ରାଧାକୃଷ୍ଣ ଚଉତିଶା — ଦୀନକୃଷ୍ଣ ଦାସ · ସ୍ୱର୍ଣ୍ଣଲିପି(ରାଗ – ଶୋକ କାମୋଦୀ)କୃଷ୍ଣ ବିଚ୍ଛେଦରେ କୁସୁମ ଶରରେଦୁଃଖୀ ହୋଇ ଚାରୁ ଚନ୍ଦ୍ରମୁଖୀକରଇ ସନ୍ତାପ, ଚିନ୍ତି କାନ୍ତରୂପକରଜରେ ମହୀପରେ ଲେଖିକଞ୍ଜ ନୟନୀର, ବହଇ ଲୋତକ ଜଳଧାରକମଳା ନୟନ ଘନଶ୍ୟାମ ବିନୁକେବେ ହେଁ ତା ମନ ନୋହେ ସ୍ଥିର ।୧।କ୍ଷଣେ, କ୍ଷଣେ, ଶ୍ୱାସ ପକାଇ ବିରସକ୍ଷଣକେ ବିହ୍ୱଳ ହୋଇ ବାଳାକ୍ଷଣେ କ୍ଷଣେ ଝାଳ, ବହଇ ପ୍ରବଳକ୍ଷଣକେ ଟାଙ୍କୋରେ ଲୋମ ମାଳାକ୍ଷୀଣୋଦରୀ ତନୁ, ଅତନୁ ଶରଭେ ହେଲା ତନୁଖେଳିବା ହସିବା, ବଚନ ଭାସିବାସବୁ ସୁଖ ପାସୋରିଲା ମନୁ ।୨।ଗୁରୁ ସୁକୁମାରୀ, ନବୀନା କିଶୋରୀଘର ଘୋରବନ ପ୍ରାୟେ ମଣେଗୀତ ବାଦ୍ୟ ନୃତ୍ୟ, ରସେ ତାର ଚିତ୍ତନରସେ ନିଷ୍ଠୁର କାମ ବାଣେଗୁରୁ ନିତମ୍ବିନୀ, ଗୋକୁଳ ଚନ୍ଦ୍ରମା ଗୁଣ ଗୁଣିଗିରିବର ଧର ହେ ବ୍ରଜସୁନ୍ଦରବୋଲିଣ ରୋଦନ କରେ ପୁଣି ।୩।ଘନ ଜଘନାର, ଘଟଣସ୍ତନାରଭାଳୁ ନ ସରଇ ନିଶିଦିନଘନ ଶ୍ୱାସ ପୁଣ, ପକାଇ ତାମନନିରନ୍ତରେ ହୋଏ ଛନଛନଘେନି ସଖୀ ଜନେ, କହିଲେ ଯେତେକ ସ୍ନେହବାଣୀଘେନିଲା ନାହିଁ କମଳଦଳ ନେତ୍ରୀରସିକା ନାଗରୀ ଶିରୋମଣୀ ।୪।
ଭାବାର୍ଥ- (୧-୪) କୃଷ୍ଣଙ୍କ ବିରହ ବିଚ୍ଛେଦଜନିତ ଯନ୍ତ୍ରଣାରେ ଦୁଃଖୀ ହୋଇ, କୁସୁମ ଶରରେ ସନ୍ତାପିତ ହୋଇ ସ୍ୱାମୀଙ୍କ ରୂପକୁ ଚାରୁଚନ୍ଦ୍ରମା ରାଧା ଝୁରୁଛନ୍ତି । ନଖରେ ଭୂମି ଉପରେ ଲେଖି ପଦ୍ମନୟନୀ ଆଖିରୁ ଲୁହ ଝରାଇଲେ । କୃଷ୍ଣ ବିନା ରାଧାଙ୍କ ମନ କେବେ ହେଲେ ସ୍ଥିର ରହୁନାହିଁ । କ୍ଷଣକୁ କ୍ଷଣ ଶ୍ୱାସ ପକାଇ ବିରସ ମନରେ କ୍ଷଣକରେ ରାଧା ବିହ୍ୱଳ ହୋଇପଡ଼ନ୍ତି । କ୍ଷଣ କ୍ଷଣରେ ଦେହରୁ ପ୍ରବଳ ଝାଳ ବହେ, କ୍ଷଣ କ୍ଷଣରେ ଲୋମଟାଙ୍କୁରି ଉଠେ । କ୍ଷୀଣୋଦରୀ ରାଧାଙ୍କ ତନୁ କନ୍ଦର୍ପ ଶରରେ ଜର୍ଜରିତା ହୋଇଗଲା । ତାଙ୍କ ମନ ମଧ୍ୟରୁ ଖେଳିବା, ହସିବା, କଥା କହିବା ସବୁସୁଖ ପାସୋରି ହୋଇଗଲା ।
ସୁକୁମାରୀ, ନବୀନା କିଶୋରୀ ରାଧାଙ୍କ ପାଇଁ ଘରଟା ଘୋର ବନପ୍ରାୟ ମନେ ହେଲା-। ନିଷ୍ଠୁର କନ୍ଦର୍ପର ବାଣରେ ଜର୍ଜରିତା ରାଧାଙ୍କ ମନ ଗୀତ, ବାଦ୍ୟ, ନୃତ୍ୟ ରସରେ ରସିଲା ନାହିଁ । ସୁନ୍ଦରୀ ଶିରୋମଣି ଗୋକୁଳ ଚନ୍ଦ୍ରମା ଶ୍ରୀକୃଷ୍ଣଙ୍କ ଗୁଣ ଗୁଣି ରୋଦନ କରିବାକୁ ଲାଗିଲେ । ବାହୁନି ବାହୁନି ପୁଣି ହେ ଗିରିବର ଧର, ହେ ବ୍ରଜସୁନ୍ଦର କହି କାନ୍ଦିବାକୁ ଲାଗିଲେ । ଘନଜଘନା, ଘନସ୍ତନା ରାଧା କୃଷ୍ଣଙ୍କୁ ନିଶିଦିନ ଝୁରିଲେ ମଧ୍ୟ ତାହା ସରିଲା ନାହିଁ । ଦୀର୍ଘଶ୍ୱାସ ଛାଡ଼ି ନିରନ୍ତର ମନରେ ଝୁରିବାରେ ଲାଗିଲେ । ମନ ଛନ୍ନଛନ୍ନ ହେଲା । ସଖୀମାନେ ଯେତେ କରି ସ୍ନେହବାଣୀ କହି ବୁଝାଇଲେ- ତାକୁ କମଳଦଳ ନେତ୍ରୀ ରସିକା ନାଗରୀ ଶିରୋମଣି ରାଧା ମନରେ ଘେନିଲେ ନାହିଁ-।
ନ କରେ ଆହାର, ନକରେ ବିହାରନ କରେ ଶୟନ ଶର୍ଯ୍ୟାପରେନ ବାନ୍ଧଇ କେଶ, ନୁହଇ ସୁବେଶନ ଦେଖଇ କିଛି ନୟନରେ
ସମ୍ବନ୍ଧିତ ରଚନା
ଅମୃତନିଧି ଚଉତିଶାଦୀନକୃଷ୍ଣ ଦାସ ଦୀନକୃଷ୍ଣ ଦାସ
ଗୋପାଳକୃଷ୍ଣଙ୍କ ଚଉତିଶାଗୋପାଳକୃଷ୍ଣ ପଟ୍ଟନାୟକ ଗୋପାଳକୃଷ୍ଣ ପଟ୍ଟନାୟକ
ନାନା ଉପଚାର, ଚାହିଁଲେ ଚମକି ପଡ଼େ ଅଙ୍ଗ
ନିଅ ନିଅ ବୋଲି ନୟନ ବୁଜଇ
ଆତଙ୍କେ ଡାକଇ ଶିରୀରଙ୍ଗ ।୫।
ଚନ୍ଦନ, ପବନ, ଗରଳ ସମାନ
ଚନ୍ଦ୍ରକର ଚଣ୍ଡ ପ୍ରାୟ ମଣେ
ଚାରିଆଡ଼େ ଶୁଣି, ମତ୍ତ ପିକ ବାଣୀ
ଚିତ୍ତେ ମହାଭୟ କରି ଘେନେ
ଚାରୁ ଚାମୀକର, ଚମ୍ପକ ବରନ କଳେବର
ଚାହୁଁ ଚାହୁଁ ପାଣ୍ଡୁ ବର୍ଣ୍ଣକୁ ଭଜିଲା
ଦିବସେ ଯେସନ ଶଶଦନ ।୬।
କ୍ଷିତି ମଣ୍ଡନା ବିରହ ଦେଖି ଦୂତୀ
କ୍ଷୋଭ ପାଇ ବେଗେ ଗଲା ଚଳି
ଛଛନ୍ଦେ ପ୍ରବେଶ ହୋଇ ବୃନ୍ଦାବନେ
କ୍ଷଣକେ ଭେଟିଲା ବନମାଳୀ
ଛାଡ଼ି ଖରଶ୍ୱାସ, ବୋଇଲ ଶୁଣ ହେ ବ୍ରଜ ରାୟ
କ୍ଷୀରଦାତ୍ରୀ ଧାତ୍ରୀଠାରୁ ଶିଖିଲକି
ସ୍ତିରୀ ବିନାଶକୁ ନାହିଁ ଭୟ ।୭।
ଜାଣିଲୁ ସଂସାର ମଧ୍ୟେ ଅସୁନ୍ଦର
କଥାଏ ସୁନ୍ଦର ହେଲା ଯେବେ
ଜଗତ ମୋହନା ରାଧା ପ୍ରାଣ ଘେନା
ହତ୍ୟାର କାରଣ ହେଲ ଏବେ
ଜଗମୋହନ ହେ ଏଥି କିଛି ନାହିଁ ପଉରୁଷ
ଯେବେ ସେ ଅବଳା ଯୁବତୀ ନୁହନ୍ତା
ତେବେ ବାରେକ ହୁଅନ୍ତା ଯଶ ।୮।
ଭାବାର୍ଥ- (୫-୮) କୃଷ୍ଣଙ୍କ ବିରହଜନିତ ଯନ୍ତ୍ରଣାରେ ଭାଙ୍ଗିପଡ଼ିଲେ ରାଧା । ଆହାର, ବିହାର, ଶୟନରେ ତାଙ୍କ ମନ ଲାଗିଲା ନାହିଁ । ସୁବେଶ ହେଲେ ନାହିଁ, କେଶ ବାନ୍ଧିଲେ ନାହିଁ, କୌଣସି ଭଲ ଜିନିଷରେ ତାଙ୍କ ଚକ୍ଷୁ ଲାଖିଲା ନାହିଁ । ଏଥିପାଇଁ ତାଙ୍କୁ ସଖୀମାନେ ଉପଚାର କଲେ । ରାଧା ତାକୁ ଦେଖି ଚମକି ପଡ଼ିଲେ । ନିଅ ନିଅ ବୋଲି ଆଖି ବୁଜି ଦେଲେ । ଭୟରେ କୃଷ୍ଣଙ୍କୁ ପ୍ରାର୍ଥନା କଲେ ।
ରାଧାଙ୍କ ମନ ଏତେ ଗଭୀର ଦୁଃଖରେ ଭାଙ୍ଗି ପଡ଼ିଥିଲା ଯେ, ଚନ୍ଦନ, ପବନ ତାଙ୍କୁ ବିଷପ୍ରାୟ ମନେ ହେଲା । ଚନ୍ଦ୍ରକିରଣ ଅତ୍ୟନ୍ତ ଦୁଃସହ ହେଲା । ଚତୁର୍ଦ୍ଦିଗରୁ ଶୁଭୁଥିବା ମତ୍ତ କୋଇଲିର କୁହୁତାନ ରାଧାଙ୍କ ମନରେ ମହାଭୟ ସୃଷ୍ଟି କଲା । ତାଙ୍କର ଚମ୍ପକ ବର୍ଣ୍ଣ କଳେବର ଚାହୁଁଚାହୁଁ ଦିବସରେ ଯେମିତି ଚନ୍ଦ୍ର ଦେଖାଗଲା ଭଳି ପାଣ୍ଡୁରବର୍ଣ୍ଣ ଧାରଣ କଲା ।
ପୃଥିବୀ ମଣ୍ଡନା ରାଧାଙ୍କ ବିରହ ଦୁଃଖ ଦେଖି ସଖୀ ଅତ୍ୟନ୍ତ କ୍ଷୋଭିତ ମନରେ ଶୀଘ୍ର ଯାଇ ବୃନ୍ଦାବନରେ ପହଞ୍ଚିଲା ଓ ସଙ୍ଗେ ସଙ୍ଗେ କୃଷ୍ଣଙ୍କୁ ଭେଟିଲା । ସେ ଦୀର୍ଘଶ୍ୱାସ ଛାଡ଼ି କହିଲା- ହେ ବ୍ରଜରାୟ ଶୁଣ । କ୍ଷୀରଦାତ୍ରୀ ଧାତ୍ରୀକୁ ବିନାଶ କରିଛ । ସ୍ତ୍ରୀ ବଧକଥା ତା’ ଠାରୁ ଶିଖିଲ ନା କ’ଣ ? ସ୍ତ୍ରୀ ବିନାଶକୁ ତୁମର ଭୟ ନାହିଁ ? ଆମେ ଏବେ ଜାଣିଲୁ, ସଂସାର ମଧ୍ୟରେ ଅସୁନ୍ଦର କଥାଟା ସୁନ୍ଦର ହେଲା, ଜଗତମୋହିନୀ ରାଧାଙ୍କ ପ୍ରାଣଘେନା ହେଲ । ତୁମେ ତା’ ହତ୍ୟାର କାରଣ ହେଲ । ହେ ଜଗତମୋହନ, ତୁମେ ଯାହା କରୁଛ, ଏଥିରେ କିଛି ପୌରୁଷ ନାହିଁ । ସେ ଯେବେ ଅବଳା ଯୁବତୀ ହୋଇ ନ ଥା’ନ୍ତା, ହୁଏତ ଯଶ ହୁଅନ୍ତା ।
ଝୁରୁଥାଅ ବସି କୁଞ୍ଜବନେ ପଶିଯାହା ଅଙ୍ଗ ସଙ୍ଗ ଲଭିବାକୁଝସକେତୁ ବାଣ ଘାତରେ ପରାଣଯିବା ବେଳେ ଦୟା ନାହିଁ ତାକୁଝାଡ଼ ବିନୋଦ ହେ ଝିମିଣ୍ଟକେ କଥା ଅଛି ଆଉଝଲକା ବରନା ଝଳି ଗଉରୀକିଦେଖ ଯା ଜୀବନେ ଥାଉଁ ଥାଉଁ ।୯।ନବ ଚନ୍ଦ୍ରକଳା ପ୍ରାୟେକ ଅବଳାପଡ଼ିଛି ଅବନୀ ଶୟନରେନେତ୍ରୁ ନୀର ଆସି, ପଡ଼ୁଅଛି ଖସିନିଦ୍ରା ନ ମାଡ଼ଇ ନୟନରେନନ୍ଦ ନନ୍ଦନ ହେ, ନୋହୁଛି ତାହାର କି ବେଦନାନିର୍ମଳ ହୃଦରେ ତୁମ୍ଭଙ୍କୁ ଭଜୁଛିଫଳ ଫଳିବାର ଏହି ସିନା ।୧୦।ଟେକି ଯେ ଥିଲୁ କରୁଣାସିନ୍ଧୁ ବୋଲିଏବେ ତ ହୋଇଲା ବିପରୀତଟଙ୍କଧର ରିପୁ ବିପତ୍ତି ସମୟେଟିକାଏ ଦ୍ରବିଲା ନାହିଁ ଚିତ୍ତଟାଣ ଭାଙ୍ଗିଲ ହେ, ଯେତେରୂପେ କରିଥିଲୁ ଆଶଟାହି ନମଣି ବିଜୟେ କର ଏବେବିଳମ୍ବ ନ କରି ପୀତବାସ ।୧୧।ଠାଠିକ କରି ଶୁଣିଣ ଦୂତୀବାଣୀମନ୍ଦମନ୍ଦ ହୋଇ ହସିକରିଠାକୁରାଣୀଙ୍କ ପୁରେ ଯାଇଁ ପ୍ରବେଶହୋଇଲେ ଦୂତୀକା କର ଧରିସେ ଯେ ଚନ୍ଦ୍ରମୁଖୀ, ଠାକୁର ଶ୍ରୀମୁଖ ଦରଶନେଠିକ ହୋଇ ସବୁ ଯେତେ ଭୋଗମାନପ୍ରବେଶ ହୋଇଲା ଆସି ମନେ ।୧୨।
ଭାବାର୍ଥ- (୯-୧୨) କୁଞ୍ଜବନରେ ପଶି ଯାହାଙ୍କ ଅଙ୍ଗସଙ୍ଗ ପାଇବାକୁ ଝୁରୁଥାଅ, ସେ ଏବେ କନ୍ଦର୍ପର ବାଣ ଆଘାତରେ କଲବଲ ହେଉଛି । ତା ପ୍ରାଣ ଯାଉଛି । ଏ ସମୟରେ ତା’ ପ୍ରତି ତୁମର ଦୟା ନାହିଁ ? ଜୀବନରେ ଥାଉଁ ଥାଉଁ ଝଲକ ବରନାକୁ ଦେଖିବାକୁ ଯାଅ ।
ନବ ଚନ୍ଦ୍ରକଳାପ୍ରାୟ ସେଇ ଅବଳା ମାଟି ଉପରେ ଶୋଇ ରହୁଛି । ଆଖିରୁ ଲୁହ ଝରି ତଳେ ପଡ଼ୁଛି । ତା’ ଆଖିକୁ ନିଦ ଆସୁନି । ହେ ନନ୍ଦନନ୍ଦନ, ତା’ର ବିରହ ବେଦନା କେତେ ନ ହେଉଛି ? ତୁମକୁ ନିର୍ମଳ ହୃଦୟରେ ମୁଁ ନିବେଦନ ଜଣାଉଛି, ତାକୁ ଏ ବିପତ୍ତିରୁ ଉଦ୍ଧାର କର ।
କରୁଣାସିନ୍ଧୁ ବୋଲି ଗର୍ବରେ ଡାକ ଦେଉଛ । ଏବେ ତ ତାହା ବିପରୀତ ହେଲା । ଶିବ (ଟଙ୍କଧର)ଙ୍କ ଶତ୍ରୁ କାମଦେବ ଏହିଭଳି ବିପତ୍ତି ସମୟରେ ତା’ ମନକୁ ସମାନ୍ୟ ମାତ୍ର ଦ୍ରବାଇଲା ନାହିଁ । ହେ କୃଷ୍ଣ, ତା’ର ଗର୍ବ ଭାଙ୍ଗି ଦେଲ । ଏହାକୁ ଟାହିଟାପରା ନ ଭାବି, ବିଳମ୍ବ ନ କରି ଶୀଘ୍ର ରାଧା ପାଖକୁ ଯାଅ ।
ଦୂତୀଠାରୁ ସମସ୍ତ ବୃତ୍ତାନ୍ତ ଶୁଣି କୃଷ୍ଣ ମୃଦୁ ଭାବରେ ହସି ହସି ଦୂତୀର ହାତ ଧରି ରାଧାଙ୍କ ପୁରରେ ପ୍ରବେଶ କଲେ । କୃଷ୍ଣଙ୍କ ମୁଖ ଦର୍ଶନ କରି ଚନ୍ଦ୍ରମୁଖୀ ରାଧା ତାଙ୍କ ମନରେ ଯେତେ ସବୁ ରାଗ ଥିଲା, ଦେଖାଇଲେ ।
ଡୋଳା ପ୍ରତିମା ଡାଳିମ୍ବ ଜୀବଦନ୍ତୀଡମ୍ବରୁ ମଧ୍ୟାର ଦେଖି କ୍ରୋଧଡକା କରୁଁ କାମ ସ୍ଥିର ନୋହି ଶ୍ୟାମକରନ୍ତି ତାହାକୁ ଧୀରେ ବୋଧଡୋଳା ମଣ୍ଡନୀରେ, କରିନାହିଁ କିଛି ଅପରାଧଡମ୍ବରୁ ଧର ଅଇରି ବିଶିଖରେନ ଦିଆଅ ଆଉ ମୋତେ ଖୋଜ ।୧୩।ଢମ କହୁନାହିଁ ତୋହବିନୁ କେହିଆଉ ନାହିଁ ମୋର ପ୍ରତିକାରଢାଙ୍କି ପକ୍ଷ୍ମ ଆନନକୁ ତ ନ ଚାହୁଁଏଥକୁ ବନ୍ଧୁ ନିରାଶ ମୋରଢଳ ନୟନୀରେ, ଢାଳେ ହସି ଚାହଁ ମୋତେ ଥରେଧକ୍କା ଦିଆଇ କାମଦେବ ଡାକଇଡରେ ମୁଁ ଜଣାଏ ବାରେବାରେ ।୧୪।ଅନଳପ୍ରାୟେ ଜନମ ସ୍ଥାନ ଦହେବିଚାର ନକରି ଯେଉଁ କାମଅନୁଭବୀ ହୋଇ ନବୁଝୁ କିପାଁଇବିଫଳ ହେବ କି ଦାସ ଶ୍ରମଆରେ ନାରୀମଣି, ଆହୁରି କଥାଏ ଅଛି ପୁଣିଆମ୍ଭ ଦୁହିଁଙ୍କିତ ବଳି ମାପୁଅଛିପାଇଲେ ହେଁ ଯିବ ଏହି କ୍ଷଣ ।୧୫।ତାହାର ବଇରି ମୁଁ ସହଜେ ତୋତେମାଗୁଛି ବଳି ଦେବାକୁ ତାକୁତୁହିତ କୃପଣ ନ ଦେବାରୁ ସରିହେଲୁ ବାମଦେବ ମାର୍ଗଣକୁତୋ ପ୍ରସନ୍ନରୁ, ତାହ ସୁନ୍ଦରୀକୁ ସେହି ପାଉତ୍ରିବଳୀ ଶୋଭିନୀ ତ୍ରୈଲୋକ୍ୟ ମୋହିନୀମୋର ମନୋରଥ ପୂର୍ଣ୍ଣ ହେଉ ।୧୬।
ଭାବାର୍ଥ- (୧୩-୧୬) ଡୋଳା ପ୍ରତିମା, ଡାଳିମ୍ବ ବୀଜଦନ୍ତୀ, ଡମ୍ବରୁ ମଧ୍ୟା ରାଧାଙ୍କର କ୍ରୋଧ ଦେଖି କୃଷ୍ଣ ତାଙ୍କୁ ଧୀର ଭାବରେ ବୁଝାଇଲେ, ରେ ଡୋଳା ମଣ୍ଡନା, ମୋ ଉପରେ କ୍ରୋଧ ହୁଅ ନାହିଁ । ମୁଁ କିଛି ଅପରାଧ କରିନାହିଁ । କାମର ଶରରେ ମୋତେ ଆଉ ଜର୍ଜରିତ କରନା ।
ରେ ସୁନ୍ଦରି, ତୋ ବିନା ମୋର ଅନ୍ୟ କେହି ନାହିଁ । ଏହାଛଡ଼ା ମୋର ଅନ୍ୟ ଉପାୟ ବି ନାହିଁ । ଏ କଥା ମୁଁ ଢମ କରି କହୁନାହିଁ । ତୁ ରାଗରେ ମୋ ମୁହଁକୁ ଚାହୁଁ ନାହୁଁ । ତୋ ମୁହଁକୁ ଢାଙ୍କି ଦେଉଛୁ । ଏଥିରେ ମୁଁ ନିରାଶ ହୋଇ ପଡ଼ିଛି । ରେ ଢଳ ନୟନି, ମୋତେ ଚାହିଁ ଥରେ ହସି ଦେ । କନ୍ଦର୍ପ ମୋତେ ବାରମ୍ବାର ଧକ୍କା ଦେଉଛି, ତେଣୁ ମୁଁ ତୋତେ ବାରମ୍ବାର ଏହା ଜଣାଉଛି ।
ନିଷ୍ଠୁର ଭାବେ କନ୍ଦର୍ପ ମୋତେ ଅଗ୍ନିପ୍ରାୟ ଦହନ କରୁଛି । ତୁ ନିଜେ ଅନୁଭବୀ ଅଥଚ ମୋର ଯନ୍ତ୍ରଣା ବୁଝୁନାହୁଁ କିମିତି ? ମୁଁ ଭାବୁଛି, ଏ ଦାସର ପରିଶ୍ରମ ବୃଥା ହୋଇଛିକି ? ରେ ନାରୀ ଶିରୋମଣି, ଆହୁରି କଥାଏ କହୁଛି, ଆମ ଦୁହିଁଙ୍କର ମିଳନ ହେଲେ ଏ ଯନ୍ତ୍ରଣା ଏହିକ୍ଷଣି ଚାଲିଯିବ-।
କନ୍ଦର୍ପ ପରି ମୁଁ ସହଜରେ ତୋର ବଇରୀ ସାଜିଛି, ତାକୁ ବଳି ଦେବାକୁ ମୁଁ ତୋତେ ମାଗୁଛି । ତୁ କୃପଣ ପରି ହୁଅନା । ତୋର ପ୍ରସନ୍ନରୁ, ତା’ର ସୁନ୍ଦରୀକୁ ସେ ପାଉ । ରେ ତ୍ରିବଳୀ ଶୋଭିନ, ତ୍ରୈଲୋକ୍ୟମୋହିନ, ମୋର ମନୋରଥ ପୂର୍ଣ୍ଣ କରିବାରେ ତୁ ସହାୟ ହୁଅ ।
ଥିର ଗମନା କାମଦେବ ମହିଁମାଜାଣି ନାହୁଁ କି ତୁ ଥୟ କରିସ୍ଥାଣୁ ନୟନ ଅନଳେ ପୋଡ଼ିଦେଲେଅର୍ଦ୍ଧ ସଙ୍ଗେ ବୁହାଇଲା ନାରୀଥିରା ମଣ୍ଡନାରେ ଥରେ ଥରେ କେତେ ଦେଉ ଦଣ୍ଡଥୟକରି କହି ନୁହେଁ ପ୍ରାଣସହୀଦହି ହୋଇଯାଏ ପ୍ରାଣପିଣ୍ଡ ।୧୭।ଦୟା ଜଳନିଧି ହୋଇ ଏ କି ବୁଦ୍ଧିଦୂର କର ମନୁ ଅଭିମାନଦାସଜନ ଦୋଷ କ୍ଷମା ପଉରୁଷେପ୍ରଭୁ ପଣ ହେଉ କୀରିତନଦୁଃଖ ନାଶିନୀରେ ଅମୃତ ହିଁ ସିନା ପ୍ରାଣେଶ୍ୱରୀଦ୍ୱିଜରାଜ ମୁହୀଁ ନେତ୍ର କୋଣେ ଚାହିଁହସ ହସ ହେଲେ ଯିବି ତରି ।୧୮।ଧିକ ବଞ୍ଚିବାର ମୋର ଯାହା ତୋରଦେଖିଲି ଶ୍ରୀଅଙ୍ଗ ଆଭୂଷଣଧାତା ଏହା କଲା ପ୍ରାଣ ତ ନ ଗଲାମୋ ଛାର ପାଇଁ ତୋ ଏ କଷଣଧୃତି ଧ୍ୱନିରେ, ଧୀରେ ଆଜ୍ଞା ଦିଅ ମୃଦୁ ଗିରେଧ୍ରୁବ ଲୋକଙ୍କୁ ଚହଟି ଯାଉ ଯଶପରିଜନ ବତ୍ସଳାର ଖରେ ।୧୯।ନାଗରୀ ରତନ ମୋ ବିନୟ ଘେନନକର ନିରାଶ ଘନକେଶିନିର୍ମଳ ମୋତିଦଶନୀ ବିମ୍ବାଧରୀମତ୍ତକଳକଣ୍ଠି ନୀଳଭାଷୀନୀଳ କୁନ୍ତଳାରେ, ନିଶ୍ଚେଁ ରୋଷ କଲୁ ଯେବେ ମୋତେନଖ କରତରେ ପଛେ କରତରେମଦନ ବଇରୀ ନୋହୁ ମୋତେ ।୨୦।ପ୍ରଭୁପଣ ଥାଉଁ ଦଣ୍ଡକୁ ଦିଆଉପର ହାତେ ଏ ତ ଅସୁନ୍ଦରପିକଭାଷୀ ବାହୁ ପାଖେ ବାନ୍ଧି ଦାଉସାଧୁ ନଦି କୁଚ ଗିରିବରପ୍ରାଣ ବାନ୍ଧବୀରେ, ପାରିଲେ ନେତ୍ରାନ୍ତ କୁନ୍ତ ମୋରପଶୁଛି ଶରଣ ସୁରଙ୍ଗ ଚରଣତଳେ ଯାହା ଇଚ୍ଛା ତାହା କର ।୨୧।
ଭାବାର୍ଥ- (୧୭-୨୧) ରେ ଧିର ଗମନା, ତୁ କ’ଣ କାମଦେବର ମହିମା ଜାଣିନାହୁଁ ? ଶିବ (ସ୍ଥାଣୁ)ଙ୍କ କୋପାନଳରେ ସେ ଜଳିଗଲା । ରେ ଧିର ମଣ୍ଡନା, ଥରେ ଥରେ ମୋତେ କେତେ ଦଣ୍ଡ ଦେଉଛୁ ? ରେ ପ୍ରାଣସହି, ମୋର ଏ ବିରହ ଦୁଃଖ କହି ହେଉନାହିଁ, ପିଣ୍ଡରୁ ପ୍ରାଣ ଯେମିତି ଚାଲିଯାଉଛି ।
ରେ ପ୍ରାଣସହି, ତୁ ଦୟାର ସାଗର ହୋଇ ଏ ବୁଦ୍ଧି କାହିଁକି ଧରୁଛୁ ? ମନରୁ ଅଭିମାନକୁ ଦୂର କର । ଏ ଦାସର ଦୋଷ କ୍ଷମା କର । ପ୍ରଭୁପଣର ପୌରୁଷ ଖ୍ୟାତ ହେଉ । ରେ ଦୁଃଖ ନାଶିନି, ତୁ ଅମୃତରେ ପରିପୂର୍ଣ୍ଣ । ରେ ଚନ୍ଦ୍ରମଖୀ, ତୁ ତୋ ନେତ୍ରକୋଣରେ ହସହସ ହୋଇ ଟିକିଏ ଚାହାଁ, ତା’ ହେଲେ ମୁଁ ତରିଯିବି ।
ରେ ପ୍ରାଣସହି, ତୋ ଅଙ୍ଗଭୂଷଣ କଦାକାର ଦେଖି ମୋତେ ଦୁଃଖି ମୋତେ ଦୁଃଖ ଲାଗୁଛି । ମୋ ଜୀବନ ଧିକ୍, ତୋର ଏ ଅବସ୍ଥା ଯାହା ଦେଖିଲି । ଧାତା ଏମିତି କରିଛି । ପ୍ରାଣ ଯାହା ଯାଉନାହିଁ । ମୋ ଭଳି ଛାର ପାଇଁ ତୁ ଏ କଷଣ ଭୋଗୁଛୁ । ତୁ ମୋତେ କୋମଳ ବାକ୍ୟରେ ଆଜ୍ଞା ଦେ । ତୋର ଯଶ ରହିବ । ଧ୍ରୁବ ଲୋକକୁ ଏହା ବ୍ୟାପିଯିବ । ତୁ ଦାସ ବତ୍ସଳା ବୋଲି ଜଗତ ଲୋକେ ଧନ୍ୟ କରିବେ ।
ରେ ନାଗରୀ ରତନ, ମୋ ବିନତି ଶୁଣ, ରେ ଘନ କେଶି, ମୋତେ ନିରାଶ କର ନାହିଁ । ରେ ନିର୍ମଳ ମୋତିଦଶନୀ, ବିମ୍ବାଧରୀ, ମତ୍ତକଳକଣ୍ଠୀ, ପିକଭାଷୀ, ନୀଳକୁନ୍ତଳା, ମୁଁ ଭାବୁଛି, ମୋ ଉପରେ ତୁ ନିଶ୍ଚୟ ରାଗିଛୁ । ନଖକରତରେ ଓ ପରେ କରତରେ ମୋତେ କନ୍ଦର୍ପ ପରି ବଇରୀ ଭାବରେ କଷଣ ଦିଅନା ।
ରେ ପ୍ରିୟା, ପ୍ରଭୁପଣ ଥାଉଁ ଥାଉଁ ପର ହାତରେ ମୋତେ ଦଣ୍ଡ ଦିଅ ନା । ଇଏ ବଡ଼ ଅସୁନ୍ଦର କଥା ହେବ । ରେ ପିକଭାଷି ବାହୁ ପାଖରେ ବାନ୍ଧି ଦାଉ ସାଧୁଛୁ । ତା’ ଉପରେ ପୁଣି ବକ୍ଷୋଜ ଲଦି ଦେଉଛୁ । ରେ ପ୍ରାଣବନ୍ଧବୀ, ତୋ ପାଖରେ ଶରଣ ପଶୁଛି, ଯାହା ଇଚ୍ଛା ତାହା କର-।
ଫୁଲାଇ ଅଧର ନାସା ନାସାମଣିଝୁଲାଇ ରଚି ଭ୍ରୂବଲ୍ମୀ ଲୀଳାଫେଡ଼ି ନ କହିଲେ ହସି ଦେଇ ତିଳେଖେଳାଇ ଦେ ନେତ୍ର ଅନ୍ତେଡ଼ୋଳାଫନ୍ଦାଧନ ଆସ, କହି ଧରୁଁ ପାଦ ତାମରସଫୁଟିଗଲା ମାନ କଳିକା ବହନଚହଟିଲା ସେନେହ ସୁବାସ ।୨୨।ବଢ଼ିଲା ବେନି ଜନଙ୍କ ରତିରସବେଳକୁ ବେଳ ବିବିଧ ରଙ୍ଗେବନ ସୁନ୍ଦର ଦିଶିଲା ବେନିଅଙ୍ଗଇନ୍ଦ୍ର ନୀଳମଣି ହେମ ସଙ୍ଗେବନମାଳୀ ଅଙ୍ଗ, ନବ ଜଳଧର କୋଳେ ଥାଇବିଧିୁମୁଖୀ ଘଟ ବିଜୁଳି ଚହଟଝଟଝଟ ହୋଇ ବିରାଜଇ ।୨୩।ଭାସନ୍ତି ନାନା ପ୍ରକାର ଚାଟୁବାଣୀନବ ଜଳଧର ପ୍ରାୟମଣିଭୋଳହୋଇ ଘନରସ ବରଷନ୍ତିବଢ଼େ ମହାସୁଖ ତରଙ୍ଗିଣୀଭାଜେ ଜ୍ଞାନବନ୍ଧୁ, ଭୁଷୁଡ଼ି ପଡ଼ଇ ଧୈର୍ଯ୍ୟ ତଟଭାସିଯାଏ ଲାଜ ତଟତରୁ କାହିଁଖୋଜିଲେ ଲୋଡ଼ିଲେ ନୁହେ ଭେଟ ।୨୪।ମହୀମଣ୍ଡଳୀ ମାଧବ ରତିରସକବି ତୁଣ୍ଡ ଶାସ୍ତ୍ରେ ନୁହେ ଶେଷମହା ହରଷରେ ରାଧାକୃଷ୍ଣ ବେନିଚନ୍ଦ୍ର କିରଣରେ ପରବେଶମହୀ ଶୋଭିନୀକି, ମଦନମୋହନ କଲେ ବେଶମନୋହର କରୀ କବରୀ ଖଞ୍ଜିଲେପିନ୍ଧାଇଲେ ଚାରୁ ଝୀନବାସ ।୨୫।ଯତନ କରିଣ ଅର୍ଦ୍ଧ କପାଳରେସୁନ୍ଦର ସିନ୍ଦୂର ବିନ୍ଦୁଦେଲେଜ୍ୟୋତିବର ମୋତି ବସଣୀ ନାସାରେକର୍ଣ୍ଣରେ କୁଣ୍ଡଳ ଶୋଭାକଲେତମ୍ବୁ ନଦ ମାଳା, କମ୍ବୁ କଣ୍ଠୀ କଣ୍ଠେ ଦେଲେ ଖଞ୍ଜିଜଳଦ କରେ ତାଡ଼ ଆଦି ପିନ୍ଧାଇରମଣୀ ରତନ ମନ ରଞ୍ଜି ।୨୬।ରଚିଲେ ଖଞ୍ଜନ ନୟନେ ଅଞ୍ଜନଚତୁଃସମ ନେଇ ଅଙ୍ଗେ ବୋଳିରଙ୍ଗାଧର ରଙ୍ଗ ତାମ୍ବୁଳେ ଚଢ଼ାଇଦର୍ପଣ ଧଇଲେ ବନମାଳୀରଙ୍ଗେ ହସିକରି ବୋଇଲେ ମୋ ସେବା ଏହି ସିନାରସ ଭାଷ ଶୁଣି ଲାଜ ହାସମିଶାଲପନ ପୋତିଲେ ଚନ୍ଦ୍ରାନନା ।୨୭।
ଭାବାର୍ଥ- (୨୨-୨୭) ରାଧା ଓଷ୍ଠକୁ ଫୁଲାଇ, ନାକର ନାସାମଣିକୁ ଝୁଲାଇ ଭ୍ରୂଲତା ଉପରକୁ ଟେକିଲେ । କୃଷ୍ଣ କିଛି ନ କହି ସାମାନ୍ୟ ହସିଲେ । ତା’ ପରେ ହେ ଧନ ଆସ କହି ରାଧାଙ୍କ ପାଦ ଧରିଲେ । ତତ୍କ୍ଷଣାତ୍ ମାନ-କଳିକା ବା ମାନରୂପକ କଢ଼ ଫୁଟିଗଲା । ଚାରିଆଡ଼େ ସ୍ନେହର ସୁବାସ ଚହଟି ଗଲା ।
ରାଧାକୃଷ୍ଣଙ୍କ ମଧ୍ୟରେ ପ୍ରେମ ରସ ବଢ଼ିଲା । ବେଳକୁ ବେଳ ବିବିଧ ରଙ୍ଗରେ ସେମାନେ ମାତିଲେ । ଇନ୍ଦ୍ରନୀଳମଣି ସହିତ ସୁବର୍ଣ୍ଣ ମିଶି ଯେପରି ଶୋଭା ଦିଶେ ସେ ନୁହେଁ ସେମିତି ଦିଶିଲେ-। ବନଭୂମି ସୁନ୍ଦର ଦିଶିଲା । ଶ୍ରୀକୃଷ୍ଣଙ୍କ ଅଙ୍ଗ ନୂଆ ମେଘ କୋଳରେ ଥାଇ ଚନ୍ଦ୍ରମୁଖୀ ରାଧା ବିଜୁଳି ପରି ଝଟକିଲେ ।
କୃଷ୍ଣ, ରାଧାଙ୍କୁ ଅନେକ ଚାଟୂ କରି କହିଲେ । ଏହା ଘନ ରସପ୍ରାୟ ହୋଇ ବର୍ଷିଲା । ମହସୁଖର ତରଙ୍ଗିଣୀଟିଏ ସୃଷ୍ଟିହେଲା ଯେମିତି । ଜ୍ଞାନ ହଜିଗଲା, ଧୈର୍ଯ୍ୟ ବନ୍ଧ ଭାଙ୍ଗିଗଲା । ସେଥିରେ ଲାଜ ଭାସିଗଲା । ଦୁହେଁ ଦୁହିଁଙ୍କୁ ଖୋଜିଲେ, ଲୋଡ଼ିଲେ କିନ୍ତୁ କେହି କାହାକୁ ପାଇଲେ ନାହିଁ ।
ରାଧା କୃଷ୍ଣଙ୍କ ପ୍ରେମ ରସ କବି ବର୍ଣ୍ଣି ପାରିବେ ନାହିଁ । ଦୁଇ ପ୍ରେମୀ ଚନ୍ଦ୍ର କିରଣରେ ମହା ଆନନ୍ଦରେ ସମୟ କାଟିଲେ । ରାଧାଙ୍କୁ କୃଷ୍ଣ ବେଶ କରାଇଲେ । ସୁନ୍ଦର କବରୀ ଖଞ୍ଜିଲେ, ଝୀନବାସ ପିନ୍ଧାଇଲେ ।
ଯତ୍ନର ସହିତ ରାଧାଙ୍କ ଅର୍ଦ୍ଧକପାଳରେ ସିନ୍ଦୂରବିନ୍ଦୁ ଦେଲେ । ନାକରେ ମୋତି, କାନରେ କୁଣ୍ଡଳ, କଣ୍ଠରେ କମ୍ବୁକଣ୍ଠି ମାଳ ଖଞ୍ଜିଲେ । ବାହୁରେ ତାଡ଼ ପିନ୍ଧାଇ ରାଧାଙ୍କ ମନକୁ ତୋଷ କଲେ ।
କୃଷ୍ଣ, ରାଧାଙ୍କ ନୟନରେ ଅଞ୍ଜନ ଲଗାଇ ଶରୀରରେ କର୍ପୂର ଚନ୍ଦନ ବୋଳିଲେ । ପାନଖିଲ ଦେଇ, ହାତରେ ସେ ଦର୍ପଣ ଧରିଲେ । ହସି କରି କହିଲେ- ମୋର ଏଇ ସେବା ତୁମପାଇଁ । କୃଷ୍ଣଙ୍କ ରସପୂର୍ଣ୍ଣ କଥା ଶୁଣି ଲାଜମିଶା ହସି ମୁଖ ତଳକୁ ତଳକୁ କଲେ ।
ଲାବଣ୍ୟ ନିଧିକି ଅଙ୍କଗତେ ରଖିରଙ୍କ ରତନ କି ଘେନି ତୋଷଲଗାଇ ଉରକୁ ଆଉଜାଇ ତାଙ୍କୁଆଲଟ ଧଇଲେ ପୀତବାସଲଭି ଏହି ସେନା, ଲୀଳାବତୀ ବାସୁଦେବ ଲୋଭାପ୍ରଜ୍ଜ୍ୱଳିତ ସ୍ୱର୍ଣ୍ଣପ୍ରତିମା ପଛେ କିନୀଳମଣି ତନୁ ଦିଶେ ଶୋଭା ।୨୮।ବୋଲନ୍ତି ଶ୍ରୀହରି ଶୁଣ ପ୍ରାଣସଖୀଚିତ୍ତେ ଦୟା କରିଥିବୁ ମୋତେବିକି ଦେଲା ଦାସ ଜନଠାରେ ରୋଷନ ଧରିବୁ ଆଉ କଦାଚିତେବିଧୁ ବଦନୀରେ, ବେଭାରେ ତୁ ମୋର ପ୍ରାଣଧନବ୍ରଜପୁରେ ଥିଲେ ବୃନ୍ଦାବନ ଗଲେଏକା ଜପୁଥାଏ ତୋର ଧ୍ୟାନ ।୨୯।ଶୁଣି ନାରୀମଣି କୃତ କୃତ୍ୟେ ଭଣିଅନୁଗ୍ରହେ ଡାକ ବନ୍ଧୁ କରିସ୍ୱଭାବେ ସୁମନା ସ୍ତ୍ରିରୀପାତି ସିନାତୁମ୍ଭେ ଅଟ ଭୋଗେ ଅଧିକାରୀଶ୍ୟାମ ସୁନ୍ଦର ହେ, ମଦନ ମୋହନ ବେଣୁଧରସଦ୍ୟ କିଣାଦାସୀ ବେଗେ ହେଲେ ତୋଷୀକ୍ଷମାନିଧି ଡାକି ଘେନିବାର ।୩୦।ସ୍ୱଭାବେ ମୋର ନୟନ ପ୍ରଭୁ ତୁମ୍ଭେତୁମ୍ଭ ବିନୁ ନ ଜାଣଇ ଆନସଙ୍ଗ ଭଙ୍ଗ ହେଲେ ଜ୍ଞାନ ନ ରହଇଜଳ ଅଭାବରେ ଯେହ୍ନେ ମୀନସୁଧା ସାଗର ହେ, ଶୋଭା ସ୍ନେହ ଗୁଣେ ବଶ ହୋଇସତ କହୁଛି ନ ବାଧଇ ଗଞ୍ଜଣାତୁମ୍ଭ ଶ୍ରୀମୁଖକୁ ଦେଲେ ଚାହିଁ ।୩୧।
ଭାବାର୍ଥ- (୨୮-୩୧) ରାଧାଙ୍କୁ କୋଳରେ ଧରି କୃଷ୍ଣ ଆନନ୍ଦରେ ଛାତିରେ ଆଉଜାଇ ନେଲେ ଓ ଆଲଟ ଧରିଲେ । ରାଧାକୃଷ୍ଣ ଶୋଭା ପାଇଲେ । ମନେ ହେଲା ପ୍ରଜ୍ଜଳିତ ସ୍ୱର୍ଣ୍ଣ ପ୍ରତିମା ପଛରେ ଯେମିତି ନୀଳମଣି ତନୁ ଶୋଭା ପାଉଛି । କୃଷ୍ଣ କହିଲେ- ହେ ପ୍ରାଣସଖି, ମନ ମଧ୍ୟରେ ମୋ ପ୍ରତି ଦୟା ରଖିଥିବୁ । ବିକା ହୋଇଥିବା ଦାସ ଜନଠାରେ କଦାପି ରୋଷ କରିବୁ ନାହିଁ । ରେ ଚନ୍ଦ୍ରମୁଖୀ, ତୁ ତ ମୋର ପ୍ରାଣଧନ, ବ୍ରଜପୁର ବା ମଥୁରାପୁର ଗଲେ ତୋତେ ଧ୍ୟାନ କରୁଥାଏ । ଏହା ଶୁଣି ରାଧା କୃତକୃତ୍ୟ ହେଲେ । କହିଲେ, ହେ ଶ୍ୟାମସୁନ୍ଦର, ବେଣୁଧର । ମୁଁ ତୁମର ସଦ୍ୟ କିଣାଦାସୀ । ତୁମେ ତ କ୍ଷମାନିଧି ।
ସ୍ୱଭାବରେ ତୁମେ ମୋର ଚକ୍ଷୁ । ତୁମ ବିନା ମୁଁ ଅନ୍ୟ କିଛି ଜାଣେ ନାହିଁ । ସଙ୍ଗଭଙ୍ଗ ହେଲେ ଜ୍ଞାନଭ୍ରଷ୍ଟ ହୁଏ । ଯେମିତି ଜଳ ବିନା ମାଛର ଅବସ୍ଥା ହୋଇଥାଏ । ହେ ସୁଧାସାଗର, ଶୋଭା ସ୍ନେହ ଗୁଣରେ ବଶ ହୋଇ ସତ କହୁଛି, ତୁମ୍ଭ ଶ୍ରୀମୁଖକୁ ଚାହିଁ ଦେଲେ ଗଞ୍ଜଣା ବାଧୁନାହିଁ-।
ଶ୍ରୀହରି ଯେ ହସି ଭାସିଲେ ସୁବେଶୀଚତୁରୀ ରମଣୀ ଶିରୋମଣିସବୁ ଚାତୁରୀ ତୋ ଦେହେ ଅଛି ପୂରିଘେନା ଘେନିଲେ କି ହେବ ଜିଣିସୁଖଦାୟିନୀରେ, ସନ୍ତୋଷେ ମେଲାଣି ଦିଅ ମୋତେସଲଜ୍ଜ ହୋଇ ରମଣୀ ରତ୍ନ ବୋଲେଏହି ଅନୁଗ୍ରହ ଥିବ ଚିତ୍ତେ ।୩୨।ହଂସଗମନୀ ହରିଙ୍କି ଏତେ କହିହାସ ଭାଷ କଉତୁକ ରସେହସ୍ତେ ହସ୍ତ ଦେଇ ମନ୍ଦ ମନ୍ଦ ହୋଇଗଲେ ପୁରଯାଏ ମତି ତୋଷହର ବ୍ରହ୍ମାଯାଇ ଭେଟକୁ ନ ପାନ୍ତି ଅବକାଶହାରପରା ତାଙ୍କ ଗଳା ମାଳା ହୋଇଗୋପୀମାନେ କରିଛନ୍ତି ବଶ ।୩୩।କ୍ଷିତି ମଧ୍ୟେ ସାର କୃଷ୍ଣ ଅବତାରବରଜ ଯୁବତୀ ସଙ୍ଗେ ଲୀଳାଛଇଳ ଜନମାନଙ୍କ ଚିନ୍ତାମଣିଭକତ ଜନଙ୍କ କଣ୍ଠମାଳାଛାତି ସର୍ବ ରସ, ରଜନୀ ଦିବସ ନିରନ୍ତରେକ୍ଷମେ ଶ୍ରୀନନ୍ଦ ନନ୍ଦନ ଚିନ୍ତାକରେଦୀନ କୃଷ୍ଣ ଦାସ ମାନସରେ ।୩୪।
ଭାବାର୍ଥ- (୩୨-୩୪) କୃଷ୍ଣ ହସି କରି କହିଲେ- ରେ ସୁକେଶୀ, ସବୁ ଚାତୁରୀ ତୋ ଦେହରେ ପୂରିଛି । ରେ ସୁଖଦାୟିନି, ମୋତେ ସନ୍ତୋଷରେ ମେଲାଣି ଦିଅ । ଏହା ଶୁଣି ରାଧା କହିଲେ- ଏହି ଅନୁଗ୍ରହ ମନରେ ଥାଉ ।
ରାଧା ଏହି କଥା କୃଷ୍ଣଙ୍କୁ କହି ହସ ହସ ମୁଖରେ ପୁରକୁ ଫେରିଗଲେ । ହରବ୍ରହ୍ମା ଯାହାକୁ ସାକ୍ଷାତ କରିପାରନ୍ତି ନାହିଁ, ଗୋପୀମାନେ ତାଙ୍କୁ ହାର ପରି ବଶ କରିଛନ୍ତି ।
ଜଗତ ମଧ୍ୟରେ କୃଷ୍ଣ ଅବତାର ଶ୍ରେଷ୍ଠ । ସେ ଏବେ ବ୍ରଜ ରମଣୀଙ୍କ ସହ ଲୀଳା କରୁଛନ୍ତି । ସେ ଛଇଳଜନଙ୍କ ଚିନ୍ତାମଣି ଓ ଭକ୍ତଙ୍କ କଣ୍ଠମାଳା । ସର୍ବରସ ଛାଡ଼ି ରାତିଦିନ ଶ୍ରୀକୃଷ୍ଣଙ୍କ ଚିନ୍ତାରେ କବି ମନ ଧ୍ୟାନ ଦେଇଛନ୍ତି ।
ଓଗାଳ ଖଣ୍ଡ ପ୍ରଥମ ଭାଗଅଚ୍ୟୁତାନନ୍ଦ ଦାସ ଅଚ୍ୟୁତାନନ୍ଦ ଦାସ