ପ୍ରଥମ ଦୃଶ୍ୟ — ବଡ଼ଲୋକ — ରାମଶଙ୍କର ରାୟ · ସ୍ୱର୍ଣ୍ଣଲିପିସମ୍ପୂର୍ଣ୍ଣ ସୂଚୀପତ୍ର
ପ୍ରଥମ ଦୃଶ୍ୟ
କାରଖାନା ସମ୍ମୁଖସ୍ଥ ପ୍ରାଙ୍ଗଣ[ସୁସଜ୍ଜିତ ପ୍ରାଙ୍ଗଣରେ ବାମଦେବ, ମୁକୁନ୍ଦ ଓ ଶିଳ୍ପିଗଣ ଉପସ୍ଥିତ ।]
ବାମ – (ପକେଟରୁ ଘଡ଼ି ବାହାର କରି ଦେଖି) ଚାରି ବାଜିବାକୁ ଆଉ ଦଶମିନିଟ ବାକୀ । ଦେଖ, ମୁଁ ସମସ୍ତଙ୍କୁ ତାଗିଦ କରିଦେଉଚି ଲାଟ ସାହେବଙ୍କୁ କୌଣସି କଥାର ଉତ୍ତର ଦେଲାବେଳେ ଉପଯୁକ୍ତ କଥା ଛଡ଼ା କେହି ଯେମନ୍ତ ଚାଟୁବାଣୀ କହିବ ନାହିଁ । ଲାଟ ଓ ଲାଟପତ୍ନୀ ଉଭୟେ ନ୍ୟାୟ ଓ ଧର୍ମର ଅବତାର, କେହି ଅତିରିକ୍ତରୂପେ ସଲାମ ଓ ଦୀନତା ଦେଖାଇଲେ ସେମାନେ ବିରକ୍ତ ହେବେ ।
ମୁକୁ – ସାହେବମାନେ ସ୍ୱାଧୀନତାକୁ ଭଲପାନ୍ତି - ସ୍ୱାବଲମ୍ବୀ ଲୋକ ଦେଖିଲେ ତାଙ୍କର ଆନନ୍ଦର ସୀମା ନ ଥାଏ ।
୧ମ ଶିଳ୍ପୀ – ସେଦିନ ଛୋଟ ସାହେବ ଆସିଥିଲେ ଯେ ସାନ୍ତାଳ ପିଲାଙ୍କ ଭିତରେ ଜଣେ ଜଣେ ସଲାମ କରିବାକୁ ଭୁଲିଗଲେ, କାହିଁ ସେତ କିଛି କହିଲେ ନାହିଁ । ଆଉ ମୁଁ ଶୁଣିଥିଲି କେତେବର୍ଷ ତଳେ ଗୋଟିଏ ପିଲା ସାହେବଙ୍କୁ ପଛରୁ ସଲାମ କଲା ବୋଲି ତାକୁ ସାହେବ ଧରି ସଜା ଦିଆଇଥିଲେ ।
ବାମ – ସେ କାଳ ଗଲାଣି ଏ ସାହେବ ଥିଲେ ଉତ୍ତମ ଶୋଧାଟାଏ ପାଇଥାନ୍ତେ । ଉପର ହାକିମ ଭଲ ହେଲେ ସମସ୍ତେ ବାଗରେ ରହନ୍ତି । ବତ୍ସ ମୁକୁନ୍ଦ ! ମୁ ସକାଳେ ସାହେବଙ୍କ କୋଠିକି ସଙ୍ଖୁଳିବାକୁ ଯାଇଥିଲି - କାର୍ଯ୍ୟଭିଡ଼ ହେତୁ ତୁମ୍ଭେ ଯାଇପାରିଲ ନାହିଁ ବୋଲି କହିଲି, ସେ ତୁମ୍ଭଙ୍କୁ ଗୋଟିଏ ପଦକ ପୁରସ୍କାର ଦେବେ ବୋଲି କହୁଥିଲେ ।
[ଚପରାସିର ପ୍ରବେଶ ।]ଚପ – (ହାତଯୋଡ଼ି) ଲାଟ ସାହେବଙ୍କ ଗାଡ଼ୀ ପୋଲ ଉପରୁ ଦିଶିଲାଣି ।ବାମ(ମୁକୁନ୍ଦର ହାତ ଧରି) ଆସ ବତ୍ସ ![ବାମଦେବ, ମୁକୁନ୍ଦ ଓ ଚପରାସିର ପ୍ରସ୍ଥାନ ।]୧ମ ଶିଳ୍ପୀକାଲି ସକାଳେ ସାହେବ ଲୁଗାକାରଖାନା ଦେଖି କହିଲେ ଯେ ଠିକ୍ ବିଲାତ ପରି ବନ୍ଦୋବସ୍ତ ହୋଇଚି ।
୨ୟ ଶିଳ୍ପୀ – ମୁକୁନ୍ଦ ସାହେବଙ୍କ ପରି କେହି ବନ୍ଦୋବସ୍ତ କରିପାରିବେ ନାହିଁ - ତାଙ୍କୁ ପାଇଲା ଦିନୁ ଶ୍ୱଶୁର ଦୁଇଗୁଣ ତେଜ ହୋଇଯାଇ କେମନ୍ତ ସଜରେ ଚମଡ଼ା କାରଖାନାଟି ବନାଇଲେ ।
[ପତ୍ନୀସହ ଲାଟସାହେବ, କମିଶନର, କଲେକ୍ଟର ଓ ଜଜ ସାହେବ ଓ ବାମଦେବ, ମୁକୁନ୍ଦ ଓ ଅନ୍ୟାନ୍ୟ ଭଦ୍ରଲୋକଙ୍କର ପ୍ରବେଶ ।]ଶିଳ୍ପିଗଣ – (ଅଳ୍ପ ମୁଣ୍ଡ ଲୁଆଇଁ ଯଥାବତ୍ ଅଭିବାଦନ କରଣ ।)
ଲାଟ – (ମସ୍ତକରୁ ଟୋପି ଦକ୍ଷିଣ ହସ୍ତରେ କାଢ଼ି ନେଇ ମସ୍ତକ ନୁଆଇଁ ସହାସ୍ୟ ବଦନରେ ସଲାମ, ସଲାମ ! ତୁମ୍ଭମାନଙ୍କୁ ଦେଖିଲେ ମୋର ପେଟ ପୁରିଯାଏ । ଯେଉଁ ଦେଶରେ ଶିଳ୍ପବାଣିଜ୍ୟ ନାହିଁ ସେ ଦେଶ ଉନ୍ନତ ହୁଏ ନାହିଁ । ଭାରତବର୍ଷରେ ଶିଳ୍ପର ଉନ୍ନତି ନ ଦେଖି ମୋ ମନ ଘାଣ୍ଟି ହେଉଥିଲା- ଏଣିକି କାରଖାନାମାନ ବସିବା ଦେଖି ମନ ଶାନ୍ତ ହେଲା ।
ବାମ – ହଜୁର ଉତ୍ସାହ ଦେବାରୁ ଏହି ଛମାସ ମଧ୍ୟରେ ଛଶ କାରଖାନା ବସିଲାଣି ।ଲାଟ – ଛହଜାରେ ଥିଲେ ବି ଏଡ଼େବଡ଼ ଭାରତର କୋଣକରେ ପଡ଼ିବ । ତିରିଶିକୋଟି ଲୋକଙ୍କୁ ଅନ୍ତତଃ ତିରିଶିହଜାର କାରଖାନା ଦରକାର ।ବାମ – ଦେଶଲୋକେ ଯେତେ ବିଦେଶକୁ ଯାଇ ଶିଳ୍ପବାଣିଜ୍ୟ ଶିଖି ଆସିବେ ତେତେ କାରଖାନା ବଢ଼ିବ ।
ଲାଟ – ତାହା ଠିକ; ମାତ୍ର ଦେଶରେ କଲେଜ ନ ବସିଲେ କେତେ ବିଦେଶକୁ ଖର୍ଚ୍ଚାକରି ଯିବେ ? ସେଥି ସକାଶେ କଲେଜ ବସୁଛି । - ଆଚ୍ଛା ସମସ୍ତେ ବସ । (ଚୌକିରେ ଉପବେଶନ) ।
[ଲାଟପତ୍ନୀ ଓ ଅନ୍ୟ ସମସ୍ତଙ୍କର ଚୌକିରେ ଉପବେଶନ]
ଆଚ୍ଛା । ତୁମ୍ଭର ଲୁଗାକାରଖାନାରେ କେତେଲୋକ କାମ କରୁଛନ୍ତି ?
ବାମ – ଦଶହଜାର ସ୍ତ୍ରୀ ଓ ଚାରିହଜାର ପୁରୁଷ ।
ଲାଟ – (ପକେଟରୁ ନୋଟବହି ବାହାର କରି ଲେଖି) ଏମାନଙ୍କ ମଧ୍ୟରୁ ବାରବର୍ଷର ନ୍ୟୂନ ପିଲା କେତେ ?
ବାମ – ଛଶ ବାଳକ ଓ ଚାରିଶ ବାଳିକା ।
ଲାଟ – (ପୂର୍ବ ପରି ଟିପି ନେଇ) ଭିନ୍ନ ଭିନ୍ନ ଜାତି କେତେ ଅଛନ୍ତି ?
ବାମ – (ପକେଟ୍ରୁ ନୋଟ ବହି କାଢ଼ି ଦେଖି) ପାଣ ଚାରିଶ, ବାଉରୀ ପାଞ୍ଚଶ, ଡମ ଶଏ, କଣ୍ଡରା ଚାରିଶ, ମେହନ୍ତର ଦୁଇଶ, ଶାନ୍ତାଳ ପାଞ୍ଚଶ, କନ୍ଧ ଚାରିଶ, କୋଲ ଦୁଇଶ, ଭୂୟାଁ ତିନିଶ, କେଳା ଚାରିଶ, ଯୋଗୀ ତିନିଶ, ବ୍ରାହ୍ମଣ ଛଶ, କରଣ ଆଠଶ ଓ ବାକୀ ଅନ୍ୟାନ୍ୟ ଜାତି ।
ଲାଟ – ମୁତ କାଲି ଦେଖିଲି ସମସ୍ତେ ମିଳି ମିଶି କାମ କରୁଛନ୍ତି - ଛୁଆଁ ଛୁଇଁ ବାରଣ ଆଦୌ ନାହିଁ ।ବାମ – ହୋମ କରି ସମସ୍ତ ଅଛୁଆଁ ଜାତିଙ୍କି କାରଖାନାରେ ନେବାଯୋଗେ ଆଉ ବାରଣ ନାହିଁ । ଅନାଚାରୀ କେହି କାରଖାନାରେ ନାହାନ୍ତି ।ଲାଟ – ତୁମ୍ଭର ହତା ମଧ୍ୟରେ କେତେଲୋକଙ୍କର ଉପନିବେଶ ଅଛି ?
ବାମ – ପାଣ, ବାଉରୀ, ସାନ୍ତାଳ, କନ୍ଧ, ଭୂୟାଁ. କେଳା ଇତ୍ୟାଦି ପ୍ରାୟ ହଜାର ଲୋକ ପିଲାପିଲି ନେଇ ଅଛନ୍ତି । ନିତାନ୍ତ ପିଲାଛୁଆ ଆଉ ଅକ୍ଷମ ଲୋକ ଛାଡ଼ି ସମସ୍ତେ କାମ କରନ୍ତି ।
ଲାଟ – (ଠିଆ ହୋଇ) ବାମଦେବ ! ଏ ସମସ୍ତ ଭଦ୍ରଲୋକଙ୍କ ସମକ୍ଷରେ ଆମ୍ଭେ ତୁମ୍ଭଙ୍କୁ ସରଳାନ୍ତଃକରଣରେ ଧନ୍ୟବାଦ ଦେଉଛୁଁ ! ବାକ୍ୟାଡ଼ମ୍ବର ନ କରି ଅବା ହାଟବଜାରରେ ଭେରୀତୂରୀ ନ ବଜାଇ ତୁମ୍ଭେ ପ୍ରକୃତରେ କାର୍ଯ୍ୟ କରୁଛ । ତୁମ୍ଭରି ପରି ଅନ୍ତତଃ ହଜାରେ ଲୋକ ଦେଶରେ ଜନ୍ମ ହେଲେ ଭାରତର ଦୁଃଖ ରହିବ ନାହିଁ । ପାଣମାନେ ଚୋରି କରି କେତେ ନିନ୍ଦା ଓ କଷ୍ଟ ପାଉଥିଲେ, କେଳାମାନେ ଭିକ ମାଗିବାକୁ ଯାଇ ଅଳଙ୍କାର ଲୋଭରେ କେତେ ପିଲାଙ୍କ ତଣ୍ଟି ଚିପି ମାରିପକାଉଥିଲେ, ଯୋଗିମାନେ କେତେ ଡକାଏତୀ କରୁଥିଲେ; ଏହିପରି ଅନେକ ଅନେକ ପାପାଚରଣ ତୁମ୍ଭଯୋଗେ ରହିତ ହୋଇଛି ଆଉ ଦେଶଲୋକେ କାର୍ଯ୍ୟ ପାଇ ଆପଣା ସୁଖ ସଙ୍ଗେ ଦେଶର ସମୃଦ୍ଧି ବଢ଼ାଉଛନ୍ତି । ତୁମ୍ଭେ ଲାଭଯାକ ଦେଶର ଶିଳ୍ପ, ବାଣିଜ୍ୟ, ଶିକ୍ଷା ଓ ଚିକିତ୍ସାଳୟାଦିରେ ବ୍ୟୟ କରିବାର ଯାହା ମନସ୍ଥ କରିଛ ତାହା ଅତୀବ ସାଧୁକଳ୍ପନା । ତୁମ୍ଭରି ଯୋଗେ ଏକା ତୁମ୍ଭର ଜାମାତା ବିଲାତ ଓ ଆମେରିକା ଯାଇ ଶିଳ୍ପ ବାଣିଜ୍ୟ ଓ ଇଞ୍ଜିନିୟରିଙ୍ଗରେ ଭାରୀ ଯୋଗ୍ୟତା ଲଭି ଆସିଛନ୍ତି । ଗବର୍ଣ୍ଣମେଣ୍ଟ ତାଙ୍କର ଯୋଗ୍ୟତାରେ ସନ୍ତୁଷ୍ଟ ହୋଇ (ପଦକ ପକେଟରୁ ବାହାର କରି) ଏ ପଦକ ପୁରସ୍କାର ଦେଉଛନ୍ତି ।- ମୁକୁନ୍ଦ-!
ମୁକୁ – (ଚୌକିରୁ ଉଠି ଲାଟସମ୍ମୁଖରେ ବିନୀତଭାବେ ଦଣ୍ଡାୟମାନ) ।
ଲାଟ – (ମୁକୁନ୍ଦ - ବେକରେ ପଦକ ଝୁଲାଇଦେଇ) ଆମ୍ଭେ ଜଗତ୍ପିତା ପରମେଶ୍ୱରଙ୍କଠାରେ ପ୍ରାର୍ଥନା କରୁଛୁଁ ତୁମ୍ଭେ ଶ୍ରୀମାନ୍ ଓ ଯଶସ୍ୱୀ ହୋଇ ଚିରକାଳ ସୁଖରେ ଏହା ନାଇଥାଅ ଆଉ ଲୋକେ ତାହା ଦେଖି ଉତ୍ସାହିତ ହୋଇ ତୁମ୍ଭର ଅନୁଗମନ କରନ୍ତୁ । ଯେଉଁ ଚମଡ଼ା-କାରଖାନା ବର୍ତ୍ତମାନ ଖୋଲା ଯିବ ତହିଁରେ ଆଜି ପର୍ଯ୍ୟନ୍ତ ଆବିଷ୍କୃତ ହୋଇଥିବା କଳ ଇତ୍ୟାଦି ସମସ୍ତ ତୁମ୍ଭେ ବସାଇଥିବା ଶୁଣି ଆମ୍ଭେ ପରମସନ୍ତୋଷ ଲାଭ କରିଛୁଁ । ତୁମ୍ଭର ଶ୍ୱଶୁର ବଡ଼ ଚତୁର ଲୋକ - ସେ ଚମଡ଼ା-କାରଖାନାରେ ଉପଯୁକ୍ତ ଲୋକ ରଖି ବାଘ, ସାପ, କୁମ୍ଭୀର ଇତ୍ୟାଦି ହିଂସ୍ରଜନ୍ତୁ ମାରି ଲୋକଙ୍କର ପ୍ରାଣରକ୍ଷାର ମଧ୍ୟ ଉପାୟ କରିଛନ୍ତି । ସକଳ ପ୍ରକାରେ ଲୋକଙ୍କର କଲ୍ୟାଣକର ଏ ଭଳି କାରଖାନାର ଆମ୍ଭେ ମଙ୍ଗଳ କାମନା କରୁଁ । ବର୍ତ୍ତମାନ ସାନ୍ତାଳମାନଙ୍କର ନାଟ ହେଉ । - ନାଚ ସଇଲେ କାରଖାନା ଖୋଲା ହେବ ଆଉ ସମସ୍ତେ ତାହା ଦେଖି ବାହୁଡ଼ିବୁଁ । (ଉପବେଶନ ।)
ସାନ୍ତାଳଯୁବକଓ ଯୁବତୀଗଣ – (ଆଗକୁ ଆସି ନୃତ୍ୟ ସହିତ ଗୀତ)ଗୀତ ।ଯେଉଁ ଜଗତଠାକୁର ଗଢ଼ିଲେ ସଂସାର ଶିଳ୍ପୀ ତାଙ୍କୁ ବଳି ନାହିଁ ।ସଦା କାର୍ଯ୍ୟେ ରତି ସେ ବିଶ୍ୱବିଧାତା ଅଳସ ତେଜରେ ଭାଇ ॥
ଦେଖ ଚାରିପାଶେ ଘେରି ରହିଚନ୍ତି ଜଗତଠାକୁର ମୋର ।ଦେଖୁଚନ୍ତି ପିଲେ କି କଲେ ନ କଲେ ବୁଦ୍ଧି ଦେଉଚନ୍ତି ସାର ॥
ଅନ୍ତର୍ଯ୍ୟାମୀ ସେହି ଜାଣନ୍ତି ଅନ୍ତର ଦେଉଚନ୍ତି ବଳ କେତେ ।ସଂସାର-ସାଗର ହେଳେ ତରିଯିବ ଯେ କରିବ କାର୍ଯ୍ୟ ଯେତେ ॥
ମାତା ପିତା ଭ୍ରାତା ଭଗିନୀ ସକଳେ ପ୍ରେମଡୋରେ ଛନ୍ଦା ହୋଇ ।କାର୍ଯ୍ୟକ୍ଷେତ୍ରେ ଲାଗ ସନ୍ତୋଷମନରେ ସୁଫଳ ପାଇବା ପାଇଁ ॥
ଦେଶହିତେ ରତ ହେବ ଯେଉଁ ଲୋକ କାର୍ଯ୍ୟହିଁ କେବଳ ତାର ।ପାଇବ ସମ୍ମାନ ଈଶ୍ୱର-କଲ୍ୟାଣ ଧର ଏ ବଚନ ସାର ॥
ଲାଟ ଓ ଲାଟପତ୍ନୀ – (ଆନନ୍ଦରେ ତାଳିବାଦନ) ।ସଭାସ୍ଥ ସକଳେ – (ଆନନ୍ଦରେ କରତାଳି ପ୍ରଦାନ) ।ମୁକୁ – (ଲାଟସାହେବଙ୍କୁ ସୁବର୍ଣ୍ଣକୁଞ୍ଚି ବଢ଼ାଇଦେବା ।) ଏହି କୁଞ୍ଚିରେ ଦ୍ୱାର ଖୋଲିଦେଲେ ଏକାବେଳେକେ କଳମାନ ଚାଲିବ ।ଲାଟ – (ଠିଆ ହୋଇ) ଏହି ଶୁଭକ୍ଷଣରେ ଆମ୍ଭେ କାରଖାନା-ଘର ଖୋଲାହେବା ପ୍ରକାଶ କଲୁଁ । (ଦ୍ୱାରଦେଶରେ କୁଞ୍ଚି ମୋଡ଼ିଦେବା ।)[ଦ୍ୱାର ଖୋଲିଯାଇ ଦିବ୍ୟ କଳଚାଳନ ଦୃଶ୍ୟ](ଟିକିଏ ନିରୀକ୍ଷଣ କରି) ଅତି ସୁନ୍ଦର ! ବିଶେଷ ବିଶେଷ ଧନ୍ୟବାଦ !ଲାଟପତ୍ନୀ – (ଉଠି ଦେଖି) ବିଶେଷ ଧନ୍ୟବାଦ । (ତାଳିବାଦନ) ।ସଭାସ୍ଥ ସକଳେ – (ଉଠି ଦେଖି ତାଳି ବଜାଇବା)ଲାଟ – ଆସ, ସମସ୍ତେ ଭିତରକୁ ଯାଇ ଦେଖିବା ।[ଲାଟ ଓ ଲାଟପତ୍ନୀ ପଛରେ ସମସ୍ତଙ୍କର ଭିତରକୁ ପ୍ରସ୍ଥାନ ଓ ଅଦୃଷ୍ଟ-କୁମାରୀମାନଙ୍କର ପ୍ରବେଶ ।]ଅଃ କୁଃ – (ନୃତ୍ୟ ସହିତ ଗୀତ ।)ରାଗିଣୀ ବେହାଗ ଖମ୍ବାଜ । ତାଳ ଖେମଟା ।ଦେଖ କଳା-କଉଶଳ ।କଉଶଳେ ଚଳେ ଚରାଚର । ଘୋଷା ।ମରମ ଜାଣେ ବିଜ୍ଞାନ, ଜାଣି ଜନେ ହୁଅ ଧନ୍ୟ,ଦିନ ନିଅ ଭୁଞ୍ଜ ସୁଖ ଯେତେ ପାର । ୧ ।ସଂସାର-କାରଖାନାରେ କି ସଜରେ କଳଚାଲେସଜାଅ ସେହି ସଜରେ ଯାଉ ଯଶ ଦେଶାନ୍ତର ।ଲାଗିଲେ ଶିଳ୍ପରେ ସିନା ଉଡ଼ିବ ଗୌରବ-ବାନାଶୋହିବେ କମଳାସନା ଉତ୍କଳ-ଭଣ୍ଡାର । ୨ ।ଯବନିକାପତନ ।ଚତୁର୍ଥ ଅଭିନୟ
ପ୍ରଥମଦୃଶ୍ୟ
ଅରଣ୍ୟ[ମୁଖେ ପିଙ୍କା, ଡାହାଣ ହାତେ ଠେଙ୍ଗା ଓ ବାମହସ୍ତେ ବରିଆ ଧରି ଚୌକିଦାରର ପ୍ରବେଶ ।]
ଚୌକି – (ପାଟିକରି) ହୁସିୟାର ! ଖବରଦାର ! (ଚାରିଆଡ଼କୁ ଅନାଇ) ଘୋର ଜଙ୍ଗଲ-! କିଟକିଟିଆ ଅନ୍ଧାର ! ଏଠାକୁ ସେମାନେ କାହିଁକି ଆସିବେ ! (ପୁଣି ଚତୁର୍ଦ୍ଦିଗ ନିରୀକ୍ଷଣ କରି) କାହିଁ ? କେହି କୁଆଡ଼େ ନାହିଁ । ମୁଁ ଯେତେ କହିଲି ଦାରୋଗା ମାନିଲେ ନାହିଁ । କେତେବେଳେ ଗସ୍ତରେ ଆସିଲା ବେଳେ କେଉଁଠି ଗୋଳମାଳ ଶୁଣିଥିଲେ ଯେ ମୋର ଦୋଷ ହେଲା, କଣନା, ମୁଁ ଏଠିକି ଆସିଲି ନାହିଁ । ଓଃ ! ବାପରେ ! (ମୁଖଭଙ୍ଗ କରି) ଭୁତଚିରକୁଣୀ ଏଠାକୁ ଆସିଲେ ମୋର ପ୍ରାଣଯିବ ! ମୋର ଆଉ ପିଲାପିଲୀ ନାହିଁ - ଠେଙ୍ଗାଟା ଅଛି ବୋଲି କାହାରିକି ଡରେ ନାହିଁ । ମୁଁ ଚୋର ଧରିବି, ଆଉ ଦାରୋଗା ପାଇବେ ବକସିସ - ତାଙ୍କର ପାହିଆ ବଢ଼ିବ । - ଏଗୁଡ଼ାକ ଚୌଧୁରୀ ମଲାଦିନୁଁ ତ ଆଉ ମଦ ମାହାଳିଆ ପାଉନାହାନ୍ତି - ୟାର କଦଳି ଖଣ୍ଡେ, ତାର କଖାରୁଟାଏ, କାର ଛତାବାଡ଼ି, କାର ଲୁଗାପଟା ଚୋରୀ କରି ନେଉଚନ୍ତି - ମାନ ଧଇଲେ ଦରୋଗା କହିଲେ ମୁଁ ଚୋର । ମୁଁ ଏମତେ ଚାକରୀ ଆଉ କରିବି ନାହିଁ !
(ଗୀତ)ରାଗିଣୀ ସିନ୍ଧୁ ଖମ୍ବାଜ । ତାଳ ଖେମଟା ।ମୋର ଜୀବିକା ଆଉ କିଛି ନାହିଁ କି ।ମନ କଲିକତା ଯିବା ପାଇଁ କି । ପଦ ।କଲିକତାରେ -ଦିନକୁ କାମ ଶକ୍ତ, ରାତି କି ଫରାକତମଜା ନେବ ରାତି ରାତି ଶୋଇ କି । ୧ ।ଆମ ଦେଶରେ -ପୁଲୀଶ ରୁଲବାଡ଼ି, ଲାଟ୍ସାହେବ୍ ଖବରଦାରୀ,ଚୁଡ଼ା ଚାଉଳ ବାନ୍ଧି ଯିବି କାହିଁକି । ୨ ।ଆଉ ଦେଖୁଚ -ଦାନାରୁ କନା ନାହିଁ, ବୁଲେଁ ପୋଷାକ ନାଇ,ସବୁ ଲାଗେ ଜଗତ-ଗୋସାଇଁ କି । ୩ ।
ଆଉ ଚାକରୀ ନ କଲେ ଖାଇବି କିସ ? ୟାଙ୍କରିପରି ଆଉ ଚୋରୀ କରିବି କି ।- ଯାଏଁ ଆଉ କେଉଁଠି ଥିବେ ଦେଖେ । (ପାଟିକରି) ହୁସିୟାର ! ଖବରଦାର !
(ପ୍ରସ୍ଥାନ)[ଚାନ୍ଦମଣିର ପ୍ରବେଶ ।]
ଚାନ୍ଦ – ଓଃ ! କି କାଳୀ ଅନ୍ଧାର ! (ସ୍ୱଗତ) ମୋତେ ପୁଣି ଏ ସ୍ଥାନ ମାଡ଼ିବାକୁ ହେଲା-! ଚୌଧୁରୀଙ୍କ ହେସାବରୁ ଚୋରୀକରି ମୁଁ ଜମିଦାରୀ ବାନ୍ଧିଥିଲି - ଦଶତୋଡ଼ା ନଗଦ ଥିଲା । ୟେ ନିର୍ବଂଶିୟା ମୋଠୁ ନେଇ ବେଳେ ବେଳେ ମଦ ଖାଉଥିଲେ – ମୁଁ ନ ଦେଲାଠୁ ମୋର ସର୍ବସ୍ୱ ଲୁଟି ନେଲେ । ମାମଲା କଲି ଯେ ହାକିମ କହିଲେ ପାଞ୍ଚଟକିଆ ମୁଣ୍ଡ, ୟାଘରେ ପୁଣି ଏତେ ମାଲ କୁଆଡ଼ୁ ଆସିଲା ! ସେତ ପାଇଲେ ଖଲାସ, ମୋ ଉପରେ ଦୁଇଶ ଏଗାର ହେବାରୁ ଜମିଦାରୀ ବିକି ଓକୀଲ ବାରିଷ୍ଟାର ଦେଇ ଛୁଟି ପାଇଲି । - ବୃନ୍ଦ ସାହେବ କଣା, ଆଣ୍ଠୁଆଡ଼ୁ ବୁଝାମଣା । ଦୈବ ବି ବୁଝିଲେ ନାହିଁ ! (ଚମକି ଚାହିଁ) ହେଇ, କିଏ ଆସୁଛି ପରା !
[ରତନ, ମାଣିକ, ଭଜନା, ପାଣ୍ଡବ, ଚିନ୍ତାମଣି, ଘନ ଓ ଚେତନର ପ୍ରବେଶ]ତୁମ୍ଭେମାନେ ଏତେ ଦେରୀ କଲ ?
ରତ – ଭକୁଆାଟା ନା କଣ ! ଚଉକିଆ ଆସିଥିଲା ପରା, ସେ ଆର ତୋଟା ପାରି ହୋଇଗଲା ତେବେଯାଇ ଆମେମାନେ ଆସିଲୁଁ । - ବାଟେତ ହାବୁଡ଼େ ପଡ଼ିଥାନ୍ତୁଁ ।
ମାଣି – ମଣିଷଟା ହୋଇ ବାଘପରି ଆଖି ତରାଟି ଚାଲିଛି ।
ଭଜ – ତା ଆଖି ଦିଟା ଦେଖିକରି ପରା ମୋତେ ତରଛ ମାଡ଼ିଲା । - ଭାଇ କି ଦୁଃଖର କଥା, ସରକାର କେତେ ପସନ୍ଦ କରି ଦୁଆରେ ଦୁଆରେ ମଦ-ଦୋକାନ କରିଦେଲେ - (ମୁଖଭଙ୍ଗି କରି) କ୍ୟା ଆଛା ମାଲ - ପଇସା ନ ଥିଲାକୁ ଆଜି ଟୋପାଏ ହୋଇ ପେଟରେ ପଡ଼ିଲା ନାହିଁ । ମୁଁ ଶୁଣ୍ଢିକି ଜଗାଇ ଦେଇ ଆସିଛି ଯେତେ ରାତି ହେଉ ଆମେ ଗଲେ ସେ ମଦ ଦେବ । - ମା କାଳୀ ବିଚାର କଲେ ଆଜି ଭଣ୍ଡାର ଲୁଟି ପାଞ୍ଚଟଙ୍କାର ସ୍ୱଦେଶୀ ମାଲ ମାଙ୍କ ପ୍ରସାଦ ହେବ ।
ଚୈତ – ଚାନ୍ଦମଣି ଆମ ସଙ୍ଗେ ଯାଇପାରିବେ - ଗୋଡ଼ତ ଥରିବେ ନାହିଁ - ସେ ନୂଆ ଭୁଆ ।ଚାନ୍ଦ – ଆଚ୍ଛା, କାରଖାନା ଭିତରେ ଯେଉଁଠି ଲୁହା ସିନ୍ଦୁକ ଥାଏ ତୁମେ ଠିକ୍କରି ଦେଖିଛ ? - ସେଠିକିତ ଯିବାକୁ ମନା ।
ଭଜ – ମୁଁ ପରା ମାଳୀ କାମ କରିବା ବାହାନାରେ ଯାଇଥିଲି - ପେଖନା କରି ସବୁ ବୁଲିଚାଲି ଦେଖିଛି । (ହାତରେ ଦେଖାଇ) ପାଞ୍ଚୁଟା ଏଡ଼େ ଏଡ଼େ ଲୁହା ସିନ୍ଦୁକ - ସମସ୍ତେ କହନ୍ତି ମୋହର, ନୋଟ, ଟଙ୍କା ହୋଇ ପାଞ୍ଚକରୋଡ଼ ଟଙ୍କା ଅଛି ।
ରତ – ଆଚ୍ଛା ପାଞ୍ଚକୋଟି ଟଙ୍କା କେତା ଶଗଡ଼ ହେବ ?ମାଣି – ନୋଟ ଗୁଡ଼ାକତ ହାତରେ ଜାକି ହୋଇଯିବ ।ଭଜ – ଏତେବେଳେ ସେ ହିସାବ କରିବା ବେଳ ? - ସେ କଣ ପଦାରେ ଅଛି ଯେ ହାତରେ ମୁଠାଇ ଆଣିବ ।ଚାନ୍ଦ – ଲୁହାସିନ୍ଦୁକ ଆଣିବ କେମନ୍ତେ ?ଭଜ – ବାଉଁଶ ଦଉଡ଼ି ନେଇଥିବା, ସାଙ୍ଗିକରି ଆଣିବା ।ରତ – ଏତକ ବୁଦ୍ଧି ଦିଶିଲା ନାହିଁ, ଆଉ ଗୁମାସ୍ତାଗିରି କରୁଥିଲେ !ମାଣି – ଆଚ୍ଛା ଭିତରେ ଥିଲାବେଳେ ଯଦି ବାଟ ଓଗାଳିବ – ପାଚେରୀ ତ ଭାରୀ ଉଞ୍ଚା ?ଭଜ – ଗଲାବେଳେ ଦିଟା ବାଉଁଶ ଡେରି ଦେଇ ଯାଇଥିବା, ତାକୁ ଧରି ଧୁପଧାପ୍ ଓହ୍ଲାଇପଡ଼ି ପଳାଇବା ।ଚାନ୍ଦ – ଏ ହିସାବ ଠିକ୍ ।
ଭଜ – (ମୁଖଭଙ୍ଗି କରି) ହେଁ-ୟେ ଚୌଧୁରୀ ଘର ହିସାବ ନୁହେଁ, ଲେଖିଲାଖି ଦେଇପାର । - ଦେଖ, ତାଙ୍କ ପହରାବାଲାଏ ଠିକ୍ ରାତ୍ର ଦୁଇ ପ୍ରହର ହେଲେ ଗୋଟାଏ ମାଇକନିଆ ଘରକୁ ଯାନ୍ତି, ସେତିକି ବେଳେ ଗଲେ ଘଣ୍ଟାକ ଭିତରେ କାମ ଫଏର - ସେ ଆସୁ ଆସୁ ଦିଘଣ୍ଟା ।
ଚାନ୍ଦ – ମୁଖା, ବାଉଁଶ, ଦୁଇପ୍ରହର ହେଲା ନାହିଁକି ! - ମୁଖା ଆଣିଛ ?ଭଜ – ମୁଖା, ବାଉଁଶ, ଦଉଡ଼ି ସବୁ ଆର ବୁଦାରେ ଠିକ କରି ରଖିଛି ଚାଲ ସମସ୍ତେ ସଜ ହୋଇ ଆସିବା ।[ସମସ୍ତଙ୍କର ପ୍ରସ୍ଥାନ ଓ ମୁଖାପିନ୍ଧି ପାଇକଛି ମାରି ହାତରେ ବଡ଼ ବଡ଼ ବାଉଁଶ ଓ ଦଉଡ଼ି ଧରି ପ୍ରବେଶ ।]ରତ – ଥିରହୋଇ ଚାଲ - ରାମଚନ୍ଦ୍ର ଲଙ୍କାକୁ ଗଲାବେଳେ ବି ଏଭଳି ସୈନ୍ୟ ନ ଥିଲେ ।ସମସ୍ତ – ଜୟ ମା କାଳୀ ! ତୁ ରକ୍ଷା କରିବୁ ! (ପ୍ରସ୍ଥାନ ।)ପଟପରିବର୍ତ୍ତନ
ଦ୍ୱିତୀୟ ଦୃଶ୍ୟ
କାରଖାନା ପ୍ରାକାରର ବହିର୍ଦ୍ଦେଶ[ବନ୍ଧୁକ କାନ୍ଧରେ ଧରି ଧୁନ୍ଦା ଓ ଭୁନ୍ଦାର ଗୀତ ଗାଉଁ୨ ପ୍ରବେଶ ।]ଧୁନ୍ଦା ଓ ଭୁନ୍ଦା(ଗୀତ)ରାଗିଣୀ ଗାରା ଭୈରବୀ । ତାଳ ଖେମଟା ।ବଡ଼ା ଚାକରୀକି କଡ଼ା ହୁକୁମ ଜାରୀ ।ଖଡ଼ ଖଡ଼ା କାମ ଦିନ ରାତି ସାରି । ଘୋଷା ।ଚୋର ଡକାତ ଡର କହ ନାହିଁ କାହାର,ଥୋଡ଼ା ପହରାକୁ ଯୋଡ଼ା କଥା ଭାରୀ । ୧ ।ଡାକିବ ଯେବେ ନିଶା କରି ମଧୁର ନିଶାଚୌଡ଼ା ମନାକର ସୁଖେ ଦୌଡ଼ା ମାରି । ୨ ।ଧୁନ୍ଦା – ଭାଇ ଆମେ ମାଇକନିଆ ରଖିଲୁଁ ବୋଲି ବାବୁଙ୍କ କତିରେ କିଏ କହି ଦେଇଛି !ଭୁନ୍ଦା – ଆରେ, ସେଥିପାଇଁ ବାବୁ ମୋ ଉପରେ ଆଜି ଚିଡ଼ଚିଡ଼ି ହେଉଥିଲେ ! - ଆଜି ଆଉ ତେବେ ଯିବାନାହିଁ ।
ଧୁନ୍ଦା – (ଟିକିଏ ରହିଯାଇ) ଆରେ, ଚାଲ୍ମ । - ଏଡ଼େବଡ଼ ପାଚେରୀ, ଚୋରର ବାପର ସାଧ୍ୟ ଅଛି ଆସିବ ! ରାତି ଦିପହର, ନିଶା ଗରଜିଲାଣି - ଆଜି ଟିକିଏ ଚଞ୍ଚଳ ଚାଲିଆସିବା ।
ଭୁନ୍ଦା – (ଚାରଆଡ଼କୁ ଅନାଇ) ହଁ ଚାଲ - କେହି କୁଆଡ଼େ ନାହିଁ ।
[ଧୁନ୍ଦା ଓ ଭୁନ୍ଦାର ପ୍ରସ୍ଥାନ ଓ କିଛିକ୍ଷଣ ଉତ୍ତାରୁ ମୁଖାବନ୍ଧା ମାଣିକ, ରତନ ଇତ୍ୟାଦିର ପ୍ରବେଶ ଓ ବାଉଁଶରେ ଭରାଦେଇ ପାଚେରୀ ଟପି ଦୁଇଗୋଟି ବାଉଁଶ ଡେରି ରଖିଯିବା ଓ କିୟତ୍କାଳ ପରେ ବାମଦେବ ଓ ମୁକୁନ୍ଦର ପ୍ରବେଶ ।]
ବାମ – ମୁଁ କହୁଥିଲି ଏ ପହରାବାଲାମାନେ କାମ ଢିଲା କରୁଛନ୍ତି - ସବୁବେଳେ ଜଗି ନ ଚାଲିଲେ କି ଚଳେ !
ମୁକୁ – ସତକଥା ବାପା । ମୁଁ ମନେ କରିଥିଲି ମଜବୁତ ହୁସିୟାର ଲୋକ ଯୋଡ଼ାଏ - ଦୁଇଜଣ ଯାକ ପଶ୍ଚିମା ହେଲା ଆପଣା ମଧ୍ୟରେ ସଲ୍ଲ କରିବେ । ସେଥିସକାଶେ ଜଣେ ପଶ୍ଚିମା ଆଉ ଜଣେ କଣ୍ଡରା ରଖାଗଲା । ଚାରିଆଡ଼ତ ଆମେ ବୁଲି ଅଇଲୁଁ, ଦୁଇଜଣ ଯାକ କୁଆଡ଼େ ଯାଇଛନ୍ତି - ଦେଖାନାହିଁ ।
ବାମ – (ଖଣ୍ଡେ ବାଉଁଶ ଦେଖି ଧରି ପକାଇ) ଏ ବାଉଁଶ ଖଣ୍ଡ ଏଠି ଡେରା ହୋଇଛି କାହିଁକି ? ଅନ୍ଧାରରେ ତ ଦୂରୁଁ ଦିଶୁ ନ ଥିଲା !ମୁକୁ – (ଆଶ୍ଚର୍ଯ୍ୟାନ୍ୱିତ ହୋଇ) ସତେ ତ ! (ଆଉ ଟିକିଏ ଅନାଇଁ) ହେଇଟିତ, ବାବା ଆଉ ଗୋଟାଏ ବାଉଁଶ !
ବାମ – (ଅତ୍ୟାଶ୍ଚର୍ଯ୍ୟ ହୋଇ) ଚୋରା ଚାବି ଆଣିଛତ, ଝଟ ଚାଲ, ଦେଖିବା କେହି ଚୋରତ ପଶିନାହିଁ । - ବାଉଁଶ ଦୁଇଖଣ୍ଡ ତଳକୁ ରଖିଦେଇ ଯିବା ।
[ବାଉଁଶ ଦୁଇଟା ତଳେ ଥୋଇଦେଇ ବାମଦେବ ଓ ମୁକୁନ୍ଦର ପ୍ରସ୍ଥାନ ।]ନେପଥ୍ୟେ – (ବନ୍ଧୁକର ଶଦ୍ଦ ଓ ପରେ ଚୋର, ଚୋର, ଧର, ଧର କୋଳାହଳ ।)
[ପାଚେରୀ ଉପରୁ ଦଉଡ଼ି ଓ ମୁଖା ପକାଇଦେଇ ରତନ ମାଣିକ ଇତ୍ୟାଦିର କୁଦି ପଡ଼ିଯିବା ଓ ମୁଖ ବିକଟାଇ କଷ୍ଟରେ ଉଠି ଲେଙ୍ଗଡ଼ାଇବା ଏବଂ ଏକ ପାର୍ଶ୍ୱରୁ ବାମଦେବ ଓ ମୁକୁନ୍ଦର ପ୍ରବେଶ ।
ବାମ ଓ ମୁକୁ – (ଦଉଡ଼ିଆସି ପାଟିକରି) ଧର ! ଧର ![ଧୁନ୍ଦା ଓ ଭୁନ୍ଦାର ଦ୍ରୁତବେଗେ ପ୍ରବେଶ ଓ ପରେ କାରଖାନାର ଶିଳ୍ପିମାନଙ୍କର ଦ୍ରୁତ ପ୍ରବେଶ ।]ଧୁନ୍ଦା – (ପାଟିକରି) ହେଇ ଚୋର (ରତନକୁ କୁଣ୍ଡାଇ ଧରିବା) ।ଭୁନ୍ଦା – (ପାଟିକରି) ହେଇ ଚୋର ରେ (ମାଣିକକୁ କୁଣ୍ଢାଇ ଧରିବା)ଶିଳ୍ପିଗଣ – (ଭଜନା ଇତ୍ୟାଦିଙ୍କି ଧରିବା ।)ବାମ – ଧୁନ୍ଦା, ଭୁନ୍ଦା ଆଉ ତୁ କୁଆଡ଼େ ଯାଇଥିଲୁ ?ଧୁନ୍ଦା – ଭୁନ୍ଦାକୁ ହଗ ମାଡ଼ିଲା । ସେ ପୋଖରୀକି ଗଲା - ମୁଁ ଏଇଠି ପରସ୍ରା କରୁଚି ଗୋଳମାଳ ଶୁବିଲା !
ବାମ – କେମନ୍ତ ! ମୁଁ ଏହିବାଟେ ଗଲି ତୋତେ ଦେଖିଲି ନାହିଁ ? ତୁମ୍ଭେମାନେ ବି ଚୋରଙ୍କ ସଙ୍ଗରେ ଅଛ । (ଗମ୍ଭୀରଭାବେ) ବାନ୍ଧ ଏ ଦୁହିଙ୍କି । ବାନ୍ଧ ସମସ୍ତଙ୍କୁ । ଏଇଠି ଦଉଡ଼ି ପଡ଼ିଛି ।
ଶିଳ୍ପିଦ୍ୱୟ – (ଧୁନ୍ଦା ଓ ଭୁନ୍ଦାକୁ ପଡ଼ିଥିବା ଦଉଡ଼ିରେ ବାନ୍ଧିବା ।)ଅନ୍ୟ ଶିଳ୍ପିମାନେ – (ପଡ଼ିଥିବା ଦଉଡ଼ିରେ ରତନ ମାଣିକ ଇତ୍ୟାଦିଙ୍କି ବାନ୍ଧିବା ।)ଧୁନ୍ଦା – (କ୍ରନ୍ଦନସ୍ୱରେ) ହଜୁର, ମୁଁ କେବେ ମିଛ କହି ନାହିଁ !ଭୁନ୍ଦା (ତଦ୍ବତ୍) ହଜୁର, ମୁଁ କେବେ ଚୋରଙ୍କ ସଲ୍ଲାରେ ନାହିଁ ।ଭଜ – (ତଦ୍ବତ୍) ହଜୁର, ଆମେ ସବୁ ଦେଖିବାକୁ ଯାଇଥିଲୁଁ - ଚୋର ନୋହୁଁ ।ରତ – (ତଦ୍ବତ୍) ଚୋରୀ କରିବା ଆମର କାମ ନୁହେଁ ।ମାଣି – (ତଦ୍ବତ୍) ହଜୁର, ବଡ଼ଲୋକ - କିଛି ଚୋରାଇ ନାହୁଁ, ଛାଡ଼ି ଦିଅନ୍ତୁ ।ଚାନ୍ଦ – (ତଦ୍ବତ୍) ହଜୁର, ବ୍ରାହ୍ମଣକୁ ଜେଲ ଦେଲେ କି ଧର୍ମ ହେବ !ପାଣ୍ଡ – (ତଦ୍ବତ୍) ହଜୁର, ସମସ୍ତଙ୍କ ଗୋଡ଼ଭାଙ୍ଗି ଗଲା ! ଏହି ସଜା -ଘନ – (ତଦ୍ବତ୍) ହଜୁର, ଜାତି ପାଟକରୁ ଗଲେ ସବୁ ସରିବ, ଛାଡ଼ି ଦିଅନ୍ତୁ !ଚୈତ – (ତଦ୍ବତ୍) ହଜୁର, ଥାଡ଼ା ଥାଡ଼ା ନାକ ଘସିଚି - ଛାଡ଼ି ଦିଅ ଆର ଏମତ କାମ କରବ ନାହିଁ - ପିଲା କୁଟୁମ୍ବ ଗଡିୟାଁ ମରିବ ।
ବାମ – ହଁ ଏତେବେଳେ ସବୁ କାନ୍ଦୁଛ - ଆମେ ଟିକିଏ ହେଳା କରିଥିଲେ ଜୀବନଯାକ ଆମକୁ କନ୍ଦାନ୍ତ ! ଚାଲ ସବୁ ଥାନାରୁ ଡାକ୍ତରଖାନାକୁ ଯାଇ ସେଠାରୁ ମାମୁଁ ଘରେ ଶିକ୍ଷା ପାଇବ । ବତ୍ସ ! ଚାଲ ଏମାନଙ୍କୁ ଥାନାକୁ ଘେନିଯିବା- ଏପର୍ଯ୍ୟନ୍ତ ଚୌକୀଦାରର ଦେଖା ନାହିଁ, ସେ ନିଶ୍ଚିନ୍ତ ନିଦଉଛି । ଦେଖ , ଯେଉଁମାନେ ଏମାନଙ୍କୁ ବାନ୍ଧି ଧରିଛନ୍ତି ତାଙ୍କ ଛଡ଼ା ଆଉ ସମସ୍ତ ଶିଳ୍ପିଏ ଯାଅ, ରାତ୍ରଯାକ ଜଗି ରହିବ ।
ଅନ୍ୟ ଶିଳ୍ପିଗଣ – ଯେ ଆଜ୍ଞା (ପ୍ରସ୍ଥାନ ।)[ବାମଦେବ, ମୁକୁନ୍ଦ ଓ ଶିଳ୍ପିଗଣ ବନ୍ଧା ହୋଇଥିବା ଲୋକଙ୍କୁ ଘେନି ପ୍ରସ୍ଥିତ ଓ ଅଦୃଷ୍ଟକୁମାରୀମାନଙ୍କର ପ୍ରବେଶ ।]ଅ, କୁ – (ନୃତ୍ୟ ସହିତ ଗୀତ ।)ରାଗିଣୀ ଭୈରବୀ । ତାଳ କବାଲୀ ।ସୁଜନେ ଦେଖି ବୁଝ ବଡ଼ କେ ସଂସାରେ ।ଚଳନ୍ତି ସକଳେ ସୁଖ-ସମ୍ଭୋଗ-ଆଶାରେ । ଘୋଷା ।ଶ୍ରମରେ ଦିନରାତି ନାହିଁ ଯାହାର କ୍ଲାନ୍ତି,ଯଶ ତା କେ ଜଗତୀ ଭାଷିବ ଭାଷାରେ । ୧ ।ଯେ ସତ୍ୟଧର୍ମେ ଚଳି ପରହିତ ଆଚରିଭବୁଁ ହୁଅଇ ପାରି ମୋକ୍ଷ-ପିପାସାରେ । ୨ ।ଅଧର୍ମେ ପଥେ ଗଲେ ପଡ଼ିବ ନିଶ୍ଚେଁ ଖାଲେଯାତନା ଲେଖା ଭାଲେ ନାନା ଦୁର୍ଦ୍ଦଶାରେ । ୩ ।ସତ୍ୟ ଈଶ୍ୱର ବଳୀ ନାହିଁ ବେଦରୁ ବଳିମାନିଲେ ବଡ଼ ଛାଡ଼ି ଅଧର୍ମ-ଲାଳସା । ୪ ।ଯବନିକାପତନ ।