ପ୍ରବନ୍ଧ ପୂର୍ଣ୍ଣଚନ୍ଦ୍ର
୧୭୮୧–୧୮୬୬
- ସଂକଳନ: ସାତ କଳା
- ପଢ଼ିବା ସମୟ
- ୮ ମିନିଟ୍
- ଶବ୍ଦ
- ୧୨୭୪
- ସ୍ଥିତି
- ସାର୍ବଜନୀନ (Public domain)
ଏହା ତାଙ୍କର ଦ୍ୱିତୀୟ କାବ୍ୟଗ୍ରନ୍ଥ । ସେ ଗୌଡ଼ୀୟ ଧର୍ମ୍ମଦୀକ୍ଷା ଗ୍ରହଣ କରି ନିଷ୍ପାପ ହେବା ମାନସରେ କୃଷ୍ଣ ଚରିତ ଆରମ୍ଭ କରି ଷୋଡ଼ଶ କଳାରେ ଋକ୍ମିଣୀଙ୍କ ଚରିତକୁ ଲେଖିବାକୁ ଭାବନା କରି ଗ୍ରନ୍ଥର ନାମ ପ୍ରବନ୍ଧ ପୂର୍ଣ୍ଣଚନ୍ଦ୍ର ଦେଇଥିଲେ । ଯେଉଁ ପ୍ରବନ୍ଧ କି କବିତା ପୂର୍ଣ୍ଣଚନ୍ଦ୍ର ପରି ମାଧୁର୍ଯ୍ୟସମ୍ପନ୍ନ ଏବଂ ମନୋହାରୀ, ତାହା ଷୋଳ କଳାରେ ସଂପୂର୍ଣ୍ଣ ହେବ । କିନ୍ତୁ ଆଠ କଳାରେ ରୁକ୍ମଣୀଙ୍କୁ ବିବାହ କରାଇ ସାରି ତେଣିକି କଣ କରିବେ ହୁଏତ ସ୍ଥିର କରି ନ ପାରି ବା ଦାରିଦ୍ର୍ୟର କଷାଘାତରେ କଳ୍ପନା ମଧ୍ୟ ଭୁଲି ଯାଇଛନ୍ତି । ଅନ୍ୟ ଆଠ କଳାରେ ଜରାସନ୍ଧ ବଧଯାଏ ଅଥବା ରୁକ୍ମଣୀଙ୍କ ବିହାର କ୍ରୀଡ଼ା ଆଦି ରସିକ କବି ବର୍ଣ୍ଣନା କରି ସନ୍ତାନସନ୍ତତି ଜନ୍ମ ବିବରଣ ଦେଇଥାନ୍ତେ-। କିନ୍ତୁ ଜଣାଯାଏ ତାହା ସେ ଆଦୌ ଏହି ଆଠ ଛାନ୍ଦ ପରେ ଲେଖି ନାହାନ୍ତି । କାରଣ ତାଙ୍କ ଘରେ ଥିବା ତାଙ୍କ ଲିଖିତ ପୋଥି ଖଣ୍ଡି ଆଠଟି କଳାରେ ସଂପୂର୍ଣ୍ଣ ଅଟେ ।
ପ୍ରବନ୍ଧ ପୂର୍ଣ୍ଣଚନ୍ଦ୍ର ଖଣ୍ଡିକ ସେ ଲେଖିଥିଲେ, ସାହିତ୍ୟକ ଏବଂ କବି ହିସାବରେ ଅତି ଶ୍ରେଷ୍ଠତମ ଆସନ ଯେ ଉତ୍କଳ ସାହିତ୍ୟ କାହିଁକି ବିଶ୍ୱ ସାହିତ୍ୟରେ ଲାଭ କରିଥାନ୍ତେ, ଏହା ନିଃସନ୍ଦେହ । ତାଙ୍କର ରଚନାର ବିଷୟବସ୍ତୁ ପୁରାତନ ଚର୍ବିତ ଚର୍ବିଣ । ତେଣୁ କେହି କହିପାରେ କି ନୂତନତା ସେଥିରେ ଅଛି ? କିନ୍ତୁ ତାଙ୍କର ଏହି ଆଠଟି କଳା ବା ଛାନ୍ଦ ରଚନାର ପ୍ରତିପଦ ଦୁନିଆର ସମସ୍ତ ରଚନାରୁ ସ୍ୱତନ୍ତ୍ରତା ଦାବି କରେ । ତାଙ୍କର ଲେଖନୀ ଭଙ୍ଗି ଏତେ ସ୍ୱତନ୍ତ୍ର ଯେ ତାହା କେଉଁ ସଂସ୍କୃତ ସାହିତ୍ୟ ସହିତ ମଧ୍ୟ ସାମ୍ୟ ରଖି ନ ଥାଏ, ଅବଶ୍ୟ ତାଙ୍କ ରଚନାରେ ଅତ୍ୟଧିକ ଅଦ୍ଭୁତ ରସର ଅଳଙ୍କାର ଦେଖାଯାଏ, ମାଘ କାବ୍ୟ ଅଧ୍ୟୟନ କରି ସେ ଅତ୍ୟଦ୍ଭୁତ ରସ ପ୍ରତି ଅଧିକ ଢଳି ପଡ଼ିଥିଲେ ବୋଲି ଜଣାଯାଏ । ଯାହାହେଲେ ମଧ୍ୟ କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ କାବ୍ୟର ସେ ନିଶ୍ଚୟ ଅନୁସରଣ କରିଛନ୍ତି ।
ପ୍ରବନ୍ଧ ପୂର୍ଣ୍ଣଚନ୍ଦ୍ରର ଆଠଟି କଳା ମଧ୍ୟରୁ ଏହିପରି ବିଷୟବସ୍ତୁ ସୂଚିତ ହୁଏ ।
୧ମ କଳା - ପୁସ୍ତକର ନାମକରଣ ଏବଂ ବିଷ୍ଣୁପଦର ସ୍ୱତନ୍ତ୍ର ମହାତ୍ମ୍ୟ ପୁଣି ଦ୍ୱାରକାପୁରୀର ବର୍ଣ୍ଣନା ଏଥିରେ ରହିଛି । ଏହା ରସକୁଲ୍ୟା ରାଗରେ ୩୬ ପଦରେ ସଂପୂର୍ଣ୍ଣ ।
୨ୟ କଳା - ଦ୍ୱାରକାର ଭାଟ କର୍ତ୍ତୃକ ବିଦର୍ଭର ନଗରୀ କୁଣ୍ଡିକଟକର ମହତ୍ତ୍ୱ ବର୍ଣ୍ଣନା ଏବଂ ବିଦର୍ଭ ରାଜା ଭୀଷ୍ମକଙ୍କ ନିକଟରେ କୃଷ୍ଣଙ୍କର କୀର୍ତ୍ତି, ରୂପ, ଗଠନ ବର୍ଣ୍ଣନାରେ ରୁକ୍ମଣୀଙ୍କର ତାଙ୍କୁ ଭର୍ତ୍ତା ଭାବେ ପାଇବାର ଅଭିଳାଷ । ଏହା ଆଷାଢ଼ ଶୁକ୍ଲ ରାଗରେ ୫୨ ପଦରେ ସମାପ୍ତ ।
୩ୟ କଳା - ଆହାରି ରାଗରେ ୪୪ ପଦରେ ରଚିତ । ବିଦର୍ଭ ଜେମାମଣି ରୁକ୍ମିଣୀଙ୍କର ସଖିଦଳ ସହିତ ବନ ବିହାର ବର୍ଣ୍ଣନା ଏବଂ ଦେବର୍ଷି ନାରଦ ଉକ୍ତ ଜେମାଙ୍କ ସାକ୍ଷାତ ଲଭି କୃଷ୍ଣଙ୍କୁ ବରଭାବରେ ପାଇବାକୁ ତାଙ୍କୁ ଆଶୀର୍ବାଦ ଜ୍ଞାପନ ।
୪ର୍ଥ କଳା - ରାଗ କନଡ଼ା । ୨୨ ପଦରେ ସଂପୂର୍ଣ୍ଣ । କୃଷ୍ଣଙ୍କୁ ଏକ ଉପବନରେ ନାରଦ ଭେଟି, କୌଶଳରେ ତାଙ୍କଠାରେ ରୁକ୍ମିଣୀଙ୍କ ପ୍ରତି ପ୍ରଲୋଭନ ସଂଚାର କରି ବିଦାୟ ନେଲେ ।
୫ମ କଳା - ଚୋଖୀ ରାଗରେ ୩୫ ପଦରେ ଏ କଳାଟି ଲେଖାଯାଇଛି । (ବର୍ଣ୍ଣନା) - ବିଦର୍ଭ ନରପତି ଭୀଷ୍ମକ ନିଜଜେମାଙ୍କ ବିବାହ ପାଇଁ ବ୍ୟଗ୍ର ହେବା ବେଳେ ଏବଂ କୃଷ୍ଣଙ୍କୁ ଜ୍ୱାଇଁ କରିବାକୁ ଇଚ୍ଛା କରନ୍ତେ ତାଙ୍କର ଜ୍ୟେଷ୍ଠପୁତ୍ର ରୁକ୍ମୀ କୃଷ୍ଣଙ୍କର ନିନ୍ଦାକତି ଶିଶୁପାଳଙ୍କୁ ବରଣ କରିବାକୁ ପ୍ରବର୍ତ୍ତାଇଛନ୍ତି । ଫଳରେ ଭୀଷ୍ମକ ପୁତ୍ର ଭୟରେ ନିମନ୍ତ୍ରଣ କରନ୍ତେ ଶିଶୁପାଳ ବରଭାବେ ବିଦର୍ଭକୁ ଆସିଛନ୍ତି । ତା ଦେଖି ରୁକ୍ମିଣୀ କୃଷ୍ଣ ପ୍ରେମରେ ମଜ୍ଜିତ ରହି ଦୁଃଖାଭିଭୂତ ହୋଇ ପଡ଼ିଛନ୍ତି-।
୬ଷ୍ଠ କଳା - କାମୋଦି ରାଗରେ ୩୬ ପଦରେ ସଂପୂର୍ଣ୍ଣ । (ବର୍ଣ୍ଣନା) - ରୁକ୍ମିଣୀ ସଖିମାନଙ୍କ ପ୍ରବର୍ତ୍ତନାରେ ଖଣ୍ଡିଏ ଚିଠି କୃଷ୍ଣଙ୍କୁ ଲେଖିଛନ୍ତି ଏବଂ ତାହା ଜଣେ ବିଶ୍ୱାସୀ ବ୍ରାହ୍ମଣ ନେଇ ଦ୍ୱାରକାରେ ଯଥା ସମୟରେ ପହଞ୍ଚାଇ, କୃଷ୍ଣଙ୍କୁ ରୁକ୍ମିଣୀଙ୍କ ପ୍ରତି ବିଶେଷ ପ୍ରଲୋଭନ ଅଣାଇଛନ୍ତି । ଏପରିକି କୃଷ୍ଣ ଏକାକୀ ରଥ ଏବଂ ସାରଥୀ ସହିତ ବିଦର୍ଭାଭିମୁଖରେ ବାହାରିଛନ୍ତି ।
୭ମ କଳା - କଳହଂସକେଦାର ରାଗରେ ୫୧ ପଦରେ ସଂପୂର୍ଣ୍ଣ । ଏଥିରେ ବର୍ଣ୍ଣିତ ଅଛି ଯେ କୃଷ୍ଣ ଏକାକୀ ବିଦର୍ଭ ଅଭିମୁଖରେ ଚାଲିଯିବା ଖବର ତଦନ୍ତିରୁ ଜାଣି, ବଳରାମ ମହାସମାରୋହରେ ରଥିମାନଙ୍କ ସହିତ ବିଦର୍ଭରେ ପହଞ୍ଚି କୃଷ୍ଣଙ୍କୁ ଭେଟିଛନ୍ତି । ଏବଂ ସେମାନେ ଏକ ଉପବନରେ ବିଶ୍ରାମ କରିଛନ୍ତି । ଏହା ମଧ୍ୟ ଶିଶୁପାଳ, ରୁକ୍ମୀ ଜାଣିପାରିଛନ୍ତି । (ପରଂପରା ଚିତ୍ରଣଠାରୁ କବି ଏଠାରେ ନିଜର ସ୍ୱାତନ୍ତ୍ର୍ୟ ରକ୍ଷାକରି, କୃଷ୍ଣ ଅତ୍ୟନ୍ତ ଗୋପନରେ ରୁକ୍ମଣୀଙ୍କୁ ହରଣ କରି ନେବାକୁ ସମର୍ଥନ କରିନାହାନ୍ତି । ଲୋକଙ୍କ ଜ୍ଞାତସାରରେ ସେ ଆସିଥିବା କଥା ଜଣାଇଁ ଦେଇ କନ୍ୟା ହରଣ କରାଇଛନ୍ତି ।)
ସମ୍ବନ୍ଧିତ ରଚନା
ନାଟ୍ୟରସୂର ଉଦାହରଣ
ଯଦୁମଣି ମହାପାତ୍ର
ଚିଲିକା ହ୍ରଦ
ମଧୁସୂଦନ ରାଓ