ଭ୍ରାନ୍ତି — କୁନ୍ତଳା କୁମାରୀ ସାବତ · ସ୍ୱର୍ଣ୍ଣଲିପି( ୧ )
ଶେଫାଳୀ ଜମିଦାର ଦୁହିତା “ରାଣୀ ଶେଫାଳିକା”, ଉଆସର ଜେମାମଣି । ମାଳତୀ ଜମିଦାରଙ୍କ କର୍ମଚାରୀର ଧୂର୍ତ୍ତା ଦୁହିତା-ଶେଫାଳୀର ସଙ୍ଗିନୀ, ତୋଷାମୋଦକାରିଣୀ, ବିଚକ୍ଷଣା ଓ କୂଟବୁଦ୍ଧିସମ୍ପନ୍ନା । ପ୍ରଭୁକନ୍ୟା ନିକଟରେ ଉପବେଶନ ପୂର୍ବକ ମାଳତୀ ଗଳ୍ପର ପସରା ମେଲି ଦେଇଅଛି । ଦିବା ଏକଘଟିକା ଉତ୍ତୀର୍ଣ୍ଣ, ଶେଫାଳୀର ଅଳ୍ପ ଅଳ୍ପ ତନ୍ଦ୍ରା ବୋଧ ହେଉଅଛି, ମାଳତୀ ତାହା ଲକ୍ଷ୍ୟ ନ କରି ଗଳ୍ପରେ ବ୍ୟାପୃତ । ହଠାତ୍ ଗୋଟିଏ ଶଦ୍ଦ ଶୁଣି ସେମାନେ ଚମକି ପଡ଼ିଲେ । “ଏ କଣ ଅନୁ ବାବୁ !”, ଏହା କହି ବିସ୍ମୟରେ ହତବୁଦ୍ଧି ମାଳତୀ ଧଡ଼୍ କରି ଉଠି ବସିଲା । ଶେଫାଳୀର ବାକ୍ୟସ୍ଫୂର୍ତ୍ତି ହେଲା ନାହିଁ । ତାହାର ସର୍ବାଙ୍ଗ ଥରିଲା । ଅନୁ ପଡ଼ି ଯାଇଅଛି, ମୁଣ୍ଡରେ ଆଘାତ ଲାଗି ରକ୍ତ ଝର ଝର ବହି ଯାଉଅଛି, ସମସ୍ତ ବସ୍ତ୍ର ରକ୍ତରେ ଆର୍ଦ୍ର, ତାହାର ଚିତ୍କାରରେ କ୍ଷଣକ ମଧ୍ୟରେ ଗୃହର ପୂଝାରୀ, ବେହେରା, ଭଣ୍ଡାରୀ, ଦାସୀ ରୁଣ୍ଡ ହୋଇଗଲେ । କିଏ ପାଣି ଢାଳିଲା, କିଏ ପଟି ବାନ୍ଧିଲା, କିଏ ଡାକ୍ତର ଡାକିବାକୁ ଗଲା, କିଏ କେବଳ ପାଟି କଲା । ଅନୁ ଅଚେତନ ।
ଡାକ୍ତର ଦିଗମ୍ବର ଚୌଧୁରୀ କ୍ଷତ ସ୍ଥାନ ପରୀକ୍ଷା କରି ଆଘାତ ଗୁରୁତର ନ ଥିବା ପ୍ରକାଶ କଲେ । ହରିହରଙ୍କ ପରିବାର ଆଶ୍ୱସ୍ତ ହେଲେ । ଶେଫାଳୀର କମ୍ପିତ ବକ୍ଷ ସ୍ଥିର ହେଲା; ମାଳତୀର ବାଷ୍ପାକୁଳିତ ନେତ୍ରବାରି ପ୍ରଶମିତ ହେଲା ।
ଅନୁ ଶଯ୍ୟାଶାୟିତ । ପାର୍ଶ୍ୱରେ ମୂର୍ତ୍ତିମତୀ କରୁଣାରୂପିଣୀ ଶେଫାଳିକା, କ୍ଷୁଦ୍ର ଭଗିନୀତୁଲ୍ୟା ମମତାମୟୀ, ମାତୃତୁଲ୍ୟା ଯତ୍ନବତୀ । ଶେଫାଳୀର ପ୍ରାଣ ଅନୁଠାରେ, ଧ୍ୟାନ ଅନୁଠାରେ, ଅନୁ ତାହାର ଭ୍ରାତାଠାରୁ ଅଧିକ ପ୍ରିୟ, ଆବାଲ୍ୟସଙ୍ଗୀ, କ୍ରୀଡ଼ା ସହଚର, ସୁଖ ଦୁଃଖ, ଭ୍ରମଣ, ପଠନ ସବୁର ସହଭାଗୀ । ଅନୁ ତାହାର ଅନୁ । ଶେଫାଳୀର ସ୍ନାନ ଭୋଜନରେ ତୃପ୍ତି ନାହିଁ, ଖେଳ କୌତୁକରେ ମନ ନାହିଁ । କେବଳ ଅବିଶ୍ରାନ୍ତ ଭାବରେ ଦିବସ ରଜନୀ ଅନୁ ନିକଟରେ ଅତିବାହିତ କରେ । ଅନୁ ବାଳକ, ତ୍ରୟୋଦଶବର୍ଷୀୟ ସୁକୁମାର ବାଳକ । ହରିହର ବାବୁଙ୍କର ପାଳିତ ।
ହରିହର ଛୋଟରାଏ ସ୍ଥାନୀୟ ଜମିଦାର, ଅତୁଳ ଐଶ୍ୱର୍ଯ୍ୟଶାଳୀ ଏବଂ ସଦାଶୟ; କିନ୍ତୁ ମା କମଳାଙ୍କର ବରପୁତ୍ର ହରିହର, ଷଷ୍ଠୀ ଦେବୀଙ୍କ କୃପାରୁ ବଞ୍ଚିତା, ତାଙ୍କର ପତ୍ନୀ ଇନ୍ଦୁମୁଖୀ ଅତୁଳନୀୟ ରୂପ ଅପାର ଐଶ୍ୱର୍ଯ୍ୟର ଅଧିକାରିଣୀ ହୋଇ ସୁଦ୍ଧ ନିଜକୁ ଅତ୍ୟନ୍ତ ଅଭାଗିନୀ ଜ୍ଞାନ କରି ବଡ଼ ଦୁଃଖରେ କାଳ କାଟୁଥିଲେ । ବିବାହର ଦଶବର୍ଷ ଅତୀତ ହେଲା । ବହୁତ ବ୍ରତ ନିୟମ ପୂଜା ଉପବାସାଦି ପାଳନ କଲେ; ମାତ୍ର ସନ୍ତାନ ଆକାଙ୍କ୍ଷା ଫଳବତୀ ହେଲା ନାହିଁ । ତହୁଁ ତୀର୍ଥାଦି ପର୍ଯ୍ୟଟନ କଲେ । ତଦ୍ଦ୍ୱାରା ମଧ୍ୟ କିଛି ଲାଭ ହେଲା ନାହିଁ । ଏହି ସମୟରେ କଟକ ଜିଲାରୁ ଘନଶ୍ୟାମ ମହାନ୍ତି ନାମକ ଜଣେ ପରମ ଧାର୍ମିକ ବ୍ୟକ୍ତି ଗୃହ ବିବାଦରେ ନିତାନ୍ତ ନିଃସ୍ୱ ଅବସ୍ଥା ପ୍ରାପ୍ତ ହୋଇ ହରିହର ଛୋଟରାଏଙ୍କ ଜମିଦାରୀରେ ଆଶ୍ରୟ ଗ୍ରହଣ କଲେ । ତଦୀୟ ପତ୍ନୀ ସୁଶୀଳା ଦେଈ ଏକମାତ୍ର ସନ୍ତାନ ଅନଙ୍ଗମୋହନର ଜନ୍ମ ପରେ ମାନବଲୀଳା ସମ୍ୱରଣ କରିଥିଲେ । ଦୁଇ ବର୍ଷର ସୁକୁମାର ଶିଶୁକୁ ଘେନି ପିତା ଘନଶ୍ୟାମ ଜମିଦାର ବାବୁଙ୍କ ବସାରେ ରହି ତାଙ୍କ ଜମିଦାରୀରେ ଦେବାନ କାର୍ଯ୍ୟ କରିବାକୁ ଲାଗିଲେ । ମାତୃହୀନ ଅନୁକୁ ପାଇ ଇନ୍ଦୁମୁଖୀଙ୍କର ଆଉ ଆହ୍ଲାଦର ସୀମା ରହିଲା ନାହିଁ । ଦିବାରାତ୍ର ଅନୁ ତାଙ୍କ ନିତଟରେ ଥାଏ । ତାହାର ସମସ୍ତ ସେବା ସ୍ୱହସ୍ତରେ କରି ସୁଦ୍ଧା ଇନ୍ଦୁମୁଖୀଙ୍କର ତୃପ୍ତି ହୁଏ ନାହିଁ ।
ଈଶ୍ୱରେଚ୍ଛାରେ ଏହି ସମୟରେ ତାଙ୍କର ଚିର−ଦିନର ଦୁଃଖ ଅବସାନ ହୋଇ ଗୋଟିଏ ସନ୍ତାନ ଜନ୍ମଗ୍ରହଣ କଲା । ଗୃହ ଆଲୋକିତ କରି ଆଶ୍ୱିନ ପ୍ରାତଃକାଳର ମଧୁର ସୂର୍ଯ୍ୟୋଦୟ ସମୟରେ ଉଷା−ରୂପିଣୀ ଏକ ପରମାସୁନ୍ଦରୀ କନ୍ୟା ହରିହରଙ୍କ ନିରାନନ୍ଦ ଗୃହ−ମରୁରେ ଫୁଟି ଉଠିଲା । ସେତେବେଳେ ଦଶହରା ପୂଜାର ଗୋଳମାଳ, ବୃହତ୍ ଜମିଦାର ପ୍ରାସାଦ ପରିପୂର୍ଣ୍ଣ । ମା ଅନ୍ନପୂର୍ଣ୍ଣାଙ୍କ ଆଗମନ ସଙ୍ଗେ ସଙ୍ଗେ ସେହି ମା ମୂର୍ତ୍ତିମତୀ ସ୍ନେହପ୍ରତିମା ସଦୃଶ କନ୍ୟାରୂପରେ ଆଗମନ କରି ଇନ୍ଦୁମୁଖୀଙ୍କ କ୍ରୋଡ଼ାସନ ଉଜ୍ଜ୍ୱଳ କଲେ । ଆନନ୍ଦ ରୋଳରେ ବିଶାଳ ପ୍ରାଙ୍ଗଣ ପୂରି ଉଠିଲା । ଆତ୍ମୀୟା ପ୍ରତିବେଶିନୀ ସମସ୍ତେ କନ୍ୟାକୁ ଦେଖିବାକୁ ଧାଇଁ ଆସିଲେ । ବୃଦ୍ଧ ପିତାମହ ସାକ୍ଷାତ୍ ଅନ୍ନପୂର୍ଣ୍ଣା ମୂର୍ତ୍ତି ଭାବ ଭକ୍ତିବିହ୍ୱଳ ହୋଇ ନୟନରୁ ଆନନ୍ଦାଶ୍ରୁ ବୁହାଇଲେ ।
ସମ୍ବନ୍ଧିତ ରଚନା
ନଅତୁଣ୍ଡୀକୁନ୍ତଳା କୁମାରୀ ସାବତ କୁନ୍ତଳା କୁମାରୀ ସାବତ
ଫକୀରମୋହନ ସେନାପତି
ପ୍ରଭାତର ଫୁଲ, ଶରତର ଫୁଲ, ପୂଜାର ଫୁଲ, ମା'ର କଣ୍ଠମାଳା;-ନାମ ଦିଆଗଲା ଶେଫାଳିକା । ହରିହରଙ୍କ ଇଚ୍ଛାକ୍ରମେ ନାମ ଦିଆଗଲା ଶେଫାଳିକା । ଶେଫାଳୀକାକୁ ଜଗଦମ୍ୱାଙ୍କର ଅମଳକମଳ ଚରଣ−ତଳେ ଉତ୍ସର୍ଗ କରି ବୃଦ୍ଧ ଦୀନବନ୍ଧୁ ଓ ତଦୀୟ ପୁତ୍ର ହରିହର କୃତକୃତ୍ୟ ହେଲେ । ଇନ୍ଦୁମୁଖୀର ଲଜ୍ଜା କଳଙ୍କ ଦୂରୀଭୂତ ହେଲା । ମାତୃତ୍ୱର ଆକାଙ୍କ୍ଷା ପୂର୍ଣ୍ଣ ହେଲା ।
ଶାରଦୀୟା ଶଶିକଳା ତୁଲ୍ୟ ଶେଫାଳୀ ଦିନକୁ ଦିନ ବୃଦ୍ଧି ପ୍ରାପ୍ତ ହେଲା । ତାହାର ଅନ୍ନପ୍ରାଶନ ଦିନ ଭକ୍ତ ଦୀନବନ୍ଧୁ ସର୍ବସମ୍ମତିକ୍ରମେ ଶିଶୁ କନ୍ୟାଟିର ସୁକୋମଳ ହସ୍ତ ଅନୁର ସୁକୁମାର ହସ୍ତରେ ଧରାଇ ଦେଲେ । ଜୟତକ୍କା ବାଜି ଉଠିଲା ।
ପିଲାଖେଳ ପରି ଅଭିନବ ବିବାହ ହୋଇଗଲା । ହରିହର ଓ ଇନ୍ଦୁମୁଖୀଙ୍କର ଆନନ୍ଦ ପୂର୍ଣ୍ଣ ହେଲା । ଘନଶ୍ୟାମଙ୍କ ଆଶା ସଫଳ ହେଲା । ସେହି ଦିନୁ ଗୋଟିଏ ବୃନ୍ତରେ ଯୋଡ଼ିଏ ଫୁଲ ପରି ଅନୁ ଓ ଶେଫାଳୀ ବଢ଼ିବାକୁ ଲାଗିଲେ । ଶିଶୁଦ୍ୱୟର କଳହାସ୍ୟଧ୍ୱନିରେ ବୃହତ୍ ପ୍ରାଙ୍ଗଣ ମୁଖରିତ ହେଲା । ଏତେ ସୁଖ ! ଇନ୍ଦୁ ଏତେ ସୁଖର କଥା କଳ୍ପନା କରି ନ ଥିଲେ । ବାଳକ ବାଳିକାଙ୍କୁ ଅନାଇ ତାଙ୍କ ହୃଦୟ ଉଛୁଳି ଉଠେ । ଉଭୟେ ତାହାର, ଏ କ୍ଷୁଦ୍ର ଦମ୍ପତ୍ତି ତାହାର ସର୍ବଶ୍ରେଷ୍ଠ ସମ୍ପତ୍ତି, ଅମୂଲ୍ୟଧନ । ଉଭୟେ ଖେଳୁ ଖେଳୁ ମାତାଙ୍କ କୋଳକୁ ଡେଇଁ ପଡ଼ନ୍ତି । ଅଙ୍କାସନ ସକାଶେ ବିବାଦ କରନ୍ତି; କାରଣ ଇନ୍ଦୁ ଉଭୟେଙ୍କର ମାତା ।
ଶେଫାଳୀର ଜନ୍ମର ତିନିବର୍ଷ ପରେ ହଠାତ୍ ବିସୂଚିକାରେ ଘନଶ୍ୟାମ ବାବୁଙ୍କର ମୃତ୍ୟୁ ହେଲା । ଉପଯୁକ୍ତ ଦେବାନଙ୍କୁ ହରାଇ ସମସ୍ତ ପ୍ରଜା ହାହାକାର କରିବାକୁ ଲାଗିଲେ । ଅନୁ ପିତୃହୀନ ହେଲା
ବର୍ତ୍ତମାନ ଶେଫାଳୀର ବୟସ ଦଶବର୍ଷ । ଅନୁର ବୟସ ତେର । ଅନୁ ସ୍ଥାନୀୟ ସ୍କୁଲର ଶେଷ ଶ୍ରେଣୀରେ ପଢ଼େ । ତାହାର ଶିକ୍ଷା ପାଇଁ ଜମିଦାର ବାବୁଙ୍କର ବିଶେଷ ଯତ୍ନ; ଗୃହରେ ମାଷ୍ଟର ରଖାଇ ଭାବୀ ଜାମାତାକୁ ଶିକ୍ଷା ଦେବାରେ ତ୍ରୁଟି କରନ୍ତି ନାହିଁ । ସେ ଆଧୁନିକ ରୁଚିସମ୍ପନ୍ନ ବ୍ୟକ୍ତି; ମାତ୍ର ଏକାବେଳକେ ଦେଶୀ ସାହେବ ନୁହନ୍ତି । ତାଙ୍କର ପରିବାର ନିର୍ଦୋଷ ହିନ୍ଦୁ ପରିବାର ହେଲେ ମଧ୍ୟ ସ୍ୱପ୍ରତିଷ୍ଠିତ ବାଳିକା ବିଦ୍ୟାଳୟରେ ଶେଫାଳୀର ପଠନରେ ବାଧା ନାହିଁ । ସେ ଦକ୍ଷତାସହକାରେ ଅପର ପ୍ରାଇମେରୀ ପାସ୍ କରିଅଛି । ସୂଚୀବିଦ୍ୟା, କଳାବିଦ୍ୟା, ରନ୍ଧନବିଦ୍ୟାରେ ପଟୁତା ଲାଭ କରିଅଛି ।
ତାହାର ପିତା ବହୁ ବ୍ୟୟରେ, ବହୁ ଅନୁସନ୍ଧାନରେ ସରଯୂ ନାମ୍ନୀ ଜନୈକା ଭଦ୍ରବଂଶୀୟା ବିଧବା ମହିଳାଙ୍କୁ କଲିକତାରୁ ଅଣାଇ ଗୃହରେ କନ୍ୟାକୁ ନାନା ବିଷୟରେ ଶିକ୍ଷା ଦେବାର ବ୍ୟବସ୍ଥା କରିଅଛନ୍ତି । ଶେଫାଳୀ ଜମିଦାରୀର ଭାବୀ ଉତ୍ତରାଧି−କାରିଣୀ, ସେ ଜ୍ଞାନବତୀ କର୍ମକୁଶଳା ଏବଂ ସୁଗୃହିଣୀ ହେବ, ଏହାହିଁ ତାଙ୍କର ଇଚ୍ଛା । ଇନ୍ଦୁମୁଖୀ ହିନ୍ଦୁ ନାରୀର ଚୁଡ଼ାନ୍ତ ଆଦର୍ଶ ସ୍ୱରୂପ ନ ହେଲେହେଁ, ଅତିଶୟ ନମ୍ରପ୍ରକୃତି ଓ ସ୍ୱାମୀ ପ୍ରତି ଏକାନ୍ତ ଭକ୍ତିମତୀ । ସେ ସରଳା, ଛନ୍ଦ କପଟ ତାଙ୍କୁ ଅଜଣା; ଶେଫାଳୀ ତାଙ୍କ ନୟନର ମଣି ସ୍ୱରୂପ, ତାହାକୁ ଅତି ଯତ୍ନରେ ପାଳନ କରିବା ଓ ସୁଶିକ୍ଷା ଦେୂା ତାଙ୍କର ନିତ୍ୟବ୍ରତ ।
( ୨ )
ସନ୍ଧ୍ୟା ଉତ୍ତୀର୍ଣ୍ଣ ପ୍ରାୟ । ଉପାଧାନରେ ଈଷତ୍ ଆଉଜି ପଡ଼ି ଅନୁ ଏକଦୃଷ୍ଟିରେ ଶେଫାଳୀକୁ ଅନାଇ−ଅଛି । ଉଭୟେ ଏକାକୀ; ମାତ୍ର ପରସ୍ପରର କି ସମ୍ୱନ୍ଧ ଉଭୟେ ଅଜ୍ଞାତ । ଭ୍ରାତା ଭଗିନୀ ତୁଲ୍ୟ ବା ତତୋଽଧିକ ପରପସ୍ପ ପ୍ରତି ଅନୁରକ୍ତ । ଅନୁ ଜାଣେ ସେ ଶେଫାଳୀର ଭ୍ରାତା ନୁହେ, ଶେଫାଳୀ ବିଶେଷ କିଛି ଜାଣେ ନାହିଁ । ଶେଫାଳୀର ସ୍ୱଭାବଗତ ବିଶେଷ ଦୋଷ, ସେ ବଡ଼ କ୍ରୋଧୀ । କ୍ରୋଧ ସମୟରେ ସେ ଜ୍ଞାନଶୂନ୍ୟ ହୁଏ । ଯାହା ମୁହଁରେ ଆସେ ତାହାହିଁ କହିଯାଏ । ମାତ୍ର ସେତିକି । ଦୁଇଦଣ୍ଡ ପରେ ସବୁ ଭୁଲିଯାଏ । ଅନୁ ତଦ୍ବିପରୀତ, ଶାନ୍ତ ଓ ଦୃଢ଼; ମାତ୍ର ଶେଫାଳୀକୁ ଚିଡ଼ାଇବା ତାହାର ରୋଗ । କଥାକଥାକେ ତାକୁ ବିରକ୍ତକରିବା ତାହାର ବିଶେଷ ଆମୋଦ ଓ ପ୍ରଧାନ ସୁଖ ।
ତାହାର କ୍ଷତ ଆରୋଗ୍ୟ ହୋଇ ଗଲାଣି । ସାମାନ୍ୟ ଦୁର୍ବଳ ମାତ୍ର । ପ୍ରାୟ ସବୁବେଳେ ବିଛଣାରେ ଉଠି ବସିଥାଏ ଏବଂ ଶେଫାଳୀ ସହିତ ଗଳ୍ପ କରେ । ବର୍ତ୍ତମାନ ସନ୍ଧ୍ୟାରେ ସୁଦ୍ଧା ସେହି କାର୍ଯ୍ୟ ଲାଗିଅଛି । ଅନୁ ଗଳ୍ପ କରୁଅଛି, ଅନର୍ଗଳ ବକି ଯାଉଅଛି; ମାତ୍ର ସେଥିରେ ଶେଫାଳୀର ମନୋଯୋଗ ଥିଲାପରି ଜଣାଯାଉ ନାହିଁ । ତାହାର ମୁଖ ଭାରି ଗମ୍ଭୀର । କାରଣ ଦୁଇଦିନ ହେଲା ଉଭୟଙ୍କର କଳହ ହୋଇଅଛି । ସେଥିପାଇଁ ପରସ୍ପରର ବାକ୍ୟାଳାପ ନାହିଁ । ଏଥି ପୂର୍ବରେ ମଧ୍ୟ ବାରମ୍ବାର କଳହ ଲାଗୁଥିଲା; ମୀମାଂସା କରୁଥିଲେ ବୃଦ୍ଧ ଦୀନବନ୍ଧୁ । ଏକବର୍ଷ ହେଲା ତାଙ୍କର କାଳ ହେବାରୁ ମୀମାଂସକ କେହି ନାହିଁ । ସେମାନେ କଳହ କରନ୍ତି, ରୁଷାରୁଷି ହୁଅନ୍ତି, ଏକସପ୍ତାହ ବା ଏକପକ୍ଷ ବାକ୍ୟାଳାପ ବନ୍ଦ କରନ୍ତି, ପୁଣି ନିଜେ ନିଜେ ମିଶନ୍ତି । ଆଜି ମଧ୍ୟ ସେହିପରି କଳହର ପ୍ରଧାନ କର୍ତ୍ତା ଅନୁ । ସେ ଶେଫାଳୀକି ଗର୍ବୀ ଆଖ୍ୟା ପ୍ରଦାନ କରିଅଛି । ଗର୍ବିତା ସୁନ୍ଦର ବଦନ ନତ କରି ବସିଅଛି । କଳହର କର୍ତ୍ତା କାରଣ ବୁଝି ପାରିଅଛି । ଯାହାହେଉ ବର୍ତ୍ତମାନ ଯେଉଁ ଭୂତ ଧରିଅଛି, ତାକୁ ଝାଡ଼ିବା ଆବଶ୍ୟକ । ଚତୁର ଗୁଣିଆ ମନ୍ତ୍ର ପ୍ରୟୋଗ ଆରମ୍ଭ କଲା । ଗଳ୍ପ ସ୍ରୋତ ବନ୍ଦ ହେଲା । ନିତାନ୍ତ ଶୁଷ୍କ ମୁଖରେ ମୁହଁ ଫେରାଇ ଶୟନ କଲା । ଏକମିନିଟ, ଦୁଇମିନିଟ, ଦଶମିନିଟ କଟିଗଲା, ଶେଫାଳୀର ଅସହ୍ୟ ହେଲା, ସେ ନ ଜାଣିଲା ପରି ତାକୁ ଚିମୁଟି ଦେଲା । ହଠାତ୍ ଚମକିପଡ଼ି ଅନୁ ଉଠି ବସିଲା, “ମୋତେ ବିଛା କାମୁ−ଡ଼ିଲା !” ତକିଆ ବିଛଣା ସମସ୍ତ ଲେଉଟାଇ ପକାଇଲା, ତାହାର ମୁଖରେ ଭୟର ଚିହ୍ନ । ଶେଫାଳୀ ହାସ୍ୟ ସମ୍ୱରଣ କରି ପାରିଲା ନାହିଁ । ଦୁଇଦିନର ରାଗ ଉଭେଇ ଗଲା । ହସି ହସି ଗୃହାନ୍ତରକୁ ପଳାଇଲା ।
ଅନୁ ଡାକିଲା; ସହାସ୍ୟ ବଦନରେ ଶେଫାଳୀ ଉପସ୍ଥିତ ହେଲା; ହସ୍ତରେ ପିତୃପ୍ରଦତ୍ତ ପୁତ୍ତଳିକା, ଅତି ସୁନ୍ଦର ଚିନିବାସନର କୁଣ୍ଡେଇ । ଗର୍ବିତା ଅହଙ୍କାରରେ ଫୁଲି ଉଠି ପିତୃ ଉପହାର ଅନୁକୁ ଦେଖାଇଲା । ଅନୁର ଭାରି ହିଂସା ହେଲା; ପରସ୍ପର ଛଡ଼ାଛଡ଼ି ଆରମ୍ଭ କଲେ, ହରି ବାବୁ ଆସି କଳହ ମୀମାଂସା କରିବାକୁ ପ୍ରବୃତ୍ତ ହେଲେ । ଅଭିମାନୀ ଅନୁ କିଛି ପାଇ ନାହିଁ । ତାହାର ଚକ୍ଷୁ ଲୋତକରେ ଛଳଛଳ । ମୁଖ ତଳକୁ କରି କହିଲା, “ବାବା, ମୋର କଣ କିଛି ନାହିଁ ?”
ଗୋଟିଏ ସୁନ୍ଦର ଫାଉଣ୍ଟେନ୍ ପେନ୍ ଆଉ ଆହ୍ଲାଦର ସୀମା ନାହିଁ । ବାବା କଲିକତାରୁ ମଗାଇଥିଲେ ଶେଫାଳୀର କୁଣ୍ଡେଇ; ସେ ଖେଳଘର ଭାତ କରିବ, ପୁଅ ବିଭା କରିବ, ଆଉ ଅନୁ ସ୍କୁଲ ଛାତ୍ର, ତାହାର ଫାଉଣ୍ଟେନ୍ ପେନ୍, ସେ ଲେଖାଲେଖି
କରିବ । ମାତ୍ର ଏତିକି ନୁହେ । ପୁଣି ଆସିଲା । ଭୃତ୍ୟ ବୃହତ୍ ପାର୍ଶଲ ବାକ୍ସଟା ଦେଇଗଲା । ଗୋଟିଏ ଗୋଟିଏ ସୁନ୍ଦର ପଦାର୍ଥ ବାହାରି ପଡ଼ିଲା । ଶେଫାଶଳୀର କୁଣ୍ଡେଇ, କୁଣ୍ଡେଇ ସାଜ, ମେଜ, ଚୌକୀ, ଖଟ, ଆଲମାରୀ, ବାସନ, ପିଆଲା ପିରିଚ, ପୁଣି ବ୍ୟାବହାରିକ ସିଲାଇ ବାକ୍ସ, ଚିତ୍ର ଆଲବମ୍, ସେଣ୍ଟ୍, ସାବୁନ, ଫିତା, କାଚ ଇତ୍ୟାଦି, ଇତ୍ୟାଦି । ଶେଫାଳୀର ଏତେ, ଆଉ ଅନୁର ଏପର୍ଯ୍ୟନ୍ତ ଗୋଟାଏ ହେଲେ ପଦାର୍ଥ ବାହାରିଲା ନାହିଁ । ଛାର ଫାଉଣ୍ଟେନ୍ ପେନ୍ ମାତ୍ର । ଅନୁ ନିରାଶ ହେଲା । ନା, ନା, ଅନୁର ବାକ୍ସ ବାହାରିଲା । ରବର, କାଳି, ଦୁଆତ, ନିବ୍, କାଚ କଲମ, ପେନସିଲକଟା କଳ । ଆଉ ଅତି ସୁନ୍ଦର, ଅତିପ୍ରିୟ, ଅନୁର ବିଶେଷ ପ୍ରାର୍ଥିତ, ହଳେ ବାଦାମୀ ଯୋତା, କଲିକତାର ତିଆରି ଇଙ୍ଗ୍ଲିସ୍ ସୁ । ଆଉ ତା ପଛକୁ ଗାଟର, ଗେଞ୍ଜି, ମୋଜା ! ଶେଫାଳୀର ମୁଖ ଶୁଖିଗଲା । ଅନୁର ଏତେ ଆସିଛି, ତାର ଛାର କୁଣ୍ଡେଇ କେତୋଟି ! ଅଭିମାନିନୀ କାନ୍ଦି ପକାଇଲା; ମାତ୍ର ହଠାତ୍ ଏ କଣ ! ସୁନ୍ଦର ସେମିଜ୍, କ୍ଷୁଦ୍ର ପେଟି କୋଟ୍, ଛୋଟ ଜାକେଟ । ଏଥର ଉଭୟଙ୍କର ଆନନ୍ଦ ପୂର୍ଣ୍ଣ । ପୂଜା ଛୁଟି ନିକଟ, ପୂଜାର ଆୟୋଜନ ହେଲାଣି ! ପିଲାଙ୍କର ପୂଜା ଉପହାର କଲିକତାରୁ ଆସିଲା । ପିଲାମାନଙ୍କର ଦେଖା ସରିଲା । ଭୃତ୍ୟ ଦୋଳି
ଆଲମାରୀରେ ବନ୍ଦ କଲା । ଶେଫାଳୀ ଓ ଅନୁ କଳହ ଭୁଲିଗଲେ । ଶେଫାଳୀ ଚିନ୍ତିତା ହୋଇ ପଡ଼ିଲା, ପୁଅ ଆସିଛି, ଝିଅ ଆସିଛି, ବାହାଘର ହେବ । କଣ କଣ କରିବ, କେତେ ଲୋକ ନିମନ୍ତ୍ରଣ କରିବ, କଣ କଣ ରାନ୍ଧିବ, ଏ ସବୁ ସେ ଠିକ୍ କରି ପାରୁ ନାହିଁ । ବଡ଼ ବ୍ୟସ୍ତ ! ବାହାଘର କଣ ସାମାନ୍ୟ କଥା ! ଦୁଇ ଦୁଇଟା ପୁଅ ଝିଅ । ବଡ଼ ବୋଝ । ବିଚାରୀ ଅନୁର ଶରଣ ନେଲା । ବିଜ୍ଞବୃଦ୍ଧ ଅନୁ ତାହାର ଚିନ୍ତାରେ ବିଚଳିତ ହେବାର କୌଣସି କାରଣ ନ ପାଇ କହିଲେ, “ଏହି କଥା, ମୁଁ ସବୁ ହିସାବ ପତ୍ର ରଖିବି,
ନିମନ୍ତ୍ରଣ କରିବାକୁ ଯିବି, ମୋର ଫାଉଣ୍ଟେନ୍ ପେନ୍ରେ ଲେଖିବି ଏକା । ଆଉ ଦେଖ ଶିଉଳି, ତୋର ଏତେ କାମ କରିବି, ଆଗତୁରା କିଛି ବହିନା ନ ଦେଲେ ଚଳିବ ନାହିଁ ।” ଚତୁରା ଶେଫାଳୀ ବୁଝିଲା, “ହଁ ହଁ, ଘୁଡ଼ି ଉଡ଼େଇବୁ, ପଇସା ମାଗୁଛୁ । ଥାଉ ତୋ କାମ, ମାଳତୀ ଅପା କରିଦେବ ।”
ଶେଫାଳୀକୁ ବହଳାଇ ଅନୁ କହିଲା, “ଦେଖ ଶିଉଳି, ମାଳତୀଅପା ମୂର୍ଖ । ମୁଁ ଇଙ୍ଗ୍ରାଜୀରେ ହିସାବ ଲେଖିବି; ଆଉ ଝିଅ ଶାଶୁଘରକୁ ଗଲେ ତାକୁ ଛାଡ଼ିବାକୁ ଯିବି, ଜାଣୁ, ମୋର ନୂଆ ଯୋତା, ଗେଞ୍ଜି କମିଜ ସବୁ ସେ ଦିନ ପିନ୍ଧିବି । ଯେତେ ହେଲେ ବାହାଘର ।”
ସତ କଥା, ଯେତେହେଲେ ବାହା ଘର, ସେହିକ୍ଷଣି କାଗଜ କଲମ ଆସିଲା, ବାହାଘର ନିମତ୍ରଣ ଫର୍ଦ୍ଦ ହେଲା, ପ୍ରଥମ ବାବା, ଦ୍ୱିତୀୟ ବୋଉ, ତୃତୀୟ ମାଳତୀଅପା ଘର, ଚତୁର୍ଥ ସେବତୀ ନାନୀ ଘର, ପଞ୍ଚମ ବରକର୍ତ୍ତ୍ରୀ ଜାନକୀ ଘର, ଷଷ୍ଠ କନ୍ୟାକର୍ତ୍ତ୍ରୀ ଚମ୍ପା ଘର । ସବୁ ହେଲା, ସମସ୍ତେ ନିମତ୍ରିତ ହେଲେ । ଇଚ୍ଛାରେ ହେଉ ବା ଭୁଲରେ ହେଉ ଶେଫାଳୀ ଅନୁ ନାମ ଛାଡ଼ି ଗଲା । କାର୍ଯ୍ୟ ଶେଷ ହେଲା, ରାଗରେ ଅନୁ ମୁହଁ ଫୁଲାଇଲା । “ରଖ ଲୋ ତୋ ବାହାଘର, ଏତେ କାମ କରିବି, ମୋତେ ପୁଣି ନିମତ୍ରଣ ନାହିଁ ! ବିନା ନିମନ୍ତ୍ରଣରେ ତୋ ଘରେ ଖାଇବାକୁ ଯିବି ? ମୁଁ କଣ ଏକଘରକିୟା ?”
“ହଁ, ହଁ, ତୋ ନାଁ ଲେଖ ।” ଉତ୍ସୁକ ଭାବରେ ଭୀତା ଶେଫାଳୀ କହିଲା, ପଛେ ଅନୁ କଳହ କରିବ, ବାହାଦିନ ଅନର୍ଥ ଘଟାଇବ । କାରଣ ସେଥିରେ ସେ ବିଶେଷ ପଟୁ, ଶେଫାଳୀର ମୃତ୍ତିକା ଗୃହ, ଛୋଟ ଛୋଟ ଚୁଲ୍ଲୀ ଭାଙ୍ଗିବାରେ ବଡ଼ ପାରଗ । ଅଲକ୍ଷ୍ୟରେ ତରକାରୀରେ ଅଯଥା ଲୁଣ ଦେଇ ଥରେ ଶେଫାଳୀକୁ ବିବ୍ରତ କରିଥିବା କଥା ସେ ଭୁଲି ନାହିଁ ।
କାର୍ଯ୍ୟ ଶେଷ ହେଲା, ଅନୁର ପ୍ରାପ୍ୟ ଦୁଇଗଣ୍ଡା ପଇସା, ଶେଫାଳୀ ବଡ଼ କଷ୍ଟରେ ଆଣି ଦେଲା । ଉପାଧାନ ତଳେ ଯତ୍ନରେ ରକ୍ଷା କରି ଅନୁ ଶୟନ କଲା । ଅନୁ ଗାଢ଼ ନିଦ୍ରାଭିଭୂତ, ଧୀରେ ହାତ ଗଳାଇ ଶେଫାଳୀ ପାଇସାତକ ନେଇ ପଳାଇ ଗଲା । ସକାଳେ ଉଠି ଅନୁ ତକିଆତକ ଖୋଜିଲା, ପଇସାର ଚିହ୍ନି ବର୍ଣ୍ଣ ନାହିଁ ।
( ୩ )
ସେ ସୁଖମୟ ବାଲ୍ୟକାଳ ଅତୀତ । ଶେଫାଳୀକୁ କନ୍ଦାଇ ତାକୁ ସଙ୍ଗିହୀନ କରି ଅନଙ୍ଗ ମାଇନର ପାଶ୍ ପରେ କଟକ ଚାଲି ଯାଇଅଛି । ଛୁଟି ଆଦିରେ ଆସେ । ଆଗପରି ଖେଳାଖେଳି କରେ ନାହିଁ । ଦିବା ରାତ୍ର ପଢ଼ୁଥାଏ । ଅନୁର ବିଚ୍ଛେଦରେ ପ୍ରଥମେ ପ୍ରଥମେ ଶେଫାଳୀ ଅତିଶୟ କାତର ହେଉଥିଲା; ମାନ୍ତ୍ର ଆଜି−କାଲି ସହି ଗଲାଣି । ଅନୁ କଟକ ଗଲେ ସେ ଦିନ ଗଣୁଥାଏ, କେବେ ଆସିବ । କଟକ ବେଶି ଦୂର ନୁହେ । ସେଥିପାଇଁ ଯେ କୌଣସି ବଡ଼ ଛୁଟିରେ ଅନୁଗୃହକୁ ଆସି ପାରେ । ଶେଫାଳୀ ଦିନ ଗଣେ । ଦୋଳ ଗଲା । ପୁଣି ଖରାଛିଟି; ସେ ଗଲା-ପୁଣି ମହରମ- ପୁଣି ପୂଜା;-ପୁଣି ବଡଦିନ । କୌଣସି କୌଣସି ଶନିବାର ମଧ୍ୟ ଆସି ରବିବାରକୁ ଚାଲିଯାଏ; ମାନ୍ତ୍ର ଶେଫାଳୀ ଦିନ ଗଣୁଥାଏ । ଅନୁ ଗଲା ପରେ ତାହାର ଦିନଗୁଡ଼ାକ ବଡ଼ ହୋଇଯାଏ, ସରେ ନାହିଁ; ମାନ୍ତ୍ର ସେ ଧୈର୍ଯ୍ୟ ଧରି ଦିନ ଗଣୁଥାଏ ।
ଅନୁର ଏଣ୍ଟ୍ରାନ୍ସ ପରୀକ୍ଷା ଶେଷ ହୋଇଅଛି; ପ୍ରଥମ ଶ୍ରେଣୀରେ ପାଶ୍ କରି ବୃତ୍ତି ପାଇଅଛି । ଛୁଟି ଶେଷ ହୋଇ ଆସିଲାଣି, କଲିକତା କଲେଜକୁ ଯିବାକୁ ସମସ୍ତ ସାମଗ୍ରୀ ପ୍ରସ୍ତୁତ । ମଧ୍ୟରେ ଦୁଇଦିନ ବ୍ୟବଧାନ, ତାହାର ହୃଦୟରେ ଯୁଗପତ୍ ହର୍ଷ ଓ ବିଷାଦ ଉପସ୍ଥିତ । ଛୁଟିର ଦୀର୍ଘ ଦୁଇନାସ ଗୃହରେ ଅବସ୍ଥାନ କଲାପରେ ପ୍ରିୟ ପିତା, ମାତା ଓ ଶେଫାଳୀକୁ ଛାଡ଼ି ଯିବାକୁ ମନ ବଳୁନାହିଁ । ମାନ୍ତ୍ର ସେ ପିଲା ନୁହେଁ । ସପ୍ତଦଶ ବର୍ଷ ବୟସ୍କ କିଶୋର ବାଳକ । ଆପଣାର ଭବିଷ୍ୟତ୍
ଭାବୁଅଛି, ମାନ୍ତ୍ର କାହିଁକି କେଜାଣି ଗୋଟିଏ ସୁନ୍ଦର ମୁଖ ଘନ ଘନ ତାହାର ଆଖି ଆଗରେ ଭାସି ଉଠୁଅଛି । ତାହାର ମନଟା ଚଞ୍ଚଳ ହେଉଅଛି । ପୁଣି ପରକ୍ଷଣରେ ଅଦୁଷ୍ଟପୂର୍ବ କଲିକତା ମହାନଗରୀର କାଳ୍ପନିକ ସୌନ୍ଦର୍ଯ୍ୟ ବିଷୟ ଭାବି ମନ ଉତ୍ସକ ହୋଇ
ଅନୁ ଭାବୁଅଛି ନାନା କଥା । ହଠାତ୍ ପଶ୍ଚାଦ୍ଦିଗରୁ କିଏ ଆସି କୋମଳ ବୀଣାବିନିନ୍ଦିତ କଣ୍ଠରେ ତାକୁ ଆହ୍ୱାନ କଲା । ବାଳକ ମୁଖ ଫେରାଇଲା । ସମ୍ମୁଖରେ ସ୍ନେହରୂପିଣୀ ଶେଫାଳୀ କଣ କହିବ କହିବ, କହି ପାରୁ ନାହିଁ । ଅନୁ ଆଶ୍ଚର୍ଯ୍ୟ ହେଲା । ପ୍ରଫୁଲ୍ଲ ପଦ୍ମାନନା ଶେଫାଳୀ ମୁଖରେ ଏତେବଡ଼ ବିଷାଦର ଘନ ମେଘାବରଣ କେବେ ସେ ଦେଖି ନାହିଁ । ମଧ୍ୟ ଆଜି−କାଲି ଶେଫାଳୀ ବିଶେଷ ଗମ୍ଭୀରା । ହଠାତ୍ ତାହାର ଏକ ଦୁଃଖ ? ତାକୁ ନୀରବ ଦେଖି ଅନୁ ପଚାରିଲା, “ଶିଉଳି, କଣପାଇଁ ମୁହଁ ଶୁଖାଇଛୁ ?” କିଛିକ୍ଷଣ ଶେଫାଳୀ ଉତ୍ତର ଦେଇ ପାରିଲା ନାହିଁ । ମନ ମଧ୍ୟରେ କିଛି ଗୋଟାଏ ଖୋଜିଲା । “ତୁ କଲିକତା ଯିବୁ” ଏହା କହି ଚକ୍ଷୁରୁ ଲୁହ ଝର ଝର ବୁହାଇଲା । ଅନୁ ତ ଅବାକ୍ ! “ଏ କଣ ଶିଉଳି ?” ଆଦର କରି ପିଠି ଆଉଁଷି ଅନୁ ପଚାରିଲା । ବହୁକ୍ଷଣ ଶେଫାଳୀ କିଛି କହିପାରିଲା ନାହିଁ । ଅନେକ କଷ୍ଟରେ ଆତ୍ମସମ୍ଭରଣ କରି କହିଲା, “ଅନୁ, ମୁଁ ଭାବିଥିଲି, ତୋର କଟକ ପଢ଼ା ସରିଲେ ତୁ ଘରେ ରହିବୁ, ତୁ କଲିକତା ଯିବୁ କାହିଁକି, ଆଉ ନ ପଢ଼ିଲେ ? ଅନୁ ହସିଲା, କିଛିକ୍ଷଣ ପରେ ସମବେଦନାପୂରିତ କଣ୍ଠରେ କହିଲା, “କାହିଁକି ଆଉ ପଢ଼ିବ ନାହିଁ ? ମୁଁ ବୃତ୍ତି ପାଉଛି; ପଢିବି, ବି.ଏ. ପାଶ୍ କରିବି, ଗ୍ରାଜୁଏଟ ହେବି, ଆମ ଘରର ନାଁ ହେବ । ହୁଣ୍ଡା ମୂର୍ଖ ପରି ଘରେ ବସି ରହିଲେ ସମସ୍ତେ ହସିବେ ।”
ଅଭିମାନରେ ଶେଫାଳୀ କହିଲା, “ତୁ କଣ ହୁଣ୍ଡା ମୂର୍ଖ ? ଆମ ଗାଁରେ ତ କେହି ପାଶ୍ କରିନାହିଁ । ତୁ ଏତିକି ପାଶ କଲୁ, ହେଲା ନାହିଁ ? କଣ ଚାକିରି କରିବୁ ? ତୁ ଚାଲିଗଲେ ମତେ ଭଲ ଲାଗିବ ନାହିଁ । କଲିକତା ଏତେ ଦୂର, ତୁ କଣ ସବୁ ଛୁଟିରେ ଆସି ପାରିବୁ ?”
ଶେଫାଳୀ-ନାହିଁ ନାହିଁ, ମତେ ଭଲ ଲାଗିବ ନାହିଁ ।
ଅନୁ-ଆରେ, ତତେ ଭଲ ଲାଗିବ ନାହିଁ ବୋଲି କଣ ମୁଁ ପାଠ ଛାଡ଼ି ଆସିବି ? ମତେ କିଏ ପୋଷିବ ?
ଶେଫାଳୀ ଆଶ୍ଚର୍ଯ୍ୟ ହୋଇ କହିଲା-କାହିଁକି ବାବା ପୋଷିବେ । ଏତେଦିନ କିଏ ପୋଷିଲା ? ବାବା ତ ?
ଅନୁ-ବାବା ପୋଷିବେ ସତ; ମାନ୍ତ୍ର ପଢ଼ିବା କଣ ମନ୍ଦ ? ମୋର ବି, ଏ, ପାଶ୍ ହେଲେ ତୁ ଖୁସି ହେବୁ ନାହିଁ ?
ଶେଫାଳୀ ନିର୍ବୋଧ ପରି କହିଲା-ନା, ତୁ କଲିକତା ଯାଇ ବି, ଏ, ପାଶ୍ କରିବୁ, ଚାରିବର୍ଷ ପରେ ଆସିବୁ, ମୁଁ ଖୁସି ହେବି ନାହିଁ । ସରଯୁ ଦି କହୁଥିଲେ କଲିକତା ଅଦ୍ଭୁତ ସହର । ସେଠାକାର ଲୋକେ ଦୁଷ୍ଟ, ଠକ, ମିଛ କହନ୍ତି । ତୁ ଏକା ସେଠି କେମିତି ରହିବୁ ? ମୋର ଭାରି ଭୟ, ଚୋର ଯଦି ତୋତେ କାଟେ !
ଅନୁ ପୁଣି ହସିଲା–ମୂର୍ଖ, ଏ ପରା ଇଙ୍ଗ୍ରାଜ ରାଜ୍ୟ ! କିଛି ଭୟ ନାହିଁ । ମୁଁ କଲିକତା ଗଲେ ତୋ ପାଇଁ ଶଙ୍ଖା ପଠାଇବି, କେତେ ସୁନ୍ଦର ସୁନ୍ଦର କାଚ ପଠାଇବି, ଯାହା ଭଲ ଦେଖିବି ପଠାଇବି । କଲିକତା କଣ ଏମିତି ସେମିତି ! ଆମ ଦେଶରେ ଦିନ ରାତି ଦୁଇଟା ଅଛି, ସେଠାରେ ଖାଲି ଦିନ, ବିଜୁଳିବତୀର ଆଲୁଅରେ ରାତି କିଏ ଦିନ କିଏ ଚିହ୍ନି ହେବ ନାହିଁ । ଏଠି ଆମର ଖଣ୍ଡେ ଖଣ୍ଡେ କୋଠା, ସେଠି ସମସ୍ତଙ୍କର କୋଠା ଘର । ଏଠି ଆମେ କୂଅରୁ ପାଣି ଖାଉ, ସେଠି କଳପାଣି-! ଆଉ କେତେ କହିବି, କଲିକତା ଭାରି ସୁନ୍ଦର, ଭାରି ବଡ଼ ସହର, ସେଠିକାର ଲୋକେ ଖୁବ୍ ଭଲ-।
ଏହିପରି ଅନୁ କଲିକତା ସମ୍ବନ୍ଧୀୟ ଶ୍ରୁତପୂର୍ବ କଥାଗୁଡ଼ିକ ଆବୃତ୍ତି କରିବାକୁ ଲାଗିଲା, ଶେଫାଳୀ ନୀରବରେ ଶୁଣିଲା; ତଥାପି ତାହାର ମନରେ ଶାନ୍ତି ହେଲା ନାହିଁ ।
ଦିନ ଗଲା, ରାତି ହେଲା; ରାତି ଗଲା, ଦିନ ହେଲା । ଆଜି ଅନୁ କଲିକତା ପଥର ପଥିକ ହେଲା । ମନର ଦୁଃଖ ମନରେ ମାରି ହରିହର, ଇନ୍ଦୁମୁଖୀ ଓ ଶେଫାଳୀ ସ୍ନେହର ଅନୁକୁ ପଠାଇ ଦେଲେ । ଆଖିରୁ କଷ୍ଟରେ ଲୋତକ ସମ୍ବରଣ କଲେ, କାଳେ ବାଳକର ଅମଙ୍ଗଳ ହୁଏ । ଏହିପରି ମାସ ଦିନ ବହିବାକୁ ଲାଗିଲା । ଶେଫାଳୀର ହୃଦୟ ବଡ଼ ଶୂନ୍ୟ ବୋଧ ହେଲା । ବଡ଼ କଷ୍ଟରେ ସେ ନ କାନ୍ଦି ରହିଲା, କ୍ରମେ ତାହା ମଧ୍ୟ ସହ୍ୟ ହୋଇ ଗଲା । ପୂଜାଛୁଟି ଆସିଲା, ଅନୁ ଆସିଲା, ପୁଣି ଗ୍ରୀଷ୍ନାବକାଶ ଆସିଲା, ଅନୁ ଆସିଲା, ତାକୁ କଲିକତାର ଅସଂଖ୍ୟ ଗଳ୍ପ ଶୁଣାଇଲା । ଅନେକ ପଦାର୍ଥ ଆଣି ଦେଲା ।
ଅନୁର ଏଫ୍. ଏ. ପାଶ୍ ହୋଅଛି । ବର୍ତ୍ତମାନ ସେ ବି. ଏ. କ୍ଲାସର ଛାତ୍ର; ତାହାର ଇଚ୍ଛା ଓକାଲତୀ ମଧ୍ୟ ପଢ଼ିବ । ପିତାଙ୍କୁ ଲେଖିଲା । ସ୍ୱାସ୍ଥ୍ୟହାନି ଭୟରେ ପ୍ରଥମେ ହରିହର ଅନୁମତି ଦେବାକୁ ଇତସ୍ତତଃ କଲେ; ମାତ୍ର ବାଳକର ଆଗ୍ରହାତିଶଯ୍ୟ ଦେଖି ଅବଶେଷରେ ସମ୍ମତ ହେଲେ । ଅନୁ ଦୃଢ଼ପ୍ରତିଜ୍ଞା ସହ ଏକାନ୍ତ ଅଧ୍ୟୟନ କରିବାକୁ କଲିକତାରେ ରହିଲା ।
ଶନିସପ୍ତାଚିନ୍ତାମଣି ମହାନ୍ତି ଚିନ୍ତାମଣି ମହାନ୍ତି