ଶ୍ରୀମଦ୍ ଭାଗବତ (ଅଷ୍ଟମ ସ୍କନ୍ଧ)
ଜଗନ୍ନାଥ ଦାସ · ଭାଗ ୪ / ୧୦
ସମ୍ପୂର୍ଣ୍ଣ ସୂଚୀପତ୍ର
ଷଷ୍ଠ ଅଧ୍ୟାୟ
ଶ୍ରୀ ଶୁକ ଉବାଚଏମନ୍ତେ ଦେବ ସ୍ତୁତି ଶୁଣି ।ଶୂନ୍ୟେ ପ୍ରକାଶ ଚକ୍ରପାଣି ॥
ସମସ୍ତେ ହରି ତେଜ ଦେଖି ।ଦେବେ ବୁଜିଲେ ଭୟେ ଆଖି ॥
ଦିନ ନ ପାରନ୍ତି ବିଚାରି ।ବୁଦ୍ଧିର ମତେ ପ୍ରାଣ ଧରି ॥
ରହିଲେ ଅନ୍ଧକାରାଚ୍ଛନ୍ନେ ।ଚାହିଁ ନ ପାରନ୍ତି ଗଗନେ ॥
ମଧ୍ୟେ ଯେ ବ୍ରହ୍ମା ରୁଦ୍ର ଥିଲେ ।ଟେକି ଅନ୍ତରୀକ୍ଷେ ଚାହିଁଲେ ॥
ଦେଖିଲେ ବିଷ୍ଣୁର ପ୍ରକାଶ ।ଶରୀରେ ପୂରିଛି ଆକାଶ ॥
ନୀଳ ମହୀନ୍ଦ୍ର ପ୍ରାୟେ ଦିଶେ ।ଅରୁଣ ଲୋଚନ ପ୍ରକାଶେ ॥
ବିକଚ ପୁଣ୍ଡରୀକ ପ୍ରାୟେ ।କର୍ଣ୍ଣେ କୁଣ୍ଡଳ ବେନି ଶୋହେ ॥
ତପ୍ତ କାଞ୍ଚନ ପ୍ରାୟେ ବର୍ଣ୍ଣ ।ପୀତ ବସନ ପରିଧାନ ॥
ପ୍ରସନ୍ନ ଚାରୁ ସର୍ବ ଅଙ୍ଗ ।ସୁମୁଖ ସୁନ୍ଦର ସୁରଙ୍ଗ ॥
ଅମୂଲ୍ୟ ମୁକୁଟ ଲଲାଟେ ।କାଞ୍ଚନ ଭୂଷଣ ପ୍ରକଟେ ॥
ମର୍କତ ସ୍ତମ୍ଭ ଦୀର୍ଘ ଭୁଜେ ।ବଳୟ କଙ୍କଣ ବିରାଜେ ॥
କାଞ୍ଚି କଳାପ ବଳୟରେ ।ଶୋଭିତ ହାର ନୂପୁରରେ ॥
କୌସ୍ତୁଭ ମଣି କଣ୍ଠେ ଶୋହେ ।ତେଜ ପ୍ରକାଶେ ଜନମୋହେ ॥
କମଳ ବନମାଳା ରୂପେ ।ଊରେ ଲମ୍ବଇ ସୂକ୍ଷ୍ମ ରୂପେ ॥
ଏମନ୍ତ ରୂପେ ଶୂନ୍ୟେ ଚିନ୍ତି ।ଶିବ ସହିତେ ବେଦପତି ॥
ଧ୍ୟାନେ ଗୋବିନ୍ଦ ପାଦେ ପଡ଼ି ।ସ୍ତୁତି କରନ୍ତି କର ଯୋଡ଼ି ॥
ବ୍ରହ୍ମୋବାଚଅଜାତ ପୁରୁଷ ସ୍ୱଭାବେ ।ସୃଷ୍ଟି ସ୍ଥିତି ପାଳନ ଲୋଭେ ॥
ଗୁଣ ବିସ୍ତାର ତୁମ୍ଭେ କର ।ମହିମା ଅମୃତ ସାଗର ॥
ଅଣୁ ହିଁ ଅଣୁଭାବ ହୋଇ ।ସ୍ୱମାୟା ସୁଖେ ଯେ ଭଜଇ ॥
ମହାନୁଭାବେ ଏ ଜଗତେ ।ମହାପୁରୁଷ ନମୋସ୍ତୁତେ ॥
ତୁ ନାଥ ସଂସାର ଧାରଣ ।ଏଣୁ ଅଶେଷ ରୂପ ଗୁଣ ॥
ଆଗମ ନିଗମ ସମ୍ପାଦି ।ବିଚାର ସାଂଖ୍ୟଯୋଗ ବିଧି ॥
ବେଦ ବିହିତ ରବିତଳେ ।ମନ ବଚନର ନିଶ୍ଚଳେ ॥
ତୋହର ରୂପ ଧ୍ୟାନ କରି ।ମାୟାଗହନ ଯାନ୍ତି ତରି ॥
ତୁ ନାଥ ଆଦି ଅନ୍ତ ମଧ୍ୟେ ।ଯେବା କରାଉ ଆତ୍ମା ତନ୍ତ୍ରେ ॥
ଜଗତ ଆଦି ମଧ୍ୟ ତୁହି ।ତୋ ରୂପ ପାରିବ କେ କହି ॥
ମୃତ୍ତିକା ଘଟ ପ୍ରାୟ ହୋଇ ।ତୋ ରୂପ ବିଶ୍ୱେ ପ୍ରକାଶଇ ॥
ଆତ୍ମା ଆଶ୍ରୟ ମାୟା କରି ।ତୁ ଏ ସଂସାରେ ରୂପ ଧରି ॥
ସଂସାରେ ପଶୁ ଆତ୍ମା ରୂପେ ।ସୁଖେ ବିହରୁ କଳ୍ପେ କଳ୍ପେ ॥
ନିର୍ମଳ ଚେତା ମୁନିଗଣେ ।ତୋତେ ଦେଖନ୍ତି ଶୁଦ୍ଧ ମନେ ॥
ଯଥା ଅନଳ କାଷ୍ଠେ ଥାଏ ।ତେହ୍ନେ ଅମୃତ ଗୁରୁଦେହେ ॥
ଧରିଣ ଦେହେ ଯେହ୍ନେ ଅନ୍ନ ।ସଂଯୋଗ କୃଷି କରଷଣ ॥
ମନୁଷ୍ୟ ନାନା ଯୋଗବଳେ ।ଭଜନ୍ତି ତୋ ପାଦ କମଳେ ॥
ନମିଣ ତୋ ଚରଣ ତଳେ ।ଭବସାଗରୁ ତରିଗଲେ ॥
ସର୍ବେ ନମନ୍ତି ତୋ ଚରଣେ ।ତୁ ସ୍ଥିର ସଂସାର ଧାରଣେ ॥
ବାଞ୍ଚିତ ଅର୍ଥ ଫଳ ପାନ୍ତି ।ନାନା ପ୍ରକାରେ ତୋତେ ଚିନ୍ତି ॥
ଆତ୍ମା ତୋହର ରୂପ ଦେଖି ।ସଂସାର ଦେଖି ହୋନ୍ତି ସୁଖୀ ॥
ଯେସନେ ଅଶ୍ରୁବାନ ବଳେ ।ପ୍ରବେଶ କରେ ଗଙ୍ଗା ଜଳେ ॥
ତୋ ଅନୁଗ୍ରହ ବିନୁ ଅଙ୍ଗେ ।ଅନଳେ ଯେସନେ ସ୍ଫୁଲିଙ୍ଗେ ॥
କିବା କହିବି ତୋ ଅଗ୍ରତେ ।ଆମ୍ଭଙ୍କୁ ରଖ ଏ ଜଗତେ ॥
ଆମ୍ଭେ ସକଳ ଲୋକପାଳେ ।ଶରଣ ତୋ ପାଦ କମଳେ ॥
ଏ ଦେହ ଅନ୍ତର ବାହାରେ ।ତୋ ତହୁଁ କେବା ଅଛି ପରେ ॥
ଯେ ଅନୁଗ୍ରହେ ବହେ ଅଙ୍ଗ ।ଅନଳେ ଯେସନେ ପତଙ୍ଗ ॥
କିସ କହିବୁ ତୋ ଅଗ୍ରତେ ।ଆମ୍ଭଙ୍କୁ ରଖ ଏ ଜଗତେ ॥
ଶ୍ରୀ ଶୁକ ଉବାଚଏମନ୍ତ ବ୍ରହ୍ମା ବାକ୍ୟ ଶୁଣି ।ସଂସାର ହିତ ମନେ ଗୁଣି ॥
ପରମ ସୁଖେ ତନୁ ପୂରି ।ବ୍ରହ୍ମାଙ୍କୁ କହନ୍ତି ମୁରାରି ॥
ଶ୍ରୀ ଭଗବାନୁବାଚଜଳଧି ମନ୍ଥନ ପ୍ରସ୍ତାବେ ।ଆତ୍ମା ପ୍ରକାଶ ଅନୁଭବେ ॥
ପ୍ରସନ୍ନ ଚିତ୍ତେ ଭାବଗ୍ରାହୀ ।କହନ୍ତି ବ୍ରହ୍ମା ମୁଖ ଚାହିଁ ॥
ଶୁଣ ହୋ ବ୍ରହ୍ମା ଶିବ ଦେବେ ।ଯେବା କହିବା ତୁମ୍ଭଠାବେ ॥
ତୁମ୍ଭର ଶ୍ରେଷ୍ଠ ଯେଉଁମତେ ।କହିବା ଶୁଣ ଏକ ଚିତ୍ତେ ॥
ଅସୁରଙ୍କର ସଙ୍ଗେ ଯାଇ ।ସର୍ବେ ବିଶ୍ୱାସ ରୂପ ବହି ॥
ନାନା ପ୍ରକାରେ ସନ୍ଧି କର ।ପ୍ରଲୋଭେ ତାଙ୍କ ମନ ହର ॥
ଯାବତ ସିଦ୍ଧି ନୋହେ କାର୍ଯ୍ୟ ।ତାବତ ମିତ୍ର ଭାବେ ଭଜ ॥
ଆପଣା କାର୍ଯ୍ୟ ସିଦ୍ଧି ଅର୍ଥେ ।ଶତ୍ରୁଙ୍କୁ ଭଜନ୍ତି ସମସ୍ତେ ॥
କାର୍ଯ୍ୟ ସରିଲେ ନିଜ ଭାବେ ।ସର୍ବେ ରହନ୍ତି ଆତ୍ମା ଲୋଭେ ॥
ଅହିଂସା କରି କାର୍ଯ୍ୟ ସିଦ୍ଧି ।ଯେମନ୍ତେ ଆତ୍ମା କାର୍ଯ୍ୟ ସିଦ୍ଧି ॥
ଅମୃତ ଅର୍ଥେ ରତ୍ନାକର ।ଯେ ପାନେ ହୋଇବ ଅମର ॥
ପୁଣି କହିବା ଉପଦେଶ ।ବେଗେ ଗହନ ବନେ ପଶ ॥
ବୃକ୍ଷ ଔଷଧି ଗୁଳ୍ମ ଯେତେ ।ବନସ୍ତୁ ଆଣ ଅପ୍ରମିତେ ॥
ପାଷାଣେ ଛେଚି ତାକୁ ବଳେ ।ନିକ୍ଷେପ କ୍ଷୀରସିନ୍ଧୁ ଜଳେ ॥
ସେ ଅମ୍ଳଯୋଗେ ବସୁଦଧି ।ତେଣୁ ଲଭିବ କାର୍ଯ୍ୟ ସିଦ୍ଧି ॥
ଏ ଯେ ମନ୍ଦର ମହୀଧର ।ମନ୍ଥନ ଦଣ୍ଡ ୟାକୁ କର ॥
ବାସୁକୀ ନାଗ ରଜ୍ଜୁ କରି ।ମନ୍ଥିବ ଦେବାସୁର ଧରି ॥
ମୋହର ଆତ୍ମା ସହ ଜଳେ ।ମନ୍ଥନ କରି ବାହୁବଳେ ॥
ତୁମ୍ଭେ ସେ ଅମୃତ ଖାଇବ ।ନିରାଶ ହୋଇବେ ଦାନବ ॥
ଇନ୍ଦ୍ର ଲଭିବ ସର୍ବ ସିଦ୍ଧି ।ସର୍ବ ସମ୍ପାଦିବ ଜଳଧି ॥
ଶାନ୍ତି ବଚନେ କାର୍ଯ୍ୟ ପାଇ ।ଆଗମ ଶାସ୍ତ୍ରେ ଏହା କହି ॥
ପ୍ରଥମେ ବାସୁକୀ ବଦନେ ।ଗରଳ ଛାଡ଼ିବ ମନ୍ଥନେ ॥
ତହିଁକି ନ କରିବ ଭୟ ।ମୁଁ ପୁଣି କରିବି ଉପାୟ ॥
ପ୍ରାଣୀ ଯେ ଲୋଭବଶେ ମୋତେ ।ବସ୍ତୁ ଆବୋରନ୍ତି ଜଗତେ ॥
ଶ୍ରୀ ଶୁକ ଉବାଚଏମନ୍ତେ ଦେବଗଣେ କହି ।ତକ୍ଷଣେ ଗରୁଡ଼ ଆରୋହି ॥
ନିଜ ଭବନେ ହରି ଗଲେ ।ଭକତ ପାରିଷଦ ତୁଲେ ॥
ରୁଦ୍ର ବ୍ରହ୍ମାଦି ଦେବଗଣେ ।ନମିଲେ ବିଷ୍ଣୁର ଚରଣେ ॥
ସକଳେ ହୋଇ ଏକମତ ।ବଳି ଭୁବନେ ଉପଗତ ॥
ଦ୍ୱାରେ ଅସୁର ଯେତେ ଥିଲେ ।ଦେବଗଣଙ୍କୁ ନିରୋଧିଲେ ॥
ଦେବ ନିରୋଧ କଥା ଶୁଣି ।ଅସୁରଙ୍କର ଚୂଡ଼ାମଣି ॥
ସନ୍ଧି ବିଗ୍ରହ ସେ ଜାଣଇ ।ବୋଲଇ ନିଜ ଗଣ ଚାହିଁ ॥
ଦେବଙ୍କୁ ଛାଡ଼ି ତୁମ୍ଭେ ଦ୍ୱାର ।କି ଅବା କରିବେ ବିଚାର ॥
ଏମନ୍ତେ ବଳି ଆଜ୍ଞା ପାଇ ।ଦ୍ୱାର ଛାଡ଼ିଲେ ଭାବ ବହି ॥
ବଳି ନିକଟେ ଦେବେ ଯାଇ ।ଜୟ ଶବଦ ଉଚ୍ଚେ ଗାଇ ॥
ବଳିକି ଦେଖିଲେ ଆସନେ ।ବେଷ୍ଟିତ ଅସୁର ଗହଣେ ॥
ସର୍ବ ସମ୍ପଦ ଯାର ଘରେ ।କିବା ଉପମା ଦେବା ତୀରେ ॥
ନିଜ ଶରୀର ତେଜ ପୁଞ୍ଜେ ।ଦିଗପାଳଙ୍କ ତେଜ ଗଞ୍ଜେ ॥
ଇନ୍ଦ୍ର ଯେ ବଳି ମୁଖ ଚାହିଁ ।ବିଶ୍ୱାସେ ବଚନ ପୁଚ୍ଛଇ ॥
ଶୁଣ ରାଜନ କହୁ ତୋତେ ।ଏ ତିନି ଲୋକେ ଶୁଭ ଅର୍ଥେ ॥
ଦୁର୍ବାସା ଶାପ ମହାଘୋର ।ସମ୍ପଦ ନାଶିଲା ମୋହର ॥
ସୋମ ସବିତା ତେଜ ଗଲା ।ସ୍ୱାହା ସୁଧା ହିଁ ନ ଚଳିଲା ॥
କମ୍ପଇ ଏ ତିନି ଭୁବନ ।ସର୍ବେ ହୋଇଲେ ଦୁଃଖେଚ୍ଛନ୍ନ ॥
ଏଣୁ ବିଷ୍ଣୁ ଭୁବନେ ଯାଇ ।କହିଲୁ ବ୍ରହ୍ମା ରୁଦ୍ର ରାଇ ॥
ସେ ପୁରୁଷୋତ୍ତମ ବଚନ ।ଶୁଣ ରାଜନ ସାବଧାନ ॥
ବୋଇଲେ ଏ କ୍ଷୀର ଜଳଧି ।ଅମ୍ଳ ସଂଯୋଗେ କର ଦଧି ॥
ମନ୍ଦର ଗିରିକୁ ଆଣିବ ।ସମୁଦ୍ର ମଧ୍ୟରେ ସ୍ଥାପିବ ॥
ବାସୁକୀ ନାଗ ରଜ୍ଜୁ କରି ।ଦେବ ଅସୁରେ ତାହା ଧରି ॥
ମନ୍ଥନ କରିବେ ଯତନେ ।ଉଭୟ ପ୍ରୀତି ତୋଷମନେ ॥
ଯେତେ ଉପୁଜିବ ମନ୍ଥନେ ।ସକଳେ ମିଳି ତୋଷମନେ ॥
ସମାନ ଭାଗେ ଭାଗ କର ।ସନ୍ତୋଷ ମନେ ଦେବାସୁର ॥
ସଂସାର ଏବେ ହେଉ ରକ୍ଷା ।ଏମନ୍ତ ବିଷ୍ଣୁ ଦେଲେ ଦୀକ୍ଷା ॥
ଏଣୁ ସୁଗୁଣ ତୁମ୍ଭେ ଆମ୍ଭେ ।ଜଳଧି ମନ୍ଥନ ଆରମ୍ଭେ ॥
ତୁମ୍ଭ ଆମ୍ଭର ଏକ ଗତି ।ଯାହା ବୋଇଲେ ଶିରୀପତି ॥
ଏମନ୍ତ ଇନ୍ଦ୍ର ମୁଖୁ ଶୁଣି ।ଅସୁର ମନେ ମନେ ଗୁଣି ॥
ବୋଇଲେ ଶୁଭ କଥା ଏହି ।ବିଷ୍ଣୁ ମାୟାରେ ମନ ମୋହି ॥
ବଳି ସହିତେ ଉଠି ସର୍ବେ ।ସମ୍ମତ କଲେ ପ୍ରିୟ ଭାବେ ॥
ସମ୍ବରାରିଷ୍ଟ ନେମି ତୁଲେ ।ଯେତେ ଦାନବ ବୀର ଥିଲେ ॥
ବିଷ୍ଣୁ ମୋହିଲେ ମାୟାମତେ ।ହରଷ ଅସୁରଙ୍କ ଚିତ୍ତେ ॥
ଦେବ ଦାନବ ଶ୍ରଦ୍ଧା ମନେ ।ଉଦ୍ୟତ ସମୁଦ୍ର ମନ୍ଥନେ ॥
ଏମନ୍ତ ଦେବାସୁରଗଣେ ।ବେଗେ ମିଳିଲେ ଗିରିବନେ ॥
ତୀକ୍ଷ୍ମ କୁଠାରେ ବେଗେ ହାଣି ।ଅମ୍ଳ ଔଷଧ ବନୁ ଆଣି ॥
ପର୍ବତେ ଛେଚି ପ୍ରତି ଶିଳେ ।କ୍ଷୀର ସମୁଦ୍ରେ ପକାଇଲେ ॥
ସେ ଦୋଷୁଁ କ୍ଷୀରୋଦ ଅର୍ଣ୍ଣବେ ।ଦଧି ହୋଇଲା ଅମ୍ଳ ଯୋଗେ ॥
ଦେବ ଦାନବ ପ୍ରିୟମାନେ ।ମିଳିଲେ ଗିରି ସନ୍ନିଧାନେ ॥
ନାନାଦି ତୀକ୍ଷ୍ଣ ଶସ୍ତ୍ର ଧରି ।ଉପାଡ଼ି ଘୋର ନାଦ କରି ॥
ଇନ୍ଦ୍ରର ତୁଲେ ଦେବେ ଯେତେ ।ଅସୁରେ ବଳିର ସହିତେ ॥
ସମସ୍ତେ ଗିରି ମୁଣ୍ଡ କଲେ ।ବଳେ କେତେହେ ଦୂରଗଲେ ॥
କାହିଁ ବହିବେ ଗିରିବର ।ସେ ଗିରିବରଙ୍କର ସାର ॥
ପଥେ ଆଣନ୍ତେ ଗିରିବର ।ପଡ଼ିଲେ ତାଙ୍କରି ଉପର ॥
ଚୂର୍ଣ୍ଣ ହୋଇଲା ମହାଭାରେ ।ସକଳ ପଡ଼ିଲେ ଭୂମିରେ ॥
ଦେବଙ୍କୁ ଦେଖି ଭଗବାନ ।ତକ୍ଷଣେ ଗରୁଡ଼ ଆସନ ॥
ପଥେ ମିଳିଲେ ତାଙ୍କ ପାଶେ ।ଦେବଙ୍କ ଭକତି ବିଶ୍ୱାସେ ॥
କୋଳେ ମନ୍ଦର ଗିରି କଲେ ।ଦେବ ଅସୁରଙ୍କୁ ଚାହିଁଲେ ॥
ଅମୃତ ନୟନେ ଅନାଇ ।ଜୀବନ ଦେଲେ ଭାବଗ୍ରାହୀ ॥
ଲାଗନ୍ତେ ଗୋବିନ୍ଦର କର ।ତକ୍ଷଣେ ପାଇଲେ ଶରୀର ॥
ଗୋବିନ୍ଦ ଏକହସ୍ତେ ଗରି ।ନିଶ୍ଚଳେ ନିଜ କରେ ଧରି ॥
ଗରୁଡ଼ ଉଡ଼େ ଶୂନ୍ୟ ପଥେ ।ଦେବ ଦାନବ ବଳି ସାଥେ ॥
କ୍ଷୀର ଜଳଧି ତୀରେ ମିଳି ।ଦେବେ ଅସୁରେ ବନମାଳୀ ॥
ଗରୁଡ଼ ପୃଷ୍ଠେ ଗିରିବର ।କରେ ନିବେଶି ଗଦାଧର ॥
ଗରୁଡ଼ ଗଲା ନିଜ ଘରେ ।ଶୁଣ ନୃପତି ମନସ୍ଥିରେ ॥
ବୋଲଇ ବିପ୍ର ଜଗନ୍ନାଥ ।ଅଷ୍ଟମ ସ୍କନ୍ଧେ ଭାଗବତ ॥
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂବୈୟାସିକ୍ୟାଂ ଅଷ୍ଟମସ୍କନ୍ଧେ ମନ୍ଦରାଚଳାୟନେନାମ ଷଷ୍ଠୋଽଧ୍ୟାୟଃ ।
ସପ୍ତମ ଅଧ୍ୟାୟ
ଶ୍ରୀ ଶୁକ ଉବାଚବ୍ୟାସ ନନ୍ଦନ ଅନୁରାଗେ ।କହନ୍ତି ପରୀକ୍ଷିତ ଆଗେ ॥
ଦେବ ଦାନବ ଏକ ମେଳେ ।ପ୍ରବେଶ ହୋଇଲେ ପାତାଳେ ॥
ବାସୁକୀ ନିକଟେ ମିଳିଲେ ।ସମୁଦ୍ର ମନ୍ଥନ କରିଲେ ॥
ଗୋବିନ୍ଦ ଆଜ୍ଞା ଶିରେ ଧରି ।ଅଂଶେ ଅଭୟ ରୂପଧରି ॥
ଧରଣୀ ଧରି ଏକ ରୂପେ ।ମିଳିଲେ କ୍ଷୀରାବ୍ଧି ସମୀପେ ॥
ଦେବେ ବେଷ୍ଟିତ ମହାଗିରି ।ରହିଲା ବିଶ୍ୱରୂପ ଧରି ॥
ଦେଖି ସକଳ ତୋଷମନେ ।ଆରମ୍ଭ ସମୁଦ୍ର ମନ୍ଥନେ ॥
ବାସୁକୀ ଫଣା ଆଗ ଧରି ।ଦେବଙ୍କ ତୁଲେ ନରହରି ॥
ବୋଲନ୍ତି ଅସୁରକୁ ଚାହିଁ ।ତୁମ୍ଭେ ହୋ ପୁଚ୍ଛ ଧର ଯାଇ ॥
ହରି ବଚନ ଶୁଣି କର୍ଣ୍ଣେ ।ଅସୁର ଭାଳି ଏକ ମନେ ॥
ବୋଲନ୍ତି ବିଷ୍ଣୁମୁଖ ଚାହିଁ ।ଏକଥା ଉଚିତ ନୁହଇ ॥
ସ୍ୱଭାବେ ସର୍ପର ଲାଙ୍ଗୁଳ ।କେବେହେଁ ନୁହଇ ମଙ୍ଗଳ ॥
ଆମ୍ଭେ ଦେବଙ୍କ ପୂର୍ବେ ଜାତ ।ପବିତ୍ର କଶ୍ୟପଙ୍କ ସୁତ ॥
ଧର୍ମ ଅଧର୍ମ ଆମ୍ଭେ ଜାଣୁ ।ଆଗମ ନିଗମ ପ୍ରମାଣୁ ॥
ବିଖ୍ୟାତ ଜନ କୁଳଶୀଳ ।କେମନ୍ତେ ଧରିବୁ ଲାଙ୍ଗୁଳ ॥
ଆମ୍ଭର ଏଣେ କାର୍ଯ୍ୟ ନାହିଁ ।ଏମନ୍ତ ଭାବ ଚିତ୍ତେ ବହି ॥
ସର୍ବ ଅସୁର ଏକମେଳେ ।ରହିଲେ କ୍ଷୀର ସିନ୍ଧୁ ଜଳେ ॥
ସମୁଦ୍ର ମନ୍ଥନ ଉପେକ୍ଷି ।ପୁରୁଷୋତ୍ତମ ତାହା ଦେଖି ॥
ପୁଚ୍ଛ ଧଇଲେ ଶିରୀରଙ୍ଗ ।ସର୍ବ ଦେବଙ୍କୁ ଘେନି ସଙ୍ଗ ॥
ମନ୍ଦର ଧରି ବାହୁବଳେ ।ସ୍ଥାପିଲେ କ୍ଷୀର ସିନ୍ଧୁ ଜଳେ ॥
ସ୍ୱଭାବେ ଶରୀର ଜଳଧି ।ଯୋଜନ ପାଞ୍ଚ ଲକ୍ଷାବଧି ॥
ଗିରି ପଡ଼ିଲା ରସାତଳେ ।ଖୋଜି ନ ପାରିଲେ ସକଳେ ॥
ତୀରେ ଉଠିଲେ ଦୁଃଖମନେ ।ବଦନେ ଚାହିଁ ଅନ୍ୟୋଅନ୍ୟେ ॥
ଦଇବ ଅତି ବଳିୟାର ।ନାଶିଲା ନିଜ ପୁର୍ଷକାର ॥
ଦେବ ଦାନବ ବିଷ୍ଣୁ ପାଶେ ।ରହିଁ ଚାହିଁଲେ ଦଶଦିଶେ ॥
ତାହାଙ୍କ ଦର୍ପଭଗ୍ନ ଚାହିଁ ।ହସି ବୋଲନ୍ତି ଭାବଗ୍ରାହୀ ॥
ପାତାଳୁ କୂର୍ମ ରୂପ ଧରି ।ପୃଷ୍ଠେ ବସାଇ ମହାଗିରି ॥
ଉଠିଲେ ଘେନି ଗିରିବର ।ତୀରେ ଦେଖନ୍ତି ଦେବାସୁର ॥
ଯେସନେ ସରୋବର ମଧ୍ୟେ ।ପୃଷ୍ଠକୁ ସ୍ଥାପିଲେ ଆନନ୍ଦେ ॥
ଗିରି ଯୋଜନ ପଞ୍ଚଦଶ ।ତୀରେ ରହିଲା ଅବଶେଷ ॥
ଗୋବିନ୍ଦ ମାୟାଯୋଗ କରି ।ତକ୍ଷଣେ ମାୟା ରୂପ ଧରି ॥
ବହିଲେ ଗିରି ପୃଷ୍ଠଦେଶେ ।ମସ୍ତକ ଲଗାଇ ଆକାଶେ ॥
ଦେଖି ଆନନ୍ଦେ ଦେବାସୁରେ ।ବାସୁକୀ ଧରି ତେଜଭରେ ॥
ପର୍ବତେ ତିନିଗୁଣ କରି ।ଲଭିଲେ ମନ୍ଥନ ଆବୋରି ॥
ଦେବ ଅସୁର ବେନିଭାଗେ ।ବାସୁକୀ ଧରି ଅତି ବେଗେ ॥
ହୁଙ୍କାରି କରନ୍ତି ମନ୍ଥନ ।ଶୁଣ ପରୀକ୍ଷିତ ରାଜନ ॥
କଚ୍ଛପ ଗିରି ଘରଷଣେ ।ଅନଳ ଲାଗିଲା ତକ୍ଷଣେ ॥
ଗିରି ଯେ କୂର୍ମ ପୃଷ୍ଠେ ଥିଲା ।ତକ୍ଷଣେ ଉଶ୍ୱାସ ହୋଇଲା ॥
କଣ୍ଡୁ ଘର୍ଷଣ ସୁଖ ବୁଝି ।ସେ କୂର୍ମ ବେନି ଚକ୍ଷୁ ବୁଜି ॥
ସୁଖେ ନିଦ୍ରିତ ନାରାୟଣ ।କେ ସେହୁ ଅନଳ ଧାରଣ ॥
ପୁଣି ଗୋବିନ୍ଦ ଅନ୍ତରୀକ୍ଷେ ।ମିଳିଲେ ଦେବଙ୍କ ସମ୍ମୁଖେ ॥
ଦେବ ଅସୁର ଅଳ୍ୱ ବଳ ।ଜାଣିଲେ ପ୍ରଭୁ ଆଦିମୂଳ ॥
ତକ୍ଷଣେ ପ୍ରଭୁ ଭାବଗ୍ରାହୀ ।ଦେବ ଦାନବ ମଧ୍ୟେ ଯାଇ ॥
ପଶିଲେ ତାହାଙ୍କର ଚିତ୍ତେ ।ବଳ ହୋଇଲା ଅପ୍ରମିତେ ॥
ବାସୁକୀ ଦେହେ ନରହରି ।ପଶିଲେ ବାଳରୂପ ଧରି ॥
ସହସ୍ର ଭୁଜେ ଶୂନ୍ୟପଥେ ।ଗିରି ଆବୋରି ହୃଦଗତେ ॥
ରହିଲେ ପ୍ରଭୁ ଆଦିମୂଳ ।ଶୂନ୍ୟେ ଦେଖନ୍ତି ଋଷିବଳ ॥
ଆନନ୍ଦେ ଗଗନ ଆରୋହି ।ସ୍ତୁତି କରନ୍ତି ବିଷ୍ଣୁ ଚାହିଁ ॥
ପୁଷ୍ପ ବରଷି ବେଦ ନାଦେ ।ମୁନିଏ କହନ୍ତି ଆନନ୍ଦେ ॥
ଦେଖନ୍ତି ଅଧଃ ଊର୍ଦ୍ଧ୍ୱେ ଚାହିଁ ।ହରିହୁଁ ଅନ୍ୟ ନ ଦିଶଇ ॥
ଉତ୍କଟ ନାଦେ ସୁରାସୁରେ ।ଗିରି ମନ୍ଥନ୍ତି ଅତି ଖରେ ॥
ମହା ପର୍ବତ ଘରଷଣେ ।ଜଳେ ଯେ ଜଳ ଜନ୍ତୁଗଣେ ॥
ଜଳଧି ସଙ୍ଗେ କ୍ଷୋଭ ପାଇ ।ପୂର୍ବେ ରହିଲି ସ୍ଥିର ହୋଇ ॥
ବାସୁକୀ ସହସ୍ର ବଦନେ ।ନିଃଶ୍ୱାସ ଛାଡ଼େ ଘନଘନେ ॥
ତାର ନିଃଶ୍ୱାସ ଦାବାନଳ ।ପୂରିଲା ଦିଗ ଅନ୍ତରାଳ ॥
ନିଃଶ୍ୱାସ ଅଗ୍ନି ଧୂମ ଲାଗି ।ଦେବ ଦାନବେ ଦୁଃଖ ଭାଗି ॥
ସହି ନ ପାରନ୍ତି ମନ୍ଦର ।ତାହାକୁ ଦେଖି ଚକ୍ରଧର ॥
ତକ୍ଷଣେ ଶୂନ୍ୟେ ମେଘମାଳ ।ଶୀତଳ ବରଷନ୍ତି ଜଳ ॥
କ୍ଷୀର ସମୁଦ୍ରେ ଶୀତ ତପ୍ତ ।ରୂପେ ପଶିଲେ ଜଗନ୍ନାଥ ॥
ବାସୁକୀ ଆଦି ଜଳ ଜୀବେ ।ତାପୁ ତାରିଲେ ଶୀତଭାବେ ॥
ଦେବ ଦାନବ ଦେହଗତେ ।ମାଳ କଙ୍କଣ ଥିଲା ଯେତେ ॥
ସକଳ ଧୂମେ ହତଗର୍ବ ।ଅନାଇ ପ୍ରଭୁ ପଦ୍ମନାଭ ॥
ଜଳ ସିଞ୍ଚନେ ସୁଖୀ କଲେ ।କଳି ସମେତ ଯେତେ ଥିଲେ ॥
ଏମନ୍ତେ ବାସୁକୀ ଶରୀରେ ।ଅତି ମନ୍ଥନ ଗୁଣଭରେ ॥
ଗରଳ ଛାଡ଼େ ଅତି ଦୁଃଖେ ।ବରଷା ପ୍ରାୟ ସସ୍ରମୁଖେ ॥
ଜଳେ ପଡ଼ନ୍ତେ ବିଷଜ୍ୱାଳେ ।ଯେ ଜଳଜନ୍ତୁ ଥିଲେ ଜଳେ ॥
ବିକଳେ ବୁଲି ଛଟପଟେ ।ପୁଣି ଗଭୀରେ ପୁଣି ତଟେ ॥
ସେ ବିଷ ବେଗବନ୍ତ ଜ୍ୱାଳେ ।ଦିଗ ପୂରିଲା ଅନ୍ତରାଳେ ॥
ଚକିତେ ଅଧଃ ଊର୍ଦ୍ଧ୍ୱ ମଧ୍ୟେ ।ଜନ୍ତୁଏ ପଳାନ୍ତି ବିଷାଦେ ॥
ଡାକନ୍ତି ଊର୍ଦ୍ଧ୍ୱ ମୁଖ କରି ।ରଖହେ ପ୍ରଭୁ ଶୂଳଧାରୀ ॥
ନ ସହୁ ବିଷର କଷଣ ।ତୋ ପାଦେ ପଶିଲୁ ଶରଣ ॥
ହର ସମୀପେ ମୁନିଗଣ ।ମିଳି କରନ୍ତି ପ୍ରଦକ୍ଷିଣ ॥
ଯେ ଦୁଃଖ ବନ ଧୂମକେତୁ ।ଅଶେଷ ଅପବର୍ଗ ହେତୁ ॥
ବିକଳେ ମିଳି ଶିବ ପାଶେ ।ସ୍ତୁତି କରନ୍ତି ବିଷତ୍ରାସେ ॥
ମିଳି ସକଳ ପ୍ରଜାପତି ।ସନ୍ନିଧେ ବସାଇ ପାର୍ବତୀ ॥
ଋଷି ଉବାଚହେ ମହାଦେବ ସଦାଶିବ ।କେ ଜାଣିପାରେ ତୋର ଭାବ ॥
ତୁ ଭୂତ ଭୁବନ ଈଶ୍ୱର ।ପ୍ରାଣୀର ପ୍ରାଣ ରକ୍ଷା କର ॥
ଏ ବିଷ ସଂସାର ଦହିବ ।ଏଣୁ ଉଦ୍ଧର ସଦାଶିବ ॥
ସର୍ବ ଜନ୍ତୁଙ୍କ ବଧ ମୋକ୍ଷ ।ତୁ ନାଥ ଈଶ୍ୱର ପ୍ରତ୍ୟକ୍ଷ ॥
କୁଶଳ ଇଚ୍ଛା ଯାର ମନେ ।ସେତୋତେ ଚିନ୍ତେ ନିତ୍ୟେଧ୍ୟାନେ ॥
ଜଗତ ଗୁରୁ ନାଥ ତୁହି ।ଯେ ତୋର ଶରଣ ପଶଇ ॥
ସ୍ୱଶକ୍ତି ତୋର ଗୁଣମୟୀ ।ଯେ ଭାବେ ସର୍ବ ସ୍ଥିତି ହୋଇ ॥
ପ୍ରଳୟ କରୁ ନାଥ ତୁହି ।ତୁ ବ୍ରହ୍ମା ବିଷ୍ଣୁ ରୁଦ୍ର ହୋଇ ॥
ତୁ ବ୍ରହ୍ମ ପରମ ଗୁପତ ।ସଦ ଅସଦ ଭାଗବତ ॥
ପ୍ରକାଶ ନାନା ଶକ୍ତି ରୂପେ ।ତୁ ଆତ୍ମା ମୋହ ଜନ୍ମ ରୂପେ ॥
ସର୍ବ ଦେବଙ୍କ ଆତ୍ମା ତୁମ୍ଭେ ।ଅଶେଷ ଯଜ୍ଞର ଆରମ୍ଭେ ॥
ଭୂମି ତୋହର ପାତ୍ର ବେନି ।ତୋ ବଳ ବହଇ ମେଦିନୀ ॥
କାଳ ଯେ ତୋର ନିଜ ଗତି ।ତୋର ଦୃକ୍ଷଣ ପ୍ରଜାପତି ॥
ଏ ଅଷ୍ଟଦିଗ ତୋ ଶ୍ରବଣ ।ତୋହର ରସନା ବରୁଣ ॥
ନଭ ତୋହର ନାଭି ଦେଶ ।ନିଃଶ୍ୱାସ ବାତ ଅଣଚାଶ ॥
ପର୍ବତ ତୋର ଅସ୍ଥି ସଂଘ ।ତୋ ରୋମ ଔଷଧର ଓଘ ॥
ଏ ସାତ ଛନ୍ଦ ସପ୍ତଧାତୁ ।ତୁ ଧର୍ମ ସୃଷ୍ଟି ସ୍ଥିର ହେତୁ ॥
ଭୋ ନାଥ ତୋ ପାଞ୍ଚ ବଦନ ।ଯେ ଉପନିଷଦ ବଦନ ॥
ଅଷ୍ଟ ଉତ୍ତର ତିନିଶତ ।ଯେ ବ୍ରହ୍ମ ମନ୍ତ୍ରଙ୍କ ଉକତ ॥
ଯେ ବ୍ରହ୍ମ ସର୍ବ ତତ୍ତ୍ୱଧ୍ୟାନ ।ଯେଣୁ ତୋହର ଶିବ ନାମ ॥
ଜ୍ୟୋତି ସ୍ୱରୂପେ ତୋର ବାସ ।ତୁ ବ୍ରହ୍ମ ପରମ ପ୍ରକାଶ ॥
ଅଧର୍ମ ତୋ ଶରୀର ଛାୟା ।ତୋର ଆଶ୍ରିତ ଘୋରମାୟା ॥
ତୋ ତିନି ନେତ୍ର ତିନିଗୁଣ ।ଯେ ଗୁଣେ ସଂସାରେ ଧାରଣ ॥
ତୋ ଛନ୍ଦୋମୟ ଶାସ୍ତ୍ର ଶିକ୍ଷା ।ଏ ସର୍ବ ପ୍ରାଣୀଙ୍କର ଦୀକ୍ଷା ॥
ଅଖିଳ ଲୋକପାଳ ତୁହି ।ତୋ ଅନ୍ତ କେହି ନ ଜାଣଇ ॥
ବିରଞ୍ଚି ବୈକୁଣ୍ଠେ ତୋ ନାମ ।ସୁରେନ୍ଦ୍ର ଗଣ ନୁହେଁ ସମ ॥
ପରମ ଜ୍ୟୋତି ତୁ ଆନନ୍ଦ ।କେବେହେଁ ଗୁଣେ ନୋହେଭେଦ ॥
ପ୍ରାଣୀଙ୍କି ଅନ୍ତଃକାଳେ ଧରି ।ତୃତୀୟ ନେତ୍ର ତୁ ଆବୋରି ॥
କାମ ତ୍ରିପୁର ଘୋର କାଳ ।ଦକ୍ଷର ଯଜ୍ଞ ଧ୍ୱଂସ କଲ ॥
ଯେ ଅଛି ଶତ୍ରୁ ଭୂତ ଦେହୀ ।ଯେ ଅବା ଲୋଭ କ୍ରୋଧମୟୀ ॥
ତାହାକୁ କରୁ ତୁ ଦହନ ।ତୁ ନାଥ ଅଟୁ ନିରଞ୍ଜନ ॥
ପ୍ରାଣୀଙ୍କି କରୁ ଆତଯାତ ।ଏଣୁ ତୋ ନାହିଁ ଆଦି ଅନ୍ତ ॥
ଯେ ଆତ୍ମଜ୍ଞାନୀ ଏ ଜଗତେ ।ତୋ ପାଦ ଚିହ୍ନେ ଅବିରତେ ॥
ସେବା ତପସ୍ୟା କରି ଭଜେ ।ତୋ ରୂପ ଧ୍ୟାନ ଭାବେ ପୂଜେ ॥
କେ ରବିସୁତେ ନ ଡରନ୍ତି ।ଏ ଘୋର ସଂସାରୁ ତରନ୍ତି ॥
ଆମ୍ଭେ ଯେ ଘୋର ବିଷଭୟେ ।ଶରଣ ଗଲୁ ତୋର ପାୟେ ॥
ଏ ବିଷ ଭୟେ ଦଶଦିଶ ।କେବେହେଁ ନ ଦିଶେ ପ୍ରକାଶ ॥
ଏଣୁ ବ୍ରହ୍ମାଣ୍ଡ ନିଶ୍ଚେ ଗଲା ।ଅକାଳେ ପ୍ରଳୟ ହୋଇଲା ॥
ଭୟେ କମ୍ପଇ ତିନିପୁର ।ଆକାଶେ କମ୍ପେ ସୁରେଶ୍ୱର ॥
ଏ ଘୋର ଭୟୁଁକର ତ୍ରାଣ ।ଭୋ ନାଥ ରଖ ଆମ୍ଭ ପ୍ରାଣ ॥
ତୁ ଧର୍ମ ଜ୍ଞାନୀଙ୍କର ସାର ।ଯେ ଧର୍ମ ଜନ ଉପକାର ॥
ଶ୍ରୀ ଶୁକ ଉବାଚବ୍ୟସନ ଦେଖି ତାହାଙ୍କର ।ଦୟା ବହିଲେ ବେଦବର ॥
ସେ ଦେବ ଦେବ ଭୂତପତି ।ବୋଇଲେ ଶୁଣ ଗୋ ପାର୍ବତୀ ॥
ଶିବ ଉବାଚଦେଖ ଭବାନି ପ୍ରଜାଙ୍କର ।ଦୁଃଖ ହୋଇଲା ଭୟଙ୍କର ॥
ସମୁଦ୍ର ମନ୍ଥନୁ ଏ ଜାତ ।ଏଥୁ ରଖିବା ମୋ ଉଚିତ ॥
ତା ଜନ୍ମ ଧନ୍ୟ ଏ ସଂସାରେ ।ଯେ ରହେ ପର ଉପକାରେ ॥
ସାଧୁ ଜନଙ୍କର ଏ ଗତି ।କେବେହେଁ ଧର୍ମ ନ ଛାଡ଼ନ୍ତି ॥
କ୍ଷଣ ଭଙ୍ଗୁର ଏ ଶରୀର ।ସୁଦୃଢ଼ ପର ଉପକାର ॥
ଏମନ୍ତେ ରୁଦ୍ରଙ୍କ ବଚନ ।ଅମ୍ବିକା ଶୁଣି ତୋଷ ମନ ॥
ରୁଦ୍ର ଚରଣ କରେ ଧରି ।ମଧୁରେ କହନ୍ତି ଗଉରୀ ॥
ଦେବ୍ୟୁବାଚଭୋ ନାଥ ଜଗତ ଈଶ୍ୱର ।ଦେବଙ୍କ ବୋଲ ତୁମ୍ଭେ କର ॥
ଏ ଘୋର ବିଷ କର ଗ୍ରାସ ।ଏହି ସଂସାରେ ଥିବ ଯଶ ॥
ଧର୍ମ କରନ୍ତି ଯେତେ ନର ।ତାହାଙ୍କୁ ରଖେ ଚକ୍ରଧର ॥
ଏମନ୍ତେ ଗଉରୀ ବଚନେ ।ରୁଦ୍ର ଉଠିଲେ ତୋଷମନେ ॥
କ୍ଷୀରାବଧି ତଟେ ବିଜେକରି ।କର ଅଞ୍ଜଳି ଜଳେ ଭରି ॥
ଉତ୍କଟ ଘୋର ମହାବିଷ ।ଏକା ଗ୍ରାସକେ କଲେ ଗ୍ରାସ ॥
ରଖିଲେ ଅଖିଳ ଭୁବନ ।ଶୁଣ ହୋ ପରୀକ୍ଷ ରାଜନ ॥
ଗଳେ ଦିଶିଲା ନୀଳ ପ୍ରଭା ।ଆନନ୍ଦ ମନେ ସୁରଦେବା ॥
ଯେ ପର ଦୁଃଖେ ଦୁଃଖ ସହି ।ତାହାକୁ ପରମାତ୍ମା କହି ॥
କରନ୍ତି ପର ଉପକାର ।ଧନ୍ୟ ଜୀବନ ତାହାଙ୍କର ॥
ଏମନ୍ତ ରୁଦ୍ର କର୍ମ ଦେଖି ।ସଂସାର ଜନ ହେଲେ ସୁଖୀ ॥
ବ୍ରହ୍ମା ଗୋବିନ୍ଦ ଦେବମେଳେ ।ନମିଲେ ରୁଦ୍ର ପାଦ ତଳେ ॥
ରୁଦ୍ର ବିପନ୍ତେ ଘୋର ବିଷ ।ପାଣିରେ ପଡ଼େ ଅବଶେଷ ॥
ବୃଶ୍ଚିକ ବୃନ୍ଦ ସର୍ପଗଣ ।ଭକ୍ଷିଲେ ଶେଷ ବିଷକରଣ ॥
ବୋଲଇ ବିପ୍ର ଜଗନ୍ନାଥ ।ବିଷ ଭକ୍ଷିଲେ ଉମାକାନ୍ତ ॥
ଏ କ୍ଷୀର ସମୁଦ୍ର ମନ୍ଥନ ।ଶୁଣି ପବିତ୍ର ହୁଏ ମନ ॥
ସୁସାଧୁ ଜନଙ୍କର ହିତେ ।ଅଷ୍ଟମସ୍କନ୍ଧ ଭାଗବତେ ॥
ଭାଷା ପ୍ରବନ୍ଧ ଗୀତ ନାଦେ ।ସୁଜନେ ଶୁଣ ଅପ୍ରମାଦେ ॥
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂବୈୟାସିକ୍ୟାଂ ଅଷ୍ଟମସ୍କନ୍ଧେ ବିଷ୍ଣୁ ବିଜୟେ ରୁଦ୍ର ଗରଳଭକ୍ଷଣେ ନାମ ସପ୍ତମୋଽଧ୍ୟାୟଃ ।