ପ୍ରଥମ ଦୃଶ୍ୟ — ରାମାଭିଷେକ — ରାମଶଙ୍କର ରାୟ · ସ୍ୱର୍ଣ୍ଣଲିପିସମ୍ପୂର୍ଣ୍ଣ ସୂଚୀପତ୍ର
ପ୍ରଥମ ଦୃଶ୍ୟ
ରାମଛାଉଣି[ ରାମ, ଲକ୍ଷ୍ମଣ, ବିଭୀଷଣ, ସୁଗ୍ରୀବ, ହନୁମାନ, ଅଙ୍ଗଦ, ଜାମ୍ବୁବାନ, ନଳ, ନୀଳ ଓ ସୁଷେଣାଦି ଉପସ୍ଥିତ । ]
ରାମ ।- ଭାଇ ଲକ୍ଷ୍ମଣ ! ସଂସାରରେ ସୁଖ ଦୁଃଖ ଲାଗି ରହିଛି । ବନବାସକୁ ଆସିବା ଓ ବୈଦେହୀଙ୍କି ହରାଇବା ଦୁଃଖ ହେଲେ ସୁଦ୍ଧା ତଦ୍ଦ୍ୱାରା ଦୂରାତ୍ମା ରାବଣର ବଧ ସଂଘଟନ ହୋଇ ଚରାଚର ପୃଥିବୀ ଶାନ୍ତିଲାଭ କରିବା ବିଶେଷ ସୁଖର ବିଷୟ । ଲଙ୍କେଶ୍ୱର ରାବଣ ଆପଣା ପାପରୁ ସର୍ବଶେ ନିହତ ହେଲା । ବର୍ତ୍ତମାନ ତାଙ୍କ ଭାଇ ଧାର୍ମିକ ପ୍ରବର ବିଭୀଷଣ ତାଙ୍କର ଉତ୍ତରାଧିକାରୀ । ରାଜା ନ ଥିଲେ ରାଜ୍ୟ ଶ୍ରୀହୀନ ଓ ଅରାଜକ ହୋଇ ନଷ୍ଟ ହୁଏ । ଆର ପାରିରେ ଆମ୍ଭେମାନେ ଭବିଷ୍ୟତକୁ ଲକ୍ଷ୍ୟ କରି ବିଭୀଷଣଙ୍କୁ ଲଙ୍କେଶ୍ୱର ପଦରେ ବରଣ କରିଥିଲୁଁ । ବର୍ତ୍ତମାନ ଧର୍ମର ଜୟ ଓ ଅଧର୍ମର ପରାଜୟ ହୋଇ ଆମ୍ଭମାନଙ୍କର କଥା ସାର୍ଥକ ହେଲା । ଏବେ ଏହିଠାରେ ବିଧିମତେ ବିଭୀଷଣଙ୍କୁ ଲଙ୍କେଶ୍ୱର ପଦରେ ଅଭିଷିକ୍ତ କର ଓ ଜଣେ ଜଣେ ଡଗର ଯାଇ ଲଙ୍କାନଗରୀରେ ବିଭୀଷଣ ରାଜା ବୋଲି ଘୋଷଣା କରୁ ।
ଲକ୍ଷ୍ମ ।- (କରଯୋଡ଼େ) ଯେ ଆଜ୍ଞା-
ସୁଗ୍ରୀ ।- ଏ ଆଦେଶ ଆପଣଙ୍କର ଉପଯୁକ୍ତ । ଶତ୍ରୁ ଦମନ କରି ତାହାର ରାଜ୍ୟ କାଢ଼ି ନେବାଠାରୁ ଧର୍ମାଚାରିଉତ୍ତରାଧିକାରୀଙ୍କି ଦେବା ଶତଗୁଣେ ମହତ୍ତ୍ୱର ପରିଚାୟକ । (ହନୁମାନକୁ ଅନାଇ) ବୀର ହନୁମାନ୍! ଯୁବରାଜ ଓ ନଳନୀଳଙ୍କ ସହିତ ଶୀଘ୍ର ସମୁଦ୍ରଜଳାଦି ଆଣ । ଏହିକ୍ଷଣି ବିଭୀଷଣଙ୍କ ଅଭିଷେକ ହେବ ।
ଲକ୍ଷ ।- (ଜାମ୍ବୁବାନଙ୍କୁ ଅନାଇ) ମନ୍ତ୍ରୀ ଜାମ୍ବୁବାନ୍ ! ସୁହୃଦ୍ବରଙ୍କ ଅଭିଷେକ କାର୍ଯ୍ୟରେ ବିଚକ୍ଷଣ ମନ୍ତ୍ରୀହିଁ ଡଗରରୂପେ ଲଙ୍କାରେ ଘୋଷଣା କରିବା ଉଚତ । ତୁମ୍ଭେ ଏହିକ୍ଷଣି ଲଙ୍କାନଗରୀରେ ପ୍ରବେଶ କରି ଘୋଷଣାକର-
ପାପିଷ୍ଠ ରାକ୍ଷସାଧମ ରାବଣ ଦୁର୍ମତିଚୋରପରି ହରି ସୀତା ସତୀ-ଶିରୋମଣୀଲଭିଲା ଜୀବନଦଣ୍ଡ ରାମବାଣେ ରଣେ-ହରାଇଲେ ଲଙ୍କାସହ ରାଜ୍ୟଲକ୍ଷ୍ମୀସବୁ ।ମହାମତି ରାମଚନ୍ଦ୍ର, ଆଦେଶରେ ଆଜିଅଭିଷକ୍ତି ବିଭୀଷଣ ଲଙ୍କାସିଂହସନେ-ଧାର୍ମିକ ପ୍ରବର ଯେଣୁ ସତ୍ୟସନ୍ଧ ବୀରପାଳିବେ ଧର୍ମରେ ପ୍ରଜା ସୁନୀତି ସହିତ,ସ୍ଥିରହେବେ ରାଜ୍ୟଲକ୍ଷ୍ମୀ ଲଙ୍କାରେ ଏଣିକି ।ନବରାଜ ବିଭୀଷଣ ଯଶୋଗାନ ଗାଇଘରଦ୍ୱାର ସାଜି ମାତି ଆନନ୍ଦ-ଉତ୍ସବେଭେଟ ମହାରାଜେ-ଘେନି ଘରଦ୍ୱାର କର ।ବିଧାତା ବିଧାନେ ପୁଣି ଶ୍ରୀରାମ-ଆଜ୍ଞାରେଦୋଳଇ ସୁବର୍ଣ୍ଣ ଲଙ୍କା ଆନନ୍ଦ-ଦୋଲାରେ ।ନିୟତ ଧର୍ମର ଜୟ ଅଧର୍ମର କ୍ଷୟ ।-ଗାଅ ସୁଖେ ଜୟ ରାଜା ବିଭୀଷଣ ଜୟ !!!ସୁଗ୍ରୀ ।- ଉପଯୁକ୍ତ ଆଦେଶ ।
ଜାମ୍ବୁ ।- (ପତ୍ରରେ ଘୋଷଣା ବାକ୍ୟ ଲେଖିପକାଇ କରଯୋଡ଼େ ଅଭିବାଦନପୂର୍ବକ) ଏହିକ୍ଷଣି ଚାଲିଲି-ଲଙ୍କାପୁରୀର ସର୍ବତ୍ର ଏହା ଘୋଷିତ ହେବ । (ପ୍ରସ୍ଥାନ ।)
ନେପଥ୍ୟେ ।- (ତୁରୀ ଧ୍ୱନି)[ ସମୁଦ୍ରଜଳ-ଘଟାଦି ସହିତ ହନୁମାନ, ଅଙ୍ଗଦ, ନଳ ଓ ନୀଳର ପ୍ରବେଶ ଓ ଘଟାଦି ରଖିଦେଇ ଉଚ୍ଚାସନ ସଜାଇବା । ]
ଲକ୍ଷ୍ମ ।- (ବିଭୀଷଣକୁ ଧରି ଆଲିଙ୍ଗନ ପୂର୍ବକ) ଆଜି ଅତୀବ ଆନନ୍ଦର ଦିନ ଯେ ପାପିଷ୍ଠ ରାବଣକୁ ବିନାଶ କରି ଆମ୍ଭେମାନେ ତୁମ୍ଭଙ୍କୁ ଲଙ୍କେଶ୍ୱର ପଦରେ ଅଭିଷିକ୍ତ କରିପାରିଲୁଁ । ଆସ ଏହି ଆସନରେ ଉପବିଷ୍ଟ ହୁଅ । (ବିଭୀଷଣକୁ ଆସନରେ ବସାଇବା ।)
[ସୁଗ୍ରୀବାଦି ସମସ୍ତେ ବିଭୀଷଣଙ୍କ ମସ୍ତକରେ ମଙ୍ଗଳ ମନାସି ସମୁଦ୍ର ଜଳ ସିଞ୍ଚନ କରିବା ।
ବିଭୀ ।- ମୁ ରାଜ୍ୟଲୋଭରେ ରାମଚନ୍ଦ୍ରଙ୍କ ସହିତ ବନ୍ଧୁତ୍ୱ କରିନାହିଁ - ଧର୍ମରକ୍ଷାହିଁ ମୋର ପ୍ରଧାନ ଉଦ୍ଦେଶ୍ୟ । ମୋତେ ଲଙ୍କାରେ ପ୍ରତିଷ୍ଠିତ କରିବା ରାମଚନ୍ଦ୍ରଙ୍କ ମହାନ ଭାବକତା । ମୁ ରାଜପଦର ଉପଯୁକ୍ତ ନୁହେ - ତାଙ୍କର ପ୍ରଭାବରେ ତାଙ୍କ ନାମଧରି ମୁ ଶାସନ ଚଳାଇବି । ଲଙ୍କାର ଶ୍ରୀ ତାଙ୍କରି ହାତରେ ।
ଲକ୍ଷ୍ମ ।- ସାଧୁ, ସାଧୁ ସାଧୁ ! ଧାର୍ମିକ ନ ହେଲେ ଧର୍ମର ଗୁରୁତ୍ୱ ବୁଝେ ନାହିଁ । ଈଶ୍ୱର ଧର୍ମ - ସେ ଧର୍ମରେ ସୁପ୍ରସନ୍ନ ଓ ସୁପ୍ରତିଷ୍ଠିତ । ଧର୍ମ ଛାଡ଼ିଲେ ତାଙ୍କୁ ଛାଡ଼ିବାକୁ ହେବ, ସୁତରାଂ ପଡ଼ିମରିବାରେ ବିଳମ୍ବ ଘଟିବ ନାହିଁ । ଧର୍ମଜ୍ଞ ରାମଚନ୍ଦ୍ର ଧର୍ମାଚରଣ ପୂର୍ବକ ଲଙ୍କାରୁ ଅଧର୍ମ ତଡ଼ିଦେଇ ଧର୍ମକୁ ସୁସ୍ଥିର କଲେ । ଏବେ ତୁମ୍ଭ ହାତରେ, - ଧର୍ମରେ ପ୍ରଜାପାଳନ କରୁଥିଲେ ଲଙ୍କାରେ ଚିରକାଳ ଲକ୍ଷ୍ମୀ ବସିରହିବେ । ଆମ୍ଭମାନଙ୍କର ବିଶ୍ୱାସ - ତୁମ୍ଭଦ୍ୱାରା ଧର୍ମର ଅବମାନନା ହେବ ନାହିଁ । - ସମସ୍ତେ ବୋଲ - ଲଙ୍କେଶ୍ୱର ରାଜା ବିଭୀଷଣଙ୍କର ଜୟ !
ସୁଗ୍ରୀବାଦି ।- ଜୟ ରାଜଲଙ୍କେଶ୍ୱର ରାଜା ବିଭୀଷଣଙ୍କର ଜୟ ।ବୀଭୀ ।- ଜୟ ଶ୍ରୀରାମଚନ୍ଦ୍ରଙ୍କର ଜୟ !(ଭେଟଧାରିପ୍ରଜାମାନଙ୍କ ସହିତ ଜାମ୍ବବାନର ପ୍ରବେଶ ।)ଜାମ୍ବ ।- ଜୟ ଲଙ୍କେଶ୍ୱର ମହାରାଜ ବିଭୀଷଣଙ୍କ ଜୟ ।ପ୍ରଜାବର୍ଗ ।- ଜୟ ଲଙ୍କେଶ୍ୱରଙ୍କ ଜୟ ! ଜୟ ମହାରାଜ ବିଭୀଷଣଙ୍କ ଜୟ ! (ଆସନ ସମ୍ମୁଖେ ଯେ ଯାହାର ଭେଟ ସ୍ଥାପନ କରିବା)
ବିଭୀ ।- ରାଜଭକ୍ତ ପ୍ରଜାପୁଞ୍ଜ ! ପ୍ରଜାଘେନି ରାଜା । ରାଜା ଧର୍ମରେ ଥିଲେ ଯେମନ୍ତ ପ୍ରଜାଙ୍କର ତେମନ୍ତ ରାଜ୍ୟର ତଥା ରାଜାଙ୍କର ଉନ୍ନତି ହୁଏ । ଲଙ୍କେଶ୍ୱର ଭାଇ ରାବଣ ହଜାର ପ୍ରତାପୀ ଓ ଅଶେଷଗୁଣସମ୍ପନ୍ନ ହେଲେହେଁ ଏକା କାମଜନିତ ପାପରୁ ସମସ୍ତ କଳୁଷିତ କରି ଅଶେଷ ପ୍ରଜା ତଥା ଆପଣାର ଜୀବନ ଶେଷ କଲେ । ମୁ ଧର୍ମପଥରେ ଥାଇ ତୁମ୍ଭମାନଙ୍କୁ ଯଥାବିହିତ ପାଳନ କରିବାର ଆଶା ରଖିଛି । (ରାମକୁ ଲକ୍ଷ୍ୟକରି) ଶ୍ରୀରାମଚନ୍ଦ୍ର ଏକା କର୍ମବୀର ଥାଇଁ ଧର୍ମବୀର ଅଟନ୍ତି, ଅଧର୍ମାଚରଣ କରି ମୋର ଭାଇ ତାଙ୍କର ସଦ୍ଗୁଣଶାଳିନୀ ପତିବ୍ରତା ଭାର୍ଯ୍ୟାଙ୍କୁ ଅପହରଣ କରି ଆଣିଲାରୁ ସେ ଅସାଧ୍ୟସାଧନ କରି ଅଧର୍ମର ବିନାଶ ସଙ୍ଗେ ଧର୍ମସ୍ଥାପନ କରିଗଲେ । ମୁଁ ଧର୍ମବଳରେ ତାଙ୍କସଙ୍ଗେ ବନ୍ଧୁତା ବାନ୍ଧିଥିଲି ଏବଂ ଧର୍ମ ଅନୁସରି ସେ ମୋତେ ଏ ରାଜ୍ୟରେ ସ୍ଥାପିଲେ । ଅତଏବ ତୁମ୍ଭେମାନେ ତାଙ୍କର ଜୟଘୋଷଣା କର ।
ପ୍ରଜାବର୍ଗ ।- ଜୟ ଶ୍ରୀ ରାମଚନ୍ଦ୍ରଙ୍କର ଜୟ ! ଜୟ ଧର୍ମର ଜୟ !
ବିଭୀ ।- (ରାମକୁ ଅନାଇ) ପ୍ରିୟସଖେ ! ଏ ଦଧି, ଅକ୍ଷତ, ମୋଦକ, ଲୋକ, ଫଳ, ପୁଷ୍ପ, ପାଦୁକାଦି ଭେଟ ମୁ ଭକ୍ତିପୂର୍ଣ୍ଣ ହୃଦୟରେ ସମସ୍ତ ଆପଣଙ୍କୁ ଅର୍ପଣ କରୁଛି । ଆପଣ ମୋତେ ଅତି ବିଶ୍ୱାସୀ ବନ୍ଧୁ ମଣି ଲଙ୍କାପୁରୀ ଅର୍ପଣ କରିଛନ୍ତି । ଏ ଭେଟ ସାମାନ୍ୟ ହେଲେହେଁ ରାଜଭକ୍ତି ସହିତ ଅର୍ପିତ ହୋଇଥିବାରୁ ବହୁମୂଲ୍ୟ ଅଟେ । ପ୍ରିୟ ପଦାର୍ଥ ପ୍ରଥମେ ବନ୍ଧୁଙ୍କୁ ଦେବା ଉଚିତ । ସଂସାରରେ ଆପଣଙ୍କୁ ଛାଡ଼ି ମୋର ଆଉ ବିଶିଷ୍ଟ ବନ୍ଧୁ କେହି ନାହିଁ - ଏ ଗୁଡ଼ିକ ଆପଣ ଗ୍ରହଣ କଲେ ମୁଁ କୃତକୃତ୍ୟ ହେବି ।
ରାମ ।- ବନ୍ଧୁବର ଲଙ୍କେଶ୍ୱର ! ତୁମ୍ଭର ଏ ଆନ୍ତରିକପ୍ରୀତି ଓ ଭକ୍ତିର ଚିହ୍ନ ମୁଁ ଏଡ଼ି ନପାରେଁ । ମୁ ତାହା ଗ୍ରହଣ କଲି । ଏ ଗୁଡ଼ିକ ଛାଉଣିରେ ରଖାଇ ଦିଅ । -ସମସ୍ତେ ଆଜି ରାତ୍ରରେ ମହୋତ୍ସବରେ ଉପଭୋଗ କରିବେ ।
ବିଭୀ ।- ପ୍ରଜାବର୍ଗ ! ଆଉ ଥରେ ରାମଚନ୍ଦ୍ରଙ୍କର ଦୀର୍ଘଜୀମନ କାମନାରେ ମଙ୍ଗଳସୂଚକ ଜୟଧ୍ୱନି କରି ଏ ଭେଟମାନ ଅପର ଛାଉଣିରେ ରଖ ।ପ୍ରଃ ବଃ ।- ଜୟ ଶ୍ରୀ ରାମଚନ୍ଦ୍ରଙ୍କର ଜୟ ! (ଯେ ଯାହା ଭେଟ ନେଇ ପ୍ରସ୍ଥିତ ।)
ବିଭୀ ।- (ଆସନରୁ ଓହ୍ଲାଇ ଆସି ରାମ ସମ୍ମୂଖରେ ଠିଆହୋଇ) ପ୍ରିୟ ସଖେ ! ରାତ୍ରକୁ ମହୋତ୍ସବ ହେବାର ଅନୁମତି ଦେଲେ ସିନା ମାତ୍ର ଆପଣ ଯାହାଙ୍କ ସକାଶେ ବିଜୟ ଲାଭକଲେ ତାହାଙ୍କୁ ଏ ପର୍ଯ୍ୟନ୍ତ ଜୟଲାଭର ବାର୍ତ୍ତା ସୁଦ୍ଧା ପଠାଇ ନାହାନ୍ତି - ସେ ନ ଆସିଲେ ମହୋତ୍ସବ ହେବ କିପରି ?
ହନୁ ।- (କୁତାଞ୍ଜଳିପୁଟେ)ଏହା ଅତୀବ ଯଥାର୍ଥ ।ସୁଗ୍ରୀ- ସଖେ! ଜୟଲାଭରେ ଭୋଳ ହୋଇ ପ୍ରାଣଠାରୁ ପ୍ରିୟତମା ଜାନକୀଦେବୀଙ୍କି ଭୁଲିଗଲେ କି ?
ରାମ ।- ମୁଁ ଜାନକୀକି ଭୁଲିବି କିରୂପେ ? ସେତ ସବୁବେଳେ ଆକ୍ଷିରେ ନାଚୁଛନ୍ତି-ମନ ପୂର୍ଣ୍ଣକରି ରଖିଛନ୍ତି; ଆଉ ଯାଙ୍କୁ ଘେନି ସମୁଦ୍ର ବନ୍ଧନାଦି ମହାବ୍ୟାପାର ସାଧିତ ହୋଇ ଅସୀମପରାକ୍ରମୀ ଦୁଷ୍ଟ ରାବଣ ନିହତ ହେଲା ତାଙ୍କୁ ମୁଁ କାହିଁକି ଜଗତର ଲୋକେ କୌଣସି କାଳେ ପାସୋରି ପାରିବେନାହିଁ ! ତେବେ ଏତିକି ଯେ ରାଜାଙ୍କ ନିଧନହେତୁ ରାଜ୍ୟ ଅରାଜକ ହୋଇଥିବା କାଳରେ ମୃତଶତ୍ରୁର ସତ୍କାର ଓ ରାଜ୍ୟ ସୁପ୍ରତିଷ୍ଠିତ ନ କରିବା ପର୍ଯ୍ୟନ୍ତ ସୀତାଙ୍କ ସକାଶେ ବ୍ୟଗ୍ରତା ଦେଖାଇଲେ ମୁଁ ସ୍ୱାର୍ଥପରତାରେ ଦୋଷୀ ନୋହିବି କି ?
ସୁଗ୍ରୀ ।- ତାହା ଯଥାର୍ଥ-ମୁଁ ବ୍ୟଙ୍ଗଭାବରେସେରୂପ କଥା କହୁଥିଲି ।
ରାମ ।- ତାହା ମୁଁ ବୁଝିଛି ! (ହନୁମାନକୁ ଅନାଇ) ବୀର ବାଗ୍ମୀବର ହନୁମାନ୍! ତୁମ୍ଭେ ଯଥାର୍ଥ ବୀର ଓ ବିଶ୍ୱାସୀ । ତୁମ୍ଭର ବଳ ବା ଭକ୍ତିର ପଟାନ୍ତର ନାହିଁ । ସମୁଦ୍ର ଲଙ୍ଘନ ପୂର୍ବକ ଶତ୍ରୁରାଜ୍ୟକୁ ଯାଇ ସୀତାଙ୍କସନ୍ଧାନ କରିବା ଓ ସଙ୍ଗେ ସଙ୍ଗେ ଶତ୍ରୁର ବଳକଳ କଳି ଆସିବାରେ ତୁମ୍ଭେ ଯେମନ୍ତ କୌଶଳୀ ବୀରର ପରିଚୟ ଦେଇଛ ପୃଥିବୀରେ ସେରୂପ ଆଉଜଣେ ଦେଖିବା ଦୁର୍ଲଭ । ତହିଁ ଉପରେ ଗନ୍ଧମାଦନ ପର୍ବତଶିଖ ଆଣି ଲକ୍ଷ୍ମଣଙ୍କୁ ବଞ୍ଚାଇବାରେ ତୁମ୍ଭେ ଏକାନ୍ତ ଆତ୍ମୀୟତାର ପରିଚୟ ଦେଇଛ । ତୁମ୍ଭେ ପ୍ରଥମେ ସୀତାଙ୍କ ସନ୍ଧାନ କରିଥିଲ - ସେ କେଉଁଠାରେ ଅଛନ୍ତି ତୁମ୍ଭଙ୍କୁ ଜଣା ଆଉ ତୁମ୍ଭେ ମଧ୍ୟ ତାଙ୍କଠାରେ ପରିଚିତ । ଏଣୁ ତୁମ୍ଭେ ସଖା ବିଭୀଷଣଙ୍କ ଅନୁମତି ନେଇ ଲଙ୍କାନଗରୀରେ ପ୍ରବେଶ କରି ସୀତାଙ୍କ ଆଗରେ ଉପସ୍ଥିତ ହୋଇ ତାଙ୍କୁ ରାବଣନିଧନ ଆଉ ଆମ୍ଭର, ସୁଗ୍ରୀବର ଓ ଲକ୍ଷ୍ମଣର କୁଶଳ ସଂବାଦ ଦିଅ, ସେ କି ବୋଲିବେ ଶୀଘ୍ର ଫେରିଆସି ଜଣାଅ । ଆବଶ୍ୟକମତେ ସଖା ବିଭୀଷଣଙ୍କୁ ମୁଁ ଟିକିଏ ଛାଡ଼ି ପଠାଉଛି ।
ହନୁ ।- (କରଯୋଡ଼େ) ଯେ ଆଜ୍ଞା ! (ପ୍ରସ୍ଥାନ ।)ପଟପରିବର୍ତ୍ତନ ।
ଦ୍ୱିତୀୟ ଦୃଶ୍ୟ
ଅଶୋକ ବନ[ରାକ୍ଷସୀ ପରିବୃତା ହୋଇ କିଂଶପା ବୃକ୍ଷମୂଳରେ ସୀତା ସରମାସହିତ ଉପବିଷ୍ଟା ।]
ସର ।- ତୁମର ଜୀବନର ଶତ୍ରୁ ପାପାଚାରୀ ରାକ୍ଷସେଶ୍ୱର ତ ନିହିତ ହେଲା ଏବେ ଶୋକ ସମ୍ବରଣ କରି ମୋ ପୁରକୁ ଚାଲ- ମୁଁ ଧୋଇଧାଇ ଦେବି । ମଳିନ ବେଶରେ କି ସ୍ୱମୀସଙ୍ଗେ ଦେଖା କରିବ ? ବର୍ଷେ ହେଲା ମୁଣ୍ଡର ବାଳ ଖୋଲା ହୋଇ ନାହିଁ - ମୁଁ ଫିଟାଇ ସାଉଁଳି ବାନ୍ଧିଦେବି ।
ସୀତା ।- ସଖି ! ଏ ଅଶୋକବନରେ ଶୋକସାଗରରେ ବୁଡ଼ିଥିଲେ ସୁଦ୍ଧା ତୁମରିଯୋଗେ ସାନ୍ତ୍ୱନା ଓ ସମ୍ବାଦ ପାଇ ମୁଁ ଜୀବନ ଧରି ରହିଚି । ଯେଉଁ କୁଟାଟା ଆଗରେ ରଖିଚ ତୁମେ ସାକ୍ଷୀ । ରାବଣ ତାକୁ ଡେଇଁ ମୋତେ ଛୁଇଁ ପାରି ନାହିଁ । ରାବଣର ମୃତ୍ୟୁସମ୍ବାଦ ସକାଳୁ ପାଇଲି ମାତ୍ର ଏତେବେଳଯାଏ ଆର୍ଯ୍ୟପୁତ୍ର ମୋ ନିକଟକୁ କୌଣସି ସମ୍ବାଦ ନ ପଠାଇବାରୁ ମୋ ମନରେ ଭାରୀ ସନ୍ଦେହ ଉପସ୍ଥିତ ହେଲାଣି । ସଖି ! ଅବଳା ନାରୀଜାତିର ବଳ ସତୀତ୍ୱ । ମୋର ସତୀତ୍ୱବଳରୁ ରାବଣର ନିଧନ ହେଲା ସତ ମାତ୍ର ମୁଁ ଯେ ରାବଣରାଜ୍ୟରେ ବର୍ଷେକାଳ ଚୋରା ହୋଇ ଆସି ରହିଲି, ଏତିକିରେ ଆର୍ଯ୍ୟପୁତ୍ର ମୋତେ ନେବାକୁ ଦ୍ୱିଧା କଲେ ମୋର ଗତି କି ହେବ ? (କାନ୍ଦିପକାଇ) ସଖି, ମୋର କପାଳ ବଡ଼ ସାନ !
ସର ।- (କାନିରେ ଲୁହ ପୋଛି ଦେଇ) ସଖି ! ତୁମେ ବୁଦ୍ଧିମତୀ ହୋଇ ଅଜଣା ସ୍ତ୍ରୀଙ୍କ ପ୍ରାୟ ଏ ଭଳି କଥା କାହିଁକି ଭାବି ବିକଳ ହେଉଚ ! ତୁମର ଯେଉଁ ସ୍ୱାମୀ ତ୍ରିଭୁବନବିଜୟୀ ରାକ୍ଷସରାଜକୁ ସମୁଦ୍ର ପାରିହୋଇ ଆସି ନିହତ କରି ତ୍ରିଭୁବନର ବୀରଶ୍ରେଷ୍ଠ ବୋଲି ପରିଚୟ ଦେଲେ ତାଙ୍କର ହୃଦୟ ତଦନୁରୂପ ଉଦାର ହେବାରେ ସନ୍ଦେହ ନାହିଁ । - ଆସ, ଅକାରଣ ଶୋକ ଛାଡ଼ି ଆପଣାର କାର୍ଯ୍ୟ କର ।
ସୀତା ।- ସଖି ! ତୁମଠାରୁ ମୋର ଆଉ ଅଧିକ ହିତବାଞ୍ଛା କେହି କରିବ ନାହିଁ ।-ମାତ୍ର ଏ ରାକ୍ଷସୀମାନେ ପହରା ଦେଇଥିବା ସ୍ଥଳରୁ ମୁଁ କାହା ଆଦେଶରେ ବନ୍ଦୀମୁକ୍ତ ହୋଇଯିବି ?
ସର ।- ରାବଣ ହତ ହେଲାରୁ ସବୁଗଲା । ଯେ ତୁମକୁ ବନ୍ଦୀ କରିଥିଲା ସେତ ଗଲା- ଆଉ ବନ୍ଦୀବାସ କାହିଁ ? ଦେଖିନାହ ରାକ୍ଷସୀଗୁଡ଼ାକୁ ଛାଏଁ ନିଶ୍ଚେଷ୍ଟା ହୋଇ ରହିଚନ୍ତି । ଏବେ ମନର ଦୁଃଖ ଦୂରକର, ଆନନ୍ଦରେ ଶରୀରମାର୍ଜନା କର, ସ୍ୱାମୀସନ୍ଦର୍ଶନ ସକାଶେ ତତ୍ପରା ହୁଅ । [ହନୁମାନର ପ୍ରବେଶ ।
ସୀତା ।- (ମୁଣ୍ଡଟେକି ହନୁମାନକୁ ଅନାଇ ତୁନିହୋଇ ରହିବା ।)
ହନୁ ।- (ଜାନୁପାତି ଅଭିବାଦନ ପୂର୍ବକ) ଦେବି ! ଶତ୍ରୁ ବିଜୟୀ ରାମଚନ୍ଦ୍ର ଲକ୍ଷ୍ମଣ ଓ ସୁଗ୍ରୀବ ସଙ୍ଗରେ କୁଶଳରେ ଅଛନ୍ତି - ଆଉ ଶତ୍ରୁ ନିହତ ହେବାରୁ ସେ ସଫଳମନୋରଥ ହୋଇ ଆପଣଙ୍କୁ କୁଶଳସଂବାଦ ପଠାଇଛନ୍ତି । ରାମଚନ୍ଦ୍ର ସେନାବଳ, ବିଭୀଷଣ ଓ ଲକ୍ଷ୍ମଣ ସାହାଯ୍ୟରେ ରାବଣକୁ ହତ କରିଛନ୍ତି - ଆନନ୍ଦିତ ହୋଇ ମୁଁ ଆପଣଙ୍କୁ ଏହି ଶୁଭ ସଂବାଦ ଦେଉଛି । ଆପଣଙ୍କ ପାତିବ୍ରତ୍ୟପ୍ରଭାବରେ ରାମଚନ୍ଦ୍ରଙ୍କର ଜୟଲାଭ ହୋଇଛି - ଆଉ ସେ କହିଛନ୍ତି ଆପଣ ବ୍ୟଥା ଦୁରକରି ସୁସ୍ଥ ହେଉନ୍ତୁ । ଶତ୍ରୁ, ରାବଣ ବଧରେ ଲଙ୍କା ବଶୀକୃତ ହୋଇଛି, ଆପଣଙ୍କ ପରାଭବରେ ସେ ଯେତେ ଯେତେ ପ୍ରତିଜ୍ଞା କରିଥିଲେ ଉଜାଗର ରହି ଦିନରାତ୍ର ପରିଶ୍ରମ କରି ମହାସମୁଦ୍ରରେ ସେତୁବାନ୍ଧି ତାହା ପୂର୍ଣ୍ଣ କରିଛନ୍ତି । ଲଙ୍କା ଜୟକରି ସଖା ବିଭୀଷଣକୁ ସମଗ୍ର ଐଶର୍ଯ୍ୟ ପ୍ରଦାନ କରିବାରୁ ଆପଣ ଆଉ ରାବଣଘରେ ଥିଲାପରି ନ ଡର ଆପଣା ଘରେ ଥିଲାପରି ଆଶ୍ୱସ୍ଥା ହୁଅନ୍ତୁ । ଆପଣଙ୍କ ଦର୍ଶନ ସକାଶେ ରାକ୍ଷସରାଜ ବିଭୀଷଣ ଶୀଘ୍ର ଆସିବେ । (କିଞ୍ଚିତ୍କ୍ଷଣ ଚିନ୍ତାକରି) କି ଆଶ୍ଚର୍ଯ୍ୟ ! ମୁଁ ଏତେ କଥା କହିଲି - ଏତେ ଜୟୋଲ୍ଲାସଦାନରେ ଆପଣ କିଛି ଉତ୍ତର ନ ଦେଇ କି ଚିନ୍ତା କରୁଛନ୍ତି କାହିଁକି ? ମୋତେ କି ଚିହ୍ନି ପାରୁନାହାନ୍ତି? - ମୁଁ ସେହି ହନୁମାନ ଯେ ଆପଣଙ୍କର ଠାବକରି ଆପଣଙ୍କୁ ରାମଚନ୍ଦ୍ରଙ୍କର ଅଙ୍ଗୁରୀ ଦେଇ ମଥାମଣୀ ଘେନି ଯାଇଥିଲା । ସେ ଅଙ୍ଗୁରୀ ଅଦ୍ୟାପି ଆପଣଙ୍କର ଅଙ୍ଗୁଳିରେ ଶୋଭା ପାଉଛି । ରାମଚନ୍ଦ୍ର ଶୀଘ୍ର ଉତ୍ତର ଘେନି ଯିବା ସକାଶେ କହିଛନ୍ତି, -କି ବୋଲି ଉତ୍ତର ଦେବି?
ସୀତା ।- (ମୁଣ୍ଡଟେକି ଆନନ୍ଦରେ) ବୀରବର ! ଆର୍ଯ୍ୟପୁତ୍ରଙ୍କ ବିଜୟସମ୍ପଦରୂପ ପ୍ରିୟବାକ୍ୟ ଶୁଣି ଆନନ୍ଦରେ କ୍ଷଣକାଳ ସକାଶେ ମୋର କଣ୍ଠ ପଡ଼ିଗଲା । ତୁମ୍ଭେ ଯେଉଁ ପ୍ରିୟସମ୍ବାଦ ଦେଲ ସେଥି ସକାଶେ ତୁମ୍ଭଙ୍କୁ କି ପୁରସ୍କାର ଦେବି ଭାବୁଥିଲି । ତୁମ୍ଭପରି ପ୍ରିୟସମ୍ବାଦାତାଙ୍କୁ ଦେବା ଭଳି କୌଣସି ପଦାର୍ଥ ପୃଥିବୀରେ ମୁଁ ଦେଖୁନାହିଁ । ଏ ସମ୍ବାଦ ସକାଶେ ହିରଣ୍ୟ, ସୁବର୍ଣ୍ଣ, ବହୁବିଧ ରତ୍ନ ଅଥବା ସ୍ୱର୍ଗ-ମର୍ତ୍ତ୍ୟ-ପାତାଳ ତ୍ରିଭୁବନର ରାଜ୍ୟ ପ୍ରଦାନ ସୁଦ୍ଧା ତୁମ୍ଭର ଉପଯୁକ୍ତ ପୁରସ୍କାର ନୁହେ ।
ହନୁ ।- (କରଯୋଡ଼େ) ନିଷ୍କଳଙ୍କଦେବି ! ଆପଣ ପତିର ହିତୈଷିଣୀ, - ସତତ ସ୍ୱାମିର ବିଜୟାଭିଳାଷିଣୀ ଆପଣଙ୍କ ଭଳି ରମଣୀ ଏକା ଏପରି ସ୍ନେହପୂର୍ଣ୍ଣ କଥା କହି ପାରନ୍ତି - ଆନର ଅସାଧ୍ୟ । ଦେବି ! ଆପଣଙ୍କର ଏହି ସ୍ନେହ ସାରଗର୍ଭ ବାକ୍ୟ ବିବିଧ ରତ୍ନରାଜି ଅଥବା ଦେବରାଜ୍ୟଠାରୁ ସୁଦ୍ଧା ଅଧିକ । ରାମଚନ୍ଦ୍ରଙ୍କୁ ଶତ୍ରୁଶୂନ୍ୟ, ବିଜୟୀ ଆଉ ସୁସ୍ଥିର ଦେଖି ମୁଁ ଦେବରାଜ୍ୟ ପାଇ ସାରିଛି ।
ସୀତା ।- ବୀରବର ! ତୁମେ ଅତି ସୁଲକ୍ଷଣସମ୍ପନ୍ନ ମାଧୁର୍ଯ୍ୟ-ଗୁଣ-ଭୂଷିତ ଅଷ୍ଟାଙ୍ଗବୁଦ୍ଧିବଳରୁ ଏପରି କଥା କହିବାକୁ ସକ୍ଷମ । ତୁମେ ପବନର ପ୍ରଶଂସନୀୟ ପୁତ୍ର ଆଉ ପରମଧାର୍ମିକ; ବଳବୀର୍ଯ୍ୟ, ଶରୀରର ତେଜବିକ୍ରମ, ଔଦାର୍ଯ୍ୟ, ଶତ୍ରୁ-ବିଜୟଶକ୍ତି, କ୍ଷମା, ଧୁତି, ସ୍ଥୈର୍ଯ୍ୟ ଓ ବିଜୟାଦି ବହୁଗୁଣ ତୁମଠି ଶୋଭା ପାଇଚି ।
ହନୁ ।- (ପୂର୍ବବତ୍) ଦେବି ! ଯେଉଁ ରାକ୍ଷସୀମାନେ ପୂର୍ବେ ଆପଣଙ୍କୁ ପୀଡ଼ା ଦେଉଥିଲେ ମୋର ଇଚ୍ଛା ହେଉଛି ଅନୁମତି ହେଲେ ତାଙ୍କୁ ମାରି ପକାନ୍ତି । ଆପଣ ପତିଚିନ୍ତାରେ ହାରିଯାଇ ଏହି ଅଶୋକବନରେ ଥିଲାବେଳେ ମୁଁ ଦେଖିଛି ବିକଟମୂର୍ତ୍ତି, ନିର୍ଦ୍ଦୟା, କ୍ରଚରସ୍ୱଭାବ, ବିକୃତଚେଷ୍ଟା, ବିକୃତାକୃତି ରାକ୍ଷସୀଗୁଡ଼ାକ ରାବଣା ଦେଶରେ ଆପଣଙ୍କୁ କେତେ କଟୁ କହିଛନ୍ତି । ମୋର ମନ ହେଉଛି ସେହି ବିକୃତାକାରା, କ୍ରୂରସ୍ୱଭାବା, ୠକ୍ଷକେଶୀ, କ୍ରୂରଦର୍ଶନା, ଦାରୁଣା ରାକ୍ଷସୀମାନଙ୍କୁ ବାଡ଼େଇ ବାଡ଼େଇ ମାରିପକାନ୍ତି । ଆପଣଙ୍କ ବରରେ ଯେ ଆପଣଙ୍କୁ ରୂଢ଼ କଥା କହିଥିଲେ ବା ଯେ ଆପଣଙ୍କର ଅପ୍ରିୟ କରିଥିଲେ ସେ ସବୁ ରାକ୍ଷସୀଗୁଡ଼ାଙ୍କୁ ମୁଥେ ମୁଥେ ମାରି, ବାହୁପିଟି, ଜଙ୍ଘବାଡ଼େଇ କାମୁଡ଼ି ଝୁମୁଡ଼ି ନାକକାନ ଛିଣ୍ଡାଇ ତାଙ୍କ ପ୍ରାଣ ଘେନନ୍ତି ।
ସୀତା ।- ବୀରବର ! ଦାସୀମାନେ ପରବଶା- ସେମାନେ ପ୍ରଭୁଙ୍କ ଆଦେଶ ପାଳନ୍ତି । ରାଜାଙ୍କ ଆଜ୍ଞାରେ ଏ ରାକ୍ଷସୀମାନେ ସେ ଭଳି କାର୍ଯ୍ୟ କରିଚନ୍ତି । - ୟାଙ୍କ ଉପରେ ରାଗ ହେବା ଉଚିତ ନୁହେ । -ବୀରଶ୍ରେଷ୍ଠ ହନୁମାନ ! ସମସ୍ତେ ନିଜ କୃତକାର୍ଯ୍ୟର ଫଳଭୋଗ କରିଥାନ୍ତି । ମୁଁ ପୂର୍ବଜନ୍ମର ପାପ ଓ ମନ୍ଦଭାଗ୍ୟର ଦୋଷରେ ଏ ଦୁଃଖ ପାଇଲି । ମହାବାହୋ ! ଦୈବର ଗତି ବିଚିତ୍ର । ମୁଁ ନିଶ୍ଚୟ ଜାଣେ ଅବସ୍ଥାଗୁଣରୁ ସବୁ ଫଳଭୋଗ କରିବାକୁ ହୁଏ; ଏଣୁ ତୁମେ ଆଉ ସେ ଭଳି ପ୍ରସ୍ତାବ କରନାହିଁ । ମାରୁତେ ! ମୁଁ ରାବଣର ଦାସୀମାନଙ୍କର ଦୋଷ ମାର୍ଜନା କରୁଚି । ଏମାନେ ରାବଣର ଆଜ୍ଞାରେ ସେ ଭଳି କରୁଥିଲେ । ଏବେ ରାବଣ ମଲାରୁ କ୍ଷାନ୍ତ ରହିଲେଣି । ପୁରାଣରେ ସୁନ୍ଦର କଥାଟିଏ ଲେଖାଅଛି । ବାଘଡରେ ବ୍ୟାଧ ଭାଲୁର ଆଶ୍ରିତଗଛରେ ଚଢ଼ିଯିବାରୁ ବାଘ ଭାଲୁକୁ ସେ ଗଛ ହଲାଇ ବ୍ୟାଧକୁ ପକାଇ ଦେବାକୁ ବାରବାର ଅନୁରୋଧ କରନ୍ତେ ଭାଲୁ ଧର୍ମସଙ୍ଗତଭାବେ କହିଲା ପାପକାରିର ପାପଭାଗଅପରେ ଗ୍ରହଣ କରନ୍ତି ନାହିଁ । ମୁଁ ମୋର ପ୍ରତିଜ୍ଞା ଲଙ୍ଘନ କରି ପାରିବି ନାହିଁ କାରଣ ଚରିତ୍ରହିଁ ସାଧୁମାନଙ୍କର ଭୁଷଣ । ପାପଚାରୀ ବା ଅମଙ୍ଗଳକାରୀ ଅଥବା ବଧଯୋଗ୍ୟବ୍ୟକ୍ତିକୁ ସୁଦ୍ଧା ସାଧୁବ୍ୟକ୍ତି ଦୟା କରିଥାନ୍ତି; ଆଉ ଅପରାଧୀ ନ ହୁଏ ବା କିଏ ? ବିଶେଷତଃ ପରହିଂସାକାରୀ କ୍ରୂର ପାପକର୍ମମାନେ ପାପ କଲେ ଅବା ଅଶୋଭାର କାର୍ଯ୍ୟ କି ହେଲା ?
ହନୁ ।- (କତାଞ୍ଜଳିପୁଟେ) ଦେବି ! ଆପଣ ରାମଚନ୍ଦ୍ରଙ୍କର ଉପଯୁକ୍ତଗୁଣବତୀ ଧର୍ମପତ୍ନୀ ! ଆଜ୍ଞା ହେଲେ ମୁଁ ରାମଚନ୍ଦ୍ରଙ୍କ ସମୀପକୁ ଆପଣକର ବାର୍ତ୍ତା ଘେନି ଯିବି ।
ସୀତା ।- (ଅଞ୍ଚଳରେ ଲୁହପୋଛି ଗଦ ଗଦ, ସ୍ୱରେ) ହନୁମାନ ! ମୁଁ କିସ ବୋଲିବି - ଶୀଘ୍ର ମୋତେ ଭକ୍ତବତ୍ସଳ ଆର୍ଯ୍ୟପୁତ୍ରଙ୍କ ଦର୍ଶନ ମିଳୁ ।
ହନୁ ।- (ପୂର୍ବବତ୍) ଦେବି ! ଶଚୀସୁରରାଜଙ୍କୁ ଦେଖିଲାପରି ଆପଣ ଆଜି ଲକ୍ଷ୍ମଣ ସଙ୍ଗେ ହତଶତ୍ରୁ ମିତ୍ରପରିବେଷ୍ଟିତ ପୂର୍ଣ୍ଣଚନ୍ଦ୍ରାନନ ରାମଚନ୍ଦ୍ରଙ୍କୁ ଦର୍ଶନ କରିବେ ।
(ଅଭିବାଦନ ପୂର୍ବକ ହନୁମାନର ପ୍ରସ୍ଥାନ ।)ସର ।- (ଆପଣା ଅଞ୍ଚଳରେ ସୀତାଙ୍କ ଲୋତକ ପୋଛି) ଛି ସଖି ! ଏତେବେଳେ କାନ୍ଦୁଚ ?
ସୀତା ।- ସଖି ! ମୋ ମନରେ ଯୁଗପତ୍ଆନନ୍ଦ ଓ ଶୋକ ଜାତ ହୋଇ ହୃଦ ଘାଣ୍ଟିହେଉଚି ! ପାପିଷ୍ଠ ରାବଣ ମୋତେ ଚୋରାଇ ଆଣି ମୋର ଏଡ଼େବଡ଼ ଶ୍ୱଶୁରକୁଳରେ କାଳି ଲଗାଇଲା । ସେହି ପାପରେ ସେ ମଲା ସତ ମାତ୍ର ମୋର ଦଶା ସାରିଯାଇଚି ! -ମୋତେ ଆର୍ଯ୍ୟପୁତ୍ର ଆଉ ନେବେ ନାହି ବୋଲି ମୋ ମନରେ ଜାଗୁଚି ! (କ୍ରନ୍ଦନ ।
ସର ।- (ସୀତାର ଲୁହ ପୋଛିଦେଇ) ଏ କି ସଖି ! ମିଛ କଥାଟା ମନରେ ଆଣି ଏତେ କୋହ ହେଉଚ ! ରାମଚନ୍ଦ୍ର ଯେବେ ତୁମର ପାତିବ୍ରତ୍ୟ ଜାଣି ନ ଥିବେ ସେ ମଣିଷ ନୁହନ୍ତି ବୋଲାଯିବ ।
ସୀତା ।- (ଶୋକଗଦ୍ ଗଦ୍ସ୍ୱରେ) ସେ ମୋର ପାତିବ୍ରତ୍ୟ ଜାଣିଲେ ସୁଦ୍ଧା ଦୁଷ୍ଟରାକ୍ଷସରାଜ ରାବଣର ଚରିତ୍ର ସୁମରି ବର୍ଷ କାଳ ତାର ରାଜ୍ୟରେ ଥାଇ ପାପିଷ୍ଠ ଯେ ତୃଣଖଣ୍ଡକୁ ଡେଇଁନ ଥିବ ଏହା ବିଶ୍ୱାସକରି ନ ପାରନ୍ତି । ତହିଁ ଉପରେ ପୁଣି ଲୋକାପବାଦ ଆଉ ବଂଶମର୍ଯ୍ୟାଦା ଅଛି । -ସଖି ! ମୁଁ ବଡ଼ ଅଭାଗ୍ୟବତୀ ।- ମୋର କପାଳ ଛୋଟ ! (କ୍ରନ୍ଦନ) ।
ସର ।- (ଲୁହପୋଛି ଦେଉଁ ଦେଉଁ) ସଖି ! ମୋର କଥା ମାନ - ଏପରି ଅଧୀରା ହେଲେ ଫଳ କିସ ? - ବର୍ଷକାଳ ନ ଖାଇ ନ ପିଇ ପେଟରେ କି ଦେହରେ ପାଣି ଟୋପାଏ ନ ଲାଗି ସୁନାଦେହ କଳା ପଡ଼ିଗଲାଣି । -ତହିଁ ଉପରେ ଶୋକ ପୁଣି କାଳିମା ବଢ଼ାଇ ଦେହ କଣ୍ଟା କରି ଦେଲାଣି । ସନ୍ତାପିନ ହୁଅ - ତୁମର ଗୁଣମଣି ଆର୍ଯ୍ୟପୁତ୍ରଙ୍କ ସଙ୍ଗେ ଅଚିରେ ମିଳିତହେବ ।
ପଃ ବଃ ।- ନୁଆରାଜାଙ୍କ ନଅରରୁ ଆମେମାନେ ସେବା କରିବାକୁ ଆସିଚୁଁ । ଦେବି ! କି କାର୍ଯ୍ୟ କରିବାକୁ ହେବ ଆଜ୍ଞା ଅବଧାନ କରନ୍ତୁ, - ରାଜା ଏହିକ୍ଷଣି ବିଜେ ହେବେ ।
ସର ।- ଦେଖ ମୁଁ କହୁଥିଲି - କ୍ରମେ କ୍ରମେ ତୁମର ମନାକାଶରୁ ଚିନ୍ତାମେଘ ଉଡ଼ିଯିବ । ଶାନ୍ତ ହୁଅ - ଏମାନେ କି ସେବାରେ ଲାଗିବେ ଅନୁମତି କର ।
ସୀତା ।- ମୁଁ ଯାହାଙ୍କ ଚରଣସେବିକା ତାଙ୍କ ଦର୍ଶନ ନ ପାଇବାଯାଏ ମୋର ‘‘କି ସେବା ଅଛି ଯେ କିଏ କରିବ ?[ବିଭୀଷଣର ପ୍ରବେଶ ।
ବିଭୀ ।- (କୃତାଞ୍ଜଳିପୁଟେ) ଦେବି ! ଆପଣଙ୍କର ମଙ୍ଗଳ ହେଉ ! ଆପଣଙ୍କ ସ୍ୱାମୀ ଆପଣଙ୍କୁ ଦେଖିବାକୁ ଇଚ୍ଛାକରନ୍ତି । ଉତ୍ତମରୂପେ ଅଙ୍ଗରାଗ କରି ଦିବ୍ୟାଭରଣରେ ଭୂଷିତା ହୋଇ ଶୀଘ୍ର ଯାନାରୋହଣ କରନ୍ତୁ ।
ସୀତା ।- ରାକ୍ଷସେଶ୍ୱର ! ମୁ ସ୍ନାନ ନ କରି ଆର୍ଯ୍ୟପୁତ୍ରଙ୍କୁ ଦେଖିବାକୁ ବାଞ୍ଛାକରେଁ ।ବିଭୀ ।- ସେ କି କଥା ଦେବି ! ଆପଣଙ୍କ ସ୍ୱାମୀ ଯାହା ଆଦେଶ କରିଛନ୍ତି ତାହା ଆପଣ ପ୍ରତିପାଳନ କରିବା ଉଚିତ ।ସୀତା ।- (ବିନୀତିଭାବେ) ଆର୍ଯ୍ୟପୁତ୍ର ଯେବେ ଆଦେଶ କରିଚନ୍ତି ତେବେ ତାହାହିଁ ହେବ ।
ବିଭୀ ।- (ସରମା ଓ ପରିଚାରିକାବର୍ଗକୁ ଅନାଇ) ତେବେ ସମସ୍ତେ ଦେବୀଙ୍କି ଏ ସ୍ଥାନରୁ ନବରକୁ ଘେନି ଚାଲ । ସେଠାରେ ସ୍ନାନ ଆଉ ଦିବ୍ୟ ବସ୍ତ୍ରାଳଙ୍କାରରେ ଭୂଷିତା ହୋଇ ସୁବର୍ଣ୍ଣମୟ ଶିବିକାରେ ସଖା ରାମଚନ୍ଦ୍ରଙ୍କ ଛାଉଣିକି ଯିବେ ।
[ଆଗେ ଆଗେ ସରମା ଓ ପରିଚାରିକାପରିବୃତା ହୋଇ ସୀତାର ଓ ପଶ୍ଚାତ୍ବିଭୀଷଣର ପ୍ରସ୍ଥାନ ।ପଟପରିବର୍ତ୍ତନ ।