ଦେବକୀର ଉକ୍ତି
ଗଣକବି · ୧୮୮୨–୧୯୫୬
- ପଢ଼ିବା ସମୟ
- ୪ ମିନିଟ୍
- ଶବ୍ଦ
- ୭୧୧
- ସ୍ଥିତି
- ସାର୍ବଜନୀନ (Public domain)
[ତାକୁ ଯା ଯା ବୋଲି କହିଦେ - ବୃତ୍ତେ]
ବୋହୂ ଯାଅ ଯା ବହନ ଚଳି । ମୋହନକୁ କହ, ତାର କଥା କେ ପାରିବ ଟାଳି ।ପଦ । ଭଦ୍ରାକୁ ପାର୍ଥ ତୁଲେ, ବିଭାଦେଉ ସେ ଭଲେ । ପଦେ ପଚାରେ ପଛକୁ ନ ଥିବ କିଳି ।୧। ପରଝୁଅକୁ ପରପୁଅ ସାରା ସଂସାର । ଅସାର ନୁହେ ଏ କିଛି ରୁହ ସୁଭଦ୍ରାର ଅଳି ।୨। ଭାଷ କୃଷ୍ଣକୁ ମାତ, କରିଲେ ସନମତ । ଯାଉଛି ରାମ ସଦନେ ବଇଷ୍ଣବ ଗୀତେ ଭାଳି ।୩।
(ଦେବକୀ ରାମକୁ ଜଣାନ୍ତେ ରାମଙ୍କର ଗୀତ)[ପ୍ରାଣସଙ୍ଗିନୀ ରେ, କାଲି ମୁଁ କି ଲାଜେ - ବୃତ୍ତେ]
ମାତ ଧର ନା ଗୋ, ଏ କଥାକୁ ତୁଣ୍ଡରେ ତିଳେ । ମୁଣ୍ଡରେ ପଡ଼ିବ ବଜ୍ର କଳଙ୍କ ଲାଗିବ କୁଳେ ।ପଦ । ହସିବେ ଦାଣ୍ଡରେ ଶୁଣି । ସେ ପରା ଭାଇ - ଭଉଣୀ । ଅକୁଳା କହ୍ନାଇ ଜଣାଯାଏ ରହିଛି ୟା ମୂଳେ ।୧। ପଠାଉଛି ଦୂତ ମାତ । ହସ୍ତିନାର ନରନାଥ । ଦୁର୍ଯ୍ୟୋଧନେ ଆଣି ବରି ଦେବା ଭଦ୍ରାକୁ ତା କୋଳେ ।୨। ସୁଭଦ୍ରାର ଯୋଗ୍ୟ ପତି । ଅଟେ ହସ୍ତିନା ନୃପତି । ତା କରେ ଦେଲେ ବିଭବ ଭୋଗିବ ଏ ମହୀତଳେ ।୩। କହ୍ନାଇକି ମନା କର । ମନକୁ ମନାଇ ତାର । ଘେନାଇବ ନାହିଁ ଏହା ବଇଷ୍ଣବ ରସେ ଭାଳେ ।୪।
(ଦେବକୀର ପ୍ରସ୍ଥାନ, ରାମ ଦୂତକୁ ଡାକି ହସ୍ତିନାକୁ ପ୍ରେରଣ, ଗୀତ)[ସୁବଳ ମୋ ବନମାଳି - ବୃତ୍ତେ]
ବହନ ଚଳ ଡଗର ହସ୍ତିନାପୁରେ ରେ । ଜଣା ମୋ ଆଦେଶ ରୁକୁମଣି ଆଗରେ ରେ ।ପଦ । ବିଭା ଦେବେ ସୁଭଦ୍ରାକୁ । ଡାକନ୍ତି ରାମ ତୁମ୍ଭଙ୍କୁ । ଉତ୍ସବ ହେବ କାଲି ଦ୍ୱାରିକା ନବରେ ରେ ।୧। ଶୁଭେ ସାଜି ବରବେଶ । ହେବ ଏଥେଁ ପରବେଶ । ଦେବଯୋଗ୍ୟ ନାରୀ ଘେନିଯିବ ସଙ୍ଗରେ ରେ ।୨। ବଜାଇଣ ବୀରବାଜା । ଉଡ଼ାଇ ଅମ୍ବରେ ଧ୍ୱଜା । ପିନ୍ଧି ଜାମା ଯୋଡ଼ା ମୋଜା ଆସୁ ରଙ୍ଗରେ ରେ ।୩। ଟାହି ନ ମଣିବ ବାଣୀ । ବଇଷ୍ଣବ ରସେ ଭଣି । ଲେଖିଦଉଛି ଚିଟାଉ ଅନୁରାଗରେ ରେ ।୪।
(ଦୂତର ଚିଟାଉ ଘେନି ପ୍ରସ୍ଥାନ)(ମାୟାବତୀ ମନ୍ତ୍ର ପାଇ ସୁଭଦ୍ରା ସତ୍ୟଭାମା ସଙ୍ଗେ ଅର୍ଜ୍ଜୁନ ନିକଟକୁଗମନ - ପଥେମଧ୍ୟେ ସୁଭଦ୍ରାର ଉକ୍ତି)[ଶ୍ରୀରାଧା ବାତୁଳି - ବୃତ୍ତେ]
ଶୁଣ ଗୋ ଭାଉଜେ ଆଜି ତ ସହଜେ ରାଜି ହୋଇକରି ନେବେ ପତି । ମନ ଉଲ୍ଲାସରେ ଅତି ହରଷରେ କହିଛନ୍ତି ମୋତେ ମାୟବତୀ । ଦେଇଛନ୍ତି ଯାହା । କହୁଛି ମୁଁ ତୁମ୍ଭ ଆଗେ ତାହା । ସିନ୍ଦୂର କଜ୍ଜ୍ୱଳ ଦେଖ କି ଉଜ୍ଜ୍ୱଳ ନେତ୍ରେ ଭାଲେ ରଞ୍ଜିଛି ମୁଁ ଏହା ।୧। ପୁଣି କବାଟରେ ମାରନ୍ତେଣ କର ଫିଟିଯିବ ଦ୍ୱାର ରୁଦ୍ଧ ଥିଲେ । ତୁଟିଯିବ କୋପ ଏହି ମନ୍ତ୍ରଧୂଳି ତାଙ୍କ ପରେ ନେଇ ପକାଇଲେ । ମୋର କର ଧରି । ଭାଷିବେ ବଚନ ସୁମାଧୁରୀ । କତିରେ ବସିବେ ଚାଟୁ ସମ୍ଭାଷିବେ ସେକାଳେ ତୁମ୍ଭେ ଆସିବ ଫେରି ।୨। ବାର ବାର ବରବରନା, ମୁଁ ଯେତେ ଅପମାନ ଭୋଗୁଅଛି ଜାଣ । ଥର ଥର ଦେହ ଡରେ ଥରୁଥାଏ ପୋଡ଼ିବାରୁ ମୋର ପଞ୍ଚମନ । ତୁମ୍ଭ ଆଦେଶରେ । ଗଲି ମାୟାବତୀଙ୍କ ବାସରେ । ଜଣାଯାଏ ଭାଗ୍ୟଚନ୍ଦ୍ର ଉଦେ ହେବ ଆଜି ନିଶୀଥରେ ଆକାଶରେ ।୩। ଏବେ ଗଲା ଜଣା ସନ୍ତାପ ଯନ୍ତ୍ରଣା - ଠାରୁ ବଳି କଷ୍ଟ ନାହିଁ କିଛି । ଗ୍ରାସିଲା ପରାୟେ ଅଙ୍ଗକୁ ମୋ ପ୍ରେତ ଜ୍ଞାନଜ୍ଞାନ ଆଉ ନ ରହୁଛି । ସତେ ଭାଗ୍ୟେ ଥିବ । ସେ ପୁରୁଷ କରେ କର ଦେବ । ଦ୍ୱାର ଅବରୁଦ୍ଧ ଅଛି ଏହି ପଦ ଭାଷେ ବାରିବର୍ଷି ବଇଷ୍ଣବ ।୪।
(କବାଟରେ ହାତ ମାରନ୍ତେ ଦ୍ୱାରମୋଚନ, ସୁଭଦ୍ରା କେଶଧରି ଅର୍ଜ୍ଜୁନର ଭୀତ)[ଯେଉଁ ହରି ହରି ପକାଉଛି ହୁରି - ବୃତ୍ତେ]କିଏ ତୁ ରାକ୍ଷସୀ ଆସି ଏ ନିଶିରେ ପଶିଲୁଲୋ ମୋର ବାସରେ ।ରସିଲୁ ମରଣେ କେବଣ କାରଣେ ପଡ଼ିଲୁ ଶମନ-ତ୍ରାସରେ ।୧।ନାରୀବଧ ପାପେ ଡରି ଲୋ ପାମରୀ, ମାରିବାକୁ ନ ଚଳଇ କର ।ତା ନୋହିଲେ କି ତୁ ରହିଥାନ୍ତୁ ଦୁଷ୍ଟା ନ ଯାଇଣ ଜନ୍ତୁପତିପୁର ।୨।
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର