ପଞ୍ଚମ ଭାଗ — ଓଗାଳ ଖଣ୍ଡ ପ୍ରଥମ ଭାଗ — ଅଚ୍ୟୁତାନନ୍ଦ ଦାସ · ସ୍ୱର୍ଣ୍ଣଲିପିସମ୍ପୂର୍ଣ୍ଣ ସୂଚୀପତ୍ର
ପଞ୍ଚମ ଭାଗ
ଦୁଧ ବନ୍ଦାଣ ଗୀତଜୟ ଜୟ ଜଗନ୍ନାଥ ଜୟ ମଙ୍ଗଳ ।ହରେ ରାମ ବନ୍ଦଇ ଶ୍ରୀପଦ ଯୁଗଳ ॥
।୧।ଜଗନ୍ନାଥ ନାମ ଦଶ ଦିଗକୁ ସାର ।ଗୋପରେ ହୋଇଲା ବେଳ ଦୁଇ ପ୍ରହର ।ଗୋଗୋଷ୍ଠରୁ ଦୁଧମାନ କଲେ ବାହାର ॥
।୨।ଗୋମୟ ବନ୍ଦାଇ କ୍ଷୀର ଅରଘ୍ୟ ଦେଲେ ।ନନ୍ଦ ସିଂହଦ୍ୱାରେ ଯାଇ ପ୍ରବେଶ ହେଲେ ॥
।୩।ନନ୍ଦରାଜା ଡ଼ାକୁଛନ୍ତି ଯଶୋଦା ଆସ ।ବନ୍ଦାଣର ବେଳ ହେଲା ଆସି ପ୍ରବେଶ ॥
।୪।ବନ୍ଦାଣର ବିଧିମାନ ଆଗ ଥୋଇଲେ ।ଧର୍ମକୁ ସୁମରି ହୁଳହୁଳି ସେ ଦେଲେ ॥
।୫।ପ୍ରଥମ ଆଞ୍ଜୁଳି କ୍ଷୀର ଧର୍ମକୁ ଦେଲେ ।ଦ୍ୱିତୀୟ ଆଞ୍ଜୁଳୀ କ୍ଷୀର ବାସୁକି ନେଲେ ॥
।୬।ତୃତୀୟ ଆଞ୍ଜୁଳି କ୍ଷୀର ତୋଳି ଧଇଲେ ।କୁଲାରେ ତାହାକୁ ନେଇ ପକାଇଦେଲେ ॥
।୭।ବିଧି ବିଧାନମାନ ସେ ସମାପ୍ତ କରି ।କୃଷ୍ଣଙ୍କୁ ସୁମରି ମନେ ଆନନ୍ଦ ଭରି ॥
।୮।ଏସନ ବିଧିରେ ଯେହୁ କରେ ବିଧାନ ।ଗମ୍ଭୀରି ଶାଳାରେ ତାର ପୂରିବ ଧନ ॥
।୯।ବନ୍ଦାଣର ଗୀତ ଏବେ ହୋଇଲା ଶେଷ ।ଭାବରେ ଭଣିଲେ ଦୀନ ଅଚ୍ୟୁତ ଦାସ ॥
।୧୦।ଦଧି ବିକିଯିବା ଗୀତକମଳ ବଦନୀ ଦହି ମଥାରେ ଘେନି ।କରନ୍ତି ଗମନ ପଥେ ଚନ୍ଦ୍ରବଦନୀ ॥
।୧।କଉତୁକେ ଜଗନ୍ନାଥ ଓଗାଳେ ବାଟ ।କାହିଂ ଯାଉଅଛୁଂ ମାଇଂ ନଦେଇ ଘାଟ ॥
।୨।ଘାଟ ନେ ଦେଇ ମାଇଂ ଦାନ ନ ଦେଇ ।କହି କଂସ ରାଜା ପାଶେ ଦେବି ଧରାଇ ॥
।୩।ଧରାଇ ନେବି ଲୋ ମାଇଂ ବନ୍ଧନେ ନେବି ।ଗତର ଲଗୁତି ଦାନ ଶୁଝାଇଦେବି ॥
।୪।ଖଗପତି ମୁଖୁଂ ରାଧା ଏସନ ଶୁଣି ।ଖଣ୍ଡେ ଦୁରେ ଉଭା ହେଲେ ମୃଗଲୋଚନୀ ॥
।୫।ଖସାଇ ଅଞ୍ଚଳୁଂ ବାସ ମୁଖରେ ଦେଲେ ।ଖରବାଣୀ ନ ବୋଲ କୃଷ୍ଣଙ୍କୁ ବୋଇଲେ ॥
।୬।ଗୋବିନ୍ଦ ବୋଇଲେ ମାଇଂ ୟେ ଗୋପପୁର ।ଗୋବିନ୍ଦ ଅଛନ୍ତି ଷୋଳ ସହସ୍ର ସାର ॥
।୭।ଗୋରସ ମନ୍ଥିଣ ଦୁଧ ବିକନ୍ତି ନିତ୍ୟେ ।ଗରବ କରିଣ ଦାନ ନ ଦେଉ ମୋତେ ॥
।୮।ଘଡ଼ିଏ ହୋଇଲା କୃଷ୍ଣ କଲୁ ଜଞ୍ଜାଳ ।ଘୋଳ ଦହି ବିକିଯିବା ଉଛୁର ବେଳ ॥
।୯।ନାରାୟଣ କହୁଛନ୍ତି ରାଧା ଆଗର ।ନାନା ପେଣ୍ଠ ଘାଟ ପେଣ୍ଠ କର୍ମ ଆମ୍ଭର ॥
।୧୦।ନୋହିବ ବୋଲି ତୁ ମାଇଂ କରିଛୁ ପଣ ।ନିୟମ କରି କହୁଛି ମାଆଙ୍କ ରାଣ ॥
।୧୧।ଚନ୍ଦ୍ରମା ବଦନୀ ରାଈ ଶୁଖାଇ ମୁଖ ।ଚରଣ ନ ଚଳେ ରାଧା ମନରେ ଦୁଃଖ ॥
।୧୨।ଚଉଦିଗ ଚାହିଂ ରାଧା ଆକୁଳେ କାନ୍ଦେ ।ଚିତ୍ତେ ମୁଂ ଜାଣିଛି ଆଜି ପଡ଼ିବି ଫାନ୍ଦେ ॥
।୧୩।ଛିନ୍ନାଳିଆ ଗୋପୀନାଥ ମଉନ ମତ୍ତା ।ଛିଣ୍ଡାଇ ନ କହି ଗଣ୍ଠି କରୁଛି କଥା ॥
।୧୪।ଛନ୍ଦ ନ କର ଗୋ ମାଇଂ ଧରୁଛି ପାଦ ।ଛାଡ଼ିଦିଅ ମନୁ ମାଇଂ ସକଳ ଫାନ୍ଦ ॥
।୧୫।ଯା ଯା ରେ ବାହୁଡ଼ି କୃଷ୍ଣ ଚରଣ ଛାଡ଼ ।ଜାଣିଲେ ନଣନ୍ଦ ଶାଶୁ ମାରିବେ ମାଡ଼ ॥
।୧୬।ଜଞ୍ଜାଳ ନ କର ବାବୁ ନନ୍ଦ କହ୍ନାଇ ।ଘେନି ଆସିବୁ କଉଡି ଘରକୁ ଯାଇ ॥
।୧୭।ଝାଡ଼ ଘୋର ବନେ ରହି ଜଗିଲି ବାଟ ।ଝିମିଟି ଚତୁରୀ ରାଈ ନ ଦେଲୁ ଘାଟ ॥
।୧୮।ଝଗଡ଼ା ନ କର ମାଇଂ କହୁଛି ମୁହିଂ ।ଝଟ ଝଟ ଦିଶେ କଥା ରଖରେ ସହୀ ॥
।୧୯।ନ କର ବିଳମ୍ବ ଆରେ ନନ୍ଦ କୁମର ।ନ ଆସିବି ତୋହ ଲାଗି ମଥୁରାପୁର ॥
।୨୦।ନନ୍ଦପୁଅ ହୋଇ ବତ୍ସା ଜଗୁଣ ଥିଲୁ ।ନ ଜାଣେ ମୁଂ କେବେ ତୁହି ଘାଟ ଜଗିଲୁ ॥
।୨୧।ନ ଜାଣଇ କେବେ କଂସର ହେଲୁ ଚାର ।ନନ୍ଦ ଗାଈ କିଏ ସେ ଜଗିବ ବନର ॥
।୨୨।ଟାଣ କଥା ମୋତେ ମାଇଂ କହୁଛୁ ତୁହି ।ଟାଣି କଂସ ରାଜା ପାଶେ ଦେବି ଧରାଇ ॥
।୨୩।ଟାକି ମୋ କଥାକୁ ତୁହି ଦେଉ ଉତ୍ତର ।ଟାକି ବସିଥାଏ ପରା ମୁହିଂ ନିକର ॥
।୨୪।ଠକ ଭଣ୍ଡ କଥା କେତେ କହୁଛୁ କାହ୍ନୁ ।ଠକପଣ ଯେତେ ତୋର ନ ଯାଏ ମନୁ ॥
।୨୫।ଠାବ କର ମନ ମଧ୍ୟେ ନନ୍ଦ କହ୍ନାଇ ।ଠିକେ ମୁଂ କହୁଛି ବାବୁ ଯିବଇଂ ତହିଂ ॥
।୨୬।ଠକ ମୋହନକୁ ରାଧା କହି ଚଳିଣ ।ଠିକ୍ ରେ କହେ ଅଚ୍ୟୁତ ପ୍ରଭୁ ସେବିଣ ॥
।୨୭।ଡାକିଲେ ନ ଶୁଣ ବାବୁ ନନ୍ଦ କୁମର ।ଡ଼ୋଳେ ଚାହିଂ ଦୀନବନ୍ଧୁ ବେଳ ଉଛୁର ॥
।୨୮।ଡର ମାଡ଼ୁଅଛି ମୋତେ ସାରଙ୍ଗପାଣି ।ଡକ୍କା ବଜା କରିବେଶି ଶାଶୁ ଡାହାଣୀ ॥
।୨୯।ଡକୁଣୀ ନଣନ୍ଦ ଧିଟ ଦେବଟି ଗାଳି ।ଡଆଣା ଶ୍ୱଶୁର ବୁଢ଼ା ମରିବ ଜଳି ॥
।୩୦।ଢଳି କହୁଛନ୍ତି ରାଧା କୃଷ୍ଣଙ୍କୁ ଚାହିଂ ।ଢାଙ୍କିଛି ଅଞ୍ଚଳ ଶୁଦ୍ଧ ସୁବର୍ଣ୍ଣେ କାହିଂ ॥
।୩୧।ଢମ ପଣେ କହୁ କେତେ ଢମାଳି ଭାଷା ।ଢଗମାଳିଆରେ ତୋର କେହୁ ଭରସା ॥
।୩୨।ନାହିଂ ମନେ ମୋର କିଛି ନବଛଇଳୀ ।ନନ୍ଦରାଜା ପୁଅ ନାମ ମୋ ବନମାଳୀ ॥
।୩୩।ନାନାରଙ୍ଗେ ନାଚ କରେ ଗୋପ ନଗର ।ନ ଜାଣୁ କି ମାମୁଂ ମୋର କଂସ ଅସୁର ॥
।୩୪।ତରତର ନୁହଂ ରାଈ କହୁଛି ଏତେ ।ତପ ସନ୍ଧ୍ୟା ସାରି ବ୍ରହ୍ମା ଜପୁଛି ତୋତେ ॥
।୩୫।ତୁ ବୋଲୁ ଯଶୋଦାଙ୍କ ମୁଂ ବାଳୁତ ସିନା ।ତିନି ତ୍ରଇଲୋକ ଉଡ଼େ ମୋହର ବାନା ॥
।୩୬।ଥକା ହୋଇଲେକ ପୁଣି ରାଧା ସୁନ୍ଦରୀ ।ଥୋଇ ଦଧି ପସରା ବୋଇଲେ ଶ୍ରୀହରି ॥
।୩୭।ଥଟ୍ଟାକରି ମୋତେ ଆଉ ନ କୁହ କାହ୍ନୁ ।ଥରୁଛି ହୃଦୟ କଥା ନ ଯାଏ ମନୁ ॥
।୩୮।ଦୟାକରି ଚନ୍ଦ୍ରମୁଖୀ ମୋ ବୋଲ କର ।ଦମ୍ଭପଣ ରଖୁ ନାହିଂ ମଦନ ଶର ॥
।୩୯।ଦରମୁଖୀ ଚନ୍ଦ୍ରହ୍ରାସୀ ନ ଚଳେ ପାଦ ।ଦଗାଦିଆ କାହ୍ନୁ ନ ଦିଅ ହେ ବିପଦ ॥
।୪୦।ଧରୁଛି ଚରଣ ମାଇଂ ନ କୁହ ଏହା ।ଧପା କଥା ଶୁଣି ହୃଦ ହେଉଛି ଦାହା ॥
।୪୧।ଧମକ ଯେ ତୁମ ଆଉ ଶୁଣିବି ନାହିଂ ।ଧରିକରି ଆଜି କୁଞ୍ଜେ ନେବି ଗୋ ସହୀ ॥
।୪୨।ନ କର ଜଞ୍ଜାଳ ବାବୁ ନନ୍ଦ କହ୍ନାଇ ।ନେବୁ କି ତୁ କୁଞ୍ଜବନ କରିଣ ଟାହି ॥
।୪୩।ନେଇ ଆସିବୁ କଉଡ଼ି ଘରକୁ ଯାଇ ।ନୂଆ ପରି କଥା କେତେ କହୁ କହ୍ନାଇ ॥
।୪୪।ପର ପରି କଥା କେତେ କହୁ ଲୋ ରାଈ ।ପୀରତି ଯୁବା ବୟସେ ଅଟେ ଗୋ ସହୀ ॥
।୪୫।ପ୍ରୀତି କଥା ଛାଡ଼ି ଏଣେତେଣେ ବୁଲାଇ ।ପ୍ରତିବାଦ କରି କଥା କଥାକେ ଛଇ ॥
।୪୬।ଫଟା କପାଳ ରେ ମୋତେ କି ଦଣ୍ଡ ଦେଲୁ ।ଫାନ୍ଦରେ ପକାଇ ମୋ ମହତ ସାରିଲୁ ॥
।୪୭।ଫଟା ବଇଂଶୀକୁ ଧରି ନନ୍ଦ କହ୍ନାଇ ।ଫଟାଇ ଦେଉଛି ହୃଦ ତାକୁ ବଜାଇ ॥
।୪୮।ବୋଲନ୍ତି ନନ୍ଦ କୁମର ଶୁଣରେ ସହୀ ।ବାଳୁତ ପରାଏ କିମ୍ପା କହୁଛୁ ତୁହି ॥
।୪୯।ବିଳମ୍ବ ନ କରି ଆସ ହେ ପ୍ରାଣେଶ୍ୱରୀ ।ବିରହ ଅନଳୁଂ ମୋତେ କର ତୁ ପାରି ॥
।୫୦।ଭଣ୍ଡ କଥା କେତେ କହୁ ନନ୍ଦନନ୍ଦନ ।ଭଣ୍ଡାଇବୁ ବୋଲି ମୋତେ କରିଛୁ ମନ ॥
।୫୧।ଭଗାରିହସା ତୁ ମୋତେ ନ କର ବାବୁ ।ଭଣଜା ବୋଲି ତୁ କଥା ଛାଡ଼ିଲୁ ସବୁ ॥
।୫୨।ମାୟାଧର କହୁଛନ୍ତି ରାଧାଙ୍କୁ ଚାହିଂ ।ମାୟାକରି ଏତେ କିମ୍ପା କହୁ ଲୋ ମାଇଂ ॥
।୫୩।ମାୟା ଛାଡ଼ି ପ୍ରାଣେଶ୍ୱରୀ ଦିଅ ସୁରତି ।ମଦନ ବାଣରେ ଛାତି ହୁଏ କରତି ॥
।୫୪।ଜଗତ କରତା କଥା ଶୁଣି ରାଧିକା ।ଜଣାନ୍ତି କର ଯୋଡ଼ିଣ ହୋଇଣ ଥକକା ॥
।୫୫।ଯା ଯା ରେ ମୋ ବାପଧନ ଯାଅ ଘରକୁ ।ଜଗତରେ ନ ଦିଅ ହେ ଆଉ ଲଜ୍ଜାକୁ ॥
।୫୬।ରାଧିକା ନିଷ୍ଠୁର କଥା ଶୁଣି ଶ୍ରୀହରି ।ରାଢ ପଣ କିଂପା କରୁ ମୋ ପ୍ରାଣେଶ୍ୱରୀ ॥
।୫୭।ରହିଥିବି ଯେବେ ଗୋପପୁରରେ ସହୀ ।ରାଧିକା ତୋ ସଙ୍ଗ କେବେ ଛାଡ଼ିବି ନାହିଂ ॥
।୫୮।ଲାଜେ ରାଧିକା ବୋଲନ୍ତି ଶୁଣ କହ୍ନାଇ ।ରଖି ନ ଦେବୁ ଯେ ଗୋପପୁରରେ ତହିଂ ॥
।୫୯।ଲୋକହସା ଶାଶୁ ନଣନ୍ଦ ଯେ ଗଞ୍ଜନ୍ତି ।ରାଧିକା ବିଟପୀ ବୋଲି ଥଟ୍ଟା କରନ୍ତି ॥
।୬୦।ବୋଲନ୍ତି ଶ୍ରୀକୃଷ୍ଣଚନ୍ଦ୍ର ଶୁଣ ଗୋ ରାଈ ।ବିରହ ଜ୍ବାଳାରେ ମୋତେ କଲୁଣି ବାଇ ॥
।୬୧।ବହନ କରିଣ ଏବେ ଦିଅ ସୁରତି ।ବଚନ ନ ଭାଷ ବୃଷଭାନୁ ସମ୍ପତ୍ତି ॥
।୬୨।ଶୁଣି ରାଧିକା ସୁନ୍ଦରୀ ହେଲେ ମଉନ ।ସାରିବୁ ମହତ ମୋର ନନ୍ଦ ନନ୍ଦନ ॥
।୬୩।ସବୁ ଛାଡ଼ି ଆଶ୍ରା ତୋତେ କରିଛି ମୁହିଂ ।ସାରିଲେ ସାର ମହତ ନନ୍ଦ କହ୍ନାଇ ॥
।୬୪।ହରଷ ହୋଇଲେ ଶୁଣି ଗୋପ ବନ୍ଦନ ।ହରଷରେ କୁଞ୍ଜବନ କଲେ ଗମନ ॥
।୬୫।ହରଷେ ସୁରତି ସାରି ସେ ବନମାଳୀ ।ହାତ ଧରି ରାଈକି କହନ୍ତି ଶ୍ରୀହରି ॥
।୬୬।କ୍ଷିତି ମଣ୍ଡଳରେ ଥିବା ଯେତେ ଦିନ ରହି ।କ୍ଷୀର ନୀର ପରି ମିଶି ରହିବାରେ ସହୀ ॥
।୬୭।ଖଗପତି ମୁଖୁଂ ଶୁଣି ରାଧିକା ସନ୍ତୋଷ ।ଠିକେ ଭଣିଲେ ଯେ ଶ୍ରୀ ଅଚ୍ୟୁତ ଦାସ ॥
।୬୮।ଓଗାଳ –୧ଶୁଣ ହେ ଗୋପଳ ଭାଇ ମନକର୍ଣ୍ଣ ଦେଇ ।ଅପୂର୍ବ ଚରିତ ଏ ଯେ କାହିଂ ଶୁଣା ନାହିଂ ॥
।୧।ପଚାରନ୍ତି ଗୋପୀମାନେ କହ ବଂଶୀଧାରୀ ।କେମନ୍ତେ କଳିରେ ଭେଟ ପାଇବୁ ତୋହରି ॥
।୨।କଳିଯୁଗ କେଉଂପରି ହେବରେ କହ୍ନାଇଂ ।ସେ ଯୁଗରେ କେମନ୍ତେ ପାଇବୁ ଆମ୍ଭେ ଯାଇଂ ॥
।୩।ତୁମ୍ଭେ କିରୂପେଣ ପୁଣ ଜନମ ହୋଇବ ।କେଉଂ ଲୀଳାପରି ତୁମ୍ଭେ ମର୍ତ୍ତ୍ୟରେ ରହିବ ॥
।୪।ତାହା ଶୁଣି ଶ୍ରୀକୃଷ୍ଣ ଯେ ହସ ହସ ହୋଇ ।ସେ ବଡ଼ ବିଚିତ୍ର ଲୀଳା କି କହିବି ସହୀ ॥
।୫।ଗୁପତୁଂ ଗୁପତ ଅଟେ କଳିଯୁଗ ଖେଳ ।ମୁନିମାନେ ସେଯୁଗରେ ହୋଇଯିବେ ଭୋଳ ॥
।୬।ଗୋଟି ଗୋଟି ଯେଉଂପରି ପଚାରିଲ ମୋତେ ।ତାହା ଯେ କହିବା ଏବେ ଶୁଣ କର୍ଣ୍ଣ ପଥେ ॥
।୭।କେଉଂ କେଉଂ କଥାମାନ କହିଲେ ଶ୍ରୀହରି ।ଗୋପୀଙ୍କୁ ବୁଝାଇଣ ଯେ ପ୍ରଭୁ ନରହରି ॥
।୮।ସରଗୁରୁ ସେବା ଥିଲେ ତୁମ୍ଭେ ଜାଣିପାରି ।ଗୋପୀଙ୍କ ଆଗେ ଯେ କଥା କହିଲେ ବିସ୍ତାରି ॥
।୯।କଳିଯୁଗ ଲୀଳା ଯାହା ପଚାରିଲି ତୋତେ ।ଅଚ୍ୟୁତ କହିଅଛନ୍ତି ଜଗତର ହିତେ ॥
।୧୦।ଉତ୍ତାରଶୁଣ ହେ ଗୋପାଳ ଭାଇ ପଚାରିଲ ଯାହା ।ମାୟାଧର ମାୟା କଥା କେ କହିବ ତାହା ॥
।୧।ଦ୍ୱାପର ଯୁଗରେ ଗୋପେ ଗୋପୀ ସଙ୍ଗେ ଥାଇ ।କେତେ ଲୀଳା କଲେ ପୁଣି ନନ୍ଦର କହ୍ନାଇ ॥
।୨।କଂସ ମାରିବା ପାଇଂକି ଗଲେ ମଧୁପୁର ।କଂସମାରି ଦ୍ୱାରକାରେ ହେଲେ ନୃପବର ॥
।୩।ଯଜ୍ଞ କରି ଗୋପୀଙ୍କୁ ଭେଟିଲେ ନଟବର ।ଆଉ ଗୋପେ ଭେଟ ନ ପାଇବ ନାରୀବର ॥
।୪।ଗୋପୀଏ ବୋଲନ୍ତି ଯେବେ ନ ଯିବ ଗୋପକୁ ।କଳିଯୁଗେ କିପରି ଯେ ଭେଟିବୁ ତୁମ୍ଭଙ୍କୁ ॥
।୫।ବୋଲନ୍ତି କହ୍ନାଇ ଏବେ ଶୁଣ ଦେଇ ମନ ।ଯେଉଂ ରୂପେ କଳିଯୁଗେ କରିବି ଭ୍ରମଣ ॥
।୬।କଳି ଶେଷ ବେଳେ ଆମ୍ଭେ ହୋଇବୁ ଜନମ ।ଗୋପୀମାନେ ସେ ଯୁଗରେ ଜନମିବେ ପୁଣ ॥
।୭।ଆମ୍ଭେ ନୀଳାଚଳେ ଦାରୁ ରୂପ ଯେ ହୋଇବୁ ।ମଉନ ହୋଇଣ ବସି ଖେଳ ଲଗାଇବୁ ॥
।୮।ଶ୍ରୀ କ୍ଷେତ୍ର ବୋଲାଇବ ସେ ନୀଳଗିରି ସ୍ଥାନ ।ସର୍ବେ ବସି ଏକ ସ୍ଥାନେ କରିବେ ଭୋଜନ ॥
।୯।ବହୁ ଆନନ୍ଦ ହୋଇ ସେହି କ୍ଷେତ୍ରବରେ ।ଆନନ୍ଦରେ ଦର୍ଶନ କରିବେ ନାରୀ ନରେ ॥
।୧୦।ବେଦ ପଢି ବ୍ରାହ୍ମଣେ ଯେ ଅହଙ୍କାରୀ ହେବେ ॥
ଜାତିଭେଦ କରିଣ ସେ ସୃଷ୍ଟି ବିନାଶିବେ ।।୧୧।ଅଶାନ୍ତ ହୋଇଣ ସର୍ବେ ଖଳଚଳ ହେବେ ।ଅଜ୍ଞାନ ହୋଇଣ କେ କାହାକୁ ନ ମାନିବେ ॥
।୧୨।ଭାଇରେ ଭାଇରେ ପୁଣି ଅଶାନ୍ତି ଘଟିବ ।ପିତାମାତା କଥାକୁ ଯେ ପୁତ୍ର ନ ମାନିବ ॥
।୧୩।ଅଜ୍ଞାନ କଥାରେ ସର୍ବେ ଆନନ୍ଦ ହୋଇବେ ।ଜ୍ଞାନ କଥା ଶୁଣି ପରିହାସ ଯେ କରିବେ ॥
।୧୪।ନାସ୍ତିକ ହୋଇଣ ସର୍ବେ ହେବେ ଭିନ୍ନାଭିନ୍ନ ।କାହାରି ସଙ୍ଗେ କାହାରି ନ ମିଳିବ ମନ ॥
।୧୫।ନାରୀ ପୁରୁଷଙ୍କ ପୁଣି କପଟ ବେଭାର ।ଏକାଘରେ ରହି ପୁଣ କରନ୍ତି ବେହାର ॥
।୧୬।କପଟୀ ନାରୀ ସଙ୍ଗରେ ରହିବେ ଏକାନ୍ତ ।ପ୍ରାଣ ଥାଉଂ ଥାଉଂ କଷ୍ଟ ପାଇବେ ଅତ୍ୟନ୍ତ ।।୧୭।ଅଘରୁଆ ଲୋକ ପୁଣି ସଭାରେ ବସିବେ ।ନାନା ବିକୃତ କଥାକୁ ବାହାର କରିବେ ॥
।୧୮।ସତ କଥାମାନ ସବୁ ହୋଇଯିବ ଦୂର ।ଅସତ କଥାରେ ସବୁ ହୋଇବେ ନିର୍ଭର ॥
।୧୯।ଅସତ୍ୟ ଲୋକର ଭାଇ ହୋଏ ବହୁବଳ ।ସତ୍ୟ ଲୋକକୁ ଦେଖିଲେ ଦିଶେ ଯେହ୍ନେ କାଳ ॥
।୨୦।ବାରମାସେ ତେର ବ୍ରତ ନ କରିବେ ନାରୀ ।ବ୍ରାହ୍ମଣେ ପୂଜା କରିବେ ମିଛେ ଘଣ୍ଟି ଧରି ॥
।୨୧।ବେଶ୍ୟାଘରେ ରହି ଦ୍ବିଜେ ଦିନ କଟାଇବେ ।ଭାତ ବିକିକରି ତାଙ୍କ କୁଟୁମ୍ବ ପୋଷିବେ ॥
।୨୨।ବ୍ରାହ୍ମଣଙ୍କଠାରୁ ଭକ୍ତି ହୋଇଯିବ ଦୁର ।ଭକ୍ତି ଛାଡ଼ିବାରୁ ପୁଣି ବୁଲାଇବେ ହଳ ॥
।୨୩।ଚୋରମାନେ ଦିବ୍ୟ ରୂପ ହୋଇଣ ବୁଲିବେ ।ତାଙ୍କୁ ଦେଖି ଲୋକେ ସବୁ ସନମାନ ଦେବେ ॥
।୨୪।ସତ୍ୟ ଲୋକଙ୍କୁ ଦେଖିଲେ କରିବେ ଧିକାକାର ।ଯାଅ ଯାଅ ଆମ୍ଭ ପାଶୁଂ ହୋଅ ବେଗେ ଦୂର ॥
।୨୫।ଧନ ଲୋଭେ ରାତ୍ରଦିନ ଖଟୁଥିବେ ନର ।ନଥିବ ତାଙ୍କର କିଛି ଧର୍ମର ବିଚାର ॥
।୨୬।ଧନ ପାଶେ ଥିଲେ ଲୋକେ ବୋଲାଇବେ ବଡ଼ ।ଲୋକଙ୍କ ଆଗରେ ପୁଣି ଦେଖାଇବେ ତୋଡ଼ ॥
।୨୭।ସେ ତୋଡ଼ ଦେଖିଣ ସର୍ବେ ହେବେ ଥରଥର ।ଅନେକ ଲୋକ ତାହାଙ୍କୁ କରିବେ ଜୁହାର ॥
।୨୮।ଅବାଟକୁ ବାଟ ସବୁ କରିବେ ରେ ଭାଇ ।ଆଜିର କଥା କାଲିକି ଦେବେ ବଦଲାଇ ॥
।୨୯।ଏସନେ ଏ କଳିଯୁଗ ଅତି ଭୟଙ୍କର ।ଜ୍ଞାନକୁ ସେ ବାନ୍ଧିଦେବ ହୋଇଣ ପ୍ରବଳ ॥
।୩୦।ଅଜ୍ଞାନ ହୋଇଣ ସର୍ବେ ଅନ୍ଧ ପରି ହେବେ ।ଧକକା ମାଡ଼ ଖାଉଥାଇ ବାଟ ନ ପାଇବେ ॥
।୩୧।ପିତାମାତା ଭାଇ ବନ୍ଧୁ କୁଟୁମ୍ବ ଜନର ।ପ୍ରାଣ ଗଲାବେଳେ କେହି ନୋହିବେ କାହାର ॥
।୩୨।ଜ୍ଞାନ ଥାଉଂ ଥାଉଂ ଭାଇ ଯେବେ ସୁମରିବୁ ।ଜ୍ଞାନଚକ୍ଷୁ ପାଇ ତୁହି ପ୍ରଭୁଙ୍କୁ ଭେଟିବୁ ॥
।୩୩।ସଂସାରେ ଥାଇଣ ତୁହି ଅଲଗା ରହିବୁ ॥
ତେବେ ପ୍ରଭୁଙ୍କର ତୁହି ଶ୍ରୀମୁଖ ଦେଖିବୁ ॥
।୩୪।କଳିଯୁଗେ ପ୍ରଭୁ ହେବେ ଦାରୁବ୍ରହ୍ମ ରୂପ ।ଗୋପୀ ଗୋପାଳେ ହୋଇବେ ସେବକ ସ୍ୱରୁପ ॥
।୩୫।ଶୂନ୍ୟବ୍ରହ୍ମ ଲୀଳା ହେବ ଅପାରୁଂ ଅପାର ।କଳି କଳ୍ମଷ ନାଶନେ ପ୍ରଭୁ ମାୟାଧର ॥
।୩୬।ଗୋପୀଙ୍କୁ ଯାହା କହିଲେ କୃଷ୍ଣ ଯେ ବୁଝାଇ ।ଜଗତ ଜନ ହିତରେ ଅଚ୍ୟୁତ କହଇ ॥
।୩୭।ଭଲା ଓଗାଳ ପୁଛିଲ ତୁମ୍ଭେ ଆହେ ଭାଇ ।ଯାହା ଜାଣିଥିଲି କିଛି କହିଲି ବୁଝାଇ ॥
।୩୮।ଓଗାଳ –୨ଶୁଣ ହୋ ଗୋପ ଗୋପାଳେ ପଚାରୁଛି ମୁହିଂ ।ଯେତେ ବୁଝାଇଲେ ମୋର ମନ ବୁଝୁନାହିଂ ॥
।୧।ହେ ଗୋପ ଗୋପାଳ ତୁମ୍ଭେ ଦ୍ୱାପର ଯୁଗରେ ।କେତେ ଲୀଳା କରିଥିଲ ପ୍ରଭୁଙ୍କ ସଙ୍ଗରେ ॥
।୨।ସ୍ୱର୍ଣ୍ଣ ପାତ୍ରମାନଙ୍କରେ କରିଲ ଭୋଜନ ।କଳିଯୁଗେ ମାଟିପାତ୍ରେ କିଂପା ଖାଅ ଅନ୍ନ ॥
।୩।କିଂପାଇ ଏମନ୍ତେ ହେଲା କହ ହେତୁ କରି ।ଜାଣି ନଥିଲେ ପଚାର ମତେ ଗୁରୁ କରି ॥
।୪।ଉତ୍ତାରଶୁଣ ହୋ ଗୋପାଳ ଭାଇ ପଚାରିଲ ଯାହା ।ଠିକେ ଠିକେ ସବୁ କଥା କହିଦେବୁଂ ତାହା ॥
।୧।କୁରୁକ୍ଷେତ୍ର ନିକଟେ କୃଷ୍ଣ କଲେ ଯଜ୍ଞସ୍ଥାନ ।ପ୍ରଭାସ ଯଜ୍ଞରେ ପ୍ରଭୁ କରିଲେ ମିଳନ ॥
।୨।କରୁକ୍ଷେତ୍ର କାର୍ଯ୍ୟ ଶେଷକରି ଆହେ ଭାଇ ।ଶ୍ରୀକ୍ଷେତ୍ରେ ଆନନ୍ଦେ ଲୀଳା କରିଲେକ ଯାଇ ॥
।୩।କଳି ଶେଷେ ଅନ୍ୟାୟ ଯେ ବହୁତ ହୋଇବ ।ସେ ଯୁଗର କଥା ଆଉ ସହି ନ ହୋଇବ ॥
।୪।ଅଲୈାକିକ ଲୀଳାମାନ ସେଠାରେ ହୋଇବ ।ଦାମ୍ଭିକ କପଟୀ କୁଟନୀତି ଭାଙ୍ଗିଯିବ ॥
।୫।ଯାହା କହିଥିଲେ ପ୍ରଭୁ ଜଗତ ଜୀବନ ।ମର୍ତ୍ତ୍ୟକୁ ଆସିଣ ଖେଳ କରିଲେ ସେ ଜାଣ ॥
।୬।ଅଜ୍ଞାନୀକି ଦିଶିଲେ ସେ କାଳଚକ୍ର ପରି ।ଭକ୍ତଙ୍କୁ ଦିଶିଲେ ଯେହ୍ନେ ବଙ୍କା ବଂଶୀଧାରୀ ॥
।୭।ନାନାରଙ୍ଗେ ଖେଳ ସେହୁ ଆରମ୍ଭ ଯେ କଲେ ।ଲୋକମାନେ ଭ୍ରମ ହୋଇ ଜାଣି ନ ପାରିଲେ ॥
।୮।ଗୋପାଳମାନଙ୍କୁ ଆମ୍ଭେ କରୁଛୁ ଦଇନି ।କଳିକାଳେ ଦେଖ ଆସି ପ୍ରଭୁ ଚକ୍ରପାଣି ॥
।୯।ମାଟି କୁଡ଼ୁଆରେ ହୋଏ ଶ୍ରୀକ୍ଷେତ୍ରେ ଭୋଜନ ।ନିତ୍ୟ ଲୀଳା ଏହା ପାପ କରଇ ଧ୍ୱଂସନ ॥
।୧୦।ତେଣୁକରି ମାଟି ପାତ୍ର ଅଟେ ଶୁଦ୍ଧତନ ।ମାଟି ଘଟ ମାଟି ପାତ୍ର ଭଙ୍ଗୁର ଭଂଜନ ॥
।୧୧।କୂଟ କପଟକୁ ଯେବେ ନ ଛାଡ଼ିବୁ ଭାଇ ।ଅନ୍ଧ ପ୍ରାୟ ହେବ କାହୁଂ ପାଇବ ମାଧୋଇ ॥
।୧୨।ଗୋପିକା ଭକତି ନେଇ କରୁଛନ୍ତି ଖେଳ ।ଏବେ ତୁ ଏଣିକି ଆଉ ନ ହୋଅ ବାତୁଳ ॥
।୧୩।ଯାହା ପଚାରିଲ ତୁମ୍ଭେ ହେ ଗୋପାଳ ଭାଇ ।ହେତୁକରି କଥା ଏବେ କହିଲୁ ବୁଝାଇ ॥
।୧୪।ଦାମ୍ଭିକ କପଟୀ ହେଲେ ନ ପାଇବ ରସ ।ଭକତି ଭାବରେ ସିନା ହେଜିବ ରହସ୍ୟ ॥
।୧୫।ଜାଣିଥିବା କଥା କିଛି କହିଲି ବୁଝାଇ ।କହଇ ଅଚ୍ୟୁତ ଦାସ ନ କର ବଡ଼ାଇ ॥
।୧୬।ଓଗାଳ – ୩ଶୁଣ ହେ ଗୋପାଳ ଭାଇ ଦେଇକରି ଚିତ୍ତ ।ଯାହା ପଚାରୁଛି କୃଷ୍ଣ ବାଲ୍ୟର ଚରିତ ॥
।୧।ଯଶୋଦା ଗୋପୀଏ ବସି କରନ୍ତି ବିଚାର ।ଅନ୍ୟ କଥା ମାନ ସବୁ ପଡ଼ଇ ତାଙ୍କର ॥
।୨।ଏ ସମୟେ ତହିଂ ଆସି ନନ୍ଦର ନନ୍ଦନ ।ଶିଳାଏ ଦଧିହାଣ୍ଡିକୁ ଫୋପାଡ଼ିଲେ ପୁଣ ॥
।୩।ଯଶୋଦା ବୋଲନ୍ତି ଆଲୋ କି କଲା କି କଲା ।ଦହି ହାଣ୍ଡିକି ମୋହର ଭାଙ୍ଗି ପକାଇଲା ॥
।୪।ଏଡ଼େ ଦୁରୁଦଣ୍ଡ କାହ୍ନା କାହିଂପାଇଂ ହେଲା ।ଏହା କହନ୍ତେଣ କୃଷ୍ଣ ଭୂମିରେ ଗଡ଼ିଲା ॥
।୫।ଦହି କିସ ଉଠାଇବେ ପୁଅ ଗଡ଼ା ଦେଖି ।ସାଉଂଟି ପୁଅକୁ ପୁଣ ନ ପାରନ୍ତି ଟେକି ॥
।୬।ଦହିହାଣ୍ଡି ଭାଙ୍ଗି ପୁଣି ଏମନ୍ତ ବଡ଼ାଇ ।କେଉଂ ଛୁଆ କରିବ ଲୋ ଶୁଣିଅଛ କାହିଂ ॥
।୭।ଗଡ଼ୁଥାଉ ଏହିକ୍ଷଣି କୋକବାୟା ଆସି ।ଘେନି ନେବ ତୁମ୍ଭେ ସବୁ ଦେଖୁଥିବ ବସି ॥
।୮।ଏହା ଶୁଣନ୍ତେଣ କାହ୍ନୁ ଧଡ଼ପଡ଼ ହୋଇ ।ଉଠିଆସି ମାତା କୋଳେ ବସିଲେକ ଯାଇଂ ॥
।୯।ଯଶୋଦା କାହ୍ନୁ ଉପରେ ଘୋଡ଼ାଇ ପଣତ ।ବୋଲନ୍ତି ରେ କୋକବାୟା ପଳା ତୁ ତୁରିତ ॥
।୧୦।ଆଉ ମୋ କାହ୍ନୁ ଏଣିକି ଦୁଷ୍ଟ ହେବ ନାହିଂ ।ଆଉ ଦୁଷ୍ଟପଣ କଲେ ଡ଼ାକି ଦେବି ମୁହିଂ ॥
।୧୧।ଗୋପୀଏ ଯଶୋଦା ଚାହିଂ ହସାହସି ହେଲେ ।କୋଳେ ଥାଇ କୃଷ୍ଣ ମୁଣ୍ଡ ଉଠାଇ ଚାହିଂଲେ ॥
।୧୨।କୋକବାୟା ଗଲା ବୋଲି କୃଷ୍ଣ ପଚାରିଲେ ।ହଂ ବାପ ଗଲା ବୋଲିଣ ତଳେ ବସାଇଲେ ॥
।୧୩।ଆଉ ଏକ ଦିନେ ସାୟଂକାଳେ ନନ୍ଦରାଣୀ ।ଡ଼ାକିଲେ ପାଖକୁ ଆସ ବାବୁ ନୀଳମଣି ॥
।୧୪।ନ ଆସିଲେ କୋକବାୟା ଘେନିଯିବ ଧନ ।ମାୟାଧର ମାୟା କେହୁ ଜାଣିମ ପ୍ରଛ୍ଛିନ୍ନ ॥
।୧୫।କୋକବାୟା ମୂର୍ତ୍ତି ଏକ ହୋଇଲା ତକ୍ଷଣ ।କି ଅଦ୍ଭୁତ ମୂର୍ତ୍ତି ଦେଖିବାକୁ କଂପମାନ ॥
।୧୬।ଶ୍ରୀକୃଷ୍ଣଙ୍କୁ ଘେନିଗଲା ଶୁଭିଲାଗ ଗୋଳ ।ଗଲା-ଗଲା- ନେଲା-ନେଲା ପଡ଼ିଲା ଚହଳ ॥
।୧୭।ଏ ସମୟେ ଚାର ଯାଇଂ ବାର୍ତ୍ତା ଜଣାଇଲା ।ତାହା ଶୁଣି ନନ୍ଦରାଜା ସଭା ଭଙ୍ଗ କଲା ॥
।୧୮।ଶବଦ ଶୁଣି ଗୋପାଳେ ହୋଇଲେକ ରୁଣ୍ଡ ।କୃଷ୍ଣଙ୍କୁ ଯେ ଘେନିଗଲା କେମନ୍ତେ ପାଷାଣ୍ଡ ॥
।୧୯।ଲଉଡ଼ି ଦଉଡ଼ି ଧରି ହୋଇଲେ ବାହାର ।କେ ବୋଲଇ ମାର ମାର କେ ବୋଲଇ ଧର ॥
।୨୦।ସମସ୍ତେ ବାହାର ହେଲେ ହାଥେ ବାଡ଼ି ନେଇ ।ଯେଣେ ତେଣେ ଖୋଜିଲେ ଯେ କାହିଂ କିଛି ନାହିଂ ॥
।୨୧।ବନସ୍ତ ଭିତରେ ଯାଇ ପ୍ରବେଶ ହୋଇଲେ ।ଗୋବର୍ଦ୍ଧନ ଗିରିପରେ ବସିଛି ଦେଖିଲେ ॥
।୨୨।ସମସ୍ତେ ମେଳ ହୋଇଣ ଉଠିଲେ ହୁଙ୍କାରି ।ଗିରି ଉପରକୁ ଯିବା ବୋଲିଣ ବିଚାରି ॥
।୨୩।କେ ବୋଲଇ ତୁମ୍ଭେ ଚାଲ କେ ବୋଲଇ ଆସ ।ଏପରି କହି କାହାର ନୋହିଲା ସାହସ ॥
।୨୪।ନନ୍ଦବୁଢ଼ା ଦେଖିକରି ହୋଇଲା ବିକଳ ।ପୁତ୍ରକୁ ଚାହିଂଣ ଗିରି ଉଠନ୍ତେ ବିକଳ ॥
।୨୫।ବିଶ୍ୱମୁର୍ତ୍ତି ଧରି ବାୟା କାୟା ବିସ୍ତାରିଲା ।ଘଡ଼ଘଡ଼ି ଶବ୍ଦ ପ୍ରାୟେ ରଡ଼ିୟେ କରିଲା ॥
।୨୬।ଏହା ଦେଖି ଗୋପାଳେ ଯେ ମହାଭୟ ପାଇ ।ନନ୍ଦବୁଢ଼ାର ପାଖକୁ ଅଇଲେ ପଲାଇ ॥
।୨୭।କେମନ୍ତ ପ୍ରକାରେ କୃଷ୍ଣ ଆସିବ ହୋ ଭାଇ ।ସେ ଉପାୟ ଗୋଟି ମୋତେ କହିବ ବୁଝାଇ ॥
।୨୮।ଜଗୁନାଥ ପାଦେ ମୋର କୋଟି ନମସ୍କାର ।ମୋ ଅପ୍ରାଧ କ୍ଷମା କର ବ୍ରାହ୍ମାଣ୍ଡ ଠାକୁର ॥
।୨୯।କହନ୍ତି ଅଚ୍ୟୁତାନନ୍ଦ ଶୁଣ ଆହେ ଭାଇ ।କେମନ୍ତେ ଆସିବ କୁହ ନନ୍ଦର କହ୍ନାଇ ॥
।୩୦।ଉତ୍ତାରଶୁଣ ହେ ଗୋପାଳ ଭାଇ ପଚାରିଲ ଯାହା ।ନୁହଂଇ କ୍ଷମ ଯେ କେହି କହିବାକୁ ତାହା ॥
।୧।କଳା କହ୍ନାଇ ଦୟାରୁ ଯାହା ମୁଂ ଜାଣଇ ।ଅଳପେ କହିବି ତାହା ଶୁଣ ମନ ଦେଇ ॥
।୨।ମାୟାଧର ମାୟା କାହୁଂ କିଏ ସେ ଜାଣିବ ।ସେ ଦୟା ନ କଲେ ଆମ୍ଭେ ଦୀନହୀନ ଜୀବ ॥
।୩।ଯେତେବେଳେ କ୍ଷୁଧା ଜ୍ବାଳା କରଇରେ ଭାଇ ।ଥାଳି ଉପରୁ କି ଅନ୍ନ ମନକୁ ଉଠଇ ॥
।୪।ହାତ ନ ଲାଗିଲେ ଭାତ ନ ଯାଏ ପାଟିକି ।ଯେତିକି ଭାବିବୁ ତାଙ୍କୁ ପାଇବୁ ସେତିକି ॥
।୫।ନନ୍ଦରାଜାକୁ ଚାହିଂଣ ସୁନନ୍ଦ କହଇ ।ଆମ୍ଭ ବଳପଣ କିଛି ରହିଲା ତ ନାହିଂ ॥
।୬।ଚାଲ କୋକ ପାଶେ ଯାଇଂ ସ୍ତୁତି ଆରମ୍ଭିବା ।ଆଶ୍ୱାସି କହିଲେ ଦୟା କରିବ ସେ ଅବା ॥
।୭।କାରୁଣ୍ୟ ଛାଡ଼ିଣ ନନ୍ଦ ଆନନ୍ଦ ହୋଇଲା ।ସମସ୍ତଙ୍କ ମନକୁ ଯେ ଏ କଥା ପାଇଲା ॥
।୮।ସବୁ ଗୋପାଳ ଉଠିଲେ ହାତ ଯୋଡ଼ିକରି ।ପ୍ରବେଶ ହୋଇଲେ ଯାଇଂ ଗୋବର୍ଦ୍ଧନ ଗିରି ॥
।୯।କୋକକୁ ଚାହିଂଣ ସର୍ବେ ସ୍ତୁତି ଆରମ୍ଭିଲେ ।ଜୟ ତୁ କୋକ ଦେବତା ବୋଲିଣ ବୋଇଲେ ॥
।୧୦।ତୁମ୍ଭଙ୍କୁ ନ ଜାଣି ଆମ୍ଭେ ଗୋପାଳ ସକଳ ।କେତେ କଥା କହିଅଛୁ ଦୋଷ କ୍ଷମା କର ॥
।୧୧।କୃଷ୍ଣଙ୍କୁ ଆମ୍ଭର ତୁମ୍ଭେ ଦିଅ ହେ ଫେରାଇ ।ଏହି ଆମ୍ଭର ମାଗୁଣି କହୁଛୁ ଗୋସାଇଂ ॥
।୧୨।କୋକ ବୋଇଲେ ଆମ୍ଭର କିଛି ଦୋଷ ନାହିଂ ।ଯଶୋଦା ବୋଇଲେ କୋକା ନେଇଯାଅ ତୁହିଂ ॥
।୧୩।ତେଣୁକରି କୃଷ୍ଣଙ୍କୁ ମୁଂ ଆଣିଅଛି ଭାଇ ।ଭୋଗ ଦ୍ରବ୍ୟ ଦେଲେ ମୋତେ ଦେବି ଯେ ଫେରାଇ ॥
।୧୪।ଶୁଣିକରି ଗୋପାଳେ ଯେ ଆନନ୍ଦ ହୋଇଲେ ।ଭୋଗ ଦ୍ରବ୍ୟମାନ ସବୁ ଯୋଗାଡ଼ କରିଲେ ॥
।୧୫।ଖିରୀ ପୁରି ଶାକର ଯେ ଲବଣୀ ଗୋଟିକା ।ଦୁଗଧ ଦଧି ସର ଆଉ ଅଧାମ ଆଟିକା ॥
।୧୬।ବହୁ ଆଡ଼ମ୍ବରେ ପୂଜା ହୋଇଲାକ ଜାଣ ।ବାଜଣା ଶବଦେ ପୁର କମ୍ପିଲା ଯେ ପୁଣ ॥
।୧୭।କୋକଦେବ ପୂଜା ଦ୍ରବ୍ୟ ଆନନ୍ଦେ ଭକ୍ଷିଲେ ।କୃଷ୍ଣଙ୍କୁ ଛାଡ଼ିଣ ସେହୁ ଆଡ଼ ହୋଇଗଲେ ॥
।୧୮।ଗୋପାଳମାନେ ଯେ ସର୍ବେ ପ୍ରସାଦ ପାଇଣ ।ଗିରି ଉପରକୁ ଭୟେ ଉଠିଲେକ ପୁଣ ॥
।୧୯।କେ ବୋଲଇ ଆରେ ଭାଇ ଲୁଚିଥିବ କାହିଂ ।କେ ବୋଲଇ ଆରପଟେ ଦେଖି ଆସ ଯାଇଂ ॥
।୨୦।ସମସ୍ତେ ଦେଖିଲେ ତହିଂ ଆଉ କେହି ନାହିଂ ।ଦମ୍ଭପଣେ ଉଠିଲେ ସେ କୃଷ୍ଣ ପାଶେ ଯାଇ ॥
।୨୧।ସୁନନ୍ଦ କୃଷ୍ଣଙ୍କୁ କୋଳ କରିଣ ଆଣିଲେ ।ନନ୍ଦ କୋଳରେ ଦିଅନ୍ତେ ଆନନ୍ଦ ସେ ହେଲେ ॥
।୨୨।ଗୋପୀ ଗୋପାଳ କୃଷ୍ଣଙ୍କୁ ବସିଲେ ଯେ ଘେରି ।ଝଡ଼ା ଫୁଙ୍କା କରୁଛନ୍ତି ସର୍ବେ ହୋଇ ମେଳି ॥
।୨୩।ଅରିଷ୍ଟମାନ ଯେ ସବୁ ଦୂର ହୋଇଯାଅ ।ଦେବ ଦେବୀ ମାତା ତୁମ୍ଭେ ରକ୍ଷା କରିଥାଅ ॥
।୨୪।କୃଷ୍ଣଙ୍କୁ ପାଇଣ ସର୍ବେ ଆନନ୍ଦ ହୋଇଲେ ।ଯଶୋଦା କୃଷ୍ଣଙ୍କୁ ନେଇ କ୍ଷୀରପାନ ଦେଲେ ॥
।୨୫।ଯାହା ପଚାରିଲୁ ଭାଇ କହିଲି ଉତ୍ତର ।ସମସ୍ତ ଗୋପାଳଙ୍କୁ ମୁଂ ଯୋଡ଼ୁଅଛି କର ॥
।୨୬।ସେ ମାୟାଧର ପାଦରେ କୋଟି ନମସ୍କାର ।କହଇ ଅଚ୍ୟୁତ ଦାସ ସେହି ପ୍ରଭୁ ମୋର ॥
।୨୭।ଓଗାଳ – ୪ଶୁଣ ହୋ ଗୋପାଳ ଭାଇ ମନ କରି ସ୍ଥିର ।ଆହୁରି କଥାଏ ଏବେ ପଡ଼ିଲା ମନର ॥
।୧।ଏ ବଡ଼ ଅପୂର୍ବ କଥା ଶୁଣି ଥିଲି କାହିଂ ।ଶୁଣିଲାବେଳକୁ ମୋ ମନ ବ୍ୟାକୁଳ ହୋଅଇ ॥
।୨।ଶୁଣ ଏବେ ପଚାରୁଛି ସେ ରହସ୍ୟ କଥା ।ଯାହା ଶୁଣି ଭାଇ ମନେ ନ ରହିବ ବ୍ୟଥା ॥
।୩।ଏକ ଦିନେ କୃଷ୍ଣଚନ୍ଦ୍ର ସଖା ସଙ୍ଗେ ନେଇ ।ଲୁଚି ଲୁଚି ଗୋପୀଘରେ ପଶିଲେକ ଯାଇ ॥
।୪।ସଖାମାନେ ଅଟେଇରୁ ବତ୍ସା ଦେଲେ ଛାଡ଼ି ।ଆନନ୍ଦେ ପଳାନ୍ତି ବତ୍ସା କରି ହମ୍ବା ରଡ଼ି ॥
।୫।ଗୋପୀମାନେ ଗୋଡାବନ୍ତି ବତ୍ସାଙ୍କ ପଛରେ ।ଏଣେ ଶ୍ରୀକୃଷ୍ଣ ଲବଣୀ ଖାଆନ୍ତି ଖୁସିରେ ॥
।୬।ସଖାମାନଙ୍କୁ ଲବଣୀ ଖୁଆନ୍ତି ନିଠାଇ ।ମାଙ୍କଡ଼ ପଲଙ୍କୁ ଦେଖି ଦିଅନ୍ତି ପକାଇ ॥
।୭।ମାଙ୍କଡ଼ମାନେ ଖାଇଲେ ଆନନ୍ଦିତ ହୋଇ ।ଖେଳ କରୁଥାନ୍ତି ସେହୁ ଲାଙ୍ଗୁଡ଼ ହଲାଇ ॥
।୮।ଏହା ଦେଖି କୃଷ୍ଣ ସଖାଙ୍କୁ ଯେ ଘେନିଗଲେ ।ନିଜ ନିଜ ଗୃହେ ଯାଇ ପ୍ରବେଶ ହୋଇଲେ ॥
।୯।ଗୋପୀଙ୍କ ବାଳୁତ ପିଲା ଏ ସମୟେ ଆସି ।ମାତାଙ୍କୁ ଡାକନ୍ତି ଦ୍ୱାରେ ହୋଇ ଅତି ଖୁସି ॥
।୧୦।ଗୃହକୁ ଦେଖିଲେ ଶୂନ୍ୟ ଘରେ କେହି ନାହିଂ ।ମାଙ୍କଡ଼ମାନେ ଧାମନ୍ତି ପୁଣି ଖେଂ ଖେଂ ହୋଇ ॥
।୧୧।ଏହା ଦେଖି ପିଲାମାନେ ଭୟେ ପଳାଇଲେ ।ମାତାମାନଙ୍କୁ ଯାଇଣ ବାଟରେ ଭେଟିଲେ ॥
।୧୨।କୁମର ବୋଲନ୍ତି ମାତ ଶୁଣିବା ବଚନ ।ମାଙ୍କଡ଼ ଗୁଡ଼ାଏ ଦ୍ୱାରେ ବସିଛନ୍ତି ପୁଣ ॥
।୧୩।ପୁତ୍ରଠାରୁ ଶୁଣି ମାତା ଆଲୋ ଆଲୋ ହୋଇ ।ବେଗରେ ଆସନ୍ତେ ସର୍ବେ ଗଲେକ ପଳାଇ ॥
।୧୪।ଘରେ ଦେଖୁଛନ୍ତି ସବୁ ଛିନ୍ନ ଭିନ୍ନ ହୋଇ ।ଲବଣୀ ସର ପଡ଼ିଛି ଚିହ୍ନ ଅଛି ରହି ॥
।୧୫।ଏହା ଦେଖି ଗୋପୀମାନେ ବିକଳ ହୋଇଲେ ।ସମସ୍ତେ ବସିଣ ତହିଂ ବିଚାର କରିଲେ ॥
।୧୬।ଚାଲ ଗୋ ନନ୍ଦରାଣୀଙ୍କି ଜଣାଇବା ଯାଇଂ ।କହ୍ନାଇ ସକାଶେ ଗୋପେ ରହିହେବ ନାହିଂ ॥
।୧୭।ଏତେ କହି ଗୋପ ଗୋଈ ବାହାର ହୋଇଲେ ।ନନ୍ଦରାଣୀ ପାଶେ ଯାଇ ପ୍ରବେଶ ହୋଇଲେ ॥
।୧୮।କି କହିବୁ ରାଣୀ ତୁମ୍ଭ ପୁଅଙ୍କର ଗୁଣ ।ଯାହା କରି ଆସିଅଛି କି କହିବୁ ପୁଣ ॥
।୧୯।ଲବଣୀ ସର ଗୋଟିକା ଯେତେକ ଖାଇଲା ।ଭୂମିରେ ପଡ଼ନ୍ତେ ପାଦ ଘସି ଦେଇଥିଲା ॥
।୨୦।ଯଶୋଦା ବୋଇଲେ ଘରେ ନ ଥିଲ କି କେହି ।ଗୋପୀଏ ବୋଲନ୍ତି କି କରିବୁ ମହାଦେଈ ॥
।୨୧।ଅଟେଇରୁ କେତେବେଳେ ବତ୍ସା ଦେଲା କାଢ଼ି ।ବଛା ପଳାଅନ୍ତେ ଦେଇକରି ହମ୍ବା ରଡ଼ି ॥
।୨୨।ତାଙ୍କ ପଛେ ଆମ୍ଭେମାନେ ବେଗେ ଗଲୁ ଧାଇଂ ।ଏଣେ ସର ଲବଣୀକୁ ଖାଇଲା କହ୍ନାଇ ॥
।୨୩।ଆଉ ତାର କେତେ ଗୁଣ ଶୁଣ ନନ୍ଦରାଣୀ ।ମାଙ୍କଡ଼ ପଲକୁ କେହ୍ନେ ସଙ୍ଗେ ନେଇ ପୁଣି ॥
।୨୪।ସେମାନଙ୍କ ପାଖେ ନେଇ ଦେଲାକ ଅଜାଡ଼ି ।ସେମାନେ ଖାଇଣ ପୁଣି ଦିଅନ୍ତି ଫୋପାଡ଼ି ॥
।୨୫।ଏହା ଶୁଣି ନନ୍ଦରାଣୀ ପ୍ରବୋଧୀ କହିଲେ ।ଆଜହୁଂ ଆକଟ ତାକୁ କରିବି ବୋଇଲେ ॥
।୨୬।ମାତା ପଛେ ଥାଇ କୃଷ୍ଣ ବାଙ୍କରେ ଚାହିଂଲେ ।ତାହା ଦେଖି ଗୋପୀମାନେ ବିକଳ ହୋଇଲେ ॥
।୨୭।ଗୋପୀମାନେ ଯଶୋଦାଙ୍କୁ କହିଲେ ବୋଧିଣ ।ମାଡ଼ ନ ମାରିଣ ତାଙ୍କୁ ବୁଝାଇବ ପୁଣ ॥
।୨୮।ଏହା କରି ଗୋପୀମାନେ ଗୃହେ ଚଳିଗଲେ ।ଯଶୋଦା କୃଷ୍ଣଙ୍କୁ କିସ ବୁଝାଇଲେ ଭଲେ ॥
।୨୯।ମାଙ୍କଡ଼କୁ କିମ୍ପା କୃଷ୍ଣ ନେଲେକ ସଙ୍ଗରେ ।ଏ କଥା ଗୋଟିକି ଭାଇ କହିବ ସଭାରେ ॥
।୩୦।ପ୍ରଭୁଙ୍କ ଦୟାରୁ ଏହା ପଚାରିଲୁ ଭାଇ ।କହଇ ଅଚ୍ୟୁତାନନ୍ଦ ଦେବ ଯେ ଫିଟାଇ ॥
।୩୧।ଉତ୍ତାରଶୁଣ ହେ ଗୋପାଳ ଭାଇ ମନକର୍ଣ୍ଣ ଦେଇ ।ଯାହା ପଚାରିଲୁ ଏ ତ ସହଜ ନୋହଇଂ ॥
।୧।ସଭାଜନମାନେ ଶୁଣି ନ ହୁଅ ଚଞ୍ଚଳ ।ଭଲା ପ୍ରଶ୍ନ କଥା ଗୋଟି କହିଚ ଗୋପାଳ ॥
।୨।ଏ ଯୁଗର କଥା ସେ ତ ନୋହଇଂରେ ଭାଇ ।ତ୍ରେତା ଯୁଗ କଥା ଏହା ଶୁଣ ମନ ଦେଇ ॥
।୩।ଯେତେବେଳେ ରାମଚନ୍ଦ୍ର ବସବାସ ଗଲେ ।ଲକ୍ଷ୍ମଣ ସୀତୟା ତାଙ୍କ ସଙ୍ଗତରେ ଥିଲେ ॥
।୪।ପଞ୍ଚବଟୀ ବନସ୍ତରେ କୁଡ଼ିଆଏ କରି ।ସୂର୍ପଣେଖା ଅଇଲା ଯେ ହୋଇ ଦିବ୍ୟ ନାରୀ ॥
।୫।ସୀତାଙ୍କୁ ଗିଳିବ ବୋଲି କଲା ସେ ବିଚାର ।ରାମ ବୋଲନ୍ତି ଲକ୍ଷ୍ମଣ ଆସ ମୋ ପାଶର ॥
।୬।କାହ୍ନୁଂ ଏକ ସ୍ତିରୀ ଆସି କରୁଛି ଜଞ୍ଜାଳ ।କର୍ଣ୍ଣ ନାସିକା ଏହାର ଛେଦନ ଯେ କର ॥
।୭।ରାମ ଆଜ୍ଞାରେ ଲକ୍ଷ୍ମଣ ଅଗ୍ରସର ହେଲେ ।ନାସା କର୍ଣ୍ଣ ତାହାର ଯେ ଛେଦି ପକାଇଲେ ॥
।୮।ଜଣାଇଲା ଯାଇ ସେହୁ ରାବଣ ଛାମୁରେ ।ଶୁଣିକରି ରାବଣ ଯେ ଅଇଲା ରାଗରେ ॥
।୯।ମାୟାମୃଗ ପଠାଇଣ ସୀତା ଚୋରି କଲା ।ଅଶୋକ ବନରେ ନେଇ ସୀତାଙ୍କୁ ରଖିଲା ॥
।୧୦।ମୃଗ ମାରି ଆସି ରାମ ସୀତା ନ ପାଇଣ ।ଜଟାୟୁଠାରୁ ବୃତ୍ତାନ୍ତ ଶୁଣିଲେ ସେ ପୁଣ ॥
।୧୧।ଜଟାୟୁଠାରୁ ବାରତା ପାଇ ରଘୁନାଥ ।ଋଷ୍ୟମୁକେ ହେଲେ ଯାଇ ସୁଗ୍ରୀ ସଙ୍ଗେ ମିତ ॥
।୧୨।କପିବଳଙ୍କୁ ଘେନିଣ ରାବଣ ବଧିଲେ ।ଅଯୋଧ୍ୟାକୁ ଆସି ରାମ ଅଭିଷେକ ହେଲେ ॥
।୧୩।ଯାହାକୁ ଯେମନ୍ତ ବର ଦେଲେ ରଘୁବୀର ।କପିମାନଙ୍କର କଥା ପଡ଼ିଲା ମନର ॥
।୧୪।ସୁଗ୍ରୀବଙ୍କୁ ଡ଼ାକି କହିଲେକ ରଘୁପତି ।ତୁମ୍ଭ କପିବଳ ସହ ଯେତେ ସେନାପତି ॥
।୧୫।ସମସ୍ତଙ୍କୁ ଡ଼କାଇଣ ଠୁଳ ଆଣି କର ।ହନୁଙ୍କୁ ଆଜ୍ଞା ଦେଲେ କିଷ୍କିନ୍ଧ୍ୟା ନୃପବର ॥
।୧୬।ହନୁମନ୍ତ ଆଜ୍ଞା ପାଇ ବେଗେ ଚଳିଗଲେ ।ସେନାପତିମାନଙ୍କୁ ଯେ ଜଣାଇଣ ଦେଲେ ॥
।୧୭।କୋଟି କୋଟି ସେନାପତି ଅଇଲେ ବେଗରେ ।ପ୍ରବେଶ ହୋଇଲେ ଆସି ସୁଗ୍ରୀବ ପାଶରେ ॥
।୧୮।ଏହା ଦେଖି ସୁଗ୍ରୀବ ଯେ ତହୁଂ ଚଳିଗଲେ ।ରାମଚନ୍ଦ୍ରଙ୍କ ଛାମୁରେ ସବୁ ଜଣାଇଲେ ॥
।୧୯।ସବୁ ଜାତି ସେନାପତି ଆସିଛନ୍ତି ମିତ ।ଆଜ୍ଞା ହେଉ ଏବେ ଆହେ ଅଯୋଧ୍ୟାର ନାଥ ॥
।୨୦।ଶୁଣିକରି ରାମଚନ୍ଦ୍ର ଆନନ୍ଦ ହୋଇଲେ ।ସେନାପତିମାନଙ୍କୁ ଯେ ଡ଼ାକିଣ କହିଲେ ॥
।୨୧।ତୁମ୍ଭେମାନେ ସେନାପତି ହୋଇକରି ଥିଲ ।ଆମ୍ଭର ହିତରେ ତୁମ୍ଭେ ବହୁ ଯୁଦ୍ଧ କଲ ॥
।୨୨।ଏମନ୍ତେ ଯୁଦ୍ଧରେ ଥାଇ କେତେ କଷ୍ଟ ସହି ।ଅସୁର ବଳକୁ ସବୁ ନିପାତିଲ ମହୀ ॥
।୨୩।ଦ୍ୱାପର ଯୁଗରେ ମୁହିଂ କୃଷ୍ଣ ଅବତାର ।ତୁମ୍ଭ ସଙ୍ଗେ ଲୀଳାରଙ୍ଗ ହୋଇବ ମୋହର ॥
।୨୪।ସ୍ମରଣ ମାତ୍ରକେ ତୁମ୍ଭେ ମିଳିବ ମୋ ସଙ୍ଗେ ।ମଧୁର ଲୀଳା କରିବା କଉତୁକ ରଙ୍ଗେ ॥
।୨୫।ତ୍ରେତୟା ଯୁଗର ଏହ ମାଙ୍କଡ଼ର ବଳ ।ଦ୍ୱାପରେ ଉଭା ହୋଇଲେ କଉତୁକେ ଖେଳ ॥
।୨୬।ଶୁଣ ହେ ଗୋପାଳ ଭାଇ ଏହି କଥା ରସ ।ଜଗତ ହିତରେ କହେ ଶ୍ରୀ ଅଚ୍ୟୁତ ଦାସ ॥
।୨୭।ଓଗାଳ – ୫ଶୁଣ ହେ ଗୋପାଳ ଭାଇ ମନକର୍ଣ୍ଣ ଦେଇ ।ଆଉରି କଥାଏ ମନେ ପଡ଼ିଲାକ ଭାଇ ॥
।୧।କାଳିନ୍ଦୀ ହ୍ରଦରୁ କାଳୀୟକୁ ନିସ୍ତାରିଲେ ।ଜଳରୁ ବିଷାକ୍ତ ମାନ ହରଣ କରିଲେ ॥
।୨।ସଂଶୟ ଏଥକୁ ଜାତ ହୋଅଇ ମନର ।କାଳୀନାଗ କିମ୍ପା ରହିଥିଲା ସେ ହ୍ରଦର ॥
।୩।କ୍ଷଣକ ମାତ୍ରକେ ସେହୁ ଦିଅନ୍ତା ଯେ ଜାଳୀ ।କାହା ଭୟ ପାଇ ଲୁଚି ରହିଥିଲା କାଳୀ ॥
।୪।ଏହା କହି ଭାଇ ଶାନ୍ତ କର ମୋର ଚିତ୍ତ ।ତୁମ୍ଭଠାରୁ ଶୁଣି ମୁଂ ହୋଇବି କୃତ୍ୟ କୃତ୍ୟ ॥
।୫।କାଳୀନାଗ ଭାଇ ସିନା କୃଥ୍ବୀକି ଧରିଛି ।ଏ ପୁଣି ମର୍ତ୍ତ୍ୟରେ ଲୁଚି ସର୍ବଦା ରହିଛି ॥
।୬।ଠିକ୍ କରି କୁହ ମନ ହୋଅଇ ଅଥୟ ।ତୁମ୍ଭଠାରୁ ଶୁଣି ମୋର ଯାଉ ଏ ସଂଶୟ ॥
।୭।କହନ୍ତି ଅଚ୍ୟୁତ ଶୁଣ ଆହେ ମୋର ଭାଇ ।ସଭାଜନ ଆଗେ ସବୁ ଦିଅ ହେ ବୁଝାଇ ॥
।୮।ଉତ୍ତାରଶୁଣ ହେ ଗୋପାଳ ଭାଇ ଅପୂରୁପ ରସ ।ଯାହା ଶୁଣି ସଭାଜନେ ହେବେଟି ସନ୍ତୋଷ ॥
।୧।ଯାହା ପଚାରିଲୁ ତୁହି କାଳୀର ଚରିତ ।ମନ ଦେଇ ଶୁଣ ଏବେ ଗୋପାଳର ସୁତ ॥
।୨।ସୈାଭରୀ ନାମରେ ଏକ ଋଷି ସେ ଯେ ଥିଲେ ।କାଳିନ୍ଦୀ ହ୍ରଦ ନିକଟେ ତପ କରୁଥିଲେ ॥
।୩।ମତ୍ସ୍ୟମାନେ ଜଳୁଂ ଆସିଣ କରନ୍ତି ଖେଳ ।ମୁନିଙ୍କୁ ତାହାଙ୍କର ଯେ ନ ଥାଏଟି ଡ଼ର ॥
।୪।ସୈାଭରୀ ଋଷି ଯେ ତାହାଙ୍କ ଖେଳ ଦେଖିଣ ।ଆନନ୍ଦରେ ଆଶ୍ୱାସ କରନ୍ତି ମୁନି ଜାଣ ॥
।୫।ମୁନି ସଙ୍ଗେ ବହୁ ପ୍ରୀତି ମତ୍ସ୍ୟମାନଙ୍କର ।ତେଣୁକରି ଆନନ୍ଦରେ କରୁଥାନ୍ତି ଖେଳ ॥
।୬।ଏକଦିନେ ଗରୁଡ଼ ଯେ ଭ୍ରମି ଆସିଥିଲା ।ନଦୀକୂଳେ ବସି ବହୁ ଆନନ୍ଦ ହୋଇଲା ॥
।୭।ସେ ସମୟେ ରୋହି ମାଛ ଆସି ଖେଳୁଥିଲା ।ଗରୁଡ଼ ତାହାକୁ ନେଇ ଆହାର କରିଲା ॥
।୮।ସୈାଭରୀ ଋଷି ଦେଖିଣ ରୋଷକୁ ବହିଣ ।ବୋଇଲେ କି କଲୁ ଆରେ ହେ ପକ୍ଷୀ ରାଜନ ॥
।୯।ସେମାନେ ମୋହର ପୁଣ ପ୍ରୀତିର ବାନ୍ଧବ ।ତାହାକୁ ଭକ୍ଷଣ କଲୁ ଆରେ ପକ୍ଷୀଜୀବ ॥
।୧୦।ଦିଅନ୍ତି ମୁଂ ଶାପ୍ୟ ହୋଇଯାଆନ୍ତୁ ତୁ ଭସ୍ମ ।ଡ଼ରମାଡ଼େ ପୀତବାସଙ୍କର ତୁ ଯେ ଦାସ ॥
।୧୧।ପ୍ରତି ସତକାର ଏବେ ଘେନ ଆରେ ବାବୁ ।ଏ କାଳୀ ହ୍ରଦକୁ ଆଉ କେବେ ନ ଆସିବୁ ॥
।୧୨।ବଳାତ୍କାର ହୋଇ ଯେବେ ଆସିବୁରେ ଉଡ଼ି ।ପାଦ ଦିଅନ୍ତେଣ ପ୍ରାଣ ଯିବ ତୋର ଛାଡ଼ି ॥
।୧୩।ତୁମ୍ଭ ଦୁହିଂଙ୍କର ଏଠି ରହିଲାଟି ପଣ ।ପଦ୍ମ ତୋଳି ଆସିବେଟି ଜଗତ ଜୀବନ ॥
।୧୪।ପଦ୍ମ ତୋଳନ୍ତେ ଦଂଶିବ ସେ କାଳୀୟ ନାଗ ।ସେହିବେଳେ ଡାକ ତୋତେ ଦେବେ ମହାଭାଗ ॥
।୧୫।ତାଙ୍କ ଡ଼ାକେ ଆସିଣ ତୁ ହୋଇବୁରେ ମୁକ୍ତି ।କାଳୀନାଗର ଯେ ଛାଡ଼ିଯିବ ଭୟଭ୍ରାନ୍ତି ॥
।୧୬।ଏଥୁ ଅନନ୍ତରେ ଶୁଣ ପୂର୍ବର ଚରିତ ।ରମ୍ୟକ ଦ୍ବୀପରେ ଥିଲେ ସର୍ପ ଯେ ସମସ୍ତ ॥
।୧୭।ମାସକରେ ଥରେ ବଳିଭୋଜ ଯେ ଦିଅନ୍ତି ।ନାନା ରୂପେ ଗରୁଡ଼କୁ ପୂଜା ସେ କରନ୍ତି ॥
।୧୮।ମାସକରେ ଯାର ପାଳି ପଡ଼ଇ ରେ ଭାଇ ।ବଳିଭୋଜା ଦେଇ ଆନନ୍ଦରେ ଥାନ୍ତି ରହି ॥
।୧୯।ସର୍ପ ସମସ୍ତଙ୍କର ପାଳି ଯହୁଂ ସେ ସରିଲା ।କାଳୀନାଗ କଥା ତହୁଂ ମନରେ ପଡ଼ିଲା ॥
।୨୦।କାଳୀକି କହିଲେ ଯାଇ ସକଳ ଯେ ସର୍ପ ।ତୁମ୍ଭରି ପାଳି ପଡ଼ିବ ଆହେ ନୃପ ॥
।୨୧।ଶୁଣି ନାଗରାଜା ସବୁ ଠୁଳ ଯେ କରିଲେ ।ବନସ୍ତ ବୃକ୍ଷମୂଳରେ ନେଇଣ ଥୋଇଲେ ॥
।୨୨।ମନେ ବିଚାରିଲେ ପୁଣି ସେହି କାଳୀନାଗ ।ପକ୍ଷୀଜନ୍ତୁ ହୋଇ ଏହା କରୁଅଛି ଭୋଗ ॥
।୨୩।ଆମ୍ଭେ ଏତେ ବଳିଷ୍ଠ ହୋଇଲେ କିସ ହେବ ।ଆମ୍ଭ ବଳିଭୋଜା ପୁଣି ଗରୁଡ଼ ଖାଇବ ॥
।୨୪।ଏତେ କହି ନିଜେ ସବୁ କରିଦେଲା ଗ୍ରାସ ।ଆନନ୍ଦ ହୋଇ ରହିଲେ ସର୍ପଙ୍କର ଈଶ ॥
।୨୫।ପ୍ରଭାତୁଂ ଗରୁଡ଼ ଆସି ଖୋଜଇ ଆହାର ।ବଳିଭୋଜା ନ ପାଇଣ ହେଲା କୋପ ଭର ॥
।୨୬।ବନସ୍ତରେ ପଶି ଚଉଦିଗ ସେ ଚାହିଂଲା ।କାଳୀନାଗକୁ ଦେଖିଣ ଧରି ସେ ଆଣିଲା ॥
।୨୭।ଦୁହିଂଙ୍କର ବହୁ ଯୁଦ୍ଧ ହୋଇଲାକ ତହିଂ ।କେ କାହାକୁ ନ ଛାଡ଼ନ୍ତି ବଳିଷ୍ଠ ବୋଲାଇ ॥
।୨୮।କାଳୀ ଉଠି ଚାପୋଡ଼େକ ମାଇଲା ଯେ ରୋଷେ ।କାଳୀର ଚାପୋଡ଼ା ଖାଇ ଗରୁଡ଼ ଯେ ହସେ ॥
।୨୯।ବିନତା ସୁତ ଉଠିଣ ମାଡ଼ିଣ ବସିଲା ।ବେନି କରେ ଦେହ ତାର ଚିରିଣ ସେ ଦେଲା ॥
।୩୦।ରକତ ଯେ ଝର ଝର ପଡ଼ିଲାକ ବହି ।ଏହା ଦେଖି ନାଗରାଜା ଭୟକୁ ଯେ ପାଇ ॥
।୩୧।ଏଣେତେଣେ ଚାହିଂ ବହୁ କାତର ହୋଇଲା ।ଗରୁଡ଼ଙ୍କ ପୂର୍ବ କଥା ମନେ ବିଚାରିଲା ॥
।୩୨।ଏହା ଭାବି ପଳାଇଲା ଜନ୍ତୁଙ୍କ ରାଜନ ।କାଳିନ୍ଦୀ ହ୍ରଦରେ ଯାଇ ରଖିଲା ପରାଣ ॥
।୩୩।ଶାପ ଯୋଗୁଂ ବାହୁଡ଼ିଲା ସେ ପକ୍ଷୀରାଜନ ।ସେହିଦିନଠାରୁ କାଳୀ ଥିଲା ଏହି ସ୍ଥାନ ॥
।୩୪।ଯାହା ପଚାରିଲୁ ତାହା ଶୁଣିଲୁରେ ଭାଇ ।ଦୋଷାଦୋଷ ଥିଲେ କ୍ଷମା କରିବୁଟି ତୁହି ॥
।୩୫।କହନ୍ତି ଅଚ୍ୟୁତାନନ୍ଦ ଏ ଗହନ କଥା ।ଗୁରୁସେବା କରିଥିଲେ ପିନ୍ଧିବୁ ତୁ ଯଥା ॥
।୩୬।ଓଗାଳ – ୬ଶୁଣ ଶୁଣ ଆହେ ଗୋପାଳ ଅତି ଅପୂର୍ବ ରସ ।ରାଧାକୃଷ୍ଣଙ୍କର ଚରିତ ଶୁଣି ହେବ ସନ୍ତୋଷ ॥
।୧।ବସୁଦେବ କୃଷ୍ଣ ରୂପକୁ ଦେଖି ଅତି ଆନନ୍ଦ ।ଅମାବାସ୍ୟାରେ କି ଉଇଂଲା ଦିବ୍ୟ ପୂର୍ଣ୍ଣମୀ ଚାନ୍ଦ ॥
।୨।ଦେବକୀ ବୋଲନ୍ତି ଶୁଣନ୍ତୁ ଆହେ ପ୍ରାଣ ଈଶ୍ୱର ।ଜଗତ କରତା ଅଟନ୍ତି ପରା ମୋର କୁମର ॥
।୩।ସାନ୍ଦୀପନି ପାଶେ ପଢିଲେ ପରା ମୋ ବେନି ସୁତ ।ଦକ୍ଷିଣା ନିମନ୍ତେ ଅଣାଇ ଦେଲେ ତା ଷଡ଼ ପୁତ୍ର ॥
।୪।ଅଲୋକିତ କଥା ଜାଣଇଂ ମୋର ଦୁଃଖୀର ଧନ ।ମନକଥା ମୋର ଶୁଣନ୍ତୁ ଆହେ ଜୀବଜୀବନ ॥
।୫।ମୋର ଷଡ଼ପୁତ୍ର ପାଇଂକି ନିତି କରଇ ଚିନ୍ତା ।ସାୟନ୍ତନୁ ଷଡ଼ପୁତ୍ରଙ୍କୁ ଦେଲେ ବିଶ୍ୱକରତା ॥
।୬।ମୋର ଷଡ଼ପୁତ୍ର ମଲେଣି ହେଲା ବହୁତ କାଳ ।ସତେକି ମୋ ପୁତ୍ରମାନଙ୍କୁ ଆଣିଦେବ ମୋ ବାଳ ॥
।୭।ଶୁଣିକରି ବସୁଦେବ ଯେ ମନେ ବିଚାର କଲେ ।ସତେ ପୁତ୍ରମୁଖ ଦେଖିବା ଚିନ୍ତି ଆନନ୍ଦ ହେଲେ ॥
।୮।ଯାହା ପଚାରୁଛି ଭାଇ ହେ ସବୁ ମନେ ରଖିବ ।ବସୁଦେବ ଷଡ଼ପୁତ୍ରକୁ ତାଙ୍କୁ ଅଣାଇ ଦେବ ॥
।୯।ଏହିଠାରେ ପଦ ରହିଲା ଆହେ ଗୋପାଳ ଭାଇ ।ସବୁକଥା ମୋତେ ବୁଝାଇ ଏବେ କହିବୁ ତୁହି ॥
।୧୦।ନିଷ୍କାମ ଭକ୍ତି ଯେ କରଇ ତାଙ୍କ ଧନ୍ୟ ଜୀବନ ।ଅଚ୍ୟୁତ ଦାସ ଯେ କରଇ ଶୂନ୍ୟବ୍ରହ୍ମଙ୍କୁ ଧ୍ୟାନ ॥
।୧୧।ଉତ୍ତାରଶୁଣ ହେ ଗୋପାଳ ଭାଇ ଅପୂର୍ବ ରହସ୍ୟ ।ଯାହା ଶୁଣି ସଭାଜନେ ହୋଇବେ ସନ୍ତୋଷ ॥
।୧।ଯାହା ପୁଛା କଲ ଏବେ ମନଦେଇ ଶୁଣ ।ଦ୍ୱାପର ଯୁଗର କଥା ଅଟଇ ପ୍ରମାଣ ॥
।୨।ଦେବକୀଠାରୁ ବୃତ୍ତାନ୍ତ ଶୁଣି ବସୁଦେବ ।ପ୍ରବେଶ ହୋଇଲେ ଯହିଂ ଅଛନ୍ତି ମାଧବ ॥
।୩।ପୁତ୍ରମୁଖ ଚାହିଂ କହେ ବସୁଦେବ ଗିର ।ମାତା କହିବା କଥାକୁ ଶୁଣରେ କୁମର ॥
।୪।ଷଡ଼ପୁତ୍ର ଆଣିବାକୁ କହିଛନ୍ତି ତୋତେ ।ବହୁତ ବୁଝାଇ ଏବେ ପଠାଇଲେ ମୋତେ ॥
।୫।ପୁତ୍ରଙ୍କୁ ନପାଇକରି ହୋଅନ୍ତି ବିକଳ ।କେମନ୍ତେ ପୁତ୍ରମାନଙ୍କୁ ଆଣ ଆରେ ବାଳ ॥
।୬।ପିତାଠାରୁ ଶୁଣି କୃଷ୍ଣ ଆନନ୍ଦେ ଚଳିଲେ ।ପାତାଳପୁରେ ଯାଇଣ ପ୍ରବେଶ ହୋଇଲେ ॥
।୭।ଶବ୍ଦ ଶୁଣି ବାହାରିଲେ ବଳୀ ନୃପବର ।ବନ୍ଦାପନା କଲେ ତହୁଂ କୃଷ୍ଣଙ୍କ ପୟର ॥
।୮।ପାତାଳରେ ଆନନ୍ଦ ହୋଇଲା କୋଳାହଳ ।ଶ୍ରୀକୃଷ୍ଣ ବିଜୟ ଦେଖି ସମସ୍ତେ ବିଭୋଳ ॥
।୯।ଉଆସ ରାତିରେ କିବା ପୂର୍ଣ୍ଣମୀର ଚାନ୍ଦ ।ସେହିପରି ଦେଖୁଛନ୍ତି ପାତାଳେ ଗୋବିନ୍ଦ ॥
।୧୦।ବଳିରାଜା ଆଣି ଷଡ଼ପୁତ୍ର ଉଭା କଲେ ।ଦେଖିଣ ଶ୍ରୀକୃଷ୍ଣଚନ୍ଦ୍ର ସନ୍ତୋଷ ହୋଇଲେ ॥
।୧୧।ଅଗ୍ରଜ ମାନଙ୍କୁ ଧରି ଦ୍ୱାରିକା ବାହୁଡ଼ି ।ମାତାଙ୍କ ଅଗ୍ରତେ ଆଣି ତାଙ୍କୁ ଦେଲେ ଛାଡ଼ି ॥
।୧୨।ଜଗତ ଜନର ବନ୍ଧୁ ପ୍ରଭୁ କୃପାସିନ୍ଧୁ ।ନିମିଷ ମାତ୍ରକେ କରେ ପୂର୍ଣ୍ଣିମାର ଇନ୍ଦୁ ॥
।୧୩।ତାଙ୍କରି କୃପାରୁ ଏହା କହିଲି ରେ ଭାଇ ।ବାଟ ଛାଡ଼ିଦିଅ ମୁହିଂ ଯିବିରେ ପଳାଇ ॥
।୧୪।ଓଗାଳ – ୭ଶୁଣ ଶୁଣ ହେ ଗୋପାଳ ଭାଇ ପଚାରୁଛି ଯାହା ।ମନରେ ଆସୁଛି କଥାଏ କହିଦେବ ଯେ ତାହା ॥
।୧।ଦୋଳ ପୁନେଇଂ ଯେ ଗୋପାଳ କୁଳେ ବଡ଼ ପରବ ।ସଭାଜନ ପୂରିଅଛନ୍ତି ଆସିଛନ୍ତି ସରବ ॥
।୨।ଜାଣିଥିଲେ ସିନା କହିବ ଲଉଡ଼ି ହେବ ସାକ୍ଷୀ ।ନ କହିପାରିଲେ ଭାଇ ହୋ ଯିବ ମୁଣ୍ଡ ନ ଟେକି ॥
।୩।ମୁକ୍ତା ଲତା କିସ ଅଟଇ କାହିଂ କେହ୍ନେ ଫଳଇ ।କିଂପାଇଂ ରାଧିକା ସୁନ୍ଦରୀ ସଖୀ ଗଲେ ଚୋରାଇ ॥
।୪।ଶ୍ରୀକୃଷ୍ଣ ଯେ ମୁକୁତା ଫଳ ରାଧିକାଙ୍କୁ ମାଗିଲେ ।ଧିଟ କପଟିଆ କହିଣ ରାଧା ଭର୍ତ୍ସନା କଲେ ॥
।୫।ସଖା ସହ ମିଳି କହ୍ନାଇ ନାନା ଗଂଜଣା ଦେଲେ ।ରାଧା ଅପମାନ ବୋଲିଣ କିଂପା ଭାବନା କଲେ ॥
।୬।ମୁକ୍ତା ଚୋରି ହେବା ବୃତ୍ତାନ୍ତ ଶୁଦ୍ଧ ଗୋପାଳ ଜାଣେ ।ଜାଣିଥିଲେ କହିଦେବଟି ଗୀତେ ଅଚ୍ୟୁତ ଭଣେ ॥
।୭।ଉତ୍ତାରଶୁଣ ଶୁଣ ମନଦେଇ କହୁଅଛଇ ହେ ଭାଇ ।ରାଧାକୃଷ୍ଣଙ୍କର ଚରିତ ଏ ଅମୃତ ଅଟଇ ॥
।୧।ମୁକ୍ତା ଲତା ଚୋରି ଯେପରି ହେଲା ଶ୍ରବଣେ ଶୁଣ ।ଯାହା ଜାଣେ ତାହା କହୁଛି ଦୋଷ ନ ଧର ପୁଣ ॥
।୨।ଗୋଗୋଷ୍ଠରୁ ନନ୍ଦ ନନ୍ଦନ ସଖାଙ୍କର ସହିତେ ।ଗୋବତ୍ସାମାନଙ୍କୁ ମୁକ୍ତାରେ ମଣ୍ଡି ଆଣନ୍ତି ସାଥେ ॥
।୩।ଯାବଟରେ ରାଧା ସଖୀଙ୍କି ବହୁ ଲଜ୍ଜିତ କରି ।ଗୃହକୁ ଫେରିଲେ ଶ୍ରୀହରି ସଖାଙ୍କୁ ସଙ୍ଗେ ଧରି ॥
।୪।ଏହି ଅପମାନେ ରାଧିକା ବସିଲେ ମଥାପୋତି ।ନୟନରୁ ନୀର ଗଡ଼ାଇ କାନ୍ଦୁ୍ଅଛନ୍ତି ସତୀ ॥
।୫।କି ବୁଦ୍ଧି କରିବି ସଜନୀ ବୁଦ୍ଧି ନ ଦିଶେ ମୋତେ ।କେତେ ଅପମାନ ଦିଏ ସେ ସଖାଙ୍କର ସଙ୍ଗତେ ॥
।୬।ସେ ଧିଟ କପଟ କାଳିଆ ଦାଉ ସାଧୁ ଅଛଇ ।ହାଟରେ ବାଟରେ ଲଜ୍ଜାରେ ମୁଣ୍ଡ ନ ଟେକେ ମୁହିଂ ॥
।୭।ଏହା ଶୁଣି ଅଷ୍ଟ ସଖୀଏ ବୁଝାଇଣ କହନ୍ତି ।ଏହି କଥା ଛାର ପାଇଂକି କାନ୍ଦୁ ଆଗୋ ସୁଦନ୍ତୀ ॥
।୮।ଲଳିତା ଥାଇଣ ବୋଇଲେ ଶୁଣ ଶୁଣ ସଜନୀ ।କାଲି ପ୍ରାତୁଂ ଯାଇ ମୁକୁତା ବନ ଦହିବା ପୁଣି ॥
।୯।ବିଶାଖା ସଜନୀ ବୋଲନ୍ତି ଯମୁନା ଯିବା ଛଳେ ।ଯେତେ ଅପମାନ ଦେଇଛି ସାଧିବା ଗୋ ସକଳେ ॥
।୧୦।ଆରେକ ସଖୀଏ ବୋଲଇ ଦମ୍ଭ ଦେବା ଗୋ ସାରି ।ଧିଟ ନନ୍ଦପୁଅ ସକାଶେ ଧନୀ ନ ହୁଅ ଭାଳି ॥
।୧୧।ସୁଚିତ୍ରା ସଜନୀ କହନ୍ତି ମୁକ୍ତା ଡ଼ାଳ ପତର ।ଛିଣ୍ଡାଇ ଓପାଡ଼ି ପକାଇ ଦେବା ଯମୁନା ନୀର ॥
।୧୨।ଏହିପରି ଅଷ୍ଟସଖୀଏ ଯେଝା ପୁରେ ଚଳନ୍ତି ॥
ଏଣେ ସାୟଂକାଳ ପ୍ରବେଶ ହେଲା ଆସି ସଧୀରେ ।ଶ୍ରୀକୃଷ୍ଣ ସଖାଙ୍କୁ ଡ଼ାକିଣ ବସି ଭାଳନ୍ତି ଧୀରେ ॥
।୧୩।ଶୁଣ ହେ ସୁବଳ ସୁଦାମ ଅନୁଦାମ ଶ୍ରୀଦାମ ।ମଧୁମଙ୍ଗଳକୁ କହନ୍ତି ହସି ଜଗମୋହନ ॥
।୧୪।ଆଜ ଯେଉଂ ଅପମାନ ହେ ତୁମ୍ଭେ ଦେଲ ଯେ ସଖା ।ନିଶ୍ଚେ ଆମ୍ଭ ମୁକୁତା ଲତା ଓପାଡ଼ିବେ ରାଧିକା ॥
।୧୫।ଏଣୁକରି ମୁହିଂ କହୁଛି ତୁମ୍ଭେମାନେ ସକଳେ ।ନିଶ୍ଚୟ ଜଗିଣ ରହିବ ମୁକ୍ତା ବୃଛକୁ ଭଲେ ॥
।୧୬।ସୁବଳ ସୁଦାମ ତୁମ୍ଭେଟି ଜଗି ସେଠାରେ ଥିବ ।ମୁକ୍ତା ଲତାକୁ ଯେପରି କେହି ନ ଛଣ୍ଡାଇବ ॥
।୧୭।ଯେବେ ଚୋର ଧରା ପଡ଼ିବ ତାକୁ ଛାଡ଼ି ନ ଦେବ ।ମୁହିଂ ଯିବା ଯାଏ ତାହାକୁ ଧରି ବାନ୍ଧି ରଖିବ ॥
।୧୮।ଏହା କହି ସଖୀମାନଙ୍କୁ ନନ୍ଦକୁମାର ତହିଂ ।ଶୟନ ମନ୍ଦିରେ ଚଳିଲେ ଆନନ୍ଦ ମନ ହୋଇ ॥
।୧୯।ସଖାମାନେ ସର୍ବେ ଚଳିଲେ ନିଜ ନିଜ ମନ୍ଦିରେ ।ରାତ୍ର ପାହିଲେ ପ୍ରାତେ ଯିବେ ବନକୁ ଆନନ୍ଦରେ ॥
।୨୦।ପ୍ରଭାତ ହୁଅନ୍ତେ ଲଳିତା ବୃନ୍ଦା ବିଶାଖା ପୁଣି ।ଚିତ୍ରରେଖା ଇନ୍ଦୁରେଖା ଯେ ଶ୍ରୀମତୀକୁ ସେ ଘେନି ॥
।୨୧।ବାହାର ହୋଇଲେ ଯମୁନା ସ୍ନାନ କରିବା ଛଳେ ।କାଖେ କୁମ୍ଭ ଘେନି ପ୍ରବେଶ ହେଲେ ଯମୁନା ଜଳେ ॥
।୨୨।ଯମୁନା ଘାଟରେ କଳସୀ ମାନ ଥୋଇଣ ଗୋଈ ।ମୁକ୍ତା ତୋଳିବାକୁ ଚାଳନ୍ତି ଅତି ସରାଗ ହୋଇ ॥
।୨୩।ମୁକ୍ତା ଲତା ଥିବା ବନରେ ସର୍ବେ ପ୍ରବେଶ ହେଲେ ।ଚାରି ଦିଗକୁ ଚାହିଂ ସେ କାହାରିକୁ ନ ଦେଖିଲେ ॥
।୨୪।କେହୁ ଯେ ଲତା ଉପାଡ଼ିଲା କେହୁ ମୁକ୍ତା ତୋଳଇ ।କେହୁ ବା କାହାକୁ କହିଲା ଦେଖ ଦେଖ ଗୋ ସହୀ ॥
।୨୫।କେତେ ନାଟ ଜାଣେ ନାଟୁଆ ସେ ତ ନବନାଗର ।କଥା ପଦକରେ କରଇ କାହ୍ନୁ କେଡ଼େ ହୁନ୍ଦର ॥
।୨୬।ଏହିପରି କୁହାକୁହି ସେ ହୋଇ ବ୍ରଜନାଗରୀ ।ମୁକ୍ତା ଛିଣ୍ଡାଇଣ ଆଣନ୍ତି ହୃଦେ ନ ଡ଼ରି ଗୋରୀ ॥
।୨୭।ଏହି ସମୟରେ ସଖାଏ ଚାରିଦିଗୁଂ ଅଇଲେ ।ଚୋର ଚୋର ବୋଲି କୁହାଟ ଉଚ୍ଚସ୍ୱରେ ପାଡ଼ିଲେ ॥
।୨୮।ଲଳିତା ବିଶାଖା ଦୁହିଂଙ୍କୁ ମଧୁମଙ୍ଗଳ ଧରି ।ଚିତ୍ରରେଖା ଇନ୍ଦୁରେଖାକୁ ସୁଦାମ ବନ୍ଦୀ କରି ॥
।୨୯।ସର୍ବ ସଖୀଙ୍କୁ ଯେ ସଖାଏ ମିଳି ବନ୍ଧନ କଲେ ।ରାଧାଙ୍କ ହସ୍ତଙ୍କୁ ସୁବଳ ଧରି କ୍ରୋଧେ ଭାଷିଲେ ॥
।୩୦।ଗୋଟିଏ ମୁକୁତା ନ ଦେଇ କଟୁବଚନ କହି ।ଫେରାଇଣ ଦେଲୁ ମୋତେ ଗୋ କେତେ ଝିଙ୍ଗାସ ଦେଇ ॥
।୩୧।ମଧୁମଙ୍ଗଳ ଯେ ଥାଇଣ ବୋଲେ ସୁବଳ ଶୁଣ ।ଚାଲ ସଖାଙ୍କୁ ଯେ ଡ଼ାକିବା ଶାସ୍ତି ଦେବେ ସେ ପୁଣ ॥
।୩୨।ଲଳିତା ବିଶାଖା ବୋଲନ୍ତି ଛାଡ଼ିଦିଅ ଆମ୍ଭଙ୍କୁ ।ବିଳମ୍ବ ହୋଇଲେ କୁଟିଳା ଗଞ୍ଜିବେଟି ରାଧାଙ୍କୁ ॥
।୩୩।ଏହା ଶୁଣି ମଧୁମଙ୍ଗଳ ବୋଲେ ଶୁଣ ଗୋ ଗୋଈ ।ଏହିପରି ନିତି କର ଗୋ ପରଘର ବୁଡ଼େଈ ॥
।୩୪।ଏତ ଦିନେ ଧରାପଡ଼ିଛ ଛାଡ଼ି ନ ଦେବୁ କେଭେଂ ।ଆସୁଛନ୍ତି ଆମ ସଖା ଗୋ ଦଣ୍ଡେ ରହିଥା ତୁମ୍ଭେ ॥
।୩୫।ଏହା କହି ତାଳି ମାରିଣ ନାଚେ ମଧୁମଙ୍ଗଳ ।ଧାଇଂ ଆସ ପ୍ରାଣସଖା ହେ ଧରାପଡ଼ିଛି ଚୋର ॥
।୩୬।ଏହି ସମୟରେ ଶ୍ରୀକୃଷ୍ଣ ଆସନ୍ତି ଢଳି ଢଳି ।କାମିନୀଙ୍କ ଦର୍ପ ଗଞ୍ଜନ ମୁଖେ ବାଇ ମୁରଳୀ ॥
।୩୭।ସଖୀ ସହ ରାଧା ବନ୍ଧନ ହୋଇ ବସିଛନ୍ତି ।ଦେଖିଣ ଶ୍ରୀକୃଷ୍ଣ ଲଳିତା ସଖୀଙ୍କୁ ଯେ ପୁଚ୍ଛନ୍ତି ॥
।୩୮।ତୁମ୍ଭେମାନେ କାହିଂପାଇଂକି ଏଠାରେ ଅଛ ବସି ।କିଏ ସେ ବନ୍ଧନ କରିଛି କାହ୍ନୁ କହନ୍ତି ହସି ॥
।୩୯।ଲଳିତା ବିଶାଖା କହନ୍ତି ତୁମେ ନଟନାଗର ।ଲଗାଇଣ ନାଟ ଦେଖୁଛ ଜାଣ କେତେ ହୁନ୍ଦର ॥
।୪୦।ଶ୍ରୀରାଧା ମୁଖକୁ ପୋତିଣ ବସି ନାୟନୁଂ ନୀର ।ଝର ଝର ହୋଇ ବହିଣ ପଡ଼େ ଧରଣୀ ତଳ ॥
।୪୧।ସଖୀମାନଙ୍କର ବନ୍ଧନ ଫିଟାଇଣ କହ୍ନାଇ ।ବୋଲନ୍ତି ନୟନେ ସମସ୍ତେ ମୁକ୍ତା ଦେଖିଲ ସହୀ ॥
।୪୨।ଗୋଟିଏ ମୁକୁତା ପାଇଂକି କେତେ ଝିଙ୍ଗାସ କରି ।ଆମ୍ଭଠାରୁ ସସ୍ର ମୁକୁତା ଏବେ ନିଅଗୋ ଗୋରୀ ॥
।୪୩।ସଖାମାନେ ଥାଇ ବୋଲନ୍ତି ଏମାନେ ଆମ ମୁକ୍ତା ।ଚୋରି କରି ନେଉଥିଲେ ହେ ବନ୍ଧନ କଲୁ ସଖା ॥
।୪୪।ସଖାମାନଙ୍କୁ ଯେ ଶୁଣାଇ କହନ୍ତି ବନମାଳୀ ।ଆମ୍ଭ ମୁକ୍ତା ଲତା ଦେଖିବା ପାଇଂ ଆସିଲେ ବାଳୀ ॥
।୪୫।ସଖୀମାନେ ମିଳି ଭାଷନ୍ତି ଶୁଣ ରାଧାମୋହନ ।ବିଳମ୍ବ ନ କରି ମେଲାଣି ଦିଅ ଯିବୁ ବହନ ॥
।୪୬।ରାଧାଙ୍କୁ ଚାହିଂଣ ବୋଲନ୍ତି ପ୍ରଭୁ ଯଦୁନନ୍ଦନ ।ମୁକ୍ତା ନ ଦେଇଣ ଆହୁରି ରୋଷ କରୁଛ ପୁଣ ॥
।୪୭।ଶ୍ରୀ ରାଧା ମୂଖକୁ ପୋତିଣ ରୋଷେ ବୋଲନ୍ତି ବାଣୀ ।ତୁମ୍ଭ ଲାଗି ଅପବାଦ ଯେ କେତେ ଶୁଣନ୍ତି ପୁଣି ॥
।୪୮।ତୁମ୍ଭ ଯୋଗୁଂ ଏତେ ଲଜ୍ୟା ତ ପାଇଲି ଚକ୍ରପାଣି ।ଆଉ ଏ ଜୀବନ ରଖିବି ନାହିଂ ହେ ଚିନ୍ତାମଣି ॥
।୪୯।ଏହା କହି ଧନୀ କ୍ରନ୍ଦନ କଲେ ବଦନ ପୋତି ।ଶ୍ରୀକୃଷ୍ଣ ଯାଇଣ ଆନନ୍ଦେ କୋଳ କଲେ ଝଟତି ॥
।୫୦।ସବୁକଥା ଛାଡ଼ ମନରୁ ଆଗୋ ଚନ୍ଦ୍ରବଦନୀ ।ତୁମ୍ଭର ଏ ଶୋକ ଦେଖିଣ ଫାଟିଯାଏ ଧରଣୀ ॥
।୫୧।ଯାଅ ବେଗହୋଇ ଏବେ ଗୋ ଛାଡ଼ ମନରୁ ରୋଷ ।ତୁମ୍ଭଙ୍କୁ ଲଭିବା ପାଇଂକି କଲି ଏହି ଭବିଷ୍ୟ ॥
।୫୨।ଆଜ ରଜନୀରେ ଧବଳୀ କୁଞ୍ଜକୁ ଆସି ଧନୀ ।ଏ ଜୀବନ ରଖ ସଜନୀ ମୋର ନେତ୍ରର ମଣି ॥
।୫୩।ମେଲାଣି ଦେଇଣ ଶ୍ରୀକୃଷ୍ଣ ଗୋଗୋଷ୍ଠକୁ ଚଳିଲେ ॥
ସଖାଏ ମିଳିଣ ଆନନ୍ଦେ ତାଳିମାରି ନାଚିଲେ ॥
।୫୪।ସଖୀଙ୍କ ସଙ୍ଗତେ ଶ୍ରୀରାଧା ଏଣେ କଲେ ଗମନ ।ଯାହା ପଚାରିଲ ମୁକୁତା ଚୋରିର ଏ ବିଧାନ ॥
।୫୫।କହିଲି ବୁଝାଇ ଶୁଣିଲ ସର୍ବ ଗୋପାଳ ସୁତ ।ହେଲା ନ ହେଲାର ଦୋଷକୁ କ୍ଷମା କର ତୁରିତ ॥
।୫୬।ମୁକ୍ତଲତା ମୁକ୍ତା ଚୋରି ମୁଂ କହିଲିଟି ବୁଝାଇ ।ଭାବି ଚିନ୍ତି କହେ ଅଚ୍ୟୁତ ପ୍ରଭୁ ପାଦକୁ ଧ୍ୟାୟୀ ॥
।୫୭।ଓଗାଳ–୮ନବଗୁଞ୍ଜର ବେଶଶୁଣ ହେ ଗୋପାଳ ଭାଇ ପଚାରୁଛି ମୁହିଂ ।ଯାହା ପଚାରୁଛି ମୋତେ ଦେବ ତା ବୁଝାଇ ॥
।୧।ମୁକ୍ତା ବନସ୍ତରୁ ଶ୍ରୀରାଧା ବିରସ ହୋଇ ।ସଖୀଙ୍କ ସଙ୍ଗରେ ଗୃହେ ପ୍ରବେଶିଲେ ଯାଇ ॥
।୨।ଅତି ମାନରେ ଯେ ରାଈ କାନ୍ଦି କାନ୍ଦି କହି ।କି କରିବି କହ ମୋତେ ଆଗୋ ପ୍ରାଣସହୀ ॥
।୩।ବେଳୁଂ ବେଳ ଲଜ୍ୟା ସଖୀ ଦିଏ କାହ୍ନା ମୋତେ ।କହିଛି ଧବଳୀ କୁଞ୍ଜେ ଭେଟିବୁ ଗୁପତେ ॥
।୪।ନ ଯିବି ସଜନୀ ଆଉ ସେ ନିକୁଞ୍ଜ ପଥେ ।କି ଭାବ ରଖିବି ସଖୀ ତାହାଙ୍କ ସଙ୍ଗତେ ॥
।୫।କରିବ ହୀନିମାନ ଯେ ଦାଉ ସାଧି ପୁଣି ।କହିବ ବନ୍ଧୁଙ୍କୁ ମୋର ଏତିକି ଦଇନି ॥
।୬।ଏହା ଶୁଣି ସଖୀମାନେ ବୋଲନ୍ତି ଉତ୍ତର ।ଏହି କଥା ପାଇଂ ସଖୀ ନୁହଂ ଗୋ ଅସ୍ଥିର ॥
।୭।ଆମ୍ଭେମାନେ ମିଳିକରି କରିବା କୈାଶଳ ।ଅପମାନ ଦେବା ତାଙ୍କୁ ହୋଇବଟି ଭଲ ॥
।୮।ମନର ମାନକୁ ତେଜି ବେଶ ହୁଅ ଆଜି ।ପ୍ରବେଶିବା ଯାଇଂ କୁଞ୍ଜେ ସବୁ ଦୁଃଖ ତେଜି ॥
।୯।ଏହା ଶୁଣି ଶ୍ରୀରାଧା ଯେ ହର୍ଷ ଚିତ୍ତ ହୋଇ ।ମନର ଆକୁଳ ତେଜି ସଙ୍ଗେ ସର୍ବ ଗୋଈ ॥
।୧୦।ବେଶଘରେ ଯାଇ ପ୍ରବେଶିଲେ ସେ ତୁରିତ ।ସଖୀମାନେ ମିଶିଣ ଯେ ସଜାଇ ସମସ୍ତ ॥
।୧୧।ଧୀରେ ଧୀରେ ପ୍ରବେଶିଲେ ଯାଇ କୁଞ୍ଜଦ୍ୱାରେ ।ଲଳିତା ବୋଲନ୍ତି ଶୁଣ ସଖୀଏ ସଧୀରେ ॥
।୧୨।କୈାଶଳ ଗୋଟିଏ ମୁଂ କରିଛି ମନେ ସ୍ଥିର ।ହସ୍ତୀ ହୋଇକରି ସଖୀ ରହିବ ଏଠାର ॥
।୧୩।କୁଞ୍ଜ ଉହାଡ଼ରେ ରହି ସାଧିବା ଯେ ଦାଉ ।ଯେପରି କହ୍ନାଇ ଚିହ୍ନି ନ ପାରିବ ଆଉ ॥
।୧୪।ଅଷ୍ଟସଖୀ ମିଳିଣ ଶ୍ରୀରାଧା କର ଧରି ।ନବଗୁଞ୍ଜର ବେଶକୁ ସଜାଇଲେ ଗୋରୀ ॥
।୧୫।ଏବେ ପଚାରୁଛି ଭାଇ କହିଦେବୁ ମୋତେ ।କହି ନ ପାରିଲେ ଛାଡ଼ିଦେବି ନାହିଂ ତୋତେ ॥
।୧୬।ଅଷ୍ଟସଖୀ ରାଧା ମିଳି ହସ୍ତୀଏ ସାଜିଲେ ।କିଏ କେଉଂ ଅଙ୍ଗ ହେଲେ କହିବୁ ତା ଭଲେ ॥
।୧୭।କହିଦେଲେ ଭାଇ ତୋତେ ଛାଡ଼ିଦେବି ମୁହିଂ ।ନ କହିପାରିଲେ କେଭେଂ ଛଡ଼ିଦେବି ନାହିଂ ॥
।୧୮।କେଉଂପରି ରାଧା କୃଷ୍ଣ ହୋଇଲେକ ଭେଟ ।କହିଣ ମନରୁ ମୋର ଫିଟାଅ ସଙ୍କଟ ॥
।୧୯।ହସ୍ତୀ ହୋଇ କୁଞ୍ଜେ ସେ ରହିଲେକ ଯାଇ ।ରାଧାକୃଷ୍ଣ ମିଳନ ତୁ କରିବୁ ରେ ଭାଇ ॥
।୨୦।ମିଳନ ଦେଖି ମୁଂ ଯିବି ନିଶ୍ଚିନ୍ତ ଯେ ହୋଇ ।ପ୍ରଭୁଙ୍କ ଦର୍ଶନ ପାଇଂ ରହିଅଛି ଚାହିଂ ॥
।୨୧।ଉତ୍ତାରଶୁଣ ଶୁଣ ତୁମ୍ଭେ ହେ ଗୋପାଳ ଭାଇ ଦେଇଣ ଶ୍ରୁତିପଥକୁ ।ଯାହା ପଚାରିଲ ଅପୂର୍ବ ଏ ଅଟେ ନବଗୁଞ୍ଜର କଥାକୁ ॥
।୧।ଅଷ୍ଟସଖୀଙ୍କର ସହ ମିଳିମିଶି ଗୋପୀ ରାଧିକା ସୁନ୍ଦରୀ ।ଗୋପ ନଗ୍ର ଚନ୍ଦ୍ର ଶ୍ରୀକୃଷ୍ଣଚନ୍ଦ୍ରଙ୍କ ମୁକ୍ତା ଫଳ କଲେ ଚୋରି ॥
।୨।ମୁକ୍ତାକୁ ରୋପିଣ ଫଳ ଫଳାଇଣ ଗୋବତ୍ସା ମଣ୍ଡନ କରି ।ଗୋପଦାଣ୍ଡରେ ଯିବାବେଳେ ଶ୍ରୀହରି ରାଧାକୁ ଧିକାକାର କରି ॥
।୩।ସେହି ଅପମାନେ ସଖୀଙ୍କ ସଙ୍ଗରେ ରାଈ ମୁକ୍ତା ତୋଳି ଗଲେ ।ସୁବଳ ବାନ୍ଧିଲା ସୁଦାମ ବାନ୍ଧିଲା କୃଷ୍ଣ ପୁଣି ମୁକ୍ତି କଲେ ॥
।୪।ରାଧା ଗର୍ବ ଗଞ୍ଜି ରାଧା ପ୍ରେମେ ମଜ୍ଜି ପୁଣି ହୋଇଲେ ପ୍ରସନ୍ନ ।ଲଳିତା ସଖୀଙ୍କୁ କହିଲେ ମୋହନ ଧବଳୀ କୁଞ୍ଜେ ମିଳନ ॥
।୫।ଏତେ କହି ରାଧା କର ଧରି ହରି ବିଦାୟ ନେଇଣ ଗଲେ ।ତହୁଂ ରାଧା ଅଷ୍ଟସଖୀ କୁଞ୍ଜେ ମିଳି ମନରେ ବିଚାର କଲେ ॥
।୬।ଦେଖ କେଡ଼େ ମାୟା କଲା ସେ କାଳିଆ କହି ତ ନୁହଂଇ ମିତ ।ତାର ପ୍ରତିଫଳ ଦେବା ଗୋ ସକଳ ହୋଇକରି ଐରାବତ ॥
।୭।ଏହା ଶୁଣି ସର୍ବ ସଖୀଗଣ ମିଳି ହେଉ ହେଉ ଯେ କହିଲେ ।କିଏ କିସ ହେବ ବୋଲିକରି ମନେ ମନେ ସେ ବିଚାର କଲେ ॥
।୮।ଆଗ ବେନିପଦ ଜ୍ୟୋଷ୍ଠା ଯେ ଧନିଷ୍ଠା ହସ୍ତୀର ଆନନ ହେଲେ ।ପଛ ବେନିପାଦେ ରଙ୍ଗଦେବୀ ଜାଣ ଶ୍ରୀଦେବୀ ଯତ୍ନେ ରହିଲେ ॥
।୯।ତୁଙ୍ଗବିଦ୍ୟା ପେଟ ଇନ୍ଦୁରେଖା ପିଠି ହେଲେ ଯେ ଆନନ୍ଦ ହୋଇ ।ବିଶାଖା ସଜନୀ ଲାଞ୍ଜଟି ହୋଇଲେ ଲଳିତା ଶୁଣ୍ଢେ ଶୋଭଇ ॥
।୧୦।ତହିଂପରେ ଯାଇଂ ରାଧିକା ସୁନ୍ଦରୀ କାନ୍ଧ ଯେ ହେଲେ ତକ୍ଷଣ ।ସର୍ବ ସଖୀ ମିଳି ହୋଇଲେ ଆବର ନୀଳ ବସ୍ତ୍ର ଉପୁରାଣ ॥
।୧୧।ଏହିପରି କରି ସେ ସର୍ବ ସୁନ୍ଦରୀ ହୋଇ କୁଞ୍ଜରେ ରହିଲେ ।ଶ୍ରୀକୃଷ୍ଣ ଆସିଣ ତହିଂ ପ୍ରବେଶିଣ କାହାକୁ ନ ଦେଖି ଭଲେ ॥
।୧୨।କୁଞ୍ଜେ ମିଳି ହରି ନ ଦେଖିଣ ଘାରି ବିଚାର କରନ୍ତି ମନ ।କେଣେ ଯିବି ମୁହିଂ କି କରିବି ଥାଇ ନ ଥିଲେ ଜୀବନଧନ ॥
।୧୩।ପୁଣି ଚାହିଂ କାହ୍ନୁ ଦେଖିଲେ କୁଞ୍ଜରେ ଏକ ମହାଦସ୍ତୀ ଅଛି ।ଗରଜନ କରୁଅଛି ଦେଖିକରି ଭାବନ୍ତି ମନେ ଶ୍ରୀବତ୍ସି ॥
।୧୪।ମୋର ପ୍ରାଣସଖୀମାନଙ୍କୁ ଏ ଗଜ ମାରିଣ ଉଭା ଅଛଇ ।ମୋତେ ଦେଖିକରି କରୁଛି ଗର୍ଜନ ଆସୁଛି ମାରିବା ପାଇଂ ॥
।୧୫।ଏ ସମୟେ ଆକାଶରୁ ଶବ୍ଦ ହେଲା ନ ହୁଅ ପ୍ରଭୁ କାତର ।ଏ ମତ୍ତହସ୍ତୀର ପୃଷ୍ଠେ ବିଜେ କର ଆହେ ତ୍ରିଭଙ୍ଗ ସୁନ୍ଦର ॥
।୧୬।ପାଇବ ତୁମ୍ଭର ଆହେ ନଟବର ପ୍ରାଣର ବଲ୍ଲଭୀ ରାଈ ।ଏହା ଶୁଣି କୃଷ୍ଣ ଆନନ୍ଦ ମନରେ ହସ୍ତୀ ପୃଷ୍ଠରେ ଉଠଇ ॥
।୧୭।ତହୁଂ ମାୟାବତୀ ପରେ ଉଠିକରି କୁଞ୍ଜେ କୁଞ୍ଜେ ବୁଲାଇଲେ ।ଶ୍ରୀକୃଷ୍ଣ ଚଢନ୍ତେ ମାୟା ଛାଡ଼ି ସର୍ବେ ନିଜ ନିଜ ରୂପ ହେଲେ ॥
।୧୮।ନିକୁଞ୍ଜେ ବିହରି ବହୁ ଆହ୍ଳାଦରେ ଗୋପୀଙ୍କ ସଙ୍ଗେ ରମିଲେ ।କୁକୁଟ ଡାକନ୍ତେ ରାତ୍ରି ହିଂ ପାଆନ୍ତେ ସଖୀଏ ଉଦବେଗ ହେଲେ ॥
।୧୯।ଏହିପରି କହୁଥିଲେ ଆହେ ଭାଇ ନ ସରେ କେଭେଂ ଏ ରସ ।ଯାହା ପଚାରିଲ ଜାଣିଥିବା କଥା କହିଲି ହୋଇ ହରଷ ॥
।୨୦।ବହୁଦିନୁଂ ସେବି ଶ୍ରୀଗୁରୁ ପୟର ଥିଲେ ମୋତେ ସେ ବୁଝାଇ ।ଅଚ୍ୟୁତାନନ୍ଦ ସେ ପ୍ରସଙ୍ଗ କହିଲା ହେତୁ ମନକୁ ଚେତାଇ ॥
।୨୧।ଓଗାଳ – ୯ଦ୍ୱାଦଶ କିଳିଣୀଶୁଣ ଶୁଣ ଭାଇମାନେ ଦେଇ ଶ୍ରୁତିପଥ ।ଅତ୍ୟନ୍ତ ରହସ୍ୟ ରାଧା କୃଷ୍ଣଙ୍କ ଚରିତ ॥
।୧।ଦୁର୍ଜୟ ମାନ କରିଣ ଥିଲେ ରାଧାରାଣୀ ।ତା’ପରେ ଖଣ୍ଡିତ କରାଇଲେ ଚକ୍ରପାଣି ॥
।୨।ସେ କଥା ଗୋଟିକୁ ସହି ନ ପାରିଣ ରାଈ ।ନୟନ ଯୁଗଳୁଂ ଅଶ୍ରୁ ଯାଉଅଛି ବହି ॥
।୩।ସହି ନ ପାରି ସେ କଥା ରାଧିକା ସୁନ୍ଦରୀ ।ପାଦ ପକାଇଣ ତହୁଂ ଅଇଲେକ ଚଳି ॥
।୪।ପଛରେ ଗୋଡ଼ାଇଛନ୍ତି ପ୍ରଭୁ ନଟବର ।ରାଧିକା ଯେ ତରତରେ ମିଳିଲେ ଗୃହର ॥
।୫।ତ୍ରିକୁଟେ ତ୍ରିଗୁଣ ଛନ୍ଦି ରାଈ ବିନୋଦିନୀ ।ସିଷୁମୁନା ନିରୋଧିଲେ ଦୁଃଖେ ରାଧାରାଣୀ ॥
।୬।ସିଷୁବେଦକୁ ଅଭ୍ୟାସ କରିଣ ସୁନ୍ଦରୀ ।ପ୍ରଥମ ଚକ୍ରେ କିଳିଣୀ ଦେଲେ ଦୃଢକରି ॥
।୭।ଦ୍ୱିତୀୟ ଚକ୍ରକୁ ବନ୍ଦୀ କରିଲେ ସେ ପୁଣି ।ତହିଂ ଲଗାଇଲେ ଯନ୍ତ୍ର ଯତ୍ନରେ କିଳିଣୀ ॥
।୮।ତୃତୀୟ ଦ୍ୱାର ଚକ୍ରକୁ କିଳିଣୀ ପକାଇ ।ଚତୁର୍ଥ ଦ୍ୱାର ଚକ୍ରକୁ ରୁନ୍ଧିଲେକ ରାଈ ॥
।୯।ପଞ୍ଚମ ଚକ୍ରେ କିଳିଣୀ ପକାଇ ବନ୍ଦିଲେ ।ଷଷ୍ଠ କିଳିଣୀକି ରାଧା ଦୃଢରେ ଛନ୍ଦିଲେ ॥
।୧୦।ଏହିପରି ଦ୍ୱାଦଶ କିଳିଣୀ ପକାଇଲେ ।ପଲଙ୍କ ଉପରେ ରାଧା ଶୟନ କରିଲେ ॥
।୧୧।ନେତ୍ରୁ ନୀର ବହି ବହି ଜଳପୂର୍ଣ୍ଣ ହେଲା ।ସେ ନେତ୍ର ଜଳରେ ପୁଣି ପଦ୍ମେକ ଫୁଟିଲା ॥
।୧୨।ପଦ୍ମ ଫୁଟି ପଲଙ୍କ ସହିତେ ଘୋଡ଼ାଇଲା ।ମୁଦିଦ ହୁଅନ୍ତେ ରାଧା ତା ମଧ୍ୟେ ରହିଲା ॥
।୧୩।କେମନ୍ତେ ରାଧାକୃଷ୍ଣଙ୍କ ହୋଇବ ମିଳନ ।ଦୀନ ଅଚ୍ୟୁତ କହଇ ଥିଲେ ଦିବ୍ୟ ଜ୍ଞାନ ॥
।୧୪।ଓଗାଳର ଭାବ ତୁମ୍ଭେ କହିବ ବୁଝାଇ ।ଜାଣି ନ ଥିଲେ ଯାଅ ଯା ସଭାରୁ ପଳାଇ ॥
।୧୫।ଉତ୍ତାରଶୁଣ ହୋ ଗୋପାଳ ଭାଇ ପଚାରିଲ ଯାହା ।ମନକର୍ଣ୍ଣ ଦେଇ ଶୁଣ କହୁଅଛି ତାହା ॥
।୧।କିଳିଣୀ ପକାଇ ରାଧା ଯହୁଂ ସେ ରହିଲେ ।ଫାଟକ ଫିଟାଇ କୃଷ୍ଣ ଆରତ ହୋଇଲେ ॥
।୨।ଭାବିଲେ ମୁଂ କି କରିବି ଦ୍ୱାର ନ ଫିଟଇ ।ରାଧାରାଣୀ ପାଇଂ ପ୍ରାଣ ହାରିବଇଂ ମୁହିଂ ॥
।୩।ଭାବୁ ଭାବୁ ମନେ ଆସେ ପୈାର୍ଣ୍ଣମାସୀ କଥା ।ସେ ଜାଣିଲେ ନିଶ୍ଚେ ୟାର କରିବେ ବ୍ୟବସ୍ଥା ॥
।୪।ଏତେ ଭାବି କୃଷ୍ଣ ପୈାର୍ଣ୍ଣମାସୀ ପାଶେ ଗଲେ ।ସକଳ ବୃତ୍ତାନ୍ତ ତାଙ୍କ ନିକଟେ କହିଲେ ॥
।୫।ସେ ତାହାଙ୍କୁ ଦ୍ୱାଦଶ ଅକ୍ଷର ମନ୍ତ୍ର ଦେଲେ ।ଏହି ମନ୍ତ୍ରେ ଫିଟାଇବ ବୋଲିଣ କହିଲେ ॥
।୬।ତାହା ଶୁଣି କୃଷ୍ଣ ମନ୍ତ୍ର ଅଭ୍ୟାସ କରିଣ ।ପ୍ରଥମ ଦ୍ୱାରେ ପ୍ରବେଶ ହୋଇଲେ ଯାଇଣ ॥
।୭।ପ୍ରଥମ ଅକ୍ଷର ମନ୍ତ୍ର ପଢି ନଟବର ।କିଳିଣୀ ଫିଟାନ୍ତେ ଫିଟି ଗଲାକ ଦୁଆର ॥
।୮।ଦ୍ୱାଦଶ ଅକ୍ଷର ମନ୍ତ୍ର ପଢିଣ କହ୍ନାଇ ।ଦ୍ୱାଦଶ କିଳିଣୀ ପଥ ଫିଟାଇଲେ ତହିଂ ॥
।୯।କିଳିଣୀ ଫିଟାଇ ଶେଷ ଦ୍ୱାରେ ପ୍ରବେଶିଲେ ।ଦେଖିଲେ ରାଈ ନାହାନ୍ତି ଆଶ୍ଚର୍ଯ୍ୟ ହୋଇଲେ ॥
।୧୦।ପଦ୍ମଫୁଲ ମୁଦିତ ଯେ ହୋଇଣ ରହିଛି ।ମନେ ବିଚାରିଲେ ରାଧା ଏହା ମଧ୍ୟେ ଅଛି ॥
।୧୧।ଏହା ଦେଖି ଚିନ୍ତାମଗ୍ନ ହେଲେ ନନ୍ଦସୁତ ।ନାରାୟଣଙ୍କର ମୂର୍ତ୍ତି ଧଇଲେ ତୁରିତ ॥
।୧୨।ମହାକ୍ରୋଧ ହେଲେ ଯହୁଂ ନନ୍ଦର ନନ୍ଦନ ।ଦ୍ୱିତୀୟ ସୂର୍ଯ୍ୟର ତେଜ ହେଲେ ଭଗବାନ ॥
।୧୩।ସେ ତେଜ ଲାଗିଣ ପଦ୍ମଫୁଲ ଯେ ଫୁଟିଲା ।ରାଧାଙ୍କ ଉପରେ କୃଷ୍ଣ ନୟନ ପଡିଲା ॥
।୧୪।ଆସ ଆସ ପ୍ରାଣସଖୀ ନ କର ଗୋ ମାନ ।ସାମାନ୍ୟ କଥାରେ ମୋତେ ଦେଲ ୟେ କଷଣ ॥
।୧୫।ହୃଦୟର ଦୁଃଖ ସବୁ ପ୍ରକାଶ କରିଲେ ।ଦୁଃଖ ଛାଡ଼ି ଦୁହେଂ ପ୍ରେମ ପ୍ରୀତିରେ ମାତିଲେ ॥
।୧୬।ରାଧାକୃଷ୍ଣଙ୍କର ଲୀଳା ଅପାରୁଂ ଅପାର ।ପଦ୍ମପାଦ ଧ୍ୟାୟୀ କହେ ଅଚ୍ୟୁତ ପାମର ॥
।୧୭।ଓଗାଳ – ୧୦ରାଧାଙ୍କ ରାଜବେଶଶୁଣ ହେ ଗୋପାଳ ଭାଇ ମନକର୍ଣ୍ଣ ଦେଇ ।ଆହୁରି କଥାଏ ମନେ ପଡ଼ିଲାକ ଏହି ॥
।୧।ବହୁଦିନୁଂ ଏକଥା ମୋ ମନେ ଥିଲା ଜାଣ ।ତୁମ୍ଭଙ୍କୁ ଦେଖିଣ ମୋର ପଡ଼ିଗଲା ମନ ॥
।୨।ରାଧାରାଣୀ କେଉଂ ବେଳେ ହୋଇଥିଲେ ରାଜା ।କିଏ ଯେ ତାଙ୍କର ପୁଣ ହେଲେ ଜନ ପ୍ରଜା ॥
।୩।କୃଷ୍ଣ ପୁଣି ତାଙ୍କ ପାଶେ ସେବକ ଖଟିଲେ ।ରାଈ ରାଜାଙ୍କର ଜୟ ହେଉ ସେ ବୋଇଲେ ॥
।୪।କଟୁଆଳ ପଣେ ତାଙ୍କୁ ଶାଢି କିଏ ଦେଲା ।ଏ କଥା ଗୋଟି ଗୋ ମନେ ସନ୍ଦେହ ରହିଲା ॥
।୫।ଢାଳ ତରବାରୀ ଧରି ନନ୍ଦର ନନ୍ଦନ ।କଟୁଆଳ ପଣେ ଦ୍ୱାର ଜଗିଥାନ୍ତି ପୁଣ ॥
।୬।ଏ କଥା ଗୋଟିକୁ ଭାଇ ବୁଝାଇ କହିବ ।ଅଚ୍ୟୁତ ବୋଲନ୍ତି ଲୋକେ ଗଣନା ହୋଇବ ॥
।୭।ଉତ୍ତାରଶୁଣ ହୋ ଗୋପାଳ ଭାଇ ପଚାରିଲ ଯାହା ।ମନକର୍ଣ୍ଣ ଦେଇ ଶୁଣ କହୁଅଛି ତାହା ॥
।୧।ରାଈ ରାଜା କଥା ଯାହା ପଚାରିଲ ଭାଇ ।ତାହା ଏବେ କହୁଅଛି ଶୁଣ ସ୍ଥିର ହୋଇ ॥
।୨।ଏକ ଦିନେ ରାଧା କୃଷ୍ଣ ମଣ୍ଡପେ ବସିଣ ।ନିକୁଞ୍ଜ ମଣ୍ଡପେ ଖେଳ ଆରମ୍ଭିଲେ ଜାଣ ॥
।୩।ସଖୀ ସଖା ମିଳି ତହିଂ ବେଢିଣ ବସିଲେ ।ରାଧାକୃଷ୍ଣ ଦୁହେଂ ପଶା ଖେଳ ଆରମ୍ଭିଲେ ॥
।୪।ପଣ କଲେ ଯେ ଜିତିବ ରାଜା ସେ ହୋଇବ ।ଅଙ୍ଗ ବେଶଭୂଷା ଦେଇ ପାଦରେ ଖଟିବ ॥
।୫।ଏକଥା ସତ୍ୟ କରିଣ ଖେଳରେ ବସିଲେ ।ଦାନ ପକାପକି କରି ସାର ଚଳାଇଲେ ॥
।୬।ଏହପରି ବହୁ ବେଳ କଲେ ଖେଳାଲୀଳା ।ଶେଷରେ ହାରିଲେ କାହ୍ନୁ ଜିତିଲେ ଛଇଳା ॥
।୭।ଯହୁଂ ରାଧାରାଣୀ ଖେଳେ ଜିତାପଟ ହେଲେ ।ସଖୀମାନେ ମିଳି ତହିଂ ରାଜବେଶ କଲେ ॥
।୮।ଫୁଲର ଚାନ୍ଦୁଆ ପୁଣି ଫୁଲ ସିଂହାସନ ।ଫୁଲର ବିଞ୍ଛଣା ଫୁଲେ ସର୍ବାଙ୍ଗ ଭୂଷଣ ॥
।୯।ଫୁଲେ ରାଜସିଂହାସନ ସଖୀଏ କରିଣ ।ରାଧାଙ୍କୁ ରାଜବେଶରେ ବସାଇଲେ ପୁଣ ॥
।୧୦।ସମସ୍ତେ ଆଜ୍ଞା ପାଳନ୍ତି ରାଧା ଦେବୀଙ୍କର ।ପାତ୍ର ମନ୍ତ୍ରୀ ପରି ସଖୀ ଖଟନ୍ତି ପାଶର ॥
।୧୧।ଶ୍ରୀକୃଷ୍ଣଙ୍କୁ ଡ଼ାକି ଆଜ୍ଞା ଦେଲେ ଯେ ସୁନ୍ଦରୀ ।କଟୁଆଳ ହୋଇ ରୁହ ଦ୍ୱାରେ ଯେ ଆମ୍ଭରି ॥
।୧୨।ଶୁଣି କୃଷ୍ଣ ଢାଲ ତରବାରୀ ଧରି କରେ ।ଜୟ ରାଧାରାଣୀ ବୋଲି ଡାକନ୍ତି ଦୁଆରେ ॥
।୧୩।ଚଉପାଶେ ରହି ପୁଣ ଠଣା ଦେଉଥାନ୍ତି ।ଜୟ ରାଈ ରାଜା ବୋଲି ମୁଖରେ ବୋଲନ୍ତି ॥
।୧୪।ଏହା ଦେଖିକରି ରାଧା ବିରସ ହୋଇଣ ।ସଖୀମାନଙ୍କୁ ଡ଼ାକିଣ ବୋଲନ୍ତି ବଚନ ॥
।୧୫।ଆଗୋ ସଖୀ ବେଗେ ଯାଇ କାହ୍ନୁଙ୍କୁ ମୋ ଆଣ ।ବହୁତ କଷ୍ଟ ପାଇଲେ ମୋ ଜୀବ ଜୀବନ ॥
।୧୬।କଟୁଆଳ ବେଶ ସଖୀ ଉତ୍ତାରିଣ ନେଇ ।ନିଜ ବେଶ ଏବେ ଦିଅ ତାଙ୍କୁ ହେ ପିନ୍ଧାଇ ॥
।୧୭।ଆଜ୍ଞା ପାଇ ସଖୀମାନେ ସେହିପରି କଲେ ।ହାସ ପରିହାସରେ ସେ ଆନନ୍ଦେ ମାତିଲେ ॥
।୧୮।ଯାହା ପଚାରିଲ ରାଈ ରାଜାର ଚରିତ ।ଏସନେ ହୋଇଲା କହେ ପାମର ଅଚ୍ୟୁତ ॥
।୧୯।ଓଗାଳ – ୧୧ରାଧା କଳଙ୍କିନୀଦାମ ଗୋପାଳଙ୍କୁ ଦେଖି ସୁଦାମ କହଇ ।ଯାହା ପଚାରୁଛି ମୁହିଂ କହିଦେବୁ ଭାଇ ॥
।୧।ଦେବସଭା ପରି ସଭା ଶୋଭା ପାଉଅଛି ।ରାଧା କୃଷ୍ଣଙ୍କର ଏବେ ଓଗାଳ ହେଉଛି ॥
।୨।ଯେତେ ନାଟ ଲୀଳା ହୁଏ ରାଧା କୃଷ୍ଣଙ୍କର ।କାହିଂ ଶୁଣି ନାହିଂ କୁଟିଳାର ସମାଚାର ॥
।୩।କୁଟିଳା ପୂର୍ବେ କିଏ ସେ ଥିଲା ଆରେ ଭାଇ ।କାହିଂକି ଶ୍ରୀମତୀ ସଙ୍ଗେ ବିବାଦ କରଇ ॥
।୪।ରାଧାଙ୍କୁ ଦେଖିଲେ ତାର ହାଡ଼ ଯେ ଜଳଇ ।ଗଲେ କାହିଂ ରାଧାରାଣୀ ଅପବାଦ ଦେଇ ॥
।୫।ଏ କଥା ଶୁଣିବା ପାଇଂ ବହୁ ଶ୍ରମ କରି ।ଆସିଅଛି ବୁଝାଇଣ କହ ହେତୁ କରି ॥
।୬।କାହା ଶାପେ ବ୍ରଜେ ରାଧା କଳଙ୍କିନୀ ହେଲେ ।ମନର ସନ୍ଦେହ ମୋର ତୁଟାଅ ହେ ହେଳେ ॥
।୭।ପ୍ରତି ପ୍ରତି କରି କଥା ଦେବ ଫିଟାଇଣ ।ଅଚ୍ୟୁତାନନ୍ଦ ପ୍ରସଙ୍ଗ କହୁଅଛି ଶୁଣ ॥
।୮।ଉତ୍ତାରସୁଦାମ ବଚନ ଶୁଣି କହୁଛନ୍ତି ଦାମ ।ଯାହା ପଚାରିଲ ଭାଇ ଶୁଣ ଦେଇ ମନ ॥
।୧।ବହୁ ପୁରାତନ କଥା ପଚାରିଲ ଭାଇ ।ଗୁରୁଙ୍କର ପାଠ ଏ ଯେ କହିବା ନୁହଂଇ ॥
।୨।ଯେଣୁ ଏ ସଭା ମଧ୍ୟରେ ପଚାରିଲ ମୋତେ ।ଗୋଟ ଗୋଟି କରି ମୁହିଂ ବୁଝାଇବି ତୋତେ ॥
।୩।ଏକଦିନେ ଶ୍ରୀକୃଷ୍ଣ ଯେ ନିତ୍ୟ ବୈକୁଣ୍ଠରେ ।ରାସ କରୁଥିଲେ ସର୍ବ ଗୋପୀଙ୍କ ସଙ୍ଗରେ ॥
।୪।ରାଧାଙ୍କୁ ତେଜିଣ ଏକ ଗୋପିକା ସଙ୍ଗତେ ।ପ୍ରେମ ରସେ ପୁହାଇଲେ ରାତ୍ର କଉତୁକେ ॥
।୫।ଏ କଥା ରାଧାଙ୍କୁ କହେ ଗୋପର ଯୁବତୀ ।ବିରଜାଙ୍କ ସଙ୍ଗେ ମାତି ଅଛନ୍ତି ଶ୍ରୀପତି ॥
।୬।ବିରଜା ଯେ ଶ୍ରୀରାଧାଙ୍କ ସଖୀ ମଧ୍ୟେ ସାର ।ଶୁଣିଲାକ୍ଷଣି ରାଧିକା ହେଲେ କୋପଭର ॥
।୭।ଶ୍ରୀମତୀ ବୋଲନ୍ତି ମୋତେ ଦେଖାଅ ତୁରିତେ ।ଦେଖିଲେ ବିଶ୍ୱାସ ମୁହିଂ ଯିବଇଂ ଯେ ପ୍ରତେ ॥
।୮।ଏହା କହି ଗୋପୀମାନଙ୍କୁ ସେ ସଙ୍ଗେ ନେଇ ।ଶ୍ରୀକୃଷ୍ଣଙ୍କ ପୁରେ ରାଧା ପ୍ରବେଶିଲେ ଯାଇ ॥
।୯।ଦେଖିଲେ ଦ୍ୱାରରକ୍ଷକ ସୁଦାମ ଗୋପାଳ ।ମହାକ୍ରୋଧେ ଶ୍ରୀରାଧା ବୋଲନ୍ତି ଦ୍ୱାରପାଳ ॥
।୧୦।ଦ୍ୱାରଛାଡ଼ ଶ୍ରୀକୃଷ୍ଣଙ୍କ ନିକଟକୁ ଯିବି ।ଏହା ଶୁଣି ସୁଦାମ ଯେ ହେଲା ବଡ଼ ଭାବି ॥
।୧୧।ଉତ୍ତର ନ ଦେଇ ଦ୍ୱାର ସେହି ନ ଛାଡ଼ିଲେ ।ଧସାଇ ରାଧା ଗୋପିକା ଭିତରେ ପଶିଲେ ॥
।୧୨।ଏଣେ ଶ୍ରୀକୃଷ୍ଣ ବିରଜା ପ୍ରେମେ ପାଇ ଶ୍ରମ ।ଅଜ୍ଞାନବସ୍ଥାରେ କରିଅଛନ୍ତି ଶୟନ ॥
।୧୩।କୋଳାହଳ ଶୁଣି କୃଷ୍ଣ ହେଲେ ଅନ୍ତର୍ଦ୍ଧାନ ।ବିରଜା ଗୋପୀ ନ ଯାଇ ରହିଲା ସେ ସ୍ଥାନ ॥
।୧୪।ରାଧାଙ୍କ ଭୟରେ ତାର ପ୍ରାଣ ଯେ ନ ଥାଇ ।କେବଳ ମୃତ ଅବସ୍ଥା ହୋଇ ପଡ଼ିଥାଇ ॥
।୧୫।ଶ୍ରୀରାଧା ପ୍ରବେଶି ଯାଇ ଖୋଜିଲେ କୃଷ୍ଣଙ୍କୁ ।ନ ପାଇଣ ମହାକ୍ରୋଧେ ଭେଟି ବିରଜାଙ୍କୁ ॥
।୧୬।ଝିଙ୍କାସ କରିଣ ବହୁ କଟୁବାକ୍ୟ କହି ।ଅଭିଶାପ ଦେଲେ ରାଈ ମହାକ୍ରୋଧ ହୋଇ ॥
।୧୭।ମୋର ପ୍ରିୟ ସହଚରୀ ହୋଇକରି ତୁହି ।କପଟରେ ମୋ ପ୍ରଭୁଙ୍କ ସଙ୍ଗେ ହେଲୁ ବାଇ ॥
।୧୮।ଆଜିଠାରୁ ଅଭିଶାପ ଘେନ ଗୋ ମୋହର ।ନଦୀ ହୋଇ ବହିଯାଅ କହୁଛି ନିକର ॥
।୧୯।ରାଧାଙ୍କର ଶାପ କେଭେଂ ଅନ୍ୟଥା ନୁହଇ ।ବିରଜା ନାମେ ନଦୀ ଯେ ହୋଇଲାକ ସେହି ॥
।୨୦।ଅଭିଶାପ ଦେଇ ରାଧା ମହାକ୍ରୋଧ ହୋଇ ।ଶୟନ କରିଲେ ଦେବୀ କୁଂଜବନେ ଯାଇ ॥
।୨୧।ଶ୍ରୀରାଧା ଯିବା ଜାଣିଣ ଜଗତ ଠାକୁର ।ବିରଜା ଥିବା ସ୍ଥାନରେ ପ୍ରବେଶି ସତ୍ୱର ॥
।୨୨।ନ ଦେଖି ନୟନେ ହରି ମହାଚିନ୍ତା କଲେ ।କାରୁଣ୍ୟ କରିଣ ବହୁ ସନ୍ତାପି ହୋଇଲେ ॥
।୨୩।ତାହା ଜାଣି ବିରଜା ଯେ ନଦୀରୁ ବାହାରି ।ପ୍ରବେଶ ହୋଇଲେ ଯହିଂ ଥିଲେ ନରହରି ॥
।୨୪।ବିରଜାଙ୍କୁ ଦେଖି କୃଷ୍ଣ ଦୁଃଖିତ ହୋଇଲେ ।କୋଳାଗ୍ରତ କରି ମୁଖେ ଚୁମ୍ବଦାନ ଦେଲେ ॥
।୨୫।ଶୋକଭରେ ବିରଜା ଯେ ସମସ୍ତ କହିଲେ ।ଶ୍ରୀକୃଷ୍ଣ ସାନ୍ତ୍ବନା ଦେଇ ବହୁ ପ୍ରଶଂସିଲେ ॥
।୨୬।ବୋଇଲେ ସୁନ୍ଦରୀ ଆଉ ଶୋକ ତୁ ନକର ।ଯେପରି ତୋତେ ଶାପ ସେ ଦେଇଛି ନିକର ॥
।୨୭।ଗୋପରେ ଜନମ ହେବି ମାନବ ଜାତିରେ ।ସେ ସମୟେ ରାଧା ଜନ୍ମ ହେବେ ବୈଶ୍ୟ ଘରେ ॥
।୨୮।ତୁମ୍ଭେ ଜନ୍ମ ହେବ ଗୋପେ ଗୋପାଳ ଗୃହରେ ।ସାଧିବ ରାଧିକା ଦାଉ କହୁଛି ସଖୀରେ ॥
।୨୯।କୁଟିଳା ନାମରେ ଖ୍ୟାତ ହେବ ଜଗତରେ ।ରାଧା ନାମେ ତୁମେ ଅପବାଦ ଦେବ ବଳେ ॥
।୩୦।ତୁମ୍ଭ ଆମ୍ଭ ପ୍ରେମ ଯେ ସେକାଳେ ନ ରହିବ ।ନିଶ୍ଚୟ ଏ ବାକ୍ୟ ଗୋଟି ଅଟଇଟି ଧ୍ରୁବ ॥
।୩୧।ଏହା କହି ଶ୍ରୀକୃଷ୍ଣ ଯେ ଅନ୍ତର୍ଦ୍ଧାନ ହେଲେ ।ସୁଦାମ ନିକଟେ ଯାଇକରି ପ୍ରବେଶିଲେ ॥
।୩୨।ସୁଦାମ ଦେଖି ହରିଙ୍କୁ ନମସ୍କାର ହୋଇ ।ସକଳ ବୃତ୍ତାନ୍ତ ଶ୍ରୀକୃଷ୍ଣଙ୍କୁ ଯେ କହଇ ॥
।୩୩।ଶ୍ରୀକୃଷ୍ଣ ବୋଲନ୍ତି ଚାଲ ରାଧା ପୁର ଯିବା ।ମାନିନୀ ହୋଇଣ ସଖୀ ଅଛିଟି ଦେଖିବା ॥
।୩୪।ସୁଦାମକୁ ଘେନି ସଙ୍ଗେ ଗୋପ ଚୂଡ଼ାମଣି ।ଶ୍ରୀରାଧାଙ୍କ କୁଂଜେ ପ୍ରବେଶିଲେ ଚକ୍ରପାଣି ॥
।୩୫।ଅଭିମାନ କରି ରାଧା ଧୂଳିରେ ଶୟନ ।ସର୍ବ ସଖା ମିଳିକରି କରନ୍ତି ବୋଧନ ॥
।୩୬।ଶ୍ରୀକୃଷ୍ଣ ଆସିବା ଜାଣି ରାଗେ ରାସେଶ୍ୱରୀ ।ଧିକ୍କାରି କହିଲେ ବହୁ ତିରସ୍କାର କରି ॥
।୩୭।ଯାଅ ହେ ଲମ୍ଫଟ ଦଗାଦାର ମୋ ପାଶରୁ ।ନ ଚାହିଂବି ମୁଖ କେଭେଂ ପଳାଅ ଏଠାରୁ ॥
।୩୮।ତୁମ ସ୍ନେହ ବିରଜା ଯେ ଚାହିଂ ବସିଥିବ ।ନ ଗଲେ ଅଭିମାନିନୀ ହୋଇ ନ ଚାହିଂବ ॥
।୩୯।ଏହିପରି ନାନା କଟୁ କଥା କହି ରାଈ ।ଧୂଳିରେ ଶୟନ କଲେ ମାନିନୀ ଯେ ହୋଇ ॥
।୪୦।ଶ୍ରୀ ହରି ବହୁତ ବିନୟରେ କହିଲେଇଂ ।ତେବେ ଅଭିମାନ ନ ତେଜିଲେ ଚାନ୍ଦମୁହୀଂ ॥
।୪୧।ସଖୀମାନେ ପରିହାସ କୃଷ୍ଣଙ୍କୁ କହିଲେ ।ଲଜ୍ଜା ନାହିଂ ଲମ୍ପଟିଆ ଆସିଅଛ ଭଲେ ॥
।୪୨।ଶ୍ରୀରାଧା ବୋଲନ୍ତି ପୁଣି ମୋ ପାଶରୁ ଯାଅ ।ନ ଚାହିଂବି ମୁଖ ତବ କହୁଛି ନିଶ୍ଚୟ ॥
।୪୩।ବେଳକୁ ବେଳ ଅଧିକ କ୍ରୋଧ ହେଲେ ରାଈ ।ପୁଣି ଧୂଳିରେ ଶୟନ କଲେକ ସେ ଯାଇଂ ॥
।୪୪।ଏହା ଦେଖି ସୁଦାମ ଯେ କହନ୍ତି ବଚନ ।ସାମାନ୍ୟ ମାନବ ପରି ଅଟେ ତୁମ୍ଭ ମନ ॥
।୪୫।ଯାହାଙ୍କ ଦର୍ଶନ ପାଇଂ ବ୍ରହ୍ମା ଇନ୍ଦ୍ର ଶିବ ।ଯୋଗୀଜନେ ତପସ୍ୟାରେ ନ ପାଆନ୍ତି ଭାବ ॥
।୪୬।ବୈକୁଣ୍ଠରେ ଲକ୍ଷ୍ମୀଦେବୀ ପଦସେବା କରି ।ସରସ୍ୱତୀ ବାଣୀ କଣ୍ଠେ ତୋଷିଣ ନ ପାରି ॥
।୪୭।ଅନନ୍ତ କୋଟି ବ୍ରହ୍ମାଣ୍ଡ ସର୍ଜନା ଯାହାର ।ରାଧା ମାନ ଭଂଜନ ବା କିଂଚିତ ମାତର ॥
।୪୮।ମାନ ଭଂଜନ କଲେକ ପ୍ରଭୁ ନଟବର ।ରାଧାକୃଷ୍ଣ ମିଳନ ଯେ ହୋଇଲା ସେଠାର ॥
।୪୯।ପଚାରିଲ ବୋଲି ଭାଇ କିଂଚିତେ କହିଲି ।ଅଚ୍ୟୁତ ବୋଲେ ଜଗତ କଲ୍ୟାଣେ ଗାଇଲି ॥