ଆକାଶ ପ୍ରତି
ଭକ୍ତକବି · ୧୮୫୩–୧୯୧୨ · ରାଧାନାଥ ଯୁଗ
- ସଂକଳନ: କବିତାବଳୀ
- ପଢ଼ିବା ସମୟ
- ୩ ମିନିଟ୍
- ଶବ୍ଦ
- ୪୫୧
- ସ୍ଥିତି
- ସାର୍ବଜନୀନ (Public domain)
ଅନନ୍ତ ଅପାର ତୁହି ରେ ମହା ଆକାଶ,ପୃଥିବୀର କୀଟ ମୁହିଁ କ୍ଷୁଦ୍ରବୁଦ୍ଧି ନର ।କି ମହାନ କି ଗମ୍ଭୀର ତୋହର ପ୍ରକାଶ,ଭାବିଲେ ସ୍ତବଧ ଚିତ୍ତ ହୁଅଇ ମୋହର ।୧।ନ ଥିଲା ରେ ଯେତେବେଳେ ବିଚିତ୍ର ଭୁବନ,ନ ଥିଲା ଏ ସୂର୍ଯ୍ୟ ଚନ୍ଦ୍ର ଗ୍ରହ ତାରାବଳୀ,ନ ଥିଲା ଧରଣୀ ଏହି ଭୂତନିକେତନ,ଅନନ୍ତ ଅନ୍ଧାରେ ପୂର୍ଣ୍ଣ ଥିଲା ସର୍ବସ୍ଥଳୀ ।୨।ଅନନ୍ତ ନିବିଡ଼ ଘୋର ଅନ୍ଧକାରମୟ,ଥିଲା ବିଶ୍ୱ ରୂପ-ରେଖ-ଶୂନ୍ୟ ନିରାକାର ।ନିସ୍ତରଙ୍ଗ ଥିଲା ଯେବେ ଅନନ୍ତ ସମୟ,ଘଟନାବିହୀନ ଘୋର କାଳ-ପାରାବାର ।୩।ନ ଥିଲା ଯେ କାଳେ ସୃଷ୍ଟି-ଲୀଳା ଜଗତର,କେବଳ ଜାଗ୍ରତ ଥିଲେ ଅନାଦିକାରଣ,ଦେଶକାଳାତୀତ ବାକ୍ୟ-ମନ-ଅଗୋଚର,ଅନନ୍ତ ଚୈତନ୍ୟମୟ ବହ୍ମ ସନାତନ ।୪।ସେ କାଳରେ ଅବଲମ୍ବି ଅନାଦିକାରଣେଅସୀମ ଆକାଶ, ତୁହି ମହାମହିମାରେ(ସେ ମହିମା, ସ୍ତବ୍ଧ ଚିତ୍ତ ଯାହାର ଚିନ୍ତନେ !)ବିରାଜିତ ଥିଲୁ ବେଢ଼ି ଅନନ୍ତ ଅନ୍ଧାରେ ।୫।ସହସା ପ୍ରଥମ ଊର୍ମି ମହାକାଳ-ନୀରେଖେଳିଲା ଅନନ୍ତ ମହାମହେଶ-ଆଦେଶେ,ସହସା ପ୍ରକାଶେ ଜ୍ୟୋତି-ଧାରା ତୋ ଶରୀରେ,ଶୁଭ୍ର ମନ୍ଦାକିନୀ ଯଥା ବ୍ୟୋମକେଶ କେଶେ ।୬।ସାକ୍ଷୀ ତୁହି ରେ ଗଗନ, ସୃଷ୍ଟି ପ୍ରକ୍ରିୟାର,ଦେଖିଲୁ କେମନ୍ତେ ଜ୍ୟୋତି ଭେଦି ତମୋରାଶିପ୍ରକାଶିଲା କୋଟି କୋଟି ସୁନ୍ଦର ସଂସାର,ସୂର୍ଯ୍ୟ ଚନ୍ଦ୍ର ଗ୍ରହ ତାରା ତୋ ଦେହେ ବିନ୍ୟାସି ।୭।ପୃଥିବୀ ଜନମ ତୁହି ଦେଖିଲୁ ଗଗନ,ଜଳ-ସ୍ଥଳ-ଅଗ୍ନି-ବାୟୁ-ସଂଗ୍ରାମ ଭୈରବ ।ଦେଖିଲୁ ହିମାଦ୍ରି ଆଦି ଗିରି ଉନ୍ନମନ,ଅଚଳ ଶିଖର ନଦ ନଦୀର ଉଦ୍ଭବ ।୮।ପୁଷ୍ପର ପ୍ରଥମ ହାସ୍ୟ ତୋହରି ଗୋଚର,ପ୍ରଥମ ଜୀବର ସୃଷ୍ଟି ତୋର ସନ୍ନିଧାନେ,ସୃଷ୍ଟି ଆଦି ନର ନାରୀ ଅଗ୍ରତେ ତୋହର,ସର୍ବଦର୍ଶୀ ଅଟୁ ତୁହି ବିଧିର ବିଧାନେ ।୯।ଅତୀତର ଇତିହାସ କେ ଜାଣେ ତୋ ପରି,ସୁଖଦୁଃଖମୟ ଯେତେ ଘଟନାନିଚୟଘଟିଛି ଜଗତେ, ସବୁ ବିଦିତ ତୋହରି,ତୋ ଅଗ୍ରତେ ରାଜ୍ୟନାଶ, ରାଜ୍ୟ ଅଭ୍ୟୁଦୟ ।୧୦।ବଳିଷ୍ଠର ଅତ୍ୟାଚାର, ଦୁର୍ବଳ-ଦୁର୍ଗତି,ସ୍ୱାର୍ଥ ଦ୍ୱେଷ ଲୋଭାଦିର କ୍ରୂର ପ୍ରବଞ୍ଚନା,ଦେଖିଛୁ ସକଳ, ବ୍ୟୋମ ଗମ୍ଭୀରମୂରତି,ତୋପରି ବୁଝିବ କିଏ ପୃଥିବୀ ବେଦନା ।୧୧।ଆଦି ସୃଷ୍ଟି କାଳୁ ଅବଗାହି ଜ୍ୟୋତି ଜଳେକି ସୁନ୍ଦର କି ଉଦାର ଦେହଶ୍ରୀ ତୋହର !କହ ବ୍ୟୋମ, କିଏ ଅଛି ଏ ବିଶ୍ୱମଣ୍ଡଳେ,ତୋ ରୂପେ ନୁହଇ ମୁଗ୍ଧ ଯାହାର ଅନ୍ତର ।୧୨।ସକଳ ସୌନ୍ଦର୍ଯ୍ୟଲୀଳା ତୋହରି ଉତ୍ସଙ୍ଗେ,ନିତ୍ୟ ଲୀଳାଭୂମି ତୁହି କବିତା-ଦେବୀର,ନାଚଇ ଅଗଣ୍ୟ ବିଶ୍ୱ ନିତ୍ୟ ଲୀଳାରଙ୍ଗେତୋ ମହାସୁନୀଳ ବକ୍ଷେ ଶାସନେ ବିଧିରେ ।୧୩।କେତେ ବେଶ ଧରି ବ୍ୟୋମ ହେଉ ପ୍ରକାଶିତ,କେତେବେଳେ ଦିଗମ୍ବର ତୁହି ନୀଳାମ୍ବର,ନକ୍ଷତ୍ର ଶଶାଙ୍କେ କେବେ ତୋ ଦେହ ଭୂଷିତ,କେବେ ମେଘ-ଆଡ଼ମ୍ବରେ ଦିଶୁ ଭୟଙ୍କର ।୧୪।ସୁହାସିନୀ ଉଷାଦେବୀ ଆଲୋକ-ନନ୍ଦିନୀବନ୍ଦେ ଭକ୍ତିଭରେ ଯେବେ ତୋର ପଦତଳେ,ସହସା ହସଇ ଜାଗି ଉଲ୍ଲାସେ ମେଦିନୀ,ଲାବଣ୍ୟ-ଲହରୀ ଉଛୁଳଇ ଜଳେ ସ୍ଥଳେ ।୧୫।ସହସା କଟାକ୍ଷେ ତୋର ରବି ଜ୍ୟୋତିର୍ମୟରଞ୍ଜଇ ଧରଣୀମୁଖ କନକ-କିରଣେ,ସହସା ଫୁଟଇ ଫୁଲ ବହଇ ମଳୟ,ବିହଙ୍ଗ ସଙ୍ଗୀତ ଗାଏ ସୁମଧୁର ସ୍ୱନେ ।୧୬।ରଞ୍ଜିତ ଜଳଦ-ମଞ୍ଚୁ ଯେବେ ଅବତରିବୁଡ଼ଇ ପଶ୍ଚିମେ ଭାନୁ କୋଳରେ ତୋହର,ଧୀରେ ଧୀରେ ଅନ୍ଧକାର ଚୌଦିଗେ ଆବରିମଣ୍ଡଇ ନକ୍ଷତ୍ରମାଳେ ତୋର କଳେବର ।୧୭।କି ଗମ୍ଭୀର କି ପ୍ରଶାନ୍ତ ଭାବ ଶର୍ବରୀରେଜାଗଇ ଭାବୁକ ମନେ ତୋର ଦରଶନେ,କି ମହାନୀରବ ବେଦ ପ୍ରଚାରୁ ଗମ୍ଭୀରେ,ଶୁଣଇ ନୀରବ ବିଶ୍ୱ ଭୟସ୍ତବ୍ଧ ମନେ ।୧୮।କୌମୁଦୀ-ଚର୍ଚ୍ଚିତ ତୋର ନୀଳ କଳେବରପ୍ରଶାନ୍ତ ପବିତ୍ର ମୂର୍ତ୍ତି ଭୁବନମୋହନ,ନିମେଷେ କରଇ ଆହା କୁତ୍ସିତେ ସୁନ୍ଦର,ଦର୍ଶନେ ପବିତ୍ର କରେ କଳୁଷିତ ମନ ।୧୯।ଗଭୀର ନିଶିଥ କାଳେ ନିଦ୍ରିତା ଧରଣୀସ୍ୱପନେ ତୋ ମହାମୂର୍ତ୍ତି କରେ ଦରଶନ,ହସଇ ନୀରବେ ତେଣୁ ମହାନନ୍ଦେ ଧନୀ,ସୁପ୍ତ ଶିଶୁ ଦେଖି ଯେହ୍ନେ ସ୍ୱର୍ଗୀୟ ସ୍ୱପନ ।୨୦।ଧନ୍ୟ ଧନ୍ୟ ରେ ଆକାଶ, ଧନ୍ୟ ତୋ ମହିମା,ମହାଭାବ ଉପୁଜଇ ତୋର ଦରଶନେ,ଉଦାର ପ୍ରଶାନ୍ତ ତୋର ଅନନ୍ତ ନୀଳିମାସଂସାରର କ୍ଷୁଦ୍ରଭାବ ବିନାଶଇ କ୍ଷଣେ ।୨୧।ମୁହୂର୍ତ୍ତକେ ଘେନୁ ମୋତେ ରେ ମହାଗଗନ,ପରମାତ୍ମା ପ୍ରାଣସଖା ମହେଶ ଶ୍ରୀପଦେ,ମହାପ୍ରେମାବେଶେ ଅଶ୍ରୁ ବର୍ଷେ ମୋ ନୟନ,ଲଭଇ ମୁଁ ସ୍ୱରଗର ଆନନ୍ଦ ସମ୍ପଦେ ।୨୨।
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର
ଅଛତ ଅନ୍ତରେ
ଲକ୍ଷ୍ମୀନାରାୟଣ ସାହୁ
ଗୀତାଭିଧାନ
ଉପେନ୍ଦ୍ର ଭଞ୍ଜ