ବ୍ୟାକରଣ-ଶିକ୍ଷା
ଭକ୍ତକବି · ୧୮୫୩–୧୯୧୨ · ରାଧାନାଥ ଯୁଗ
- ସଂକଳନ: ପ୍ରବନ୍ଧ (2)
- ପଢ଼ିବା ସମୟ
- ୩ ମିନିଟ୍
- ଶବ୍ଦ
- ୫୨୩
- ସ୍ଥିତି
- ସାର୍ବଜନୀନ (Public domain)
ମଧ୍ୟଶ୍ରେଣୀ ବିଦ୍ୟାଳୟମାନଙ୍କରେ ବ୍ୟାକରଣ-ଶିକ୍ଷାର ଶୋଚନୀୟ ଅବସ୍ଥା ଦେଖି ଆମ୍ଭେ ଯତ୍ପରୋନାସ୍ତି ଦୁଃଖିତ ହୋଇଅଛୁ । ଉପଯୋଗୀ ପୁସ୍ତକର ଅଭାବ ନାହିଁ, କେବଳ ଶିକ୍ଷକମାନଙ୍କର ଅଜ୍ଞତା ଅଥବା ଉଦାସୀନତା କିମ୍ବା ଉଭୟ ତ୍ରୁଟିର ଏହି ଏକମାତ୍ର ହେତୁ ଅଟେ ।
ଅବଶ୍ୟ ଶିକ୍ଷକ ସ୍ୱୟଂ ବ୍ୟାକରଣରେ ଏବଂ ସାହିତ୍ୟରେ ବାଞ୍ଛନୀୟ ବ୍ୟୁତ୍ପତ୍ତି ଲାଭ କରିନାହାନ୍ତି । ପୁଣି ଯେଉଁମାନେ ବ୍ୟତ୍ପନ୍ନି ସେମାନେ ବ୍ୟାକରଣ ଅଧ୍ୟାପନାର ପ୍ରକୃତ ପ୍ରଣାଳୀ ଜାଣନ୍ତି ନାହିଁ କିମ୍ବା ଜାଣିବାକୁ ଯତ୍ନ କରନ୍ତି ନାହିଁ । ଏହା ଉଭୟ କାରଣରୁ ଉତ୍କଳ ସାହିତ୍ୟ ଶିକ୍ଷା ପୂର୍ବେ ଯେମନ୍ତ ଥିଲା ବର୍ତ୍ତମାନ ମଧ୍ୟ ସେହିପରି ଅଛି ବୋଇଲେ ଅତ୍ୟୁକ୍ତି ହେବନାହିଁ ।
ଅଧିକାଂଶ ଶିକ୍ଷକ ଛାତ୍ରମାନଙ୍କୁ ସୂତ୍ର କଣ୍ଠସ୍ଥ କରିବାକୁ କହି ନିଶ୍ଚିନ୍ତ ହୁଅନ୍ତି । ସୂତ୍ରଗୁଡ଼ିକ ଛାତ୍ରମାନଙ୍କର ବ୍ୟୁତ୍ପତ୍ତିରେ ସହାୟତା ନକରି କେବଳ ସେମାନଙ୍କ ସ୍ମୃତିକୁ ଭାରାକ୍ରାନ୍ତ କରେ । ଅଳ୍ପ ପରିମାଣରେ ସୂତ୍ର ଅଭ୍ୟାସ କରାଇ କାର୍ଯ୍ୟରେ ସେସବୁର ପ୍ରୟୋଗ ଏବଂ ସାହିତ୍ୟ–ଅଧ୍ୟୟନ ସଙ୍ଗେ ସଙ୍ଗେ ସେହି ସୂତ୍ରର ଯଥାବିଧି ଅନୁଶୀଳନ କରାଇବାର ପ୍ରଣାଳୀ ଅତି ଅଳ୍ପ ବିଦ୍ୟାଳୟରେ ଦେଖାଯାଏ । ଛାତ୍ରମାନଙ୍କର କୋମଳମତି ରାଶି ରାଶି ସୂତ୍ର ପରିପାକ କରିପାରେ ନାହିଁ । ବାହୁଲ୍ୟ ରୂପେ ଉଦାହରଣ ଦର୍ଶାଇ ସୂତ୍ର ଶିଖାଇଲେ ସିନା ଶିକ୍ଷା ସାରବାନ ହୁଏ । ଏକ ତୋଳା ସୂତ୍ର ପରିପାକ କରିବା ନିମିତ୍ତ ଏକ ସେର ଉଦାହରଣ ଆବଶ୍ୟକ ଅଟେ । କାର୍ଯ୍ୟତଃ ସେଥିର ବିପରୀତ ଦେଖାଯାଏ । ଅଧିକାଂଶ ଶିକ୍ଷକ ଏକ ସେର ସୂତ୍ର ପରିପାକ କରିବା ନିମିତ୍ତ ଏକ ତୋଳା ମାତ୍ର ଉଦାହରଣକୁ ପର୍ଯ୍ୟାପ୍ତ ମଣନ୍ତି ।
ବ୍ୟାକରଣରେ ବ୍ୟୁତ୍ପତ୍ତି ଜନ୍ମାଇବା ଉଦ୍ଦେଶ୍ୟରେ ଓଡ଼ିଆ ଭାଷାରେ କେବଳ ଖଣ୍ଡିଏ ପୁସ୍ତକ ରଚିତ ହୋଇଅଛି । ବାବୁ ରାଧାନାଥ ରାୟଙ୍କ ପ୍ରଣୀତ ‘ଉତ୍କଳ ରଚନା’ ଆମ୍ଭମାନଙ୍କର ଲକ୍ଷ୍ୟସ୍ଥଳ । ଏ ପୁସ୍ତକର ସଜାତୀୟ ପୁସ୍ତକ ବଙ୍ଗଭାଷାରେ ସୁଦ୍ଧା ଦେଖାଯାଏ ନାହିଁ । ଦୁଃଖର ବିଷୟ ଉତ୍କଳୀୟ ଶିକ୍ଷକମାନେ ଅବଧି ଏହି ପୁସ୍ତକର ସଦ୍ବ୍ୟବହାର କରିବାକୁ ଶିଖିନାହାନ୍ତି । ଛାତ୍ରମାନଙ୍କ ଶିକ୍ଷାରେ ବ୍ୟବହୃତ ହେବା ଦୂରେ ଥାଉ, ପୁସ୍ତକଖଣ୍ଡି ସ୍ୱୟଂ ଆଦ୍ୟୋପାନ୍ତ ପଢିଅଛନ୍ତି ଏଭଳି ଶିକ୍ଷକଙ୍କର ସଂଖ୍ୟା ଅତି ଅଳ୍ପ ଅଟେ ।
ଦୀର୍ଘୀକରଣ, ପରିବର୍ତ୍ତନ, ସଂକ୍ଷେପଣ, ସୂକ୍ଷ୍ମପ୍ରୟୋଗ, ପ୍ରତିଶବ୍ଦ, ଯ଼ୁଗ୍ମଶଦ୍ଦ ପ୍ରଭୃତି ପାରିଭାଷିକ ସଂଜ୍ଞାଗୁଡ଼ିକର ଅଧିକାଂଶ ଶିକ୍ଷକଙ୍କ ଜ୍ଞାନରେ ବିଦେଶୀୟ ଶବ୍ଦରୂପେ ପ୍ରତିଭାତ ହୁଏ । ପରିବର୍ତ୍ତନ ଏବଂ ସଂକ୍ଷେପଣ ସମ୍ବନ୍ଧୀୟ ସାମାନ୍ୟ ପ୍ରଶ୍ନରେ ବାଳକଙ୍କ କଥା ଦୂରେ ଥାଉ ଅଧିକାଂଶ ଶିକ୍ଷକ ଅକୃତକାର୍ଯ୍ୟ ହେବେ ।
‘ଉତ୍କଳ ରଚନା’, ‘ସର୍ବସାର ବ୍ୟାକରଣ’ ର ଅନୁପୂରକ ପୁସ୍ତକରୂପେ ବ୍ୟବହୃତ ହେବାର ଆମ୍ଭେମାନେ ଛଅ ସାତଗୋଟି ବିଦ୍ୟାଳୟରେ ଦେଖିଅଛୁ କି ନାହିଁ ସନ୍ଦେହ । ସ୍ଥୂଳରେ ଆମ୍ଭେମାନେ ଏହା କହିପାରୁଁ ଯେ ଯେଉଁ ବିଦ୍ୟାଳୟ ସାରବାନ୍ ଏବଂ ବ୍ୟୁତ୍ପାଦକ ଶିକ୍ଷାନିମିତ୍ତ ପ୍ରତିଷ୍ଠିତ, ସେପରି ବିଦ୍ୟାଳୟରେ ‘ ଉତ୍କଳ ରଚନା ’ ଉପେକ୍ଷିତ ହୋଇନାହିଁ ।
‘ ଉତ୍କଳ ରଚନା ’ରେ ବାହୁଲ୍ୟରୂପେ ସାଧନୀ ପ୍ରଦତ୍ତ ହୋଇଅଛି । ଯେଉଁମାନେ ସାହିତ୍ୟଶିକ୍ଷାଗତ ତ୍ରୁଟି ସ୍ୱୟଂ କାର୍ଯ୍ୟରେ ଅନୁଭବ କରନାହାନ୍ତି ସେମାନେ ଏହି ସାଧନୀର ପରିମାଣକୁ ପ୍ରୟୋଜନାତିରିକ୍ତ ମନେ କରିଥାଆନ୍ତି । ମାତ୍ର ଯେଉଁମାନେ ଉକ୍ତ ବିଦ୍ୟାଳୟମାନଙ୍କରେ ବାରମ୍ବାର ଶିକ୍ଷାଦେଇ ଅଥବା ପରୀକ୍ଷାକରି ସୂତ୍ର ଶିକ୍ଷା ଏବଂ ପ୍ରୟୋଗ ପ୍ରଦର୍ଶନରେ ଶୋଚନୀୟ ବୈଷମ୍ୟ ଅନୁଭବ କରିଅଛନ୍ତି ସେମାନେ ଶଂସିତ ସାଧନୀର କାର୍ଯ୍ୟକାରିତା ସ୍ୱାକାର କରିବାକୁ କୁଣ୍ଠିତ ହେବେନାହିଁ । ଆମ୍ଭେମାନେ ପୂର୍ବରେ କହିଅଛି ଯେ ଅଧିକାଂଶ ଶିକ୍ଷକ ଏକ ସେର ସୂତ୍ର ପରିପାକ କରାଇବା ନିମିତ୍ତ ଏକ ତୋଳା ମାତ୍ର ଉଦାହରଣକୁ ପର୍ଯ୍ୟାପ୍ତ ମଣନ୍ତି । ‘ଉତ୍କଳ ରଚନା’ ର ଉଚିତ ବ୍ୟବହାର ଦ୍ୱାରା ଏହି ବିସଦୃଶ ବୈଷମ୍ୟ ବହୁ ପରିମାଣରେ ତିରୋହିତ ହେବାର ସମ୍ଭାବନା ।
ସାହିତ୍ୟ-ଶିକ୍ଷା ସଙ୍ଗରେ ବ୍ୟାକରଣ ଅନୁଶୀଳନ ଅଧିକାଂଶ ବିଦ୍ୟାଳୟରେ ହୋଇଥାଏ ସତ୍ୟ, ମାତ୍ର ସେଥିର ପ୍ରଣାଳୀ ପ୍ରଶସ୍ତ ନୁହେଁ । ଛାତ୍ରମାନେ ଗୋଟିଏ ବାକ୍ୟ ପଢିଲେ, ସେହି ବାକ୍ୟଗତ ଶବ୍ଦମାନଙ୍କ ମଧ୍ୟରେ କିଏ କେଉଁ ପଦ, ବିଶେଷ୍ୟମାନଙ୍କ ମଧ୍ୟରେ କିଏ କେଉଁ କାରକ, ସମାସର ବ୍ୟାଖ୍ୟା, ଶବ୍ଦମାନଙ୍କର ବ୍ୟୁତ୍ପତ୍ତି ଇତ୍ୟାଦି ବିଷୟମାନ ପ୍ରଶ୍ନର ବିଷୟୀଭୂତ ହୁଏ, ମାତ୍ର ବିଶେଷଣକୁ ବିଶେଷ୍ୟରେ, କର୍ତ୍ତୃବାଚ୍ୟକୁ କର୍ମବାଚ୍ୟରେ ପରିଣତ କରିବାର ଓ ବାକ୍ୟମାନଙ୍କୁ ସଂକ୍ଷିପ୍ତ ଅଥବା ରୂପାନ୍ତରିତ କରିବାର ପ୍ରଥା ପ୍ରାୟ ଶତକଡ଼ା ପନ୍ଦରରୁ କୋଡ଼ିଏ ବିଦ୍ୟାଳୟରେ ପ୍ରଚଳିତ ଅଛି କହିଲେ ଅତ୍ୟୁକ୍ତି ହେବ । ଶିକ୍ଷକମାନଙ୍କର ଅଜ୍ଞତା, ଉଦାସୀନତା ଅଥବା ଉଭୟ ଉପରେ ଦୋଷାରୋପ ନକରି ଆଉ କାହା ଉପରେ କରାଯିବ ?
ବୃତ୍ତି ପରୀକ୍ଷାରେ ସାହିତ୍ୟରେ ଅଧିକାଂଶ ଛାତ୍ର ଅକୃତକାର୍ଯ୍ୟ ହୁଅନ୍ତି – ଏଥିରେ ଆଶ୍ଚର୍ଯ୍ୟର ବିଷୟ କିଛି ନାହିଁ । ଅଧିକାଂଶ ବିଦ୍ୟାଳୟରେ ବ୍ୟାକରଣ-ଶିକ୍ଷା-ପ୍ରଣାଳୀ ଯେମନ୍ତ କଦର୍ଯ୍ୟ, ତାହା ସ୍ମରଣ କଲେ ମନ ଏକ ଏକ ସମୟରେ ନିରାଶ ହୁଏ । ସର୍ବ ସାର ବ୍ୟାକରଣ, ଉତ୍କଳ ରଚନା, ଆଦର୍ଶ ପ୍ରଶ୍ନାବଳୀ ପ୍ରଭୃତି ପୁସ୍ତକ ଥିବା ସତ୍ତ୍ୱେ ଯଦି ଶିକ୍ଷକମାନେ ସେଥିର ଉପଯୁକ୍ତ ବ୍ୟବହାର ନ କରିବେ ଏବଂ ତତ୍ତ୍ୱାବଧାୟକ କର୍ମଚାରିମାନେ ଉକ୍ତ ବିଷୟରେ ସେମାନଙ୍କୁ ପ୍ରବର୍ତ୍ତାଇବା ନିମିତ୍ତ ସଚେଷ୍ଟ ନ ହେବେ, ତାହାହେଲେ ବାଞ୍ଛନୀୟ ଉତ୍କର୍ଷ କଦାପି ସାଧିତ ହୋଇପାରିବ ନାହିଁ ।
ସମ୍ବନ୍ଧିତ ରଚନା
ମନୁଷ୍ୟର ଧର୍ମବୁଦ୍ଧି
ମଧୁସୂଦନ ରାଓ
ଦ୍ୱିତୀୟ ପ୍ରସ୍ତାବ
ମଧୁସୂଦନ ରାଓ
ତୃତୀୟ ପ୍ରସ୍ତାବ
ମଧୁସୂଦନ ରାଓ
ବର୍ତ୍ତମାନ ଶିକ୍ଷାପ୍ରଣାଳୀ
ମଧୁସୂଦନ ରାଓ