ଶ୍ରୀମଦ୍ ଭାଗବତ (ଅଷ୍ଟମ ସ୍କନ୍ଧ)
ଜଗନ୍ନାଥ ଦାସ · ଭାଗ ୨ / ୧୦
ସମ୍ପୂର୍ଣ୍ଣ ସୂଚୀପତ୍ର
ତୃତୀୟ ଅଧ୍ୟାୟ
ଶ୍ରୀ ଶୁକ ଉବାଚଶୁଣ ପାଣ୍ଡବ ଚୂଡ଼ାମଣି ।ଗଜେନ୍ଦ୍ର ବୋଲି ମୋକ୍ଷବାଣୀ ॥
ଏମନ୍ତ ବୁଦ୍ଧି ସେ ବିଚାରି ।ଚଞ୍ଚଳ ମନ ସ୍ଥିର କରି ॥
ପରମ ଜପ ସେ ଜପିଲା ।ସେ ପୂର୍ବଜନ୍ମେ ଶିକ୍ଷା ଥିଲା ॥
ଶ୍ରୀକୃଷ୍ଣ ବ୍ରହ୍ମା ଆଦି ପାଦେ ।ବୋଲେ ଆନନ୍ଦେ ଗଦ ଗଦେ ॥
ଗଜେନ୍ଦ୍ର ଉବାଚନମସ୍ତେ ପ୍ରଭୁ ଭଗବାନ ।ଅଶେଷ ବ୍ରହ୍ମାଣ୍ଡ ଜୀବନ ॥
ତୋର ମହିମା ଚିନ୍ତାତ୍ମକ ।ଅନାଦି ପୁରୁଷ ବିବେକ ॥
ଜୀବର ଆଦିଜୀବ ତୁହି ।ପରମେଶ୍ୱର ଭେଦ ବହି ॥
ଯାହାର ଦେହେ ବିଶ୍ୱ ବସେ ।ସ୍ୱଭାବେ ସ୍ୱରୂପ ପ୍ରକାଶେ ॥
ଜୀବ ପରମ ଆତ୍ମା ପର ।ତୁ ବ୍ରହ୍ମ ଶରଣ ସୋଦର ॥
ଏ ଯେ ସଂସାର ମାୟାବଳେ ।ଆତ୍ମାର କଳ୍ପେ ସେ ନିଶ୍ଚଳେ ॥
କାହିଁ ପ୍ରସାରେ ତିରୋହିତ ।କରଇ ଉର୍ଣ୍ଣନାଭ ମତ ॥
ମଧ୍ୟେ ଦେଖିଲା ସାକ୍ଷୀ ରୂପେ ।କ୍ରୀଡ଼ା କରଇ କଳ୍ପେ କଳ୍ପେ ॥
ସେ ବିଷ୍ଣୁ ରଖୁ ମୋର ପ୍ରାଣ ।ତା ପାଦେ ପଶିଲି ଶରଣ ॥
କାଳେ ସକଳ ଜୀବଧାରୀ ।ଅନନ୍ତ ରୂପରେ ସଂହରି ॥
ସକଳ ହେତୁ କରେ ଅନ୍ତ ।ତମ ନିପାତ ଘୋର ପଥ ॥
ପୁଣି ସେ ତାମସ ପ୍ରବେଶେ ।ବିରାଟ ରୂପକୁ ପ୍ରକାଶେ ॥
ତାର ମହିମା ବିଚାରଣେ ।ଯେତେକ ଦେବ ଋଷିଗଣେ ॥
କେହି ଯେ ତାଙ୍କୁ ନ ଜାଣନ୍ତି ।ଅନେକ ଶାସ୍ତ୍ରମାନ ଚିନ୍ତି ॥
କେ ପ୍ରାଣୀ ତଦନ୍ତ ଜାଣିବ ।ଯହିଁ ଭ୍ରମନ୍ତି ବ୍ରହ୍ମା ଶିବ ॥
ନଟ ଆକୃତି ପ୍ରାୟ ଖେଳେ ।ଏ ମାୟା ଗହନ ଶୟଳେ ॥
ମନ କର୍ମକୁ ଦୂର ଯେହି ।ସେ ହରି ରଖ ମୋର ଦେହୀ ॥
ଯାର ମହିମା ମୁନି ଜନେ ।ସକଳ ଶାସ୍ତ୍ର ଅନୁମାନେ ॥
ବିମୁକ୍ତି ସଙ୍ଗ ସାଧୁଜନେ ।ତପ ସାଧନ୍ତି ଘୋରବନେ ॥
ଭୂତଙ୍କ ଭୂତ ଆତ୍ମା ଯେହୁ ।ସେ ହରି ମୋତେ ଗତି ହେଉ ॥
ଯାହାର ଜନ୍ମ କର୍ମ ନାହିଁ ।ଅପର ଦୋଷ ଗୁଣ ନାହିଁ ॥
ତଥାପି ଲୋକ ରକ୍ଷା ଅର୍ଥେ ।ଆପେ ସମ୍ଭବେ ଏ ଜଗତେ ॥
ସ୍ୱ ମାୟାବଳେ ଏ ଜଗତ ।ସ୍ଥିତି ପାଳନେ କରେ ଅନ୍ତ ॥
ଅରୂପ ରୂପ ଯେ ଅଦ୍ଭୁତ ।ଆତ୍ମା ପ୍ରଦୀପ ସାକ୍ଷୀମତ ॥
ପରମ ଆତ୍ମା ସାକ୍ଷୀ ଘର ।ମନ ବଚନ ଅଗୋଚର ॥
ସୂକ୍ଷ୍ମ ନିର୍ମଳ ରୂପ ଯାର ।ଦୁସ୍ତର ତମ ମହାଘୋର ॥
ଯାହାକୁ ସର୍ବଗୁଣେ ଗାଇ ।ନିଷ୍କାମ ଚିତ୍ତେ ଯେବା ଧ୍ୟାୟି ॥
କୈବଲ୍ୟ ନାଥ ନମୋଽସ୍ତୁତେ ।ନିର୍ବାଣ ସୁଖଦ ଉଦିତେ ॥
ତୁ ନାଥ ଶାନ୍ତ ଘୋରରୂପୀ ।ମୁକ୍ତି ଧର୍ମେଣ ବିଶ୍ୱବ୍ୟାପୀ ॥
ଯେ ଜୀବ କ୍ଷୟ ସାକ୍ଷୀରୂପେ ।ନମସ୍ତେ ଜ୍ଞାନ କାଳରୂପୀ ॥
ଯେ କ୍ଷେତ୍ରରୂପୀ ନମୋ ନମଃ ।ସର୍ବଜ୍ଞ ସାକ୍ଷୀ ନିଜ ଧାମ ॥
ସେ ଏ ଜଗତେ ଆଦି ମୂଳ ।ପ୍ରକୃତି ମଧ୍ୟେ ସୂକ୍ଷ୍ମ ସ୍ଥୂଳ ॥
ସର୍ବ ଇନ୍ଦ୍ରିୟ ଗୁଣଦ୍ରଷ୍ଟା ।ସର୍ବ ସୃଷ୍ଟିର ଆଦିତ୍ରାତା ॥
ଅଭକ୍ତ ଜନେ ଅପ୍ରକାଶ ।ଭକତ ପଦେ ରବିତ୍ରାସ ॥
ଅଖିଳ କାରଣ ସ୍ୱରୂପୀ ।ଅଦ୍ଭୁତ ରୂପ ବିଶ୍ୱବ୍ୟାପୀ ॥
ସର୍ବ ନିଗମ ମହାର୍ଣ୍ଣବ ।ତୋର ମହିମା କେ ବର୍ଣ୍ଣିବ ॥
ତୁ ଅପବର୍ଗ ପରାୟଣ ।ନମଇଁ ତୋହର ଚରଣ ॥
ଶୂନ୍ୟ ଗଗନେ ଗୁଣପାଶେ ।ବନ୍ଧନ ତୋ ମାୟା ବିଶ୍ୱାସେ ॥
ତୁ ନାଥ କରୁଣା ସାଗର ।ତୋ ପାଦେ ଶରଣ ମୋହର ॥
ଅଶେଷ ଜନ୍ତୁ ହୃଦଗତେ ।ତୋର ପ୍ରକାଶ ଆତ୍ମାମତେ ॥
ସକଳ ଦେଖୁ ନାଥ ତୁହି ।ତୋ ରୂପ କେହି ନ ଜାଣଇ ॥
ତୁ ନାଥ ଜ୍ଞାନାଗ୍ନି ସ୍ୱରୂପୀ ।ତୃଣ କାଷ୍ଠରେ ଅଛୁ ବ୍ୟାପୀ ॥
ମୋହର ପ୍ରିୟ ପଶୁଗଣ ।ବିପଦ ପାଶୁ କର ତ୍ରାଣ ॥
ତୁ ବ୍ରହ୍ମ ପରମ ମଙ୍ଗଳ ।ନମସ୍ତେ ପ୍ରଭୁ ଆଦି ମୂଳ ॥
ଆତ୍ମା ଆତ୍ମଜ ଗୃହ ଚିତ୍ତେ ।ମମତା କରେ ଦୃଢ଼ଚିତ୍ତେ ॥
ଯେ ପ୍ରାଣୀ ଗୃହବନ୍ଧେ ମଜ୍ଜେ ।ସେ ତୋତେ କେବେହେଁ ନଭଜେ ॥
ଯେ ମୁକ୍ତି ସଙ୍ଗ ଏ ଜଗତେ ।ସେ ତୋତେ ଭଜେ ଅବିରତେ ॥
ଏଣୁ ବିବେକୀ ପ୍ରାଣୀଙ୍କର ।ତୁ ନାଥ ଶୁଭ ସୁଖକର ॥
ହେ ଜ୍ଞାନାତ୍ମକ ଭଗବାନ ।ସର୍ବ ଈଶ୍ୱର ନମୋନମଃ ॥
ଧର୍ମାର୍ଥ କାମ ଲୋଭୁଁ ମୁକ୍ତ ।ନିଷ୍କାମେ ଭଜି ଅବିରତ ॥
ଅନ୍ତେ ଲଭଇ ଇଷ୍ଟ ଗତି ।ଦୁଃଖ ସଙ୍କଟେ ନ ପଡ଼ନ୍ତି ॥
ଅବ୍ୟୟ ସ୍ଥାନେ ରହେ ମନ ।ଏଣୁ ଲଭନ୍ତି ଦିବ୍ୟଜ୍ଞାନ ॥
ଏ ପ୍ରାଣୀ ଶରଣ ତୋହର ।ଏ ଗ୍ରାହ ହସ୍ତୁ କର ପାର ॥
ଏକାନ୍ତ ଚିତ୍ତେ ଯେ ରହନ୍ତି ।ବିଷୟା ସୁଖ ନ ବାଞ୍ଛନ୍ତି ॥
ତୋ ପାଦ ସୁଧା ସୁଖ ପାଇ ।ଅଧିକ ବାଞ୍ଛା ତାର ନାହିୋ ॥
ଅତି ଅଦ୍ଭୁତ ତୋ ଚରିତ ।ଆନନ୍ଦ ରୂପେ ସୁଲଳିତ ॥
ତୋ କଥା ସୁଧା ସିନ୍ଧୁଜଳେ ।ଅବଗାହନ ସୁଖ ଭୋଳେ ॥
କରି ତରନ୍ତି ଦିବ୍ୟ ଦେହୀ ।ଏଣୁ ତୋ ମହିମା କେ କହି ॥
ଅକ୍ଷର କ୍ଷର ନାହିଁ ଯାର ।ସେ ବ୍ରହ୍ମ ପରମ ଈଶ୍ୱର ॥
ଅବ୍ୟକ୍ତ ଅଧ୍ୟାତ୍ମ ସ୍ୱରୂପୀ ।ପରମ ଯୋଗବଳେ ବ୍ୟାପୀ ॥
ଇନ୍ଦ୍ରିୟ ଜ୍ଞାନର ଅଗମ୍ୟ ।ଅତ୍ୟନ୍ତ ଦୂର ଅତି ସୂକ୍ଷ୍ମ ॥
ଏଣୁ ସେ ଅତି ଦୂରେ ରହେ ।ଅତ୍ୟନ୍ତ ସୂକ୍ଷ୍ମ ସୂକ୍ଷ୍ମ ହୁଏ ॥
ଏଣୁ ଅନନ୍ତ ଆଦି ପୂର୍ଣ୍ଣ ।ସେ ହରି ରଖୁ ମୋ ଜୀବନ ॥
ନିବେଦନ ମୋ ଅନୁକ୍ଷଣେ ।ମନ ବଚନ ଆଚରଣେ ॥
ଦେଖେ ଏ ଘୋର ଗ୍ରାହ ଗ୍ରାସୁ ।ଉଦ୍ଧରି ମୋତେ ସେ ଆଶ୍ୱାସୁ ॥
ଯାର ଚରିତ ବଳ ଘେନି ।ବ୍ରହ୍ମାଦି ଦେବାସୁର ମୁନି ॥
ସଂସାର ସୁଖ ତ୍ୟାଗ କରି ।ମାୟା ସଂସାରୁ ଗଲେ ତରି ॥
ଅଗ୍ନି ସବିତା ଜ୍ୟୋତି ଯେହ୍ନେ ।ପ୍ରକାଶେ ପ୍ରବେଶ ଗଗନେ ॥
ଏଣୁ ଏ ପ୍ରବାହ ସଂସାର ।ଇନ୍ଦ୍ରିୟ ବୁଦ୍ଧି ଅହଙ୍କାର ॥
ଶରୀର ଆଦି ସେହି ମତେ ।ପ୍ରବେଶ ହୋନ୍ତି ତାର ଗାତ୍ରେ ॥
ଜନ ଶରୀର ପଶୁ ଆଦି ।ସେ ରୂପେ ଅରୂପ ସମ୍ପାଦି ॥
କେବେହେଁ ନୋହେ ରୂପ ଗୁଣ ।ଏଣୁ ଏ ଅନାଦି କାରଣ ॥
ନମୋ ନମସ୍ତେ ହେ ଅନନ୍ତ ।ଅଶେଷ ବେଗ ବଳବନ୍ତ ॥
ଅଖିଳ ବୁଦ୍ଧି ଗୁଣମୟ ।ଯାହାର ଅଟେ ଶକ୍ତି କ୍ରୟ ॥
ପ୍ରସନ୍ନଜନ ଯେ ପାଳଇ ।ଦୂରନ୍ତ ଶକ୍ତି ଯାର ଦେହୀ ॥
କୁତ୍ସିତ ଇନ୍ଦ୍ରିଗଣେ ଯାର ।ମାର୍ଗେ ନ ହୁଅନ୍ତି ଗୋଚର ॥
ମୁଁ ଗ୍ରାହଗ୍ରସ୍ତେ ଗ୍ରସ୍ତ ହୋଇ ।ଆତ୍ମା ଶରୀର ନ ଜାଣଇ ॥
ଯେ ହରି ସଂସାରେ କାରଣ ।ତା ପାଦେ ପଶିଲି ଶରଣ ॥
ରଖୁ ନ ରଖୁ ସେ ଜାଣଇ ।ତା ବିନୁ ଅନ୍ୟ ଗତି ନାହିଁ ॥
ଶ୍ରୀ ଶୁକ ଉବାଚଏମନ୍ତେ ଗଜରାଜ ସ୍ତୁତି ।ଦେଇ ଗୋବିନ୍ଦ ପାଦେ ମତି ॥
ଇନ୍ଦ୍ରାଦି ଦେବ ଗମ୍ୟ ନୋହେ ।ଯେ ପୂର୍ବ ଭାଗ୍ୟର ଉଦୟେ ॥
ଗଜ ବିକଳ ଶୁଣି ହରି ।ଆନନ୍ଦ ଚିତ୍ତେ ମୋଦ ଭରି ॥
ଯେ ହରି ସର୍ବ ଦେବମୟ ।ଅଶେଷ ବିଶ୍ୱ ଯାର ଦେହ ॥
ଅଖିଳ ଦେହ ଯାର ବାସ ।ସେ ପ୍ରଭୁ ଭକତ ବିଶ୍ୱାସ ॥
ଶୁଣିଲେ ଗଜେନ୍ଦ୍ର ଆରତ ।ମନେ ବିଚାରି ଜଗନ୍ନାଥ ॥
ସ୍ତୁତି କରନ୍ତି ଦେବଗଣ ।ଶ୍ରବଣେ ପ୍ରଭୁ ନାରାୟଣ ॥
ଭକତ କାରଣ ତତ୍ପର ।ପ୍ରଭୁ ନିଶ୍ଚିନ୍ତେ ପରାତ୍ପର ॥
ଭୋଜନ ପାନେ ନାହିଁ ଇଚ୍ଛା ।ଘେନିଣ ଦୀନତ୍ରାଣ ଦୀକ୍ଷା ॥
ଗ୍ରାହ ଗ୍ରସ୍ତିତ ମନେ ଜାଣି ।ସତ୍ୱରେ ପ୍ରଭୁ ଚକ୍ରପାଣି ॥
ଏମନ୍ତ ପ୍ରଭୁ ଦାଶରଥି ।ସ୍ମରଣ କଲେ ଖଗପତି ॥
ଗଗନ ଚରାଧିପ ପ୍ରିୟ ।ଯେ ଅଟେ ଚାରି ବେଦମୟ ॥
ଶରୀର ନାଗେ ଅଳଂକୃତ ।ମନହୁଁ ଅତି ବଳବନ୍ତ ॥
କନକ ଗିରି ମଧ୍ୟେ ବାସ ।ଯାହାର ଗୋବିନ୍ଦ ବିଶ୍ୱାସ ॥
ଏମନ୍ତ ଗୋବିନ୍ଦ ସ୍ମରଣ ।ଜାଣିଲା ବିନତା ନନ୍ଦନ ॥
ଆହାର ଅର୍ଥେ ଲୋଭ ମନ ।ବିସ୍ତାରି ଥିଲା ଯେ ବଦନ ॥
ତକ୍ଷଣେ କଲାକ ମୁଦ୍ରିତ ।ହରି ସ୍ମରଣେ ପ୍ରମୋଦିତ ॥
ଗୋବିନ୍ଦ ନିକଟେ ଗମନ ।ମନକୁ ନିବେଶି ବହନ ॥
ଚିରବିରହୀ ଯେହ୍ନେ ବଧୂ ।ପାଇଲା ନିଜ ପ୍ରାଣବନ୍ଧୁ ॥
ଦରିଦ୍ର ନିଧିକି ପାଇଲା ।ଅପୁତ୍ରୀ ପୁତ୍ର କି ଲଭିଲା ॥
ତେସନେ ଗରୁଡ଼ ଆନନ୍ଦ ।ଗମନେ ଚରଣାବିନ୍ଦ ॥
ଗଗନେ ପକ୍ଷ ବିସ୍ତାରିଲା ।ପରମ ଆନନ୍ଦେ ଉଡ଼ିଲା ॥
ସର୍ପ ଭୂଷଣ କଳେବର ।ବ୍ରହ୍ମାଣ୍ଡ ମଧ୍ୟେ ବଳିୟାର ॥
ପଞ୍ଚ ପଲ୍ଲବ ବିସ୍ତାରିଲା ।ରୋଦସି କନ୍ଦର ପୂରିଲା ॥
ପାତାଳେ ପଶି ପକ୍ଷୀବତ ।କମ୍ପାଏ ଦନୁଜଙ୍କ ଗାତ୍ର ॥
ଗରୁଡ଼ ପକ୍ଷ ବେଗବାତେ ।ସଙ୍ଗତେ ଉଡ଼ିଲେ ପର୍ବତେ ॥
ଆକାଶେ ଦେଖି ଗିରିମାଳ ।ଭୟେ କମ୍ପନ୍ତି ଦିଗପାଳ ॥
ପବନ ପ୍ରାୟ କଲା ଗତି ।ଗୋବିନ୍ଦ ପାଦେ ଦେଇ ମତି ॥
ତନୁ ଜିଣଇ ଗିରିବର ।ବଳୀଙ୍କ ମଧ୍ୟେ ବଳୀୟାର ॥
ଆପଣା ପକ୍ଷ ସମୀରଣେ ।କମ୍ପଇ ଚଉଦ ଭୁବନେ ॥
ସତ୍ୱରେ ନିକଟେ ପ୍ରବେଶ ।ଦେଖିଲା ପରମ ପୁରୁଷ ॥
ବିମଳ ବିଶାଳ ହୃଦୟ ।ଅଞ୍ଜନ ଗିରି ଜିଣି ଦେହ ॥
ଦୁଷ୍ଟ ନାଶନେ ବଳବନ୍ତ ।କଟୀରେ ଶୋହେ ପୀତବସ୍ତ୍ର ॥
କଣ୍ଠେ ଶୋଭଇ ମଣିଦାମ ।ଗରୁଡ଼ କରଇ ପ୍ରଣାମ ॥
ଯେ ପ୍ରଭୁ ଅଜ ଅବିନାଶୀ ।ସକଳ ହୃଦୟ ନିବାସୀ ॥
କରୁଣା ସିନ୍ଧୁ ଭଗବାନ ।ବିକଚ କମଳ ଲୋଚନ ॥
ଗରୁଡ଼ ମୁଖକୁ ଚାହିଁଲେ ।କୁଶଳ ବାର୍ତ୍ତାକୁ ପୁଚ୍ଛିଲେ ॥
ଗରୁଡ଼ କୃତାଞ୍ଜଳି ହୋଇ ।ପଦ୍ମ ଚରଣେ ପ୍ରଣମଇ ॥
ଉଠି କପାଳେ କର ଦେଇ ।ଉଭା ହୋଇଲା ମୁଖ ଚାହିଁ ॥
ଗରୁଡ଼େ ଆରୋହିଲେ ହରି ।ଜଳଦ ଯେହ୍ନେ ମହାଗିରି ॥
ମହାଗିରିରେ ଶ୍ୟାମ ମେଘ ।ତେସନେ ଶୋଭା ଶିରୀ ଅଙ୍ଗ ॥
ସ୍ମିତ ବଦନ ଅନୁପମ ।କୋଟିଏ ରତି ଜିଣି ଶ୍ୟାମ ॥
ଶୋଭା ପାଇଲେ ଭଗବାନ ।ଅନାଦି ପରମ କାରଣ ॥
ଖଗ ପିଠିରେ ହରି ବସି ।ଶୋଭାରେ ଜଗଜ୍ଜନ ତୋଷି ॥
ଉପରେ ଶୀତୋଷ୍ଣ ବାରଣ ।କନକମୟ ଛତ୍ର ପୁଣ ॥
ଦେଖନ୍ତେ ମନକୁ ହରଇ ।ବିସ୍ତାରେ ବ୍ୟୋମ ଆଚ୍ଛାଦଇ ॥
ଚନ୍ଦ୍ରହୁଁ ଅଧିକ ସୁନ୍ଦର ।ମୁକୁତା ମାଳା ମନୋହର ॥
ଗମନ କଲେ ନରହରି ।ନିଜ ଭୁବନୁ ଅପସରି ॥
ଗଜକୁ ନିସ୍ତାରିବା ପାଇଁ ।ବିଜୟ କଲେ ଭାବଗ୍ରାହୀ ॥
ସମସ୍ତ ଲୋକ ଯା ଉପରେ ।ସେ ପ୍ରଭୁ ଘେନି ଖଗେଶ୍ୱରେ ॥
କରନ୍ତି ସଧୀରେ ଗମନ ।ସୁନ୍ଦର ଦିଶିଲା ଗଗନ ॥
ଗୋବିନ୍ଦ ବିଜେ କଲେ ପୁଣି ।ମିଳିଲେ ତ୍ରିଭୁବନ ପ୍ରାଣୀ ॥
ଆନନ୍ଦେ କଲେ ବେଦ ନାଦ ।ହୃଦେ ଭାବନ୍ତି ଆଦିକନ୍ଦ ॥
ଶୁଭିଲା ବହୁ ମତେ ଶଙ୍ଖ ।ପଟ୍ଟହ ମୃଦଙ୍ଗ ଅନେକ ॥
ସୁଗନ୍ଧ ନବ କୁସୁମିତ ।ବୃଷ୍ଟି କରନ୍ତି ଦେବଯୂଥ ॥
ଗୋବିନ୍ଦ ଶଙ୍ଖ ଧ୍ୱନି ଆଶେ ।ମୁନିଏ ମିଳିଲେ ପାରୁଶେ ॥
ସେ ଗିରି କନ୍ଦର ଆବୋରି ।ତପ କରନ୍ତି ଦୃଢ଼କରି ॥
ଯେ ଯା ଯଜ୍ଞ ଅଗ୍ନିହୋତ୍ର ।ସେବନ୍ତି ତତପର ଚିତ୍ତ ॥
ଖେଚର କିନ୍ନର ଗନ୍ଧର୍ବ ।ଯକ୍ଷ ଉରଗ ଆଦି ସର୍ବ ॥
ଯେ ସ୍ୱର୍ଗବାସୀ ପୁଣ୍ୟକର୍ମା ।ଜାଣନ୍ତି ଗୋବିନ୍ଦ ମହିମା ॥
ସମସ୍ତେ ସତ୍ୱରେ ଅଇଲେ ।ଗୋବିନ୍ଦ ନିକଟେ ମିଳିଲେ ॥
କେ କରେ ପଦ୍ମବୀଜ ମାଳ ।ତିଳକ ଶୋଭଇ କପାଳ ॥
ଗଳାରେ ତୁଳସୀର ମାଳ ।ହୃଦେ ଲମ୍ବଇ ବନମାଳ ॥
କୃଷ୍ଣ ଗୋପାଳ ନରହରି ।ନାମ ଡାକନ୍ତି ଉଚ୍ଚକରି ॥
ମିଳିଲେ ଅନେକ ସାତ୍ତ୍ୱିକ ।ଗୋବିନ୍ଦ ପାଦେ ଦେଇ ଚିତ୍ତ ॥
ଭକତେ ଯୂଥ ଯୂଥ ହୋଇ ।ଧାବନ୍ତି ହରିଗୁଣ ଗାଇ ॥
କଶ୍ୟପ ଆଦି ପ୍ରଜାପତି ।ସଙ୍ଗେତେ ଘେନି ବେଦପତି ॥
ଧବଳ ପକ୍ଷ ବିହଙ୍ଗମ ।ଆରୋହୀ ଚଳନ୍ତି ସ୍ୱଧାମ ॥
ଅମର ସିଦ୍ଧ ମୁନି ସଙ୍ଗେ ।ମିଳିଲେ କୃଷ୍ଣ ପାଶେ ରଙ୍ଗେ ॥
କେହି କରନ୍ତି ଶଙ୍ଖନାଦ ।କେ ବେଣୁ ବଜାନ୍ତି ଆନନ୍ଦ ॥
କଂସାଳ ତାଳ ଦେବବାଦ୍ୟ ।କେ ବୀଣା ମର୍ଦ୍ଦଳ ଶବଦ ॥
କେ ଶିଙ୍ଗା ବାୟେ ନାନାମତେ ।କେହୁ କାହାଳୀ ଅବିରତେ ॥
ବାଦ୍ୟ ଶବଦ ଧ୍ୱନି ଘୋଷି ।ଦେଖନ୍ତି କୃଷ୍ଣ ମୁଖ ଶଶୀ ॥
କେତେହେଁ ମୁନି ଗୀତ ଗାଇ ।ନୃତ୍ୟ କରନ୍ତି ଭାବଗ୍ରାହୀ ॥
କେ ଅବା ଗୀତେ ହୋଇ ମତ ।ଗୋବିନ୍ଦ ପଦ୍ମପାଦେ ଚିତ୍ତ ॥
କେ ଭାବେ ଜ୍ଞାନ ଭୋଳ ହୋଇ ।ପ୍ରଳାପ ବଚନ କହଇ ॥
କେହି ଆନନ୍ଦେ ଅଶ୍ରୁଜଳ ।ହରିଙ୍କ ଭାବେ କୁତୁହଳ ॥
ପରମ ଆନନ୍ଦେ କେ ମଜ୍ଜେ ।ହରି ଭାବରେ ଚକ୍ଷୁ ବୁଜେ ॥
ଚନ୍ଦନ ପିଚିକା କେ ମାରେ ।କୁସୁମ ବୃଷ୍ଟି କେହୁ କରେ ॥
ସୁଗନ୍ଧ କ୍ଷେପନ୍ତି କେ ପଥେ ।ମାର୍ଜ୍ଜନା କେ କରନ୍ତି ହସ୍ତେ ॥
କେହି ମାରନ୍ତି ବାହାସ୍ଫୋଟ ।ଗୋବିନ୍ଦ ରସେ ତନୁ ମୋଟ ॥
ଆନନ୍ଦେ ନୃତ୍ୟ କେ କରନ୍ତି ।ଭୁଜଙ୍ଗ ପ୍ରାୟେ କେ ଚାହାଁନ୍ତି ॥
ଏମନ୍ତେ ଗୋବିନ୍ଦ ଗମନେ ।ମିଳିଲେ ନାରଦ ବହନେ ॥
ନଟଙ୍କ ପ୍ରାୟେ ମୋକ୍ଷ ଗତି ।ଆନନ୍ଦେ ନାରଦ ନାଚନ୍ତି ॥
ଡାକନ୍ତି ଗୋବିନ୍ଦ ଗୋପାଳେ ।ନୃତ୍ୟ କରନ୍ତି ମତିଭୋଳେ ॥
ନାରଦ ଗୀତରସ ପାଇ ।ସାଧୁଙ୍କ ମନ ଉଲ୍ଲସଇ ॥
ନାନା ପ୍ରକାରେ ପାଦ ଚାଳି ।କର ଯୁଗଳ ରଙ୍ଗେ ତୋଳି ॥
ଖେଳିଲା ସର୍ପଭାବ ପ୍ରାୟେ ।ମୁନି କରନ୍ତି ଅବଲୟେ ॥
ଆନନ୍ଦରସେ ମତ୍ତ ହୋଇ ।ବୋଲନ୍ତି ନାରାୟଣ ମୁହିଁ ॥
ଭାବେ ନ ଚିହ୍ନେ ପରାପର ।ବୋଲନ୍ତି ମୁହିଁ ଯୋଗେଶ୍ୱର ॥
ନାରଦ ପରମ ସାନନ୍ଦେ ।ବୋଲନ୍ତି ଭାବ ଗଦଗଦେ ॥
ନାରଦ ଉବାଚଶୁଣିବା ପ୍ରଭୁ ନାରାୟଣ ।ଅନାଦି ପରମ କାରଣ ॥
ସଂସାର ତୋର ଦେହୁ ଜାତ ।ତୋର ପାଦରେ ଏ ପାଳିତ ॥
ତୋହର ଅନାଦର ଭରେ ।ପ୍ରଳୟ ହୋଇ ଚରାଚରେ ॥
ମୃତ୍ତିକା ଘଟ କାର୍ଯ୍ୟ ଯେହ୍ନେ ।ମୃତ୍ତିକା ତହିଁ ନୋହେ ଭିନ୍ନେ ॥
ତୋ ତହୁଁ ଜନ୍ମ ଏ ଜଗତ ।ତୁ ଯେ ପାଳିଣ କରୁ ଅନ୍ତ ॥
ତୁମ୍ଭର ଅନାଦର ଭରେ ।ବିପଦ ଆଦି ଏ ସଂସାରେ ॥
ରଚନା କରୁ ଦାମୋଦର ।ତୋହର ବିନୁ ନାହିଁ ଆର ॥
ତୁ ଆତ୍ମାଭାବ ଏଥି ପେଶି ।ଏମନ୍ତ ସ୍ତୁତି ଶ୍ରୁତି ଘୋଷି ॥
ତୋ ତହୁଁ କେମନ୍ତେ ସଂସାର ।ଭିନ୍ନ ହୋଇବ ଦାମୋଦର ॥
ଯେ ଭିନ୍ନ ଜ୍ଞାନୀ ହୋଏ ପୁଣ ।ଯେ ତୁମ ମାୟାରେ ଭ୍ରମଣ ॥
ମାଟି ବିକାର ଘଟ ପ୍ରାୟେ ।ତୋ ତହୁଁ କେହି ଆନ ନୋହେ ॥
ଏମନ୍ତ ସଂସାର ଭିଆଣ ।ମୁହିଁ ତୋ ଭେଦେ ନାରାୟଣ ॥
ତୋ ତହୁଁ ଭିନ୍ନ ଏ ଜଗତ ।ଯେ ଦେଖେ ସଂସାର ଭୋ ନାଥ ॥
ତାର ବିଷୟ ରସେ ମନ ।ତୁମର ମାୟାବଳେ ଧ୍ୟାନ ॥
ତା ଦେଖି ନଥାଏ ମୋ ମନ ।ଶୁଣିବା ତ୍ରିଜଗନ୍ମୋହନ ॥
ତୋ ପାଦେ କେମନ୍ତେ ସେ ପ୍ରାଣୀ ।ମନ ନିବେଶି ଚକ୍ରପାଣି ॥
ତୁମ୍ଭେ ଯେ ସର୍ବ ସୁଖଦାତା ।ଜଗତ ଜୀବ ପିତା ମାତା ॥
ସଂସାର ତାରଣ ଈଶ୍ୱର ।ଏ ପାପୀ ବାରେକ ଉଦ୍ଧାର ॥
ତୁ ଦେବ ଶରଣ ବତ୍ସଳ ।ଜଗତ ପତି ଆଦିମୂଳ ॥
କୃପା ତତ୍ପର ହୁଅ ହରି ।ଅନାଥ ଜନେ କର ପାରି ॥
ତୁମ୍ଭର ସରୋଜ ଚରଣ ।ମୁହିଁ ଶରଣ ନାରାୟଣ ॥
ତୋ ତହୁଁ ଅନ୍ୟାନ୍ୟ ଜଗତ ।ମୁହିଁ ଦେଖଇ ତୋର ଚିତ୍ତ ॥
ସଂସାର ଦୁର୍ଜୟ ଦୁଃଖରୁ ।ମୋତେ ଉଦ୍ଧର ଲୋକଗୁରୁ ॥
ଅରୁଣ କରୁଣା ନିର୍ଭର ।ତରୁଣ ତରଳ ସମୀର ॥
ବିକଚ ଜଳଜ ଲୋଚନ ।ମୋଠାରେ କର ଅବଧାନ ॥
ଏମନ୍ତ ନାରଦଙ୍କ ସ୍ତୁତି ।ହୃଦରେ ଧରି ଲକ୍ଷ୍ମୀପତି ॥
ସଦୟ ହୃଦୟ ଲୋଚନ ।ନାରଦେ କଲେ ଅବଧାନ ॥
ଆଦି ପୁରୁଷ ସଦାନନ୍ଦ ।ପରମ ପୁରୁଷ ଗୋବିନ୍ଦ ॥
ଋଗ୍ବେଦ ସାମବେଦ ଧ୍ୱନି ।ଗାବନ୍ତି ବାଳଖିଲ୍ୟ ମୁନି ॥
ଅଥର୍ବ ଯଜୁର୍ବେଦ ମତେ ।ସ୍ତୁତି କରନ୍ତି ଭକ୍ତି ତନ୍ତ୍ରେ ॥
ନାନା ପୁରାଣ ସ୍ତୁତି ସ୍ତବ ।ପଢ଼ି କେ କହେ ତାର ଭାବ ॥
ଭାଷା ପ୍ରବନ୍ଧେ ଗୀତ ଛନ୍ଦେ ।କେ ଭାବ ଗୋବିନ୍ଦ ଆନନ୍ଦେ ॥
କେ ହରି ଭାବର କୀର୍ତ୍ତନ ।ଲମ୍ପଟେ କରନ୍ତି ନର୍ତ୍ତନ ॥
ସନକ ସନାତନ ଆଦି ।ଯେ ଋଷି ସଂସାରେ ପ୍ରସିଦ୍ଧି ॥
ଗୋବିନ୍ଦ ଭାବେ ଦିଗମ୍ବର ।ସ୍ତୁତି କରନ୍ତି ନିରନ୍ତର ॥
ମଗଧ ସୁରମୁନି ସଙ୍ଗେ ।ଆଦି ପୁରୁଷ ଭାବେ ରଙ୍ଗେ ॥
ଏମନ୍ତ ଗୋବିନ୍ଦର ପାଶେ ।ସମସ୍ତେ ସେବନ୍ତି ହରଷେ ॥
ବିଜେ କରନ୍ତି ଚକ୍ରଧର ।ଯେ ଜଳେ ଅଛି କରୀବର ॥
ଯେ ଗିରି ହୃଦେ ଅଛି ଗଜ ।ବିଜୟ କଲେ ଦେବରାଜ ॥
ତହିଁ ଯେ ଥିଲେ ମୁନିଜନ ।ଜାଣିଲେ କୃଷ୍ଣ ଆଗମନ ॥
ଦେବଙ୍କ ଦେବ ସେ ପୁରାଣ ।ସମାଧି ଛାଡ଼ି ମୁନିଗଣ ॥
ବିଭ୍ରମ ହୋଇ ବେଗେ ଉଠି ।ଗୋବିନ୍ଦ ପାଦେ ଦେଇ ଦୃଷ୍ଟି ॥
ପ୍ରଣାମ କରନ୍ତି ସୁମରି ।ଭକତ ଭାବେ ଭାବ କରି ॥
ଯେ ହରି ପୁରାଣ ପୁରୁଷ ।ଲକ୍ଷ୍ମୀର କାନ୍ତ ହୃଷୀକେଷ ॥
ଯୋଗୀ କଳ୍ପନା ନିର୍ବିକ୍ଷୟ ।ସଚ୍ଚିଦାନନ୍ଦ ନିର୍ବିଜ୍ଞେୟ ॥
ଯେବେ ଯା ଧ୍ୟାନେ ନ ପାଇଲେ ।ମୁନି ତା ନୟନେ ଦେଖିଲେ ॥
ଦୁଃଖେ ଯାହାର ଦରଶନ ।ତାହାର ଅତି ସୂକ୍ଷ୍ମଜ୍ଞାନ ॥
ତାହାକୁ ଦୁଃଖେ ସେ ନିରୋପି ।ନିଶ୍ଚଳ ହୃଦେ ୟାକୁ ସ୍ଥାପି ॥
ଦୂରହିଁ ଦୂର ଯେ ସ୍ୱଭାବେ ।ନିକଟ ପୁଣି ଭକ୍ତ ଭାବେ ॥
ଯେ ହରି ନିଜ ତେଜ ରୂପ ।ଜଗତ ଦେଖିଲେ ସ୍ୱରୂପ ॥
ଯାହାର ମହିମା ଅପାର ।ଯେ ପୂର୍ଣ୍ଣାନନ୍ଦ ବେଦ ସାର ॥
ଯେ ପୂଜା ସକଳ ସଂସାରେ ।ଭକତ ବନ୍ଧୁ ଦୟାକରେ ॥
ସମସ୍ତ ଜୀବର ଜୀବନ ।ସଂସାର ଜନ୍ମର ଧାରଣ ॥
ସମ୍ପୂର୍ଣ୍ଣାନନ୍ଦ ସର୍ବଠାରେ ।ପ୍ରାଣୀ ଦେଖନ୍ତି ତାଙ୍କୁ ଧୀରେ ॥
ନୀଳ ନଳୀନ ଘନଶ୍ୟାମ ।ଜଳଦ ନେତ୍ର ଅଭିରାମ ॥
ଶ୍ୟାମସୁନ୍ଦର ସର୍ବ ସାର ।ପୀତ ବସନ ମୁକ୍ତାହାର ॥
ମେଘ ଗମ୍ଭୀର ଧୀର ଘୋଷ ।ସର୍ବ ଆହ୍ଲାଦ କର ବେଶ ॥
ଏମନ୍ତ ରୂପେ ନରହରି ।ପ୍ରାଣୀ ଦେଖିଲେ ଯାନ୍ତି ତରି ॥
ତହୁଁ ଶୀତଳ ମଧୁ ଗନ୍ଧ ।ପବନ ବହେ ମନ୍ଦ ମନ୍ଦ ॥
ହରି ଗମନ୍ତେ ତେଜୋମୟେ ।ଆକାଶେ ଦିଶିଲେ କେତୁଏ ॥
ନାନା ପ୍ରକାର ବାଦ୍ୟନାଦ ।ବେଗେ କରନ୍ତି ପ୍ରତିପଦ ॥
କାହାଳୀ ନାଦ ମନୋହର ।ପ୍ରସ୍ଥାନ କଲେ ଚକ୍ରଧର ॥
ଏକୁ ଆରେକ ଗୀତ ବାଦ୍ୟେ ।ହରଷ ପରମ ଆନନ୍ଦେ ॥
ଶୁଭଇ ପଞ୍ଚଜନ୍ୟ ସ୍ୱର ।ସୁସ୍ୱର ମଧୁର ଗମ୍ଭୀର ॥
ଗୋବିନ୍ଦ ଶରୀର ସୁଗନ୍ଧ ।ଦିଗେ ପ୍ରସାରେ ମନ୍ଦ ମନ୍ଦ ॥
ଯେ ଅଙ୍ଗ ସୌରଭ ଅଦ୍ଭୁତ ।ଆଘ୍ରାଣେ ଆନନ୍ଦେ ଜଗତ ॥
ସୁର ମଗଧ ବନ୍ଦି ସୁତ ।ଆନନ୍ଦେ କଲେ ନୃତ୍ୟ ଗୀତ ॥
ଶଙ୍ଖ ମଙ୍ଗଳ ଘୋଷ ଭାଷେ ।ଚଳନ୍ତି ପରମ ପୁରୁଷେ ॥
ଗିରି ସ୍ୱରୂପ ଖଗେଶ୍ୱର ।ଦିଶନ୍ତି କୃଷ୍ଣ ମନୋହର ॥
ବିକଚ କମଳ ଲୋଚନ ।ସଂସାର ତାପ ବିମୋଚନ ॥
ଗୋବିନ୍ଦ ଦୂରୁ ଦେଖିବାରେ ।ଉଠିଲେ ତରୁଙ୍କ ଶିଖରେ ॥
ନିକଟେ ଦେଖିଲେ ମାଧବ ।ବୃକ୍ଷୁଁ ଓହ୍ଲାଇ କଲେ ଭାବ ॥
ଦିଗ ବିଦିଗେ ଯେତେ ଜନ ।କରନ୍ତି ଜୟ ଜୟ ସ୍ୱନ ॥
କେହି ଉଠଇ କା ଉପରେ ।ଅତି ହରଷେ ସ୍ନେହଭରେ ॥
ଗିରି ଗରିଷ୍ଠ ଖଗେଶ୍ୱର ।ସୁସ୍ୱର ମଧୁର ଗଭୀର ॥
ଖଗ କନ୍ଧରେ ନରହରି ।ଆକାଶେ ଥିଲେ ସେ ସଞ୍ଚରି ॥
ତହିଁ ଉତ୍ତାରୁ ଭଗବାନ ।ଶୁଭିଲା ଶତ ଶଙ୍ଖ ସ୍ୱନ ॥
କେହି କରନ୍ତି ନୃତ୍ୟରଙ୍ଗ ।କେ ଗୀତ ଗାବନ୍ତି ସୁରଙ୍ଗ ॥
କେ ଶିର ପୋତି କରେ ଗତି ।ଉତ୍ତରୀ ବସ୍ତ୍ର କେ ପକାନ୍ତି ॥
କେହି କରନ୍ତି ନାନା ଖେଳ ।ବାଳକ ଗତି ପ୍ରାୟ ଲୋକ ॥
ନୟନୁ ଆନ୍ଦାଶ୍ରୁ ନୀର ।ଗଳି ପଡ଼ଇ କା ଉପର ॥
କାହାର ତନୁ ଲୋମରାଜି ।ଭାବ ପୁଲକରେ ବିରାଜି ॥
ଏମନ୍ତ ଜଗତର ଜନ ।ଗୋବିନ୍ଦ ସଙ୍ଗତେ ଗମନ ॥
କେହି କରନ୍ତି ଗୀତ ନାଦେ ।ପ୍ରଣାମ କରେ କେ ଆନନ୍ଦେ ॥
କାହାର ମତି ନୃତ୍ୟରସେ ।କେ କୃଷ୍ଣ ଗାବନ୍ତି ହରଷେ ॥
କେହି ହରଷେ ସ୍ତୁତି କରେ ।କେ ହରି ଶୁଣନ୍ତି କର୍ଣ୍ଣରେ ॥
ଏମନ୍ତେ ତିନି ଲୋକ ପ୍ରାଣୀ ।ଭକତ ମଧ୍ୟେ ପରିମାଣି ॥
ହରି ସଙ୍ଗତେ ସେ ଚଳନ୍ତି ।ଆନନ୍ଦ ରସେ ବୁଡ଼ିଥାନ୍ତି ॥
ହରି ପ୍ରବେଶ ଗିରିବରେ ।ଦୟାର୍ଦ୍ର ଭକତ ଉଦ୍ଧାରେ ॥
ଦେଖିଲେ ସରୋବର ଜଳେ ।ଗଜେନ୍ଦ୍ର ଡାକଇ ଆକୁଳେ ॥
ଜଳରେ ହୋଇଅଛି ମଗ୍ନ ।କେବଳ ଦିଶଇ ବଦନ ॥
ସୁବର୍ଣ୍ଣ ପଦ୍ମ ଉଚ୍ଚେ କର ।ଡାକଇ ରଖ ଚକ୍ରଧର ॥
କୁଞ୍ଜରମାନେ ଦେଖୁଛନ୍ତି ।ବିକଳେ ରୋଦନ କରନ୍ତି ॥
ଡାକନ୍ତି ରଖ ରଖ ହରି ।ଗ୍ରାହ ମୁଖରୁ କର ପାରି ॥
ଏମନ୍ତେ ଗଜଯୂଥ ବାଣୀ ।ଶୁଣି ଚତୁର ଶିରୋମଣି ॥
ଭକତବର ଗଜପତି ।ଆରତ ଦେଖିଣ ଶ୍ରୀପତି ॥
କରୁଣା କଲେ ଭଗବନ୍ତ ।ଯାହାର ନାହିଁ ଆଦିଅନ୍ତ ॥
ରାଜେନ୍ଦ୍ର ସରୋବର ଜଳେ ।ଗ୍ରାହ ଗ୍ରାସିବ ପାଦମୂଳେ ॥
ଦେଖଇ ଗରୁଡ଼ ପୃଷ୍ଠର ।ଆକାଶେ ବିଜେ ଚକ୍ରଧର ॥
ପଦ୍ମ ସହିତେ ଥୋର ହସ୍ତ ।କଷ୍ଟରେ କଲା ଶିରୋଗତ ॥
ବୋଲଇ ନମୋ ଭଗବାନ ।ଜଗତ ଗୁରୁ ନାରାୟଣ ॥
ଊର୍ଦ୍ଧ୍ୱେ ଚାହିଁଲା ଶୁଣ୍ଢ ତୋଳି ।ଦେଖଇ ପ୍ରଭୁ ବନମାଳୀ ॥
ଛତ୍ର ବିରାଜେ ଦକ୍ଷକରେ ।ସୂର୍ଯ୍ୟ କି ଉଦୟ ଅମ୍ବରେ ॥
ଡାକଇ ଆରତ ଭଞ୍ଜନ ।ଭୋ ନାଥ ରଖ ମୋ ଜୀବନ ॥
ହେ ନାରାୟଣ ବିଶ୍ୱଗୁରୁ ।ଆରତ ଜନ ଦୁଃଖ ହରୁ ॥
ଗ୍ରାହ ପୀଡ଼ିତ ଗଜ ଦେଖି ।ତକ୍ଷଣେ ଗରୁଡ଼ ଉପେକ୍ଷି ॥
ଜଳେ ପଶିଲେ ଚକ୍ରପାଣି ।ଚକ୍ରେ କୁମ୍ଭୀର ମୁଣ୍ଡ ହାଣି ॥
କୁମ୍ଭୀର ମୁଖୁଁ ବନମାଳୀ ।ହସ୍ତୀ ଚରଣ ହସ୍ତେ ତୋଳି ॥
ଦେଖନ୍ତି ସର୍ବ ଦିଗପାଳେ ।ଗଜକୁ ଘେନିଆସି କୂଳେ ॥
ବୋଲନ୍ତି ବିପ୍ର ଜଗନ୍ମାତେ ।ଶୁଣ ସୁଜନେ ଏକ ଚିତ୍ତ ॥
ଅଶେଷ ହରିର ମହିମା ।କେ ଜାଣିପାରେ ଗୁଣସୀମା ॥
ଗଜକୁ ରଖିଲେ ଯେମନ୍ତେ ।ଅଷ୍ଟମସ୍କନ୍ଧ ଭାଗବତେ ॥
ଭାଷା ପ୍ରବନ୍ଧେ ହରିବାଣୀ ।ଶୁଣି ସଂସାରୁ ତର ପ୍ରାଣୀ ॥
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂବୈୟାସିକ୍ୟାଂ ଅଷ୍ଟମସ୍କନ୍ଧେ ଗଜେନ୍ଦ୍ର ନିସ୍ତାରଣେନାମ ତୃତୀୟୋଽଧ୍ୟାୟଃ ।