ବିଶ୍ୱଚିତ୍ର — ଚିନ୍ତାମଣି ମହାନ୍ତି · ସ୍ୱର୍ଣ୍ଣଲିପିଚିହ୍ନିବା ଅସାଧ୍ୟ ବିଷମ ସଂସାରେକର୍ପୂର କି ତାହା ନସ୍ୟ,ସାରସ୍ୱତୀ ବିଦ୍ୟା ଭେଦନେ ଅକ୍ଷମସଂସାର ଗୂଢ଼ ରହସ୍ୟ ।ଦିଶେ ଯଥା ତାହା ସୁଷମା ପ୍ରତିମାଲାବଣ୍ୟ - କୁସୁମ ଡଲା,ମାତ୍ର ପ୍ରତାରଣା- ଛାଞ୍ଚେ ଢ଼ଳା ସେହୁକେବଳ ପିଲା ବହଲା ।ନବୀନ ପ୍ରବେଶୀ ହେରି ତା ଚାକ୍ଚକ୍ୟଆଶାରେ ଉଠେ ପୁଲକି,ମଣୁଥାଏ ଯାକୁ ରୌପ୍ୟମୁଦ୍ରା ତାହାପାରଭାଷା ତମ୍ବାଚକି ।ସକଳ ସମ୍ଭବେ ସେ ସଂସାର ପକ୍ଷେଅସାଧ୍ୟ ନାହିଁ ତାହାର,ମୃତ୍ୟୁ ନ ହେଉଣୁ ଘଟେ ସୁଦ୍ଧା ତହିଁଜନ୍ମାନ୍ତର ବାରମ୍ବାର ।ଆବର ବିରୋଧୀ ଭବେ ପରିପୂର୍ଣ୍ଣଚଣ୍ଡୁଳେ ମିଶିଛି କୁଣ୍ଡା,ଏକ ପକ୍ଷେ ତାହା ଶୀତଳ କରକାଆନ ପକ୍ଷେ ଅଗ୍ନିମୁଣ୍ଡା ।ସକଳ ତାହାର ସ୍ୱଳ୍ପ କ୍ଷଣସ୍ଥାୟୀଯଥା ଦୁଃସ୍ୱପ୍ନର ସ୍ମୃତି,କ୍ଷଣ ପରିବର୍ତ୍ତ- ଶୀଳ ପୁଣି ତାରଆକୃତି କିବା ପ୍ରକୃତି ।ଆଣିଦିଏ ନେତ୍ରେ ଲୁବ୍ଧ ମୁଗ୍ଧ ଦୃଷ୍ଟିଅପାର କରଣୀ ତାର,ମାତ୍ର ହୃଦଦ୍ୱାରେ ଜଗାଇଥାଏ ସେଚିରଜୀବୀ ହାହାକାର ।ସଂସାରର ବଡ଼ ନିର୍ମମ କୌତୁକନିଦାରୁଣ ପରିହାସ,ପ୍ରାଚୁର୍ଯ୍ୟ ମଧ୍ୟରେ ରଖି ସୁଦ୍ଧା ସେହୁଆଣିଦିଏ ଉପବାସ ।ପୁଣ୍ୟ ହୋମାନତ ଭୀଷଣ ଚିତାରେହୁଏ ତହିଁ ପରିଣତ,ଦୀନ ଦରିଦ୍ରର ବଂଶବୃଦ୍ଧି ପ୍ରାୟବଢ଼େ କ୍ଳେଶ ଅବିରତ ।ହରି ସଂକୀର୍ତ୍ତନ ବାରଙ୍ଗନା ନୃତ୍ୟଅଛି ତହିଁ ଏକଧାରେ,ପ୍ରତ୍ୟହ ସଂସାର ନବୀନ ଭାଷାରେନବୀନ ଆଜ୍ଞା ଉଚ୍ଚାରେ ।ସ୍ୱାର୍ଥରେ ଚାଳିତ ସ୍ୱାର୍ଥ - ପରିଷିକ୍ତ,ପ୍ରତ୍ୟେକ ରେଣୁ ତାହାର,ସୁଲଭ ସତତ ପ୍ରବତର ତହିଁହୃଦୟହୀନ ବେଭାର ।ଭ୍ରାତୃସ୍ନେହ ବହି କେହି ନ ଆସିବେଦୁଃଖ ଭାଗ ନେବା ପାଇ,ମାତ୍ର ସୁଖବେଳେ ବିନା ଆହ୍ୱାନରେପଶିବେ ପାଶେ ଝସାଇ ।ମୃତଦେହେ ନବ ଆଭରଣ ପ୍ରାୟଶୋଭା ବହେ ତହିଁ ସୁଖ,ଦୁଃଖ - ଦର୍ପଣରେ ପ୍ରତିଫଳେ ପୁଣିସେ ସୁଖ - ଉଜ୍ୱଳ ମୁଖ ।
ସମ୍ବନ୍ଧିତ ରଚନା
ଚିନ୍ତାମଣି ମହାନ୍ତି
ସୁରଙ୍ଗୀ କାବ୍ୟଚିନ୍ତାମଣି ମହାନ୍ତି ଚିନ୍ତାମଣି ମହାନ୍ତି
ଧରା ହାସ୍ୟମୟୀ ତାରା ହାସ୍ୟମୟୀ
ହାସ୍ୟମୟ ଫୁଲବନ,
ସୃଷ୍ଟି ହାସ୍ୟ ଆସ୍ୟ, ସେ ହାସ୍ୟ ମଧ୍ୟରେ
ଗୋପନେ ବସେ କ୍ରନ୍ଦନ ।
ବୋଲୁଥାନ୍ତି ଲୋକେ ସୁପ୍ରିୟବାଦିନୀ
ଜାୟା ଯାହା ଘରେ ଅଛି,
ସେ ପୁରକୁ ଏକା ତୁଳନାରେ ମର୍ତ୍ତ୍ୟେ
ତ୍ରିଦିବ ସହିତେ ଗଚ୍ଛି ।
କଥାର ଛଟା ଏ ମାତ୍ର କାହିଁ କେବେ
କେଉଁ ଭାଗ୍ୟଧରଠାରେ,
ଲଭିଛି ସମ୍ପୂର୍ଣ୍ଣ ସାଫଲ୍ୟ ଏ ଉକ୍ତି
ଶୁଣା ନାହିଁ ସୁଦ୍ଧା ବାରେ ।
ବାୟା ପ୍ରାୟ ଭବ- ମାୟା ବିଭେଦନ
ଅମର ଶକ୍ତି ଅସାଧ୍ୟ,
ବୈରାଗୀ ପୟରେ ଆପେ ସେହୁ ବାଧ୍ୟ
ଆସକ୍ତର ଚିରାରାଧ୍ୟ ।
ମାନବ ସେ ମାୟା କାହୁଁ ମୁଁ କଳିବି
ଅତି ଦୁର୍ବଳ ମୋ ମାଆ,
ପଞ୍ଚ ଅନୁଭବୀ ଚିତ୍ର ଅଙ୍କିଦେଇ
ଭଜିବଇଁ ନୀରବତା ।
ପ୍ରଥମ ଚିତ୍ର
ବିଶ୍ୱପାଟଣାରେ ଦୁଃଖରାମ ନାମେ
ଥିଲେ ମଧ୍ୟବିତ୍ତ ଜନ,
ଅମର ସୁଲଭ ମାନବ - ଦୁର୍ଲ୍ଲଭ
ସକଳ ଗୁଣେ ଭାଜନ ।
ତପସ୍ୱିନୀ ନାରୀ ଭାଗ୍ୟେ ତାହାଙ୍କର
ଖଞ୍ଜି ଦେଇଥିଲେ ବିଧି,
ତରୁଣ ତରୁଣୀ ସତ୍ୟ - ଧର୍ମପ୍ରାଣ
ସଂଯମର ବାରାନିଧି ।
ସ୍ୱପ୍ନ ଯଦି ଲତା ହୁଅନ୍ତା, ତହିଁରେ
ଏକ ବୃନ୍ତେ ଯୁଗ୍ମ ଫୁଲ-
ଫୁଟନ୍ତା, ତେବେ ସେ ହୋଇପାରନ୍ତା ବା
ସେ ବେନିଙ୍କ ସମତୁଲ ।
ବିଶ୍ୱ ଚାରୁଭୂଷା ସେ ବିଶ୍ୱପାଟଣା
ତା ଭୁଷା ଦମ୍ପତି ଦ୍ୱନ୍ଦ,
ସରସୀ, ଭୂଷଣ କମଳ ଯେସନ
କମତ-ଭୂଷଣ ଗନ୍ଧ ।
ଗୁଣବାନ ଯଥା ପୁଂସ, ତଥା ନାରୀ
ପୁଣ୍ୟବତୀ ଗୁଣବତୀ,
ଯୋଗ୍ୟ ସହକାରେ ଛନ୍ଦିଥିଲା କିବା
ସୁଯୋଗ୍ୟା ମଧୁମାଳତୀ ।
ନୈତିକ ଚରିତ୍ରେ ନ ଥିଲେ ବେନିଏ
କେହି କାହାରିକି ଊଣା,
ମିଥ୍ୟା ଶଠତାକୁ ପୂଜଗନ୍ଧୁ ନଳି
ମଣୁଥିଲେ ପ୍ରାଣେ ଘୃଣା ।
ଏ ସଂସାର ତପ୍ତ- କଟାହ, ତାଙ୍କର
ନ ଥିଲା ଏଥି ସନ୍ଦେହ,
ତେଣୁ ତା ସନ୍ତାପ ସହ୍ୟ ହେଲା ଭଳି
ଗଢ଼ି ନେଇଥିଲେ ଦେହ ।
ବସନ୍ତ ନିଦାଘ ସମ ସହୁଥିଲେ
ସଂସାରର ସୁଖଦୁଃଖ,
ଦୁଃଖକାଳେ ଦୁଃଖେ ଆଲିଙ୍ଗନେ କେବେ
ହେଉ ନ ଥିଲେ ବିମୁଖ ।
ଉଦ୍ଯୋଗ ଆତ୍ମାର ସଞ୍ଜୀବନୀ ଶକ୍ତି
ଅନନ୍ତ ସୁଖର ଖଣି,
ତେଣୁ ତା ପୟର ପୁଜୁଥିଲେ ତାକୁ
ଜୀବନ ଦେବତା ମଣି ।
ପ୍ରଣୟର ପାଟ - ଡୋରେ ବନ୍ଧା ବେନି
ଯଥା ମୁନିପତ୍ନୀ ମୁନି,
ବହୁଥିଲା ହୃଦେ ପ୍ରାମାନୁରାଗର
ପୁଣ୍ୟ ପୁତ ସୁରଧୁନୀ ।
ଯୁଝୁଥିଲେ ବେନି ଅଧର୍ମ ସହିତେ
ଧରି ଧର୍ମ - ଧୁନୁତୀର,
ଐକାନ୍ତିକୀ ଭକ୍ତି- ମଙ୍ଗଳ ସନ୍ମାହେ
ଆଚ୍ଛାଦି ନିଜ ଶରୀର ।
ପବିତ୍ରତା ରୂପ ବିଶୁଦ୍ଧ ନିର୍ମାଲ୍ୟେ
ସଂଶୋଧି ଦୂଷିତ ଆଶା,
ବିହଙ୍ଗ ଲଳିତ କାକଳୀ ମଧ୍ୟରେ
ଶୁଣନ୍ତି ପ୍ରଭୁଙ୍କ ଭାଷା ।
ସୂର୍ଯ୍ୟୋଦୟ ସହ ପ୍ରତିଦିନ ତାଙ୍କ
ଜୀବନେ ନବ ପ୍ରଭାତ,
ନବୀନ ଦିବସ ନବୀନ ଅଧ୍ୟାୟ
ହେଉଥିଲା ପ୍ରତିଭାତ ।
ସ୍ତୁତି - ଅର୍ଘ୍ୟଦାନେ ତୋଷୁଥିଲେ ବେନି
ପ୍ରାଣପଣେ ପ୍ରାଣାରାମେ,
ତ୍ରିଦିବ ଜ୍ୟୋତିର ଯୁଗ୍ମ ବର୍ତ୍ତିକା ସେ
ଢଳୁଥିଲା ମର୍ତ୍ତ୍ୟଧାମେ ।
ବିଶ୍ୱ ଶୁଭଚିନ୍ତା- ସୁତ୍ରେ ବୁଣି ଜାଲ
ଆଚ୍ଛାଦିଥିଲେ ହୃଦୟ,
ଆଚ୍ଛାଦନ୍ତି ଯଥା ଗବାକ୍ଷର ବକ୍ଷ
ଲୁତା - ଜନ୍ତୁବାୟତଲା ।
ନିଦ୍ରାରେ ନୀରବ ରହୁଥାଏ ତାଙ୍କ
କଣ୍ଠ - ବୀଣା ଦୁର୍ବିପାକେ,
ମାତ୍ର ହୃଦ - ପ୍ରାଣ- ମଧୁମୟୀ ତନ୍ତ୍ରା
ବାଜୁଣଥାଏ ନିର୍ବାକେ ।
ଆଦର୍ଶ ନୀରବ- ସହିଷ୍ଣୁତା ଗୁଣ
ସ୍ୱାର୍ଥଶୂନ୍ୟ ଆତ୍ମଦାନ,
ଆକାଙ୍କ୍ଷାବିହୀନ ସେବା ଶୁଶ୍ରୂଷାରେ
ବେନିଏ ଥିଲେ ପ୍ରଧାନ ।
ସାଧୁସଙ୍ଗ ଦୟା ହରିନାମ ଜପ
ଦୈନ୍ୟ ପରଉପକାର,
ଏହି ପଞ୍ଚରତ୍ନ ଥିଲା ତାହାଙ୍କର
ଆଦରର ଅଳଙ୍କାର ।
ସୁଖ ପାଇଁ ସୁଖ ଲୋଡ଼ୁ ନ ଥିଲେ ସେ
ସୁଖେ ମଣୁଥିଲେ ଦୁଃଖ,
ପର ପାଇଁ ଦୁଃଖ ଭୁଞ୍ଜୁଥିଲେ ସଦା
ସେହି ତ ସ୍ୱର୍ଗର ସୁଖ ।
କୋବିଦ-କଳ୍ପିତ ମୁକ୍ତାଲତା ପ୍ରାୟ
ସୁଖ ଏ ସଂସାରେ ମିଛ,
ଇନ୍ଦ୍ରଧନୁ ଖାଲି ଶୂନ୍ୟ ବର୍ଣ୍ଣ ସିନା
ନୁହେଁ ତା ମୟୁରପିଚ୍ଛ ।
ସୁଖ ସୁଖ ବୋଲି ଭଜି ହେଉଥାନ୍ତି
ବାସନା - ସେବକଗଣ,
ଜାଣନ୍ତି ନାହିଁ ସେ ସୁଖ ଶବ୍ଦ ଯଥା
ରାମଶୂନ୍ୟ ରାମାୟଣ ।
କେଡ଼େ ଭ୍ରାନ୍ତ ନର ସୁଖ-ମରୀଚିକା
ପଛେ ଧାଏଁ ମୃଗପ୍ରାୟ,
ଧାଇଁ ଧାଇଁ ଶେଷେ ଅବସନ୍ନ ହୁଏ
ଲଭେ ନାହିଁ ସୁଖ ହାୟ ।
ତଥାପି ନିବୃତ୍ତ ନୋହି ଦୁରାଶାରୁ
ପ୍ରଧାବେ ହୋଇ ଉନ୍ମୁଖ,
ଦୁଃଖର ଜୀବନ୍ତ ହାହାକାରକୁ ସେ
ଭ ମ ମଣେ ମହାସୁଖ ।
ହୁଏ ଯା ଜଗତେ ସାର ସୁଖ ନାମେ
ଜନମୁଖେ ଅଭିହିତ,
ହଳାହଳଗର୍ଭ ସେ ଅପତ୍ୟ ସୁଖୁ,
ବେନିଏ ଥିଲେ ବଞ୍ଚିତ ।
ଅପତ୍ୟ ଆଶାର କି ମହିମା ଭବେ
ବିସ୍ତୃତ ତା ଆଧିପତ୍ୟ,
କେହି କାର ନୁହେଁ ଜାଣି ସୁଦ୍ଧା ଏହା
ଲୋଡ଼ନ୍ତି ଲୋକେ ଅପତ୍ୟ ।
ନିଃସନ୍ତାନ ଜନ ଆନ ଜନଠାରୁ
ପୋଷ ପୁତ୍ରକନ୍ୟା ଆଣି,
ମାତ୍ର ତହିଁ ଯେତେ ଯନ୍ତ୍ରଣା ତାହା ସେ
ପରିଣାମେ ପାରେ ଜାଣି ।
ଆନ ଗଛୁ ଫଳ ଆଣି ଲଗାଇଲେ
ଅଫକନ୍ତି ଗଛ ଡ଼ାଳେ,
ଲାଗେ କି ସେ ଫଳ କୋଟି ଚେଷ୍ଟା ବଳେ
ସେ ଡ଼ାଳରେ କେଉଁ କାଳେ ?
ବରଞ୍ଚ ସେ ଫଳ- ଭାରେ ନମ୍ର ହୋଇ
ଭଜେ ଶାଖା ଦୁର୍ବଳତା,
ଭବିଷ୍ୟତ ହୁଏ ସାଂଘାତିକ ସିନା
ଅକଥାକୁ କଲେ କଥା ।
ଆଶା - ଦାସ ନର ଥାଏ ଆଜୀବନ
ଆଶା ଉପାସନା ରତ,
ବଢ଼ାଇ ଆଶାକୁ ଆଶା, ଶେଷେ କରେ
ଆପଣାକୁ ଆପେ ହତ ।
ଆଶା ସିନା ଖାଲି ଆଶାର ଛଳନା
ଚକାଏ ଶୂନ୍ୟେ ସେ ଯାନ,
ଶାରଦ - ନୀରଦ ପ୍ରାୟ ଦେଇ ଦେଖା
ହୋଇଯାଏ ଅନ୍ତର୍ଦ୍ଧାନ ।
ଦହେ ଆଶା ହୃଦ ଆସକ୍ତିର ରୂଦ୍ର
ପ୍ରଜ୍ୱଳିତ ହୁତାଶନେ,
ନୈରାଶ୍ୟ ରୂପେ ସେ ଅବ୍ୟକ୍ତ ବିତୃଷ୍ଣା
ଆଣେ ପୁଣି ପରକ୍ଷଣେ ।
ହେଉ ପଛେ ଆଶା ଆପାତ ମଧର
ପରିଣାମେ ବିପରୀତ,
ମାତ୍ର ସେ ରଖିଛି ଅପୂର୍ବ କୁହୁକେ
ଜଗତକୁ ସଂଜୀବିତ ।
ଆଶାରେ ମାନବ ନେଉଛି ନିଶ୍ୱାସ
ଆଶାରେ ଚାଲିଛି ବାଟ,
ଆଶାରେ ସଉଦା କରେ କିଣାବକି
ଆଶା - ଗୁରୁର ସେ ଚାଟ ।
ଆଶା-ନିଶା ଭୋଳେ ବାତୁଳ ସର୍ବଥା
ଏକସ୍ୱ ତାହାର ଆଶା,
ଆଶା ତାହା ମୁଖେ ନିତ୍ୟ ନବସ୍ୱରେ
କୁହାଉଛି ନବ ଭାଷା ।
କୋଟିଏ କୁବେର- ଧନ ସହ ଆଶା
ଲଭିଲେ ବିଶ୍ୱ ବ୍ରହ୍ମାଣ୍ଡ,
ତଥାପି ଅତୃପ୍ତ, ଚିର ଅସମ୍ପୂର୍ଣ୍ଣ
ଆଶାର ବିରାଟ ଭାଣ୍ଡ ।
ଘୋର ଅବଗ୍ରହେ ଦାରୁଣ ଦୁର୍ଭିକ୍ଷ
ଆକ୍ରମିଲା ଆସି ମହୀ,
ଭୀଷଣ ନର୍ତ୍ତନ ଆରମ୍ଭିଲା ତହୁଁ
ବୁଦ୍ଦୈବ - ଉତ୍ଫଣ ଅହି ।
ଭକ୍ଷ୍ୟାଭାବେ ଜନେ ଅଭକ୍ଷ୍ୟ ଭକ୍ଷିଲେ
ବିକାର ମନେ ନ ଗଣି,
କ୍ଷୟକାଶ ରୋଗୀ- ପ୍ରାୟେ ଅନେକର
ପଞ୍ଜରାସ୍ଥି ହେଲା ଗଣି ।
ଅଭାବ - ଅସୁର ଦୀନ ଦରିଦ୍ରଙ୍କ
ପକାଇଲା ବେକ ମୋଡ଼ି,
ଥାଉ ଆନ କଥା କଖାରୁ ପତର
ଦର ହେଲା ବାରବୋଡ଼ି ।୧
୧- ପୂର୍ବକାଳରେ ଏକ ଭୀକ୍ଷଣ ଦୁର୍ଭିକ୍ଷରେ ଗୋଟାଏ କଖାରୁ ପତର ବାରିକୋଡ଼ି କଉଡ଼ି ମୂଲ୍ୟରେ
ବିକ୍ରୀତ ହେବାର କଥିତ ହୁଏ ।
ଦୁର୍ଭିକ୍ଷ - ପୀଡ଼ିତ ମାନବେ ଧଇଲେ
ଆହା ବଡ଼ କଦାକାର,
ପ୍ରତେ ହେଲା ଯେହ୍ନେ ସେ ମୂର୍ତ୍ତି ନରର
ବିକୃତ ବ୍ୟଙ୍ଗ ସଂସ୍କାର
ମୃତ ମୃତକଳ୍ପ ଜୀବନ୍ମୃତ କେତେ
କେତେ ଏଥୁ ବଳି ହୀନ,
କେତେ ଅଭାଗ୍ୟର ଭାଗ୍ୟରେ ଦୁଲ୍ଲଭ
କଢ଼ନ୍ନ କିମ୍ବା କୌପୀନ ।
ଘର ଛାଡ଼ି କେତେ ବୁଲନ୍ତି ବିକଳେ
ଦଗଧୋଦର ତାଡ଼ନାରେ,
କରୁଣ ରସର ଉତ୍ସ ଆହା ଧରା
ପୂର୍ଣ୍ଣ କ୍ଷୁଧା ହାହାକାରେ ।
ବିଶ୍ରୀ ବିକଳାଙ୍ଗ ଦିଶୁଅଛି ଆହା
ଧରା ଚିର ରୁଚିରାଙ୍ଗୀ,
ଅମଙ୍ଗଳ ସ୍ପର୍ଶେ ଯାଉଅଛି ସତେ
ସୃଷ୍ଟିର ଶୃଙ୍ଖଳା ଭାଙ୍ଗି ।
କ୍ଷୁଧାତୁରା ଏକ ଅନାଥା ଅବଳା
ଆସି ଦିନେ ଦିନଶେଷେ,
ଉପସ୍ଥିତ ପୂର୍ବ- ବର୍ଣ୍ଣିତ ଦମ୍ପତି-
ଅତି ଦୀନହୀନ ବେଶେ ।
ଜୀର୍ଣ୍ଣ ଶୀର୍ଣ୍ଣ ତନୁ ଅତୀବ ଦୁର୍ବଳ
ଯେସନ ପିମ୍ପେଇ ଖାଡ଼ି ୨,
ପ୍ରତେ ହୁଏ ଥରେ ଫୁଙ୍କିଦେଲା ମାତ୍ରେ
ପଡ଼ିବ ନିଶ୍ଚେ କଚାଡ଼ି ।
୨ - ନଳିତା କାଠି ।
ଦେଖି ତା ଦୁର୍ଗତି ପତିପତ୍ନୀଙ୍କର
ତରଳିଗଲା ହୃଦୟ,
ଖାଦ୍ୟପାନେ ତୋଷି ରହିବାକୁ ତାକୁ
ଅଳିନ୍ଦେ ଦେଲେ ଆଶ୍ରୟି ।
ଦୈବଯୋଗେ ସେହି ଅକାଳ କରଚୀ
ହୋଇଥିଲା ଗର୍ଭବତୀ,
ଅର୍ଦ୍ଧରାତ୍ରେ ପୁତ୍ର ପ୍ରସବି ଅଭାଗୀ
ତେଜିଲା ଏ ବସୁମତୀ ।
କେ ପାରେ ନିଭାଇ ବିଧାତା ଲିଖିତ
ଅଦୃଷ୍ଟ ଲିଖନ ପଙ୍କ୍ତି,
ବିଧାତା ବିଧାନ ଅନ୍ୟଥାକରଣେ
ବିଧାତାର ନାହିଁ ଶକ୍ତି !
ଦେବଶିଶୁ ପ୍ରାୟ ସୁନ୍ଦର ଆହା ସେ
ସଦ୍ୟ ମାତୃହୀନ ସୁତ,
ପଙ୍କରୁ ପଙ୍କଜ, ଅବା ହୋଇଥିଲା
ଶୂକ୍ତିରୁ ମୁକ୍ତା ସମ୍ଭୁତ ।
ସଦ୍ୟ ଜାତ ଶିଶୁ ଲାଳଲିପ୍ତ ଦେହୁ
ସୌନ୍ଦର୍ଯ୍ୟ ପଡ଼େ ଉତୁରି,
ଚନ୍ଦ୍ରର କଳଙ୍କ ଚନ୍ଦ୍ର ଶରୀରର
ବଢ଼ାଏ ସିନା ମାଧୁରୀ ।
ମୃତ ମାତା କୋଳେ ନବଜାତ ଶିଶୁ
କାନ୍ଦିଲା ହୋଇ ଆକୁଳ ।
ଶୁଷ୍ୱକ ବୃକ୍ଷେ ଆହା ଲାଖି ରହିଛି କି
ବାତେ ଉଡ଼ିଆସି ଫୁଲ ।
କ୍ରନ୍ଦନ ଛଳେ ସେ କରେ କି ଆବୃତ୍ତି
ଜୀବନ ଆଦ୍ୟ କବିତା,
କିମ୍ବା ଗୁଣୁଅଛି ସ୍ୱର୍ଗର ଭାଷାରେ
ପୁଣ୍ୟ ଭଗବତ ଗୀତା ।
ଅବୋଧ୍ୟ ସେ ଭାଷା, ମାତ୍ର ପରିଷିକ୍ତ
ବାସ୍ତବ ଅମୃତ ରସେ,
ସେ ଭାଷା ଯାହାର କଣ୍ଠ ଆଦି ଭାଷା
ଏ ଭବେ ଭାଗ୍ୟଧର ସେ ।
ଅରକ୍ଷ ଶିଶୁଟି ଦେଖି ସେ ଦମ୍ପତି
ଆନନ୍ଦିତ ମନେ ମନେ,
ସୁଷୁପ୍ତ ବିରାଟ ଆଶା - ପକ୍ଷୀ ତାଙ୍କ
ଉଡ଼ିଲା ମହାଗଗନେ ।
ଆତ୍ମଜ ଅଧିକେ ପାଳିଲେ ଯତନେ
କରି ହୃଦୟରେ ହାର,
ସଦୟେ ସସ୍ନେହେ ପିତାମାତା ସ୍ଥାନ
ପୂରଣ କଲେ ତାହାର ।
ବାଳୁତ ଲୀକାର ଆଶ୍ଚର୍ଯ୍ୟ କୁହୁକେ
ଆତ୍ମସତ୍ତା ଗଲେ ହୁଡ଼ି,
ଅତିଥି ସତ୍କାର, ଦେବଭକ୍ତି ଗଲା
ବାତ୍ସଲ୍ୟ ରସରେ ବୁଡ଼ି ।
ଧନ୍ୟ ରେ ସଂସାର ରୀତିଗତି ତୋର
ପଟୁ ତୁହି ଶାଠ୍ୟ ଖେଳେ,
ମୁହୂର୍ତ୍ତ ମଧ୍ୟରେ ଯୋଗୀକି ଗୃହସ୍ଥ
କରିପାରୁ ଅବହେଳେ ।
ଭାବି ଭାବି ଦୁହେଁ କୁମରମଣିର
ବିହିଲେ ନାମକରଣ,
ହରିଙ୍କ ପ୍ରସାଦେ ଲାଭ ହେତୁ ନାମ
ରଖିଲେ ହରିଚରଣ ।
ଶିଶୁ ବୟୋବୃଦ୍ଧି ସଙ୍ଗେ ଦମ୍ପତିର
ବଢ଼ିଲା ସ୍ରୋତ - ବାରିଧି,
ମଣିଲେ ପୁତ୍ରେ ସେ ମହାଦରିଦ୍ରର
ଅସ୍ୱପ୍ନ - କଳ୍ପିତ ନିଧି ।
ପଞ୍ଚମ ବର୍ଷରେ ହାତେ ଖଡ଼ି ଦେଇ
ନିୟୋଜିଲେ ଅଧ୍ୟାୟନେ,
ଅଦୁରଦର୍ଶିତା ଫତେ କେତେ କେତେ
ଭାବୀ ଆଶା ବାନ୍ଧି ମନେ ।
ବିଦ୍ୟା ଶିକ୍ଷା କରି ଗାଇବ କୁମର
ଭାଗବତ ରାମାୟଣ,
ଆବର ଚାକିରୀ କରି ପୋଷିବ ସେ
ଅରଜିଣ ପଣ ପଣ ।
ବୃଦ୍ଧକାଳେ ପୁତ୍ରେ ଅର୍ପି ଗୃହଭାର
ବରଜିବେ ଦବ ଛକ,
ପର ଗୋରୁ ପୁଚ୍ଛ ଧରି ପାରିହେବେ
ପୁନାମ ମହା ନରକ ।
ଆଶାରେ ଆଶାୟୀ, ମାତ୍ର ଜାଣିଥିଲା
କିଏ ଭବିଷ୍ୟତ କଥା,
ଆତ୍ମ-କରଣୀରୁ ହେବ ସେ ଆଶାର
ଭଗାରୁଣୀ ବିଫଳତା ।
ମୋହବଶେ ଆଜି ମଣୁଛନ୍ତି ଯାକୁ
ପାରିଜାତ ଫୁଲମାଳ,
ନ ଭାବନ୍ତି ତାହା କାଲି ପୁଣି ହେବ
ତୀବ୍ର ବିଷଦନ୍ତ ବ୍ୟାଳ ।
ନ ପଢ଼ିଣ ପାଠ ସେ ଗେଲୁହା ଦୁଲାକ
ମାତିଲା କ୍ରୀଡ଼ା ଭ୍ରମଣେ,
ତାହା ଯୋଗୁ ଗୃହେ ନିତି ନିତି କଳି
କିଣା ହେଲା ବିନା ପଣେ ।
ଦୁଷ୍ଟପୁତ୍ର ପାଇଁ ପ୍ରତିବେଶୀଠାରୁ
ଲଭିଣ ଘୋର ଗଞ୍ଜଣା ।
ତଥାପି ଦମ୍ପତି ପ୍ରାଣ-ପ୍ରତିମାକୁ
କରନ୍ତି ନାହିଁ ତାଡ଼ନା ।
ପିତୃମାତୃସ୍ନେହ ସହ ବଢ଼ୁଥିଲା
ପୁତ୍ରମଣି ଅବାଧ୍ୟତା,
ସେହି ସ୍ନେହ ସିନା ବାଲ୍ୟକାଳୁ ତାର
ଗ୍ରାସିଲା କୋମଳ ମଥା ।
ବିନାଶିଲା ତାର ଚରିତ୍ରେ ସର୍ବଥା
ସେହି ସ୍ନେହ ପରିପାଟୀ,
ସେହି ସ୍ନେହ ତାର ଶୈଶବକାଳରୁ
ଜୀବନକୁ କଲା ମାଟି ।
ସ୍ନେହର କ୍ଷମତା ଅଗାଧ ଆବର
ମହିମା ତା ଆକଥନ,
ସ୍ନେହ ପ୍ରଭାବରେ ନିର୍ବିକଳ୍ପେ ନର
ଗୋମୟେ ମଣେ ଚନ୍ଦନ ।
ସୀମାବଦ୍ଧ ସ୍ନେହ ପ୍ରସବେ ଅନନ୍ତ
ମଙ୍ଗଳ ଅମୃତ ଫଳ,
ସୀମା ଅତିକ୍ରମ କଲେ ସେ ଉଦ୍ମାରେ
ଅନର୍ଗଳ କଳାହଳ ।
ବାଲ୍ୟ ପରିଣାମେ ପୁତ୍ର ହୃଦ-ବନେ
ପଶିଲା ଯୌବନ - ବାଘ,
ପଶେ ଯଥା ବିଶ୍ୱେ ମଧୁ ବାହୁଡ଼ାନ୍ତେ
ନିର୍ଦ୍ଦୟ ଋତୁ ନିଦାଗ ।
ଶୁଭଗୁଣ-ମୃଗେ ରୁଚିଲେ କେ କାହିଁ
ପଳାଇ ଭୀତି ବିହ୍ୱଳେ,
ରିପୁ-ରିପୁକୁଳ ଚେଇଁ ଉଠି ଖରେ
ଗର୍ଜିଲେ ଉଚ୍ଚେ ପ୍ରବଳେ ।
ବିନୟ ସନ୍ତୋଷ ଶ୍ରଦ୍ଧା ଭକ୍ତି ଦୟା
କ୍ଷମାଦି ସାତ୍ତ୍ମିକ ଭାବ,
ଯୌବନ ପରଶେ କ୍ରମେ କ୍ରମେ ସର୍ବେ
ଭଜିଲେକ ଚିରୋଭାବ ।
ଜୀବନ ଜୀବିକା ହେଲା ପାପବୃତ୍ତି-
ଅଭିମାନ ଅସନ୍ତୋଷ,
ଇନ୍ଦ୍ରିୟ ଲାଳସା ବିଳାସ ମାତ୍ସର୍ଯ୍ୟ
ମିଥ୍ୟା ଦମ୍ଭ କଳି ରୋଷ ।
କଥାକେ କଥାକେ ମହାମାନହାନି
କଥାକେ କଥାକେ ରୁଷା,
ରସଗୀତ ସହ ନିଶାପଶା ହେଲା
ପ୍ରାଣର ପ୍ରିୟ ବେଉସା ।
କୁସଙ୍ଗରେ ପଡ଼ି ପଞ୍ଚମକାରର
ହେଲା ସେ ଶିଷ୍ୟ ସେବକ,
ସ୍ୱାର୍ଥରେ ଆଘାତ ଲାଗିଲେ କିଞ୍ଚିତ
ଜଳେ ସେ ଯଥା ପାବକ ।
ଅଭୀପ୍ସିତ ଦ୍ରବ୍ୟ ନ ଦେଲେ କାହିଁ ବା
ପିତାମାତାଙ୍କର ତ୍ରାଣ,
ଗୁଣଧର ପୁତ୍ର ମଧୁର ପ୍ରହାରେ
ହୁଅନ୍ତି ଲହୁଲୁହାଣ ।
କି କରିବେ ବେନି ସ୍ନେହ - ନାଗପାଶେ
ହୋଇଛନ୍ତି ବନ୍ଧା ଆଗେ,
ସହନ୍ତି ନୀରବେ ସକଳ ଜଞ୍ଜାଳ
ସ୍ମରି ଆତ୍ମବୃତ ପାଗେ ।
କଦାଚିତ ହସି ଦେଲେ ପଦେ ଅଧେ
ସ୍ନେହ - ସୁଧା - ବୋଳା ଗାଳି,
ବୁଝି ତାହା ହରି ଛଳନା ଆଚର
ନେତ୍ରୁ ଲୁହ ଦିଏ ଢ଼ାଳି ।
ସ୍ନେହମିଶା ଗାଳି ସାଫଲ୍ୟ ଶକୁନ
ଭବିଷ୍ୟ ମଙ୍ଗଳକର,
ଆବର ସେ ସିନା ସ୍ନେହଠାରୁ ବଳି
ଅଧିକେ ମଧୁରତର ।
ହଜିଯାଏ ବୁଦ୍ଧି ପିତାମାତାଙ୍କର
ରୁଷିଲେ ପୁତ୍ରରତନ,
ବାଞ୍ଛିତ ପ୍ରଦାନି ତୋଷନ୍ତି ତା ମନ
ପ୍ରଦର୍ଶାଇ ପ୍ରଲୋଭନ ।
ପିତାମାତାଙ୍କର ପ୍ରଶ୍ରୟ ପାଇ ସେ
ହେଲାକ ଉଦ୍ଧତ ଅତି,
ଆହୁତି ପାଇଲେ କ୍ଷୀଣ ଅଗ୍ନିଶିଖା
ନ କରେ କି ଉରଧ୍ବେ ଗତି ।
ସ୍ୱଭାବ କଣ୍ଡୁଳ ଯାଦୁ ରୋଗ, ତହିଁ
ଦଇବେ ପଡ଼ିଲେ ହାତ,
କାହିଁ ଅଛି ରକ୍ଷା ଶାନ୍ତ ନୁହେଁ କଣ୍ଡୁ
କରି ସୁଦ୍ଧା ରକ୍ତପାତ ।
ରସିକମଣିର ଷୋଳଘଡ଼ିକି ତ
ହେଲା ଷୋଳବେଶ ଲୋଡ଼ା,
ଯୋଗାଇଲେ ତାହା ଜନକଜନନୀ
ତାଙ୍କରି କପାଳ ପୋଡ଼ା ।
ଲଗାଇଲା ହଟ ତାହା ନାମେ ଲେଖି
ଦେବାକୁ ସର୍ବ ସମ୍ପତ୍ତି,
ପ୍ରତିପାଳିଲେ ତା ସେ ବୃଦ୍ଧ ଦମ୍ପତି
ନ କରି ତିଳେ ଆପତ୍ତି ।
ଯଉବନ ଖୋଜେ ପ୍ରାଧାନ୍ୟ, ସମ୍ପଦ,
ବିାଳାସିତା, ଅଧିକାର,
ପାଇଲେ ସେ ସର୍ବ ଅବହେଳେ ଅହୋ
କାହିଁଛି ଆଉ ନିସ୍ତାର ।
ରସିକଶେଖର ଗ୍ରାମ୍ୟ - ଲୀଳାରସେ
ଢାଳିଦେଲା ପ୍ରାଣ ମନ,
ବଢ଼ାଇ ଦେଲା ସେ ଅମଳର ମାତ୍ରା
ବ୍ୟୟ କଲା ବହୁ ଧନ ।
ଅତି ବ୍ୟୟେ ଗଲା ସବୁଧନ ସରି
ନ ଛାଡ଼ିଲା ନିଶା-ଉସା,
କେତେ ଦିନ ଆଉ ରହିବ ଲାଗିଲେ
ଧାନ କଉଡ଼ିରେ ମୂଷା ।
ଘରଡ଼ିହ ସହ ବିକିଦେଇ ଘର
ଶେଷରେ ଗଲା ପଳାଇ,
ପିତାମାତାଙ୍କର ସାଧ୍ୟ ସାଧନାରେ
ପଛକୁ ଥରେ ନ ଚାହିଁ ।
କା ଆଗେ ଗୁହାରି କରିବେ ସେ ବେନି
ଅକୃତଜ୍ଞ ପୁତ୍ର କଥା,
କପାଳକୁ ଠୁଙ୍କି ସହିଲେ ହୃଦୟେ
ନିରାଶା-ନିର୍ବାଣୀ-ବ୍ୟଥା ।
ଗୃହଶୂନ୍ୟ ପୁଣି ଧନଶୂନ୍ୟ ହୋଇ
ଦୁଃଖେ ବୃଦ୍ଧବୃଦ୍ଧାଦ୍ୱୟ,
ଅନାଥ ହୋଇଣ ପଡ଼ିଶା ଗୁହାଳେ
ଘେନିଲେ ମାଗି ଆଶ୍ରୟ ।
ଦୁର୍ବାର ଶୋକର ଦାରୁଣ ଆଘାତେ
ଭାଙ୍ଗିଗଲା ତାଙ୍କ ଅଣ୍ଟା,
ଆଶା-ସୁଖ-ସ୍ୱପ୍ନ ତୁଟିଯାନ୍ତେ ବେନି
ଝରି ଝୁରି ହେଲେ କଣ୍ଟା ।
ଭିକ୍ଷା ମାଗି ଦଗ୍ଧ ଉଦରେ ତୋଷିଲେ
କ୍ଷଣେ ପ୍ରାଣେ ଶାନ୍ତି ନାହିଁ,
ଭବିଷ୍ୟ ଅଜ୍ଞାତ ମୃତ୍ୟୁ ଦିବସକୁ
ରହିଲେ ଉଦ୍ଗ୍ରୀବ ଚାହିଁ ।
ଧିକ୍ରେ ସଂସାର, ଅତିଥି ନ ସେବି
ଖାଉ ନ ଥିଲେ ଯେ ଭାତ,
ତୋହରି ପ୍ରଭାବେ ପରଦୁଆରେ ସେ
ବିନୟେ ପାତିଲେ ହାତ ।
କି ଅସାଧ୍ୟ ତୋର, ଦୂବେ କରୁ ଦାରୁ
ଦାରୁକୁ ଆବର ଦୁବ,
କାହା ଭାଗ୍ୟେ ବିହୁ ଗଙ୍ଗାସ୍ନାନ, କାହା
ଭାଗ୍ୟେ ଚର୍ମନାସା ଡ଼ୁବ ।
କିଛି ଦିନାନ୍ତରେ ମହାମାରୀ ଉଭେ
ଘେନିଗଲା ଭବପାରେ,
କାହା ଲାଗି କେହି ଶୋକ କରିବାକୁ
ରହିଲା ନାହିଁ ସଂସାରେ ।
ଚିରଦିନ ପାଇ କରିଦେଲା ମୃତ୍ୟୁ
ଦୁଃଖ ଦାରିଦ୍ର୍ୟରୁ ତ୍ରାହି,
ନିଭାଇଲା ପ୍ରାଣେ ଢାଳି ଶାନ୍ତି - ସୁଧା
ଯାତନା - ଅନଳ ଡ଼ାହି ।
ମୃତ୍ୟୁ ବିପନ୍ନର ବନ୍ଧୁ, ଅଦ୍ୱିତୀୟ
ପ୍ରାଣୀ ହିତକାରୀପଣେ,
ବିନା ପ୍ରାର୍ଥନାରେ ସକଳ ଚିନ୍ତାରୁ
ମୁକ୍ତ କରିଦିଏ ଜନେ ।
ଏଣେ ରହି ହରି ଆଖଡ଼ାଶାଳାରେ
କରିଣ ବ୍ୟୟ ଅମିତ,
ସ୍ୱଳ୍ପଦିନ ମଧ୍ୟେ ହେଲା ସେ କୃତଘ୍ନ
ଅଗ୍ରୀବ ଋଣେ ମଜ୍ଜିତ ।
ତଥାପି ତାହାର ନାହିଁ ଭ୍ରୂନିକ୍ଷେପ
ନାହିଁ ତିଳେମାତ୍ର ଭୟ,
ମିଥ୍ୟା ସାକ୍ଷ ଦେଇ ପୋଷିଲା ଉଦର
ବଚନ କରି ବିକ୍ରୟ ।
ପରେ ତୋରି ବିଦ୍ୟା ଆଶ୍ରାକରି ମୂଢ଼
ବନ୍ଦୀ ହେଲା କାରାଗାରେ,
ଆତ୍ମକୃତ ପାପ ଭୁଲିଯାଇ ଦୁଷ୍ଟ
ଅଦୁଷ୍ଟେ ବୃଥା ଧିକାରେ ।
ନିଶା ଅଭାବରେ ହୋଇଣ ବିବିଧ
ଜଟିଳ ରୋଗେ ଆଚ୍ଛନ୍ନ,
ଭୁଞ୍ଜି ବହୁକ୍ଳେଶ କଲା ହତଭାଗ୍ୟେ
ଜୀବ ଯଦି ଉଦ୍ଯାପନ ।
ଲଭିଲା ପାମର ଆତ୍ମକରଣୀର
ଅବ୍ୟର୍ଥ ଅଭିସମ୍ପାତ,
ଅକାଳେ ନିର୍ବୋଧ ପୋତି ହେଲା ହାୟ
ନିଜ ହାତେ ଖୋଳି ଗାତ ।
ଦ୍ୱିତୀୟ ଚିତ୍ର
ସାରସ୍ୱତ ପୁରେ ସାରସ୍ୱତ ବ୍ରତୀ
ବିଶୁମ୍ଭର ନାମେ ଦ୍ୱିଜ -
ନିବସନ୍ତି, ତାଙ୍କ ରୂପେ ପରାଜିତ
ରୁପରାଜ ମନସିକ ।
ବହୁ ଶୁଭଗୁଣେ ଥିଲା ଅଳଙ୍କୃତ
ସେ ସୌମ୍ୟରୂପ ସର୍ବଥା,
ସୁକବି କବିତା- ଯୋଗେ ଅଳଙ୍କୃତା
ମାତୃଭାଷା ଅଙ୍ଗ ଯଥା ।
ଏକାଧାରେ ଦ୍ୱିଜ କବି ସୁପଣ୍ଡିତ
ବିପୁଳ ପ୍ରତିଭାବନ୍ତ,
ସର୍ବଦକ୍ଷ, କାବ୍ୟ ବ୍ୟାକରଣଠାରୁ
ବେଦ ବେଦାନ୍ତ ପର୍ଯ୍ୟନ୍ତ ।
କାମନାବିହୀନ ବାଣୀପୂଜାରତ
କଳ୍ପନାରେ ଚିତ୍ତ ଶୋଧି,
ନୀରବ ସାଧକ ଆତ୍ମପ୍ରକାଶର
ସ୍ୱଭାବେ ଚିର ବିରୋଧୀ ।
ରହୁ ପଛେ ଗୁଣୀ ଯେତେ ପ୍ରଚ୍ଛନ୍ନରେ
ମାତ୍ର ସେ ଲୁଚିବ ନାହିଁ,
ଦିନେ ତାକୁ ଗୁଣ- ପୁରସ୍କାରଦାତ୍ରୀ-
ପ୍ରକୃତି ଦେବ ଦେଖାଇ ।
ପ୍ରତିଷ୍ଠାକୁ ଯେହୁ ନ ଲୋଡ଼େ, ପ୍ରତିଷ୍ଠା
ବିନା ପଣେ ତାହା ଦାସୀ,
ସ୍ୱାର୍ଥସେବୀ ସିନା ପ୍ରତିଷ୍ଠାପ୍ରୟାସୀ-
ପ୍ରତିଷ୍ଠା - କେଦାର ଚାଷୀ ।
କଳ୍ପନା-କୋଳରୁ ନ ଓହ୍ଲାନ୍ତି ଦ୍ୱିଜ
ଶୋଷନ୍ତି ସ୍ତନୁ ଅମୃତ,
ବାତେ ପୁଷ୍ପଗନ୍ଧ ପ୍ରାୟ ଖ୍ୟାତି ତାଙ୍କ
ଚୌଦିଗେ ହେଲା ବିସ୍ତୃତ ।
ବିଦ୍ୟା - ବିଚକ୍ଷଣ ହେତୁ ଲଭିଥିଲେ
ବିଦ୍ୟାବିଶାରଦ ଆଖ୍ୟା,
ତୁଷ୍ଟ ହେଉଥିଲେ ପଣ୍ଡିତମଣ୍ଡଳୀ
ଶୁଣି ତାଙ୍କ ଶାସ୍ତ୍ର ବ୍ୟାଖ୍ୟା ।
ତାଙ୍କ ଯୋଗୁ ତାଙ୍କ- ଗୃହ ବାଣୀତୀଥେ
ହୋଇଥିଲା ପରିଣତ,
ବାଣୀ-ଭକ୍ତଗଣ ଗୁରୁ ପ୍ରାୟ ତାଙ୍କୁ
ଆରାଧୁଥାନ୍ତି ସତତ ।
ପରିମିତ ଭବେ ମାନବ ଜୀବନ
ମାନବ ଶକ୍ତି ଆବର,
ମାତ୍ର ତା କର୍ତ୍ତବ୍ୟ ଅସୀମ, ଏ ତତ୍ତ୍ୱ
ଜ୍ଞାତ ସେ ଭୂସୁରବର ।
ତାରକ ମନ୍ତର ପରାୟେ ଜପନ୍ତି
ସଦା ମାତୃମହୀ ନାମ,
ପ୍ରାଣେ ପ୍ରାଣେ ଦେଶ- ସେବାକୁ ମଣନ୍ତି
ପୁଣ୍ୟାମୃତ ସ୍ୱର୍ଗଧାମ ।
ଦେଶପ୍ରୀତି ପୁତ- ଜାହ୍ନବୀ ପ୍ରବାହେ
ପଡ଼ିଥିଲେ ଦ୍ୱିଜ ଢ଼ଳି,
ସର୍ବୋନ୍ନତି ମୂଳ ମାତୃଭାଷା - ପୀଠେ
ଅର୍ପିଥିଲେ ଆତ୍ମବଳି
ଜାତୀୟ ସାହିତ୍ୟ ଜାତି ମେରୁଦଣ୍ଡ
ଜାତୀୟ ଶକ୍ତି ସମ୍ବଳ,
ଜାତୀୟ ଜାଗ୍ରତ- ଜୀବନ ଆଣେ ସେ
ମୃତପ୍ରାଣେ ନବବତ ।
ଜାତୀୟ ସାହିତ୍ୟ ସୃଷୁପ୍ତ ପ୍ରାଣର
ହାସ୍ୟ ଦୀପ୍ତିମୟୀ ଉଷା,
କ୍ରମେ କ୍ରମେ ହୃଦେ କରିଆଣେ ଉଦେ
ଉନ୍ନତି - ପ୍ରଚଣ୍ଡ ପୁଷା ।
ସାହିତ୍ୟ ମହିମା ଅସୀମ, ତା ସମ
ହିତାକାରୀ ବନ୍ଧୁ ନାହିଁ,
ଭାଷା ଆଶା ବେନି ଜଗତକୁ ସିନା
ଅଛନ୍ତି ଗଦେ ଖଟାଇ ।
ବିଦ୍ୟାରେ ଦିଗୃଳ ହେଲେ କିସ ହେବ
ନ ଥିଲେ ସେ ଧନବାନ,
ସର୍ବଗୁଣାଧାର ନିର୍ଦ୍ଧନ ସକାଶେ
କାହିଛି ସମାଜେ ସ୍ଥାନ ।
ଥାଉ ଆନ, ହେଲେ ଅର୍ଥହୀନ ନିଜ
ପରିବାରେ ଅନାଦୃତ,
ନିର୍ଦ୍ଧନ ମାନବ ଜୀନବରେ ହାସ
ଥାଇ ସୁଦ୍ଧା ଜୀବନ୍ମୃତ ।
ବାଣୀସୁତ ପକ୍ଷେ ଅପ୍ରବେଶ୍ୟ ସିନା
ପ୍ରାକୃତ ଧନ ଭବନ,
ଅବାରିକ ଦ୍ୱାର ସେ ଘର ଯହିଁରେ
ସଞ୍ଚିତ ନିସର୍ଗ ଧନ ।
ପଣ୍ଡିତଙ୍କ ପ୍ରତି ନାହିଁ ଏ କାଳରେ
ପୂର୍ବପରି ଆନୁକୁଲ୍ୟ,
ଚତୁଷ୍ପାଠୀ-ହାଟେ ଦଶମୁଦ୍ରା ଏବେ
ପଣ୍ଡିତଙ୍କ ଭାଗ୍ୟମୂଲ୍ୟ ।
ଯେ ଦିନୁ ଘଟିଲା ବିଶ୍ୱଭାଷା- ମାତା
ସଂସ୍କୃତର ଅବନତି,
ସେଦିନୁ ନିଭିଲା ପଣ୍ଡିତକୁଳର
ଗୌରବର ଘୃତବତୀ ।
ଗୋଡ଼ାଉଣ ଥିଲା ଯା ପଛେ ଉନ୍ନତି
ସୂର୍ଯ୍ୟ ପଛେ ଯଥା ଦିନ,
ଏକାଳେ ସେ ଦେଶ ଅଭୀବ ନଗଣ୍ୟ
ଉପହସିକ ଶ୍ରୀହୀନ ।
ଆଦି ମାତୃଭାଷା ପୂଜା ବର୍ଜି ଆର୍ଯ୍ୟେ
କିଣିଲେ ତା ଅଭିଶାପ,
ବୁଡ଼ିଲେ ଅଜ୍ଞାନେ ହୁଡିଲେ ସ୍ୱଧର୍ମ
ଜାତୀୟ କ୍ରିୟାକଳାଶ ।
ବ୍ୟବହାର୍ଯ୍ୟ ଭାଷା- ଚାଜ୍ୟେ ଯଶି ସୁଦ୍ଧା
ବହୁବିଧ ଆବର୍ଜନା,
କରିଅଛି ଏକ କିମାକାର ମିଶ୍ର
ଅଦ୍ଭୁତ ଭାଷା ସର୍ଜନା ।
ଖାଣ୍ଟି ଭାଷା- ସ୍ୱର୍ଣ୍ଣେ ମିଶି ଯାଉଅଛି
କ୍ରମେ ରାଶି ରାଶି ଖାଦ,
ବିଶୁଦ୍ଧ ଗୋକ୍ଷୀରେ ମିଶାଇଲେ ନୀର
ନଷ୍ଟ ହୁଏ ସିନା ସ୍ୱାଦ ।
ନୂତନ ଯୁଗର ନୂତନତା ଦିଏ
ପୁରାତନ ବେକ ମୋଡ଼ି,
ନୂତନତ୍ୱ ମୋହେ ଅଭକ୍ଷେ ନିଜର
ନିଜସ୍ୱ ଯାଉଛି ପୋଡି ।
ଖଞ୍ଜା ହେଉଅଛି ଜନନୀ ଶ୍ରୀଅଙ୍ଗେ
ଅଳଙ୍କାର ଲକ୍ଷ ଲକ୍ଷ,
ଅଳଙ୍କାର ଭାରେ କି ଯନ୍ତ୍ରଣା ତାର
ସେ ଆଡ଼କୁ ନାହିଁ ଲକ୍ଷ୍ୟ ।
ସ୍ୱଭାବ ସୁନ୍ଦର ଅଙ୍ଗ ବଳି ତୁଚ୍ଛ
ଅଳଙ୍କାରର ମହିମା,
ଢାଙ୍କିଦିଏ ସିନା ଅଳଙ୍କାରରାଶି
ସୁନ୍ଦରର ସୁନ୍ଦରିମା ।
ପୈତୃକ ସାମାନ୍ୟ ଭୂସମ୍ପତ୍ତି ପରେ
ନିର୍ଭରି ଜୀବନ ଦ୍ୱିଜ,
ସୁଖ ଦୁଃଖ ସହି ଚଳାଉଣଥିଲେ
ସନ୍ତୋଷେ ପ୍ରାଣ- ବଣିଜ ।
ଶାନ୍ତିରେ ଜୀବନ ଯାପିବାକୁ ଇଚ୍ଛା
କଲେହେଁ ନ ମିଳେ ଶାନ୍ତି,
ବିବିଧ ଜଞ୍ଜାଳେ କରେ ବିଜଡିତ
ପ୍ରକୃତ ମୋହନ ଭ୍ରାନ୍ତି ।
ଉଗ୍ରତାରା ନାମେ ତାହାଙ୍କ ଗୃହିଣୀ
ସୁଷମା-ଉଦ୍ୟାନ ଫୁଲ,
ସୁନ୍ଦରୀ- ସୃଷ୍ଟିରେ ଅନୁପମା ବାଳା
ନିଜେ ନିଜ ସମତୁଲ ।
ବୋଲନ୍ତି ସକଳେ ଗୋଟିଏ ଚାଉଳେ
ରଚିଛି ତାକୁ ବିରଞ୍ଚି,
ସୁନ୍ଦରୀ- ସାମ୍ରାଜ୍ୟ ରାଣୀ ବାଳାମଣି
ଅପ୍ସରା ସ୍ୱର୍ଗର ଶତୀ ।
ଗୁଣାଭାବେ ମାତ୍ର ସେ ରୁପ ସମ୍ୟକ
ଦିଶେ ନାହିଁ ଉଜ୍ଜ୍ୱଳାଭ,
ଝଳି ନ ଲଗାଇ ପ୍ରତିମା ଶରୀରେ
ଖାଲି ରଙ୍ଗେ କେଉଁ ଲାଭ ।
ଉଦୁଣ୍ଡୀ- ମୁକୁଟ - ଭୁଷା ଭଗ୍ରତାରା
ଗାଳି କଳହରେ ପଟୁ,
ରୁପଟି ମଧୁର ମାତ୍ର ରସନାଟି
ହଳାହଳୁ ବଳି କଟୁ ।
ଶିକ୍ଷିତ ଭାଗ୍ୟରେ ଅଶିକ୍ଷିତା ପତ୍ନୀ
ଅଦୃଷ୍ଟର ହଟହଟା,
ଅଥବା ବିଧିର ପରିହାସ ବିଧି
ଅନ୍ତର୍ଦାହୀ ମର୍ମଫଟା ।
ବିରୁଦ୍ଧ ପ୍ରକୃତି ହେତୁ ସେ ଦମ୍ପତି-
ମତି ସଦା ଅପ୍ରସନ୍ନ,
ମିଶୁଥିଲ ନାହିଁ ପରସ୍ପର ପ୍ରାଣ
ସଲିଳେ ତୈଜ ଯେସନ ।
ବିଶ୍ୱମ୍ବର ଭାଗ୍ୟେ କି ପାପେ ଏ ଶାସ୍ତି
ବିହିଲେ ବିଶ୍ୱକରତା,
କେଉଁ ଦୃଷ୍ପୃତିରୁ ସରଳ ରସାଳେ
ଛନ୍ଦିଲା କଣ୍ଟକୀ ଲତା ।
ଅନକରୁପିଣୀ ବିଜୁଳି ଭାଗ୍ୟରେ
ବଜଗର୍ଭ ବଳାହକ,
ଏ ସଂଯୋଗ ସିନା ଉପଯୁକ୍ତ ନୀତି
ଏହାହିଁ ରାଜଯୋଟକ ।
କେଡ଼େ ପ୍ରାଣସ୍ପର୍ଶୀ କେଡ଼େ ମଧୁମୟ
ମିଳନ ବେନି ସୁପାତ୍ରେ,
ଏ କଲ୍ୟାଣ ବିଧି ନାହିଁ କି ନିବଦ୍ଧ
ବିଧାତା ବିଧାନ - ଶାସ୍ତ୍ରେ ।
କିପାଇଁ ବିଧାତା ସୁପାତ୍ରେ ଅପାତ୍ରୀ
ଖଞ୍ଜି ବା ସାଧନ୍ତି ଦାଉ,
କୋକିଳ ସହିତ ମିଶାଇଲେ ଆଣି
ମିଶିବ କି ଦୁଷ୍ଟ କାଉ ।
ଅସଙ୍ଗତ ଏହି ସଂଯୋଗ ଦୋଷରୁ
ଉଡ଼ୁଛି ଅଶାନ୍ତି- ଧୁଳି,
ଦୃଢ଼ତର ପୁଣ୍ୟ ବିବାହ ବନ୍ଧନ
ଯାଉଛି କ୍ରମେ ହୁଗୁଳି ।
ଚୁନା ହେଉଅଛି ଏହି ଦୋଷେ ସିନା
କେତେ କେତେ ସୁନାଘର,
କେତେ ଲୋକଙ୍କର ଦାମ୍ପତ୍ୟ ଜୀବନ
ହେଉଛି ବ୍ୟର୍ଥ ଆବର ।
କେତେ ଗୃହ-ସ୍ୱର୍ଗ ଭୈରବ ରୌରବେ
ହେଉଅଛି ପରିଣତ,
ଅଭାଗ୍ୟ କୋଷ୍ଠିରେ ପଞ୍ଚମ ଶନି ସେ
ଅଶୁଭ ଅର୍ପେ ନିୟତ ।
କେବେ ହେବେ ହାୟ ନାରୀଏ ଶିକ୍ଷିତା
ତୁଟିଯିବ ଉପସର୍ଗ,
ଯେବେ ହେବେ, ତେବେ ହେବ ଯୋଗ୍ୟମେଳ
ଧରା ହେବ ତେବେ ସ୍ୱର୍ଗ ।
ଯେ ଦେଶ ବିଦୁଷୀ- ସୀତାସାବିତ୍ରୀଙ୍କି
କରେ ଭକ୍ତି ଆରାଧନା,
କି ଆଶ୍ଚର୍ଯ୍ୟ ଆହୋ ! ସେ ଦେଶେ କି ପାପେ
ଏବେ ନାରୀଶିକ୍ଷା ମନା ।
ତୋଳିବେ ନାରୀଏ ସୀତାସାବିତ୍ରୀଙ୍କ
ପରି ଯେବେ ଯଶ-ଦୁର୍ଗ,
ବାହୁଡ଼ି ଆସିବ ତେବେ ଏ ଭାରତେ
ସୀତାସାବିତ୍ରୀଙ୍କ ଯୁଗ ।
ନାରୀଶିକ୍ଷା ପ୍ରତି ରହିବି ସମାଜ
ଯେତେ କାଳ ଉଦାସୀନ,
ତେତେ କାଳଯାଏଁ ଥିବ ସେ ଦୁର୍ବଳ
ହୋଇ ବାମହସ୍ତହୀନ ।
ବାମପାଦହୀନ ବାମବର୍ଣ୍ଣହୀନ
ବାମଚକ୍ଷୁହୀନ ହୋଇ,
ତେତେ କାଳ ଥିବ ନିଶ୍ଚେତ ନିଷ୍ପନ୍ଦ
ଦୁର୍ଗତି- ଶେଯରେ ଶୋଇ ।
ଅସାଢ଼ ସମାଜ ଦେଖି ଦେଖୁ ନାହିଁ
ଘୋର ଅବନତି ଯୁଦ୍ଧ,
କି କରିବ ସେ ତ ବିରାଡ଼ି ପରାୟେ
ଆଖି ବୁଜି ପିଏ ଦୁଧ ।
ପୂଜ୍ୟ ତିରସ୍କାରେ ପ୍ରତିଭାଷା ନାହିଁ
ଯେ ଦେଶ ନାରୀଙ୍କ ତୁଣ୍ଡେ,
ଟେକନ୍ତି ତାଙ୍କର ବଂଶଧାରିଣାଏ
ଖଣ୍ଡା ଏବେ ପୂଜ୍ୟ ମୁଣ୍ଡେ ।
ଗୁରୁଜନଙ୍କର ଆଜ୍ଞାବହା ଆହା
ଥିଲେ ଯେହୁ ଅହରହ,
ଇଛନ୍ତି ସେ ନାରୀ କରିବାକୁ ଏବେ
ଗୁରୁଜନେ ଆଜ୍ଞାବହ ।
ଫୁଟୁଥିଲା ଯେଉଁ ସରେ ସୁରଭିତ
କମଳ ଫୁଲମଉଳି,
ସେହି ସରେ ଏବେ ଫୁଟୁଅଛି ହାୟ
ନିର୍ଗନ୍ଧ ପାଣିଶିଉଳି ।
ବିଦ୍ୟା ଉପାର୍ଜନେ ନାରୀ ପୁରୁଷଙ୍କ
ଅଛି ସମ ଅଧିକାର,
ନ ପାଳେ ଏ ସତ୍ୟ ଯେ ସମାଜ, ତାକୁ
ଦୂରୁ କୋଟି ନମସ୍କାର ।
ବାଧା ଦେଇ ନାରୀ- ଶିକ୍ଷାରେ ସମାଜ
ଆମନ୍ତ୍ରି ଆଣି ଆଶିବ,
ଘୋର ଅଜ୍ଞତାର ପରିଚୟ ଦିଏ
ନିଜେ କାଟି ନିଜ ଜିଭ ।
ଅଳଙ୍କାର ପାଇଁ ଉଗ୍ରତାରା ସଦା
କରେ ପତି କବି ଅଳି,
ଇଚ୍ଛା ପ୍ରତିକୂଳେ ଗତି କଲେ ପତି
ଗାଳି ସଙ୍ଗେ କରେ କଳି ।
ଯାହାର ଯା ଦେଖେ ବିକାସ ସାମଗ୍ରୀ
ବଳାଏ ତହିଁକି ମନ,
ମାତ୍ର ପାଏ ବାଧା ମନୋରଥ ପଥେ
ହାତେ ନାହିଁ ଯେଣୁ ଧନ ।
ପ୍ରତି ନିଃଶ୍ୱାସରେ କରୁଥାଏ ବାମା
ଅଭାବର ଅନୁଭୂତି,
ଯେତିକି ଅଭାବ ମଣେ ସେ, ତେତିକି
ଅଭାବ ଲଭେ ବିସ୍ତୃତି ।
ଦୁଷ୍ଟ ସୁପ୍ତ ଶିଶୁ ସଙ୍କାଶ ଅଭାବ
ତାହାକୁ ଦେଲେ ଚେତାଇ,
ଲଗାଏ ଜଞ୍ଜାଳ, ଅଗ୍ନିଚୂର୍ଣ୍ଣେ ଅଗ୍ନି *
ଲଗାଇଲେ ରକ୍ଷା କାହିଁ ।
* ଅଗ୍ନିଗୁଣ୍ଟି- ବାରୁଦ ।
ଐକପକ୍ଷ ଯୁଦ୍ଧେ ତର୍ଜନ ଗର୍ଜନ-
ଅସ୍ତ୍ର ଆଚ୍ଛାଦେ ଆଗାର,
ମୌନ ଅସ୍ତ୍ରେ ଦ୍ୱଜ କରନ୍ତି ସତତ
ସେ ଅସ୍ତ୍ର ପ୍ରତିସଂହାର ।
ଅଧିକ ଅସହ୍ୟ କର୍ଣ୍ଣଦାହୀ ହେଲେ
ଅବଳାର ବାଣୀ-ବାଣ,
ହତାଶ-ନିଃଶ୍ୱାସ ଛାଡି ଦ୍ୱିଜମଣି
ତେଜନ୍ତି ଖରେ ସେ ସ୍ଥାନ ।
ବାହାରେ ଶୀତଳ ଥାନ୍ତି ବିଶ୍ୱମ୍ଭର
ଗୃହେ ଗଲେ କଦାଚନ,
ନିସ୍ତବ୍ଧତା-ସିନ୍ଧୁ ମନ୍ଥି ଜାଗି ଉଠେ
ରମଣୀକଷ୍ଠ ଗର୍ଜନ ।
ଗୃହ ଭିତରକୁ ପଶିବାକୁ ଭୟେ
ଥରିଯାଏ ତାଙ୍କ ଅଙ୍ଗ,
ବାଘୁଣୀ ଗୁମ୍ଫାରେ ପଶିବାକୁ ଯେହ୍ନେ
ଆଶଙ୍କା କରେ କୁରଙ୍ଗ ।
ନିଭୃତେ ଭାବନ୍ତି ମହତ୍ତ୍ୱ ସମ୍ଭାଳି
କଥା ଏ ତ କହୁ ନାହିଁ,
ଏହାଲାଗି ଲାଜେ ସମାଜରେ ମୁଖ
ପାରୁ ନାହିଁ ମୁଁ ଦେଖାଇ ।
ଅନୁଶୋଚନାରେ କି ଫଳ, କି ଫଳ
ବିଫଳ ସେ ସ୍ମୃତି ଧରି,
ନିଜ ଭାଗ୍ୟଭିତ୍ତି ନିଜ ହାତେ ମୁହିଁ
ଦେଇଛି ତ ଚୂର୍ଣ୍ଣ କରି ।
ବର୍ତ୍ତମାନ ନଷ୍ଟ, ଭାବୀ ଅନିଶ୍ଚିତ-
ସଙ୍କେତେ ହେବି ଚାଳିତ,
କିଏ ବା ଶୁଣିବ ଜୀବନର ଗୁପ୍ତ
କରୁଣ- କଷଣ- ଗୀତ ।
ହୋଇଥିଲେ ଚିର- କୁମାର, ନୋହି ମୁଁ
ବିବାହ- ବନ୍ଧନେ ବନ୍ଧା,
ଆଶ୍ରିଥାନ୍ତି ଶାନ୍ତି- ତ୍ରିବିବର ପୁଣ୍ୟ-
ପୀୟୁଷା ଅଳକାନନ୍ଦା ।
ଭ୍ରାନ୍ତିମୋହେ ପଡ଼ି ନର- ଜୀବନର
ମୂଳମନ୍ତ୍ର ଗଲି ହୁଡ଼ି
ଲାଳସା- ସାଗର- ଭୀମ ଭଉଁରୀରେ
ଘୂରି ଘୂରି ଗଲି ବୁଡ଼ି ।
କେଉଁ ପାପେ ବିହି ବିହିଲେ ମୋ ଭାଗ୍ୟେ
ଏଡ଼େ ଅକଲ୍ୟାଣ ପୁଣି,
ତାଙ୍କୁ ଜଣା କିପାଁ ଛନ୍ଦିଲେ ଚନ୍ଦନେ
ଉଫ୍ତଣା କାଳ ନାଗୁଣୀ ।
ଦରିଦ୍ରର ବିତ୍ତ ପତ୍ନୀପ୍ରୀତି ସିନା
ପତ୍ନୀହିଁ ବିପଦେ ମନ୍ତ୍ରୀ,
ମାତ୍ର ଏ ମୁଖରା କଳଙ୍କପସରା
ହେଲା ମୋ ଜୀବନହନ୍ତ୍ରୀ ।
ତାହା ଭଳି ପତ୍ନୀ ମୋ ଭାଗ୍ୟେ, ମୋ ଭଳି-
ହୀନପତି ଭାଗ୍ୟେ ତାର,
କେଉଁ ପୁଣ୍ୟ ଫଳେ ବିହିଥିଲେ ବିହି
ଏ ଦାରୁଣ ପୁରସ୍କାର ।
ଭାବିପାରୁ ନାହି ଉଗ୍ରତାରା ଭାଗ୍ୟେ
କି ହେବ ଅନ୍ତିମ ଗତି,
ଶତ ଉପଦେଶ ଶତ ଶାସ୍ତ୍ରବାଣୀ
ପଣ୍ଡତା ଭଜେ ତା କତି ।
ସହସ୍ର କର୍ଷଣେ ସୈକଳିନୀ ବେଳା
ହେବ କି ଉର୍ବରଶୀଳା,
ନ ହୁଏ କୋମଳ ସଲିଳ ସିଞ୍ଚନେ
ସ୍ୱଭାବ- କଠିନ ଶିଳା ।
ଭୁଆସୁଣୀ ହୋଇ ସ୍ୱାଧୀନା ପରାଏ
ବୁଲିବ ହୋଇ ଅବାଧ୍ୟ,
କହିଲେ ଏ କଥା ବସିବ ସେ ବାଢ଼ି
ସପ୍ତପୁରୁଷଙ୍କ ଶ୍ରାଦ୍ଧ ।
ସବୁ ବିକି ଭାଙ୍ଗି ପାପୀୟସୀ ଜୂର
କଲା ମୋ ଘରକରଣା,
ଏ ଉଭାରେ ଆଉ ଅଛି କି ଦୁର୍ଗତି
ଭବିତବ୍ୟକୁ ତା ଜଣା ।
ଦୁଇଦିନ ଲାଗି ଆସି ଭବେ ମୁର୍ଖା
ବାନ୍ଧୁଛି କେଡ଼େ ଭରସା,
କୁବେର ସମ୍ପତ୍ତି ଲଭି ନ ମେଣ୍ଟିବ
ଦୁର୍ନିର୍ବାର ଦୁର୍ଲାକାସା ।
ଦୁଇଦିନ ଯାର ଅସ୍ତିତ୍ୱ ସେ କିପାଁ
ଦିଏ ଅପରକୁ ପୀଡ଼ା,
ଶେଷ ଶଯ୍ୟା ଯାର ଅନଳ- କୋମଳ-
ଶେଯେ କିପାଁ ତାର କ୍ରୀଡ଼ା ।
ରକ୍ତମାଂସେ ଗଢ଼ା ଦେହ ହୋଇଯିବ
ଦ୍ୱିଦିନେ ପଚି ବିକୃତ,
କି ଭ୍ରାନ୍ତ ମାନବ, ଇଚ୍ଛେ ତାକୁ ରତ୍ନେ
କରିବାକୁ ଅଳଙ୍କୃତ ।
ସୁବର୍ଣ୍ଣ, ରକତ, ମଣି, ମୁକ୍ତା ମାଟି
ମାନବ ଶରୀର- ମାଟି,
ମାଟିକୁ ମାଟିରେ ବିମଣ୍ଡିଲେ ତହିଁ
କେଉଁ ଶୋଭା ପରିପାଟୀ ।
ଧନ୍ୟ ଏ ସଂସାର ଧନ୍ୟ ତାର ମୋହ
କରିଦିଏ ବୁଦ୍ଧି ବଣା,
ଧୂଳି ମାଟି ପାଇଁ ଲାଗିଅଛି କେତେ
ଦ୍ୱେଷ ହିଂସା କଟା ହଣା ।
ଜନ୍ମଲାଭ କ୍ଷଣି ଧାଇଁଛି ମାନବ
ମୃତ୍ୟୁମୁଖେ ହୋଇ ଭୋଳ,
ଶ୍ମଶାନ- ପଥରେ ଚାଲୁଁ ଚାଲୁଁ କିପାଁ
ପଥ ମଧ୍ୟେ ଏଡ଼େ ଗୋଳ ।
ପରିଣାମେ ଯାକୁ ମିଶିବାକୁ ହେବ
ମାଟିରେ ଅବଶ୍ୟ ଦିନେ,
ଭବ- ହାଟେ କିପା ଏତେ ଅଭିମାନ
ମାତ୍ସର୍ଯ୍ୟ-ପାପ ସେ କିଣେ ।
ମରିବା ସକାଶେ ଆସିଅଛି ଯେହୁ
ମୂର୍ତ୍ତି ଧରି ଏ ସଂସାରେ,
କି ଆଶ୍ଚର୍ଯ୍ୟ ସେହୁ ମୃତ୍ୟୁକୁ ଭୁଲିଛି
କେଉଁ ବ୍ୟର୍ଥ ଦୁରାଶାରେ ।
ସତୀ ରମଣୀଏ ନ ବହନ୍ତି ଦେହେ
ପାର୍ଥିବ ଭୂଷଣ ଭାର,
ଶାନ୍ତି ପ୍ରୀତି ମୈତ୍ରୀ ଦୟାକୁ ମଣନ୍ତି
ଅପାର୍ଥିକ ଅଳଙ୍କାର ।
ସତୀ ଅଳଙ୍କାର ପତି, ରବିରଶ୍ମି
କମଳିନୀ ବରଭୂଷା,
ସ୍ରୋତସ୍ୱିନୀ ଭୂଷା ଆବର୍ତ୍ତ ପ୍ରବାହ
ଅମରା ଭୂଷଣ ବୃଷା ।
ଆପଣା ସକାଶେ କାର କି ଅଭାବ
ପର ପାଇଁ ଏକା ଚିନ୍ତା,
ଯାହା ଲାଗି ଚିନ୍ତା ଜାଳି ଦେଉଛି ସେ
ଜୀବନେ ଦାରୁଣ ଚିତା ।
ହେ ପ୍ରଭୁ ପ୍ରାଣର ବ୍ୟାକୁଳ ଭାଷାରେ
ଜଣାଉଛି ବାରମ୍ବାର,
ଭାବିଜନ୍ମେ ଦାସେ ବିବାହେ ନ ଛନ୍ଦି
କରିବ ଚିରକୁମାର ।
ନ ଥିବ ଅସାର ସଂସାର ଜଞ୍ଜାଳ
ନ ଥିବ ଭାବନା ଅନ୍ୟ,
ଦେଶସେବା ବ୍ରତେ ନିର୍ବିଘ୍ନେ ସଚତ
ରତ ହୋଇ ହେବି ଧନ୍ୟ ।
ପଠାଇଲା ବେଳେ ପଠାଅ ଏକାକୀ
ନେବା ବେଳେ ଏକା ନିଅ,
ମଝିରେ କେତେଟା ଦିନ ପାଇଁ କିପାଁ
ଘଟାଅ ଆଣି ଦ୍ୱିତୀୟ ।
ଏକାକିତା ସିନା ମନୋରଥ- ପଥେ
ପରମ ସାହା ସମ୍ବଳ,
ଏକାକୀର ନାହିଁ ବନ୍ଧନ, ସୃଷ୍ଟିରେ
ସ୍ୱାଧୀନ ସେହି କେବଳ ।
ଶାନ୍ତି-ପୁଣ୍ୟ ଗଙ୍ଗା- ଅମୃତ ପ୍ରବାହ
ବହେ ଏକାକୀର ପ୍ରାଣେ,
ଏକାକୀ ଯେ ଶୁଭ ସୁଖ ଭୁଞ୍ଜେ ତାହା-
ମୂଲ୍ୟ ସେହି ଏକା ଜାଣେ ।
ଦିନେ ଉଗ୍ରତାରା ବାସର- ବାର୍ଦ୍ଧକ୍ୟେ
ସ୍ୱାମୀ ସନ୍ନିଧାନେ ଯାଇ,
ଜଣାଇଲା ସେହି ମୂହୁର୍ତ୍ତେ ଗ୍ରାମାନ୍ତେ
ଯାତ୍ରା ଦେଖିଯିବା ପାଇଁ ।
ଉତ୍ତରିଲେ ଦ୍ୱିଜ କର୍କଶ ବଚନେ
ଅବଜ୍ଞା ପ୍ରକାଶ ଚଳି,
ବ୍ୟଙ୍ଗ ଅପବାଦ ପରିହାସ ପଦେ
ଦେଲୁ କି ତୁ ଜଳାଞ୍ଜଳି ।
ଇତରା ନାରୀଙ୍କ ସଙ୍ଗ ମେଳେ ପଡି
ହେଲୁଣି ତୁହି ଇତର,
ଗୃହିଣୀ ଲକ୍ଷଣ ଲୋକ ନିନ୍ଦା ଭୟ
ନାହିଁ ତ ତିଳେ ତୋହର ।
କିଛି ମାତ୍ର ପ୍ରତି- ବାଣୀ ନ ଉଚ୍ଚାରି
ଉଗ୍ରତାର କୋପଭରେ,
ଖର ପଦକ୍ଷେପେ ଗୃହରୁ ବାହାରି
ରୁଷିଗଲା ବାପଘରେ ।
ତହୁଁ ବିପ୍ରବର ଗୃହକାର୍ଯ୍ୟ ଭାର
ବହିଲେ ନିଜେ ସକଳ,
ଭାବିଲେ ମୋ ବିନା କେ ଭୁଞ୍ଜିବ ଏହା
ମୋର ଉପାର୍ଜିତ ଫଳ ।
ଜାଣୁ ଜାଣୁ ମୁହଁ ଚାଳି ଦେଲି ଟିପି
ପ୍ରଚଣ୍ଡା ପନ୍ନଗୀ ସୁଚ୍ଛ,
ଫିଟାଇ ଦେଲି ମୁଁ ନିଜ ହାତେ ନିଜ
ଦୁର୍ଦ୍ଦଶାର ବଦ୍ଧ ଉତ୍ସ ।
ବାହାରେ ଶୀତଳ ସୌମ୍ୟ ମୂର୍ତ୍ତି ଯଥା
କୁସୁମମାତା ଲତିକା,
ପ୍ରତି ଲୋମ- କୂପେ ଲୁକ୍କାୟିତ ମାତ୍ର
ପ୍ରଚ୍ଛନ୍ନେ ପାବକଶିଖା ।
ଦୁର୍ବାସାଙ୍କ ପ୍ରିୟ- ଶିଷ୍ୟା, ଅଗ୍ନିଗର୍ଭା
ଯଥା ଚକମକି ଶିଳା,
ସାମାନ୍ୟ ଘର୍ଷଣେ କୋଟି ଅଗ୍ନିକଣା
ଭଗାରେ ଏ ରୁକ୍ଷଶୀଳ ।
ଯାଉ ପଛେ ରୁଷି ହେଉ ମୋର କଷ୍ଟ
ଧରୁ ପଛେ କ୍ରୋଧଭାବ,
ଅଶାନ୍ତ ଗୃହେ ମୋ ଶାନ୍ତି ବିରାଜିବ
ଏତିକି ଯଥେଷ୍ଟ ଲାଭ ।
ଚିର ଅନ୍ଧକାରେ ନାଚିବ ଚନ୍ଦ୍ରିକା
ନିଖିଳ ସୁଷମାକର,
ଚିର ହାହାପୂର୍ଣ୍ଣ ନର୍କ ହେବ ସ୍ୱର୍ଗ,
ଅସୁନ୍ଦର ସୁସୁନ୍ଦର ।
ଅତିରିକ୍ତ ଶ୍ରମେ ବିଶ୍ୱମ୍ଭରରଙ୍କର
ହେଲା ସ୍ୱାସ୍ଥ୍ୟଭଙ୍ଗ କ୍ରମେ,
ଅଳ୍ପଦିନ ମଧ୍ୟେ ଶଯ୍ୟାଶ୍ରୟୀ ହେଲେ
ଦାରୁଣ ଜ୍ୱର ଆକ୍ରମେ ।
ଚିକିତ୍ସା ଅଭାବେ ବୃଦ୍ଧି ଲଭି ବ୍ୟାଧି
ଚେତନା ଦେଲା ଘଉଡି,
ଶେଷ ଦିନ ଜାଣି ଶରୀର ପିଞ୍ଜରୁ
ପ୍ରାଣ- ପକ୍ଷୀ ଗଲା ଉଡି ।
କଳେବର- ଯନ୍ତ୍ରୁ ପ୍ରାଣ ତାର ମୃତ୍ୟୁ
ଦଣ୍ଡକେ ଦେଲା ଛିଣ୍ଡାଇ,
ଚିରଦିନ ପାଇଁ କରିଦେଲା ବିସ୍ରେ
ସଂସାର- ଜ୍ୱାଳାରୁ ତ୍ରାହି ।
ଯଥାକାଳେ ମିଳି ଜ୍ଞାତି- ପରିଜନେ
ବିହିଲେ ଶବ-ସତ୍କାର,
ବହୁବର୍ଷ ପୁଷ୍ଟ ଦେବୁ ହୋଇଗଲା
ଯାମମାତ୍ରେ ଛାରଖାର ।
ପିତୃଗୃହେ ବାର୍ତ୍ତା ପାଇ ଉଗ୍ରତାରା
ହେଲା ଆସି ଉପନୀତ,
କାରୁଣ୍ୟବିହୀନ ନିରଶ୍ରୁ ବିଳାପେ
ଚୌଦିଗେ କଲା ଧ୍ୱନିତ ।
ଗୁରୁଶୋକେ ଗୁରୁ - ସୁଖେ ଶୁଖିଯାଏ
ନେତ୍ର- ଉତ୍ସ ଅଶ୍ରୁ ଧାରା,
ଇଙ୍ଗିତୁ ଆଭାସେ ଦ୍ୱିତୀୟ ଚିନ୍ତାଟି
ଆଶ୍ରିଥିଲା ଉଗ୍ରତାରା ।
ମୁଖେ ନେତ୍ରେ ତାର ଶୋକ ଚିହ୍ନ କିଛି
ଯାଉଥିଲା ନାହିଁ ଦେଖା,
ବଧୁଲୀ ଅଧରେ ଭାସି ଉଠୁଥିଲା
ସନ୍ତୋଷର ସ୍ୱର୍ଣ୍ଣରେଖା ।
ବାହ୍ୟେ ଛଦ୍ମଶୋକ ଅନ୍ତର୍ଗତେ ଦୁଷ୍ଟା
ଭାବୁଥିବ ଏହା ସିନା-
ବୈଧବ୍ୟ ମୋହର ସୌଭାଗ୍ୟ ବିଧାତା
କରି ଯା ଦେଲା ସ୍ୱାଧୀନା ।
ତୀର୍ଥ ବ୍ରତ କରି ବୁଲିବି ଏଣିକି
ନାହିଁ ଆଉ ଦକଛକ,
ଯାତ୍ରାପର୍ବ ଦେଖି ହୀନ ନାରୀ ଜନ୍ମ
କରିବି ସଦା ସାର୍ଥକ ।
ସମ୍ପାଦି ଅନ୍ତ୍ୟେଷ୍ଟି - ଶ୍ରାଦ୍ଧ, ବିପ୍ରବାଳା-
ପାଳିଣ ଶାସ୍ତ୍ର- ବିଧାନ,
ସ୍ୱର୍ଗତ ସ୍ୱାମୀଙ୍କ ମଙ୍ଗଳ ଉଦ୍ଦେଶ୍ୟ
କଲା ଯଥାଶକ୍ତି ଦାନ ।
କଥା ପଦକରୁ ଦେହକେ ବଞ୍ଚିତ
ଦେହାନ୍ତେ ଚରଣାର୍ଚ୍ଚନା,
ଶୂନ୍ୟଗର୍ଭ ସିନା ଏ ଭକ୍ତି ସମ୍ମାନ
ଖାଲି ମିଥ୍ୟା ପ୍ରବଞ୍ଚନା ।
ଏଥିଅନ୍ତେ ସୁଖ- ଦୁଃଖ ପର୍ଯ୍ୟାୟରେ
ଗଲା କ୍ରମେ ଦିନ ବିତି,
ପ୍ରତିରାତ୍ରେ ଦେଖି କୁସ୍ୱପ୍ନ ବିଧବା
ଗଣିଲା ବିଷମ ଭୀତି ।
ପତିଦ୍ରୋହ ପାପ ରୁଦ୍ର ମୂର୍ତ୍ତି ଧରି
କଲାକ ଆତ୍ମପ୍ରକାଶ,
ପ୍ରଚଣ୍ଡ ତାଣ୍ଡବ ସହ ଆରମ୍ଭିଲା
ବିକଟାଳ ଅଟ୍ଟହାସ ।
ଦେଖିଲା ଥରେ ସେ ସ୍ୱପନ ଏସନ, -
ଅକସ୍ମାତ ଏକ ଯୁବା,
କେବଣ ଅଦ୍ଭୁତ ରାଜ୍ୟର ଜୀବ ସେ
ଶଯ୍ୟା ପାଶେ ହେଲା ଉଭା ।
ତାଳବୃକ୍ଷ ଜିଣି ବିରାଟ ଆକୃତି
ଉଜ୍ଜ୍ୱଳ କଜ୍ଜଳ କାନ୍ତି,
ପ୍ରଥମ ଦର୍ଶନେ- ଉପୁଜେ ମାନସେ
ତୁଙ୍ଗ ଗିରିଚୂଡ଼ା ଭାନ୍ତି ।
ରକ୍ତ ପରିଚ୍ଛଦ ରକ୍ତ ଶିରସ୍ମାଣ
ରକ୍ତବସ୍ତ୍ର- ପରିହିତ,
ଅଗ୍ନିମୁଣ୍ଡା ପ୍ରାୟ ନେତ୍ର- କୁଣ୍ଡେ- ନେତ୍ର -
ଗୋଲକ ଦିଶେ ଜ୍ୱଳିତ ।
ଘନ କୃଷ୍ଣ ଶ୍ମଶ୍ରୁ ଅନ୍ତରାଳୁ ମୃଗ
ଦିଶୁଛି ଅସ୍ପଷ୍ଟତର,
ନିବିଡ଼ ଶୈବାଳ- ଜାଲ ମଧ୍ୟେ କିବା
ଲୁକ୍କାୟିକ ଇନ୍ଦ୍ରୀବର ।
ଉଗ୍ରତାରାକୁ ସେ ଘେନି ଉଡ଼ିଗଲା
ବଚନ କିଛି ନ ଭାଷି,
ଅମାବାସ୍ୟା ପୃଷ୍ଠେ ଆରୋହିଛି ପରା
ଜ୍ୟୋତ୍ସ୍ନାହାସୀ ପୌର୍ଣ୍ଣମାସୀ ।
କ୍ରମେ ଉଠି ଉର୍ଦ୍ଧ୍ୱେ ତାଉର୍ଦ୍ଧ୍ୱେ ତାଉର୍ଦ୍ଧ୍ୱେ
ହେଲା ତାରାଲୋକେ ଯାଇ,
ହସିଲେ ତାରାଏ ବିଦ୍ରୁୟ ଦୃଷ୍ଟିରେ
ଉଗ୍ରତାରା ମୁଖ ଚାହିଁ ।
ଅପରକୁ କେହି ଦେଖାଇଲା ହସି
ଅଙ୍ଗୁଳି ନିର୍ଦ୍ଦେଶେ ଠାରି,
ଦେଖ ଦେଖ ଏହି ଆସେ ଅଧୋଦେଶୁ
ସ୍ୱାମି - ବିଘାତିନୀ ନାରୀ ।
କେହି ଅବା ଭାଷା ନ ପାଇ ଖୋଜିଣ
ନୀରରେ କଲା ଭର୍ତ୍ସନା,
ଭାଷାଶୂନ୍ୟ ଗାଳି ଦିଏ ସିନା ପ୍ରାଣେ
ଅସହ୍ୟ ତୀବ୍ର ଯାତନା !
ବୈଶାଖୀ ଖରାରୁ ବଳି ବାଧେ ସିନା
ଆଷାଢ଼ର ଗୁଳୁଗୁଳି,
ବଜ୍ରଠାରୁ ବଳି ନୁହେଁ କି ଭୀଷଣ
ଆଗ୍ନେୟ ମୌନ ବିଜୁଳି ।
ତହିଁ ଊର୍ଦ୍ଧ୍ୱେ ଉଠି ଉପସ୍ଥିତ ହେଲା
ଯାଇଁ ସତୀସ୍ୱର୍ଗ କବି,
ସ୍ୱର୍ଣ୍ଣ- ସିଂହାସନେ ଅଧିଷ୍ଠିତା ତହି
ଦେବୀରୂପା ବହୁ ସତୀ ।
ଉର୍ତ୍ତୃଦଣ୍ଡିନୀକି ଦେଖି ସତୀବୃନ୍ଦ
କୋପ ଲଜ୍ଜା ଘୃଣାଭରେ,
ଅବନତମୁଖୀ ହୋଇ ଆଚ୍ଛାଦିଲେ
ନେତ୍ରଦ୍ୱୟ ବେନି କରେ ।
ଦୀର୍ଘଶ୍ୱାସ ତେଜି ହେଲେ କୁହାକୁହି
ଦାରୁଣ ଖେଦେ ବ୍ୟାକୁଳେ,
ଜନ୍ନିରେ ଏଭଳି କଳଙ୍କୁଣୀ ହାୟ
ଆମ୍ଭରି ପବିତ୍ର କୁଳେ ।
କାହା ଅଭିଶାପେ ରାଜହଂସୀ ବଂଶେ
ଜନମିଲେ କାଜଗେଚା,
ନିର୍ମଳ ପାବନ ଜାହ୍ନବୀ ସଲିଳେ
କୀଟ ହେଲେ ମେଞ୍ଚା ମେଞ୍ଚା ।
ଏହାଙ୍କ ପ୍ରଭାବେ କୁଳ କଳଙ୍କିତ,
ଧର୍ମ ହେଲା ସଙ୍କୁଚିତ,
ସତୀପ୍ରସୁ ପୁଣ୍ୟ ଅଭିଖ୍ୟାରୁ ଦେଶ
ଆସୁଛି ହୋଇ ବଞ୍ଚିତ ।
କହୁଁ କହୁଁ ତାଙ୍କ କଣ୍ଠ ରୁଦ୍ଧ ହେଲା
ଶୋକବାସ୍ପ ପ୍ରବାହରେ,
ଅବଶିଷ୍ଟ କଥା କହିଲା ଲୋତକ
ନୀରବ କରୁଣସ୍ୱରେ ।
ଅନନ୍ତର ଊର୍ଦ୍ଧ୍ୱେ ଊର୍ଦ୍ଧ୍ୱେ ଘେନି ଯାଇ
ଦେଲା ଅବଶେଷେ ଛାଡି,
ଶୂନ୍ୟେ ଘୁରି ଘୁରି ଉଗ୍ରତାରା ତଳେ
ପଡିଗଲା ମୁହଁ ମାଡ଼ି ।
ସେହି ଆଘାତରେ ଭାଙ୍ଗିଗଲା ନିଦ୍ରା
ଭୟେ ଦୁଲୁକିଲା ଛାତି,
ଉଠି ବସି ଖରେ ଚାହିଁଲା ଚକିତେ
ଯାଇଅଛି ପାହି ରାତି ।
ଆଉ ଥରେ କିପ୍ରା ଦେଖିଲା ସ୍ୱପନ-
ଯାଇଛି ସେ ନିଜେ ମରି,
ଭୁଞ୍ଜଛନ୍ତି ଶ୍ୱାନ ଶୃଗାଳେ ତାହାର
ପିଣ୍ଡ ଖଣ୍ଡ ଖଣ୍ଡ କରି ।
କେ ଓଟାରେ ଅନ୍ତ କେ ଓଟାରେ ପାଦ
ଓଟାରୁଛି କେହି ହାତ,
ନିବାରିଲା ତାଙ୍କୁ ବର୍ଷୀୟସୀ ଜଣେ
କାହୁ ଆସି ଅକସ୍ମାତ ।
ଘନ ଲମ୍ବ କୃଷ୍ଣ ରୋମାବଳୀରେ ସେ
ଆବୃତ ଆପାଦଶିର,
ଅଶ୍ମମୁଖାକୃତି ମୁଖ ତାର ମାତ୍ର
ଭଲ୍ଲୁକୀ ପ୍ରାୟ ଶରୀର ।
ଭୀଷଣ ସେ ମୁଖ ନିରେଖିଲେ ଭୟେ
ଛାତି ହୁଏ ଦମ ଦମ,
ଅସଂଲଗ୍ନ ଦୀର୍ଘ ଦନ୍ତପନ୍ତ ତାକୁ
କରିଛି ଭୀଷଣତମ ।
ବହେ ସେ ଜରତୀ ନିୟତି ଅଭିଖ୍ୟା
ମାତ୍ର ଫଳେ ଯମଦୁତୀ,
ଥାଉ ଆନ କଥା ସ୍ୱୟଂ ଭୟ- ରକ୍ଷ
କରେ ତାକୁ ଭୟେ ସ୍ତୁତି ।
ବିପ୍ରା ଉଗ୍ରତାରା ଜୀବିତ ଶବକୁ
ତୋଳି ନେଇ ସେ କୋଳରେ,
ଫିଙ୍ଗିଦେଲା ଯାଇ କାନନ ମଧ୍ୟସ୍ଥ
ବିରାଟ ଅଗାଧ ସରେ ।
ଆଉଟା ପିତ୍ତଳ ପ୍ରାୟ ତାର ଜଳ
ପୋଡ଼ିଗଲା ଦେହ ତହିଁ,
କାହୁଁ ଆସି ଶ୍ୟେନ ଚକ୍ଷୁ ଖୋଳି ନେଲା
ଦଂଶିଲା ଅନଳ ଅହି ।
ଶମନ-କିଙ୍କର ଆଗ୍ନେୟ ମୁଦୁର
ମସ୍ତକେ କଲେ ପ୍ରହାର,
ସହି ନ ପାରିଣ ଉଗ୍ରତାରା କଲା
କାତରେ ଘୋର ଚିତ୍କାର ।
ଏହି କାଳେ ତାର ଦେବକାନ୍ତ ପତି
ହୋଇ ତହିଁ ଉପସ୍ଥିତ,
ଉଦ୍ଧାରିଲେ ତାକୁ କୋମଳ ପରଶେ
ନିଦ୍ରା ହେଲା ଅନ୍ତର୍ହିତ ।
ସ୍ୱପ୍ନ ଚେତା ସହ ଜ୍ଞାନର ଚୌତନ୍ୟ
ଲଭିଲା ସେ ଉଗ୍ରଚାରା,
ସୁପ୍ତ ସ୍ମୃତି ଉଠି ଆଣିଲା ତା ନେତ୍ରେ
ଅନୁତାପ- ଅଶ୍ରୁ ଧାରା ।
ଭାବିଲା ନୁହେଁ ଏ କୁସ୍ୱପ୍ନ, ପ୍ରକୃତ
ମୋହର ଦଗ୍ଧ ଦୁଷ୍ଟୃତି,
ଭାବୀ ଭାଗ୍ୟଫଳ ଦେଖାଉଛି ମୋତେ
ପରିଗ୍ରହି ରୁଦ୍ରମୁର୍ତ୍ତି ।
ସ୍ୱପ୍ନେ ଯା ଦେଖିଲି ମୋ ନିମନ୍ତେ ତାହା
ରହିଛି ହୋଇ ବ୍ୟବସ୍ଥା,
ବଡ଼ ଭୟଙ୍କର ବଡ଼ ଅମଙ୍ଗଳ
ମୋହୋର ଅନ୍ତିମାବସ୍ଥା ।
କି କଲି ମୁଁ ହାୟ କାଳମନ୍ତ୍ର ମୋହେ
ଭୁଲିଥିଲି ଏତେ କାଳ,
ଆତ୍ମକୃତ ପାପେ କିମ୍ବା ଅଭିଶାପେ
ପରିଣାମେ ଏ ଜଞ୍ଜାଳ ।
ଯେ ପତି ନାରୀଙ୍କ ପ୍ରାଣର ଦେବତା
ଯା ପଦ ତୀର୍ଥ- ସରସୀ,
ସେ ପତି ପାବନ ପୟରେ ଦ୍ରୋହିଣୀ
ହେଲି ମୁହିଁ ପାପୀୟସୀ ।
ପଦିସେବା ଥାଉ କହି ନାହିଁ କେବେ
କୋମଳ ବଚନ ପଦେ,
ବରଞ୍ଚ କରିଛି ତାଚ୍ଛଲ୍ୟ ମାତି ମୁଁ
କେବଣ ଅଜ୍ଞାତ ମଦେ ।
ଯେତିକି ମୋ ପ୍ରାଣେ ଶୀତଳୁଥିଲେ ସେ
କରୁଣା- ସୁଧାସେଚନେ,
ତେତିକି ମୁଁ ତାଙ୍କୁ କରୁଥିଲି ଦଗ୍ଧ
କଟୁବାକ୍ୟ- ହୁତାଶନେ ।
ହାୟ ମୁଁ ପାପିନୀ ନିଜ ଭାଗ୍ୟର ଯା
ନିଜେ ପ୍ରତିକୁଳା ହୋଇ,
ବିଧାତା- ଲିଖିତ ଭାଗ୍ୟଲିପି ଦେଲି
ଅକର୍ମ ସଲିଳେ ଧୋଇ ।
ଆଶ୍ରୟ ପାଦପ- ଶାଖେ ବସି ଦେଲି
ସେ ପାଦପ- ମୂଳ କାଟି,
ବର୍ତ୍ତମାନ ନଷ୍ଟ କରି ସୁଦ୍ଧା ମୁହିଁ
ଭବିଷ୍ୟତ କଲି ମାଟି ।
ନାରୀଧର୍ମ ତେଜି ଆଚରିଲି ହାୟ
ଅସୁରାଣୀ ପାପବୃତ.
ନାରୀଚିତ୍ର ମଧ୍ୟେ ବୀଉତ୍ସଚିତ୍ର ମୁଁ
ପରିହାସ ମୂର୍ତ୍ତି ସତ ।
ବୋଲନ୍ତିଁ ସମସ୍ତେ ପତ୍ନୀ ଏ ଜଗତେ
ପତିପ୍ରାଣ ସଙ୍ଗାତୁଣୀ,
ମାତ୍ର ଏ ଉକ୍ତିର ବିପରୀତ ମୁହିଁ
ପତିପ୍ରାଣ ସଂଘାତୁଣୀ ।
ତରୁଲତାଶୂନ୍ୟ ତପ୍ତ ମରୁସ୍ଥଳେ
ଜାୟା ହିଁ ଶୀତଳ ଛାୟା,
ପତ୍ନୀ ନୁହେଁ ମୁହିଁ ଭୀଷଣା ପେତୁଣୀ
ଜାଳିଛି ସ୍ୱାମୀଙ୍କ କାୟା ।
ହେ ପ୍ରଭୁ ମୋହର କେହି ନାହି ସାହା
ଫେଡ଼ିବାକୁ ଏ ଯାତନା,
ପତିତ ତାରଣ ନାମଟି ତୁମ୍ଭର
କେବଳ ମୋର ସାନ୍ତ୍ୱନା ।
ଆବର ସାନ୍ତ୍ୱନା,- ହେଲେ ସୁଦ୍ଧା ମୁହିଁ
କାମିନୀକୁଳେ ଅଙ୍ଗାର,
ପ୍ରତି-ପତ୍ନୀ ହେତୁ ମିଳିବ ତ ମୋତେ
କିଛି ହେଲେ ପୁରସ୍କାର ।
ବଡ଼ଲୋକ ନାମ ଧରି ରିକ୍ତ ହସ୍ତେ
ପାରି ହୁଏ ନାବେ ଦୀନ,
ପୁଷ୍ପ ସହବାସେ ଘୃଣ୍ୟ କୀଟ ହୁଏ
ଦେବତା-ଶିରେ ଆସୀନ ।
ହେ ସ୍ୱର୍ଗତ ସ୍ୱାମି, ମୋ ପ୍ରାଣଦେବତା
ସ୍ୱଗୁଣେ ଦାସୀକି ତାର,
ମୁହିଁ ସିନା ଦେବ ଅଭାଜନ ମାତ୍ର
ତୁମ୍ଭେ କ୍ଷମା- ପାରାବାର ।
ଶତ ଅପରାଧେ ଅପରାଧିନୀ ମୁଁ
ଶ୍ରୀପଦେ ତବ ନିଶ୍ଚୟ,
ସେ ସକଳ ଘେନା ନ କରି ହେ ନାଥ
ମୋ ପ୍ରତି ହୁଅ ସଦୟ ।
ଘନ କଳେବର ଦହେ ବୋଲି ବିଦ୍ୟୁ
ତେଜେ କି ତାହାକୁ ଘନ,
ଧୁପର ସ୍ୱାଭାବ ପୋଡ଼ିଲେ ତାକୁ ସେ
ଗନ୍ଧ କରେ ବିଚରଣ ।
କ୍ଷମା-ସୀମା ବଳି ଯାଇଛି ମୋ ଦୋଷ
ଅସନ୍ତୁଷ୍ଟ ବିଶ୍ୱସାଇଁ,
ଦୟା ବହି ନାଥ ପାଦ- ପଦ୍ମେ ତାଙ୍କ
ଜଣାଇବ ଦାସୀ ପାଇଁ ।
ତୁମ୍ଭେ ଜଣାଇଲେ କ୍ଷମିବେ ମୋ ଦୋଷ
ନିଶ୍ଚେ ପ୍ରଭୁ ବନମାଳୀ,
ଉକ୍ତପ୍ରାଣ ହରି ଭକ୍ତର ଜଣାଶ
ନ ପାରନ୍ତି କେବେ ଟାଳି ।
ତବ କତ ଦେବ ମାଗୁଛି ସେବକୀ
ଏତିକି ମାତ୍ର କଲ୍ୟାଣ,
ଦେହାନ୍ତରେ ଯେହ୍ନେ ଲଭିବ ତୁମ୍ଭରି
ପୂଣ୍ୟ ପାଦମୂଳେ ସ୍ଥାନ ।
କେଉଁ ସୁଖ ମୋର ତୁମ୍ଭ ବିନା ଭବେ
ବଞ୍ଚି ରହି ଏକାକିନୀ,
ତବ ନାମେ କରି ତାରକ ମନ୍ତର
ହେବି ଶୋକ-ସନ୍ନ୍ୟାସିନୀ ।
ନ ମଣିଲା ଆଉ ସୁଖ ଉଗ୍ରତାରା
ବିଷ ବିଶ୍ୱ କୋଳାହଳେ,
ଶିକ୍ଷାର୍ଥେ ପ୍ରଦାନି ସମ୍ପତ୍ତି ସକଳ
ବାସ କଲା ନୀଳାଚଳେ ।
ସ୍ୱାମୀଙ୍କ କଠାଉ ଦେବଜ୍ଞାନେ ପୁଜି
ଜପି ସ୍ୱାମୀ ପୁଣ୍ୟ ନାମ,
ଶେଷେ ଜଗତ୍ପତି ଜଗନ୍ନାଥ ପଦେ
ଲଭିଲା ଚିର ବିଶ୍ରାମ ।
ତୃତୀୟ ଚିତ୍ର
ଅକର-ନିର୍ମିତ ଅରଙ୍ଗ-ରଞ୍ଜିତ
କଳ୍ପନା ନାମରେ ପୁରୀ,
ପ୍ରକାଶେ ସତତ ଅରୂପ ସୁନ୍ଦର
ଅପୂର୍ବ ଶିଳ୍ପଚାତୁରୀ ।
ସେ ରାଜ୍ୟନିବାସୀ ନିରାକାର ଦାସ
ସତ୍ୟଶୀଳ ସାଧୁଜନ,
ବେନି ପୁତ୍ରେ ରଖି କଲେ ଯଥାକାଳେ
ଭବଲୀଳା ସମ୍ବରଣ ।
ଛାଡି ଯାଇଥିଲେ ପୂର୍ବରୁ ଜନନୀ -
ଜୀବନର ଧ୍ରୁବତାରା,
ପିତୃହୀନ ହୋଇ ଦେଖିଲେ ଉଭୟେ
ଅନ୍ଧାର ଜଗତସାରା ।
ପିତୃ ମାତୃ ସ୍ମୃତି- ବେତ୍ରାଘାତେ ହେଲେ
ଆହତ ବେନି ବାଳୁତ,
ଘୋର ଅବସାଦ- ତୀବ୍ରତାରେ ହେଲା
ବାଲ୍ୟପ୍ରାଣ ଭାରଭୁତ ।
ଫୁଟି ଉଠୁଥିଲା ତସ୍ତ ନିଃଶ୍ୱାସରେ
ନିର୍ବାକ ବ୍ୟାକୁଳ ବ୍ୟଥା,
ନିର୍ମାୟ ନୈରାଶ୍ୟ କାନେ କାନେ ତାଙ୍କ
କହି ବୁଲୁଥିଲା କଥା ।
ଭଗ୍ନ ଅଟ୍ଟାଳିରେ ବଟବୃକ୍ଷ ପ୍ରାୟ
ବଦ୍ଧମୁଳ ହୃଦେ ଚିନ୍ତା,
ଜାଳିଦେଲା ଶୋକ ପ୍ରଖରେ ଅନ୍ତର-
ଅନ୍ତସ୍ତଳେ ଉଗ୍ର ଚିତା ।
ମଳିନ ନିଷ୍ଟାର ଭଜିଲା ଆନନ୍ଦ
ଭାବହୀନ ବାକ୍ୟ ପ୍ରାୟ,
ଆଗ୍ନିତାପେ ସେବା ପଦ୍ମପତ୍ର ସମ
ହେଲେ ସେ ବିରସକାୟ ।
ଭଜିଲା ମ୍ଳାନିମା ବେନି ଭାତାଙ୍କର
ବାଲ୍ୟରୁପ ଅପ୍ରତୁଲ,
ଦିଶେ ଯଥା ମ୍ଳାନ ପ୍ରଦୀପର ଶିଖା
ଫୁଟିଲେ ବତୀରେ ଫୁଲ ।
ଗୋଟିଏ ମୂର୍ତ୍ତିର ଦୁଇ ପ୍ରତିବିମ୍ବ
ପ୍ରାୟ ସେ ବେନି ସୋଦର,
ଅଥବା ସ୍ୱତନ୍ତ୍ର ଦୁଇ ପ୍ରତିଶବ୍ଦ
ବେନିଏ ଏକ ଶବ୍ଦର ।
ଅନୁକ ଅପେକ୍ଷା ଅଗ୍ରଜ ଅଧିକେ
ଶୋକେ ହେଉଥିଲା ଘାରି,
ଅଶ୍ରୁପୂର୍ଣ୍ଣ ନେତ୍ରେ ବିଶ୍ୱପତି ପଦେ
କରୁଥିଲା ଏ ଗୁହାରି ।
ହେ ପ୍ରଭୁ କି ଦୋଷେ ବିହିଲ ଏ ଦଣ୍ଡ
ନ ବିଚାରି କାଳବେଳ,
ନ ପୁରୁଣୁ ଆଶା କେଡ଼େ ବେଗେ ମୋର
ଭାଙ୍ଗିଦେଇ ବାଳଖେଳ ।
କି କଠୋର ତବ ଦୟାହୀନ ହୃଦ
ସାରିଦେଲା ସବୁ କଥା,
କଠୋର ପଦାର୍ଥେ ନୁହେ ତ ହେ ପ୍ରଭୁ
ଅସୁଲଭ କୋମଳତା ।
ସୁକୋମଳ ଲତା ଜନ୍ମେ ହିମାଦ୍ରିର
ପାଷାଣ- କଠିନ ଅଙ୍ଗେ,
ଅଭ୍ୟନ୍ତରେ ସୁଦ୍ଧା ଖେଳେ ମନ୍ଦାକିନୀ
ମଧୁର ସ୍ନିଗ୍ଧ ତରଙ୍ଗେ ।
ଅକାଳ- ପ୍ରବେଶୀ ପାରିବିଟି ସହି
ବାଲ୍ୟପ୍ରାଣେ ସଂସାରର,-
ବିକ୍ୟୁ-ବର୍ଷୀ-ରୋଷ- କଟାକ୍ଷର ତୀକ୍ଷ୍ମ
ଅନଳ ଭାଷଣ ଶର ।
ଶେଷ ମୋ ଭାଗ୍ୟରେ ପୂତ ପିତୃସ୍ନେହ-
ଶୀତଳ ତରଳଧାରା,
ସୁଖର ସଂସାର ହେଲା ମୋ ଜୀବନେ
ହାତୁକାରମୟ କାରା ।
ଧୁଳିଖେଳ ସ୍ମୃତି ମୂର୍ଚ୍ଛାହୀନ ଶୋକ
ଆଣେ ମନେ ଘନଘନ,
ନିର୍ଦ୍ଦୟ ନିର୍ମାୟ ମୁର୍ଚ୍ଛାହୀନ ଶୋକ
ମରଣ ବଳି ଭୀଷଣ ।
ଇଞ୍ଚଡ଼ ପଚାଇ ଅକାଳ ସଂସାରୀ
କରିଦେଲ ପ୍ରଭୁ ମୋତେ,
ଅକୂଳ ସାଗରେ ପେଲିଦେଲ ହାୟ
ବସାଇ ଦଦରା ପୋତେ ।
ସୁଖ- ଶତ୍ୱରୀ ୧ ମୋ ପାହିଲା ନିଶୀଥେ
ନ ମେଣ୍ଟଣୁ ସୁଖ ତୃଷା,
ଭାବି- ଜୀବନର ସଙ୍କଟ ବାରତା
ବହି ଆଣିଲାଣି ଉଷା ।
୧- ଶତ୍ୱର- ରାତ୍ରି ।
ବାଲ୍ୟ ବିବରଣୀ- ଖାତାରେ ମୋହର
ରହିଗଲା ଶାଦା ପତ୍ର,
ରହିଗଲା ହାୟ ଅଣଉଦ୍ପାପିତ
ଅସମ୍ପୂର୍ଣ୍ଣ କ୍ରୀଡ଼ା- ପତ୍ର ।
ଅଲ୍ୟଳ ପଣିଆ ୨ ସରିଗଲା ମୋର
ନିଶ୍ଚିନ୍ତ ଜୀବନ ସହ,
ଦୁର୍ବଳ ମସ୍ତକେ ବହିବି ଏଣିକି
ସଂସାର ଭାର ଦୁର୍ବହ ।
୨- ଅଲ୍ୟନ- ଗେହ୍ନା ।
ଯା ଘଟୁ ମୋ ଭାଗ୍ୟେ ମାତ୍ର ତବ ଇଚ୍ଛା
ପୂର୍ଣା ହେଉ ବିଶ୍ୱପତି,
ଅଛି କାହା ଶକ୍ତି କରିବାକୁ ସେହି
ଇଚ୍ଛା ପ୍ରତିକୁଳେ ଗତି ।
ସଂସାର ତୁମ୍ଭର ମାୟା ଖେଳାକାର
ମାନବେ ନୃତ୍ୟ ପୁତ୍ତଳି
ଯାହାକୁ ଯେ ଭାବେ ନଚାଉଛ ତୁମ୍ଭେ
ନାଚୁଛି ସେ ସେହିଭଳି ।
କର ଆଶୀର୍ବାଦ କର୍ତ୍ତବ ସାଧନେ
ନିନ୍ଦାକୁ ନ କରେ ଭୟ,
ତବ ପଦେ ମତି ରଖି ଲଭେ ଯେହ୍ନେ
ଜୀବନ- ସଂଗ୍ରାମେ ଜୟ ।
ପ୍ରାଣେ ଦିଅ ଭକ୍ତି ତବ ଦତ୍ତ ଉକ୍ତି
ଅର୍ପିବି ତବ ଚରଣେ,
ଦିଅ ଶକ୍ତି ସଦା ପୁଣ୍ୟାଦେଶ ତବ
ପାଳିବି ମୁଁ ପ୍ରାଣପଣେ ।
କର୍ମେ ଲାଗି ସଦା ରହିବି ଅଲଗା
କର୍ମଫଳ ଅନ୍ତରାଳେ,
ତୁମ୍ଭ ମୋହ ମଧ୍ୟେ ପାର୍ଥକ୍ୟ ଭାବନା
ନ କରିବି କେଉ କାଳେ ।
ଏ ଅଭାଜନର ସର୍ବ ଅନୁଷ୍ଠାନେ
ଲାଗୁ ତବ ପୁଣ୍ୟକର,
ମଙ୍ଗଳ ଭାଷଣେ ରହୁ ମୋ ରସନା
ନିୟୋଜିତ ନିରନ୍ତର ।
ବିଶୁଦ୍ଧ ସତ୍ୟର ବାସ୍ତବ ମୁରତି
ଖେଳି ବୁଲୁ ପ୍ରାଣେ ପ୍ରାଣେ,
କୃତାର୍ଥ ହେଉ ମୋ କଳୂଷିତ ଆତ୍ମା
ତବ ସ୍ତୁତିଗୀତି ଗାନେ ।
ଆବର ଏ ଭିକ୍ଷା, - ହିଂସା ଦ୍ୱେଷ ମୋହ
ନ ପରଶୁ ମୋର କାୟୀ,
ନ ପଡ଼ୁ ଜୀବନ- ପ୍ରତିବିମ୍ବ- ପୃଷ୍ଠେ
କରାଳ କାମନା- ଛାୟା ।
ଜ୍ୟେଷ୍ଠ ପୁଷ୍ପକାନ୍ତ ସଂଗୋପନ କରି
ଅନ୍ତର ବ୍ୟଥା ବେଦନା,
କନିଷ୍ଠ କିଶୋରେ ବିଶେଷ ଭାବରେ
ପ୍ରଦାନୁଥିଲା ସାନ୍ତ୍ୱନା ।
ବୋଇଲା ଭାଇ ରେ ହେଲେ ଆମ୍ଭେ ଏବେ
ଅନାଥ ଜନକହୀନ,
ଚିରଦିନ ପାଇଁ ଅସ୍ତଗତ ଆମ୍ଭ
ସୌଭାଗ୍ୟ- ଶୁଭ- ସୁଦିନ ।
ଝଟିକା ଆବର୍ତ୍ତେ ବିଘୂର୍ଣ୍ଣିତ ଚରୀ-
ତୁଲ୍ୟ ଭାଗ୍ୟ ଅନିଶ୍ଚିତ,
ଜାଣି ସୁଦ୍ଧା ଏହା ନିରଙ୍କୁଶା ଆଶା
ସୁଖାର୍ଥେ ହୁଏ ଧାବିତ ।
ସୁଖଦୁଃଖ ବେନି ପ୍ରକୃତି - ପ୍ରେରିତ
ଶୀତ ଉଷ୍ଣ ବାଷ୍ପ ଖାଲି,
ଅଲକ୍ଷିତେ ଆସି ସ୍ପର୍ଶି କଳେବର
ଅଲକ୍ଷିତେ ଯାଏ ଚାଲି ।
ସୁଖ ନାମେ କିଛି ଦ୍ରବ୍ୟ ଅଛି ବୋଲି
ହେଉ ତ ନାହିଁ ପ୍ରତୀତି,
ଥାଏ ଯଦି ତେବେ ନିଶ୍ଚୟ ତାହାର
ଦୁଃଖ ମଧ୍ୟେଁ ଅବସ୍ଥିତି ।
ଦୁଃଖମୟ ଭବେ ଆସିଛି ମାନବ
ଦୁଃଖର ସାଧନା ପାଇଁ,
ଦୁଃଖସେବା ବ୍ରତେ ପଶ୍ଚିମ ଜୀବନ
ସଂଯାପିବା ବେନି ଭାଇ ।
ଲତି ହେଲା ମୋର ହିତବିଦ୍ୟା ଶିକ୍ଷା
ଧରିବି ସଂସାର ବାଟ,
ଗାହସ୍ଥ୍ୟ-ଗୁରୁଙ୍କ ଚତୁଷ୍ପାଠୀରେ ମୁଁ
ପଢ଼ିବି ନୂତନ ପାଠ ।
ଆତ୍ମ ନିର୍ବିଶେଷେ ପାଳିବି ତୋତେ ମୁଁ
ଆଶ୍ରି ତୁହି ଶୁଭ ବୁଦ୍ଧି,
ବିଦ୍ୟା ଅଧ୍ୟୟନେ ରତ ହୋଇ କର
ବଂଶୀୟ ଗୌରବ ବୃଦ୍ଧି ।
ମାନବ ଜୀବନେ ଦେବଶକ୍ତି ବିଦ୍ୟା
ଅସାଧ୍ୟ- ସାଧିକା ଭବେ,
ବିଦ୍ୟାବଳେ ସିନା ପକ୍ଷହୀନ ନର
ଉଡ଼ୁଅଛି ମହାନଭେ ।
ଏହିପରି ନିତି ଅନୁଜ ସୋଦରେ
ଅଗ୍ରଜ କହେ ବୁଝାଇ,
ଅବହିତ ଚିତ୍ତେ ଉତ୍କର୍ଣ୍ଣେ ଆଗ୍ରହେ
ଶୁଣୁଥାଏ ସାନଭାଇ ।
ବାରମ୍ବାର ଶୁଣି ଏକ କଥା, ତାକୁ
ନୂମଣେ ଅସାର ସିଠା,
ମଣ୍ଡାପିଠା ପ୍ରାୟ ହିତକଥା ସୂଦ୍ଧା
ବାସି ହେଲେ ଲାଗେ ମିଠା ।
କ୍ରମେ କ୍ରମେ ଉଣା ହେଲା ପିତୃଶୋକ
କାଳର ଧନ୍ୟ ଛଳନା,
ଯେଉ କାଳ ଦିଏ ଶୋକ, ସେହି କାଳ
ଜୀବନେ ଆଶେ ସାନ୍ତୁନା ।
ସ୍ୱକୀୟ ବିଷୟ ରକ୍ଷଣାବେକ୍ଷଣେ
ସ୍ୱଷ୍ପକାନ୍ତ ହୋଇ ରତ,
ଅନୁଜ କିଶୋରେ ବିଦ୍ୟାଳୟେ ପେଷି
ଧରାଇଲା ଶିକ୍ଷା- ବ୍ରତ ।
ଶୟନେ ସ୍ୱପନେ ସଜନେ ବିଜନେ
ଭ୍ରାତୃସ୍ନେହ ହେଲା ସାର,
ସବୁବେଳେ କଲା ଭାତ୍ରୁନ୍ମତି ତାହା
ଚିନ୍ତା-ପଥ ଅଧିକାର ।
ଯେତେ ବଢ଼ୁଥିଲା କନିଷ୍ଠାର ଶିକ୍ଷା
ବୟସ ଆବର ଦେହ,
ଫୁଲି ଉଠିଥିଲା ତେତିକି ମାତ୍ରାରେ
ଅଗ୍ରଜ ହୃଦୟେ ସ୍ନେହ ।
ବହୁକଷ୍ଟାର୍ଜିତ ବହୁମିତ ଅର୍ଥ
ନ ରଖି କିଛି ଗଚ୍ଛିତ,
ସୋଦର ଶିକ୍ଷାର୍ଥେ ଅକାତରେ ସର୍ବ
କରୁଥିଲା ଉତ୍ସର୍ଗିତ ।
ଧନ୍ୟ ତା ଅନ୍ତର ଅନନ୍ତ ଉଦାର
ସ୍ୱର୍ଗୀୟ ଶୋଭାର କ୍ଷେତ୍ର,
ଶୋଭା ଦେଖିବାକୁ ନ ଥିଲା ସେଠାବେ
ଶୋଭା-ତୃଷାତୁର ନେତ୍ର ।
ଈର୍ଷା ଲୋକେ ତାର ଏ ଭାବ ନିରେଖି
କହନ୍ତି ହିତୈଷୀ ପରି,
ଯାହା ଉନ୍ନତିରେ ବଦ୍ଧବ୍ରତ ତୁ, ସେ
ହେବଟି ଶେଷେ ତୋହରି ।
ଏ ବଚନ ଶୁଣି କ୍ରୋଧାନଳେ ତାର
ବୁଡିଯାଉଥିଲା ସଂଜ୍ଞା,
ଝରି ପଡ଼ୁଥିଲା ବେନି ନୟନରୁ
ବିରକ୍ତି, ଘୃଣା, ଅବଜ୍ଞା ।
ପ୍ରତିବଚନରେ କହେ ପୁଷ୍ପକାନ୍ତ
ଏକବୃନ୍ତେ ପୁଷ୍ପଦ୍ୱୟ
ଫୁଟିକି ଗୋଟିଏ ହୁଏ ସୁଗନ୍ଧିତ
ଆନଟି ଦୁର୍ଗନ୍ଧମୟ ।
ପରଶ୍ରୀକାତରେ ବୋଲୁଥାନ୍ତି ତାହା
ନ ହେଲା ପଛରେ ନାହିଁ,
ମାତ୍ର ଏକବୃନ୍ତେ ଯୁଗ୍ମ ଶତବର୍ଗ *
ଫୁଟିଛି କି କେବେ କାହିଁ ।
* ଗେଣ୍ଡୁ ଫୁଲ
ରାମ ଲକ୍ଷ୍ମଣ ବା ପାଣ୍ଡବଙ୍କ ଭଳି
ନୁହନ୍ତି ଏକାଳ ଭାଇ.,
ଏ ଯୁଗର ଭାଇ ଗଜ କୂର୍ମ ପରି
କରନ୍ତି ନିଜି ଲଢ଼ାଇ ।
ଉଚ୍ଚ କଣ୍ଠେ ଘୋଷେ ବାଲ୍ମୀକି ପୁରାଣ
ବାଳି ସୂଗ୍ରୀ ଭ୍ରାତୃଭାବ,
ଅଖଣ୍ଡ ସ୍ୱାର୍ଥର ଉତ୍କଟ ଦୃଷ୍ଟାନ୍ତ
ନୁହେଁ ଏ ଭବେ ଅଭାବ ।
ବର୍ତ୍ତମାନ ଦେଖି ଭବିଷ୍ୟତ ଆଶା
ବାନ୍ଧିଲେ ଚଳିବ ନାହିଁ,
ଭବିଷ୍ୟତ ବଡ଼ ଗୁପ୍ତିଆ, ରଖେ ସେ
ବହୁତ କଥା ଲୁଚାଇ ।
ଭାବୁଛୁ ଯାହାକୁ ବିଶୁଦ୍ଧ ଅମୃତ
ଖାଇ ତୀବ୍ର ମୋହ ନିଶା,
ଜାଣିଆ ନିକର ବୁଝିବୁ ପଶ୍ଚାତେ
ସେ ଅମୃତ ବିଷମିଶା ।
ନ ଦେଇ ଉତ୍ତର କିଛି ପୁଷ୍ପକାନ୍ତ
ଶୁଣିଏ କୁଟିଳ କଥା,
ନୀରବେ ଭର୍ତ୍ସନା କରି ଚାଲିଯାଏ
ପୋତିଣ ତଳକୁ ମଥା ।
ନୀରବ ଭର୍ତ୍ସନା ମାଡ଼ଠାରୁ ବଳେ
ହୃଦୟେ ଜାଳେ ଅନକ,
ମାତ୍ର ତ୍ୟକ୍ତଲଜ୍ୱ କୁଚତ୍ରୀ କୁଜନ
ନ କରେ ତହିଁକି ଛଳ ।
ଆତ୍ମ- ଉପାର୍ଜନ ଅନଟନ ହେତୁ
ପଶେ ନୋହି ପରାଙ୍ମୁଖ,
ଋଣଗ୍ରସ୍ତ ହୋଇ ସୋଦରେ ପଢ଼ାଇ
ମଣିଲା ପରମ ସୁଖ ।
ଅନ୍ତର- ପୋଷିତ ଆକାଙ୍କ୍ଷା ତାହାର
ନ ଭଜିଲା ବିଫଳତା,
ପ୍ରସନ୍ନ ମାନସେ ବିହିଲେ ତା ପ୍ରତି
ଆଶିଷ ଭାଗ୍ୟ- ଦେବତା ।
ବିଶ୍ୱ ବିଦ୍ୟାଳୟ ଉଚ୍ଚ ଉପାଧିରେ
କିଶୋର ହୋଇ ମଣ୍ଡିତ,
ଚତୁଃପାର୍ଶ୍ୱବର୍ତ୍ତୀ ବହୁ ଗ୍ରାମ ମଧ୍ୟେ
ହେଲାକ ଜଣେ ପଣ୍ଡିତ ।
ଯଥାକାଳେ ହେଲା ଉଚ୍ଚ ବେତନରେ
ଉଚ୍ଚପଦେ ଅଭିଷିକ୍ତ,
ସେହି ଦିନୁ ତାକୁ ଜାତୀୟ ଆଚାର
ଲାଗିଲା କ୍ରମଶଃ ତିକ୍ତ ।
ଅନନ୍ତର ହେଲେ ବିବାହ- ବନ୍ଧନେ
ଆବଦ୍ଧ ବେନି ସୋଦର,
ନବୀନ ଗୃହିଣୀ ଲଭିଣ ଉଠିଲା
ପୂରି ତାଙ୍କ ଶୂନ୍ୟ ଘର ।
ଜ୍ୟେଷ୍ଠ ଜାୟା ହୀରା କନିଷ୍ଠ ଭାମିନୀ
ବୋଲାଏ ନାମରେ ଧୀରା,
ପ୍ରକୃତିରେ ମାତ୍ର ଧୀରା ନୁହେଁ - ବୀରା
ହୀରାଟି ପ୍ରକୃତ ହୀରା ।
ଗୋଟିଏ ଶୀତଳ ଜାହ୍ନବୀ, ଅନ୍ୟଟି
ବୈତରଣୀ ଚିରତସ୍ତା,
ଗୋଟିଏ ପବିତ୍ର ସୁଗନ୍ଧ ତୁଳସୀ
ଅନ୍ୟଟି କଣ୍ଡୁରା ଲତା ।
ଜ୍ୟେଷ୍ଠ ଜାୟା ସ୍ନିଗ୍ଧ ଉଜ୍ଜୁଳ ରତନ
ବହ୍ନିଶିଖା ଜ୍ୟେଷ୍ଠେତରା,
ଗୋଟିଏ ସୁବାନ୍ତି- ବାସନ୍ତି- ଚନ୍ଦ୍ରିକା
ଅପରା ବୈଶାଖୀ ଖରା ।
ଅଥବା ପ୍ରଥମା ସୁରସ ରସାଜ
ଦ୍ୱିତୀୟାଟି କଟୁ ଲଙ୍କା,
ପ୍ରଥମା ବିପଞ୍ଚି- ମଧୁର- ମୂଚ୍ଛନା
ଦ୍ୱିତୀୟା କର୍କଶ ଢ଼କ୍କା ।
ଧୀରା ପ୍ରତି ହୀରା ଅନୁରକ୍ତା ସଦା
ଭଉଣୀ ସମାନ ମଣି,
ଭଗାରୁଣୀଠାରୁ ବଳିଯାଉଥିଲା
ଧୀରାର କୂଟ କରଣୀ ।
ସ୍ନେହ ପ୍ରତିଦାନ ରୂପେ ସେ ହୀରାର
ସାଧୁଥିଲା ଅପକାର,
ନାଗୁଣୀକି ଦୁଗ୍ଧ କରାଇଲେ ପାନ
କରେ ସେ ବିଷ ଉଦ୍ମାର ।
ଆତୁର ଅନ୍ତରେ ଖୋଜୁଥାଏ ଧୀରା
ସତତ କଳହ ସୂତ୍ର,
କଳହ ତାହାର ପ୍ରିୟ ଅଳଙ୍କାର
ସୁଖ, ଚିତ୍ତ, ପତି, ପୁତ୍ର ।
ସ୍ୱଭାବ ମୁଖରା କଣ୍ଡୁର ରାସିନୀ
ଯଥା ଦୁଷ୍ଟା ସରସ୍ୱତୀ ,
କଳହ ଅଭାବେ ସ୍ନାନେ ଭୋଜନେ ସେ
ହୁଏ ନାହିଁ ଆସ୍ଥାବତୀ ।
ନିଜ ଶ୍ରୀସର୍ବସ୍ୱା, ପର ସୁଖ ଦେଖି
ପକାଏ ଖେଦେ ସେ କାନ୍ଦି,
କଜହ-ଅଟ୍ଟାଳୀ ତୋଳୁଥାଏ ମିଥ୍ୟା
ପ୍ରତାରଣା ଛନ୍ଦିଛାନ୍ଦି ।
ବିନା ଅଗ୍ନି ଜଳେ ବିନା ତଣ୍ଡୁଳରେ
ପାରେ ଅନ୍ନ ପାକ କରି,
ଚଳାଇ ପାରେ ସେ ଅନାୟାସେ ଶୂନ୍ୟ-
ମରୀଚିକା ସ୍ରୋତେ ତରୀ ।
ଏକାନ୍ନବର୍ତ୍ତିତା ପର- ଅଧୀନତା
ଲାଗେ ତାକୁ ବିଷ ପ୍ରାୟ,
ରଚୁଥାଏ ତେଣୁ କଳି- ପୁରାଣର
ନିତି ନିତି ନବାଧ୍ୟାୟ ।
ପୃଥକାନ୍ନ ହେବା ପାଇଁ ସେ ଉପାୟ
ଖୋଜୁଥିଲା ହରଘଡ଼ି,
ଗଣାଉଥିଲା ସ୍ୱ ଅଦୃଷ୍ଟ, ପକାଇ-
ଗ୍ରହବିପ୍ର ଦ୍ୱାରା ଖଡ଼ି ।
କିଛି ଦିନାନ୍ତରେ ମିଳିଗଲା ଆପେ
ଦଇବେ ଆସି ସୁଯୋଗ,
ଆକ୍ରମିଲା ଗାଢ଼େ ପୁଷ୍ପକାନ୍ତ ତନ
ଦାରୁଣ ସଙ୍କଟ ରୋଗ ।
କ୍ରମେ କ୍ରମେ ରୋଗ ବୃଦ୍ଧି ଲଭି ଆଖ୍ୟା
ବହିଲା ବୈଦ୍ୟବିଜୟୀ,
ନୈରାଶ୍ୟ- କବଳେ ପଡି ପୁଷ୍ପକାନ୍ତ
ହେଲେ ଶେଷେ ଶଯ୍ୟାଶ୍ରୟୀ ।
ଗୃହର ତାବତ ବ୍ୟୟଭାର ଏକା
ପଡ଼ିଲା କିଶୋର ପରେ,
ମାତ୍ର ତାହା ହେଲା ଧୀରା ନେତ୍ରଶୃଳ
ଅସହ୍ୟ ହେଲା ପ୍ରାଣରେ ।
ଦିନେ ଧୁର୍ତ୍ତା ଧୀରା ବୋଇଲା ସ୍ୱାମୀକି
କହିବି ଗୋଟିଏ କଥା,
ଅବହେଳା ଯେହ୍ନେ ନ କରିବ ତହିଁ
ଖାଅଟି ମୋହର ମଥା ।
ଭାଇ ବନ୍ଧୁ ସର୍ବେ ସମ୍ପଦର ସାଥୀ
ପ୍ରାଣର ସିନା ଭଗାରୀ,
ତାଙ୍କଲାଗି ତୁମ୍ଭେ ଋଣଗ୍ରସ୍ତ ହେବ
ଭବିଷ୍ୟତ ନ ବିଚାରି ।
କି ରୋଗ କାହାର ପେଖନା ଖାଲି ସେ
ଗତର ଖଟଣୀ ଭୟ,
ଭୋଜନ ସମୟେ ପୋଡ଼ା ରୋଗ ଭଲା
କେଉଁଠି ଭଳେ ବିଲୟ ।
ଭିନେ ହୋଇ ଏବେ ରହନ୍ତୁ ସ୍ୱତନ୍ତ୍ର
ବୁଝନ୍ତୁ ସେ ତାଙ୍କ କଥା,
ତାଙ୍କର ତ ନାହିଁ ତିଳେ ସ୍ନେହ, କିପାଁ
ତୁମ୍ଭର ଏତେ ମମତା ।
ବୁଝିବ ତ ନାହିଁ ଭାଉଜଙ୍କ ଗୁଣ
ଗଞ୍ଜଣା କ୍ରୋଧ ଟାହୁଲି,
ପୋଡ଼ା ଭାଗ୍ୟ ଦୋଷେ ପୋଡ଼ା ଘରେ ପଡ଼ି
କେତେ ମୁଁ ହେବି ସନ୍ତୁଳି ।
ଯାହା ହେଉ ତୁମ୍ଭେ ଏଥିର ବ୍ୟବସ୍ଥା
ନ କଲେ ଯଥାବିଧାନେ
ତେଜିବ ମୋ ଆଶା, ସତ୍ୟ ଏ ବଚନ
ମରିବି ଗରଳପାନେ ।
ବୋଇଲା କିଶୋର କହିଲୁ ଯା ଧୀରେ !
ବର୍ଣ୍ଣେ ବର୍ଣ୍ଣେ ତାହା ସତ,
କିପରି ପାରିବି ଘୋର ଅନ୍ତରାୟ
ହୀନ ଦେଶାଚାର ମତ ।
ସହି ହେଉ ନାହିଁ ହୃଦୟର ବ୍ୟଥା
କହି ହେଉ ନାହିଁ କଥା,
ଅସଭ୍ୟ ଦେଶକୁ ଶୋଭା ପାଏ ଏକା
ସକଳ ଅସଭ୍ୟ ପ୍ରଥା ।
ଉନ୍ନତ ଦେଶର ମାର୍ଜିତ ସମାଜେ
ନାହି ଏ ବର୍ବର ଧାରା,
ଜଣକ ସ୍କନ୍ଧରେ ଦଶ ଜଣ ଚଢ଼ି
ନ ଦିଅନ୍ତି ତାକୁ ଭାରା ।
ସେ ଦେଶ ଆଚାର ଆଦର୍ଶ ବେଭାର
ସେ ଦେଶ ରୀତି ସ୍ୱତନ୍ତ୍ର,
ଅତ୍ମନିର୍ଭରତା ସେ ଦେଶବାସୀଙ୍କ
ଜୀବନର ମୁକ୍ତ ମନ୍ତ୍ର ।
ଏ ଦେଶର ନୀତି ବିଚିତ୍ର ପଦ୍ଧତି
ସୃଷ୍ଟିରୁ ସିନା ବାହାର,
ଏ ଦେଶ ସମାଜେ ଗଳବସ୍ତ୍ର ହୋଇ
ଦୁରରୁ କୋଟି ଜୁହାର ।
ଏ ଦେଶର ଲୋକ ପରଗଳଗ୍ରହ
ସୃରାଣର ଆଜ୍ଞାବହ,
ଉପବୃକ୍ଷ ପ୍ରାୟ ବୃକ୍ଷୁ ରସ ଶୋଷି
ବିନାଶ ଲଭେ ତା ସହ ।
ଅଶିକ୍ଷିତ ଲୋକେ କିଛି ନ ବୁଝନ୍ତି
ପ୍ରିୟ ତାଙ୍କ କୁସଂସ୍କାର,
ସମାଜେ କିଞ୍ଚିତ ନବତ୍ୱ ଦେଖିଲେ
ଛାଡ଼ନ୍ତି ଉଳେ ଚିତ୍କାର ।
ନୈତିକ ସାହସ ଧରି କେହି ହେଲେ
ସମାଜର ସଂସ୍କାରକ,
ପରିପନ୍ଥୀ ହୋଇ ସମସ୍ତେ ତାହାର
ରଟନ୍ତି ନିନ୍ଦା କଳଙ୍କ ।
ସମାଜର ଏହି ଘୃଣ୍ୟ ଦଶା ଦେଖି
ଜନ୍ମେ ମନେ ଘୋର କ୍ଳେଶ,
ଇଚ୍ଛା ହୁଏ ଯାଇ ଲୁଚିବାକୁ ବନେ
ତେଜି ଏ ଅଧମ ଦେଶ ।
ଅନନ୍ତର ଦିନେ କାର୍ଯ୍ୟକ୍ଷେତ୍ରୁଁ ଫେରି
କିଶୋର ପ୍ରବେଶି ଘରେ,
ଦେଖିଲା ଚକିତେ ବେପମାନା ଧୀରା
ଜ୍ଞାନଗ୍ରାସୀ କ୍ରୋଧଭରେ ।
ଭୂମି- ଶଯ୍ୟା ପରେ ଶୋଇଅଛି କରି
ପ୍ରକୋଷ୍ଠେ * ଶିର ନିବେଶ,
ଇତସ୍ତତଃ ହୋଇ ଲୋଟୁଛି ଧୂଳିରେ
ଅଯତ୍ନବିନ୍ୟସ୍ତ କେଶ ।
* କହୁଣି ଜଳରୁ ମଣିବନ୍ଧ ପର୍ଯ୍ୟନ୍ତ ବହିଲାଗ ।
ଲୋତକ ନିଷିକ୍ତ ଆନନେ ଢ଼ାଙ୍କିଛି
ବର୍ଦ୍ଧିତ ଅଳକାଜାତ,
ହିମ-ସିକ୍ତ ମ୍ଳାନ ଛିନ୍ନ କମଳେ କି
ପଡ଼ିଛି ଉଡ଼ି ଶୈବାଳ ।
ଘୂରୁଛି କରାଳ କାଳଚକ୍ର ପ୍ରାୟ
ରୋଷଦୀସ୍ତ ରକ୍ତ ନେତ୍ର,
ହୃଦୟ ତାହାର ହୋଇଅଛି କ୍ରୋଧ-
ଅଭିମାନ କୁରୁକ୍ଷେତ୍ର ।
ସ୍ୱାମୀ ଅପେକ୍ଷାରେ ପଡି ରହିଅଛି
ଶୋକେ ହୋଇ ଦରମରା,
ମଧୁ ଆଗମନ ପ୍ରତୀକ୍ଷାରେ ଯଥା
ଶିଶିର- ପାଣ୍ଡୁର ଧରା ।
ସହସା ସ୍ୱାମୀକୁ ଉପସ୍ଥିତ ଦେଖି
ଦଳିତା ତମ୍ପୁଣୀ ସମ,
ଦୀର୍ଘଶ୍ୱାସ ସହ ବହାଇଲା ବିଷ
ଅନଳୁ ଉତ୍କଟତମ ।
କ୍ଷଣସୁପ୍ତିମୌନ କ୍ରୋଧ-ମହାବଳ
ଉଠିଲାକ ଗଳଗାଜି,
ଉଠିଲା ଆବର ନିର୍ବାକ ରସନା-
ଭୀଷଣ ମର୍ଦ୍ଦଜ ବାଜି ।
ସ୍ୱାମୀ ପଦମୃଳେ ମୁଣ୍ଡ କୋଡି ହୋଇ
କ୍ରନ୍ଦନ ଗଦ୍ମଦ ସ୍ୱରେ,
ବୋଇଲା ସକ୍ରୋଧେ ଏକ୍ଷଣି ପଠାଇ-
ଦିଅ ମୋତେ ବାପଘରେ ।
ଅଖଣ୍ଡ ସୁଖରେ ଘର କର ତୁମ୍ଭେ
ଭାଇ ଭାଉଜଙ୍କୁ ଘେନି,
ସୁଖ- ସ୍ୱରଗର ସୁବର୍ଣ୍ଣ ନିଶୁଣୀ
ତୁମ୍ଭର ପରା ସେ ବେନି ।
ଲୁଣେ ଲୌହ ପ୍ରାୟ କଟୁ ଗଞ୍ଜଣାରେ
ଗଲାଣି ରସି ମୋ ହାଡ,
ନ ପାରିବି ଆଉ ପର ହାତୁ ଏତେ
ଖାଇ ମୁଁ ଛାଞ୍ଚୁଣୀମାଡ଼ ।
ପ୍ରଣୟିନୀ ଖେଦେ ଥରିଲା କିଶୋର
କ୍ରୋଧେ ଦୀର୍ଘ ଶ୍ୱାସ ଛାଡ଼ି,
ବିଚାରିଲା ଦେହୁ ହୃଦୟ ମନକୁ
ଉପାଡ଼ି ଦେବ ଫୋପାଡ଼ି ।
ନିଜର ସୁନ୍ଦର ମୃଖ ଭୟଙ୍କର
କଲା ନିଜ କ୍ରୋଧବଶୁ,
ଅବସ୍ଥା ବିଶେଷେ ମାନବ ସଂସାର
ହୁଏ ସିନା ହିଂସ୍ର ପଶୁ ।
କହିଲା ସଗର୍ବେ କାହାର ସାହସ-
କାହାର ଏଡ଼େ କ୍ଷମତା,
ଛାଞ୍ଚୁଣୀ ମାରିବ କିଏ ସେ, ଉଠିଛି
କାହା ସ୍କନ୍ଧେ ଦୁଇ ମଥା ।
ନୀରବରେ ସବୁ ସହିବାରୁ ପରା
ବଢ଼ୁଅଛି ଆଧିପତ୍ୟ,
ସତ୍ୟ ସତ୍ୟ ଆଜି ହେବି ମୁଁ ପୃଥକ
ତ୍ରିବାର ମୋର ଏ ସତ୍ୟ ।
ଏସନ ବଚନେ ପ୍ରିୟାକୁ ପ୍ରବୋଧି
ମିଳିଲା ଯାଇ ସତ୍ୱରେ,
ରୋଗ-ଶଯ୍ୟାଶାୟୀ ଅନାହାର- ଶୀର୍ଣ୍ଣ
ଜ୍ୟେଷ୍ଠାଗ୍ରଜ ସମୀପରେ ।
ଅନୁଜ ଆଗମେ ଅଗ୍ରଜ ବଦନେ
ଗଲା ମୃଦୁ ମୃଦୁ ଦେଖା,
ଦୁଃଖର ମ୍ଳାନିମା- ଆବରଣ ଭେଦି
କ୍ଷୀଣ ଶୁଷ୍କ ହାସ୍ୟରେଖା ।
ଭାବିଲା ମୋ ସ୍ୱାସ୍ଥ୍ୟ ଜିଜ୍ଞାସା ଆଶୟେ
ଆସିଛି ପରା କନିଷ୍ଠ,
କିନ୍ତୁ ବୃଥା ଆଶା, କନିଷ୍ଠ ନୁହେଁ ସେ
ଆକୃତିବକ୍ତ ଅନିଷ୍ଟ ।
ମାୟାବିନୀ ଆଶା ଉତ୍ତେଜିତ ସଦା
କରୁଥାଏ ମନୋରଥେ,
ମାତ୍ର ମେନବେଚ୍ଛା, ବିଧିଲିପି, ବେନି
ଗମନ୍ତି ବିଭିନ୍ନ ପଥେ ।
କହିଲା ଅନୁଜ ରୋଷ- ରୁକ୍ଷସ୍ୱରେ
ନିଜ ହେଲା ଘରେ କଳି,
ବଡ଼ ବହୁଙ୍କର କୁଟିଳ ବେଭାର
ଗଲାଣି ସୀମାକୁ ବଳି ।
ସ୍ୱଭାବେ ଦୁଷ୍ଟା ସେ କଳିହୁଡ଼ୀ ଦୁଯେ
ପ୍ରଶ୍ରୟ ପାଇ ତୁମ୍ଭର,
ଆମ୍ଭ ଦୁହିଙ୍କୁ ସେ ମାଟିଗୋଡିଠାରୁ
ମଣୁଅଛି ତୁଚ୍ଛତର ।
ତୁମ୍ଭଲାଗି ମୁହିଁ ଋଣଗ୍ରସ୍ତ ହୋଇ
ହେଲିଣି ବିପନ୍ନ ପ୍ରାଣେ,
ସମ୍ଭାଳ ଏଣିକି ତୁମ୍ଭ ଘର ତୁମ୍ଭେ
ଆମ୍ଭ କଥା ମୁହିଁ ଜାଣେ ।
କହୁଛି ତୁମ୍ଭଙ୍କୁ ଆଜିଠାରୁ ନିଶ୍ଚେଁ
ହେବ ମୋ ପାକ ପୃଥକ,
ଏହା କହି ତହୁଁ ଚାଲିଗଲା ଖରେ
କୋପେ ଚଳି ଧକଧକ ।
ଦେଖି ପୃଷ୍ପକାନ୍ତ ଅଦ୍ଭୁତ ଘଟଣା
ବିସ୍ମୟେ ହେଲା ସ୍ତମ୍ଭିତ,
ସ୍ୱପନ କି ଏହା ବାସ୍ତବ ବ୍ୟାପାର
ନ ହେଲା କିଛି ବିଦିତ ।
ଆପଣା ମନକୁ ପଚାରି ବୁଝିଲା
ଲୋତକ ନେତ୍ରୁ ନ ବହେ,
ଯେଉ ଅଗ୍ନି ଗୃହ କରେ ଆଲୋକିତ
ସେହି ଅଗ୍ନି ଗୃହ ଦହେ ।
ମହାଶୂନ୍ୟେ ଚାହିଁ କାହାକୁ କେଜାଣି
ପଚାରିଲା ଏ କି କଥା ?
ପ୍ରତିଧ୍ୱନି ପ୍ରାୟ ହେଲା ଏ ଉତ୍ତର
କଥା ନୁହେ ଏହା ବ୍ୟଥା ।
ଭାଳିଲା ଅହୋ କି ବିଚିତ୍ର ସମସ୍ୟା
କରିଦେଲା ମୋତେ ଭେଜା,
ମଣୁଥିଲି ଯାକୁ ଅବିଶ୍ୱାସ ସେହି
ଜନବାଦ ସତ୍ୟ ଏକା ।
କେତେ କ୍ଷଣ ପରେ ଅଶ୍ରୁଧାରା ଆସି
ଅର୍ପିଲା ତାକୁ ସାନ୍ତ୍ୱନା,
ଅଶ୍ରୂ ସିନା ଏକା ଦୁଃଖୀର ଭରସା
ହରେ ତା ହୃଦ ବେଦନା ।
କେହି ନାହି ଯାର ନୁହେଁ ସେ ଅସାହା
ସ୍ୱୟଂ ହରି ତାର ସାହା,
ବିପଦ ସମୟେ ଦେଖାଇ ଦିଅନ୍ତି
ସରଳ ଉଦ୍ଧାର ରାହା ।
ଈଶ୍ୱରେ ନିର୍ଭରି ପୃଷ୍ପକାନ୍ତ କଲା
ଦୁଃଖଭାର ପରିହାର,
ଏକାନ୍ତ ଈଶ୍ୱର ନିର୍ଭରତା, ଦୁଃଖ-
ଶୋଚନାର ପ୍ରତିକାର ।
ଧର୍ମ ଏକା ସିନା ଭବସାଗରର
ସୁଦୃଢ଼ ସୁବର୍ଣ୍ଣ ସେତୁ,
ଭୋଗ ଲାଳସାଦି ଅଳୀକ ବିଷୟ
ମହା ଅମଙ୍ଗଳ ହେତୁ ।
ଧର୍ମେ ଆଶ୍ରା କରି ହେଲା ସେ ପୃଥକ
ଅନୁଜେ ନ କହି କିଛି,
ମାତ୍ର କିଶୋରର ହୀନ ଦୁର୍ବୂଦ୍ଧିକି
ଗ୍ରାମଯାକ କଲେ- ଛି- ଛି ।
ଏହିପରି ଗଲା କେତେ କାଳ ବିତି
ଦୁଃଖେ ଦୁଃଖେ ଦମ୍ପତିର,
କ୍ଷୟ କଲା ହୀରା ପୀଡ଼ିତ ପତର
ସେବାରେ ନିଜ ଶରୀର ।
ହରି ପଦେ ନିତି ଜଣାଉଥିଲା ସେ
ସ୍ୱାମି- ପୀଡ଼ା ମୁକ୍ତି ପାଇଁ,
ସତୀର ପ୍ରାର୍ଥନା ପରମ ଆଗ୍ରହେ
ଶୁଣିଲେ ଜଗତସାଇଁ ।
ସ୍ୱଭାବ- ଦୟାଳୁ ଶୁଣନ୍ତି ତା ଡ଼ାକ
ଡ଼ାକେ ଯେହୁ ଅକପଟେ,
ସୁଖୀଠାରୁ ପ୍ରଭୁ ବହୁଦୁରେ ଥାନ୍ତି
ଦୁଃଖୀର ଅତି ନିକଟେ ।
ସତୀ ଦୁଃଖିନୀର ଆତୁର ଆହ୍ୱାନେ
କୃପା କଲେ କୃପାମୟ,
ଅଳ୍ପଦିନ ମଧ୍ୟେ ପୃଷ୍ପକାନ୍ତ ହୋଇ
ଉଠିଲାବ ନିରାମୟ ।
ପୁଷ୍ପକାନ୍ତ ହୀରା ଉଭୟ ମିଳନ
କାଞ୍ଚନେ ମଣି ସଂଯୋଗ,
ଔଷଧ ସୁପଥ୍ୟ ଚିକିତ୍ସାରେ ବାଳା
ବିନାଶିଲା ପତି-ରୋଗ ।
ମୃଣାଳ-କଣ୍ଟକ- ବିକ୍ଷତ ଭ୍ରମରେ
ସରୋବର ଜେମା ଯଥା,
ସୁରଭି-ଔଷଧେ ମକରନ୍ଦ- ପଥ୍ୟେ
ଆରୋଗ୍ୟ କରେ ସର୍ବଥା ।
ହୃତସ୍ୱାସ୍ଥ୍ୟ, ଶକ୍ତି, ରଭି ପୃଷ୍ପକାନ୍ତ
କର୍ତ୍ତବ୍ୟେ ନିବେଶି ମତି,
ନବୋତ୍ସାହେ ମାତି ସାଧୁ ବ୍ୟବସାୟେ
ସାଧିଲା ଆତ୍ମ- ଉନ୍ନତି ।
ଅଖଣ୍ଡ ଅଦମ୍ୟ ଅଧ୍ୟବସାୟରେ
ବୃଦ୍ଧି କଲା ଧନ, ମାନ,
ସ୍ୱଳ୍ପକାଳ ମଧ୍ୟେ କଳ୍ପନା ନଗରେ
ହେଲା ଶ୍ରେଷ୍ଠ ଭାଗ୍ୟବାନ ।
ଏଣେ କିଶୋରର ମସ୍ତକେ ପଡ଼ିଲା
ବିପଦ-ବଜ୍ର ପ୍ରଚଣ୍ଡ,
ଉତ୍କୋତ- ଗ୍ରହଣ ଦୋଷେ ଲଭିଲା ସେ
ଗୁରୁତର କାରାଦଣ୍ଡା ।
ଦୁଃସମ୍ବାଦ ଶୁଣି ପୁଷ୍ପକାନ୍ତ ହେଲା
ଦାରୁଣ ବ୍ୟଥାବିହ୍ୱଳ,
ବିଷାଦେ ଲଜ୍ଜାରେ ଭଜିଲା ତାହାର
ପାଣ୍ଡୁରତା ଗଣ୍ଡସ୍ଥଳ ।
ଭାବିଲା ବିପଦେ ଶତ୍ରୁକୁ ସହାୟ
ନୁହେଁ କେବେ ଅନୁଚିତ,
କିଶୋର ତ ମୋର ଭାଇ, ଉଭୟର
ଶରୀରେ ଏକ ଶୋଣିତ ।
ଅକୃତଜ୍ଞ ହେଲେ ହେଉ ସେ ପଛକେ
ମୁଁ କିପା ହେବି ପାମର,
ଯେତେ ହେଲେ ହେ ସେ ଅନ୍ୟ କେହି ନୁହେଁ
ମୋହରି ତ ସହୋଦର ।
ଏହା ଭାବି ଶେଷେ ଉଚ୍ଚାଧିକରଣେ
ଦର୍ଶାଇ ଯୋଗ୍ୟ କାରଣ,
ବହୁବ୍ୟୟେ ବହୁ- କ୍ଳେଶେ ଅନୁଜକୁ
କଲା ସେ କାରାମୋଚନ ।
ଲଜ୍ଜାରେ କିଶୋର ହେଲା ହେଠମୁଖ
ବେଭାର ଦେଖି ଭାତାର,
ନିଜ ଆତ୍ମ ତାକୁ ନିର୍ବାକ ବାଣୀରେ
କଲା ତୀବ୍ର ତିରସ୍କାର ।
ଆତ୍ମ-ଦୁଷୃରଣୀ ହୃଦୟ- କବାଟେ
କଲା ଦୃଢେ କରାଘାତ,
କହିଲା କିଶୋର ସାଶ୍ରୁ ନେତ୍ରେ ବିହି
ଭାତୃପଦେ ପ୍ରଣିପାତ ।
ଶତ ଅପରାଧେ ଅପରାଧୀ ମୁହିଁ
ଅଗ୍ରଜ ତବ ଚରଣେ,
ଅନୁଗତ ଭୃତ୍ୟ ଜ୍ଞାନେ କ୍ଷମାକର
ଏ ପାମର ଅଭାଜନେ ।
ଏତେ କାଳ ଯାଏଁ ପଢ଼ିଥିଲି ଯାହା
ତାହା ଖାଲି ବାଲ୍ୟଶିକ୍ଷା,
ଲଭିଲି ପ୍ରକୃତ ଶିକ୍ଷା ଆଜି ମୁହିଁ
ପ୍ରଥମେ ଦେଇ ପରୀକ୍ଷା ।
ନିନ୍ଦୁଥିଲି ମୁହିଁ ଅନଭିଜ୍ଞ ପ୍ରଣେ
ଏକାନ୍ନବର୍ତ୍ତୀ ସମାଜେ,
ବୁଝିପାରି ତାର ଶୁଭଗର୍ଭ ଫଳ
ଅବନତ ଏବେ ଲାଜେ ।
କେଉଁ ମୁଖେ ମୁହିଁ ଶିକ୍ଷିତ ବୋଲାଏଁ
ନାସ୍ତିକ ଅଧମ ଛାର,
ଅଜ୍ଞାନେ ସିନା ମୁଁ ମର୍କତ ମଣିକି
ମଣୁଥିଲି ମୃଦଙ୍ଗାର ।
ତୁମ୍ବ ପରି ନର - ଉପରୁପୀ ଦେବ
ଯେ ସମାଜ ଆଭରଣ,
ସମାଜ ମଧ୍ୟେ ସେ ସୁଖ ସ୍ୱର୍ଗୋପମ
ସୁଗଣ୍ୟ ବରେଣ୍ୟ ଧନ୍ୟ ।
ଏଥୁ ଅନ୍ତେ ଧୀରା ଧୀରେ ଧୀରେ ଆସି
ଧରି ଦୃଢ଼େ ହୀରା ପାଦ,
ବୋଇଲା ଭଉଣି ! ଅର୍ପିଛି ତୁମ୍ଭଙ୍କୁ
ବହୁ ବ୍ୟର୍ଥ ଅପବାଦ ।
ଦାସୀଜ୍ଞାନେ ତାହା କ୍ଷମା କରି ମୋତେ
ପ୍ରଦାନ ପଦେ ଆଶ୍ରୟ,
ତୁମ୍ଭପରି ଦେବୀ- ପ୍ରତିମାକୁ ସେବି
କରିବି ମୁଁ ପାପ କ୍ଷୟ ।
ତୁମ୍ଭ ପ୍ରତି ମୋର ମନ୍ଦ ବ୍ୟବହାର
କେତକୀ କୁସୁମ ବତ,
ଗୌରବକାରୀକୁ କରିଦିଏ ସେହୁ
କଣ୍ଟକେ କ୍ଷତ ବିକ୍ଷତ ।
ନିତି ନିତି ତବ ପୁଣ୍ୟ ପାଦୋଦବ
ସେବନ ମୋର ବିହିତ,
ତାହା ଭିନ୍ନ ମୋର ଉତ୍କଟ ପାପର
ନାହିଁ ଅନ୍ୟ ପ୍ରାୟଶ୍ଚିତ୍ତ ।
ଏକମେଳେ ସର୍ବେ ରହିଲେ ଆବର
ସ୍ନେହ ମାୟା ରସେ ଦ୍ରବି,
ସାମ୍ୟ- ମୈତ୍ରୀ- ପ୍ରୀତି ସୁଧା-ସ୍ରୋତେ ଗୃହ
ବହିଲା କ୍ରିଦିବ ଛବି ।
ଚତୁର୍ଥ ଚିତ୍ର
ଅସ୍ତଗାମୀ ରବି ବାରୁଣୀ କୋଳରୁ
ଢ଼ାଳିଲେ କନକଧାରା,
ସିକ୍ତ ହୋଇ ତହିଁ ଝଟକି ଉଠିଲା
କମଳିନୀ ଭାନୁଦାରା ।
ଦିଶିଲା ପାଟଳ ଗୋଧୂଳି ମସ୍ତକ-
ପ୍ରଦାନ ମୁକୁଟ ପ୍ରଭା,
ବିଛା ହେଲା ରଙ୍ଗ- ବନାତ ତହିଁ ବା
ବସିବ ମଙ୍ଘବା ସଭା ।
ବଳାତ୍କାରେ କର୍ଣ୍ଣେ ପ୍ରବେଶାଇ ଦେଲା
କାଳ କର୍ଣ୍ଣନ୍ତୁଦ ଧ୍ୱାନେ,
ଆତ୍ମଶ୍ଳାଘୀ ଯଥା ଆତ୍ମପ୍ରଶଂସାକୁ
ପ୍ରବେଶାଏ ପର କାନେ ।
ଅସୂତ୍ର-ଗ୍ରଥିତ ପୁଷ୍ପମାଳା ପ୍ରାୟ
ଉଡ଼ିଯାନ୍ତି ବଳାବଳୀ,
ବସନ୍ତ-ବିପଞ୍ଚୀ ପଞ୍ଜମେ ବଜାଇ
ସରୁ ଉଡ଼ିଯାଏ ଅଳି ।
ରବି ଅସ୍ତ ହେଲେ ଦିଶିଲା ମଳିନ
ଚୌଦିଗ ନଭ ପୃଥିବୀ,
ସମଗ୍ର ବିଶ୍ୱର ଏକମାତ୍ର ଦୀପ
ଦେଖୁ ଦେଖୁ ଗଲା ନିଭି ।
ସନ୍ଧ୍ୟାଗମ ବାର୍ତ୍ତା ମଧୁରେ ଗମ୍ଭୀରେ
ପ୍ରଚାରିଲା ସନ୍ଧ୍ୟାଦୂତ, *
ଚକୋର ଦମ୍ପତି ସର ବେନି ତୀରେ
ଗଲେ ହୋଇ ସଙ୍ଗଚ୍ୟୁତ ।
* ଶଙ୍ଖ
ଅବନୀ ବଦନ କ୍ରମେ ଆଚ୍ଛାଦିଲା
ଅନ୍ଧାର ବିସ୍ତାରି କାୟା,
ଲୁବ୍ଧକ ମାନସ ଆଚ୍ଛାଦିଲା କିବ ।
କରାଳ କାମନା ଛାୟା ।
ଗୋଟି ଗୋଟି ହୋଇ ଅସଂଖ୍ୟ ତାରକା
ନଭ ଗର୍ଭେ ଗଲେ ଦେଖା,
ପ୍ରକୃତି- ପୁସ୍ତକ ଶୂନ୍ୟପତ୍ରେ ହେଲା
ସ୍ୱର୍ଣ୍ଣ ବର୍ଣ୍ଣାବଳୀ ଲେଖା ।
ଛିନ୍ନ ପୁଷ୍ପମାଳ ପ୍ରାୟ ବିଶୃଙ୍ଖଳ-
ସୁଷମା ଦର୍ପେ ଦେଖାଇ,
ନିମେଷ ବିହୀନ ଅତୃପ୍ତ ନୟନେ
ରହିଲେ ଧରାକୁ ଚାହିଁ ।
ଅନନ୍ତ ଅଗାଧ କୃଷ୍ଣ ସମୁଦ୍ରରେ
ବୁଡ଼ିଗଲା ଚରାଚର,
ମେଘେ ବିଦ୍ୟୁପ୍ରାୟ ଖଦ୍ୟୋତେ ସେ ସିନ୍ଧୁ
ଆଲୋଡିଲେ ନିରନ୍ତର ।
କୃଷ୍ଣ- ପାରବାରେ ଜ୍ୟୋତିର୍ମତ୍ସ୍ୟ ପ୍ରାୟ
ଭାସି ଉଠି କ୍ଷଣେ କ୍ଷଣେ,
କ୍ଷଣେ କ୍ଷଣେ ବୁଡ଼ି ମିଶିଯାଉଛନ୍ତି
ସେ ସାଗର ଅପଘନେ ।
ତମ ଭୀମ ରୂପେ ଭୀତ ହୋଇ ଅତି
ଅଥବା ପ୍ରକୃତି- ରାଣୀ,
ମୂହୁମୁତୁଃ ଚକ୍ଷୁ ମୃଦି ଦେଉଛନ୍ତି
ଚାହିଁଣ ଚୋରା ଚାହାଣି ।
ନଭଃ-ଅଗ୍ନିଶିଳା ଅନ୍ଧକାର-ଲୌହ
ବେନି ସଂଘର୍ଷଣେ ଅବା,
କୋଟି ବହ୍ନିଚୁର୍ଣ୍ଣ ଝଡ଼ି ନିର୍ବାପିତ
ଦେଖାଇ କ୍ଷଣିକ ପ୍ରଭା ।
ଘୋର ଅନ୍ଧକାରେ ଚକ୍ଷୁଷ୍ମାନ, ଅନ୍ଧ
ସମଦଶା ଉଭୟର,
ଗୃହିଣୀନିଜର ଦୀପାବଳୀ ଜାଳି
ଦୀସ୍ତ କଲେ ପ୍ରତିଘର ।
ଭିତରେ ଆଲୋକ ମାତ୍ର ସ୍ତୁପୀକୃତ
ବାହାରେ ଅନ୍ଧାରରାଶି,
ହାତ ଧରାଧରି ହୋଇଛନ୍ତି କିବା
ଅମାବାସ୍ୟା ପୌର୍ଣ୍ଣମାସୀ ।
କ୍ରମେ ରଜନୀର ଗାମ୍ଭୀର୍ଯ୍ୟ ବଢ଼ିଲା
ହେଲା ସେ ଭୀଷଣା ଅତି,
ଶବ୍ଦହୀନ ସ୍ତବ୍ଧ ମହିମା ନିଶୀଥେ
ପ୍ରକାଶିଲା ବସୁମତୀ ।
ଥରେ ଥରେ ସୁପ୍ତ ତରୁ କୋଳୁ ହୋଇ
ପେଚକ ଚାବ ଉତ୍କ୍ଷିତ,
ନିସ୍ତରଙ୍ଗ ସେହି ନିଶୀଥ- ସିନ୍ଧୁକୁ
କରୁଥିଲା ତରଙ୍ଗତ ।
ସାଇଁ ସାଇଁ ସ୍ୱରେ ପ୍ରଚାରିଲା ଆଣି
କିଏ କେଉଁ ନବବାଣୀ,
କାହୁଁ ତାହା ଜାତ କି ତାହାର ଅର୍ଥ
ଅଜ୍ଞାତ ତାହା କାହାଣୀ ।
କାନନ ଭୁଷଣ ତରୁ ବିରୁ ୧ ସର୍ବେ
ଅନ୍ଧକାରେ ସ୍ନାନ କରି,
ଦିଶିଲେ ଯେସନ ମୌନ ସୁପ୍ତିମଗ୍ନ
ଅସିତ-ବସ୍ତ୍ର ନଗରୀ ୨ ।
୧ - ଲତା ।
୨- ତମ୍ଭୁମୟ ରାଜ୍ୟ
ଯାମିନୀ- ଯୌବନ ବିଘୋଷିଲା ଉଚ୍ଚେ
ଯାମିନୀ ଜଗୁଆ ଶିବା,
ମଧ୍ୟାକାଶେ ଉଠି କୃତ୍ତିକା ସୁନ୍ଦରୀ
ପ୍ରକାଶିଲା କ୍ଷୀଣ ବିଭା ।
ଏସନ ସମୟେ ସ୍ୱପ୍ନପୁର ଗ୍ରାମେ
ଲକ୍ଷ୍ମଣ ବଣିକ ଘରେ
ପ୍ରାଚୀର ଉଲ୍ଲମ୍ପି ଅତି ଗୋପନରେ
ପଶିଲେ ଆସି ତସ୍କରେ ।
ଦଇବେ ସେ ଦିନ ଗୃହରେ ବଣିକ
ଥିଲେ ନାହିଁ ଉପସ୍ଥିତ,
ହାର ଉଗ୍ନ ଆଶେ କପାଟେ ଆଘାତ
କଲେ ଦସ୍ୟୁ ନୋହି ଭୀତ ।
ସେ ଶବଦେ ଜାଗି ବଣିକ ଗୃହିଣୀ
ବସିଲା ଉଠି ସତ୍ୱରେ,
ଭତ୍ତି- ବିଲମ୍ବିତ କରବାଜ ଆରି
ଧରିଲା ସୂଦୃଢ଼େ କରେ ।
ଝଟକି ଉଠିଲା ଗୃହ ପ୍ରଜ୍ୱଳିତ
ଦୀପାଲୋକେ ଚନ୍ଦ୍ରହାସ,
ଅନୁକରିଲା ସେ ପ୍ରଦୀପ୍ତ ଦାମିନୀ
ଅନଜ ଭୀକ୍ଷଣ ହାସ ।
ହାର ଭଗ୍ନ ପରେ ଗୃହ ଅଭ୍ୟନ୍ତରେ
ଚାହିଁ ଦେଇ ଦସ୍ୟୁପତି,
ଦେଖିଲା ସଦମ୍ଭେ ବସିଛି ପଲଙ୍କେ
ଭୈରବୀ ନାରୀମୁରତି ।
ସୂଦୃଢ଼ ମୁଷ୍ଟିରେ ଧରିଅଛି କରେ
କରାତ ଉଲଙ୍ଗ ଆସି,
କ୍ରୋଧ-କଷାୟିତ ନୟନଯୁଗଳୁ
ପଡ଼ୁଛି ସ୍ଫୁଲିଙ୍କ ଖସି ।
କୃଷ୍ଣ ଘନଜିତ ବୀଚି- ବିକୁଞ୍ଚିତ
ନିଦ୍ରା-ମୁକୁଳିତ କେଶ,
ବିଲମ୍ବିତ ହୋଇ ଗହଳେ ଚଟୁଳେ
ଆଚ୍ଛାଦିଛି ପୃଷ୍ଠଦେଶ ।
ଆପାତ ଦୃଷ୍ଟିରେ ବାରି ହେଉ ନାହିଁ
ଅମରୀ କିମ୍ବା ମାନବୀ,
ମରକତ ଶିଳେ ହୋଇଛି କି ଅଙ୍କା
କନକ ରଙ୍ଗରେ ଛବି ।
ଉତ୍କମ୍ପିତ ଗାତ୍ରେ ଗର୍ଜିଉଠି କ୍ରୋଧେ
କହିଲା ବଣିକ-ବାମା,
ମୁଖରିତ ହୋଇ ଉଠିଲାସେ ରବେ
ନୀରବ ସୁପ୍ତ ତ୍ରିଯାମା ।
ସାବଧାନ, ଦୁଷ୍ଟ ମାନବ-ପିଶାଚ
ନାରକୀ ନରଘାତକ,
ଦେହଳି ଲଙ୍ଘିଲେ ସ୍ଥନ୍ଧରେ ତୋହର
ରହିବ ନାହିଁ ମସ୍ତକ ।
ଭାବିଛୁ ପରା ତୁ ନାହିଁ ତିଳେ ହେଲେ
ଅବଳା ବାହୁରେ ବଳ,
ଦୁର୍ବଳ ସେ ସତ୍ୟ ମାତ୍ର କାର୍ଯ୍ୟକାଳେ
ଉଠଇ ହୋଇ ପ୍ରବଳ ।
ଦୁର ଦୂବ ଖଣ୍ଟ ଯା ଯା ପ୍ରାଣ ଘେନି
ପକାଇ ଯାରେ ଖରେ ତୁ,
ନତୁ ଏହି ଅସ୍ତ୍ରେ ହେବୁ ତୁ କାଳର
ରସନା ପ୍ରତୃପ୍ତି ହେତୁ ।
ଏହାଠାରୁ ବଳି ତୀକ୍ଷ୍ମତର ଅସ୍ତ୍ର
ଅଛି ମୋର ଅସ୍ତ୍ରାଗାରେ,
ବିନିର୍ମିତ ତାହା ଦୁର୍ବାର ପ୍ରଖର
ସତୀତ୍ୱ-ଅଗ୍ନିଶିଖାରେ ।
ଅବଳାକୁ ଏହି ଅମୋଲା ବ୍ରହାସ୍ତ୍ର
କରିଛନ୍ତି ବିହି ଦାନ,
ତାହାରି ବଳେ ସେ ରଖେ ଆତ୍ମପ୍ରାଣ
ଧନ, ଧର୍ମ, ଯଶ, ମାନ ।
ପାଞ୍ଚିଛୁ ପାମର ଅବଳା ଧରଷି
ଘେନିଯିବୁ-ଅଳଙ୍କାର,
ମାତ୍ର ସେ ଦୁରାଶା ନ ମେଣ୍ଟିବ, ହେବ
ଦୁର୍ବାର ଲାଳସା ସାର ।
ମହାରଥିକୁଳ ମହାସ୍ତ୍ରୁ ପ୍ରବଳ
ଅବଳା ସତୀତ୍ମ-ଅସ୍ତ୍ର,
ସ୍ପର୍ଶମାତ୍ରେ ଦେହ ଭସ୍ମସାତ କରେ
ଅଗ୍ନି ଯଥା ରଙ୍ଗବସ୍ତ୍ର । *
* ଶାଦା ବସ୍ତ୍ର ଅପେକ୍ଷା ରଙ୍ଗବସ୍ତ୍ରରେ ନିଆଁ ଶୀଘ୍ର ଲାଗିଯାଏ ।
ଅର୍ଥ ପ୍ରାଣ ଘେନି ଟଣାଟଣି ତୋର
ଲାଗିଅଛି ଏହିକ୍ଷଣି,
ଅଯୋଗ୍ୟ ସାହିତ୍ୟେ ଭାଷାଭାବ ମଧ୍ୟେ
ଲାଗେ ଯଥା ଟଣାଟଣି ।
ସମ୍ମୁଖରୁ ମୋର ହୋଇଯା ଅନ୍ତର
ଦୁରନ୍ତ ଦସ୍ୟୁ ପାଷଣ୍ଡ,
ଅନ୍ୟଥା ଭୁଞ୍ଜିବୁ ଏହି ଦଣ୍ଡେ ଦୁଷ୍ଟ
ଦୁଷ୍କାର୍ଯ୍ୟର ଯୋଗ୍ୟ ଦଣ୍ଡ ।
ଦେଖି ଏ ବ୍ୟାପାର ପ୍ରବେଶୀ ଦସ୍ୟୁର
ତନୁ ହେଲା ଲୋମାଞ୍ଚିତ,
ବୁଡ଼ିଗଲା ବୁଦ୍ଧି ହୁଡ଼ିଗଲା ବଜ
ରହିଲା ହୋଇ ସ୍ତମ୍ଭିତ ।
କୋଳାହଳ ଶୁଣି ଉଠିଲେ ଏକାଳେ
ଅନ୍ତଃପୁର ଜନସଙ୍ଘ,
ଭୟେ ଦସ୍ୟୁପତି ପକାଇଲା ତହୁ
ରଣେ ଦେଇ ପୃଷ୍ଠଭଙ୍ଗ ।
ଆନ ଘରେ ପଶି ଏଥିପୁର୍ବୂ ତାର
ଧୁର୍ତ୍ତ ଅନୁଚର ବେନି
ବଣିକର ସୁପ୍ତ ଅଷ୍ଟମବର୍ଷୀୟ
ପୁତ୍ରେ ଯାଇଥିଲେ ଘେନି ।
ଦସ୍ୟୁପତି ଆସି ସେମାନଙ୍କ ସଙ୍ଗେ
ମିଳିଲା ଗୃହ ବାହାରେ,
ସର୍ବେ ଚାଲି ତହିଁ ଦ୍ରୁତ ପଦକ୍ଷେପେ
ମିଶିଗଲେ ଅନ୍ଧକାରେ ।
ଗ୍ରାମ ଉପକଣ୍ଠେ ନଦୀ ତୀରେ ଥିଲା
ତରଣୀ ହୋଇ ସଜ୍ଜିତ,
ଆରୋହଣ କରି ସକଳେ ତହିଁରେ
ଚଳାଇ ଦେଲେ ବୋଇତ ।
କ୍ଷେପଣୀ ବଳରେ ଧାଇଁଲା ତରଣୀ
ପବନୁ ଅଧିକ ଖରେ,
ବହୁ ଦୂର ଯାଇ ସ୍ଥଗିତ ହେଲା ସେ
ଘୋର ବନ ସମୀପରେ ।
ଓହ୍ଲାଇ ଦସ୍ୟୁଏ ପଶିଲେ ଅରଣ୍ୟେ
ବଣିକ ପୁତ୍ରକୁ ଘେନି,
ସତ୍ୱର ଗମନେ ଗଲେ ଅତିକ୍ରମି
ବନ ପରେ ବନଶ୍ରେଣୀ ।
ଶେଷେ ଏକ ସ୍ଥାନେ ସୁପ୍ତ ଶିଶୁ ଅଙ୍ଗୁ
ଅଳଙ୍କାର ନେଇ କାଢ଼ି,
ଚାଲିଗଲେ ସର୍ବେ ଅରକ୍ଷ ଶିଶୁକୁ
କାନନେ ଦେଇ ଫୋପାଡ଼ି ।
ଅନ୍ତିମ ଜୀବନେ ଢ଼ାଳିଲା ଯାମିନୀ
ଶେଷ ନିଃଶ୍ୱାସର ଧାରା,
ରାତ୍ରି ଜାଗରଣ କଷାୟତ ନେତ୍ରେ
କାନ୍ଦିଲେ ନୀରବେ ତାରା ।
ଶୁଭିଲା ନିସ୍ୱନ କଜ୍ମଳପତ୍ନୀର
ଦୁର ବୀଣାସ୍ୱର ପ୍ରାୟ,
ଘୁଞ୍ଚିଲା କାଳିମା ପୌରନ୍ଦିରୀ ଧନୀ
ଦିଶିଲା ପାଟଳକାୟ ।
କିଚ୍ଛେଦ ବିଧୁରା ମୁଦ୍ରିତ ନୟନା-
ସରଜେମା ପାଶେ ଯାଇ, ୧
କର୍ଣ୍ଣମୂଳେ ଅଳି ପ୍ରାତଃ ଆଗମନ
ଗୁଞ୍ଜନେ ଦେଲା ଜଣାଇ ।
୧- ପଦ୍ମ ଫୁଲ ।
ଯଥାକାଳେ ରବି- ଦିବସ କୌସ୍ତୁଭ
ପ୍ରୀତୀମୂଳେ ଦେଲେ ଦେଖା,
ପ୍ରକୃତି ସୁନ୍ଦରୀ ଅପ୍ରସନ୍ନ ମୁଖେ
ଖେଳିଗଲା ହାସ୍ୟରେଖା ।
ପତ୍ର ରନ୍ଧ୍ରପଥେ ବାଳ ରବିକର
କ୍ରମଶଃ ହୋଇ ପତିତ,
କୁସୁମ କୁନ୍ତଳା ଧରଣୀକି କଲା
ମଣିମୁକ୍ତା ବିଭୂଷିତ ।
ଛାୟାଲୋକ ଚିତ୍ରେ ଅପୂର୍ବ ମାଧୁରୀ
ଧରିଲା ପାଦପ ତଳ
ବିଛା ହୋଇଛି କି ଚିତ୍ର ମୃଗଚର୍ମ,
ସିଞ୍ଚା କି କିରଣ ଜଳ ।
ନବ ଜୀବନର ଆଲୋକ ଧାରାରେ
ତିନ୍ତିଗଲା ତରାଚର,
ନବୀନ ଆଲୋକ- ମଧୁର ତରଙ୍ଗେ
ସନ୍ତରିଲେ ନଭଶ୍ଚର ୨।
୨ - ପକ୍ଷୀ
ରବିକର ସ୍ପର୍ଶେ ବିହଙ୍ଗ ନିନାଦେ
ଭାଙ୍ଗିଲା ବାଳକ ନିଦ,
ଚାହିଁ ଦେଲା କ୍ଷଣି ସୁକୁମାର ହୃଦେ
ଭୀତି- ଅସ୍ତ୍ର ହେଲା ବିଦ୍ଧ ।
କ୍ଷଣକେ ନିଶ୍ଚେତ କ୍ଷଣକେ ସଚେତ
ହେଲା ଶିଶୁ ବାରମ୍ବାର,
ମୁର୍ଚ୍ଛା ଚୈତନ୍ୟର ଦ୍ୱୈରଥ ସମର
ଲାଗିଗଲା ପ୍ରାଣେ ତାର ।
କାନ୍ଦ ମାଡ଼େ; ମାତ୍ର କାନ୍ଦିପାରେ ନାହିଁ
ବାଷ୍ପେ ଫୁଲି ଉଠେ ତନୁ,
ଭୀତି-ଉତ୍ତାପରେ ଶୁଣିଗଲା ଆହା
ଲୋତକ-ଝର ନୟନୁ ।
ଏ ସମୟେ ଏକ ବୃଦ୍ଧା ଶବରୁଣୀ
କୋଳି ଆହରଣ ଆଶେ,
ଭ୍ରମୁ ଭ୍ରମୁ ବନେ ମିଳିଗଲା ଦୈବେ
ବିପନ୍ନ ବାଳକ ପାଶେ ।
ବାଳକ ଦୁଃଖରେ ବିଚଳିତ ହୋଇ
ସ୍ୱୟଂ ଅବା ଦେବୀ ଦୟା,
ମୁର୍ତ୍ତିମତୀ ହୋଇ ଉଭାହେଲେ ଆଗେ
କରୁଣାସିକ୍ତ ହୃଦୟୀ ।
ଦେଖି ତାକୁ ଶିଶୃ ଆତୁରେ ସତ୍ମରେ
ଧରିଲା ଆକଟି ଯାଇ,
ଜଳମଗ୍ନ ଜୀବ ବଞ୍ଚିଗଲା କିବ ।
କେବଣ ଆଶ୍ରୟ ତାଇ ।
କୋଳେ ତୋଳି ନେଇ ସ୍ନେହେ ବନ୍ୟ ନାରୀ
ଝାଡ଼ି ଦେଉଁ ଦେଉଁ ଧୂଳି,
ମୂର୍ଚ୍ଛାଗ୍ରସ୍ତ ହୋଇ ପଡ଼ିଲା ଝାଉଁଳି
ଆହା ସେ ପୁଷ୍ପପିତୁଳୀ ।
ଭାବିଲା ଶବରୀ ବାଳକ ଶରୀରେ
ସଦୟେ ବୁଲାଇ ହସ୍ତ,
କିଏ କଲା ଏହି ଅମୁଲ୍ୟ ରତ୍ନଟି
ଅସ୍ଥାନରେ ଆହା ନ୍ୟସ୍ତ ।
କେ ଆଣିଲା ଏହି ଦେବଶିଶୁ, କରି
କେଉଁ ଗୃହ- ସ୍ୱର୍ଗ ଶୁନ୍ୟ,
କେଉଁ ଲତା କୋଳୁ ଛିଣ୍ଡାଇ ଆଣିଲା
କିଏ ଏ ସ୍ୱର୍ଣ୍ଣ ପ୍ରସୁନ ।
ଏ ମଣିଟି ପାଇଁ ବଂଶୁ ନ ଥିବଟି
କେତେ ହୃଦେ ଶୋକ- ଫଣୀ
କେତେ ହୃଦୟରୁ ଉଠୁଥିବ ହାୟ
ଆର୍ତ୍ତ ହାହାକାର ଧ୍ୱନି ।
କେଉ ଅଭାଗ୍ୟର ଶିରେ କିଏ କଲା
ନିର୍ଘାତ ବଜ୍ର ପତନ,
କେତେ କଲବଲ ହେଉଥିବ ସେହୁ
ହରାଇ ଏ ଗଣ୍ଠିଧନ ।
କେଉଁ ପୌର୍ଣ୍ଣମାସୀ ଧରିଥିଲା ଗର୍ଭେ
ଏ ଲାବଣ୍ୟ ସୁଧାନିଧି,
କି ବିଚାରେ ଆହା ଅଜ୍ଞାନ ବାଲୁତେ
ବିହିଲେ ଏ ଦଣ୍ଡ ବିଧି ।
ବୃଥା ଏ ଭାବନା ଅର୍ପନ୍ତି ଚନ୍ଦ୍ରେ, ଯେ
ରାହୁ ହସ୍ତ୍ରେ ପରାଭବ,
ସେ ବିଧିଙ୍କ ପକ୍ଷେ ଏ ବିଧାନ କେବେ
ନୁହଇ ତ ଅସମ୍ଭବ ।
ସୁକୁମାର ଫୁଲ ଦୁଷ୍ଟ କୀଟ ହସ୍ତେ
ଭୁଞ୍ଜୁଛି ଦଣ୍ଡ ଅଯଥା,
ବିଚିତ୍ର ସଂସାର- ବିଚିତ୍ର ବିଧାନେ
ବିଚିତ୍ର ବା କେଉଁ କଥା ?
କେଉଁ ଗୁପ୍ତ ଦେଶେ କେଉଁ ଗୁପ୍ତ ଦ୍ରବ୍ୟେ
ନର ଭାଗ୍ୟ ହୁଏ ଗଢା,
ଆନ କେ ଭେଦିବ ସେ ଗୁପ୍ତ ରହସ୍ୟ
ସେ ଭାଗ୍ୟବିନ୍ଧାଣି ଛଡ଼ା ।
କର୍ମେ ଯେବେ ଭାଗ୍ୟ ଗଢ଼ା ହୁଏ ତେବେ
ବାଳକର କିସ କର୍ମ,
ଅଜ୍ଞାନ ବାଳୁତ ଜାଣି ନାହିଁ କିଛି
କର୍ମାକର୍ମ ଧର୍ମାଧର୍ମ ।
କର୍ମ ଜ୍ଞାନ ଅତି ଦୁରୁହ, ତହିଁରେ
ବୃଦ୍ଧ ସୁଦ୍ଧା ହୁଏ ବଣା,
ସ୍ୱଭାବେ ଯେ ଶିଶୁ ସଂସାର ସମସ୍ୟା
ସବୁ ତ ତାକୁ ଅଜଣା ।
ବଲ୍ଲବ- ବ୍ୟଜନେ ବିଞ୍ଚି ବୃଦ୍ଧା କଲା
ବାଳକକୁ ସଚେତନ,
ଧୀରେ ଧୀରେ ତହୁଁ ବଣିକ ନନ୍ଦନ
ଚାହିଁଲା ଫେଡ଼ି ନୟନ ।
ବୋଇଲା କାହିଁ ମା କାହିଁ ମୋର ବାବା
କାହିଁ ମୋ କମଳା ଅପା,
କାହିଁ ଆମ୍ଭ ଘର କିଏ ନେଲା ମୋର
ବଳା, ଗୋଠ, ମାଳ, ଚମ୍ପା ।
ବୁଝିଲା ଶବରୀ ଅଳଙ୍କାର ଲୋଭେ
ଦୁର୍ଦ୍ଦାନ୍ତ ଦସ୍ୟୁନିଚୟ,
ଶିଶୁକୁ ଚୋରାଇ, ଦେଇ ଯାଇଛନ୍ତି
ଅରଣ୍ୟେ ଫିଙ୍ଗି ନିଶ୍ଚୟ ।
ଭାବିଲା ଜରତୀ ଏଡ଼େ ମହାପାପ
ଛାର ଦଗ୍ଧୋଦର ପାଇଁ,
କରନ୍ତି ପିଶୁନେ, ନର ହୋଇ ସୁଦ୍ଧା
ସର୍ବେ ନରରକ୍ତପାୟୀ ।
ଭବ-ବନ୍ଧୁଘର- କୁଣିଆ ମାନବ
ଦୁଇ ଦିନ ତା ରହଣୀ,
ଏଥିଲାଗି ପୁଣି ଏତେ ଆଶା ପୋଷା,
ଏଡ଼େ ବଡ଼ ଅକରଣୀ,
ଜକୌଳା ସମାନ ପର ରକ୍ତେ ପୁଷ୍ଟ
ହେଉଛନ୍ତି ଖଣ୍ଡେ ସୁଖେ,
ମାତ୍ର କାଳ ଦିନେ ପ୍ରଚ୍ଛନ୍ନେ କ୍ଷେପିବ
ଲବଣ-ଜହର ମୁଖେ ।
ଚିରକାଳ କେବେ ସମାନେ ନ ଯିବ
ସୁଖ ତ ସ୍ୱଳ୍ପାୟୁ ଭବେ,
ଦିବଦ ପଛରେ ସାୟାହ୍ନ ଆସିବ
ବିଳମ୍ବ ନ କରି ଲବେ ।
ଆସନ୍ନ ଭବିଷ୍ୟ ଗର୍ଭେ ଲୁଚି ଲୁଚି
ଆସୁଛି ଅଜ୍ଞାତ ଦିନ,
ଶେଷ ଦିନ ତାହା, ଜୀବନର ଗ୍ରନ୍ଥି
କରିଦେବ ଛିନ୍ନ ଭିନ୍ନ ।
ନାହିଁ ପତି ପୁତ୍ର ଧନ ପରିଜନ
ନିଃସାହା ମୁହିଁ ସଂସାରେ
ତଥାପି ହିଁ କେବେ ଦିନଟିଏ ମୋର
କଟି ନାହିଁ ଅନାହାରେ ।
ଅନାୟାସଲବ୍ଧ ଫଳେ ମୁଳେ ଶାକେ
ଧରି ତ ହୁଏ ଜୀବନ,
ଦ୍ୱିଦିନର କ୍ଷୁଧା ନିବାରଣ ଲାଗି
କିପାଁ ଏତେ ପାପାର୍ଜନ ।
ଅନନ୍ତର ବୃଦ୍ଧା ମତିନ ପଣନ୍ତେ
ବଣିକ ସୂତ ନୟନୁ,
ପୋଛିଦେଇ ଅଶ୍ରୁ ମଧୁର ବଚନେ
ହରିଲା ଦୁଃଖ ତା ମନୁ ।
ବିପନ୍ନ ନୟନୁ ପୋଛିଦେଲେ ଦୁଃଖ-
ବେଦନାର ଅଶ୍ରୁରେଖା,
ଯେ ସୁଖ ତହିଁରେ ସେ ସୁଖ ମାଧୁରୀ
ଜାଣେ ଅନୁଭବୀ ଏକା ।
ବୋଇଲା ରେ ବତ୍ସ ଗତ ରଜନୀରେ
ଅଳଙ୍କାର ଲୋଭେ ତୋର,
ଘରୁ ଆଣି ତୋତେ ଏ ବିଜନ ବନେ
ଫିଙ୍ଗି ଦେଇଗଲା ଚୋର ।
କାନ୍ଦନା କାନ୍ଦନା ଚାଲ ମୋ କୁଟୀରେ
ତୁନି ହୁଅ ମୋ ସଙ୍ଖାଳି,
ଖଜା କିଣି ଦେବି କୋଳି ତୋଳିଦେବି
ଗୁନ୍ଥିଦେବି ଫୁଲମାଳୀ ।
ଖୋଜିବାକୁ କେହି ଆସିଲେ ତୋହର
ପଠାଇଦେବି ତା ସାଥେ,
ଏହା କହି ରଚି ଲତାରେ ବଳୟ
ପିନ୍ଧାଇଦେଲା ତା ହାତେ ।
ଅଧାତୁ-ନିର୍ମିତ ସେ ଚାରୁ ବଳୟେ
ଶୋଭିଲା ବାଳକ କର,
ସ୍ୱଭାବ-ସୁନ୍ଦର ଅଙ୍ଗକୁ ହିଁ ଏକା
ସକଳ ଦିଶେ ସୁନ୍ଦର ।
ବୃଥା ଖଞ୍ଜୁ ଥିଲା ଶବରୁଣୀ ସିନା
ଭୁଷଣ ବାଳକ ଦେହେ,
ଅନ୍ତର ସୌନ୍ଦର୍ଯ୍ୟେ ନ ଦେଖିଲା ମାତ୍ର
ଅନ୍ଧ ହୋଇ ମୋଦେ ସ୍ନେହେ ।
ନିସର୍ଗ ଭୁଷଣ- ସରଳତା ତାର
କେଡ଼େ ମନୋମୁଗ୍ଧକର,
କେଉଁ ଭୁଷଣ ବା ତା ସମ ସୁନ୍ଦର
ଭୁଷଣ ସେ ଭୁଷଣର ।
ଲଳିତ ମଧୁର ବଚନ ଆବର
ଅରୂପ-ରୁଚିର ଭୂଷା,
ବାଳକେ ଅପୂର୍ବ- ସ୍ୱପନ- ରାଜ୍ୟର
ଅପୂର୍ବ ମଣି-ମଞ୍ଜୂଷା ।
ରହିଲା ବାଳକ କରି ଆଲୋକିତ
ଶବରୀର ପର୍ଣ୍ଣକୁଟୀ,
ଶୈବାଳ ସଙ୍କୁଳ କୁତ୍ସିତ ପଲ୍ଲକେ
ଉଠିଲା କମଳ ଫୁଟି ।
କୋଳି ବିତ୍ରସ୍ୱାର୍ଥେ ଯାଏ କିରାସିନୀ
ନିତି ନିତି ଗ୍ରାମାନ୍ତରେ,
ପୋଷ୍ୟ ଶିଶୁଟିକୁ ମିଷ୍ଟାନ୍ନ କଣ୍ଢେଇ
ଆଣିଦିଏ ସ୍ନେହଭରେ ।
ମାତୃ-ମୂର୍ତ୍ତି ନାରୀ ଆତ୍ମ ପର ଭେଦ
ନ ରଖନ୍ତି ଶିଶୁ ପ୍ରତି,
ମାତୃସ୍ନେହଠାରୁ ଶବରୀର ସ୍ନେହ
ବଳିଗଲା କ୍ରମେ ଅତି ।
ସ୍ନେହ ଭୋଜନର ବଶବର୍ତ୍ତୀ ଶିଶୁ
ନ ଧାରେ ଅନ୍ୟର ଧାର,
ଯାହାଠାରୁ ପାଏ ଅଯାଚିତେ ତାହା
ହୁଏ ସେ ଆପେ ତାହାର ।
ଦଇବେ ଦରିଦ୍ର ଚକ୍ରବର୍ତ୍ତୀ ହେଲେ
ଲଭେ ଯଥା ମହୋଲ୍ଲାସ,
ତଥା ସେ ଜରତୀ ହେଇଥିଲା ମୁଗ୍ଧ
ଦେଖି ଶିଶୁ ମୁଖେ ହାସ ।
ମାତୃସ୍ନେହ ପାଇ ବୃଦ୍ଧାକୁ ବାଳକ
କରେ ମାତୃ ସମ୍ବୋଧନ,
ଲଭିଲା ବେନିଙ୍କ ପ୍ରତି ବେନିଙ୍କର
ମମତା କ୍ରମେ ବର୍ଦ୍ଧନ ।
ପାଳିଲା ଶିଶୁକୁ ସଯତନେ ବୃଦ୍ଧା
ବାର୍ଦ୍ଧବ୍ୟ ସହିତ ଯୁଝି,
ମଧୁର ବଚନେ ତାହାର ସେ ଋଣ
ଦେଉଥାଏ ଶିଶୁ ଶୁଝି ।
ଏହିପରି ଭାବେ ତ୍ରିବର୍ଷ ଅତୀତ
ହୋଇଗଲା ଚାହିଁ ଚାହିଁ,
ହୃତ ବାଳକର ଅନୁସନ୍ଧାନାର୍ଥେ
ନ ଆସିଲେ କେହି କାହୁଁ ।
ସମୟର ଗତି ନିୁରଙ୍କୁଶା, ସେହୁ
ନ କରେ କାହା ପ୍ରତୀକ୍ଷା,
ଚାଲେ ସମଭାବେ ମାନବ ଜୀବନେ
ଘଟାଇ କେତେ ପରୀକ୍ଷା ।
କିଛିଦିନେ ବୃଦ୍ଧା ଦାରୁଣ ପୀଡ଼ାରେ
ଉତ୍ଥାନେ ହେଲା ଅକ୍ଷମ,
ଦରିଦ୍ର ପକ୍ଷରେ ରୋଗ ସିନା ନିଶ୍ଚେ
ଦ୍ୱିତୀୟ ଦୁରନ୍ତ ଯମ ।
ନିଷିଦ୍ଧ ତାହାକୁ ଇହ ଜୀବନରେ
ଦେଖିବାକୁ ସୁଖ ମୁଖ,
ଦରିଦ୍ରର ଭାଗ୍ୟ ଚିର ଅଶ୍ରୁସିକ୍ତ
ଅଶ୍ରୁ ହିଁ ତାହାର ସୁଖ ।
ପକ୍ଷୀ ପ୍ରାୟ ଯାର ସଦ୍ୟ ଆୟ ବ୍ୟୟ
ହେଲେ ସେ ପୀଡ଼ାରେ ଘାରି,
ଅଙ୍ଗଜାତ ରୋଗ ପ୍ରାୟ ନିଜ ପେଟ
ତାହାର ହୁଏ ଭଗାରୀ ।
କି ଅତୃପ୍ତ ତୁମ୍ଭେ ଉଦର ଦେବତା
ବ୍ରହ୍ମାଣ୍ଡଗ୍ରାସୀ ମୂରତି,
ତୁମ୍ଭ କୋଷ୍ଠୀରେ କି ଲେଖି ନାହି ବିହି
ବିରକ୍ତି କିମ୍ବା ବିରତି ।
ଅଗ୍ନିହୋତ୍ରୀ ତୁମ୍ଭେ ଅଜନ୍ନ ମରଣ
ନ ନିଭେ ତୁମ୍ଭର ଅଗ୍ନି,
ତୁମ୍ଭେ ଯାଗକୁଣ୍ଡ ଜିହ୍ୱା ଶ୍ରୁବ ଶ୍ରୁଚ
ତବ ପ୍ରିୟତମା ଭଗ୍ନୀ ।
ଦଣ୍ଡେ ମାତ୍ର ହେଲେ ପୂଜାରେ ବିଳମ୍ବ
ଅସହ୍ୟ ହୁଏ ତୁମ୍ଭର,
ଆକୃତିରେ ତୁମ୍ଭେ କ୍ଷୁଦ୍ର ହେଲେ ସୁଦ୍ଧା
ଅନନ୍ତ ଗିରି ଗହ୍ୱର ।
ବୃଦ୍ଧାର ପୀଡ଼ାରେ ବାଳକ ଉପରେ
ପଡିଲା ସଂସାର ଭାର
ତହିଁ ସେ ପ୍ରତ୍ୟହ ଗ୍ରାମାନ୍ତରେ ଯାଏ
କାନ୍ଧେ ବହି କୋଳି ଭାର ।
ଦ୍ୱାରେ ଦ୍ୱାରେ ବୁଲି ପଣ୍ୟ ବିକ୍ରୟାନ୍ତେ
ଆନ ବିକାଳିଙ୍କ ସହ,
ଫେରି ଆସେ ପଦେ ବୃଦ୍ଧା ପାଇଁ କରି
ଔଷଧ ପଥ୍ୟ ସଂଗ୍ରହ ।
ଜଗତୀ ଊପରେ ବାତାୟନ ପାଶେ
ବସିଛି ଧନିକ ବଧୂ,
ବଦନ- ବିଧୂରୁ ଝରି ପଡ଼ୁଅଛି
ତରଳ ଚନ୍ଦ୍ରିକା ମଧୁ ।
ବେଶଭୂଷା ଅତି ସଂକ୍ଷିପ୍ତ ତାହାର
ଅଧିକେ ନାହି ପିପାସା,
ସଂକ୍ଷିପ୍ତ ଯେସନ ଉନ୍ନତ ଆଦର୍ଶ
ବିଜ୍ଞ ମାନବର ଭାଷା ।
ବକ୍ଷର ଭାସ୍ୱତୀ- ମାତା ଜ୍ୟୋତି ସଙ୍ଗେ
ମିଶିଛି ଆନନ ପ୍ରଭା,
ବରଷି ଯାଉଛି ପୃଷ୍ପହାସ୍ୟ ପରେ
ଜ୍ୟୋତ୍ସ୍ନା ହାସ୍ୟ ଧାରା ଅବା ।
ଚାହିଁଦେଲା ବାଳା ଗବାକ୍ଷ ପଥରେ
ଦୃଷ୍ଟିରେ ପୀୟୁଷ ବୋଲି,
ଦେଖିଲା ସେ ପୂର୍ବ ବର୍ଣ୍ଣିତ ବାଳକ
ବିକୁଅଛି ତଳେ ବୋଲି ।
କେଜାଣି କେବଣ ଅଜ୍ଞାତ ଆନନ୍ଦ
ଉଛୁଳି ଉଠିଲା ମନେ,
ଡ଼କାଇ ଆଣିଲା ଦୀନ ବାଳକେ ସେ
ସେବକୀ ପେଷି ତକ୍ଷଣେ ।
ପୃଷ୍ଠେ ଶିରେ ହସ୍ତ ବୁଲାଇ ଆଦରେ
ବସାଇ ତାହାକୁ ପାଶେ,
ଆତ୍ମ-ପରିଚୟ ପଚାରିଲା ପରେ
ସ୍ନେହସିକ୍ତ ମଧୁଭାଷେ ।
କହିଲା ବାଳକ କିରାତ ଜାତି ମୁଁ
ଅରଣ୍ୟ ମଧ୍ୟେ ମୋ ଘର,
ବୃଦ୍ଧା ମାତା ଭିନ୍ନ କେହି ନାହିଁ ମୋର
ସଂସାରେ ସଖା ସୋଦର ।
କିଛିଦିନ ହେଲା ଜନନୀ ମୋହର
ପଡିଛି ଘରେ ବାଧିକି ।
ସେହିହେତୁ ମୁହିଁ ଆସୁଛି ଏଣିକି
ଏ ଗ୍ରାମକୁ କୋଳି ବିକି ।
ମାତ୍ର ଏ ଉତ୍ତରେ ଜିଜ୍ଞାସୁ ମାନସ
ନ ଭଜିଲା ପରିତୁଷ୍ଟି,
ଅବିଶ୍ୱାସ ମଣି ଭାବିଲା ନିବେଶି
ବାଳକ ବଦନେ ଦୃଷ୍ଟି ।
ଏଭଳି ଫୁଲ କି କାନ୍ତାରେ ଫୁଟିବ
ଉଦ୍ୟାନ ବାଟିକା ବିନା,
ସମ୍ଭବେ ଆହା ଏ କମନୀୟ ରୁପ
ଉଚ୍ଚକୁଳେ ଏକା ସିନା ।
ମତ୍ତଙ୍ଗଜ ଭିନ୍ନ ଗଜମୁକ୍ତା କେବେ
ଜନ୍ମେ କି ଶୁକର ଶିରେ,
ପ୍ରବାଳ ମାଣିକ୍ୟ ସାଗରେ ସୁଲଭ
ମିଳେ ନାହିଁ ସରସୀରେ ।
ଅଙ୍ଗାର ଆକରୁ ପଦ୍ମରାଗ ମଣି
ସଂଜାତ ବ୍ୟର୍ଥ ପ୍ରତ୍ୟାଶା,
ଅସଭ୍ୟ ତୁଣ୍ଡରେ ଉଚ୍ଚାରିତ କାହି
ହେବ ବା ସଂସ୍କୃତ ଭାଷା ।
ଏହା ଭାଳି ବାଳା ପୁଣି ପଚାରିଲା
ବାଳକକୁ ପରିଚୟ,
କହିଲା ବାବୁ ରେ ସତ କଥା କହ
ନ କରି ସଂଶୟ ଭୟ ।
ଅପରିଚିତାର ଦୃଢ଼ ଅନୁରୋଧେ
ବିରତ ହୋଇ କୈତବୁ,
ବଣିକ କୁମର ଆତ୍ମ ପରିଚୟ
କହିଲା ବିବରି ସବୁ ।
ତହୁଁ ଧନିବଧୂ ପଲ୍ୟଙ୍କରୁ ଉଠି
ହୋଇ ଉଦ୍ଦୀପନା ଭୋଳ,
ମୋ ଭାଇ, ମୋ ଭାଇ ବୋଲି ମହାନନ୍ଦେ
ବାଳକକୁ କଲା କୋଳ ।
ବୋଇଲା ସୁକ୍ଷଣେ ଆସିଥିଲା ଆଜି
ସୌଭାଗ୍ୟ- ଶୁଭ ପ୍ରଭାତ,
କାହା ମୁହଁ ମୁହିଁ ଚାହିଁଥିଲି ଭାଇ
ଲଭିଲି ତୋହ ସାକ୍ଷାତ ।
ସମୁଦ୍ର-ନିମଗ୍ନ ପଣ୍ୟ-ପୋତ ସ୍ୱତଃ
ଉଠିଅଛି ଭାସି ଆଜି,
ହତାଶ ହୃଦୟେ ଉଠୁଅଛି ଆହା
ମଧୁର ମୁରଲୀ ବାଜି ।
ବାସ୍ତବ କି ଏହା କିମ୍ବା ମୁଁ ଦେଖୁଛି
ମୋହନ ସ୍ୱପ୍ନ ଅତୁଳ,
ସ୍ୱପନ ରାଜ୍ୟରେ ଫୁଟେ କି ଏଭଳି
ରମ୍ୟ ମନଭୁଲା ଫୁଲ ।
ନାହିଁ ନାହିଁ ସ୍ୱପ୍ନ- ନୁହେଁ ଏହା ସତ୍ୟ
ସେହି ରକ୍ଷୁ ସେହି ନାସା,
ସେହି ମୁଖ-କାନ୍ତି ସେହି କଳେବର
ସେହି ଦେବଶିଶୁ ଭାଷା ।
ଯାହା ଦୁଃଖ-ସ୍ମୃତି ଉପାସ୍ୟ ଦେବତା
ହୋଇଥିଲା ମୋର ଆହା,
ସେହି ମୂର୍ତ୍ତି ଏ ତ ଯାହା ଲାଗି ପ୍ରାଣ
କରୁଥିଲା ସଦା ହା-ହା ।
ଏତେ ଦିନେ ଶେଷ ଜୀବନ-କାବ୍ୟର
ବିଷାଦ ସର୍ଗ ବର୍ଣ୍ଣନା,
ଆଜିଠାରୁ ହେବ ମଧୁର ଛନ୍ଦରେ
ନବ ସର୍ଗ ଆଲୋଚନା ।
ପୁଚ୍ଛିଲା ବାଳକେ ଚିହ୍ନିଲୁ କି ମୋତେ
ଅବଳା ଆଳକ- ଚମ୍ପା,
ତହୁଁ ସେ ବାଳକ ବ୍ୟଥାବୋଳା ସ୍ୱରେ
କହିଲା, କମଳା ଅପା ।
ସୁପ୍ତ ଗତସ୍ମୃତି ଖରେ ଉଠି ଦେଲା
ଫିଟାଇ ରୁଦ୍ଧାଶ୍ରୁଝର,
ପରସ୍ପର ମୁଖ ଚାହିଁ ଦଣ୍ଡେଯାଏ
ହେଲେ ଦୁହେଁ ନିରୁତ୍ତର ।
ଅନନ୍ତର ସ୍ୱସା କହିଲା ଅନୁଜେ
କ୍ରନ୍ଦନ ଗଦ୍ଗଦ କଣ୍ଠେ,
ନିଦ୍ରିତାବସ୍ଥାରେ ଘେନିଗଲେ ତୋତେ
ମାନବ ଦାନବ ଖଣ୍ଟେ ।
ହରାଇଣ ତୋତେ ପିତାମାତା ବେନି
ଯେ ଦୁଃଖେ ହେଲେ ସନ୍ତାପି,
ସେ ଦୁଃଖ ବର୍ଣ୍ଣନେ ସାରସ୍ୱତ ଜିହ୍ୱ ।
ସମର୍ଥ ନୁହେଁ କଦାପି ।
ଦେହ-ଦସ୍ୟୁ-ପୀଡ଼ା ହରିଲେ ଗୋପନେ
କଳେବରୁ ସ୍ୱାସ୍ଥ୍ୟ- ଧନ,
ଛଟପଟ ହୋଇ କରୁଣେ ଆତୁରେ
ବିଳାପେ ଆତ୍ମା ଯେସନ ।
ଅଥବା ଯେସନ କୁଲାୟୁ ଶାବକେ
ଘେନିଗଲେ ତ୍ରୁର ବ୍ୟାଧ,
ଝୁରନ୍ତି ବିକଳେ ବିହଙ୍ଗ ବିହଙ୍ଗୀ
ନିରାଶେ ଗଣି ପ୍ରମାଦ ।
ଛନ ଛନ ମନ କାହିଁ ନ ଲାଗଇ
ବିଳାସି ଅସ୍ପଷ୍ଟ ସ୍ୱରେ,
ବାରମ୍ବାର ଉଚ୍ଚ ବାରମ୍ବାର ଫେରି
ଆସନ୍ତି ନୀଡ଼େ ସତ୍ୱରେ ।
ତେସନ ଆମ୍ବର କନକ ଜନନୀ
ଭଞ୍ଜଣ ଶୋକ ନିର୍ଘାତ,
କ୍ଷରେ କ୍ଷଣେ ଘରେ କ୍ଷଣକେ ବାହାରେ
କରୁଥାନ୍ତି ଯାତାୟାତ ।
ଝୁରି ଝୁରି ହେଲେ ମୃତକଳ୍ପ ବେନି
ବିସର୍ଜି ନିଦ୍ରା ଭୋଜନ,
ଦେଶେ ଦେଶେ ଲୋକ ପେଷି ଖୋଜାଇଲେ
ବ୍ୟୟ କରି ବହୁ ଧନ ।
ମାତ୍ର କେହି କାହିଁ ନ ପାଇଲେ ତୋତେ
ବୁଲି ବୁଲି ହେଲେ ଶ୍ରାନ୍ତ,
ଏହିପରି ଦୁଃଖେ ଦୁଃଖେ ହୋଇଗଲା
ତିନି ବର୍ଷ ଅତିକ୍ରାନ୍ତ ।
ବର୍ଷ ବୃଦ୍ଧି ସହ ଶୋକ- ସିଦ୍ଧୃ ତାଙ୍କ
ବଢ଼ିଲା ହୋଇ ଉତ୍କୃଳ,
ବୁଡ଼ିମଲା ତହିଁ ବୈରାଗ୍ୟ ବଇରୀ-
ବାସନା ହୋଇ ଆକୁଳ ।
ବିବର୍ଦ୍ଧିତ ଶୋକ କରି ଅବଶେଷେ
ନିଜ ସୀମା ଅତିକ୍ରମ,
ବଳେ ବଳେ ଆଣି ଦେଲା ତାଙ୍କ ମନେ
ବୈରାଗ୍ୟ ପୁଣି ସଂଯମ ।
ତହୁଁ ମୋତେ ଅର୍ପି ସୁପାତ୍ର ହସ୍ତରେ
ପ୍ରଦାନି ସର୍ବ ବିଷୟ,
ମର୍ତ୍ତ୍ୟ- ମୃକ୍ତି ତୀର୍ଥ ଶ୍ରୀକ୍ଷେତ୍ରେ ବେନିଏ
ଗ୍ରହିଛନ୍ତି ଶେଷାଶ୍ରୟ ।
ଜଣାଇବି ତାଙ୍କୁ ତୋ ସମ୍ବାଦ ଆଜି
ସତ୍ୱରେ ପେଷି ପ୍ରଣିଧି,
ଲଭିବେ ଆସି ସେ ତାଙ୍କ ଅପହୃତ
କୋଟି କୁବେରର ନିଧି ।
ବନ୍ୟ-ନାରୀ କଥା ନ ଭାଳ ତୁ କିଛି
ଭାଗ୍ୟ ତାର ପରିସ୍ଫୁଟ,
ମଣ୍ଡିବ ସେ ଶିରେ ଅମୃତ ରାଜ୍ୟର
ପୁଣ୍ୟର ହୈମ-ମୁକୁଟ ।
ସେ ମୁକୁଟେ ହେକ ଜ୍ୟୋତିଃଧାମୁ ବୁଷ୍ଟି
ଅମୃତର ଆଶୀର୍ବାଦ,
ଆଜିଠାରୁ ମୁହିଁ ଇଷ୍ଟଦେବୀ ଜ୍ଞାନେ
ପୂଜିବି ତା ପୂତ ପାଦ ।
ଏହା ଭାଷି ଧନୀ- ବଧୂ ଅନୂଜକୁ
ଘେନିଗଲା କକ୍ଷାନ୍ତରେ,
ପରମ ଆନନ୍ଦେ ବଣିକ ନନ୍ଦନ
ରହିଲା ଭଉଣୀ ଘରେ ।
ଏଣେ ନୀଳାଚଳେ ସୁସମ୍ବାଦ ପାଇ
ସସ୍ତ୍ରୀକ ବଣିକବର,
ଉତ୍କଣ୍ଠା ଆନନ୍ଦ ଆତିଶଯ୍ୟେ ହେଲେ
କଣ୍ଟକିତ କଳେବର ।
ଭାବିଲେ ପ୍ରାକ୍ତନ ରହସ୍ୟ ଭେଦନେ
ଶକ୍ୟ ସିନା ଏକା ସେହି,
ପ୍ରାକ୍ତନ-ମନ୍ଦିର ଚିର ଅବରୁଦ୍ଧ
ଫେଡି ନ ପାରନ୍ତି କେହି ।
ବେଳୁ ବେଳୁ ବୃଦ୍ଧି ଲଭିଲା ଉତ୍କଣ୍ଠା
ନ ପାରି ଆଉ ଅପେକ୍ଷି,
ମନ-ଯାନେ ଆସି ବାରମ୍ବାର ଗଲେ
କଳ୍ପ-ନେତ୍ରେ ପୁତ୍ରେ ଦେଖି ।
କେତେ ଦିନ ଅନ୍ତେ ମିଳିଲେ ଆସିଣ
ଜାମାତୃ ଆଳୟେ ବେନି,
ଅସମ୍ଭାଳ ଅଶ୍ରୁ ଆତୁର ନିଃଶ୍ୱାସ-
ସମ୍ବଳ ସଙ୍ଗରେ ଘେନି ।
ଆଲିଙ୍ଗି ଆତ୍ମଜେ ଅଭିଷିକ୍ତ କଲେ
ଲୋତକ ଢ଼ାଳି ନୟନୁଁ
ନିର୍ବାକ ସ୍ନେହର ସୁସ୍ମିରାଧ ପରଶେ
ରୋମାଞ୍ଚିତ ପୁତ୍ର ତନୁ ।
ସୁଷୁପ୍ତ ବିରାଟ ସ୍ନେହ- ଭୃଷା ତାଙ୍କ
ଉଠିଲା ପ୍ରଖରେ ଜାଗି,
କରିପାରେ ସ୍ନେହ ତ୍ୟାଗୀକୁ ଆସକ୍ତ
ଆସକ୍ତକୁ ବଇରାଗୀ ।
ପ୍ରାଣ-ମଣି ଲାଲେ ଦମ୍ପତି ପିଣ୍ଡରେ
ପଶିଲା ନବ ଜୀବନ,
ବିଷାଦ-ମଳିନ ମୁଖଶ୍ରୀ ତାଙ୍କର
ଦିଶିଲା ହର୍ଷ-ପ୍ରସନ୍ନ ।
ପ୍ରସନ୍ନ ଯେସନ ମେଘମୃକ୍ତ ଦେଖି
ପ୍ରଦୀପ୍ତ ଅଗସ୍ତ୍ୟ ତାରା,
ଶାରଦ ଗଗନ ସଙ୍ଗେ ଦକ୍ଷିଣାଶା
ମୌକ୍ତିକ ନୀହାର-ହାରା ।
ଜନନୀ ପୟରେ ନମିଲା କମଳା
ସର ପଦେ ପଦ୍ମ ଯଥା,
ପରେ ପିତୃପଦ ଅଶ୍ରୁନୀରେ ଧୋଇ
ଲଗାଇଲା ତହିଁ ମଥା ।
ତନୁଜା ମସ୍ତକେ ହସ୍ତ ନିହି ଦୁହେଁ
ଆଶୀର୍ବାଦି ପୁଣ ସ୍ମଣ,
ବୋଇଲେ ମାଆ ଲୋ ଭୁଲି ନ ପାରିବୁଁ
କୋଟି ଜନ୍ମେ ତୋର ଗୁଣ ।
ଏ ସମୟେ ଆସି ଜରତୀ ଶବରୀ
ଉପସ୍ଥିତ ତହିଁ ଖରେ,
ପୂର୍ବୁଁ ଆଣି ତାକୁ କମଳା ଆଶ୍ରୟ
ଦେଇଥିଲା ନିଜ ଘରେ ।
ନିରେଖି ତାହାକୁ ଦମ୍ପତି ହୃଦୟେ
ଉଠିଲା ଭକ୍ତି ଉଛୁଳି,
ବାରମ୍ବାର ଦୁହେଁ ବୋଳିହେଲେ ଶିରେ
ତାହାର ଚରଣ ଧୂଳି ।
ବୋଇଲେ ମାଆ ଗୋ ପ୍ରତେ ହେଉ ନାହିଁ
ସତେ ତୁ ଶବରସୁତା,
ସ୍ୱୟଂ ଦୟାଦେବୀ କିରାକିନୀ ତୁହି
ହୋଇଅଛୁ ଆବିର୍ଭୁତା ।
ଦେବୀଙ୍କ ଆରଧ୍ୟା ମହାଦେବୀ ତୁହି
ଅମୃତର ପ୍ରିୟ କନ୍ୟା,
ମଙ୍ଗଳର ମାତା ପୁଣ୍ୟ ମହିମିତା
ତପସ୍ୱିନୀ ଅଗ୍ରଗଣ୍ୟା ।
ଶୁଝି ନୁହେଁ ୠଣ ପୂଜିଲେ ଆଜନ୍ମ
ସଂସ୍ଥାପି ତୋ ନାମେ ଘଟ,
ଅଥବା ତୋହର ଚିତା ଭସ୍ମ ପରେ
ତୋଳିଲେ ସୁବର୍ଣ୍ଣ ମଠ ।
ଏହା ଭାଷି ତାକୁ ତୋଷିଲେ ଦମ୍ପତି
ସାଦରେ ପ୍ରେମାଲିଙ୍ଗନେ,
ଧନିକ ଭବନ ପରିଣତ ହେଲା
ପ୍ରେମାନନ୍ଦ- ବୃନ୍ଦାବନେ ।
ଏମନ୍ତେ ଦିନେ ସେ ବଣିକ ବସାଇ
ତନୟା ତନୟେ ପାଶେ,
ପ୍ରକାଶଲା ସ୍ୱୀୟ ମନୋଗତ ଭାବ
ସଧୀରେ ମଧୁର ଭାଷେ ।
କୋଳାହୁଳ ପୂର୍ଣ୍ଣ ସଂସାର ଆମ୍ଭର
ମନ ଆଉ ଲାଗୁ ନାହିଁ,
ସଦା ଏ ଭାବନା ତପ୍ତ ଆକାଙ୍କ୍ଷାରୁ
ରହିବୁ କିପରି ତ୍ରାହି ।
ବାସନା-ନାଗୁଣୀ ସମ୍ମୋହନ ମଣି
ବଡ଼ ଲୋଭନୀୟ ଭବେ,
ତାହାରି ମୋହରେ ପଡ଼ି ପରକାଳ
ହରାନ୍ତି ବୃଥା ମାନବେ ।
ଇଚ୍ଛା-ନଦୀ ଆମ୍ଭ ଭବ-ଶୈଳ ତେଜି
ଧାଏଁ ମୁକ୍ତି-ସିନ୍ଧୁ ମୁଖେ,
ପ୍ରେୟ ଭୁମି ତେଜି ଶ୍ରେୟ ଭୁମି ପରେ
ବିହରିବୁ ଏବେ ସୁଖେ ।
ବିଶ୍ୱ ଉହାଡ଼ରେ ଅଛି ଜ୍ୟୋତି- ରାଜ୍ୟ
ଚିର ମହୋତ୍ସବମୟ,
ସେ ରାଜ୍ୟର ପୁଣ୍ୟ ନିମନ୍ତ୍ରଣ ଶୁଣି
ହେଉଛି ଚିତ୍ତ ଅଥୟ ।
ପଣ୍ଡଶ୍ରମେ ଆଉ ଭଣ୍ଡ ଭାଗବତ
ପଢ଼ିବାକୁ ନାହିଁ ଇଚ୍ଛା,
ପ୍ରାଣେ ମନେ ହୃଦେ ଦଂଶୁଅଛି ସଦା
ଦୁଷ୍ଟ ଅନୁତାପ-ବିଛା ।
ତେଜିଛୁଁ ସଂସାର ଫେରିବାକୁ ପୁଣି
ଲାଗୁଅଛି ହୃଦେ ବ୍ୟଥା,
ତ୍ୟକ୍ତ ନିଷ୍ଠୀବନ ପୁନଶ୍ଚ ଡ଼ୋକିବା
ଅତ୍ୟନ୍ତ ବୀଭତ୍ସ କଥା ।
ପ୍ରେରିଥିଲେ ସେହୁ ସଂସାରେ ଆମ୍ଭଙ୍କୁ
ଫେରିଯିବୁଁ ତାଙ୍କ କତି,
ସେହି ଏକା ଆମ୍ଭ ପ୍ରାଣର ଠାକୁର
ସେ ଏକା ଅନ୍ତିମ ଗତି ।
କନ୍ୟାକୁ ସମ୍ବୋଧି କହିଲା, ମାଆ ଲୋ
ଲାଗିଲା ତୋତେ ତୋ ଭ୍ରାତା,
ଆମ୍ଭ ଅଭାବରେ ତୁହି ତାର ସାହା
ତୁହି ତାର ପିତାମାତା ।
ଭାଷିଲା କମଳା, ତବ ଆଜ୍ଞା ପିତଃ
ମୋତ ପକ୍ଷେ ଆଶୀର୍ବାଦ,
ପ୍ରାଣପଣେ ତାହା ପାଳିବି କହୁଛି
ଛୁଇଁ ତୁମ୍ଭ ପୁଣ୍ୟପାଦ ।
ପାପ ଧରା ତେଜି ପରମାର୍ଥ ଧାମେ
ଧାବିତ ତୁମ୍ଭର ମତି,
କାହାର ଶକତି ବିପରୀତ ଦିଗେ
ଫେରାଇବ ବାୟୁ ଗତି ।
ଜଳାଶୟଗାମୀ ତୃଷାର୍ତ୍ତ ହର୍ଯ୍ୟକ୍ଷ
ଗତି ନିରୋଧିବ କିଏ,
ପ୍ରମତ୍ତ ମାତଙ୍ଗେ ବାନ୍ଧିକେ ପାରିବ
ଊର୍ଣ୍ଣନାଭ ସୁତାଖିଏ ।
ଯାଅ ଦେବ ସୁଖେ, ଦୁଃଖିନୀ କନ୍ୟାକୁ
ରଖିଥିବ ସଦା ମନେ,
ଜନ୍ମେ ଜନ୍ମେ ମୁହିଁ ତବ ପଦେ ଋଣୀ
ବିକ୍ରୀତା ତବ ଚରଣେ ।
ନିବେଦିବି ତୁମ୍ଭ ବେନିଙ୍କ ଗୟରେ
ଆବର ଗୋଟିଏ କଥା,
କ୍ଷମାପାତ୍ରୀ ଜ୍ଞାନେ ନିଜ ଗୁଣେ ଉଲେ
କ୍ଷମିବ ମୋ ଅବାଧ୍ୟତା ।
ସର୍ବସ୍ୱ ସମର୍ପି ତୁମ୍ଭେମାନେ ମୋତେ
ହୋଇଥିଲ ତୀର୍ଥଚାରୀ,
ଧର୍ମତଃ ନ୍ୟାୟତଃ ସେ ବିତ୍ତର ସିନା
ଭାଇ ମୋର ଅଧିକାରୀ ।
ତାହାର ସମ୍ପତ୍ତି ଏହିକ୍ଷଣି ତାକୁ
କରୁଛି ପ୍ରତିପ୍ରଦାନ,
ତାହା ବିନା କୋଟି ସମ୍ପଦ ମୋ ନେତ୍ରେ
ଦିଶେ ନାହିଁ ମୂଲ୍ୟବାନ ।
ସେହି ତ ମୋହନ ପ୍ରାଣ ସ୍ପର୍ଶମଣି
ଭବେ ଅଦ୍ୱିତୀୟ ଏକ,
ଏହା ଭାଷି ଆଣି ଦେଲା ଭ୍ରାତୃକରେ
ପ୍ରଦାନ- ପ୍ରମାଣ- ଲେଖ । *
* ଦଇଲ
ଏ ଅଦ୍ଭୁତ ଦୃଶ୍ୟ ନିରେଖି ଦମ୍ପତି
ରହିଲେ ହୋଇ ତାଟଙ୍କା,
ଭାବିଲେ ଆହା କି ଦେବଦୃଶ୍ୟ ଆଜି
ହେଲା ନେତ୍ରଗଟେ ଅଙ୍କା ।
ବୋଇଲେ ମାଆ ତୁ ନୋହୁତ ମାନବୀ
ସାକ୍ଷାତ ଦେବୀ-ପ୍ରତିମା,
ନାରୀପ୍ରାଣେ ତୋର ଅବତୀର୍ଣ୍ଣ ସିନା
ଦୁର୍ଲ୍ଲଭ ଦେବୀ ମହିମା ।
ଅକିଞ୍ଚନ ଆମ୍ଭେ ଧନ୍ୟ ବୋଲାଇବୁ
ତୋହ ମାତାପିତା ହେତୁ,
ସତେ ତୁ ମାଆ ଲୋ ଗୁଣେ ବାନ୍ଧିଲୁଣି
ଭବ-ପାରାବାରେ ସେତୁ ।
କରୁଛୁ କଲ୍ୟାଣ ହୁଅ ଆୟୁଷ୍ମତୀ-
ନିଖିଳ ସୌଭାଗ୍ୟବତୀ
ନିର୍ବିଘ୍ନ ହେଉ ତୋ ଜୀବନ- ସରଣୀ
ଧର୍ମପଦେ ରହୁ ମତି ।
ମାତୃପ୍ରାୟ ସେବି ଶବରୀକି ନିତି
ରତ ଥିବୁ ତାର ସୁଖେ,
ଏହା କହି ଦୁହେ ଘେନିଣ ବିଦାୟ
ଗମିଲେ ନୀଳାଦ୍ରି ମୁଖେ ।
ପଞ୍ଚମ ଚିତ୍ର
ପବିତ୍ର ଉତ୍କଳେ ନୀଳାଚଳ ଧାମ
ନିତ୍ୟ ମହୋତ୍ସବମୟ,
କୈବଲ୍ୟର ସ୍ୱର୍ଗ ଶାନ୍ତିର ବୈକୁଣ୍ଠ
ଭକ୍ତର ଚରମାଶ୍ରୟ ।
ସ୍ୱୟଂ ବିଶ୍ୱବନ୍ଧୁ ବିଶ୍ୱପ୍ରାଣାରାମ
ନିଖିଳ ବିଶ୍ୱର ଭୁପ
ବିଜେ ତହିଁ, ଦିଗ ଜ୍ୟୋତିରେ ଉଭାସି
ଧରି ଦାରୁବ୍ରହ୍ମ ରୁପ ।
ନିଜ ଗୌରବରେ ନିଜେ ନମ୍ର ହୋଇ
ମହାସିନ୍ଧୁ ଇନ୍ଦୁପିତା,
ଉନ୍ମତ୍ତ ପ୍ରେମରେ ଢଳ ଢଳ ହୋଇ
ପଢ଼େ ଯାଙ୍କ ସ୍ତୁତିଗୀତା ।
ରାଜେ ତହିଁ ବଡ଼- ଦେଉଳ, ନିଖିଳ-
ଧର୍ମର ମହାମନ୍ଦିର,
ନିତ୍ୟ ତାହା ଦେବେ ପ୍ରଦକ୍ଷିଣ କରି
ଲଗାନ୍ତି ତା ଅଙ୍ଗେ ଶିର ।
ଦେବ ମହିମାରେ ମହମିକ କ୍ଷେତ୍ର
ନାହିଁ ତୀର୍ଥ ତାହା ତୁଲେ,
ମର୍ତ୍ତ୍ୟ କେଉଁ ଛାର ବିଶ୍ୱଶୀର୍ଷ ସ୍ୱର୍ଗ
ଜୁହାରେ ତା ପଦମୂଳେ ।
ଉତ୍ସବ-ମୁଖର ସେ ଜ୍ୟୋତିଃ ନଗରେ
ଲାଗିଛି ଗୁଣ୍ଡିଚା ଯାତ୍ରା
ନାଗରିକ ହୃଦେ ଆମୋଦ ଆହ୍ଳାଦ
ଭଜିଅଛି ପୂର୍ଣ୍ଣମାତ୍ରା ।
ଲାଗିଛି ଆକାଶେ ନବଘନୋତ୍ସବ
ସ୍ୱଭାବେ ଆଷାଢ଼ ମାସ,
ବର୍ଷାଧାରା ସହ ବରଷି ଯାଉଛି
ଉଲ୍ଲାସ ପରେ ଉଲ୍ଲାସ ।
ବଡ଼ଦାଣ୍ଡ ଆଜି ଜନ ପାରାବାରେ
ହୋଇଅଛି ପରିଣତ,
ଯେଣେ ଦେଖ ତେଣେ ନରଶିର-ଉର୍ମି
ଖେଳୁଅଛି ଇତସ୍ତତଃ ।
ଭେଦି ସେ ଜନତା ଧୀରେ ଗୌଣେ ଖରେ
ଚାଲିଅଛି ରଥ ତିନି,
ନବରତ୍ନଖଚୀ ସଚଳ ଦେଉଳ
ସୁଷମା ଯାଏ ସେ ଜିଣି ।
ରଥ ପରେ ବିଜେ ବିଶ୍ୱ ଆଦି- କବି
ଧରି କମନୀୟ ବେଶ,
ରୁପକ ଛଳରେ ରଚୁଛନ୍ତି ମୌନେ
ଆଧ୍ୟାତ୍ମିକ ଉପଦେଶ ।
ହେରି ତାଙ୍କୁ ପାପୀ ବିନା ସାଧନାରେ
ପୁନର୍ଜନ୍ମୁ ହେବ ପାର,
ମହିମା-ସାହିତ୍ୟେ ଅଦ୍ଭୁତ ରସ ଏ
ବିଭାବନା ଅଳଙ୍କାର ।
ରଥଚୂଳେ ଶୋହେ ସ୍ୱର୍ଣ୍ଣକୁମ୍ଭ କି ସେ
କିରଣ ଚୁର୍ଣ୍ଣରେ ମଜା,
ସିନ୍ଧୁ-ବୀଚି-ଚୁମ୍ବୀ- ବାଚ୍ଚେ ଉଡ଼ୁଅଛି
ପତିତ ପାବନ ଧ୍ୱଜା ।
ଆଗେ ବଳଭଦ୍ର ପଛେ ଜଗନ୍ନାଥ
ସୁଭଦ୍ରା- ରଥ ମଧ୍ୟରେ,
ସ୍ୱର୍ଣ୍ଣବେତ୍ର ହସ୍ତ ଖୁଣ୍ଟିଆ ଡାକୁଛି
ମଣିମା ମଣିମା ସ୍ୱରେ ।
ସେ ସ୍ୱରେ ମିଶୁଛି ଉକ୍ତକଣ୍ଠୋଳ୍ପିତ
ଜୟ ଜଗନ୍ନାଥ ଧ୍ୱନି,
ସେ ମହା ଶବଦେ ମୂହୁର୍ମୁହୁଃ କମ୍ପି
ଉଠୁଛି ନଭ ଅବନୀ ।
ଉଠେ ପୁଣି ବହୁ ବାଦ୍ୟର ଚହଳ
ନ ଭଜି ତିଳେ ବିରତି,
ପ୍ରାଣର ସମ୍ବାଦ ପାଇ ତହିଁ ଭକ୍ତ
ମଣେ ମୁକ୍ତିରାଜ୍ୟାବର୍ତ୍ତୀ ।
ମହିମାମୟଙ୍କ ମହିମାର ଲୀଳା
ହେରି ସେ ହୁଏ ଉଦାସୀ,
ଉତ୍ସବ-ଯଜ୍ଞରେ ମୁଁ ତ୍ୱେ ବଳି ଦେଇ
ପ୍ରେମାଶ୍ରୁରେ ଯାଏ ଭାସି ।
ପରମାର୍ଥ ପ୍ରେମ ତରଙ୍ଗିଣୀ ତହିଁ
ବହୁଛି ହୋଇ ଉତ୍ସୁକ,
ଶରଧା ବାଲିରେ ବୋଳା ପ୍ରେମ-ସୁଧା
ଅନିଳ ପ୍ରେମସଙ୍କୁଳ ।
ନିବିଡ଼ ବେଷ୍ଟନେ ଚତ୍ରପାଦେ ବେଢ଼ି
ଚାଲିଛି ମହାଜନତା,
ବେଢ଼ିଥାଏ ସଦା ମାନସେ କାମନା
ଦାନକୁ ଯାଚଞ୍ଜା ଯଥା ।
ଭକ୍ତିର ପୀୟୁଷ ପ୍ରେମର ପୀୟୁଷ
ଭାବର ପୀୟୁଷ ବହି,
ତ୍ରିପୀୟୁଷ ମିଶି ପୀୟୁଷର ପୁଣ୍ୟ-
ପ୍ରୟାଗ ସୁଜିଛି ତହିଁ ।
ଚଉ ପାଶେ କେତେ ଯାତ୍ରା ଅଭିନୟ
ଲାଗିଅଛି ନିରନ୍ତର,
ଚାଲିଛନ୍ତି ମଧ୍ୟେ ମହା ଅଭିନେତା
ଭକ୍ତ-ହୃଦ-ରାଜ୍ୟେଶ୍ୱର ।
ଲୀଳାମୟଙ୍କର ଲୀଳା ମହୋତ୍ସବ
ଦେଖୁଛି ବଡ଼ଦେଉଳ,
ଦେଖୁଛନ୍ତ ହର୍ଷେ ଜଗତୀ ଉପରେ
ବସି ପୁରାଙ୍ଗନାକୁଳ ।
ମେଘ-ବିମାନରେ ବସି ସୁରାଙ୍ଗନା
ଦେଖନ୍ତି ମହାଗଗନୁଁ,
ଦେଖୁଅଛି ଶୂନ୍ୟ ସୁନ୍ଦରୀ * ବମ୍ପାଇ
କାଞ୍ଚନ ଲାଞ୍ଚନ ତନୁ ।
* ବିଜୁଳି
ଛଡ଼ାଇ ଆଣିଛି ତ୍ରିଦିବ ମହିମା
ନୀଳାଚଳ ନିଜବଳେ,
ତେଣୁ ଆଜି ସ୍ୱର୍ଗ କାନ୍ଦେ ଅପମାନେ
ବୃଷ୍ଟି ବାରିଧାରା ଛଳେ ।
ଯଥାସ୍ଥାନେ ପ୍ରଭୁ ରଥୁ ଅବଚରି
ବିଜେ ହୋଇ ଧୀରେ ଧୀରେ,
ମିଳିଲେ ମୁରାରି ଭ୍ରାତା ଭଗ୍ନୀ ସହ
ମାଉସୀ ଦେବୀ ମନ୍ଦିରେ ।
କେଉଁ ରହସ୍ୟ ଏ ହେ ରହସ୍ୟମୟ
ବିଶ୍ୱ-ତପୋବନ ଋଷି,
ହେ ସ୍ୱୟମ୍ଭୂ ଅଜ ତୁମ୍ଭର କି ପୁଣି
ଅଛନ୍ତି ମାଆ ମାଉସୀ ।
ସ୍ଥାବର ଜଙ୍ଗମ ପିତାମାତା ତୁମ୍ଭେ
ନିଖଳ ସୃଷ୍ଟିକରତା,
କେଉଁ ଭାଗ୍ୟବତୀ ମାଉସୀ ତୁମ୍ଭର
ଏ ବଡ଼ ଅଦ୍ଭୁତ କଥା ।
ତୁମ୍ଭେ ତୁମ୍ଭ ପିତା ତୁମ୍ଭେ ତୁମ୍ଭ ମାତା
ତୁମ୍ଭେ ତୁମ୍ଭ ପରିଜନ,
ତୁମ୍ଭେ ତୁମ୍ଭ ସ୍ରଷ୍ଟା ତୁମ୍ଭେ ତୁମ୍ଭ ସୃଷ୍ଟ
ତୁମ୍ଭେ ହିଁ ତୁମ୍ଭ ନନ୍ଦନ ।
ନାହିଁ ଯାର ଜନ୍ମ ତାର ପିତାମାତା
ଅସମ୍ଭବୁ ଅସମ୍ଭବ,
ଅଦେବଗୋଚର ମହିମା ତୁମ୍ଭର
ବୁଝିବ କିବା ମାନବ ।
ନବମ ଦିବସେ ବାହୁଡି ଅଚ୍ୟୁତ
ଭଗିନୀ ଭ୍ରାତା ଗହଣେ,
ବିଜେ ହେଲେ ଆସି ଶ୍ରୀମନ୍ଦିର କୋଳେ
ନବରତ୍ନ ସିଂହାସନେ ।
ସାଙ୍ଗ ହେଲା ଯାତ୍ରା ଗୃହେ ଫେରିବାକୁ
ଉନ୍ନୁଖ ଦେଖଣାଦ୍ୱାରୀ,
ଏମନ୍ତ ସମୟେ ଲାଗିଲା ଶ୍ରୀକ୍ଷେତ୍ରେ
ବିଭୀଷଣ ମହାମାରୀ ।
ଦେଖୁଁ ଦେଖୁଁ ରୋଗ ସଂକ୍ରମିତ ହୋଇ
ବ୍ୟାପିଗଲା ସାହି ସାହି,
ସମଗ୍ର ନଗରେ ରୋଗିହୀନ ଗୃହ
ଗୋଟିଏ ରହିଲା ନାହିଁ ।
ଉତ୍ସବ ଆନନ୍ଦେ ହସୁଥିଲା ପୁରୀ
ମଳିନ ଏବେ ତାମୁଖ,
ଦିବସ ପଛରେ ସନ୍ଧ୍ୟା ପ୍ରାୟ ସୁଖ
ପଛେ ଲୁଚିଥାଏ ଦୁଃଖ ।
ମୃତ ମୂମୁର୍ଷୁରେ ପୁରି ରହିଅଛି
ବାଟ ଘାଟ ତରୁମୂଳ,
ସ୍ୱରଭଙ୍ଗ କଣ୍ଠେ ଜଳ ଜଳ କହି
ହେଉଛି ରୋଗୀ ଆକୁଳ ।
ଶାନ୍ତିଦାତ୍ରୀ ମୂର୍ଚ୍ଛା ଅନୁଗ୍ରହେ କେହି
ଭୁଲିଛି ଉଗ୍ର ପିପାସା,
କହୁଛି ତାହାର କ୍ରୋଟଗତ ନେତ୍ର
ନୀର୍ବାକ କାଚର ଭାଷା ।
ମୃତ୍ୟୁ ଯନ୍ତ୍ରଣାରେ କମ୍ପି କମ୍ପି କେହି
ତେଜୁଛି ଶେଷ ନିଃଶ୍ୱାସ,
କେହି ବା ଲୋତକେ ଭସାଉଛି ବକ୍ଷ
ଜୀବନେ ହୋଇ ହତାଶ ।
କିଏ ବା କାହାକୁ ସାହାଯ୍ୟ କରିବ
ସର୍ବେ ସମଦଶାପନ୍ନ,
ଏକ ସମୟରେ ଏକ ବିପଦରେ
ସମସ୍ତେ ଆହା ବିପନ୍ନ ।
ଦେବପଦପୁତ ସ୍ୱର୍ଗହାର ଏବେ
ହୋଇଅଛି ଶବଗ୍ରାମ,
ଶବାହାରୀଙ୍କର ଲାଗିଅଛି ତହିଁ
ବିପୁଳ ଭୋଜି ସଂଗ୍ରାମ ।
ହାୟ କି ଅସାର ମାନବ ଶରୀର
ଚିର ବିପଦର ଖଣି,
ଜୀବନେ ମରଣେ ଭାଗ୍ୟେ ତାର ସଦା
ଲାଗିଅଛି ଟଣାଟଣି ।
ଜୀବନ୍ତେ ତାହାକୁ ଓଟାରି ଖାଆନ୍ତି
ଷଡ଼ରିପୁ ପଞ୍ଚେନ୍ଦ୍ରିୟ,
ଜୀବନାନ୍ତେ ଶିବା ଶ୍ୱାନ ଟାଣି ଭୁଞ୍ଜେ
ମଣି ଉପାଦେୟ ପ୍ରିୟ ।
ଶବସେବୀଙ୍କର କ୍ରୋଧ ଆନନ୍ଦର
ଲାଗିଛି ମହା ଉତ୍ସବ,
ଶବ ଖାଇ ଖାଇ ଅତିଗ୍ରାସ ହେତୁ
ନିଜେ ହେଉଛନ୍ତି ଶବ ।
କୋଟି ବିଭୀଷିକା ନାଚୁଛି ଭୈରବେ
ଶ୍ମଶାନରେ ଅହରହ,
ତାଳ ଦେଉଅଛି ମହାବ୍ଧ ବଜାଇ
ଭୈରବ କଣ୍ଠ-ପଟହ ।
ସେ ବିଭୀକ୍ଷିକାକୁ କରୁଛି ପୃଥକ
ଭୈରବେ ଗର୍ଜି ଗୋମାୟୁ,
ବହୁଅଛି ତହିଁ ଭୈରବେ ସତକ
ବିଭୀଷିକାମିଶା ବାୟୁ ।
ଜଳେ ଠାବେ ଠାବେ ଚୀତାସ୍ତୂପ ଟେକି
ପ୍ରବଳେ ଶିଖାପଟଳ,
ବିଭୀଷିକାର ସେ ଅନଳ ରସନା
ହେଉଅଛି ହଳାହଳ ।
ଚିର ଧ୍ୱଂସପ୍ରିୟା ଶ୍ମଶାନ କାଳିକା
କରୁଛନ୍ତି ଧ୍ୱଂସ-ଯାଗ,
ଶେଷଦିନେ ଆସି ହେଉଛି ମାନବ
ସେ ଯାଗର ମେଧ୍ୟ ଛାଗ ।
ସେହି ଯଜ୍ଞାନଳେ ଚିରଦିନ ପାଇଁ
ମିଳାଇ ଯାଉଛି ଆହା,
ମିଳାଇ ଯାଇଛି ତାହା ସଙ୍ଗେ ତାର
ଭବ ଯନ୍ତ୍ରଣାର ହା- ହା ।
ବାହ୍ୟ ମନୋହର- ଏ ସଂସାର ସିନା
ଯନ୍ତ୍ରଣାର ଅନ୍ଧକୂପ,
ସୁଖ ବୋଲି ଯାହା ଅଭିହିତ ତାହା
ଯନ୍ତ୍ରଣାର ଉପରୁପ ।
ସୁଖ ଛଳେ ସର୍ବେ ମୁଣ୍ଡାଇ ଅଛନ୍ତି
ଯନ୍ତ୍ରଣାର ମହାଭାର
ସାର ବୋଲି ଯାକୁ ବୋଲନ୍ତି ମାନବେ
ସାରେ ନୁହେଁ ତାହା ଛାର ।
ରାଜମୁକୁଟରେ ମଣିରୁପେ ଯାହା
ଦିଶୁଥାଏ ସମୁଜ୍ଜଳ,
ମଣି ନୁହେଁ ତାହା, ମର୍ମଦାହକାରୀ
ଯନ୍ତ୍ରଣାର ତୀବ୍ରାନକ ।
ମଧୁର, - କୋଚିଳା ସ୍ୱର୍ଣ୍ଣକାନ୍ତ ଶୋଭା
ମାତ୍ର ସ୍ୱାଦୁ ମହାତିକ୍ତ,
ବଜ୍ର-ବହ୍ନିଗର୍ଭ ସୌଦାମିନୀ ଦିଶେ
ଶୋଭାମୃତେ ଅଭିଷିକ୍ତ ।
ହେଉ ମହୋଜ୍ଜ୍ୱଳ କୋହିନୂର ପଛେ
ହେଉ ଯେଡ଼େ ମୂଲ୍ୟବାନ,
ବିଶ୍ଳେଷି ଦେଖିଲେ ପ୍ରସ୍ତର ବ୍ୟତୀତ
ନୁହେଁ ତାହା କିଛି ଆନ ।
ବାସର ଶୈଶବେ ସିନ୍ଧୁସ୍ନାନ ସାରି
ତରୁଣ ଏକ ସନ୍ନ୍ୟାସୀ,
ଅକ୍ଷମାଳା ଜପି ଜପି ସ୍ୱର୍ଗଦ୍ୱାରେ
ଉପସ୍ଥିତ ହେଲେ ଆସି ।
ତପ୍ତ ତାମ୍ରକାନ୍ତ ସୁଢ଼ଳ ଶରୀରେ
ବେଷ୍ଟିତ ଗୈରିକ ମଠା,
ମୁକୁଟ ଭଙ୍ଗୀରେ ବନ୍ଧା ହୋଇଅଛି
ମସ୍ତକେ ପିଙ୍ଗଳ ଜଟା ।
ସୁବିଶାଳ ବକ୍ଷ ମହାଭାବର କି
ପ୍ରଶସ୍ତ ବିଳାସ କ୍ଷେତ୍ର,
ମହିମାର ଜ୍ୟୋତିଃ ପ୍ରକାଶି ଅମୁତ-
ଭାଷା ବଖାଣୁଛି ନେତ୍ର ।
ପ୍ରଶାନ୍ତି ପାବନ ବଦନେ ବିମ୍ବିତ
ସାଫଲ୍ୟର ପୁଣ୍ୟପ୍ରଭା,
ଲଲାଟେ ତ୍ରିବଚ୍ଚୀ ଔଦାର୍ଯ୍ୟ ଗାମ୍ଭୀର୍ଯ୍ୟ
ମାଧୁର୍ଯ୍ୟ ତ୍ରିରେଖା ଅବା ।
ସତ୍ୟ ସଞ୍ଜମର ଉଜ୍ଜ୍ୱଳ ଆଲୋକ
ଦିଶେ ଦେହ ଦୀପ୍ତିମାନ,
ନରଦେହୀ ସେହୁ ମାତ୍ର ତାହାଙ୍କର
ପ୍ରାଣ ନିଶ୍ଚେ ଦେବପ୍ରାଣ ।
ଦେଖିଲେ ତାପସ ପଥ ବେନିପାର୍ଶ୍ୱ
ହୋଇଅଛି ଶବାରଣ୍ୟ,
ଧରିଛି ଶ୍ମଶାନ ସଂହାର ମୂରତି
ବିକଟ ବିଶ୍ରୀ ଜଘନ୍ୟ ।
ଶବମେଳେ ଏକ ଜୀବିତ ଯୁବକ
ପଡ଼ିଅଛି ଅଣାୟତ୍ତେ,
ଲୋତକ ସଜଳ ନୟନ ତାହାର
ମାଗୁଛି ଆଶ୍ରା ଆରତେ ।
ରୋଗ ଯନ୍ତ୍ରଣାରେ ଅର୍ଦ୍ଧ ମୂର୍ଚ୍ଛିତ ସେ
ସ୍ଫୁରୁ ନାହିଁ ତୁଣ୍ଡ ବଥା,
ମୁଖ ଚଉପାଶେ କାନ୍ଦି ବୁଲୁଅଛି
ସକରୁଣ ବ୍ୟାକୁଳତା ।
ପଡ଼ନ୍ତେ ଦଇବେ ଦୃଷ୍ଟି ତାହା ପ୍ରତି
ହେଲେ ଯତି ଆତ୍ମହାରା,
ଅଲକ୍ଷିତେ ହୃଦୁ ପ୍ରବାହିତ ହେଲା
ତରଳ ଦୟାର ଧାରା ।
ଧାଇଁ ଯାଇ ତହୁଁ ତୋଳି ଧରି ତାକୁ
କୋଳ କଲେ ସ୍ନେହଭୋଳେ,
ସୁପ୍ତକୁ ସ୍ୱପନ ଧରେ ଯାଇ ଯେହେ
ବଳେ ବଳେ ତୋଳି କୋଳେ ।
ଲୋଭନୀୟ ଧନ ବିଶ୍ୱସେବାରେ ଯେ
କରିଛି ପ୍ରାଣ ଉତ୍ସର୍ଗ,
ରୋଗିସେବା-ସ୍ୱର୍ଗ ପାଇଲେ କଦାଚ
ନ ଖୋଜେ ସେ ଅନ୍ୟ ସ୍ୱର୍ଗ ।
ଓହ୍ଲାଇ ଆଣନ୍ତି ମର୍ତ୍ତ୍ୟକୁ ତ୍ରିଦିବ
ସ୍ୱଗୁଣେ ମହାପୁରୁଷେ,
ମତ୍ତ୍ୟକୁ ଆବର ଉଠାଇ ପାରନ୍ତି
ଜ୍ୟୋତିରାଜ୍ୟେ ନିରଙ୍କୁଶେ ।
ଗ୍ରୀଷ୍ମ- ଦଗ୍ଧ ଦ୍ରୁମେ ବର୍ଷା ଋତୁ ପ୍ରାୟ
ସ୍ପର୍ଶି ତାକୁ ଊର୍ଦ୍ଧ୍ୱ ରେତା,
ସିଦ୍ଧଯୋଗବଳେ ଶରୀରେ ତାହାର
କଲେକ ସଞ୍ଚାର ଚେତା ।
ଆର୍ଦ୍ର ବସନରେ ପୋଛିଦେଲେ ଦେହ
ପୋଛିଦେଲେ ନେତ୍ରୂ ଲୁହ,
ମନେକଲେ କାହା ସୁଖ- ସର ଶୂନ୍ୟ
କରିଛି ଏ ସରୋରୁହ ।
ଥିଲା ଏ କାହାର ଭାବ-ଭଣ୍ଡାରର
ଶ୍ରେଷ୍ଠତମ ମହାମଣି,
ଏହା ଲାଗି କେତେ ମଣୁଥିବେ ହାୟ
ମସ୍ତକେ ପାତ ଆଶନି ।
ଚାହିଁଲା ଯୁବକ ତାପସ- ବଦନେ
ନ ପାରିଲା କହି କଥା,
ମୌନ ଦୀନ ନେତ୍ରେ ପ୍ରକାଶିଲା ବହୁ
ଅନ୍ତରର କୃତଜ୍ଞତା ।
ତହୁଁ ସେ ତାପସ ପୀଡିତ ଯୁବକେ
ଘେନିଯାଇ, ନିଜାଶ୍ରମେ,
ପ୍ରାଣପଣ ଯନ୍ତ୍ର ଚିକିତ୍ସାରେ ସୁସ୍ଥ
କଲେ ତାକୁ କ୍ରମେ କ୍ରମେ ।
କିଛିଦିନେ ରୋଗୀ ପୂର୍ଣ୍ଣ ସ୍ୱାସ୍ଥ୍ୟ ଲଭି
ଉଠିଲା ଜାଗି ଆଶିରେ,
ସନ୍ନ୍ୟାସୀ ପ୍ରସାଦୁଁ ଶ୍ମଶାନୁଁ ପୁଣି ସେ
ଆସିଲା ଫେରି ସଂସାରେ ।
ରୋଗୀ ସେବାରେ ଯେ କ୍ଷୟ କରେ ଆୟୁ
ମଣି ତା ଇଷ୍ଟଜୀବିକା,
ଅର୍ପନ୍ତି ତାହାର ପୁଣ୍ୟୋଜ୍ଜ୍ମଳ ଭାଲେ
ଦେବତାଏ ରାଜଟିକା ।
ଆତ୍ମ-ପରିଚୟ ପୂଚ୍ଛନ୍ତେ ତାପସ
କହିଲା ଯୁବା ପ୍ରକାଶି,
ଅତୀତର ସ୍ମୃତି ବର୍ତ୍ତମାନ-ସୂତ୍ରେ
ଗୁନ୍ଥା ହୋଇଗଲା ଆସି ।
କହିଲା ଯୁବକ ସକଳ ନୟନେ
ଆଶା- ରାଜ୍ୟେ ଆମ୍ଭ ଘର,
ଗୁଣ୍ଡିଚା ଉତ୍ସବେ ପଣ୍ୟ ବିକ୍ରୟାର୍ଥେ
ଆସିଥିଲୁଁ ଦ୍ୱିସୋଦର ।
ସାଙ୍ଗ ହେଲା ଯାତ୍ରା କରୁଥିଲୁ ବେନି
ସ୍ୱଗ୍ରାମେ ପ୍ରତ୍ୟାବର୍ତ୍ତନ,
ଏମନ୍ତ ସମୟେ କଲା ମୋତେ ଆସି
ମହାମାରୀ ଆକ୍ରମଣ ।
ଦେଖି ଆକସ୍ମିକ ବିପଦ ମୋହର
ଅଗ୍ରଜ ହେଲେ କାତର,
ଦୁଃଖ ଭୟ ଚିନ୍ତା ତିନି ହେଁ ତାଙ୍କର
ମନ୍ଥିଲେ ହୃଦ- ସାଗର ।
କ୍ରମେ କ୍ରମେ ରୋଗ ପ୍ରବଳେ ମୋ ପ୍ରାଣେ
ପ୍ରକାଶିଲା ପରାକ୍ରମ,
ଦାରୁଣ ଯନ୍ତ୍ରଣା ସହି ନ ପାରି ମୁଁ
ହେଲି ଶେଷେ ଅସାଷ୍ଟମ ।
ତହିଁ ପରେ ଆଉ ଜାଣେ ନାହିଁ କିଛି
ଥିଲି ଯେଣୁ ମୂର୍ଚ୍ଛା କୋଳେ,
ତୁଟିଯାନ୍ତେ ମୂର୍ଚ୍ଛା ଦେଖିଲି ଶ୍ମଶାନେ
ଶୋଇଅଛି ତୁମ୍ଭ କୋଳେ ।
ଚିହ୍ନିବି କେସନେ ପାପ ନେତ୍ରେ ତୁମ୍ଭେ
କେବଣ ମହାପୁରୁଷ,
ଅବା କେଉଁ ଶ୍ରେଷ୍ଠ ସ୍ୱର୍ଗ ଶ୍ରେଷ୍ଠ ଦେବ
ପ୍ରଦାନ ମତେ ଆୟୁଷ ।
ବିଶ୍ୱର କଲ୍ୟାଣ କାମୀ ତୁମ୍ଭେ ପ୍ରଭୁ
ଆତ୍ମଜୟୀ ଅତୀନ୍ଦ୍ରିୟ,
ନିଃସ୍ୱାର୍ଥ- ପରାର୍ଥ- ପରତା ତୁମ୍ଭର
ଜୀବନର ଲକ୍ଷ୍ୟପ୍ରିୟ ।
କୃପା ବହି ମୋତେ ପୁନର୍ଜନ୍ମ ଦାନ
କଲ ହେ କୃପା-ଅମ୍ଭୋଧି,
କୋଟି ଜନ୍ମେ ତୁମ୍ଭ ମହାରଣ ମୁହିଁ
ନ ପାରିବି ପରିଶୋଧି ।
କିସ କୃତଜ୍ଞତା ଜଣାଇବି ଗଦେ
କି ଅଛି ବାକ୍ୟ ସେଭିଳି,
ବିଶେଷେ ତୁମ୍ଭର ବାତ୍ସଲ୍ୟ ଯାଇଛି
କୃତଜ୍ଞତା ସୀମା ବଳି ।
ଅନ୍ତରର ଭାବ ହୁଅନ୍ତା ଯଦ୍ୟପି
ରୁପବନ୍ତ ବାକ୍ୟବନ୍ତ,
ତେବେ ତାହା କଥା କହି ପାରନ୍ତା ସେ
ମାତ୍ର ମୁଁ ଜଡ଼-ଭରତ ।
ଜନ୍ମେ ଜନ୍ମେ ତୁମ୍ଭେ ହେବ ମୋର ପ୍ରଭୁ
ହେବି ମୁଁ ତବ କୋୟର,
ଏହି ଆଶା ମୋର, ଦେହେ ମନେ ପ୍ରାଣେ
ସେବିବି ତବ ପୟର ।
ଭାଷିଲେ ତାପସ ନ ବାଢ଼ ରେ ବତ୍ସ
ମୋର ଏ ବୃଥା ପ୍ରଶଂସା,
ସର୍ବ-ଶିବଦାତା ଏକା ସିନା ହରି
ଅନନ୍ତ-ବିଶ୍ୱ ଭରସା ।
ନିବସନ୍ତି ସେହୁ ନିଖିଳ ଜଗତେ
ପ୍ରତି ପ୍ରାଣେ ପ୍ରତି କାର୍ଯ୍ୟେ,
ତାଙ୍କ ବ୍ୟତିରେକେ କରି ନ ପାରନ୍ତି
କେହି କିଛି ତାଙ୍କ ରାଜ୍ୟେ ।
ସେହି ନିଜେ କର୍ତ୍ତା ସେହି ନିଜେ କର୍ମ
ସେହି କର୍ମ ଫଳଦାତା,
ସେହି ଫଳ ଭୋକ୍ତା, ବିଧାନ, ବିଧାତା
ସେହି ତ୍ରାଣ ପୁଣି କ୍ରାତା ।
ପ୍ରସନ୍ନବତ୍ସଳ ୧ ପ୍ରଭୁ ସେ ବିଶ୍ୱେଶ
ବିଶ୍ୱ ତାଙ୍କ ପଦାଶ୍ରିତ,
କରୁଛି କଲ୍ୟାଣ ତାଙ୍କ ପଦେ ବତ୍ସ
ନିଶ୍ଚଳ ହେଉ ତୋ ଚିତ୍ତ ।
* ୧- ଆଶ୍ରିତବତ୍ସଳ ।
ତାଙ୍କରି ଅମୃତ ଆଶୀର୍ବାଦ ଧାରା
ବୃଷ୍ଟି ହେଉ ତୋ ଭାଗ୍ୟରେ,
ହୋଇଅଛୁ ପୂର୍ଣ୍ଣ ନିରାମୟ ଏବେ
ଯାଅ ସୁଖେ ନିଜ ଘରେ ।
ସନ୍ନ୍ୟାସୀ ସକାଶୁଁ ଘେନିଣ ମେଲାଣି
ପ୍ରଣମି ପଦେ ଯୁବକ,
ଯାତ୍ରା କଲା ନିଜ ଗ୍ରାମ ଅଭିମୁଖେ
ମାନସେ ବହି ପୁଲକ ।
ଯାଉଁ ଯାଉଁ କେତେ କଳ୍ପନା ଫାନ୍ଦିଲା
ବାନ୍ଧିଲା ଭବିଶ୍ୟ ଆଶା,
ଆଶା ହିଁ ତାହାର ପଥ କ୍ଳେଶ ସହ
ହରିଲା କ୍ଷୁଧା ପିପାସା ।
ଭାବିଲା ମାନସେ ଦେଖି ମୋତେ ଆଜି
ପ୍ରତିବେଶୀ, ପରିଜନେ,
ଲଭିବେ ନିଶ୍ଚୟ ଅପାର ବିସ୍ମୟ
ଅଦ୍ଭୁତ ଆନନ୍ଦ ମନେ ।
ସ୍ମରି ମୋତେ ଭ୍ରାତା ଝୁରୁଥିବେ ବସି
ଶୋକେ ହୋଇ ପ୍ରପୀଡ଼ିତ,
ଏହି ସମୟରେ ଅକସ୍ମାତ ମୁହିଁ
ହେବିଯାଇ ଉପସ୍ଥିତ ।
ଦେଖି ମୋତେ ହେବେ ଅଗାଧ ଅସୀମ
ହର୍ଷ-ନୀରେ ମନ୍ନମାନ,
ଅଶୁଭ ସ୍ୱପ୍ନାନ୍ତେ ସହସା ଯେସନ
ଲଭିବେ ସୁଖୋପାଦାନ ।
ଭାତୃ ଜାୟା ସଙ୍ଗେ ସମ୍ବନ୍ଧ ମୋହର
ଭୁଜଙ୍ଗ ନକୁଳ ଭଳି,
ଗନ୍ଧତୈଳେ ୨ ଅଗ୍ନି - ସଂଯୋଗ ପ୍ରାୟ ସେ
ଦେଖି ମୋତେ ଉଠେ ଜଳି ।
* ୨- କେରୋସାଇନ ତେଲ
ଦୁଷ୍ଟା ସରସ୍ୱତୀ ଅଭିଧାନୁଁ ବାଛି
ଅକଥ୍ୟ ଶବ୍ଦ ଅଶ୍ରାବ୍ୟ,
ଅଳଙ୍କାରଯୁକ୍ତ କରି ମୋ ବିରୁଦ୍ଧେ
ବିରତେ କଳହ-କାବ୍ୟ ।
ତଥାପି ସେ ପ୍ରାଣେ ଅନୁଭବ ନିକି
କରୁଥିବ ମୋ ଅଭାବ,
ଆଚମ୍ବିତେ ମୋତେ ଦେଖି ସେ କରିବ
କ୍ଷଣିକ ଆନନ୍ଦ ଲାଭ ।
କେତେ ଦେବତାଙ୍କ ବନ୍ଦନା, ଅର୍ଚ୍ଚନା
ଲାଗିବ ଆଜି ମୋ ଲାଗି,
ଅକ୍ଷମ ଦରିଦ୍ର ଅନ୍ନବସ୍ତ୍ର ପାଇ
ହେବେ ଆନନ୍ଦର ଭାଗୀ ।
ଏହିପରି କୋଟି- ଆଶା ଆକାଙ୍କ୍ଷାର
ଭାର ବହି କାନ୍ଧେ ଶିରେ,
ଯଥାକାଳେ ଯାଇ ଆଶା ରାଜ୍ୟ ମଧ୍ୟେ
ମିଳିଲା ନିଜ ମନ୍ଦିରେ ।
ରାଷ୍ଟ୍ର ହୋଇଗଲା ଆଗମନ-ବାର୍ତ୍ତା
ଗ୍ରାମସାରା ସେହିକ୍ଷଣି,
ଦେଖିବାକୁ ତାକୁ ଧାଇଁଲୋ ସକଳେ
ଅଦ୍ଭୁଦ ବ୍ୟାପାର ମଣି ।
ଶ୍ମଶାନ ଭୂମିରୁ ନବ ପ୍ରାଣ ଲଭି
ଉଠି ଆସିଅଛି ଶବ,
ଅଦୃଷ୍ଟ ଅଶ୍ରୁତ ସୃଷ୍ଟି ଛଡ଼ା କଥା
ଅସମ୍ଭବୁ ଅସମ୍ଭବ ।
ସୁମନେ ଭ୍ରମର ପ୍ରାୟ ଚଉପାଶୁଁ
ଘେରିଲା ତାକୁ ଜନତା,
ଉତ୍କଣ୍ଠିତ ହୋଇ କେହି କେହି ତାକୁ
ପଚାରିଲେ ତାହା କଥା ।
ଜନତା ମଧ୍ୟରେ ଭ୍ରାତା ଭାତୃଜାୟା
ଉଭୟେ ହେରି ଯୁବକ,
ପ୍ରଣମିଲା ତାଙ୍କୁ ଆନନ୍ଦାଶ୍ରୁ ନେତ୍ରେ
ଲଗାଇ ତଳେ ମସ୍ତକ ।
ଜନତାଙ୍କୁ ଚାହିଁ କହିଲା ଏସନ -
ମୃତ ଜାଣି ମୋତେ ଭାଇ,
ମୁର୍ଚ୍ଛିତାବସ୍ଥାରେ ଆସିଥିଲେ ସିନା
ଶ୍ମଶାନେ ଦେଇ ଗଡ଼ାଇ ।
ଯୋଗୀ ଜଣେ ମୋତେ ସାଷ୍ଟମ କରାଇ
ଘେନିଯାଇ ନିଜାଶ୍ରମେ,
ବହୁ ଚିକିତ୍ସାରେ ନିରାମୟ କରେ
ପ୍ରାଣପଣ ପରିଶ୍ରମେ ।
ପକ୍ଷାନ୍ତରେ ଆଜି ଗୃହେ ଫେରିବାକୁ
ଆଜ୍ଞା ଦେଲେ ତପଃପ୍ରାଣ
ତହୁଁ ମୁଁ ସାନନ୍ଦେ ବାହୁଡ଼ି ଆସିଲି
ମୃତ୍ୟୁ ମୁଖୁଁ ଲଭି ତ୍ରାଣ ।
ଅନନ୍ତର ତହିଁ ବ୍ୟବସ୍ଥା-ସମିତି
ବସିଗଲା ସେହି ଦଣ୍ଡେ,
ମିଳିଗଲେ ଆସି ଗ୍ରାମର ମୁଖିଆ
ପ୍ରାଚୀନ ବ୍ୟବସ୍ଥା-ଷଣ୍ଢେ ।
ଲାଗିଲା ବିଚାର ମଶାଣି-ବାହୁଡ଼ା-
ପକ୍ଷେ କିସ ପ୍ରତିକାର,
ତର୍କବିତର୍କରେ କ୍ରମଶଃ ବିଷୟ
ଧରିଲା ଜଟିଳାକାର ।
କେହି କହେ ଏ ତ ବଡ଼ ଅମଙ୍ଗଳ
ମୃତ ଜୀଇଅଛି କାହିଁ,
ମଶାଣି ଫେରାକୁ ରଖିଛି କେ ଘରେ
କେଉଁ କାଳେ ଶୁଣା ନାହିଁ ।
ଆନ କହେ ତାହା ମୁଖ ନିରେଖିଲେ
ଲେଖେ ଶାସ୍ତ୍ରେ ପ୍ରାୟଶ୍ଚିତ୍ତ,
ଗୃହେ ସ୍ଥାନ ଦାନ ଅନୁଚିତ ତାକୁ
ଶବ ସମ ସେ ବର୍ଜିତ ।
କିଏ ଅବା ରଖି ବିପଦ କିଣିବ
ଶାସ୍ତ୍ରାଦେଶ ପଦେ ଦଳି,
ଜାଣୁ ଜାଣୁ କିଏ ଯମ ପଦେ ଦେବ
ଆତ୍ମପ୍ରାଣ ବିଷାବଳୀ ।
ଅମଙ୍ଗଳ ଏକା ଜଣକୁ ନୁହଇ
ଗ୍ରାମକୁ ଏ ଅମଙ୍ଗଳ
ମୃତ୍ୟୁ ପାପ ଦୁଃଖ ତିନି ହେଁ ଗ୍ରାମକୁ
କରିବେ ନିଶ୍ଚେ କବଳ ।
ମନେ ପଡ଼ୁ ନାହିଁ କେଉଁ ଗ୍ରାମେ ପୂର୍ବେ
ଘଟିଥିଲା ଏ ବ୍ୟାପାର,
ବିବିଧ ବିପଦେ ଅଳ୍ପଦିନେ ଗ୍ରାମ
ହୋଇଗଲା ଛାରଖାର ।
ପ୍ରତିବାଦ କରି କହେ କେହି ସେ ତ
ନୁହେଁ ରୋଗ ସଂକ୍ରାମକ,
ତାହା ଯୋଗୁଁ ହେବ ଗ୍ରାମନାଶ ପୁଣି
ଘଟିବ ମହା ମଡ଼କ ।
ମୃତ୍ୟୁ-ବିଦ୍ୟୁ ବାଷ୍ପ କଳେବରୁ ତାର
ନିଃସରୁ ତ ନାହିଁ କାହିଁ,
କପିଳ ମହୁର୍ଷି ପ୍ରାୟ ଜାଳିଦେବ
ଦେଲାମାତ୍ରେ ନେତ୍ରେ ଚାହିଁ ।
ଜୀବିତକୁ ଯେହୁ ମୃତ ଜ୍ଞାନ କରେ
ନୁହେଁ ସେ ନର କଦାଚ,
କୋଟିଏ ସୃଷ୍ଟିରେ ଦୁଲ୍ଲର୍ଭ ତାଭଳି
ପାଚକୀ ପ୍ରେତ ପିଶାଚ ।
ନର ପ୍ରାଣ ବହି ନର ପ୍ରାଣକୁ ଯେ
ଘୃଣିତ ମଣେ ଅଜ୍ଞାନେ,
ବ୍ୟାକରଣ ଶାସ୍ତ୍ରେ ଅକ୍ଷମ ତାହାର
ଯୋଗ୍ୟ ବିଶେଷଣ ଦାନେ ।
କେଉଁ ଦୁଷ୍ଟ ଶାସ୍ତ୍ରେ ପୁନର୍ଜୀବିତର
ଅଛି ବିସଜର୍ନ ବିଧି,
ନିର୍ଲଜ୍ଜ ପଣରେ ମଣ ନାହିଁ ମୁଢେ
ନିଜକୁ ଶାସ୍ତ୍ର-ବାରିଧି ।
ପରିହାସବ୍ୟଞ୍ଜୀ କ୍ରୁର ହାସ୍ୟେ କହେ
ବିଧିଦାତା କୋହଭରେ,
କହି ପାରୁ ନାହିଁ ଶାସ୍ତ୍ର ନାମ ମାତ୍ର
ଅଛି ତା ନିଶ୍ଚେ ଶାସ୍ତ୍ରରେ ।
ସପକ୍ଷେ ବିପକ୍ଷେ ଏହିପରି କେତେ
ଲାଗିଲା ଯୁକ୍ତି ପ୍ରବଳ,
ଦଳସୃଷ୍ଟି ହେତୁ ରହିଲା ଶେଷରେ
ବିପକ୍ଷ ମତ ଅଟଳ ।
ତର୍ଜନ ଗର୍ଜନ ବିତଣ୍ଡାରେ ମୁର୍ଖେ
ରଖିଲେ ଆପଣା ଆଣି,
ନୀରବିଲେ ବିଜେ ଉଷରେ ସୁବୀଜ
ବପନ ବିଫଳ ଜାଣି ।
ସମ୍ବୋଧି ଅନୁଜେ କହିଲା ଅଗ୍ରଜ
ଶୁଶିଲୁ ତ ସବୁ କଥା,
କି କରିବି ମୋତେ ଛାଡ଼ିବାକୁ ହେଲା
ଅଗତ୍ୟା ତୋର ମମତା ।
ଅନ୍ତ୍ୟେଷ୍ଟି ଶେଷରେ ପୁନର୍ଜୀବିତକୁ
ଦେଖିବା ଉତ୍କଟ ଦୋଷ,
ତହିଁ ପରେ ତୋତେ ଠାବ ଦେଲେ ଗୃହେ
ବହିବେ ସକଳେ ରୋଷ ।
ଅତଏବ ମୋର ଭରସା ତେଜି ତୁ
କର ଯାହା ଇଚ୍ଛା ତାହା,
ନାହିଁ ଏ ଗ୍ରାମରେ ତୋହ ପାଇଁ ସ୍ଥାନ
ଧର ଏବେ ଅନ୍ୟ ରାହା ।
ଶୁଣି ଏହି ବଜ୍ର- ବାଣୀ ଦୁର୍ଭାଗ୍ୟର
ସ୍ତବ୍ଧ ହେଲା ହୃଦାକାଶ,
ମହା ମନସ୍ତାପେ କଲା ତାର ଆତ୍ମା
ନିରୁଦକ ଉପବାସ ।
ଗଭୀର ଯାତନା ଓଷ୍ଠେ ଚାପିବାକୁ
କଲା ଚେଷ୍ଟା ପ୍ରାଣପଣେ,
ମାତ୍ର ନ ପାରି ତା ବେଗ ସହି ଓଷ୍ଠ
ଉଠିଲା କମ୍ପି ସଘନେ ।
କେତେ କ୍ଷଣ ପରେ ଶୋକଭଗ୍ନ କଣ୍ଠେ
କହିଲା ହୋଇ କାତର,
ଯେଉଁ ହୃଦ ଥିଲା ସ୍ନେହର ନିର୍ଝର
ହେଲା ସେ ଆହା ପଥର ।
ଯାଉଅଛି ମୁହିଁ ଦୂରଦୃଷ୍ଟ ଘେନି
ଜନ୍ମ ମୋର ବିଡ଼ମ୍ବନା,
ତୁମ୍ଭ ସ୍ନେହ-ସ୍ମୃତି ସିନା ଏକା ମୋର
ଏ ଶୋକର ସୁସାନ୍ତ୍ୱନା ।
ଆସିଥିଲି ମୁହିଁ ଆପାଦ ମସ୍ତକ
ଛନ୍ଦିହୋଇ ଆଶା-ଲତା,
ଯାଉଅଛି ଏବେ ଘେନିଣ ସମ୍ବଳ
ସୁବିରାଟ ବିଫଳତା ।
ଥାଅ ତୁମ୍ଭେ ସୁଖେ ରହିବାକୁ ମୁହଁ
କରୁ ନାହିଁ କୃପା ଭିକ୍ଷା,
ଉପସ୍ଥିତ ଏବେ ଜୀବନେ ମୋହର
କଠୋର ଅଗ୍ନି ପରୀକ୍ଷା ।
ଭାତ୍ୟ, ଭବିଷ୍ୟତ ବିଧାତା ନିୟମେ
ହେଉଛି ନିର୍ଦ୍ଧିଷ୍ଟ ସିନା,
ନର କୃପା ତାହା ଗଠନେ ଅକ୍ଷମ
ଦେବ- ଆଶୀର୍ବାଦ ବିନା ।
ଏ ଗ୍ରାମେ ବା ତବ ଗୃହେ ମୋହ ପାଇଁ
ନ ଆଉ ପଛକେ ସ୍ଥାନ,
ପ୍ରଦାନିଛନ୍ତି ଯେ ଦେହ ପ୍ରାଣ ନିଶ୍ଚେ
କରିବେ ସେ ସ୍ଥାନ ଦାନ ।
ଯାହାଙ୍କ ଅନନ୍ତ ରାଜ୍ୟେ ବିଚରନ୍ତି
ଶରୀରୀ ଅନନ୍ତ କୋଟି,
ନାହିଁ କି ତହିଁରେ ନିହିବାକୁ ଠାବ
ମୋ କ୍ଷୁଦ୍ର ଶରୀରୀ ଗୋଟି ।
ଜଗତ ଯାହାକୁ ପରିତ୍ୟାଗ କରେ
ଧରନ୍ତି ସେ ତାକୁ ଅଙ୍କେ,
ଲଭେ ଯେ ତାହାଙ୍କ ଅଭୟ ଆଶ୍ରୟ
ବିପଦ ତାହାକୁ ଶଙ୍କେ ।
ସେହି ମୋ ଆତ୍ମାର ପରମାତ୍ମା ଏକା
ପ୍ରାଣର ପରମ ପ୍ରାଣ,
ଏହା କହି ଜ୍ୟେଷ୍ଠ ସୋଦରେ ଜୁହାରି
କଲାକ ତହୁଁ ପ୍ରୟାଣ ।
ସେ ଗ୍ରାମନିବାସୀ ଦୀନବନ୍ଧୁ ମିଶ୍ର
ଯୁବକର ବାଲ୍ୟ ମିତ୍ର,
ଦୁହିଁଙ୍କର ଏକ ବୟଃ, ବିଦ୍ୟା, ପ୍ରାଣ
ଆବର ଏକ ଚରିତ୍ର ।
କୃଷ୍ଣାର୍ଜୁନ ପ୍ରାୟ ଏକ ଆତ୍ମା ବେନି
ଉଭୟର ଏକ କଥା,
ଜଣକ ଶରୀରେ ଆଘାତ ଲାଗିଲେ
ଆନ ଅନଭବେ ବ୍ୟଥା ।
ଜଣକ ସାରଲ୍ୟ ସଭାବ ସାଧୁତା
ପ୍ରତିଫଳେ ଆନ ପ୍ରାଣେ,
ଜଣକ କଳ୍ପନା ଚିନ୍ତା ଆନ ପ୍ରାଣେ
ବିଦ୍ୟୁତ ସ୍ପନ୍ଦନ ଆଣେ ।
ଦୁହିଁଙ୍କର ପୀତ୍ରି- ସୁତ୍ର ଗଣ୍ଠିହୀନ
ଅୟଟା ଦୃଢ଼ ସରଳ,
ବେନି ସ୍ନେହୀ ଯଥା ଗୋଟିଏ ଶ୍ଳୋକର
ପ୍ରାଞ୍ଜକ ଭାବ ଯୁଗଳ ।
ହୃଦୟ-ବନ୍ଧୁକୁ ଦେଖି ଦୀନବନ୍ଧୁ
ଦାରୁଣ ବିପଦଗ୍ରସ୍ତ,
ପୀଡ଼ା ଲଭି ଚିତ୍ତେ ଖର ପଦେ ଯାଇ
ଧରିଲା ଯୁବକ ହସ୍ତ ।
କହିଲା କୋମଳେ କାହିଁ ଯିବ ସଖା
ତେଜି ଏ ଅଭାଗ୍ୟ ଜନେ,
ଚାଲ କିଛି ଦ୍ୱିଧା ନ ଗଣି ମାନସେ
ରହିବ ମୋର ସଦନେ ।
ଆଚ୍ଛା ଦେଖାଇଲେ ସୋଦର ତୁମ୍ଭର
ସୋଦରତା ତବ ପ୍ରତି,
କ୍ରୁର ସାମାଜିକ କୁତର୍କ- କୁହୁକେ
ହେଲେ ଏଡ଼େ ଛନ୍ନମତି ।
କେତେ କାଳ ହାୟ ଥିବ ଏ ସମାଜ
କୁସଂସ୍କାର ଦୋଷ- ଦୁଷ୍ଟ,
ପୂର୍ଣ୍ଣ ଖାଦ୍ୟ ପାଇ କୁସଂସ୍କାର ସିନା
ନ ମରି ହେଉଛି ପୁଷ୍ଟ ।
ଥିଲା ଯେ ଦେଶର ଅତୀତ ସମୟ
ବିପୁଳ ଗରିମାମୟ,
ଘଟିଲା ସେ ଦେଶ ବର୍ତ୍ତମାନ ଭାଗ୍ୟେ
ଶୋଚନୀୟ ବିପର୍ଯୟ ।
କେଉଁ ପାପେ ଆହା ଗ୍ରାସିଲା ସମାଜେ
ଯଥେଚ୍ଛାଚାରିତା - ବ୍ୟାଧି,
କି ଅସାଧ୍ୟ ତାର, ଦେଇପାରେ ସେହୁ
ଜୀବନ୍ତ ଜନେ ସମାଧି ।
ବିନା ଅପରାଧେ ନିର୍ବାସନ ଦଣ୍ଡ
ପ୍ରଦାନେ ଯେଉଁ ସମାଜ,
ପଟାନ୍ତର ତାର କି ଅଛି ମହୀରେ
ସୁନ୍ଦର ତାକୁ ତା କାର୍ଯ୍ୟ ।
ଦେଶ କାଳ ପାତ୍ର ନ ବୁଝି ବ୍ୟବସ୍ଥା
କରେ ଯେ ସମାଜ ଦାନ,
ସମାଜ ନୁହେଁ ସେ ମହାଭୟଙ୍କର
ଜୀବିତ- ଶବ ଶ୍ମଶାନ ।
ଦୟା ମାୟା ଶୂନ୍ୟ ଯେ ସମାଜ ତାର
ଜୀବନ ବା ଆତ୍ମା ନାହିଁ,
ତାର ପ୍ରାଣଘାତୀ ନିଗଡ଼ ବନ୍ଧନ
ପାରେ ମୁଁ ହେଲେ ଛିଣ୍ଡାଇ ।
ଏହା କହି ମିତ୍ରେ ଆଲିଙ୍ଗନ କରି
ଘେନିଗଲା ନିଜ ଘରେ,
ଗ୍ରାମ ସମାଜର ଭାବୀ ବଜ୍ରାଘାତେ
ନ ଭୂକ୍ଷେପି ଦର୍ପଭରେ ।
ଏଣେ ସମାଜର ଆକ୍ରୋଶ ତା ପ୍ରତି
ବୃଦ୍ଧି ହେଲା ଅନୁଦିନ,
ଅବାଧ୍ୟତା ପୁଣି ଅକରଣୀ ହେତୁ
ସମାଜୁଁ ହେଲା ବିଚ୍ଛିନ୍ନ ।
ଜାତିଚ୍ୟୁତ ହେଲା, ଗ୍ରାମରେ ତାହାକୁ
ମନା ହେଲା ନିଆଁ ପାଣି,
ଆବର ଭଣ୍ଡାରୀ ଧୋବା ମନା ହେଲା
ନ କହିଲେ କେହି ବାଣୀ ।
ଏତେ ଦଣ୍ଡେ ସୁଦ୍ଧା ଦଣ୍ଡକ ନିମନ୍ତେ
ନ ଟଳିଲା ତାର ମତି,
ବହ୍ନିଶିଖା ପ୍ରାୟ ଦୃଢ଼ ମନ କେବେ
ଭଜେ ନାହିଁ ନିମ୍ନଗତି ।
ଦେଖି ତାର ଏହି ଅଦ୍ଭୁତ ବନ୍ଧୁତା
ଆଶ୍ଚର୍ଯ୍ୟ ହେଲା ଯୁବକ,
ଅସମ୍ଭାଳ ବେଗେ ବହିଲା ନୟନୁଁ
ଆନନ୍ଦପୁତ ଲୋତକ ।
କହିଲା ବ ନ୍ଧୁକୁ କି ଭାଷାରେ ଭାଇ
ପ୍ରକାଶିବି କୃତଜ୍ଞତା,
ତୁମ୍ଭେ ଏ ଉତ୍କଳ- ପୁଣ୍ୟ ଦେଉଳର
ମାନବରୁପୀ ଦେବତା ।
ପ୍ରଣୟ-ଚିଟାଉଚିନ୍ତାମଣି ମହାନ୍ତି