ଚତୁର୍ଥ ଅଧ୍ୟାୟ — ଶ୍ରୀମଦ୍ ଭାଗବତ (ପ୍ରଥମ ସ୍କନ୍ଧ) — ଜଗନ୍ନାଥ ଦାସ · ସ୍ୱର୍ଣ୍ଣଲିପିଏ ଶୁକ ମୋହର କୁମର ॥
ତରୁଣ ବୟସ ଏହାର ।ଏ ବୃଦ୍ଧ-ଶରୀର ମୋହର ॥
ବ୍ୟାସ ବଚନେ ନାରୀଗଣେ ।ତକ୍ଷଣେ ନମିଲେ ଚରଣେ ॥
କହନ୍ତି ବ୍ୟାସ ମୁଖ ଚାହିଁ ।ସଂସାର ତାର ହୃଦେ ନାହିଁ ॥
ସ୍ତିରୀ ପୁରୁଷ ନ ଜାଣନ୍ତି ।ସମସ୍ତ ଏକ ଭାବେ ଚିନ୍ତି ॥
ତୁମ୍ଭେ ଯେ କହ ଆମ୍ଭେ ବୃଦ୍ଧ ।ବିଷୟା ରସେ ଅଛି ସଧ ॥
ଏ ଘେନି ହୋଇଲୁ ଅନ୍ତର ।ଆମ୍ଭର ଦୋଷ କ୍ଷମା କର ॥
ଏମନ୍ତେ ଗଲେ ନାରୀଗଣେ ।ଶୁକ ରହିଲେ ସେହି ବନେ ॥
ଶୌନକ ଉବାଚସେ ଶୁକମୁନି କିସ କାର୍ଯ୍ୟେ ।ପ୍ରବେଶ କଲେ କୁରୁରାଜ୍ୟେ ॥
ଉନ୍ମତ୍ତ ଜଡ଼ ରୂପ ବହି ।ତାହାଙ୍କୁ କେହି ନ ଜାଣଇ ॥
କେମନ୍ତେ ପରୀକ୍ଷିତ ମେଳେ ।ମିଳିଲେ ଜାହ୍ନବୀର କୂଳେ ॥
ତହିଁ ଅନେକ ମୁନି ମଧ୍ୟେ ।ଏ ଭାଗବତର ସମ୍ବାଦେ ॥
ପ୍ରଜାଙ୍କ ଘରେ ସାୟଂକାଳେ ।ଯେ ନିତ୍ୟ ଭିକ୍ଷା ଅବା ମିଳେ ॥
ଗୋଦୋହ ମାତ୍ର ଦ୍ୱାରେ ରହି ।ଗୃହୀଙ୍କୁ ତୀର୍ଥଫଳ ଦେଇ ॥
ସେ ମୁନି ପରୀକ୍ଷିତ ମେଳେ ।ମିଳିଲେ ପୂର୍ବ ପୁଣ୍ୟଫଳେ ॥
ସେ ଭାଗବତ ପରୀକ୍ଷିତ ।ସ୍ୱଭାବେ ଅଭିମନ୍ୟୁ ସୁତ ॥
ତାହାର ଜନ୍ମକର୍ମ ଯେତେ ।କହିବ ଆମ୍ଭର ଅଗ୍ରତେ ॥
ଅଦ୍ଭୁତ ପ୍ରାୟ ଅଛୁ ମଣି ।ଏବେ ତରିବୁ ଏହା ଶୁଣି ॥
ସେ ସର୍ବ ରାଜାଙ୍କ ଶିଖର ।ପାଣ୍ଡବ ବଂଶେ କୀର୍ତ୍ତିକର ॥
ରାଜ୍ୟ ସମ୍ପଦ ଛାଡ଼ି ଦୂରେ ।କିମ୍ପା ରହିଲେ ଗଙ୍ଗାତୀରେ ॥
ଶତ୍ରୁ ରାଜାଏ ଯାର ପାଦ ।ନମନ୍ତି ଦେଇଣ ସମ୍ପଦ ॥
ଯୁବା ବୟସେ ନରପତି ।ତେଜିଣ ଅଚଳ ବିଭୂତି ॥
ଯେହୁ ଶରୀର ଏ ସଂସାରେ ।ବହଇ ପର ଉପକାରେ ॥
ହରି ଚରଣ ଚିନ୍ତେ ଚିତ୍ତେ ।ଯେ ରାଜା ନିତ୍ୟେ ଜନହିତେ ॥
ସେ କିମ୍ପା ତେଜିଲା ଜୀବନ ।ଗୃହେ ଉପେକ୍ଷି ଧନଜନ ॥
କହ କାରଣ କିବା ଅର୍ଥେ ।ସଂଶୟ ଛାଡ଼ଇ ଯେମନ୍ତେ ॥
ତୁମ୍ଭେ ସକଳ ବିଦ୍ୟା ପାର ।କହ ସଂଶୟ ହେଉ ଦୂର ॥
ଏମନ୍ତେ ଶୌନକ ବଚନେ ।ସକଳ ମୁନି ଅନୁମାନେ ॥
ସୂତ ଉବାଚକହନ୍ତି ସୂତ ବ୍ରହ୍ମଋଷି ।ମୁନିଙ୍କୁ ପ୍ରସନ୍ନେ ପ୍ରଶଂସି ॥
ଶୁଣ ସକଳ ମୁନିଜନ ।କୃଷ୍ଣ ଚରିତ ବିଧାନ ॥
ଦ୍ୱିତୀୟ ଯୁଗ ଭୋଗ ଅନ୍ତେ ।ଦ୍ୱାପର ଯୁଗ ଉପଗତେ ॥
ବିଷ୍ଣୁର ଅଂଶେ ବ୍ୟାସ ମୁନି ।ଜନ୍ମିଲେ ନରଦେହ ଘେନି ॥
ପରାଶରଙ୍କ ବୀର୍ଯ୍ୟ ଯୁତେ ।ଯୋଜନଗନ୍ଧା ଗର୍ଭଗତେ ॥
ସେ ଏକ ଦିନେ ପ୍ରାତଃକାଳେ ।ସ୍ନାହାନ ସାରି ଗଙ୍ଗାଜଳେ ॥
ଏକାନ୍ତେ ବଦରିକାଶ୍ରମେ ।ବସିଣ ନିଶ୍ଚଳ ଆସନେ ॥
ପର ଅପର ସେ ନ ଜାଣେ ।ସକଳ ଶାସ୍ତ୍ରର ପ୍ରମାଣେ ॥
ଯେ କାଳ ପୁରୁଷର ବଳେ ।ଯୁଗେ ଉଡ଼ନ୍ତି ଅନ୍ତରାଳେ ॥
ତାହାକୁ ନ ଦେଖନ୍ତି କେହି ।ବ୍ରହ୍ମାଣ୍ଡ ମଧ୍ୟେ ଦେହ ବହି ॥
ପ୍ରାଣୀଙ୍କ ବଳ ନିତ୍ୟେ ହରେ ।ଯୁଗ ସ୍ୱଭାବ ଅନୁସାରେ ॥
କଳି ଆଗମେ ପ୍ରାଣୀଙ୍କର ।ଏମନ୍ତ ହୋଇବ ବେଭାର ॥
ଶ୍ରଦ୍ଧା ଛାଡ଼ିବେ ଅତିଦୂର ।ଦୁର୍ବଳ ହୋଇବ ଶରୀର ॥
ବୁଦ୍ଧି ହୋଇବ ଲୋଭେ ଗ୍ରାସ ।ସ୍ୱଭାବେ ଅଳପ ଆୟୁଷ ॥
ଦୁର୍ଭାଗା ହୋଇବେ ସକଳେ ।ଏହା ଜାଣିଲେ ଯୋଗବଳେ ॥
ବ୍ରାହ୍ମଣ ଆଦି ଚାରି ବର୍ଣ୍ଣେ ।କଳି ବଞ୍ଚିବେ ଯେଉଁ ଧର୍ମେ ॥
ବେଦ ଉଚିତ ଶୁଦ୍ଧ କର୍ମ ।ଆଶ୍ରମେ ଭିନ୍ନ ଭିନ୍ନ ଧର୍ମ ॥
ଜୀବର ସାଧ୍ୟ କର୍ମ କରି ।ଯେମନ୍ତେ ବିଷ୍ଣୁ ମାୟା ତରି ॥
ଧର୍ମ ସାଧିବ ଯଜ୍ଞମତେ ।ଏମନ୍ତେ ଭାଳି ମୁନି ଚିତ୍ତେ ॥
ଏକ ବେଦକୁ ଚାରିଖଣ୍ଡେ ।ଯଜ୍ଞ ଭିଆଣ କର୍ମକାଣ୍ଡେ ॥
ଋକ ଯଜୁ ସାମ ଅଥର୍ବ ।ଏ ରୂପେ କରି ଭିନ୍ନ ଭା ବ ॥
ପଞ୍ଚମ ବେଦ ଇତିହାସ ।ଯେହୁ ପୁରାଣେ ଅଷ୍ଟାଦଶ ॥
ପଇଳ ମୁନିଙ୍କୁ ଆଣିଲେ ।ପ୍ରଥମ ବେଦ ପଢ଼ାଇଲେ ॥
ଜଇମିନିଙ୍କୁ ଦେଲେ ସାମ ।ଯଜୁକୁ ବଇଶମ୍ପାୟନ ॥
ଅଙ୍ଗିରା ମୁନି ଅଥର୍ବଣେ ।ମୋ ପିତା ରୋମ ହରଷଣେ ॥
ପୁରାଣ ଅଷ୍ଟାଦଶ ଦେଲେ ।ଏମନ୍ତ କର୍ମ ସମ୍ପାଦିଲେ ॥
ସେ ଶିଷ୍ୟ ବିଚାରି ନିଶ୍ଚଳେ ।ବେଦ ବୃକ୍ଷକୁ ଯୋଗବଳେ ॥
ଅନେକ ଶାଖା ଭିଆଇଲେ ।ଶିଷ୍ୟେ ପ୍ରଶିଷ୍ୟେ ଶିକ୍ଷାଦେଲେ ॥
ଅଳ୍ପବୁଦ୍ଧିର ନର ଯେତେ ।ବେଦ ନ ଘେନି ଦୃଢ଼ଚିତ୍ତେ ॥
ସ୍ତ୍ରୀ-ଶୂଦ୍ର ଜନ୍ମ ଏ ଜଗତେ ।ଯୋଗ୍ୟ ନୁହଁନ୍ତି ବେଦପଥେ ॥
ତାହାଙ୍କୁ ନିସ୍ତାରଣ ଅର୍ଥେ ।ଉପାୟ ଚିନ୍ତି ଦୟାଚିତ୍ତେ ॥
ବୁଦ୍ଧି ମନ୍ଥନେ ବେଦ ମନ୍ଥି ।ଭାରତ ପଦବନ୍ଧେ ଗୁନ୍ଥି ॥
ବେଦୁଁ ଉଦ୍ଧାରି ସାର ଅର୍ଥ ।ପୁରାଣସୃଜିଲେ ଭାରତ ॥
ପ୍ରାଣୀଙ୍କୁ ନିସ୍ତାରି ଏମନ୍ତେ ।କାନନେ ମିଳିଲେ ନିଶ୍ଚିନ୍ତେ ॥
ଆଶ୍ରିତ ସରସ୍ୱତୀ କୂଳେ ।ମନ ନ ରହଇ ନିଶ୍ଚଳେ ॥
ଯୋଗେ ନ ପାରେ ଚିତ୍ତ ଧରି ।ଚଞ୍ଚଳେ ଏମନ୍ତ ବିଚାରି ॥
ଅତି କଷ୍ଟରେ ବେଦ ଘେନି ।ଗୁରୁ ଅନଳେ ଚିତ୍ତ ଘେନି ॥
ଯେବା ଭାରତ କଲି ସାର ।ସ୍ତ୍ରୀ ଶୂଦ୍ର ମଜ୍ଜିଣ ନିସ୍ତାର ॥
ତେବେ ନିର୍ମଳ ନୋହେ ମନ ।ଚିନ୍ତା ଅନଳେ ଛନ୍ନ ଛନ୍ନ ॥
ଏ ମନ ଧରିବି କେମନ୍ତେ ।ନିଶ୍ଚଳ କରି ଜ୍ଞାନପଥେ ॥
କରିବି ଭାଗବତ ଧର୍ମ ।ଯେଣେ ନ ଲାଗେ ମାୟା ଭ୍ରମ ॥
ଏମନ୍ତ ହୃଦରେ ବିଚାରି ।ମନକୁ ନ ପାରନ୍ତି ଧରି ॥
ଏମନ୍ତ ସମୟେ ନାରଦ ।ଆସନ୍ତେ ଶୁଭେ ବୀଣାବାଦ୍ୟ ॥
ତକ୍ଷଣେ ସରସ୍ୱତୀ ତଟେ ।ମିଳିଲେ ବ୍ୟାସଙ୍କ ନିକଟେ ॥
ନାରଦ ଆଗମନ ଦେଖି ।ତକ୍ଷଣେ ଆସନ ଉପେକ୍ଷି ॥
କେତେହେଁ ଦୂରୁ ଆଗ ସରି ।ନାରଦ କରେ କର ଧରି ॥
ବସାଇ ଉତ୍ତମ ଆସନେ ।ପୂଜିଲେ ଅତିଥି ବିଧାନେ ॥
ସେ ବ୍ୟାସ ନାରଦର ପାଦେ ।ସୁଜନେ ପ୍ରଣମ ଆନନ୍ଦେ ॥
ଯାହା ଚିନ୍ତିଲେ ପାପ ନାଶ ।ନମଇଁ ଜଗନ୍ନାଥ ଦାସ ॥
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂବୈୟାସିକ୍ୟାଂ ପ୍ରଥମସ୍କନ୍ଧେ ନାରଦ ଗମନଂଚତୁର୍ଥୋଽଧ୍ୟାୟଃ ।
ପଞ୍ଚମ ଅଧ୍ୟାୟ
ଶ୍ରୀ ସୂତ ଉବାଚହରଷେ ମୁନିଙ୍କର ଆଗେ ।ସୁତ କହନ୍ତି ଅନୁରାଗେ ॥
ଶୁଣ ସକଳ ମୁନିଜନେ ।ହରି ଚରିତ ସାବଧାନେ ॥
ଗଙ୍ଗା ସମୀପେ ଦେବଋଷି ।ସୁଖ ଆସନେ ଦୃଢ଼େ ବସି ॥
ବ୍ୟାସେ ପୂଜିଲେ ମନତୋଷେ ।ଯେ ଜାତ ଗୋବିନ୍ଦର ଅଂଶେ ॥
ହରଷେ ବୀଣା ହସ୍ତେ ନେଇ ।କହନ୍ତି ବ୍ୟାସ ମୁଖ ଚାହିଁ ॥
ନାରଦ ଉବାଚହେ ବ୍ୟାସ ପରାଶର ସୁତ ।ତୁମ୍ଭେ ସ୍ୱଭାବେ ଭାଗ୍ୟବନ୍ତ ॥
ତୁମ୍ଭର ଚଞ୍ଚଳ ବଦନ ।ଦେଖି ଜାଣିଲୁ ତୁମ୍ଭ ମନ ॥
ସକଳ ବେଦ ଶିଷ୍ୟେ ଦେଇ ।ପୁରାଣ ଭାରତ ଭିଆଇ ॥
ସଂସାର ଇଷ୍ଟ ଧର୍ମ ଯେତେ ।ସର୍ବ ସମ୍ପୂର୍ଣ୍ଣ ତୁମ୍ଭ ଚିତ୍ତେ ॥
ବେଦ ବିଚାରି ବ୍ରହ୍ମ ଚିନ୍ତି ।ଚିତ୍ତେ ନୋହିଲା ତୁମ୍ଭ ଶାନ୍ତି ॥
ଭଲେ ଜାଣିଲି ମୁହିଁ ଏହା ।ତୁମ୍ୱେ ସ୍ୱଭାବେ ପୁଣ୍ୟଦେହା ॥
ନାରଦ ବାକ୍ୟ ଶୁଣି କର୍ଣ୍ଣେ ।ବ୍ୟାସ କହନ୍ତି ଅବଧାନେ ॥
ବ୍ୟାସ ଉବାଚତୁମ୍ଭେ କହିଲ ମୁନି ଯେତେ ।ମୋର ଅଭ୍ୟାସ ବହୁମତେ ॥
ବେଦ ପୁରାଣେ ଅର୍ଥ ଯେତେ ।ସର୍ବ ମୁଁ ସମ୍ପାଦିଲି ଚିତ୍ତେ ॥
ତଥାପି ଆତ୍ମା ତୋଷ ନୋହେ ।ମନ ନ ରହେ ସ୍ଥିର ଦେହେ ॥
ତୁମ୍ଭେ ଯେ ବ୍ରହ୍ମାର ନନ୍ଦନ ।ତେଣୁ ଜାଣିଲ ମୋର ମନ ॥
ଏମନ୍ତ ସ୍ଥିର କରିବାରେ ।ଗୋବିନ୍ଦ ବିନା କେବା ତରେ ॥
ସକଳ ଶାସ୍ତ୍ର ତହୁଁ ସାର ।ଯାର ମହିମା ଅଗୋଚର ॥
ତାହାର ଭକ୍ତି ଯେଣୁ ନାହିଁ ।ଏଣୁ ମୋ ଚିତ୍ତ ସ୍ଥିର କାହିଁ ॥
ତୁମ୍ଭେ ସକଳ ଗୁହ୍ୟ ଜାଣ ।ବିଷ୍ଣୁର ମହିମା ପ୍ରମାଣ ॥
ସେ ସର୍ବ ଜୀବଙ୍କ ଈଶ୍ୱର ।ଯାର ମାୟାରେ ଏ ସଂସାର ॥
ସର୍ଜ୍ଜଇ ପାଳଇ ସଂହାରେ ।ତ୍ରିଗୁଣ ବଳେ ସେ ବିହରେ ॥
ସେ ମାୟା ତାକୁ ନ ଲାଗଇ ।ନିତ୍ୟେ ସେ ନିଜ ସୁଖେ ଥାଇ ॥
ଏ ତିନି ଲୋକେ ତୁମ୍ଭ ଦେହେ ।ନିରତେ ଭ୍ରମେ ରବି ପ୍ରାୟେ ॥
ପ୍ରାଣୀଙ୍କ ବାହ୍ୟ ଅଭ୍ୟନ୍ତରେ ।ଯେସନେ ସମୀର ସଞ୍ଚରେ ॥
ଆତ୍ମାକୁ ଆତ୍ମା ସାକ୍ଷୀ ରୂପେ ।ନିତ୍ୟେ ବିହରେ ନିଜ ସୁଖେ ॥
ସେ ବିଷ୍ଣୁ ପାଦ ବ୍ରହ୍ମଜଳେ ।ତୁମ୍ଭର ସ୍ନାହାନ ନିଶ୍ଚଳେ ॥
ସେ ଜଳ ଶୀତ ଉଷ୍ଣଭାବ ।ନିତ୍ୟେ ତୁମ୍ଭର ଅନୁଭବ ॥
ତାହାର ମହିମା ପ୍ରମାଣେ ।ତୁମ୍ଭଙ୍କୁ ଅନ୍ୟ କେବା ଜାଣେ ॥
କହ ଆନନ୍ଦେ ମୁନିବର ।ଯେମନ୍ତେ ମନ ହେବ ସ୍ଥିର ॥
ନାରଦ ଉବାଚଭୋ ମୁନି ସତ୍ୟ ଏ ବଚନ ।ତେଣୁ ସନ୍ତୋଷ ନୋହେ ମନ ॥
ଧନ ସମ୍ପଦ କାମ ଅର୍ଥେ ।ଯେତେ କହିଲ ବେଦଶାସ୍ତ୍ରେ ॥
କୃଷ୍ଣ ନିର୍ମଳ ଯଶୋଗୁଣ ।ଯେଣୁ ନ କଲେ ଉଚ୍ଚାରଣ ॥
ଯେ ଧର୍ମେ କୃଷ୍ଣ ତୋଷ ନୋହି ।ସେ ଧର୍ମ ଚିତ୍ତେ ନ ଘଟଇ ॥
ଯଦି ଗୋବିନ୍ଦ ଗୁଣ ଗ୍ରାମେ ।ଅଭ୍ୟାସେ ଥାନ୍ତା କିଛି ଶ୍ରମେ ॥
ତେବେ କି ମନ ଅସନ୍ତୋଷ ।କହିବା ଶୁଣ ଉପଦେଶ ॥
ଯେବେ ଏ ଜିହ୍ୱା ବାକ୍ୟ-ଶ୍ରମେ ।ନ କରେ କୃଷ୍ଣ ଗୁଣ ଗ୍ରାମେ ॥
ଯେ ବାଣୀ ଜଗତତାରିଣୀ ।ତା ଛାଡ଼ି ଅନ୍ୟେ ଯେବେ ଭଣି ॥
ତାହାକୁ ବୋଲି କାକ ବାଣୀ ।ଯହିଁ ଗୋବିନ୍ଦଙ୍କୁ ନ ଶୁଣି ॥
ନିଶ୍ଚୟ କାକତୀର୍ଥ ସେହି ।ସେ ଜଳେ କେବା ଅବଗାହି ॥
ପରମହଂସ ମନୁ ମେଳେ ।ଯେ ଥାନ୍ତି ପୁଣ୍ୟତୀର୍ଥ କୂଳେ ॥
ଯେ ବାକ୍ୟେ କୃଷ୍ଣ ଗୁଣ ଗାଇ ।ନିଶ୍ଚୟ ପୁଣ୍ୟତୀର୍ଥ ସେହି ॥
ସେ ବାକ୍ୟ ଜନ ତାପ ନାଶେ ।ତୀର୍ଥ ଯେସନେ ପାପ ଧ୍ୱଂସେ ॥
କୃଷ୍ଣର ଗୁଣଗାଥା ଯେବେ ।ପ୍ରବନ୍ଧେ ଉଚ୍ଚାରଇ ଭାବେ ॥
ପଦ ବିଶୁଦ୍ଧ ଯେବେ ହୁଏ ।ସେ ବାଣୀ ସର୍ବ ପାପ ଦହେ ॥
ଅନନ୍ତ ନାମେ ଯଶଗୁଣେ ।ସାଧୁଙ୍କ ବାଣୀ ନିତ୍ୟେ ଭଣେ ॥
ସେ ହରି ଭାବ ଯେବେ ଛାଡ଼ି ।ଯେ ଯାନ୍ତି କର୍ମପଥ ମାଡ଼ି ॥
ନିଷ୍କାମ ମତେ ସର୍ବ ନାଶି ।ତପ ସାଧଇ ବନେ ପଶି ॥
ହରି ମହିମା ଛାଡ଼ି ଦେବେ ।ଅତି ନିର୍ମଳ ଜ୍ଞାନ ଭାବେ ॥
ସେ କାହିଁ ଅଶୁଭ ନାଶିବ ।ତପ ସାଧିଲା ଫଳ ଦେବ ॥
ଯେ ପୁଣ୍ୟ ବେଦମାର୍ଗେ କରେ ।ନିର୍ମଳ ଚିତ୍ତେ ଫଳ ଧରେ ॥
ହରିଙ୍କୁ ନ କରେ ଅର୍ପଣ ।ସେ ସର୍ବ ଫଳ ଅକାରଣ ॥
ତୁମ୍ଭେ ସ୍ୱଭାବେ ଭାଗବତ ।ମହାନୁଭାବେ ଶୁଦ୍ଧ ଚିତ୍ତ ॥
ସତ୍ୟ ବଚନ ଧୃତବତୀ ।ଏଣୁ ଅମୋଘ ତୁମ୍ଭ ଗତି ॥
ସମାଧିକର କୃଷ୍ଣ ପାଦେ ।ତାଙ୍କ ଚରିତ ଅନୁବାଦେ ॥
ପ୍ରବନ୍ଧେ ଭାଗବତ କର ।ଅଖିଳ ଜନଙ୍କୁ ଉଦ୍ଧର ॥
ଯେ ପ୍ରାଣୀ ଅନ୍ୟମାର୍ଗେ ଭଜେ ।ହରି ଭକତି ଦୂରେ ତେଜେ ॥
କୃଷ୍ଣ ଭକତି ଲାଭ ଛାଡ଼ି ।ତୃତୀୟ ବର୍ଗେ ଲୋଭେ ବଢ଼ି ॥
ତାହାଙ୍କ ସୁଖ ଲେଶ ନାହିଁ ।ସମୁଦ୍ରେ ଯେହ୍ନେ ନାବ ଥାଇ ॥
ଜଳ ପବନ ମେଘ ତେଜେ ।କୂଳେ ନ ଲାଗେ ବେଗେ ଭାଜେ ॥
ତାହାଙ୍କ ଗତି ସେହି ମତ ।ଶୁଣ ହେ ପରାଶର-ସୁତ ॥
ନିନ୍ଦିତ କମ୍ୟ କର୍ମ ଚିନ୍ତି ।ଯେ ଧର୍ମୀ ଧର୍ମ ଶିକ୍ଷା ଦ୍ୟନ୍ତି ॥
ସ୍ୱଭାବେ ମୂଢ଼ ସେହୁ ଜନ ।ତାହାର ବିଅର୍ଥ ଜୀବନ ॥
ସାଧୁ ସଙ୍ଗତ ନ ବୁଝନ୍ତି ।ଜଗତେ ନାହିଁ ତାଙ୍କ ସ୍ଥିତି ॥
ପାପ ଆଚରି ନର ଲୋକେ ।ଅନ୍ତେ ସେ ପଡ଼ନ୍ତି ନରକେ ॥
ତୁମ୍ଭେ ସ୍ୱଭାବେ ବିଚକ୍ଷଣ ।ଭାବ ଅଭାବ କଲେ ଜାଣ ॥
ଅନନ୍ତ ପାର ବିଷ୍ଣୁକଥା ।ତୁମ୍ଭେ ବର୍ଣ୍ଣନେ ସାମରଥା ॥
ନିବୃତ୍ତି ପ୍ରବୃତ୍ତି ଏ ମାର୍ଗେ ।ପ୍ରାଣୀ ତରିବେ ଯେଉଁଭାବେ ॥
ହରି ଚରିତ ଦୀପ କର ।ଜନକୁ ଅନ୍ଧାରୁ ଉଦ୍ଧର ॥
ଯେ ପ୍ରାଣୀ ନିଜ ଧର୍ମ ତେଜେ ।ହରି ଚରଣେ ଦୃଢ଼େ ଭଜେ ॥
ଭଜୁଁ ମରଇ ଯେବେ ଦୁଃଖେ ।କେବେହେଁ ନ ପଡ଼େ ନରକେ ॥
ସ୍ୱଧର୍ମେ ଭଜନ୍ତି ପ୍ରାଣୀ ।ହରି ମହିମା ପରିମାଣି ॥
ଅନ୍ତେ ତାହାର ଗତି ଯେତେ ।କେ ଅନୁମାନ ପାରେ ଚିତ୍ତେ ॥
ଏବେ ହୋ ଶୁଣ ମୁନିବର ।ପଣ୍ଡିତ ଜନଙ୍କ ବେଭାର ॥
ଯେ ଲାଭ କେହି ନ ଜାଣନ୍ତି ।ସେ ଭାବ ଯାର ଚିତ୍ତେ ଚିନ୍ତି ॥
ଏ ଅଧ ଉର୍ଦ୍ଧ୍ୱ ବେନି ପଥେ ।ସେ ପ୍ରାଣୀ ଭଜନ୍ତି ନିରତେ ॥
ତାହାଙ୍କ ମଧ୍ୟେ ଏକକ୍ଷଣେ ।ନୋହିଲେ ସେ ଫଳ ଧାରଣେ ॥
ସେ ଅର୍ଥେ ଯତ୍ନ ଯେ କରନ୍ତି ।ସଂସାରେ ପଣ୍ଡିତ ବୋଲାନ୍ତି ॥
ସେ ଫଳ ପାଇ ଦୁଃଖ ଧ୍ୟାୟି ।ଭ୍ରମଣେ ସୁଖ ନ ଲଭଇ ॥
ଭ୍ରମନ୍ତେ ଅବା ଯେବେ ପାଇ ।ପୁଣି ଭ୍ରମଇ ତାହା ଖାଇ ॥
କାଳର ବଳେ ପୁଣ ପୁଣ ।ଏ ଭବ ମଧ୍ୟେ ତା ଭ୍ରମଣ ॥
ଏଣୁ ମୁକୁନ୍ଦ ପାଦଗତେ ।ଯେ ପ୍ରାଣୀ ଭଜନ୍ତି ନିରତେ ॥
ମୁକୁନ୍ଦ ପଥେ ତାଙ୍କ ଗତି ।ଅନ୍ୟର ପଥେ ନ ଭଜନ୍ତି ॥
କୃଷ୍ଣ ପାଦ ପଦ୍ମ ରସ ।ନିରତେ ଯେ କରନ୍ତି ଗ୍ରାସ ॥
ସେ ରସ ଛାଡ଼ିବ ସେ କେହ୍ନେ ।ରସେ ରସିକଜନ ଯେହ୍ନେ ॥
ଈଶ୍ୱର ହେତୁ ଏ ସଂସାର ।ସଂସାରୁ ଈଶ୍ୱର ବାହାର ॥
ଯେଣୁ ଉତ୍ପତ୍ତି ସ୍ଥିତି ନାଶ ।ଈଶ୍ୱର ହୁଅଇ ପ୍ରକାଶ ॥
ଈଶ୍ୱର ଜୀବ ଏ ସଂସାର ।ଏ ସର୍ବ ଏକଇ ପ୍ରକାର ॥
ଏ ସର୍ବ ବ୍ରହ୍ମଭାଗେ ଜାଣି ।ବେଦରେ ଅଛି ପରିମାଣି ॥
ତୁମ୍ଭେ ସର୍ବଜ୍ଞ ମୁନିବର ।କହ କୃଷ୍ଣର ଅବତାର ॥
ତୁମ୍ଭେ ଯେ ଆତ୍ମାରାମେ ରମି ।ଅନ୍ତର ଦୃଷ୍ଟି ଅନ୍ତର୍ଯ୍ୟାମୀ ॥
ପରମ ପୁରୁଷର କଳା ।ସୁମରି ଗୋବିନ୍ଦର ଲୀଳା ॥
ସଂସାର ନିସ୍ତାରଣ ଅର୍ଥେ ।ଶ୍ରୀ ଭାଗବତ କର ଗ୍ରନ୍ଥେ ॥
ସ୍ୱଭାବେ ଯାର ଜନ୍ମ ନାହିଁ ।ମାୟା ଶୟଳେ ଦେହ ବହି ॥
ତାର ଚରିତ କର ଚିତ୍ତେ ।ପ୍ରକାଶ କର ଜନ ହିତେ ॥
ଏ ଯେ ପୁରୁଷଙ୍କର ସାର ।ଯଜ୍ଞ ତପସ୍ୟା ନିର୍ବିକାର ॥
ଇଷ୍ଟ ପୂଜନ ଜପ ଦାନ ।ଯେବେ ଭାବଇ କୃଷ୍ଣ ନାମ ॥
ପୂର୍ବେ ନିର୍ମଳ ମୁନି ଜନେ ।ତପ ଆଚରି ଘୋର ବନେ ॥
ସଂସାର ସାର କୃଷ୍ଣ କଥା ।ନିରତେ ଗାଇ ଗୁଣ ଗାଥା ॥
ଏ ଭାବ ପାଇଲି ଯେମନ୍ତେ ।କହିଲି ତୁମ୍ଭର ଅଗ୍ରତେ ॥
ପୂର୍ବରେ ଦକ୍ଷ ଶାପ ପାଇ ।ଜନ୍ମିଲି ଦାସୀପୁତ୍ର ହୋଇ ॥
ବ୍ରାହ୍ମଣ ଘରେ ଏକା ଏକି ।ମୋହର ଜନନୀ ସେବକୀ ॥
କାର୍ଯ୍ୟ କରଇ ରାତ୍ର ଦିନେ ।ଏମନ୍ତ ବିଧିର ବିଧାନେ ॥
ସେ ବିପ୍ର ଘରେ ବର୍ଷାକାଳେ ।ଅତିଥି ବ୍ରାହ୍ମଣ ମିଳିଲେ ॥
ତାହାଙ୍କୁ ଅନ୍ନ ଜଳ ଦେଇ ।ବ୍ରାହ୍ମଣ କହେ ଭାବ ବହି ॥
ହେ ବିପ୍ର ଶୁଣ ମୋ ବଚନ ।ଆଜ ଜୀବନ ମୋର ଧନ୍ୟ ॥
ତୁମ୍ଭର ଦୟା ଯେବେ ମୋତେ ।ମୋ ଘରେ ରହ ଦିନା କେତେ ॥
ଦୁର୍ଗମ ବରଷା ଏ ଚାରି ।ଏ ଋତୁ ମୋର ଘରେ ସାରି ॥
ହେଉ କହିଲେ ବିପ୍ରଜନେ ।ବ୍ରାହ୍ମଣ ବୋଲେ ଶୁଦ୍ଧମନେ ॥
ରହିଲେ ମନର ସନ୍ତୋଷେ ।ମୁଁ ସେବା କଲି ତାଙ୍କ ପାଶେ ॥
ବାଳକ ଚଞ୍ଚଳ ମୋ ଚିତ୍ତ ।ସେବା କରଇ ଅବିରତ ॥
ସେ ବିପ୍ରଗଣ ମୋତେ ଚାହିଁ ।ଆଶ୍ୱାସ କଲେ ଦୟା ବହି ॥
ସମଦରଶୀ ଯେଣୁ ସର୍ବେ ।କୃପା ସେ କଲେ ମୋର ଭାବେ ॥
ତାହାଙ୍କ ଭୋଜନର ଅନ୍ତେ ।ପତ୍ରେ ଉଚ୍ଛିଷ୍ଟ ରହେ ଯେତେ ॥
ତାହା ଭୁଞ୍ଜଇ ନିତ୍ୟେ ମୁହିଁ ।ଅନ୍ୟ ଭୋଜନ ମୋର ନାହିଁ ॥
ଉଚ୍ଛିଷ୍ଟ ଭୋଜନ ପ୍ରସାଦେ ।ମୋହର ଚିତ୍ତ ଅପ୍ରମାଦେ ॥
ବିପ୍ରଙ୍କ ମୁଖୁଁ ହରି ବାଣୀ ।ତାହାଙ୍କ ଅନୁଗ୍ରହେ ଶୁଣି ॥
ନୀରବେ ଶୁଣି ପଦେ ପଦେ ।ମନ ବୁଡ଼ିଲା କୃଷ୍ଣପାଦେ ॥
କୃଷ୍ଣହୁଁ ଅନ୍ୟ ନ ଜାଣଇ ।ବିଷୟା ବିଷ ଆଉ ନାହିଁ ॥
ଯେଣୁ ଏ ସଦଗତି ରୂପ ।ପ୍ରାଣୀଙ୍କ ହୃଦରେ କଳ୍ପିତ ॥
ମୁହିଁ ଦେଖଇ ବାହ୍ୟ ଅନ୍ତେ ।ହରିହୁଁ ଅନ୍ୟ କେ ଜଗତେ ॥
ଏମନ୍ତେ ବରଷା ସରିଲା ।ଶରଦ ଋତୁ ପ୍ରକାଶିଲା ॥
ବିପ୍ରଙ୍କ ସଙ୍ଗେ ହରି ବାଣୀ ।ନିରତେ ତାଙ୍କ ମୁଖୁଁ ଶୁଣି ॥
ସାତ୍ତ୍ୱିକ ଭକ୍ତି ମୋର ମନେ ।ପ୍ରକାଶ ହେଲା ଅନୁକ୍ଷଣେ ॥
ମୋହର ସେବା ଦିନୁଦିନ ।ଦେଖି ସନ୍ତୋଷ ବିପ୍ରଜନ ॥
ଯିବାର ବେଳେ ମୋତେ ରାଇ ।କୃଷ୍ଣ ମହିମା ଶିକ୍ଷା ଦେଇ ॥
ଯେ ଗୁହ୍ୟ ଗୁହ୍ୟତମ ଜ୍ଞାନ ।କ୍ଷଣେ ଉଦିତ ଭଗବାନ ॥
ଏ ସର୍ବ କହି ମୋର କର୍ଣ୍ଣେ ।ଦୀନବତ୍ସଳ ମୁନି ଜନେ ॥
ବିଷ୍ଣୁର ମାୟା ଅନୁଭବ ।ଯେଣେ ଜାଣିଲି ମୁହିଁ ସର୍ବ ॥
ଯେ ଭାବେ ଭାବି ଅପ୍ରମାଦେ ।ପ୍ରାଣୀ ପଶନ୍ତି କୃଷ୍ଣ ପାଦେ ॥
ଆତ୍ମାର ଗତି ପ୍ରକାଶଇ ।ତାପତ୍ରୟ ଯେ କ୍ଷୟ ଯାଇ ॥
ବ୍ୟାଧି ଉପୁଜେ ଯହୁଁ ଅଙ୍ଗେ ।ସେ ଦ୍ରବ୍ୟ ଚିକିତ୍ସା ନ ଲାଗେ ॥
ଏଣୁ ଗୋବିନ୍ଦ ରସ ତେଜି ।ଯେବେ ବିଷୟ ରସେ ମଜ୍ଜି ॥
ସେ କାହିଁ ତରିବ ସଂସାରେ ।ପଡ଼ନ୍ତି ଘୋର ଅନ୍ଧକାରେ ॥
ଏ ଭବ ମଧ୍ୟେ ଦେହ ଧରେ ।ଶ୍ରୀକୃଷ୍ଣ ଭକ୍ତି କର୍ମ କରେ ॥
ବିଷ୍ଣୁର ଯେତେ ଗୁଣଗ୍ରାମ ।ଜଗତେ ଅଛି ଯେତେ ନାମ ॥
ମନ୍ତ୍ର ଉଚ୍ଚାରି ସ୍ତୁତି କରି ।ପୂଜା କରନ୍ତି ଗୃହେ ଭରି ॥
ସେ ନ ପଡ଼ନ୍ତି ମାୟା ମୋହେ ।ଅନ୍ତେ ପଶନ୍ତି ହରି ଦେହେ ॥
ଏମନ୍ତେ ସାଧୁସଙ୍ଗ ମେଳେ ।କୃଷ୍ଣର ଭକ୍ତି ଯୋଗବଳେ ॥
ଅଶେଷ ଦୁଃଖ ଦୂର ଗଲା ।ସେ ହରି ମୋତେ ଆଜ୍ଞାଦେଲା ॥
ଏବେ ହୋ ଶୁଣ ମୁନିବର ।ହରି ଚରଣ ମନେ ଧର ॥
କୃଷ୍ଣର ଗୁଣଗ୍ରାମ ଯେତେ ।ପ୍ରାଣୀଙ୍କୁ କହ ଭାଗବତେ ॥
ବିଷୟା ରସେ ପ୍ରାଣୀ ମରେ ।ଆତ୍ମାର ଗତି ନ ସୁମରେ ॥
ସେ ଯେବେ ଭାଗବତ ଶୁଣି ।ତରିବ ଭବ ତରଙ୍ଗିଣୀ ॥
ଏମନ୍ତେ ବ୍ୟାସ ଆଗେ କହି ।ବୀଣା ସଙ୍ଗିତେ କୃଷ୍ଣ ଗାଇ ॥
ସେ ମୁନିବର ପାଦ ଯୁଗେ ।ସୁଜନେ ନମ ଅନୁରାଗେ ॥
ହୋଇବ ଭବବନ୍ଧ ନାଶ ।କହଇ ଜଗନ୍ନାଥ ଦାସ ॥
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂବୈୟାସିକ୍ୟାଂ ପ୍ରଥମସ୍କନ୍ଧେ ବ୍ୟାସ-ନାରଦ ସମ୍ୱାଦେ ନାମପଞ୍ଚମୋଽଧ୍ୟାୟଃ ।