ରଣପୁରରାଜା ନରେନ୍ଦ୍ର
୧୭୮୧–୧୮୬୬
- ସଂକଳନ: ସାତ କଳା
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୧୮୯
- ସ୍ଥିତି
- ସାର୍ବଜନୀନ (Public domain)
ଅଭାବଗ୍ରସ୍ତ ହୋଇ ସେ ବାରମ୍ବାର ରଣପୁର ରାଜାଙ୍କ ନିକଟକୁ ଯାଉଥିଲେ । ଆଜି ମଠା ହେଲେ, କାଲି ଚାଦର ଦୁଇଖଣ୍ଡ, ପରଦିନ ଶାଲ ଫର୍ଦ୍ଦେ ଏବଂ ବହୁ ଅର୍ଥ ବିଦାକି ସୂତ୍ରରେ ଆଣୁଥିଲେ । ଏମନ୍ତ କି ଥରେ ଗୃହଦାହ ଯୋଗୁଁ ଉକ୍ତ ରାଜା ତାଙ୍କର ଗୃହ ମଧ୍ୟ ନିର୍ମ୍ମାଣ କରାଇ ଦେଇଥିଲେ । ରଙ୍ଗରସରେ ଯୋଗଦେଇ ବହୁ ନାରୀର ରୂପ ଭେକ ବର୍ଣ୍ଣନା କରି ସଙ୍ଗୀତ ଚଉପଦିମାନ ଉପହାର ଦେଇ ଅର୍ଥଲାଭ କରି ଫେରୁଥିଲେ । କିନ୍ତୁ ଥରେ କି ଦୁର୍ଯୋଗରେ ସେ ଯାଇଥିଲେ, ରାଜା ତାଙ୍କୁ କଦାପି ଦେଖାଦେଲେ ନାହିଁ । ସେ ବହୁ କଷ୍ଟରେ ସାକ୍ଷାତ ପାଇବାକୁ ଯୋଗାଡ଼ କରି ଦରକାରବେଳେ ଦେଖାପାଇଲେ । ଗୋଟିଏ ତାଙ୍କର ସ୍ୱହସ୍ତ ନିର୍ମ୍ମିତ ବିଷ୍ଣୁ ପ୍ରତିମାକୁ ପାଟକନାରେ ଗୁଡ଼ାଇ ବିରାଟ ଏକ ପେଣ୍ଡୁ ଆକାରରେ ସଜାଇ ରାଜାଙ୍କୁ ତାହା ଏକ ଦେବତା କହି ଅର୍ପଣ କରନ୍ତେ, ରାଜା ବ୍ରଜଧର ନରେନ୍ଦ୍ର ତାହା ଫିଟାଇ ଦେଖିଲେ ଦ୍ରୌପଦୀଙ୍କ ବସ୍ତ୍ରସମ୍ଭାର ପରି ତାହା ମଧ୍ୟରୁ ପ୍ରତିମା ଆବିଷ୍କୃତ ହୋଇପାରୁ ନାହିଁ । ତେଣୁ ସେ କ୍ଲାନ୍ତ ହୋଇ ତାହା ତଳେ ଥୋଇଦେଲେ । ଯଦୁମଣି ରାଜାଙ୍କର ଏପରି ବ୍ୟବହାରରେ ଦୁଃଖିତ ହେଲେ ।
ତେଣୁ କବିତା ଗାଇଲେ -
ଅନ୍ଧ ଦେଶକୁ ଗଲି ଦର୍ପଣ ବିକି
କନ୍ଧ ହାତରେ ଦେଲି ଗୋଦାନ ଟେକି
ଜଡ଼ା ମଧୁରେ ଖଡ଼ା କଲି ରନ୍ଧନ
କାମୁଡ଼ା ଘୋଡ଼ା ମୁଖେ ଦେଲି ଚୁମ୍ବନ
ହେ ରାଜା କି କଲ
ବିଷ୍ଣୁ ପ୍ରତିମାକୁ ତଳେ ଥୋଇଲ ?
କନ୍ଧ ବୋଲି ସେ ନରେନ୍ଦ୍ରଙ୍କୁ ଅଭିହିତ କରି ଏପରି ତିରସ୍କାର କରନ୍ତେ ରାଜା ସେଠାରୁ ଚାଲିଯାଇ ତାଙ୍କୁ ଦରବାରରୁ ତଡ଼ିଦେଲେ । ଆଉ ମୁହଁ ଚାହିଁଲେ ନାହିଁ । ତେଣୁ ସେଦିନୁଁ ତାଙ୍କର ରଣପୁର ଦ୍ୱାର ପଡ଼ିଗଲା ।
ସମ୍ବନ୍ଧିତ ରଚନା
ନାଟ୍ୟରସୂର ଉଦାହରଣ
ଯଦୁମଣି ମହାପାତ୍ର
ଚିଲିକା ହ୍ରଦ
ମଧୁସୂଦନ ରାଓ