ବାଳକମାନଙ୍କୁ ଦଣ୍ଡଦେବା ବିଷୟକ କେତେଗୋଟି କଥା
ଭକ୍ତକବି · ୧୮୫୩–୧୯୧୨ · ରାଧାନାଥ ଯୁଗ
- ସଂକଳନ: ପ୍ରବନ୍ଧ (2)
- ପଢ଼ିବା ସମୟ
- ୯ ମିନିଟ୍
- ଶବ୍ଦ
- ୧୪୨୬
- ସ୍ଥିତି
- ସାର୍ବଜନୀନ (Public domain)
ବାଳକମାନଙ୍କୁ କି ନିମନ୍ତେ ଦଣ୍ଡ ଦିଆଯାଏ – ଏହି ପ୍ରଶ୍ନଟିର ଉତ୍ତର ଏଡ଼େ ସାଧାରଣ ଓ ସହଜ ଯେ ବୋଧହୁଏ ଏହା ଶୁଣିଲା ମାତ୍ରକେ ଶିକ୍ଷକ ଓ ଛାତ୍ର ଉଭୟ ହାସ୍ୟ ସମ୍ବରଣ କରିପାରିବେ ନାହିଁ । ଲେଖକଙ୍କ ମନରେ ମଧ୍ୟ ଏହି ପ୍ରଶ୍ନ ଉଦୟ ହେଲା କ୍ଷଣି ସେ ହାସ୍ୟ ସମ୍ବରଣ କରିପାରନ୍ତି । କିନ୍ତୁ ଟିକିଏ ଚିନ୍ତାକରି ଦେଖିଲେ ଦେଖାଯିବ ଯେ ଉକ୍ତ ପ୍ରଶ୍ନରେ ପରିହାସର କଥା ଅଧିକ ନାହିଁ । ଯାହାକୁ ସାଧାରଣ ବିଷୟ ବୋଲି ଉପେକ୍ଷା କରୁଅଛୁଁ, ଅକିଞ୍ଚିତ୍କର ଭାବି ଆଲୋଚନାର ଅଯୋଗ୍ୟ ବୋଲି ମଣୁଅଛୁ ସେହି ସାଧାରଣ ବିଷୟ ମଧ୍ୟରେ, ସେହି ଅକିଞ୍ଚିତ୍କର, ଆଲୋଚନାର ଅଯୋଗ୍ୟ, ସଦା ଉପସହିତ ବିଷୟ ମଧ୍ୟରେ ଯେଉଁ ଗଭୀରଭାବ ରହିଅଛି ତାହା ସମସ୍ତେ ଜାଣନକ୍ତ ନାହିଁ । ଶିକ୍ଷକ କି ନିମନ୍ତେ ଦଣ୍ଡ ଦେଲେ ଏହା କୌଣସି ଦଣ୍ଡତ ବାଳକକୁ ପଚାରିଲେ, ବୋଧହୁଏ ସେ କହିବ ଯେ ତାହାର ପାଠାଭ୍ୟାସ ଉତ୍ତମ ହୋଇନଥିଲା, ଅବା ସେ ସ୍କୁଲରେ ଗୋଳମାଳ ଇତ୍ୟାଦି କରିଥିଲା । ଏତଦ୍ଭିନ୍ନ ସେ ଯେ ଅନ୍ୟ କିଛି କହିବ ଏପ୍ରକାର ବୋଧହୁଏ ନାହିଁ । ଏପରି ଶିକ୍ଷକଙ୍କର ମଧ୍ୟ ଅଭାବ ନାହିଁ ଯେଉଁମାନେ ଉଲ୍ଲିଖିତ ପ୍ରଶ୍ନର ଉତ୍ତରରେ କହିବେ, ‘‘ଅମକୁ ମୁଣୁହିଁ ପଢ଼ା କରେ ନାହିଁ, ବଡ଼ ବିରକ୍ତ ହେଲି, ବଡ଼ ରାଗ ହେଲା ଇତ୍ୟାଦି ଏବଂ ତାହାକୁ ଦଣ୍ଡ ଦେଲି ।’’ ପାଠଶାଳାର କଥା ଆଉ କହିବୁଁ ନାହିଁ । ସେହି ସ୍ୱେଚ୍ଛାଚାରର ଲୀଳାଭୂମି, ଅଜ୍ଞାନ-ତମସାଚ୍ଛନ୍ନ ରଙ୍ଗସ୍ଥଳର ଭାଷାର ତେଜ ନାହିଁ, ରଚନାର ଚାତୁର୍ଯ୍ୟ ନାହିଁ, ବର୍ଣ୍ଣନାର କ୍ଷମତା ନାହିଁ ଯେ ସେହି ବୀଭତ୍ସ ଚିତ୍ରର ଜୀବନ୍ତ ଛବି ପାଠକମାନଙ୍କର ମାନସ-ଦର୍ପଣ ସମ୍ମୁଖରେ ସ୍ଥାପନ କରିବେ । ବାଳକମାନଙ୍କର କରୁଣଭାବ ଏବଂ ଅବଧାନମାନଙ୍କର ରୁଦ୍ରମୂର୍ତ୍ତି, ଏକ ପକ୍ଷରେ ଅସହାୟତ ଅପର ପକ୍ଷରେ ନିଷ୍ଠର କ୍ଷମତା ଯେଉଁମାନେ ଦେଖିଅଛନ୍ତି ସେମାନେ ଅବଶ୍ୟ ଜାଣନ୍ତି ସେ ଚିତ୍ର କି ପ୍ରକାର ଭୟାନକ, କି ପ୍ରକାର ହୃଦୟବିଦାରକ । ଅବଧାନମାନଙ୍କ ମଧ୍ୟରୁ ଅନେକ ବାଳକମାନଙ୍କୁ ଦଣ୍ଡ ଦେବାର ଉଦ୍ଦେଶ୍ୟ ଆଦୌ ବୁଝନ୍ତି ନାହିଁ । ଶୁଣିଲେ ଆଶ୍ଚର୍ଯ୍ୟାନ୍ୱିତ ହେବାକୁ ହୁଏ ଏପରି ଅନେକ ଅବଧାନ ଅଛନ୍ତି ଯେଉଁମାନେ ସ୍ପଷ୍ଟ କୁହନ୍ତି, ‘‘ମାଡ଼ ନ ଖାଇଲେ କି ପାଠ ଆସିବ ?’’ କ୍ଷୁଦ୍ରବୁଦ୍ଧି ଆମ୍ଭେମାନେ ଏହି ବଚନର କୂଟାର୍ଥ ବ୍ୟାଖ୍ୟା କରିବାକୁ ଏକାନ୍ତ ଅସମର୍ଥ । ଶିକ୍ଷା ସହିତର ‘ମାଡ଼ର’ କିରୂପ ସମ୍ଭନ୍ଧ ଏବଂ ‘ମାଡ଼ ନ ଖାଇଲେ ’ ଯେ କିପାଁ ପାଠ ‘ଆସିବ’ ନାହିଁ ତାହା ଉକ୍ତ ମତର ପୋଷକମାନେ ଅବଶ୍ୟ ଜ୍ଞାତ ଥିବେ । କି ନିମନ୍ତେ ବାଳକମାନଙ୍କୁ ଦଣ୍ଡ ଦେବାର ଆବଶ୍ୟକ ହୁଏ, ଏହି ପ୍ରଶ୍ନର ଉତ୍ତର ଛଳରେ ଯାହା ଯାହା ବୋଲାଯାଇ ଅଛି ତାହା ପ୍ରକୃତରେ ଉତ୍ତର ନୁହରେଁ । ପାଠାଭ୍ୟାସ କରି ନ ଥିବା ଦଣ୍ଡ ପାଇବାର ପୂର୍ବବର୍ତ୍ତୀ ଘଟନା ହେଲେ ହେଁ ମୂଳକାରଣ ନୁହେଁ । ଯେଉଁମାନେ ବିରକ୍ତ ବା କ୍ରୋଧରେ ଉପଶମାର୍ଥ ଦଣ୍ଡ ର ଆଶ୍ରୟ ଗ୍ରହଣ କରନ୍ତି ସେମାନଙ୍କୁ ଆଉ କଣ କହିବୁଁ ?
କେତେକ ଶିକ୍ଷକ ବାହାଦୁରି କରି କହନ୍ତି– ‘‘ପିଲାମାନେ ମୋତେ ଏପରି ଡରନ୍ତି ଯେ ମୋତେ ଦେଖିଲାକ୍ଷଣି ସେମାନେ ତୁନି ହୋଇଯାନ୍ତି ।’’ ଏ ଦୁଃଖରକଥା ଆଉ କାହାକୁ କହିବୁଁ ? ଭୟ ପିଲାମାନଙ୍କଠାରେ ଯେଉଁ ଅନିଷ୍ଟ ଉତ୍ପାଦନ କରେ, ତାହା ଏମାନେ ଜାଣିଥିଲେ କଦାପି ଏପ୍ରକାର କଥା ଉଚ୍ଚାରଣକରି ବାହାଦୁରି ପ୍ରକାଶ କରନ୍ତେ ନାହିଁ । ଭୟବଶୀଭୂତ ପିଲାମାନଙ୍କର ମାନସିକ ଓ ନୈତିକ ଉଭୟବିଧ ଶକ୍ତିର ହ୍ରାସ ହୁଅଇ । ଏପ୍ରକାର ଅନେକ ଭଲପିଲା ଦେଖାଯାନ୍ତି ଯେଉଁମାନେ କେବଳ ଭୟର ବଶୀଭୂତ ହୋଇ ଜାଣିଥିବା ବିଷୟମାନ ପାସୋରି ପକାନ୍ତି ଏବଂ ଭୟରେ କାରଣ ଅବଗତ ନ ହେବା ପର୍ଯ୍ୟନ୍ତ କିଂକର୍ତ୍ତବ୍ୟବିମୂଢ଼ ହୋଇ ରହନ୍ତି । ପ୍ରବଞ୍ଚନା, ଶଠତା, ମିଥ୍ୟାକଥା ପ୍ରଭୃତି ଭୟରେ ଅନ୍ୟତମ ଫଳ ।
ଶିକ୍ଷକମାନେ ବାଳକର ଭୟର କାରଣ ହେଲେ ମନ୍ଦ ଛଡ଼ା ଶୁଭଫଳ ଫଳେ ନାହିଁ । ପିଲାମାନଙ୍କ ପ୍ରତି ଶିକ୍ଷକଙ୍କର ଏପ୍ରକାର ବ୍ୟବହାର କରିବା ବିଧେୟ, ଯେ ସେମାନେ ତାହାଙ୍କୁ ଭୟ ନ କରି ସ୍ନେହ କରିବେ । ଏହା ସ୍ଥିରନିଶ୍ଚୟ ଯେ ଶିକ୍ଷକ ପିଲାମାନଙ୍କୁ ଭଲପାଇଲେ ପିଲାମାନେ ମଧ୍ୟ ଶିକ୍ଷକମାନଙ୍କୁ ଭଲପାଇବେ ଏବଂ ଏପ୍ରକାର କାର୍ଯ୍ୟ କରିବାରୁ ବିରତ ହେବେ ଯଦ୍ଦ୍ୱାରା ଶିକ୍ଷକ ବିରକ୍ତ ବା ଅସନ୍ତୁଷ୍ଟ ହୁଅନ୍ତି । ଯେଉଁ ବିଦ୍ୟାଳୟରେ ସ୍ନେହ- ସ୍ରୋତ ପ୍ରବାହିତ ଏବଂ ବାତ୍ସଲ୍ୟ ସମୀରଣ ସଞ୍ଚାରିତ ସେଠାରେ ଶିକ୍ଷକଙ୍କର ବିରକ୍ତି ନାହିଁ, ବାଳକମାନଙ୍କର ତ୍ରୁଟି ନାହିଁ, କୌଣସି ପ୍ରକାର ଅଶାନ୍ତି ନାହିଁ– ବାଳକମାନଙ୍କୁ ଆୟାତ୍ତାଧୀନ କରିବାର ପ୍ରଧାନ ଓ ପ୍ରଶସ୍ତ ଉପାୟ ସ୍ନେହ ବିତରଣ । କିନ୍ତୁ କଥାରେ ଅଛି ସବୁ ମନୁଷ୍ୟ ମନୁଷ୍ୟ-ପଶୁ ମଧ୍ୟ କେହି କେହି ଥାନ୍ତି । ସବୁ ପଶୁ ଯେ ପ୍ରକାର ସ୍ନେହରେ ବିମୁଗ୍ଧ ହୁଅନ୍ତି ନାହିଁ, ସେହିପରି କେତେକ ବାଳକ ଯେଉଁମାନଙ୍କୁ ମନୁଷ୍ୟ-ପଶୁ ବୋଲାଯାଇପାରେ, ବେତ୍ସଲ୍ୟଭାବରେ ବିମୋହିତ ହୁଅନ୍ତି ନାହିଁ । ଏହିପ୍ରକାର ବାଳକମାନଙ୍କୁ ସତ୍ପଥକୁ ଆନୟନ କରିବା ନିମନ୍ତେ, ପୂର୍ବପ୍ରକୃତି ତ୍ୟାଗ କରାଇବା ନିମନ୍ତେ ଦଣ୍ଡ ଦେବାର ଆବଶ୍ୟକ ହୁଅଇ । ସମସ୍ତେ ଦେଖିଥିବେ ଅଶ୍ୱ ନିମନ୍ତେ ଦୁଇପ୍ରକାର ଲଗାମ ନିର୍ମିତ ହୁଏ; ତନ୍ମଧ୍ୟରୁ ଏମପ୍ରକାର କଣ୍ଟାବିଶିଷ୍ଟ ଏବଂ ଅନର ସୁରିକ୍କଣ । ବୋଲିବା ବାହୁଲ୍ୟ ଯେ ପୂର୍ବୋକ୍ତ ପ୍ରକାରର ଲଗାମ କେବେହେଁ ଶାନ୍ତପ୍ରକୃତି ଘୋଟକର ମୁଖରେ ଦେବାକୁ ହୁଅଇ ନାହିଁ; ଯେହେତୁ ସେ ସହଜରେ ଆପଣା ଗନ୍ତବ୍ୟ ପଥର ଗମନ କରେ । କିନ୍ତୁ ଯେଉଁମାନେ ଦୁଷ୍ଟ, ଯେଉଁମାନଙ୍କର ପ୍ରକୃତିଗତ ଦୋଷ ଥାଏ; ସେମାନଙ୍କୁ ଶାସନାଧୀନ କରି ରଖିବା ନିମନ୍ତେ ଉକ୍ତବିଧ ଲଗାମର ପ୍ରୟୋଜନ ହୋଇଥାଏ । ସେହିପରି ଯେଉଁ ବାଳକମାନେ ସ୍ନେହରେ ବଶୀଭୂତ ହୁଅନ୍ତେ ଦଣ୍ଡ ଆବଶ୍ୟକ ହୁଏ । ଦଣ୍ଡର କୁଫଳ ଅଛି, ସୁଫଳ ମଧ୍ୟ ଅଛି । କିନ୍ତୁ ସୁଫଳ ଉତ୍ପାଦନ କରିବାର କ୍ଷମତା ସମସ୍ତଙ୍କର ନାହିଁ । ଆମ୍ଭ ଦେଶର ଶିକ୍ଷକମାନେ ଦଣ୍ଡ ଶବ୍ଦର ଅର୍ଥରେ ବେତ୍ରାଘାତ ଛଡ଼ା ଆଉ କିଛି ବୁଝିନ୍ତି ନାହିଁ । ପୁଣି ଏମାନଙ୍କ ମଧ୍ୟରୁ ଅନେକଙ୍କର ଧାରଣା ଏହି ଯେ ବେତ୍ରାଘାତ ବିନା ଅଧ୍ୟାପନା କାର୍ଯ୍ୟ ଚଳି ନ ପାରେ । ଉକ୍ତ ଧାରଣାର ବଶବର୍ତ୍ତୀ ହୋଇ ଶିକ୍ଷକମାନେ ସଚରାଚର ସେମାନଙ୍କ କ୍ଷମତାର ଦଣ୍ଡସ୍ୱରୂପ ବସନ୍ତି ଦୀର୍ଘ ବେତ୍ର ଘେନି ଅଧ୍ୟାପନ କରିବାକୁ ବସନ୍ତି ଏବଂ ଭଲ ମନ୍ଦ କିଛି ନ ବୁଝି ଅଗ୍ରପଶ୍ଚାତ ନ ଚିନ୍ତି ବାଳକମାନଙ୍କ ଆଘାତ କରନ୍ତି ।
ଶିକ୍ଷକମାନଙ୍କର ଜାଣିବାର ଉଚିତ ଯେ, କେବଳ ପ୍ରହାର କଲେ ପିଲାମାନେ ବଶୀଭୂତ ହୁଅନ୍ତି ନାହିଁ; ପରନ୍ତୁ ସର୍ବଦା ମାଡ଼ ଖାଇ ଖାଇ ‘ମାଡୁଆ’ ହୋଇଯାନ୍ତି । ‘ମାଡୁଆ’ ପିଲାର କଦାପି କିଛି ହୁଅଇ ନାହିଁ । ଆମ୍ଭମାନଙ୍କ ଦେଶର ପାଠଶାଳା ଏବଂ କେତେକ ସ୍କୁଲରେ ଯେ ପ୍ରକାର ଦଣ୍ଡପଦ୍ଧତି ଦେଖାଯାଏ କିଛିଦିନ ପୂର୍ବରେ ସଭ୍ୟ ୟୁରୋପ ଖଣ୍ଡରେ ମଧ୍ୟ ସେହି ପଦ୍ଧତି ପ୍ରଚଳିତ ଥିଲା । ଏକଶତାବ୍ଦୀ ପୂର୍ବର ଇଂଲଣ୍ଡର ଜଣେ ପ୍ରଧାନ କବି ସ୍କୁଲସମୂହର ଦୁର୍ଦ୍ଦଶା ଦେଖି ବ୍ୟଥିତ ହୃଦୟରେ ଯାହା ଯାହା କହିଅଛନ୍ତି ତାହା ତାହାଙ୍କର କାବ୍ୟଗ୍ରନ୍ତ ମଧ୍ୟରେ ଜ୍ୱଳନ୍ତ ରହିଅଛି । (Cowper’s Tirocinium ) ବିଗତ ଏକଶତ ବର୍ଷ ମଧ୍ୟରେ ୟୁରୋପରେ ଶିକ୍ଷାପ୍ରଣାଳୀର ଅନେକ ଉତ୍କର୍ଷ ସାଧିତ ହୋଇଅଛି । ଇତିପୂର୍ବେ ଲୋକେ ଯାହାକୁ ଶିକ୍ଷାର ପ୍ରଧାନ ସହାୟ ବୋଲି ମଣୁଥିଲେ ଆଜିକାଲି ଚିନ୍ତାଶୀଳ ବିଜ୍ଞଲୋକେ ତାହାକୁ ପ୍ରଧାନ ଅନ୍ତରାୟ ବୋଲି ମଣୁଅଛନ୍ତି ।
ପୂର୍ବେ କହିଅଛୁଁ ଦଣ୍ଡର ମନ୍ଦ ଏବଂ ଭଲ ଉଭୟବିଧ ଫଳ ଅଛି; କିନ୍ତୁ ସୁଫଳ ଉତ୍ପାଦନ କରିବାର କ୍ଷମତା ସମସ୍ତଙ୍କର ନାହିଁ । ଦଣ୍ଡ ଦେଲାବେଳେ ଅନେକେ ଦଣ୍ଡ ଦେବାର ଉଦ୍ଦେଶ୍ୟ ଭୁଲିଯାଇ ପ୍ରମାଦରେ ପଡ଼ନ୍ତି । ଦଣ୍ଡ ଦେବାର ଦୁଇଗୋଟି ପ୍ରଧାନ ଉଦ୍ଦେଶ୍ୟ ଅଛି । ବାଳକ ଅପରାଧ କରିଅଛି, ତନ୍ନିମିତ୍ତ ତାହାକୁ ଦଣ୍ଡ ଦେଲେ ଅପରାଧ-କ୍ଷାଳନ ହେବନାହିଁ । କୃତ ଅପରାଧ ତ ହୋଇଯାଇଅଛି, ବର୍ତ୍ତମାନ ଦଣ୍ଡ ଦେଲେ ତାହାର କିଛି ପ୍ରତିକାର ହେବନାହିଁ । ମନେକର ଜଣେ ବାଳକ ଅପର ଏକଜଣ ବାଳକକୁ ଗାଳିଦେଲା । ଏଠାରେ ଗାଳି ଦେଇଅଛି, ଏଥିପାଇଁ ଦଣ୍ଡ ଦେଲେ କଣ ହେବ ? ଯାହା ହେବାର ତାହା ତ ହୋଇଯାଇଅଛି । ବର୍ତ୍ତମାନ ଶିକ୍ଷକ ଯାହା କରିବେ ତାହା ଭବିଷ୍ୟତ ନିମନ୍ତେ । ଶିକ୍ଷକ ଦଣ୍ଡ ଦେବେ ଭିବଷ୍ୟତ ନିମନ୍ତେ–ଉପଦେଶ ଦେବେ ଭବିଷ୍ୟତ ନିମନ୍ତେ । ଅତୀତରେ ଯାହା ହୋଇଯାଇଅଛି ତାହା ଆଉ ଫେରିବ ନାହିଁ । ଦ୍ୱିତୀୟତଃ ଦଣ୍ଡ ଦେବାର ଆଉ ଗୋଟିଏ ଉଦ୍ଦେଶ୍ୟ ଅଛି । ଏହାଦ୍ୱାରା ଅପରାପର ବାଳକମାନେ ଶିକ୍ଷାପ୍ରାପ୍ତ ହୁଅନ୍ତି-। ‘‘ଶ୍ୟାମ ରାମକୁ ଗାଳିଦେଇ ଦଣ୍ଡ ଭୋଗକଲା– ଆମ୍ଭେମାନେ ମଧ୍ୟ କାହାରିକୁ ଗାଳିଦେଲେ ଦଣ୍ଡ ଭୋଗକରିବୁଁ’’, ଏହି ଧାରଣା ବାଳକମାନଙ୍କଠାରେ ଜନ୍ମାଇଦେବା ଦଣ୍ଡଦେବାର ଅନ୍ୟତମ ଉଦ୍ଦେଶ୍ୟ ଅଡେ । ବର୍ତ୍ତମାନ ଦଣ୍ଡଦେବା ବିଷୟରେ ଶିକ୍ଷକମାନଙ୍କୁ କେତେଗୁଡ଼ିଏ ବିଷୟ ଜଣାଇ ଏ ପ୍ରବନ୍ଧ ଶେଷ କରିବୁଁ ।
ବେତ ହାତରେ ଘେନି କଦାପି ଶିକ୍ଷାଦେବାକୁ ବସିବା ଉଚିତ ନୁହେଁ । ବେତ ହାତରେ ଘେନିବାର ଅନେକ ଦୋଷ ଅଛି । ଶିକ୍ଷକ ଏବଂ ଦଣ୍ଡ ଏ ପ୍ରକାର ଘନିଷ୍ଠସୂତ୍ରରେ ଆବଦ୍ଧ ହେବା କଦାପି ବାଞ୍ଛନୀୟ ନୁହେଁ । ପୁଣି ବେତ ପାଖରେ ଥିଲେ ତାହା ବ୍ୟବହାର କରିବାର ଇଚ୍ଛା ପ୍ରବଳ ହୁଏ । ଦଣ୍ଡ ଦେବାକୁ ହେଲେ ନିରପେକ୍ଷ ଏବଂ ସତ୍-ବିବେଚକ ହେବା ଉଚିତ । ଉତ୍ତମ ଶିକ୍ଷକଙ୍କର ଆଉ ଏକ ଗୁଣ ଏହି ଯେ ସେ ବାଳକମାନଙ୍କୁ ହଠାତ୍ ଦଣ୍ଡ ଦିଅନ୍ତି ନାହିଁ । ଅନେକ ଲୋକଙ୍କର ଏପରି ଧାରଣା ଅଛି ଯେ କଠିନ ସଜା ଦେଲେ ଦଣ୍ଡ ଦେବାର ଉଦ୍ଦେଶ୍ୟ ସିଦ୍ଧ ହୁଏ, କନ୍ତୁ ତାହା ଭ୍ରାନ୍ତି । ଆମ୍ଭମାନଙ୍କ ମତରେ ଦଣ୍ଡ ନିଶ୍ଚିତ ଏହି ଜ୍ଞାନ ସଫଳ ଉତ୍ପନ୍ନ କରେ । ବାଳକମାନେ ଯଦ୍ୟପି ବୁଝିପାରନ୍ତି ଯେ ଏପରି କାର୍ଯ୍ୟ କଲେ ନିଶ୍ଚିତ ଦଣ୍ଡ ଭୋଗ କରିବାକୁ ହେବ, ତାହା ହେଲେ ଦଣ୍ଡ ଦେବାର ଉଦ୍ଦେଶ୍ୟ ସଫଳ ହେବାର ଆଶା ଅଧିକ । ଏପରି ଦେଖାଯାଏ ଯେ କେତେକ ଶିକ୍ଷକ ଏକ ବାଳକକୁ କୌଣସି ଅପରାଧ ନିମନ୍ତେ ଗୁରୁଦଣ୍ଡ ଦେଲେ, କିନ୍ତୁ ସେହି ଅପରାଧରେ ଅପରାଧୀ ଅନ୍ୟ ଏକ ବାଳକକୁ କିଛି ନ କହି ଅଥବା ଲଘୁଦଣ୍ଡ ଦେଇ ଅବ୍ୟାହତି ଦେଲେ । ଶିକ୍ଷକଙ୍କର ଏପରି ଆଚରଣ ଅତୀବ ଦୂଷଣୀୟ ।
ଅନେକ ଶିକ୍ଷକ ମଶା ମାରିବା ନିମନ୍ତେ କାରଣ ଲୋଡ଼ିଲା ପ୍ରାୟ ସର୍ବଦା ଗୁରୁଦଣ୍ଡର ବ୍ୟବସ୍ଥା କରନ୍ତି । ଏହା ମନ୍ଦ ଶିକ୍ଷକର ଲକ୍ଷଣ । ପୂର୍ବେ କହିଅଛିଁ ଦଣ୍ଡ ଯେତେ ପରିହାର କରାଯାଇ ପାରେ ତେତେ ମଙ୍ଗଳ । ଯଦ୍ୟପି ନିତାନ୍ତ ଦଣ୍ଡ ଦେବାର ଆବଶ୍ୟକ ହୁଏ, ତାହା ଏଘୁଦଣ୍ଡରୁ ଆରମ୍ଭ କରିବା ଭଲ । ‘ଆଖି ଦେଖାଇଲେ’ ଯଦ୍ୟପି ଦଣ୍ଡ ଦେବାର ଉଦ୍ଦେଶ୍ୟ ସିଦ୍ଧ ହୁଏ ତାହା ହେଲେ ପାଟି ଫିଟାଇବାର ଆବଶ୍ୟକ ନାହିଁ; ପୁଣି ମିଷ୍ଟ ଭାଷାରେ ଦୁଇକଥା ବଛାଇ କହି ବାଳକର ମନ ଫେରାଇପାରିଲେ ତିରସ୍କାରର ପ୍ରୟୋଜନ କ’ଣ ? ବାକ୍ୟ ନିଷ୍ଫଳ ନହେବ ପର୍ଯ୍ୟନ୍ତ କୌଣସି ପ୍ରକାର ଦଣ୍ଡବିଧାନ କରିବା ଉଚିତ ନୁହେଁ । ସ୍କୁଲରେ ଯେ ଗୋଳମାଳ ହୁଏ ତାହା ଅଧିକାଂଶ ସ୍ଥଳରେ ଶିକ୍ଷକଙ୍କ ଦୋଷରୁ ଘଟି ଥାଏ । ସୁଦକ୍ଷ ଶିକ୍ଷକଙ୍କର ଚକ୍ଷୁ ପ୍ରତ୍ୟେକ ବାଳକ ଉପରେ ସମାନ ଭାବରେ ସର୍ବଦା ନିକ୍ଷିପ୍ତ ଥାଏ । ଏଣୁକଣି ଗୋଳମାଳର ପୂର୍ବ ଲକ୍ଷଣ ଜାଣିଲା ମାତ୍ରକେ ସେ ତାହା ଦମନ କରିପାରନ୍ତି । ଗଳ୍ପ କରିବା କେତେକ ବାଳକଙ୍କର ପ୍ରକୃତିଗତ ଦୋଷ । ଏମାନଙ୍କୁ ମାରପିଟ କଲେ ବିଶେଷ ଫଳ ନାହିଁ । ଏପ୍ରକାର ବାଳକକୁ ପାଖକୁ ଡାକି ସ୍କୁଲକୁ ଆସିବାର ଉଦ୍ଦେଶ୍ୟ ସରଳଭାଷାରେ ଉତ୍ତମରୂପେ ବୁଝାଇ ଦେଇ ପୃଥକ୍ କରି ଏକ ସ୍ଥାନରେ ବସାଇ ଥରକୁଥର ଏହାର ମାନସିକଭାବ ବିଡୁଥିବ । ସୁଯୋଗ୍ୟ ଶିକ୍ଷକ ବାଳକମାନଙ୍କୁ ଗଳ୍ପ କରିବାକୁ ଅବସର ଦିଅନ୍ତି ନାହିଁ ।
କେତେକ ଶିକ୍ଷକଙ୍କର ଦୋଷ ଏହି ଯେ ସେମାନେ ବାଳକମାନଙ୍କୁ ସର୍ବଦା ତିରସ୍କାର କରନ୍ତି । ଏହାର ଫଳସ୍ୱରୂପ ପିଲାମାନେ ଏକାବେଳେ ନିର୍ଲଜ୍ଜ ହୋଇଯାଇ ତିରସ୍କାର ପ୍ରତି ମନୋଯୋଗୀ ହୁଅନ୍ତି ନାହିଁ । ଆମ୍ଭେ ସ୍ୱଚକ୍ଷୁରେ ଦେଖିଅଛୁ ଏବଂ ପ୍ରାୟ ସମସ୍ତେ ଏହା ଜାଣନ୍ତି ଯେ ବିଦ୍ୟାଳୟର ନିମ୍ନଶ୍ରେଣୀମାନଙ୍କରେ ଶିକ୍ଷକମାନେ ବାଳକମାନଙ୍କୁ ବେଞ୍ଚ ଉପରେ ଠିଆ କରାଇ କରାଇ ଏପ୍ରକାର ଅଭ୍ୟାସ ଜନ୍ମାଇ ଦିଅନ୍ତି ଯେ ସେମାନେ ଠିଆହେବାକୁ ଆଦୈା ଲଜ୍ଜାବୋଧ କରନ୍ତି ନାହିଁ । ଏପ୍ରକାର ଅବସ୍ଥାରେ ଦଣ୍ଡ ଦେବାର ଉଦ୍ଦେଶ୍ୟ ସମ୍ପୂର୍ଣ୍ଣ ବ୍ୟର୍ଥ ହୋଇଯାଏ । ଏପରି ଘଟିବାର କାରଣ ଆଉ କିଛି ନୁହେଁ, କେବଳ ଶିକ୍ଷକମାନଙ୍କର ଭ୍ରମ । ବାଳକକୁ ଲଜ୍ଜିତ କରାଇ କାର୍ଯ୍ୟୋଦ୍ଧାର କରିବା ମାନସରେ ଯେଉଁ ଦଣ୍ଡ ଉଦ୍ଭାବନ କରାଯାଏ । ପୁଣି ବାଳକମାନଙ୍କ ପ୍ରତି ‘‘ତୋହୋର କେବେହେଁ କିଛି ହେବନାହିଁ’’, ‘‘ତୋପରି ଗଧ ଆଉ ସଂସାରରେ ନାହିଁ’’ ଇତ୍ୟାଦି ବଚନ ବ୍ୟବହାର କରିବା ଯେ ଅନ୍ୟାୟ ତାହା ସୁଶିକ୍ଷକ ମାତ୍ରକେ ଅବଗତ ଅଛନ୍ତି । ପୂର୍ବକାଳରେ ମନ୍ଦପିଲାମାନଙ୍କୁ ‘ଫୁଲସ୍କ୍ୟାପ୍’, ‘ଗଧଟୋପି’ ପିନ୍ଧାଇ ସ୍କୁଲ ଚାରିପାଖ ବୁଲାଇ ଆଣିବାର ରୀତି ପ୍ରଚଳିତ ଥିଲା । ସୁଖର ବିଷୟ ଯେ ଆଜିକାଲି ସେ ରୀତି ବେଶି ବେଶି ଦେଖାଯାଏ ନାହିଁ । ‘ଗଧଟୋପି’ର ବିଶେଷ ଫଳ ଅଛି ଅସ୍ୱୀକାର କରୁନାହୁଁ; କିନ୍ତୁ ସମସ୍ତଙ୍କର ଏହା ମନରେ ରଖିବା ଉଚିତ ଯେ ତାହା ଯେତେ କମ ବ୍ୟବହାର ହୁଏ ସେତେ ଭଲ । ଉକ୍ତ ରୂପ ଘଟନା ସ୍କୁଲରେ ଥରକୁ ତିନିଥର ଘଟିଲେ ତାହାର ଆଉ ତାଦୃଶ ପ୍ରଭାବ ନଥାଏ । ବେତ୍ରାଘାତ (ଦୁଃଖର ବିଷୟ ଯାହାକି ସଚରାଚର ସର୍ବାଦୈା ବ୍ୟବହୃତ ହେବାର ଦେଖାଯାଏ ) ଶିକ୍ଷକଙ୍କର ସକଳ କୈାଶଳ ବ୍ୟର୍ଥ ହେଲେ, ଥରେ ଦୁଇଥର ବ୍ୟବହାର କରିପାରନ୍ତି । ଯେଉଁ ବାଳକମାନେ କୁନୀତିପରାୟଣ ସେମାନଙ୍କ ପକ୍ଷରେ ଏହି ଦଣ୍ଡ ଉପଯୁକ୍ତ, ସନ୍ଦେହ ନାହିଁ । ଦଣ୍ଡ ଦେଲାବେଳେ ଶିକ୍ଷକମାନେ ମନରେ ରଖିବେ ଯେ ଯେଉଁ ସ୍କୁଲରେ ଦଣ୍ଡ ଦେବାର କମ ଆବଶ୍ୟକତା ହୁଏ ସେ ସ୍କୁଲ ଭଲ ଏବଂ ସେ ସ୍କୁଲର ଶିକ୍ଷକମାନେ ପ୍ରଶଂସନୀୟ ।
ସମ୍ବନ୍ଧିତ ରଚନା
ମନୁଷ୍ୟର ଧର୍ମବୁଦ୍ଧି
ମଧୁସୂଦନ ରାଓ
ଦ୍ୱିତୀୟ ପ୍ରସ୍ତାବ
ମଧୁସୂଦନ ରାଓ
ତୃତୀୟ ପ୍ରସ୍ତାବ
ମଧୁସୂଦନ ରାଓ
ବର୍ତ୍ତମାନ ଶିକ୍ଷାପ୍ରଣାଳୀ
ମଧୁସୂଦନ ରାଓ