ନାଟ୍ୟରସୂର ଉଦାହରଣ
୧୭୮୧–୧୮୬୬
- ସଂକଳନ: ସାତ କଳା
- ପଢ଼ିବା ସମୟ
- ୯ ମିନିଟ୍
- ଶବ୍ଦ
- ୧୫୧୦
- ସ୍ଥିତି
- ସାର୍ବଜନୀନ (Public domain)
ଆଲୋକମାଳାରେ ସୁସଜ୍ଜିତ ଉଜ୍ଜ୍ୱଳ ରଙ୍ଗମଞ୍ଚ ବାଦ୍ୟରେ ମୁଖରିତ । ଦର୍ଶକଗଣ ନାଟକ ଦେଖିବାକୁ ଉତ୍କର୍ଣ୍ଣ ହୋଇ ବସିଛନ୍ତି । ଯବନିକା ପତନପୂର୍ବରୁ ବିଭିନ୍ନ ଶ୍ରେଣୀର ଦର୍ଶକଗଣ ପ୍ରକୃତିରେ, ଜାତିରେ ବ୍ୟବସାୟରେ ଭିନ୍ନ ହେଲେ ମଧ୍ୟ ସମସ୍ତେ ନାଟକ ଦେଖିବା ସକାଶେ ଆଗ୍ରହରେ ଅଧୀର ହୋଇଥାନ୍ତି ।
ରଙ୍ଗାଳୟରେ ପ୍ରବେଖ ପୂର୍ବରୁ ସେମାନଙ୍କର ନିଜ ନିଜର ଯେଉଁସବୁ ବ୍ୟକ୍ତିଗତ ସୁଖଦୁଃଖର ଆଶା ଆକାଙ୍କ୍ଷାର ଭାବନାସ୍ରୋତ ରହିଥିଲା - ତାହା କ୍ରମେ କ୍ରମେ ଅପସରି ଯାଉଥାଏ । ସେମାନେ କ୍ରମେ କ୍ରମେ ନିଜ ନିଜର ବ୍ୟକ୍ତିତ୍ୱ ପରିହାର କରି ସର୍ବସାଧାରଣ ଦର୍ଶକଙ୍କ ସହିତ ଏକ ଭାବରେ ମିଳି ଯାଇଥାନ୍ତି । ସମସ୍ତ ଦର୍ଶକଙ୍କ ମଧ୍ୟରେ ଯେଉଁ ବ୍ୟକ୍ତିତ୍ୱର ପ୍ରାଚୀର ରହିଥିଲା - ତାହା କ୍ରମେ କ୍ରମେ ଭଗ୍ନ ହୋଇଯାଉଛି । ଯବନିକାର ଉତ୍ତୋଳନ ପରେ ପରେ ନଟନଟୀମାନେ ବିଭିନ୍ନ ବେଶଭୂଷାରେ ବିଭିନ୍ନ ପାତ୍ରଙ୍କର ଭୂମିକାରେ ଅବତୀର୍ଣ୍ଣ ହୋଇ ଅଭିନୟ କରି ଦର୍ଶକମାନଙ୍କୁ ଅଭିଭୂତ ଓ ଚମତ୍କୃତ କରିଥାନ୍ତି । ଦର୍ଶକମାନଙ୍କ ମନରେ ୧ମରେ ଯେଉଁ ସାଧାରଣୀ କରଣ ଆରମ୍ଭ ହୋଇଥାଏ, ତାହା କ୍ରମେ କ୍ରମେ ପୂର୍ଣ୍ଣତା ଲାଭ କରେ । ଦର୍ଶକମାନଙ୍କର ଭିନ୍ନ ଭିନ୍ନ ବ୍ୟକ୍ତି ବୋଲି ଯେଉଁ ଅଭିମାନ ଥାଏ ସେ ପୃଥକ୍ବ୍ୟକ୍ତିତ୍ୱର ଅଭିମାନ କ୍ରମେ କ୍ରମେ ଅପସରି ଯାଏ । ସେ ସମୟରେ ସେମାନେ ‘‘ମୁଁ ଅମୁକ ଲୋକଙ୍କ ପୁଅ, ଅମୁକର ବନ୍ଧୁ, ଅମୁକର ସ୍ୱାମୀ, ମୁଁ ଧନୀ, ମୁଁ ଦରିଦ୍ର, ମୁଁ ଦୁଃଖୀ, ମୁଁ ଚିର ସୁଖୀ” ଏହି ସବୁ ସାଂସାରିକ ସମ୍ବନ୍ଧ ଓ ଚିନ୍ତାକୁ ବିସ୍ମୃତ ହୋଇଯାନ୍ତି । ସେ ସମୟରେ ଯେଉଁମାନେ ଅଭିନୟ କରୁଥାନ୍ତି ସେହି ନଟନଟୀଗଣ ଯେ- ନିଜଠାରୁ ଭିନ୍ନ ବା ଭିନ୍ନ ନୁହନ୍ତି କିମ୍ୱା ଯେ ନଟନଟୀଙ୍କଠାରୁ ଭିନ୍ନ ନୁହେ, ଏହିପରି କୌଣସିଜ୍ଞାନ ଦର୍ଶକମାନଙ୍କ ମନରେ ସେ ସମୟରେ ରହେ ନାହିଁ । ରାମ ସୀତା ପ୍ରଭୃତିଙ୍କର କିମ୍ୱା ନଟନଟୀଙ୍କର, ଭୂମିକାର ରାମ ସୀତା ପ୍ରଭୃତି ବିଭାବ ମଧ୍ୟ ରାମସୀତାଙ୍କର କିମ୍ୱା ପରର, କିମ୍ବା ନିଜର” ଏହିପରି ଜ୍ଞାନ ମଧ୍ୟ ଦର୍ଶକଙ୍କ ମନରେ ସେ ସମୟରେ ରହେ ନାହିଁ । କେବଳ ମୁଁ ଦେଖୁଛି, ଶୁଣୁଛି ଜ୍ଞାନ ରହିଥାଏ । ଏହା ହେଉଛି - ସାଧାରଣୀକରଣ ।
ଏହି ଅବସ୍ଥାରେ ନିଜ ନିଜର ପରିମିତ ବା ସୀମିତ ବ୍ୟକ୍ତିତ୍ୱର ଲୋପ ହୋଇଥାଏ । ସେ ସମୟରେ ସମସ୍ତ ସହୃଦୟ ଦର୍ଶକଙ୍କର ହୃଦୟ ଏକ ହୋଇଯାଏ । ପ୍ରତ୍ୟେକ ସହୃଦୟ ଦର୍ଶକ ସେ ସମୟରେ ନିଜ ନିଜର ବ୍ୟକ୍ତିତ୍ୱ ପରିହାର କରି ସମସ୍ତଙ୍କ ଏକ ହୋଇଯାନ୍ତି ବୋଲି ଅନୁଭବ କରନ୍ତି-। ସେମାନେ ସମସ୍ତେ ସତ୍ତାଚୈତନ୍ୟର ଭୂମିରେ ଅବତୀର୍ଣ୍ଣ ହୁଅନ୍ତି । ସେ ସମୟରେ ସମସ୍ତେ ମନ, ବଚନ, କର୍ମରେ ହୃହୟରେ, ନୟନ କର୍ଣ୍ଣରେ ଏକ ହୋଇଗଲା ପରି ମନେ କରନ୍ତି । ଏହାକୁ ଆଚାର୍ଯ୍ୟ ମମ୍ମଟ କହିଛନ୍ତି - ‘ସକଳସହୃଦୟସମ୍ୱାଦଭାର୍ଜା’ ସେ ସମୟରେ ସୃହୃଦୟ ଦର୍ଶକ ମାନଙ୍କର ଭେଦଜ୍ଞାନ ରହେ ନାହିଁ ଏବଂ ସାଦୃଶ୍ୟ ଜ୍ଞାନ ମଧ୍ୟ ରହେ ନାହିଁ । ସେ ସମୟରେ ରାମ ସୀତା ପ୍ରବୃତି ବ୍ୟକ୍ତିବିଶେଷରୂପରେ ଜ୍ଞାତ ହେଲେ ସେମାନଙ୍କର ଆରାଧ୍ୟତା ପ୍ରଭୃତି ଜ୍ଞାନରୁ ରସିକଙ୍କ ଚିତ୍ତରେ ବାସନା ରୂପରେ ଅବସ୍ଥିତ ରତି ପ୍ରଭୃତି ସ୍ଥାୟୀ ଭାବରୁ ଉଦ୍ବୋଧ ହେବ ନାହିଁ । ଶତ୍ରୁ ଜ୍ଞାନ ହେଲେ ଈର୍ଷା ହେବ । ମିତ୍ର ଜ୍ଞାନ ହେଲେ କିମ୍ୱା ନିଜର ବୋଲି ଜ୍ଞାନ ହେଲେ ଲଜ୍ଜା ପ୍ରଭୃତି ଜାତ ହେବ । ସେତେବେଳେ -
କାବ୍ୟ ନାଟକ ବର୍ଣ୍ଣିତ ଚରିତ୍ର ଦୃଶ୍ୟ ପ୍ରଭୃତିର ଆଲୋଚନାଦ୍ୱାରା ପାଠକ ଓ ଶ୍ରୋତା ନିଜ ନିଜର ଦେଶକାଳ ଅବସ୍ଥା ଏବଂ ନିଜ ନିଜର ବ୍ୟକ୍ତିତ୍ୱ ଓ ବୈଶିଷ୍ଟ୍ୟକୁ ବିସ୍ମୀତ ହୁଏ । ନିଜର ଅସାଧାରଣ ବ୍ୟକ୍ତିତ୍ୱ ପରିହାର କରି କାବ୍ୟ ନାଟକର ଚରିତ୍ର ବିଭାବାଦି ସହିତ ନିଜର ସାଧାରଣ ସମ୍ପର୍କ ସ୍ଥାପନ କରେ । ଏଣୁ ଏହାକୁ ସାଧାରଣୀକରଣ କରନ୍ତି । ଏହି ଅବସ୍ଥାରେ ବିଭାବାଦିର ସାଧାରଣତ୍ୱ ଯୋଗୁଁ ସହୃଦୟ ରସିକ ଲୋକ ବିଭାବାଦି ସହିତ ତନ୍ମୟ ହୋଇଯାନ୍ତି । ତେଣୁ ବିଭାବାଦିଗି ରତି ପ୍ରଭୃତି ସ୍ଥାୟୀଭାବ ରସିକ ଲୋକଙ୍କ ଚିତ୍ତରେ ସୂକ୍ଷ୍ମ ବାସନା - ରୂପରେ ଅବସ୍ଥିତ ରତି ପ୍ରଭୃତି ସ୍ଥାୟୀ ଭାବକୁ ଉଦ୍ବୋଧିତ କରେ । ତେଣୁ ସହୃଦୟ ରସିକ ଲୋକର ‘‘ନିଜର, ପରର ଶତ୍ରୁର, ମିତ୍ର କିମ୍ୱା ନିଜର ନୁହେଁ ପରର ନୁହେ, ଶତ୍ରୁର ନୁହେ, ମିତ୍ରର ନୁହେ” ବୋଲି ଜ୍ଞାନ ରହେନାହିଁ । ସେହି କଥା ବିଶ୍ୱନାଥ ମହାପାତ୍ରେ କହିଛିନ୍ତି ।
‘‘ପରସ୍ୟ ନ ପରସ୍ୟେତି ମମେତି ନ ମମେତି ଚ ।
ତଦାସ୍ୱାଦେ ବିଭାବାଦେଃ ପରିଚ୍ଛେଦୋ ନ ବିଦ୍ୟତେ । ”
ସମ୍ବନ୍ଧିତ ରଚନା
ନାଟ୍ୟରସୂର ଉଦାହରଣ
ଯଦୁମଣି ମହାପାତ୍ର
ଚିଲିକା ହ୍ରଦ
ମଧୁସୂଦନ ରାଓ