(୨) — ଏବେ ମଧ୍ୟ ବଞ୍ଚିଛି — ଗୋଦାବରୀଶ ମହାପାତ୍ର · ସ୍ୱର୍ଣ୍ଣଲିପିସମ୍ପୂର୍ଣ୍ଣ ସୂଚୀପତ୍ର
(୨)
କୁଡ଼ିଆ ଭିତରେ ପାଟରା ସାରା ସଂସାର । ମା’ ନାହିଁ, ବାପ ନାହିଁ, ଗାଁରେ ତା’ର ସାହା-ସାଥୀ ମଧ୍ୟ କେହି ନାହାନ୍ତି । କେବଳ ତା’ର ନିଜର ହୋଇ ଅଛି ହସହସ ମୁହଁଖଣ୍ଡିକ, ସହଜ ସରଳ ବ୍ୟବହାର- ଟିକକ ।
ଓଡ଼ିଶାରେ ୨୬ ସାଲ ଦୁର୍ଭିକ୍ଷର ନିଷ୍ଠୁର ତାଡ଼ନାରେ ଗାଁଗଣ୍ଡା ଯେତେବେଳେ ଜନଶୂନ୍ୟ ହେଉଥିଲା, ଘଡ଼ିଘଡ଼ିକି ମଧ୍ୟରେ ବାପ ମା’, ଭାଇ ଭଉଣୀଙ୍କ ମଧ୍ୟରେ ଚିରଦିନ ପାଇଁ ବିଦାୟ ଦିଆନିଆ ଚାଲିଥିଲା, ସେହି ସମୟରେ ଏକ ମୁଠି-ଚାଉଳ-ବଣ୍ଟା କେନ୍ଦ୍ରରେ ପାଟ ସହିତ ଗତିର ପରିଚୟ । ଦୁହେଁ ଜାତିର ବାଉରି, ହିନ୍ଦୁ ଜାତିର ଅସ୍ପୃଶ୍ୟ । ଏହି ପିତହୀନ ଅସ୍ପୃଶ୍ୟ ବାଳକ ବାଳିକା ଦୁହିଁଙ୍କର ମା’ ଦୁହେଁ ଭାଗ୍ୟସ୍ରୋତରେ ଭାସି ଭାସି ଆସି କେତେ ଦିନ ପରେ ସୁନାଖଳା ଗାଁର ଶେଷ ମୁଣ୍ଡରେ ଚାରିଟା ବେଢ଼ା ବାଉଁଶରେ ତିଆରି ହୋଇଥିବା ଦୁଇଖଣ୍ଡି କୁଡ଼ିଆ ଭିତରେ ଲାଗିଲେ । କିଛି ଦିନ ପରେ ସେହି କୁଡ଼ିଆ ଭିତରେ ମୃତ୍ୟୁଲୀଳା ଆାରମ୍ଭ ହେଲା । ମୃତ୍ୟୁ-ଦେବତା ଧନୀ ଦରିଦ୍ର ନ ବିଚାରି ସୁନାଖଳା ପରି ଜଣାଶୁଣା ଗାଁରେ ମଧ୍ୟ ତା’ର ଲୀଳା-ଖେଳା ଆରମ୍ଭ କରିଦେଲା । ସେହି କୁଡ଼ିଆ ଭିତରେ ଦୁଇଟି ଅନାଥା ଦୁଇଟି ଅନାଥ ବାଳକବାଳିକାଙ୍କୁ ବୋଲଗଡ଼ ରାଜ୍ୟର ମରୁ ପଡ଼ିଆରେ ଛାଡ଼ି ଦେଇ ଆଖି ବୁଜିଦେଲେ । ଆଖି ବୁଜିବା ପୂର୍ବରୁ ଦୁହିଁଙ୍କ ଭିତରେ କଥା ହୋଇଥିଲା ଯେ, ଗତି ସହିତ ପାଟର ବିଭାଘର ହେବ - ଏ କଥା ଗତି ଜାଣେ; ପାଟ ମଧ୍ୟ ଜାଣେ ।
ଗତିକି ଯେତେବେଳେ ଅଠର ବର୍ଷ ବୟସ ଏବଂ ପାଟକୁ ତେର ବର୍ଷ ବୟସ ହେଲା, ଏହି ନିର୍ବନ୍ଧ କଥା ସେମାନଙ୍କର ମନେପଡ଼ିଲା । ମନେପକାଇ ପାଟର ଲଜ୍ଜାର ସୀମା ରହିଲାନାହିଁ । ଗତିର ନୂତନ ଘରଦ୍ୱାର ପରିବାପାଇଁ ଯୋଗାଡ଼ର ବାକି ରହିଲାନାହିଁ । ପରଦ୍ୱାରରେ ଚାକିରି କରି ସେ କିଛି ପଇସା ରୋଜଗାର କଲା । ସେହି ପଇସାରେ ଘରଖଣ୍ଡିଏ ଟେକି ପରଠାରୁ ଚାରି ମାଣ ଚାଷ କଲା । ଦେଖୁ ଦେଖୁ ତା ଆର ବର୍ଷକୁ ସେହି ନୂଆ କୁଡ଼ିଆ ଭିତରେ ଦି’ ଭରଣ ପୁରୁଣା ଧାନ ଜମା ! ଲୋକେ କହିଲେ - ‘‘ଗତି ନାହାକ ନିଜ ବାହାଘର ପାଇଁ କେଡ଼େ ଲୋଭରେ ଧାଇଁଚି; ଗାଁ କରଣ ସାଆନ୍ତକୁ ବଳିଯିବା ପରା !’’
କିନ୍ତୁ ଅଧା ପଥରେ ବାଧା ପଡ଼ିଲା । ଖଙ୍ଗୁରିଆ ଗାଁର ବାଞ୍ଛା ନାହାକର ପୁଅ ସହିତ ପାଟର ପ୍ରସଙ୍ଗ ଉଠିଲା । ଗତି କେଭେଁ ଏ କଥା କଳ୍ପନା କରି ନଥିଲା । ପାଟ ଯେ ତା’ର ଏବଂ ସେ ପାଟର - ଏ କଥା ସେ ବୁଦ୍ଧି ହେଲା ଦିନୁ ବୁଝିଆସିଥିଲା । ତା ଦେହର ପ୍ରତି ଲୋମକୂପରେ, ତା ଘରର ପ୍ରତି ବାଲିକଣାରେ ପାଟ ଲୁଚି ରହି ହସୁଥିବା ପରି ଏପର୍ଯ୍ୟନ୍ତ ସେ ଜାଣିଥିଲା । ଏକଥା ଶୁଣି ତା ମନରେ ହଠାତ୍ଅସମ୍ଭବ ଭାବାନ୍ତର ଆସିବା କଥା ।
ଦିନେ ସୂର୍ଯ୍ୟ ନ ଉଠୁଣୁ ସେ ଯାଇ ପାଟ ସହିତ ଦେଖାକଲା । ପାଗଳ ପରି ପାଟର ହାତ ଦୁଇଟା ଭିଡ଼ିଧରି କହିଲା - ‘‘ପାଟ, ସତ କହିଲୁ, କାହା ସଙ୍ଗେ ଗଣ୍ଠି ବନ୍ଧା ହେଉଛି ?’’
ପାଟ ଲାଜରେ ମୁଣ୍ଡ ପୋତି ଧୀରେ ଧୀରେ ଉତ୍ତର ଦେଲା - ‘‘କିଛି ତ ହୋଇନାହିଁ; କଥା ହୋଇଛି ।’’
ଗତି ସେଠି ଠିଆ ହୋଇ ନ ପାରି ଝାଉଁଳିଲା ପରି ତଳେ ବସିପଡ଼ିଲା । ତା ପରେ ସତୃଷ୍ଣନୟନରେ ଏକଲୟରେ ପାଟର ମୁହଁକୁ ଚାହିଁ କହିଲା - ‘‘ପାଟ, ପାଟ ଶୁଣିଚି, ମୁଁ କ’ଣ ସେଥିକି ପାରିବି ନାହିଁ ? ମା’ କ’ଣ କହିଯାଇଥିଲା ମନେପକେଇଲୁ ! ସେତବେଳେ କ’ଣ ମୁଁ ଧନୀ ହୋଇ ଥିଲି ? ଦିହେଁ ପରା ବୁଲି ବୁଲି ଭିକ ମାଗି ଆଣୁଥିଲେ ! ମୁଁ କ’ଣ ଧନ ଅର୍ଜିପାରିବି ନାଇଁ . . . ?’’ . . . ଗତିର ଆଖି ଲୁହରେ ଛଳଛଳ ହୋଇଗଲା । ତା’ ଦେଖି ଆଖିର ଲୁହ ଏଡ଼ାଇବା ପାଇଁ ପାଟ ନିଜ ମୁହଁ ବୁଲେଇଦେଲା । ତା ପରେ ଦିହେଁ ନୀରବରେ ଠିଆ ହୋଇ କେତେ କ’ଣ କଥା ହେଲେ, କାହିଁ କେଉଁ ସ୍ମୃତିରାଜ୍ୟରେ ଯାଇ ବୁଲିଲେ । ରାତି ପାହି ଆଲୁଅ ହେଲା । ସଂସାରରେ ଗହଳ-ଚହଳ ଆରମ୍ଭ ହେଲା । ସେହି ସମୟରେ ସେହି ନୀରବ ନୀସ୍ତବ୍ଧ କୁଡ଼ିଆ ଭିତର ଦୁଇଟି କିଶୋର କିଶୋରୀ କିଛି ଦିନ ପାଇଁ ପରସ୍ପରଠାରୁ ବିଦାୟ ନେଲେ । କିଶୋର କହିଲା ‘‘ଯାଉଚି ପାଟ, ଚିଠି ଦେବି ।’’
(୩)
ଦୁଇ ପାଖେ ଗିରିମାଳା । ସେ ଭିତରେ ବିଲ ପଡ଼ିଆର ବୁକୁ ଚିରିଲା ପରି ଉନ୍ନତ ବକ୍ଷରେ ରାଜରାସ୍ତା ଶୋଇଛି । ଭୟଙ୍କର ଅନ୍ଧାର ରାତି । ଝଡ଼ିବର୍ଷାରେ ବାଟପାଖେ ଗଛ ଲତା ବାରିବା କଷ୍ଟ । କେତେବେଳେ ବିଜୁଳି, କେତେବେଳେ ବଜ୍ର, କେତେବେଳେ ବା କେଉଁ ଅଜଣା ପକ୍ଷୀର ଚିତ୍କାର । ସାଇଁସାଇଁ ଉତ୍ତରା ପବନ, ଶରଜାଳ ପରି ବର୍ଷାଧାରା, ଉପରେ କଳାହାଣ୍ଡିଆ ମେଘମାଳା, ତଳେ କର୍ଦ୍ଦମାକ୍ତ ବସୁମତୀ - ସଂସାରରେ ଏହିପରି ସମୟରେ, ଏହିପରି ସ୍ଥାନରେ, ଏହିପରି ଅବସ୍ଥାରେ ପଥିକ କିଏ ଚାଲିଛି ? ଲକ୍ଷ୍ୟ ଯେପରି ତା’ର ପୂର୍ବରୁ ନିର୍ଦ୍ଦଷ୍ଟ । ବ୍ୟଥା ଯେପରି ତା’ର ମର୍ମଗତ । ନିଜର ବଳିଷ୍ଠ ଶରୀରଟାକୁ ପ୍ରକୃତିର ଏ ସକଳ ଭୀଷଣତା ଭିତରେ ଦେଖାଇ ଦେଇ ସେ ଯାଇ ପଲ୍ଲୀର କୁଟୀର ଦୁଆରେ ଠିଆହେଲା । ଗୁରୁଭାର ବାକ୍ସଟିଏ ତଳକୁ ଓହ୍ଲାଇ ଦେଇ ସେ ଦୁଆରେ ହାତ ମାଇଲା । ଜାଣିପାରିଲା, ତୁଆର ନାହିଁ । ତା ପରେ ତଳ-ଉପରକୁ ଚାହିଁ ଥରେ ଉପରକୁ ହାତ ବଢ଼ାଇଲା । ବିଚାରିଲା - ଏ ଘର ନା ଗଛମୂଳ ! ଚାଳର ରୁଅରେ ହାତ ବାଜିବାରୁ ତା’ର ଚେତନା ଆସିଲା । ହାତ ବଢ଼ାଇବା ସଙ୍ଗେ ସଙ୍ଗେ ସେ ଘର ଭିତରକୁ ଗୋଡ଼ ବଢ଼ାଇଲା । ଏରୁଣ୍ଡି ବନ୍ଧ ଡେଇଁ ପାଦ ଘର ଭିତରେ ପଡ଼ିଲା । ସେହି ଅନ୍ଧକାର ଭିତରେ ସେ ମୁହୂର୍ତ୍ତେ ଥକା ହୋଇ ଡାକିଲା - ‘‘ପାଟ !’’
ଏହି ପଦକ ‘ପାଟ’ ଶବ୍ଦ ଶତସହସ୍ର ଭାବରେ ପବନର ସାଇଁସାଇଁ ଶବ୍ଦ ସଙ୍ଗେ ପୁଣି ସେହିଠାକୁ ଫେରିଆସିଲା ପରା ! କେହି ଉତ୍ତର ଦେଲେ ନାହିଁ । ସେ ଅଭ୍ୟର୍ଥନା ପାଇବ ବୋଲି ଆଶା କରି ଝଡ଼ପବନରେ ଧାଇଁଥିଲା, କାହାର ଦେଖା ସୁଦ୍ଧା ପାଇଲାନାହିଁ । ସେ ଯାହାପାଇଁ ଅନ୍ଧକାର ରାତି ମାନି ନ ଥିଲା, ସେ ଏବେ କାହିଁ ? ଭାବିଲା, ‘‘ତେବେ କ’ଣ ଏ ଥାନାଟା ସୁନାଖଳା ନୁହେଁ ? ନା, ସେଇ ସଡ଼କ, ସେଇ ପର୍ବତ, ସେହି ପୋଖରୀ - ସବୁ ତ ପାରି ହୋଇ ଆସିଲି !’’
ପଥିକ ଭାବି ଭାବି ସେହିଠାରେ କ୍ଲାନ୍ତଭାବରେ ବସିପଡ଼ିଲା । ସେଭିତରେ ସେ ଦେଖିଲା - ମାନଗୌରବରେ ମଣ୍ଡିତ ହୋଇ ଦୂର ରାଚ୍ୟରୁ ସେ ଫେରୁଛି । ତା’ ପାଇଁ ଫୁଳମାଳ ଧରି ଜଣେ କିଏ ଦୁଆରମୁହଁରେ ଠିଆହୋଇଛି । ସେ ତାକୁ କୋଳକୁ ଟାଣିନେଇ ଘନଘନ ଚୁମ୍ବନ ଦେଲା । ସେହି ଆବେଶ ଭୋଳରେ ଡାକିଲା - ‘‘ପାଟ !’’
ହଠାତ୍ଚମକି ଦେଖିଲା, ତା’ ନିଦ ଭାଜିଯାଇଛି । ପିଣ୍ଡାରେ ପ୍ରବାସ-ଫେରନ୍ତାର ବାକ୍ସଟିଏ ଦେଖି ଗାଁଲୋକେ ଜମା ହୋଇ ତାକୁ ଦୋଦୋଚିହ୍ନା ହେଉଛନ୍ତି । ପଥିକ ଦେଖିଲା, ସେ ସେହି ବାଉରି ପିଲା ଗତି । ସେହି ଗାଁ ସୁନାଖଳା ସେହିପରି ଅଛି । ସେହି ବୋଲଗଡ଼ ମୂଲକର ଗିରି ପାହାଡ଼ ଯୁଗ-ଯୁଗର ନିର୍ଧୂମ ଅକର୍ମା ପଥରସବୁ ଆଦରରେ ବୁକୁରେ ଧରି ସେହି ଦମ୍ଭରେ ଠିଆହୋଇଛି; କିନ୍ତୁ ନାହିଁ କେବଳ ତା’ର ପ୍ରାଣର ପାଟ !
ଗତ ବର୍ଷକୁ କହିଯାଇ ଦେଢ଼-ବର୍ଷରେ ଆସାମରୁ ଫେରିଲା । ଏ ମଧ୍ୟରେ ପାଟର ବିବାହ ହୋଇସାରିଛି; ଗତି ପ୍ରତି ଏ ସମ୍ବାଦ ଏକାବେଳକେ ନୂଆ । ତା’ ପୁରୁଣା ଜୀବନକୁ ନୂଆ କରି ଗଢ଼ିବା ପାଇଁ ସେ ଏତେ ବାଟ ଆସାମ ମୂଲକରୁ ଫେରିଆସିଲା; ମାତ୍ର ଯାହା ଶୁଣିଲା ସେଥିରେ ତା’ର ଧୈର୍ଯ୍ୟ ରହିଲାନାହିଁ । ବସିବା ଥାନରୁ ଉଠିବାକୁ ତା’ର ମନ ଡାକିଲାନାହିଁ । ଦିନ ଦି’ଦିନ, ଚାରି ଦିନ, ଆଠଦିନ ଗଲା; ଗାଁର କରଣ ସାଆନ୍ତେ ଜାଣିଲେ, ପର ଗାଁଲୋକେ ଜାଣିଲେ । ଖବର ହେଲା ଯେ ସୁନାଖଳା ଗତି ନାହାକ ଆସାମରୁ ଫେରିଆସି ମୂକ ହୋଇଯାଇଛି ।
ମୂକ ଗତିର ଆଉ କଥା କହିବାକୁ କିଛି ନ ଥିଲା । ଯାହା କହିବା କଥା, ସେ ଆଗରୁ ପାଟକୁ କହିସାରିଛି । ବର୍ତ୍ତମାନ ତା’ର ହୃଦୟ-ସିଂହାସନ- ପ୍ରେମର ସିଂହାସନ ଗଢ଼ିବା କଥା । ସେହି କାର୍ଯ୍ୟରେ ସେ ଲାଗିଗଲା ।
(୪)
ଗତ ପନ୍ଦର ଦିନ ମଧ୍ୟରେ ଘରେ ଥିବା ସମ୍ପତ୍ତିପତ୍ର ବିକିସାରିଲା । ଘରଖଣ୍ଡିକ ଜଣକୁ ବନ୍ଧକ ଦେିଦେଲା । ତା’ପରେ ଆସାମରୁ ଯାହା ରୋଜଗାର କରିଥିଲା, ସବୁ ଏକାଠି କଲା ।
ଗତିର ଏହି ମୂକ-ରୋଗ କଥା କେହି ବୁଝିପାରିଲେ ନାହିଁ । ପାଟ ପାଖକୁ ଖବର ଯାଇଥିଲେ ବା ସେ ବୁଝିପାରିଥାନ୍ତା । ଦିନେ ସନ୍ଧ୍ୟାବେଳେ ସେବ ବେଶୀ ବାଉଳିଚାଉଳି ହୋଇ ଛଟପଟ ହୋକୁ ଲାଗିଲା । ବୁକୁ ଉପରେ କ’ଣ କନାପୁଡ଼ାଟାଏ ଧରି କେବଳ ‘ପାଟ, ପାଟ’ ବୋଲି ପାଟିକଲା । ମାତ୍ର ପାଟ ପକୃତରେ ଯେତେବେଳେ ପରମୁହଁରୁ ଖବର ପାଇ, ତା’ ସ୍ୱାମୀକୁ ସାଙ୍ଗରେ ଧରି ତା’ର ଶେଯ ପାଖେ ଆସି ଠିଆହେଲା, ସେତେବେଳେକୁ ସବୁ ଶେଷ ହୋଇଯାଇଥିଲା . . . ସନ୍ନିପାତର ଶେଷ ମୁହୂର୍ତ୍ତରେ ସେ କେବଳ ମୁଣ୍ଡ ଗଡ଼ଉଥିଲା । . . . ପରେ ଦେଖାଗଲା, ସେହି ପୁଡ଼ାଟି ଭିତରେ ଗୋଟିଏ ହାର, ଦୁଇଟି ମୁଦି - ସବୁ ସୁନାର ।
ପାଟ ଏହି ପୁଡ଼ାଟିର ଅର୍ଥ ବେଶ୍ବୁଝିଲା । ହୃଦୟ ଭିତରେ ପ୍ରେମସିଂହାସନ ଗଢ଼ି ପାଟକୁ କେବଳ ସେ ସେଥିରେ ବସାଇଲା । ଆଉ ପାଟର ମନବୋଧପାଇଁ ନିଜ ଦେହର ରକ୍ତ ପାଣି କରି ଏହି କେତୋଟି ପାର୍ଥିବ ଜିନିଷ ତା ପାଇଁ ସଜାଡ଼ିରଖିଥିଲା ।
ଏହି ପ୍ରେମ-ସିଂହାସନ କଥା ସୁନାଖଳାର ଗତି ବୁଝିଥିଲା, ପରେ ପାଟ ବୁଝିଲା; ମାତ୍ର ଅନ୍ୟ ଲୋକେ କୁହାକୁହି ହେଲେ ‘‘ଗତି ନାହାକକୁ ଆସାମରେ କିଏ ପାଙ୍ଗି ଛାଡ଼ିଦେଲା ।’’
ଅନେକ ବର୍ଷ ତଳେ । ସେତେବେଳେ କି ୠଷିକୁଲ୍ୟା ଏହିପରି ବହୁଥିଲା ? ଏହିପରି କି ଉତ୍ତାଳ ତରଙ୍ଗମାଳା କୂଳେ କୂଳେ ଶିର ପିଟି କି ଅବୋଧ୍ୟ ସଙ୍ଗୀତ ଗାଇ ଯାଉଥିଲା ? ଏହିପରି କି ଏହି ଗିରି-ନନ୍ଦିନୀ ବାଲୁକାତଳ୍ପରେ କେଉଁ ହଜିଲା ରତ୍ନ ଖୋଜି ବୁଲୁଥିଲା ?
ସେତେବେଳେର କଥା କିଏ କହିବ ? କିଏ କହିବ ୠଷିକୁଲ୍ୟା ସେତେବେଳେ କାନ୍ଦୁଥିଲା କି ହସୁଥିଲା ? କିଏ କହିବ ଏଠି ସେ କୋଳିଥିଲା କି କ’ଣ ଖୋଜୁଥିଲା ? ପ୍ରତି ମୁହୂର୍ତ୍ତରେ ପ୍ରତି କଥା ଯେ ତା’ର ଏଇ ତରଙ୍ଗ ପରି ଗୋଟିକ ପରେ ଗୋଟିଏ କୁଆଡ଼େ ଉଭେଇ ଯାଇଛି ! ତରଙ୍ଗ ଉଭେଇଗଲେ କି ସେ ତରଙ୍ଗ ଆଉ ପୁଣି ଉଠେ ?
ତରଙ୍ଗ ଉଠି ତରଙ୍ଗର କଥା ମନେପକାଏ; ମାତ୍ର ଫେରିଆସେ ନାହିଁ । ମାନବପ୍ରାଣର ଚିରନ୍ତନ ବ୍ୟଥା ସ୍ମୃତିପଟରେ ଜାଗିଉଠେ, ଦିବସ-ମାସ-ବର୍ଷ-ତରଙ୍ଗରେ ସ୍ମୃତିର କେତେ କେତେ ମଧୁର ଜୁଆର ଉଠେ, କେତେ ଅବ୍ୟକ୍ତ ସଂଙ୍ଗିତ ହୋଇ ଉଠ; ମାତ୍ର ଗଲା କଥା କିଛି ଫେରିଆସେ ନାହିଁ । ତେଣୁ କିଏ କହିବ ସେଇ କାଳର ସେଇ କଥା ? ସେଠି କୁଡ଼ିଆ ଥିଲା କି ଉଆସ ଥିଲା, ସେଠି ପ୍ରାଣ ଥିଲା କି ପଥର ଥିଲା, ସ୍ମୃତିର ଶତ ଶତ ତରଙ୍ଗରେ ମନେପଡ଼ିବ ମାତ୍ର ।
ଧର, ସେଠି କୁଡ଼ିଆ ଥିଲା । ତା’ ପରେ ? କୁମଡ଼େ ଭିତରେ ଦୁଇଟି ପ୍ରାଣୀ ଥିଲେ । କୁଡ଼ିଆରେ ଖଣ୍ଡେ ଦୂରରେ ସୁଦୀର୍ଘ ଆସିକା ନଗରୀ । ତେଣେ ନଗରୀ ଭିତରେ ଆଲୋକ-ରେଖା ଜଳିଉଠିଲାବେଳେ କୁଡ଼ିଆର ଏକ ଦିଗରେ - ୠଷିକୁଲ୍ୟାର ସେ ପାଖରେ, ଅନନ୍ତ ଗଗନର ବିପୁଳ ମେଘମାଳା ପରପାରରେ ସ୍ୱର୍ଗବାସୀ କିଏ ଦେବତା କୁଡ଼ିଆଟିକୁ ଚାହିଁରହିଥାନ୍ତି . . . ଦୁଇଟି ପ୍ରାଣୀ କୁଡ଼ିଆ ବାହାରେ ବସି ଦେଖନ୍ତି ଆକାଶର ତାରା, ୠଷିକୁଲ୍ୟାର ଚଳ-ତରଙ୍ଗମାଳା, ଆଉ ଆସିକା ନଗରୀର ଦୀପାଲୋକ ! ଜଣେ ଭାବେ -‘‘ସେହି ସ୍ୱର୍ଗର ଦେବତାଙ୍କ ଦେଶକୁ ଚାଲିଯାନ୍ତି କି ! ଏଇ ୠଷିକୁଲ୍ୟାର ତରଙ୍ଗ-ରାଜ୍ୟରେ ବୁଡ଼ିରହି ବେଳେବେଳେ ତରଙ୍ଗ ପରି ମୁଣ୍ଡ ଟେକି ଆସିକାର ପାଖେପାଖେ ଏଇ ଭଙ୍ଗା କୁଡ଼ିଆଟିକୁ ଚାହୁଁଥାନ୍ତି କି !’’ . . . କାହିଁ, ସେ ଭାଗ୍ୟ ତା’ର କାହିଁ ?
ଆଉ ଜଣେ ଭାବେ -‘‘ଏଇ ସ୍ୱର୍ଗବାସୀ ଦେବତା ପରି ହସନ୍ତି, ଏଇ ଢଳଢଳ ତରଙ୍ଗମାଳା ପରି ନାଚନ୍ତି, ଏ ସଂସାର ଛାଡ଼ି ଆଉ କୁଆଡ଼େ ଯାଆନ୍ତି ନାହିଁ । ଏଇ ଆସିକା ନଗରୀର ଆଲୋକିତ କେଉଁ ଉଆସ ମଣ୍ଡପରେ ବସି ବସି ଏଇ ସ୍ମୃତିର ସମ୍ପଦ କୁଡ଼ିଆଟିକୁ ଦେଖୁଥାନ୍ତି !’’ . . . ଆଶା ତା’ର କିଏ ପୂର୍ଣ୍ଣ କରିବ ?
ସେହି ଦୁଇଟି ପ୍ରାଣୀ ଭିତରୁ ଜଣେ ଜଡ଼ିତ ବିକଳ କଣ୍ଠରେ ଅନ୍ୟ ଜଣକୁ ପଚାରେ, ‘‘ଝିଅ ଲୋ -’’
ଜଣକର ଭାବମୁଗଧ୍ଅନ୍ତର ଉତ୍ତର ଦିଏ - ‘‘କ’ଣ, ମା’ ?’’
ମା’ ପଚାରେ -‘‘ଆଜି ତ ଘରେ କିଛି ନାହିଁ ।’’
ଝିଅ ଉତ୍ତର ଦିଏ -‘‘ନ ଥାଉ ।’’
ଦୁହେଁ ନୀରବ ରହି କ’ଣ ଭାବନ୍ତି । କିଛି ସମୟ ପରେ ପୁଣି ପ୍ରା୍ନ ଉଠେ -
‘‘ଆଜି ତ ମା ଲାଗି ଗଲୁ ନାଇଁ, ଆଜି ତ ବିକି ଗଲୁ ନାଇଁ, ମୋ ଗୋଡ଼ହାତ କି ଚଳୁଛି ଯେ . . . . !’’
ଝିଅ କିଛି ହେଲେ ଉତ୍ତର ଦିଏ ନାହିଁ । ତା’ ମନରେ କି ଭାବନା ଖେଳୁଥାଏ ସେତବେଳେ ସେହି କେବଳ ଜାଣେ । ୠଷିକୁଲ୍ୟାର ବୁକୁ ଉପରେ ମେଘଛାଇ ପଡ଼ିଗଲେ ତା’ର ନିଦ ଭାଙ୍ଗିଯାଏ - ତା’ ଜାଗ୍ରତ ସ୍ୱପ୍ନ ହଠାତ୍ଓଲଟିପଡ଼େ ।
ମଣିଷ କି କେବେ ଚାହିଁକରି ଏପରି ଭାବରେ ସ୍ୱପ୍ନ ଦେଖିପାରେ ? ଏକଥା ବୁଢ଼ୀ ବିଶ୍ୱାସ କରିପାରେ ନାହିଁ । ଗତ କଥା ସେ ଆଉ ଭାବିପାରେ ନାହିଁ; ମାତ୍ର ଷୋଳ ସତର ବର୍ଷର ଝିଅ ପକ୍ଷରେ ଏହା ନିତାନ୍ତ ସମ୍ଭବପର ।
ଆସିାକ ନଗରୀରୁ ଆପଣା କୁଡ଼ିଆକୁ ଫେରିଆସିବାବେଳେ ଝିଅ କେତେବେଳେ କ’ଣ ସ୍ୱପ୍ନ ଦେଖେ । ସେ ଚାଲି ଚାଲି ସ୍ୱପ୍ନ ଦେଖେ, ସେ ସ୍ୱପ୍ନ ଦେଖି ଦେଖି ସ୍ୱପ୍ନ ଦେଖେ ।
ସ୍ୱପ୍ନ ଦେଖି ଦେଖି ସେ ହସେ, ଖେଳେ, କାନ୍ଦେ, ନାଚେ । ସ୍ୱପ୍ନରେ ସେ ୠଷିକୁଲ୍ୟାରେ ବୁଡ଼ି ମରେ, ଆକାଶରେ ମେଘ ଉପରେ ବୁଲେ, ସାତ ସମୁଦ୍ର ତେର ନଈ ଆରପାଖେ କାହା ଗଳାରେ ଓହଳି ଓହଳି ଖେଳେ । ସ୍ୱପ୍ନରେ ସେ ନ ଦେଖେ କ’ଣ ?
ଝିଅ ଦିନେ ସ୍ୱପ୍ନ ଦେଖିଲା । କି ବିଚିତ୍ର ସ୍ୱପ୍ନ ସେ ! ତା’ର ଏ ଷୋଳ-ସତର ବର୍ଷ ବୟସରେ ତାକୁ ଏ ରୂପ ଯୌବନ କିଏ ଦେଲା । ଏ ରୂପ ବର୍ଣ୍ଣନା କଲେ ପଦ୍ମକୁ ନିନ୍ଦା ହେବ, ତା’ କଣ୍ଠର ମଧୁର କଥାକୁ କହିବସିଲେ ଏ ୠଷିକୁଲ୍ୟା ତରଙ୍ଗ-ରାଗିଣୀର ଅବମାନନା ହେବ ! ତା’ ଚାଲି, ଚାହାଣି . . . ଭଞ୍ଜଭୂମି ବୋଲି ବା ତା’ ଏଠାରେ ସମ୍ଭବ ହୋଇଥିଲା । ସେ କାନ୍ଦିଲେ ହସିଲା, ହସିଲେ ହସିଲା !
ଆସିକା ନଗରୀର ଏଇ ପଥପ୍ରାନ୍ତବାସିନୀ କଥା ଯେପରି ବିଚିତ୍ର, ସେପରି ମଧୁମୟ । ଦରିଦ୍ର କୁଟୀରର ଗୋଟିଏ ଝିଅ ମୁଣ୍ଡରେ ଚୁଡ଼ାବୋଝ ଧରି ବଜାରରେ ବିକି ବୁଲୁଥିଲା । ବୁଲୁ ବୁଲୁ ସ୍ୱପ୍ନ ଦେଖିଲା - ଦିନେ ହଠାତ୍ତା’ ଚୁଡ଼ାବୋଝକ ସୁନା ପାଲଟିଯାଉଛି । ତାହା ଦେଖି ସେ କାତର ଭାବରେ ମୁଣ୍ଡରେ ହାତ ଦେଇ କାନ୍ଦିଲା -
‘‘ମୋ ମା’ -ଆ ଲୋ, ମୋ ଚୁଡ଼ା . . . ?’’
କାନ୍ଦୁ କାନ୍ଦୁ ଦେଖିଲା ତା’ର ସେହି ଲୁହ ଆଉ ଲୁହ ହୋଇନାହିଁ; ଲୁହାଗୁଡ଼ାକ ବିନ୍ଦୁ ବିନ୍ଦୁ ସୁନା ପାଲଟି ଜକଜକ ଦିଶୁଛି । ଏ କଥା ଦେଖି ଭୟରେ ତା’ର ଦେହ ମୁଣ୍ଡ ଥରିଉଠିଲା । ପୁଣି କି ବିଚିତ୍ର କଥା ! ଥରିବା ସଙ୍ଗେ ସଙ୍ଗେ ପିନ୍ଧିବା ଲୁଗାଟା ତା’ର ସୁନା ପାଲଟିଗଲା । ଓହୋ ! ସେ କରେ କ’ଣ ? ଦେଖୁ ଦେଖୁ ତା’ର ଆଲୁଳାୟିତ କେଶଗୁଚ୍ଛ ସୁନାର ଜରି ! ପ୍ରଭୁ ହେ . . . ତା’ର ପାଦ ସୁନା, ତା’ର ହାତ ସୁନା, ତା’ର ଦେହଟଯାକ ସୁନା- ସେ ନିଜେ ସୁନା !!
ପୁଣି ଚାହୁଁ ଚହୁଁ ତା’ର ଯୌବନ ସୁନା, ତା’ର କାମନା ସୁନା, ତା’ର କଳ୍ପନା ସୁନା . . . ! ସେ କାତର ଭାବରେ ଡାକିଲା - ମାଆ ! ମାଆ ! ମାଆ !
ବ୍ୟାକୁଳ ଅଧୀର ଭାବରେ ସେ କାହାର ଆଶ୍ରୟ ଲୋଡ଼ିବସିଲେ; ମାତ୍ର ସେପରି ସୁନାକୁ କିଏ ଛୁଇଁବ ? ସେ ଯେ ଥିଲା ଦିନେ ଭିକାରୁଣୀ - ଅଛୁଆଁ ଘର ଝିଅ !
ସେହି କନକମୟୀ ଭିକାରୁଣୀ ନୀଳଗଗନ ସୁନା ପାଲଟିବାକୁ ଇଚ୍ଛା କଲା, ବଧିରା ଧରଣୀ ଚମକି ପଡ଼ିଲା - ମାତ୍ର କେହି ତାକୁ କୋଳକୁ ଟାଣିନେବାକୁ ସାହସ କଲେନାହିଁ । ଶେଷରେ ଶୁଭକ୍ରାନ୍ତି ପୁରୁଷ ଜଣେ କିଏ ଧାଇଁଆସି ଅଧୀର ଭାବରେ ତାକୁ ଜାକିପକାଇ, ତା’ର ସେହି ସୁବର୍ଣ୍ଣ ଯୌବନର ହେମାଭ କପୋଳ - ଦେଶରେ ଚୁମ୍ବନ ଦେଇ ଦେଇ କହିଲେ - ‘‘ସୁନା ! ସୁନା !! ଜଗତକୁ ଆସିଥିଲି ସୁନା ପାଇଁ; ଆଜି ଏତେଦିନେ ମୋ ସୁନା ପାଇଲି ।’’
ଲାଜରେ ସେହି ସୁନାର ଯୌବନ ମୁଣ୍ଡ ପୋତିଦେଲା । ସେତେବେଳେ ସେ ମାନବଜଗତରେ ସଗର୍ବରେ ମୁଣ୍ଡ ଟେକି ଆଖି ଫିଟାଇଲା, ଦେଖିଲା ଆସିକା ନଗରୀର ଏକ ବିଚିତ୍ର ପ୍ରାସାଦ ଭିତରେ ସେ ବସି ୠଷିକୁଲ୍ୟା ଆଡ଼କୁ, ତା’ରି ପୁରୁଣା କୁଟୀର ଦିଗକୁ ମୁହଁ କରିଛି । ତାହାରି ପାଦତଳେ କେତେ କୁଳୀନ, କେତେ ପଣ୍ଡିତ, କେତେ ଜ୍ଞାନୀ, କେତେ ଦାନୀ, ବାଳକ, ଯୁବକ, ବୃଦ୍ଧ, କେତେ ପ୍ରବାସୀ, କେତେ ପୁରବାସୀ, କେତେ ଅବଳା, କେତେ ଦୁର୍ବଳା, କେତେ ବକ୍ତା, କେତେ ଶ୍ରୋତା ଦିନକୁ ଦିନ ଶୋଭାଯାତ୍ରା କରିବାରେ ଲାଗିଛନ୍ତି ।
ଆସିକା ନଗରୀର ଟାଉନ୍ହଲରେ ଏବେ ସେହି ‘ସୁନା’ ର ଛବିଟି ରଖାଯାଇଛି । ଆସିକାରେ ପ୍ରସିଦ୍ଧ ଚିନିକାରଖାନାରେ ମିଚିନ୍ସାହେବ ଭିକାରୁଣୀ ବାଳିକା ସୁନାକୁ ବିଭା ହୋଇ ଦାନ ଓ ଜ୍ଞାନର ମହତ୍ତ୍ୱରେ ତାକୁ ଅମର କରିଯାଇଛନ୍ତି ।
ପ୍ରତାପର ଜୀବନାଟା ଏକ ବିରାଟ ପ୍ରାଚୀନ କାବ୍ୟ କହିଲେ ଚଳେ । ପ୍ରତ୍ନତତ୍ତ୍ୱ ଅନୁସନ୍ଧାନରେ ବା ପ୍ରାଚୀନ ପୋଥି - ସଂଗ୍ରହରେ ଏ କାବ୍ୟର ପରିଚୟ ମିଳିନାହିଁ । ପ୍ରାୟ ଅଶୀ ବର୍ଷ ତଳେ କୌଣସି ଏକ ଦେବ-ମଣ୍ଡପରେ ଏହି କାବ୍ୟର ମଙ୍ଗଳାଚରଣ ହୋଇଥିଲା । ତହିଁର ଏକ ରହସ୍ୟମୟ ସ୍ୱର୍ଗ ପାଠକଙ୍କୁ ଶୁଣାଇବାରେ ଇଚ୍ଛା ।
ଶୁଣାଅଛି, କେଉଁ ଆଦିଯୁଗରେ ଚିଲିକା ରକ୍ତବାହୁର ସମାଧି-ଆସନ ରଚନା କରିଥିଲା । ସେହି ସମୟର ବହୁ ଯୁଗ ପରେ ଆଜି ଏକ ବିରାଟ କଳ୍ପନାର ଅନନ୍ତ ସମାଧି ଚିଲିକାର ବାଲୁକାମୟ ନିର୍ଜନ ପ୍ରାନ୍ତରରେ ହୋଇଛି । ସେଥିପାଇଁ ରଣଦୁନ୍ଦୁଭି ବାଜି ନାହିଁ କି ଶୋକ-ସଙ୍ଗୀତ ଶୁଣାଯାଇ ନାହିଁ । ନୀରବରେ, ନିର୍ଜନରେ , ନିର୍ବେଦ ଭାବରେ ଏକ ମହିମାମୟ ମନ୍ଦିରର ଖଣ୍ଡ ଖଣ୍ଡ ପାଷାଣ ତଳେ ଖସି ପଡ଼ିଛି ଓ ଶତ ଶତ ଶିଳ୍ପୀ-ପ୍ରାଣର, ତରୁଣ କବିର ମଧୁର କଳ୍ପନା କାଳର ଜଟିଳ ଗହ୍ୱରରେ ଲୁଚିଯାଇଛି !
ଯେ କୌଣସି ଲୋକ ଏ ଦୃଶ୍ୟ ଦେଖିପାରିବ । ଯାଅ; ଚିଲିକାକୂଳକୁ ଯାଅ । ଚିଲିକାର ପୂର୍ବ ଉପକୂଳରେ ଯେଉଁଠାରେ ଚଣ୍ଡକୁଦ ବୋଲି ଏକ ସ୍ଥାନ ଅଛି, ସେହିଠାରେ ଠିଆହୋଇ ଚାରିଆଡ଼କୁ ଚାହିଁ । ପଥଶ୍ରାନ୍ତ ପଥିକ ସେହି ବାଟଦେଇ ଗଲାବେଳେ ହୁଏତ ତା’ର ପରିଚୟ କହିବ- ଏହି ଯେ ପଥର ଗଦା ଦେଖୁଛ; ତାହା ଏକ ମନ୍ଦିରର ସ୍ମୃତି । ଦେବତା ସେଠି ଥିଲେ । ମଙ୍ଗଳବାଦ୍ୟ ସେଠି ବାଜୁଥିଲା । ଆନନ୍ଦ ଉତ୍ସବ ସେଠି ଚାଲିଥିଲା - ଆଜି ସେସବୁ ନାହିଁ ।
ବାଟର ବାଟୋଇ ହୁଏତ କଳ୍ପନାର କଥା କହିପାରେ । ଜ୍ୟୋସ୍ନା ରାତିରେ, ଶ୍ରାବଣ ଅନ୍ଧକାରରେ କିମ୍ବା ପ୍ରଦୋଷର ଧୂସର ଛାୟାରେ ସେହି କୁଦ ଉପରେ ଠିଆହୋଇ ଥରେ ଧୀରେ ଧୀରେ ଡାକ -‘‘କିଏ ଅଛ ?’’ କେବଳ ପ୍ରତିଧ୍ୱନି ଶୁଣିବ । ଦୂରର ଗିରି-ଗହ୍ୱରତା’ର ଉତ୍ତର ଦେବ । ଚିଲିକା କଳକଳ ହୋଇ କ’ଣ କଥା କହିବ । ଏହାଠାରୁ ଆହୁରି ଏକ ବିଚିତ୍ର କଥା ଦେଖିବ । ଜଣେ କେହି ଦେବତା ଅବନତ ମସ୍ତକରେ ସେହି ଉପକୂଳ ପ୍ରାନ୍ତରରେ ଏଣେତେଣେ ବୁଲି ଗୀତ ଗାଇବାର ଶୁଣିବ । ସେତେବେଳେ ଧରଣୀ, ଗଗନ ମୁଗଧ୍ହୋଇ ଗୀତ ଶୁଣୁଥିବେ । ଆକାଶର ତାରା କେବଳ ଚାହିଁଥିବେ, ପବନ କେବଳ ବହୁଥିବ; ଆଉ ଚିଲିକାର ଫେନିଳ ତରଙ୍ଗ ସେ ସଙଗୀତକୁ ଅଭିବାଦନ କରୁଥିବ ।
ଦିନେ ଚଣ୍ଡକୁଦର ପଥିକ ହେଲି । ନିର୍ଜନ ମଧ୍ୟାହ୍ନ, ପ୍ରଖର ସୂର୍ଯ୍ୟତାପର ଜଗତ୍ଧୂସର ହୋଇ ଉଠୁଛି । ଏ ପାଖରେ ଚିଲିକା, ସେ ପାଖରେ ଗିରିଶ୍ରେଣୀ, ମଝିରେ ଏକ ପ୍ରାଚୀନ ପାଷାଣ ସ୍ତୂପ । ତାହାରି ଭିତରେ ଦେବତାଙ୍କୁ ଖୋଜି ବାହାର କରିବା ମୋର ଥିଲା ଲକ୍ଷ୍ୟ । ପ୍ରଥମେ ବେଢ଼ାର ସ୍ମୃତିଚିହ୍ନ ଦେଖିଲି, କେତେ ପଲ୍ଲୀ ଗାଁର ମାନବଜାତିର ଶ୍ମଶାନ । ଏବେ ଦେଖିଲି, ଚିଲିକା କୂଳରେ ଏକ ଦେବତାର ଶ୍ମଶାନ ! କେତେ ଦେବ-ଉପଦେବଙ୍କ ଅସ୍ଥିକଭ୍କାଳ ସେଠାରେ ପଡ଼ିଛି । କାହାର ହାତ, କାହାର ମୁଣ୍ଡ, କାହାର ବା ତୁଚ୍ଛ କବନ୍ଧ ଶିଳ୍ପୀ-ପ୍ରାଣର ବିରାଟ କଳ୍ପନା କଥା ପ୍ରାଣରେ ରେଖା-ପାତ କରୁଛନ୍ତି । ନାରୀମୂର୍ତ୍ତୀ କେଉଁଠାରେ ପ୍ରଣୟୀର ବାହୁଛାୟାତଳେ ଅର୍ଦ୍ଧମୁଦ୍ରିତ ନୟନରେ ସ୍ୱପ୍ନ ଦେଖୁଛି । ଭାବିଲି, କିଏ ପ୍ରଣୟର ସ୍ୱପ୍ନ ଦେଖୁଛି; କିଏ ଏହି ବିପର୍ଯ୍ୟୟର ସ୍ୱପ୍ନ ଦେଖୁଛି !
ପାଖରେ ଏକ ଛୋଟ କୁଡ଼ିଆ । ସେହି ଜୀର୍ଣ୍ଣ ପାଷାଣ ସ୍ତୂପ ଭିତରେ ପଶିବାକୁପ୍ରଥମେ ସାହସ ହେଲା ନାହିଁ ।
କୁଡ଼ିଆ ଦୁଆରେ ଯାଇ ଡାକିଲି -‘‘କିଏ ଅଛ ?’’
କେବଳ କଣ୍ଠସ୍ୱର ଶୁଭିଲା - ‘‘ହଁ, ମୁଁ ଅଛି ।’’
ଅପେକ୍ଷାରେ ବାହାରେ ଠିଆହେଲି । କିଛି ସମୟ ପରେ ତାଟି ଫିଟିଲା । ଦେଖିଲି, ସେ ଏକ ବିଚିତ୍ର ଦୃଶ୍ୟ । ନିତାନ୍ତ ଜରାଜୀର୍ଣ୍ଣ ଜଣେ ବୃଦ୍ଧ । ବୋଧହୁଏ ସେହି ଜୀର୍ଣ୍ଣ ମନ୍ଦିରଠାରୁ ସେ ଆହୁରି ପ୍ରାଚୀନ ! ଦେହରେ କେବଳ ହାଡ଼ ଉପରେ ଚମ ଅଛି; ତା’ ମଝିରେ ଆଉ କିଛି ହେଲା ନାହିଁ । ସେ ଦୃଶ୍ୟ ଦେଖି ମୁଁ ଆଉ କିଛି କହିପାରିଲି ନାହିଁ । ଦେଖିଲି, ବୃଦ୍ଧ ମୋ ଆଡ଼କୁ ନ ଚାହିଁ ଅନ୍ୟ ଦିଗକୁ ଚାହିଁ ମୋ ସହିତ କଥା କହୁଛି । ମୋର ବିସ୍ମୟର ସୀମା ରହିଲା ନାହିଁ । କିଛି ସମୟ ପରେ ବୁଛିଲି, ବୃଦ୍ଧ ଅନ୍ଧ । ଦୁଃଖରେ ମୋ ଆଖି ଛଳଛଳ ହୋଇ ଆସିଲା ।
ସେହି ମନ୍ଦିର ଦେହରୁ ଖସି ପଡ଼ିଥିବା ଏକ ପଥର ଉପରେ ବସି ରହିଲେ, ‘‘ବସ ତୁମେ, ବୁଢ଼ା ! ଦିଅଁ ଦର୍ଶନକୁ ଆସିଥିଲି । ଭାରି ଖରା ।’’
ସେ ଠୋ-ଠୋ ହସି ଉଠିଲା । ଭାବିଲି, ସେ ହସରେ ଏହି ଜୀର୍ଣ୍ଣ ମନ୍ଦିରର ବାକୀ ଅଂଶଟା ଖସି ପଡ଼ିବ ପରା ! କି ନିର୍ମଳ ହାସ୍ୟ ସେ ! ମୋର ଦେବ-ଦର୍ଶନ ଇଚ୍ଛା ପ୍ରତି କି କଠୋର ଆକ୍ରମଣ ! କିଛି ବୁଝିପାରିଲି ନାହିଁ । ସେ ମନକୁ କହିଲା - ‘‘ଦେବ - ଦର୍ଶନ ? ଆସିଛ ? ଦେଖିଲ?’’
ମୁଁ କି ଅପରାଧ କରିଛି ମନେକରି ପଚାରିଲି - ‘‘ତୁମେ କ’ଣ ଏଠାରେ ମାଳୀ ?’’
ପୁଣି ସେହି ନର୍ମମ ହାସ୍ୟରୋଳ ! ଆଉ ପ୍ରଶ୍ନ ପଚାରିବାକୁ ସାହସ କଲି ନାହିଁ । ବୃଦ୍ଧ ସ୍ଥିର ଭାବରେ ବସି କହିଲା, ‘‘ଜାଣ, ତୁମେ ଏ ମନ୍ଦିରର ଇତିହାସ ? ମୁଁ ମାଳୀ ନୁହେଁ, ମୁଁ ଦେବତା ନୁହେଁ, ମୁଁ ତୁମପରି ପଥିକ ମଧ୍ୟ ନୁହେଁ ।’’
-‘‘ଦେବତାର ବିଧାତା ।’’ ଏତିକି କହି ବୃଦ୍ଧ ଘରକଣକୁ ହାତ ବଢ଼ାଇ ଏକ ସୁନ୍ଦର କମନୀୟ ଦେବମୂର୍ତ୍ତି ଧଇଲା । କହିଲା, ‘‘ଏହି ସେହି ଦେବତା । ଏହି ଦେବତା ପାଖକୁ ତୁମେ ଆସିଥିଲ; ନୁହେଁ ? ତୁମ ପରି ଅନେକ ଅନ୍ଧ ଆସନ୍ତି ଓ ଏ ମନ୍ଦିରରେ ଦେବତା ଦେଖି ଫେରିଯା’ନ୍ତି । କିନ୍ତୁ ଦେବତା ମୋର ଘରେ ।’’ ଏହା କହି ସେ ମୂର୍ତ୍ତିକି ଯଥାସ୍ଥାନରେ ଥୋଇଦେଲା ।
ମୁଁ ଅନ୍ଧ ! ଅନ୍ଧ କହୁଛି ମୋତେ !! ମନରେ ଟିକିଏ ରାଗ ଆସିଲା । ରାମାୟଣ, ଭାଗବତ, ପୁରାଣ ପଢ଼ିଲି, ପୁରୀ ଭୁବନେଶ୍ୱର କୋର୍ଣାକ ବୁଲିଲି; ଶେଷରେ ମୁଁ ହେଲି ଅନ୍ଧ ।
ମୁଁ କ’ଣ କହିବା ପୂର୍ବରୁ ବୃଦ୍ଧ ପୁଣି କହିଲା - ‘‘ବୋଧହୁଏ ଆଘାତ ପାଇଲ । କିନ୍ତୁ ତୁମେ ଜାଣ ନାହିଁ, ଏ ପ୍ରାଣ ମୋର କେତେ ଆଘାତ ସିହିଛି । ଏହି ଆଘାତରେ ହିଁ ଏ ଦୃଷ୍ଟିର ଶକ୍ତି କମିଯାଇଛି । ଏହି ଆଘାତ କିଏ ଦେଇଛି ଜାଣ ? ଏହି ଯେ ଦେବତା ଦେଖିବାକୁ ତୁମେ ଦେଇଛ ଜାଣ ? ଏଇ ଯେ ଦେବତା ଦେଖିବାକୁ ତୁମେ ଆସିଛ, ସେହି ଦେବତା ।’’
- ‘‘ତାହା ଏକ ବିରାଟ ଇତିହାସ । ଆଜିର ଏହି ମରୁଭୂମି ଉପରେ ମୋ ପିଲାଦିନେ ପନ୍ଦନର ଛାୟା ପଡ଼ିଥିଲା । ସେତେବେଳେ ଗାଁର ମକଦ୍ଦମ ଏହି ମନ୍ଦିର ତୋଳିବାକୁ କଳ୍ପନାକଲେ । ଏହି ଯେ କୁଟୀରଖଣ୍ଡିକରେ ମୁଁ ବସିଛି, ଏହା ମୋର ପିତୃପିତାମହ - ଅର୍ଜିତ ଭୂମି । ଏହି ଭୂମି ଉପରେ ମନ୍ଦିର ତୋଳା ହେଲା…’’
ଏତିକି କହି ବୃଦ୍ଧ ଟିକିଏ ନୀରବ ରହିଲା । ତା’ ପରେ କ’ଣ ଚିନ୍ତା କରି କହିଲା - ‘‘ମୋ ବଂଶ କାରିଗରବଂଶ । ଭାଗ୍ୟଦୋଷରୁ ଗରିବ ହେଲୁ । ଏହି କୁଡ଼ିଆ ଜମି ଛାଡ଼ି ବାକି ସବୁ ମକଦମଙ୍କ ପାଖରେ ବନ୍ଧକ ପଡ଼ିଲା; ତାହା ଆଉ ହାତକୁ ଆସିଲା ନାହିଁ । ମକଦମ କହିଲେ, ‘‘ତାହାରି ଉପରେ ମନ୍ଦିର ତୋଳିବାକୁ ହେବ ।’’
‘‘ନିଜ ଘରେ ଦେବତା-ମନ୍ଦିର ଗଢ଼ାଯିବ, ଏ ସୌଭାଗ୍ୟ କାହାର ହୁଏ ? କିନ୍ତୁ ଆମ ପ୍ରାଣର ଏହି ଭୂମିଖଣ୍ଡକ ଉପରେ, ଆମ ଛାତି ଉପରେ ଯେତେବେଳେ ଏହି ମନ୍ଦିର ତୋଳାଯିବା ପ୍ରସ୍ତାବ ହେଲା, ଲୁହ ଢାଳି କେବଳ ତା’ରି ପ୍ରତିବାଦ କଲୁ । ଭାବିଲୁ, ଦେବତା ମନ୍ଦିରରେ ନାହାନ୍ତି, ତେଣୁ ଗୁହାରି ଶୁଣାଯାଉ ନାହିଁ . . .’’
ବୃଦ୍ଧ ପୁଣି ନୀରବ ରହି ଅତୀତକୁ ଆଖି ଫେରାଇଲା; ଫେରିଆସି ଇତିହାସ ଆରମ୍ଭ କଲା -‘‘ଜାତିରେ ମହାରଣା ମୂଁ । ମୋ ନାଁ ପ୍ରତାପ । ମଜୁରି ପାଇ ଆମରି ଜମିରେ ଆମେ ମନ୍ଦିର ତୋଳିବାକୁ ବାଧ୍ୟ ହେଲୁ । ଉଃ, କି ଯାତନା ! ମୋର ପାଞ୍ଚ ପୁଅ ତିନି ଝିଅ ଏହି ମନ୍ଦିରତଳେ ପ୍ରାଣ ହରାଇଛନ୍ତି । ଟିକିଏ ଆଲୋକ ପାଇଁ, ଟିକିଏ ପବନ ପାଇଁ ସେମାନେ କାନ୍ଦି କାନ୍ଦି ମରିଛନ୍ତି । ଇଟା ଆସିଲା, ଚୂନ ଆସିଲା, ଆମରି ଘରକୁ ଆବୃତ କରି ଏ ମନ୍ଦିର ମୁଣ୍ଡ ଟେକିଲା । ମନେପଡୁଛି. ଦିନଯାକ କାମ କରି ଆସି ରାତିରେ ଏହି କୁଡ଼ିଆରେ ପଡ଼ି ଡାକେ, ‘ପ୍ରଭୁ ହେ, ଦରିଦ୍ରର ଅପହୃତ ନିବାସ - ଭୂମିରେ ରହିବାକୁ କି ସୁଖ ପାଅ ?’ କହ ଦେଖି, ପ୍ରଭୁ କାହାନ୍ତି ? ମୁଁ ନିଜେ ଦେଉଳରେ ନିଜ ହାତରେ ଖଣ୍ଡିଏ ପଥର ବସାଇ ମୋ ବୁକୁରେ ଖଣ୍ଡିଏ ପଥର ଥକାଏ । ମୁଁ ସେତେବେଳେ କ’ଣ କରୁଥିଲି, ଜାଣିପାରୁ ନ ଥିଲି । ମୋତେ ମୁଁ ହତ୍ୟା କରୁଥିଲି ମୋର ସମାଧି ମୁଁ ଖୋଳୁଥିଲି ।’’
ପୁଣି ବୃଦ୍ଧ କହିଲା, ‘‘ମନ୍ଦିର ତୋଳା ସରିଲା, ମୋ ବଂଶର ସମାଧି-କାର୍ଯ୍ୟ ଶେଷ ହେଲା । ସେତେବେଳେ ଏହି ସଂକୀର୍ଣ୍ଣ କୁଟୀର ଭିତରେ ମୁଁ ଥାଏ ଏକାକୀ । ତା’ପରେ ଦେବତାଗଠନ ଚାଲିଲା । ଉଃ, ଚାହିଁ ଚାହିଁ ପାଞ୍ଚବର୍ଷ ଗଲା, ଦେବତାଙ୍କ ଗଳାରେ ମାଳି ଦେଇ, ଦେହରେ ଲୁଗା ତାଙ୍କୁ ପିନ୍ଧାଇ ଅଭୟବରଦ ବେଶରେ ଯେତେବେଳେ ନେତ୍ର ଖଞ୍ଜିଲି, ସେ କଥା ମନେ ଅଛି । ମୋ’ରି ଘରେ ଦେବତାଙ୍କ ଆସନ ହେଲା । ମନ୍ଦିର ପ୍ରତିଷ୍ଠା ହେଲା । ତା’ ପରେ ଆସିଲେ ଭକ୍ତ ! ବିପୁଳ କୋଳାହଳରେ ଏ ଉପକୂଳ ପୂରିଉଠଇଲା । ଫୁଲ, ଚନ୍ଦନ, ଧୂପଗନ୍ଧରେ ଜଗତ ସୁବାସିତ ହେଲା । ଡାକ ଶୁଭିଲା - ‘‘ପ୍ରଭୁ ହେ, ଅନାଥର ନାଥ, ଅଗତିର ଗତି, କରୁଣାସାଗର ହରି !’’
‘‘ଏ ସକଳ ପ୍ରର୍ଥନା ମୋ ପ୍ରାଣରେ ପ୍ରତିଧ୍ୱନିତ ହେଲା । ସେତେବେଳକୁ ମୁଁ ଅନ୍ଧ । ଭାବିଲି, ସାହାସାଥୀହୀନ ଅନ୍ଧକୁ ତାହାରି ହାତଗଢ଼ା ଦେବତା କି ରକ୍ଷା କରିବେ ନାହିଁ ? ଡାକିଲି, ଡାକିଲି - ଡାକିଲି ଅନ୍ଧ ମୁଁ, କେତେ ଡାକିଲି । ମୋ ଦେବତା କେଉଁ ଅଗତିର ଗତି ହୋଇଥିବେ କେଜାଣି; ମାତ୍ର ମୋର ଗତି, ମୁକ୍ତି କିଛି ହେଲା ନାହିଁ । ପ୍ରାଣରେ ଅଭିମାନ ଆସିଲା, ରାଗ ଆସିଲା, ପ୍ରତିହିଂସା ଆସିଲା । ଦିନେ ଅନ୍ଧାର ରାତିରେ ଦାରୁଣ ଅଭିଶାପରେ ହୃଦୟ ପୂର୍ଣ୍ଣ କରି ମନ୍ଦିର ଭିତରେ ପଶି ଦେବତାକୁ ଟାଣିଆଣିଲି । ଆଜି ସେ ମୋ କୁଟୀରରେ ବନ୍ଦୀ !
ତା’ ପରେ ଭକ୍ତ ଆସିଲେ । ଦେବତା ଅନ୍ତର୍ଦ୍ଧାନ ହୋଇଛନ୍ତି ବୋଲି ସ୍ଥିର କଲେ । ସେତେବେଳେ ମୁଁ ବିକଟ ଭାବରେ ହସିଉଠିଲି । ସେ ହାସ୍ୟର ଝଙ୍କାର ଏବେ ମଧ୍ୟ ମୋ ପ୍ରାଣରେ ଅଛି । ମୋ ଦେବତାକୁ କିଏ ଦେଖିବାକୁ ଆସିଲାବେଳେ ମୁଁ ସେହିପରି ହସି ଉଠେ । ଏବେ ସେ ମକଦମ ନାହାନ୍ତି । ଗାଁ ଏବେ ଉଠି ଏଇ ଖଣ୍ଡେ ଦୂରରେ - ଚିଲିକା ତା’ର ସର୍ବଗ୍ରାସୀ ଜଳପ୍ଲାବନରେ ଏ ସ୍ଥାନକୁ ବର୍ଷ-ବର୍ଷ ଧ୍ୱଂସ କରିବାରେ ଲାଗିଛି । ମନ୍ଦିର ଆଜି ପାଷାଣ-ସ୍ତୂପ, ଦେବତା ଆଜି ବନ୍ଦୀ, ଏ ଅନ୍ଧ ଆଜି ଆଉ ଏକ ଯାତ୍ରା ପ୍ରସ୍ତୁତ ।’’ ଏତିକି କହି ବୃଦ୍ଧ ନୀରବ ହେଲା ।
ଥରେ ସେ ଜୀର୍ଣ୍ଣ ମନ୍ଦିର, ଥରେ ସେହି ଜରାଜୀର୍ଣ୍ଣ ବୃଦ୍ଧକୁ ଚାହିଁ ମସ୍ତକ ଅବନତ କଲି । ସେ ଦିନ ବିଦାୟ ନେଇ ଆସିଲାପରେ କେତେ ଥର ସେଠଶକୁ ଯାଇଛ; ମାତ୍ର ସେ ପାଷାଣ ମନ୍ଦିର ପାଖରେ ଦେବତାଙ୍କ ଦେବତା ସେହି ବୃଦ୍ଧକୁ ଦର୍ଶନ କରି ଆସିଛି, ତା ପ୍ରାଣ - କାବ୍ୟକୁ ପଢ଼ିଆସିଛି ।