ଧବଳେଶ୍ୱର
୧୮୪୮–୧୯୧୮
- ସଂକଳନ: କରତାଳି
- ପଢ଼ିବା ସମୟ
- ୨ ମିନିଟ୍
- ଶବ୍ଦ
- ୩୮୯
- ସ୍ଥିତି
- ସାର୍ବଜନୀନ (Public domain)
କଟକ ନଗରପାଶ,ମହାନଦୀ ମଧ୍ୟେ ବାସ ।ପବିତ୍ର ଗିରିଶିଖର,ଚାରିପାଶେ ସ୍ରୋତଖର ହେ ।୧।ଏମନ୍ତ ଏକାନ୍ତ ସ୍ଥାନ,ଅଳ୍ପ ଅଛି ବିଦ୍ୟମାନ ।କେତେ ଶିଳାବନ୍ଧା ବାଟ,ରହିଅଛି ନଦୀଘାଟ ହେ ।୨।ପ୍ରଶସ୍ତ ବାଟ ଗୋଟିକ,କଲା ତେଲେଙ୍ଗା ବଣିକ ।ରୋଗମୁକ୍ତ ହୋଇଥିଲା,ଭକ୍ତିଭାବ ଉଥଳିଲା ହେ ।୩।ବଡଓଷା ପିଠା ଖାଇ,କେତେ ଲୋକ ଗୁଣ ଗାଇ ।ଯାଆନ୍ତି ବାଲିକୁଦରେ,କି ଆନନ୍ଦ ମନେ ଧରେ ।୪।କଳାବଳଦକୁ ପରା,ଧଳା କଲ ବୃତ୍ରମରା ।ତେଣୁଟି ଧବଳେଶ୍ୱର,ନାମ ସାର୍ଥକ ତୁମ୍ଭର ହେ ।୫।ହେଲା ମହିମା ପ୍ରଚାର,ଦେଶେ ତବ ବଳିଆର ।ଲୋକ ହେଉଛନ୍ତି ରୁଣ୍ଡ,ପାଉଛ ଅମୃତକୁଣ୍ଡ ହେ ।୬।କାର୍ତ୍ତିକମାସ ମଧ୍ୟରେ,ଯାତ୍ରୀମାନେ ନିରନ୍ତରେ ।କରନ୍ତ ଆସି ଦର୍ଶନ,ଦେବଦେବ ତ୍ରିଲୋଚନ ହେ ।୭।ବିଶେଷରେ ସୋମବାର,ମହିମା ଯେ କି ଅପାର ।ଜନତା ନୁହେଁ ସମ୍ଭାଳି,ହୁଏ ଯେବେ ଶେଷ ପାଳି ହେ ।୮।ଭକ୍ତିଭରେ ହୋଇ ନତ,ମଥୁରାଲାଲ ଭକତ ।କୋଠା ଦେଲେ ତୋଳିତାଳି,ମନୋବାଞ୍ଛା ପ୍ରତିପାଳି ହେ ।୯।ଯାତ୍ରୀ କରନ୍ତି ସୁଖରେ,ବିଶ୍ରାମ ସେହି ଗୃହରେ ।ଖଣ୍ଡିଏ ଭଣ୍ଡାରଘର,ହୋଇଛି ଦେବ ତୁମ୍ଭର ହେ ।୧୦।କୋଢ଼ୀ ଦିଅନ୍ତ ଧାରଣା,ତୁମ୍ଭର ପାଟଅଗଣା ।ଅଙ୍ଗର ସୁଷମା ପାଇ,ଯାଆନ୍ତି ସୁଯଶ ଗାଇ ହେ ।୧୧।ଦଲାଣେ ଉପବେଶନ,କରି ପକାଅ ନୟନ ।ମହାନଦୀ ଶୋଭାରାଶି,ଜଳଚକ୍ର ଯାଏ ଭାସି ହେ ।୧୨।ନଉକାର ଶ୍ରେଣୀ ରେଖା,କେତେ ଯାଉଥାଏ ଦେଖା ।ଘଡିଆଳ ଉଠି ଡକା,ଦେଲେ ମନେ ହୁଏ ଦକା ହେ ।୧୩।ଦେଖିଲେ ବେଢ଼ା ପାଚେରୀ,ମନୋବୃତ୍ତି ଯାଏ ଫେରି ।ରାଧାକୃଷ୍ଣଙ୍କ ଦେଉଳ,ନିର୍ମାଣିଛନ୍ତି ମଞ୍ଜୁଳ ହେ ।୧୪।