ଚାରି
୧୮୭୬–୧୯୩୮
- ସଂକଳନ: ଦର୍ପଚୂର୍ଣ୍ଣ
- ପଢ଼ିବା ସମୟ
- ୯ ମିନିଟ୍
- ଶବ୍ଦ
- ୧୪୪୦
- ସ୍ଥିତି
- ସାର୍ବଜନୀନ (Public domain)
ଅଠର ଦିନ ପରେ ଦିପହର ଗାଡ଼ିରେ ଇନ୍ଦୁ ଝିଅକୁ ସାଙ୍ଗରେ ମେଦିନୀପୁରରୁ ଫେରି ଆସିଲା । ସ୍ତ୍ରୀ ଓ କନ୍ୟାକୁ ସୁସ୍ଥ ସବଳ ଦେଖି ନରେନ୍ଦ୍ରର ଶୁଷ୍କ ପାଣ୍ଡୁର ମୁହଁରେ ଆନନ୍ଦ ଫୁଟି ଉଠିଲା । ସେ ଘୁମନ୍ତ କନ୍ୟାକୁ ଛାତିରେ ଜାକି ଧରି ପଚାରିଲା—ଦେହ କେମିତି ଅଛି ଇନ୍ଦୁ ?
ଭଲ ଅଛି । କାହିଁକି ?
ତୁମକୁ ଜ୍ୱର ହେଇଥିଲା ଶୁଣି ମନଟା ଭାରି ଖରାପ ଲାଗିଲା । ଭଲ ହୋଇ ଯାଇଛି ତ-?
ନ ହେଇଥିଲେ ଡାକ୍ତର ଡାକି ଆଣି ଦେଖାଇବ ନା କଣ ?
ନରେନ୍ଦର ହସହସ ମୁହଁ ନିମିଷକ ମଧ୍ୟରେ ମଳିନ ପଡ଼ିଗଲା, କହିଲା—ଦେହ ଖରାପ ଥିଲା ନା, ସେଇ କଥା ପଚାରୁଥିଲି ।
ପଚାରି ଲାଭ କଣ ? ପଚାଶଟା ଟଙ୍କା ପଠାଇ ଦେଇ ଚିଠି ଉପରେ ଚିଠି—କେମିତି ଅଛ, କଣ ହେଇଛି, ସାବଧାନରେ ଚଳିବ, ଖାଲି ଏଇ କଥା ! ମୁଁ ଅଜ୍ଞାନ ପିଲା ହେଇଥିଲି ନା କଣ-? ତମକୁ ଟଙ୍କା ପଠାଇବା ପାଇଁ କିଏ କହିଥିଲା ? ପଚାଶଟା ଟଙ୍କା ମୋ ଭାଇ ମତେ ଦେଇ ପାରି ନଥାନ୍ତେ ନା କଣ ? ଟଙ୍କା ପଠାଇ ସମସ୍ତଙ୍କ ପାଖରେ ମୋ ମୁଣ୍ଡ ନୁଆଁଇ ଦେବା କି ଦରକାର ଥିଲା ? ସେ ଦିନ ମତେ ଯୋଉ ଥଟ୍ଟା କଲେନା, ମୋ ମୁହଁ ଏକା ବେଳକେ ପୋଡ଼ିଗଲା-।
ନରେନ୍ଦ୍ରର ମୁହଁ ଆହୁରି ମ୍ଳାନ ପଡ଼ିଗଲା । ସେ ଅସ୍ଫୁଟ ସ୍ୱରରେ କହିଲା—ଯେତେ ଚେଷ୍ଟା କଲି ଆଉ ଯୋଗାଡ଼ ହେଇପାରିଲା ନାହିଁ ।
ଟଙ୍କା ନ ପଠାଇ ସେୟା ଲେଖି ଦେଲନି ? ଖାଲି ସବୁବେଳେ ସେଇ ଅଭାବ ଅସୁବିଧା କଥା । ଏଇ କେତେ ଦିନ ହେଲା କେଡ଼େ ସୁଖରେ ନଥିଲି ସତେ ! ଘରକୁ ଆସିଲି ତ ସେଇକଥା । ମୋ କପାଳରେ ଏୟା ଥିଲା ! ବାସ୍ତବିକ ବଡ଼ଘରର ଝିଅହେଇ ଗରିବ ଘରେ ପଡ଼ିବାଠୁ ବଳି ମହାପାପ ଆଉ ଜଗତରେ ନାହିଁ । ଏହା କହି, ଏଇ ପରମ ସତ୍ୟରେ ସ୍ୱାମୀର ହୃଦୟ ପରିପୂର୍ଣ୍ଣ କରି ଦେଇ ଇନ୍ଦୁ ତମ ତମ ହେଇ ଘରୁ ବାହାରି ଚାଲିଗଲା ।
ବାହାରକୁ ଆସି ଘରର ଏଣେ ତେଣେ ଦୃଷ୍ଟି ପକାଇ ଯାଇ ନିଜର ଶୋଇବା ଘରେ ପଶିଲା । ଦେଖିଲା, ଆଉସବୁ ଘର ପରି ଏ ଘରଟା ମଧ୍ୟ ବେଶ ପରିଷ୍କାର ପରିଚ୍ଛନ୍ନ ହୋଇଛି ଏବଂ ଜିନିଷପତ୍ର ଗୁଡ଼ାକ ସଜିଆ ସଜି ହେଇ ରଖା ହୋଇଛି । ଆଶ୍ଚର୍ଯ୍ୟ ହୋଇ ଚାକରାଣୀକି ପଚାରିଲା–ଘରଦ୍ୱାର ଏତେ ସଫାସୁତୁରା ହୋଇଚି କାହିଁକି ?
ଚାକରାଣୀ କହିଲା—ମା, ତମେ ଆସିବ ବୋଲି ।
ମୁଁ ଆସିବି ବୋଲି ।
ହଁ ମା, ବାବୁ ତ ସେୟା କହୁଥିଲେ । ତମେ କୁଆଡ଼େ ଘରଦ୍ୱାର ଅପରିଷ୍କାର ଅପରିଚ୍ଛନ୍ନ ଦେଖିଲେ ସହିପାରନା, ସେଇଥି ପାଇଁ ଆଜିକି ତିନି ଦିନ ହେଲା—
ଇନ୍ଦୁ ମନେ ମନେ ଭାରି ଗର୍ବ ଅନୁଭବ କଲା । ସହଜ ସ୍ୱରରେ କହିଲା—ଅପରିଷ୍କାର କିଏ ବା ସହିବ ! ଭଲ ଭାବରେ—
ହଁ ମା, ତିନିଜଣ ଲୋକ ଲାଗି ଉପର ତଳ ଭଲଭାବରେ ସଫା କରିଛନ୍ତି ।
ହଉ ଭଲ ହେଇଛି, ଆଚ୍ଛା ତୁ ଗଲୁ ଟିକେ ରାମଟହଲ୍କୁ ଡାକି ଦେବୁ, ବଜାରରୁ ଯାଇ ଫଳ ଫୁଳା କଣ କିଣି ଆଣିବ ।
ଫଳ ମୂଳତ ସବୁ ଅଛି, ମା । ବାବୁ ଆଜି ସକାଳେ ନିଜେ ଯାଇ ବଜାରରୁ ସବୁ କିଣି ଆଣିଛନ୍ତି ।
ପଇଡ଼ ଅଛି ? ଅଙ୍ଗୁର, ନାସପାତି—
ସବୁ ଅଛି । ମୁଁ ଯାଇ ଏଠିକି ନେଇ ଆସୁଛି, କହି ଚାକରାଣୀ ଚାଲିଗଲା ।
ଇନ୍ଦୁ ମୁହଁ ଉପରୁ ବିରକ୍ତିର ମେଘ ଅପସରିଗଲା । ତା ଆଖି ଆଗରେ ସ୍ୱାମୀର ଶୁଷ୍କ ମୁହଁଟା ଜଳ ଜଳ ହେଇ ଦେଖାଗଲା । ସହାନୁଭୂତିରେ ତା ଅନ୍ତର ଭିତରଟା ମୁହୂର୍ତ୍ତକ ପାଇଁ ଭରିଗଲା ।
ଟିକିଏ ବିଶ୍ରାମ ନେଇ ଇନ୍ଦୁ ହସ ହସ ମୁହଁରେ ବୈଠକଖାନା ଭିତରକୁ ପଶିଆସି ଦେଖିଲା, ନରେନ୍ଦ୍ର ଚଷମା ବାହାର କରି ନଇଁପଡ଼ି କଣ ଲେଖିବାରେ ଲାଗିଛି । ପାଖରେ ଠିଆ ହେଇ ପଚାରିଲା—ଏତେ ମନଧ୍ୟାନ ଦେଇ କଣ ଲେଖୁଛ ମ ? କବିତା ?
ନରେନ୍ଦ୍ର ମୁହଁ ଟେକି ଚାହିଁ କହିଲା—ନା ।
ତେବେ, ଆଉ କଣ ?
ସମ୍ବନ୍ଧିତ ରଚନା
ଚିଲିକା ହ୍ରଦ
ମଧୁସୂଦନ ରାଓ
ଆମଘରର ହାଲ୍ଚାଲ୍
ଗୋପାଳ ଚନ୍ଦ୍ର ପ୍ରହରାଜ