ଭ୍ରାନ୍ତି
କୁନ୍ତଳା କୁମାରୀ ସାବତ · ଭାଗ ୫ / ୫
ସମ୍ପୂର୍ଣ୍ଣ ସୂଚୀପତ୍ର
( ୧୨ )
ଶେଫାଳୀର ବିବାହ ଦୁଇଦିନ ମାତ୍ର ବାକି । ସମସ୍ତ ଆୟୋଜନ ଉଦ୍ଯୋଗ ପୂର୍ଣ୍ଣ । ହଠାତ୍ ଗାଧୋଇ ଆସି ଶେଫାଳୀ ନାସିକାରୁ ଗଳ ଗଳ ହୋଇ ରକ୍ତ ବହିଗଲା । ଇନ୍ଦୁ ଓ ହରିହର ବାବୁ ମୂର୍ଚ୍ଛିତପ୍ରାୟ ହେଲେ । ଡାକ୍ତର ଦିଗମ୍ୱର ଚୌଧୁରୀ, କବିରାଜ କାହ୍ନୁ ଚରଣ ହୋତା ଆସି ଉପସ୍ଥିତ ହେଲେ । ଡାକ୍ତର ଡିଗ୍ରୀ ଲଗାଇ ଦେଖିଲେ ୧୦୩ ଡିଗ୍ରୀ ଜର । ପରେ ପରେ ଦୁଇ ଥର ବାନ୍ତି ହେଲା, ପୁଣି ହେଲା ଭେଦ, ଡାକ୍ତର ବର୍ଣ୍ଣ ଦେଖି ଭୀତ ହେଲେ ! ଏ କଣ ଟାଇଫଏଡ଼୍ ? ବହୁଦର୍ଶୀ ଡାକ୍ତରଙ୍କର ମଧ୍ୟ ବଡ଼ ସନ୍ଦେହ ହେଲା । ରୋଗିଣୀର ଯଥୋପଯୁକ୍ତ ବ୍ୟବସ୍ଥା କରି ସନ୍ଧ୍ୟାକୁ ଆସିବେ କହି ଡାକ୍ତର ବିଦାୟ ହେଲେ ।
କବିରାଜ ପ୍ରବୀଣ, ତାଙ୍କର ହାତଯଶ ଗ୍ରାମରେ ଓ ଚାରିଆଡ଼େ ଘୋଷିତ । ସେ ନାଡ଼ିଦେଖି କହିଲେ ଜ୍ୱରଟି ବିଷମ । ହରିହର ଓ ଇନ୍ଦୁମୁଖୀଙ୍କର ହଁସା ଉଡ଼ିଗଲା । ଇନ୍ଦୁ ଚିତ୍କାର କରି କାନ୍ଦିବାକୁ ଲାଗିଲେ । ସେହିକ୍ଷଣି କଟକକୁ ତାର ପ୍ରେରିତ ହେଲା । ବହୁଦର୍ଶୀ ଡାକ୍ତର ଓ ସର୍ଜନମାନେ ପହଞ୍ଚିଲେ । ରୋଗୀକୁ ପରୀକ୍ଷା କଲେ । ସମସ୍ତେ କହିଲେ ଟାଇଫଏଡ଼୍ । ଅଙ୍ଗରେ ଲାଲବର୍ଣ୍ଣ ଚିହ୍ନମାନ ବାହାରି ପଡ଼ିଲା, ଜ୍ୱର ଦିନକୁଦିନ ବଢ଼ିବାକୁ ଲାଗିଲା ।
ଏହିପରି ଏକସପ୍ତାହ ଗଲା । ଇନ୍ଦୁଙ୍କର ଖିଆପିଆ ନାହିଁ, ଏକମାତ୍ର ସନ୍ତାନର ଏ ଦୁର୍ଦ୍ଦଶା ସ୍ୱଚକ୍ଷୁରେ ଦେଖିବା ଅପେକ୍ଷା ମରିବା ଭଲ । ଦିନ ନାହିଁ, ରାତ୍ର ନାହିଁ, ଇନ୍ଦୁ ଶଯ୍ୟା ନିକଟରେ, ରୋଗିଣୀର ଅଙ୍ଗ ଅଗ୍ନିପରି ଉତ୍ତପ୍ତ, ଖଇ ଫୁଟୁଅଛି, ସେ ଅଜ୍ଞାନ, ପ୍ରଳାପ କରୁଅଛି । ତାହାର ଚକ୍ଷୁ ରକ୍ତବର୍ଣ୍ଣ । ଡାକ୍ତରମାନେ ଭରସାହୀନ । ସମସ୍ତେ ଏକ ବାକ୍ୟରେ କହିଲେ, ଏ ଜ୍ୱରରେ ଶୁଶ୍ରୂଷାଦି ଏକମାତ୍ର ଚିକିତ୍ସା, ଦୀର୍ଘ ଏକମାସ ଜ୍ୱର ଭୋଗ । ଦୀର୍ଘ ଏକମାସ ପ୍ରତି ମୁହୁର୍ତ୍ତ ଜଗିରହି ଉତ୍ତମରୂପେ ଧୀର ଚିତ୍ତରେ ଶୁଶ୍ରୂଷା କରିବାକୁ ହେବ । ନୋହିଲେ ରୋଗିଣୀର ଜୀବନାଶଙ୍କା । କିନ୍ତୁ ଇନ୍ଦୁ ସେ ଶକ୍ତିବିହୀନ । ତାଙ୍କର ସମଗ୍ର ମାତୃହୃଦୟ ସନ୍ତାନର ଅନିଷ୍ଟାଶଙ୍କାରେ ଅଭିଭୂତ । ସେ ତ ନିଜେ କ୍ଷଣେ କ୍ଷଣେ ମୂର୍ଚ୍ଛିତା ହେଉଅଛନ୍ତି, ଶେଫାଳୀର କି ସେବା କରିବେ, ହରିହର ବାବୁ ଆଉ କାହା ଉପରେ ଭରସା କରି ପାରିଲେ ନାହିଁ । ତତ୍କ୍ଷଣାତ୍ ସରଯୂ ନିକଟକୁ ଅର୍ଜେଣ୍ଟ ଟେଲିଗ୍ରାଫ୍ ହେଲା-“ଶୀଘ୍ର ନର୍ସ ଡାକ୍ତର ଘେନି ଆସ, ଶେଫାଳୀର ଟାଇଫଏଡ୍ ।” ପରଦିନ ସରଯୂ ଉପସ୍ଥିତ । ସଙ୍ଗେ ସଙ୍ଗେ ଅନଙ୍ଗ ମୋହନ । “ଆସିଛ ବାବା, ଆସିଛ” କାନ୍ଦି କାନ୍ଦି କହି ହରିହର ମୂର୍ଚ୍ଛିତ ହେଲେ । ଅନୁ କିନ୍ତୁ ଦୃଢ଼ । ତାହାର କି ଏ ସମୟରେ କାନ୍ଦିବାର କଥା, ସେ ଅଣ୍ଟା ଭିଡ଼ି ଶେଫାଳୀର ଶଯ୍ୟାରେ ବସିଲା । କଲିକତାର ବିଖ୍ୟାତ ଡାକ୍ତର, ରମେଶର ପ୍ରାଣଦାତା ଟି. ଏମ୍. ବାନୁର୍ଯ୍ୟା ଚିକିତ୍ସାର ଭାର ନେଲେ । ସରଯୂ ଅନୁର ସାହାଯ୍ୟାର୍ଥ ରହିଲେ । ଇନ୍ଦୁ ଓ ହରିହର ଅବ୍ୟାହତି ପାଇଲେ । ରୋଗର ପ୍ରକୋପ ଅତ୍ୟନ୍ତ ପ୍ରବଳ । ଦିନ ପରେ ଦିନ ଯାଉଅଛି; ମାତ୍ର ରୋଗର ବୃଦ୍ଧି ବିନା ହ୍ରାସ ନାହିଁ । ଶେଫାଳୀ ସମ୍ପୂର୍ଣ୍ଣ ଅଜ୍ଞାନ, ତାହାର ଚକ୍ଷୁ ନିସ୍ତେଜ; ସର୍ବାଙ୍ଗ ଝାଳ, ଅସ୍ପଷ୍ଟ ପ୍ରଳାପ, ସେ ଅଜ୍ଞାନ ଅବସ୍ଥାରେ ଶଯ୍ୟା ଦରାଣ୍ଡୁ ଅଛି, କଣ ଗୁଡ଼ାଏ କହିଯାଉଅଛି । ସମସ୍ତେ ଭୀତ । ସ୍ୱୟଂ ଡାକ୍ତର ବାବୁ ଟି. ଏନ୍ ବାନୁର୍ଯ୍ୟାଙ୍କର ଆଶା ଭରସା କ୍ରମେ କ୍ଷୀଣ ହେଲାଣି; ମାତ୍ର କେବଳ ଅନଙ୍ଗ ହୃଦୟରେ ପ୍ରବଳ ଆଶା । ଶେଫାଳୀର ଜୀବନ ମୃତ୍ୟୁସଂଗ୍ରାମରେ ଅନଙ୍ଗ ହିଁ ଏକମାତ୍ର ଜୀବନ ଦେବାକୁ ପ୍ରସ୍ତୁତ । ତାହାର ସମଗ୍ର ଶକ୍ତି ଏକତ୍ରିତ କରି ସେ ଯୁଦ୍ଧ କରୁଅଛି । ଘଣ୍ଟାକୁ ଔଷଧ, ଘଣ୍ଟା କୁ ଘଣ୍ଟା ପଥ୍ୟ ନିୟମିତ−ରୂପେ ଦେଉଅଛି । ତାହାର ଶ୍ରାନ୍ତି ନାହିଁ, ଆହାର ନାହିଁ, ନିଦ୍ରା ନାହିଁ, ହୃଦୟରେ ଭୟ ନାହିଁ, ଅବିଶ୍ୱାସ ନାହିଁ, ଭଗବାନ ଅଛନ୍ତି, ଏତିକି ମାତ୍ର ଭରସା । ତାହାଙ୍କ ଇଚ୍ଛା ବିନା କି କେହି ମରି ପାରେ ?
ଆଜି ରୋଗର ଏକୋଇଶ ଦିନ, ଆଜି ଜଣାଯିବ, ଏପାରି କି ସେପାରି । ଅତି ପ୍ରଭାତରୁ ଅନଙ୍ଗ ବସି ରହିଲା । ସେ ଆଜି ଜଳ ଗ୍ରହଣ କରି ନାହିଁ, ଏକ−ଧ୍ୟାନରେ ଈଶ୍ୱରଙ୍କୁ ଡାକୁଅଛି । ସରଯୂ ଆସି ବିଶେଷ ବକାବକି କରିବାରୁ ଟିକିଏ ଚାହା ଖାଇଅଛି । ସାରା ଦିନଟା ଗଲା । ସନ୍ଧ୍ୟାରୁ ଡାକ୍ତର ବାବୁ ଔଷଧ, ଇଞ୍ଜେକ୍ସନ ଯନ୍ତ୍ରାଦି ଘେନି ରୋଗୀ ଶଯ୍ୟା ନିକଟରେ ବସି ରହିଲେ, ମସ୍ତକ ଉପରେ ଅନଙ୍ଗମୋହନ, ପାର୍ଶ୍ୱରେ ସରଯୂ । ଘଣ୍ଟା ଘଣ୍ଟା ହୋଇ ରାତ୍ରି କଟିବାକୁ ଲାଗିଲା । ଡାକ୍ତର ଗୋଟାଏ ଦୁଇଟା ଇଞ୍ଜେକ୍ସନେଲେ । ସରଯୂ ଚାମଚେ ପଥ୍ୟ ଦେଲେ । ମାତ୍ର ତୋକି ହେଲା ନାହିଁ, କଳବାଟେ ବହିଗଲା ।