ବ୍ୟାଧ ଓ କପୋତ କଥା
ଭକ୍ତକବି · ୧୮୫୩–୧୯୧୨ · ରାଧାନାଥ ଯୁଗ
- ସଂକଳନ: ସାହିତ୍ୟ କୁସୁମ
- ପଢ଼ିବା ସମୟ
- ୫ ମିନିଟ୍
- ଶବ୍ଦ
- ୭୨୭
- ସ୍ଥିତି
- ସାର୍ବଜନୀନ (Public domain)
ପୂର୍ବକାଳରେ ଗୋଟିଏ ଦୁର୍ବୃତ୍ତ ବ୍ୟାଧ ଯମଦୂତ ପରି ବନେ ବନେ ବୁଲୀ ପକ୍ଷୀ ଧରୁଥିଲା । ତାହାର ଆକାର ଦେଖିବାକୁ ଯେପରି କୁତ୍ସିତ ଓ ଭୟଙ୍କର ଥିଲା, ମନ ମଧ୍ୟ ସେହିପରି ନିଷ୍ଠୁର ଥିଲା । ସେ ନିର୍ଦ୍ଦୋଷ ପକ୍ଷୀମାନଙ୍କୁ ବଧ କରି ବଜାରରେ ବିକ୍ରୟ କରୁଥିଲା । ଦିନେ ସେହି ବ୍ୟାଧ ଜାଲ ଓ ଧନୁ ହାତରେ ଧରି କୌଣସି ବନରେ ବୁଲିବା ସମୟରେ, ଆକାଶକୁ ଅନ୍ଧକାରମୟ କରି ଘୋର ଶବ୍ଦରେ ଝଟିକା ଓ ବୃଷ୍ଟି ଆରମ୍ଭ ହେଲା । ଦେଖୁ ଦେଖୁ ବଡ଼ ବଡ଼ ବୃକ୍ଷମାନ ଭାଙ୍ଗି ପଡ଼ିବାରୁ ବନର ଅତ୍ୟନ୍ତ ଭୟାନକ ଅବସ୍ଥା ଘଟିଲା । ସେଥି ସଙ୍ଗେ ସଙ୍ଗେ ରାତ୍ରକାଳ ଉପସ୍ଥିତ ହେବାରୁ ବ୍ୟାଧର ଦୁର୍ଦ୍ଦଶାର ଆଉ ସୀମା ରହିଲା ନାହିଁ । ସେ ଜଳରେ ତିନ୍ତି ଶୀତାର୍ତ୍ତ ହୋଇ ଭାଳିବାକୁ ଲାଗିଲା, ‘‘ହାୟ ହାୟ ! ଏବେ ବାଟ କିପରି ପାଇବି । କିପରି ଏ ପ୍ରାଣ ବଞ୍ଚାଇ ଘରକୁ ଫେରିଯିବି ।’’
କିନ୍ତୁ ଏହି ଦୁଃଖ ସମୟରେ ତାର ଦୁଷ୍ଟ ବୁଦ୍ଧି ତାହାକୁ ଛାଡ଼ିଲା ନାହିଁ । ସେ ଅନ୍ଧକାରରେ ଅଣ୍ଡାଳୁ ଅଣ୍ଡାଳୁ ଦେଖିଲା ଯେ, ଗୋଟିଏ କପୋତୀ ଜଳରେ ତିନ୍ତି ଶୀତରେ ଅର୍ଦ୍ଧମୃତ ହୋଇ ପଡ଼ିଅଛି । ଦୁଷ୍ଟ ବ୍ୟାଧ ନିଜର ଦୁର୍ଗତି ଭୁଲିଯାଇ କପୋତୀକୁ ପିଞ୍ଜରାରେ ପୂରାଇଲା । କ୍ରମେ ଆକାଶ ନିର୍ମଳ ହେଲା; କିନ୍ତୁ ସେହି ଘୋର ରାତ୍ରିରେ ବ୍ୟାଧ ଘରକୁ ଫେରିଯାଇ ପାରିଲା ନାହିଁ । ନିକଟରେ ଗୋଟିଏ ପ୍ରକାଣ୍ଡ ବୃକ୍ଷ ଥିଲା, ତାହାରି ତଳେ ରାତ୍ରିଯାପନ କରିବାର ସ୍ଥିର କଲା ।
ସେହି ବୃକ୍ଷରେ ଗୋଟିଏ କପୋତ କପୋତୀ ସପୁଟୁମ୍ବ ସୁଖରେ ବାସ କରୁଥିଲେ । ସେଦିନ ସକାଳେ କପୋତୀ ଆହାର ଅନ୍ୱେଷଣାର୍ଥ ବାହାରି ଆଉ ଘରକୁ ଫେରି ଆସି ନଥିଲା । ସେହି ହେତୁରୁ କପୋତ ଦୁଃଖରେ କ୍ରନ୍ଦନ କରି କହୁଥିଲା, ‘‘ହାୟ, ମୋର ପ୍ରିୟା କପୋତୀ ଏତେବେଳେଯାଏ ଘରକୁ ପେରିଆସିଲା ନାହିଁ । କେ ଜାଣେ, ଏହି ଭୟଙ୍କର ଝଟିକାରେ ତାହାର କି ବିପଦ ଘଟିଅଛି ! ତାହାର କଥା କି ମଧୁର ! ମୁଁ କ୍ରୋଧ କଲେ ସେ କିପରି ସ୍ନେହର ସହିତ ମତେ ଶାନ୍ତ କରେ ! ମୁଁ ତାହାକୁ ହରାଇ କିପରି ବଞ୍ଚିବି !’’ ସେ ଜାଣି ନଥିଲା ଯେ, କପୋତୀ ବୃକ୍ଷତଳେ ବ୍ୟାଧହସ୍ତରେ ପଡ଼ି ଏହିପରି କପୋତର କଥା ଭାଳୁଅଛି । କପୋତର କଥା ଶୁଣି ଏହି ଦୁଃଖ ମଧ୍ୟରେ ସୁଦ୍ଧା କପୋତୀର ବଡ଼ ଆନନ୍ଦ ହେଲା । ସେ ପିଞ୍ଜରାମ ମଧ୍ୟରୁ ତାହାକୁ ଡାକି କହିଲା, ‘‘ଆହେ, ମୋ ଲାଗି ଦୁଃଖ କର ନାହିଁ । ଏହି ଲୋକଟି ଶୀତ ଓ କ୍ଷୁଧାରେ କାତର ହୋଇ ଆମ୍ଭ ଘରକୁ ଆସିଅଛି । ବର୍ତ୍ତମାନ ଏହାର ଦୁଃଖ ଦୂର କରିବାହିଁ ମ୍ଭର ପ୍ରଧାନ କାର୍ଯ୍ୟ ଅଟେ ।’’
କପୋତ କହିଲା, ‘‘ଠିକ୍ କଥା, ଏହି ବ୍ୟାଧ ମୋହର ଅତିଥି । ଏହାର ସେବା କରିବା ମୋର କର୍ତ୍ତବ୍ୟ ।’’ ଏହା କହି ସେ ବ୍ୟାଧକୁ କହିଲା, ‘‘ଆପଣ ମୋର ଅତିଥି, ଆପଣଙ୍କର ସେବା କରିବା ମୋର ଉଚିତ । କହନ୍ତୁ, ଆପଣଙ୍କ ଲାଗି ମୁଁ କ’ଣ କରିବି ?’’ ତାହାର କଥାରେ ବ୍ୟାଧ ଆଶ୍ଚର୍ଯ୍ୟ ହୋଇ କହିଲା, ‘‘ଶୀତରେ ମୋର ଅତ୍ୟନ୍ତ କ୍ଳେଶ ହେଉଅଛି; ମୋର ଏହି କଷ୍ଟ ଦୂର କରି ପାରିଲେ ବଡ଼ ଉପକୃତ ହେବି ।’’ ଦେଖୁଦେଖୁ କପୋତ କେତେଗୁଡ଼ିଏ ଶୁକ୍ଳପତ୍ର ଗୋଟାଇ ଆଣିଲା । ପୁଣି ଉଡ଼ିଯାଇ ଚଞ୍ଚୁରେ ଖଣ୍ଡେ ଜ୍ୱଳନ୍ତ ଅଙ୍ଗାର ଘେନି ଉପସ୍ଥିତ ହେଲା । ପତ୍ର ଉପରେ ଅଙ୍ଗାର ଖଣ୍ଡିକ ରଖି କପୋତ ତାହାର ପକ୍ଷରେ ବିଞ୍ଚିବାରୁ ଅଗ୍ନି ଦାଉଦାଉ ହୋଇ ବ୍ୟାଧ କହିଲା, ‘‘ଆହା ବିଞ୍ଚିଲି । କିନ୍ତୁ ମୋର ବଡ଼ କ୍ଷୁଧା ହୋଇଅଛି ।’’
ଏହି କଥାରେ କପୋତ ଅତିଶୟ ଚିନ୍ତିତ ହେଲା; କାରଣ ସେମାନଙ୍କର ଯେଉଁଦିନ ଯାହା ପ୍ରୟୋଜନ ହୁଏ, ସେଦିନ ତାହା ଖୋଜି ଆଣନ୍ତି । ସେମାନେ ସଞ୍ଚୟ କରି ରଖନ୍ତି ନାହିଁ । ସୁତରାଂ ସେତେବେଳେ ତାହା ନିକଟରେ ଖାଦ୍ୟଦ୍ରବ୍ୟ କିଛି ନ ଥିଲା । ଏଣୁ ସେ ଅତିଥିକୁ କଣ ଖାଇବାକୁ ଦେବ ।
ଟିକିଏ ଚିନ୍ତାକରି ସେ ବ୍ୟାଧକୁ କହିଲା, ‘‘ଆପଣ ଟିକିଏ ଅପେକ୍ଷା କରନ୍ତୁ ।’’ ଏହା କହି ପୁଣି କେତେଗୁଡ଼ିଏ ପତ୍ର ଆଣି ଅଗ୍ନି ଜାଳି ବ୍ୟାଧକୁ କହିଲା, ‘‘ଆପଣ ଦୟାକରି କିଛି ନ ଥିଲା । ଏଣୁ ସେ ଅତିଥିକୁ କଣ ଖାଇବାକୁ ଦେବ ।
ଟିକିଏ ଚିନ୍ତାକରି ସେ ବ୍ୟାଧକୁ କହିଲା, ‘‘ଆପଣ ଟିକିଏ ଅପେକ୍ଷା କରନ୍ତୁ ।’’ ଏହା କହି ପୁଣି କେତେଗୁଡ଼ିଏ ପତ୍ର ଆଣି ଅଗ୍ନି ଜାଳି ବ୍ୟାଧକୁ କହିଲା, ‘‘ଆପଣ ଦୟାକରି ମୋତେ ଆହାର କରି କ୍ଷୁଧା ଦୂର କରନ୍ତୁ ।’’ ଏହା କହୁଁ କହୁଁ ସେ ଅଗ୍ନି ଭିତରକୁ ଡେଇଁପଡ଼ିଲା । ବ୍ୟାଧ ଏହି ଘଟଣା ଦେଖି ବିସ୍ମୟରେ ସ୍ତବ୍ଧ ହୋଇଗଲା । କପୋତ ଅଗ୍ନିମଧ୍ୟରେ ଝାସ ଦେଲା ମାତ୍ରକେ ସେ କହିବାକୁ ଲାଗିଲା, ‘‘ହାୟ ! ମୁଁ କି କଲି ! ମୋପରି ମହାପାପୀ ବୋଧହୁଏ ଆଉ ସଂସାରରେ ନାହିଁ-। ଆଜି ଏହି ପୁଣ୍ୟବନ୍ତ ପକ୍ଷୀଟି ମୋତେ ମହାଶିକ୍ଷା ଦେଲା । ମୁଁ ଇଚ୍ଛା କରିଥିଲେ କେତେ ସତ୍କର୍ମ କରି ପାରିଥାନ୍ତି; କିନ୍ତୁ ମୁଁ କେବଳ ପକ୍ଷୀବଧ କରି ବୁଲୁଅଛି । ମୋତେ ଧିକ୍ ! ମୋର ବଞ୍ଚିବାର କି ଫଳ ?’’ ଏହା କହି ସେ କପୋତୀକୁ ଛାଡ଼ିଦେଲା । ନିତାନ୍ତ ବିରକ୍ତ ଭାବରେ ତୀର, ଧନୁ, ଜାଲ ପ୍ରଭୃତି ନିକ୍ଷେପ କରି, କାନ୍ଦି, କାନ୍ଦି ଚାଲିଗଲା ।
ଏଣେ କପୋତୀ କପୋତର ଶୋକ ସହି ନ ପାରି, ମୁକ୍ତି ପାଇଲାକ୍ଷଣି ଅଗ୍ନିମଧ୍ୟରେ ଝାସ ଦେଲା । ସେହି ସମୟରେ ବ୍ୟାଧ ଅଗ୍ନିମଧ୍ୟରେ ଏକ ମହାଶ୍ଚର୍ଯ୍ୟ ବ୍ୟାପାର ଦେଖିବାକୁ ପାଇଲା । ସେ ଦେଖିଲା, ତାହାର କପୋତ ପରମସୁନ୍ଦର ଦେହ ଧାରଣକରି ଦିବ୍ୟ ଅଳଙ୍କାର, ମାଳା,ଚନ୍ଦନ ଓ ଉଜ୍ଜ୍ୱଳ ବସନରେ ଶୋଭିତ ହୋଇ ସୁବର୍ଣ୍ଣ ରଥରେ ବସିଅଛି । ଆଉ ସ୍ୱର୍ଗରୁ ସାଧୁମାନେ ଆସି ତାହାର ସ୍ତବ କରୁଅଛନ୍ତି । କପୋତୀ ତାହା ସଙ୍ଗରେ ସେହି ରଥରେ ଚଢ଼ି ହସି ହସି ସ୍ୱର୍ଗକୁ ଚାଲିଗଲା ।
ବ୍ୟାଧ କପୋତ କପୋତୀଙ୍କର ସେହି ସୁନ୍ଦର ରଥ ଦେଖିବାକୁ ପାଇ ଭାବିଲା, ‘‘ଯେଉଁ ପୁଣ୍ୟକାର୍ଯ୍ୟ କଲେ ଏପରି ସୁଖ ମିଳେ, ମୁଁ ସେହିପରି ପୁଣ୍ୟକାର୍ଯ୍ୟ ଛଡ଼ା ଆଉ କିଛି କରିବି ନାହିଁ ।’’ ସେହି ଦିନଠାରୁ ସେ ବ୍ୟାଧ ପରମ ଧାର୍ମିକ ତପସ୍ୱୀ ହେଲା । ସେ ଏକମନରେ ଏକପ୍ରାଣରେ ଭଗବାନ୍ଙ୍କୁ ଚିନ୍ତାକରି ବନେ ବନେ ବୁଲୁଥିଲା । ଦିନେ ସେହି ବନ ମଧ୍ୟରେ ଭୀଷଣ ଦାବାଗ୍ନି ଜଳିଉଠିଲା । ତପସ୍ୱୀଙ୍କ ଚତୁର୍ଦ୍ଦିଗ ଅଗ୍ନବେଷ୍ଟିତ ହେଲେ ମଧ୍ୟ ସେ ଭୀତ ହେଲେ ନାହିଁ । ସେ ଭଗବାନ୍ଙ୍କର ଘେନି ସେହି ଅଗ୍ନିମଧ୍ୟରେ ଝାସ ଦେଲେ । ତାହାଙ୍କ ଭକ୍ତିରେ ତୁଷ୍ଟ ହୋଇ ଦେବବୃନ୍ଦ ଆଦର କରି ତାହାଙ୍କୁ ସ୍ୱର୍ଗକୁ ନେଇଗଲେ । ସେ ଏକ ସମୟରେ ବ୍ୟାଧ ଥିଲା ବୋଲି ଘୃଣା କଲେ ନାହିଁ ।
ସମ୍ବନ୍ଧିତ ରଚନା
ଚିଲିକା ହ୍ରଦ
ମଧୁସୂଦନ ରାଓ
ମନୁଷ୍ୟର ଧର୍ମବୁଦ୍ଧି
ମଧୁସୂଦନ ରାଓ
ଦ୍ୱିତୀୟ ପ୍ରସ୍ତାବ
ମଧୁସୂଦନ ରାଓ
ତୃତୀୟ ପ୍ରସ୍ତାବ
ମଧୁସୂଦନ ରାଓ