ଅର୍ଜ୍ଜୁନ ଗୀତ
ଗଣକବି · ୧୮୮୨–୧୯୫୬
- ପଢ଼ିବା ସମୟ
- ୨ ମିନିଟ୍
- ଶବ୍ଦ
- ୨୫୯
- ସ୍ଥିତି
- ସାର୍ବଜନୀନ (Public domain)
[ହେଲିଟି ମେଲାଣି ଧନ - ବୃତ୍ତେ]
ମନ୍ଦଗମନା ରେ ! ନିନ୍ଦା କରି ପଛେ କଟୁ ଭାଷ । ଗୋବିନ୍ଦ ଭଗ୍ନୀ ହରଣେ କ୍ଷଣେ ନ ବଳିବ ଆଶ ।ପଦ । ନିନ୍ଦିବେ ଜଗତ ଲୋକ । ଟେକି ନ ପାରିବି ମୁଖ । ଛନ୍ଦ ନୁହେଁ କୁନ୍ଦଦନ୍ତୀ ଘଟିବ ଆୟୁଷ ଶେଷ ।୧। ଇନ୍ଦ୍ର ସହସ୍ରାକ୍ଷ ହେଲା । ଜଳନ୍ଧର ରଣେ ମଲା । ଚନ୍ଦ୍ର ହେଲେ କ୍ଷୟକାଳ ରାବଣ ସବଂଶ ଧ୍ୱଂସ ।୨। ଧାତା ଉର୍ବଶୀହରଣେ । ଟାହି କଲେ ଦେବଗଣେ । କୃଷ୍ଣ ବୈକୁଣ୍ଠବିହାରୀ ଯା’ ଠାରେ ଜଗତ ବଶ ।୩। ତାହାଙ୍କ ସଙ୍ଗେ ସମାନ । ହେବି କି ମୁଁନୀଚ ଜନ । ଫେରିଯାଅ ଘେନି, ମାନ ବଇଷ୍ଣବ ରଚେ ରସ ।୪।
(ସୁଭଦ୍ରାକୁ ଘେନି ସତ୍ୟଭାମାର ଫେରିଯିବା ଏବଂ ଏସବୁ ବିଷୟ କୃଷ୍ଣଙ୍କୁ ଜଣାନ୍ତେ କୃଷ୍ଣଙ୍କର ଉକ୍ତି)[ଗୋକୁଳାନନ୍ଦଚନ୍ଦ୍ରଙ୍କୁ - ବୃତ୍ତେ]
ସତ୍ରାଜିତଦୁଲଣି ରେ ସୁଭଦ୍ରାକୁ ବୋଧକର । ପ୍ରବୋଧି ଅର୍ଜ୍ଜୁନେ କାଲି କହିବି ମୁହିଁ ନିକର ।ପଦ । ନାନା କଥାରେ ଛଳାଇ । ତା ଚିତ୍ତ ଦେବି ଚଳାଇ । ଆଜି ନ କରିବ ନାହିଁ ନିଶିରେ ଇନ୍ଦ୍ରକୁମାର ।୧। ରୂପ ଗୁଣେ ଯୋଗ୍ୟ ପାର୍ଥ । ସୁଭଦ୍ରା ଧରୁ ତା ହାତ । ମାତାଙ୍କୁ ଜଣା ଯା ଶୁଣା ଯାହା ପୂର୍ବ ଉପକାର ।୨। ଯେ ଯା’କୁ ଯୋଗ୍ୟ ଯୁକତେ । ଲେଖା ତା ଦଇବ ହାତେ । ବିପକ୍ଷ ହେଲେ ତା କାଟି ନ ପାରିବେ ଚରାଚର ।୩। ପୁଣି ମାୟାବତୀ ତୁଲେ । ମନ୍ତ୍ରଣା ତୁ କର ଭଲେ । ମାୟାରେ ମୋହୁ ଅର୍ଜ୍ଜୁନେ ବଇଷ୍ଣବର ଏ ଗିର ।୪।
(ସତ୍ୟଭାମା ଦେବକୀ ନିକଟରେ ପ୍ରବେଶ, ଗୀତ)[ଦାସୀ ବୁଦ୍ଧି ହୁଡ଼ିଲି - ବୃତ୍ତେ]
ମାତ ଶୁଣ ମୋ ବାଣୀ । ଆସିଲି ରଖିବ ଥରେ ମୋର ମାଗୁଣିଗୋ ।ପଦ । ଦେଖି ଭଦ୍ରା ପାର୍ଥ ରୂପ-। ଭୋଗନ୍ତି ମନେ ସନ୍ତାପ । ବିଭାଦିଅ କର୍ଣ୍ଣେ କାହା କଥା ନ ଶୁଣି ଗୋ ।୧। ଭଦ୍ରା ଅନୁରୂପେ ବର-। ଅଟଇ ଇନ୍ଦ୍ରକୁମର । ପଠାଇଲେ ହରି ମୋତେ ଏ ଭାବ ଜାଣି ଗୋ ।୨। ଶୁଝିବେ ଅର୍ଜ୍ଜୁନ ୠଣ । ବସିଛନ୍ତି ନାରାୟଣ । ବୁଝିଛି ତାହାଙ୍କ ମନ ନେଇଛି କିଣି ଗୋ ।୩। କି କହୁଛ ଶାଶୁ କୁହ? ବିଳମ୍ବେ ହୃଦ ଅଥୟ । ନେବ କେ ଦୋଷ ଏ ଗୀତେ ବୈଷ୍ଣବ ଭଣି ଗୋ ।୪।
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର