କବିତା ଅଧ୍ୟୟନ
ଭକ୍ତକବି · ୧୮୫୩–୧୯୧୨ · ରାଧାନାଥ ଯୁଗ
- ସଂକଳନ: ପ୍ରବନ୍ଧ (2)
- ପଢ଼ିବା ସମୟ
- ୩ ମିନିଟ୍
- ଶବ୍ଦ
- ୪୦୪
- ସ୍ଥିତି
- ସାର୍ବଜନୀନ (Public domain)
ବିଦ୍ୟାଳୟମାନଙ୍କରେ ଯେତେ ବିଷୟ ଅଧୀତ ହୁଏ, ସେଥିମଧ୍ୟରେ କବିତା ଯେପରି ମନୁଷ୍ୟ ହୃଦୟକୁ ମାର୍ଜିତ କରେ, ମନୁଷ୍ୟ ମନକୁ ସୌନ୍ଦର୍ଯ୍ୟ ରସରେ ଅଭିଷିକ୍ତ କରେ, ମନୁଷ୍ୟ ପ୍ରାଣକୁ ବିମଳ ଆନନ୍ଦଜଳରେ ମଗ୍ନ କରେ ଏବଂ ମନୁଷ୍ୟ କଳ୍ପନାକୁ ସ୍ୱାଧୀନଭାବରେ ଅନନ୍ତ-ବ୍ରହ୍ମାଣ୍ଡ ମଧ୍ୟରେ ପରିଭ୍ରମଣ କରିବାର ସାମର୍ଥ୍ୟ ପ୍ରଦାନ କରେ, ସେପରି କାର୍ଯ୍ୟ ଅନ୍ୟ କୌଣସି ବିଷୟଦ୍ୱାରା ସାଧିତ ହୋଇନପାରେ । କବିତାର ମୋହିନୀଶକ୍ତିର ପ୍ରଶଂସା ଛଳରେ ଜଣେ ଇଂରାଜୀ କବି ଲେଖିଛନ୍ତି– ‘‘ମୋହ ନିଜ ଜୀବନରେ ମୁଁ ଦେଖିଅଛି ଯେ କବିତା ପୁରସ୍କାର ଅଟେ; କବିତା ମୋର ଦୁଃଖବେଦନା ଦୂର କରିଅଛି । କବିତାର ପ୍ରସାଦରେ ବିଜନ ସ୍ଥାନ ସୁଦ୍ଧା ମୋ ନିକଟରେ ପରମ ରମଣୀୟ ବେଶ ଧାରଣ କରେ । କବିତାର କୃପାରେ ମୁଁ ଜଗତର ପ୍ରତ୍ୟେକ ପଦାର୍ଥରୁ ନବ ନବ ଶିକ୍ଷାଲାଭ କରେ । କବିତା ହୃଦୟର ଗଭୀରତମ ପ୍ରବେଶ ମଧ୍ୟରେ ପ୍ରବେଶ କରି କେତେବେଳେ ସ୍ୱର୍ଗୀୟ ପ୍ରେମର ଦ୍ୱାର ଉନ୍ନୁକ୍ତ କରିଦିଏ, କେତେବେଳେ ସାହସ ଏବଂ ଉତ୍ସାହଅଗ୍ନି ପ୍ରଜ୍ୱଳିତ କରିଦିଏ । କେତେବେଳେ ପାଷାଣ ପ୍ରାଣକୁ ତରଳ କରି ଚକ୍ଷୁକୁ ଅଶ୍ରୁଜଳରେ ପୂର୍ଣ୍ଣ କରେ, କେତେବେଳେ କ୍ଷୁଦ୍ର ମନକୁ ମହାଭାବରେ ପୁର୍ଣ୍ଣ କରି ଦେବଧାମକୁ ଘେନିଯାଏ । ବାସ୍ତବରେ କବିତାର ମହୀୟସୀ ଶକ୍ତି ନିକଟରେ ସମସ୍ତେ ପରାସ୍ତ । କବିତା ପରି ପ୍ରକୃତ ଶିକ୍ଷାର ବନୁକୂଳ ଅନ୍ୟ କୌଣସି ବିଷୟ ହୋଇନପାରେ । କିନ୍ତୁ ଆଶ୍ଚର୍ଯ୍ୟ ଓ ଦୁଃଖର ବିଷୟ ଯେ ବିଦ୍ୟାଳୟମାନଙ୍କରେ କବିତାର ଆଦର ନାହିଁ, ସେହି ସେହି ସ୍ଥାନମାନଙ୍କରେ କବିତାର ଅଧ୍ୟୟନ ବିଡମ୍ବନା ମାତ୍ର ।’’
ବିଦ୍ୟାଳୟମାନଙ୍କରେ ଯେଉଁସବୁ କବିତା ପୁସ୍ତକ ପଠିତ ହୁଏ, ସେଥିମଧ୍ୟରୁ ଅଧିକାଂଶ କବିତା ନାମର ଅଯୋଗ୍ୟ । ଲୋକସାଧାରଣଙ୍କର ସଂସ୍କାରକୁ ଅତିକ୍ରମ କରିନାହାନ୍ତି । ସେମାନେ ନିଜେ ଅଧିକାଂଶ ସ୍ଥଳରେ କବିତାର ଅମୃତସ୍ୱାଦ ପାଇନାହାନ୍ତି । ସୁତଃରାଂ ସେମାନଙ୍କ ଅଧ୍ୟାପନା ଯେ ନିତାନ୍ତ ନୀରସ ଓ ଉଦ୍ଦେଶ୍ୟହୀନ ବ୍ୟାପାର ହେବ, ତାହା ସହଜରେ ଅନୁମିତ ହେଉଅଛି । ...ହେ ଶିକ୍ଷକ ! ତୁମେ କବିତା ପଢାଇବାର ଭାର ଗ୍ରହଣ କରିଅଛି । ଛାତ୍ରମାନେ ତୁମ୍ଭ ନିକଟରେ ମ୍ରିୟମାଣ ଭାବରେ ବସିଅଛନ୍ତି । ତୁମ୍ଭ ନିକଟରେ ମ୍ରିୟମାଣ ଭାବରେ ବସିଅଛନ୍ତି । ତୁମ୍ଭେ ନିଜେ ମ୍ରିୟମାଣ ଭାବରେ ଶବ୍ଦର ଅର୍ଥ କହିଦେଉଅଛି । କବିତାର ସୌନ୍ଦର୍ଯ୍ୟ, କବିତାର ଭାବ ପ୍ରତି ତୁମ୍ଭର କିଛିମାତ୍ର ଦୁଷ୍ଟିନାହିଁ । ତୁମ୍ଭେ କିପରି ସୁକୁମାରମତି ବାଳକମାନଙ୍କୁ କବିତାର ସୌନ୍ଦର୍ଯ୍ୟ ଶିଖାଇପାରିବ ? ତୁମ୍ଭେ କିପରି ଛାତ୍ରମାନଙ୍କର ନୂତନ ହୃଦୟ-କୁସୁମର ଶ୍ରୀବର୍ଦ୍ଧନ କରିପାରିବ ? ତୁମ୍ଭେ କିପରି ସୁନୀଳ ଗଗନପଟରେ ଯେଉଁ ରବି –ଚନ୍ଦ- ନକ୍ଷତ୍ରମୟୀ ମହାକବିତା ଲିଖିତ ହୋଇଅଛି, ସେଥିର ମହିମା ଛାତ୍ରମାନଙ୍କୁ ବୁଝାଇ ସେମାନଙ୍କ ପ୍ରାଣକୁ ଉଦାର କରିପାରିବ ? ତୁମ୍ଭେ କିପରି ସମୁଦ୍ରର ଗମ୍ଭୀର ଧ୍ୱନି ମଧ୍ୟରେ ଛାତ୍ରମାନଙ୍କ ବ୍ରହ୍ମାଣ୍ଡପତିଙ୍କର ମହାସ୍ତବ ଶୁଣାଇପାରିବ? ତୁମ୍ଭେ କିପରି ପର୍ବତ-କାନନ-ଜଳ-ସ୍ଥଳ ସର୍ବତ୍ର ଶିକ୍ଷାର ଦ୍ୱାର ଉଦ୍ଘାଟନ କରିପାରିବ ? ତୁମ୍ଭେ କିପରି ନରନାରୀ ହୃଦୟର ନିଗୂଢ ସୌନ୍ଦର୍ଯ୍ୟ ନିଜେ ନ ଦେଖି ଅନ୍ୟକୁ ଦେଖାଇପାରିବ ? ...
...ହେ ଶିକ୍ଷକ ! ତୁମ୍ଭେ ନିଜେ ହୃଦୟକୁ ସୌନ୍ଦର୍ଯ୍ୟରସରେ ସରସ କରି କବିତାର ସ୍ନିଗ୍ଧ ସମୀରଣ ସେବନ କର; ନୀରସ ସଂସାର – ମରୁ ପରିତ୍ୟାଗ କରି କାବ୍ୟର ନନ୍ଦନକାନନ ମଧ୍ୟରେ ବାଲ୍ମୀକି, ବ୍ୟାସ, କାଳଦାସ, ଭବଭୂତି, ସେକ୍ସପିୟର, ମିଲ୍ଟନ ପ୍ରଭୃତି କବିକୋକିଳମାନଙ୍କର ଅମୃତମୟ ସଙ୍ଗୀତ ଶ୍ରବଣ କର; କଳ୍ପନା-ପକ୍ଷରେ ସ୍ୱର୍ଗ ମର୍ତ୍ତ୍ୟ ବିଚରଣ କରି ସୌନ୍ଦର୍ଯ୍ୟର ଛବି ସଂଗ୍ରହ କର । ତୁମ୍ଭର କାର୍ଯ୍ୟ ସୁପବିତ୍ର ଓ ସୁମହତ୍ । ତରୁଣ ହୃଦୟର ସର୍ବାଙ୍ଗୀନ –ସୌନ୍ଦର୍ଯ୍ୟ ସମ୍ପାଦନ କରିବା ନିମିତ୍ତ, ମାନବମନକୁ ଦେବଭାବରେ ପୂର୍ଣ୍ଣ କରିବା ନିମିତ୍ତ, ଛାତ୍ରମାନଙ୍କର ବୁଦ୍ଧି, କଳ୍ପନା, ସ୍ମୃତି, ହୃଦୟ, ବିବେକ ଓ ଆତ୍ମାର ପୂର୍ଣ୍ଣ କଲ୍ୟାଣ ସମ୍ପାଦନ କରିବା ନିମିତ୍ତ ପ୍ରଭୁ ପରମେଶ୍ୱର ତୁମ୍ଭମାନଙ୍କୁ ଆହ୍ୱାନ କରୁଅଛନ୍ତି । ଜାଗ୍ରତ ହୁଅ, ତୁମ୍ଭ ଜୀବନର ମହାବ୍ରତ ସାଧନ ନିମିତ୍ତ ପ୍ରାଣପଣରେ ଯତ୍ନ କର ।
ସମ୍ବନ୍ଧିତ ରଚନା
ମନୁଷ୍ୟର ଧର୍ମବୁଦ୍ଧି
ମଧୁସୂଦନ ରାଓ
ଦ୍ୱିତୀୟ ପ୍ରସ୍ତାବ
ମଧୁସୂଦନ ରାଓ
ତୃତୀୟ ପ୍ରସ୍ତାବ
ମଧୁସୂଦନ ରାଓ
ବର୍ତ୍ତମାନ ଶିକ୍ଷାପ୍ରଣାଳୀ
ମଧୁସୂଦନ ରାଓ