ସପ୍ତମ ଛାନ୍ଦ — ରସ କଲ୍ଲୋଳ — ଦୀନକୃଷ୍ଣ ଦାସ · ସ୍ୱର୍ଣ୍ଣଲିପିକରନ୍ତି ଜଗତ ବଶ ପାରାବତୀ ଦ୍ୱାରେ ।
କର୍ଣ୍ଣେ ଶୁଣି ଗୋପସୁତ ହୋଅନ୍ତି ବାହାର ।
କରଇ ନାଗକୁଯେହ୍ନେ ନାଗ ଧନିଶ୍ୱର ।୧୨।
କେଉଁ ଗୋପୀକିଅନାଇ ପରିହାସ କରି ।
କୁଚକୁମ୍ଭେ ଜୀବନ ତ ନେଉଅଛି ହରି ।
କହଇ କୁରଙ୍ଗ ଦୃଶା ଯାହାର ଯେ କର୍ମ ।
କଲେ ସେ ତାହାର ଧର୍ମ ନକଲେ ଅଧର୍ମ ।୧୩।
କାହାକୁ ବୋଲନ୍ତି ତୋର କଟି ଅତିସରୁ ।
କୁଚ ତୋ ମେରୁ ପର୍ବତଠାରୁ ଅତି ଗରୁ ।
କରୀବର ପ୍ରାୟେ ଏଥି ଗମନ ତୁ କରୁ ।
କେଉଁ ଲୋକ ଏଥିତୋତେ ବୋଲୁଥାଇ ଭୀରୁ ।୧୪।
କୁବଳୟଦୃଶୀ ହସି ବୋଲଇ ହେ ହରି ।
କେତେବେଳେ ଫଳକି ଲତାକୁ ହୋଏଭରି ।
କରେ ଧଇଲ ପର୍ବତ ନୋହିଲା ସେ ଚିତ୍ର ।
କହୁଥାଅ କିକରି କଥା ହେ ପଦ୍ମନେତ୍ର ।୧୫।
କେହି ଅଛି କି ବିବେକ ଏ ଗୋପନଗରେ ।
କରନ୍ତାଇ ପ୍ରତ୍ୟକ୍ଷ ପରୀକ୍ଷା ଏହିଠାରେ
କୁଚକୁଟୀରେ ବସାଇ ନିଅନ୍ତି ତୁମ୍ଭକୁ ।
କହୁଥାଅ ଚତୁରାଇପଣ ତ ଆମ୍ଭଙ୍କୁ ।୧୬।
କୃଷ୍ଣ ହସୀ ବୋଇଲେ ମୁଁ ପାଇଲି ପାଇଲି ।
କି କହିବି ଅଧିକ ତୋ କୋୟର ହୋଇଲି
କାମିନୀବୋଇଲା ମୁଁ ତୁମ୍ଭର ଦାସୀ ସିନା ।
କରିଥିବ କୃପା ମୋତେ ଲୁଚିଯା କିନା ।୧୭।
କାହାକୁ ବୋଲନ୍ତି ତୋତେ କେ ବୋଲେ ଅବଳା ।
କଥା ଗୋଟିକ ଗୋଟିକେ ବିଚିତ୍ର ତୋର ଲୀଳା ।
କରୀବର ବସାଇଛୁ କେଶରୀ ଉପରେ ।
କେହି ତ ଏକଥା କରି ନାହିଁ ଏ ସଂସାରେ ।୧୮।
କଟାକ୍ଷରେ ଆଜ୍ଞାକାରୀ କରାଇ ମାରକୁ ।
କରୁ ବଶ ବ୍ରହ୍ମାଦି ଶଙ୍କର ଅମରଙ୍କୁ ।
କହୁଁ କହୁଁ ମୋର ଅଙ୍ଗ ଯାଉଅଛି ଗ୍ରାସି ।
କୃଷ୍ଣବୋଲେ ମନ୍ଦ ହସି କହେ ମଦାଳସୀ୧୯।
କରଣୀ ଆମ୍ଭର ଧରଣୀରେ ଅଛି ଏଡ଼େ ।
କଟାକ୍ଷ ମାତ୍ରକେ କାମକରେ ବ୍ରହ୍ମପଡ଼େ
କରିବ ନାହିଁ ଅବଳା ଶବଦକୁ ହେଳା ।
କାମସିନ୍ଧୁପାରକୁଟି ଆମ୍ଭେମାନେ ଭେଳା ।୨୦।
କୃଷ୍ଣ ହସି ବୋଲନ୍ତି ମୋହରି କାର୍ଯ୍ୟ ଏତେ ।
କହିବାର ଅଧିକ କୃତାର୍ଥ କଲୁ ମୋତେ ।
କାମଦୁହା ହୋଇଲୁ ମୋହର ଆଜିଠାରୁ ।
କରିଥିବାରୁ କୃପା ଏକା କନକ – ରମ୍ଭୋରୁ ।୨୧।
କାହାକୁ ହରଷରେ ବୋଲନ୍ତି ମଗୋ ଗୋପି ।
କହ କହ କୁଚ କି ତୋହର କାମରୂପୀ
କାଳେ ହୋଇଥିଲା ଏତ କୁବଳ ପରାୟେ ।
କଦମ୍ବକୋରକ ସମ ଦିଶିଲା ସମୟେ ।୨୨।
କ୍ରମେ କନକ କନ୍ଦୁକ ଛବକି ପାଇଲା ।
କାମ କୁତୁକୀ କାମୀ ଅଙ୍ଗକୁ ମାଇଲା ।
କଠିନ କର୍ତ୍ତୁଳ ହେଲା ଶ୍ରୀଫଳ ସୋଦର ।
କି କରିବି କେତେ ରୂପେ ହେଲା ମୋ ଆଦର ।୨୩।
କାନ୍ତିବନ୍ତ ମାତୁଳଙ୍ଗ ପ୍ରାୟେ ଯେବେ ହେଲା ।
କନ୍ଦର୍ପଜ୍ୱରରେ ମନ ଏଥିରେ ରହିଲା
କରୀକୁମ୍ଭ ରୂପରେ ଭାଙ୍ଗିଲା ମୋର ଦମ୍ଭ ।
କେତେ ପ୍ରକାରେ ବଢୁଛି ଏହାର ଆରମ୍ଭ ।୨୪।
କୁଶଳରସାଳ ସମ ହେବାରୁ ତାଳକୁ ।
କେତେ ଅବା ପାଇନାହିଁ ମନଉତ୍ତାଳକୁ ।
କଲା ଯେବେ ନିନ୍ଦାକଳ ଧଉତ ଫରୁଆ ।
କେତେଅବା ହୋଇନାହିଁ ହୃଦୟ ହରୁଆ ।୨୫।
କ୍ରମଶରେ ଯେବେ ତୁମ୍ଭୀପରାୟେ ଦିଶିଲା ।
କରିବାକୁ ବାଣୀ ମୋର ମାନସ ରଖିଲା ।
କେତେ କହିବି ତୋହର କୁଚର ଉପମା ।
କୃପଣ କାମଭଣ୍ଡାର ନୋହିବ ଏ ସୀମା ।୨୬।
କମଳା ବୋଲେ କନ୍ଦର୍ପ କିକରିବ ଅବା ।
କହ ଯାହାଇଚ୍ଛେ କରିଅଛ ତାହା ଦେବା ।
କୃଷ୍ଣବୋଇଲେ ରଙ୍କର ଇଚ୍ଛାଏ ଭୋଜନ ।
କେବଳ ଲୋଭରୁ କରି ସବୁଠାରୁ ମନ ।୨୭।
କର୍କଶୀ ତେଜସ୍ୱୀ ଏ ସହଜ ମହାରାଜା ।
କେବଳ ଏହାଙ୍କତଳେ ହେବି ମୁଁ ପରଜା ।
କରଦେଇ ନିରନ୍ତରେ କରିଥିବି ସେବା ।
କିଛି ମାଗୁନାହିଁ ମୋର ଏତେହେଁ କହିବା ।୨୮।
କହଇ ଗୋପୀକା ବ୍ରଜରାଜ ହୋଇକରି ।
କରିବା କେମନ୍ତେ ସେବା କହତ ବିଚାରି ।
କୁହାଇ ଏମନ୍ତ କରି ପ୍ରୀତି ସ୍ନେହବାଣୀ ।
କିମ୍ପା ନୋହିଲା ତୁମ୍ଭେ ପୁରୁଷ ଶିରୋମଣି ।୨୯।
କୁସୁମକୀଟ କଠିନ କାଠକୁ କଟାଇ ।
କୋମଳ ଭାବରୁଁ କରି ଫୁଲକୁ ଖଟଇ ।
କରଇ ଯେ ନାରିଙ୍କି ଏ ରୂପେ ଆଶ୍ୱାସନା ।
କୋଟି ବ୍ରହ୍ମାଣ୍ଡେ ନାଗରବର ସେହି ସିନା ।୩୦।
କୃଷ୍ଣ ଗୋପୀଙ୍କର ଯେଉଁ ଘେନାଘେନି ବାଣୀ ।
କହି ଶେଷ କରିବାକୁ କେଅଛି ଧରଣୀ ।
କଠୋର ରସିକେ ଏଥି ଭାବ ନଜାଣନ୍ତି ।
କମଳ ମଣ୍ଡୁକ ପ୍ରାୟେ ତାହାଙ୍କର ରୀତି ।୩୧।
କଳାକର ଉଦେ ହେଲେ ଚନ୍ଦ୍ରମଣି ଦ୍ରବେ ।
କେତେବେଳେ ଅକର୍ମଶୀଳାରୁ ନୀର ସ୍ରବେ ।
କୋମଳ କରି ଗାଇଲେ ପଦ୍ମତୋଳା ଗୀତ ।
କରେ ମାଟିମାର୍ଜାର ଫଣି ଫଣା ଉନ୍ନତ ।୩୨।
କାହାକୁ ବୋଲନ୍ତି ହରି କି ଭାଗ୍ୟ ତୋହର ।
କୁଚଝଳେ ବାହୁମୂଳେ ରଖିଛୁ ଶଙ୍କର
କାବ୍ୟତାର ମୋତିହାର ଗଙ୍ଗଧାରେ କରି ।
କି ଶୋଭା ଦିଶନ୍ତି ଆହା ଅନଙ୍ଗବଇରୀ ।୩୩।
କମଳପାରଇ ଲାଗିହୁଅନ୍ତି ଟିକି ନିତି ।
କହ କହ ରସବତୀ ବରଜ ଯୁବତୀ ।
କେବଳ କଥାଏ ମୁଁ ଦେଖିଲି ବିପରୀତ ।
କରେ ନାହିଁ ଅର୍ଦ୍ଧଇନ୍ଦୁ ଅମ୍ବରେଶୋଭିତ ।୩୪।
କଳ୍ପନା କରିଛି ନାଭି ସୋମସୂତ୍ରପ୍ରାୟେ ।
କଉଁ ମହେଶ୍ୱର ଏତ ଆଗରେ ନ ଥାଏ ।
କେବଳ ଏ ଦିନେ ମୋତେ ନୋହିଲେ ପ୍ରସନ୍ନ ।
କରନ୍ତି ମୁଁ ପାଣିଲାଗି ହେଲେ ତୋଷମନ ।୩୫।
କନ୍ଦର୍ପ ପରୀକ୍ଷା ଆଗେ କହି କରି ମୋତେ ।
କରୁ କିନା ନୂଆମାଳି କୃପା ଥିଲେ ଚିତ୍ତେ ।
କେଶରୀ –ମଧ୍ୟମା ବୋଲେ କରାଇବା ସେବା ।
କଲ ଯେବେ ମନୋରଥ ସ୍ୱୟମ୍ଭୁ ସେବିବା ।୩୬।
କନ୍ଦର୍ପକଳା କୁଶଳା ହେଇଥିବ ବାଳା ।
କରୁଥିବ ବକ୍ରବାଣୀ ଅଳପ ଗେଲାଇ ।
କର୍ଣ୍ଣ ତାହା ଶୁଣୁଥିବ ଦେଖୁଥିବ ନେତ୍ର ।
କଲେ ତାରତମ ସ୍ୱର୍ଗମୁଖ କେତେ ମାତ୍ର ॥୩୭।
କେବଳ ହିଁ ନୋହିଥିବ ଅତ୍ୟନ୍ତ ଉଦ୍ଧତ ।
କେତେବେଳେ ନୋହିଥିବ ଅଜି ଲଜ୍ଜାବନ୍ତ ।
କହିବାକୁ କହୁଥିବ ସ୍ନେହପୂର୍ଣ୍ଣ ବାଣୀ ।
କି କରିବି ଇନ୍ଦ୍ରସୁଖ କର୍ଣ୍ଣେ ତାହା ଶୁଣି ।୩୮।
କବି ହୋଇ କରୁଥିବ ନିର୍ମଳ କବିତ୍ୱ ।
କର୍ଣ୍ଣ ଦେଇ ଶୁଣୁଥିବ ରସିକ ପଣ୍ଡିତ ।
କିଞ୍ଚିତକରି ଆସ୍ୱାଦ କରୁଥିବ ତାହା ।
କହେ କୃଷ୍ଣ କି ମଧୁର ଲେଖିବି ମୁଁ ଏହା ।୩୯।
ଅଷ୍ଟମ ଛାନ୍ଦ
(କୃଷ୍ଣ ଓ ଗୋପୀଙ୍କ ଉତ୍ତର ପ୍ରତ୍ୟୁତ୍ତର)ରାଗ - କଲ୍ୟାଣ ଆହାରୀକରୁଥିବ ହଂସ ପରାୟେ ଗମନ କଉଁ କଳହଂସ ଗମନା ।କରୁଥିବ ହଂସ ପରାୟେ ନିଃସ୍ୱନ ହଂସକହାଟକବରନା ।କନ୍ଦର୍ପ,ମଦରେ ହୋଇଥିବ ଅନ୍ଧ ।କରୁଥିବ କାମ ଅବାମେ କଟାକ୍ଷ ଦେଖି ହରିବ ଧୈର୍ଯ୍ୟବନ୍ଧ ।୧।କରୁଥିବ ଦୃଷ୍ଟି ସୁଧାପ୍ରାୟେ ଦୃଷ୍ଟି ଦୂରରୁ ପକାଇ ଅବଳା ।କୁଚମୂଳ ବାସ ଅଳପ ଉଶ୍ୱାସ କରି ଦେଖାଉଥିବା ଲୀଳା ।କି ଅବା, କୁଉତୁକେ କର ତୋଳିବ ।କାମ-କଳ୍ପ-ବୃକ୍ଷେ ସେହିଟି ପ୍ରତ୍ୟକ୍ଷେ ଅତିଶୟ ଫଳ ଫଳିବ ।୨।କରି ମନ୍ଦହାସ ନୟନ ପ୍ରକାଶ କରି କରୁଥିବ ଅନ୍ତର ।କାମୁଳ ଅଙ୍ଗରେ ସେହିଟି ଅନଙ୍ଗ ଭୂତ ଲଗାଇବା ମନ୍ତର ॥
କେତେ ବା, କହିବି ଅନୁଭବ କଥା ।କହୁଥିଲେ ପଦେ ପଦେ ସୁଖ ଉଦେ କେବଳ ଗୁଆଁରକୁ ବ୍ୟଥା ।୩।କୃଷ୍ଣ ଗୋପୀ ବିନୁ ସହଜେହେଁ ଅନୁଭବ ଜାଣନ୍ତା ନାହିଁ କେହି ।କହିବା ଚାହିଁବା ମୋହିବା ହସିବା ରସିବା ତୋଷିବାକୁ ସେହି ।କଥାରେ ଯେଉଁ ଭାବରେ ସେ ଛଳନ୍ତି ।କଉଁ ରସିକ ରସିକିନୀ ଜାଣିବ କବି ତା ମନେ ନ କଳନ୍ତି ।୪।କଉଁ ରମଣୀମଣି ଏଣୀନୟନୀ ସୁବେଣୀ ସୁବେଣୀ ଅନାଇଁ ।କହନ୍ତି ସୁବାଣୀ-ସୁବାଣୀ ତୋତେ ତ କେବେହେଁ ବିଶ୍ୱାସ ନ ଯାଇ ।କନ୍ଦର୍ପ, ଗୁପତ ଶାଣ ସେହି ଦେଇ ।କାହା ମର୍ମକୁ ମାରିବାକୁ ରଖିଛୁ ଅମୋହ ବିଷରେ ବିଷାଇ ।୫ ।କାହାକୁ ବୋଲନ୍ତି ଆରେ କୁନ୍ଦଦନ୍ତୀ ତୁ ମୋର ପଞ୍ଚଭୂତ ପ୍ରାଣ ।କାମ ପଞ୍ଚବାଣ ମୁଖୁଁ ପରିତ୍ରାଣ କରିବାକୁ ତୁହି କାରଣ ।କିଶୋରୀ, କଲୁ ତୁ ଏବେ ସବୁ ବଧ ।କାମ ମଣ୍ଡଳାର୍ଦ୍ଧ ମଣ୍ଡନ କରି ଯେ ସାରିଲା ତାର ସବୁ ସଧ ।୬।କରୁଣାଜଳଧି ନାମ ଅପ୍ରସିଦ୍ଧି କଲୁ ଏଠାରେ ପ୍ରାଣବନ୍ଧୁ ।କଟାକ୍ଷେ ନ ଚାହିଁ ବଚନ ନ କହି ଗଲୁ ଯା କାମ ବିନ୍ଧୁ ବିନ୍ଧୁ ।କିଶୋରୀ, କାହାକୁ କରିବି ଗୁହାରି ।କାଲ ନୃପେ ଭାଟ ଅନ୍ଧ ଅଗ୍ରେ ନାଟ ପ୍ରାୟେ ମରୁଛି ଝୁରି ଝୁରି ।୭।କରେ ବାସମୁଖ ମୁଖେ ଦେଇ ତଳକୁ ମୁଖ କଲା ଲାଜବତୀକଥା କହି କରି କଉଁ ସୁଖଶିରୀ ଦିଅନ୍ତା କହ ହେ ସୁମତି ।କଞ୍ଚିତ, କରି କଲା ଯା କୋଣ ଦୃଷ୍ଟି ।କୃଷ୍ଣ ହୃଦୟ ଧଇର୍ଯ୍ୟ – କୁଞ୍ଜକୁ ସେ ହେଲା ନୀହାରବାର ବୃଷ୍ଟି ।୮।କାହାକୁ ଅନାଇଁ ହୃଦୟ ଘେନାଇଁ କହନ୍ତି ସଖି ତୋ ଶ୍ରୀଅଙ୍ଗ ।କେତକୀ ପରାୟେ ହେଲେ କାନ୍ତିମୟେ ଭୋଗ ନ କଲା କୃଷ୍ଣ – ଭୃଙ୍ଗ ।କାଳକ, ଏ ଶୋଭାଶିରୀ ନିକି ଥିବକହଈ କମଳର କଳାଭୃଙ୍ଗ ଲୀଳା ଚୁମ୍ବିଲାମାତ୍ରେ ସିନା ଯିବ ।୯।କଲେ ଦରଶନ ବିନାୟକ ଜନ୍ମ ତିଥି-ଚନ୍ଦ୍ରମା ପରମାଦକେବଳ ଦୁଲଭ ସୁଖଦୁଃଖ ଲାଭ ବହୁତ କାଳ ଅପବାଦ ।କୃଷ୍ଣ ହେ, ଅକାଳ ଫଳ ଯେ ଦେଖଇ ।କାମ ଉତପାତ ନୁହଇ ସାକ୍ଷାତ କାହା ଭଲ ସେ ରଖଇ ।୧୦।କେଉଁ କାମିନୀ ଯାମିନୀକରମୁଖୀ ସଉଦାମିନୀ ହେମଗୋରୀ ।କିଞ୍ଚିତ ଲାଜରେ ବାସ ଦେଇ ଶିରେ ସଧୀରେ ଗମନ୍ତେ ସୁନ୍ଦରୀ ।କୋମଳ, କହନ୍ତି ତାଙ୍କୁ ପଦ୍ମମୁଖୀ ।କେତେବେଳେ ଅନ୍ତ-ପଟ ଅନ୍ନ –ନୃତ୍ୟକାରୀ କି ନ ଦିଶଇ ମୁଖ ।୧୧।କାଚ ଘଟ ଜଳ ଦିଶେ ଢଳ ଢଳ ପ୍ରତି ଚକ୍ଷୁରେ ବର୍ଣ୍ଣ ପ୍ରାୟେ ।କଲେ ଝୀନବାସ ଅନ୍ତର ପ୍ରକାଶ ହୋଇଛି ଚମ୍ପାଫୁଲ ପ୍ରାୟେ ।କମଳା, କାନନ ଅନ୍ତର କୁସୁମ ।କେବଳ ନ ଦେଖିଲେ ହେଁ ସୁବାସରୁ ବଳି ହୁଅଇ ମନୋରମ ।୧୨।କାଚ କୁଚଶିର ଦେଶେ ମୋତିହାର ଦେଖି ବୋଲନ୍ତି ପ୍ରାଣଧନ ।କର୍ଣ୍ଣେ ଶୁଣୁଥିଲି ପୟୋଧର ବୋଲି ଏବେ ତ ହୋଇଲା ସେ ଆନ ।କମଳା, କିମ୍ପା ଏ ପୟକୁ ଛାଡ଼ୁଛି ।କଲାରୁଁ ଦର୍ଶନ ହୋଇ ସୁପ୍ରସନ୍ନ କାମ ମୋ ହୃଦୟ ତାଡ଼ୁଛି ।୧୩।କାହା ଜାନୁ ଚାହିଁ ବୋଲନ୍ତିରେ ସହି କି ଚିତ୍ର ଦେଖିଲ ଏ ତୋର ।କରୀକର ବୃକ୍ଷ କରଇ ବିନାଶ ଏ କଥା ହୋଇଛି ଗୋଚର ।କମଳା, ଏବେ ଦେଖିଲା ମୁଁ ପ୍ରତ୍ୟକ୍ଷେ ।କରୁଅଛୁ ମନହସ୍ତୀକି ବନ୍ଧନ ଜାନୁ ତରୁଣ ରମ୍ଭାବୃକ୍ଷେ ।୧୪।କଳାକରକରେ ଅନ୍ଧକାର ନାଶେ ବିଧାନ ଏ’ତ ବିଧାତାର ।କଲେ ଯେ ବଦନ- ଚନ୍ଦ୍ର ଦରଶନ କିମ୍ବା ଘୋଟେ କାମ ଅନ୍ଧାର ।କମଳା, କହ ମୋତେ ଏଥି ଚରିତ ।କଥା କଥାରେ ତ ଦେଖିଲେ ରେ ମିତ ତୋହରିଠାରେ ବିପରୀତ ।୧୫।କନକ ଲତାରେ କମଳକୋଳରେ ବିକାଶେ ବେନି ଇନ୍ଦୀବର ।କୁନ୍ଦକଳି ସଙ୍ଗେ ଫୁଟିଅଛି ରଙ୍ଗେ ବନ୍ଧୁ ଜୀବକ ମନୋହର ।କମଳା, କୋକନଦରେ ଗନ୍ଧଫଳୀ ।କି କରି ବିଧାତା କରିଛି ଏ ଲତା ଚିତ୍ରକୁ ପଡ଼ିଅଛି ବଳି ।୧୬।କାମ ଦିଗବିଜେ ରଥ ପ୍ରାୟ ରାଜେ ବନ୍ଧୁ ତୋହର କଳେବର ।କଳିତ ନିତମ୍ବ ଚକ୍ର ଅବଲମ୍ବ କରିଛି ଉତ୍ତମ ଅମ୍ୱର ।କମଳା, କି ତପ କରିଛି ଅନଙ୍ଗ ।କରି ମନୋରଥ ସମ୍ପୂର୍ଣ୍ଣ ଏ ରଥ ଆରୋହୀ ମନ୍ଥେ ସର୍ବ ଅଙ୍ଗ ।୧୭।କରୁଥାଇ ମନ ଏ ରଥେ ଗଗନ କରିବାକୁ ନିତି ଶରଧା ।କୃପଣକୁ ଲୋଭୀ ଆଶା କଲା ପ୍ରାୟେ କେବଳ ପାଉଥାଉ ବାଧା ।କମଳା କହିଲେ କୋମଳ ବଚନ ।କେବଳ ସ୍ୱାଧୀନ ଭର୍ତ୍ତୃକା ପରାୟେ ତୁହିତ ନୋହୁ- ପରସନ୍ନ ।୧୮।କୁନ୍ଦ ଇନ୍ଦୁ କାଶ କର୍ପୂର ବିକାଶ ମନ୍ଦହାସ କରି ପ୍ରକାଶକଳାଡୋଳା ନେଇ ଅପାଙ୍ଗରେ ଥୋଇ କହେ ଗୋପୀ ବାଣୀ ପୀୟୂଷ ॥
କୃଷ୍ଣ ହେ, କୁସୁମ ଭ୍ରମର ପୀରତି ।କଳାମେଘ କୋଳେ ବିଜୁଳି ଚଞ୍ଚଳ ପରାୟେ ପୁରୁଷଙ୍କ ରୀତି ।୧୯।କଉଁ ଗୋପୀ ମୂର୍ତ୍ତି ଅନାଇ ବୋଲନ୍ତି ତୋ ଅଙ୍ଗ କାମସରୋବର ।କାନ୍ତି ସ୍ୱଚ୍ଛଜଳ କେଶ ଶଇବାଳ ବଦନ କମଳ ପ୍ରକାର ।କମଳା, ନୟନ ଯୁଗଳ ଶଫରୀ ।କୁଚ ଚକ୍ରବାକ ନଖ କହ୍ଲାରକ ସକଳଜନ ମନୋହାରୀ ।୨୦।କର୍ମବିଫଳରେ ଏଡ଼େ ସରୋବରେ ନୋହିଲା ମୋର ଅବଗାହ ।କାହାକୁ କହିବି କେମନ୍ତେ ସହିବି ମଦନସନ୍ତାପ – ସନ୍ଦେହ ।କମଳା, କରନ୍ତି ଦିନେ ଜଳକ୍ରୀଡ଼ା ।କୃପଣର ଧନ ପରାୟେ ତୋ ଧନ ଲେଶେହେ ନ ତେଜିଲା ବ୍ରୀଡ଼ା ।୨୦।କେଉଁ ସୁଶ୍ରୋଣୀକି ବୋଲନ୍ତି ଏଣିକି ଚାହାଁରେ କଳକଣ୍ଠବାଣୀ ।କାମତରଙ୍ଗିଣୀ ମଧ୍ୟେ ମୋ ତରଣୀ ଭାସିଲଟି ପ୍ରାଣମିତଣି ।କିଶୋରୀ, ରତନ କର୍ଣ୍ଣଧାର ହୋଇ ।କରୁ କିନା ପାରି ପରମସୁନ୍ଦରୀ ଜାନୁଉଡ଼ପରେ ବସାଇ ।୨୨।କଉଁ ସୁରସିକା ବରଜ ନାୟିକା କାମକେଳି ଜୟପତାକା ।କରନ୍ତେ କାଳିକାବେଳେ ଗତି ଏକା କୃଷ୍ଣ ବୋଲନ୍ତିରେ ବାଳିକାକାହିଁକି, କରୁଥାଅ ମୋତେ ନିରାଶ ।କଣ୍ଟକୀ ଫଳରୁ ସ୍ୱାଦୁ ବହୁଳରୁ ତୋତେ ମୁଁ କରିଥାଇ ଆଶ ।୨୩।କେତେବେଳେ ପୟପେଟୀକି ହୃଦୟ ଘନରସ କରେ ଅନ୍ତର ।କେବଳ ବାହାର କର୍କଶ ତାହାର ହେଲେ ପ୍ରିୟ ନୋହେ କାହାର ।କୁନ୍ତଳା, କରକା ପ୍ରାୟେ ତୋର ଚିତ୍ତ ।କଠିନ ଆଦ୍ୟରେ ହେଲେ କ୍ରମଶରେ ପଛକୁ ହୋଏ ଦ୍ରବୀଭୂତ ।୨୪।କାହାକୁ ବୋଲନ୍ତି ଆରେ ରସବତୀ ରତିପତିଭୟମୋଚନା ।କାହିଁକି ହେଲୁ ତୁ ସୁମନସଋତୁ କଳକଣ୍ଠ – କଣ୍ଠବଚନା ।କର୍ଣ୍ଣରେ , ନ ଶୁଣିଲେ ଦିନେ ସୁବାଣୀକରମ ଅବଳ ଅମ୍ବୁଧର କାଗଳ ନାଶ କରୁଛି ସବୁ ଆଣି ।୨୫।କୃପଣ ମାଗଣଠାରେ ଆଚରଣ କଲା ପ୍ରାୟ ନୋହୁ ପ୍ରସନ୍ନ ।କଞ୍ଜ ଦରଶନ କମଳ ସମାନ ଦେଖି ମୁଦିଯାଉ ଆନନ ।କୁନ୍ତଳା, କର୍ମକୁ ବୋଲିବି ମୋହର ।କଳା ବୋଲି ଅବା କଟାକ୍ଷ କରିବା ଆଦର ନୋହିଲା ତୋହର ।୨୬।କୁଟିଳ କୁନ୍ତଳ ଭ୍ରୂଲତାଯୁଗଳ କଳାମେଘ ମିତ୍ର ଅମ୍ୱର ।କନକ କେତକ ଅଙ୍ଗକୁ ଏତକ ନୋହିଅଛି କି ଆଡ଼ମ୍ୱର ?କୁନ୍ତଳା, କର ତୁ ମନରେ ବିଚାର ।କଜ୍ୱଳ କୁରଙ୍ଗ ମଦରୁ ମୋ ଅଙ୍ଗ ହେଲାନି କି ଏଡ଼େ ଅସାର ।୨୭।କୃଷ୍ଣ – ମସୀବିନ୍ଦୁ ଏତେବେଳେ ଇନ୍ଦୁ ଅର୍ଦ୍ଧ ଚିବୁକକୁ ମଣ୍ଡିଛି ।କପର୍ଦ୍ଦି ବଇରୀ ଏହା ଘେନିକରି କାହା ଧଇର୍ଯ୍ୟ ନ ଖଣ୍ଡିଛି ।କୁନ୍ତଳା, କଳାରେ ନ କରିବୁ ହେଳା ।କଳାବତୀ ହୋଇ କଳାବନ୍ତ ଠାଇଁ ଅବଶ୍ୟ ବଳାଇବୁ ଲୀଳା ।୨୮।କାହାକୁ ବୋଲନ୍ତି ଆରେ ଶ୍ରଦ୍ଧାବତି କର କୁରୁଣ୍ଟକ ଦୋହଦ ।କଦମ୍ୱ ଦୋହଦ କରି ମୋ ମନରୁ ଛଡ଼ାଅ ମନମଳ ଖେଦ ।କାମିନୀ, ମଞ୍ଜିଷ୍ଠା ଅନୁରାଗ କରି ।କେବେହେଁ, କରୁଣା ନ କରିବୁ ଊଣା କହୁଛି ତୋର କର ଧରି ।୨୯।କେତେହେଁ କହିବି ହୃଦୟରେ ଭାବି କୃଷ୍ଣ ଗୋପୀ ସ୍ନେହ ଉତ୍ତର ।କଳା ଜଳଧର ବୃଷ୍ଟି ନଭ ପରାୟ ନୋହେ ସେ ଗୋଚର ।କନ୍ଦର୍ପ, କଉତୁକେ ଦିନ ରହନ୍ତି ।କବି ସେ ଚରିତ ମନୋହର ଗୀତ କରି ଭବସିନ୍ଧୁ ତରନ୍ତି ।୩୦।କମଳ କୁମୁଦ – ବନକୁ ପ୍ରମୁଦ କରେ ପୁଷ୍ପବନ୍ତ ଯେମନ୍ତ ।କୈବଲ୍ୟଦାୟକ ଦକ୍ଷିଣ ନାୟକ କୃଷ୍ଣ ଗୋପୀଙ୍କର ତେମନ୍ତ ।କହଇ, ଦୀନକୃଷ୍ଣ ରସକଲ୍ଲୋକ ।କର୍ଣ୍ଣଦେଇ ଶୁଣ ରସିକ ସିହାଣ ବିଷୟରେ ନୋହି ଚଞ୍ଚଳ ।୩୧।