ତ୍ରୟୋଦଶ ଅଧ୍ୟାୟ — ଶ୍ରୀମଦ୍ ଭାଗବତ (ପ୍ରଥମ ସ୍କନ୍ଧ) — ଜଗନ୍ନାଥ ଦାସ · ସ୍ୱର୍ଣ୍ଣଲିପିସକଳ କଷ୍ଟହିଁ ପାଶୋରି ॥
ବିପଦ ଦୁଃଖ ଯେତେ ସହି ।ବନେ ବଞ୍ଚିଲୁ ପାଞ୍ଚଭାଇ ॥
ମାତା ସହିତେ ଜତୁଘରେ ।ଅଗ୍ନି ଦହନ ମହାଘୋରେ ॥
ବିଷ ଭକ୍ଷଣ ଆଦି ଯେତେ ।ତୋ ଆଗେ କହିବି ମୁଁ କେତେ ॥
ଅନେକ ପାପର ପ୍ରମାଦୁ ।ବଞ୍ଚିଲୁ ତୁମ୍ଭର ପ୍ରସାଦୁ ॥
ତୁ ଆମ୍ଭ ସ୍ନେହ ଦୂର କରି ।ଭ୍ରମଣ କଲୁ ବସୁନ୍ଧରୀ ॥
ଉଦାସୀ ପୃଥିବୀ ଲକ୍ଷଣେ ।ଏକାନ୍ତେ ବୁଲୁ ବନେ ବନେ ॥
କିପରି ଗ୍ରାମ ଯାତ୍ରା କରି ।ଏ ପଥଶ୍ରମକୁ ସଂହରି ॥
ଭ୍ରମିଲୁ ଅବନୀ ମଣ୍ଡଳେ ।ତୀର୍ଥ ଆଶ୍ରମ ପୁଣ୍ୟଫଳେ ॥
ତୋହର ପ୍ରାୟେ ସାଧୁ ଯେତେ ।ପ୍ରବେଶ ହୋଇ ସର୍ବତୀର୍ଥେ ॥
ଭ୍ରମି କରନ୍ତି ପୁଣ୍ୟସାର ।ଯାହା କରନ୍ତି ଚକ୍ରଧର ॥
ତୋର ସ୍ୱଭାବେ ପୁଣ୍ୟ ଦେହ ।ପ୍ରଶ୍ନ ପଚାରୁ ତାତ କହ ॥
ଯାଦବ ସଙ୍ଗେ ବନମାଳୀ ।ସୁଖେ କି ଛନ୍ତି କୁଶସ୍ଥଳୀ ॥
ତାହାର ଭଲେ ଭଲ ମୋର ।ଯେ ହରି ଶରଣ ସୋଦର ॥
ସୁଖେ ଅଛନ୍ତି କି ଯାଦବେ ।ଭୋ ତାତ ପଚାରୁ ପ୍ରସ୍ତାବେ ॥
ଶ୍ରୀ ସୂତ ଉବାଚଏମନ୍ତେ ରାଜା ବାକ୍ୟ ଶୁଣି ।ବିଦୁର ମନେ ମନେ ଗୁଣି ॥
ସୁହୃଦ ପ୍ରାୟେ ଭଲ କଲା ।ଯାଦବ କ୍ଷୟ ନ କହିଲା ॥
ବିଚାରେ କହିବି ମୁଁ ଯେବେ ।ଜୀବନ ଛାଡ଼ିବେ ପାଣ୍ଡବେ ॥
କେମନ୍ତେ ଦେଖିବି ମୁଁ ତାହା ।ଏତେ ବିଚାରି କଲା ମାୟା ॥
ନ କହେ ଯଦୁବଂଶ ନାଶ ।ନିର୍ଘାତେ ଛାଡ଼ିଲା ନିଃଶ୍ୱାସ ॥
ଉର୍ଦ୍ଧ୍ୱ ବଦନେ ସେ ବିଦୁର ।କପଟେ କହଇ ମଧୁର ॥
ସର୍ବ କୁଶଳ ତୋ ପ୍ରସାଦେ ।କୃଷ୍ଣ ଅଛନ୍ତି ଅପ୍ରମାଦେ ॥
ଏମନ୍ତେ ରାଜା ଆଗେ କହି ।କେତେହେଁ ଦିନ ପୁରେ ରହି ॥
ନିତ୍ୟ ଆନନ୍ଦେ ଧର୍ମ ରାଜା ।ବିଦୁର ସ୍ନେହେ କରି ପୂଜା ॥
ରାତ୍ର ଦିବସ ତାର ସଙ୍ଗେ ।ଧର୍ମ ନନ୍ଦନ ମନ ରଙ୍ଗେ ॥
ଅଶେଷ ତୀର୍ଥଙ୍କ ମହିମା ।କିବା କହିବା ଗୁଣ ସୀମା ॥
ସର୍ବ କହିଲା ତୋଷମନେ ।ଏବେ ହୋ ଶୁଣ ବିପ୍ରଜନେ ॥
ଆଜନ୍ମ ତହୁଁ ଶାପ ପାଇ ।ବିଦୁର ଶୂଦ୍ରେ ଜାତ ହୋଇ ॥
ଶତେ ବରଷ ଶୂଦ୍ର ଦେହେ ।ବଞ୍ଚିଲା ବିଷ୍ଣୁ ମାୟା ମୋହେ ॥
ଏ ଯେ ପାଣ୍ଡବ ପାଞ୍ଚଭାଇ ।ରିପୁ ସଂହାରି ରାଜା ହୋଇ ॥
ପୁତ୍ର ପଉତ୍ର ଜନ ଦେଖି ।ନିର୍ମଳ ଦୁର୍ଗମ ଉପେକ୍ଷି ॥
ଗୃହ କରଣେ ଚିତ୍ତ ଜଡ଼ି ।ବିଷ୍ଣୁର ମାୟା ମୋହେ ପଡ଼ି ॥
ରାଜ୍ୟ କରନ୍ତି ଧର୍ମ ସୁତେ ।ମିଳିଲା କାଳ ବିପରୀତେ ॥
କେହି ନ ଜାଣେ ଗତି ତାର ।ସ୍ୱଭାବେ ଅବ୍ୟକ୍ତ ଈଶ୍ୱର ॥
ଧୂମ ପୂରିଲା ଦଶଦିଶେ ।ବିଦୁର ଦେଖି ମହାତ୍ରାସେ ॥
ବସିଲା ଧୃତରାଷ୍ଟ୍ର ତୁଲେ ।ଆଶ୍ୱାସି କହେ ମନ ଭୋଳେ ॥
ବିଦୂର ଉବାଚହେ ଭ୍ରାତ ଶୁଣ ମୋ ଉତ୍ତର ।କାଳ ମିଳିଲା ଭୟଙ୍କର ॥
ଏହାର ପ୍ରତିକାର ନାହିଁ ।ଅବ୍ୟକ୍ତ ରୂପ ନ ଦିଶଇ ॥
ଦ୍ୱାପର ଯୁଗ ନଷ୍ଟ ଗଲା ।ଏ କଳିକାଳ ପ୍ରକାଶିଲା ॥
ଆମ୍ଭର ପ୍ରାଣ ଏ ହରିବ ।ଏହାକୁ କେବା ନିବାରିବ ॥
ଧନ ସମ୍ପଦ ମହୀତଳେ ।ସଂହାର କରିବ ଏ ବଳେ ॥
ଦେବ ଦାନବ ମହାବଳ ।ବୃଦ୍ଧ ପ୍ରତାପୀ ଯୁବା କାଳ ॥
ଯାହାର ଦରଶନ ମାତ୍ରେ ।କଦଳୀ ଯେହ୍ନେ ଘୋରବାତେ ॥
ଭୟେ କମ୍ପନ୍ତି ଥରହର ।କାତରେ ନେତ୍ରୁ ବହେ ନୀର ॥
ଅନିତ୍ୟ ଏ ମନୁଷ୍ୟ ଦେହୀ ।ସାର ଏହାର କିଛି ନାହିଁ ॥
ଏ ଦେହେଁ ବିମୁକ୍ତ ବନ୍ଧନ ।ତାହାଙ୍କୁ କହି ମହାଜନ ॥
ଦେଖ ତୋହର କର୍ମଫଳେ ।ନାଶ ପୁତ୍ର ଭ୍ରାତା ସକଳେ ॥
ଦୟା ତାହାର ଦୂରେ ଗଲା ।ମରଣ ନିକଟ ହୋଇଲା ॥
ଅତି ଦୁଃଖିତ ବୃଦ୍ଧ ଦେହେ ।ତୋର ନିବାସ ପରଗୃହେ ॥
ଦିଶନ୍ତି ଦନ୍ତ ତୋ ଅଧର ।କର୍ଣ୍ଣେ ନ ଶୁଭଇ ବଧିର ॥
ଅନ୍ତରେ ଅଗ୍ନି ମନ୍ଦ ହୋଇ ।ଅନ୍ନ ଭୋଜନ ନ ରୁଚଇ ॥
କେ ତାଙ୍କୁ ରଖିବ ଆୟତ୍ତେ ।ପ୍ରାଣୀ ଜୀବିତ ଆତ୍ମା ଗତେ ॥
ଏ ଯେ ଭୀମର ଗଦାଘାତେ ।ସମରେ ମଲେ ତୋର ସୁତେ ॥
ତୋର ଅର୍ଜିତ ପିଣ୍ଡ ଆଶା ।ଶ୍ୱାନରେ ପ୍ରାୟେ ତୋ ଭରସା ॥
କୁମନ୍ତ୍ରୀ ଜନ ତୁଲେ ଭାଳି ।ତୋର କୁମରେ କଲେ କଳି ॥
ପଣ୍ଡୁର ପାଞ୍ଚପୁତ୍ର ମାରି ।ସୁଖେ ଭୁଞ୍ଜିବା ରାଜ୍ୟଶିରୀ ॥
ଦୁଷ୍ଟଙ୍କ ତୁଲେ ବିଚାରିଲେ ।ଭୀମକୁ ବିଷଲଡ଼ୁ ଦେଲେ ॥
ସେ ଭୀମ କେବେହେଁ ନ ମଲା ।ତାହାକୁ ଗୋବିନ୍ଦ ରଖିଲା ॥
ଜଉର ଘରେ ଅଗ୍ନି ଦେଲେ ।ସେ ବେଳେ ପାଣ୍ଡବେ ରଖିଲେ ॥
ପୁଣି କପଟ ପଶା କରି ।ଧନ ସମ୍ପଦ ଅପହରି ॥
ଦ୍ରୌପଦୀ କେଶ ଧରି ବଳେ ।ଦୁଷ୍ଟଙ୍କ ତୁଲେ ବିଚାରିଲେ ॥
ବିବସ୍ତ୍ର କଲେ ସଭାସ୍ଥଳେ ।ଗୋବିନ୍ଦ କୋଟିବସ୍ତ୍ର ଦେଲେ ॥
ଏ ଆଦି ଯେତେ କର୍ମ କଲେ ।ତୁ ତାହା ଜାଣିଅଛୁ ଭଲେ ॥
ସେ କି ତାହାଙ୍କ ଚିତ୍ତୁ ଯିବ ।ମନୁଷ୍ୟ ଜନ୍ମର ସ୍ୱଭାବ ॥
ତାହାଙ୍କ ତହୁଁ ପିଣ୍ଡ ଖାଇ ।ସେବକ ପ୍ରାୟ ଦ୍ୱାରେ ଯାଇ ॥
ତୋର ବୟସ ଆଉ କାହିଁ ।ଅତି ପତିତ ଦୁଷ୍ଟ ହୋଇ ॥
ଦିନକୁ ଦିନ ତନୁ କ୍ଷୀଣ ।ଯେସନେ ପୁରୁଣା ବସନ ॥
ଏ ଦେହେ ବିମୁକ୍ତ ଯେ ଜନ ।ଯେ ପ୍ରାଣୀ ବିମୁକ୍ତ ବନ୍ଧନ ॥
ଅନିତ୍ୟ ନର କଳେବର ।ଭିତରେ କିଛି ନାହିଁ ସାର ॥
ଏହା ବିଚାରି ଯୋଗବଳେ ।ହରିଙ୍କ ଭକ୍ତ ସଙ୍ଗ ମେଳେ ॥
ନିର୍ମଳ ହୋଇ ବନାଶ୍ରମ ।ସେ ପ୍ରାଣୀ ପୁରୁଷ ଉତ୍ତମ ॥
ତୁ ବୁଦ୍ଧଜନଙ୍କ ଉତ୍ତମ ।ଏବେ ତୁ ଛାଡ଼ ମତିଭ୍ରମ ॥
ଉତ୍ତର ପଥେ ଚଳ ବେଗେ ।ପତ୍ନୀ ସମେତ ଘେନି ସଙ୍ଗେ ॥
ସେହି ଯେ ଦାସୀପଣେ ବନେ ।ତୋତେ ସେବିବେ ଅନୁକ୍ଷଣେ ॥
ଦେଖ ଏ କାଳ ଭୟଙ୍କର ।ସତ୍ୟ ହରିବ ପ୍ରାଣୀଙ୍କର ॥
ଏମନ୍ତେ ବିଦୁରର ବାଣୀ ।ଗାନ୍ଧାରୀ ଧୃତରାଷ୍ଟ୍ର ଶୁଣି ॥
ତକ୍ଷଣେ ମୋହ ଜଡ଼ ଛାଡ଼ି ।ବନ ଗମନେ ଚିତ୍ତ ବଢ଼ି ॥
ବିଷ୍ଣୁର ମାୟା କରି ଦୂର ।ନଗରୁ ହୋଇଲା ବାହାର ॥
ମନ ଆନନ୍ଦେ ତିନିଜଣ ।ଗମିଲେ ହିମାଚଳ ବନ ॥
ଏବେ ହୋ ଶୁଣ ବିପ୍ରବର ।ଧର୍ମ ନନ୍ଦନ ନିଜ ପୁର ॥
ସ୍ୱଭାବେ ନିତ୍ୟକର୍ମ ସାରି ।ଅଗ୍ନି ପୂଜନ ଦାନ କରି ॥
ଗୁରୁ ପୂଜନ ସେବା ଅର୍ଥେ ।ଗୃହେ ମିଳିଲେ କୃତକୃତ୍ୟେ ॥
ଗୁରୁ ଭବନେ ଯାଇ ମିଳି ।ହସ୍ତେ ଘେନିଲେ ଅର୍ଘ୍ୟଥାଳୀ ॥
ତକ୍ଷଣେ ଦେଖି ଶୂନ୍ୟଘର ।କାତର ମନେ ନୃପବର ॥
ପୁଚ୍ଛନ୍ତି ଜଣେ ଜଣେ ଚାହିଁ ।ମୋ ଗୁରୁଜନ ଗଲେ କାହିଁ ॥
କେହି ନ ଶୁଣନ୍ତି ବଚନ ।ଭୟେ ଚାହାନ୍ତି ଛନ୍ନ ଛନ୍ନ ॥
ପୁଣି କହନ୍ତି ଜନେ ଚାହିଁ ।ତାତ ଜନନୀ ଗଲେ କାହିଁ ॥
ବିଦୁର ନାହିଁ ମୋର ପାଶେ ।ମୋ ତାତ ଜନନୀ ନ ଦିଶେ ॥
ଲୋଚନେ ନ ଦିଶଇ ପଥ ।କି ଏ ବିଧାତା ବିପରୀତ ॥
ପୁତ୍ରଙ୍କ ମରଣେ ଦୁଃଖିତ ।କେ ବନଦେଶ କେବା ପଥ ॥
ନ ପୁଣ ପୁତ୍ର ଶୋକ ଭୋଳେ ।ପ୍ରାଣ ଛାଡ଼ିଲେ ଗଙ୍ଗାଜଳେ ॥
ମୋର ଜନନୀ ତାତ କାହିଁ ।ଗଲେ ମୋ ଅସହ୍ୟ କିମ୍ପାଇ ॥
ଦୁଃଖ ସାଗରେ ନିମଜ୍ଜିଲେ ।ମୋର ଦୁଷ୍କୃତ କର୍ମ ଫଳେ ॥
ଏମନ୍ତେ ଧର୍ମସୁତ ବାଣୀ ।ସାରଥି କହେ ତାହା ଶୁଣି ॥
ଶ୍ରୀ ସୂତ ଉବାଚଶୁଣ ହେ ନୃପଚୂଡ଼ାମଣି ।ତୋହର ପିଅର ଜନନୀ ॥
ରଜନୀ କାଳେ ଗଲେ କାହିଁ ।ସେ କଥା ନ ଜାଣଇ ମୁହିଁ ॥
ମୋର ଜୀବନ ଦୁଃଖ ଭରେ ।ବୁଡ଼ିଲା ଦୁର୍ଗମ ସାଗରେ ॥
ଏମନ୍ତେ କହି ମନ ଖେଦ ।ଗଗନେ ଶୁଣି ବୀଣା ବାଦ୍ୟ ॥
ପୁଣି ଚାହିଁଲେ ଅନ୍ତରୀକ୍ଷେ ।ନାରଦ ମିଳିଲେ ପ୍ରତ୍ୟକ୍ଷେ ॥
ତୁମ୍ଭରୁ ଅଛି ତାଙ୍କ ସଙ୍ଗେ ।ବୀଣା ବିନୋଦେ ନାନା ରଙ୍ଗେ ॥
ନାରଦ ହରିଗୁଣ ଗାଇ ।ପୁଲକ ରୋମପନ୍ତି ଦେହୀ ॥
ଆନନ୍ଦେ ଅଶ୍ରୁଜଳ ସ୍ଫୁରେ ।ମିଳିଲେ ରାଜାର ନଗରେ ॥
ଦେଖି ସମ୍ଭ୍ରମେ ନୃପମଣି ।ଆସନ ଜଳ ବେଗେ ଆଣି ॥
ମୁନିଙ୍କୁ ଆସନେ ବସାଇ ।ବେନି ଚରଣ କରେ ଧୋଇ ॥
ଚରଣ ପୂଜି ବିଧିମତେ ।କହନ୍ତି ନାରଦ ଅଗ୍ରତେ ॥
ଭୋ ବ୍ରହ୍ମାସୁତ ଶୁଣ ତୁମ୍ଭେ ।ଯାହା ପୁଚ୍ଛଇ କହ ଏବେ ॥
ସେ ପ୍ରଶ୍ନ କହ ତୁମ୍ଭେ ଭଲେ ।ମୋ ତାତ ମାତ କେଣେ ଗଲେ ॥
ମୋହର କର୍ମ ଦୁଃଖ ଶୁଣ ।ଭୋ ମୁନି ତୁମ୍ଭେ ଭଲେ ଜାଣ ॥
ଗଭୀର ଜଳେ ନାବ ଥୋଇ ।ନାବିକ ଯେସନେ ପଳାଇ ॥
ତେମନ୍ତ କରିଗଲେ ମୋତେ ।ଅଧିକ କହିବି ମୁଁ କେତେ ॥
ଚକ୍ଷୁ ବିହୀନେ ଘୋର ବନେ ।ଜୀବନ ଧରିବି କେସନେ ॥
ଯୁଧିଷ୍ଠିରଙ୍କ ଏ ବଚନେ ।ମୁନି କହନ୍ତି ଅବଧାନେ ॥
ନାରଦ ଉବାଚଭୋ ନୃପ ଶୋକ ତୁ ନ କର ।ଈଶ୍ୱର ମାୟା ଏ ସଂସାର ॥
ପ୍ରାଣୀ ଭିଆଣ ମାୟା ଯୋଗେ ।ଖେଳଇ ସଂଯୋଗେ ବିଯୋଗେ ॥
ଗୋରୁ ନାସିକା ଯେହ୍ନେ ବିନ୍ଧି ।ଆକର୍ଷି ଚର୍ମ ରଜ୍ଜୁ ବାନ୍ଧି ॥
ସେ ଯେହ୍ନେ ପ୍ରାଣୀ ଭାର ବହେ ।ଅନ୍ତରେ ଖେଦ ଦୁଃଖ ସହେ ॥
ସେ ଦାନ ପଡ଼ଇ ଯେମନ୍ତେ ।କନ୍ଦୁକ ଚକ୍ରେ ସେହିମତେ ॥
ସଂସାର ଈଶ୍ୱରର ଇଚ୍ଛା ।ଏ ଭାବ ପଥେ ଗୁରୁ ଦୀକ୍ଷା ॥
ତୁ ରାଜା ତୋତେହିଁ ନ ଜାଣୁ ।ସଂସାର ସତ୍ୟ ପ୍ରାୟେ ମଣୁ ॥
ସତ୍ୟ କି ମିଥ୍ୟା ବେନି ପଥେ ।ନିଶ୍ଚେଁ ନ କର ତୁହି ଚିତ୍ତେ ॥
ଅଜ୍ଞାନ ମୋହ ଜଡ଼ ଚିତ୍ତେ ।ଏ ନାଦ ଶୌଚ ଦୃଢ଼ବ୍ରତେ ॥
ତୁ ଯେ ପଚାରୁ ସ୍ନେହ ଭାବେ ।ଅରଣ୍ୟେ କେମନ୍ତେ ବଞ୍ଚିବେ ॥
ଏ ଦେହ ପଞ୍ଚଭୂତେ ପଡ଼ି ।ଅବିଦ୍ୟା କାମକାର୍ଯ୍ୟେ ଜଡ଼ି ॥
ସଂସାର ଦେହେ ନିତି ଦୁଃଖୀ ।ଏ କାହିଁ ତୋର ପ୍ରାଣ ରଖି ॥
ଉରଗ ଗିଳିଛି ଯାହାକୁ ।ସେ କାହିଁ ରଖିବ ଆନକୁ ॥
ଦେଖ ପ୍ରତ୍ୟକ୍ଷ ନୃପବର ।ବିଷ୍ଣୁର ମାୟା ଖେଳଘର ॥
ଯା ମାୟା ନ ଜାଣେ ଈଶ୍ୱର ।କେ ତାହା କରିବ ଗୋଚର ॥
ଏ ମାୟା ପରିତ୍ରାଣ କାହିଁ ।ସଂସାରେ ନର ଦେହ ବହି ॥
ବଡ଼ଙ୍କ ଗତି ଦେଖି ସାନେ ।ସେ ନାଶେ କ୍ରିୟା ଆନେ ଆନେ ॥
ଏ ଜୀବ ଜୀବଙ୍କ ଆହାର ।କେବଳ ଅଟେ ନିର୍ବିକାର ॥
ଭାବ ଅଶେଷ ଭାବେ ପୂରି ।ଏକଇ ଆତ୍ମା ନରହରି ॥
ସେ ମାୟା କରିପାରେ ଦୂର ।ଯେ ନିତ୍ୟ ପ୍ରଭୁ ଚକ୍ରଧର ॥
ସେ ହରି ନିତ୍ୟ ବିଶ୍ୱରୂପେ ।ନର ଶରୀରେ ମୋହ କଳ୍ପେ ॥
ଭାରା ନିବାରେ ଧନୁ ଧରି ।ଦୁର୍ଜ୍ଜନ ସମୂହ ସଂହାରି ॥
ଭକ୍ତ ଜନଙ୍କୁ ରକ୍ଷା କରେ ।ଏମନ୍ତେ ସଂସାରେ ବିହରେ ॥
ଦେହକୁ ରକ୍ଷାକରି ତୋଷେ ।ଏବେ ବର୍ତ୍ତଇ ଅବଶେଷେ ॥
ଯାବତ ଥିବ ଚକ୍ରଧର ।ତାବତ ତୁମ୍ଭ ଅଧିକାର ॥
ଏବେ ହୋ ଶୁଣ ସାମରଥା ।ସେ ବିଷ୍ଣୁ ପୁରାଣ ବ୍ୟବସ୍ଥା ॥
ବିଦୁର ଧୃତରାଷ୍ଟ୍ର ବେନି ।ସଙ୍ଗତେ ପତିବ୍ରତା ଘେନି ॥
ହିମବନ୍ତର ଯେ ଦକ୍ଷିଣେ ।ଋଷି ଆଶ୍ରମେ ଘୋର ବନେ ॥
ସ୍ୱର୍ଦ୍ଧନୀ ନାମେ ସୁର ନଦୀ ।ଭରତ ଖଣ୍ଡେ ଯେ ପ୍ରସିଦ୍ଧି ॥
ସେ ଜଳେ ନିତ୍ୟ କରି ସ୍ନାନ ।ଅନେକ କରି ହୋମ ଦାନ ॥
କେବଳ ମାତ୍ର ଜଳ ଭକ୍ଷି ।ଶରୀରେ ଜୀବ ଆତ୍ମା ରଖି ॥
ପବନେ ନିଃଶ୍ୱାସ ଧାରଣେ ।କଠୋର ତପ ଆଚରଣେ ॥
ଦୃଢ଼ ଆସନେ ବସି ଧୀରେ ।ଇନ୍ଦ୍ରିୟ ରୁନ୍ଧିଣ ଶରୀରେ ॥
ସର୍ବ ବିଷୟ ରସ ତେଜି ।ହରି ଚରଣ ଭାବେ ଭଜି ॥
ମନ ଛଡ଼ାଇ ତିନିଗୁଣେ ।ସମ୍ପାଦି ଗୋବିନ୍ଦ ଚରଣେ ॥
ବିଜ୍ଞାନ ଆତ୍ମଜ୍ଞାନ ଭରି ।ଜୀବ ପରମ ଏକ କରି ॥
ପ୍ରବେଶି କରି ଅଙ୍ଗ ଧରେ ।ନିବାର ଯେହ୍ନେ ଘଟକାରେ ॥
ପ୍ରାଣ ସ୍ଥାପିବ ପରବେଶେ ।ଯେ ଅବା ରହେ ଅବଶେଷେ ॥
ନିର୍ଗୁଣ ମାୟା ନାଶ କରି ।ହେଳେ ତରଇ ଭବବାରି ॥
ସର୍ବ ବିଷୟ ଯୋଗବଳେ ।ନିବାରି ଆସଇ ନିଶ୍ଚଳେ ॥
ନିଶ୍ଚଳେ ସର୍ବ ପ୍ରାୟ ଲେଖି ।କି ଅବା ଅନ୍ୟ ବିଘ୍ନ ଅଛି ॥
ଆଜହୁଁ ପଞ୍ଚଦିନ ଅନ୍ତେ ।ପ୍ରାଣ ଛାଡ଼ିବେ ଯୋଗ ମତେ ॥
ତପନ ତେଜେ ଗ୍ରୀଷ୍ମକାଳେ ।ପବନ ଯୋଗେ ଦାବାନଳେ ॥
ଦହନ ହୋଇବେ ଶରୀରେ ।ପତ୍ନୀ ଯେ ଥିବ ଅଭ୍ୟନ୍ତରେ ॥
ତକ୍ଷଣେ ସ୍ୱାମୀ ଧରି କୋଳେ ।ଭସ୍ମ ସେ ହୋଇବେ ଅନଳେ ॥
ତା ଦେଖି ବିଦୁର ଶରୀର ।ଭୟେ କମ୍ପିଲା ଥରହର ॥
ହୃଦେ ସୁମରି ନରହରି ।ବେଗେ ସେ ବନୁ ଅପସରି ॥
ତୀର୍ଥ ସେବନେ ଅବଧାନ ।କହିଲେ ଶୁଣ ହେ ରାଜନ ॥
ଏମନ୍ତେ ରାଜା ଆଗେ କହି ।ତୁମ୍ଭରୁ ସଙ୍ଗେ ବୀଣା ବାଇ ॥
ଆକାଶ ମାର୍ଗେ ଗଲେ ମୁନି ।ଧର୍ମ ନନ୍ଦନ ତାହା ଶୁଣି ॥
ତତ୍ତ୍ୱ ବଚନ ହୃଦେ ଗୁଣି ।ବିଷ୍ଣୁର ମାୟା ପରିମାଣି ॥
ସର୍ବ ସଂଶୟ ଦୂର କରି ।ରାଜ୍ୟ ପାଳନେ ଚିତ୍ତ ଭରି ॥
କହଇ ବିପ୍ର ଜଗନ୍ନାଥ ।ସୁଜନେ ଚିନ୍ତ କୃଷ୍ଣ ପଥ ॥
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂବୈୟାସିକ୍ୟାଂ ପ୍ରଥମସ୍କନ୍ଧେ ନାରଦ ଯୁଧିଷ୍ଠିର ସମ୍ୱାଦ ନାମତ୍ରୟୋଦଶୋଽଧ୍ୟାୟଃ ॥
ଚତୁର୍ଦ୍ଦଶ ଅଧ୍ୟାୟ
ଶ୍ରୀ ସୂତ ଉବାଚସୂତ କହନ୍ତି ସ୍ନେହଭରେ ।ଶୁଣ ସକଳ ବିପ୍ରବରେ ॥
ଅର୍ଜ୍ଜୁନ ରାଜାର ବଚନେ ।ଗଲେ ଯେ ଦ୍ୱାରକା ଭୁବନେ ॥
ବନ୍ଧୁ ବାନ୍ଧବ ଦୃଢ଼ ଆଶେ ।ସ୍ନେହ ଜଡ଼ିତ ମୋହପାଶେ ॥
ମାୟା ମନୁଷ୍ୟ ରୂପେ ହରି ।ଛଦ୍ରମେ ଗୃହବାସ କରି ॥
ସଂସାର ଖେଳଘର ଯାର ।ବ୍ରହ୍ମା ଶଙ୍କରେ ଅଗୋଚର ॥
ଏମନ୍ତ ବିଚାରି ଅନ୍ତରେ ।ମିଳିଲେ ଦ୍ୱାରକା ନଗରେ ॥
କେତେହେଁ ମାସ ତହିଁ ରହି ।କୃଷ୍ଣ ଚରଣେ ମନଦେଇ ॥
ଏମନ୍ତେ ଗଲା ଦିନାକେତେ ।ଚଞ୍ଚଳ ମନ ଛନ୍ନ ନିତ୍ୟେ ॥
ଅର୍ଜ୍ଜୁନ ନ ମିଳିଲା ପାଶେ ।ଘୋର ଅଦ୍ଭୁତ ଦେଖି ତ୍ରାସେ ॥
କାଳର ଦେଖି ବିପରୀତ ।ଅଧର୍ମ ପ୍ରାଣୀଙ୍କର ଚିତ୍ତ ॥
ପାପ ଆରମ୍ଭ କଲେ ଦମ୍ଭେ ।ଯନ୍ତ୍ରିତ କାମ କ୍ରୋଧ ଲୋଭେ ॥
ମିତ୍ର ସୁହୃଦ ସଙ୍ଗମତି ।ଭ୍ରାତା ମାତୃ ଯେ ପିତୃ ଜ୍ଞାତି ॥
ସ୍ୱାମୀ ଭାରିଯା ପିତୃ ତୁଲେ ।ଅଗ୍ନି ଯେ ଉଠଇ କନ୍ଦଳେ ॥
ଅରିଷ୍ଟ ହୋଇଲା ଅନେକ ।ପ୍ରକାଶ ହୋଇ ନରଲୋକ ॥
ପାପ ପ୍ରକୃତି ପ୍ରାଣୀଙ୍କର ।ଦେଖି ଚକିତ ନୃପବର ॥
ଭୀମସେନଙ୍କୁ ରାଇ ପାଶେ ।କହନ୍ତି ଆଶ୍ୱାସି ବିଶ୍ୱାସେ ॥
ଯୁଧିଷ୍ଠିର ଉବାଚଅର୍ଜ୍ଜୁନ ଦ୍ୱାରକା ଭୁବନେ ।ଗଲା ଯେ ବାନ୍ଧବ ସଦନେ ॥
କୃଷ୍ଣ ମହିମା କୃଷ୍ଣ ସଙ୍ଗେ ।ଜାଣିବା ପାଇଁ ନର ଅଙ୍ଗେ ॥
ଏବେ ସପତ ମାସ ଗଲା ।ତେବେହେଁ ଅର୍ଜ୍ଜୁନ ନଇଲା ॥
ଏ କି କେବଣ ବିପରୀତ ।ଏଣୁ ଚଞ୍ଚଳ ମୋର ଚିତ୍ତ ॥
କି ହେତୁ ମୋର ପାଶ ଛାଡ଼ି ।ଅର୍ଜ୍ଜୁନ ରହେ ଲୋଭେ ବଢ଼ି ॥
ଏହା ତ ନ ଜାଣି ନ ପାରଇ ।ଭୟେ ବିକଳ ମୋର ଦେହୀ ॥
ପ୍ରଳୟ କାଳ ଶୂନ୍ୟପଥେ ।ନାରଦ କହିଗଲେ ମୋତେ ॥
ଦିଶଇ ସଂସାର ଉଚ୍ଛନ୍ନ ।କିବା ବିହିଲେ ଭଗବାନ ॥
ସେ ହରି ସ୍ନେହେ ଅପ୍ରମାଦେ ।ମୁହିଁ ବସିଲି ରାଜପଦେ ॥
ଧନ ସମ୍ପଦ ଆଦି ମୋର ।ସର୍ବ ସମ୍ପଦ ଚକ୍ରଧର ॥
ସକଳ ପ୍ରଜା ମୋର ପାଦେ ।ଖଟନ୍ତି ଯାହାର ପ୍ରମାଦେ ॥
ତାହାର ଭଲେ ଭଲ ମୋର ।ସେ ନାଥ ଶରଣ-ସୋଦର ॥
ଦେଖ ସ୍ୱଭାବେ ବୃକୋଦର ।ଦିଶେ ଆକାଶ ଅନ୍ଧକାର ॥
ତ୍ରିବିଧ ଉତ୍ପାତ ଗଗନେ ।ଏଣୁ ସଂଶୟ ମୋର ମନେ ॥
ଭୂମି ଆକାଶ ପ୍ରାଣ ମନ ।ଭୟେ କମ୍ପିଣ ଛନ୍ନ ଛନ୍ନ ॥
ମୋହର ମନ ବୁଦ୍ଧି ଚିତ୍ତେ ।କମ୍ପେ କଦଳୀ ଯେହ୍ନେ ବାତେ ॥
କର ଚରଣ ମୋ ଲୋଚନ ।ବାମେ ସ୍ପୁରିତ ଘନ ଘନ ॥
ମୋହର କମ୍ପଇ ଶରୀର ।ଦେଖ ପ୍ରତ୍ୟକ୍ଷେ ବୃକୋଦର ॥
ଏ ରାଜ୍ୟ ବେଗେ ନାଶ ଯିବ ।ଏମନ୍ତ ନିକଟେ ହୋଇବ ॥
ରବି ଉଦୟ କାଳେ ଆସି ।ଶୃଗାଳ ଯୂଥ ଯୂଥ ଦିଶି ॥
ପୂର୍ବ ଦିଗକୁ ମୁଖ କରି ।ବଦନୁ ଅନଳ ଉଦ୍ଗାରି ॥
କରନ୍ତି ଭୟଙ୍କର ନାଦ ।ଏଣୁ ସୁସଞ୍ଚ ପରମାଦ ॥
କୁକୁର ମୋର ମୁଖ ଚାହିଁ ।ନିର୍ଭୟେ ରୋଦନ କରଇ ॥
ଶୃଗାଳ ମୋର ବାମଭାଗେ ।ବେଗେ ପଳାନ୍ତି ଦକ୍ଷମାର୍ଗେ ॥
ଆବର ଶୁଭ ପ୍ରଶ୍ନ ଯେତେ ।ମୋତେ ଭ୍ରମନ୍ତି ବିପରୀତେ ॥
ଏ ମୋର ଗଜ ଅଶ୍ୱ ଯେତେ ।ମୋତେ ଚାହାନ୍ତି ଅଶ୍ରୁନେତ୍ରେ ॥
ଯମର ଦୂତ ପ୍ରାୟେ ଆସି ।ଉଲ୍ଲୁକ ମୋର ଆଗେ ବସି ॥
ଶବଦେ କମ୍ପାଇ ମେଦିନୀ ।ମୋର ଗୃହାନ୍ତେ ଯାନ୍ତେ ତୁନି ॥
ପ୍ରତି ଉଲ୍ଲୁକ କୁହୁ ନାଦେ ।ରୋଦଇ ଭୟଙ୍କର ଶବ୍ଦେ ॥
ଏ ଶବ୍ଦେ ନିଶ୍ଚେ ଶୂନ୍ୟମୟୀ ।ପ୍ରଜାଏ ନ ରହିବେ କେହି ॥
ଦେଖ ତୁ ଧୂମ ଦଶଦିଶେ ।ଅନ୍ଧାର ଛନ୍ନେ ମହୀତ୍ରାସେ ॥
ପର୍ବତ ତୁଲେ ବସୁନ୍ଧରୀ ।କମ୍ପଇ ଘୋର ନାରଦ କରି ॥
ଗଗନେ ନିର୍ଘାତ ଶୁଭଇ ।ବିଜୁଳି ତେଜ ପ୍ରକାଶଇ ॥
ବାୟୁ ପ୍ରକାଶେ ଖରତର ।ନିସ୍ତେଜେ ଲୁଚେ ଦିନକର ॥
ଧୂଳିରେ ଦିଶେ ଅନ୍ଧକାର ।ଶବଦେ କମ୍ପେ ତିନିପୁର ॥
ରୁଧିର ବରଷନ୍ତି ମେଘେ ।ଆମିଷ ଗନ୍ଧ ଦଶଦିଗେ ॥
ସୂର୍ଯ୍ୟର ନ ଦିଶଇ ତେଜ ।ଗ୍ରହ ସହିତେ ନିଶାରାଜ ॥
ଦିଗ ଦିଶନ୍ତି ଧୂମମୟେ ।ଘୋର ଅଭୁତ ଜାତ ହୁଏ ॥
ଉଛୁଳି ଉଠି ନଦୀନଦ ।କରନ୍ତି ସିନ୍ଧୁ ପ୍ରାୟ ନାଦ ॥
ଜନ୍ତୁଙ୍କ ମନ ସେହି ମତେ ।ଅଦ୍ଭୁତ ପୂରିତ ଜଗତେ ॥
ଅନଳ ଜଳେ ଧୂମଧାର ।ଦିଶଇ ସବୁ ଅନ୍ଧକାର ॥
ବତ୍ସାଏ କଲେ ସ୍ତନ୍ୟପାନ ।ଗାବେ ନ ପିଆନ୍ତି ଯେ ସ୍ତନ ॥
ତୃଣ ନ କରି ଅଶ୍ରୁମୁଖେ ।ବୃଷଭ ଗର୍ଜ୍ଜେ ମନ ଦୁଃଖେ ॥
ଭୟେ କରଇ ଘୋରନାଦ ।ଦେଖ ଅଦ୍ଭୁତ ପରମାଦ ॥
ଦେବତା ପ୍ରତିମା ନ ଚଳେ ।ଭାସନ୍ତି ତନୁ ସ୍ୱେଦ ଜଳେ ॥
ଏ ଜନଜନ୍ତୁ ଯେତେ ଗ୍ରାମ ।ନଗର ଆକାଶ ଉଦ୍ୟାନ ॥
ଆଶ୍ରମ ଆଦି ଯେତେ ବର୍ଣ୍ଣେ ।ମୁହିଁ ତ ଦେଖଇ ନୟନେ ॥
ସର୍ବେ ଦିଶନ୍ତି ହତଶିରୀ ।ଚଳ ଅଚଳ ବନ ଗିରି ॥
ବାହ୍ୟ ଅନ୍ତରେ ସର୍ବ ଚାହିଁ ।ମୁହିଁ ଏମନ୍ତ ବିଚାରଇ ॥
ଶ୍ରୀକୃଷ୍ଣ ପାଦଲାଗି ମହୀ ।ଅତି ସୁନ୍ଦର ବିରାଜଇ ॥
ସେ ପାଦ ଅବା ଶୂନ୍ୟେ ଗଲା ।ଅବନୀ ଏମନ୍ତ ଦିଶିଲା ॥
ଏମନ୍ତ କହି ଭୀମ ଆଗେ ।ଧର୍ମନନ୍ଦନ ଉଦବେଗେ ॥
ଭୟେ କମ୍ପନ୍ତି ଛନ୍ନ ଛନ୍ନ ।ତକ୍ଷଣେ ମିଳିଲା ଅର୍ଜ୍ଜୁନ ॥
ରାଜା ଚରଣ ତଳେ ପଡ଼ି ।ଅଜ୍ଞାନେ ନମସ୍କାର ହୁଡ଼ି ॥
ଲୋଚନୁ ବହେ ଅଶ୍ରୁଜଳ ।ଦେହେ ବ୍ୟାପିତ ଶ୍ରମଝାଳ ॥
ଅର୍ଜ୍ଜୁନ ଦେଖି ଧର୍ମସୁତ ।ତକ୍ଷଣେ ଛାଡ଼ି ଭୀମହସ୍ତ ॥
ବନ୍ଧୁ ସୁହୃଦ ମଧ୍ୟେ ଥାଇ ।ପୁଚ୍ଛନ୍ତି ଅର୍ଜ୍ଜୁନଙ୍କୁ ଚାହିଁ ॥
ନାରଦ ବଚନ ସୁମରି ।ଭୟେ ଚିନ୍ତଇ ନରହରି ॥
ଅର୍ଜ୍ଜୁନ ମୁଖ ଚାହିଁ ଭଣି ।ଛନ୍ନ ବଦନେ ନୃପମଣି ॥
ଯୁଧିଷ୍ଠିର ଉବାଚଶୁଣ ଅର୍ଜ୍ଜୁନ ସାବଧାନେ ।ଦ୍ୱାରକାପୁର ବନ୍ଧୁଜନେ ॥
ସୁଖେ ଅଛନ୍ତି ନା ସମସ୍ତେ ।ଯାଦବେ ସ୍ୱବଂଶ ସହିତେ ॥
ପୁରେ ମୋହର ମାତାମହ ।ସେ ଭଲେ ଅଛିଟିକି କହ ॥
ମାତୁଳ ଅକ୍ରୂରର ତୁଲେ ।ସ୍ୱଗୃହେ ଅଛନ୍ତି ନା ଭଲେ ॥
ଦେବକୀ ଉଗ୍ରସେନ ଦୁଇ ।ଭଲେ କି ଛନ୍ତି ଦୁଇ ତହିଁ ॥
ସାତ୍ୟକି ଆଉ ଦରଶନ ।ଏ ଆଦି ମାତୁଳ-ନନ୍ଦନ ॥
ଶାମ୍ବ ସହିତେ ହଳଧର ।କହ କୁଶଳ ତାହାଙ୍କର ॥
ଯାଦବ ବଂଶେ ମହାରଥ ।ପ୍ରଦ୍ୟୁମ୍ନ ରୁକ୍ମିଣୀର ସୁତ ॥
ତାର କୁମର ଅନିରୁଦ୍ଧ ।ଅତି ଭୀମାର ମହାଯୋଧ ॥
ଶୁଭେଣା ସୁଭ୍ରଦା ସହିତେ ।ଭଲେ କି ଛନ୍ତି କୃଷ୍ଣ ସୁତେ ॥
ରୁଷଭ ଆଦି ମହାବୀରେ ।ସୁଖେ କି ଅଛନ୍ତି ନଗରେ ॥
ଉଦ୍ଧବ ଆଦି ମନ୍ତ୍ରୀ ଯେତେ ।ସୁଖେ ଅଛନ୍ତି ନା ସମସ୍ତେ ॥
ସୁନନ୍ଦ ନନ୍ଦ ଆଦି ଯେତେ ।ରାମ ଗୋବିନ୍ଦଙ୍କ ସହିତେ ॥
ନିଶ୍ଚିନ୍ତେ ଭବନେ ଅଛନ୍ତି ।ଆମ୍ଭ କୁଶଳ ପଚାରନ୍ତି ॥
ଗୋବିନ୍ଦ ଅଛନ୍ତି ନା ଭଲେ ।ଶୁଭେ ଭ୍ରାତା ରାମର ତୁଲେ ॥
କରୁଣାସିନ୍ଧୁ ନନ୍ଦବାଳ ।ବ୍ରହ୍ମାଣ୍ଡ ଭକତ ବତ୍ସଳ ॥
ବନ୍ଧୁବାନ୍ଧବ ତୁଲେ ବସି ।ସ୍ୱଧର୍ମ ମଧ୍ୟେ ବ୍ରହ୍ମରାଶି ॥
ଏକ ମଣ୍ଡଳେ କ୍ଷମା ଅର୍ଥେ ।ଯାହାର ଜନ୍ମ ଏ ଜଗତେ ॥
ସେ ହରି ଅଛନ୍ତି ନା ଭଲେ ।ରୋହିଣୀ ସୁତ ରାମ ତୁଲେ ॥
ଯାଦବେ ବିଷ୍ଣୁ ତେଜ ଧରି ।ତାହାର ଭୁଜ ଆଶ୍ରେ କରି ॥
ମହାପୁରୁଷ ଯୋଗବନ୍ଧେ ।କ୍ରୀଡ଼ନ୍ତି ପରମ ଆନନ୍ଦେ ॥
ତାର ଚରଣେ ସେବା କରି ।ଷୋଳ ସହସ୍ର ଯେତେ ନାରୀ ॥
ସତ୍ୟାର ତୁଲେ ଇନ୍ଦ୍ର ଜିଣି ।ନନ୍ଦନ ବନୁ ଚକ୍ରପାଣି ॥
ବଳେ ଆଣିଲେ ପାରିଜାତ ।ଲୀଳାରେ ଜିଣି ରିପୁଯୂଥ ॥
ଯାହା ବିଳାସେ ଇନ୍ଦ୍ରନାରୀ ।ସେ ପୁଷ୍ପ ବିଷ୍ଣୁ ତେଜେହରି ॥
ସହସ୍ର ସଂଖ୍ୟା ପରିମାଣି ।ନାରୀଙ୍କି ଦେଲେ ଚକ୍ରପାଣି ॥
ଯାହାର ଭୁଜଦଣ୍ଡ ବଳେ ।ଯଦୁ ଅଜେୟ ମହୀତଳେ ॥
ନିର୍ଭୟେ ଜଗତେ ଭ୍ରମନ୍ତି ।ପାଦେ ସୁଧର୍ମ ଆଚରନ୍ତି ॥
ହେ ଭ୍ରାତ ଶୁଣ ମହାଭୁଜ ।ତୁ ମୋତେ ଦିଶୁ ହତତେଜ ॥
ଲଭିଲା ଶସ୍ତ୍ର କେଣେ ଗଲା ।ତୋତେ ଅବଜ୍ଞା କେବା କଲା ॥
ତୋର ପ୍ରବେଶ ମନେ ଚିନ୍ତା ।ଯେଣୁ ତୁ ଦିଶୁ ମଳିନତା ॥
କେବା ଭର୍ତ୍ସନା ଅମଙ୍ଗଳେ ।ତୋତେ ସ୍ଥାପିଲା ବାକ୍ୟବଳେ ॥
ଅର୍ଥ ପ୍ରାଣୀଙ୍କୁ ଦେବା କଲୁ ।ମାଗନ୍ତେ କି ଅବା ନ ଦେଲୁ ॥
ବୃଦ୍ଧ କୃପଣ ନିରୀମାଖି ।ସ୍ତିରୀ ବାଳକ ଗୋରୁ ଦେଖି ॥
ରୋଗ ପାତକେ ଯେ ରୋଦନ୍ତି ।ଯେ ଅବା ଶରଣ ପଶନ୍ତି ॥
ଏହାଙ୍କୁ ଦୟା ବା ନ କଲୁ ।ତେଣୁ ଅଶୁଭ ତୁ ଦିଶୁଲୁ ॥
ଅଗମ୍ୟେ କଲୁ ବା ଗମନ ।କିବା ହରିଲୁ ସ୍ତିରୀ ଧନ ॥
ମାର୍ଗେ ଆସନ୍ତେ ମନ ଛଳେ ।କେବା ଜିଣିଲା ତୋତେ ବଳେ ॥
ବାଳ ବୃଦ୍ଧଙ୍କୁ ନ ଭୁଞ୍ଜାଇ ।ଅଗ୍ରେ ଭୁଞ୍ଜିଲୁ ଅବା ତୁହି ॥
ଅତିଥି ଭୋଜନ ନ କରି ।କିବା ଭୁଞ୍ଜିଲୁ ଜ୍ଞାନ ହାରି ॥
କିବା ନିନ୍ଦିତ କର୍ମ କଲୁ ।ଯେଣୁ ତୁ ଏମନ୍ତ ଦିଶିଲୁ ॥
କିବା ସେ ଜୀବନ ଠାକୁର ।ଗୋବିନ୍ଦ ହୋଇଲେ ଅନ୍ତର ॥
ତାହାର ଶୂନ୍ୟେ ଶୂନ୍ୟ ମହୀ ।ଏମନ୍ତ ପ୍ରାୟେ ମୁଁ ମଣଇ ॥
କହଇ ବିପ୍ର ଜଗନ୍ନାଥ ।ପ୍ରଥମେ ସ୍କନ୍ଧେ ଭାଗବତ ॥
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂବୈୟାସିକ୍ୟାଂ ପ୍ରଥମସ୍କନ୍ଧେ ନାରଦ ଯୁଧିଷ୍ଠିର ପ୍ରଶ୍ନେ ନାମଚତୁର୍ଦ୍ଦଶୋଽଧ୍ୟାୟଃ ॥