ନୀତିପରାଗ — ନୀଳମଣି ବିଦ୍ୟାରତ୍ନ · ସ୍ୱର୍ଣ୍ଣଲିପି(ପ୍ରଥମ ଭାଗ)ସାହସ, ଉତ୍ସାହ, ଆୟୁ, ଆନନ୍ଦ ନିର୍ମଳ,ବଳ, ବୁଦ୍ଧି ଏ ସମସ୍ତ ସୁଚିନ୍ତାର ଫଳ ।ପାଷାଣେ ଶସ୍ୟ ବପନ ନିଷ୍ଫଳ ଯେସନ,ଦୁଶ୍ଚିନ୍ତାରେ କାଳକ୍ଷୟ ବିଫଳ ତେସନ ।ଦୁଶ୍ଚିନ୍ତା, କୁଚିନ୍ତା ଦୁଇ ଯମଜଭଗିନୀ,ପାପ ଆଉ ନରକର ପଥପ୍ରଦର୍ଶିନୀ ।କିହେତୁ ମଳିନମୁଖ, ଉତ୍ସାହ ବିହୀନ,ନ ରହିବ ଦୁଃଖ ନିଶା ଆସୁଅଛି ଦିନ ।ରାତ୍ର ବିନା ଦିନ, ବିନା ଶ୍ରମେ ପୁରସ୍କାର,ଦୁଃଖ ବିନା ସୁଖ ନୁହେ, ଇଚ୍ଛା ବିଧାତାର ।ଦିନେ ମାତ୍ର ହସେ ନାହିଁ, କାନ୍ଦେ ନିରନ୍ତରେ,ନ ଜନ୍ମେ ଏପରି କେହି ମାନବର ଘରେ ।ଆପଣାର ଅବସ୍ଥାରେ ଅସୁଖୀ ଯେ ଜନ,ଧନେ ଜନେ କେବେ ତାର ନ ଘୁଞ୍ଚେ ରୋଦନ ।ରୋଗର ଔଷଧ ଅଛି ବାହାରେ ବିସ୍ତର,ଅଶାନ୍ତିର ପ୍ରତୀକାର ହୃଦ ଅଭ୍ୟନ୍ତର ।ନିର୍ଝରିଣୀ ଅବିରତ କରେ ଜଳ ଦାନ,ନ ଦେଖେ ସାଧୁ ଅସାଧୁ କିଏ କଲା ପାନ ।ହୀରକ ସଙ୍ଗତେ କାଚ ଥିଲେହେଁ ଜଡ଼ିତ,କାଚପ୍ରତି କେହି କେବେ ହୁଏ କି ଲୋଭିତ ?ଆପଣାର ହିତେ ନାହିଁ ଯାର ପ୍ରାଣୀଧାନ,ସହାୟ ସମ୍ପଦେ ତାର କି ହେବ କଲ୍ୟାଣ ?କାର୍ଯ୍ୟ କରି ଫଳଲାଭେ ଧୈର୍ଯ୍ୟ ନାହିଁ ଯାର,ଯେତେ କିଛି ଅନୁଷ୍ଠାନ ବିଡ଼ମ୍ବନା ତାର ।ମରିଚ, ବାର୍ତ୍ତାକୀ ଫଳେ ମାସ ଦୁଇପରେ,ତାଳ ନାରିକେଳ ଫଳେ ଯୁଗ ଯୁଗାନ୍ତରେ ।ଅନୁଷ୍ଠାନ ଅନୁରୂପେ ଫଳେ ସିନା ଫଳ;ରୋପିଲେ ତେନ୍ତୁଳୀତରୁ ଫଳେ କି ଶ୍ରୀଫଳ ?ମଣି ମୁକ୍ତା ଚିହ୍ନିବାର ଜହୁରି ସୁଲଭ,ମହାଜନ ଚିହ୍ନିବାର ଜହୁରି ଦୁର୍ଲ୍ଲଭ ।ହୁଏତ ଚରଣେ ଆଜି ଦଳୁଅଛ ଯାରେ,ସେବିବ ତାହାରି ପଦ ଦିନ ଦୁଇ ପରେ ।ନିଜ ବୋଝ ବୋହିଥାନ୍ତି ନରେ ନିରନ୍ତର,ବହନେ ପରର ସୂଚୀ ଗାତ୍ରେ ଆସେ ଜ୍ୱର ।ଯଦି ବଢ଼େ ଧନ, ମାନ, ନାମର ପସାର,ହେବାକୁ ସ୍ୱଦେଶପ୍ରେମୀ ଆପତ୍ତି କାହାର ?ଦେଇଅଛ କେତେ ବଳି ଯଶର ଚରଣେ,ଏ କିନ୍ତୁ ଛାୟାର ପୂଜା ଏହା ରଖ ମନେ ।ସହସ୍ର ଧାତ୍ରୀର ସେବା ହୁଏ ଯଦି ଲାଭ,ତଥାପି ନ ଘୁଞ୍ଚେ କିନ୍ତୁ ମାତାର ଅଭାବ ।କୃତଜ୍ଞତା ହୃଦୟର ଅଳଙ୍କାର ଯାର,ନୀଚତା ବୋଲିଣ ଭୟ ନ ଥାଏ ତାହାର ।ଅନକରେ ଦଗ୍ଧ ହୁଏ ଯଦ୍ୟପି ତନ୍ଦନ,ତଥାପି ସୁଗନ୍ଧ ତାର କରେ ବିତରଣ ।ପ୍ରତ୍ୟେକ ନିଶ୍ୱାସେ ପାଉଁ ମୃତ୍ୟୁର ଖବର,
ଶୁଣି ନ ଶୁଣଇ ତାହା, ମାନବ-ପାମର ।
ପାଶେ ପାଇ କରୁଅଛ ଯାର ଅନାଦର,
ଦେବଜ୍ଞାନେ ସ୍ଥାନାନ୍ତରେ ପୂଜିତ ସେ ନର ।
ହାତୀ ଘୋଡ଼ା ରାଜ୍ୟ ଧନ ସମସ୍ତ ନଶ୍ୱର,
ଅକ୍ଷର ସମ୍ବନ୍ଧ କୀର୍ତ୍ତି ଏକା ସ୍ଥିରତର ।
ହୁଅ ପଛେ ମହଜ୍ଜନ ପ୍ରସାଦଭାଜନ,
ନିଜର କ୍ଷୁଦ୍ରତା କିନ୍ତୁ ରଖିବ ସ୍ମରଣ ।
କ୍ଷୁଦୁ ଯଦି ବଡ଼ ହୋଇ ପାଏ ଅଧିକାର,
ସ୍ୱଭାବ ଡାକି ଆଣଇ କ୍ଷୁଦ୍ରତା ତାହାର ।
ସ୍ୱର୍ଣ୍ଣର ପରୀକ୍ଷା ହୁଏ ଅନଳେ ପାଷାଣେ,
ନରର ପରୀକ୍ଷା ହୁଏ ବିପଦର ଦିନେ ।
ମୃଣ୍ଣୟ ବାସନ ଥିଲେ ରାଜସଦନରେ,
ହରିଣୟ ପାତ୍ର ଭ୍ରମ ଜନ୍ମାଏ ମନରେ ।
ଛାଡ଼ି ଜପ, ତପ, ମାଳା, ଉପାସ, ଅର୍ଚ୍ଚନା,
ପ୍ରାଣପଣେ ଦୂର କର ହୃଦ-ଆବର୍ଜନା ।
ଏହି ରକ୍ତ, ଏହି ମାଂସ, ଏହି ଅସ୍ଥିମୟ,
ଗ୍ରାସିଅଛି କେତେ ଦେହ ଶମନ ନିର୍ଦ୍ଦୟ ।
ତୈଳସହ ମିଶେ ତୈଳ, ଜଳେ ମିଶେ ଜଳ,
ସାଧୁସହ ମିଶେ ସାଧୁ, ଖଳସହ ଖଳ ।
ଯୁକ୍ତି ଅନୁସାରେ ତର୍ଜ କରିବ ସଜ୍ଜନ,
ଦ୍ୱେଷ, ଈର୍ଷା, ତିରସ୍କାର କରି ବିସର୍ଜନ ।
ସଂଯତ ହୋଇଣ କର ସ୍ୱକୀୟ ଶାସନ,
ସହଜେ ଶାସିତ ହେବେ ତେବେ ସର୍ବଜନ ।
ବୁଦ୍ଧିର ଉତ୍କର୍ଷ ଲାଭେ ଥାଏ ଯଦି ମନ,
ନିପୁଣ ଚିନ୍ତାର ସଙ୍ଗେ କର ଅଧ୍ୟୟନ ।
ମାତା ଯଦି ପୁତ୍ରେ କରେ କଠୋର ପ୍ରହାର,
ତଥାପି ସେ କାନ୍ଦି ଧରେ ଅଞ୍ଚଳ ମାତାର ।
କାଲି ଥିଲା ଅଭିଳାଷ ହେବାକୁ ଅମର,
ଆଜି ଦେଖ ଆତ୍ମହତ୍ୟା ସାଧନେ ତତ୍ପର ।
ଧର୍ମ୍ମହିଁ ଧର୍ମ୍ମର ବଳ ସୁଖ ଶାନ୍ତି ଦ୍ୱାର,
ସାଧୁତାହିଁ ସାଧୁତାର ପୂର୍ଣ୍ଣ ପୁରସ୍କାର ।
ପ୍ରତିବାସୀ ପ୍ରତି କରେ ଯେ ଜନ ବଞ୍ଚନା,
ଅଜ୍ଞାତେ ସେ କରେ ସିନା ଆତ୍ମପ୍ରତାରଣା ।
ଈଶ୍ୱର ମହିମା ଚିନ୍ତା କରିବ ଯେତିକି,
ନିଜର କ୍ଷୁଦ୍ରତା ବୋଧ ଜନ୍ମିବ ତେତିକି ।
କୁପ୍ରଥା ଅନୁମୋଦନ କରଇ ଯେ ଜନ,
ପରିଣାମେ ହୁଏ ତାର ଚରିତ୍ର ସ୍ଖଳନ ।
ସ୍ୱଭାବରେ ଜୀର୍ଣ୍ଣ ପୁଣି ଘୋର ପ୍ରଭଞ୍ଜନ,
ଠେସ ଦେଇ କେତେକାଳ ରଖିବ ସଦନ ।
ଧରାର ମାନବ ଯଦି ହୁଅନ୍ତା ଅମର,
ଜଳନ୍ତା ଯାତନାନଳେ ତେବେ ନିରନ୍ତର ।
ବିନ୍ଦୁ ବିନ୍ଦୁ ଜଳଯୋଗେ ଅସୀମ ସାଗର,
ପଳ ଅନୁପଳ ମିଶି କଳ୍ପ କଳ୍ପାନ୍ତର ।
ମହତ ଉଦ୍ଦେଶ୍ୟେ ଯେହୁ ଆତ୍ମା କରେ ବଶ,
ତାହାର ହୃଦୟେ ଅଛି ପ୍ରକୃତ ସାହସ ।
ସନ୍ତୋଷର କୁଟୀରରେ ଯେତେ ସୁଖ ମିଳେ,
ଦୁଶ୍ଚିନ୍ତାର ତେତେ ସୁଖ ନୁହେଁ ହର୍ମ୍ମ୍ୟ ତଳେ ।
ନିଷ୍ପାପ ଥାଇ ପଛକେ କଷ୍ଟେ କାଳ ହର,
କଷ୍ଟ ପରିହାର ପାଇଁ କୁକାର୍ଯ୍ୟ ନ କର ।
କେହି କେବେ ପାରି ନାହିଁ ଯାକୁ ରଖିବାରେ,
ନିର୍ବୋଧର ଯତ୍ନ ସେହି ନଶ୍ୱର ଶରୀରେ ।
କ୍ଷୁଦ୍ର ତୁମ୍ଭେ, ଆସିଅଛ ଅଦା କାରବାରେ,
କି କାର୍ଯ୍ୟ ତୁମ୍ଭର, କହ, ସୁବର୍ଣ୍ଣର ଦରେ ।
ଦରିଦ୍ରର ନାହିଁ ଧନ ଅଛି ତ ଜୀବନ,
ଦେଶହିତ ଯଜ୍ଞାହୁତି କି ଅଛି ଏସନ ?
ବିବେକ ସତତ ଯାର ଥାଏ ପରିସ୍କାର,
ମନରେ ପ୍ରକୃତ ଶାନ୍ତି ସମ୍ଭବେ ତାହାର ।
ଯେ ଜନ ସହଜେ କରେ ବିଶ୍ୱାସ ଅପରେ,
ପଡ଼ିଣ ଧୂର୍ତ୍ତର ଜାଲେ ସେହି ଜନ ମରେ ।
ବିଳମ୍ବରେ କରେ ପଛେ କାର୍ଯ୍ୟ ସମ୍ପାଦନ,
ତଥାପି ଆରବ୍ଧ ତ୍ୟାଗ ନ କରେ ସଜ୍ଜନ ।
ଅତୀତ ଭ୍ରମ ପ୍ରମାଦ ନୋହି ବିସ୍ମରଣ,
ଭବିଷ୍ୟତେ ନିରାପଦ ରଖିବ ଜୀବନ ।
ବେଳ ଥାଉ ଥାଉ ଯଦି କର ପ୍ରତୀକାର,
ଭୀଷଣ ବିପଦେ କେବେ ନୋହିବ କାତର ।
ପରକୃତ ଅପରାଧ କରି ବିସ୍ମରଣ,
ନିଜ ମହତ୍ୱ ପ୍ରକାଶ କର ଅନୁକ୍ଷଣ ।
ଯେତିକି ଉନ୍ନତ ହୁଏ ଚରିତ୍ର ଯାହାର,
ଦୟାର୍ଦ୍ର କୋମଳ ପ୍ରାଣ ତେତିକି ତାହର ।
ଧୀରଭାବେ କର କାର୍ଯ୍ୟ ହୋଇ ଅଚଞ୍ଚଳ,
ବପନ ମାତ୍ରକେ ବୀଜ ଧରଇ କି ଫଳ ?
କମ୍ମିବୀର ବାକ୍ୟବ୍ୟୟେ ନ ପାଏ ସମୟ,
ବାକ୍ୟବୀର ବାକ୍ୟ ବ୍ୟୟେ କରେ କାଳ କ୍ଷୟ ।
ଦାନେ, ତପେ, ଶୌର୍ଯ୍ୟେ ଯାର ନ ଘୋଷଇ ମାନ,
ସେ ପୁତ୍ର, ମାତାର ମଳ ମୂତ୍ରର ସମାନ ।
ପୁଞ୍ଜ ପୁଞ୍ଜ ତାରା ଦେଖ ନ ହରେ ଅନ୍ଧାର,
ଏକଚନ୍ଦ୍ର ଆଲୋକିତ କରଇ ସଂସାର ।
ଦୁର୍ଜ୍ଜନ ଯଦ୍ୟପି କହେ ସୁମିଷ୍ଟ ବଚନ,
ତଥାପି ତା ବାକ୍ୟେ ନ ଭୁଲିବ କଦାଚନ ।
ଅର୍ଥନାଶ, ମନସ୍ତାପ, ଗୃହର ଦୂଷଣ,
ପ୍ରତାରଣା, ମାନହାନି କରିବ ଗୋପନ ।
ସାର୍ଥକ ତାହାରି ବିଦ୍ୟା ତାହାରି ସାଧନା,
ସମ୍ମୁଖେ ବୈରାଗ୍ୟ ଯାର ପଶ୍ଚାତେ କାମନା ।
ନିଜର ମରଣ ଦୁଃଖ କରି ଅନୁମାନ,
ସେହି ଅନୁମାନେ ରକ୍ଷା କର ପର ପ୍ରାଣ ।
ଜ୍ଞାନୋଚିତ ଅନୁଷ୍ଠାନେ ଅଶକ୍ତ ଯେ ଜନ,
ସେ ଜ୍ଞାନ ଥିବାରେ କହ କେଉଁ ପ୍ରୟୋଜନ ?
ଦାନ, ଭୋଗ, ନ କରିଣ ଯେ କରେ ସଞ୍ଚୟ,
ଚିନିବୁହା ବଳଦ ସେ ଜାଣିବ ନିଶ୍ଚୟ ।
ସମସ୍ତଙ୍କ ସୁଖ ଦୁଃଖ ଦେଖ ଏ ସଂସାରେ,
ଘୁରୁଅଛି ଅବିରତ ଚକ୍ରର ଆକାରେ ।
ଯେବେ ହରାଇବ ତୁମ୍ଭେ ସାଧୁ ସହବାସ,
ଜାଣିବ ନିଶ୍ଚୟ କଲ ନରକେ ନିବାସ ।
ସଫଳ ଜୀବନ ତାର ଯେ ଜନ ସ୍ୱାଧୀନ,
ପରାଧୀନେ ବଞ୍ଚିଥିବା ମରଣ ସମାନ ।
ଯଥାକାଳେ ଯେ ନ କରେ ସେବକ ପାଳନ,
ନୁହଇ ସେ ଜନ ଭୃତ୍ୟସେବାର ଭାଜନ ।
ଗୁଳ୍ମ ତେଜି, ବାତ୍ୟା, ବୃକ୍ଷ କରଇ ବିନାଶ,
ବଡ଼ କରେ ବଡ଼ ପାଖେ ବିକ୍ରମ ପ୍ରକାଶ ।
ଅନେକ ମର୍ଦ୍ଦନ କଲେ ଦେଇ ତୈଳ ଜଳ,
କୁକ୍କୁରର ପୁଚ୍ଛ କେବେ ହୁଏ କି ସରଳ ?
ପାଳନେ, ସମ୍ମାନେ ଦୁଷ୍ଟ ନ ହୁଅଇ ଖଳ,
ବିଷବୃକ୍ଷେ ସୁଧା ସେକେ ଫଳେ କି ଶ୍ରୀଫଳ ?
ଯେ କରେ ଅନିତ୍ୟ ଦେହ ପରହିତେ ଦାନ,
ସାର୍ଥକ ଜୀବନ ତାର ସେହି ପୁଣ୍ୟବାନ ।
ନ କହେ ଯେ ଜନ କେବେ ନିସ୍ତେଜ ବଚନ,
ଭୁବନେ ତାହାରି ଧନ୍ୟ ଜାଣିବ ଜୀବନ ।
ସାଗରେ, ସରିତେ ଯେତେ ଲୋକ ନିମଗନ,
ମଦିରାରେ ମଗ୍ନସଂଖ୍ୟା ତାର ଶତଗୁଣ ।
ପାପ ଅନୁଷ୍ଠାନେ ବାଧା ନ ଦିଏ ଯେ ଜନ,
ଅଲକ୍ଷରେ କରେ ସେହି ପାପାଂଶ ଗ୍ରହଣ ।
ଜୀବନ ନିଯୁକ୍ତ ଯାର ପରାର୍ଥେ କେବଳ,
ସାଧେ ସେ ଅଜ୍ଞାତସାରେ ଆପଣା ମଙ୍ଗଳ,
ଶୁଣୁଛ ନିଜର ଯେଉଁ ପ୍ରଶଂସାର ଗାନ,
ସତ୍ୟ ମିଥ୍ୟା ସାକ୍ଷୀ ତାର ଆପଣାର ପ୍ରାଣ ।
ଛୋଟ ହୋଇ କ୍ରମେ ବଡ଼, ଏହାହିଁ ନିୟମ,
ଏକାବେଳେ ଲମ୍ଫଦାନ ନୁହେ ତାର କ୍ରମ ।
ପତ୍ର ଅନ୍ତରାଳେ ଲୁଚି ଥାଆନ୍ତି ସୁମନ,
ମଧୁପ ତଥାପି ତାକୁ କରେ ଅନ୍ୱେଷଣ ।
କ୍ଷମା କର, ସହ୍ୟ କର, ପାର ଯେତେ କର,
ଏହାହିଁତ ମାନବୀୟ ବିଜ୍ଞାନର ସାର ।
ଅଜ୍ଞାନ ଥାଇ ପଛକେ କଟାଇବ କାଳ,
ତଥାପି କରିବ ତ୍ୟାଗ କୁଶିକ୍ଷା-ଜଞ୍ଜାଳ ।
ଶିଶୁର ସାରଲ୍ୟ ଆଉ ଉତ୍ସାହ ଯୁବାର,
ବାର୍ଦ୍ଧକ୍ୟରେ ରହେ ଯାର ଦେବତ୍ୱ ତାହାର ।
କଥାରେ କାର୍ଯ୍ୟରେ କେବେ ମେଳ ନାହିଁ ଯାର,
ସେ ଯଦି ମନୁଷ୍ୟ, କହ, ଜନ୍ତୁ କି ପ୍ରକାର ?
ସତୀର ସୁଖ୍ୟାତି ଶୁଣି ସେ ହୁଏ କାତର,
ଅସତୀ ଅଖ୍ୟାତି ଖ୍ୟାତ ଯାର ନିରନ୍ତର ।
ବୁଡ଼ି ମରୁଅଛ ବୋଲି ବୃଥା କର ରୋଷ,
ସନ୍ତରି ନ ଜାଣ ନିଜେ ଜଳର କି ଦୋଷ ?
କୁତ୍ସିତ ସାହିତ୍ୟ ସେବା କରେ ଯେଉଁ ଜନ,
ଅନ୍ତରେ ଉଚ୍ଛୁଳେ ତାର ପାପ-ପ୍ରସ୍ରବଣ ।
କାହାରି ଜୀବନେ ନାହିଁ ଏପରି ନିମେଷ,
ଯାର ଅପଚୟେ କ୍ଷତି ନ ହୁଏ ଅଶେଷ ।
ସର୍ବେ ଶ୍ରମଶୀଳ ହେଲେ ଶକ୍ତି ଅନୁସାରେ,
ନ ରହିବ ଦୁଃଖ ଲେଶ ଏ ବିଶ୍ୱ ସଂସାରେ ।
ତମ୍ବା କଂସା ଓଜନରେ କେ ନୁହେ ପଣ୍ଡିତ ?
କଥାର ଓଜନ କେହି ବୁଝେ କଦାଚିତ ।
ଯଶସ୍ୱୀର ଯଶ ହେରି ଈର୍ଷା ହୁଏ ତାର,
ନିୟତ ସମାଜ ଘୋଷେ ଅପଯଶ ଯାର ।
ସମାପ୍ତ ।