ଘାଟି ।ଗଞ୍ଜାମର ଚାରୁଶୋଭା ଶୁଣି ଶୁଣି କର୍ଣ୍ଣେ,ବଳବତୀ ହେଲା ଇଚ୍ଛା ଗଞ୍ଜାମ-ଭ୍ରମଣେ ।ଗଞ୍ଜାମର ହାଲଚାଲ ପୂର୍ବେ ଅଯା ବୁଢ଼ା,‘‘ଉତ୍କଳ-ଭ୍ରମଣେ’’ କିଛି ଲେଖିଛନ୍ତି ଥୋଡ଼ା ।ସେହି ଉତ୍ତେଜିନୀ ଲେଖା ଯେତେବେଳେ ପଢ଼େ,ମନେକରେ ଗଞ୍ଜାମରେ ବୁଲିଆସେଁ ଭେଡ଼େ ।ଆଜି କାଲି ହୋଇ ଦିନ ଗଲା କେତେ ଗଡ଼ି,ବାହାରିଲି ଦଶହରା ଦିନ ରେଲ ଚଢ଼ି ।ଇଞ୍ଜିନ-ଚାଳନକର୍ତ୍ତା ଖୁବ୍ ଜଣେ ଚମ୍ଭା,ବେଳ ଛଅଘଡିଠାରେ ଭେଟାଇଲା ରମ୍ଭା ।ଚିଲିକାର ଗୁରୁଶୋଭା ହରିଲା ନୟନ,ପ୍ରକୃତି-ରାଣୀର କି ସେ ବିଶାଳ-ଦର୍ପଣ ।ଉତ୍ତାଳ ତରଙ୍ଗ କୂଳେ ପିଟୁଅଛି ମଥା,ସଙ୍କେତେ ଦେଖାଇ ଦେଇ ଭବ-ନଶ୍ୱରତା ।ନୀଳ ଜଳେ ଦେଖାଇଣ ରଜତର ଛଟା,ଡେଇଁ ପଡ଼ୁଛନ୍ତି କାହିଁ ଖଇଙ୍ଗା ଭେକଟା ।ନୀଳ ଜଳେ ଭାସି ବୁଲେ ଶୁକ୍ଳ ଫେନଚୟ,ତାମସ ହୃଦୟେ ସତ୍ତ୍ୱ ଗୁଣ କି ଉଦୟ ?ମଧ୍ୟରେ ଜଟିଆ ଗିରି ଟେକିଅଛି ଶିର,ଜଳଦେବୀଙ୍କର କି ସେ ମର୍କତ ମନ୍ଦିର ?ବିସ୍ତୀର୍ଣ୍ଣ ଚିଲିକା ଦେଖି ଭାବିଲି ମୁଁ ବସି,ଊର୍ଦ୍ଧ୍ୱଦେଶୁ ନୀଳାକାଶ ପଡ଼ିଛି କି ଖସି ?ପହଁରନ୍ତି କାରଣ୍ଡବ ହଂସ କୋଟି କୋଟି,ଆକାଶେ ଉଦୟ ଯଥା ତାରା ଗୋଟି ଗୋଟି ।
ସମ୍ବନ୍ଧିତ ରଚନା
ଚିନ୍ତାମଣି ମହାନ୍ତି
ସୁରଙ୍ଗୀ କାବ୍ୟଚିନ୍ତାମଣି ମହାନ୍ତି ଚିନ୍ତାମଣି ମହାନ୍ତି
ସାନ ବଡ଼ ପାଲଟଣା ନାବ ଅଗଣନ
ଭାସି ବୁଲେ, ଭାସେ ଯଥା ଆକାଶରେ ଘନ ।
ଧନ୍ୟ ଧନ୍ୟ ଚିଲିକା ତୋ ରୂପ-ପରିପାଟୀ,
ପ୍ରାଚୀ-ଦିଗ୍ବଧୂର ତୁହି ନୀଳ-ପାଟଶାଟୀ ।
ଧନ୍ୟ ଧନ୍ୟ ଧନ୍ୟ ତୋର ମହତ ସ୍ୱଭାବ,
ଅସଂଖ୍ୟ ପ୍ରାଣୀଙ୍କୁ ହୃଦେ ଦେଇଅଛୁ ଠାବ ।
କିଏ ହିଂସ୍ର କିଏ ଶାନ୍ତ ନ କରି ବାରଣ,
ଦେଇଅଛୁ ସମଭାବେ ସକଳେ ଶରଣ ।
ସମଭାବେ ସମସ୍ତଙ୍କୁ କରିଣ ଦର୍ଶନ,
ପ୍ରକୃତ ପାଳିରୁ ତୁହି ଧର୍ମ ସନାତନ ।
କେତେ ରୂପ ଧରି ହରୁ ଭାବୁକ ନୟନ,
କେତେବେଳେ ଶାନ୍ତ ମୂର୍ତ୍ତି ଚାରୁ ଶୋଭାବନ ।
ରୁଦ୍ରମୂର୍ତ୍ତି ଧରି କେବେ ହୋଇ ମହାକ୍ରୁଦ୍ଧ,
ଗର୍ଜିଣ ପ୍ରକୃତି ସଙ୍ଗେ କରୁ ଘୋର ଯୁଦ୍ଧ ।
ଜଟିଆରୁ ସେ ଗର୍ଜନ ଶୁଣି ମହାବଳ,
ବିକଟ ଭୀଷଣ ନାଦେ ଗର୍ଜେ ଅବିରଳ ।
ସେ ଗର୍ଜନେ ତରୁଲତା ହୁଏ ବିକମ୍ପିତ,
ବୃନ୍ତୁ ଖସି ପୁଷ୍ପ ହୁଏ ତୋ ଜଳେ ପତିତ ।
ଗିରିବାସୀ ବୃକ୍ଷ କିବା ତୋର ଶାନ୍ତି ପାଇଁ,
ଅର୍ପନ୍ତି କୁସୁମାଞ୍ଜଳି ମହାଭୟ ପାଇ ।
ପ୍ରକୃତି ଯୁଦ୍ଧରେ ତୁହି ଲଭି ପରାଜୟ,
ହଟି ଆସି ଶେଷେ ଧରୁ ରୂପ ଶାନ୍ତିମୟ ।
ତୋ ରୂପ ଦର୍ଶନେ ମନେ ପଡ଼ଇ ସର୍ବଥା,
ସୁଖ ଦୁଃଖ ଭଲ ମନ୍ଦ ସଂସାରର କଥା ।
ଇଂଲିଶ ପ୍ରଣାଳୀ ଅଟେ ଘାଇଖଣ୍ଡେ ଭଳି,
ପୃଥିବୀରେ ତାହା ନାମ ପଡ଼ୁଛି ଉଛୁଳି ।
ମାତ୍ର ତୁହି ସ୍ୱଭାବରେ ହୋଇଣ ସାଗର,
ଉଚ୍ଚବାଚ୍ୟ ଶୁଣା ନାହିଁ କିଛି ତୋ ନାମର ।
କହୁ ଲୋ ଚିଲିକା କେଉଁ ଦୁଷ୍ଟ ଗ୍ରହ ଲାଗି,
ହୋଇଛି ଜଗତେ ତୁହି ଏସନ ଅଭାଗୀ ।
ନ ପଡ଼ୁ ତୋ ନାମେ ପଛେ ବିଦେଶେ ଚହଳ,
ଉତ୍କଳର ତୁହି ରତ୍ନଭଣ୍ଡାର କେବଳ ।
ଚିଲିକା, ତୋହର ଚାରୁ ରୂପ ଦରଶନେ,
କେତେ କଥା କେତେ ଭାବ ପଡ଼ୁଅଛି ମନେ ।
ଯାଉଛି ମେଲାଣି ଦିଅ ଜୁହାର ଜୁହାର
ଭେଟିବି ଗଞ୍ଜାମୁ ଫେରି ଆସି ପୁନର୍ବାର ।
ହେ ରମ୍ଭା ନଗରି, ଦୂରୁ କରୁଛି ସମ୍ମାନ,
‘ପ୍ରଜାବନ୍ଧୁ’ ‘ମଧୁପ’ର ପୂତ ଜନ୍ମସ୍ଥାନ ।
ଏଥି ପରା ନିବସନ୍ତି ଖଲ୍ଲିକୋଟ ରାଜା,
ପ୍ରାକୃତ ଉତ୍କଳେ ବାଜେ ଯାଙ୍କ ନାମେ ବାଜା ।
ହରିହର ମର୍ଦ୍ଦରାଜ ଦେବ ଆଖ୍ୟାଧାରୀ,
ଗଞ୍ଜାମେ ଆଦର୍ଶ ରାଜା ଶାନ୍ତଶିଷ୍ଟାଚାରୀ ।
ରାଜ୍ୟ ମଧ୍ୟେ ସ୍ଥାନେ ସ୍ଥାନେ ସ୍ଥାପି ଶିକ୍ଷାଗାର,
ତଡ଼ୁଛନ୍ତି ପ୍ରଜାଙ୍କର ଅଜ୍ଞାନ-ଅନ୍ଧାର ।
ଦାନେ, ଧର୍ମେ, ଜ୍ଞାନେ, ମାନେ, ଶିକ୍ଷା, ସଭ୍ୟତାରେ,
ଆଦର୍ଶ ନୃପତି ସର୍ବ ଗୁଣ ଏକାଧାରେ-
ସମାବିଷ୍ଟ ହୋଇଛନ୍ତି ସଦା ଯା’ଙ୍କଠାରେ,
ଆଦର୍ଶ ପୁରୁଷ ପୁଣି ସ୍ପଷ୍ଟବାଦିତାରେ ।
ଧନ୍ୟ ମହାରାଜା ତୁମ୍ଭ ଜାତୀୟାନୁରାଗ,
ପିନ୍ଧୁଛ ଜାତୀୟ ପାଗ ତେଜି ସ୍ୱର୍ଣ୍ଣପାଗ ।
ଅନେକ ଭାଷାରେ ଅଛି ପ୍ରକୃତ ନଲେଜ୍,
ଧରିଛି କୀର୍ତ୍ତି-ନିଶାଣ ବ୍ରହ୍ମପୁର କଲେଜ୍।
ଓଡ଼ିଆଭାଷୀ ଓଡ଼ିଆ ଜାତିର ଉନ୍ନତି,-
ସକାଶେ ଅଜସ୍ର ବ୍ୟୟ କରୁଛ ନୃପତି ।
ବୁଝିଛି ସ୍ତ୍ରୀଶିକ୍ଷା ଅଟେ ଉନ୍ନତିର ମୂଳ,
ବଢ଼ାଇଛି ତେଣୁ ରାଜ୍ୟେ ବାଳିକା ଇସ୍କୁଲ ।
ଆହୁରି ଗୋଟାଏ କାର୍ଯ୍ୟ କଲ ବଡ଼ ଭଲ,
ଖୋଲିଦେଇ ବ୍ରହ୍ମପୁର ମଧ୍ୟେ ଟାଉନ ହଲ ।
ବାଳିକାଙ୍କ ହସ୍ତେ ତୁମ୍ଭ ପାଟମହାଦେଈ,
‘‘ସରଳ ବାଳିକା ପାଠ’’ ଯାଚି ଗୁଞ୍ଜି ଦେଇ,
ଆକର୍ଷଣ କଲେ ତାଙ୍କ ମନ ପାଠ ପ୍ରତି,
ଧନ୍ୟ ସେ ହୃଦୟବତୀ ପତିବ୍ରତା ସତୀ ।
ବସିଅଛୁଁ ସର୍ବେ ନୃପ ତବ ମୁଖ ଚାହିଁ,
ଢ଼େର କର୍ତ୍ତବ୍ୟ ତୁମ୍ଭର ଅଛି ଦେଶପାଇଁ ।
ଚାଣ୍ଡେ ଚାଣ୍ଡେ ସାଧ ତାହା ଏହି ମାତ୍ର ଅଳି,
ଉଛୁର ହୋଇଲେ ଘୋର ହୋଇଯିବ କଳି ।
ଚିଲିକା କୁଳର ଧୀର ସମୀରଣ ଖାଇ,
ବସିଛନ୍ତି ବିଦ୍ୟାରତ୍ନେ ଆସନ ଜମାଇ ।
ଦେଶକାର୍ଯ୍ୟେ ଦିବାରାତ୍ରି ଯାଏ ନାହିଁ ଜଣା
‘‘ସିଦ୍ଧମିତି ଦୃଢ଼ବ୍ରତ’’ ହୋଇଛି ଧାରଣା ।
ଶତହସ୍ତେ କରୁଛନ୍ତି ସଦା ଦେଶକାମ,
ସାର୍ଥକ ହୋଇଛି ତାଙ୍କ ‘‘ପ୍ରଜାବନ୍ଧୁ’’ ନାମ ।
ଉତ୍କଳର ନୀଳମଣି ଅଟ ତୁମ୍ଭେ ଭାଇ,
ବସିଛି ଅଭାଗୀ ତେଣୁ ତବ ମୁଖ ଚାହିଁ
ଅତିଥିମାନଙ୍କ ପାଇଁ ମେଲା ତୁମ୍ଭ ଦ୍ୱାର,
ଯାଚି ଗୁଞ୍ଜି କରି ବୁଲ ପର ଉପକାର ।
ଦେଖିଛି ମୁଁ ପର ପାଇଁ କାନ୍ଦେ ତବ ହୃଦ,
ଅପରକୁ ଦିଅ ଦୁଧ, ଖାଇ କୁଣ୍ଡା ଖୁଦ ।
ଜନନୀର ଯୋଗ୍ୟପୁତ୍ର ଅଟ ତୁମ୍ଭେ ନନା,
ହରିବାରେ ବ୍ୟସ୍ତ ସଦା ଉତ୍କଳ-ବେଦନା ।
ବନ୍ଧୁ ବନ୍ଧୁ ମିଳି ବସି କେତେ ଥର ଭାବୁ
ଏଡ଼େ ଖଣ୍ଡେ ମନୁଷ୍ୟ ତ ନୀଳମଣି ବାବୁ ।
ଚାଖଣ୍ଡେ ଲମ୍ବ ତ ପେଟଖଣ୍ଡ ହେବ ନାହିଁ,
ଏତେ ଗୁଣ ରଖିଛନ୍ତି କାହିଁରେ ପୂରାଇ !
ଉତ୍ସାହ ଉଦ୍ୟମ ପୁଣି ଅଧ୍ୟବସାୟରେ,
ପ୍ରତ୍ୟୁତ୍ପନ୍ନମତି ପୁଣି ନୈତିକ ବଳରେ,
ଆଦର୍ଶ ଯୁବକ ଯଦି ଦେଖିବାକୁ ଇଚ୍ଛ,
ବିଦ୍ୟାରତ୍ନେ ଦେଖି କଥା ବୁଝ ସତ ମିଛ ।
ଶାନ୍ତିନତି ଅବତାର ଜୟକୃଷ୍ଣ ଚ୍ୟାଉ,
ତୁମ୍ଭ ସଙ୍ଗେ ତୁଲିବି ମୁଁ କାହାକୁ ହେ ଆଉ ?
ଅଟ ଭାଇ ତୁମ୍ଭେ ସିନା ତୁମ୍ଭରି ଉପମା,
ଦେଖି ନାହିଁ ତୁମ ପରି କାହିଁ ଦୃଢ଼କର୍ମା ।
ବାଣ୍ଟିବୁଲ ଉପକାର ଦ୍ୱାରେ ଦ୍ୱାରେ ଫେରି,
ପର ଉପକାର ପାଇଁ ଛାଡ଼ିଲ ଚାକେରି ।
ଦେଖିଛି ମୁଁ ପରକାର୍ଯ୍ୟେ ଲାଗ ଯଦି ଭ୍ରାତ,
ନ ହେଲା ପଛକେ ଖିଆ ସେ ଦିନରେ ଭାତ ।
କରେଁ ଆର୍ଶୀବାଦ ଭାଇ ମୋ ଆୟୁଷ ନେଇ,
କରୁଥାଅ ମାତୃପୂଜା ମନପ୍ରାଣ ଦେଇ ।
ବଳଭଦ୍ର ମହାପାତ୍ର ହେ ସିରସ୍ତାଦାର,
ନ ଉଚ୍ଚାରୁ କଥା ମୁଖୁଁ ଟାଣି ନେଇପାର ।
ଦେଶ ପାଇଁ ଢ଼େର ତୁମ୍ଭେ କରୁଥିଲ କାମ,
ଏବେ କିପାଁ ହୋଇଗଲ ନୀରବ ନିଷ୍କାମ ।
ଭଲପଦ ପୁଣି ମୋଟା ବରତନ ପାଇ
ପାସୋରିଗଲା କି ହୃଦୁ ଦେଶସେବା ଭାଇ ?
ଖଲ୍ଲିକୋଟେ ବିଶ୍ୱନାଥ ବ୍ରହ୍ମା କିଲେଦାର,
ବୃଦ୍ଧକାଳେ କର୍ତ୍ତବ୍ୟରେ ଯୁବା ବ୍ୟବହାର ।
ସଂସ୍କୃତ ପଢ଼ିଣ ନାହିଁ ମରହଟ୍ଟୀ ନୀତି,
କିମ୍ବା ନବ୍ୟ ସଭ୍ୟତାର ଉଚ୍ଛୃଙ୍ଖଳ ରୀତି ।
ଦେଶ ପାଇଁ କରିଛନ୍ତି ସେ ଅନେକ କାମ,
କିନ୍ତୁ ନାମ ଅନୁରୂପ ହୋଇ ନାହିଁ କାମ ।
ପ୍ରଣିପାତ ହରିହର ତ୍ରିପାଠୀ ସଦସ୍ୟ,
ତୁମ୍ଭ ପରି ଦେଶଭକ୍ତି ଦେଖି ନାହିଁ କସ୍ୟ ।
ଜଳୁଅଛି ପେଟ ତହିଁ ନାହିଁ ପୁଞ୍ଜେ ଭାତ,
ତେବେ ସୁଦ୍ଧା କାଢ଼ୁ ନାହଁ ଦେଶକାମୁ ହାତ ।
ଗଞ୍ଜାମ ଓଡିଆଙ୍କର ଦେଖିଣ ଦୁର୍ଗତି,
ହେଉଥାଏ ସଦା ତୁମ୍ଭ ହୃଦୟ କରତି ।
ଜାଣ ତୁମ୍ଭେ ନାହିଁ ଯାର ସ୍ୱଜାତି-ମମତା,
ଅଟଇ ସେ ନର ପଶୁଠାରୁ ହୀନଚେତା ।
ଗଞ୍ଜାମ ଓଡ଼ିଆଙ୍କର ଦୁଃଖ ପ୍ରତିକାର,
କରିବାକୁ ତୁମ୍ଭେ ଯେଣୁ ହେଲୁ ତତପର,
ଷଡ଼ଯନ୍ତ୍ର କରି କେତେ ଜଣ ଆୟାଗାରୁ,
ଖାରଜ କଲେ ତୁମ୍ଭଙ୍କୁ ଇସ୍କୁଲ ବାମରୁ ।
ଏମାନେ ଯଦ୍ୟପି ଆୟା ବାୟା କିଏ ତେବେ,
ଗୋରୁ କିଏ ଏମାନେ ଯଦ୍ୟପି ଗାରୁ ହେବେ ।
ଦିନ କାଟୁ ନାହିଁ କିଛି ଉପବାସ କରି,
କାର ସାଧ୍ୟ କି କରିବ ସାହା ଯାର ହରି ।
ତୁମ୍ଭ ପଦଧୂଳି କରେଁ ମସ୍ତକେ ଧାରଣ,
ଧନ୍ୟ ହେ ସଦସ୍ୟ ତୁମ୍ଭ ଜାତୀୟତା ଟାଣ ।
ଖାଣ୍ଟି କଥା କହୁଅଛି ମଣ ନାହିଁ ଜାଲ,
ରମ୍ଭାଠାରୁ ବୁଝିନେଲି ଖଲ୍ଲିକୋଟ ହାଲ ।
ବେଳ ଛଅଘଡ଼ିଠାରେ ତହୁଁ ରେଲ ଚଢ଼ି,
ଛତ୍ରପୁରେ ପହଞ୍ଚିଲି ଯାଇ ତଡ଼ବଡ଼ି ।
ଦେଖିଲି ସେଠାରେ କେତେ ନାଇଡ଼ୁ ଭଟ୍ଟଲାରଙ୍ଗା
ନୀରୋଳ ତେଲଙ୍ଗା ଭାଇ ନୀରୋଳ ତେଲଙ୍ଗା ।
ଓଡ଼ିଆ ଭାଷାର କଟା ତହିଁ ଜିହ୍ୱା ନାସା,
ଶୁଣିଲି ଖାଲି ଦୁର୍ବୋଧ୍ୟ ବଡ଼ମଡ଼ ଭାଷା ।
ତିନିରଙ୍ଗ ପୋଷାକ ଯେ ଜଣ ଜଣକର
ପଛଆଡ଼େ ଜୀବିକାନା ଉଡ଼େ ଫରଫର ।
ଶ୍ରେଷ୍ଠ ରାଜଧାନୀ ଏହୁ ଗଞ୍ଜାମ ଜିଲାର,
ଏହିଠାରେ ନିବସନ୍ତି ଜିଲା କଲେକ୍ଟର ।
ଭାବିଲି ଓଡ଼ିଆ ଏଥି ଥିବେ ନଉକରି,
ସେମାନଙ୍କୁ ନ ସଙ୍ଖୋଳି ଯିବି କେଉଁପରି ।
ରାମ ରାମ ଶୁଣି ବଡ଼ ଲାଗିଲା ତାଟଙ୍ଗା,
ପାଞ୍ଚଟି ଓଡ଼ିଆ ଆଉ କେବଳ ତେଲଙ୍ଗା ।
କିପରି ବାଛିବି ଭାବି ହୋଇଲି ଆକୁଳ,
ଡୋଲିଏ ଧାନରେ ମିଶା ମୁଠାଏ ଚାଉଳ ।
ସାକ୍ଷାତ କରିବା ସାଧ ହୋଇଲା ଅନ୍ତର,
ଉଦ୍ଦେଶ୍ୟେ ଜୁହାରି ତହୁଁ ହୋଇଲି ବାହାର ।
ଦୁଃଖ ମନେ ଘେନି ତହୁଁ ସକଳ ସାମାନ,
ବ୍ରହ୍ମପୁରେ ପହଞ୍ଚିଲୁ ଚଢ଼ି ଲୌହଯାନ ।
ଗଞ୍ଜାମ ଜିଲାର ଏହା ସୁପ୍ରସିଦ୍ଧ ସ୍ଥଳ,
ଷ୍ଟେସନ ପାଖରେ ଭାରି ଲାଗିଛି ଗହଳ ।
କେହି କହେ ରାଆ ଗାଆ କେହି କହେ ଗୁଣ୍ଡି,
ବୁଜୁଳି ଓଟାରି କେହି କହେ ‘‘ଆୟା-ବାଣ୍ଡି ।’’
ଭାଷା ଜଣାଗଲା ଯଥା ମହୁଫଣା ସିଠା,
ମୋର ମାତୃଭାଷା ସିନା ମୋ କାନକୁ ମିଠା ।
ଦୁଃଖ ଜାତ ହେଲା ମାତୃଭାଷାର ବିଚ୍ଛେଦୁ,
ଗାଡିବାଲା ପଚାରିଲା, ‘‘ଆୟା, ତେଲୁଗୁ ଲେଦୁ ।’’
ସିଆଣା ଲୋକଟା ପରେ ବୁଝି ନେଇ ସବୁ,
ଓଡ଼ିଆରେ ପଚାରିଲା- ‘‘ଝଟ୍କା ଲୋଡ଼ା ବାବୁ !’’
ଛ ପଇସା ଦେଇ ତହୁଁ କଲି ଖଣ୍ଡେ ଝଟ୍କା,
ନିସ୍ତାର ପାଇଲି ଗଲା ବାଟଚଲା ଖଟ୍କା ।
ବାଟେ ଚୁଡ଼ାପାଣି ନୂଆହାଣ୍ଡି-ଭାତ ଖାଇ,
ଲସମରେ ହେଉଥିଲା ଦେହଟା ଗୋଳାଇ ।
କୁଟିଦେଲା ଦେହ ଝଟ୍କା ହେମାମଦିସ୍ତା ପରି,
ସୁସ୍ଥ ହେଲି ଘୋଳାବିନ୍ଧା ଗଲା ଅପସରି ।
ଅଳ୍ପକ୍ଷଣେ ପ୍ରବେଶିଲି ସହର ମଧ୍ୟରେ,
ଯାଉଅଛି ଚାରୁପାଣି ବହି ଚତୁର୍ଦ୍ଧାରେ ।
ବାଜିଛି ଏଗାର ଘଣ୍ଟା କଚେରି ସମୟ,
ଯାଉଛନ୍ତି ଦଳେ ଦଳେ ଅମଲାନିଚୟ ।
କେହି ଗାଡି ଚଢ଼ି କେହି ବାଇସାଇକେଲ,
ଦଳ ଦଳ ହୋଇ କେତେ ଧାଆନ୍ତି ବି ଏଲ ।
ହାକିମ ଅମଲାଠାରୁ ଦୋକାନୀ ପସାରି,
ସର୍ବକାର୍ଯ୍ୟେ ତେଲଙ୍ଗାଏ ଶ୍ରେଷ୍ଠ ଅଧିକାରୀ ।
ଓଡ଼ିଆ ଜାତି କଷଣ ବର୍ଣ୍ଣି ହେବ ନାହିଁ,
ଗଛ ଛାଇ ତଳେ ଗଛ ଉଧାଏ କି ଭାଇ ।
ବୁଝିନିଅ ଜିଲାଯାକ କଥା ଏହିଠାରୁ,
ଗୋଟାଏ ଚିପନ୍ତି ସିନା ହାଣ୍ଡିଏ ଭାତରୁ ।
ଅଧିବାସୀ ସମସ୍ତଙ୍କ କଥା ଭଙ୍ଗା ଭଙ୍ଗା,
ବେଶ ଦେଖି ଚିହ୍ନି ନୁହେଁ ଓଡ଼ିଆ ତେଲଙ୍ଗା ।
ହାୟ ମା ଗଞ୍ଜାମ ଭୂମି ସୁକବି-ଜନନୀ
ଉତ୍କଳରେ ଥିଲୁ ତୁହି ଭାଷାଧନେ ଧନୀ ।
ଭାଷାରାଜ୍ୟେ କଳଙ୍କ ତୋ ଲାଗିଥିଲା ନାହିଁ,
କେତେଟା ଦିନରେ ଗଲା ବଣ ଘାସ ଛାଇ ।
କରୁଛି କ୍ଷତ ବିକ୍ଷତ ତୋ ଭାଷାର ଅଙ୍ଗ,
କଟକୀ ଭାଷାକୁ ଯାଆ କରୁଅଛି ବଙ୍ଗ ।
ତୋହର ସନ୍ତାନେ ଆହା ଏବେ ଦିନୁ ଦିନ,
ନୈରାଣ୍ୟଜଡ଼ତାବଶେ ହେଉଛନ୍ତି ହୀନ ।
ନାହିଁ କିଛି ଅଧିକାର ନାହିଁ ମଧ୍ୟ ଧନ,
ଛଡ଼ାଇ ନିଅନ୍ତି ଆନେ ତାଙ୍କ ମୁଖୁଁ ଅନ୍ନ ।
କଉଣସି କାର୍ଯ୍ୟେ ତାଙ୍କ କିଛି ଦାବୀ ନାହିଁ,
ନିଅନ୍ତି ଫାଲୁଆ ମାରି ଥାଆନ୍ତି ସେ ଚାହିଁ ।
ଯାଉ ସେ କଥା ଭାବିଲେ ହେବ କେଉଁ ଫଳ,
ଦୁଃଖ ସ୍ମୃତି ଦୁଃଖ ମାତ୍ରା ବଢ଼ାଏ କେବଳ ।
ଦେଖେଁ ଏଥେ ଛନ୍ତି କେଉଁ କେଉଁ ମହାଜନ,
ସ୍ୱଜାତି ଦୁଃଖରେ କାନ୍ଦେ କାହା କାହା ମନ ।
ହେ ପରଶୁରାମ ପାତ୍ର ପ୍ରଣାମ ପ୍ରଣାମ,
ଟାଣୁଆ ଓକୀଲ ବୋଲି ଡ଼ାକ ତୁମ୍ଭ ନାମ ।
ଶୁଣି ଥରେ ତୁମ୍ଭ ମୁଖୁଁ ଇଂରାଜୀ ବକ୍ତୃତା,
ପ୍ରାଣସ୍ପର୍ଶୀ, ଓଜସ୍ୱିନୀ ସୁକ୍ଷ୍ମ ନୀତିକଥା,
କରିଥିଲେ ସୁପ୍ରଶଂସା ତୁମ୍ଭ ବାଗ୍ମିତାର,
ବହୁବିଦ୍ୟା-ବିଶାରଦ ରାୟ କବିବର ।
ଢେର ରାଜା ଜମିଦାର ଗଞ୍ଜାମେ ଅଛନ୍ତି,
ତଥାପି ନ ହୁଏ ଦୂର ଓଡ଼ିଆ ଦୁର୍ଗତି ।
କି ଶିକ୍ଷା ସଭ୍ୟତା କିମ୍ବା ପ୍ରାଧାନ୍ୟ ସମ୍ପଦ,
ଗଞ୍ଜାମେ ଓଡ଼ିଆ ସର୍ବ କାର୍ଯ୍ୟେ ପଶ୍ଚାତ୍ପଦ ।
ସେମାନଙ୍କ ଏ ଜାତୀୟ ସଙ୍କଟ କାଳରେ,
ହେ ପରଶୁରାମ ମୁହିଁ ବିବେଚନା କରେ,
ପର୍ଶୁରାମଙ୍କର ତୁମ୍ଭେ ସାକ୍ଷାତାବତାର,
ଅନୁରୂପ ଅଟେ ମଧ୍ୟ ଆକାର ପ୍ରକାର ।
ଦେଶୋନ୍ନତି ମୂଳଭିତ୍ତି ଶିକ୍ଷାର ଉନ୍ନତି,
ବୁଝିଛ ଏ ଗୂଢ଼ନୀତି ତୁମ୍ଭେ ମହାମତି ।
ତେଣୁ ତୁମ୍ଭେ ସେ ବିଷୟେ ଶକ୍ତି ଅନୁଯାୟୀ,
ମୁକ୍ତହସ୍ତ ହୋଇ କୀର୍ତ୍ତି ଅର୍ଜୁଅଛ ଭାଇ ।
ବିପନ୍ନ ଓଡ଼ିଆଙ୍କର ଦୁଃଖ ବିମୋଚନେ,
ଚିନ୍ତିତ ସତତ ତୁମ୍ଭେ କାୟ କାବ୍ୟ ମନେ ।
କର୍ଣ୍ଣପାତି ନ କରିଣ ଖଳ କୁକଥାରେ,
ଦେଶହିତ ପୁଣି ଜାତିହିତ କାମନାରେ,
ଆଚରିଛ ଭାଇ ଯେଉଁ ପୂତ ସାଧୁକାର୍ଯ୍ୟ,
ତହିଁ ପାଇଁ ଅଟ ତୁମ୍ଭେ ମହାଜନ ପୂଜ୍ୟ ।
ଗୋଟାଏ କଥା ତୁମ୍ଭଙ୍କୁ ପଚାରନ୍ତି ଭାଇ,
ଗାଳିଦେବ ନାହିଁ କିମ୍ବା ରାଗିବ ତ ନାହିଁ ।
କଥା ବିବି ଖାଇବା ତ ଓକୀଲଙ୍କ କାର୍ଯ୍ୟ,
ଭୟ ହୁଏ କେଜାଣି ବା କରିପାର ଚାର୍ଜ ।
ଦିଅ ମୋ ପ୍ରଶ୍ନେ ଉତ୍ତର ନ କର ନିରାଶ,
କି ତପସ୍ୟା କଲେ ହୁଏ ବି.ଏ.ବି.ଏଲ. ପାସ୍?
ଅଧାସ୍ୱର୍ଗେ ଚେୟାରରେ ବସନ୍ତି ଓକୀଲେ,
ଚଉପାଶେ ବେଢ଼ିଥାନ୍ତି କେତେ ମହକିଲେ ।
କାର୍ତ୍ତିକ କରାଣ୍ଡି ପରି ପଇସା କଉଡ଼ି,
ଜୁଅଧରି ଅବିରତେ ଆସୁଥାଏ ମାଡି ।
ଓକୀଲଙ୍କ ସୁଖ ଦେଖି ଓକୀଲ ହେବାକୁ,
ହେଉଅଛି ମନ ମୋର ଭାରି ଟାକୁ ଟାକୁ ।
ବୁଢ଼ା ହେଲି, ଜନ୍ମେ ତ ହୁଡ଼ିଗଲି ପାହି,
କିନ୍ତୁ ପରଜନ୍ମେ କେବେ ଛାଡିଦେବି ନାହିଁ ।
ହେଉଛି ବିଦାୟ ଭାଇ ଘେନ ମୋ ସମ୍ମାନ,
ଗଞ୍ଜାମରେ ବୁଲିବାକୁ ଅଛି ଢ଼େର ସ୍ଥାନ ।
ଉଦ୍ଯୋଗୀ ପୁରୁଷ ଆହେ ଉତ୍କଳ-ବିନୋଦ,
କେ କରିବ ତୁମ୍ଭ ୠଣ ଭଲା ପରିଶୋଧ ।
ଗଞ୍ଜାମ ଓଡ଼ିଆ ପାଠ୍ୟ ପୁସ୍ତକ ଅଭାବ,
ଅନେକ ଅଂଶରେ ତୁମ୍ଭେ କଲ ତିରୋଭାବ ।
ଓଡ଼ିଆ ସମ୍ବାଦ ପତ୍ର ପ୍ରଥମେ ପ୍ରଚାର –
କରି ଗଞ୍ଜାମରେ କଲ ବହୁ ଉପକାର ।
ଯାହା ଇଚ୍ଛା ତାହା ପଛେ କହନ୍ତୁ ନିନ୍ଦୁକେ,
ନାହିଁ କିଛି ତୁମ୍ଭ କାର୍ଯ୍ୟ ଆବଦ୍ଧ ସିନ୍ଧୁକେ ।
କହନ୍ତି ସେମାନେ ତୁମ୍ଭେ ସଦା ଧାଇଁ ଧାଇଁ,
ଯେତେ କାର୍ଯ୍ୟ କର ସବୁ ନିଜ ପେଟ ପାଇଁ ।
‘‘ଭାପୁରର ନ୍ୟାୟ’’ ଏହା ଅଟଇ ଗୋଟିଏ,
ପେଟ ଚିନ୍ତା ସଂସାରରେ କରୁ ନାହିଁ କିଏ ?
ନୁହେଁ ଏ ତ ମନ୍ଦ କଥା ପେଯ ଚଳୁଥାଉ,
ଗୋଟା କେତେ ଦେଶକାର୍ଯ୍ୟ ମଧ୍ୟ ହୋଇଯାଉ ।
ଛାଡ଼ ଶାସ୍ତ୍ରୀ ସେ ଗୁଡ଼ାକ ନିନ୍ଦୁକର ଗ୍ଲାନି,
ସେଥିରେ ତୁମ୍ଭରି ଖ୍ୟାତି ହେବ ନାହିଁ ହାନି ।
ଜାଣେ ମୁହିଁ ଭଲରୂପେ ଆହେ ଶାସ୍ତ୍ରଗାରୁ,
କାଞ୍ଜିକୁ ଆଦର କର ଘୃଣା କର ଚାରୁ ।
ଯାଉଛି ମେଲାଣି ଦିଅ ଉତ୍କଳ-ବିନୋଦ,
ଥାଉ ଉତ୍କଳାଭିମାନ ଏହି ଅନୁରୋଧ ।
ଓଳଗି ଓଳଗି ନନା ହେ ବିଦ୍ୟାଭୂଷଣ,
ଦେଶ ପାଇଁ ତୁମ୍ଭେ କାର୍ଯ୍ୟ କରୁଅଛ କଣ ?
ସାହିତ୍ୟ-ସେବାରେ ରତ ଥିଲା କିଛି କାଳ,
ଏବେ ପରା ବ୍ୟସ୍ତ କଲା ବିଷୟ-ଜଞ୍ଜାଳ ।
ବିଷୟ-ମହାଜଞ୍ଜାଳେ ଯାର ମନ ଯିବ,
କିପାଇଁ ତାହାର ନାମ ହେବ ସଦାଶିବ ?
ବାହୁ ଠୁଙ୍କି ଅଣ୍ଟା ଭିଡ଼ି ନ ଉଠିଲେ ବାରେ,
ହୁଏ କି ଉନ୍ନତି ଖାଲି ସମାଲୋଚନାରେ ?
ବହୁଭାଷାଭିଜ୍ଞ ତୁମ୍ଭେ, ନୁହ ଝୁଟାମୋତି,
ଲେଖିଯାଅ ନନା ଭଲା ଖଣ୍ଡ କେତେ ପୋଥି ।
କହିଲି ଦି କଥା ଭାଇ ଗାଳିଦିଅ ନାହିଁ,
ଢେର ବର୍ତ୍ତବ୍ୟ ତୁମ୍ଭର ଅଛି ଦେଶ ପାଇଁ ।
ଭାଷା-ସଂସ୍କାରକ ଆହେ ଦାଶରଥି ପାଠୀ,
ପଢ଼ିଅଛ ବ୍ୟାକରଣ ପାଠ ଚାରି କାଠି ।
ଗଞ୍ଜାମରେ ଢ଼ୋଲ ପିଟା ଅଛି ତୁମ୍ଭ ନାମ,
ନାମ ଅନୁରୂପ କିଆଁ କରୁ ନାହିଁ କାମ ?
କର ଯୋଡି କହୁଅଛି ହେ ବୁଢ଼ାପଣ୍ଡିତ,
ଶେଷ କାଳେ ଭଲା କିଛି କର ଦେଶହିତ ।
ୠଷିପ୍ରକୃତି ପୁରୁଷ ଭଗବାନ ରଥ,
ତୁମ୍ଭ ନାମ ଉଚ୍ଚାରିଣ ହେଲି ମୁଁ କୃତାର୍ଥ ।
ହେ ମଉସା ହେଲେ ସୁଦ୍ଧା ବୟୋଽଧିକ,
ମାତ୍ର ତୁମ୍ଭେ ଅଟ ଜଣେ ଉଦାର ନୈତିକ ।
ଭାଷାତତ୍ତ୍ୱେ ଅଛି ତବ ଭଲ ଅଧିକାର,
ପୁଣି ବ୍ୟାକରଣେ ଜ୍ଞାନ ଅତି ଚମତ୍କାର ।
ସତ୍ପ୍ରସଙ୍ଗ ଆଲୋଚନା ଛାଡ଼ ନାହିଁ କ୍ଷଣେ,
ଏ ହେତୁ ମୁଁ ତବ ଗୃହେ ତୀର୍ଥସ୍ଥାନ ମଣେ ।
ଗଞ୍ଜାମ ଓଡ଼ିଆଙ୍କର ନୈତିକ ଚରିତ୍ର,
ତୁମ୍ଭରି ସତ୍ପରାମର୍ଶେ ହେଉଛି ଗଠିତ ।
ଗଞ୍ଜାମ ଓଡ଼ିଆଙ୍କର ହୃଦୟେ ଆପଣ,
ସ୍ୱେଦେଶାନୁରାଗ ବୀଜ କରିଛ ରୋପଣ ।
ଆହେ କ୍ଷଣଜନ୍ନା ଲଭେଁ ଆନନ୍ଦ ଅପାର,
ବୃଦ୍ଧକାଳେ ଦେଖି ତବ ଯୁବା ବ୍ୟବହାର ।
ଉତ୍ସାହ ଉଦ୍ୟମ ପୁଣି ଅଧ୍ୟବସାୟରେ,
କେଉଁ ଯୁବା ସରି ହେବ ତୁମ୍ଭ ସହିତରେ ।
ବହୁଗୁଣ ବଢ଼ୁ ତୁମ୍ଭ ଆୟୁ ପରମାଣ,
ହରିପଦେ ଏହା ମୋର ଏକାନ୍ତ ଜଣାଣ ।
ଆହେ ଦାନଏଲ ବାବୁ ପଡ଼ିଲ କି ଶୋଇ,
ଆଉ ତ ଦେଶମିଶ୍ରଣେ ମନ ଦେଇ ନାହିଁ ।
ଥରେ ଅଧେ ଚେଷ୍ଟା କରି ପଡ଼ିଲ କି ଥକି,
ଏତେ ଦୀର୍ଘସୂତ୍ରୀ ହେଲେ କାମ ଚଳିବ କି ?
ପ୍ରାଚୀନ-ବୟସ୍କ ଜଣେ ଅଟ ଏ ଜିଲାର,
ଅନେକ କରିଛ ଜନ୍ମଭୂମି ଉପକାର ।
ବୁଢ଼ା ହେଲ କ୍ରମେ ବଳ ଗଲା ଅପସରି,
ମାତ୍ର ମନୋବଳେ ପାର ସମୁଦ୍ରେ ପହଁରି ।
ନିଶ୍ଚିନ୍ତ ହୋଇଛ ତୁମ୍ଭେ ପାଇ ପେନ୍ସନ୍,
କରିଛନ୍ତି ଷୋଳକଳା ପୂର୍ଣ୍ଣ ଭଗବାନ ।
ଦେଶହିତ ସାଧ ଏବେ ସେହି ମୁଖ୍ୟ କାମ,
ଚିରକାଳ ଓଡ଼ିଆଏ ଗାଉଥିବେ ନାମ ।
ପରମାର୍ଥ ପରାୟଣ ହେ ପରମାନନ୍ଦ,
ଅତିଥି- ସେବାରେ ଲଭ ପରମ ଆନନ୍ଦ ।
କରୁଥିଲେ ଦେଶକାର୍ଯ୍ୟ ତୁମ୍ଭ ସାନ ଭାଇ,
ଦୂରନ୍ତ କାଳ ତାହାଙ୍କୁ ରଖିଦେଲା ନାହିଁ ।
ଉପଯୁକ୍ତ ଗୁରୁ ତୁମ୍ଭେ ଅଟ ତାହାଙ୍କର,
ଏଣୁ ତୁମ୍ଭଠାରେ ଆଶା ଅଧିକ ଦେଶର ।
କର କିଛି ଦେଶ ପାଇଁ ଏହି ନିବେଦନ,
ଅଛି ଅଧିକାର ପୁଣି କ୍ଷମତା ଓ ଧନ ।
ନୈତିକ-ସାହସ-ବୀର ଆହେ ରତ୍ନାକର,
ସତ ସତ ତୁମ୍ଭେ ଭାଇ ଅଟ ରତ୍ନାକର ।
ତୁମ୍ଭ ସଙ୍ଗେ ଥରେ ହେଲେ ଯେ କହିଛି କଥା,
ଜାଣେ ସେହି କି ପଦାର୍ଥ ଅଟଇ ନମ୍ରତା ।
କର୍ତ୍ତବ୍ୟବିମୁଖ ହୋଇ ବସ ନାହିଁ କ୍ଷଣେ,
ଦେଖି ନାହିଁ ତୁମ୍ଭପରି ସ୍ପଷ୍ଟବାଦୀ ଜଣେ ।
ନିଜର ସ୍ୱାଧୀନ ମତ ପରପଦେ ବଳି-
ଦେବା ଅନୁଚିତ, କିଏ ବୁଝେ ତୁମ୍ଭ ଭଳି ?
ବଡ ଆଶାଟାଏ ମୁହିଁ ପୋଷଣ କରିଛି,
ଦେଶହିତ କାର୍ଯ୍ୟ ତୁମ୍ଭେ କରିଯିବ କିଛି ।
ବୃହତ୍ଖେମଣ୍ଡି-ପତି ଦେବ କୃପାମୟ,
ସତ ସତ ତୁମ୍ଭେ ନୃପ ଅଟ କୃପାମୟ ।
ଦାନ, ଧର୍ମ, ଦେଶୋନ୍ନତି, ସାହିତ୍ୟ-ସେବାରେ,
ନିଯୁକ୍ତ ସତତ ତୁମ୍ଭେ ସାଧୁ ବ୍ୟବହାରେ ।
ଗୁଣଗ୍ରାହୀ ରାଜା ତୁମ୍ଭେ ବୁଝ ଗୁଣିଗୁଣ,
ପୁଣି ଅଟ ସୂକ୍ଷ୍ମଦର୍ଶୀ ସୁନୀତି-ନିପୁଣ ।
ତୁମ୍ଭର ସୁଖ୍ୟାତି ନୃପ କି ବର୍ଣ୍ଣିବି ଛାର,
କରୁଛି ‘‘ଗୁଣ-ଦର୍ପଣ’’ ସତତ ପ୍ରଚାର ।
ଗଙ୍ଗ ମହାବଂଶେ ରାଏ ଉଦ୍ଭବ ତୁମ୍ଭର,
ବଂଶ ଅନୁରୂପ କିଛି ବଡ କାର୍ଯ୍ୟ କର ।
ମିଷ୍ଟଭାଷୀ ସଦାଳାପୀ ମାର୍କଣ୍ଡେୟ ନନା,
ଦାଣ୍ଡରେ ଡାକୁଛି ମୁହିଁ ବସାରେ ଅଛ ନା ?
ଉଜ୍ଜ୍ୱଳ ତୁମ୍ଭର ନନା ଅଟେ ଶାସ୍ତ୍ରଜ୍ଞାନ,
ପାଇଅଛି ମୁହିଁ ତାର ସାମାନ୍ୟ ପ୍ରମାଣ ।
ଦେଶ-ଅନୁରାଗ ମଧ୍ୟ ଊଣା ନୁହେଁ ଅତି,
ବିଷୟ ଜ୍ଞାନରେ ତୁମ୍ଭେ ଅଟ ବୃହସ୍ପତି ।
କିନ୍ତୁ ଭାଇ କାଳ ନିତ୍ୟ ପରିବର୍ତ୍ତନଶୀଳ,
ଯଥାଶକ୍ତି କାର୍ଯ୍ୟ କର ଥାଉଁ ଥାଉଁ ବେଳ ।
ଦୁଇ ନାବେ ଗୋଡ଼ ଦେଇ ବୁଡ଼ିଯିବା ନୀତି,
ଭଲ ଜଣା ଆପଣଙ୍କୁ କି କହିବି ଇତି ।
ନାମ ଅନୁରୂପ ହୁଅ ଗୁଣର ଦର୍ପଣ,
ପାରଦ ନ ଥିଲେ କାଚେ କେଉ ପ୍ରୟୋଜନ ?
କାଶୀନାଥ ରାଜଗୁରୁ ରହିଅଛ କାହିଁ,
‘ସମାଜ-ମିତ୍ର’ ତ ଗଲା ଆକାଶେ ମିଳାଇ ।
ତୁଚ୍ଛାଟାରେ ଗାଳିଦେଲ ଦେଶାଗ୍ରଣୀଗଣେ,
ତୁନିହୋଇ ବସିଅଛ ଏବେ ଘରକୋଣେ ।
ହେ ମଧୁସୂଧନ ମିଶ୍ର-ତର୍କ-ବାଚସ୍ପତି,
ଜାଣେ ମୁଁ ପ୍ରଖରା ତୁମ୍ଭ ପ୍ରତ୍ୟୁତ୍ପନ୍ନ ମତି ।
ବାମଣ୍ଡାରେ ଉଠୁଥିଲା ପ୍ରତିଭା ବିକଶି,
ଜଡ଼ା ହେଇ କିଆଁ ବଡ଼ଖେମୁଣ୍ଡିରେ ବସି ?
ପୋଷିଅଛି ମୁଁ ଅନେକ ଆଶା ତୁମ୍ଭଠାରେ,
ଶେଷ କରିଦିଅ ନାହିଁ ‘‘ତାରାଶଶାଙ୍କ’’ରେ ।
ପ୍ରଧାନ ପଣ୍ଡିତ ତୁମ୍ଭେ କର କିଛି କାମ,
ଗଞ୍ଜାମ ଜିଲାରେ ଭଲା ରଖିଯାଅ ନାମ ।
ଚେଷ୍ଟାକର ଶୁଦ୍ଧ ହେଉ ଗଞ୍ଜାମର ଭାଷା,
ଭାଷାର ସାପେକ୍ଷ ସିନା ଉନ୍ନତିର ଆଶା ।
ସାହିତ୍ୟ-ରସିକ ରାଜା ନିକଟରେ ଥାଇ,
ତୁନି ହୋଇ ବସିବାଟା ଶୋଭା ପାଉ ନାହିଁ ।
ଅତଏବ କିଛି କାର୍ଯ୍ୟ କର ଦେଶ ପାଇଁ,
ପ୍ରଣମି ବିଦାୟ ହେଲି ପଣ୍ଡିତ ଗୋସାଇଁ ।
ଆସିକାରେ ମେନ୍ଚେନ୍ କୋମ୍ପାନୀ କାର୍ଖାନା,
ଅନେକ ଦୀନଦୁଃଖୀଙ୍କୁ ଦେଉଅଛି ଦାନା ।
ହରିହର ବିଶ୍ୱନାଥ ଯୁଗଳ ଓକୀଲ,
ଆବରି ବସିଛ ତୁମ୍ଭେ ଓଡ଼ିଆ ମୌକିଲ ।
ଉଭୟ ମିଳନ ତବ ଶୁଭକର ଅତି,
ବ୍ୟସ୍ତ ସଦା ତଡ଼ିବାକୁ ଗଞ୍ଜାମ ଦୁର୍ଗତି ।
ଓକୀଲଙ୍କ ମଧ୍ୟେ ତୁମ୍ଭେ ଯୋଡ଼ିକ ଓଡ଼ିଆ,
ଏଣୁ ଓଡ଼ିଆଙ୍କ ଦୁଃଖେ କାନ୍ଦେ ତବ ହିଆ ।
ଗଞ୍ଜାମ ଓଡିଆଙ୍କର ଦୁଃଖ ପ୍ରତିକାର-
ପାଇଁ ଜଣାଉଛ ରାଜଦ୍ୱାରରେ ବାରମ୍ବାର ।
ସେଥିଲାଗି ତୁମ୍ଭଙ୍କୁ ମୁଁ ଦେବି ଧନ୍ୟବାଦ,
ନିଶ୍ଚୟ ଲଭିବି ତୁମ୍ଭ ବିଭୁ-ଆର୍ଶୀବାଦ ।
ଯେ କରେ ନିଃସ୍ୱାର୍ଥ ଭାବେ ମାତୃଭୂମି କାମ,
କରନ୍ତି ଗୋବିନ୍ଦ ତାର ସିଦ୍ଧ ମନସ୍କାମ ।
ଓକିଲାତି କରି କେତେ ଅରଜିଲ ଡାବୁ,
ଦେଶ ପାଇଁ ତହୁଁ କିଛି ଖର୍ଚ୍ଚ କରୁ ବାବୁ ।
ଅତୁଳ ସମ୍ମାନାସ୍ପଦ ଧରାକୋଟ-ନାହା,
ନାମେ ମଦନମୋହନ ରୂପେ ମଧ୍ୟ ତାହା ।
ଧାର୍ମିକ, ଚତୁର, ଧୀର, ଶାନ୍ତ, ସଦାଶୟ,
ବିଚକ୍ଷଣ ନରପତି ସର୍ବଗୁଣାଳୟ ।
ଉତ୍କଳ ମହାସଭାର ହୋଇ ସଭାପତି,
ଗଞ୍ଜାମ ଗୌରବ ବୃଦ୍ଧି କରିଛ ନୃପତି ।
ବିଳାସ-କ୍ରୋଡରେ ତୁମ୍ଭେ ନ ହୋଇ ପାଳିତ,
ଦେଖୁଛି ମୁଁ ଥାଅ ସଦା କର୍ତ୍ତବ୍ୟ-ନିରତ ।
ଜାଣ ତୁମ୍ଭେ ଆହେ ରାଜା ସୁନୀତି-କୁଶଳ,
ପ୍ରଜାଙ୍କ ମଙ୍ଗଳେ ସିନା ରାଜାଙ୍କ ମଙ୍ଗଳ ।
ପ୍ରଜାଙ୍କ କୁଶଳ ହେତୁ ତେଣୁ ନାନା କାମ,
କରୁଅଛ ଶୀଘ୍ରହସ୍ତ ହୋଇ ଅବିରାମ ।
ଜୟସିଂହ କୃଷ୍ଣସିଂହ ଆଦି ରାଜକବି,
ଯେଉଁ ସିଂହାସନେ ବସି ବାଗ୍ଦେବୀଙ୍କୁ ସେବି,
ମରି ଅମରତା ଲଭି କୀର୍ତ୍ତି-କଳେବରେ,
ଭ୍ରମୁଛନ୍ତି ଦ୍ୱାରେ ଦ୍ୱାରେ ଉତ୍କଳ ଦେଶରେ,
ସେହି ପୂତ ସିଂହାସନେ ତୁମ୍ଭେ ତ ଆସୀନ,
କାହିଁକି ବା ଦେଶକାର୍ଯ୍ୟେ ହେବ ଉଦାସୀନ ?
ଜୀବନ ଯୌବନ ଧନ ନୁହେଁ ଦିକଡ଼ାର,
‘‘କୀର୍ତ୍ତିର୍ଯ୍ୟସ୍ୟ ସଜୀବତି’’ ଏହି ନୀତି ସାର ।
ମର୍ଯ୍ୟାଦା ସମ୍ଭବ ଉଚ୍ଚ ପଦ ଆଧିପତ୍ୟ,
ସକଳେ ଅସତ୍ୟ ମାତ୍ର ସତ୍ୟ ଏକା ସତ୍ୟ ।
ବୁଝିଛ ଏ ଗୂଢ଼ନୀତି ତେଣୁ ସଯତନେ,
ସତ୍ୟ ପାଳୁଅଛି ରାଏ କାୟ ବାକ୍ୟ ମନେ ।
ପ୍ରାତର୍ନମଃ ବାସୁଦେବ ମହାପାତ୍ର ଶର୍ମା,
ହୋଇଛି ଦେଶ ବିଷୟେ କି ହେତୁ ନିଷ୍କର୍ମା ?
ଅତିରିକ୍ତ ସ୍ପଷ୍ଟବାଦୀ ଅଟ ତୁମ୍ଭେ ନନା,
ବର୍ତ୍ତମାନ ଯୁଗଧର୍ମ ଶାସ୍ତ୍ରେ ତାହା ମନା ।
ଖାଲି ସ୍ପଷ୍ଟବାଦିତାରେ ଦେଶୋନ୍ନତି କାହିଁ,
ଢେର କାମ କରିବାକୁ ହେବ ଦେଶ ପାଇଁ ।
ଜଣାଶୁଣା ତୁମ୍ଭେ ଜଣେ ସଂସ୍କୃତ ପଣ୍ଡିତ,
ନ ହୁଅ ପଛକେ ଭାଇ କୁଣ୍ଡଳ-ମଣ୍ଡିତ ।
ଭାଷାରେ ସଂସ୍କୃତ ପୋଥି କେତେ ଖଣ୍ଡ ଭାଙ୍ଗ,
ମିଳିବ ପୁରୁଣା ପୋଥି ଖୋଜିଆଣ ଚାଙ୍ଗ ।
କହିଲି, ଭ୍ରାତୃଭାବରେ ଖପା ହୁଅ ନାହିଁ,
ନୋହିଲେ ପଛକେ ଦିଅ ମୋ କଥା ଫେରାଇ ।
କୁହା ତୁଣ୍ଡ ବୁହା ପାଣି ହୁଏ ନାହିଁ ସ୍ଥିର,
କହିଲି ଦ୍ୱିପଦ ଗାଲିଦିଅ ଅବା ମାର ।
ଅତଏବ ମାତୃସେବା କର ହେ ସମ୍ବଳ,
ନିଶ୍ଚୟ ମିଳିବ ତହୁଁ ଚତୁର୍ବର୍ଗ ଫଳ ।
ନବୀନ ଯୁବକ ଆହେ ବଡ଼ଗଡ଼-ପତି,
ଚହଟି ଉଠୁଛି ନାମ ଦିନୁ ଦିନୁ ଅତି ।
ଅତି ଅଳ୍ପଦିନ ମଧ୍ୟେ ପାଇ ରାଜ୍ୟଭାର,
କଲଣି ଅନେକ, ରାଜା, ରାଜ୍ୟର ସଂସ୍କାର ।
ରଖି ଓଡ଼ିଆ ସିରସ୍ତା ଓଡ଼ିଆ ଗୁମାସ୍ତା,
ସ୍ୱଜାତି ସ୍ୱଭାଷା ପ୍ରତି ଦେଖାଇଛ ଆସ୍ଥା ।
ଏହି ହେତୁ ତୁମ୍ଭ କଥା ମୋ ମନକୁ ଆସେ,
କହନ୍ତି ପରା ତୁଳସୀ ଦୁଇ ପତ୍ରୁ ବାସେ ।
ବିଶ୍ୱପତି-ପଦେ ରାଜା ! କରୁଛି ଜଣାଣ,
ଦୀର୍ଘଜୀବୀ ହୋଇ ସାଧ ଦେଶର କଲ୍ୟାଣ ।
ଦଣ୍ଡବତ ଦଣ୍ଡବତ ପବିତ୍ର ପାରଳା,
ପ୍ରାଚୀନ ଜ୍ୟୋତିର୍ବିଦ୍ୟାରେ ଥିଲୁ ତୁ କୁଶଳା ।
ପଦ୍ମନାଭ ନାରାୟଣ ଆହା ରାଜ-ଭାଇ,
ପୂର୍ଣ୍ଣଚନ୍ଦ୍ର ପରି ଥିଲେ ପାରଳାରେ ଉଇଁ ।
କାଳବଶେ ଅକାଳେ ସେ ହୋଇଗଲେ ଅସ୍ତ,
ଗଞ୍ଜାମ ଜିଲାର ଗଲା ଛିଡ଼ି ଦକ୍ଷହସ୍ତ ।
ଧନ୍ୟ ରାଜଭ୍ରାତା ତୁମ୍ଭେ ଥିଲ ମହାକୃତୀ,
ଗାଉଛି କୁମ୍ଭର ଯଶ କଲେଜ ପ୍ରଭୃତି ।
କର୍ମବୀର ଥିଲ କରି ଗଲ ଦେଶକାମ,
ଇତିହାସେ ସ୍ୱର୍ଣ୍ଣାକ୍ଷରେ ଥିବ ତୁମ୍ଭ ନାମ ।
ବିଚକ୍ଷଣ ରାଜଗୁରୁ ହେ ଶ୍ୟାମସୁନ୍ଦର,
ଆଦ୍ୟ ଗ୍ରାଜୁଏଟ୍ ତୁମ୍ଭେ ଗଞ୍ଜାମ ଜିଲାର ।
ଗଞ୍ଜମାବାସୀଏ ଏଣୁ ଥିଲେ ଆଶା କରି,
ସର୍ବାକାର୍ଯ୍ୟେ ହେବ ତୁମ୍ଭେ ଅଗ୍ରଣୀ ଏପରି ।
ସେଥିର ଚିହ୍ନସ୍ୱରୂପ ବୋଲାଯାଇପାରେ,
ସଭାପତି ହେଲ ଆଦ୍ୟ ଗଞ୍ଜାମ ସଭାରେ ।
ଭାଷାତତ୍ତ୍ୱେ ଆପଣଙ୍କୁ ନିବିଷ୍ଟ କିଞ୍ଚିତ,
ହୋଇଥିଲୁଁ ଆମ୍ଭେମାନେ ଦେଖି ଆଶାନ୍ୱିତ ।
ଅନ୍ନଚିନ୍ତାରୁ ତ ତୁମ୍ଭେ ଭାଗ୍ୟବଶେ ମୁକ୍ତ,
ପରାଧୀନ ନୋହି ପୁଣି ସ୍ୱାଧୀନତାଯୁକ୍ତ ।
ତୁମ୍ଭପ୍ରତି ଉଚ୍ଚଭାବ ଦେଶର ଯେପରି,
ଯଶସ୍ୱୀ ହୁଅ ସେପରି ଉଚ୍ଚକାର୍ଯ୍ୟ କରି ।
ହିତୈଷିଣୀ ସମାଜକୁ ପୁନରୁଜ୍ଜୀବିତ-
କରି, ନବୀନ ଉତ୍ସାହେ ସାଧ ତାର ହିତ ।
ସମାଜ ଆଭ୍ୟନ୍ତରିକ ରହସ୍ୟ ସକଳ,
ବିଦୂରିତ କରି ତାକୁ କର ସୁନିର୍ମଳ ।
ଅଟ ତୁମ୍ଭେ ଉତ୍କଳର କୃତିପୁତ୍ର ଜଣେ,
ଏହି କଥା ଭାଇ ସଦା ରଖିଥିବ ମନେ ।
ବିଶେଷେ ଗଞ୍ଜାମ ପୁଣି ସମଗ୍ର ଉତ୍କଳ,
ତୁମ୍ଭ ମୁଖାପେକ୍ଷୀ ହୋଇ ରହିଛି କେବଳ ।
ସାହିତ୍ୟ-ସେବକ ଆହେ ଗୋପୀନାଥ ନନ୍ଦ,
ଛାପା ହେଲା ନାହିଁ ପୋଥି ନୁହ ନିରାନନ୍ଦ ।
ଲେଖିଯାଅ ଉତ୍ସାହରେ ଦିଅ ନାହିଁ ଚାପା,
ଲେଖାଥିଲେ କେବେ ହେଲେ ହୋଇପାରେ ଛାପା ।
ଉପଇନ୍ଦ୍ର କବିସୂର୍ଯ୍ୟ ସାହିତ୍ୟ ସୂ-ରଥୀ,
ଛାପି ଯାଇଥିଲେ ନାହିଁ ନିଜକୃତ ପୋଥି ।
ପ୍ରାକୃତ ଶବ୍ଦ ସଂଗ୍ରହେ ଦେଇଅଛ ହାତ,
ସାମାନ୍ୟ କଠିନ କାର୍ଯ୍ୟ ନୁହଇ ଏହା ତ ।
ସେଥିପାଇଁ ଧନ୍ୟବାଦ କରୁଛି ଅର୍ପଣ,
ସେହି ମହାଗ୍ରନ୍ଥ କର ଶୀଘ୍ର ସମାପନ ।
କହିବି ଗୋଟିଏ କଥା ଗୋପୀନାଥ ନନ୍ଦ,
କୃଦନ୍ତ ତଦ୍ଧିତ ଲେଖା କର ନାହିଁ ବନ୍ଦ ।
ସାଧିଯାଅ ନୂଆ ଶବ୍ଦ ଘୋଷାରି ଓଟାରି,
ଆଇ ଶବ୍ଦେ ମାରେ ପ୍ରତେ ସାଧ ଆଲମାରି ।
ଆହେ ଗୌରଚନ୍ଦ୍ର ପାତ୍ର ଉତ୍ସାହୀ ଯୁବକ,
ପେଟ ଲାଗି ତୁମ୍ଭର ତ ନାହିଁ ଚିନ୍ତାଦକ ।
ସ୍ୱାଧିନତା ବିକ୍ରି କଲ କିପାଁ ଅକାରଣ,
ପାତ୍ର ହୋଇ ଅପାତ୍ର ଯେ ହୋଇଲ ଆପଣ ।
ଏବେ ସୁଦ୍ଧା ବେଳ ଅଛି ରହ ନାହିଁ ବସି,
ଯଥାଶକ୍ତି କାର୍ଯ୍ୟ କରି ହୁଅ ହେ ଯଶସ୍ୱୀ ।
ହେ ବାବୁ ଅପର୍ଣ୍ଣା ପଣ୍ଡା ଶାନ୍ତ ଶିଷ୍ଟ ଧୀର,
ଦେଶୋନ୍ନତି କାର୍ଯ୍ୟେ ତୁମ୍ଭେ ଅଟ ବାକ୍ୟବୀର ।
ମାତ୍ରକ କାର୍ଯ୍ୟରେ କିଛି ଜଣାଯାଇ ନାହିଁ,
ଶରତ୍କାଳ ମେଘ ଖାଲି ଗର୍ଜେ ସିନା ଭାଇ !
ପୃଥିବୀରେ ଅଭାବ କି ଅଛି ବାକ୍ୟବୀର,
କାର୍ଯ୍ୟେ ପରିଚୟ ଦିଅ ସ୍ୱଦେଶ-ପ୍ରୀତିର ।
ଅଛି କିଛି ଶକ୍ତି ଗଦ୍ୟପଦ୍ୟ ରଚନାରେ,
ଯତ୍ନ କର ତାର ବୃଦ୍ଧି ସଦ-ବ୍ୟବହାରେ ।
ଆହେ ବଳଭଦ୍ର ନନ୍ଦ କଥୋପକଥନେ,
ବୁଝିଲି ତୁମ୍ଭେ ଶିକ୍ଷିତ ସଦୁତ୍ସାହୀ ଜଣେ ।
ତୁମ୍ଭେ ଯତ୍ନ କଲେ ମୁହିଁ ମନରେ ବିଚାରେଁ,
ଦେଶ ଉପକାର କେତେ ଗୋଟା ହୋଇପାରେ ।
ସାହିତ୍ୟାନୁରାଗ ତବ ସୁପ୍ରଶଂସନୀୟ,
ମାତ୍ର କିଛି ଦେଲ ନାହିଁ କାର୍ଯ୍ୟେ ପରିଚୟ ।
ଭାବିଥିଲି ଢ଼େର କାମ ତୁମ୍ଭ ହାତେ ହେବ,
କିନ୍ତୁ ହିମାଚଳ କଲା ମୂଷିକ ପ୍ରସବ ।
ନବୀନ ଯୁବକ ତୁମ୍ଭେ ଅଟ ତତାଲହୁ,
କରିଯାଅ ଦେଶକାମ ଯଶଖ୍ୟାତି ରହୁ ।
ଆଉ କେତେ ଜଣ ଯାଇ କସିବେଳୁ ପାଚି,
ହେଉଛନ୍ତି ଦେଶ ଦେଶ କହି କୁଦି ନାଚି ।
ହେଉ ଦେଶକାର୍ଯ୍ୟ ହେଉ ଅତି ଭଲ କଥା,
କଳହ କୁକଥା କିନ୍ତୁ ବର୍ଜିତ ସର୍ବଥା ।
ଆକାରେ ମଞ୍ଜୁଷା ସମ ମଞ୍ଜୁଷା ନଗରୀ,
ପାର୍ଶ୍ୱେ ଉଭା ପୌରାଣିକ ମହେନ୍ଦ୍ର ଶିଖରୀ ।
ବର୍ଣ୍ଣି ନୋହେ ମହେନ୍ଦ୍ରର ଶୋଭା ଅନୁପମ,
ଅତି ଉଚ୍ଚ ଗିରିବର ଦେବତାଙ୍କ ଧାମ ।
ଚାହିଁଲି ପର୍ବତେ ଫାଟି ପଡ଼ିଲା ମୋ ଆଖି,
ଜାଣିବାକୁ ମୋର ଆଉ ନ ରହିଲା ବାକୀ ।
ପୃଥିବୀ ମଧ୍ୟରେ ମୁହିଁ କେଡ଼େ କ୍ଷୁଦ୍ର ଜୀବ,
କେତେ କହ କ୍ଷମତା ବା ମୋହଠାରେ ଥିବ ।
ସମ୍ମୁଖରେ ମହତର ଦେଖି ମହାସତ୍ତା,
ସ୍ୱତଃ ଉବଲବ୍ଧ ହୁଏ ନିଜର କ୍ଷୁଦ୍ରତା ।
ମହେନ୍ଦ୍ର-ଆବାସଯୋଗ୍ୟ ମହେନ୍ଦ୍ର ତୁ ଅଟୁ,
ସଙ୍କେତରେ ମହାତତ୍ତ୍ୱ ଶିକ୍ଷାଦାନେ ପଟୁ ।
ଅନନ୍ତ ନୀଳିମାମୟ ତୋ ଚାରୁ ମୂରତି,
ଜନ୍ମାଏ ଦର୍ଶକ ମନେ ପୀରତି ଭକତି ।
ଶିଳ୍ପୀ ନୁହେଁ, କି ଚିତ୍ରିବି ତୋର ଚାରୁଚ୍ଛବି,
ଅର୍ଦ୍ଧକାବ୍ୟେ ଚିତ୍ରିଛନ୍ତି କିଛି ରାୟକବି ।
ଶ୍ରୀନିବାସ ପଟ୍ଟଦେବ ଯୁବରାଜ ଧନ୍ୟ,
ଯୋଗ୍ୟପିତା ପୁତ୍ର ତୁମ୍ଭେ ମଞ୍ଜୁଷା-ମଣ୍ଡନ ।
ପ୍ରବୀଣ ନୃପତି ପରି ପାଳୁଅଛ ରାଜ୍ୟ,
କେତେ ଥର ଭାବେଁ ମୁହିଁ ଶୁଣି ତୁମ୍ଭ କାର୍ଯ୍ୟ ।
ଗଜାରୁ ତ ଯୁବରାଜେ ହେଲେଣି ଏପରି,
କି ନୋହିବେ ଗଛ ହେଲେ ଶାଖାପତ୍ର ଧରି ।
ହେଉଛୁ ସହାୟ ତବ ସଦା ଭଗବାନ,
ପିତାପୁତ୍ର ମିଳି ସାଧ ରାଜ୍ୟର କଲ୍ୟାଣ ।
ଗଦାଧର କବିରାଜ ହେ ବିଦ୍ୟାଭୂଷଣେ,
ଅଟ ଦେଶକାଳଦର୍ଶୀ ପଣ୍ଡିତ ଆପଣେ ।
ସ୍ୱେଦେଶ ତୁମ୍ଭଙ୍କୁ ଅଛି ଆଶା ନେତ୍ରେ ଚାହୁଁ,
ବହିଗଲା ବେଳ କିଛି କର ତାହା ପାଇଁ ।
କି କହିବି, ତୁମ୍ଭଙ୍କୁ ବା କିସ ଅବିଦିତ,
ବିଷୟେ ଆସକ୍ତ ସଦା ନୁହଇ ଉଚିତ ।
ପଠାଣି ସାଆନ୍ତଙ୍କର ତୁମ୍ଭେ ଯୋଗ୍ୟ ଚାଟ,
କୀର୍ତ୍ତି ରଖ ଅନୁସରି ତାଙ୍କ ଗମ୍ୟ ବାଟ ।
ସାତ୍ତ୍ୱିକ ଭାବରେ ଶେଷ ଜୀବନ ଅତୀତ,
କରିବା ଅଟଇ କାର୍ଯ୍ୟ ଯୋଗ୍ୟଜନୋଚିତ ।
‘‘ସିଦ୍ଧାନ୍ତଦର୍ପଣ’’ ଟୀକା କେତେ ଲେଖାହେଲା,
ଲେଖିଯାଅ ଲେଖିଯାଅ କର ନାହିଁ ହେଳା ।
ପ୍ରତିଭାଶାଳୀ ପଣ୍ଡିତ ଖ୍ୟାତ ତୁମ୍ଭ ନାମ,
ବିଦାୟ ହେଲି ମୁଁ ଘେନ ସଭକ୍ତି ପ୍ରଣାମ ।
ବାରୁଆ ମାଲିକଦାର ହେ ଖାଡ଼ଙ୍ଗା ବାବୁ,
ଜମା କରି ରଖିଦିଅ ଘରେ ସବୁ ଡାବୁ ।
ଦେଶ ପାଇଁ ଖର୍ଚ୍ଚ କରି କି ହେବ ଖାଡଙ୍ଗା,
କିଣିଆଣ ଚିତାପାଣ୍ଡୁ ହେବ ଚାରୁ ଅଡ଼ଙ୍ଗା ।
ମୁଖିଆ ଓଡ଼ିଆ ଜଣେ ଥିଲ ତୁମ୍ଭେ ଭାଇ,
କିନ୍ତୁ ସ୍ୱଜାତିର ହିତ କିଛି କଲ ନାହିଁ ।
ଭାଇ ନରସିଂହ ଦାସେ ଦେଶ ମହାମିତ୍ର,
ତୁମ୍ଭ ନାମ ଉଚ୍ଚାରିଣ ହେଲି ମୁଁ ପିବତ୍ର ।
କାହା ମୁହଁ ଚାହିଁଥିଲି ଆଜି ମୁଁ ସକାଳେ,
ନିଶ୍ଚେ କିଛି ଶୁଭଫଳ ଅଛି ମୋ କପାଳେ ।
ଦିଅ ଆଗେ ପଦଧୂଳି ପତାଇଲି ମଥା,
ପଛେ କୁହାକୁହି ହେବା ସୁଖଦୁଃଖ କଥା ।
‘‘ଆକାର ସଦୃଶ ପ୍ରାଜ୍ଞଃ’’ ବାକ୍ୟ ତୁମ୍ଭଠାରେ,
ସଫଳ ହୋଇଛି ଭାଇ ଅକ୍ଷରେ ଅକ୍ଷରେ ।
ତୁମ୍ଭ ପରି ଧୀର ସ୍ଥିର ସୁସଂଯତମତି,
ବିରଳ ଉତ୍କଳେ ପୁଣି ଗଞ୍ଜାମରେ ଅତି ।
ଦେଶ ପାଇଁ କାନ୍ଦୁଅଛ ତୁମ୍ଭେ ଅବିରାମ,
ପ୍ରାଣପଣେ ସାଧୁଅଛ ମାତୃଭୂମି କାମ ।
ଏ ହେତୁ ମୁଁ ମୋ ହୃଦୟ ଶ୍ରେଷ୍ଠତମ ସ୍ଥାନେ,
ବସାଇଅଛି ତୁମ୍ଭଙ୍କୁ ଶ୍ରେଷ୍ଠତମାସନେ ।
‘‘ଜନନୀ ଜନମ ଭୂମି ସ୍ୱର୍ଗୁ ଗରୀୟସୀ’’
ସ୍ମରି ଏହି ମହାବାକ୍ୟ ହେ ଗଞ୍ଜାମଶଶି !
ଅମର କୀରତି ଲାଭେ ସଦା ଚେଷ୍ଟାକର,
ବିଦାୟ ହେଲି ହେ ଦେବ-ପ୍ରକୃତିକ ନର ।
ଆହେ ଅଭିମନ୍ୟୁ ପଟ୍ଟାନାୟକ ସାଆନ୍ତେ,
ତୁମ୍ଭଙ୍କୁ ସମ୍ମାନ ମୁହିଁ କରିବି ଏକାନ୍ତେ ।
ଉପେନ୍ଦ୍ର ପଟ୍ଟନାୟକେ ଥିଲେ ତୁମ୍ଭ ଆଗେ,
ଲଭିଥିଲେ ଶ୍ରେଷ୍ଠସ୍ଥାନ ବିଚାର-ବିଭାଗେ ।
ପବିତ୍ର ଭାବରେ କରି କର୍ତ୍ତବ୍ୟ ପାଳନ,
କରୁଥିଲେ ଓଡ଼ିଆଙ୍କ ଗୌରବ ବର୍ଦ୍ଧନ ।
ଦୂରନ୍ତ କାଳ ତାହାଙ୍କୁ ରଖିଦେଲା ନାହିଁ,
ଭୁଲିଅଛୁଁ ତାଙ୍କୁ ଆମ୍ଭେ ତୁମ୍ଭ ମୁଖ ଚାହିଁ ।
ଜାତୀୟ ଭାଷା ଜାତୀୟ କ୍ରମୋନ୍ନତି ପ୍ରତି,
ଶୁଣିଛି ତୁମ୍ଭର ଅଛି ଅନୁରାଗ ଅତି ।
ସମ୍ପ୍ରତି ସାର୍ଥକନାମା ନରସିଂହଙ୍କର,
ହୋଇଛ ନିକଟବର୍ତ୍ତୀ ମିଳି ପରସ୍ପର ।
ଦେଶହିତ ଜାତିହିତ କାର୍ଯ୍ୟେ ସଦା ଲାଗ,
ଭାଗ୍ୟରେ ମିଳିଛି ଭାଇ ସୁବର୍ଣ୍ଣ ସୁଯୋଗ ।
ଧନ, ମାନ, ଏ ସଂସାରେ ନୁହେଁ ଚିରସ୍ଥାୟୀ
ଚାକିରି ଅଟଇ ଯଥା ତାଳଗଛ ଛାଇ ।
ଏହା ଭାବି କର କିଛି ଉପଯୁକ୍ତ କାମ,
ଚିରକାଳ ଓଡ଼ିଆଏ ଘୋଷୁଥିବେ ନାମ ।
ହେ ସୁରଙ୍ଗୀ ରାଜା ! ଶୁଣି ଛାତି ଯାଏ ଫାଟି,
କି କରିବ ତୁମ୍ଭଙ୍କୁ ତ ରୋଗ କଲା ମାଟି ।
ନିଦାରୁଣ ବ୍ୟାଧି-ମେଘ କାହୁଁ ଆସି ଧାଇଁ,
ପକାଇଲା ଯଶଃପ୍ରଭା ଅକାଳେ ଘୋଡାଇ ।
ନ ହୁଅ ନ ହୁଅ ରାଜା ନ ହୁଅ ହେ କ୍ଷୂଣ୍ଣ ।
ଯାହା ହରି ଇଚ୍ଛା ତାହା ହେବ ନିଶ୍ଚେ ପୂଣ୍ଣ ।
ସାମାନ୍ୟ ଆୟରେ ତୁମ୍ଭେ କରିଅଛ ଯାହା,
କରି ନାହାନ୍ତି ଅନେକ ବଡ଼ ରାଜା ତାହା ।
ସାହିତ୍ୟ-ରସିକ ତୁମ୍ଭେ ଚନ୍ଦ୍ରଚୂଡ଼ାମଣି,
ପୁଣି ଅଟ ସଦୁତ୍ସାହୀ ରହସ୍ୟର ଖଣି ।
ପାଇଲେ ସମ୍ବାଦପତ୍ର କିମ୍ବା ଭଲ ବହି,
ପଢ଼ୁଥାଅ ରାତିଯାକ ଉଜାଗର ରହି ।
ନାହିଁ ବଡ଼ଲୋକୀପଣ ଗର୍ବ ଅହଙ୍କାର,
ପାଞ୍ଚବର୍ଷ ପିଲାଙ୍କୁ ତ କର ସମାଦର ।
ତୁମ୍ଭର ସଦ୍ଗୁଣ ନୃପ କି ବର୍ଣ୍ଣିବି ଆଉ,
ଗାଉଛି ‘‘ଉତ୍କଳବାସୀ’’ ଚିରକାଳ ଗାଉ ।
ନାରୀକବି ସୁରଙ୍ଗୀର ରାଣୀ-ମହୋଦୟା,
କାବ୍ୟ-କାନନ କୋକିଳା ପବିତ୍ରହୃଦୟା ।
‘‘ସ୍ୱରଷୋଡ଼ଶୀ’’ କାବ୍ୟର ପଢ଼ି ପାଣ୍ଡୁଲେଖ୍ୟ
ଭକ୍ତିଭରେ ପ୍ରଣମୁଛି ମାତଃ ! ଲକ୍ଷ ଲକ୍ଷ ।
ଗଞ୍ଜାମର ନାରୀକବି ମଧ୍ୟେ ତୁମ୍ଭେ ସତି,
ଆଦର୍ଶସ୍ଥାନୀୟା, ରାଜକବି ତୁମ୍ଭ ପତି ।
ମଣିକାଞ୍ଚନ ସଂଯୋଗ କି ସୁନ୍ଦର କଥା,
ହୋଇଛି ସାର୍ଥକ ତୁମ୍ଭ ନିକଟେ ସର୍ବଥା ।
ଉତ୍କଳ-ସଭାକୁ କରି ଆର୍ଥିକ ସାହାଯ୍ୟ
କରିଅଛ ଆହେ ରାଣି ! କାର୍ଯ୍ୟ ପରି କାର୍ଯ୍ୟ ।
ପ୍ରଥମତଃ ଦେଖାଇଲ ତୁମ୍ଭେ ସୁନମୁନା,
ଉତ୍କଳରେ କେଉଁ ନାରୀ ତୁମ୍ଭର ତୁଳନା ।
ବିଭୁପଦେ ଜଣାଉଛି ଯୋଡି ହସ୍ତ ବେନି,
ସର୍ବ ସୁଖେ ଥାଅ ଦେବି ! ଏହି ମୋ ମାଗୁଣି ।
ସୁରଙ୍ଗୀ ନୃପତି ଭ୍ରାତା ଆହେ ଚକ୍ରପାଣି,
କରିପାର ବାକ୍ୟେ ତୁମ୍ଭେ ପଥରକୁ ପାଣି ।
କି କି କାର୍ଯ୍ୟ କରିଅଛ ଖୋଜ ଚିଠା ଖାତା,
କି ଅଭାବ ତାହାର ହେ ରାଜା ଯାର ଭ୍ରାତା ।
ମଧ୍ୟାହ୍ନର ଫଳାହାର ଛାଡି କିଛି ଦିନ,
ସେହି ପଇସାଟା କର ଦେଶହିତେ ଦାନ ।
ଦୁଇ ଚାରି ଜଣ ଆଗ ହେଉନ୍ତୁ ମଣିଷ,
ନ ହେଉ ପଛକେ ଖିଆ ଖଜୁରା ପଣସ ।
କିହୋ ଭେଣ୍ଡା ସମ୍ପାଦକେ କବିରତ୍ନ ଭାଇ,
ଖୋଜୁଛି ଓଳିଏ ହେଲା ଦେଖା ଚାହାଁ ନାହିଁ ।
ଦେଶସେବା ମହାବ୍ରତେ ଦେଇଅଛ ହାତ,
ପାଳୁଛ କର୍ତ୍ତବ୍ୟ ଶକ୍ତି ଅନୁସାରେ ଭ୍ରାତ ।
ଅଟ ଜଣେ କବି ଏହା ଜଣାଶୁଣା କଥା,
ପଦ୍ୟ ରଚନାରେ ଅଛି ଅଦ୍ଭୁତ କ୍ଷମତା ।
ଖାଲି ‘‘ଉତ୍କଳବାସୀ’’କୁ ଘେନି ବସ ନାହିଁ,
ଆହୁରି ଢ଼େର କର୍ତ୍ତବ୍ୟ ଅଛି ଦେଶ ପାଇଁ ।
ଥିଲ ପଦ୍ୟ-ଅଳଙ୍କାର ହେଲ କବିରତ୍ନ,
ଭାଷା ଅଭିବୃଦ୍ଧି ପାଇଁ କର କିଛି ଯତ୍ନ ।
ବସିଅଛ ତୁମ୍ଭେ ଯେଉଁ ପବିତ୍ର ଆସନେ,
ତାହାର ମର୍ଯ୍ୟାଦା ରକ୍ଷା କର ପ୍ରାଣପଣେ ।
ରସଲକୁଣ୍ଡାରେ ଅଛ ଦୀନବନ୍ଧୁ ପାଳ,
ଆଉ ତ ବୁଝିଲ ନାହିଁ ଦେଶ ହାଲଚାଲ ।
କେତେ କଷ୍ଟେ ବିଦେଶରେ ରହି ପଢ଼ି ପାଠ,
ସୌଭାଗ୍ୟବଶରୁ ଶେଷେ ହେଇ ଗ୍ରାଜୁଏଟ୍ ।
ଦୀନ ଶିକ୍ଷାର୍ଥୀମାନଙ୍କ ସକାଶେ କିଞ୍ଚିତ,
ଚିନ୍ତା କରିବା ତୁମ୍ଭର ଥିଲା ଯେ ଉଚିତ ।
କି କହିବା ସେମାନଙ୍କ କପାଳ ତ ହୀନ,
ତେଣୁ ତୁମ୍ଭେ ସେ ବିଷୟେ ହେଲ ଉଦାସୀନ ।
ଦେଶସେବା ସଙ୍ଗେ ଆଉ ନାହିଁ ତବ ଭେଟ,
ମୁଖ୍ୟ ଚିନ୍ତାର ବିଷୟ ହେଲା ପରା ପେଟ ।
କହିବି ଯଥାର୍ଥ କଥା ଦିଅ ପଛେ ଗାଳି,
କବିତା ଶକ୍ତିକୁ ମଧ୍ୟ ଦେଲ ଜଳାଞ୍ଜଳି ।
ଯାଉ ଗଲା କଥା, ଅଛି ଏବେ ସୁଦ୍ଧା ବେଳ,
ଦେଶ ପ୍ରତି ତୁମ୍ଭର ଯା କର୍ତ୍ତବ୍ୟ ତା ପାଳ ।
ଉତ୍କଳ କୁସୁମ-କୁଣ୍ଡ କେଶର ଗଞ୍ଜାମ,
ସେ କେଶର ରେଣୁସମ ଘୂମୁଷର ଗ୍ରାମ ।
ସେ ପବିତ୍ର ରାଜ୍ୟେ ଉପଇନ୍ଦ୍ର ମହାକବି,
ଜନ୍ମିଥିଲେ ଯୋଗଜନ୍ମା କବିକୁଳରବି ।
କାଳବଶେ ହତଶିରୀ ଏବେ ସେହି ଗ୍ରାମ,
ନାହିଁ ସେ ଅଯୋଧ୍ୟା କିମ୍ବା ନାହାନ୍ତି ସେ ରାମ ।
ବେନି ବି.ଏ. ରଥ ପୁଣି ବି.ଏ. ପାଣିଗ୍ରାହୀ,
କରୁଛ ତନଖି ପାଠ ବୁଲି ସାହି ସାହି ।
ଓଡ଼ିଆ ବିଦ୍ୟା ବିଭାଗେ ତୁମ୍ଭେ ତିନି ଜଣେ,
ଉଚ୍ଚପଦ ମିଳିବାରୁ ଭାବିଥିଲୁଁ ମନେ,
ଓଡ଼ିଆ ପାଠ୍ୟର ଭାଷା ଓ ବିଷୟ ବୋଧ,
କେତେକ ପରିମାଣରେ ହେବ ପରିଶୁଦ୍ଧ ।
ପବିତ୍ର ବିଦ୍ୟା ବିଭାଗ କାର୍ଯ୍ୟ ସୁପବିତ୍ର,
ନିର୍ଦ୍ଦୋଷ ଭାବରେ ହେବ ସୁପରିଚାଳିତ ।
ଆଖିରୁ ତ ପାଣି ମଲା ଆସି ଚାହିଁ ଚାହିଁ
ତେବେ ସୁଦ୍ଧା ଆଶା କିନ୍ତୁ ପୂର୍ଣ୍ଣ ହେଲା ନାହିଁ ।
ଅଟ ଭାଇ ତୁମ୍ଭେମାନେ ଶିକ୍ଷିତ ଯୁବକ,
ହୁଅ ଅଶିକ୍ଷିତଙ୍କର ପଥପ୍ରଦର୍ଶକ ।
କଥାରେ ତୁମ୍ଭମାନଙ୍କ ସ୍ୱଦେଶ ପ୍ରୀତିର,
ପରିଚୟ ମିଳିଅଛି ଢ଼େର ଢ଼େର ଥର ।
କାର୍ଯ୍ୟରେ କିଞ୍ଚିତ ଏବେ ଦିଅ ପରିଚୟ,
ଦେଶକାର୍ଯ୍ୟ କରି ହୁଅ ଚିରସ୍ମରଣୀୟ ।
ଏହି କଥା ସଦା ତୁମ୍ଭେ ରଖିଥିବ ଧ୍ୟାନେ,
କରିଯା ମନୁଷ୍ୟ ଭାଇ ଦୁଇ ଚାରି ଜଣେ ।
ଅନନ୍ତରାମ ରଥଙ୍କୁ ଚିହ୍ନେ ନାହିଁ କିଏ,
ଗଞ୍ଜାମ ଜିଲାର ଗଣେ ଅଟନ୍ତି ସେ ବି.ଏ. ।
ଅନେକ ସନ୍ଧାନ କଲି ଗଞ୍ଜାମରେ ଯାଇ,
ତାହାଙ୍କର କାର୍ଯ୍ୟ କିଛି ଦିଶିଲା ତ ନାହିଁ ।
ପଚାରନ୍ତି ଦେଖାହେଲେ ରଥ ଗୋସାଇଁଙ୍କି,
ନୀରବ ନିଷ୍କାମ ହୋଇ ଅଛନ୍ତି କାହିଁକି ।
ଉଚ୍ଚଶିକ୍ଷିତ ସେ ତାଙ୍କ ହୃଦୟ ଉଦାର,
ପଛକୁ ବା ରଖିଥିବେ ଦେଶ-ଉପକାର ।
ମହାପାତ୍ର ଉପାଧିକ ଭାଇ ବଟକୃଷ୍ଣ,
ଦେଶସେବା ବିଷୟରେ ନ ହୁଅ ବିତୃଷ୍ଣ ।
କଥା କାର୍ଯ୍ୟ ମଧ୍ୟେ ଅଛି ପ୍ରଭେଦ ବିସ୍ତର,
କହିବା ସହଜ କିନ୍ତୁ କରିବା ଦୁଷ୍କର ।
ଆଗେ କଥା ପଛେ କାମ ପ୍ରକୃତି ନିୟମ,
କହିଲଣି ଢ଼େର କଥା କର କିଛି କାମ ।
ସ୍ପଷ୍ଟବାଦୀ ଦୃଢ଼କର୍ମା ହେ ଶ୍ରୀବତ୍ସ ପଣ୍ଡା,
ତୁମ୍ଭ ପରି କର୍ମବୀର ଲୋଡା ପାଞ୍ଚଗଣ୍ଡା ।
ସଂସ୍କାର କାର୍ଯ୍ୟରେ ତୁମ୍ଭେ ଭିଡ଼ିଅଛ ଅଣ୍ଟା,
ଗନ୍ତବ୍ୟ ପଥରେ ମାନ ନାହିଁ ଖୁଞ୍ଚକଣ୍ଟା ।
ଦୁର୍ଗତି ମୋଚନକଳ୍ପେ ରମଣୀ ଜାତିର,
ହୋଇଅଛ ତୁମ୍ଭେ ସଦା ବଦ୍ଧପରିକର ।
ଏଣୁ ତୁମ୍ଭେ ନିରପେକ୍ଷ ସମାଲୋଚକର,
ପୁଣି ସଂସ୍କାରର ପକ୍ଷପାତୀମାନଙ୍କର,
ଏକାନ୍ତ ନମସ୍ୟ ନିଶ୍ଚେ ଅଟ ଆହେ ଆର୍ଯ୍ୟ,
କିନ୍ତୁ ଭାଇ ସଂସ୍କାର ତ ସୁକଠିନ କାର୍ଯ୍ୟ ।
ଦେଶକାଳପାତ୍ରରୀତି ନ ହୋଇ ବିଦିତ,
ଖାଲି ସଂସ୍କାର ପ୍ରସ୍ତାବ କଲେ ଉପସ୍ଥିତ,
ତହିଁରେ ୠକ୍ଷଣଶୀଳ ସମାଜର ହିତ,
ସାଧିତ ନ ହୋଇ ହୁଏ ହିତେ ବିପରୀତ ।
ଅତଏବ ଧୀର ଆଉ ସଂଯତ ଭାବରେ,
ସଂସ୍କାର କରିବା ଭଲ ଅଟେ ମୋ ବିଚାରେ ।
ଦୁଇ ଦିନେ ନଷ୍ଟ ହେବ ଧନମାନ ଭାଇ,
କାମଗୁଣେ ନାମ ସିନା ହୁଏ ଚିରସ୍ଥାୟୀ ।
ସତ୍ୟ କଥା, ତୁମ୍ଭ ନାମ ସଂସ୍କାର ଲିଷ୍ଟିରେ,
ରହିବ ଖୋଦିତ ହୋଇ ସୁବର୍ଣ୍ଣ ଅକ୍ଷରେ ।
ସାହିତ୍ୟ-ନିକୁଞ୍ଜ ଏହି ଆଠଗଡ଼ ରାଜ୍ୟ,
ଏହିଠାରେ ଉଇଁଥିଲେ ରଥ କବିସୂର୍ଯ୍ୟ ।
ଧନ୍ୟ ରଥେ ଅମରତା ଲଭିଅଛ ମରି,
ବିସ୍ତାରି ଦେଇ ଆଦର୍ଶ ଭାଷାର ଲହରୀ ।
ତୁମ୍ଭେ ଉପଇନ୍ଦ୍ର ଦୁହେଁ ନର କି ଦେବତା,
ସ୍ଥିର କରିବାକୁ ଅଣ୍ଟୁ ନାହିଁ ମୋ କ୍ଷମତା ।
ବଞ୍ଚିଥିଲୁ କେତେ ଗୋଟା ଦିନ ବା ସଂସାରେ,
ଏତେ ରତ୍ନ ସଞ୍ଚିଗଲ ସାହିତ୍ୟ-ଭଣ୍ଡାରେ ।
ଯେତେ ଦିନ ତୁମ୍ଭେ ବେନି ଥିଲ ଧରାଧାମେ,
ତେତେ ଦିନ ବାଣୀ, ବୀଣା ରଖିଲେ ଗଞ୍ଜାମେ ।
ତୁମ୍ଭ ମାଟିଦେହ ମିଶିଯାଇଛି ମାଟିର,
ହୋଇଅଛି କୀର୍ତ୍ତିଦେହ କିନ୍ତୁ ଅନଶ୍ୱର ।
ରାଜା ହୋଇ କୃଷ୍ଣସିଂହ ସହି କେତେ ଦୁଃଖ
ସମୁଜ୍ଜ୍ୱଳ କରିଗଲେ ଜନ୍ମଭୂମି ମୁଖ ।
ବାହାରକୁ ରାଜା ମାତ୍ର ତପସ୍ୱୀ ଭିତରେ
କି ଗୀତ ଗାଇଲ କବି ୠଷିକୁଲ୍ୟା ତୀରେ ।
ବିରଚି ନୂତନ ଛନ୍ଦେ ଶ୍ରୀ ମହାଭାରତ,
ଢାଳିଦେଇ ଯାଇଅଛ ଉତ୍କଳେ ଅମୃତ ।
ଥିଲେ ତୁମ୍ଭ ପାଦୋଦକ କରିଥାନ୍ତି ପାନ,
ଛାଡିଯାଇଥାନ୍ତା ମୋର ମୂଢ଼ତା ଅଜ୍ଞାନ ।
ତବୋଦ୍ଦେଶ୍ୟେ ସାଷ୍ଟାଙ୍ଗରେ କରୁଛି ପ୍ରଣାମ,
ପବିତ୍ର ହେଲି ମୁଁ ଛୁଇଁ ତବ ଜନ୍ମସ୍ଥାନ ।
ନାହାନ୍ତି ମର୍ତ୍ତ୍ୟରେ ଆଉ ବଳି ମହାରଣେ,
ବାସ୍ତବରେ ଲୋକ ପରି ଥିଲେ ଲୋକ ଜଣେ ।
ଉଇଲିୟମ ପରି ପୁଅ ଜନ୍ମ ହୋଇ ନାହିଁ,
ଦେଶ ପାଇ ଦିନରାତି ଜାଣୁଥିଲେ ନାହିଁ ।
କରିଣ ହିତବାଦିନୀ ସମାଜ ଗଠନ,
ଚଳାଇଲେ କଲେଜରେ ଓଡ଼ିଆ ପଠନ ।
ଥିଲ ଦୁହେଁ ଗଞ୍ଜାମର ଉନ୍ନତିର ମୂଳ,
ପ୍ରଥମେ ସ୍ଥାପନ କଲ ଓଡ଼ଆ ଇସ୍କୁଲ ।
କରିଯାଇଅଛ ତୁମ୍ଭେ କାମ ପରି କାମ,
ଯଥାକାଳେ ଚାଲିଗଲ ରହିଗଲା ନାମ ।
ଦୀନବନ୍ଧୁ ପଣ୍ଡା ଜଣେ ସଚ୍ଚା କର୍ମଚାରୀ,
କର୍ତ୍ତବ୍ୟ-ନିପୁଣ ସାଧୁ ଶିଷ୍ଟ ବ୍ୟବହାରୀ ।
ଛୁଇଁବ ନାହିଁ ତାଙ୍କର ପିଠି ଯମଛାଟ,
ପଢ଼ିନାହାନ୍ତି ସେ ଯେଣୁ ଅଣ୍ଟାଖୋଷା ପାଠ ।
ସଙ୍ଗୀ ଲୋକମାନେ ଗଲେ ଉପରକୁ ଚଢ଼ି,
ସହାୟ ବଳହୀନ ସେ ତଳେ ଛନ୍ତି ପଡି ।
ନ ହେଲା ଉନ୍ନତି ଚିନ୍ତା କର ନାହିଁ ପଣ୍ଡେ,
କହିବି ଗୋଟିଏ କଥା ବସିବ କି ଦଣ୍ଡେ ।
ଘୃତାନ୍ନ ଭୋଜନଠାରୁ ଧର୍ମପଥେ ଥାଇଁ,
ଶାକାନ୍ନ ଭୋଜନ ଭଲ ନୁହଇ କି ଭାଇ !
ଧାର୍ମିକର କଷ୍ଟ ହୁଏ ଆପାତ ଦୁଃସହ,
କିନ୍ତୁ ପରିଣାମେ ତାହା ହୁଏ ସୁଖାବହ ।
କୃଷ୍ୟ ମୃତ୍ତିକାକୁ କରେ ଅନଳ ଦହନ,
ସେଥିରେ ତାହାର ହୁଏ ଉର୍ବରା ବର୍ଦ୍ଧନ ।
ଅଭାବରେ ପଡ଼ି ପଣ୍ଡେ ନ ହୁଅ ବିକଳ,
ଧାର୍ମିକ ଜୀବନେ ତାହା ପରୀକ୍ଷା କେବଳ ।
ଭାଗ୍ୟେ ଥିଲେ ପାଇ ପାର ଦିନେ ଉଚ୍ଚ ପଦ,
କିନ୍ତୁ ଭାଇ ଉଚ୍ଚପଦେ ବିସ୍ତର ବିପଦ ।
ବାଲୁଙ୍କେଶ୍ୱର ଦାସେ ତ ଚତୁରତାବଳେ,
ରାଜ-ଅନୁଗ୍ରହ ଉଚ୍ଚପଦ ଲାଭ କଲେ ।
ଶୁଣିଲି ସେ ଜଣେ ଖୁବ୍ ଚତୁର ଉତ୍ସାହୀ,
କିନ୍ତୁ ଦେଶ-ହିତ କାମ କଣ କଲେ କାହିଁ ।
ନାହିଁ ନାହିଁ ଦାସେ ଏ ତ ଭଲ ହେଉ ନାହିଁ,
ଶକ୍ତି ଅନୁରୂପ କିଛି କର ଦେଶ ପାଇଁ ।
ବିନୟୀ ଶାନ୍ତ ସ୍ୱଭାବ ହେ ବ୍ରଜସୁନ୍ଦର,
ଗଞ୍ଜାମରେ ଏକ ମାତ୍ର ଓଡ଼ିଆ ଡାକ୍ତର ।
ଯୋଗ୍ୟ ଲୋକ ତୁମ୍ଭେ ବସି ରହ ନାହିଁ ଛି ଛି,
ଗଡିଗଲା ବେଳ ଭଲା କର କାମ କିଛି ।
ସମୟ ଅତୀତ କର ନାହିଁ ନିରର୍ଥକ,
ଲେଖ ଓଡ଼ିଆରେ ଖଣ୍ଡେ ନିଦାନ ପୁସ୍ତକ ।
ଅନ୍ନଶୂନ୍ୟା ଅନ୍ନପୂର୍ଣ୍ଣା ଯାଏ ଗୀତ ବାନ୍ଧି,
ସ୍ମରିଲେ କଷଣ ତାର ପକାଏ ମୁଁ କାନ୍ଦି ।
ପାଠଶାଳା ପାଠେ ନାମମାତ୍ର ଶିକ୍ଷା ପାଇ,
ଲେଖେ ପଦେ ଅଧେ ଗୀତ ଶକ୍ତି ଅନୁଯାୟୀ ।
ଏ ହେତୁ ସେ କାହା କାହା କୋପ କଟାକ୍ଷରେ,
ପଡି ଦିନ କାଟୁଅଛି ମହା ହରବରେ ।
ଟଙ୍କା ଦେଇ କିଣନ୍ତି ଯେ ନାମ ଖ୍ୟାତି ଯଶ,
ସେମାନେ ବୁଝିବେ କାହୁଁ କବିତାର ରସ ।
ଦେଖିଛି ମୁଁ କେତେ ସିଦ୍ଧି ଫଳା ବିବର୍ଜିତ,
ଟଙ୍କା ଦେଇ ପରଗୁଣେ ବୋଲାନ୍ତି ପଣ୍ଡିତ ।
ସେମାନେ ବୁଝିବେ ଯଦି ନାରୀ କବି ମାନ,
କିଏ ଭଲା ହେବ ଆଉ ବାତୁଳ ଅଜ୍ଞାନ ।
କର ନାହିଁ କର ନାହିଁ ନାରୀକବି ଭୟ,
ଶୁଭ କାର୍ଯ୍ୟେ ବିଘ୍ନ ଘଟେ ଏହା ସୁନିଶ୍ଚୟ ।
ଶତ ବାଧା ଶତ ବିଘ୍ନେ ନ ହୁଅ ଅସ୍ଥିର,
କର ସଦବ୍ୟବହାର ଆପଣା ଶକ୍ତିର ।
ଏ ନୀତି ବଚନ ମନେ ରଖ ସବୁବେଳେ,
‘‘କୀର୍ତ୍ତିରକ୍ଷର ସମ୍ବନ୍ଧା ସ୍ଥିରା ଭବତି ଭୁତଳେ ।’’
ହିନ୍ଦୁକୁଳ ଭୁଆସୁଣୀ ଅଟନ୍ତି ସାବିତ୍ରୀ,
ଜାଣନ୍ତି ସର୍ବେ ଜଣେ ସେ ଭଲ ରଚୟିତ୍ରୀ ।
ଗଦ୍ୟ ପଦ୍ୟ ରଚନାର ସମାନ ନିପୁଣା,
ଜଣାଯାଏ ଉପଯୁକ୍ତ ଥିବ ପଢ଼ାଶୁଣା ।
କେତେ ଥର ତାଙ୍କ ଲେଖା ପଢ଼ି ହୁଏ ଭେକା,
ବାରି ନୁହେଁ ସ୍ତ୍ରୀ ଲେଖା କି ପୁରୁଷର ଲେଖା ।
ଲେଖ ଲେଖ ଲେଖ କବି ମଣ ନାହିଁ କ୍ଳେଶ,
ଭଗ୍ନୀଗଣେ ଦେଇଯାଅ ହିତ ଉପଦେଶ ।
ମନେ ହେଲା ହେ ସିଂହାଦ୍ରି ଗନ୍ତାଇତ ଭାଇ,
ପାଠଗୁଡ଼ା ପେଟେ ରଖି ଦେଉଛ ପଚାଇ ।
ଭାଷାତତ୍ତ୍ୱେ ତୁମ୍ଭର ତ ଥିଲା ଅଧିକାର,
କଲ ନାହିଁ କିନ୍ତୁ ତାର ସଦବ୍ୟବହାର ।
ହୋଇ ଯାଇ ନାହିଁ କିଛି ତୁମ୍ଭେ ବୁଢ଼ା ହଡ଼ା,
ତେବେ କିଆଁ ନ ଶୁଣିବ କଥା କଡ଼ା କଡ଼ା ।
ଦେଶ ଆଶାସ୍ଥତ ତୁମ୍ଭେ ଗଲା ଦିନ ବହି,
କାହାକୁ କହିବୁଁ ଆଉ ତୁମ୍ଭଙ୍କୁ ନ କହି ।
ଗଲା କଥା ଯାଉ ଛାଡ଼ କି ଫଳ ତହିଁରେ,
ମାତୃସେବା କରି ହୁଅ ଆଦର୍ଶ ମହୀରେ ।
ମହାଦେବ ରାଜଗୁରୁ ମହାପାତ୍ରେ କିହେ,
ନାମ ଲେଖାରେ ତ ଖାଲି ଗଲାଣି ଧାଡ଼ିଏ ।
ଏଡ଼େ ନାମଟାଏ ନନା ବହିଛ କିପାଇଁ,
କେବେ ହେଲେ ଦେହକୁ କି ଭାରି ଲାଗୁ ନାହିଁ ।
ଅତୀବ ରକ୍ଷଣଶୀଳ ଅଭିମାନ-ଅନ୍ଧ-
ବଂଶେ ଜନ୍ମି ଜାଣ ନାହିଁ କିନ୍ତୁ ଛନ୍ଦ ମନ୍ଦ ।
ନିରଭିମାନିତା ତବ ପ୍ରଶଂସ୍ୟ ନିଶ୍ଚୟ,
ଅନ୍ୟ ପକ୍ଷେ ହୋଇପାରେ ଅନୁକରଣୀୟ ।
ଘେନି ସଂସ୍କାରକ କାର୍ଯ୍ୟାଧ୍ୟକ୍ଷ କାର୍ଯ୍ୟଭାର,
ଦେଇଅଛ ପରିଚୟ ଆପଣା କାର୍ଯ୍ୟର ।
କର ଦେଶକାଳଯୋଗ୍ୟ ସଂସ୍କାର ବିଧାନ,
ଉଗ୍ର ସଂସ୍କାରରେ ଭାଇ ନାହିଁ ପ୍ରୟୋଜନ ।
ପୁଅଟାଏ ଶଶିରଥ ମାରିଦେଇ ଡିଏଁ,
ମାନ୍ଦ୍ରାଜୁ ଶିଖି ଆଯସିଲା କେଡ଼େ କାମଟାଏ ।
ଧନ୍ୟବାନ ଦେବି ତାର ନୈତିକ ସାହସେ,
କରି ନାହିଁ ମଧ୍ୟ ଅଳ୍ପ ଅଧ୍ୟବସାୟ ସେ ।
ସାବାସ ସାବାସ ରଥେ ସାବାସ ସାବାସ,
ଷାଠିଏ ଚନ୍ଦ୍ରର ମୁଖ ଦେଖ ମାସ ମାସ ।
ସର୍ବକାର୍ଯ୍ୟେ ଦେଖିବ ଯେ ଜାତି ଯିବା ସ୍ୱପ୍ନ,
କିପରି କରିବ ସେହୁ ଉନ୍ନତି ସାଧନ ।
ପାଠ ପଢ଼ିଲେ ତ ଭାଇ ଯାଏ ନାହିଁ ଜାତି,
ବରଞ୍ଚ ସେଥିରେ ବଢ଼େ ବେଶି ଜାତିପ୍ରୀତି ।
ଅତଏବ ଛାଡି ଦେଶାଚାର କୁସଂସ୍କାର,
ଉନ୍ନତିକୁ କର ଏକା ମୂଳମନ୍ତ୍ର ସାର ।
ଆୟା ବଳରାମ ଦାସେ ହେ ସିରସ୍ତାଦାରେ,
ଚିରସ୍ଥାୟୀ ପଟ୍ଟା କଲ ବୋଇରାଣୀଠାରେ ।
ଜାଣେ ମୁହି ନୁହଁ ତୁମ୍ଭେ ଏ ଦେଶ ନିବାସୀ,
ପଢ଼ିଲ ଓଡ଼ିଆ ପାଠ ଏ ଦେଶକୁ ଆସି ।
ଏ ଦେଶୀୟମାନଙ୍କର ଶୁଭ କାମନାରେ,
ଅଚ୍ଛ ପରା ଉଚ୍ଚ ସ୍କୁଲ ସ୍ଥାପନ ଇଚ୍ଛାରେ ।
ଚାନ୍ଦା କରି ଲଗାଇଛ ଘରତୋଳା କାମ,
ଶୁଭେ ପୂର୍ଣ୍ଣ ହେଉ ତୁମ୍ଭ ଶୁଭ ମନସ୍କାମ ।
ଗଞ୍ଜାମ ଅନ୍ନେ ପାଳିତ ସର୍ବ ବୈଦେଶିକ,
ଶିଖିବେ କି ଦାସଙ୍କର ଏ ସଦ୍ଗୁଣଟିକ ।
ସାଧୁ ସାଧୁ ସାଧୁ ଦାସେ ସାଧୁ ତୁମ୍ଭ ହିଆ,
କାହିଁକି ମୁଁ ନ କହିବି ତୁମ୍ଭଙ୍କୁ ଓଡ଼ିଆ ।
କୃପାସିନ୍ଧୁ ତ୍ରିପାଠୀ ହେ ତର୍କପଞ୍ଚାନନ,
ଦେଶ ପାଇଁ କିଞ୍ଚିତରେ ଦିଅ ଭଲା ମନ ।
ଶୁଣିଛି ମୁଁ ତୁମ୍ଭେ ଜଣେ ସୁପଣ୍ଡିତ ବଡ଼,
ପଢ଼ି ଆସିଅଛ ପାଠ ଶଗଡ଼ ଶଗଡ଼ ।
ଭାବିଥିଲେ ଲୋକେ ତୁମ୍ଭେ ତେଣୁ ଆସି ଫେରି,
ଜ୍ଞାନାଲୋକେ ଦେବ ଦେଶ ଉଦ୍ଭାସିତ କରି ।
ମାତ୍ର କି କହିବି ବୁଦ୍ଧି ସ୍ମରୁ ନାହିଁ ମୋର,
ତେଣୁ ଫେରି ପୋଥିରେ ତ ବାନ୍ଧିଦେଇ ଡୋର ।
କର ଯୋଡି କହୁଅଛି ପଣ୍ଡିତ ଗୋସାଇଁ,
ଏଡ଼େ ଆଣ୍ଟ କରି ସ୍ୱାର୍ଥେ ଭିଡି ଧର ନାହିଁ ।
ଆଉ କିଛି କାମ ପଛେ କର ବା ନ କର,
ମାତ୍ର ଏକ ଅନୁରୋଧ ରଖିବ ମୋହର ।
ଆପଣଙ୍କ ଅନୁରୂପ ଯୋଗ୍ୟତା ପ୍ରଦାନ,
କର କେତେ ଜଣ ଯୋଗ୍ୟ ଶିଷ୍ୟେ ପଞ୍ଚାନନ ।
ତାହା ହେଲେ ଯିବାବେଳେ ବାଟଖର୍ଚ୍ଚ ପାଇଁ,
ହରବର ହେବ ନାହିଁ ପଣ୍ଡିତ ଗୋସାଇଁ !
ମୋ କଥାଟା ମିଛ ହେଲେ ଦେବ ପଛେ ଗାଳି,
ଜୀବନୀ ଖାତାକୁ ଥରେ ପକାଅ ଅଣ୍ଡାଳ ।
ଭଲରୂପେ ଦେଖ ପତ୍ରେ ପତ୍ରେ ଓଲଟାଇ,
କଅଣ ରଖିଛ କାହିଁ ବାଟଖର୍ଚ୍ଚ ପାଇଁ ।
ସେଥିପାଇଁ କହୁଅଛି ହେ କାବ୍ୟରସିକ,
ବେଳ ଥାଉଁ ଥାଉଁ ଭଲା ଚିନ୍ତ ପାରତ୍ରିକ ।
ଦୟାନିଧି ପାତ୍ରେ ତାଙ୍କ ନିବାସ ବୁଗୁଡ଼ା,
ଭଗବଦ୍ଭକ୍ତିରେ ସଦା ବୁଡ଼ିଅଛି ବୁଢ଼ା ।
ବିଷୟ ଜ୍ଞାନସମ୍ପନ୍ନ ସାତ୍ତ୍ୱିକ ପୁରୁଷ,
ଦେଶକାର୍ଯ୍ୟ କରି ଭଲା ଦେଖାଅ ପୌରୁଷ ।
ଧନ ଅଛି, ଶକ୍ତି ଅଛି, ଅଛି ପୁଣି ମନ,
କିନ୍ତୁ ବାବୁ ଆସୁଅଛି ସରି ତ ଜୀବନ ।
ଚାହୁଁ ଚାହୁଁ ସମୟ ତ କ୍ରମେ କ୍ରମେ ଗଲା,
ବେଳ ଥାଉଁ ଥାଉଁ କିଛି କରିଯାଅ ଭଲା ।
ହରିଡ଼ାଖଣ୍ଡି ମହନ୍ତ ତ୍ରିତଳ ପ୍ରାସାଦ,
ଜନ୍ମାଇଲା ମନେ ମୋର ଅତୁଲ ଆହ୍ଲାଦ ।
ସ୍ୱର୍ଗକୁ ନିଶୁଣୀ ପରି ଲାଗିଛି ପାହାଚ,
ମଣ୍ଡିତ ଗବାକ୍ଷେ ଦ୍ୱାରେ ନାନାବର୍ଣ୍ଣେ କାଚ ।
ଦେଖିଲି କେତେ ପଦାର୍ଥ ଗାଡ଼ି, ହାତୀ, ଘୋଡ଼ା,
ଯୋଗୀଙ୍କର ଘୃଣ୍ୟ ସିନା ଭୋଗୀଙ୍କୁ ତ ଲୋଡ଼ା ।
ମହେନ୍ଦ୍ର ଭୁବନ ନୁହେଁ ତାହା ସଙ୍ଗେ ଲେଖା,
ମହନ୍ତଙ୍କ ସଙ୍ଗେ ଥରେ କରେଁ ଭଲା ଦେଖା ।
ବାବାଜି ହେ ତୁମ୍ଭେ ଜଣେ ସୁସତର୍କ ଲୋକ,
ତେଣୁ ହେଇ ସମ୍ମିଳନୀ କୋଷର ରକ୍ଷକ ।
ତୁମ୍ଭପ୍ରତି ଓଡ଼ିଆଙ୍କ ଭକ୍ତି ଓ ବିଶ୍ୱାସ,
କିପରି ପ୍ରବଳ ଏଥୁଁ ବୁଝି ତା ଆଭାସ ।
ତ୍ୟାଗୀ ହୋଇ ରାଜା ପରି ଅଟ ଧନେ ମାନେ,
କିନ୍ତୁ ଦାତାପଣ କଥା ନ ଶୁଣିଲି କାନେ,
ତୁମ୍ଭର ସମ୍ମାନରକ୍ଷା ଭଳି କେତେ ଗୋଟା,
କାମ କରି ଗୋସାଇଁ ହେ ନାମ କର ମୋଟା ।
ଓଡ଼ିଆ ଭକ୍ତଙ୍କ ହିତେ ସଦା ମନ ଦିଅ,
ହୁଅ ଆନ ମହନ୍ତଙ୍କ ଆଦର୍ଶସ୍ଥାନୀୟ ।
ସ୍କୁଲ ସୁପର୍ଭାଇଜର ଦୟାନିଧି ଦାସେ,
ଉତ୍ସାହୀ ଯୁବକ କିପାଁ ବସିଛ ଉଦାସେ ।
ଶକ୍ତି ଅନୁରୂପ ତୁମ୍ଭ କାର୍ଯ୍ୟ ନ ଦେଖି ତ,
ସକଳେ ଅଛନ୍ତି ଭାଇ ମୋ ପରି ଦୁଃଖିତ ।
ଶୁଣ ଆହେ ଗଞ୍ଜାମର ମିସ୍ନେରୀ ଦଳ,
ତୁମ୍ଭର ସହାନୁଭୂତି ଅତ୍ୟନ୍ତ ପ୍ରବଳ ।
ଓଡ଼ିଆଙ୍କ ପ୍ରତି ଅଛି ସତ୍ୟ, ନ୍ୟାୟ, ନିଷ୍ଠା,
ପୁଣି ରାଜଦ୍ୱାରେ ଅଛି ଯଥେଷ୍ଟ ପ୍ରତିଷ୍ଠା ।
ଓଡ଼ିଆଙ୍କ ସର୍ବବିଧ ଉନ୍ନତି କାମନା,
ବିଶେଷ ଭାବରେ କର ଏହା ମୋ ପ୍ରାର୍ଥନା ।
ଆଉ କେତେ ଜଣ ପରା ଯାଇଥିବେ ରହି,
କ୍ଷମାକର ଆଉ ଏତେ ପାରେ ନାହିଁ କହି ।
ନାମ ପଛେ ଛାପା ନୋହୁ କରିଯାଅ କାମ,
ଲେଖାରେ କି ହେବ ଭାଇ କାମଗୁଣେ ନାମ ।
ନିଜ କ୍ଷମତାରେ କର ନାହିଁ ଅବିଶ୍ୱାସ,
କାର୍ଯ୍ୟକ୍ଷେତ୍ରେ ପଶି କର ବିକ୍ରମ ପ୍ରକାଶ ।
କହିବ ବା କି କରିବୁଁ ଆମ୍ଭେ ତ ନିର୍ଦ୍ଧନ,
କିନ୍ତୁ ଜାଣ ଦେଶବାସୀ ଦେଶ ମୂଳଧନ ।
ଯାର ଯେଉଁ ଶକ୍ତି ଅଛି କର ତା ପ୍ରୟୋଗ,
ଅବିଳମ୍ବେ ଛାଡ଼ିଯିବ ଦେଶରୁ ଦୁର୍ଯୋଗ ।
ବହୁକ୍ଷୁଦ୍ର ଶକ୍ତି ମିଶି ମହାଶକ୍ତି ଏକ,
ହୁଏ ପରା ତା ପ୍ରମାଣ ଦେଖିବ ତ ଦେଖ ।
ଜଣକର ବୋଝ ହୁଏ ସାତପାଞ୍ଚ ଯଷ୍ଟି,
ମହାସିନ୍ଧୁ ଅଟେ ଜଳବିନ୍ଦୁର ସମଷ୍ଟି ।
ଶିକ୍ଷାର ଉନ୍ନତି ପ୍ରତି ତୀକ୍ଷ୍ଣଦୃଷ୍ଟି ରଖ,
କୃଷିଶିଳ୍ପ ବାଣିଜ୍ୟରେ ନ ହୁଅ ବିମୁଖ ।
ଗଞ୍ଜାମ ଉତ୍କଳ ଦେଶ ନୁହେଁ ଭିନ୍ନ ଭିନ୍ନ,
ବିଦେଶୀୟ ରାଜନୀତି କରୁଛି ବିଚ୍ଛିନ୍ନ ।
ଉତ୍କଳ ଗଣ୍ଡି, ଗଞ୍ଜାମ ମୁଣ୍ଡ ଅଟେ ତାର,
ଏକ ଜାତି ଏକ ଭାଷା ଆଚାର ବେଭାର ।
ମୁଣ୍ଡ ଗଣ୍ଡି ଏକତ୍ରିତ ନ ହେଲେ କିପରି,
ଠିଆ ହେବ ଦୃଢ଼େ ସେହୁ ପ୍ରାଣଶକ୍ତି ଧରି ।
କର୍ଜନ ସାହେବଙ୍କର ଅଛି ବଡ଼ ମଥା,
ବୁଝୁଥିଲେ ସେ ମହାତ୍ମା ଏ ସକଳ କଥା ।
ତେଣୁ ଗଞ୍ଜାମ ଜିଲାକୁ ଓଡ଼ିଶା ସହିତେ,
ମିଶାଇଦେବାକୁ ସ୍ଥିର କରିଥିଲେ ଚିତ୍ତେ ।
ହାୟ ସେ ଦୁଃଖ କାହାଣୀ କହିଲେ କି ହେବ,
କରି ଦେଲେ ନାହିଁ କିନ୍ତୁ ଏମଥିଲ ସାହେବ ।
ଥିଲେ ଏମଥିଲ ଲାଟ ଖୁବ୍ ଦୟାବାନ,
ଓଡ଼ିଆଙ୍କ ଭାଗ୍ୟଦୋଷେ ହେଲେ ସେ ପାଷାଣ ।
ଗଞ୍ଜାମ ଓଡ଼ିଆ ଭାଇ ନ ହୁଅ ନିରାଶ,
ଦିନେ ନିଶ୍ଚେ ପୂର୍ଣ୍ଣ ହେବ ତୁମ୍ଭ ଅଭିଳାଷ ।
ନ ହେଲା ଦେଶମିଶ୍ରଣ ବୋଲି ନୁହ ଭାଳି,
ଆଜି ହେଲା ନାହିଁ ସିନା ହୋଇପପାରେ କାଲି ।
ସେ କଥା ତ ଅଛି ରାଜପୁରୁଷଙ୍କ ଭାଗେ,
ତୁମ୍ଭର କର୍ତ୍ତବ୍ୟ ସାହା ତୁମ୍ଭେ ପାଳ ଆଗେ ।
ନାହାନ୍ତି ସେ ଏମଥିଲ ଗଲେଣି ତ ଚାଲି,
ବର୍ତ୍ତମାନ ଲାଟ୍ସାହେବ ସାର ଅର୍ଥର ଲଲୀ ।
ଭାରତର ବଡ଼ଲାଟ ମିଣ୍ଟୋ ମହାଯଶା,
ବୁଝିବେ ସେ ସବୁକଥା ଅଛି ବଡ଼ ଆଶା ।
ନ ଛାଡ଼ ଅଧ୍ୟବସାୟ ଲାଗ ବାରମ୍ବାର,
କାର୍ଯ୍ୟ ଅନୁରାଗ ଥିଲେ ହୁଏ କାର୍ଯ୍ୟୋଦ୍ଧାର ।
କେତେ ଗୋଟା ରାଜଧାନୀ ଗଞ୍ଜାମରେ ଆଉ,
ରହିଗଲା ଯାଉ ପଛେ କେ ଯାଉଛି ଆଉ ।
କିଏ କୁସଂସ୍କାରମୟ କିଏ ଅନ୍ଧକାର,
କାହିଁବା ଉନ୍ନତି ନାମେ ପଡ଼ି ନାହିଁ ଗାର ।
ତେଲଙ୍ଗାଙ୍କ ସଙ୍ଗ ମେଳେ ସେ ରାଜ୍ୟ ନୃପତି,
ନିଜକୁ ଓଡ଼ିଆ ବୋଲି ଭୁଲିଯାଇଛନ୍ତି ।
ଓଡ଼ିଆଙ୍କ ଦେହ ତାଙ୍କୁ ଗନ୍ଧାଏ ବିସ୍ତର,
ସାଜିଛନ୍ତି ଘରଢ଼େଙ୍କୀ ହୋଇଣ କୁମ୍ଭୀର ।
ଆନ୍ଧ୍ରଙ୍କୁ କୁଣ୍ଡାଇଛନ୍ତି ଖୁବ୍ ଭିଡ଼ି ଧରି,
କହିବେ ପରା ସେମାନେ ତୁ ତୁ କାର କରି ।
ଯିବା କଥା ଥାଉ ସେହି ରାଜ୍ୟକୁ ଜୁହାର,
ସେଠାରେ କରନ୍ତା କିଏ ମୋତେ ସମାଦର ।
ଇତି ହେଉ ତାହାଙ୍କର ଏବେ କାର୍ତ୍ତିଗୀତା,
ଅତି ଚିପୁଡ଼ିଲେ ଲେମ୍ଭୁ ହୁଏ ପରା ପିତା ।
ଗଞ୍ଜାମେ ବୁଢ଼ାଙ୍କ ଶ୍ରଦ୍ଧା ଅଳଙ୍କାରେ ଭାରି,
ନାହାନ୍ତି ଅଳପ ମଧ୍ୟ ତହିଁ ମେଡ଼େଲଧାରୀ ।
କାହା କର୍ଣ୍ଣେ ହଳେ ହଳେ ସୁବିଶାଳ ନୋଳି,
ଖଣ୍ଡମଣ୍ଡଳରେ ସଦା ହେଉଥାଏ ଦୋଳି ।
ଦେଖିବ ଯଦ୍ୟପି ଜଣେ କୁଣ୍ଡଳ-ମଣ୍ଡିତ,
ତକ୍ଷଣରେ ବୁଝିନେବ ସେ ଜଣେ ପଣ୍ଡିତ ।
ଅଳଙ୍କାରୁ ଛାଡ଼ ନୁହେଁ ନାକ କାନ ଗଳା,
ଗୋଟେ ହାତେ ଢଙ୍ଗଢ଼ଙ୍ଗେ ପଟେ ପଟେ ବଳା ।
ହଡ଼ପରତ୍ନ, ଚମ୍ପତିର କେହି ରାୟୁଗୁରୁ,
ପାଇଛନ୍ତି ସେ ସ୍ୱର୍ଗର ନିଶୁଣୀ ଛାମୁରୁ ।
ପଦଦାନେ ଶ୍ରୀଛାମୁଏ ଭାରି ମୁକ୍ତହସ୍ତ,
ଢାଳୁଛନ୍ତି ଅବିରତେ ପାଉଁଶରେ ଘୃତ ।
ଯାଉ ତାହା କ୍ରମେ କଥା ପଡ଼ୁଅଛି ବଳି,
ଶୁଣିଲେ ସେ କଥା ଛାମୁ ହେବେ କାଳେ ଚଳି ।
ଅଛନ୍ତି କେତେ ଶ୍ରୀଚ୍ଛାମୁ ଅନ୍ଦର-ନବିସ୍ ଭାରି,
ସେମାନଙ୍କ ସଙ୍ଗୀ ସଦା ଗଉଡ଼ ଭଣ୍ଡାରୀ ।
ତାହାଙ୍କ ଉଦ୍ଦେଶ୍ୟରେ କରେ ତପସ୍ୟା ସାଧନ,
ତଥାପି ନ ମିଳେ ଥରେ ଛାମୁଙ୍କ ଦର୍ଶନ ।
ନୁହନ୍ତି ନର ସେମାନେ ସ୍ୱର୍ଗର ଅମର,
ଜନ୍ମିଛନ୍ତି ମର୍ତ୍ତ୍ୟେ ସାଜି କଳ୍କୀ ଅବତାର ।
ଅପାତ୍ରେ ଅବିଦ୍ୟା ନୃତ୍ୟେ ଯାଏ ସୁଅ ବହି,
କିନ୍ତୁ ଦେଶକାର୍ଯ୍ୟ ବେଳେ ଲସି ଫିଟେ ନାହିଁ ।
ଯାଉ ସେ କଥା ମାଜିଲେ ହେବ କେଉଁ କାର୍ଯ୍ୟ,
ଘରକଥା କହିବାକୁ ମାଡ଼ୁଅଛି ଲାଜ ।
ଶୁଣିଲି କେତେକ ରାଜା ଲଗାଇ ହଳଦୀ,
ବୋଝେ ବୋଝେ ଅଳଙ୍କାରେ ହୋଇଥାନ୍ତି ଲଦି ।
ଘୋର କୁସଂସ୍କାରରକ୍ଷୀ ତାହାଙ୍କର ରୀତି
ସେମାନେ କହନ୍ତି ପୁଣି ଏହା ରାଜନୀତି ।
ସତ୍ୟେ ଧର୍ମେ ରାଜ୍ୟରକ୍ଷା ପ୍ରଜା ସୁପାଳନ,
ନ୍ୟାୟେ ରାଜକୋଷ ବୃଦ୍ଧି ସତ୍ପାତ୍ରରେ ଦାନ,
ଅପକ୍ଷପାହିତା ପୂର୍ବେ ଏହି ଶୁଭ କାମେ,
ଅଭିହିତ ହେଉଥିଲା ରାଜନୀତି ନାମେ ।
ସେହି ରାଜନୀତି ଏବେ କାଳର ଶାସନେ
ଖଟିଲା ବେଶ ଭୂଷଣ ଶୟନ ଭୋଜନେ ।
ଏହାଠାରୁ ଦୁଃଖ ଆଉ ଅଛି କିସ ବଳି,
ଦେଖି ଦେଖି ମନେ ହୁଏ ଘୋର ହେଲା କଳି ।
ଗଞ୍ଜାମର ଶିଶୁ ବୃଦ୍ଧ ବାକଳ ବାଳିକା,
ସମସ୍ତଙ୍କୁ ଲୋଡ଼ାହୁଏ ନାସ ଆଉ ପିତା ।
ଗ୍ରାମେ ଗ୍ରାମେ ଅଛି ପ୍ରାୟ ଅବିଦ୍ୟା-ନିବାସ,
କେତେ ଯୁବା ସେ ଅନଳେ ଦେଉଛନ୍ତି ଝାସ ।
କରନ୍ତୁ ଶ୍ରୀବତ୍ସ ବାବୁ ଏହା ପ୍ରତିକାର,
ଏଠାରୁ ଆରମ୍ଭ ହେଉ ସମାଜସଂସ୍କାର ।
ଏହି ସମ୍ବନ୍ଧରେ ଆଉ କେତେ ବିଷୟରେ,
ତୀବ୍ର ମନ୍ତବ୍ୟର ଇଚ୍ଛା ଥିଲା ହୃଦୟରେ ।
ଲୋକଙ୍କ ଅପ୍ରୀତିକର ହେବ ବୋଲି ଭାବି,
ରଖିଦେଲି ସେ କଥାକୁ ହୃଦେ ଦେଇ ଚାବି ।
ଓଡ଼ିଆ ଭାଇଙ୍କ ସଙ୍ଗେ କଥା ବକି ବକି,
ଦୁଇ ତିନି ଦିନ ଯାଏଁ ପଡ଼ିଥିଲି ଥକି ।
ଏବେ ଯାଇ ପଚାରିବି ତୈଲଙ୍ଗୀ ବନ୍ଧୁଙ୍କୁ,
ଓଡ଼ିଆଙ୍କ ହିତଚିନ୍ତା ନ କରନ୍ତି ଏନ୍ଦକୁ ।
ଏକଡ଼ରାଣ୍ଡି ଆୟାଗାରୁ ପଚାରେଁ ମୁଁ କହ,
ଗଞ୍ଜାମ ମାତାର ପରା ତୁମ୍ଭେ ଦୁଇ ପୁଅ ।
ତୁମ୍ଭେମାନେ ବଡ଼ ଭାଇ ଓଡ଼ିଆଏ ସାନ,
ଭାଇ ବିଷୟରେ କିପାଁ ତୁମ୍ଭେ ଉଦାସୀନ ?
ଦୁଧ ଭାତ କ୍ଷୀରିପିଠା ନିଅ ତୁମ୍ଭେ ଟାଣି,
ଓଡ଼ିଆ ନ ପାନ୍ତି ମନ୍ଦେ ଅଲଣା ତୋରାଣି ।
କଦାଚିତ ଏହା ଧର୍ମସଙ୍ଗତ ନୁହଇ,
କିପରି କର ହେ ରକ୍ତମାଂସ ଦେହ ବହି ।
ସୁନ୍ଦର ପ୍ରତିମା ଗଢ଼ି କନ୍ଧଦେଶେ ତାର
ବସାଇଲେ ଭିନ୍ନମୁଣ୍ଡ ଶୋଭେ ଯେ ପ୍ରକାର ।
ସେହିପରି ତୁମ୍ଭ ମୁଖେ ଓଡ଼ିଆ ଭାଷାଟି,
ଶୁଦ୍ଧତା ହରାଇ ହୁଏ ଷୋକପଣ ଘାଟି ।
ବିଶୁଦ୍ଧ ଓଡ଼ିଆ ଭାଷା ଶିଖ ଲେଖି କହି,
ଓଡ଼ିଆ ଭାଷାର ସବୁ ପଢ଼ ଭଲ ବହି ।
ଓଡ଼ିଆ ମହାଭାଷା ତ ସଂସ୍କୃତର କନ୍ୟା,
ନୁହଇ ଉଚିତ ତାକୁ କରିବା ଅମାନ୍ୟା ।
ଶିଖିବା ପାଇଁ ତା, କହିଥିଲି ଏହି ହେତୁ,
ଭଲ କଥା କହୁଅଛି ମଣ ନାହିଁ କେତୁ ।
ଓଡ଼ିଆଏ ଅଶିକ୍ଷିତ ଥିବେ ଯେତେ ଦିନ,
ତେତେ ଦିନ ଥିବ ତୁମ୍ଭେ ଏକ ଅଙ୍ଗହୀନ ।
କଥାଏ କହିବି ଆଉ ଯିବ ନାହିଁ ଚିଡ଼ି,
ତୁମ୍ଭ ମାତୃଭାଷା ସୁଦ୍ଧା ଅଦ୍ଭୁତ ଖେଚିଡ଼ି ।
ଅରୁଆ, ଇଂରାଜୀ ପୁଣି ତାମିଲ ଓ ହିନ୍ଦୀ,
ତୁମ୍ଭ ମାତୃଭାଷାରେ ତ ହୋଇଅଛି ଖୁନ୍ଦି ।
ଇଂରାଜୀକୁ ଖୁବ୍ ଆଣ୍ଟେ ଧରିଅଛ ଟାଣି,
ରଖିଅଛି ବନ୍ଧ ଦେଇ ଧରି ବର୍ଷା ପାଣି ।
ନିଜ ମାତୃଭାଷା ଅଙ୍ଗ କର ସୁନିର୍ମଳ,
ଭ୍ରାତୃଭାବେ ଓଡ଼ିଆଙ୍କୁ କର ଅନୁବଳ ।
ସ୍ୱାର୍ଥ ତେଜି କରେ ଯେହୁ ପର ଉପକାର,
ସାଧନ୍ତି ଦେବତାବୃନ୍ଦ ମଙ୍ଗଳ ତାହାର ।
କଳେଇ ବାସନେ ଖାଅ ଏ ବଡ଼ ଦୁର୍ଗୁଣ,
ତହିଁରେ କି ବେଶୀ ସ୍ୱାଦୁ ଲାଗେ ଭାତ ତୁଣ ?
ଦେଶୀୟ ପଦାର୍ଥେ ତୁମ୍ଭେ ଘୃଣା କର ଭାରୀ,
ସେଗୁଡ଼ାକ ମୋଟା ପୁଣି ଓଡ଼ିଆ ତିଆରି ।
ତୁମ୍ଭ ଧନେ ବିଦେଶୀଏ ମାରୁଛନ୍ତି ହେଣ୍ଡି,
ସୁନା ଦେଇ ତୁମ୍ଭେମାନେ କିଣୁଛନ୍ତି ଭେଣ୍ଡି ।
ବିଳାସିତା ଊଣା ନୋହେ ପେଟେ ଭାତ ନାହିଁ,
ବୁଲୁଥାଅ ଫୁଲହାର ଗଳାରେ ପକାଇ ।
କି ସୁଖ ଲଭ ସେଥିରୁ ତୁମ୍ଭଙ୍କୁ ତା ଜଣା,
ଭାବି ଭାବି କିନ୍ତୁ ମୋର ବୁଦ୍ଧି ହୁଏ ବଣା ।
ଏ. ବି. ସି. ଡ଼ି. ପଢ଼ି ହେଲ ଇଂରାଜୀ ପଢ଼ୁଆ,
ମାତୃଭାଷା କହିବାକୁ ଲାଗିଲା ଅଡ଼ୁଆ ।
ଭାଷାରେ ଇଂରାଜୀ ଏତେ ଯୋଟ କାହିଁ ପାଇ,
ଜାତୀୟ ଶବ୍ଦଗୁଡ଼ା କି ମନେ ପଡ଼େ ନାହିଁ ।
ଇଂରାଜୀ ପଢ଼ିଛ ବୋଲି ଶୋଇଲେ ରାତିରେ,
ଦେଖିବ କି ସ୍ୱପ୍ନ ସୁଦ୍ଧା ସେହି ଇଂରାଜୀରେ ।
ଦୁଃଖ ରହିଗଲା ମନେ ଗୋଟିଏ କଥାରେ,
ଉଦ୍ୟାନଖଣ୍ଡକୁ ଯାଇ ନ ପାରିଲି ବାରେ ।
ଗଞ୍ଜାମ ଜିଲାର ସେ ତ ଅଟେ କାମଧେନୁ,
ତାହାର ଧୂଳି କଣିକା ନିଶ୍ଚେ ରତ୍ନରେଣୁ ।
ଇଚ୍ଛାପୁର ‘‘ପିର୍ଲ୍ଲୁକୋଣ୍ଡା’’ ପାହାଡ଼ ଉପରୁ,
ଉଦ୍ୟାନର ଚାରୁଶୋଭା ଦେଖିଲି ଦୂରରୁ ।
ସମୁଦ୍ର ବେଳାଭୂମିରେ ସେ ଉଦ୍ୟାନଖଣ୍ଡ,
ଆଖି ଢାଙ୍କି ପଡ଼େ ଦେଖି ଅତୀବ ପ୍ରକାଣ୍ଡ ।
ଅସମୟେ ଫଳ ଫୁଲ ଧରଇ ଉଦ୍ୟାନ,
ବରୁଣ ଦେବଙ୍କର ସେ ବିଦ୍ୱାରୋପବନ ।
ଲେଖନୀରେ ବର୍ଣ୍ଣି ନୁହେଁ ଉଦ୍ୟାନର ଛବି,
ବର୍ଣ୍ଣିଛନ୍ତି ନିଜ କାବ୍ୟେ କାଳିଦାସ କବି ।
ଗଞ୍ଜାମରେ କେତେ ଅଛି ପୁଣ୍ୟପୀଠ ସ୍ଥାନ,
ଗଣି ନୁହେଁ ପୁଷ୍କରିଣୀ ଦେବାଳୟମାନ ।
ଅନେକ ଭଲ ପଦାର୍ଥ ମିଳେ ଏ ଜିଲାରୁ,
ହରିନିଏ ହୃଦମନ ସୁନାରୁପାକାରୁ ।
ବ୍ରହ୍ମପୁରୀ ପାଟଲୁଗା ଢାଳ କାଠଚଟି,
ପାରଳାର ଯାଇଖାଡ଼ି-ବୁଣା ବ୍ୟାଗ୍, ପଟି,
ସୁନ୍ଦର ତେଲପାନିଆ ସିଂହର ଆକୃତି,
ରମ୍ୟ କାରୁକଳାଯୁକ୍ତ କାଷ୍ଠ ଶିଳାମୂର୍ତ୍ତି,
ବେଲଗୁଣ୍ଠା ପିତଳ ମାଛ ପିତଳ ବାସନ,
ଦେଖିଲେ ରହିବ ଲାଖି ତହିଁ ନେତ୍ରମନ ।
ଦିଶିଲାଣି ଋଷିକୁଲ୍ୟା ଏହି ତ ଆଗରେ,
ଶିଖିଭୀତ ଫଣୀ ପରି ଗତି କରେ ଖରେ ।
ଋଷିତପସ୍ୟା-ସମ୍ଭବା ଋଷିମାକ-କନ୍ୟା,
ସୁପବିତ୍ରା, ସ୍ୱଚ୍ଛନୀରା ନଦୀକୂଳେ ଧନ୍ୟା ।
ମର୍ତ୍ତ୍ୟରେ ଅମୃତ ସମ ଅଟେ ତୋର ନୀର,
କରେ ଜୀବ ପିଣ୍ଡ ବୃଦ୍ଧି ଯଥା ମାତୃକ୍ଷୀର ।
ତୀରେ ଶୋଭେ ବାଲିସ୍ତୂପ ଖଡ଼ିଶୈଳାକୃତି,
ପୁଞ୍ଜୀଭୂତ ହୋଇଛି କି ତୋହର ସୁକୃତି ?
ଗଞ୍ଜାମବାସୀଙ୍କ ରକ୍ତ ତୋ ଜଳକଣିକା,
ତୋ ଯୋଗୁଁ ପ୍ରସବେ ସୁନା ଗଞ୍ଜାମ ମୂର୍ତ୍ତିକା ।
କୃଶା ହୋଇ ପଡ଼ିଥାଉ ନିଦାଘେ ତଟିନୀ,
ପ୍ରାବୃଟେ ହେଉ ସଲିଳ-ସମ୍ପଦଶାଳିନୀ ।
ଚରମ ସୀମାରେ ଦୁଃଖ ହେଲେ ଉପସ୍ଥିତ,
ଏହିପରି ହୁଏ ନର-ସୌଭାଗ୍ୟ ଉଦିତ ।
ଜୀବନର ସ୍ରୋତ ପରି ତୋ ଜୀବନ-ସ୍ରୋତ,
ଅବିରତ ଲକ୍ଷ୍ୟ ଦିଗେ ହେଉଛି ଧାବିତ ।
ବଢ଼ିକାଳେ କୁଟା କାଠି କେତେ ଯାଏ ଭାସି,
ଭାବୁକ ହୃଦୟେ ଯଥା ଉଦେ ଭାବରାଶି ।
ଦିଶି ଆସିଲାଣି ଏହି ନୀଜାମ୍ବୁ ଚିଲିକା,
ସ୍ୱଚ୍ଛ ଶୁଭ୍ର ଫେନଚୂଡ଼ ତରଙ୍ଗମାଳିକା ।
ବାଟଚଲା କଷ୍ଟ ନାହିଁ ଚଢ଼ିଅଛି ରେଲ,
ଦେଖୁଁ ଦେଖୁଁ ପହୁଞ୍ଚାଇଦେଲା ଆଣି ମେଲ ।
ଧନ୍ୟ ବିଜ୍ଞାନର ବଳ ଧନ୍ୟ ତାର ତେଜ,
ତା ବଳେ ପୁଷ୍ପକ ରଥ ଚଳାନ୍ତି ଇଂରେଜ ।
ରେଲ ଚଢ଼ିବାରେ କିଛି ଥିଲା ନାହିଁ ହାନି,
ନ ନିଅନ୍ତା ଟଙ୍କା ଯେବେ ବିଦେଶୀ କୋମ୍ପାନୀ ।
କାଙ୍କଣ-ଶିଖରୀ ଶିଖୁଁ ପକ୍ଷିକୁଳ ଉଡ଼ି,
ଚଢ଼ାଇଗୁହାକୁ ଆସୁଅଛନ୍ତି ବାହୁଡ଼ି ।
ଉଠାଇ ନେଉଛି ମାଛ ଚିଲ ଛକି ଛକି,
ଚକାଚକି ଦେଉଛନ୍ତି ଆକାଶରେ ଚକି ।
ଭଲ ଦେଖି ତୁଷ୍ଟ, ମନ୍ଦ ନ ପାରିଲି ସହି,
ଖଟାମିଠା ଦୁଇ କଥା ଗଲି ତହୁଁ କହି ।
ମନରେ ମୋହର କିନ୍ତୁ ନାହିଁ ଅନ୍ୟ ଭାବ,
ଯା ଦେଖିଲି ତା ଲେଖିଲି ଯେ ବା ଯାହା ଭାବ ।
ଯଦ୍ୟପି ରାଗରେ କେହି ହେବ ଗରଗର,
ପ୍ରତ୍ୟାହାର କରିନେବି ଲେଖାଟି ମୋହର ।
ବାଲୁଗାଁ ଷ୍ଟେସନ ଦୂରେ ଦିଶେ ସୁମଞ୍ଜୁଳ,
ଏ ପାଖ ମାନ୍ଦ୍ରାଜ ତାର ସେ ପାଖ ଉତ୍କଳ ।
ଢେର ଦିନୁ ବୁଲୁଅଛି ଛାଡ଼ି ଘରଦ୍ୱାର,
ହେଉଛି ବିଦାୟ ଏବେ ଜୁହାର ଜୁହାର ।
ପ୍ରଣୟ-ଚିଟାଉଚିନ୍ତାମଣି ମହାନ୍ତି