ନବଘନ ଚଉତିଶା — ଦୀନକୃଷ୍ଣ ଦାସ · ସ୍ୱର୍ଣ୍ଣଲିପି(ରାଗ – କାମୋଦୀ)କୃଷ୍ଣ କଂସ ନବରେ ଜଳଦ ସମୟରେକଜ୍ଜ୍ୱଳ ମେଘ ବର୍ଣ୍ଣ ଦେଖିକରନ୍ତି ଚିନ୍ତା ମନେ କେମନ୍ତେ ମୋ ବିହୁନେବଞ୍ଚିବ କଳାକର ମୁଖୀହେନବଘନ !କହନ୍ତି ନବଘନ ଚାହିଁକିପାଁ ଅଇଲ ମତେ ଦହିକାମକେଳି କୁଶଳା କଣ୍ଠ-ରତ୍ନ-ମାଳାଡୋଳା ପ୍ରତିମା ମୋର ନାହିଁ ହେନବଘନ ।୧।ଖଞ୍ଜନ-ବିଲୋଚନା ମତ୍ତ-ପିକ-ବଚନାଥାଆନ୍ତା ଯେବେ ମୋର କୋଳେକ୍ଷଣ କାନ୍ତିକି ଘେନି ଘନ ରସରେ ଦାନୀହୋଇ ଆସନ୍ତୁ ଯେତେବେଳେ ହେନବଘନ !ଖେଦ ମୋ ଉଦୟେ ନୁହନ୍ତାକ୍ଷଣକ ସୁଖ କେ କହନ୍ତାଖରକାମ ବଇରି ଶର ପ୍ରହାର କରିକିପାଁ ମୋ ଶରୀରେ ରହନ୍ତା ହେନବଘନ ।୨।ଗଜଗମନୀ ଗୋରୀ ମୋ ପଞ୍ଚପ୍ରାଣେ ପୂରିପାଶରେ ନାହିଁ ମୋର ଯେଣୁଗଜରାଜ ପରାୟେ ଦେଖି ତୁମ୍ଭଙ୍କୁ ଭୟେଜାତ ହେଉଛି ମୋର ତେଣୁ ହେଗର୍ଜ୍ଜନବୃଂହିତ ସମାନଗଳୁଛି ଜଳଧାର ଦାନଶୁଣୁଅଛି ମନରେ ବକପନ୍ତି ଛଳରେପ୍ରକାଶ ହୋଇଛି ଦର୍ଶନ ହେନବଘନ ! ।୩।ଘେନିବାକୁ ଜୀବନ ଅଇଲ ଘନାଘନକାଳ ସ୍ୱରୂପ ଧରିକରିଘନବଲ୍ଲୀ ରସନା କରୁଛି ଯେତେ ଅନାଏତେ କେହ୍ନେ ଗଲି ମୁଁ ସହି ହେନବଘନ !ଘନ ଘଡ଼ି ଗର୍ଜ୍ଜନ ଛାଡ଼ିଘୋଟି ପଡ଼ୁଛି ମୋତେ ମାଡ଼ିଘେନୁ ଅଛି ମୋ ପ୍ରାଣ ପ୍ରାଣ ପାପିଷ୍ଠ ପଞ୍ଚବାଣତୁମ୍ଭର ସଙ୍ଗତରେ ପଡ଼ି ହେନବଘନ ।୪।
ଭାବାର୍ଥ- (୧-୪) କୃଷ୍ଣଙ୍କ ମଥୁରା କଟକରେ ଅବସ୍ଥାନ କାଳରେ ବର୍ଷା ୠତୁର ଆଗମନ ଘଟିଛି । କଳାବର୍ଣ୍ଣର ମେଘକୁ ଦେଖି କୃଷ୍ଣ ମନ ମଧ୍ୟରେ ଚିନ୍ତା କଲେ- ମୋ ବିନା ଚନ୍ଦ୍ରମୁଖୀ ରାଧା କିପରି ବଞ୍ଚିବ । ମନର ଏଇ ଭାବନାକୁ ସେ ନୂଆ ମେଘକୁ କହିଛନ୍ତି । ରେ ନବଘନ, ମୋତେ ଦହିବାକୁ କାହିଁକି ଆସିଲୁ ? ମୋ ପାଖରେ ଏବେ କାମକେଳି କୁଶଳା, ଡୋଳା ପ୍ରତିମା ମୋର ନାହିଁ । ହେ ନବଘନ, କଜ୍ଜ୍ୱଳପାତି ନେତ୍ରୀ, ମତ୍ତକୋଇଲି ବଚନା ଯଦି ମୋର କୋଳରେ ଥାଆନ୍ତା, ତୁ ସେତେବେଳେ କ୍ଷଣିକର ତେଜକୁ ନେଇ ଜଳ ବର୍ଷିଥା’ନ୍ତୁ । ମୋ ହୃଦୟରେ ବିରହ ବେଦନା ସୃଷ୍ଟି ହେବ । କ୍ଷଣିକର ସୁଖ କିଏ କହିବ ? କନ୍ଦର୍ପ ଶର ପ୍ରହାର କରି ମୋ ଶରୀରରେ କାହିଁକି ରହିବ ? ଗଜଗାମିନୀ ଗୋରୀ ମୋ ପାଶରେ ନାହିଁ ସତ, ପଞ୍ଚପ୍ରାଣରେ ପୂରି ରହିଛି । ହେ ନବଘନ, ତୁମକୁ ଦେଖିଲେ ଗଜରାଜ ପରି ମନେ ହେଉଛି ଓ ମନରେ ଭୟ ଜାତ ହେଉଛି । ହାତୀର (ବୃଂହତ) ଡାକ ପରି ତୁମର ଗର୍ଜନ, ଜଳ ଧାର ବୃଷ୍ଟି କରୁଛି । ଶୁଣୁଛି, ବକପନ୍ତି ଛଳରେ ଦର୍ଶନ ଇଚ୍ଛା ପ୍ରକାଶ ପାଉଛି । ହେ ନବଘନ, ସତେ ଯେମିତି ଜୀବନ ନେବାକୁ ଏ ବର୍ଷାୠତୁ କାଳ ରୂପ ଧରି ଆସିଛି । ଘଡ଼ଘଡ଼ି ଗର୍ଜନ ମୋତେ ଯେମିତି ମାଡ଼ି ବସୁଛି । ପାପିଷ୍ଠ ପଞ୍ଚଶର ତୁମ ସଙ୍ଗରେ ପଡ଼ି ମୋ ପ୍ରାଣକୁ କଲବଲ କରୁଛି ।
ସମ୍ବନ୍ଧିତ ରଚନା
ଅମୃତନିଧି ଚଉତିଶାଦୀନକୃଷ୍ଣ ଦାସ ଦୀନକୃଷ୍ଣ ଦାସ
ଗୋପାଳକୃଷ୍ଣଙ୍କ ଚଉତିଶାଗୋପାଳକୃଷ୍ଣ ପଟ୍ଟନାୟକ ଗୋପାଳକୃଷ୍ଣ ପଟ୍ଟନାୟକ
ନାଗ ନାଗ ପରାଏ ମନେତ ପ୍ରତେ ହୁଏବିଷ ବିଷ ଛାଡ଼ୁଛି ଯେଣୁନିରନ୍ତରେ ବିଜୁଳି ଛଳେ ରସନା ଛଳିଭୟ କରାଉ ଅଛି ତେଣୁ ହେନବଘନ !ନାଶିବ ମୋ ପ୍ରାଣ ସମୀରନିର୍ଣ୍ଣୟେ ହୋଇଛି ତୁମ୍ଭରନିଶ୍ଚେ ତୁମ୍ଭଙ୍କୁ ପାଇ ମହା ପ୍ରବଳ ହୋଇଅଛି କାମ ଜାଙ୍ଗଳିକର ହେନବଘନ ।୫।ଚେତିଲି ଏବେ ରାହୁ ପରାଏ ଚାହୁଁ ଚାହୁଁପୁଷ୍ପବନ୍ତକୁ ଗିଳିଦେଲାଚିନ୍ତା ଜଳରେ ସ୍ନାନ କରାଇ ପ୍ରାଣ ଦାନକାମ-ବ୍ରହ୍ମେ ଦେବାକୁ କଲା ହେନବଘନ !ଚିତ୍ତ ତୁମ୍ଭର କି କୁଟିଳଚିହ୍ନ ତ ନାହିଁ ମିତ୍ର କୁଳଚଡ଼କ ଘାତେ ଗିରି ବରକୁ ଚୁର୍ଣ୍ଣ କରିଦେଖୁ ଦେଖୁ ମସ୍ତକ ଗିଳି ହେନବଘନ ! ।୬।କ୍ଷମା କରୁଣା ନାହିଁ ଯମ ସ୍ୱରୂପ ବହିଜୀବନ ଘେନିବାର ମୂଳଛାଡ଼ି ପ୍ରାଣବନ୍ଧୁକୁ କହୁଅଛି ତୁମ୍ଭଙ୍କୁଏତେକେ ନ ପ୍ରାଣ ବିକଳ ହେନବଘନ !କ୍ଷଣକେ କର ଯେଉଁ ଘୋଷଛଡ଼ାଅ ପ୍ରାଣ ପ୍ରତି ଆଶାଛଇଳ ସେମଣି ଏହା କର୍ଣ୍ଣରେ ଶୁଣିକେମନ୍ତ ନୋହିବ ବିନାଶ ? ହେନବଘନ ! ।୭।ଯେବେ ତୁମ୍ଭ ତୁଲରେ ଥାଉ ଏକ ମେଳରେହୋଇ ତୁମ୍ଭ ସମୟ ପ୍ରାୟେ,ଜୀମୂତ ମତେ କରି ବିଜୁଳି ହୋଇ ଗୋରୀବରଷେ ଘନ ରସମୟେ ହେନବଘନ !ଯାବତ ତାପ ହୋଏ ଲୋପ,ଜାତ ହୋଏ ପୁଲକ ଦୀପଯେଉଁ ରୂପେ ବଢ଼ଇ ପରମ ପ୍ରେମ ନଈକହି ନୁହଇ ସେ ଅମାପ ହେନବଘନ ! ।୮।
ଭାବାର୍ଥ- (୫-୮) ହେ ନବଘନ, ତୁମକୁ ଦେଖି ମନେ ହୁଏ, ତୁମେ ଶ୍ରେଷ୍ଠ ନାଗ, ତେଣୁ ବିଷ ଛାଡ଼ୁଛ, ଅନବରତ ଭାବେ ବିଜୁଳି ଛଳରେ ବାହାର କରି ଭୟ ସୃଷ୍ଟି କରୁଛ । ଭୟଙ୍କର ପବନରେ ମୋ ପ୍ରାଣ ନାଶ କରିବାକୁ ତୁମେ ସ୍ଥିର କରିଛ । ତୁମକୁ ପାଇ କାମ ମହାପ୍ରବଳ ସାପୁଆ କେଳା (ଜାଙ୍ଗଳିକ) ହୋଇଛି । ମୁଁ ଏବେ ଚେତିଲି ଯେ, ଚାହୁଁ ଚାହୁଁ ରାହୁ ପୁଷ୍ପବନ୍ତକୁ (ରାଜୋବତୀ) ଗିଳିଦେଲା । ଚିନ୍ତା ଜଳରେ ସ୍ନାନ କରାଇ କାମ-ବ୍ରହ୍ମରେ ପ୍ରାଣ ଦାନ କଲା । ହେ ନବଘନ, ତୁମର ଚିତ୍ତ କେଡ଼େ କୁଟିଳ ସତେ ! ମିତ୍ରପଣର ଚିହ୍ନବର୍ଣ୍ଣ ନାହିଁ । ଚଡ଼କ ଘାତରେ ଗିରିପର୍ବତକୁ ଚୂର୍ଣ୍ଣ କରି ତା’ର ମସ୍ତକକୁ ଗିଳି ଦେଉଛି ।
ରେ ନବଘନ, ତୁମ ପାଖରେ ଦୟା, କ୍ଷମା ନାହିଁ । ଯମପ୍ରାୟ ହୋଇ ଜୀବନ ନେବାଟାକୁ ମୂଳ କରିଛ । ତୁମକୁ ଅନୁରୋଧ ଜଣାଉଛି, ମୋ ପ୍ରାଣକୁ ଭୟଭୀତ କରାଅ ନାହିଁ । କ୍ଷଣକ ଭିତରେ ତୁମେ ଯେଉଁ ଗର୍ଜନ କରୁଛ, ତାହା କାନରେ ପଡ଼ି ପ୍ରାଣ ପ୍ରତି ଆଶା ଛଡ଼ାଇ ଦେଉଛି । ମୋର ଛଇଳ ମଣି ଏହା ଶୁଣିଲେ ଜୀବନରେ କ’ଣ ବଞ୍ଚିବ ? ଯଦି ତୁମ ମେଳରେ ତୁମର ସହିତ ଥାଏ, ମୋତେ ମେଘ କରି ଗୋରୀ ବିଜୁଳି ହେବ । ମେଘ ବରଷିବ । ଯାବତ ତାପ ନଷ୍ଟ ହୋଇ ପ୍ରେମଭାବ ଜାଗ୍ରତ ହେବ ଓ ପ୍ରେମ-ନଈ ବୃଦ୍ଧି ପାଇବ ।
ଝୀନ-ବସନ ଶ୍ୱାସ ଗନ୍ଧବହ ସଦୃଶପ୍ରଖରେ ବହଇ ସେକାଳେଝସକେତନ ତଟ ତରୁ ହୋଇ ଉତୁଟକାହିଁ ଭାସଇ ଅବହେଳେ ହେଝିଙ୍କାରୀ ଶବଦକୁ ମିଶିଝଳି ଗୋରୀ ମନ୍ମଥବାଣୀଝମଣ୍ଟେ ନ ରହଇ ଦାତ୍ୟୁହ ପ୍ରାୟେ ହୋଇ,ଡାକଇ କନକ କିଙ୍କିଣୀ ହେନବଘନ ! ।୯।ନ ଜାଣଇ ବରଷା ମତେ କରି ଭରଷାମୁଁ ତାହା ଘେନି ସେହି ମତିନିଶା ସମୟ ରତ୍ନ ଦଶା ହେବାକୁ ଶନ୍ତ-ବାହନ ହୋଇଲ କିପରି ହେନବଘନ !ନାହିଁ ତୁମ୍ଭର କିଛି ଦୋଷନାହିଁ ମୋ କର୍ମେ ଭଲ ଲେଶନିଶାକରେ ଚନ୍ଦ୍ରମା ଚନ୍ଦନ ସୁଖ ସୀମାହେଲେ ବିରହେ ହୋଏ ବିଷ ହେନବଘନ ! ।୧୦।ଟେକ ସମ୍ପତ୍ତି କାଳେ ଯେଉଁ ଲୋକ ବିକଳେଘେନଇ ଲୋକର ବେଦନାଟଙ୍କଧର ଆଦିରୁ ବ୍ରହ୍ମାଣ୍ଡ କର୍ତ୍ତାଠାରୁବଡ଼ ତାହାକୁ ବୋଲି ସିନା ହେନବଘନ !ଟଳି ତ ଯିବ ତୁମ୍ଭ ପଣଟିକାଏ ଘେନି ମୋ କଷଣଟେକ ଗର୍ଜ୍ଜନ କରି ପ୍ରାଣ ମୋର ନ ରହିନୁହ ଅତିଶୟ ଦାରୁଣ ହେନବଘନ ! ।୧୧।ଠାଠିକ ତୁମ୍ଭେ ତୋରା ଦିଶ ମୋହିଛି ପରାସହଜେ ଶ୍ୟାମ କଳେବରଠିକ କେଳୀ କଳାପ ପରାୟେ ଇନ୍ଦ୍ରଚାପସମ ବିଜୁଳି ପୀତାମ୍ବର ହେଠିକ ଗୁଣ ତୁମ୍ଭର ଯେତେଠାବ ସେ ହୋଇଛି ଜଗତେଠାକୁରାଣୀ ଛାମୁକୁ ତୁମ୍ଭଙ୍କୁ ପେଷିବାକୁବିଶ୍ୱାସ ହୋଇଅଛି ଚିତ୍ତେ ହେନବଘନ ! ।୧୨।
ଭାବାର୍ଥ- (୯-୧୨) ହେ ନବଘନ, ସେଇ କାଳରେ ଝୀନ ବସନାର ଶ୍ୱାସ ପବନ ସଦୃଶ ପ୍ରଖର ଗତିରେ ବହେ । କନ୍ଦର୍ପର ତଟତରୁ ହୋଇ କୁଆଡ଼େ ଭାସିଯାଏ । ଝିଙ୍କାରୀ, ଡାହୁକର ଶବ୍ଦ ଚାରିଆଡ଼େ ଶୁଭେ । ରେ ନବଘନ, ବରଷା କାଳରେ ସେ ମୋତେ ଭରସା କରିଛି, ମୁଁ ମଧ୍ୟ ତାକୁ ଭରସା କରିଛି । ନିଷ୍ଠୁର ହେବାରେ ତୁମର କିଛି ଦୋଷ ନାହିଁ । ମୋ କର୍ମରେ ଆଦୌ ଭଲ ଯୋଗ ନାହିଁ । ରାତ୍ରି ସମୟରେ ଚନ୍ଦ୍ର ଚନ୍ଦନ ପ୍ରାୟ ସୁଖକର ହୋଇଥାଏ; କିନ୍ତୁ ବିରହ ବେଳେ ବିଷପ୍ରାୟ ହୁଏ ।
ହେ ନବଘନ, ସମ୍ପତ୍ତି ପାଇଥିବା ଲୋକ ଦୁଃଖୀ ଲୋକର ବେଦନା ଯଦି ବୁଝିଲା, ତେବେ ତାକୁ ସଂସାରରେ ବିଷ୍ଣୁ ଶିବଙ୍କ ଠାରୁ ମଧ୍ୟ ବଡ଼ ବୋଲି କହିବା । ମୋ ଦୁଃଖକୁ ଲାଘବ କର, ଗର୍ଜନ ନ କରି ମୋ ପ୍ରାଣ ରଖ । ମୋ ପ୍ରତି ଅତିଶୟ ନିଷ୍ଠୁର ହୁଅ ନାହିଁ । ହେ ନବଘନ, ସହଜରେ ମୋର ଶରୀର ଶ୍ୟାମବର୍ଣ୍ଣ । ତୁମର ବର୍ଣ୍ଣ ବି ସେମିତି । ମୟୂର ପୁଚ୍ଛ ପ୍ରାୟ ଇନ୍ଦ୍ରଧନୁ ଓ ବିଜୁଳି ପୀତାମ୍ବର ସମାନ ହୋଇଛି । ହେ ନବଘନ, ତୁମରି ପାଖରେ ଯେତେ ସବୁ ଗୁଣ ରହିଛି, ତାହା ଜଗତରେ ବିଖ୍ୟାତ ହୋଇଛି । ଠାକୁରାଣୀ ରାଧାଙ୍କ ପାଖକୁ ତୁମକୁ ଦୂତ ଭାବେ ପଠାଇବା ପାଇଁ ତେଣୁ ମୋ ମନ ମଧ୍ୟରେ ବିଶ୍ୱାସ ଜାତ ହେଉଛି ।
ଡୋଳା-ପ୍ରତିମା ଏକା ହେଲେ କରଇ ଦକାଦେଖି ତୁମ୍ଭଙ୍କୁ ନୟନରେଡୋଳାରେ ଦେଖୁଦେଖୁ ବନ୍ଧୁ ମୋ ରଖୁ ରଖୁଛାଡ଼ି ଅଇଲି ନିର୍ଦ୍ଦୟାରେ ହେ ନବଘନଡକା ଉପରେ ହେଲା ଡକାଡକାୟତ କାମ କଡ଼କ ।ଡରେ ପ୍ରାଣ ଛାଡ଼ିବ କର୍ଣ୍ଣେ ଯେବେ ଶୁଣିବଡାହୁକ ଡାକେ କେକୀ କା କା ହେନବଘନ ! ।୧୩।ଢାଳେ ଭାସିଲୁ ଦୁହେଁ କାମନଦୀ ପ୍ରବାହେଦୁହେଁ ଦୁହିଁକି ସିନା ଭେଳା,ଢାଳି ଜୀବନ ଯିବା ଏଥିରେ କେତେ ଅବାଯହିଁ ଥିବ ଏତେ ହେଲା ଭାରିନବଘନ !ଢାଳେ ମୋ ବୋଲ ଏବେ କରଢମ ପଣକୁ ପରିହରଢାଳନେତ୍ରୀ ଛାମୁରେ ବାରତା କହିବାରେବହୁତ ଯଶକୁ ବିସ୍ତାର ହେନବଘନ ! ।୧୪।ଏବେ ଯେ ତୁମ ୠତୁ ପ୍ରାୟେ ମକରକେତୁହେତୁରୁ ହୋଇଥିବା ବାଳାଉଚ୍ଚ କୁଚ ଗିରିରେ ପୟୋଧର ରୂପରେପଡ଼ିଥିବ ଚିକୁର-ମାଳା ହେନବଘନ !ଅଶ୍ରୁଜଳ ବରଷୁଥିବଅନଙ୍ଗ କୃଷିକ ଜିଇଁବଅଙ୍ଗ ଭୂମିରେ ଶର ସୀରରେ ଦେଇ ଗାରଅନେକ କୃଷି ସେ କରିବ ହେନବଘନ ! ।୧୫।ତାପ-ତଟିନୀ ବଢ଼ି ଧଇର୍ଯ୍ୟ ତଟ ଏଡ଼ିବିବେକ-ବିଟପୀ ତାଡ଼ିବତରଳ ହୋଇ ଜ୍ଞାନ- ହଂସ ଉଡ଼ି ବହନହୃଦୟ ସରସୀ ଛାଡ଼ିବ ହେତୂଷ୍ଣୀ ହେବ ବଚନପିକନବଘନ !ତୋରା ହେବ କାନ୍ତି-କେତେକତାଣ୍ଡବ କରୁଥିବ ବିରହ ବ୍ୟାଧି-ଶିବଭୂଷଣ-ବଇରି ଅନେକ ହେନବଘନ ! ।୧୬।
ଭାବାର୍ଥ- (୧୩-୧୬) ରେ ନବଘନ, ମୋ ଡୋଳା ପ୍ରତିମା ଏକା ହୋଇଗଲେ ତୁମକୁ ଦେଖି ମନରେ ଭୟ ପାଇଯାଉଛି । ତାକୁ ନିର୍ଦ୍ଦୟ ହୋଇ ମୁଁ ଛାଡ଼ି ଆସିଛି ! ସେଥିରେ ପୁଣି କନ୍ଦର୍ପର ତାଡ଼ନା । ବର୍ଷା କାଳରେ ମୟୂରର ଡାକ, ଡାହୁକର ରାବ ଯେବେ ଶୁଣିବ ଭୟରେ ତା’ର ପ୍ରାଣ ଚାଲିଯିବ । କାମନଦୀର ପ୍ରବାହରେ ଆମେ ଦୁହେଁ ଭାସୁଛୁ । ଆମର ସାହା କେହି ନାହିଁ । କେବଳ ଦୁହେଁ ଦୁହିଁଙ୍କୁ ଭେଳା ହୋଇଛୁ । ଭେଳା ବୁଡ଼ିଲେ ଜୀବନ ଯିବ । ରେ ନବଘନ, ଏବେ ମୋ ବୋଲ କର । ଢମ ପଣକୁ ତୁମେ ପରିହାର କରି ମୋ ପ୍ରିୟା ପାଖୁ ଯାଅ । ତା’ ଆଗରେ ସମସ୍ତ ବାର୍ତ୍ତା କହିବ, ତୁମର ଯଶ ରହିବ ।
ରେ ନବଘନ, ଏଇ ୠତୁ ଏବେ ତୁମର । ବାଳାର ଉଚ୍ଚ ବକ୍ଷୋଜ- ପର୍ବତରେ ପୟୋଧର ରୂପରେ ଚିକୁରମାଳା ପଡ଼ିଥିବ । ତା’ ଚକ୍ଷୁରୁ ଅଶ୍ରୁ-ଜଳ ବର୍ଷୁଥିବ । କନ୍ଦର୍ପ ତା’ ଦେହରେ ଶର ରୂପକ ଲଙ୍ଗଳ (ସୀର) ଗାର ଦେଇ କୃଷି କାର୍ଯ୍ୟ କରିବ । ରେ ନବଘନ ବାଳା ତାପ ରୂପକ ନଈବଢ଼ିର ଧୈର୍ଯ୍ୟ କୂଳକୁ ଏଡ଼ାଇ ବିବେକ ରୂପକ ବିଟପୀ (ବୃକ୍ଷ)କୁ ଉପାଡ଼ି ଦେବ । ଫଳରେ ତା’ର ଜ୍ଞାନ ରୂପକ ହଂସ ଶୀଘ୍ର ଉଡ଼ି ଯାଇ ହୃଦୟ ପୋଖରୀକୁ ତ୍ୟାଗ କରିବ ଓ ବଚନ ରୂପକ କୋଇଲି ଚୂଷ୍ଣୀ (ମଉନ) ହୋଇଯିବ । ବାଳାର କାନ୍ତି ଝଟକିବ । ବିରହ ବ୍ୟାଧି ରୂପକ ଶିବ ତାଣ୍ଡବ କରିବ; ବେଶଭୂଷା ପ୍ରତି ବିରାଗ ଭାବ ଆସିବ ।
ଥରେ ଥରେ ପ୍ରଖର ବହେ ଶ୍ୱାସ ସମୀରଥରେ ଥରେ ହୁଅଇ ଲୀନଥିଲା କର୍ମରେ ଏହା ଏ କାଳେ ଯାଇଁ ଯାହାନୋହିଲା ଧିକ ତା ଜୀବନ ହେନବଘନ !ଥିରା ମଣ୍ଡନୀ ହୀରା ଦନ୍ତୀଥୂଳ-ନିତମ୍ବା ଦନ୍ତୀ-ଗତିଥାପିଲା ସୁଖ ପାଇ ପ୍ରେମ ପ୍ରୀତି ମୋ ଠାଇଁପାଇଲା ଅନେକ ବିପତ୍ତି ହେନବଘନ ! ।୧୭।ଦୟାଳୁ-ଶିରୋମଣି ଦୟାରେ ମୋତେ କିଣିଦେଇଛି ଯେତେ ଯେତେ ସୁଖଦରହାସିନୀ ହେତୁ ବସନ୍ତ ଆଦି ୠତୁଯାକ ମୁଁ ପାଇ ନାହିଁ ଦୁଃଖ ହେନବଘନ !ଦଇବ ଏବେ ଏହା କଲାଦାସବତ୍ସଳା ଦୂର ହେଲାଦଗଧ ପଟ ପ୍ରାୟେ ହୋଇ କେବଳ କାୟେଆକାର ମାତ୍ରକଃ ରହିଲା ହେନବଘନ ! ।୧୮।ଧୃତି ଧ୍ୱସିଂନୀ ହିମ କାଳେ ଅରୁଣ ଧୂମପୁରେ ଯେ ଘେନି ବସିଥାଇଧାତା ରଚନା ଯେତେ ସୁଖ ସମସ୍ତ ମତେଇତର ପରାୟେ ଦିଶଇ ହେନବଘନ !ଧନ୍ୟ ତୋ କୋମଳ ଶରୀରଧୀରେ ଲାଗନ୍ତେ ଅଙ୍ଗେ ମୋରଧିକାର କରୁଥାଇ ହଂସୁଲି ତୁଳୀ ପାଇଁଅଙ୍ଗକୁ ଲକ୍ଷ୍ୟ ଦ୍ୟନ୍ତି ନର ହେନବଘନ ! ।୧୯।ନାହିଁ ନୋହିବ ନବ ପଞ୍ଚ ଭୁବନେ ଭାବବତୀ ସମାନେ ସୁଖକାରୀନୋହିଲେ କାହିଁପାଇଁ ଝୁରୁଛି ତାହାପାଇଁନିଶି ଦିବସ ବସି କରି ହେନବଘନ !ନିରୂପଣ ନାଗରୀମଣିନାହିଁ ତା ପରା ଗୁଣମଣିନାକ ନାଗ ତରୁଣୀ ତାହାରି କଥା ଶୁଣିଲାଜେ ନ ଦେଖନ୍ତି ଧରଣୀ ହେନବଘନ ! ।୨୦।
ଭାବାର୍ଥ- (୧୭-୨୦) ରେ ନବଘନ, ଥରେ ଥରେ ନାକରୁ ପବନ ପ୍ରାୟ ଶ୍ୱାସ ବହୁଛି ତ ଥରେ ଥରେ ବନ୍ଦ ହୋଇଯାଉଛି । କର୍ମରେ ଏହା ଭୋଗିବାକୁ ଥିଲା । ଏହି ସମୟରେ ତାକୁ କେହି ସାହା ହେଲା ନାହିଁ । ଧିକ୍ ତା ଜୀବନ । ରେ ନବଘନ, ଧିରାମଣ୍ଡନୀ, ହୀରାଦନ୍ତୀ, ଗଜଗମନୀ ମୋ ଉପରେ ପ୍ରେମଭାବ ଆଚରଣ କରି ଅନେକ କଷ୍ଟ ପାଇଲା । ବାଳା ଦୟାଳୁ ଶିରୋମଣି, ମୋତେ ତା’ ଦୟାରେ କିଣି ଦେଇଛି । ଯେତେ ଯେତେ ସୁଖ ଦେଇଛି, ତାକୁ ବର୍ଣ୍ଣନା କରି ପାରିବି ନାହିଁ । ସେଇ ଦରହାସିନୀ ଯୋଗୁଁ ବସନ୍ତ ପ୍ରଭୃତି ୠତୁରେ ମୁଁ ଦୁଃଖ ପାଇନାହିଁ । ଦଇବ ଏବେ ଦାସବତ୍ସଳାକୁ ମୋତେ ଦୂରେଇ ଦେଲା । ଦଗ୍ଧୀଭୂତ ଚିତ୍ରପଟ ପ୍ରାୟ ଆକାର ହୋଇ ଦେହଟା ଯାହା ରହିଛି !
ରେ ନବଘନ, ହିମକାଳେ ପୁର ମଧ୍ୟରେ ମନଦୁଃଖରେ ବସିଥାଏ । ବିଧାତା ଯେତେ ସୃଷ୍ଟି କରିଛି, ସେ ସମସ୍ତ ମଧ୍ୟରେ ଅତ୍ୟନ୍ତ ହୀନ ଦେଖାଯାଉଛି । ଧନ୍ୟ ତୋର କୋମଳ ଶରୀର, ଧିର ଭାବରେ ତାହା ମୋ ଅଙ୍ଗରେ ଲାଗିଲେ ହଂସ ତୁଳୀ ପ୍ରତି ଧିକ୍କାର ଭାବ ଆସୁଛି । ଲୋକମାନେ ସେଇ ଦେହକୁ ଏମିତି ଉପମା ଦେଇଥା’ନ୍ତି । ଏଇ ଚଉଦ ଭୁବନରେ ଭାବବତୀ ସମାନ ସୁଖକାରୀ ନାହାନ୍ତି କି ନ ଥିବେ । ନ ହେଲେ ଦିନରାତି ବସି ତାକୁ କାହିଁକି ଝୁରି ହୁଅନ୍ତି ? ତା’ ପରି ଶ୍ରେଷ୍ଠ ଗୁଣମଣି, ନାଗରୀମଣି କେହି ନାହାନ୍ତି । ସ୍ୱର୍ଗ (ନାକ) ନାଗ ଲୋକର ତରୁଣୀମାନେ ତା’ର କଥାକୁ ଝୁରି ହେଉଛନ୍ତି । ଲାଜରେ ପୃଥିବୀକୁ ଆସୁ ନାହାନ୍ତି ।
ପୂର୍ଣ୍ଣ-ଚନ୍ଦ୍ର-ବଦନା ମତ୍ତ-ପିକ-ବଚନାପଲ୍ଲବ-ଦଶନ-ବସନାପୁଷ୍ପ ବେଶ ହୋଇ ଯେ ଆସେ ମକରଧ୍ୱଜେପୀଡ଼ିତ ହୋଇ ପୀନସ୍ତନା ହେନବଘନ !ପଛ ହୋଏ ପଲକପନ୍ତିପୁଲକେ ଫୁଲଇ ମୋ ଛାତିପୀତ ବସନା ସଙ୍ଗେ ରତି-ପତି ପ୍ରସଙ୍ଗେକାହିଁ ଯାଇ ବସନ୍ତି ରାତି ହେନବଘନ ! ।୨୧।ଫାଟି ନ ଯାଇ ଛାତି ରହିଛି ତାହା ଚେତିଫୁଟେ ଜାଣିଲି ବଜ୍ର ଏହିଫୁଲ୍ଲାର-ବିନ୍ଦ ମୁଖୀ ମୁଖ ଯାହା ନ ଦେଖିତରଳି ନ ଯାଇଛି ବିହି ହେନବଘନ !ଫାନ୍ଦେ ପଡ଼ିଲା ମୃଗ ପ୍ରାୟେପାଇ ବିକଳ ହୋଏ କାୟେଫନ୍ଦା ହିଁ ଅଛି ଏତେ ବହି ବା କଦାଚିତେନିଅଇ ପ୍ରାଣ ବନ୍ଧୁ ଯାଏ ହେନବଘନ ! ।୨୨।ବଡ଼ କରି ଅଙ୍ଗରେ ଘେନୁ ଯେ ଥାନ୍ତି ନରେଗ୍ରୀଷମେ କର୍ପୂର ଚନ୍ଦନବିଶାଳନେତ୍ରୀ ପର- ସାଦେ ତହିଁକି ମୋରଲେଶେ ହେଁ ନ ବଳଇ ମନ ହେନବଘନ !ବୁଡ଼ିଲା ସବୁ ସୁଖ ମୋରବିଧାତା କଲା ଅବିଚାରବସନ୍ତ-ଗିରୀଷମ ସମସ୍ତ ୠତୁ ଯମସମାନ ବଇରି ମୋହର ହେନବଘନ ! ।୨୩।ଭୋଜନ ବିନୁ ଭୋଖୀ ମନେ ଯେମନ୍ତେ ସୁଖୀନୁହଇ ଭୂଷଣ ଭୂଷଣେଭାବିନୀ ବିନୁଁ ଭାବ ସେହିମତି ଅଭାବହୁଅଇ ଦଇବ କଷଣେ ହେନବଘନ !ଭୂପତି ବିହୀନେ ସମ୍ପତ୍ତିଭଗାରୀ ପରାଏ ଦିଶନ୍ତିଭୂରୁ ଶୋଭନୀ ଭାବ- ବତୀ ବିହୀନେ ଜୀବଥିବା କଥା ହି ସେହି ମତି ହେନବଘନ ! ।୨୪।
ଭାବାର୍ଥ- (୨୧-୨୪) ରେ ନବଘନ, ବାଳା ମୋର ପୂର୍ଣ୍ଣଚନ୍ଦ୍ର ବଦନା, ମତ୍ତ- ପିକବଚନା, ଉତ୍ତମ ଦେହା, ସେ ପୀନସ୍ତନା ଫୁଲରେ ବେଶ ହୋଇ ଆସେ । କନ୍ଦର୍ପ ଦ୍ୱାରା ପୀଡ଼ିତା ହୋଇଛି । ତା’ ଅଙ୍ଗ ସ୍ପର୍ଶରେ ମୋର ଶରୀରରେ ପୁଲକ ଜାତ ହୁଏ । ରେ ନବଘନ, ପୀତବସନା ସହିତ କନ୍ଦର୍ପ ପ୍ରସଙ୍ଗରେ ରାତିରେ କୁଆଡ଼େ ଯାଇ ବସନ୍ତି ? ଏହାକୁ ଏବେ ବଜ୍ର ବୋଲି ଜାଣିଲି । ଯାହା ମୋର ଛାତି ଫାଟି ଯାଉନି । ରେ ନବଘନ, ସେ ପଦ୍ମମୁଖୀର ମୁଖକୁ ଦେଖି ବିଧାତା ତରଳି ଯାଇଛି । ଜାଲରେ ପଡ଼ି ମୃଗ ବିକଳ ହେଲା ପରି ଏ ଜୀବନଟା କଷ୍ଟ ପାଉଛି । ଗ୍ରୀଷ୍ମ ଋତୁରେ ଧନୀ ଲୋକମାନେ ଦେହରେ କର୍ପୂର ଚନ୍ଦନ ଲେପ କରିଥା’ନ୍ତି; କିନ୍ତୁ ମୋର ବିଶାଳ ନେତ୍ରୀର ପ୍ରସାଦରେ ସେଥିପ୍ରତି ମୋର ଲେଶେ ମାତ୍ର ମନ ବଳୁନାହିଁ । ବିଧାତା ମୋ ପ୍ରତି ଅବିଚର କରି ମୋର ସବୁ ସୁଖକୁ ବୁଡ଼ାଇ ଦେଲା । ବସନ୍ତ, ଗ୍ରୀଷ୍ମ ସମେତ ସମସ୍ତ ୠତୁ ଯମ ସମାନ ଶତ୍ରୁଭାବ ଆଚରଣ କରୁଛନ୍ତି ।
ରେ ନବଘନ, ଭୋଜନ ବିନା ଭୋକିଲା ଲୋକଟିଏ ଯେମିତି ସୁନା, ଅଳଙ୍କାର, ବେଶଭୂଷାରେ ସୁଖୀ ହୋଇ ନ ଥାଏ, ସେମିତି ପ୍ରିୟା ବିନା ଭାବର ମୂଲ୍ୟ ରହି ନ ଥାଏ ? ଏହା ଦଇବ କଷ୍ଟ । ରେ ନବଘନ, ରଜାଙ୍କ ବିନା ସମ୍ପତ୍ତି ବିଷତୁଲ୍ୟ ମନେ ହୁଏ । ସେମିତି ସେଇ ସୁନ୍ଦରୀ ଭାବବତୀ ବିନା ଏ ଜୀବନର ମୂଲ୍ୟ ନାହିଁ ।
ମନ୍ଦ ମନ୍ଦ କହିବା ମନ୍ଦ ମନ୍ଦ ଚାହିଁବାମନ୍ଦ କଳ କୋକିଳ-ବାଣୀମତେ ତ ଦିଶୁନାହିଁ ଉପମା ଅଛି କାହିଁଆହା ସେ ରସିକ-ସିହାଣୀ ହେନବଘନ !ମରକଧ୍ୱଜ କଳ୍ପଲତାମହତ କାମ-ଫଳ ଦାତାମହୀ ମଣ୍ଡନୀ ମନ- ମୋହିନୀ ଜୀବଧନମୋ ସୁଖ-ମନ୍ଦିର-ଦେବତା ହେନବଘନ ।୨୫।ଜମ୍ବୁନଦ-ଗୋରୀ କି ନବୀନ କିଶୋରୀ କିଦେଖିବା ଯାଏ ପ୍ରତେ ନାହିଁଜପୁଥିବି ତାହାର ନାମ ତା ନିରନ୍ତରଯାବତ ଯାତନାକୁ ସହି ହେନବଘନ !ଜଳନେତ୍ରୀ କି କହିବଯେମନ୍ତେ ଜୀବନ ରହିବଜୀବନ-ମଞ୍ଚୁ ନାମ ଯଥାର୍ଥ କରି ବାମ-ନେତ୍ରୀକି ବାମ ତା ନୋହିବ ଯେନବଘନ ! ।୨୬।ରଖଇ ନାହିଁ ଧାତା ସବୁକାଳେ ସମତାଭଙ୍ଗ ହିଁ କରଇ ତହିଁରେରତିଏ ଯେ ଯାହାକୁ ଛାଡ଼ଇ ନାହିଁ ତାକୁରଖଇ ଅନେକ ଦୂରରେ ହେରାଜୀବ ସୁତର ଏ ରୀତିରତି ଗତିର ଏ ଅନୀତିରୋଲମ୍ବ ଗୁଣ ନେଇ ଫୁଲଧନୁରେ ଦେଇଫୁଲକାଣ୍ଡେ ମନ୍ଥର ମତି ହେନବଘନ ! ।୨୭।ଲୋଚନ କର୍ଣ୍ଣଧର ଲୋଚନେ ଅଙ୍ଗ ତାରଲିଭିଲା ଅବଲୋପ ଏତେଲୋକ ଦୁଃଖ ନଜାଣି ବିନ୍ଧଇ ପୁଣି ପୁଣିବାଳିଶ ଅବିବେକ ଚିତ୍ତେ ହେନବଘନ !ଲେଶେ ବିଚାର ନ ଚଳଇଲଳନା ଅଙ୍ଗେ ପ୍ରହାରଇଲାଭ ହାନି ବିଶେଷ ନ ଜାଣି ଆଶୟାଶପରାଏ ଆପଣେ ମାରଇ ହେନବଘନ ।୨୮।
ଭାବାର୍ଥ- (୨୫-୨୮) ହେ ନବଘନ, ଧୀରେ ଧୀରେ କହିବା, ଅଳ୍ପ ଅଳ୍ପ ଚାହିଁବା, କୋକିଳ ବାଣୀ ପରି ତା’ର କଥା- ଏହିପରି ଗୁଣ ସବୁ ତା’ ପାଖରେ ଅଛି । ସେ ରସିକ ସିହାଣି ଠାରେ ଏପରି ଭଲଗୁଣ ଅନ୍ୟ କାହାରି ଠାରେ ଥିବା ମୋର ବିଶ୍ୱାସ ହେଉନାହିଁ । ସେ ମହୀମଣ୍ଡନୀ, ମନମୋହିନୀ ମହତ ଫଳଦାତା, ମୋ ସୁଖ ମନ୍ଦିରର ଦେବତା । ରେ ନବଘନ, ନବୀନ କିଶୋରୀକୁ ଦେଖିବା ଯାଏଁ ମୋର ବିଶ୍ୱାସ ହେଉନାହିଁ । ତା’ ନାମକୁ ନିରନ୍ତର ଜପୁଥିବି । ଯାବତୀୟ କଷ୍ଟକୁ ସହି ନେବି । ସେ ପଦ୍ମନେତ୍ରୀର କଥା ଶୁଣିଲେ ମୋର ଜୀବନ ରହିବ । ସେ ବାମନେତ୍ରୀକୁ ବିଧାତା ଯେମିତି ବାମ ନ ହେଉ ।
ହେ ନବଘନ, ବିଧାତା ସବୁ ସମୟରେ ସମତା ରଖନ୍ତି ନାହିଁ । ଯିଏ ଯାହାକୁ ଭଲ ପାଇଲା, ତାକୁ ଘଡ଼ିଏ ମଧ୍ୟ ଛାଡ଼ି ପାରେ ନାହିଁ । ଏବେ ସେ ଅନେକ ଦୂରରେ । ରତିଗତିରେ ଏ ଅନୀତି କଥା । ଭ୍ରମରେ ଗୁଣ ନେଇ ଫୁଲ ଧନୁରେ ଫୁଲଶର ଖଞ୍ଜିଛି । କନ୍ଦର୍ପ ଲୋକଙ୍କ ଦୁଃଖକୁ ନ ଜାଣି ବାରମ୍ବାର ମୂର୍ଖ, ଅବିବେକର ମନରେ ବିନ୍ଧିଥାଏ । ଲେଶମାତ୍ର ବିଚାର ନ କରି ନାରୀର ଦେହରେ ସେ ପ୍ରହାର କରିଥାଏ । ଲାଭ କ୍ଷତି ବିଶେଷ ଜାଣି ନ ଥିଲା ଲୋକେ ନିଜକୁ ନିଜେ ମାରିଥା’ନ୍ତି ।
ବିଚାରୁ ଅଛି ଏବେ ତୁମ୍ଭ ସଙ୍ଗତେ ଯେବେଯିବ ଏ ବଲ୍ଲଭୀ ପାଶକୁବିଧୁ-ବଦନୀ-ବାଳା କୋମଳା ପ୍ରେମଶୀଳାଅବଶ୍ୟ ଭଜିବ ନାଶକୁ ହେନବଘନ !ବିଷଧର ପାଇଲେ ପୟବୁଦ୍ଧି ଯେ କରଇ ବିଷୟବିଶ୍ୱକେତୁ ଆଶ୍ରୟ ପାଇଲେ କରେ ଜୟଏହି ଘେନି କରୁଛି ଭୟ ହେନବଘନ ! ।୨୯।ସହଜେ ହେଁ ଶୀତଳ କର୍ପୂର ନାରିକେଳଲେମ୍ବୁ ସଂଯୋଗୁ ହୋଏ ବିଷସୁଜନ ସଙ୍ଗେ ଯେବେ ଦୁର୍ଜନ ହୋଏ ତେବେଅବଶ୍ୟ ହୋଏ ଅପଯଶ ହେନବଘନ !ସଉଦାମିନୀ ସଙ୍ଗେ ଥିବସହଜେ ତ ସମୀର ଯିବଶିଖୀ ବକ ଡାହୁକ ମଣ୍ଡୁକ ମହାଡ଼ାକକାହାକୁ କେତେ ନିବାରିବ ହେନବଘନ ! ।୩୦।ସେ ତୁମ୍ଭ ଦମକ ଶୁଣି ଲଭେ ଚମକଝସକେତୁ ଦମକ ତେଣେଶିତିକଣ୍ଠେ ବିକଟ ଡାକିବାର ଚହଟବନ୍ଧୁକୁ ନ ରଖିବ ପ୍ରାଣେ ହେନବଘନ !ସବୁ ସମ୍ପଦ ସରିଯିବସଂସାରେ ଲୋକ କି ବାଲିବଶୁଭେ ଜୀବନ ଥିଲେ ଧାତା ସୁମୁଖ ହେଲେସମସ୍ତ ସୁଖ ହିଁ ହୋଇବ ହେନବଘନ ! ।୩୧।ସଲିଳଧର ଯାଅ ଅପଯଶ ନପାଅସବୁ ଦୁଷ୍ଟମାନଙ୍କୁ ଘେନିସମସ୍ତେ ଉପକାର କଲେ ଯେଣୁ ମୋହରଜୀବଧନ ନ କଲ ହାନି ହେନବଘନ !ସକ୍ରୋଧେ ବୋଲିବି ମୁଁ ଯାହାମନରେ ନ ଘେନିମ ତାହାସ୍ନେହଥାଇ ଯହିଁର ମାନକରି ତହିଁରେହୃଦରେ ବିଚାରିବି ଏହା ହେନବଘନ ! ।୩୨।
ଭାବାର୍ଥ- (୨୯-୩୨) ହେ ନବଘନ, ମୁଁ ମନରେ ଏବେ ବିଚାର କରୁଛି, ତୁମ ସଙ୍ଗରେ ଏ ଯଦି ମୋ ପାଖକୁ ଯିବ, ଚନ୍ଦ୍ରମୁଖୀ ବାଳା ଅବଶ୍ୟ ନାଶଯିବ । ସର୍ପ କ୍ଷୀରପାନ କଲେ କ’ଣ ତା’ର ଚରିତ୍ର ବଦଳିଯିବ ? ବିଶ୍ୱକେତୁଙ୍କ ଆଶ୍ରୟ ପାଇଲେ ଜୟ କରିବ । ତେଣୁ ମୋତେ ଭୟ ଲାଗୁଛି । ହେ ନବଘନ, ସହଜରେ କର୍ପୂର, ନାରିକେଳ ଶୀତଳ; କିନ୍ତୁ ସେଥିରେ ଲେମ୍ବୁ ମିଶାଇଲେ ବିଷ ହୋଇଯାଏ । ସେମିତି ସୁଜନ ସଙ୍ଗରେ ଯେବେ ଦୁର୍ଜନ ମିଶେ, ତେବେ ଅପଯଶ ପାଇବା ନିଶ୍ଚିତ । ରେ ନବଘନ, ସୌଦାମିନୀ (ବିଜୁଳି) ସଙ୍ଗରେ ଥିବ, ସହଜରେ ତ ପବନ ଯିବ । ମୟୂରୀ, ବଗ, ଡାହୁକ, ବେଙ୍ଗ- ଏମିତି କେତେ, କାହାକୁ କେତେ ବାରଣ କରିବ ?
ରେ ନବଘନ, ସିଏ ତ ତୁମର ଦମନକାରୀ, ଶୁଣିଲେ ଚମକ ଲାଗୁଛି । ତେଣେ କନ୍ଦର୍ପ ଭୟ ଦେଖାଉଛି । ଶିତିକଣ୍ଠ (ଡାହୁକ)ର ବିକଟ ଡାକ ଶୁଣି ମୋର ବନ୍ଧୁର ପ୍ରାଣ ରହିବ ନାହିଁ । ରେ ନବଘନ, ସବୁ ସମ୍ପଦ ସରିଯିବ, ସଂସାର ଲୋକେ କ’ଣ କହିବେ ? ଜୀବନରେ ଶୁଭରେ ଥିଲେ, ବିଧାତା ମଙ୍ଗଳ ଚାହିଁଲେ ସବୁ ସୁଖ ମିଳିବ ।
ହେ ନବଘନ, ସବୁ ଦୁଷ୍ଟଙ୍କୁ ନେଇ ଚାଲିଯାଅ । ଅପଯଶ ନ ପାଅ । ଯେହେତୁ ସମସ୍ତେ ମୋ ଉପକାର କରିଛନ୍ତି, ଜୀବଧନର ହାନି କଲ ନାହିଁ । କ୍ରୋଧରେ ମୁଁ ଯାହା କହିବି, ତାକୁ ମନରେ ନେବ ନାହିଁ । ଯେଉଁଠି ସ୍ନେହ ଥାଏ, ସେଠାରେ ମାନ ଥାଏ । ହେ ନବଘନ, ଏହି କଥାକୁ ହୃଦୟ ମଧ୍ୟରେ ବିଚାର କରିବି ।
ହଂସ-ଗମନୀ ଧନୀ ବିଚ୍ଛେଦ ଦୁଃଖ ଘେନିମୋ ମନ ମୋହର ନୁହଇହୃଦୟ ନୋହେ ଥୟେ କଥା ପ୍ରସଙ୍ଗ ପ୍ରାଏକେତେବେଳେ କି କହଇ ହେନବଘନ !ହର-ବଇରି ଶରେ ଜ୍ଞାନହେଉଛି ଥରେ ଥରେ ଆନହରଷ ହୋଇ ଘନ କର ଏବେ ଗମନନ ଘେନି କିଛି ଅଭିମାନ ହେନବଘନ ! ।୩୩।କ୍ଷମା ସାଗର ବର ରସିକ ଗିରିଧରବୋଲେ ଜଳଦ ବାହୁଡ଼ିଲାକ୍ଷମାକର ବଦନୀ କ୍ଷୋଭ କରିଲା ଘେନିଗୋକୁଳମାର୍ଗ ନ ମାଡ଼ିଲା ହେନବଘନ !କ୍ଷମେ ଏ ଚଉତିଶା ଶୁଣଛାଡ଼ି ମନରୁ ଅବିଗୁଣକ୍ଷମା ସାଗର ଲୋକ ମାତା ଚରଣେ ଲୋକଦୀନକୃଷ୍ଣ ଦାସ ଶରଣ ହେନବଘନ ! ।୩୪।
ଭାବାର୍ଥ- (୩୩ - ୩୪) ରେ ନବଘନ, ହଂସଗମନା ବିଚ୍ଛେଦ ଦୁଃଖକୁ ପାଉଛି । ମୋ ମନ ମୋର ନୁହେଁ । ହୃଦୟ ଥୟ ହେଉ ନାହିଁ । କେତେବେଳେ କ’ଣ କହୁଛି, ମୁଁ ଜାଣି ପାରୁନାହିଁ । ହେ ନବଘନ, କନ୍ଦର୍ପର ଶରରେ ଆଘାତ ପାଇଁ ଥରେ ଥରେ ଜ୍ଞାନହରା ହୋଇ ପଡ଼ୁଛି । ହେ ନବଘନ ହରଷ ମନରେ ଏଠାରୁ ଏବେ ଚଳିଯାଅ । ମନରେ କିଛି ଅଭିମାନ କରନାହିଁ । କ୍ଷମାସାଗରବର, ରସିକ ଗିରିଧରଙ୍କ ଆଜ୍ଞାପାଇ ମେଘ ବାହୁଡ଼ିଗଲା । ଆଉ ଗୋକୁଳ ମାର୍ଗ ମାଡ଼ିଲା ନାହିଁ । ରାଧାଙ୍କ ପାଖରେ କ୍ଷୋଭ ପ୍ରକାଶ କଲା । କବି କହୁଛନ୍ତି- ମନରୁ ସମସ୍ତ ପ୍ରକାର ଅବିଗୁଣ ଛାଡ଼ି ଚଉତିଶାକୁ ଶୁଣ । କ୍ଷମାସାଗର କୃଷ୍ଣ ଲୋକମାତା ରାଧାଙ୍କ ଚରଣ ତଳେ କବି ଦୀନକୃଷ୍ଣ ଶରଣ ପଶିଲେ ।
ଓଗାଳ ଖଣ୍ଡ ପ୍ରଥମ ଭାଗଅଚ୍ୟୁତାନନ୍ଦ ଦାସ ଅଚ୍ୟୁତାନନ୍ଦ ଦାସ