ଯମକରାଜ ଚଉତିଶା — ଉପେନ୍ଦ୍ର ଭଞ୍ଜ · ସ୍ୱର୍ଣ୍ଣଲିପିରାଗ-କୌଶିକକୁଞ୍ଜବନେ କଳାନିଧି କଳାନିଧି କଳା ଶ୍ରୀ ହରି ।କହନ୍ତି ସକଳ କଳକଣ୍ଠୀ ପାଶେ କଳଣ୍ଠୀ ପ୍ରୀତି ସୁମରିକୋକିଳ, କି କରୁଥିବ ରାମାମଣି ।କୁସୁମ ଶାୟକ ଶାୟକ ଶାୟକ ବିନ୍ଧୁଥିବ ଟାଣି ।୧।ଖଞ୍ଜନ ନୟନୀ କଟକ କଟକ କଟକ କଟକ ଶୋଭିନୀଖେଦନ ଘେନିବ ହାଟକ ହାଟକ ହାଟକ ସୁମନ ମୋହିନୀ ।କୋକିଳ, କ୍ଷିତିମଣ୍ଡନା କଞ୍ଜାନନୀ ।ଖଞ୍ଜିଥିଲା କଟକ କଟକ କଟକ ସୁସ୍ୱନାଗମନୀ ।୨।ଗଳାମାଳା ମୋର ପ୍ରିୟକ ପ୍ରିୟକ ପ୍ରିୟକ ପ୍ରିୟକ ଦେଖିବ ।ଗଉରୀ ନକରି ପ୍ରିୟକ ପ୍ରିୟକ ପ୍ରିୟକ ମୋହିନୀ ବସିବ ।କୋକିଳ, ଗୁଣମଣି କେହ୍ନେ ବଞ୍ଚିବ ।ଗୁରୁସମ ଡୋଳା ତରଳ ତରଳ ତରଳ ତାର ହେଉଥିବ ।୩।ଘେନିବ ପୁନାଗ ପୁନାଗ ପୁନାଗ ପୁନାଗ ଦେଖି ଚମକିବ ।ଘନକେଶୀ ଅଙ୍ଗ ପରାସେ ପରାସେ ପରାସେ ହୋଇବ ।କୋକିଳ, ଘୋଷ ଥିବ ପ୍ରୀତି ନିକର ।ଘନେ ନାଶୁଥିବ କଦମ୍ବ କଦମ୍ବ କଦମ୍ବ କଦମ୍ବ ଗତିର ।୪।ନ ଚାହୁଁ ଥିବ ସେ ଗଣିକା ଗଣିକା ଗଣିକା ଗଣିକା ଗାମିନୀନୟନ ଅମଳ ନଳୀନ ନଳୀନ ନଳୀନ ଦିଶୁଥିବ ପୁଣିକୋକିଳ, ନିଶ୍ଚେ ଶୋଇଥିବ ଅବନୀ ।ନ ଘେନି ତିଳକ ତିଳକ ତିଳକ ତିଳକ ତିଳକ ତିଳକ-ଗାମିନୀ ।୫।
ଶଦ୍ଦାର୍ଥ- (୧) କଳାନିଧି-ଚନ୍ଦ୍ରମା, କାମ କଳାର ସାଗର; କଳକଣ୍ଠୀ-କୋଇଲି, କୋଇଲି ବଚନା; କୁସୁମ ଶାୟକ-ଫୁଲଶର । (୨) ଭଞ୍ଜନ-ଏକପକ୍ଷୀ; କଟକ-ନିତମ୍ବ, ବଳା, ତେଜ, ନାସାମଣି । (୩) ପ୍ରିୟକ-ଭ୍ରମର, କୁଙ୍କୁମ, କଦମ୍ବ, ନୀଳ ଅଶୋକ; ତଉଳ-ଚଞ୍ଚଳ, ଢଳଢଳ, ଥରଥର । (୪) ପୁନାଗ-ଧଳାପଦ୍ମ, ଛୁରଅନା, ଅଣ୍ଡିରା ହାତୀ, ପୁରୁଷ ଶ୍ରେଷ୍ଠ; କଦମ୍ବ-ହାତୀ, ଧୀର ଗତି, କଦମ୍ବଫୁଲ ସମୂହ । (୫) ଗଣିକା-ଗଜଗାମିନୀ, ବେଶ୍ୟା; ନଳୀନ-ନୀଳ, ପଦ୍ମ, ଜଳ; ତିଳକ-ଶ୍ରେଷ୍ଠ, ତିଳ (କ୍ଷୁଦ୍ର), ଚନ୍ଦନ, ସିନ୍ଦୂର, ମଥାମଣି ।
ଭାବାର୍ଥ- (୧-୫) କଳାମାଣିକ କାଳିଆ କାହ୍ନୁ କୁଞ୍ଜବନରେ କୋଇଲିକୁ ସମ୍ବୋଧନ କରି କୋକିଳକଣ୍ଠୀ ରାଧାଙ୍କ ପ୍ରେମକୁ ମନେ ପକାଇ କହୁଛନ୍ତି- ରେ କେକିଳ, ମୋ ରାମାମଣି ଏବେ କ’ଣ କରୁଥିବ ? କନ୍ଦର୍ପ ତା’ର ନିଜର ଶରରେ ଟାଣରେ ତାକୁ ବିନ୍ଧୁଥିବ ।
ରେ କୋକିଳ, ସେ ଖଞ୍ଜନ ନେତ୍ରୀ, ତୋର ଉଚ୍ଚ ନିତମ୍ବ, ସ୍ୱର୍ଣ୍ଣ କଙ୍କଣ, ଉଜ୍ଜ୍ୱଳ ନାସାମଣି ଯୋଗୁଁ ଶୋଭା ପାଉଛି । ସେ ହଟଯୋଗୀ ମନମୋହିନୀ, ସ୍ୱର୍ଣ୍ଣବରନା ମନରେ ସର୍ବଦା ଦୁଃଖ କରୁଥିବ । ମୋ କ୍ଷିତିମଣ୍ଡନା, କଞ୍ଜାନନୀ, ନୂପୁର ଯୋଗେ ଗତି କାଳରେ ମଧୁର ସ୍ୱର ସୃଷ୍ଟିକାରିଣୀ, ପାହାଡ଼ର କଟୀଭାଗରେ ବା କେଳି କୁଞ୍ଜରେ ମୋ ସହିତ ପ୍ରେମଭାବ ଆଚରଣ କରିଛି ।
ରେ କୋକିଳ, ମୋର ଗଳାମାଳା ରାଧା, ସେ ଭ୍ରମର, କୁଙ୍କୁମ, କଦମ୍ବ, ନୀଳ ଅଶୋକକୁ ଦେଖିବ । ଥକ୍କା ହୋଇ ମୋ ମୋହିନୀ ଗୋରୋଚନା ନ ଲଗାଇ ଗୋଟିଏ ସ୍ଥାନରେ ଚିନ୍ତାନ୍ୱିତା ହୋଇ ବସିଥିବ । ରେ କୋକିଳ, ମୋ ଗୁଣମଣି କିପରି ବଞ୍ଚିବ ? ତା’ର ଭାରି ଡୋଳା ଢଳଢଳ ଚଞ୍ଚଳ ଓ ଥରଥର ହେଉଥିବ ।
ରେ କୋକିଳ, ମୋ ପ୍ରିୟା ରାଧା ଶ୍ୱେତପଦ୍ମ, ଛୁରଅନା, ଅଣ୍ଡିରାହାତୀ ଓ ପୁରୁଷ ଶ୍ରେଷ୍ଠଙ୍କୁ ଦେଖି ଚମକି ଉଠିବ । ସେ ଦୁଃଖଦାୟୀ କୁନ୍ତଘାତ ସମାନ ହେବ । ସେ ସର୍ବଦା ପ୍ରେମକୁ ଗଣୁଥିବ । ସେ ଗଜଗମନାର ଧୈର୍ଯ୍ୟକୁ କଦମ୍ବ ଫୁଲ ଅନେକାଂଶରେ ନାଶ କରୁଥିବ ।
ସେ କୋକିଳକୁ, ଗଜଗମନୀ ଗଣିକାକୁ, ଯୁଇ ଫୁଲକୁ ଓ ଲଳିତାକୁ ଚାହୁଁ ନ ଥିବ । ତା’ର ଚକ୍ଷୁ ନୀଳପଦ୍ମ ପରି ପବିତ୍ର, ସେଥିରେ ନର୍ମଳ ଦେଖା ଯାଉଥିବ । ତିଳେ ହେଲେ ଚନ୍ଦନ, ସିନ୍ଦୂର, ମଥାମଣି ନ ଲଗାଇ ନିଶ୍ଚୟ ଭୂମି ଉପରେ ଶୋଇ ରହିଥିବ ।
ସମ୍ବନ୍ଧିତ ରଚନା
ବୈଦେହୀଶ ବିଳାସ (ଚତୁର୍ଥ ଭାଗ)ଉପେନ୍ଦ୍ର ଭଞ୍ଜ ଉପେନ୍ଦ୍ର ଭଞ୍ଜ
ବୈଦେହୀଶ ବିଳାସ (ତୃତୀୟ ଖଣ୍ଡ)ଉପେନ୍ଦ୍ର ଭଞ୍ଜ ଉପେନ୍ଦ୍ର ଭଞ୍ଜ
ଚତୁରୀ ଚନ୍ଦ୍ରମା ଚନ୍ଦ୍ରମା ଚନ୍ଦ୍ରମା ସଦନ ଭାନୁସମ ଘେନିଚାହିଁଲେ କରିବେ ମୋ ନାମ ତାରକ ତାରକ ତାରକ-ମଣ୍ଡନୀକୋକିଳ, ଚାରୁମୁଖୀ କେହ୍ନେ ବଞ୍ଚିବ,ଚାହିଁଲେ ମଦନ ମଦନ ମଦନ ମଦନ ମଦନ ଦହିବ ।୬।କ୍ଷମାନିଧି ମୋର ହାରିକଣ୍ଠ ହାରିକଣ୍ଠ ହାରିକଣ୍ଠ-ବଚନୀଛଇଳା କୁମୁଦ କୁମୁଦ କୁମୁଦ କୁମୁଦ-ନିନ୍ଦିତ-ହାସିନୀ ।କୋକିଳ, କ୍ଷିତିରେ ଗଡ଼ୁଥିବ ଧନକ୍ଷଣେ ଶୁଣି ସୁତକଣ୍ଠ ସୁତକଣ୍ଠ ସୁତକଣ୍ଠ ମୃଦୁ ବଚନ ।୭।ଜୀବନ ଜୀବନ ଜୀବନ ଜୀବନ ଧନୀ ସକୁନ୍ତଳା ତେଜିବ ।ଜଗତ ନଳିନୀ ନଳିନୀ ନଳିନୀ ନଳିନୀ ଯେବେ ନିରେଖିବ ।କୋକିଳ, ଜବାଧରା ମନରଞ୍ଜନା ।ଜଗତ ସୁରଭି ସୁରଭି ସୁରଭି ସୁରଭି ସୁରଭି ବରନା ।୮।ଝାମ ଯିବ କଳକଣ୍ଠ କଳକଣ୍ଠ କଳକଣ୍ଠ ସୁବାଣୀ ଶୁଣିଝଳି ଚିବୁକ ଧରିଥିବ ବୈକୁଣ୍ଠ ବୈକୁଣ୍ଠ ମାନସହାରିଣୀ ।କୋକିଳ, ଝାଳେ ତିନ୍ତିଥିବ ଶରୀର ।ଝଡ଼ିଥିବ ତା’ର ଅଧର ଅଧର ଅରୁଣ ଅରୁଣ ନିକର ।୯।ନିଶ୍ଚୟେ ସଜନୀ ପଲାଶ ପଲାଶ ପଲାଶ ପଲାଶ କରିବ ।ନରଞ୍ଜନା ରଞ୍ଜନା ରଞ୍ଜନା ରାତ୍ର ବରଷ ସମାନ ଗଣିବ ।କୋକିଳ, ନୀରବ କାଳେ କି କରିବ ।ନିରତେ କଣ୍ଟକ କଣ୍ଟକ କଣ୍ଟକ-ନେତ୍ରାରେ ଜାତ ହେଉଥିବ ।୧୦।
ଶଦ୍ଦାର୍ଥ- (୬) ଚନ୍ଦ୍ରମା-ଚନ୍ଦ୍ର, ନଖକ୍ଷତ; ଚନ୍ଦ୍ରମା ସଦନ-ଚନ୍ଦ୍ରଶାଳାପୁର; ତାରକ-ମୁକ୍ତା, ଭେଳା, ଉଦ୍ଧାରକର୍ତ୍ତା; ମଦନ-ବସନ୍ତ, ଭ୍ରମର, ବଉଳ, ଗଛ, ଖଞ୍ଜନ ବକ୍ଷୀ, କର୍ପୂର । (୭) ହାରିକଣ୍ଠ-ହାର ଯାହା କଣ୍ଠରେ ଥାଏ, ସୁନ୍ଦର କଣ୍ଠ ଯାହାର, କୋଇଲି; କୁମୁଦ-କୁ(ପୃଥିବୀ); ମୁଦ-ଆନନ୍ଦ, କଇଁରୂପା, କର୍ପୂର; ସୁତକଣ୍ଠ-କୋଇଲି, ପକ୍ଷୀ, ଖଞ୍ଜନ । (୮) ଜୀବନ-ପବନ, ଜଳ, ସଜ ଲହୁଣୀ, ପ୍ରାଣ; ନଳିନୀ-ପଦ୍ମିନୀ କନ୍ୟା, ପଦ୍ମବନ, ପଦ୍ମିନୀ ନଦୀ; ସୁରଭୀ-ପଣ୍ଡିତା, ସୁଗନ୍ଧ, ଚମ୍ପକ, ଚନ୍ଦନ, ବଣମଲ୍ଲୀ । (୯) କଳକଣ୍ଠ-କୋଇଲି, ମୟୂର, ପାରା; ଅଧର-ଓଷ୍ଠ; ଅଧ-ତଳ, ବାଳସୂର୍ଯ୍ୟ, ସିନ୍ଦୂର । (୧୦) ପଲାସ-ପତ୍ର, ଫୁଲପାଖୁଡ଼ା, ନିର୍ଦ୍ଦୟ, ବ୍ୟାପିବା; ରଞ୍ଜନା-ପବିତ୍ର, ରଞ୍ଜନକାରିଣୀ, ସୁନା; ନୀରଦ-ମେଘ; କଣ୍ଟକ-ମୀନ, ମୁନ, ରୋମହର୍ଷଣ ।
ଭାବାର୍ଥ- (୬-୧୦) ରେ କୋକିଳ, ମୋ ଚତୁରୀ ଚନ୍ଦ୍ର, ନଖକ୍ଷତ ଓ ଚନ୍ଦ୍ରଶାଳାପୁରକୁ ସୂର୍ଯ୍ୟପ୍ରାୟ ମନେ କରୁଥିବ । ମୋ ପ୍ରିୟା ରାଧା ମୁକ୍ତା ମଣ୍ଡନୀ ଥରେ ମୋତେ ଚାହିଁଦେଲେ ନାଁ ଭେଳା କରି ମୋତେ ଉଦ୍ଧାର କରିଦେବ । ସେ ଚାରୁମୁଖୀ କିପରି ବଞ୍ଚିବ ? ବସନ୍ତ ଭ୍ରମର, ବଉଳଗଛ ଓ ଖଞ୍ଜନ ପକ୍ଷୀକୁ ଚାହିଁଲେ ତାକୁ କର୍ପୂର ଦହିବ ।
ରେ କୋକିଳ, କ୍ଷମାନିଧି ରାଧା ହାରିକଣ୍ଠ, ମନୋହାରୀ କଣ୍ଠୀ, କୋକିଳ କଣ୍ଠୀ ଅଟେ । ପୃଥିବୀକୁ ଆନନ୍ଦ ଦାୟିନୀ ସେ ଛଇଳାର ହସ ଧବଳରେ କଇଁ, ରୁପା ଓ କର୍ପୂରର ଶୋଭାକୁ ନିନ୍ଦାକରେ । କୋଇଲିର କୁହୁତାନ, ପକ୍ଷୀସ୍ୱନ ଓ ଖଞ୍ଜନ ପକ୍ଷୀର ଧୀର ସ୍ୱର ଶୁଣି ପ୍ରିୟା ମୋର ଭୂମି ଉପରେ ଲୋଟି ପଡ଼ୁଥିବ ।
ରେ କୋକିଳ, ମୋ ସୁକୁନ୍ତଳା ରାଧା ଯେବେ ପଦ୍ମବନ, ପଦ୍ମଫୁଲ ଓ ଯମୁନା ନଦୀକୁ ଦେଖିବ, ବିରହ ଦୁଃଖରେ ଜୀବନ ତ୍ୟାଗ କରିବ । ସେ ଜବାଧରା, ମନରଞ୍ଜନୀ ପଣ୍ଡିତା, ସୁଗନ୍ଧଚନ୍ଧନ, ଚମ୍ପକ, ବନମଲ୍ଲୀ ବରନା ।
ମୋ ପ୍ରିୟା ରାଧା ମୟୂର, ପାରା ଓ କୋଇଲିର ସୁମଧୁର ସ୍ୱନ ଶୁଣି ଝାମ ଯିବ । ସେ ବିଷ୍ଣୁ ମାନସହାରିଣୀର ଉଜ୍ଜ୍ୱଳ ଓଷ୍ଠ ବିଗତ କୁଣ୍ଠା ଭାବ ଥିବ । ତା’ର ଶରୀର ଝାଳରେ ତିନ୍ତି ଯାଇଥିବ । ବାଳସୂର୍ଯ୍ୟ ଓ ସିନ୍ଦୂର ପ୍ରାୟ ରକ୍ତିମ ଆଭା ତା’ର ଅଧର ତଳରୁ ଲିଭିଯାଇତିବ ।
ରେ କୋକିଳ, ମୋ ସଜନୀ ନିଶ୍ଚୟ ପତ୍ର ମଧ୍ୟରେ ଫୁଲକଢ଼ି ଫୁଟିବା ଦେଖିଲେ ମୋ ବିରହ ଯୋଗୁଁ ରାଗରେ ମୋ ପ୍ରତି ନିର୍ଦ୍ଦୟ ହେବ । ସେ ପବିତ୍ରମନା, ହେମାଙ୍ଗୀ, ମନୋହରକାରିଣୀ ଗୋଟିଏ ରାତିକୁ ବର୍ଷକାଳ ମନେ କରିବ ଅର୍ଥାତ୍ ବିରହରେ ଜଳିଯିବ । ବର୍ତ୍ତମାନ ଏ ବର୍ଷାକାଳରେ ମୋ ପ୍ରିୟା କ’ଣ କରିବ ? ସର୍ବଦା ସେ ମୀନନୟନାର ରୋମହର୍ଷଣ ହୋଇ ଶରୀରରେ ମୁନ ଫୁଟିଲା ପ୍ରାୟ ଦେଖାଯାଉଥିବ ।
ଟେକେଣ ରମଣୀ ରମଣୀ ରମଣୀ ଏକାନ୍ତେ ଚିନ୍ତୁଥିବ ବସି ।ଟାଣ ଅନଳ ମଣିବ ଘନସାର ଘନସାରଜିତ ସୁକେଶୀ ।କୋକିଳ, ଟକି ପଡ଼ୁଥିବ ମୋ ସଖୀ ।ଟାଣ କଟାକ୍ଷୀ ମୋ ଜୀମୂତ ଜୀମୂତ ଜୀମତୂ ଦେଖି ହେବ ଦୁଃଖୀ ।୧୧।ଠିକେଣ ଦେଖିବ ଚଞ୍ଚଳା ଚଞ୍ଚଳା ଚଞ୍ଚଳା ଚଞ୍ଚଳା ଭଜିବ ।ଠା ଠିକ ରୋହିତ ରୋହିତ ରୋହିତ ରୋହିତ ତା’ର ବିନାଶିବ ।କୋକିଳ, ଠକ ଶମ୍ବରାରି ଚର୍ଚ୍ଚିବ ।ଠିକ କୁଚ ବଳାହକ ବଳାହକ ଦମ୍ଭନାଶନେ ଟାଣୁଥିବ ।୧୨।ଡମ୍ବରୁମଧ୍ୟାର ଅଶୋକ ଅଶୋକ ଅଶୋକ ଅଶୋକ ନାଶିବ ।ଡାଳିମ୍ବ ଦଶନମଣ୍ଡଳୀ ଅଳୀକ ଅଳୀକ ଅଳୀକ କରିବ ।କୋକିଳ, ଡୋଳା ପ୍ରତିମା ଅବଳାକୁ ।ଡୋଳାଇଲା ଚଉରୀକ ଚଉରୀକ ଚଉରୀକ ଚମ୍ପା ଶୋଭାକୁ ।୧୩।ଢଳିଥିବ ନିକି କଦମ୍ବ କଦମ୍ବ କଦମ୍ବ ଶଯ୍ୟାରେ ।ଢାଳେ ଘେନି ପଦ୍ମ କୋରକ କୋରକ କୋର କରି ତାର ପ୍ରକାରେ ।କୋକିଳ, ଡାଳେ ନ ଚାହିଁବ ସେ ଧୀରେ ।ତାଳେ ରଖିଥିବ ସୁପର୍ଣ୍ଣ ସୁପର୍ଣ୍ଣ ସୁପର୍ଣ୍ଣ ନ ରଖି ଅଙ୍ଗରେ ।୧୪।ଏକ କରି କୁଚେ ଜଘନ କଦଳୀ କଦଳୀ କଦଳୀ-ନୟନେ ।ଏବେ ମଣୁଥିବ ରମଣୀ ପାବକ ପାବକ ପାବକ ସମାନେ ।କୋକିଳ, ଆହା ମୋ ପ୍ରିୟ ରସକଳା ।ଅଙ୍ଗନା ସାରଙ୍ଗ ସାରଙ୍ଗ ସାରଙ୍ଗ ବଚନ ଶୁଣି ହେବ ଭୋଳା ।୧୫।
ଶଦ୍ଦାର୍ଥ- (୧୧) ରମଣୀ-ପ୍ରିୟା, ସୁନ୍ଦରୀ ରମଣୀ-ଅଗ୍ନିମଣି, ଘନସାର-ଶ୍ରେଷ୍ଠ ମେଘ, କର୍ପୂର; ଜୀମୂତ-ମେଘ, ଇନ୍ଦ୍ର, ପର୍ବତ । (୧୨) ଚଞ୍ଚଳା-ଲକ୍ଷ୍ମୀ, ଅସ୍ଥିର, ବିଜୁଳି, ବିଗଳିତା; ରୋହିତ-ଇନ୍ଦ୍ରଧନୁ, ପଦ୍ମରାଗ, କୁଙ୍କୁମ, ଧୀରତା; ବଳାହକ- ପର୍ବତ, ମେଘ । (୧୩) ଅଶୋକ-ଶୋକଶୂନ୍ୟ, ସୁଖ, ଅଶୋକ କଢ଼ି; ଅଳୀକ-ଲଲାଟ, ମିଥ୍ୟା; ଚଉରୀକ-ପ୍ରାଙ୍ଗଣ, ବଡ଼ବେଦୀ, ଚାମର । (୧୪) କଦମ୍ବ-ବ୍ୟାକୁଳ,କଦମ୍ବଫୁଲ, କେଶର, ସମୂହ; ପଦ୍ମକୋରକ-ମୃଣାଳଅଂଶୁ; କୋରକ-ସୁଗନ୍ଧ, କଢ଼ି; ସୁପର୍ଣ୍ଣ-ସ୍ୱର୍ଣ୍ଣଚୂଡ଼ା, କୋମଳ ପତ୍ର ନାଗେଶ୍ୱର । (୧୫) ଜଘନ-ଜଙ୍ଘ; କଦଳୀ-ମୃଗ, କୋଡ଼ି ହୋଇ; ଜଘନ କଦଳୀ-ରମ୍ଭା ଊରୁ ବା କଦଳୀ ଗଛ ପରି ଜଙ୍ଘ; ପାବନ-ଫୁଲ; ପାବକ-ଅଗ୍ନି, ସୂର୍ଯ୍ୟ; ସାରଙ୍ଗ-କୋଇଲି, ମୟୂର, ଚାତକର ସ୍ୱର ।
ଭାବାର୍ଥ- (୧୧-୧୫) ରେ କୋକିଳ, ଟେକ ମନରେ ମୋ ସୁନ୍ଦର ପ୍ରିୟା ସଂସାରକୁ ଅଗ୍ନି ପ୍ରାୟ ମନେ କରି ଏକାକିନୀ ବସି ମୋ ବିଷୟରେ ନିନ୍ତା କରୁଥିବ । ସେଇ ଘନସାରଜିତ ସୁକେଶୀ ଯାଣ ଅନଳକୁ କର୍ପୂର ବୋଲି ମନେ କରୁଥିବ । ସେ କଟାକ୍ଷବତୀ ମେଘକୁ ଇନ୍ଦ୍ର ଓ ପର୍ବତକୁ ଦେଖିଲେ ଦୁଃଖରେ ମହୀ ଉପରେ ଟଳି ପଡ଼ିବ ।
ରେ କୋକିଳ, ମୋ ଲକ୍ଷ୍ମୀ ଅର୍ଥାତ୍ ରାଧା ଅସ୍ଥିରା ବିଜୁଳିକୁ ଦେଖି ବିଚଳିତା ହେବ । ଇନ୍ଦ୍ରଧନୁ, ପଦ୍ମରାଗ ଓ କୁଙ୍କୁମସମାନ ତା’ର ଧୈର୍ଯ୍ୟକୁ ବିନାଶ କରିବେ । ଅନ୍ୟ ଉପାୟନ ପାଇ ଠକ କନ୍ଦର୍ପକୁ ପୂଜା କରିବ । ପବିତ୍ର ପ୍ରାୟ ଉନ୍ନତ ବକ୍ଷୋଜ ଦ୍ୱୟକୁ ମେଘର ଦମ୍ଭ ନାଶ ପାଇଁ ତାକୁ ଭିଡ଼ିଧରିବ ।
ରେ କୋକିଳ, ମୋ ପ୍ରିୟାର କଟୀ ଦେଶ ଡମ୍ବରୁ ପରି । ସେ ଡମ୍ବରୁମଧ୍ୟା ଶୋକଶୂନ୍ୟା, ସୁଖୀ, ଅଶୋକ କଢ଼ି ଓ ପାରଦ ଶୂନ୍ୟ । ଡାଳିମ୍ବମଞ୍ଜି ପରି ତା’ର ଦନ୍ତ ପଂକ୍ତି ଶୋଭାମୟ । ତା’ର ଲଲାଟକୁ ଅତି କ୍ଷୁଦ୍ର, ମିଥ୍ୟା ଓ ଅପ୍ରିୟ ମନେ କରିବ । ମୋ ଡୋଳା ପ୍ରତିମା ଅବଳାକୁ ଏବେ ପ୍ରାଙ୍ଗଣ ମଧ୍ୟରେ ଥିବା ବଡ଼ ବେଦୀରେ ବସାଇ ସଖୀମାନେ ଚାମର କରିବେ ବୋଲି ଯୋଗ ଥିଲା-।
ମୋ ପ୍ରିୟା ବ୍ୟାକୁଳ ହୋଇ କଦମ୍ବ ଫୁଲରେ ଶଯ୍ୟା କରି ଶୋଇଥିବ । ମୃଣାଳ ଅଂଶୁ ଓ ଫୁଲ କଢ଼ିକୁ ଅଗ୍ନି ମନେ କରୁଥିବ । ସେ ମୋତେ ତିଳେ ହେଲେ ଚାହିଁବ ନାହିଁ । ସେ ଦେହରେ ସୁନା ଅଳଙ୍କାର ନ ରଖି କେବଳ ନାଗେଶ୍ୱର ଫୁଲ ଓ କଅଁଳିଆ ପତ୍ରରେ ଶୋଇରହିବ ।
ରେ କୋକିଳ, ମୋ ମୃଗ ନେତ୍ରୀ କଦଳୀ ଗଛ ପରି ଜଘନା, ଶିର କୋଡ଼ି ହୋଇ ତା’ର ଦୁଇ ବକ୍ଷୋଜକୁ ଏକାଠି କରି ବସିଥିବ । ସେ ବାଳା କୁସୁମକୁ ସୂର୍ଯ୍ୟ ଓ ଅଗ୍ନି ପ୍ରାୟ ମନେ କରୁଥିବ-। ମୋ ପ୍ରିୟବତୀ କୋଇଲି, ମୟୂର ଓ ଚାତକର ବଚନ ଶୁଣି ଭୋଳ ହେଉଥିବ ।
ତା ନେତ୍ର କରିବ ସାରଙ୍ଗ ସାରଙ୍ଗ ଶାରଙ୍ଗଧର ସୂନବାଣ ।ତରୁଣୀ ନ ଘେନି ଅଶନ ଅମୃତ ଅମୃତ ଅମୃତ କରିଣ ।କୋକିଳ, ତୁଙ୍ଗସ୍ତନା କେହ୍ନେ ବଞ୍ଚିବ ।ତା’ର ରୁନ୍ଧି ହେବ ଶ୍ରୀକଣ୍ଠ ଶ୍ରୀକଣ୍ଠ ଶ୍ରୀକଣ୍ଠଭୂଷଣ ଚିନ୍ତିବ ।୧୬।ଥିବ ଦୂର କରି ପୁଲକ ପୁଲକ ପୁଲକ ଅଙ୍ଗେ ହେବ ଜାତ ।ଥିର ଗତି ନିନ୍ଦେ ମଲ୍ଲିକା ମଲ୍ଲିକା ମଲ୍ଲିକା ଚାହିଁ ହେବ ନତକୋକିଳ, ଥିଲାକ ତାକୁ ଏତେ ଦଶାଥରେ ନାଶୁଥିବ ବିବେକ ବିବେକ ବିବେକ ଆହା ମୋ ସୁଦୃଶା ।୧୭।ଦୂର କରିଥିବ ନବୀନା ମାଳୀକା ମାଳୀକା ମାଳୀକା ମାଳୀକା ।ଦହିବ କଦନ ମାଳିକା ମାଳିକା ମାଳିକା ନିଃଶ୍ୱନେ, ବାଳିକା ।କୋକିଳ, ଦୂର କରେ ସେ ମୋ ଦୁଃଖକୁ ।ଦୁଃଖ ଧ୍ୱଂସିନୀ ମୋ ମଣିବ ଅଳକ ଅଳକ ଅଳକ କର କୁ ।୧୮।ଧୀରେ ଚାହିଁ ନେତ୍ରେ କକୁଭ କକୁଭ କକୁଭ କକୁଭ କକୁଭ ।ଧବଳ ସଦନ ଗହନ ଗହନ ଗହନ ପ୍ରାୟେ ଅସୁଲଭ ।କୋକିଳ, ଧରିଥିବ ସତେ ଜୀବନ ।ଧୀରେ ଚାହିଁ ବାଳା ଗହନ ଗହନ ଗହନମୁଖୀ ତେଜି ଜ୍ଞାନ ।୧୯।ନୂତନ ପରିଘ ପରିଘ ପରିଘ ପରିଘ ପ୍ରାୟେ ଥିବା ହୋଇ ।ନେତ୍ରଲୀଳା କଉଶିକ କଉଶିକ କଉଶିକ ଚିତ୍ର ଦିଶଇ ।କୋକିଳ, ନବ ଅଙ୍ଗନା ସେ ରମଣୀ ।ନୟନ କେସରୀ କେ ସରି କେଶରୀକଟି ରସିକା ଶିରୋମଣି ।୨୦।
ଶଦ୍ଦାର୍ଥ- (୧୬) ସାରଙ୍ଗ-ସୁକାନ୍ତି, ଧନୁ; ଶାରଙ୍ଗଧର- ଧନୁଧର; ସୂନବାଣ-ଫୁଲଶର; ଅଶନ-ଭୋଜନ; ଅମୃତ-କ୍ଷୀର, ଲବଣ, ଅନ୍ନ; ଶ୍ରୀକଣ୍ଠ-ସୁନ୍ଦରକଣ୍ଠ, ଶିବ; ଶ୍ରୀକଣ୍ଠଭୂଷଣ-ବିଷ୍ଣୁ । (୧୭) ପୁଲକ-ମଣିବିଶେଷ, ଆନନ୍ଦ, ରୋମାଞ୍ଚ; ମଲ୍ଲିକା-ହଂସ, ମୀନ; ବିବେକ-ଅନୁରାଗ, ବିଚାର, ଉଦାସୀନଭାବ । (୧୮) ମାଳିକା-ମଲ୍ଲୀ, ଫୁଲମାଳ,କଣ୍ଠଭୂଷଣ, ଗନ୍ଧମାଲ୍ୟ, ନଦୀ (ଯମୁନା), ପ୍ରୀତି, ମାଲ୍ୟ; ଅଳକ-ଭସାମେଘ, ଚୂର୍ଣ୍ଣକୁନ୍ତଳ, ଫୁଲ । (୧୯) କକୁଭ-ଦିଗ, ବୀଣାର ଲାଉତୁମ୍ବୀ, ବୀଣାର ଶେଷଭାଗ କାଠ, ବନମଲ୍ଲୀ, ପକ୍ଷୀ; ଗହନ-ବନପ୍ରାନ୍ତ, ଦୁଃଖରେ ଆତୁର । (୨୦) ପରିଘ-ଚନ୍ଦ୍ର, ବଜ୍ର, ପର୍ବତ; ସମାନ ପରିଘ-ବାଧା; କଉଶିକ-ନେତ୍ରଲୀଳା, ଶୃଙ୍ଗାର ରସରେ, ସାପୁଆ କେଳା, ପେଚା; କେଶରୀ-ସିଂହ; ନୟନ କେ ସରି-ପଦ୍ମକୁ କିଏ ସମାନ ହେବ ।
ଭାବାର୍ଥ- (୧୬-୨୦) ରେ କୋକିଳ, ପ୍ରିୟାର ସୁକାନ୍ତ ଚକ୍ଷୁକୁ ଧନୁଧାରୀ କନ୍ଦର୍ପ ଫୁଲଶରରେ ନାଶ କରିବ । ପ୍ରିୟା ମୋର ଦୁଃଖରେ କ୍ଷୀର, ଲବଣୀ, ଅନ୍ନ ଗ୍ରହଣ କରିବ ନାହିଁ । ସେ କେମିତି ବଞ୍ଚିବ ? ତା’ର ସୌନ୍ଦର୍ଯ୍ୟପୂର୍ଣ୍ଣ କଣ୍ଠ ରୁନ୍ଧି ହେଲେ ସେ ଦର୍ବଦା ଶିବ ଓ ବିଷ୍ଣୁଙ୍କୁ ସ୍ମରଣ କରିବ ।
ରେ କୋକିଳ, ସେ ମଣି ଓ ଆନନ୍ଦ ଦୂର କରିଥିବ । ତା’ ଶରୀରରେ ପୁଲକ ଜାତ ହେବ । ପ୍ରିୟାର ଧୀର ଗତି ହଂସକୁ ନିନ୍ଦା କଲେ । ମୀନକୁ ଦେଖି ନତ ହେବ । ତାକୁ ପୁଣି ଏତେ ଦଶା ଥିଲା ? ସେ ସୁନ୍ଦରୀର ସ୍ନେହ, ବିଚାରକୁ ଏବେ ଉଦାସୀନତା ନଷ୍ଟ କଲା ।
ମୋ ପ୍ରିୟତମା ମଲ୍ଲୀ ହାର, କଣ୍ଠଭୂଷଣ ଓ ଗନ୍ଧମାଲ୍ୟକୁ ତ୍ୟାଗ କରିସାରିବଣି । ତା’ ଦେହକୁ ଯମୁନା ନଦୀ ପ୍ରୀତିମଦ ଓ ମୁଁ ଦେଇଥିବା ମାଲ୍ୟ ଦହନ କରିବଣି । ସେ ମୋ ଦୁଃଖକୁ ଦୂର କରେ । ରେ କୋକିଳ, ସେ ତା’ର ମସ୍ତକରେ ଥିବା କଳା ଚୂର୍ଣ୍ଣ କୁନ୍ତଳ ସାଉଁଳେଇ ଦିଏ ଓ କୁଙ୍କୁମ ଲଗାଇ ଦିଏ ।
ରେ କୋକିଳ, ସେ ଧୀର ଭାବରେ ଦିଗମାନଙ୍କୁ ଚାହିଁବ । ବୀଣା ବଜାଇବାକୁ ଆଣି ନ ବଜାଇ କେବଳ ବୀଣାର ଲାଉତୁମ୍ବୀ ଓ ଅଗ୍ରଭାଗ କାଠକୁ ମଧ୍ୟ ଚାହିଁବ । ଆକୁଳ ପ୍ରାଣରେ ଅଶ୍ରୁତ୍ୟାଗ କରିବ । ତା’ର କୋଠାଘର ତାକୁ ଦୁର୍ଗମ ବନପରି ଅସୁଖକର ହେବ । ସତେ କ’ଣ ସେ ଜୀବନରେ ଥିବ ? ସେ ବନପ୍ରାନ୍ତକୁ ଚାହିଁବ । ମୋତେ ନ ଦେଖି ଦୁଃଖରେ ଭାଙ୍ଗି ପଡ଼ିବ ।
ନୂତନ ଚନ୍ଦ୍ର ତାକୁ ବଜ୍ର ଓ ପର୍ବତ ପ୍ରାୟ ବାଧା ଦେଉଥିବ । ତା’ର ନେତ୍ରଲୀଳା ଶୃଙ୍ଗାର ରସ ସମୟରେ ଏତେ ଚଞ୍ଚଳ ଯେ ତାହା ସାପୁଆ କେଳା ଓ ପେଚାର ଚକ୍ଷୁ ଚଞ୍ଚଳତାର ନିନ୍ଦା କରେ-। ରେ କୋକିଳ, ନବ ଅଙ୍ଗନା ସେ ରମଣୀମଣି ସିଂହମଧ୍ୟମାକୁ କିଏ ସରି ହେବ ।
ପଦ୍ମନେତ୍ର ଟେକି ଚାହିଁଲେ କେଶରୀ କେଶରୀ ଭଜିବେ ମହୀକି ।ପଡ଼ିବ ମୂର୍ଚ୍ଛାରେ ପତଙ୍ଗ ପତଙ୍ଗ ପତଙ୍ଗ ଦେଖିଲେ ସହୀକି ?କୋକିଳ, ପୀନସ୍ତନା ଏହା ସହିଲା ।ପଦ ସ୍ୱର୍ଗ କରି ଲୋଡ଼ିଣ ଆଲୋକ ଆଲୋକ ଆଲୋକ ହୋଇଲା ।୨୧।ସ୍ଫୁଟହାସୀ ହେବ ବାଳୀକ ବାଳୀକ ବାଳୀକ ରତି ମୋର ଶୁଣି ।ଫେନୁଟି ନ ଚାହିଁ କାଳିକା କାଳିକା କାଳିକା ପରା ଏକ ମଣି ।କୋକିଳ, ଫୁରୁଣା ଛାଡ଼ିଥିବ ପ୍ରାଣ ।ଫୁଲଲୀଟକେଶୀ କେକିନୀ କଳାପ କଳାପ କଳାପ ଦେଖିଣ ।୨୨।ବାରେ ହେବ କି ତା ଲକ୍ଷଣ ଲକ୍ଷଣ ଲକ୍ଷଣ କାମ ଜାଣିବାକୁ ।ବଦନ ତ ରାମ ଲକ୍ଷଣ ଲକ୍ଷଣ ଲକ୍ଷଣ ମୋ କାମଜ୍ୱରକୁ ।କୋକିଳ, ବାଳା କୋମଳା ରସିକିନି ।ବସି ଚାହୁଁଥିବ ପଦ୍ମିନୀ ପଦ୍ମିନୀ ପଦ୍ମିନୀ ଗାମିନୀ ମୋ ଧନୀ ।୨୩।ଭାଜିଥିବ ଏବେ ରଜତ ରଜତ ରଜତ କାମମୁଖେ ପଡ଼ି ।ଭଲ ତ ଚାହିଁବ ହରିତ ହରିତ ହରିତନେତ୍ରୀ ନେତ୍ର ଫେଡ଼ି ।କୋକିଳ, ଭାବବତୀ ଭାବ ଜାଣଇ ।ଭଲା ଦୂର ହେଲା ଭାବିନୀ ଭାବିନୀ ଲଜ୍ଜାରେ ଜୀବ ଯାଉ ନାହିଁ ।୨୪।ମଣିବ ତାରକ ସମାନ କୁନ୍ଦକୁ କୁନ୍ଦକୁ କୁନ୍ଦକୁ ହୋଇବ ।କୋକିଳ, ମହାଘୋର ଭୟ କରିବ ।ମନେ ଚିନ୍ତୁଥିବା କାନନ କାନନ କାନନ ସମାନ ମଣିବ ।୨୫।
ଶଦ୍ଦାର୍ଥ- (୨୧) କେଶରୀ-ହାତୀ, ସିଂହ; ପତଙ୍ଗ-ସୂର୍ଯ୍ୟ, ଅଗ୍ନି, ବାଣ; ସ୍ୱର୍ଗ-ମୁକ୍ତି; ଆଲୋକ-ଦର୍ଶନ, ଦୃଷ୍ଟିପଥ, ସ୍ମୃତିରେ । (୨୨) ବାଳୀକ କନ୍ୟା, ବାଳା ବୟଃ ସନ୍ଧି ସମୟରେ ରତି ପ୍ରସ୍ତାବ ଶୁଣି; କାଳିକା-କଳାମେଘ, ପାର୍ବତୀ, ଛାତିରୁ ନାଭିଯାଏଁ ରୋମାବଳୀ; ଫୁଲରୀଟ-ଭ୍ରମର; କେକିନୀ-ମୟୂରୀ; କଳାପ-ପୁଚ୍ଛ, ଚନ୍ଦ୍ର, ଧନୁ । (୨୩) ଲକ୍ଷଣ-ନାମ, ସ୍ୱରୂପ ଓ ଦର୍ଶନ; ପଦ୍ମିନୀ-ହସ୍ତିନୀ, ସରସୀ, ପଦ୍ମଫୁଲ । (୨୪) ମୁଖେ-ଆଗରେ; ରଜତ-ହାତୀଦାନ୍ତ, ଧଳା, ହାର; ହରିତ-ନୀଳ, ଦିଗ, ଚନ୍ଦ୍ର; ଭାବିନୀ-ସୁଲକ୍ଷଣା, ପ୍ରିୟା । (୨୫) କୁନ୍ଦକୁ-ବିଷ୍ଣୁ; ତାରକ-ତ୍ରାଣକର୍ତ୍ତା; କୁନ୍ଦ-ଫୁଲ; କାନନ-ଘର, ଜଙ୍ଗଲ ।
ଭାବାର୍ଥ- (୨୧-୨୫) ରେ କୋକିଳ, ପ୍ରିୟା ମୋର ତା’ର ପଦ୍ମ ନୟନକୁ ଟେକି ତେରଛା କରି ଚାହିଁଲେ ହାତୀ ଓ ସିଂହ ଭୂମି ଉପରେ ପଡ଼ିଯିବେ । ସୂର୍ଯ୍ୟ, ଅଗ୍ନି ଓ ବାଣ ମୋ ସଖୀକୁ ଚାହିଁଲେ ସେ ସହି ପାରିବ ନାହିଁ । ମୂର୍ଚ୍ଛିତ ହୋଇଯିବ । ମୋ ପ୍ରିୟା କ’ଣ ଏ ଦୁଃଖ ସହିଲା-। ମୋ ପଦକୁ ସ୍ୱର୍ଗ ମନେ କରି ସଜ୍ଜିତ ହୋଇ ମୋର ଦର୍ଶନ ଲୋଡ଼ିଲା । ମୋତେ ନ ପାଇ ମୋ ଗତିପଥକୁ ଚାହିଁଲା । ମନ ମଧ୍ୟରେ ମୋ କଥା ତା’ର କ’ଣ ରହିଲା ?
ବୟଃ ସନ୍ଧିକାଳର ରତି କଥା ଚିନ୍ତା କରି ସେ ସୁହାସିନୀ ପାଗଳିନୀ ପ୍ରାୟ ହେଉଥିବ । ସେ ମେଘକୁ ଓ ପାର୍ବତୀଙ୍କୁ ପ୍ରାର୍ଥନା କରିଥିଲା । ଛାତିରୁ ନାଭିଯାଏଁ ଲମ୍ବିଥିବା ରୋମାବଳୀକୁ ଶତ୍ରୁ ବୋଲି ଭାବିଥିବ । ସେ ଭ୍ରମର କେଶ, ଚନ୍ଦ୍ରଙ୍କୁ ଓ ଧନୁକୁ ଦେଖି ପ୍ରାଣ ଛାଡ଼ି ଦେବ । (କାରଣ ମୁଁ ମୟୂରପୁଚ୍ଛ ମୁଣ୍ଡରେ ଖୋଷେ, ମୋ ନାଁ କୃଷ୍ଣଚନ୍ଦ୍ର ଓ ଧନୁକୁ ଦେଖି ଫୁଲଧନୁ ଭାବିବ ।)
ରେ କୋକିଳ, ତୋର ନାଁ ସ୍ୱରୂପ ଓ ଦର୍ଶନ ସତରେ କ’ଣ କନ୍ଦର୍ପକୁ ଜିଣିବାକୁ ହେବ ? ତା’ର ମୁଖ ତ ସୁନ୍ଦର, ପରିଚୟ ଓ ଚିହ୍ନ । ମୋ କାମ ଜ୍ୱରକୁ ଔଷଧ ଅଟେ । ମୋ କୋମଳାଙ୍ଗୀ ହସ୍ତିନୀ ଗମନୀ ଏକାନ୍ତରେ ବସି ପୋଖରୀର ପଦ୍ମଫୁଲକୁ ଚାହୁଁଥିବ ।
ରେ କୋକିଳ, କନ୍ଦର୍ପର ଆୟତ୍ତରେ ପଡ଼ି ସେ ଅଚେତା ହୋଇଗଲେ, ହାତୀଦାନ୍ତ ସମାନ ତା’ର ଧଳା ମୋତିହାର ଛିଣ୍ଡି ଏଣେତେଣେ ବିଛାଡ଼ି ହୋଇ ପଡ଼ିଥିବ । ସେ ନୀଳନେତ୍ରୀ, ଦିଗ ଓ ଚନ୍ଦ୍ରକୁ ଭଲ ଭାବେ ଚାହିଁବନି । ସେ ଭାବବତୀ କେବଳ ଭାବ ଜାଣେ । ସେ ସୁଲକ୍ଷଣା ପ୍ରିୟା ମୋ ପାଖରୁ ଦୂର ହେଲା । ସେଇ ଲଜ୍ଜାରେ ମୋ ଜୀବନ ଯାଉନାହିଁ ଯାହା !
ରେ କୋକିଳ, ମୋ ପ୍ରାଣପ୍ରିୟ ବିଷ୍ଣୁଙ୍କୁ ତା’ର ତ୍ରାଣକର୍ତ୍ତା ବୋଲି ମନେ କରିବ । କୁନ୍ଦଫୁଲକୁ ଖରାପ ଓ ତ୍ରିଶୂଳ ପ୍ରାୟ ଭାବିବ । ମୋ ପ୍ରାଣପ୍ରିୟାର ପଦ୍ମମୁଖ ପାରଦ ସମାନ ନିର୍ମଳ । ସେ ମୋର ମୁକ୍ତି ଦାତ୍ରୀ, ମୂଲ୍ୟବାନ ରତ୍ନ । ସେ ମହାଭୟରେ ଦିବସକୁ ଓ ସୌଭାଗ୍ୟ ଚିନ୍ତା କରୁଥିବ । ତା’ର ଘରକୁ ବନ ପରି ମନେ କରୁଥିବ ।
ଯୋଷାମଣି ମୀନକେତନ କେତନ କେତନ କେତନ ରସାଇ ।ଯେବେ ଚାହିଁ ଦେବ କେତନ କେତନ କେତନ ତେବେ ମୋହଯାଇ ।କୋକିଳ, ଯତନେ ତା’ର ସଖୀଗଣ ।ଯୁବତୀ ଶରୀରେ କାଞ୍ଚନ କାଞ୍ଚନ କାଞ୍ଚନ କରିବେ ଲେପନ ।୨୬।ରମଣୀ ବିକ୍ରମ ବିକ୍ରମ ବିକ୍ରମ ଚାହିଁଣ ଭ୍ରମ ହେଉଥିବ ।ରଞ୍ଜିନୀ କାହାର ବିକ୍ରମ ବିକ୍ରମ ବିକ୍ରମ ଭାବି ତା ତେଜିବ ।କୋକିଳ, ରସା ଚିରିବ ନଖେ ବସି ।ରାମ ଅନାଇଲେ କୁସୁମ କୁସୁମ କୁସୁମ ରେ କର ନିବେଶି ।୨୭।ଲୀଳା ବିକାଶିନୀ ଗଉର ଗଉର ଗଉର ପରାଏ ମଣିବ ।ଲଳିତ ଗଉରୀ ଗଉରୀ ଗଉରୀ ଅନୁବରତରେ ଗୁଣିବ ।କୋକିଳ, ଲୟଥିବ ତାର ମୋ ତହିଁ ।ଲାବଣ୍ୟ ଅଧର ଗଉର ଗଉର ଗଉର ହୋଇଥିବ ନୋହି ।୨୮।ବ୍ୟଥିତ ହୋଇ ଚାହୁଁ ଥିବ ହରିଣ ହରିଣ ହରିଣ-ନୟନୀ ।ବିନ୍ଧିବି ବିଶିଖ ବିଶିଖ କୁମୁଦ କୁମୁଦ ଶର ରୋଷ ଘେନି ।କୋକିଳ, ବାଣୀ ନ ଶୁଭିବ ତାହାରି ।ବଡ଼ ଦୁଃଖରେ ରହିଥିବ ବନ୍ଧୁଜୀବ ବନ୍ଧୁ ଜୀବଜିତ ଅଧରୀ ।୨୯।ସିଞ୍ଚୁଥିବ ଏବେ ପୁଷ୍କର ପୁଷ୍କର ପୁଷ୍କର ତାହାର ସଜନୀ ।ସଜନୀ ଧରିଥିବ ତୁଣ୍ଡେ ପୁଷ୍କର ପୁଷ୍କର ପୁଷ୍କରଗମନୀ ।କୋକିଳ, ଶଶୀ-ଆନନୀ ହେଲା ଦୁଃଖୀ ।ଶୀର୍ଣ୍ଣ ହୋଇଥିବ ଅନାଇ ପୁଷ୍କର ପୁଷ୍କର ଲୋଡ଼ୁଥିବି ସଖୀ ।୩୦।
ଶଦ୍ଦାର୍ଥ- (୨୬) ଯୋଷାମଣି-ରମଣୀଶ୍ରେଷ୍ଠା; ମୀନକେତନ-କନ୍ଦର୍ପ; କେତନ-କାର୍ଯ୍ୟ, ଶରୀର, ନିମନ୍ତ୍ରଣ, ନାଗେଶ୍ୱର ଫୁଲ, ସ୍ଥାନ, ଚିହ୍ନ; କାଞ୍ଚନ-ପଦ୍ମକେଶର, ନାଗକେଶର, ଚମ୍ପା । (୨୭) ରମଣୀବିକ୍ରମ-ରମଣୀଶ୍ରେଷ୍ଠ; ବିକ୍ରମ-ବିଷ୍ଣୁ, ପାଦ, ଗତି, ସାହସ, ବେଗ; ରାମ-ତମାଳ, କୁସୁମ-ଚକ୍ଷୁପୀଡ଼ାକୁ ଅନୁଭବ କରିବା, ଫୁଲ, ଫଳ । (୨୮) ଗଉର-ଆଦର, ସ୍ନେହ, ଗୌରବ, ଗଉରୀ-ଗୋରଚନା ଜିତା, ଗଉରୀ-ଗୌରାଙ୍ଗୀ, ପାର୍ବତୀ, ସମ୍ମାନ, ଫିକା, ଚୈତନ୍ୟ ଲୋପ ହେବ । (୨୯) ହରିଣ-ମୃଗ, ସୂର୍ଯ୍ୟ, ଶିବ; ବିଶିଖ-ଶିଖା ବିହୀନ ଅଗ୍ନି, ଶର ;କୁମୁଦ-ସର୍ପ ବିଶେଷ, କଇଁ, ବନ୍ଧୁଜୀବ-ବଧୂଲି ଫୁଲ, ପ୍ରାଣ, (୩୦) ପୁଷ୍କର-ପଦ୍ମ, ପଦ୍ମପାଖୁଡ଼ା, ଜଳ, ହାତୀ, ଶିବ, ସୂର୍ଯ୍ୟ, ରାତ୍ରି-।
ଭାବାର୍ଥ- (୨୬-୩୦) ରେ କୋକିଳ, ମୋ ପ୍ରୟା କନ୍ଦର୍ପ ଶରୀର, କାର୍ଯ୍ୟ ଦେଖି ତାକୁ ନିମନ୍ତ୍ରଣ କରିଥିବ । ସେ ନାଗେଶ୍ୱର ଫୁଲ, ସ୍ଥାନ ଓ ଚିହ୍ନକୁ ଦେଖିଲେ ମୂର୍ଚ୍ଛାଯିବ । ତା’ର ସଖୀଗଣ ଯତ୍ନର ସହିତ ରମଣୀର ଦେହରେ ପଦ୍ମକେଶର, ନାଗକେଶର ଓ ଚମ୍ପା ଚଢ଼ାଉଥିବେ । ଏ ଗୁଡ଼ିକ ତାପନାଶ କରିବ ।
ମୋ ପ୍ରିୟା, ମୋତେ ଅର୍ଥାତ୍ ବିଷ୍ଣୁଙ୍କୁ ଓ ପାଦ ଚିହ୍ନକୁ ଦେଖି ଭ୍ରମରେ ପଡ଼ିଥିବ । ସେ କାହାର ଗତି, ସାହସ ଓ ବେଗ ଭାବି ତାକୁ ଛାଡ଼ିବ । ସେ ନଖରେ ଭୂମିକୁ ବିଦାରିବାକୁ ଚାହିଁଲେ ଚକ୍ଷୁପୀଡ଼ା ଅନୁଭବ ହେବ, ଫୁଲ ଓ ଫଳରେ ହାତ ଦେଇ ବସିଥିବ ।
ରେ କୋକିଳ, ରାଧା ମୋର ମୋ ଆଦର, ସ୍ନେହକୁ ଗୌରବ ଭାବେ । ସୁନ୍ଦର ଗୋରଚନାଜିତା ଗଉରୀ ସର୍ବଦା ପାର୍ବତୀଙ୍କୁ ଚିନ୍ତା କରୁଥିବ । ତା’ର ସୁନ୍ଦର ଅଧର ପ୍ରଶଂସନୀୟ ନ ହୋଇ ଫିକା ପଡ଼ିଯାଇଥିବ ଓ ତା’ର ଚେତନା ଲୋପ ପାଇଥିବ ।
ରେ କୋକିଳ, ସେଇ ମୃଗନୟନା କାମତାପ ବିନାଶ ପାଇଁ ସର୍ବଦା କାମତାପ ହ୍ରାସ ଓ ମଙ୍ଗଳ ସକାଶେ ସୂର୍ଯ୍ୟ ଓ ଶିବଙ୍କୁ ସ୍ମରଣ କରୁଥିବ । କନ୍ଦର୍ପ ତା’ର ବିଷାକ୍ତ ନୀଳୋତ୍ପଳ ଶର ଆଘାତରେ ତା’ ଚେତା ଲୋପ ପାଇଥିବ । ତା’ର କତା ଶୁଭିବନି, ସେ ମୂର୍ଚ୍ଛା ଯିବ । ସେଇ ବଧୂଲି ଅଧରା ପ୍ରିୟାର ପ୍ରାଣ ବଡ଼ ଦୁଃଖରେ ଥିବ ।
ରେ କୋକିଳ, ତା’ର ସଖୀମାନେ ତା’ର ବିରହ ତାପ ନାଶ ଲାଗି ତା’ ଉପରେ ପଦ୍ମପାଖୁଡ଼ା, ଜଳ ସିଞ୍ଚୁଥିବେ । ସେ ଗଜଗମନୀ ସର୍ବଦା କନ୍ଦର୍ପ ତାପ ନାଶ ପାଇଁ ଶିବ ଓ ବିରହ ରଜନୀକୁ ଦୂରେଇ ଦେବାକୁ ସୂର୍ଯ୍ୟଙ୍କୁ ପାର୍ଥନା କରୁଥିବ । ସେ ଚନ୍ଦ୍ରମୁହିଁ ଏବେ ଦୁଃଖ ପାଉଥିବ । ରାତିକୁ ଚାହିଁ ମୋ ସହିତ ମିଳନ ଚାହୁଁଥିବ ।
ଶଶାଙ୍କ ସଙ୍ଘାତ ସଙ୍ଘାତ ସଙ୍ଘାତ ବିଶିଖା କରିବ ହୃଦରେ ।ସୁମନା ସୁମନା ସୁମନା ମଣ୍ଡନା ଦିନେ ହେବ ଯଶ ଉରରେ ।କୋକିଳ, ସରୁ ନ ଥିବ ଦିବା ରାତି ।ଶୋକ କରୁଥିବ ଅନାଇ ସୁମନା ସୁମନା ସୁମନା ସୁଚିତ୍ରୀ ।୩୧।ସକଳ କରିବ ଯମକ ଯମକ ଯମକ ଅଳିସୁତ ସ୍ୱରେ ।ଶୋଇ ନଥିବ ସେ ପଲକେ ପଲକେ ମୋର କେଳି ଗୁଣି ମନରେ ।କୋକିଳ, ଶଶୀକଳା ପ୍ରାୟ ହେବନି ।ଶ୍ରବଣେ ଶୁଣି ସେ ଅଳପକ ଅଳପକ ଅଳପକ ମୋ ଧନୀ ।୩୨।ହେବନି ତା ମୁଖ ବନଜ ବନଜ ବନଜ ବାଛିଳା ପରାଏ ।ହଂସଗତି କରିବାକୁ ଶିବ ଶିବ ଶିବ ଗୁଣୁଥିବ ହୃଦୟେ ।କୋକିଳ, ହେଳାବତୀ ପାଶେ କହିବ ।ହେଳେ ନାଶୁଅଛି ଦର୍ପକ ଦର୍ପକ ଏଥିରୁ କେ ମୋତେ ତାରିବ ।୩୩।କ୍ଷମାସିନ୍ଧୁ ଥାଉ ବୃଷାଙ୍କ ବୃଷାଙ୍କ ବୃଷାଙ୍କ ଦହୁଛି ।କ୍ଷିତିମଣ୍ଡନା ପାଶେ ଏତେ କହିବୁ, କର ଧରି ତୋତେ କହୁଛି ।କୋକିଳ, କ୍ଷମ ହେ ଅଗମ ବ୍ରଜକୁ ।କ୍ଷମେ ରକ୍ଷାକର ଉପଇନ୍ଦ୍ର ଉପଇନ୍ଦ୍ର ଭଞ୍ଜ ମଙ୍ଗରାଜକୁ ।୩୪।
ଶଦ୍ଦାର୍ଥ- (୩୧) ଶଶାଙ୍କ-ଚନ୍ଦ୍ର; ସଙ୍ଘାତ-ଆଘାତ, ବିନାଶ; ସୁମନା-ମାଳତୀ; ମଣ୍ଡନସୁମନା-ଆନନ୍ଦମନା, ପଣ୍ଡିତା, ପ୍ରିୟା, ପ୍ରୀତିଯୁକ୍ତା, ମାଳତୀ ଫୁଲ । (୩୨) ଅଳିର ଯମକ-ଆଡ଼ମ୍ବର; ଯମକ-କର୍ଣ୍ଣ ସୁଖକର, ସଂଯମ; ଅଳ୍ପକ-ଧୀରେ; ଅଳପକ-କୋମଳ ଭାବରେ, ଅଳ୍ପ । (୩୩) ବନଜ-ପଦ୍ମ; ମୁଖ ବନଜ-ଅରଣ୍ୟ ଜାତ, ଟଭା; ଦର୍ପକ- ଦର୍ପକାରୀ, କନ୍ଦର୍ପ । (୩୪) ବୃଷାଙ୍କ-ଶିବ, ମୟୂର, ଜଳ, କନ୍ଦର୍ପ ।
ଭାବାର୍ଥ- (୩୧-୩୪) ରେ କୋକିଳ, ମୋ ପ୍ରିୟା ଚନ୍ଦ୍ରଙ୍କ ମିଳନ ଦେଖିଲେ ଆଘାତ ପାଇବ । ବିରହଜନିତ ଦୁଃଖ ଶର ପରି ତାକୁ ନାଶ କରିବ । ସେ ହର୍ଷମନା ପଣ୍ଡିତା ମୋ ବୁକୁ ଉପରେ ବୁକୁ ରଖି ମୋତେ ଆନନ୍ଦ ଦେବ । ମୋ କଥା ଭାବି ଭାବି ତା’ର ଦିନରାତି କଟୁ ନ ଥିବ । ମିଳନ ଆଶାରେ ତା’ର ବକ୍ଷୋଜ ଓ ଗଣ୍ଡଦେଶକୁ ଚିତ୍ର କରୁଥିବ । ମୋ ପ୍ରିୟା ମାଳତୀ ଫୁଲକୁ ଦେଖି ବିପରୀତ ରତି କଥା ମନେ ପକାଇ ମନ ଦୁଃଖ କରୁଥିବ ।
ଭ୍ରମରର ଆଡ଼ମ୍ବର ଓ ସୁମଧୁର ସ୍ୱର ଶୁଣି ତା’ର କାମ ପ୍ରବୃତ୍ତିକୁ ସଂଯମ କରୁଥିବ । ମୋ ଚିନ୍ତାରେ ସେ କ୍ଷଣେ ପାଇଁ ମଧ୍ୟ ପଲଙ୍କରେ ଶୋଇ ପାରୁ ନ ଥିବ । ମୋର କୋମଳ ବଂଶୀ ସ୍ୱନ ଶୁଣି ମୋ ଚିନ୍ତା କରୁଥିବ ଓ ଚନ୍ଦ୍ରକଳା ପରି କ୍ଷୀଣ ହୋଇ ଯିବଣି ।
ରେ କୋକିଳ, ମୋ ପଦ୍ମମୁଖୀର ମୁହଁ ଟଭାପରି କଳା ପଡ଼ିଯିବଣି । କାମତାପ ନାଶ ପାଇଁ ଶିବଙ୍କୁ, ତାପ ନାଶ ପାଇଁ ଚନ୍ଦନ ଓ ଜଳକୁ ମନେ ପକାଉଥିବ । ଗର୍ବୀ କନ୍ଦର୍ପ ମୋତେ ତା’ ବିରହରେ ନାଶ କରୁଛି ।
ରେ କୋକିଳ, ମୋ କ୍ଷମାସାଗର ଥାଉ ଥାଉ ମୋତେ ରାଧାଙ୍କ କେଶ ମୟୂରପୁଚ୍ଛ ସମାନ କାମଦେବଙ୍କ ଅଙ୍କରେ ଥିବା ନାୟିକା ରତି ଓ ଜଳ ମୋତେ ଦହନ କରୁଛନ୍ତି । ପର୍ବତ ବୃକ୍ଷଦ୍ୱାରା ନିବିଡ଼ ବ୍ରଜକୁ ତୁ ଗମନ କର । ହେ ଭଗବାନ ବିଷ୍ଣୁ, ଉପେନ୍ଦ୍ର ଭଞ୍ଜକୁ ଶୁଭରେ ରଖ ।
ବୈଦେହୀଶ ବିଳାସ (ପ୍ରଥମ ଖଣ୍ଡ)ଉପେନ୍ଦ୍ର ଭଞ୍ଜ ଉପେନ୍ଦ୍ର ଭଞ୍ଜ