ଦ୍ୱିତୀୟ ଦୃଶ୍ୟ — ରାମାଭିଷେକ — ରାମଶଙ୍କର ରାୟ · ସ୍ୱର୍ଣ୍ଣଲିପିସମ୍ପୂର୍ଣ୍ଣ ସୂଚୀପତ୍ର
ଦ୍ୱିତୀୟ ଦୃଶ୍ୟ
ଯୁଦ୍ଧଭୂମି
[ ରଥାରୁଢ ରାମଚନ୍ଦ୍ର, ଓ ମାତଳ ଉପସ୍ଥିତ । ଚତୁର୍ଦ୍ଦିଗରେ ଲକ୍ଷଣ, ସୁଗ୍ରୀବ, ହନୁମାନ, ବିଭୀଷଣ, ଅଙ୍ଗଦ, ଜାମ୍ବବାନ୍, ନଳ, ନୀଳ ପ୍ରଭୃତି ସେନାପତି ଓ ସେନା ଦଣ୍ଡାୟମାନ । ]
ରାମ ।- ମୁଁ ରଥ ଆଉ ଧନୁ ଓ ଅସ୍ତ୍ରାଦି ହେତୁ ଇନ୍ଦ୍ରଦେବଙ୍କ ନିକଟରେ ଚିରକୃତଜ୍ଞ । ବିଶେଷତଃ ତୁମ୍ଭର ରଥଚାଳନାକୁ ପଟାନ୍ତର ନାହିଁ ! ରାବଣ ଅଚେତନ ହେବାରୁ ତାର ସାରଥି ବୁଦ୍ଧିମାନର କାର୍ଯ୍ୟ କରି ରଥ ଲେଉଟାଇ ନେଲା-ନୋହିଲେ ଏ ସେନାଙ୍କ ବଳବୀର୍ଯ୍ୟରେ ତାର ପ୍ରାଣ ନ ଥାନ୍ତା !
ମାତ ।- ଆପଣଙ୍କ ଧନୁଶ୍ଚାଳନ ଆଗରେ ରାବଣ ଠିଆ ହୋଇ ନ ପାରେ । ତଥାପି ରାବଣର ଶକ୍ତି ଊଣା ନୁହେ-ତାର ଦେହ ଲହୁଲୁହାଣ ହୋଇଗଲେ ବି ହଟୁ ନ ଥିଲା । ଆପଣଙ୍କ କାଣ୍ଡ ସଙ୍ଗେ ସଙ୍ଗେ ସେନାଙ୍କ ପଥର ତା ଛାତିରେ ପଡ଼ିବାରୁ ସେ ମୁଣ୍ଡ ବୁଲାଇ ବସିପଡ଼ି ଅଜ୍ଞାନ ହୋଇଗଲା !
ବିଭୀ ।- ଏଥର ସେ ମରିବାର ଚିହ୍ନ ଦେଖାଗଲା । (ରାମକୁ ଦେଖାଇ) ବୟସ୍ୟ ! ତାର ଛାତିରେ ମୃତ୍ୟୁର ନିଦାନ ଅଛି ।- ଜୀବନଯାକ ଯେତେ ପାପକାର୍ଯ୍ୟ କରିଛି ଛାଥି ଫାଟି ମରିବାହିଁ ତହିଁର ଉପଯୁକ୍ତଶାସ୍ତି ।
ହନୁ ।- ଛାତିଫାଟି ମରିବା ତ ଉଚିତ । ସେ ପାପିଷ୍ଠର ମୁଣ୍ଡ କାଟି ପକାଇବା କର୍ତ୍ତବ୍ୟ ସେ ମୁହଁରେ ଯେତେ ସେ ଜାନକୀଙ୍କି କଟୁକଥା କହିଛି-ଯେତେ ଆମ୍ଭମାନଙ୍କର ନିନ୍ଦା କରିଛି ସେ ମୁହଁ କାଟି ତଳେ ପକାଇଲେ ବି ମୋର ମନର ଆଶା ମେଣ୍ଟିବ ନାହିଁ ।
ବିଭୀ ।- ତା ସତ ମାତ୍ର ତାର ମୁଣ୍ଡ କଟାହୋଇ ପାରିବ ନାହିଁ । ସେ ଯେଉଁ ଅଭେଦ୍ୟ କବଚ ବ୍ୟବହାର କରେ ତହିଁରେ ମୁଣ୍ଡ ସହଜ ନୁହେ-କାଟିଦେଲେ ତତ୍କ୍ଷଣାତ୍ ଆଉ ଗୋଟିଏ ମୁଣ୍ଡ ବାହାରିଲା ପରି ଜଣାଯିବ ।
ସୁଗ୍ରୀ ।- ଯେତେ ବାଣ ତାର କପାଳରେ ବାଜିଲା ଆଉ କେହି ହୋଇଥିଲେ ଲେଉଟି ପଡ଼ିଥାନ୍ତା ମାତ୍ର ରାବଣର ତହିଁକି ଖାତର ନ ଥିବା ଦେଖାଗଲା ।- ପାପିର ଛାତି ସଦାବେଳେ ଥରେ-ସବୁବେଳେ ପାପଚିନ୍ତାରେ ଚମକି ଉଠୁଥାଏ ।- ଆଉ ଏ ପାପିଷ୍ଠର ହୃଦୟରେ ସନ୍ସାନ୍ ବାଣ ଆଉ ଦୁମ୍ଦାମ୍ ପଥର ପଡ଼ିବାରୁ ପାପିଷ୍ଠ ଅଜ୍ଞାନ ହୋଇଗଲା ।
ଅଙ୍ଗ ।- ଚୋର ଘରେ କି ନିତି ଆଲୁଅ ଜଳେ ? -ଆଜି ଆଉ ତାହାର ରକ୍ଷା ନାହିଁ ।- ତାର ନିଦାନ ଜାଣି ଆମ୍ଭମାନେ ଆହୁରି ଚଞ୍ଚଳ ହୋଇଛୁଁ ।
ରାମ ।- ଦେଖ, ରାବଣ ସମର୍ଥ ବୀର-କେବଳ ପାପାଚାର ହେତୁ ସେ କଳଙ୍କ ଭିଆଇ ମୃତ୍ୟୁ ପଥରେ ଉପସ୍ଥିତ । ଶତ୍ରୁ ଯେଡ଼େ ସାନ ହେଲେ ବି ତାକୁ କେବେହେଁ କ୍ଷୁଦ୍ର ବିବେଚନା କରି ଆଗ ମାଡ଼ିବ ନାହିଁ । ସମସ୍ତେ ଆପଣାକୁ ଆପେ ଦମ୍ଭ କରି ଖୁବ୍ ବୀରଦର୍ପରେ ଲଢ଼ ।- ସେ ମରି ନାହିଁ, କ୍ଷଣିକ ଅଚେତନ ହୋଇ ପଡ଼ିବାରୁ ତାର ସାରଥି ଖୁବ୍ ହୁସିଆର କରି ରଥ ଫେରାଇ ନେଇଗଲା ମାତ୍ର ରାବଣ ଯେରୂପ ଅହଙ୍କାରୀ ଆଉ ଯେରୂପ ପାପପଙ୍କରେ ବୁଡ଼ି ବୁଦ୍ଧି ବିବେଚନା ହରାଇଛି ସେ ଜ୍ଞାନ ପାଇଲାକ୍ଷଣି ପୁଣି ଦଉଡ଼ି ଆସିବ । ଏତିକିବେଳେ ତୁମ୍ଭେମାନେ ସମସ୍ତେ ଟିକିଏ ବିଶ୍ରାମ କରି ଘୋର ଯୁଦ୍ଧ ସକାଶେ ବଳ ସଞ୍ଚି ରଖ-ସାରଥି ଓ ଘୋଡ଼ାମାନେ ଟିକିଏ ବିଶ୍ରାମ କରନ୍ତୁ, ଧର୍ମ ଥିଲେ ଆମ୍ଭମାନଙ୍କର ଜୟ ନିଶ୍ଚୟ । ଜଗଦୀଶ୍ୱର ଧାର୍ମିକର ସର୍ବଦା ସହାୟ । ଧର୍ମୋ ରକ୍ଷତି ଧାର୍ମିକଂ । ଯଦି ଆମ୍ଭମାନଙ୍କର ଧର୍ମ ଥିବ ରାବଣ ପରି ସହସ୍ର ରାକ୍ଷସ ଆସିଲେ ସୁଦ୍ଧା ଆମ୍ଭମାନଙ୍କର କିଛି କରିପାରିବ ନାହିଁ । ଜଗଦୀଶ୍ୱରଙ୍କୁ ମନରେ ରଖି ସବୁବେଳେ କାର୍ଯ୍ୟ କରିବା । ତୁମ୍ଭେମାନେ ସମସ୍ତେ ଏକମନରେ ଈଶ୍ୱରଙ୍କୁ ଧ୍ୟାନ କରି ବସ-ମୁଁ ଉପାସନା କରେଁ । ଈଶ୍ୱର ସହାୟ ନ ହେଲେ ବଡ଼ ଶତ୍ରୁ ଆୟତ୍ତ କରିବା କଠିନ ।
ଲକ୍ଷ୍ମଣ, ସୁଗ୍ରୀବାଦି ସମସ୍ତେ ।- ତଥାସ୍ତୁ ! (ଏକଧ୍ୟାନରେ ସମସ୍ତେ ଉପବିଷ୍ଟ ।)
ରାମ ।- (କରଯୋଡ଼େ) ହେ ସର୍ବଦେବାତ୍ମକ ତେଜୋମୟ ଦେବ ସବିତଃ ! ଆପଣ ଜ୍ଞାନରଶ୍ମିଦ୍ୱାରା ନିଖିଳ ଲୋକର ପ୍ରକାଶ ଓ ଦେବାସୁର ସମସ୍ତ ଲୋକମାନଙ୍କୁ ରକ୍ଷା କରୁଛନ୍ତି । ଆପଣ ଅଖିଳ ବ୍ରହ୍ମାଣ୍ଡର ସୃଷ୍ଟିକର୍ତ୍ତା ବ୍ରହ୍ମା, ପାଳନକାରୀ ବିଷ୍ଣୁ ଓ ସଂହାରକ ଶିବ । ଆପଣ ଇନ୍ଦ୍ରିୟଶକ୍ତିର ପରିଚାଳନ ରୂପ ସ୍କନ୍ଦ ଆଉ ସମସ୍ତଙ୍କର ଅଧୀଶ୍ୱର ପ୍ରଜାପତି; ଆପଣ ମହେନ୍ଦ୍ର, ଆପଣ ଧନଦ, ଆପଣ ବୁଦ୍ଧି ବୃତ୍ତିର କାର୍ଯ୍ୟସଞ୍ଚାଳକ କାଳ ଓ ସର୍ବନିୟାମକ ସର୍ବାନ୍ତର୍ଯ୍ୟାମୀ ଯମ । ଆପଣ ଅମୃତ ବିତରଣକାରୀ ସୋମ ଏବଂ ଜଳପତି ! ଆପଣ ସକଳପ୍ରକାର ବାନପ୍ରଦ ପିତା ! ଆପଣ ସକଳ ଧନର ଆକର ବସୁ ! ଆପଣ ଯୋଗିମାନଙ୍କ ସାଧନାଭୂତ ସାଧ୍ୟ, ଲୋକଙ୍କର ରୋଗ ଆରୋଗ୍ୟକାରୀ ଅଶ୍ୱିନୀକୁମାର, ଜୀବସମୂହର ପ୍ରାଣସ୍ୱରୂପ ମରୁତ୍ ଆଉ ସର୍ବଜ୍ଞ ମନୁ । ଆପଣ ବାୟୁ, ଆପଣ ବହ୍ନି, ଆପଣ ପ୍ରଜା, ଆପଣ ପ୍ରାଣ, ଆପଣ ୠତୁକର୍ତ୍ତା, ଆପଣ ପ୍ରଭାକର, ଆପଣ ଆଦିତ୍ୟ, ଆପଣ ସବିତା । ଆପଣ ସକଳଲୋକଙ୍କୁ କର୍ମରେ ନିଯୁକ୍ତ କରନ୍ତି ବୋଲି ସୂର୍ଯ୍ୟ । ଆପଣ ପରିଦୃଶ୍ୟମାନ ଆକାଶ ଓ ସମସ୍ତଙ୍କ ହୃଦୟାକାଶରେ ବିରାଜିତ ଥାନ୍ତି ବୋଲି ଖଗ । ଆପଣ ଜୀବ-ନିର୍ବାହର ପୋଷଣକାରୀ ପୂଷା । ଆପଣ ଐଶର୍ଯ୍ୟଶାଳି ଲକ୍ଷ୍ମୀ-ଆଶ୍ରିତ ଗଭସ୍ତିମାନ୍ । ଆପଣ ଲୋକପ୍ରକାଶକ ଭାନୁ । ଆପଣ ହିରଣ୍ୟରେତା; ଆପଣ ଅପବର୍ଗାଦି ପରମାନନ୍ଦପ୍ରଦ ଶମ୍ଭୁ, ଭକ୍ତମାନଙ୍କର ଜନ୍ମ- ମୃତ୍ୟୁ- କ୍ଲେଶ- ନିବାରକ-ତ୍ୱଷ୍ଟା ଆଉ ପ୍ରଳୟ ପରେ ପୁନର୍ବାର ସଂସାର-ଉଜ୍ଜୀବକ ମାର୍ତ୍ତଣ୍ଡ । ବିଶ୍ୱ ବ୍ୟାପି ରହିଅଛନ୍ତି ବୋଲି ଆପଣ ଅଂଶୁମାନ୍ । ଆପଣ ହିରଣ୍ୟଗର୍ଭ । ତ୍ରିତାପତପ୍ତମାନଙ୍କର ବିଶ୍ରାମସ୍ଥଳ ବୋଲି ଆପଣ ଶିଶିର, ସର୍ବେଶ୍ୱର ବୋଲି ତପନ, ସର୍ବପ୍ରକାଶକ ବୋଲି ଅହସ୍କର, ସମସ୍ତଙ୍କର ଉପଦେଶକ ବୋଲି ରବି, କାଳାଗ୍ନି ରୁଦ୍ର ଉତ୍ପାଦକ ବୋଲି ଅଗ୍ନିଗର୍ଭ, ଅବିନାଶିନୀ ବ୍ରହ୍ମବିଦ୍ୟା ସାହାର୍ଯ୍ୟରେ ମିଳନ୍ତି ବୋଲି ଆପଣ ଅଦିତିପୁତ୍ର, ପରମାନନ୍ଦ ଆକାଶସ୍ୱରୂପ ବୋଲି ଶଙ୍ଖ, ଜଡ଼ତା ନାଶ କରନ୍ତି ବୋଲି ଶିଶିରନାଶନ, ଆକାଶର ସୃଷ୍ଟିକର୍ତ୍ତା ବୋଲି ବ୍ୟୋମନାଥ, ଅନ୍ଧାକାର ଦୂର କରନ୍ତି ବୋଲି ତମୋଭେଦୀ । ଆପଣ ଋକ, ଯଜୁ ଆଉ ସାମବେଦର ପ୍ରତପାଦ୍ୟବୋଲି ଋଗ୍ଯୁଜ ସାମ-ପାରଗ ! ମେଘ ଜଳ ବର୍ଷା କଲାପରି ଆପଣ ଲୋକମାନଙ୍କ ସକାଶେ ଅକାତରେ କର୍ମଫଳ ବର୍ଷଣ କରନ୍ତି ବୋଲି ଘନବୃଷ୍ଟି । ଚୈତନ୍ୟ ଦାନଦ୍ୱାରା ଉପକାର ଓ ଜଳ ଉତ୍ପାଦନ କରନ୍ତି ବୋଲି ଆପଣ ଅପାଂମିତ୍ର । ଦୁର୍ଗମବ୍ରହ୍ମନାଡ଼ୀମାର୍ଗରେ ଶୀଘ୍ର ଗମନାଗମନ କରିପାରନ୍ତି ବୋଲି ଆପଣ ବିନ୍ଧ୍ୟାବୀଥିପ୍ଲବଙ୍ଗମ । ଆପଣ ଜଗତ୍ ନିର୍ମାଣର ସଂକଳ୍ପକର୍ତ୍ତା ବୋଲି ଆତପୀ, ମଣ୍ଡଳୀ, ସର୍ବପ୍ରକାର ମୃତ୍ୟୁ ସମ୍ପାଦକ ମୃତ୍ୟୁ, ପିଙ୍ଗଳ ନାଡ଼ୀ ପ୍ରବର୍ତ୍ତନଦ୍ୱାରା କର୍ମପଥପ୍ରବର୍ତ୍ତକ ପିଙ୍ଗଳ, ସର୍ବସଂହାରକ ସର୍ବତାପନ, କାବ୍ୟକର୍ତ୍ତା କବି, ବିଶ୍ୱରୂପୀ ବିଶ୍ୱ; ଆପଣ ମହାତେଜା ! ପାଳନପୂର୍ବକ ସମସ୍ତଙ୍କୁ ଅନୁରକ୍ତ କରନ୍ତି ବୋଲି ଆପଣ ରକ୍ତ, କାର୍ଯ୍ୟସମୂହର ଉତ୍ପତ୍ତର ହେତୁଭୂତ ବୋଲି ସର୍ବଭବୋଭବ । ଆପଣ ନକ୍ଷତ୍ର ଗ୍ରହ ତାରାମାନଙ୍କର ଅଧିପ ବିଶ୍ୱଭାବନା, ଅନ୍ନାଦି ତେଜପଦାର୍ଥ ମାନଙ୍କର ସ୍ଫୂର୍ତ୍ତିସାଧନ ଚିନ୍ମୟ ତେଜ ସ୍ୱରୂପ ବୋଲି ତେଜସ୍ତେଜସ୍ୱୀ । ଆପଣ ଦ୍ୱାଦଶ ପ୍ରକାରରେ ଜଣାଯାନ୍ତି;-ହେ ଦ୍ୱାଦଶାର୍ମନ୍ । ଆପଣଙ୍କୁ ନମସ୍କାର (ନମସ୍କାର କରଣ) । ଆପଣ ପୂର୍ବଗିରି-ଆପଣଙ୍କୁ ନମସ୍କାର (ନମସ୍କାର କରଣ) । ଆପଣ ପଶ୍ଚିମାଦ୍ରି-ଆପଣଙ୍କୁ ନମସ୍କାର (ନମସ୍କାର କରଣ) । ଆପଣ ଜ୍ୟୋତିର୍ଗଣାଧିପତି ଓ ଦିନାଧିପତି-ଆପଣଙ୍କୁ ନମସ୍କାର (ନମସ୍କାର କରଣ) । ସମସ୍ତଙ୍କର ଜୟପ୍ରଦ ବୋଲି ଆପଣ ଜୟ ! ଜୟଲାଭ୍ୟ ମଙ୍ଗଳାର୍ମକ ବୋଲି ଜୟଭଦ୍ର ! ଆପଣ ହର୍ଯ୍ୟଶ୍ୱ ଆପଣଙ୍କୁ ନମସ୍କାର । (ନମସ୍କାର କରଣ) । ହେ ସହସ୍ରାଂଶୋ ! ନମୋ ନମଃ (ନମସ୍କାର କରଣ । ହେ ଆଦିତ୍ୟ ! ନମୋନମଃ (ନମସ୍କାର କରଣ) । ହେ ଉଗ୍ର ! ଆପଣଙ୍କୁ ନମସ୍କାର (ନମସ୍କାର କରଣ) ! ହେ ବୀର ! ଆପଣଙ୍କୁ ନମସ୍କାର (ନମସ୍କାର କରଣ) । ହେ ସାରଙ୍ଗ ! ନମୋ ନମଃ (ନମସ୍କାର କରଣ) । ହେ ପଦ୍ମପ୍ରବୋଧ ! ଆପଣଙ୍କୁ ନମସ୍କାର (ନମସ୍କାର କରଣ) । ହେ ପ୍ରଚଣ୍ଡ ! ଆପଣଙ୍କୁ ନମସ୍କାର (ନମସ୍କାର କରଣ) । ହେ ବ୍ରହ୍ମେଶାନାଚ୍ୟୁତେଶ ! ହେ ସ୍ୱର ! ହେ ଆଦିତ୍ୟବର୍ଚ୍ଚା ! ହେ ଚେତନ ଅଚେତନ ସର୍ବପ୍ରକାଶକ ଭାସ୍ମାନ୍ ! ହେ ସର୍ବ ସଂହାରକ ସର୍ବଭକ୍ଷ ! ହେ ଅଜ୍ଞାନ-ସଂହାରସମର୍ଥ ଜ୍ଞାନମୟ ରୌଦ୍ରବପୁ ! ଆପଣଙ୍କୁ ନମସ୍କାର (ନମସ୍କାର କରଣ) । ହେ ତମେଘ୍ନେ ! ହେ ହିମଘ୍ନ ! ହେ ଶତ୍ରୁଘ୍ନ ହେ ଆମିତାତ୍ମନ୍ ! ହେ କୃତଘ୍ନଘ୍ନ ! ହେ ଚିଦାନନ୍ଦ-ଜ୍ୟୋତିଃସ୍ୱରୂପ ଦେବଜ୍ୟୋତି ପତେ ! ଆପଣଙ୍କୁ ନମସ୍କାର (ନମସ୍କାର କରଣ) । ହେ ତପ୍ତଚାମୀକରାଭ ! ହେ ହରେ ! ହେ ବିଶ୍ୱକର୍ମନ୍! ହେ ତମୋଭିନିଘ୍ନ ! ହେ ରୁଚେ ! ହେ ଲୋକସାକ୍ଷିନ୍ ! ନମସ୍କାର (ନମସ୍କାର କରଣ) । ଆପଣ ଭୂତ ସଂହାର କରନ୍ତି, ଭୂତ ସୃଜନ କରନ୍ତି-ଆପଣ ପ୍ରଭୁ ! ଆପଣ ତେଜଦ୍ୱାରା ଶୋଷଣ, ନାଶନ ସୃଷ୍ଟିବିଧାନ କରନ୍ତି । ଆପଣ ଅଚେତନରେ ଚେତନ, ଭୂତମାନଙ୍କ ଅନ୍ତର୍ଯ୍ୟାମୀ ଦେବତା । ଆପଣ ସକଳ ଯଜ୍ଞ ! ଆପଣ ସକଳ ଯଜ୍ଞଫଳ । ଜଗତରେ ଲୋକମାନଙ୍କର ଯେତେ କାର୍ଯ୍ୟ ଅଛି ସେ ସମସ୍ତର ପ୍ରଭୁ ଆପଣ ! ଆପଣଙ୍କୁ ବିପଦରେ, କ୍ଲେଶରେ, କାନ୍ତାରରେ ଓ ଭୟରେ ସ୍ମରଣ କରି କେହି ଅବସନ୍ନ ହୋଇନାହିଁ । ମୋର ସହାୟ ଆପଣ-ଆପଣଙ୍କୁ ବାରମ୍ବାର ନମସ୍କାର ! (ବାରମ୍ବାର ନମସ୍କାର କରଣ) । ଓଁ ଶାନ୍ତିଃ ! ଶାନ୍ତିଃ !
ଲକ୍ଷ୍ମଣାଦି ସମସ୍ତେ ।- (କରଯୋଡ଼େ ନମସ୍କାର କରଣ ।)ରାମ ।- (କାନ ଡେରି) ଅସୁରମାନେ ଲେଉଟି ଆସୁଛନ୍ତି ପରା-କୋଳାହଳ ଶୁବୁଛି ।ନେପଥ୍ୟେ ।- (ରଣବାଦ୍ୟ ।)
ସୁଗ୍ରୀ ।- ହଁ ଉଠ, ଉଠ-ସାବଧାନ ହୋଇ ସମସ୍ତେ ଅସୁରମାନଙ୍କ ସଙ୍ଗେ ପେଟ ପୂରାଇ ଲଢ଼ି ତାଙ୍କୁ ଗୋଟି ଗୋଟି ଯମପୁରୀକୁ ପଠାଇ ମନର ଆଶା ମେଣ୍ଟାଇ ନିଅ, ଲବେ ଛାଡ଼ିବ ନାହିଁ ।
ଲକ୍ଷ୍ମଣାଦି ସମସ୍ତେ ।- (ଗାତ୍ରୋଥିାନପୂର୍ବକ ରଣୋଦ୍ୟତଭାବେ) ଆଜି ରାବଣର ନିସ୍ତାର ନାହିଁ ।ସୁଗ୍ରୀ ।- ସମସ୍ତେ ଜୟଧ୍ୱନି କର-(ଉଚ୍ଚୈଃସ୍ୱରେ) ଜୟ ରାମଚନ୍ଦ୍ରଙ୍କର ଜୟ !ଲକ୍ଷ୍ମଣାଦି ସମସ୍ତେ ।- (ଉଚ୍ଚୈଃସ୍ୱରେ) ଜୟ ରାମଚନ୍ଦ୍ରଙ୍କର ଜୟ !
ରାମ ।- ମାତଳେ, ଦେଖ-ଶତ୍ରୁ ରକ୍ଷସସେନା ପଛରେ କ୍ରୋଧଭରେ ପୁଣି ରଥ ଚଳାଇ ଏହି ଆଡ଼େ ଆସୁଛି । ଯେପରି ବେଗରେ ରଥ ଚଳାଇ ଆସୁଛି ତହିଁରୁ ଜୀବନର ଆଶା ଛାଡ଼ି ଲଢ଼ିବା ପ୍ରତିଜ୍ଞାରେ ଧାଇଁଥିବା ଜଣାଯାଏ । ତୁମ୍ଭେ ସାବଧାନ ହୋଇ ଶତ୍ରୁଆଡ଼କୁ ରଥ ଚଳାଇ ନିଅ । ପବନ ମେଘକୁ ଘଉଡ଼ି ଦେଲାପରି ମୁଁ ଏହାକୁ ବିନାଶ କରିବି । ତୁମ୍ଭେ ଅସଙ୍କୁଚିତ ଓ ଅବିଚଳିତ ଭାବରେ ସ୍ଥିର ମନ ଓ ସ୍ଥିର ଚକ୍ଷୁରେ ରଥ ଧରି ବେଗରେ ଚଳାଅ । ତୁମ୍ଭେ ସାରଥି-ତୁମ୍ଭଙ୍କୁ ଶିଖାଇବାର କିଛି ନାହିଁ ! ମୁଁ ରଣକାମୀ ହୋଇ ଯୁଦ୍ଧସମୟର କର୍ତ୍ତବ୍ୟ ମନେ କରାଇଦେଲି ।
ମାତ ।- (ରଶ୍ମିସଂଯତ କରି) ସେଥିକି ଆପଣ ନିଶ୍ଚିନ୍ତ ରହନ୍ତୁ-ମୋ ପକ୍ଷରୁ କିଛିମାତ୍ର ତ୍ରୁଟି ହେବ ନାହିଁ । ରାବଣ ମୋତେ ବଳାଇ ଯିବନାହିଁ ।
ଲକ୍ଷ୍ମଣାଦି ସମସ୍ତେ ।- (ପାଟିକରି) ହେଇ ଆସିଲେ ରେ-ଅସୁରେ ଆଇଲେ ! ମାର ମାର ![ ସିଂହନାଦ କରି ଅସୁରସେନାର ପ୍ରବେଶ ଓ ସିଂହନାଦ କରି ଲକ୍ଷ୍ମଣାଦି ସମସ୍ତେ ଅସୁରସେନାଙ୍କ ସଙ୍ଗେ ଲଢ଼ି ଲଢ଼ି ପ୍ରସ୍ଥିତ ।
ରାମ ।- (ଧନୁଷ୍ଟଙ୍କାର କରି) ଆରେ ପାପିଷ୍ଠ ରାବଣ ! ମୂର୍ଚ୍ଛାରୁ ଉଠି ମୂର୍ଖଙ୍କ ପ୍ରାୟ ପୁଣି ଲଢ଼ିବାକୁ ଧାଇଁଛୁ ।- ସମ୍ଭାଳ ଏ ବାଣ ସବୁ (ବାଣସମୂହ ପ୍ରେରଣ) ।
ରାବ ।- (ଦାନ୍ତ କିଡ଼ିମିଡ଼ି କରି) ଆରେ ଲେଙ୍ଗୁଟିଆ ରାମା- (ଧନୁଷ୍ଟଙ୍କାର କରି) ସମ୍ଭାଳ ଏ ବାଣ ସବୁ ! ଆଜି ତୋତେ ମାରି ସୀତାକୁ ଭୋଗ କରିବି । (ବାଣସମୂହ ପ୍ରେରଣ) ।
ରାମ ।- (ଶର ପ୍ରେରଣ କରୁ କରୁ) ରେ ପାପିଷ୍ଠ ।- ରେ ଦୂରାତ୍ମା ରାବଣ ! ତୁ ମୋର ରଥର ଧ୍ୱଜ କାଟିବାକୁ ଅସ୍ତ୍ର ପକାଇଲୁ-ସେ ଅସ୍ତ୍ର କଟିଗଲା । ଏବେ ତୋର ଧ୍ୱଜ ସମ୍ଭାଳ । (ରାବଣରଥର ଧ୍ୱଜା କଟିଯାଇ ତଳେ ପଡ଼ିବା ।)
ରାବ ।- (ଘୋର ରାବରେ ଦାନ୍ତ କିଡ଼ିମିଡ଼ି କରି) ଏଥର ତୋର ପ୍ରାଣନେବି ! -ସମ୍ଭାଳ ଏ ଗଦା ପରିଘ୍ର ଚକ୍ର ମୁଷଳ ଶୂଳ ପରଶୁ-ସବୁ ଏକାଠି ଗଲା ।
[ ରାମଚନ୍ଦ୍ରର ବାଣରେ ସବୁ କଟିଯିବା ଓ ଉଭୟେ ପରସ୍ପର ଆଡ଼କୁ ନାନା ଗତିରେ ପରିଚାଳିତ ହେଉଁ ହେଉଁ ନିଷ୍ପ୍ରାନ୍ତ ଓ ପଟପରିବର୍ତ୍ତନ ।
ତୃତୀୟ ଦୃଶ୍ୟ ।- ଶ୍ମଶାନରୂପ ରଣକ୍ଷେତ୍ର ।
[ ଶକୁନି, ଶ୍ୱାନ, ଶୃଗାଳଆଦି ନାନାଶବଭୋଜୀ ପଶୁପକ୍ଷୀ ଚତୁର୍ଦ୍ଦିଗରେ ସମାକୀର୍ଣ୍ଣ ଓ ଯୋଗିନୀମାନଙ୍କର ନାନାବିଧ ନୃତ୍ୟ ସହିତ ଶବାଙ୍ଗ ଭକ୍ଷଣ । ]
୧ମ ଯୋଗି ।- (ହାତଟାଏ ଚୋବାଉ ଚୋବାଉ ସୁରଭଙ୍ଗିରେ) ହାଉଁ ମାଉଁ ଚାଉଁ-ହାତ ଗୋଟାଏ ଖାଉଁ, ଯେତେ ଖାଉଥିଲେ ପେଟ କେବେ ନ ପୁରାଉଁ ॥
୨ୟ ଯୋଗି ।- (ଗୋଡ଼ଟାଏ ଚୋବାଉ ଚୋବାଉ ସୁରଭଙ୍ଗିରେ) ରଡ଼ ମଡ଼ ହାଡ଼-ଦାନ୍ତେ କଡ଼ ମାଡ଼ । ଚାଲିଯାଏ ଗୋଡ଼ ପେଟେ ସୁଡ଼ୁ ସାଡ଼ୁ ସାଡ଼ୁ ॥
୩ୟ ଯୋଗି ।- (ମୁଣ୍ଡଟାଏ ଚୋବାଉ ଚୋବାଉ ସ୍ୱରଭଙ୍ଗିରେ) ରାକ୍ଷସର ମୁଣ୍ଡ-ମିଠା କରେ ତୁଣ୍ଡ । ଦାନ୍ତମୁନେ ଲାଗି ଲାଗି ସୁଖେ ହୋଇଯାଏ ଗୁଣ୍ଡ ।
୪ର୍ଥ ଯୋଗି ।- (ଫଡ଼ିଆଟାଏ ଚୋବାଉ ଚୋବାଉ ସ୍ୱରଭଙ୍ଗିରେ) ଫଡ଼ ଫାଡ଼୍ ଫାଟ୍-ଫଡ଼ିଆ ବିରାଟ । ପେଟେ ପେଟେ ଖାଇଲୁଁଣି ଆନନ୍ଦର ନାଟ ।
୫ମ ଯୋଗି ।- (ମୁଣ୍ଡକଟା ଧଡ଼ଟା ନେଇ ରକ୍ତ ପିଉ ପିଉ ଆନନ୍ଦରେ) ପିଅ ରକ୍ତ ପଣା ଭକ୍ତି ଭାବେ ଛଣା । ଆନନ୍ଦେ ଯୋଗୀନୀକୂଳେ ଦିନ ରାତି ବଣା ।
୬ଷ୍ଠ ଯୋଗି ।- (ଗଣ୍ଡିଟା ଚୋବାଉଁ ଚୋବାଉଁ ସ୍ୱରଭଙ୍ଗିକ୍ରମେ) ପେଟେ ପେଟେ ଖାଇ, ଭୋକ ନ ମରଇ । ଖାଇ ଖାଇ ଥକିଗଲେ ପେଟ ନ ପୂରଇ ॥
୭ମ ଯୋଗି ।- (ଦୁଇହାତରେ ଦୁଇଟା ମୁଣ୍ଡରୁ କାମୁଡ଼େ କାମୁଡ଼େ ନେଇ ସ୍ୱରଭଙ୍ଗିକ୍ରମେ) ସାତ ଦିନ ରାତି-ଗଲାକେଣେ କାଟି । ଲାଗିଥାଉ ରଣ ଖାଅ ଆନନ୍ଦରେ ମାତି ॥
ସମସ୍ତେ ।- (ପରସ୍ପର ମୃତ ଦେହ ଖଣ୍ଡମାନ ଫୋପଡ଼ା ଫୋପଡ଼ି ହେଉଁ ହେଉଁ ହାତ ଧରାଧରି ହୋଇ ନାଚୁ ନାଚୁସାଗରକୁ ପଟାନ୍ତର ଅଛି କି ସଂସାରେ ।ଆକାଶ ସମାନ କିସ ଅଛି କହ ବାରେ ॥
ରାମ ରାବଣର ରଣେ ନାହିଁ ପଟାନ୍ତର ।ଉପମା ତାହାକୁ ସେହି ପୃଥିବୀ ମଧ୍ୟର ॥
ଭୀଷଣ ପରାଣ-ନାଟ ଲାଗିଛି ଜଗତେ ।ନାଟୁଁ ହାଣ କାଟ ଜାତ ନ ଯାଇ ପରତେ ॥
ଦୁହେଁ ଲାଗିଥିଲେ କଳି ଲାଭ ପାଏ ଆନ ।ନର ରାକ୍ଷସରେ ରଣ ଅପୂର୍ବ ଭିଆଣ ॥
ଖାଅ ପିଅ ନାଚ କୁଦ ଶାଗୁଣା ଶିଆଳ ।ଖୋଲିଛି କପାଳ ପୂରେ ରାକ୍ଷସଙ୍କ କାଳ ॥
ଖାଅ ପିଅ ନାଚ କୁଦ ବାଦୀ ନାହିଁ କେହି ।କାହାର ଖାଇବା ଉଣା ନୁହେ କାହା ଦେହି ॥
ଯୋଗିନୀଙ୍କି ଭେଟିଅଛି ଆଜି ଶୁଭଯୋଗ ।ବହୁକାଳ ପରେ ଏକା ଯୋଗାଯୋଗ ଭୋଗ ॥
ଖାଅ ପିଅ ନାଚ କୁଦ ଖୁନ୍ଦିନିଅ ପେଟ ।କେବେ ହେବ କେ କହିବ ଆନଯୋଗ ଭେଟ ॥
ଖାଅ ପିଅ ନାଚ କୁଦ ମନ ସୁଖେ ଯେତେ ।ଯେତେ ଖାଅ ଯେତେ ପିଅ ନିଅ ପୁଣି ତେତେ ॥
ରାକ୍ଷସେ ମରନ୍ତି ତେଣେ ଦେଖ ପଲ ପଲ ।ମହାଯୋଗ ମହାରଣ ଭଲ ଭଲ ଭଲ ॥
(ନାଚୁ ନାଚୁ ଯୋଗିନୀମାନଙ୍କର ପ୍ରସ୍ଥାନ ଓ ପଟପରବର୍ତ୍ତନ ।)
ଚତୁର୍ଥ ଦୃଶ୍ୟ
[ସୁଗ୍ରୀବ, ବିଭୀଷଣ, ଲକ୍ଷ୍ମଣ, ହନୁମାନ, ଅଙ୍ଗଦ, ଜାମ୍ବୁବାନ୍, ସୁଷେଣ ପ୍ରଭୃତି ଏକପାର୍ଶ୍ୱେ ଦଣ୍ଡାୟମାନ ଓ ନେପଥ୍ୟେ ଘୋର ରଣବାଦ୍ୟ ।]
ସୁଗ୍ରୀ ।- ଦେଖ ଲଙ୍କେଶ୍ୱର ବିଭୀଷଣ ! ସାତରାତି ସାତଦିନ ଲଢ଼ି ସୁଦ୍ଧା ରାମଚନ୍ଦ୍ର ଥକା ହୋଇନାହାନ୍ତି-ମାତ୍ର ରାବଣ ଅଥୟ ହୋଇଗଲାଣି ।
ବିଭୀ ।- ଭାଇଙ୍କର ଆଜି ବୀରପଣିଆ ବାହାରି ଗଲାପରି ଲାଗୁଛି । ରାକ୍ଷସେନାଏ ଥକା ହୋଇ ରହି ଗଲେଣି ।ହନୁ ।- ଲଢ଼ିତ ପାରୁନାହାନ୍ତି-ବାଣାଘାତରେ ମରୁଛନ୍ତି ପଲ ପଲ ।
ଲକ୍ଷ୍ମଣ ।- ତଥାପି ରାବଣକୁ ଧନ୍ୟ କହିବାକୁ ହେବ । ତ୍ରିଭୁବନରେ ରାମଚନ୍ଦ୍ରଙ୍କୁ କେହି ବୀର ବୀରପଣରେ ସରିନୁହେ ।- ଦେଖିଲି ରାବଣ ଏକା ତାଙ୍କ ସଙ୍ଗେ ସାତଦିନ ସାତରାତି ଲଢ଼ି ନାମ କିଣିଲା ।
ଅଙ୍ଗ ।- ସେଥିରେ ସନ୍ଦେହ କିଛି ନାହିଁ-ମାତ୍ର ଏହି ବୀରତ୍ୱ ସଙ୍ଗେ ଧର୍ମ ଥିଲେ କେତେ କଥା ହୋଇଥାନ୍ତା !
ଜାମ୍ବୁ ।- ଚୋରଙ୍କୁ କେବେ ଧର୍ମ ସହିଛି ନା ସହିବ । ତାର ବୀରପଣ ନାରୀଙ୍କ ଆଗରେ ଚୋରପରି ଭଣ୍ଡେଇ ପଞ୍ଚବଟୀରୁ ସୀତା ଚୋରୀକଲା-ଏବେ ଆପଣା ମୁଣ୍ଡ ସମ୍ଭାଳୁ ।
ବିଭୀ ।- ଦେଖ, ଦେଖ, ଉଭୟ ରଥ ଏହି ଆଡ଼କୁ ଆସୁଛି ।(ଦ୍ୱୈରଥ ଯୁଦ୍ଧ କରୁ କରୁ ରଥାରୂଢ଼ ରାମଚନ୍ଦ୍ର, ଓ ରାବଣର ପ୍ରବେଶ ।)
ରାବ ।- (ଧନୁଷ୍ଟଙ୍କାର କରି) ରେ ରେ ଲେଙ୍ଗୁଟିଆ ରାମା ! (ଦାନ୍ତ କିଡ଼ିମିଡ଼ି କରି) ଆଜି ତୋର ପ୍ରାଣ ଏହି ବାଣରେ ଘେନି ହାଡ଼ଗୋଡ଼ ଚୋବାଇଯିବି-ଯିବୁ କୁଆଡ଼େ ? (ବାଣ ପ୍ରେରଣ ।)
ରାମ ।- (ଧନୁଉଠାଇ ବାଣ ଭିଡ଼ି) ସମ୍ଭାଳ ପାପିଷ୍ଠ, ତୋ ମୁହଁକୁ ! -ଏହି ବାଣରେ ତୋର କୁଣ୍ଡଳଧାରୀ ମୁଣ୍ଡ କଟା ହେବ । (ବାଣ ପ୍ରେରଣ)( ରାବଣର ମୁଣ୍ଡ କଟିଯାଇ ତଳେ ପଡ଼ିବା ।)ସୁଗ୍ରୀବାଦି ।- (ଉଚ୍ଚୈଃସ୍ୱରେ) ଜୟ ରାମଚନ୍ଦ୍ରଙ୍କର ଜୟ !
ରାବ ।- (କଟା ମୁଣ୍ଡସ୍ଥଳରେ ଅନ୍ୟ ମୁଣ୍ଡ ଜାତ ହୋଇ) ରେ ରେ ଲେଙ୍ଗୁଟିଆ ରାମା-ତୁ ଛାର ମଣିଷଟାଏ ମୋର ମୁଣ୍ଡ କାଟିବୁ-ସମ୍ଭାଳ ଏ ବାଣକୁ । (ବାଣ ପ୍ରେରଣ ।)
ରାମ ।- (ଧନୁ ଉଠାଇ) କେତେ ପାପମୁଣ୍ଡ ବାହାର କରିବୁ ଦେଖିବି-ସମ୍ଭାଳ, ସମ୍ଭାଳ, ତୋର ବାଣ ସବୁ କଟିଯାଉଛି । (ବାଣ ପ୍ରେରଣ) ।(ରାବଣର ମୁଣ୍ଡ କଟିଯାଇ ତଳେ ପଡ଼ିବା ।)ସୁଗ୍ରୀବାଦି ।- (ଉଚ୍ଚୈଃସ୍ୱରେ) ଜୟ ରାମଚନ୍ଦ୍ରଙ୍କର ଜୟ !ବିଭୀ ।- ସେ ଭାରୀ ମାୟାବୀ-ମୁଣ୍ଡ କାଟିବାରେ ସେ ମରିବ ନାହିଁ ।
ରାବ ।- (କଟାମୁଣ୍ଡ ସ୍ଥାନରେ ଆଉ ଗୋଟିଏ ମୁଣ୍ଡ ଉଠି) ଆରେ ଲେଙ୍ଗୁଟିଆ ରାମା-ମୋ ମୁଣ୍ଡ କେମତେ କାଟିବୁ କାଟନି ! ମଣିଷଟାର ପୁଣି ଆସ୍ପର୍ଦ୍ଧା କେତେ-ସମ୍ଭାଳ ଏ ବାଣକୁ । (ବାଣ ପ୍ରେରଣ) ।
ରାମ ।- ଦେଖିବି କେମନ୍ତ ତୋର ପାପପ୍ରାଣ ବାହାରି ନ ଯିବ । ସମ୍ଭାଳ ସମ୍ଭାଳ !(ବାଣ ପ୍ରେରଣ ।) [ ରାବଣର ମୁଣ୍ଡ କଟିଯାଇ ତଳେ ପଡ଼ିବା !ସୁଗ୍ରୀବାଦି ।- (ଉଚ୍ଚୈଃସ୍ୱର) ଜୟ ରାମଚନ୍ଦ୍ରଙ୍କର ଜୟ !
ରାମ ।- ମାତଳେ ଏହି କେତୁଟା ଦିନରେ ମୁଁ ଗଣିଛି ଶଏଥର ରାବଣର ମୁଣ୍ଡ କାଟିଦେଲି ଶଏଥର ତାହାର ମୁଣ୍ଡ ବାହାରିଲା-ପ୍ରାଣତ ଯାଉନାହିଁ । କି ବିଷମ କଥା ।
ମାତ ।- ସେ ଭାରୀ ମାୟାବୀ-ଦେଖ ଏହିକ୍ଷଣି ମୁଣ୍ଡ କାଟିଲ-ପୁଣି ମୁଣ୍ଡଟାଏ ବାହାରିଲାଣି । ଆପଣ ରଣଶାସ୍ତ୍ରଜ୍ଞ ହୋଇ ହୁଡ଼ୁଛନ୍ତି କାହିଁକି ? ବ୍ରହ୍ମାସ୍ତ୍ରଦ୍ୱାରା ତାହାର ହୃଦୟ ବିଦାରଣ କରନ୍ତୁ-ମୁଣ୍ଡକଟାରେ ସେ ମରିବନାହିଁ ।
ରାମ ।- ଠିକ୍ କହିଛ-ଏଥର ଅବ୍ୟର୍ଥ ବ୍ରହ୍ମାସ୍ତ୍ର ପେଷିବି ।
ରାବ ।- (ଅନ୍ୟ ମୁଣ୍ଡ ଉଠନ୍ତେ ଧନୁଷ୍ଟଙ୍କାର କରି) କି ରେ ଲେଙ୍ଗୁଟିଆ ରାମା । ଥକିଗଲୁ କି ରେ ! (ଦାନ୍ତ କିଡ଼ିମିଡ଼ି କରି) ମୋର ମୁଣ୍ଡ କାଟି ଜିଣିବୁ ପରା ମନେ କରିଛୁ-ସମ୍ଭାଳ ଏ ବାଣକୁ ! (ବାଣ ପ୍ରେରଣ ।)
ରାମ ।- ସମ୍ଭାଳ ସମ୍ଭାଳ ତୋର ପ୍ରାଣ ଏଥର-ବାଣ ତୋର କଟିଗଲା । (ବ୍ରହ୍ମାସ୍ତ୍ର ନିକ୍ଷେପ ।)
ରାବ ।- ହାୟ ! ହା- (ବ୍ରହ୍ମାସ୍ତ୍ର ହୃଦୟ ଭେଦ କରନ୍ତି ହାତରୁ ଧନୁ ଖସିପଡ଼ିବା ଓ ମୁଣ୍ଡବୁଲାଇ ରଥ ଉପରେ ପଡ଼ି ଗଗଁ ଶବ୍ଦ କରି ଛଟପଟ ହୋଇ ରଥରୁ ତଳେ ପଡ଼ି ମରିଯିବା ।)
ସୁଗ୍ରୀବାଦି ।- (କୁଦିଉଠି ଉଚ୍ଚୈଃସ୍ୱରେ) ଜୟ ରାମଚନ୍ଦ୍ରଙ୍କର ଜୟ ! ଜୟ ରାମଚନ୍ଦ୍ରଙ୍କର ଜୟ ! ଜୟ ରାମଚନ୍ଦ୍ରଙ୍କର ଜୟ! [ ରାବରସାରଥିର ରଥ ଘେନି ପଳାୟନ । ଆକାଶରେ ଦୂନ୍ଦୁଭି ଧ୍ୱନି ଓ ରାମଚନ୍ଦ୍ର ଉପରେ ପୁଷ୍ପବୃଷ୍ଟି ।
ରାମ ।- ମୁଁ ଦେଖେଁ ରାବଣର ପ୍ରାଣ ନିଶ୍ଚୟ ଯାଇଛି କି ଅଛି । (ରଥରୁ ଅବତରଣ ପୂର୍ବକ ରାବଣ ନିକଟକୁ କିଞ୍ଚିତ୍ ଅନାଇ) ସୁଷେଣ ! ଏ ନିଶ୍ଚୟ ମରିଛି, ଦେଖ ତ !
ସୁଷେ ।- (ରାବଣର ଦେହ ସ୍ପର୍ଶକରି ଓ ନାଡ଼ୀ ଦେଖି) ଦେହ ଶୀତଳ ଓ କାଠପରି ହୋଇ ଗଲାଣି ।
ସୁଗ୍ରୀବାଦି ସମସ୍ତେ ।- (ଏକେ ଏକେ ରାମଚନ୍ଦ୍ରଙ୍କୁ ଅଭିବାଦନପୂର୍ବକ ପାଦସ୍ପର୍ଶ କରି) ସାଧୁ ସାଧୁ ! ଆପଣ ରାବଣ ବଧକରି ତ୍ରିଭୁବନରେ ଅକ୍ଷୟ ଯଶ ଲଭିଲେ । ଏ କୀର୍ତ୍ତି ଚିରକାଳ ବିରାଜିତ ରହିବ ।
ରାମ ।- (ବିନୀତଭାବେ) ମୋର ଜୟ ତୁମ୍ଭମାନଙ୍କ ସାହାଯ୍ୟରେ ! ସର୍ବାପେକ୍ଷା ବିଭୀଷଣ ରାକ୍ଷସ ହୋଇ ଯେଉଁ ମହତ୍ତ ଓ ଧର୍ମପରାୟଣତା ଦେଖାଇଲେ ଏହା ଅନ୍ୟତ୍ର ଦେଖାଯାଏଁ ନାହିଁ ।
ବିଭୀ ।- (ବକ୍ଷ ଛଳ ଛଳ କରି) ଭାଇଟା ପାପିଷ୍ଠ ବୋଲି ସରିଛି । ତାର ମରଣ ଉପସ୍ଥିତ-ସେ ଭଲ କଥା ଶୁଣିବ କାହିଁକି ? ସେ ଯାହାହେଉ ଭାଇ ମରିଯିବାରୁ ମୋର ମନରେ ବଡ଼ ଦୁଃଖ ହୋଇଛି । (ରାବଣର ମୃତଦେହ ନିକଟରେ ବସିଯାଇ ବିକଳଭାବେ) ହାୟ ହାୟ ! ତ୍ରିଭୁବନବିକ୍ରାନ୍ତ ବୀର ! ମହାମୂଲ୍ୟ ଶେଯରେ ଯାକୁ ନିଦ ହୁଏ ନାହିଁ ସେ ପୁଣଇ ଭୂଇଁରେ ମହାନିଦ୍ରାରେ ଶୟାନ ! ଆପଣଙ୍କର ସୂର୍ଯ୍ୟ ପ୍ରାୟ ଉଜ୍ଜ୍ୱଳ ମୁକୁଟ ରାମବାଣରେ ଛିନ୍ନ ଓ ସୁଦୀର୍ଘ ବାହୁ ନିଷ୍ପେଷ୍ଟ ହୋଇ ପଡ଼ିଛି ! ହା ଶୂର ! ଆପଣ କାମ ଆଉ ଲୋଭର ବଶୀଭୂତ ହୋଇ ମୋ କଥା ଘେନିଲେ ନାହିଁ । ମାତ୍ର ଯାହା କହିଥିଲି ଏବେ ତାହାହିଁ ଘଟିଲା । ହାୟ ! ଆଗେ ଗର୍ବ କରି ପ୍ରହସ୍ତ, ଇନ୍ଦ୍ରଜିତ, ଅତିରଥ, ଅତିକାୟ, ନରାନ୍ତକ, ଆପଣ ସ୍ୱୟଂ ଓ ଆଉ ଆଉ ରାକ୍ଷସମାନେ ମୋତେ ଅବଜ୍ଞା କରିଥିଲେ-ତାହାରି ଫଳରେ ଏହା ଘଟିଲା । ଆପଣ ରାକ୍ଷସମାନଙ୍କର ବଳ ଓ ଆଶ୍ରୟ ଥିଲେ-ଏବେ ସେମାନଙ୍କୁ କିଏ ରଖିବ ? ଆପଣଙ୍କ ବିନା ମୋତେ ଲଙ୍କାପୁରୀ ଶୂନ୍ୟ ଦିଶୁଛି ! -ସେ ପ୍ରତାପ, ସେ ବୀରତ୍ୱ, ସେ ତେଜ ଆଉ ସେ ଦମ୍ଭ ଦେଖିବାକୁ ମିଳିବ ନାହିଁ !
ରାମ ।- ସଖେ ! ଏହି ପ୍ରଚଣ୍ଡ ପରାକ୍ରମଶାଳୀ ମହୋତ୍ସାହୀ ରାକ୍ଷସରାଜ ଭୟରେ ନିଷ୍ପେଷ୍ଟ ହୋଇ ରଣ ମଧ୍ୟରେ ପଡ଼ି ନାହାନ୍ତି । ଯେଉଁମାନେ ଜୟାଶାରେ କ୍ଷତ୍ରିୟ ଧର୍ମପାଳନ ପୂର୍ବକ ଏହିରୂପେ ସମ୍ମୁଖରଣରେ ପ୍ରାଣ ବିସର୍ଜନ କରନ୍ତି ସେମାନଙ୍କ ସକାଶେ ଶୋକ କରିବା ଉଚିତ ନୁହେ । ଯେଉଁ ଧୀମାନ୍ ଇନ୍ଦ୍ରାଦି ଦେବଗଣ ସହିତ ତ୍ରିଭୁବନକୁ ଭୟାର୍ତ୍ତ କରିଥିଲେ ତାହାଙ୍କର ଏରୂପ ବିନାଶରେ ଶୋକ ଅନୁଚିତ । ଯୁଦ୍ଧରେ ଚିରକାଳ ବିଜୟଲାଭ ହେବାର ନିୟମ ନାହିଁ । ବୀରମାନେ କେବେ ଜିଣନ୍ତି, କେବେ ହାରନ୍ତି । ସମ୍ମୁଖଯୁଦ୍ଧରେ ପ୍ରାଣତ୍ୟାଗ କରିବା କ୍ଷତ୍ରିୟସମ୍ମତ ରୀତି ବୋଲି ପ୍ରାଚୀନମାନେ କହିଛନ୍ତି । ରଣମଧ୍ୟରେ କ୍ଷତ୍ରିୟ ମଲେ ତାହାପାଇଁ ଶୋକ କରିବା ଅନୁଚିତ । ସଖେ ! ଶାନ୍ତ ହୋଇ ଧୈର୍ଯ୍ୟ ଧରି ଉପସ୍ଥିତ କର୍ତ୍ତବ୍ୟରେ ମତି ବଳାଅ ।
ବିଭୀ ।- (ଧୀରେ ଧୀରେ ଉଠି) ଆପଣଙ୍କ କଥା ସର୍ବଥା ପାଳନୀୟ-ଜ୍ୟେଷ୍ଠଭ୍ରାତା ପିତା ପରି । ଯାହାଙ୍କର ଚିରକାଳ ସେବା କରି ଆସିଲି ସେ କର୍କଶ କଥା କହି ବାହାର କରି ଦେଇଥିଲେ ସୁଦ୍ଧା ବର୍ତ୍ତମାନ ମୃତ୍ୟୁମୁଖରେ ପଡ଼ିବାରୁ ମନ ବିକଳ ହେଉଛି ।
ରାମ ।- ତାହା ସ୍ୱାଭାବିକ । ଯେ ପାପ କରିବ ସେ ତାହାର ଫଳ ପାଇବ । ସେଥି ସକାଶେ ଆଉ ଶୋକ ଉଚିତ ନୁହେ । (ମାତଳ ଆଡ଼କୁ ଅନାଇ) ମାତଳେ ! ତୁମ୍ଭେ ବିଶେଷ ସାହାର୍ଯ୍ୟ କରିଛ । ମୁଁ ତପସ୍ୱୀ ହୋଇ ତୁମ୍ଭଙ୍କୁ ଅବା କି ପୁରସ୍କାର ଦେବି-ମୋର ଚିରକୃତଜ୍ଞତାକୁ ତୁମ୍ଭେ ମନେ କରୁଥିବ । ତୁମ୍ଭର ଅମୂଲ୍ୟ ଉପଦେଶ ଏ ଜୀବନରେ ମୁଁ ଭୁଲିପାରିବି ନାହିଁ ।
ମାତ ।- (କରଯୋଡ଼େ) ମୁଁ ପୁରସ୍କାରର ପ୍ରତ୍ୟାଶୀ ନୁହେ-ଆପଣଙ୍କ କଲ୍ୟାଣରୁ ମୋତେ କିଛି ଅପ୍ରାପ୍ତ ନାହିଁ । ଆପଣ ଯେ ମୋର କାର୍ଯ୍ୟରେ ସନ୍ତୋଷ ଲଭିଛନ୍ତି ଏତିକି ଢେର ।
ରାମ ।- ତେବେ ତୁମ୍ଭର ରଥ ଫେରାଇ ନେଇଯାଅ । ଇନ୍ଦ୍ରଦେବଙ୍କୁ ମୋର ଶତ ଶତ ଧନ୍ୟବାଦ କହିଦେବ । ତାଙ୍କ ଯୋଗେ ମୋର ବିଜୟଲାଭ ହେଲା, ପାପର ଶାସ୍ତି ହୋଇ ପୃଥିବୀ ଶାନ୍ତିଲାଭ କଲା ।
[ ଅଭିବାଦନପୂର୍ବକ ରଥାରୂଢ଼ ମାତଳିର ପ୍ରସ୍ଥାନ ।
(ବିଭୀଷଣଆଡ଼କୁ ଅନାଇ) ସଖେ ! ଦେଖ, ପତିଶୋକାକୁଳା ରାକ୍ଷସୀମାନେ ରାବଣର ମୃତ୍ୟୁବାର୍ତ୍ତା ଶୁଣି ଦେଖିବାକୁ ଧାଇଁଛନ୍ତି-ଆସ, ଆମ୍ଭମାନେ ଏକପାଖିଆ ହୋଇଯିବା ।
[ ରାମ ଓ ବିଭୀଷଣ ପ୍ରଭୃତିର ଏକପାର୍ଶ୍ୱେ ଦଣ୍ଡାୟମାନ ହେବା ଓ କଚାଡ଼ି ପଚାଡ଼ି ରୋରୁଦ୍ୟମାନା ରାକ୍ଷସୀମାନଙ୍କର ପ୍ରବେଶ ।
ରାକ୍ଷସୀମାନେ ।- (କାନ୍ଦୁ କାନ୍ଦୁ ରାବଣ ନିକଟରେ ବସି) ହାୟ ! ଯେ ଇନ୍ଦ୍ର ଆଉ ଯମକୁ ଭୟ ଦେଖାଇ ବିଶ୍ରବାନନ୍ଦନ ରାଜା କୁବେରଙ୍କ ପୁଷ୍ପକରଥ ଛଡ଼ାଇ ଆଣିଥିଲେ, ଯେ ଦେବ, ଗନ୍ଧର୍ବ, ୠଷିପ୍ରଭୃତି ମହାତ୍ମାମାନଙ୍କୁ ଯୁଦ୍ଧରେ ଭୟବ୍ୟାକୁଳ କରିଥିଲେ ସେ ଆଜି ରଣଭୂମିରେ ହତ ହୋଇଚନ୍ତି । ସୁର, ଅସୁର, ପନ୍ନଗରୁ ଯାହାଙ୍କର ଭୟ ନାହିଁ ତାଙ୍କର ମନୁଷ୍ୟଠାରୁ ନିଧନ ହେଲା । ଆମେମାନେ ଆଉ କାହାକୁ ଘେନି ଲଙ୍କାରେ ରହିବୁଁ ! ଆମମାନଙ୍କର କପାଳ ପୋଡ଼ା ବୋଲି ଆମମାନଙ୍କୁ ସଙ୍ଗରେ ନ ନେଲ ! ଶତ ଶତ ରମଣୀମାନଙ୍କୁ କିଏ ଆଉ ସମାନଭାବରେ ପ୍ରେମ କରିବ ! ଆଉ କିଏ ଆମମାନଙ୍କୁ ଅନାଇ ଜୀବନ ବଞ୍ଚାଇବ ! ବିଭୀଷଣ ତୁମର ମଙ୍ଗଳ ସକାଶେ କେତେ ହିତକଥା କହିଥିଲେ-କାହିଁକି ତାଙ୍କୁ କଟୁ କଥା କହି ତଡ଼ିଦେଇ ଏ ଫଳ ପାଇଲ ! ରାମକୁ ସୀତା ଫେରାଇ ଦେଇଥିଲେ ତାଙ୍କର ମନସ୍କାମନା ପୂରିଥାନ୍ତା, ଆମେମାନେ ବିଧବା ହୋଇ ନ ଥାନ୍ତୁଁ ! ଯେମନ୍ତ ନିଷ୍ଠୁର ହୋଇ ସୀତାକୁ ବଳରେ କଏଦି କଲ ତେମନ୍ତ ଏକାବେଳକେ ଆପଣାର, ଆମର ଓ ରାକ୍ଷସମାନଙ୍କର କପାଳ ଫଟାଇଲ ! ଦୈବକୁ କିଏ ବାଧା ଦେବ ! ହାୟ ! ହାୟ !
(ଛାତିରେ କରାଘାତ କରୁ କରୁ ମନ୍ଦୋଦରୀର ପ୍ରବେଶ ।)
ମନ୍ଦୋ ।- (ଦୌଡ଼ି ମୃତ ରାବଣର ପାଦଧରି ବସି କାନ୍ଦୁ କାନ୍ଦୁ) ତୁମେ ତ୍ରିଭୁବନବିଜୟୀ- କୁବେରଙ୍କ ଭାଇ-ତୁମର ତେଜରେ ଦେବ, ଗନ୍ଧର୍ବ, ମହର୍ଷି କେହି ଆଗରେ ଠିଆ ହୋଇ ନ ପାରନ୍ତି ! ତୁମେ ସାମାନ୍ୟ ମନୁଷ୍ୟ ସଙ୍ଗେ ହାରିଯାଇ ଲାଜରେ ପଡ଼ିଚ ! ହାୟ ! ବନଚାରୀ ମନୁଷ୍ୟ ଜଣେ ତୁମକୁ ମାରିପକାଇବା ପରା ଦେହରେ ସହୁନାହିଁ ! ତୁମେ ମଣିଷର ଅଜ୍ଞାତ ଲଙ୍କାଦ୍ୱୀପରେ ଥାଇ କେବେ ରାମ ହାତରେ ମରି ନ ଥାନ୍ତ ! କାହିଁକି ତୁମେ ତାର ଭାର୍ଯ୍ୟାକୁ ହରଣ କରି ଆପଣାର କାଳକୁ ଛାଁଏ ଡ଼ାକି ଆଣିଲ ! ସେହି କାଳ ବାଟ କଢ଼ାଇ ରାମକୁ ସମୁଦ୍ର ପାରିକରି ଲଙ୍କାକୁ ସସୈନ୍ୟ ଘେନି ଆସିଲା ! ତୁମର ଭାଇ ଖରଦୂଷଣାଦିଙ୍କି ଆଉ ଅସଂଖ୍ୟ ରାକ୍ଷସ ମାନଙ୍କୁ ମାରିବା କଥା ଶୁଣିଲାବେଳୁଁ ରାମ ସାମାନ୍ୟ ଲୋକ ନୁହେ ବୋଲି ମୁଁ ବୁଝିଥିଲି ! ଦେବତାଙ୍କ ଦୁଷ୍ପ୍ରବେଶ୍ୟ ଲଙ୍କାରେ ହନୁମାନ ପଶିଲାବେଳୁଁ ମୁଁ ବ୍ୟଥିତ ହୋଇ ରାମଚନ୍ଦ୍ର ସହିତ ସନ୍ଧି କରିବା କାରଣ ତୁମକୁ କହିଥିଲି ! ତୁମେ ଶୁଣିଲ ନାହିଁ , ଆଜି ତାର ଫଳ ପାଇଲ ! ନିଜର ଐଶ୍ୱର୍ଯ୍ୟ, ପ୍ରାଣ ଆଉ ସ୍ୱଜନମାନଙ୍କୁ ହରାଇବାପାଇଁ ତୁମେ ସୀତା ହରିଥିଲ ! କେତେ ପରାକ୍ରମୀ ବୀରମାନଙ୍କୁ ହରାଇ କେତେ କେତେ ରମଣୀ ତୁମେ ଉପଭୋଗ କରିନାହ ? -ଛଳ କରି ସୀତା ହରିଆଣି ଧର୍ମଭ୍ରଷ୍ଟ ହେଲ କାହିଁକି ! ତାକୁ ତ ଭୋଗ କରି ପାରିଲ ନାହିଁ -ତାର ତପସ୍ୟାନଳରେ ତୁମେ ପୋଡ଼ିମଲ ! ସମୟ ହେଲେ ପାପୀ ପାପର ଫଳପାଏ ସନ୍ଦେହ ନାହିଁ ! ସତ୍କର୍ମ କରି ବିଭୀଷଣ ସୁଖୀ ହେଲେ-ତୁମେ ପାପରେ କେତେ ଯନ୍ତ୍ରଣା ପାଇ ମଲ ! ଦେହଯାକ ବାଣ ବିଦ୍ଧ ହୋଇ ରକ୍ତନଦୀ ବହିଗଲା ! ସୀତାଠାରୁ କେତେ ରୂପବତୀ ରମଣୀ ତୁମର ନ ଥିଲେ-ତୁମେ କାମବଶରୁ ମୋହିତ ହୋଇ ବୁଝିପାରିଲନାହିଁ ! ମୋଠାରୁ କେଉଁଗୁଣରେ ସୀତା ବଡ଼ ? ତୁମେ ତାକୁ ଲୋଭେଇ ଆପେ ନଷ୍ଟ ହୋଇ ସମସ୍ତଙ୍କୁ ନାଶ କଲ ! ସୀତାର ଭାଗ୍ୟ ଫେରିଲା ସେ ଏବେ ରାମସଙ୍ଗେ ସୁଖେ ବିହାର କରିବ ଆଉ ଅଭାଗ୍ୟବତୀ ଆମେମାନେ ଶୋକସାଗରରେ ବୁଡ଼ିମଲୁଁ । ତୁମସଙ୍ଗେ ବିମାନରେ ଚଢ଼ି ସୁମେରୁ, କୈଳାସ, ମନ୍ଦର, ଚୈତ୍ରରଥ ଓ ଦେବୋଦ୍ୟନମାନ ଦେଖି କେତେ ବିହାର କରି ନ ଥିଲି ସେ ସବୁ ପାସୋରି ଚାଲିଗଲ ! ଏତେ ଐଶ୍ୱର୍ଯ୍ୟରେ ଥାଇଁ ମୁଁ ଏବେ ସାମାନ୍ୟ ନାରୀଠାରୁ ହୀନହେଲି ! ଚଞ୍ଚଳା ରାଜଲକ୍ଷ୍ମୀକି ଧିକ୍ ! ହାୟ ରାଜନ୍ ! ହାୟ ସ୍ୱାମିନ୍ ! ଚନ୍ଦ୍ର ସୂର୍ଯ୍ୟ ଠାରୁ ଉଜ୍ଜ୍ୱଳ ମୁଣ୍ଡ ଟେକି ମୋତେ କାହିଁକି ଅନାଉ ନାହଁ ! କାହିଁକି ଆଉ ସେ ମୁହଁରେ ସହାସ୍ୟ କଥା ଶୁଣାଉ ନାହଁ ! ସବୁ ପ୍ରେମାଲିଙ୍ଗନ ଭୁଲି ଚାଲିଗଲ । ତୁମର ମୁହଁ ରକ୍ତରେ ବୋଳା ମୁଁ କେବେ ଭାବି ନ ଥିଲି ! ମୁଁ କାହାର ଝିଅ, -କାହାର ଭାର୍ଯ୍ୟା, -କାହାର ମା-ହାୟ ମୋର ସେ ଗର୍ବ କୁଆଡ଼େ ଗଲା ! -ମେଘରେ ବିଜୁଳି ପରି ବସନ ଭୂଷଣ ତୁମଦେହରେ ଚମକୁଥିଲା-ସେ ଦେହ ଧୂଳିରେ ଗଡ଼ୁଚି । ତୁମେ ମୃତ୍ୟୁର ମୃତ୍ୟୁ ସ୍ୱରୂପ ହୋଇ ରାମହାତରେ ମୃତ୍ୟୁକୁ ଭଜିଲ ! ମୋତେ ସବୁ ସ୍ୱପ୍ନ ପରି ଲାଗୁଚି । ଯାହାଙ୍କଠାରୁ ଯୁଦ୍ଧରେ କେହି ରକ୍ଷାପାଇବାନାହିଁ ସେ ଆଜି ଅରକ୍ଷ ହୋଇ ରଣଭୂମିରେ ପଡ଼ିଲେ ! ଏତେ ଗର୍ବଗାରିମା କୁଆଡ଼େ ଗଲା । ମୁଁ ଏଡ଼େ ପ୍ରତାପୀ ସ୍ୱାମୀ ହରାଇ ବଞ୍ଚିଚି କିପରି । ହାୟ ମୋର ପ୍ରାଣ ବଡ଼ କଠିନ ! କୁମାର ଇନ୍ଦ୍ରଜିତ ମଲାବେଳୁଁ ମୁଁ ପ୍ରାଣରେ ଭାରୀ ଆଘାତ ପାଇଚି ! ଏବେ ତୁମ ନିଧନରେ ମୋର ପ୍ରାଣ ଗଲାପରି ! -ତୁମେ ଏକା ଦୂର ଦୁର୍ଗମ ବାଟ ଯାଇପାରିବନାହିଁ-ମୋତେ ସଙ୍ଗରେ ନିଅ ! ତୁମ ବିରହରେ ମୁଁ ଜୀବନ ଧରି ରହିପାରିବି ନାହିଁ । ମୁଁ ଏତେ କାତର ହୋଇ କାନ୍ଦୁଚି-ଟିକିଏ କଥା କହୁନାହଁ ! ମୁଁ ଓଢ଼ଣା ଖୋଲି ନଗରଦ୍ୱାର ପାରିହୋଇ ଏତେ ବାଟ ଚାଲି ଆସିଲି-ମୋ ଉପରେ କାହିଁକି ଚଳୁନାହଁ ! ଶଅ ଶଅ କ୍ରୀଡ଼ା ସହଚରୀ ରମଣୀମାନେ କାନ୍ଦୁଚନ୍ତି-ତାଙ୍କୁ ଆଶ୍ୱାସନା ଦେଇ କହୁନାହଁ କାହିଁକି ! ପତିବ୍ରତା କୁଳକାମିନୀ ମାନଙ୍କର ଅଭିସମ୍ପାତରୁ ତୁମର ପ୍ରାଣ ଗଲା ! କାଳବଶରୁ ତୁମେ ମାରୀଚକୁ ମାୟାମୃଗ କରି ସୀତାକୁ ଲୋଭାଇ ରାମଲକ୍ଷ୍ମଣଙ୍କୁ ଦୂରକୁ ନେଇ ଏକାକିନୀ ସୀତାକୁ ପଞ୍ଚବଟୀରୁ ବଳରେ ହରିଆଣି ଆପଣାର ପଞ୍ଚପ୍ରାଣ ହରାଇଲ ! ସୀତାହରଣ ଦେଖି ବିଭୀଷଣ ଯଥାର୍ଥ କହିଥିଲେ ରାକ୍ଷସଙ୍କ ବିନାଶକାଳ ଉପସ୍ଥିତ ! କାଳବଶରୁ ତୁମେ କାହାରି କଥା ଶୁଣିଲ ନାହିଁ ! ମାରୀଚ ହିତକଥା କହି ମାୟାମୃଗ ହେବନାହିଁ ବୋଲି ମନା କରିଥିଲା-ତୁମେ ହିତକଥା ନ ଶୁଣି କଟୁ କହିବାରୁ ସେ ବିଚିତ୍ର କାଞ୍ଚନମୃଗ ହେଲା ଆଉ ସେହି କୁହୁକ ତୁମର ପ୍ରାଣ ନେଲା ! ହାୟ ମୋର ହୃଦୟକୁ ଧିକ୍ ! (ହୃଦୟରେ ବଳେ କରାଘାତକରିଛ) ମୋର ଛାତି କାହିଁକି ସହସ୍ରଖଣ୍ଡ ହୋଇ ଫାଟି ଯାଉନାହିଁ ! ମୁଁ ଆଉ ଏକା ରହିପାରିବି ନାହିଁ ! (ଉଠି କପାଳରେ କରାଘାତ କରି ରାବଣର ବକ୍ଷସ୍ଥଳରେ ପଡ଼ି ମୂର୍ଚ୍ଛାଗତା ।)
ରାକ୍ଷସୀମାନେ ।- (କାନ୍ଦୁ କାନ୍ଦୁ ଉଠି ମନ୍ଦୋଦରୀକି ଧରି) ଦେବି ! ତୁମେ ପୁଣି ଏପରି ହେଲେ ଆମମାନଙ୍କର ଦଶା କି ହେବ ?ରାମ ।- ସଖେ ! ବର୍ତ୍ତମାନ ଏ ରମଣୀମାନଙ୍କୁ ସାନ୍ତ୍ୱନା ଦେଇ ସତ୍କାର କରିବା ତୁମ୍ଭର କର୍ତ୍ତବ୍ୟ ।
ବିଭୀ ।- (କିଞ୍ଚିତ୍ ଚିନ୍ତା କରି) ରାବଣ ମୋର ଭାଇ ହେଲେ କି ହେବ-ବଡ଼ କ୍ରୂର । ସେ ଚିରକାଳ ଧର୍ମତ୍ୟାଗ ଆଉ ପରସ୍ତ୍ରୀ ହରଣ କରି ବୁଲିଛନ୍ତି । ମୁଁ ତାଙ୍କର ସତ୍କାର କରିବି ନାହିଁ । ଗୁରୁଗୌରବବଶରୁ ପୂଜ୍ୟ ବଡ଼ ଭାଇ ହେଲେ ସୁଦ୍ଧା ସେ ମୋର ପୂଜାର ଉପଯୁକ୍ତ ନୁହନ୍ତି । ଲୋକେ ଏଥିରେ ମୋତେ ନିଷ୍ଠୁର କହିଲେ ବି ତାଙ୍କର ପାପ ସୁମରି ମୋର କାର୍ଯ୍ୟରେ ପ୍ରଶଂସା କରିବେ ।
ରାମ ।- ସଖେ ରାକ୍ଷସେଶ୍ୱର ! ତୁମ୍ଭ ପ୍ରଭାବରେ ମୁଁ ଜୟଲାଭ କରିଛି-ବର୍ତ୍ତମାନ ତୁମ୍ଭଙ୍କୁ ଉପଦେଶ ଦେବା ଓ ଯହିଁରେ ତୁମ୍ଭର ଭଲ ହେବ ତାହା କହିବା ମୋର କର୍ତ୍ତବ୍ୟ । ଏହି ରାକ୍ଷସଶ୍ରେଷ୍ଠ ଅଧାର୍ମିକ ଦୁଷ୍କର୍ମ ରତ ଓ ସ୍ୱେଚ୍ଛାଚାରୀ ଥିଲେ ସୁଦ୍ଧା ରଣଭୂମିରେ ଚିରକାଳ ତେଜ, ବୀର୍ଯ୍ୟ ଆଉ ଶୌର୍ଯ୍ୟ ପ୍ରକାଶ କରିଛନ୍ତି । ଶତ୍ରୁତା ମୃତ୍ୟୁ ପର୍ଯ୍ୟନ୍ତ । ମୋର ତ କାର୍ଯ୍ୟ ସିଦ୍ଧି ହେଲା-ଏବେ ଆଉ ତାଙ୍କ ସଙ୍ଗେ ଶତ୍ରୁତା କିସ ? ଏତେବେଳେ ତୁମ୍ଭ ପରି ସେ ମୋର ବନ୍ଧୁ-ଏହାଙ୍କର ସତ୍କାର କର, ଏଥିରେ ତୁମ୍ଭର ଯଶ ହେବ, ଅଯଶ ହେବ ନାହିଁ । ମୁଁ କ୍ଷଣକେ ସହସ୍ର ସହସ୍ର ରାକ୍ଷସଙ୍କୁ ମାରିପାରେଁ ମାତ୍ର ଯେ ମୋ ସଙ୍ଗେ ସାତଦିନ ସାତରାତି ଅପରିମିତ ବୀରତ୍ୱ ସହିତ ଲଢ଼ିଲେ ସେ ସାମାନ୍ୟ ବୀର ନୁହନ୍ତି । ତାଙ୍କର ସତ୍କାର ସମ୍ପୂର୍ଣ୍ଣ ବୀରୋଚିତ ଭାବେ ହେବା କର୍ତ୍ତବ୍ୟ ।
ବିଭୀ ।- (କରଯୋଡ଼େ) ଆପଣ ଅସାମାନ୍ୟ ଲୋକ-ଆପଣଙ୍କ ଆଦେଶ ସର୍ବଥା ଶିରୋଧାର୍ଯ୍ୟ । (ରାକ୍ଷସରମଣୀମାନଙ୍କୁ ଅନାଇ) ଆପଣମାନେ ବିଳାପ ତ୍ୟାଗ କରି ଦେବୀ ମନ୍ଦୋଦରୀଙ୍କ ମୂର୍ଚ୍ଛାପନୋଦନ କରନ୍ତୁ ।- ବିଧିବିଧାନରେ ଆପଣଙ୍କ ସ୍ୱାମୀ ବୀରୋଚିତ କାର୍ଯ୍ୟ କରି ରଣଭୂମିରେ ଦେହ ତ୍ୟାଗ କରିଛନ୍ତି; ଏତେବେଳେ ତାଙ୍କର ସତ୍କାର ନ କରି ରୋଦନରେ ମାତିଲେ ଆପଣମାନଙ୍କର ସଦ୍ଗତି ହେବ ନାହିଁ । ଆପଣମାନେ ଉଠନ୍ତୁ-ମୁଁ ଆୟୋଜନ କରିବାକୁ ଚାଲିଲି । (ପ୍ରସ୍ଥାନ ।) [ ରାକ୍ଷସ ରମଣୀମାନେ ଉଠି ଜଳାନୟନ ପୂର୍ବକ ମନ୍ଦୋଦରୀଙ୍କି ସଚେତ କରାଇବା ଓ କିଞ୍ଚିତ୍ ପରେ ଶିବିକା ସହିତ ବିଭୀଷଣ ପ୍ରବିଷ୍ଟ ହୁଅନ୍ତେ ରାବଣକୁ କ୍ଷୌମବସ୍ତ୍ର ପିନ୍ଧାଇ ସୁଶୋଭିତ ସୁବର୍ଣ୍ଣମୟ ଶିବିକାରେ ବସାଇ ଚାରିଜଣ ରାକ୍ଷସ ବିଭୀଷଣକୁ ଆଗରେ କରି ଶିବିକା କାନ୍ଧରେ ଘେନି ପ୍ରସ୍ଥିତ ଓ ମନ୍ଦୋଦରୀ ପ୍ରଭୃତି ରାକ୍ଷସ ରମଣୀମାନେ ପଶ୍ଚାତ୍ ପଶ୍ଚାତ୍ ଧୀରେ ଧୀରେ କାନ୍ଦବୋବାଳି କରୁ କରୁ ଗମନ ଓ ନେପଥ୍ୟେ ତୂର୍ଯ୍ୟ ଧ୍ୱନି । ]
ରାମ ।- କବିରାଜ ସୁଷେଣ ! ଯୁଦ୍ଧ ଶେଷ ହେଲା ଆଉ ବୀର ଶତ୍ରୁରୁ ମଧ୍ୟ ସର୍କାର ହେଲା । ବର୍ତ୍ତମାନ ଆମ୍ଭମାନଙ୍କର କିଞ୍ଚିତ୍ ବିଶ୍ରାମ କରିବା ପ୍ରୟୋଜନ । ତୁମ୍ଭେ ସେନାବଳଙ୍କୁ ଆବଶ୍ୟକମତେ ଔଷଧାଦି ଦେଇ ସୁସ୍ଥ କରାଇ ଭୋଜନ ଦିଅ ।
ସୁଗ୍ରୀ ।- ଆପଣଙ୍କ ଆଦେଶ ସମୟୋଚିତ ମାତ୍ର ସଖେ, ଆଉ ଥରେ ଆମ୍ଭେମାନେ ଆପଣଙ୍କର ଜୟଘୋଷଣା ନ କରି ରଣକ୍ଷେତ୍ର ଛାଡ଼ି ବିଶ୍ରାମଛାଉଣିକି ଯାଇ ନ ପାରୁ । ସମସ୍ତେ ଆପଣଙ୍କ ଅନୁମତି ଉଦ୍ଗ୍ରୀବ ହୋଇ ଅନାଇଛନ୍ତି । ଆଜି ଆମ୍ଭେମାନେ ଜୟ ଘୋଷଣା କରି ଆପଣଙ୍କ ସଙ୍ଗେ ଅସ୍ତ୍ରଶସ୍ତ୍ର ଓ ବିଜୟପତାକାଦି ଘେନି ଛାଉଣିକି ଯାଇ ଓଷଧି ପଥ୍ୟାଦି ବ୍ୟବହାର କରିବୁଁ । ଏ ଦିନ ବାର୍ଷିକ ବିଜୟୋତ୍ସବରୂପେ ଚିରକାଳ ସ୍ମାରକ ହୋଇ ରହିବ ।
ରାମ ।- (ସହର୍ଷ) ଏଥିରେ ମୋର ଆପତ୍ତି ନାହିଁ-ତୁମ୍ଭେମାନେ ଆକ୍ଲାନ୍ତ ପରିଶ୍ରମ କରି ମୋତେ ଜୟଯୁକ୍ତ କରାଇଛି, ଏ ଜୟ ମୋର ନୁହେ-ତୁମ୍ଭମାନଙ୍କର ।
ଲକ୍ଷ୍ମଣାଦି ସମସ୍ତେ ।- (ଉଚ୍ଚୈଃସ୍ୱରେ) ଜୟ ରାମଚନ୍ଦ୍ରଙ୍କର ଜୟ, ଜୟ ରାମଚନ୍ଦ୍ରଙ୍କର ଜୟ, ଜୟ ରାମଚନ୍ଦ୍ରଙ୍କର ଜୟ !ନେପଥ୍ୟେ ।- (ବାଦ୍ୟଧ୍ୱନି)
[ ସୁଗ୍ରୀବାଦି ସମସ୍ତେ ସେନାବଳ ସହିତ ଅସ୍ତ୍ର ଶସ୍ତ୍ର ପତାକାଦିସହ ଆଗେ ଆଗେ ଧନୁର୍ଦ୍ଧାରୀ ରାମଲକ୍ଷ୍ମଣ ତତ୍ପଶ୍ଚାତ୍ ଧୀରେ ଧୀରେ ପ୍ରସ୍ଥିତ ଓ ଅଦୃଷ୍ଟକୁମାରୀମାନଙ୍କର ଗୀତ ଗାଉଁ ଗାଉଁ ପ୍ରବେଶ ।
ଅ: କୁ: ।- (ନୃତ୍ୟ ସହିତ ଗୀତ ।)ରାଗିଣୀ କୌଶିଆ । ତାଳ କବାଲୀ ।ଦିଅ କରତାଳ ଆନନ୍ଦରେ ମିଳି ।ହତ ଦଶାନନ ହରି ମୈଥିଳୀ । ଘୋଷା ।ଯେଉଁ ବନବାସେ ବିମର୍ଷ ଜନ ।ଫଳିଲା ସୁଫଳ ତହିଁ କେସନ ॥
କାହିଁ ଅଯୋଧ୍ୟା ପୁରୀ ଲଙ୍କା ସାଗର ପାରିଭୂଭାର ହରଣ ରାବଣ ମାରି ।୧।ଦେଖ ଦଶଦିଶ କେଡ଼େ ପ୍ରସନ୍ନ ।କାନନ ପର୍ବତ ସିନ୍ଧୁ, ଶୋଭନ ॥
ବିହଙ୍ଗମ କୂଜନ ଶ୍ରୀରାମ ଯଶୋଗାନମନ୍ଦ ମଳୟାନିଳ ରଙ୍ଗେ ପ୍ରଚାରି ।୨।ତପ୍ତ ବସୁନ୍ଧାରା ଶୀତଳ ସାଜେ ।ଶାନ୍ତି ସୁଧା ଘେନି ସୁଖେ ବିରାଜେ ।ଗାଅ ହେ ରଘୁବର କୀରତି ନିରନ୍ତରକରମେ ମୁକତି ହୁଅ ସୁମରି ।୩।ଯବନିକା ପତନ ।ଚତୁର୍ଥ ଅଭିନୟ(ଲଙ୍କା)