ମୂଷା ଓ ବିଲେଇ
ଭକ୍ତକବି · ୧୮୫୩–୧୯୧୨ · ରାଧାନାଥ ଯୁଗ
- ସଂକଳନ: ବାଳବୋଧ
- ପଢ଼ିବା ସମୟ
- ୪ ମିନିଟ୍
- ଶବ୍ଦ
- ୬୩୯
- ସ୍ଥିତି
- ସାର୍ବଜନୀନ (Public domain)
ଅଇଲାଣି ବିଲେଇ, ମୂଷା ଯିବ ପଳେଇ । ଜଣକ ଘରେ କୋଠିତଳେ ବହୁତ ମୂଷା ଥିଲେ-। ମୂଷାଗୁଡ଼ାକ ସବୁବେଳେ କଟାକଟି କରିବାରୁ ସେ ଲୋକ ଗୋଟିଏ ବିଲେଇ ପୋଷିଲା । ବିଲେଇଟି ଖାଇପିଇ ଖୁବ୍ ବଳୁଆ ହୋଇଗଲା ଆଉ ସବୁବେଳେ ମୂଷାଙ୍କ ଗାତ ଜଗିଲା । ତାହାର ବୋବାଳି ଶୁଣିଲେ ମୂଷାଯାକ ତରସ୍ତ ହୋଇଯାନ୍ତି । କେବେ ତାହା ରୂପ ଦେଖିଲେ ଭୟରେ ଥରହର ହୋଇ ଗାତରେ ପଶନ୍ତି । ଶେଷକୁ ତାହା ଡରରେ ମୂଷାମାନେ ଚଳିପାରିଲେ ନାହିଁ । କିପରି ସେ ବିଲେଇ ଯିବ; ସେଥିକି ଉପାୟ କରିବାପାଇଁ ଦିନେ ସବୁ ମୂଷାମାନେ ମିଶି ଗୋଟିଏ ସଭା କଲେ । ସଭାରେ କିଏ କେତେ ପ୍ରକାର କହିଲେ । ଗୋଟିଏ ଏକପ୍ରକାରେ କହିଲାବେଳକୁ ଆଉ ଏକ ତାହା କଥା କଟାଇଦେଇ ଆଉ ପ୍ରକାରେ କହେ । ଏପରିକି ତର୍କ ହେଉ ହେଉ ଶେଷରେ ଗୋଟାଏ ବଡ଼ ମୂଷା କହିଲା, ‘‘ଦେଖ, ଆମ୍ଭେମାନେ ଏ ବିରାଡ଼ିକୁ ମାରିପାରିବା ନାହିଁ । ତେବେ ଗୋଟାଏ ଉପାୟ କଲେ ଏହା ଆସିବାଟା ଜଣାପଡ଼ିଯିବ । ଏହା ବେକରେ ଗୋଟିଏ ଘଣ୍ଟି ବାନ୍ଧିଦେଲେ ଯେତେବେଳେ ଛପି ଛପି ଆସିବ, ଘଣ୍ଟି ଟିଣିଟିଣି ଶୁଣାଯିବ । ସେତେବେଳେ ଆମ୍ଭେମାନେ ଯେଝା ଗାତରେ ପଶି ସାବଧାନ ରହିବା ।’’ ଏ କଥା ଶୁଣି ଗୋଟିଏ ବୁଢ଼ା ମୂଷା କହିଲା, ‘‘କହିବା ବଡ଼ ସହଜ, କରିବା ସେହିପରି ସହଜ ନୁହେଁ । ସମସ୍ତେ କହିଦଉଛ; ବିରାଡ଼ି ବେକରେ ଘଣ୍ଟି ବାନ୍ଧିବାକୁ କିଏ ବାହାରିବ କହିଲ ?’’ ଏ କଥା ଶୁଣି ସମସ୍ତେ ସମସ୍ତଙ୍କ ମୁଖକୁ ଚାହିଁଲେ । ତାହା କରିବାକୁ କାହାରି ଦମ୍ଭ ପାଇଲା ନାହିଁ । ଏହିପରି ବିଚାର କରୁଥିବାବେଳେ ବିଲେଇଟି ଆସି ସେଠାରେ ପହଞ୍ଚିଗଲା । ତାକୁ ଦେଖିଲାକ୍ଷଣି ମୂଷାମାନେ ପ୍ରାଣଭୟରେ ଯେଝା ଗାତକୁ ପଳାଇଲେ । କହିଲାବେଳକୁ ସମସ୍ତେ ବୀର; କଲାବେଳକୁ କେହି ନୁହନ୍ତି ।
କୁନି
ବିଶି ପୋଷିଥିଲା ଭଲ ପୁଷିଟିଏ
ତୁଳାପରି ତାର ଦେହ,
ଖୁଆଇ ପିଆଇ ନିତି ତାକୁ ସେହି
କରୁଥାଏ କେତେ ସ୍ନେହ ।
ଆଉଁସି ଦିଅଇ ତା କୋମଳ ଅଙ୍ଗ
କୋଳରେ ବସାଇ ସୁଖେ,
ମ୍ୟାଉଁ ମ୍ୟାଉଁ କରି ଛୁଇଁ ସେ ପକାଏ
ନ ଡରି ତାହାର ମୁଖେ ।
ଘାଗୁଡ଼ିର ମାଳେ ତା ଗଳାରେ ଥାଏ
ଡାକିଦେଲେ, ‘କୁନି’ ବୋଲି,
ଝୁମୁରୁ ଝୁମୁରୁ ହୋଇ ମିଳେ ପାଶେ
କି ରଙ୍ଗେ ଲାଞ୍ଜକୁ ତୋଳି ?
ଖାଇବାବେଳରେ ଦୁଧଭାତ ଗୋଳି
ଆଗେ ତାକୁ ଦିଏ ବିଶି,
କେଡ଼େ ଆହ୍ଲାଦରେ ଖାଇଦେଇ ସେହି
ସଙ୍ଗେ ଯାଉଥାଏ ମିଶି ।
ଶୋଇବା ଆଗରୁ ଧାଇଁଯାଇ କୁନି
ତୁନି ହୋଇ ଶୋଇପଡ଼େ,
ମୁଚୁଳା ଉପରୁ ତଡ଼ିଦେଲେ ତାକୁ
ବସେ ଆସି ଛାତିପରେ ।
ଗାଧୋଇବାବେଳେ ଧୋଇ ମାଜି ବିଶି
ଛାଡ଼ିଦିଏ ତାକୁ କୂଳେ,
ଝାଡ଼ି ଦେଇ ଦେହ ଚାଟି ସୁଖେ ପୁଷି
ପିଠିକି ଫୁଲାଇ ଫୁଲେ ।
ଛାଇପରି ନିତି ଚାଲିଥାଏ ପଛେ
ଯେଣେ ବିଶି ଯାଉଥାଏ,
ଅଳପେ ତା ପଦ ଚାଟୁଥାଏ ସ୍ନେହେ
ନିଶପଟ ଖାଡ଼ା ଥାଏ ।
ଖାଇବା ଦରବ ଦେଖାଇଲା ହାତୁ
ଆଗ ଗୋଡ଼େ ନିଏ ମାରି,
ଦଣ୍ଡେ ନ ଦେଖିଲେ ବିଶିକି ସେ ପୁଷି
ହୁଏ ଆହା କେତେ ଘାରି ।
ମ୍ୟାଉଁ ମ୍ୟାଉଁ ବୋଲି ଏଣେତେଣେ ବୁଲି
ସମ୍ବନ୍ଧିତ ରଚନା
ଚିଲିକା ହ୍ରଦ
ମଧୁସୂଦନ ରାଓ
ମନୁଷ୍ୟର ଧର୍ମବୁଦ୍ଧି
ମଧୁସୂଦନ ରାଓ