ବେଶ୍ୟାଗଣଙ୍କ ଗୀତ
ଗଣକବି · ୧୮୮୨–୧୯୫୬
- ସଂକଳନ: ନିବାତ କବଚ ବଧ ସୁଆଙ୍ଗ
- ପଢ଼ିବା ସମୟ
- ୧୦ ମିନିଟ୍
- ଶବ୍ଦ
- ୧୫୩୨
- ସ୍ଥିତି
- ସାର୍ବଜନୀନ (Public domain)
(ରସିକା ଜଣେ ଏ କି ଏହି – ବୃତ୍ତେ)
ଅନା ଅନା ଗୋ ମେନକା, ଏହି କାହାର ଜୀବ ଜୀବିକା, ଏକାବେଳେ ସିଂହାସନେ ଦୁଇ ଇନ୍ଦ୍ର ଏ ନୟନେ ଗଲା ଦେଖା ।ପଦ । ଗୁନ୍ଥି ପାରିଜାତ ସୁମନେ, ପିନ୍ଧାଇବା ଚାଲ ସୁମନେ; ଅମର ଭୁବନେ ଭୁଲିବେ ସୁରନାୟିକା ।୧। ନିରେଖିଲେ ଏହା ମୂରତି; ନ ରହିବ ପତିବରତୀ । ବଶ ହେବ ପ୍ରୀତି ତେଜି ନିଜ ପତି ବରତି ନ ଯିବେ ଏକା ।୨। ଅଧରପାନେ ରସନା, କହୁଥିବ ଆନେ ରସ ନା-। ସୁଧା ବରଷ ନା ବୋଲି ନିନ୍ଦୁଥିବ ନ ଥିବ କାହିଁରେ ଦକା ।୩। ଯେହୁ ଧରିଥିବ ୟା କର, ଆମ୍ଭେ ତାର ହେବା କିଙ୍କର । ବଇଷ୍ଣବ ବୋଲେ ନିକର ହୋଇବି ମୁଁ ତାର ଚରଣେ ବିକା ।୪।
(ଇନ୍ଦ୍ର ଓ ଅର୍ଜୁନକୁ ଉର୍ବଶୀ ଚାହାନ୍ତେ ଇନ୍ଦ୍ର ଜାଣି ସଭାଭଙ୍ଗ ଓଦ୍ୱାରୀକୁ ଉର୍ବଶୀଠାକୁ ପଠାଇବା ଦ୍ୱାରୀ ଗୀତ)[ଯା ଗୋ ସଜନୀ କୁଞ୍ଜବନେ – ବୃତ୍ତେ]
ଆସ ଗୋ ଉର୍ବଶୀ ଆସ ଆସ । ପୋଷିଛନ୍ତି ସୁରପତି ଯିବାକୁ ଅର୍ଜୁନ ପାଶ ।ପଦ । ଆଜି ନୃତ୍ୟଗୀତ କାଳେ, ତେରିଛି ଚାହିଁଲା ପାର୍ଥ ବସିଥିଲା ଇନ୍ଦ୍ରକୋଳେ ।୧। ଜାଣିପାରି ମନ ତାର, କହିଛନ୍ତି ତାର ସହ ଯାଇ ରସରଙ୍ଗ କର ।୨। ପ୍ରୀତିରେ ମାତିବୁ ଗୋରୀ ପୁହାଇବୁ ରାତି, ଭୀତ ନ କରି ଚିତ୍ତେ ତୋହରି ।୩। ଶୁଣି ବାଣୀ ହସ ହସ ବଇଷ୍ଣବ ଭଣି ଏଣୀନୟନୀ ସାଜିଲା ବେଶ ।
(ଉର୍ବଶୀର ବେଶ – ଗୀତ)[କେଣେ ଅଛୁ ଶୁଣା ତୋ-ବୃତ୍ତେ]
ରଖିଣ ଦର୍ପଣ; ଆଗେ ଝାଡ଼ିଦେଲା ତାର ଘନକେଶକୁ । କୁଣ୍ଡାଇଲା ବେଣୀ ସଜାଡ଼ିଲା ପୁଣି ଲମ୍ୱିଅଛି ଜଟ ପୃଷ୍ଠ ଦେଶକୁ ।ପଦ । କିଆ ପତ୍ରି କଣ୍ଟା ଫୁଲ ଗୋଟା ଗୋଟା ସଧୀରେ ଖଞ୍ଜିଲା କେଶ ଶେଷକୁ । ନୟନରେ କଳାଲାଞ୍ଜି ଦେଲା ରଞ୍ଜି ହୃଦେ ଲିପିଲା ସେ ଘନ ରସକୁ । ନବରତ୍ନ ହାର ଲମ୍ୱାଇ ତା’ପର କୁଞ୍ଚି ପିନ୍ଧିଲା ତା ଝୀନବାସକୁ । କଟିର କିଙ୍କିଣି କିଣିକିଣି ନାଦେ ଛିଣ୍ଡାଇବ ଯୁବା ଧୈର୍ଯ୍ୟ–ଫାଶକୁ । କରରେ କଙ୍କଣ ପିନ୍ଧିଲା ତକ୍ଷଣ ପଇଞ୍ଚି ଘେନିଲା ତାହା ଶେଷକୁ । ପାଦର ପଞ୍ଜଳି ଘଷିଣ ରଞ୍ଜଳି ତା’ପରେ ଦେଲା ଯେ ଲାକ୍ଷାରସକୁ । ଶେଷେ ଚନ୍ଦ୍ରହାର ଲମ୍ୱାଇ କମର ଭୁଞ୍ଜିଲା ସରସେ ମୁଖବାସକୁ । ବଇଷ୍ଣବ ଭାଷା ଚଳିଯାଏ ଯୋଷା ହଟାଇବ ମନରଥ–ଦଶାକୁ ।
(ଅର୍ଜୁନ ପାଶେ ଉର୍ବଶୀ ପ୍ରବଶନ୍ତି ଅର୍ଜୁନ – ଗୀତ)[ଏମନ୍ତ ଦିନ କି ହବେ ମାତାରା - ବୃତ୍ତେ]
ଅକସ୍ମାତ ଏ କି ଦୁର୍ଦ୍ଦଶା; ଆଜି ନିଶିରେ କିପାଁ ମୋ ପାଶେ ଆସିଲା ଉର୍ବଶୀ ବେଶ୍ୟା ।ପଦ । କିବା ମୋତେ ଦେଖାଇଦେବେ, କିବା କେଉଁ ଦିଗେ ଯିବ । କିଗୋ ମୋ ମନ ବିଡ଼ିବ କରାଇବ ଲୋକହସା ।୧। ଯା’ର ବଚନ ଚାତୁରୀ, ଯତି ହୃଦୟ କାତୁରି । ଯିବ କେ ତହୁଁ ଉତୁରି ହେଜ ଜନମି ଏ ଆଶା ।୨। ନଚାଇ ଦେଲେ ଭ୍ରୁଲତା, ଭୁଲିଯିବେ ଉର୍ଦ୍ଧ୍ୱରେତା । ହୋଇଯିବେ ହତଚେତା ତେଜି କଠୋର ତପସ୍ୟା ।୩। ବାରେ ହେ ପାଣ୍ଡବସଖା, ଏ ସଙ୍କଟୁ କର ରକ୍ଷା । ବଇଷ୍ଣବ ବୋଲେ ହରି ଅଟୁ ମୋହର ଭରସା ।୪।
(ଉର୍ବଶୀର ଅର୍ଜୁନପ୍ରତି – ଗୀତ)[ମୋତେ ଯାହା କଲା ସେ ନାଗର- ବୃତ୍ତେ]
ଆସ ଆସ ରସିକ ନାଗର; ରସରଙ୍ଗ କର ମୋ ସଙ୍ଗର ।ପଦ । ସୁଧାକର ପରି ମୋର ମୁଖ, ବାରେ ତହିଁରୁ ଅମିୟ ଚାଖ । ଖଣ୍ଡ ପୂରିଛି ଗଣ୍ଡଯୁଗର ।୧। ପୁଣି ମୃଣାଳଦଣ୍ଡ ସମାନ, ମୋର ବାହୁବେନି ଶୋଭାବନ । ତୋର ଗଳେ ନେଇ କର ହାର ।୨। ବାରେ ନୟନ ପୂରାଇ ଦେଖ, ମୋର ଅଙ୍ଗ ଶୋଭାକୁ ନିରେଖ । ଦେଖି ମୁଗ୍ଧ ହେବ ଯୋଗିନର ।୩। ଆସିଅଛି କରି ବଡ଼ ଆଶ, ଆଉ ନ କର ମୋତେ ନିରାଶ । ବଇ ଭଣି ହୁଅ ଉଜାଗର ।୪।
(ଅର୍ଜୁନ ଉର୍ବଶୀର ଚଢାଉତ୍ତାର – ଗୀତ)[ଯେବେ ହରିମଝା ଅବୁଝା ହୋଇଲୁ – ବୃତ୍ତେ]
ଅର୍ଜୁନ – ଏ ନିଷ୍ଠୁର କଥା ନ କହ ଗୋ ମାତା, ଶୁଣିଲେ ହୁଅଇ ପାପ । କୁମରକୁ କୃପା କରି ଫେରିଯାଅ ଦିଅ ନାହିଁ ମନସ୍ତାପ । ଜନନୀ ଗୋ । ବୃଥା ହେବ ଜପତପ ।୧।
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର