ବିରାଟ ପୁରୁଷ
୧୮୬୭–୧୯୪୩
- ସଂକଳନ: ବ୍ରଜରେଣୁ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୧୨୧
- ସ୍ଥିତି
- ସାର୍ବଜନୀନ (Public domain)
ବିଶ୍ୱ ରନ୍ଧ୍ରେ ରନ୍ଧ୍ରେ ପ୍ରଭୁ ଅଛ କ୍ଷୁଦ୍ରରୂପେ,ପୁଣି କୋଟି ବିଶ୍ୱ ଅଛି ତୁମ୍ଭ ଲୋମକୂପେ ।ଅଦ୍ଭୁତ ସମସ୍ୟା ଏ ତ ହେ ସମସ୍ୟା-ସିନ୍ଧୁ,ବିନ୍ଦୁଗର୍ଭେ ସିନ୍ଧୁ, ପୁଣି ସିନ୍ଧୁ ଗର୍ଭେ ବିନ୍ଦୁ ।ଅନନ୍ତ ମଧ୍ୟରେ ସିନା ରହେ ସୀମାବନ୍ତ,ସୀମାବନ୍ତ ମଧ୍ୟେ କେହ୍ନେ ରହିଛି ଅନନ୍ତ !ରୁଦ୍ରତ୍ୱେ ଅସୀମ ତୁମ୍ଭେ, କ୍ଷୁଦ୍ରତ୍ୱେ ଅସୀମ,ଅସୀମ ମହିମା ଧର ହେ ମହାମହିମ !କେତେ ରୂପେ କେତେ ଭେକ ଧରି ନିତି ଖେଳ,କେଉଁ ରୂପ ସଙ୍ଗେ ନାହିଁ କେଉଁ ରୂପ ମେଳ ।କି ପାଅ ଖେଳରୁ, କିପାଁ ପ୍ରିୟ ସେ ତୁମ୍ଭର,ଜଗତକୁ କରିଅଛ ମହାଖେଳ ଘର ।ଶିଶୁ ପରି ଖେଳଘର ଧୂଳିରେ ଭିଆଇ,ଖେଳି ସାରି ତାକୁ ଭାଙ୍ଗି ଦେଉଛ ନିଭାଇ ।ଭଙ୍ଗାଗଢ଼ା ପାଇଁ ନାହିଁ ଦୁଃଖ ବା ଆନନ୍ଦ,କି ଜଟିଳ କି କୁଟିଳ ତୁମ୍ଭ ମାୟାଛନ୍ଦ ।ଚିର ନିର୍ବିକାର ତୁମ୍ଭେ ହେ ମୂର୍ତ୍ତି, ଅମୂର୍ତ୍ତି,କଳ୍ପନାକୁ ଗିଳିଦିଏ ତୁମ୍ଭର ବିଭୂତି ।ସପ୍ତସାଗରର ସ୍ଥାନ ତୁମ୍ଭର ଗଣ୍ଡୂଷ,ତୁମ୍ଭେ ପରମାଣୁ, ତୁମ୍ଭେ ବିରାଟ ପୁରୁଷ ।
ସମ୍ବନ୍ଧିତ ରଚନା
ଗୋପାଳକୃଷ୍ଣଙ୍କ ଚଉତିଶା
ଗୋପାଳକୃଷ୍ଣ ପଟ୍ଟନାୟକ
ନାନାବାୟା ଗିତ
ନନ୍ଦକିଶୋର ବଳ