(୧) — ଏବେ ମଧ୍ୟ ବଞ୍ଚିଛି — ଗୋଦାବରୀଶ ମହାପାତ୍ର · ସ୍ୱର୍ଣ୍ଣଲିପିସମ୍ପୂର୍ଣ୍ଣ ସୂଚୀପତ୍ର
(୧)
ଦିନ ନାହିଁ, ରାତି ନାହିଁ, କାମ ଚାଲିଛି । ଧରଣୀର ମାଟି ଗୋଡ଼ି ପଥର ସଙ୍ଗେ ଧରଣୀବାସୀ କେତେଗୁଡ଼ିମାନବ ସେଠି ସମାନ ହୋଇ ମିଶି ରହିଛନ୍ତି ! ସେମାନଙ୍କର ଜାତି-ମହତ୍ତ୍ୱ ନାହିଁ, ମାନ-ଗୌରବ ନାହିଁ, କୁଲିତ୍ୱର ମହିବା ବା ଅଭିଶାପରେ ଓଡ଼ିଆ, ତେଲଙ୍ଗା, ହିନ୍ଦୁ, ମୁସଲମାନ ସମସ୍ତେ ସେଠାରେ ସମାନ ।
ଅନବରତ କାର୍ଯ୍ୟ ଚାଲିଛି । ପର୍ବତ ତାଡ଼ି ପଥର ଫଟାଯାଉଛି, ହାତୁଡ଼ି ଧରି ପଥର ଗୁଣ୍ଡକରାଯାଉଛି; ଆଉ ବୁଭୁକ୍ଷୁ ମାନବ ସେଗୁଡ଼ାକ ବୁଭୁକ୍ଷୁଭାବରେ ବୋହିନେଇ ଠାଏ ଠାଏ ଜମାକରୁଛି । ସେହିଠାରେ ରସୁଲକୋଣ୍ଡାର ବିରାଟ ଘାଇ ବନ୍ଧାଯାଉଛି !
ଏ ପାଖେ ପର୍ବତ, ସେ ପାଖେ ପର୍ବତ - ଏ ମଧ୍ୟରେ ମାଟି ପଥର ଓ ମାନବର ଲୀଳା ଅନେକ ଦିନ ହେଲା ଚାଲିଛି । ମଣିଷ ତାଳୁରୁ ବାଳ ଉପୁଡ଼ିଯାଉଛି, ଆଖିର ତେଜ କମିଆସୁଛି, ପାଦର ଭତି ଶିଥିଳ ହୋଇପଡ଼ୁଛି; ତଥାପି ସେହି ମାନବ-କୁଲି ମାଟି, ଗୋଡ଼ି ପଥର ବୋହିବାରୁ ବିରତ ହେୁଉନାହାନ୍ତି !
ଏହି କୁଲିପ୍ରାଣରେ ପୁଣି ହସ ! ତାହା ବଡ଼ ବିଚିତ୍ର ଧରଣର ହସ । କିଏ ମାଟି ବୋହିଲା, କିଏ କେତେ ପଇସା ପାଇଲା ଏଥିରେହିଁ ସେମାନଙ୍କର ସାନବଡ଼ର ମହିମା । ସେଠି ଯେବେ କିଏ ବଡ଼ ଜାତିର ଲୋକ ଛୋଟ ଜାତିର ଲୋକକୁ ଜାତିକଥା ପଚାରେ, ଉତ୍ତର ପାଏ -‘‘ମୁଁ କୁଲି, କୁଲିଗିରି କରି ମୁଁ ପଇସା ପାଏ । ଗଙ୍ଗା ନାଇଡୁ, ରାମ ଦାସ, ମଧୁ ରାଉଳ, ରଘୁ ମିଶ୍ର ସମସ୍ତଙ୍କ ସାଙ୍ଗର ମୁଁ ଜଣେ ।’’
ରସୁଲକୋଣ୍ଡାର ଘାଇ ଏହିପରି ସାମ୍ୟଶିକ୍ଷା ଦେଇ ଅନେକ ଦିନ ଅନେକ ମାନବପ୍ରାଣୀଙ୍କୁ ବଞ୍ଚାଇ ରଖିଥିବା କଥା ଏବେ ମଧ୍ୟ ସେ ଅଞ୍ଚଳର ବନବାସୀ କନ୍ଧଙ୍କଠାରୁ ପ୍ରାସାଦବାସୀ ଭଦ୍ରଲୋକଙ୍କ ପର୍ଯ୍ୟନ୍ତ ଅନେକଙ୍କ ମୁହଁରୁ ନିରାଟ ସତ୍ୟରୂପେ ଶୁଣାଯାଏ ।
(୨)
ସେ ଦିନ ଏବେ ଅର୍ଦ୍ଧଶତାବ୍ଦୀରୁ ବଳିଗଲାଣି । ସେଠାରେ ମାଟିଗୋଡ଼ି ବର୍ତ୍ତମାନ ସୁନା ପାଲଟି ମାନବର ଅକଳନ୍ତି ରତ୍ନ ଭଣ୍ଡାରରେ ପରିଣତ ହୋଇଗଲାଣି । ସେଠାରେ ପାଣି ବର୍ତ୍ତମାନ ଭଞ୍ଜଭୂମି ଗଞ୍ଜାମରେ ଅମୃତଧାରାରୂପେ ଗ୍ରାମ ବିଲ ପ୍ରାନ୍ତରରେ ସୁନାର ଫୁଲ ଫୁଟାଇ ଦେଲାଣି । ଆଉ ସେ ଯୁଗର କଥା, ସେହି କୁଲି ଧର୍ମର ସାମ୍ୟପୀଠ କଥା କିଏ ମନେ ପକାଉଛି ? ସେହି ଯୁଗର ଏକ ମାତୃତ୍ୱର କ୍ଷୁଦ୍ର କାହାଣୀ ଏହିଠାରେ ଏତେ ଦିନପରେ କୁହାଯାଇଛି ।
ଦିନେ ସେଠାରେ ସନ୍ଧ୍ୟା ହେଲା । ଦୂର ମଫସଲ ଭିତରେ ଯେପରି ସନ୍ଧ୍ୟାର ହେଲା । ଦୂର ମଫସଲ ଭିତରେ ଯେପରି ହେଳାନାହିଁ । କ୍ରମେ ତରୁଲତାମୂଳ ଅନ୍ଧାର, ତା’ପରେ ଗିରିଗହା ଅନ୍ଧାର, ତା’ପରେ ପର୍ବତର ଶିଖରଦେଶ ନିଷ୍ପ୍ରଭ, ଶେଷରେ ନଭଶ୍ଚଭୀ ପାହାଡ଼ଟା କେଉଁଆଡ଼େ ଅଦୃଶ୍ୟ ! ଚାହୁଁ ଚାହୁଁ ନିବିଡ଼ ଅନ୍ଧକାର ଭିତରେ ବିଶାଳ ଧରଣୀ ବୁଡ଼ିଗଲା । ଖାଲି ଶୁଭିଲା ବନ୍ୟ ପଶୁର ବିକଟ ଚିତ୍କାର; ଆଉ, ପବନର ସନସନ ଶବ୍ଦ ।
ସେହି ଭିତରେ କିନ୍ତୁ ଧରଣୀବାସୀ ସେହି ଶ୍ରାନ୍ତ କ୍ଲାନ୍ତ କୁଲିଗୁଡ଼ାକ ଆନନ୍ଦରେ ଅଧୀର ହୋଇ ମାତି ଉଠିଲେ !’’
କିଏ କହିଲା -‘‘ବୋଲ ଭାଇ, ଆଲ୍ଲା ହୋ ଆକବର !’’
କାହାର ଗମ୍ଭୀର ସ୍ୱର ଚମକ ଦେଇ ଉଠିଲା - ‘‘ବଂ ବଂ ଶିବ - ଭୋଳାନାଥ....’’- ଏହିପରି କେତେ ପ୍ରକାରେ ମହାମହିମଙ୍କ ମହିମା ସଙ୍ଗୀତ ଶୁଣାଗଲା ! ରସୁଲକୋଣ୍ଡାର ନିର୍ଜୀବ ଗୋଡ଼ି, ମାଟି, ପଥର ଭିତରୁ ପ୍ରତିଧ୍ୱନି ଉଠି ବେଳେବେଳେ ଶାନ୍ତ ନୈଶ ଗଗନକୁ ଚମକାଇ ଦେଇ ନୂତନ ବିଶ୍ୱ ସୃଷ୍ଟିକଲା ।
ସେହି ସନ୍ଧ୍ୟାରେ ଘାଇରେ କାମ କରୁଥିବା କୁଲିମାନଙ୍କର ଏକ ବଣଭୋଜି । ହିନ୍ଦୁ, ମୁସଲମାନ, ଓଡ଼ିଆ, ତେଲଙ୍ଗା, ବ୍ରାହ୍ମଣ, ଚଣ୍ଡାଳ ସମସ୍ତଙ୍କର ଉତ୍ସବ । ସମସ୍ତେ କୁଲି; ସମସ୍ତେ ବୁଝିଥିଲେ ସେଠି ସମସ୍ତେ ସମାନ । ଗାଣ୍ଡୁଆଏ ମାଟି ମୁଣ୍ଡକୁ ଟଷକିଲେ କେତେ ଝାଳ ବୁହେ, ଖଣ୍ଡେ ପଥର ଗୁଣ୍ଡ କଲେ କିପରି ଷୋଳ ଶିରା ଦୁହିଁହୋଇଯାଏ -ଏ ପ୍ରାଣର ବ୍ୟଥା ସମସ୍ତଙ୍କୁ ଏକାପରି ଜଣାଥିଲା । ତେଣୁ ସମସ୍ତେ ସସସ୍ତଙ୍କୁ ଜାଣିଥିଲେ - ସମସ୍ତେ ସମସ୍ତଙ୍କୁ କୁଲି ବୋଲି ପରିଚୟ ଦେଉଥିଲେ ।
ସେହି ଭୋଜିରେ ସାମ୍ୟ-ଧର୍ମ ପାଳିତ ହେଲା ।
(୩)
ପାତ୍ରପଡ଼ା ଗୋଟିଏ କ୍ଷୁଦ୍ର ପଲ୍ଲୀ । ଘାଇର ହୁଡ଼ା ଉପରେ ଠିଆହେଲେ ପାହାଡ଼ତଳେ ଛୋଟ ଛୋଟ ଯେଉଁ କେତୋଟି ଚାଳଘର ଦେଖାଟାଏ ସେଠା ପାକଲୋକେ ସେହି ସ୍ଥାନଟିକୁ ପାତ୍ରପଡ଼ା କହନ୍ତି ।
ଘାଇପାଖେ ତ କୁଲି-ଭୋଜି ସରିଲା; ତା’ ପରେ ଗାଁ ଭିତରେ ଏକ କୁଡ଼ିଆ ପାଖେ ଏକ ବିଷମ ସମସ୍ୟା ପହଞ୍ଚିଲା । ଭୋଜି ଖାଇସାରି ଚଉଦବର୍ଷର ଭେଣ୍ଡିଆ ନାରସେନା ଯେତେବେଳେ ଯାଇ ପାତ୍ରପଡ଼ା ଗାଁର ଗୋଟିଏ କୁଡ଼ିଆ ପାଖେ ପହଞ୍ଚିଲା ରାତିଅଧରେ, ଜଗୁଆଳ କୁକୁର ଗର୍ଜିଉଠିଲା ପରି ଘର ଭିତରୁ ଗର୍ଜନ ଶୁଭିଲା - ‘‘ଦୂର୍ହୁଅ ଅଜାତିଆ, ଦୂର୍ହୁଅ । ଯା, ପୁରୀ ଯା, ଗୋବରପାଣି ପି, ତେବେ ଯାଇ ଜାତି ପାଇବୁ । ବାର ଜାତି, ତେର ଗୋଲା, ପଠାଣ, କିରସ୍ତାନ ସାଙ୍ଗରେ ଖାଇ ଏ ଘରେ ପୁଣି ପାଦ ପକାଇବାକୁ ଆସିଛୁ ?’’
ନାରସେନାର ପଥର-ବୁହା ମୁଣ୍ଡ ଭିତରେ ଏ କଥାଗୁଡ଼ାକ ସହଜରେ ପ୍ରବେଶ କଲା ନାହିଁ । ସେ ସତରେ ଆପଣା ଘରକୁ ଆସିଛି କି ଆଉ କେଉଁଠିକି ଆସିଛି; କିଛି ସମୟ ଠିଆହୋଇ ଆଗ ଭାବିଲା । ଯେତେବେଳେ ସେ ଆପଣା ଦୁଆରମୁହଁର ଲେମ୍ବୁଗଛ, ପଥର ପାହାଚ ସବୁ ଚିହ୍ନିପାରିଲା, ଧୀରେ ଧୀରେ ପାଦଚାଳି ପିଣ୍ଡାରେ ଯାଇ ବସିଲା ।
ସଙ୍ଗେ ସଙ୍ଗେ ଗାଳି ପରେ ଗାଳି ବର୍ଷଣ ହେଲା । ନାରସେନା ଗତ ଦେଢ଼ବର୍ଷ ହେଲା ଦେହକୁ ପଥର କରି କେତେ ପଥର ବୋହିଛି, ପଥରଠାରୁ କେତେ ଧୈର୍ଯ୍ୟ ଶିକ୍ଷା କରିଛି; ମାତ୍ର ସେତେବେଳର ଗାଳି ତାକୁ ବଡ଼ ବାଧିଲା । ତା’ ମୁଣ୍ଡରେ କେତେ ଚିନ୍ତା ଖେଳିଲା । ଘର ଭିତରକୁ ପାଦ ପକାଇବାକୁ ମନା । ସନ୍ଧ୍ୟାବେଳେ ଥିଲା ଅଧିକାର, ,ଇ କେତେ ଘଣ୍ଟା ଭିତରେ ସେ ଅଧିକାର ଗଲା । କୁଆଡ଼େ ? ବଣଭୋଜି କି ସମସ୍ତଙ୍କ ଆଖିରେ ଏପରି ଲୁହ ଆଣି ସମସ୍ତଙ୍କୁ ଏପରି ଅଜାତିଆ କରିଦେଲା !
ଓହୋ . . . ନାରସେନାର ବୁକୁ ଫାଟିଗଲା ପରି ଲାଗିଲା । ଅନ୍ଧାର ଭିତରେ ସେ ଜଣକର ଛବି ଦେଖିଲା ଡାକିଲା -‘‘ମାଆ !’’
ପରମୁହୂର୍ତ୍ତରେ ପିଣ୍ଡାର ସେ ପାଖର କାହା ହୃଦୟ ଭିତରେ ଗୁରୁ ଶ୍ୱାସକ୍ରିୟାର ଶବ୍ଦ ଜଣାଗଲା ।
ପୁଣି ଏ ପଚାରିଲା - ‘‘ଯିବି ଭା’ରି ? ଏ ଘର କ’ଣ ମୋର ଆଉ ନୁହେଁ ?’’
ଉତ୍ତର ପାଇଲା - ‘‘ନା, ଅଜାତିଆର ଏ ଘର ନୁହେଁ । ଯା, ଜାତି ହେଲେ ଆସିବ ।’’
ନାରସେନାର ତରୁଣ ହୃଦୟ କେବଳ ଦୁଃଖ, ଅଭିମାନ, କ୍ରୋଧରେ କୁହୁଳିଉଠିଲା । ଅନ୍ଧାର ଭିତରେ ସେ କେତେ କ’ଣ ଭାବିଗଲା । ରାତି ତିନି ପହର - ଏ ଗଭୀର ଅନ୍ଧାର ଭିତରେ ତା’ ଉପରେ କାହାର ଏ ଅଭିଶାପ ପଡ଼ିଲା!
ଶୂନ୍ୟ ଅନ୍ଧାର, ଶୂନ୍ୟ ଧରଣୀ - ଏ ଭିତରେ ଶୂନ୍ୟ ହୃଦୟଟା ଧରି ନାରସେନା ଧୀରେ ଧୀରେ ପାଦ ଉଠାଇଲା ।
(୪)
ରୁକ୍ଷ ଗିରି-ପାହାଡ଼ ଉପରେ ଜୀବନ-ଆଲୋକ ବିୟ୍ଚିଲା ପରି ପ୍ରଭାତୀ ତାରା ଯେତେବେଳେ ଦିଗ୍ବଳୟର ଅଳ୍ପ ଦୂରରେ ହସିଉଠି ଘାଇର ପାଣି ଭିତରେ ପ୍ରତିବିମ୍ବିତ ହେଲା, ସେତିକିବେଳେ ସେହି ଘାଇ ଉପରେ ଜଣେ କିଏ ବର୍ଷୀୟସୀ ନାରୀ ତା’ର ପ୍ରାଣର ନନ୍ଦନକୁ ପ୍ରାଣରେ ପ୍ରତିବିମ୍ବିତ କରିାବକୁ ଚେଷ୍ଟାକରି କପୋଳ- ଦେଶରେ ଘନଘନ ଚୁମ୍ବନ ଦେଇ କହିଲା-‘‘ବାବୁ ରେ, ଧନ ମୋର . . . କୁଆଡ଼େ ଯିବୁ . . . ?’’
ପଥରୁଦ୍ଧ ଝରଣାର ଜଳ ହଠାତ୍ପଥ ପାଇ ଉଛୁଲି ଉଠିଲା ପରି ତାହାରି କୋଳରେ କାହାର କଣ୍ଠର ସ୍ୱର ଶୁଣାଗଲା -‘‘ମାଆ . . . ?’’
ପୁଅ ରାତିରେ ଘର ଛାଡ଼ି ଆସିଲା ପରେ ମାଆ ଯେ କି ଉଦ୍ବେଗରେ ବଣକୁଦା ଭିତରେ ଡାକି ହାକି ବୁଲୁଛି, ସେ କଥା କେବଳ ସେହି ମାତୃହୃଦୟ ବୁଝିବ । ଶେଷକୁ ପୁଅକୁ ବନ୍ଧ ଉପରେ ନିଦ୍ରିତାବସ୍ଥାରେ ପାଇ ଜାକିପକାଇ କହିଲା - ‘‘ବାବୁ ମୋର, ଯାଉଛୁ କୁଆଡ଼େ ତୁ ?’’
ନାରସେନାର ଚେତା ହେଲା । ଘରୁ ଆସି ସେ ଗଛ ପଥର ପାଣି ପବନ ସମସ୍ତଙ୍କ ଆଗେ ଦୁଃଖ ଜଣାଇଥିଲା, ସମସ୍ତଙ୍କୁ ଉତ୍ତର ପାଇଁ ଡାକିଥିଲା; ମାତ୍ର ମାଆକୁ କିଛି କହିପରି ନ ଥିଲା । ବାଟକଡ଼ର ତା’ର ବିରପରିଚିତ ସିନ୍ଦୂରବୋଳା ପଥର ଠାକୁରାଣୀଙ୍କୁ କୂଣ୍ଢାଇ ଡ଼ାକିଥିଲା - ‘‘କହ ମା’ . . . ମୋର କି ଜାତି ଗଲା ?’’
ଶେଷରେ ସତରେ ତା’ର ମାଆ ଆସି ଯେତେବେଳେ ତାକୁ ଛୁଇଁଲା, ସେ କହିଲା - ‘‘ମୁଁ ଅଜାତିଆ, ମାଆ, ମୋତେ ଛୁଇଁଲେ ଜାତି ଯିବ !’’
ମାଆ କହିଲା - ‘‘ମୋର ଜାତି ଯିବ ? ମୁଁ ପରା ତୋର ମାଆ . . . .!’’
‘‘ମା’! ମୁଁ ଯିବି ଦୂରକୁ । ମୋର ଘରେ ଆଉ ଥାନ ନାହିଁ ।’’
-‘‘ହଁ, ଦୂରକୁ । ଜାତି ନାଇଁ ମୋର । ଏଠି ମୋତେ କିଏ ‘ଜାତି’ ପଚାରିଲେ କ’ଣ କହିବି?’’
ମାଆ ପୁଅକୁ ଆହୁରି କୋଳକୁ ଟାଣିଆଣି କହିଲା - ‘‘କହିବୁ ମୋର ପୁଅ ବୋଲି !’’
‘‘ଅଜାତିଆ ତୋର ପୁଅ ହେବ. . . ’’ ଏତିକି କହି ପୁଅ ବ୍ୟାକୁଳ ସତୃଷ୍ଣଭାବରେ ମାଆର ସେହି ସ୍ନେହ-ଲାବଣ୍ୟମୟ ମୁଖମଣ୍ଡଳକୁ ଚାହିଁରହିଲା ।
ସେଥିରୁ ଯେଉଁ ଅମୃତ ଝରୁଥିଲା, ମୁହୂର୍ତ୍ତକେ ତା’ ହୃଦୟଟା ସେଥିରେ ଉଲ୍ଲସି ଉଠିଲା; ମାଆ ଆଉ ଉତ୍ତର ଦେଇ ପାରିଲାନାହିଁ । ଅଜସ୍ର ଧାରାରେ ତା’ର ଦୁଇ ଆଖିରୁ ଲୁହ-ଝରଣା ଫିଟିଗଲା । ରସୁଲକୋଣ୍ଡାର ସେହି ଘାଇଠାରୁ କେଡ଼େ ଗଭୀର ସେ ଝରଣା ! ଖାଲି ଲୁହ - ଖାଲି ଲୁହ - ଓହୋ . . . ସେ ହୃଦୟଟା ଫାଟିଗଲା ପରା !
ପୁଅ କହିଲା - ‘‘ମା, ଯାଉଚି ଦୂରକୁ ।’’
-‘‘ଚାଲ ଧନ, ମୁଁ ଯିବି . . . .’’
ଦିହେଁ ଚାଲିଲେ - ଚାଲିଲେ . . . ଚାଲିଲେ . . . .
ରାତି ପାହିଲା । ମାଟି ବୁହା ହେଲା; ମାତ୍ର ନାରସେନା ଆଉ ତା’ର ମାଆର ଇତିହାସ ସେଦିନ ସେହିଠାରେ ସେତିକିରେ ରହିଲା ।
ଏହି ଘଟଣାର ବହୁବର୍ଷ ପରେ - ୧୯୩୪ ମସିହା ଜୁଲାଇ ମାସ ୧୦ ତାରିଖ ସନ୍ଧ୍ୟାବେଳେ ଛତ୍ରପୁର ସହରର ଏକ ଗଳି ଭିତରେ ହଠାତ୍କଥା ପ୍ରକାଶ ପାଇଲା ଯେ, ରସୁଲକୋଣ୍ଡା ଘାଇ-ଯୁଗର ନାରସେନା ନାଇଡୁ ପୀର୍ମହମ୍ମଦ ନାମରେ ଏ ପର୍ଯ୍ୟନ୍ତ ମୁଣ୍ଡ ଟେକି ସଂସାରରେ ରହିଛି । ସେ ଆଉ ଘରକୁ ଫେରିନାହିଁ, ପୁରୀ ଯାଇନାହିଁ, ଗୋବରପାଣି ପିଇ ନାହିଁ । ଜାତିର ଧକ୍କା ତାକୁ ବହୁ ଦୂରକୁ ଠେଲିଦେଇଛି ।
(୧)
ଥରେ ମାତ୍ର ଦେଖା; ତା’ ପୁଣି ମୁହୂର୍ତ୍ତକ ପାଇଁ !
ସେ ଦିନ ବଡ଼ ଖରା । ଆକାଶରୁ ନିଆଁ ବର୍ଷା ହେଉଥିଲା । ରସମୟୀ ପୃଥିବୀ ତା’ର ଶୁଷ୍କ ବୁକୁ ଦେଖାଇ ତତଲା ପବନ ଭିତରେ କେବଳ ହାହାକାର କରୁଥିଲା । ସେହି ନିର୍ଜନ ମୁହୂର୍ତ୍ତରେ କେବଳ ମୁହୂର୍ତ୍ତକ ପାଇଁ ତା’ ସହିତ ମୋର ଦେଖାହୋଇଥିଲା ।
ଏ ଜନ୍ମରେ କିଏ କାହାର ପରିଚିତ ନ ଥିଲୁଁ । ସେ ଥିଲା କେଉଁ ଦୂର ମଫସଲର; ମୁଁ ସହର ଭିତରର ଜୀବ । ସେ ଚାଲିଥିଲା ପାଦରେ; ମୁଁ ଥିଲି ମୋର କ୍ଷୁଦ୍ର ଯାନଦେହରେ । ଏତିକିବେଳେ ତା’ ସହିତ ମୋର ଦେଖା; ତା’ ପୁଣି ମୁହୂର୍ତ୍ତକ ପାଇଁ !
(୨)
ବ୍ରହ୍ମପୁରଠାରୁ ବଡ଼ଖେମୁଣ୍ଡି ରାସ୍ତାରେ ଗଲାବେଳେ ବାମ ଦିଗରେ ଯେଉଁ ଘନ-ତରଙ୍ଗିତ ରୁକ୍ଷ-ଗିରିଶ୍ରେଣୀ ଦେଖାଯାଏ, ତାହାରି ପାଦଦେଶରେ କୌଣସି ଏକ ଅଖ୍ୟାତ କ୍ଷୁଦ୍ର ପଲ୍ଲୀରେ ମୋର ଏ କ୍ଷଣ-ପରିଚିତ ବନ୍ଧୁଙ୍କ ଘର । କଠୋର ଗିରିଶ୍ରେଣୀ କେତେ ଯୁଗରୁ ଯେ ସେପାଖେ ମୁଣ୍ଡଟେକି ଠିଆହୋଇଛନ୍ତି, ସେ କଥା ମାନବର ଇତିହାସ ଏପର୍ଯ୍ୟନ୍ତ କହିପାରି ନାହିଁ । ନିତାନ୍ତ ରୁକ୍ଷ ଗିରିମାଳା । -ସେଥି ଉପରେ ଗଛପତ୍ର ସୁଦ୍ଧା ଉଠିବାକୁ ବର୍ଷରେ ଛଅ ମାସ ସାହସ କରି ପାରନ୍ତିନାହିଁ । ସେହି ସ୍ଥାନକୁ ଆଶ୍ରା କରି ମନୁଷ୍ୟ ସେଠି ଘର ତୋଳିଲା ! ତାକୁ ପୁଣି ଚାହିଁ ମନୁଷ୍ୟ ସେଠି ବଞ୍ଚିଲା ! କୋମଳ ପ୍ରାଣ ମନୁଷ୍ୟକୁ ଏହି ଗିରିଗୁଡ଼ାକ ନିଷ୍ଠୁର ହେବାକୁ ଆଦର୍ଶ ଦେଖାଇନାହାନ୍ତି ବୋଲି କିଏ କହିବ ?
(୩)
ମୁହୂର୍ତ୍ତକର ବନ୍ଧୁ ମୋର ! ହାଡ଼ଦେହରେ କେବଳ ଚର୍ମ ଆବରଣଟିଏ ରଖି ସେ ଆସି ଠିଆହେଲା । ବଡ଼ଘରର ବଡ଼ଲୋକର ଛାଞ୍ଚ ତା’ ମୁହଁଗଠନରେ ଦିଶିଯାଉଥିଲା । ତା’ର ଚାହାଣି ଭିତରେ କୌଣସି ବିସ୍ମୃତ ସୌଭାଗ୍ୟର ବେଳାଭୂମିର କ୍ଷୀଣ ଫେନରେଖା ମୁଁ ଦେଖିପାରିଲି । ତା’ର ଭିକାରିର ବେଶତଳେ ମାନବିକତାର ଯାଦୁସ୍ପର୍ଶ ମୋତେ ମୁହୂର୍ତ୍ତକ ପାଇଁ ଚମକାଇ ଦେଲା । ସେ ମୋ ଆଡ଼କୁ ହାଦ ବଢ଼ାଇ କହିଲା - ‘‘ବାବୁ !’’
କ’ଣ କହିବି ଭାବୁଚି, ପୁଣି ତା’ର ମର୍ମତଳର କରୁଣସ୍ୱର ଶୁଣିଲି - ‘‘କିଛି ଦେଇପାରିବ ବାବୁ ?’’
(୪)
ଦୁଇ ପ୍ରକାରର ହାତ ପୂରାଇଲି । ସେ ଭିତରେ କିଛି ନ ଥିଲା । ତୁଚ୍ଛା ହାତଟା ପକେଟରୁ କାଢ଼ି ତା’ର ହାତଟଶକୁ ଧରିପକାଇ କହିଲି - ‘‘ଭାଇ, କିଛି ନାହିଁ !’’
ତା’ର ଶୁଖିଲା ଅଧରତଳେ କୁଆଡ଼ୁ ହସ ଟିକିଏ ନିଗିଡ଼ି ପଡ଼ିଲା । ପରିଚିତ ବନ୍ଧୁପରି ମୋ ମୁହଁକୁ ସେ ଚାହିଁଦେଇ କହିଲା - ‘‘କିଛି ନାହିଁ ତ ନ ଥାଉ । ଯାହା ଦେଲ, ମୋତେ, ଲକ୍ଷେ ଟଙ୍କା ।’’
ଆଉ କାହାକୁ ସେ ମାଗି ନାହିଁ । ଯାନ ଛାଡ଼ିଦେଲି ।
(୫)
ଦୁଇ ପାଖରେ ଗିରି ଉପରେ ଗିରି । ରାସ୍ତାରେ ନିର୍ମମ ପଥରଗୁଣ୍ଡି ଉପରେ ଯାନଟା କେବଳ ପଡ଼ିଲା, ଉଠିଲା । ମୋର ମନ ଥରିଲା, ମୋର ଦେହ ଥରିଲା । କେତେବେଳେ ହୃଦୟ ଭିତରେ ଅବସାଦ ଆସିଲା, ବୁଝିପାରିଲି ନାହିଁ । ହଠାତ୍ଚମକ ଭାଜିଲା । ହାତ ମୁଠାଟା ଆଖି ପାଖକୁ ଆଣି ଦେଖିଲି - ମୋ’ରି ହାତ; ମାତ୍ର ତାହା ଉପରେ କାହାର ଗ୍ରନ୍ଥିଳ ସ୍ପର୍ଶ ମୋ ମନକୁ କ୍ଷଣକୁ କ୍ଷଣ ଚମକାଇଲା । ଦୂର ଗିରିଗହଳ ତଳେ ସେହି ଅସ୍ଥି-ଚର୍ମସାର ଠିଆହେଉଛି । ଶୁଣିଲି, ସେହି କ୍ଷଣକର ବନ୍ଧୁ କେବଳ ମୋ’ରି ଆଡ଼କୁ ହାତ ବଢ଼ାଇ କହୁଛି -‘‘କିଛି ଦେବ ?’’ ସେ ପୁଣି କହୁଚି -‘‘ଯାହା ଦେଲ, ଲକ୍ଷେ ଟଙ୍କା !’’
(୬)
ଆଖି ଫିଟାଇ ତାକୁ ଦେଖିଲି, ଆଖି ମୁଦ ତାକୁ ଦେଖିଲି । ତାକୁ ପାହାଡ଼ତଳେ, ଦେଖିଲି ତାକୁ ହୃଦୟତଳେ । ଦେଖିଲି ଦୂର ମଫସଲ ଗାଁରେ ସେ ବସିଛି । ସୁନ୍ଦର କୁଟୀର ଖଣ୍ଡିଏ, ତାହାରି ଭିତରେ ଶିଶୁକଣ୍ଠରୁ କଳରୋଳ ଉଛୁଳି ପଡ଼ୁଛି । ସେହି ଦୁଆରେ ପଞ୍ଜୁରି ଭିତରେ ବଣର ପକ୍ଷୀ ଶୁଆ ମନୁଷ୍ୟର ଦେବତା ‘କୃଷ୍ଣ’ ନାମ ଗାଉଛି । ଦେଖିଲି, ବନ୍ଧୁ ମୋର ଘରେ ବସିଛି. ତା’ ବିଲରେ ସୁନା ଫଳୁଛି । ଗୁହାଳରେ ଗୋମାତାର ସ୍ତନ-ତଳୁ ରସଧାର ସ୍ରବି ବସୁମାତାକୁ ସିକ୍ତ କରିଦେଉଛି । ପାହାଡ଼ର ରୁକ୍ଷ-ତରୁତଳେ ଗଉଡ଼ ପିଲାର ବଂଶୀ ବାଜିଲେ ବନ୍ଧୁ ମୋର ନିତ୍ୟକର୍ମ ଶେଷ କରୁଛି ତା’ର ସୁଖର ସମୁଦ୍ର ତାକୁ କେନ୍ଦ୍ର କରି ଚତୁର୍ଦ୍ଦିଗରେ କଳରୋଳ ସୃଷ୍ଟି କରୁଛି । ସେ ହସୁଛି, ସେ ଖେଳୁଛି; ପଲ୍ଲୀ-ସଂସାରକୁ ହୁଏତ ସେ ହସାଉଛି ।
ତା’ପରେ ଦେଖିଲି - ସେହି ମୋର ବନ୍ଧୁ, ସେହି କ୍ଷଣକର ବନ୍ଧୁ ମୋର ମହାଜନ ଦୁଆରେ ଯାଇ ଠିଆ । ସେ ଟଙ୍କା ଧରି ଆସୁଛି, ଟଙ୍କା ଶୁଝିବାକୁ ଯାଉଛି, ତା’ କାଖରେ ଛତା , ହାତରେ ଦଲିଲ ଦସ୍ତାବିଜ । ସେ ଚାଲିଛି କଚିରିକି ।
ଦେଖିଲି, ବନ୍ଧୁ ମୋର ଫେରୁଛି ତା’ ପ୍ରିୟ କୁଟୀର ଭିତରକୁ । ପ୍ରିୟ କୁଟୀରଖଣ୍ଡିକ ତା’ର ହୋଇ ଆଉ ନାହିଁ । ମହାଜନର ପତାକା ତା’ ଚାଳ ଉପରେ ଉଡୁଛି । ବିଲର ଧାନ କରଜା ବାବଦକୁ ବିଲରୁ ଶୁଝାଯାଇଛି । ଘରର ମାଲିକ ଏବେ ଘରର ରଇତ ହୋଇଛି !
ପୁଣି ଦେଖିଲି - ବନ୍ଧୁ ମୋର ଚାଲିଛି ଟଙ୍କା ଅରଜି । କାହିଁ ରାଙ୍ଗୁନ, କାହିଁ କଲିକତା; ସବୁଠୁଁ ଫେରିଛି ସେ । ତା’ର ଦୃଷ୍ଟିଆଗେ ଚାରିଟି ପିଲା, ଆଉ ଜୀବନର ସଙ୍ଗିନୀ !
ଦେଖିଲି, ତା’ର ଲୁଗା ଥିଲା, ଲୁଗା ମଇଳା ହେଲା । ମଇଳା ଲୁଗା ଖଣ୍ଡ ଖଣ୍ଡ ହୋଇ ଛିଡ଼ିଗଲା । ଛିଣ୍ଡା ଲୁଗା ଗଇଁଠା ହେଲା । ମୁହଁରେ କେବଳ ଦାନ୍ତଗୁଡ଼ିକ ଧରି, ଦେହରେ କେବଳ ଚମ ପରସ୍ତେ ଧରି ସେ ଆସି ମୋ’ରି ଆଡ଼କୁ ହାତ ବଢ଼ାଇ କହିଲା -‘‘କିଛି ଦେବ ? ଯାହା ଦେଲ, ଲକ୍ଷେ ଟଙ୍କା ।’’
ଚମକିପଡ଼ି ମୋ ହାତକୁ ମୁଁ ଚାହିଁଦେଲି । ଶୂନ୍ୟ ଘର, କେହି କୁଆଡ଼େ ନାହାନ୍ତି । ସେ ଯାନଟା ଚାରି ଘଣ୍ଟା ହେଲା କୁଆଡ଼େ ଗଲାଣି । ମାନବକଣ୍ଠର ଚିତ୍କାରରେ ମୋର ପାଖ ଘରଟା ପୂରିରହିଛି । ଆଉ, ମୁଁ ମୋର ବିଛଣାରେ ପଡ଼ି ମୋର ସେହି ମୁହୂର୍ତ୍ତକର ଦେଖା ବନ୍ଧୁଙ୍କୁ ଆଉ ଥରେ ଦେଖିବାକୁ ଇଚ୍ଛା କରୁଛି; ମାତ୍ର ସେ ଯାଇ ବହୁ ଦୂରରେ - ଦଶ ମାଇଲ ଦୂରରେ ଏବେ ।