ମାନବଜାତିର ଉନ୍ନତି
ଭକ୍ତକବି · ୧୮୫୩–୧୯୧୨ · ରାଧାନାଥ ଯୁଗ
- ସଂକଳନ: ପ୍ରବନ୍ଧ (2)
- ପଢ଼ିବା ସମୟ
- ୧୪ ମିନିଟ୍
- ଶବ୍ଦ
- ୨୨୯୨
- ସ୍ଥିତି
- ସାର୍ବଜନୀନ (Public domain)
ଏହି ପୃଥିବୀସ୍ଥ ଜୀବମାନଙ୍କ ମଧ୍ୟରେ କେବଳ ମନୁଷ୍ୟମାତ୍ର ଉନ୍ନତିଶୀଳ ଅଟେ । ଅତି ପ୍ରାଚୀନକାଳରେ ଖେଚରବୃନ୍ଦ ଯେପରି କୌଶଳ ସହକାରେ କୁଲାୟ ନିର୍ମାଣ କରୁଥିଲେ, ମଧୁମକ୍ଷିକାମାନେ ମଧୁଚକ୍ର ଗଠନ କରୁଥିଲେ, ପଶୁମାନେ ଯେପରି ଉଦରପୂର୍ତ୍ତି ନିମିତ୍ତ ଇତସ୍ତତଃ ପରିଭ୍ରମଣ କରୁଥିଲେ, ବର୍ତ୍ତମାନ ସମୟରେ ମଧ୍ୟ ସେହିପରି କରୁଅଛନ୍ତି । କିନ୍ତୁ ମାନବଜାତିର ଆଦିମ-ବନ୍ୟ-ଅବସ୍ଥାର ଯେତେ ପରିବର୍ତ୍ତନ ହୋଇଅଛି, ତାହା ଆଲୋଚନା କଲେ ମନ ବିସ୍ମୟରେ ଅବଶପ୍ରାୟ ହୁଏ । ଗିରିଗହ୍ୱର ଯେଉଁମାନଙ୍କର ଆଶ୍ରୟସ୍ଥାନ ଥିଲା, ସେମାନେ ଏବେ ସୁରମ୍ୟ ଅଟ୍ଟାଳିକାରେ ବାସ କରୁଅଛନ୍ତି । ବୃକ୍ଷର ଫଳ ଏବଂ ଅପକ୍ୱମାଂସ ଯେଉଁମାନଙ୍କର ଖାଦ୍ୟ ଥିଲା, ଯେଉଁମାନେ ଅନାବୃତ ଶରୀରକୁ ନାନାବର୍ଣ୍ଣରେ ରଞ୍ଜିତ କରୁଥିଲେ, ଯେଉଁମାନେ ଜ୍ଞାନେଲୋକ ବିରହିତ ହୋଇ ସୃଷ୍ଟିର ଅନ୍ଧଶକ୍ତି ସମୂହ ନିକଟରେ ମସ୍ତକକୁ ଅବନତ କରୁଥିଲେ, ସେମାନଙ୍କ ବଂଶଧର ସଭ୍ୟଜାତୀୟ ମନୁଷ୍ୟବର୍ଗର ଆହାର ଏବଂ ପରିଚ୍ଛଦର ପାରିପାଟ୍ୟ, ଜଡ଼ଶକ୍ତିଚୟୋପରି ସେମାନଙ୍କ ସର୍ବତୋମୁଖୀ ପ୍ରଭୁତା ଏବଂ ସେମାନଙ୍କ ଜ୍ଞାନ ଧର୍ମଲୋକ ପ୍ରଭୃତି ବିବିଧ ବିଚିତ୍ର ପରିବର୍ତ୍ତନ ପ୍ରତି ଦୃଷ୍ଟିପାତ କଲେ କିଏ ବିସ୍ମୟାନ୍ୱିତ ନୋହିବ ?
କିନ୍ତୁ ଏହିସବୁ ପରିବର୍ତ୍ତନର କାରଣ କଅଣ ? କେଉଁ ଅଲକ୍ଷିତ ଶକ୍ତି ପ୍ରଭାବରେ ମନୁଷ୍ୟସମାଜ ଏପରି ପରିବର୍ତ୍ତିତ ହୋଇଅଛି ? ସୁଧୀବର୍ଗ ଏହି ପ୍ରଶ୍ନର ନାନାପ୍ରକାର ଉତ୍ତର ପ୍ରଦାନ କରିଅଛନ୍ତି । କେହି କେହି କହନ୍ତି ଯେ ମାନବଜାତିର ହୃଦୟନିହିତ ଧର୍ମପ୍ରବୃତ୍ତି ଏହି ଉନ୍ନତିର ନିଦାନ ଅଟେ । କାହାରି କାହାରି ମତରେ ବୁଦ୍ଧିବୃତ୍ତିର କ୍ରମିକ ବିକାଶ ଏହି ପରିବର୍ତ୍ତନର ପ୍ରବର୍ତ୍ତକ । ପୁଣି କେହି କେହି ସମୁଦାୟ ମନୁଷ୍ୟ ପ୍ରକୃତିକୁ ସଭ୍ୟତା ବିକାଶର ନିଦାନଭୂତ ବୋଲି ଅବଧାରଣ କରିଅଛନ୍ତି । ଆମ୍ଭେମାନେ ଶେଷୋକ୍ତ ମତର ପକ୍ଷପାତୀ ଅଟୁଁ ।
ମାନବପ୍ରକୃତିରେ ଦୁଇଗୋଟି ପରସ୍ପର ବିରୋଧୀ ଭାବ ସଂଲକ୍ଷିତ ହୁଏ । ଗୋଟିଏ ସ୍ୱାନୁବର୍ତ୍ତିତା, ଅପରଟି ନିର୍ଭରଭାବ । ଯେପରି କେନ୍ଦାଭିକର୍ଷିଣୀ ଏବଂ କେନ୍ଦାପସାରିଣୀ ନାମକ ପରସ୍ପର ବିରୁଦ୍ଧ ଶକ୍ତିଦ୍ୱୟ ଦ୍ୱାରା ଏହି ଅଖିଳବିଶ୍ୱ ସଂରକ୍ଷିତ ଏବଂ ପରିଚାଳିତ ହେଉଅଛି, ସେହିପରି ଊପର୍ଯ୍ୟୁକ୍ତ ଆଧ୍ୟାତ୍ମିକ ଶକ୍ତିଦ୍ୱୟ ମାନବସମାଜକୁ ଅନନ୍ତ ଉନ୍ନତି ଆଡକୁ ଘେନିଯାଉଅଛି । ସ୍ୱାନୁବର୍ତ୍ତିତା ମନୁଷ୍ୟକୁ ସ୍ୱତନ୍ତ୍ର, ସ୍ୱାର୍ଥାନ୍ୱେଷୀ, ଆତ୍ମନିର୍ଭରଶୀଳ ହେବାକୁ ଉପଦେଶ ପ୍ରଦାନ କରେ । ନିର୍ଭରଭାର ଜନସଙ୍ଗଲାଳସାକୁ ଉତ୍ପାଦନ କରି ମନୁଷ୍ୟକୁ ସମାଜ ବନ୍ଧନରେ ନିବଦ୍ଧ କରେ । ସ୍ୱାନୁବର୍ତ୍ତିତା ନ ଥିଲେ ମନୁଷ୍ୟ ପରମୁଖାପେକ୍ଷୀ ହୋଇ କେବଳ ଅନୁକରଣଶୀଳ ପ୍ରାଣୀରୂପରେ ପରିଣତ ହୁଅନ୍ତା । ପକ୍ଷାନ୍ତରେ ନିର୍ଭରଭାବର ଅଭାବରେ ମନୁଷ୍ୟ ଏକାକୀ କୌଣସି ମହତ୍କାର୍ଯ୍ୟ କରିପାରନ୍ତି ନାହିଁ । ସ୍ୱାନୁବର୍ତ୍ତୀ ମନୁଷ୍ୟ ଏକାକୀ କୌଣସି ମହାତ୍କାର୍ଯ୍ୟ କରିପାରନ୍ତା ନାହିଁ । ସ୍ୱାନୁବର୍ତ୍ତୀ ମନୁଷ୍ୟ ଅଶେଷ ଶକ୍ତି ସମ୍ପନ୍ନ ହେଲେହେଁ ପରସାହାଯ୍ୟ ବିରହରେ ଏତାଦୃଶ ହୀନବଳ ହୁଅନ୍ତା ଯେ ସମ୍ଭବତଃ କେବଳ ଗ୍ରାସାଚ୍ଛାଦନ ଅନ୍ୱେଷଣରେ ତାହାକୁ ସମୁଦେୟ ଜୀବନ ଅତିବାହନ କରିବାକୁ ହୁଅନ୍ତା । ପୁଣି ଏକାନ୍ତ ପରପଦାନୁସାରୀ ସ୍ୱାନୁବର୍ତ୍ତିତା–ବିବର୍ଜିତ ମନୁଷ୍ୟମାନେ ନେତୃଶୂନ୍ୟ ହୋଇ କୌଣସି ପ୍ରକାର ଶୁଭସମ୍ପଦର ଅଧିକାରୀ ହୋଇପାରନ୍ତେ ନାହିଁ । ଅତଏବ ଏହା ସ୍ପଷ୍ଟରୂପେ ପ୍ରତିପନ୍ନ ହେଉଅଛି ଯେ ଆମ୍ଭାମାନଙ୍କର ପ୍ରକୃତିନିହିତ ଉପର୍ଯ୍ୟୁକ୍ତ ଶକ୍ତିଦ୍ୱୟର କାର୍ଯ୍ୟଦ୍ୱାରା ମନୁଷ୍ୟଜାତିର ସୁଖସମୁନ୍ନତି ସମ୍ପାଦିତ ହେଉଅଛି ।
ମନୁଷ୍ୟର ଉନ୍ନତି ଆପେକ୍ଷିକ ଅଟେ । ଏକ ଶତାବ୍ଦୀ ପୂର୍ବରେ ଯେଉଁ ଅବସ୍ଥା ଉନ୍ନତତମ ବୋଲି ପ୍ରତୀୟମାନ ହେଉଥିଲା, ଇଦାନୀଂ ତାହାକୁ ଲୋକେ ସଭ୍ୟତା ବୋଲି ସ୍ୱୀକାର କରିବାକୁ କୁଣ୍ଠିତ ହେଉଅଛନ୍ତି । ପୁଣି ଇଦାନୀନ୍ତନ ସଭ୍ୟଜାତୀୟ ମନଷ୍ୟବର୍ଗ ଯେଉଁ ପଦବୀରେ ଅଧିରୂଢ ହୋଇଅଛନ୍ତି, ଦୁଇଶତାବ୍ଦୀ ପୂର୍ବରେ ତାହା କାହାରି କଳ୍ପନାକୁ ସୁଦ୍ଧା ସ୍ପର୍ଶ କରିନଥିଲା । କିନ୍ତୁ ଏହି ବର୍ତ୍ତମାନ ସଭ୍ୟତା ସୁଦ୍ଧା ଉନ୍ନତିର ପରାକାଷ୍ଠା ନୁହେ । ଏଥିରେ ସୁଦ୍ଧା ଆମ୍ଭମାନଙ୍କର ଆଶା ପରିତୃପ୍ତ ହୋଇ ନ ପାରେ । ଅନନ୍ତ ଯେଉଁ ମନୁଷ୍ୟଜାତିର ଆଶାସ୍ଥଳ, ପରିମିତ, ସୀମାବଦ୍ଧ ଉନ୍ନତି କଦାପି ସେମାନଙ୍କର ହୃଦୟପିପାସାକୁ ନିବୃତ୍ତ କରି ନ ପାରେ । ବର୍ତ୍ତମାନ ସଭ୍ୟତାର ବହିରୁଜ୍ଜ୍ୱଳ ଆବରଣ ଭେଦକରି ଦେଖିଲେ ଅଶେଷ ପ୍ରକାର ପାପ ଏବଂ ଦୁର୍ଗତି ପରିଲକ୍ଷିତ ହେବ । ଊନବିଂଶ ଶତାବ୍ଦୀର ସଭ୍ୟତମ ଜନପଦ ଇଂଲଣ୍ଡର ଅବସ୍ଥା ଆଲୋଚନା କରି କିଏ କହିବ ଯେ ଆଧୁନିକ ସଭ୍ୟତା ମନୁଷ୍ୟଜାତିର ଉନ୍ନତତମ ଅବସ୍ଥା ଅଟେ ? ଲୋକସାଧାରଣର ଦାରିଦ୍ର୍ୟ ଏବଂ ଅଜ୍ଞାନତା, ନାରୀଜାତିର ଦୁର୍ଦ୍ଦଶା, ଧର୍ମ ଏବଂ ବିଶୁଦ୍ଧ ନୀତିପ୍ରତି ସାଧାରଣଙ୍କର ଅନାସ୍ଥା ଇଂଲଣ୍ଡରେ ସୁଦ୍ଧା ପ୍ରଭୂତରୂପେ ପରିଦୃଷ୍ଟ ହୁଏ । କିନ୍ତୁ ଏହା ବୋଲି ବର୍ତ୍ତମାନ ସଭ୍ୟତାକୁ ତୁଚ୍ଛ ମଣିବା ଉଚିତ ନୁହେ । କନ୍ଧ ସାନ୍ତାଳ ପ୍ରଭୃତି ଅରଣ୍ୟଚାରୀ ମନୁଷ୍ୟମାନଙ୍କ ଅବସ୍ଥାଠାରୁ ଇଂଲଣ୍ଡୀୟମାନଙ୍କର ଅବସ୍ଥା କୋଟିଗୁଣରେ ଉତ୍କୃଷ୍ଟ ଅଟେ ।
ଏହି ଧରଣୀପୃଷ୍ଠରେ ପ୍ରାୟ ଏକଶତ ପଞ୍ଚାଶତକୋଟି ମନୁଷ୍ୟ ଅଧିବାସ କରୁଅଛନ୍ତି । ଏମାନେ ସମସ୍ତେ ସଭ୍ୟତାରୂପ ମଞ୍ଚର ଏକ ସୋପାନରେ ଅବସ୍ଥିତ ନୁହନ୍ତି । ଏମାନେ ବିଭିନ୍ନ ଜାତି ଏବଂ ଧର୍ମସମ୍ପ୍ରଦାୟରେ ବିଭକ୍ତ ହୋଇ ଉନ୍ନତିର ବିଭିନ୍ନ ଅବସ୍ଥାକୁ ଲାଭ କରିଅଛନ୍ତି । କୌଣସି କୌଣସି ଜାତି ମାନସିକ ଏବଂ ନୈତିକ ଉତ୍କର୍ଷର ଅତ୍ୟୁଚ୍ଚ ପଦବୀ ଅଧିରୋହଣ କରିଅଛନ୍ତି । କେହି କେହି ଅବା ବନଚାରୀ ପଶୁମାନଙ୍କ ଅପେକ୍ଷା ଅତ୍ୟନ୍ତ ପରିମାଣରେ ଉନ୍ନତ ମାତ୍ର । ଜାତିଗତ ବିଭିନ୍ନତା ଯୋଗୁଁ ଭାଷା, ଚରିତ୍ର, ଧର୍ମ ବହିରାକୃତି ପ୍ରଭୃତି ବିଷୟରେ ଅତିଶୟ ବୈଲକ୍ଷଣ୍ୟ ଲକ୍ଷିତ ହୁଏ । ଉଲ୍ଲିଖିତ ପ୍ରଭେଦମାନ ଥିଲେହେଁ ମାନବ ଦେହ ତତ୍ତ୍ୱଜ୍ଞ ପଣ୍ଡିତମାନେ ଅବଧାରଣ କରିଅଛନ୍ତି ଯେ ଭିନ୍ନ ଭିନ୍ନ ମନୁଷ୍ୟଜାତି ମଧ୍ୟରେ କିଛି ହିଁ ମୂଳଗତ ବିଭିନ୍ନତା ନାହିଁ । ବୁଦ୍ଧିଶାଳୀ ସୁଶ୍ରୀକ ଆର୍ଯ୍ୟ ବା କକେଷୀୟ, ବିଭୀଷଣାକୃତି ଏସ୍କିମୋବର୍ବର, ଘନୌଷ୍ଠପତ୍ର ନିଗ୍ରୋ, ନୀଳନେତ୍ର ସ୍କାଣ୍ଡିନେବୀୟ, ସମସ୍ତେ ମନୁଷ୍ୟବଂଶର ଭିନ୍ନ ଭିନ୍ନ ପରିବାର ମାତ୍ର ।
ମନୁଷ୍ୟବଂଶ ପାଞ୍ଚଗୋଟି ବିଭିନ୍ନ ପରିବାରରେ ବିଭକ୍ତ; ଯଥା – କକେଷୀୟ ଅବା ଆର୍ଯ୍ୟ, ମୋଗଲତାତାର, ମାଳୟ, ଇଥିଅପ ଏବଂ ଆଦିମ ମାର୍କିନ ।
ସମସ୍ତ ଇଉରୋପ, ଉତ୍ତର ଆଫ୍ରିକା, ସମସ୍ତ ଭାରତବର୍ଷ, ଆାରବ ପାରସ୍ୟ, ଆସିୟାମାଇନର ଏବଂ ଆମେରିକାର ଇଉନାଇଟେଡ୍ଷ୍ଟେଟ୍ସ ଏହି ଦେଶମାନ କକେଷୀୟ ଜାତିର ଆବାସସ୍ଥାନ । ଏହି ଜାତୀୟ ମନୁଷ୍ୟମାନେ ସର୍ବକାଳରେ ସଭ୍ୟତାର ଅଗ୍ରଣୀରୂପେ ପରିଗଣିତ ହୋଇଅଛନ୍ତି । ପ୍ରାଚୀନକାଳର ହିନ୍ଦୁ, ଗ୍ରୀକ୍, ରୋମକ, ଆରବ ଏବଂ ମିଶରବାସିବର୍ଗ ଏବଂ ଆଧୁନିକ ଇଉରୋପୀୟ ଜାତିସମୂହ ନିଜ ନିଜ ଗୌରବାନ୍ୱିତ ଉନ୍ନତିଦ୍ୱାରା ଆର୍ଯ୍ୟଜାତିର ଶ୍ରେଷ୍ଠତା ପ୍ରତିପାଦନ କରିଅଛନ୍ତି । କିନ୍ତୁ ଏହି ପ୍ରାଧାନ୍ୟର ହେତୁ କ’ଣ ? କେବଳ ପ୍ରକୃତିର ଅନୁକୂଳତା ଏହାର ଏକମାତ୍ର କାରଣ ହୋଇନପାରେ, ଯେହେତୁ ଉଲ୍ଲିଖିତ ଅନୁକୂଳତା ଅସଭ୍ୟ ଆଦିମ ମାର୍କିନମାନଙ୍କର ଅଧ୍ୟୁଷିତ ଦେଶରେ ମଧ୍ୟ ପ୍ରଭୂତରୂପେ ବର୍ତ୍ତମାନ ଅଛି । ଅତଏବ କକେଷୀୟ ଜାତିର ସ୍ୱାଭାବିକ ଉନ୍ନତି–ପ୍ରବଣତାକୁ ସଭ୍ୟତାର ମୁଖ୍ୟକାରଣ ବୋଲି ନିର୍ଦ୍ଦେଶ କରିବାକୁ ହେବ । ଏହାଦ୍ୱାରା ଆମ୍ଭେମାନେ ଏମନ୍ତ କହୁଁନାହିଁ ଯେ ପ୍ରକୃତିର ଅନୁକୂଳତା ଦ୍ୱାରା ଆର୍ଯ୍ୟଜାତୀୟ ସଭ୍ୟତାର କିଛି ଉପକାର ହୋଇନାହିଁ । ଆମ୍ଭମାନଙ୍କ ମତରେ ସ୍ନିଗ୍ଧ ଜଳବାୟୁ, ଉର୍ବର ମୃତ୍ତିକା ଏବଂ ବାଣିଜ୍ୟାନୁକୂଳ ନଦୀବୃନ୍ଦ ପ୍ରଭୃତି ପ୍ରାକୃତିକ ଅନୁକୂଳତାର ନିଦର୍ଶନମାନ ଗୌଣକାରଣରୂପେ ବିଦ୍ୟମାନ ଥାଇ ଉନ୍ନତିର ସହାୟତା କରିଅଛି ।
ମୋଗଲ ତାତାର ଜାତି ହିମାଳୟ ଏବଂ ପାରସ୍ୟ ଅଧିତ୍ୟକାର ଉତ୍ତରବର୍ତ୍ତୀ ସମସ୍ତ ଆସିୟାଖଣ୍ଡ ଏବଂ ଆମେରିକାର ଉତ୍ତରକୈନ୍ଦ୍ରିକ ପ୍ରଦେଶରେ ଅଧିବାସ କରନ୍ତି । ତୁରଷ୍କ, ମୋଗଲ, ତାତାର, ଚୀନ ଦେଶୀୟ, ଜାପାନ ଦେଶୀୟ ଏବଂ ଏସ୍କିମୋ ପ୍ରଭୃତି ଜାତି ଏହି ମନୁଷ୍ୟ ପରିବାରର ଅନ୍ତର୍ଗତ । ଏହି ଜାତୀୟ ମନୁଷ୍ୟ ବର୍ଗ ମଧ୍ୟରେ ଚୀନ ଏବଂ ଜାପାନବାସିମାନେ ବିଶିଷ୍ଟରୂପେ ଉନ୍ନତ ଅଟନ୍ତି ; କିନ୍ତୁ ସେମାନଙ୍କର ସାମାଜିକ ପ୍ରଣାଳୀ ଏପରି ସଂକୀର୍ଣ୍ଣଭାବାପନ୍ନ ଯେ ସେମାନେ ଅନ୍ୟାନ୍ୟ ସଭ୍ୟଜାତିମାନଙ୍କ ସଙ୍ଗରେ ମିଶିବାକୁ ଅଭିଳାଷ କରନ୍ତି ନାହିଁ । ସୁତରାଂ ସେମାନଙ୍କର ସଭ୍ୟତା କକେଷୀୟ ସଭ୍ୟତା ଅପେକ୍ଷା ବହୁପରିମାଣରେ ନିକୃଷ୍ଟତର ଅଟେ । ତୁରଷ୍କ, ତାତାର ଏବଂ ମୋଗଲମାନେ ଏସ୍କିମୋମାନଙ୍କ ଅପେକ୍ଷା ଅନେକାଂଶରେ ଉନ୍ନତ ହେଲେହେଁ ଅଦ୍ୟାବଧି ଅରଣ୍ୟଚାରିତା ଏବଂ ଲୁଣ୍ଠନପ୍ରିୟତା ପରିତ୍ୟାଗ କରିନାହାନ୍ତି ।
ମାଳୟଜାତି ଦେଖିବାକୁ ଅସୁନ୍ଦର । ଏମାନେ ଭାରତସାଗରର ଦ୍ୱୀପପୁଞ୍ଜ, ଅଷ୍ଟ୍ରେଲିୟା, ବୋର୍ଣ୍ଣିୟୋ, ଟାସମାନିଆ ଦ୍ୱୀପ ପ୍ରଭୃତିରେ ବାସ କରନ୍ତି । ଏ ଜାତିର କତି ପୟ ଶାଖା ଅତି ପ୍ରାଚୀନ କାଳରେ କିୟତ୍ପରିମାଣରେ ସଭ୍ୟ ହୋଇଥିଲେ । ସେମାନଙ୍କର ଲିଖିତ ସାହିତ୍ୟ ସେମାନଙ୍କର ପ୍ରାଚୀନ ଉନ୍ନତି ବିଷୟରେ ସାକ୍ଷ୍ୟ ପ୍ରଦାନ କରୁଅଛି । ମାଳୟବଂଶୀୟ ମନୁଷ୍ୟମାନେ ମୃଦୁସ୍ୱଭାବ ଏବଂ ଶିଳ୍ପବିଦ୍ୟାରେ କିୟତ୍ ପରିମାଣରେ ଉନ୍ନତି ।
ସାହାରା ମରୁଭୂମିର ଦକ୍ଷିଣବର୍ତ୍ତୀ ସମସ୍ତ ଆଫ୍ରିକା ଏବଂ ମାଡାଗାସ୍କର ଦ୍ୱୀପ ଇଥିଅପଜାତିର ଅଧିବାସସ୍ଥଳ । ଏହି ଜିତି ଦେଖିବାକୁ ଅତ୍ୟନ୍ତ କୁତ୍ସିତ । କୃଷ୍ଣଚର୍ମ, ଘନ ଓଷ୍ଠପତ୍ର, ବହିର୍ନିଗତ ଚକ୍ଷୁ ଏବଂ ଅତ୍ୟୁଚ୍ଚକପୋଳାସ୍ଥି ଏହି ଜାତୀୟ ଲୋକମାନଙ୍କର ବିଶେଷ ଲକ୍ଷଣ । ଇଥିଅପଜାତି ଅସଭ୍ୟ ଅବସ୍ଥାରେ ଅବସ୍ଥିତ । ଭୀଷଣ ମରୁପ୍ରାନ୍ତରସ୍ଥ ଜଳବାୟର ଅନିଷ୍ଟକାରିତା ଏବଂ ଜଘନ୍ୟ ଦାସତ୍ୱ ପ୍ରଥା ହେତୁରୁ ଏହି ଜାତି ଏପରି ଅନୁନ୍ନତ ଅବସ୍ଥାରେ ପଡ଼ିରହିଅଛି ।
ଆଦିମ ମାର୍କିନମାନେ ତାମ୍ରବର୍ଣ୍ଣ, ପ୍ରଲମ୍ବକେଶ ଏବଂ ସୁଶ୍ରୀକ । ଏମାନେ ମୃଗୟାଶୀଳ, କୃଷିବିମୁଖ ଏବଂ ଯୁଦ୍ଧପ୍ରିୟ । ଏମାନଙ୍କର ବୈରପରାୟଣତା ଅତି ଭୟଙ୍କର ଅଟେ । ଏହି ଜାତିର କତିପୟ ଶାଖା ଅର୍ଦ୍ଧସଭ୍ୟ ଏବଂ ଅବଶିଷ୍ଟ ଘୋର ବର୍ବରଭାବାପନ୍ନ ।
ଆମ୍ଭେମାନେ ଯେଉଁ ପଞ୍ଚଜାତିର ଉଲ୍ଲେଖ କଲୁଁ, ତାହା ପୁଣି ଅଗଣିତ ଶାଖା ପ୍ରଖାଖାରେ ବିଭକ୍ତ । ଏହି ସଂଖ୍ୟାତୀତ ବିଭେଦର ସମୁଦାୟ କାରଣ ଅବଧାରଣ କରିବା ଅତ୍ୟନ୍ତ କଠିନବ୍ୟାପାର ଅଟେ । ଭିନ୍ନ ଭିନ୍ନ ଜାତିର ପ୍ରାକୃତିକ ଅବସ୍ଥାନ, ଭାଷା, ଧର୍ମ, ବର୍ଣ୍ଣ, ମାନସିକ ଏବଂ ନୈତିକ ଶକ୍ତି ସେହି କାରଣନିଚୟ ମଧ୍ୟରେ ପ୍ରଧାନ ବୋଲି ଗଣନୀୟ । ସ୍ଥାନୀୟ ଶୀତ, ଗ୍ରୀଷ୍ମ, ଭୂମିର ଉର୍ବରତା ବା ଅନୁର୍ବରତା, ନଦୀ ଏବଂ ପର୍ବତର ବହୁଳତା ବା ବିରଳତା, ଜଳବାୟୁର ସ୍ନିଗ୍ଧତା ବା କଠୋରତା, ନୈସର୍ଗିକ ଦୃଶ୍ୟର ବୈଚିତ୍ର୍ୟ ବା ତାହାର ଅଭାବ ଏହିସବୁ ଅବସ୍ଥାର ତାରତମ୍ୟ ଅନୁସାରେ ପ୍ରାକୃତିକ ଅବସ୍ଥାନର ବିଭିନ୍ନ ପ୍ରଭାବ ଲକ୍ଷିତ ହୁଏ । କେନ୍ଦ୍ର ସନ୍ନିହିତ ତୀବ୍ରଶୀତପ୍ରଦେଶବାସୀ ମନୁଷ୍ୟମାନେ ପ୍ରକୃତିର କଠୋରତା ହେତୁରୁ ମାନସିକ ଉତ୍କର୍ଷସାଧନାର୍ଥ ଏକାନ୍ତ ଅଶକ୍ତ; ତେଣୁ ସେମାନେ ଉନ୍ନତିର ନିମ୍ନତମ ସୋପାନରେ ଅବସ୍ଥିତ । ଭୂମଧ୍ୟସାଗର ତଟବର୍ତ୍ତୀ ଗ୍ରୀସ, ଇତାଲୀ ଏବଂ ଫ୍ରାନ୍ସ ଦେଶର ପ୍ରକୃତି ମନୁଷ୍ୟମାନଙ୍କ ପ୍ରତି ଅତ୍ୟନ୍ତ ଅନୁକୂଳ ଅଟେ, ତତ୍ରତ୍ୟ ଜଳବାୟୁର ରମଣୀୟତା, ଭୂମିର ଉର୍ବରତା ଏବଂ ଜୀବିକାର୍ଜନର ଅଳ୍ପାୟାସସୁଲଭତା ପ୍ରଭୃତି କାରଣରୁ ସେଠାରେ ମାନସିକ ବିକାଶ ସୁଚାରୁରୂପେ ସମ୍ପନ୍ନ ହୁଏ । ଜର୍ମେନୀ ଏବଂ ହଲାଣ୍ଡରେ ପ୍ରକୃତି ଅପେକ୍ଷାକୃତ କଠୋରଗଭାବାପନ୍ନ ଏବଂ ଜୀବିକାର୍ଜନ ଅଧିକ ଶ୍ରମସାପେକ୍ଷ, ସୁତରାଂ ତତ୍ରତ୍ୟ ଲୋକମାନଙ୍କର ଚରିତ୍ରରେ ଅଜେୟ ଅଧ୍ୟବସାୟ ଏବଂ ଦୃଢତା ଲକ୍ଷିତ ହୁଏ । ସାଗାର ପରିବୃତ ଖନିପୂର୍ଣ୍ଣ ଇଂଲଣ୍ଡର ଅବସ୍ଥା ଭିନ୍ନପ୍ରକାର; ସୁତରାଂ ତତ୍ରତ୍ୟ ଅଧିବାସୀମାନେ ଶିଳ୍ପନୈପୁଣ୍ୟ, ବାଣିଜ୍ୟପ୍ରିୟତା ଏବଂ ଶ୍ରମଶୀଳତା ପ୍ରଭୃତି ଗୁଣଦ୍ୱାରା ବିଭୂଷିତ ।
ପୃଥିବୀରେ ଦ୍ୱିସହସ୍ରାଧିକ ଭାଷା ପ୍ରଚଳିତ ଅଛି । ଏଥିମଧ୍ୟରେ କତିପୟ ଭାଷା ଏକାର୍ଥବୋଧକ ଶବ୍ଦଗତ ସାଦୃଶ୍ୟରେ, କତିପୟ ଭାଷା ବ୍ୟାକରଣଗତ ସାଦୃଶ୍ୟରେ ଏବଂ କେତେକ ଉଭୟଥା ପରସ୍ପର ସହିତ ସମ୍ବନ୍ଧିତ । ଏହିପ୍ରକାର ସାଦୃଶ୍ୟ ଅନୁସନ୍ଧାନ କରି ଶବ୍ଦଶାସ୍ତ୍ରଜ୍ଞ ପଣ୍ଡିତମାନେ ଭାଷାସମୂହକୁ ଆର୍ଯ୍ୟ ବା ଇଣ୍ଡୋ – ଇଉରୋପୀୟ, ସେମିଟିକତାତାର , ଇଣ୍ଡୋଚିନୀୟ, ଇଥିଅପ ଏବଂ ଆଦିମ ମାର୍କିନ ଏହି କେତୋଟି ଶ୍ରେଣୀରେ ବିଭକ୍ତ କରିଅଛନ୍ତି । ଆର୍ଯ୍ୟଜାତୀୟ ଭାଷା ବିଭିନ୍ନ ଦେଶରେ ବିଭିନ୍ନରୂପେ ପରିବର୍ତ୍ତନ ହୋଇ ଗ୍ରୀକ୍, ଲାଟିନ, ସଂସ୍କୃତ, ପାରସିକ, ଜର୍ମାନ ଏବଂ ଫ୍ରେଞ୍ଚ ପ୍ରଭୃତି ବିଭିନ୍ନଭାଷାରେ ପରିଣତ ହୋଇଅଛି । ଏହିସବୁ ଭାଷାରେ ଏକାର୍ଥବୋଧକ ଅନେକ ବିଭିନ୍ନ ଶବ୍ଦ ଦେଖାଯାଏ । ଏହିପ୍ରକାର ଆରବି ଏବଂ ହେବ୍ରୁ ସେମିଟିକ ଶ୍ରେଣୀର ଏବଂ ଚୀନଭାଷା ଇଣ୍ଡୋଚିନୀୟ ଶ୍ରେଣୀର ଅନ୍ତର୍ଗତ । ସଭ୍ୟତାର ବୃଦ୍ଧି ସହକାରେ ଭାଷାର ଉନ୍ନତି ସମ୍ପାଦିତ ହୁଏ । ସମାଜ ମଧ୍ୟରେ ଅଭିନବ ଭାବ ପ୍ରବେଶ କଲେ ଏବଂ ନୂତନ ଆବିଷ୍କ୍ରିୟାମାନ ସମ୍ପାଦିତ ହେଲେ, ନୂତନ ଶବ୍ଦମାନ ସଂଗଠିତ ହୁଏ ଏବଂ ତଦ୍ଦ୍ୱାରା ଭାଷା ପରିପୁଷ୍ଟ ଏବଂ ସମାର୍ଜିତ ହୂଏ ।
ମନୁଷ୍ୟଜାତି ନାନା ଧର୍ମସମ୍ପ୍ରଦାୟରେ ବିଭକ୍ତ । ପ୍ରାୟ ସମସ୍ତ ଇଉରୋପ ଖ୍ରୀଷ୍ଟଧର୍ମାବଲମ୍ବୀ । ଆସିୟାରେ ମୁସଲମାନ, ବୌଦ୍ଧ ଏବଂ ହିନ୍ଦୁ ଏହି ତିନୋଟି ପ୍ରଧାନ ଧର୍ମସମ୍ପ୍ରଦାୟ । ଆଫ୍ରିକାର ଉତ୍ତରଭାଗ ମୁସଲମାନ ଧର୍ମାବଲମ୍ବୀ । ଆମେରିକାର କତିପୟ ଅଂଶରେ ଲୋକେ ଖ୍ରୀଷ୍ଟଧର୍ମର ଆଶ୍ରିତ । ଆଦିମମାର୍କିନ ଏବଂ ଇଥିଅପମାନେ ଘୋର ବର୍ବରଭାବାପନ୍ନ । ସେମେନେ କାଷ୍ଠପାଷାଣକୁ ପୂଜା କରନ୍ତି ଏବଂ ଯୂକ୍ତିପରମ୍ପରାଦ୍ୱାରା ଧର୍ମନିରୁପଣ କରିବା ବିଷୟରେ ଏକାନ୍ତ ଅସମର୍ଥ । ସଭ୍ୟତାର ବୃଦ୍ଧି ଏବଂ ମାନସିକ ବିକାଶ ସହକାରେ ଧର୍ମବିଷୟକ କୁସଂସ୍କାର ତିରୋହିତ ହୁଏ ଏବଂ ବିଶୁଦ୍ଧତର ଧର୍ମ ତତ୍ପରିବର୍ତ୍ତରେ ଅବଲମ୍ବିତ ହୁଏ ।
ମନୁଷ୍ୟମାନଙ୍କ ମଧ୍ୟରେ ବର୍ଣ୍ଣଗତ ପାର୍ଥକ୍ୟ ପ୍ରଭୂତରୂପେ ଲକ୍ଷିତ ହୁଏ । ଏହି ପାର୍ଥକ୍ୟର ପ୍ରକୃତ କାରଣ ଆଜିପର୍ଯ୍ୟନ୍ତ ଅବଧାରିତ ହୋଇନାହିଁ । ସମ୍ଭବତଃ ଆହାର, ପ୍ରାକୃତିକ ଅବସ୍ଥାନ, ସୌରତେଜ ପ୍ରଭୃତିର ତାରତମ୍ୟ ଏହି ପାର୍ଥକ୍ୟର କାରଣ ହୋଇପାରେ ।
ଆମ୍ଭେମାନେ ବିଭିନ୍ନ ଜାତିୟ ମନୁଷ୍ୟମାନଙ୍କର ପ୍ରଭେଦ ପ୍ରଦର୍ଶନ କରୁଅଛୁ; କିନ୍ତୁ ଆମ୍ଭେମାନେ କହିଅଛୁଁ ଯେ ସମୁଦାୟ ମନୁଷ୍ୟଜାତି ଏକ ଏବଂ ଅଭିନ୍ନ । ଭିନ୍ନଜାତିୟ ମନୁଷ୍ୟମାନଙ୍କର ଆଧ୍ୟାତ୍ମିକ ପ୍ରକୃତି ଏକ ଅଥଚ ଭିନ୍ନ ରୂପ ଅଟେ । ମନୋବୃତ୍ତିନିଚୟର ପରିମାଣଗତ ବୈଲକ୍ଷଣ୍ୟ, ତତ୍ ସମୁଦାୟର ବିକାଶଗତ ତାରତମ୍ୟ ଏବଂ ବାହ୍ୟ ଅବସ୍ଥାନିକରର ପ୍ରଭାବ ଲକ୍ଷିତ ପ୍ରଭେଦମାନଙ୍କର କାରଣ ।
ମନୁଷ୍ୟ ଈଶ୍ୱରପ୍ରଦତ୍ତ ଶକ୍ତିନିଚୟର ପ୍ରୟୋଗଦ୍ୱାରା ଏହି ପୃଥିବୀର ଯେପରି ପରିବର୍ତ୍ତିତ କରିଅଛି ବର୍ତ୍ତମାନ ତାହା ଆମ୍ଭମାନଙ୍କର ଆଲୋଚ୍ୟ । ମାନବୀଶକ୍ତିର କାର୍ଯ୍ୟକ୍ଷେତ୍ର ତିନିଗୋଟି– ଜଡ଼ଜଗତ୍, ପଶୁଜଗତ୍ ଏବଂ ମନୁଷ୍ୟଜଗତ୍ । ଜଡ଼ଜଗତ୍ ଉପରେ ମାନୁଷୀଶକ୍ତି କୀଦୃଶ ଆଧିପତ୍ୟ ବିସ୍ତାର କରିଅଛି ତାହା ସମସ୍ତେ ଦେଖୁଅଛନ୍ତି । ଜଳ, ଅଗ୍ନି, ବାୟୁ ପ୍ରଭୃତି ଭୂତଶକ୍ତିସମୂହ ଭୂତ୍ୟଭାବରେ ମନୁଷ୍ୟର ପରିଚର୍ଯ୍ୟାରେ ନିଯୁକ୍ତ ରହିଅଛନ୍ତି । ଆକାଶର ବିଜୁଳି ବାର୍ତ୍ତାବହ ରୂପେ ତାହାର ସେବା କରୁଅଛି; ସମୁଦ୍ର ନିଜ ଲହରୀମୟ ବକ୍ଷରେ ତାହାର ତରଣୀମାନଙ୍କୁ ବହନ କରୁଅଛି; ବାଷ୍ପ, ଶକଟ, ତରଣୀ ଏବଂ ନାନାବିଧ ଯନ୍ତ୍ରରେ ପ୍ରଯୁକ୍ତ ହୋଇ ଦୂରତ୍ୱ ବିନାଶ ପ୍ରଭୃତି ବିସ୍ମୟକର କାର୍ଯ୍ୟମାନ ସାଧନ କରୁଅଛି । ଜଡ଼ରାଜ୍ୟର ପ୍ରତ୍ୟେକ ବିଭାଗରେ ମନୁଷ୍ୟର ଜୟବୈଜୟନ୍ତୀ ଉଡୁଅଛି । ଅରଣ୍ୟକୁ ଉପବନରୂପରେ ପରିଣତ କରି, ନାନାମାର୍ଗ ପ୍ରସ୍ତୁତ କରି, ନାଳ ଖନନ କରି, ନଦୀର ଗତିକୁ ପରିବର୍ତ୍ତନ କରି, କୃଷିକାର୍ଯ୍ୟର ଉତ୍କର୍ଷ ସାଧନ କରି ଏବଂ ଏକ ଦେଶର ଉଦ୍ଭିଜ୍ଜକୁ ବନ୍ୟଦେଶକୁ ଆନୟନ କରି ମନୁଷ୍ୟ ଅତି ବିଚିତ୍ର ରୂପେ ପୃଥିବୀର ମୁଖଚ୍ଛବିକ ରୂପାନ୍ତରିତ କରିଅଛି । ପଶୁସଂସାରୋପରି ମାନବପ୍ରଭାବ କୀଦୃଶ କାର୍ଯ୍ୟ କରୁଅଛି, ତାହା ମଧ୍ୟ ସମସ୍ତଙ୍କର ପ୍ରତ୍ୟକ୍ଷ ହେଉଅଛି । ଆରଣ୍ୟଜନ୍ତୁମାନଙ୍କୁ ବଶୀଭୂତ କରି ମନୁଷ୍ୟ ସେମାନଙ୍କୁ ନାନାକାର୍ଯ୍ୟରେ ନିୟୋଜିତ କରୁଅଛି । ଅଶ୍ୱ, ମହିଷ, ଗାଭୀ, କୁକୁର ପ୍ରଭୃତି ପଶୁମାନେ ସର୍ବଦା ତାହାର ପରିଚର୍ଯ୍ୟା କରୁଅଛନ୍ତି । ଆକାଶର ବିହଙ୍ଗବର୍ଗ, କାନନବାସୀ ଭୀଷଣ ଶ୍ୱାପଦକୁଳ ଏବଂ ଜଳଚର ଜୀବବୃନ୍ଦ ମଧ୍ୟ ମନୁଷ୍ୟପ୍ରଭାବର ବହିର୍ଭୂତ ନୁହନ୍ତି । ମାନୁଷୀଶକ୍ତି କେବଳ ଜଡ଼ଜଗତ୍ ଏବଂ ପଶୁଜଗତ୍ପ୍ରତି ଆବଦ୍ଧ ନୁହେ । ତାହା ମାନବଜଗତ୍ରେ ଯେପରି ବିକାଶଲାଭ କରେ, ଏପରି ଅନ୍ୟତ୍ର ନୁହେ । ବ୍ୟକ୍ତିଗତଶକ୍ତି ସାଧାରଣତଃ ଅଳ୍ପ ପରିମାଣ; ସୁତରାଂ ତାହାର ପ୍ରଭାବ ସର୍ବଦା ବିଶିଷ୍ଟରୂପେ ଅନୁଭୂତ ହୁଏନାହିଁ । କିନ୍ତୁ ସମ୍ମିଳିତ ମନୁଷ୍ୟଶକ୍ତି ଏତାଦୃଶ ପ୍ରବଳ ଯେ ମନୁଷ୍ୟ ତାହାକୁ କଦାପି ସହଜରେ ଅବମାନତ କରିପାରେ ନାହିଁ । ସମସ୍ତେ ତାହା ନିକଟରେ ନତମସ୍ତକ । ଇତିହାସ ତାହାର କୀର୍ତ୍ତି ଗାନ କରୁଅଛି । ତାହାର ଶାସନରେ ନୂତନ ସମାଜ ଉତ୍ପନ୍ନ ହେଉଅଛି ଏବଂ ପ୍ରାଚୀନ ସାମ୍ରାଜ୍ୟ ବିଧ୍ୱସ୍ତ ହେଉଅଛି; ଅଭିନବ ସାମ୍ରାଜ୍ୟ ସଂଗଠିତ ହେଉଅଛି ଏବଂ ପ୍ରାଚୀନ ସାମ୍ରାଜ୍ୟ ଜୀର୍ଣ୍ଣପ୍ରାସାଦବତ୍ ଚୂର୍ଣ୍ଣ ଏବଂ ବିପର୍ଯ୍ୟସ୍ତ ହେଉଅଛି ; ଦେଶ ମଧ୍ୟରେ ନୂତନ ରୂଚି ଅବତୀର୍ଣ୍ଣ ହେଉଅଛି ଏବଂ ପୁରାତନ ରୁଚି ଜୀର୍ଣ୍ଣବସ୍ତ୍ର ତୁଲ୍ୟ ପରିତ୍ୟକ୍ତ ହେଉଅଛି ଓ ନୀତି ନିତ୍ୟ ନୁତନଭାବ ଧାରଣ କରି ଜଗତ୍କୁ ଶାସନ କରୁଅଛି । ସଭ୍ୟତାର ବୃଦ୍ଧି ସହକାରେ ସମ୍ମିଳିତ ହେବ– ସନ୍ଦେହ ନାହିଁ । ବର୍ତ୍ତମାନ ଶତାବ୍ଦୀରେ ଉପନିବେଶ ସଂସ୍ଥାପନ, ବିଦେଶ ପର୍ଯ୍ୟଟନ, ବାଣିଜ୍ୟବୃଦ୍ଧି ପ୍ରଭୃତି ଉପାୟଦ୍ୱାରା ମନୁଷ୍ୟକ୍ଷମତା ଯେତେ ପରିର୍ତ୍ତନମାନ ବିଧାନ କରିଅଛି, ତାହା ଚିନ୍ତାକଲେ କିଏ ଆଶ୍ଚର୍ଯ୍ୟାନ୍ୱିତ ନୋହିବ ?
ଏହି ଊନବିଂଶ ଶତାବ୍ଦୀରେ ସଭ୍ୟଜାତୀୟ ମନୁଷ୍ୟମାନେ ସ୍ୱୀୟ ଶକ୍ତିଦ୍ୱାରା ଯେଉଁସବୁ ଉଦାରକାର୍ଯ୍ୟମାନ ସଂସାଧନ କରିଅଛନ୍ତି, ଆମ୍ଭେମାନେ ବର୍ତ୍ତମାନ ସ୍ଥୂଳତଃ ତାହାର ଆଲୋଚନା କରିବା । ଉପନିବେଶ ସଂସ୍ଥାପନଦ୍ୱାରା ଇଂଲଣ୍ଡ, ଫ୍ରାନ୍ସ ପ୍ରଭୃତି ସମୁନ୍ନତ ଜାତିମାନେ ଅଷ୍ଟ୍ରେଲିୟା, କାନେଡା, ଆଫ୍ରିକା, ଆମେରିକାର ଦ୍ୱୀପପୁଞ୍ଜ ପ୍ରଭୃତି ବିସ୍ତୀର୍ଣ୍ଣ ଅଥଚ ଘୋର ବର୍ବରତାପନ୍ନ ଜନପଦମାନଙ୍କରେ ସଭ୍ୟତାର ବୀଜ ବପନ କରି ଜ୍ଞାନ, ଧର୍ମ ଶିଳ୍ପ ଏବଂ ବାଣିଜ୍ୟର ଉତ୍କର୍ଷ ସଂସାଧନ କରୁଅଛନ୍ତି । ବିଗତ ଅର୍ଦ୍ଧଶତାବ୍ଦୀ ମଧ୍ୟରେ ଏହି ଆରଣ୍ୟଦେଶମାନଙ୍କର ମୁଖଚ୍ଛବି ପରିବର୍ତ୍ତିତ ହୋଇଅଛି । ପଶୁ ସଦୃଶ ଅସଭ୍ୟଜାତିମାନଙ୍କ ମଧ୍ୟରେ ଜ୍ଞାନ ଧର୍ମାଲୋଚନା ଆରବ୍ଧ ହୋଇଅଛି । ଯେଉଁମାନେ ଇତି ପୂର୍ବେ ନରମାଂସ ଭକ୍ଷଣଦ୍ୱାରା ଉଦରପୂର୍ତ୍ତି କରୁଥିଲେ, ସେମାନେ ଏବେ ପରସ୍ପର ପ୍ରତି ପ୍ରୀତିପୂର୍ଣ୍ଣ ବ୍ୟବହାର କରିବାକୁ ଶିଖୁଅଛନ୍ତି । ବାଣିଜ୍ୟ ଏବଂ ବିନିୟମର ବିସ୍ତାରଦ୍ୱାରା ଜାତୀୟ ବିଦ୍ୱେଷ ଖର୍ବୀକୃତ ହେଉଅଛି , ମନୁଷ୍ୟଜାତିର ସାର୍ବଭୌମିକ ମିଳନର ସୂତ୍ରପାତ ହେଉଅଛି ଏବଂ ଧନ ଓ ବିଦ୍ୟାର ପ୍ରଭୂତ ଉନ୍ନତି ସମ୍ପାଦିତ ହେଉଅଛି । ଏହି ଶତାବ୍ଦୀରେ ବିଜ୍ଞାନ ଯେପ୍ରକାର ଉତ୍କର୍ଷରନ୍ୱିତ ହୋଇଅଉଛି ଏପରି ପୂର୍ବରେ କଦାପି ହୋଇନଥିଲେ । ବିଜ୍ଞାନର ଯେଉଁ ତତ୍ତ୍ୱମାନ ପୂର୍ବକାଳରେ କେବଳ ଶ୍ରେଣୀବି ଶେଷ ଅବଗତ ହେଉଥିଲେ, ତାହା ବର୍ତ୍ତମାନ ମନୁଷ୍ୟଜାତିର ସାଧାରଣସମ୍ପତ୍ତି ହୋଇଅଛି । ଇଉରୋପ ଏବଂ ଆମେରିକାର ବିଜ୍ଞାନବିତ୍ ପଣ୍ଡିତମାନେ ପ୍ରତିବର୍ଷ ନାନାବିଧ ନୂତନତତ୍ତ୍ୱ ପ୍ରକାଶ କରୁଅଛନ୍ତି । ପୂର୍ବକାଳରେ ଲୋକମାନେ ଯେଉଁ ଦେଶମାନଙ୍କର ନାମ ସୁଦ୍ଧା ଶ୍ରବଣ କରିନଥିଲେ ଏବଂ ଯେଉଁ ସମୁଦ୍ରର ତରଙ୍ଗାୟୀତ ବକ୍ଷ ଦର୍ଶନ କରି ଭୟରେ ସ୍ତବ୍ଧ ହେଉଥିଲେ, ଆଧୁନିକ ତତ୍ତ୍ୱଜ୍ଞମାନେ ସେହି ଦେଶ ଏବଂ ସେହି ସମୁଦ୍ରର ମାନଚିତ୍ର ଏବଂ ପୂର୍ଣ୍ଣ ବିବରଣ ପ୍ରସ୍ତୁତ କରିଅଛନ୍ତି । ମନୁଷ୍ୟର ବୁଦ୍ଧି ଏବଂ ଅଧ୍ୟବସାୟ ଯାନ୍ତ୍ରକ ପର୍ଯ୍ୟବେକ୍ଷଣ ଏବଂ ସୂକ୍ଷ୍ମଗଣନାଦ୍ୱାରା ନଭୋମଣ୍ଡଳସ୍ଥ ଅସଂଖ୍ୟ ନକ୍ଷତ୍ରମାନଙ୍କର ଅବସ୍ଥିତି ଏବଂ ଗତି ନିରୂପଣ କରିଅଛି । ଯେତେପ୍ରକାର ଯନ୍ତ୍ର ଉଦ୍ଭାବିତ ହୋଇଅଛି, ତାହା ଗଣନା କରିବା ଦୁଃସାଧ୍ୟ । ଯନ୍ତ୍ରଦ୍ୱାରା ଯାବତୀୟ ଶିଳ୍ପକାର୍ଯ୍ୟ ସମ୍ପାଦିତ ହେଉଅଛି । ବୟନ, ସୀବନ, ଅସ୍ତ୍ରନିର୍ମାଣ, କାଳନିର୍ଦ୍ଧାରଣ, ମୁଦ୍ରାଙ୍କନ ପ୍ରଭୁତି ସମସ୍ତ କାର୍ଯ୍ୟରେ ଯନ୍ତ୍ର ବ୍ୟବହୃତ ହେଉଅଛି । ମନୁଷ୍ୟ ଜ୍ଞାନ ସଂକଳନାର୍ଥ ବିଦେଶ ପର୍ଯ୍ୟଟନ କରି ଯେତେ ଅଭିନବ ଆବିଷ୍କ୍ରିୟାମାନ ପ୍ରକାଶ କରୁଅଛି, ତାହା କିଏ ଗଣନା କରିପାରିବ ? ଜଳ, ସ୍ଥଳ, ବାୟୁ, ଅଗ୍ନି, ବ୍ୟୋମ ସମସ୍ତେ ନିଜ ନିଜ ତତ୍ତ୍ୱ ତାହାର ହସ୍ତରେ ସମର୍ପଣ କରୁଅଛନ୍ତି । ଯେଉଁ ସଙ୍ଗୀତବିଦ୍ୟା ହୃଦୟର ଗଭୀରତମ ପ୍ରଦେଶରେ ପ୍ରବେଶକରି ଶୋକାର୍ତ୍ତକୁ ସାନ୍ତ୍ୱନା ପ୍ରଦାନ କରେ, ଅନୁତପ୍ତର ଦଗ୍ଧ ହୃଦୟକୁ ଶୀତଳ କରେ ଏବଂ ଘୋର ପାତକୀର ପାଷାଣ ମନକୁ ସୁଦ୍ଧା ବିଗଳିତ କରେ ; ଯେଉଁ ଚିତ୍ରବିଦ୍ୟା ସୌନ୍ଦର୍ଯ୍ୟର ନାନାବିଧ ମନୋହରଛବି ଉଦ୍ଭାବନ କରି ମନୁଷ୍ୟ ହୃଦୟକୁ ମାଧୁର୍ଯ୍ୟରସରେ ସିକ୍ତ କରେ ; ଏହି ଉଭୟ ସୁକୁମାରବିଦ୍ୟାର ସାଦର ଅନୁଶୀଳନଦ୍ୱାରା ବିଷୟବ୍ୟସ୍ତ ମନୁଷ୍ୟ ସମାଜର ଅଶେଷ କଲ୍ୟାଣ ସଂସାଧିତ ହେଉଅଛି । ଉଚ୍ଚଶ୍ରେଣୀର ମହାକାବ୍ୟ ଏବଂ ନାଟକ – ଯାହାର ମୋହିନୀଶକ୍ତି ପ୍ରଭାବରେ ବିଷୟବ୍ୟାପତ କଠିନ ମନ ସୁଦ୍ଧା ତରଳିତ ହୁଏ ଏବଂ ଯାହା ହୃଦୟର ଉଦାର ଏବଂ ସୁନ୍ଦରଭାବମାନଙ୍କୁ ଉଜ୍ଜୀବିତ କରେ, ଏହି ତର୍କପରାୟଣ ଊନବିଂଶ ଶତାବ୍ଦୀରେ ସେ ପ୍ରକାର ନୂତନ ମହାକାବ୍ୟ ଏବଂ ନାଟକ ଅତ୍ୟନ୍ତ ବିରଳ ସତ୍ୟେ କିନ୍ତୁ ତତ୍ପରିବର୍ତ୍ତରେ ଇତିହାସ, ଉପନ୍ୟାସ, ଦର୍ଶନ ଏବଂ ବିଜ୍ଞାନ ପ୍ରଭୃତି ସାହିତ୍ୟତରୁର ଅନ୍ୟାନ୍ୟ ଶାଖାଚୟ ଯେପରି ପରିପୁଷ୍ଟ ଓ ସମ୍ବର୍ଦ୍ଧିତ ହୋଇଅଛି, ତାହା ପୂର୍ବରେ କେହି ସ୍ୱପ୍ନରେ ସୁଦ୍ଧା ଭାଳିନଥିଲେ । ଯେଉଁ ଜ୍ଞାନ-ଉଷାର ପ୍ରଭାବରେ ମନୁଷ୍ୟ ଏତେଦୂର ଉନ୍ନତ ହୋଇଅଛି, ତାହାର ଗୌରବ ଏବଂ ଉପକାରିତା ଦିନକୁଦିନ ପ୍ରସାରିତ ହେଉଅଛି । ଇଉରୋପୀୟ ସଭ୍ୟଜନପଦମାନଙ୍କରେ ଶିକ୍ଷାକାର୍ଯ୍ୟର ଉନ୍ନତି ନିମିତ୍ତ କେତେ ଅର୍ଥ ବ୍ୟୟିତ ହେଉଅଛି, କେତେ ବିଶ୍ୱବିଦ୍ୟାଳୟ ଏବଂ ପାଠଶାଳା ସଂସ୍ଥାପିତ ହୋଇଅଛି , କେତେ ଚିନ୍ତାଶୀଳ ମହାମହୋପାଧ୍ୟାୟମାନେ ନିୟୋଜିତ ହୋଇଅଛନ୍ତି, ତାହାର ଆଭାସ ଆମ୍ଭେମାନେ ଏହି ଦୂରସ୍ଥିତ ଭାରତବର୍ଷରେ ସୁଦ୍ଧା ପାଉଅଛିଁ । ସମାଜର ସର୍ବାଙ୍ଗୀନ ମଙ୍ଗଳନିମିତ୍ତ ଯେଉଁ ସ୍ୱାଧୀନତାରୁଣ ଅମୁଲ୍ୟ ଅଧିକାର ମନୁଷ୍ୟ ଜୀବନର ଅପରିହାର୍ଯ୍ୟ ପ୍ରୟୋଜନ, ତାହା ମଧ୍ୟ ଗାର୍ହସ୍ଥ୍ୟ ରାଜନୈତିକ ଏବଂ ସାମାଜିକ ସର୍ବପ୍ରକାର ସମ୍ବନ୍ଧରେ ପରିବର୍ଦ୍ଧିତ ଏବଂ ସାମ୍ମାନିତ ହେଉଅଛି । ଏହି ସ୍ୱାଧୀନତାର ବୃଦ୍ଧି ସହକାରେ ଅନେକ ଅଚିନ୍ତିତପୂର୍ବ ପରିବର୍ତ୍ତନମାନ ସଂଘଟିତ ହେଉଅଛି । ଭୟଙ୍କର ବିପ୍ଳବସମୂହ ଉପସ୍ଥିତ ହୋଇ ଯଥେଚ୍ଛାଚାର ରାଜତ୍ୱ, କୁସଂସ୍କାରଜଡ଼ିତ ଧର୍ମ, ଅବୈଧ ଆଭିଜାତ୍ୟ ଦାର୍ପ ପ୍ରଭୃତି ସଭ୍ୟତାର ପ୍ରତିବନ୍ଧକମେନଙ୍କୁ ଅନ୍ତରିତ କରୁଅଛି । ଊନବିଂଶ ଶତାବ୍ଦୀରେ ମନୁଷ୍ୟ ହୃଦୟ ନିହିତ ଦୟାରୂପ ସ୍ୱର୍ଗୀୟ ବୃତ୍ତ ସମଧିକରୂପେ ବିକଶିତ ହୋଇ ଚିକିତ୍ସାଳୟ, ଅନ୍ଧନିବାସ, ଦରିଦ୍ରାଳୟ, ଦାନସମାଜ ପ୍ରଭୃତି ଅଗଣିତ ଉପାୟଦ୍ୱାରା ଅସହାୟ ଏବଂ ଦୁଃସ୍ଥମାନଙ୍କର ଦୁଃଖ ହ୍ରାସ ଏବଂ ସୁଖବର୍ଦ୍ଧନ ନିମିତ୍ତ ଅବିରାମ ଭାବରେ ଯତ୍ନ କରୁଅଛି । ଆହୁରି ଅନେକ ପ୍ରକାର ଉନ୍ନତି ଲକ୍ଷିତ ହେଉଅଛି, ମାତ୍ର ସେ ସମସ୍ତର ବିବରଣ ଏହି କ୍ଷୁଦ୍ର ପ୍ରବନ୍ଧ ମଧ୍ୟରେ ବିନ୍ୟସ୍ତ ହୋଇନପାରେ ।
ଆମ୍ଭେମାନେ ମନୁଷ୍ୟଜାତିର ସଭ୍ୟତାର ବିବରଣ କିୟତ୍ପରିମାଣରେ ଅବଗତ ହେଲୁଁ; କିନ୍ତୁ ଏହି ସଭ୍ୟତା ମାନବୋନ୍ନତିର ପରାକାଷ୍ଠା ନୁହେଁ । ଆମ୍ଭେମାନେ କହିଅଛୁଁ ଯେ ମାନବୋନ୍ନତି କଦାପି ସୀମାବଦ୍ଧ ଏବଂ ପରିମିତ ହୋଇନପାରେ । ମନୁଷ୍ୟଜାତିର ଭାବୀ ଉନ୍ନତି ବର୍ତ୍ତମାନ ସଭ୍ୟତା ଅପେକ୍ଷା ଶତଗୁଣରେ ଯେ ଉଜ୍ଜ୍ୱଳତର ହେବ, ଏକଥା କିଏ ସନ୍ଦେହ କରିପାରେ ? ଯେପରି ନକ୍ଷତ୍ରାଲୋକବିଶିଷ୍ଟ ଶର୍ବରୀର ତମିସ୍ରଗର୍ଭ ମଧ୍ୟରେ ଜ୍ୟୋତିର୍ମୟ ସୂର୍ଯ୍ୟୋଦ୍ଭାସିତ ପ୍ରଭାତ ଗୁପ୍ତଭାବରେ ଅବସ୍ଥାନ କରେ, ସେହି ପରି ଅପରିଜ୍ଞେୟ ଭବିଷ୍ୟତର ଅନ୍ଧକାରଜଡ଼ିତ ଗର୍ଭ ମଧ୍ୟରେ ଅଚିନ୍ତିତପୂର୍ବ ନ୍ୟାୟପବିତ୍ରତାପୂର୍ଣ୍ଣ ଜ୍ଞାନସମୁଜ୍ଜ୍ୱଳ ମାନବୋନ୍ନତି ଅଧିବାସ କରୁଅଛି । ତାହା କ୍ରମଶଃ ଏହି ପୃଥିବୀରେ ଅଭିବ୍ୟକ୍ତ ହେବ । ଯେଉଁ କୋଟି କୋଟି ମନୁଷ୍ୟ ସମ୍ପ୍ରତି ଘୋର ଅଜ୍ଞାନସାଗରରେ ନିମଜ୍ଜିତ ଅଛନ୍ତି ସେମାନେ ସର୍ବଜୟୀ କାଳର ଅମେୟ ଶକ୍ତି ପ୍ରଭାବରେ ସଭ୍ୟତାର ଉନ୍ନତି ସୋପାନ ଆରୋହଣ କରିବେ । ଯେଉଁ ପାପ କୀଟନୀଚୟ ଜନସମାଜର ଆନ୍ତରିକ ସାର ଅପହରଣ କରୁଅଛି, ତାହା ଭସ୍ମୀଭୂତ ହେବ, ପୃଥିବୀର ଆଚାର ବ୍ୟବହାର ସମ୍ମାର୍ଜିତ ହେବ, ନରନାରୀ ସମସ୍ତେ ପରସ୍ପର ପ୍ରତି ଯଥୋଚିତ ସମ୍ମାନ କରି ପବିତ୍ରତାର ନିର୍ମଳ ଜ୍ୟୋତିଦ୍ୱାରା ନିଜ ନିଜ ଅନ୍ତର ଆଲୋକିତ କରିବେ, ତ୍ରିଭୁବନବିଜୟୀ ସତ୍ୟର ଅଜେୟଶକ୍ତି ନିକଟରେ ସମସ୍ତେ ପ୍ରଣତ ହେବେ ଏବଂ ସର୍ବପ୍ରକାର ମିଥ୍ୟା, କୁସଂସାର ଏବଂ ଅମଙ୍ଗଳକୁ ବୀରଜନୋଚିତ ସାହସ ମହକାରେ ପାଦଦଳିତ କରିବେ; ମନୁଷ୍ୟର ଜ୍ଞାନରାଜ୍ୟ ବିସ୍ତାରିତ ହୋଇ ତାହାକୁ ସର୍ବପ୍ରକାର ଈଶ୍ୱରନିର୍ଦ୍ଦିଷ୍ଟ ସୁଖସ୍ୱଚ୍ଛନ୍ଦତା ପ୍ରଦାନ କରିବ ଏବଂ ସମସ୍ତେ ସତ୍ୟାନୁପ୍ରାଣିତ ପରମାର୍ଥପ୍ରଦ ଧର୍ମକୁ ଅନୁସରଣ କରି ଅପାର ମଙ୍ଗଳଦାତା, ହୃଦୟର ଚିରବାଞ୍ଛନୀୟ ପରମସଖା, ଧର୍ମାବହ, ଅନନ୍ତ ପରମେଶ୍ୱରଙ୍କ ଆରାଧନାଦ୍ୱାରା ମାନବଜୀବନ ସାର୍ଥକ କରିବେ ।
ସମ୍ବନ୍ଧିତ ରଚନା
ମନୁଷ୍ୟର ଧର୍ମବୁଦ୍ଧି
ମଧୁସୂଦନ ରାଓ
ଦ୍ୱିତୀୟ ପ୍ରସ୍ତାବ
ମଧୁସୂଦନ ରାଓ
ତୃତୀୟ ପ୍ରସ୍ତାବ
ମଧୁସୂଦନ ରାଓ
ବର୍ତ୍ତମାନ ଶିକ୍ଷାପ୍ରଣାଳୀ
ମଧୁସୂଦନ ରାଓ