ଦ୍ୱିତୀୟ ଦୃଶ୍ୟ — ବଡ଼ଲୋକ — ରାମଶଙ୍କର ରାୟ · ସ୍ୱର୍ଣ୍ଣଲିପିସମ୍ପୂର୍ଣ୍ଣ ସୂଚୀପତ୍ର
ଦ୍ୱିତୀୟ ଦୃଶ୍ୟ
ପ୍ରମୋଦ ଉଦ୍ୟାନ[ଚାଙ୍ଗୁଡ଼ା ଗୋଟିକରେ ଫୁଲହାର ରକ୍ଷିତ ଏବଂ ସ୍ୱର୍ଣ୍ଣଲତା,ଯାମିନୀ ଓ କାମିନୀର ଉଦ୍ୟାନ ଭ୍ରମଣ ।]ଯାମି – (ସ୍ୱରଭଙ୍ଗିରେ)ବସିଚି ବସନ୍ତେ ଶିରୀ । ପ୍ରମୋଦ ବନ ଆବୋରି !ନାନାଫୁଲ ହାରାବଳୀ । ଟେକିନିଏ ସ୍ୱର୍ଗେ ଧରି ।ସ୍ୱର୍ଗ-ବିଦ୍ୟାଧରୀ ଅବା । ଗୋଟିପଣେ ବନେ ଉଭା ॥
ନାନାଗନ୍ଧେ ନିଶିଦିବା । ଚମକାଏ ଦେବସଭା ।କାମି – ଯଥାର୍ଥ କହିଚ ସଖି ! (ତଦ୍ବତ୍)ଇନ୍ଦ୍ର-ନନ୍ଦନ-କାନନ । ନିନ୍ଦଇ ପ୍ରମୋଦ-ବନ ।ଛାଇ ହୋଇଛି କୁସୁମେ । ବସନ ମାନଇ ଭ୍ରମେ ॥
ସୁଷମା ଶରୀର କାନ୍ତି । ବଖାଣି କେହି ପାରନ୍ତି ॥
ଉଡ଼ି ଯାଉଚି ତା ଯଶ । ବାୟୁ ସହିତେ ତା ବାସ ॥
ଯୌବନ-ବିକାଶେ ଯୋଷା । ଯେସନେ ଜଗତ-ତୋଷା ॥
ବାରତା ପାଇଣ ଅଳି । କରନ୍ତି କେତେ ସେ ଅଳି ॥
ଯାହାକୁ ପାଏ ତା ମନ । କରଇ ସରସ ଦାନ ॥
ଉଛୁଳେ ପ୍ରେମ-ସଙ୍ଗୀତ । ମୋହେ ମହାମୁନି-ଚିତ ॥
ପ୍ରମୋଦ-ଉଦ୍ୟାନ ବାମା । ନାହିଁ ତାହାକୁ ଉପମା ॥
ସ୍ୱର୍ଣ୍ଣ – ଆଜି ତ ସଖୀମାନଙ୍କ ରଙ୍ଗାଧରରୁ ପ୍ରେମଧାରା ଗଡ଼ି ଯାଉଚି ! ସଖି (ସ୍ୱରଭଙ୍ଗିରେ)କୁସୁମକୋମଳପରାଣ-ଯୋଷାର ଯୌବନ-ବିକାଶ ବେଳେ ।କେଉଁ ପ୍ରାଣେ ଆସି ସଖୀମାନେ ପଶି ଚୋରି କରୁଚନ୍ତି ହେଳେ ॥
ବାଧା ପାଇ ଅଳି ଯାଏ ଯେବେ ଚାଲି ମନକଥା ମନେ ମାରି ।କିଏ ପାପଭାଗୀ ହେବ ତାହା ଲାଗି କହିବ ମନେ ବିଚାରି ॥
ଯାମ – ସତ ଗୋ ସତ ! (ସ୍ୱରଭଙ୍ଗିରେ)ଲାଗିଚି ସଂସାରେ ନିତି । ଏସନ ପ୍ରେମର ରୀତି ॥
ବାସ ଚହଟିଲା ବେଳେ । ଦୂରୁଁ ଗଡ଼ନ୍ତି ସକଳେ ॥
କେ କେତେ କରନ୍ତ ଅଳି । କାହା ଭାଗ୍ୟେ ଯାଏ ଫଳି ॥
ସଖୀଏ ଦୂତିକା ଏକା । ଦେଖନ୍ତି କପାଳ ଲେଖା ॥
ତୋଳିବେ ନାନା କୁସୁମ । ଖଞ୍ଜିବେ ଯୌବନେ ପୁଣ ॥
ଅଳିଏ ଯେ ଯିବେ ଫେରି । କରିବେ କେତେ ଗୁହାରି ॥
ଆସିବେ ତେବେ ନାୟକ । ହେବେ ଯେ ତୋଷଦାୟକ ॥
ଏଥେ କି ପାପ ଅର୍ଜନ । ସୁମନେ ସ୍ୱର୍ଗ-ଭାଜନ ॥
(ଗୀତ) ରାଗିଣୀ ସିନ୍ଧୁ ଖମ୍ବାଜ । ତାଳ ଆଠତାଳୀ ।ରହିପାରିବ ଏପରି କେ ପ୍ରାଣଧରି
ଗୋ ସହଚରୀ ।
ସତେ ହେବ ଭବେ କେହୁ ତୋ ସମସରି ଗୋ । ଘୋଷା ।
ତୋ ପାଣି ଆଶାରେ କେତେ ଅଳି
ଆସିଲେ ସକଳେ ନେଲୁ କଳି, -
ଗୋପେ ବଢ଼ିଛି ଯେ ହେବ ତୋର ପରି ଗୋ । ୧ ।
ନନ୍ଦନକାନନ-ପାରିଜାତ
ହେବ ସରି ତୋତେ କାହୁଁ ସତ, -
ଲାଜେ ସରୁଛନ୍ତି ସ୍ୱର୍ଗ-ବିଦ୍ୟାଧରୀ ଗୋ । ୨ ।
ତପସ୍ୟା ଯାହାର ତାକୁ ସିନା
ତୋ ଭଳି ନବୀନା କରେ ତେନା
ରୁପେ ଗୁଣେ ଯୋଗ୍ୟ ମନ ନିଏ ହରି ଗୋ । ୩ ।
କାମି – ସତେ, ସଖି ! ବସନ୍ତତ ପ୍ରବେଶ ହେଲା, ଆଉ କାହିଁକି ବିଳମ୍ବ କରୁଚ !
(ଗୀତ) ରାଗିଣୀ ଝିଁଝିଟ । ତାଳ ଝୁଲା ।
ବିଳମ୍ବ ଆଉ କାହିଁ ପାଇଁ କରୁ ସଜନି ।
ଧରୁ ନାହୁଁ ହୃଦେ କିପାଁ ରମଣୀମଣି । ଘୋଷା ।
ବସନ୍ତବାୟୁ ଏକା କାହିଁକି ସହୁ ।
ଉଚ୍ଛନ୍ନ କୋକିଳ ରାବେ ଦେଖ ଅବନି । ୧ ।
ନାଗରବର ସଜ ଅଛି ନିକର
ଶୀତଳ ହୃଦୟ କର ସାଦରେ ଘେନି । ୨ ।
କୋମଳ-ଅଙ୍ଗି ତୋର କୋମଳ ସଙ୍ଗୀ -
ପ୍ରମୋଦ-ଉଦ୍ୟାନ-ମୁଦ ନ କର ହାନି । ୩ ।
ସ୍ୱର୍ଣ୍ଣ – (ସ୍ୱରଭଙ୍ଗିକ୍ରମେ) ସଖି !
ନବ କିଶଳୟେ କୋମଳ ବସନ୍ତ କୋମଳ କରଇ ପ୍ରାଣ ।
କୋମଳ କୁସୁମେ ଫୁଲି ଉଠେ ମନ କୋମଳ ଭାବରେ ପୁଣ ॥
କୋମଳ ସୁବାସ କୋମଳ ପବନେ କଅଁଳ କରଇ ମନ ।କୋମଳ କାନ୍ତିରେ ମଜିଯାଏ ଚିତ ହଜଇ ବିବେକପଣ ॥
କୋମଳ ତାନରେ ଅଳି କରେ ଅଳି ନାଚି ନାଚି ଚଉପାଶ ।ତହିଁ କୁହୁସ୍ୱର କୋକିଳ କୋମଳ ମିଶାଇ କରଇ ଦାସ ॥
କୋମଳ ଭାବରେ ପ୍ରେମ ଉଦ୍ଦୀପନ କୋମଳପ୍ରେମ-କାହାଣୀ ।କେତେ ତା ସମ୍ଭାର କେ କହି ପାରିବ କୋମଳେ ଥୁଅଇ ଆଣି ॥
ସୁକୋମଳ ମେଘ ଜଳୁଁ ହୋଇ ଜାତ କୁଳିଶ ଯେସନ ଜାଣ ।ପ୍ରେମ-ଭୋଗ ଏହି ବିଚିତ୍ର ସଂସାରେ ଅଟଇ ବଡ଼ କଠିନ ॥
(ଗୀତ) ରାଗ ଶଙ୍କରାଭରଣ । ତାଳ ଆଠତାଳୀ ।ସଜନି, ବଡ଼ ବିଷମ ପ୍ରେମ ।କୋମଳ ରୂପରେ ଅଟେ କଠିନ । ଘୋଷା ।ଦିନକପାଇଁ ଏ ନୁହଇ ଘର । ପରଖି ନ ନେଲେ କାଲିକି ପର । ୧ ।ହେବ ମୋର ଯେହୁ ଗଳାର ମାଳ । କାଳକ ଦେଖିବି ନ ହେବ କାଳ । ୨ ।କଠିନ ପୁରୁଷ କୋମଳା ନାରୀ । ସରି ନୁହେଁ ବାଧା ନ ଗଲେ ସରି । ୩ ।ନ ସହିଲେ କାହୁଁ ସୁଖ ସଞ୍ଜାତ । ପଥର ପାଣି ହେବା କି ସୁପଥ । ୪ ।ଯାମି – ଏ କଥା ମୋ ମନକୁ ଲାଗୁଚି - କିଏ କହିଲା ସଖୀର ବୁଦ୍ଧି ନାହିଁ !ସ୍ୱର୍ଣ୍ଣ – ସଖି, ଆହୁରି ଦେଖ (ସ୍ୱରଭଙ୍ଗି କ୍ରମେ)ପୁରୁଷ ଭ୍ରମରଜାତି ଚଞ୍ଚଳପ୍ରକୃତି ।ପ୍ରେମର ଆବେଗ ସ୍ଥିର ନୁହେ ତାଙ୍କ ମତି ॥
କେତେ ପ୍ରେମ-ସୁଖ-କଥା ଗୁଣୁ ଗୁଣୁ ସ୍ୱରେ ।କହିବେ ଢାଳିବେ ସୁଧା ଶ୍ରବଣ-କୁହରେ ॥
ସ୍ୱର୍ଗହୁଁ ଉନ୍ନତ ପଦେ ବସାଇବେ ନେଇ ।ଚନ୍ଦ୍ରହୁଁ ଆହ୍ଲାଦରାଶି ହାତେ ଦେବେ ଥୋଇ ॥
ବିଡ଼ିବା ସେ କଥା ସଖି ! ବିଷମ କଠିନ ।କାମିନୀ କୋମଳପ୍ରାଣ ହୁଏ ହତଜ୍ଞାନ ॥
କାମିନୀ ବିଡ଼ିବା ମାତ୍ର ସନାତନ ବିଧି ।ସେହି ସେ ଜାଣନ୍ତି ତାର ନିଦାନ ଔଷଧି ॥
ତାଙ୍କହାତେ ତୁଳାଦଣ୍ଡ ବିହିଲେ ବିଧାତା ।ବରିବେ କାମିନୀ ତୁଳି ଧୀରେ କାମୀ-କଥା ।ନୋହିଲେ ପଡ଼ିବେ ଖାଲେ ଚିରକାଳ ପାଇଁ ।ହୋଇବ ଜୀବନ ଶେଷ ଲୋତକ ବୁହାଇ ॥
ବିନା ବିବାହରେ ନାହିଁ ନର ନାରୀ ମେଳ ।ବିବାହ ନୁହଁଇ କେବେ କଥା ମାତ୍ର ଗେଲ ॥
ସେ କାରଣୁଁ ବ୍ରହ୍ମଚର୍ଯ୍ୟ ବର୍ଷ ପଞ୍ଚଦଶ ।ଜ୍ଞାନେ ଦମ୍ଭ କରେ ଯାହା ନାରୀ ହୃଦଦେଶ ॥
ବିନା ସେ ଆଲୋକ ବାଟ ହୁଏ ନାହିଁ ଚାଲି ।ବୋହିବ କଣ୍ଟା ସେ ବାଟେ ନ ଗଲେ ବିଚାରି ।ସେହି କାରଣରୁ ଦେଲି ଛମାସ ସମୟ ।ବିଡ଼ିବ ବଚନ କିବା ଶୁଦ୍ଧରସମୟ ।କାମି – ସଖି ! (ସ୍ୱରଭଙ୍ଗିକ୍ରମେ)ଗଲାଣି ଛମାସ ପୂର୍ଣ୍ଣ ହେଲାଣି ଫଗୁଣ ।କି ଦେଖିଲ କହୁନାହଁ କିପାଁ ଗୁଣାଗୁଣ ॥
ବିଶୁଦ୍ଧ ପ୍ରେମର ପାତ୍ର ମୁକୁନ୍ଦେ ଦେଖିଲେ ।ପ୍ରେମର ପସରା ଜ୍ଞାନ ହୋଇଯାଏ ହେଳେ ॥
ଯାମି – ସଖି ! (ସ୍ୱରଭଙ୍ଗିକ୍ରମେ)ମୁକୁନ୍ଦ ଯଥାର୍ଥନାମା ପ୍ରେମଭକ୍ତି ଘେନି ।ନ ଦେଖିଲୁଁ ଏତେ କାଳ ତିଳେ ସୁଦ୍ଧା ହାନି ॥
ନ କର ବିଳମ୍ବ ବର ତୋଷମନେ ସଖି ।କାମିନୀ କଷଟି ସୁନା ନ ବଳେ ପରଖି ॥
(ଗୀତ) ରାଗିଣୀ ସାବେରି । ତାଳ ଝୁଲା ।କଷି ନେଇଛୁତ ହସି ହସି ଦରହାସି ।ହୃଦ-କଷଟିରେ ନିତିପରତରେ ଝଟକ ଅଧିକ ଦିଶି । ପଦ ।(ସେତ) ତୋର ମୁଖ ଶଶୀ ଭାଳେ ସଦା ବସି ଯାଇଛି ତହିଁରେ ରସି ।ନୁହେଁ ବିଚଳିତ ପ୍ରତିବିମ୍ବ ଯାହା ନେଇଛି ମନସରସୀ । ୧ ।(ତୋର) ପ୍ରେମଫାଶେ ପଶି ମଙ୍ଗଳ ମନାସି ମନେ ଯାଇଅଛି ମିଶି ।ନ ଦେଖିଲେ ଥରେ ଦିନ ତା ନ ସରେ ଭାଳୁଥାଏ ଦିବାନିଶି ॥
ଦୟା ପରକାଶି ଦକ ତା ବିନାଶି ଘେନ ସୁଖେ ପ୍ରିୟଭାଷି ।(ସେ ତୋ) କିଣାଦାସ ପରି ସେବା କରୁଥିବ ଆନନ୍ଦ-ଜଳରେ ଭାସି । ୩ ।[ମୁକୁନ୍ଦର ପ୍ରବେଶ ।]ମୁକୁ – (ହର୍ଷୋତ୍ଫୁଲ୍ଲମୁଖେ) ପ୍ରିୟସଖି !ଆଜି ଶୁଭଯୋଗ ମୋର ପ୍ରମୋଦ-ଉଦ୍ୟାନେ-ସହଚରୀ ସହ ଭେଟ ନୟନ-ପିତୁଳାଜୀବନତୋଷଣୀ, ଯାଙ୍କୁ ନ ଦେଖିଲେ କ୍ଷଣେବିଫଳ ମନୁଷ୍ୟଜନ୍ମ ମନେ ହୁଏ ହେଳେ ।ହସେ ଚରାଚର ଆଜି ବସନ୍ତ ଶାସନେ, -ପ୍ରମୋଦ-ଉଦ୍ୟାନ ସମେ ଆନନ୍ଦ-ପ୍ରତିମ ;ସୁବାସ-କୀରତି ବହେ ଗନ୍ଧବହ ଦୂରେହସି ହସି ପୁଲକାଇ ଚରାଚର ଜୀବ ।ସୁଗୁଣ କୀରତିରାଶି ଆରାଧ୍ୟା ଦେବୀଙ୍କଯାଏ ତହୁଁ ଦୂର, ଫୁଲି ଉଠଇ ମାନସ ।ପୂର୍ଣ୍ଣଚନ୍ଦ୍ର ମୁଖ ଦେଖି ସାଗର ପରାୟେ ।(ହାତଯୋଡ଼ି) କ୍ଷମ ଦୋଷ ମୋର ଯେବେ ଅବେଳେ ଅଧୀନଆଗତ ଆରାମେ ଯହିଁ ପ୍ରଣାରାମ ଏକା ।ସ୍ୱର୍ଣ୍ଣ – (ସସମ୍ଭ୍ରମେ) ନାହିଁ ଦୋଷ ତବ, କ୍ଷମା ହେବ ଅବା କିସ ?ସ୍ୱାଗତ ସୁହୃଦ ସଦା ପ୍ରମୋଦ-ଉଦ୍ୟାନେ, -ପୂରାଅ ମାନସ ଯହିଁ ନବୀନ କୁସୁମେଶୋଭାର ଭଣ୍ଡାର ଶୁଭେ ହୋଇଛି ସଜଡ଼ାଉପଭୋଗ ପାଇଁ । ଭୃଙ୍ଗ-ଗଣେ ଦୁରୁଁ ଆସିଗନ୍ଧବହ ସଙ୍ଗେ କଳି ରଚନ୍ତି କି ତାନେଚୋରି କରିବାରୁ ବାସ ମଧୁନାଶ ମଣି !ଦେଖିଥିଲୁଁ ସର୍ବେ ଭାବବିନିମୟ ପାଇଁଲୋଡ଼ା ଥିଲା ବେଳେ ଏକା ହୋଇଲ ପ୍ରବେଶ ।ମୁକୁ – (ତଦ୍ବତ୍) କୃପା ତବ - କରୁଣାର ନାହିଁ ସେ ଅବଧି,ବାରିଧି ପରାଏ ନୁହେଁ ବାରି ଯାର ଶେଷ !ଅଶାନ୍ତ ହୃଦୟେ ଶାନ୍ତି-ସୁବଚନ ସୁଧାବିହିଛ ସତତ, ଦାସ ଅନୁରକ୍ତ ତହିଁ ।ଯାମି – (ଭଙ୍ଗୀକ୍ରମେ) ଯଥାର୍ଥ ସେ କଥା, ଶୁଣି ସହଚରୀ-ହୃଦହେଲା ଶାନ୍ତ ଅନୁଗତ ଆନ ଜନେ ଦେଖିଅଧୀନୀ ପରାଏ, ମାତ୍ର ଚଞ୍ଚଳ ପ୍ରକୃତିପୁରୁଷ ଭ୍ରମରଜାତି ଅଳିକୁଳ ପରାଆଜି କଥା କାଲି ମନେ ନ ଥାଏ କଦାପି ।(ଅଙ୍ଗୁଳି ନିର୍ଦ୍ଦେଶ କରି)ଏଯେ ଭୃଙ୍ଗ ଉଡ଼ିବୁଲେ କାମିନୀ ପାରୁଶେନ ଥିବ କାଲି କି ପଡ଼ି କମଳିନୀ-ଫାଶେ ?ମୁକୁ – (ମୃଦୁହାସ୍ୟ ସହ) କାମିନୀର ଦୋଷ ତାହା ଝଡ଼ିଯାଏ କିଁପାଉଦ୍ଭାସିତ କରି ଦିଶ ଦିନକ ସକାଶେ ?ଯାମି – (ପୂର୍ବବତ୍) କାମୀଜନେ କାମଜ୍ଞାନ, କାମିନୀର ଦୋଷଦେଖନ୍ତି କେବଳ କେବେ ନୋହି ଆତ୍ମବଶ । -ଏକାନ୍ତ ପ୍ରଣୟ ଥିଲେ କାମିନୀ ନିକଟେବନ୍ଧା ହୋଇଥାନ୍ତେ - ନିଜ ଜୀବନ ଉଜାଇଁଦିଅନ୍ତେ ବିନାଶେ ତାର ତୁଚ୍ଛ ଭବ ମଣି ।ମୁକୁ – (ଯୋଡ଼ହସ୍ତେ) ମାନିଲି ମୁଁ ହାର - ଏଥି ନାହିଁ ଆନ କଥା,ପାଇଲେ ବଚନ ମୋର ନ ହେବ ଅନ୍ୟଥା ।ସ୍ୱର୍ଣ୍ଣ – (ମୃଦୁହସି) ସହଚରୀଠାରେ ହାରି କି ସାହସେ ପଣଉଠିବାକୁ ମନ - କେବେ ହୁଏ କି ପୂରଣହଟିଗଲେ ପାଦେ ସ୍ଥିର ନ କରି ମାନସ ?ଯାମି – (ପୂର୍ବବତ୍) ସ୍ଥିରସୌଦାମିନୀ ମୋର ସ୍ୱର୍ଣ୍ଣଲତା ବାଳା,ହସେ ଚରାଚର ଯାଇ ଶୋଭାରାଶି ଘେନି -ଚମକେ ଚୌଦିଗ ଗୁଣ ଯାଇଚି ଚହଟିସଂସାର-ଅରଣ୍ୟ ପରିଣତ ଉପବନେ ।ଯେ ତହିଁ ହୃଦକୁ ଦମ୍ଭ କୁଳିଶୁ ଅଧିକକରି ରଖିଥିବ ଦିବ୍ୟ ପ୍ରେମଭାବ ଘେନି,କି ସୁଖେ କି ଦୁଃଖେ କେବେ ନୋହି ଅନ୍ତରାୟଛାୟାପରି ଏକଭାବେ ହେବ ଅନୁଚର,ରଖିବ ମହତ୍ତ୍ୱ ପୁଣି ବଢ଼ାଇ ମର୍ଯ୍ୟାଦାଆପଣା ଉନ୍ନତି ସଦା ଲୋଡ଼ୁଥିବ ସୁଖେସଂସାର-ଲୋକର ସୁଖ ମନାସି ମନରେପ୍ରମୋଦ-ଉଦ୍ୟାନ ପରି ପରକୁ ହସାଇଆପଣା ଶୋଭାରେ ଗର୍ବ ନ କରି କଦାପିଆପଣାର ଅଛି ଯାହା ସମର୍ପି ସକଳସଂସାରର ଶୁଭବାଣୀ ଲୋଡ଼ିବ ସାଦରେଅଧିଷ୍ଠାତ୍ରୀ ଦେବୀ ପାଶେ ବନ୍ଧା ଦେଇ ପ୍ରାଣତିଳେ ହେଲେ ଇତସ୍ତତ ନ ହେବ କାଳକେସେହି ସେ ଧରିବ ପାଣି ସହଚରୀଙ୍କର -ବୀରଭୋଗ୍ୟା ବସୁନ୍ଧରା ଅଟଇ ନିକର ।(ଗୀତ) ରାଗିଣୀ ଝିଝିଁଟ ଖମ୍ବାଜ । ତାଳ ଆଠତାଳୀ ।ନୁହେଁ ସହଜରେ ଲାଭ ପ୍ରୀତି-ପସରା ।ଯା ଘେନି ସୁନ୍ଦର ଧରା ॥ ପଦ ॥
ଭୁଷାପାଇଁ ଭବେ ଯୋଷା ଲୋଡ଼ିବା ଲୋକହସା,ସେଠାରେ ପୀରତି-ଆଶା ଚପଳାପରା । ୧ ।ପବିତ୍ର ପୀରତି-ରସ ପାଇ ଅର୍ଜିବା ଯଶମନକୁ ନ କଲେ ବଶ ନ ପଡ଼େ ଧରା । ୨ ।ରମଣୀ-ରତନ-ଲାଭ ବିଷମ ବିଶ୍ୱେ ଭାବ,ଲଭେ ସିନା ଏକା ଦେବ ଅମୃତ-ଧାରା । ୩ ।ପରକୁ ଆପଣା କରି ସୁଖ ଦୁଃଖ ସମ୍ଭାଳିପାରିବ ଯେ ବାଟଚାଲି ତା ପାଶେ ଧରା । ୪ ।ମୁକୁତା ମାରିଲେ ଗଜ ସାଗରେ ବୁଡ଼ିଲେ ହେଜଖଣିବିନା ସୁନାସଜ କଥା ଟାପରା । ୫ ।ମୁକୁ – (ବିନୀତଭାବେ) କି ସାହସେ ବୀର ବୋଲି ହେବ ଗର୍ବ ମୋର ? -କହିଲେ କିଏ ସେ ଅବା କରିବ ବିଶ୍ୱାସ ?ବୀର ବିନା ବୀରା-ରକ୍ଷା ନୁହଇ ସମ୍ଭବ,ବେଦପାଣୀ ରକ୍ଷାକରେ ବିଦ୍ୱାନ ଏକାକୀ ।ମୋର ଯା ସମ୍ବଳ ମୋର ମର୍ଯ୍ୟାଦା ବିଦ୍ୟାରେହେଲେ ଯେତେ ଊଣା, ମାତ୍ର ମୋଠାରୁ ଅଧିକସହଚରୀ ତବ - ଯହିଁ ସଦ୍ବିଦ୍ୟା ସମ୍ମାନଉଭୟ ମିଳିତ - ଧନୀ ମହାଧନବତୀ ।ଏତକ ଅଛଇ ବଳ କହିପାରେଁ ତେବେଦେଖାଇବା ଅସମ୍ଭବ ହୃଦ ଫେଡ଼ି ଭବେ -ଏ ହୃଦେ ଚମକ ଏକା ନ ଜଗଇ କେବେକୁଳିଶ-ପାତରେ ଯାହା ଯାଇଥାନ୍ତା ଲିଭି ।ନୁହନ୍ତି ଚପଳା କେବେ ଜାଣେଁ ସଖୀ ତବ,କଥା ପରମିତା, ବିଦ୍ୟା ବୁଦ୍ଧି ପରିଣତା,ଅକାଟ୍ୟ ପ୍ରମାଣ ତାର - ନୋହିଲେ କି କେବେସଂସାରେ ସୁଯଶ ଏତେ ଅର୍ଜିଥାନ୍ତେ ସୁଖେ,କରିଥାନ୍ତେ ଅନୁଗତ ଏ ଦାସେ ଏକାନ୍ତ ।ଜାଣେଁ ମୁଁ ଚପଳାପରି ମୋ ଆଶା କଦାପିନ ଯିବ ସଂସାରେ ଉଡ଼ି କ୍ଷଣକାଳ ଥାଇପ୍ରମୋଦ-ଉଦ୍ୟାନେ ପଶି ଭୁଗର୍ଭ-ଅନ୍ଧାରେ ।ଯାର ଗୁଣ ଗାଇ ଭୋଳ ଅନୁକ୍ଷଣ ମନବସାଇଛି ସମାଦରେ ହୃଦୟ-ଆସନେପୂଜଇ ଦେବତା ପରି ସ୍ୱର୍ଗ-ଲାଭ-ଆଶେ,ସଂସାର ସକଳ ଦ୍ରବ୍ୟ ଆହରଣ କରିଯା ପଦେ ଦେବାକୁ ବାଞ୍ଛା କରଇ ସର୍ବଦା,ସଞ୍ଚାରିଣୀ ଦୀପଶିଖା ପରି ଯେ ଦେବତାଦେଖାଏ ଅଧୀନେ ବାଟ ଅନ୍ଧାର ସଂସାରେ,ନ ଭୁଲି ପାରିବି, କେବେ ନୋହିବ ଅନ୍ୟଥାବଚନ ମୋହର; ଜାଣଁ ଗାର୍ହସ୍ଥ-ସମ୍ବାଦବିହିତ ବେଦରେ ଯାହା ଜନହିତପାଇଁଜାଣନ୍ତି ସକଳ ସଖୀ ବିଡ଼ିବେ ଦେହରେ ।ପାଇଲେ ସେ ପାଣି ଜୀଇ ଶୁଖିଲା ପରାଣବିଚରି ସଂସାରେ ଅବ । ଶାନ୍ତିସୁଧା ଲଭିକାଟିବ ଜୀବନ, ଅବା ଜୀବନ-ତୋଷିଣୀନୋହିଲେ ଜାଣିବି ଆଶା-ମରୀଚିକା ଭବେନେବାକୁ ପରାଣ ଏକା ହୋଇ ଥିଲା ଭେଟ ।ତେଜିବି ତଥାପି ଜୀବ ସେ ନାମ ଉଚ୍ଚାରିଭଜୁଛି ଜୀବନ ଯାହା ଦବାତିଭାବରୀ ।(ଗୀତ) ରାଗିଣୀ ଝିଁଝିଟି । ତାଳ ଛପ୍କା ।ମୋର ପରାଣ ଘେନିଛି ପରଶମଣି ।ମୁଁ ତ ବନ୍ଧାଅଛି ସଖୀଠାରେ ଦିବାରଜନୀ । ପଦ ।ମଧୁପିକ ବଚନ ମୋହିଛି ମନ,ହଜିଛି ମୋ ବଳ ବୁଦ୍ଧି ତୁଚ୍ଛ ଧରଣୀ । ୧ ।ଭଙ୍ଗି ଠାଣି ଚାହାଁଣି ଭାଙ୍ଗିଛି ବାଣୀସଂସାରେ ନ ଦିଶେ ମୋତେ ଆନ ସରଣୀ । ୨ ।ସେ ମୋ ଆଶା ଭରସା ସେ ଲାଗି ରସା,ଆଜୀବନ ଏ ଜୀବନ ଅଛଇ ଜାଣି । ୩ ।ଭାଗ୍ୟବତୀ ମୋହର ହୋଇଲେ ପର,ଜପିବି ଜୀବନେ ଏକା ମୁକତି ମଣି । ୪ ।କାମି – (ହସି ହସି) କାମିନୀ ରମଣୀ ସତୀ ଉଜାଏ ଜୀବନ -ଦେଇ ମଧୁ ଭୃଙ୍ଗବରେ ନ ଦୂଷ ତିଳେହେଁ -ରମଣୀ-କୁଳରେ ଦୋଷ ନାହିଁ କେବେ ଜାଣ ।ପଦ୍ମିନୀ ରମଣୀ ଯେବେ ଜାଣିବ ହୃଦୟବାନ୍ଧି ରଖିଥିବ ଦୃଢ଼େ ଚିରକାଳପାଇଁଆପଣା ବକ୍ଷରେ !- ତୁମ୍ଭେ ବୀର ଅଟ ଏକାକରିଚ ତପସ୍ୟା ବହୁସାଧ୍ୟ ସାଧନାରେଇନ୍ଦ୍ରପଦ-ଲାଭେ - ଭଙ୍ଗ ହୋଇନାହିଁ କେବେ ।ତଥାପି ତୋଷିବା ନିଜ ଅଧିଷ୍ଠାତ୍ରୀ ଦେବୀଅଟଇ କଠିନ, ଦେବୀ ସାଧନ ଯଥାର୍ଥନ ଜାଣିଲେ କେବେ ଆଗେ ହେବେ ନାହିଁ ଉଭାତୋଷିବାକୁ ଭକ୍ତ ତିଳେ ଭକ୍ତି ଥିଲେ ଊଣା ।(ଗୀତ)ରାଗ ଶଙ୍କରାଭରଣ । ତାଳଝୁଲା ।କର ସରାଗ ମନ ନୋହିବ ଉଚ୍ଛନ୍ନ ।ଭକିଥିଲେ ମୁକ୍ତି ସମାଧାନ ହେ । ପଦ ।ମନ ପ୍ରାଣ ଯେହୁ ସମର୍ପି ସୁଖେ ଦେବୀ-ପାଦପଦ୍ମ ଧରଇ ବୁକେପୁରଇ ଅଚିରେ ମନସ୍କାମ ହେ । ୧ ।ପ୍ରଭାକର ପରି ନିର୍ମଳ ମନ ନ ଥିଲେ ନଳିନୀ ନୁହେଁ ପ୍ରସନ୍ନ,ଅଛି ଯେବେ ହୃଦ କର ଟାଣ ହେ । ୨ ।କଳାକରପରି କଳଙ୍କ ଯାର କୁମୁଦକୁ ମୁଦ ଅଟେ ଅପାରଊଣା କଥା ନ ପାଇବ ଥାନ ହେ । ୩ ।[ତରଭର ହୋଇ ଦାସୀର ପ୍ରବେଶ ।]ଦାସୀ – ଜେମାଦେଇ, ବୋଉ ଆସୁଚନ୍ତି ।ସ୍ୱର୍ଣ୍ଣ – (ସଜାଡ଼ି ହୋଇ ମୃଦୁହାସ୍ୟେ)ଆସ ସହଚରି ଆଶା ଆଜିବି ନୋହିଲାପୂରଣ ଏଠାରେ, ଭକ୍ତି ଅଛି ଅବା ଊଣା !ପୂରଣ ଏଠାରେ, ଭକ୍ତି ଅଛି ଅବା ଊଣା !ମୁକୁ – (କରଯୋଡ଼ି) ପରାଣ ପରାୟେ ହୃଦେ ବିଚରେ ଯା ବାଣୀନ ତ୍ୟଜିବେ କେବେ ତ୍ୟଜି ଗଲେକ ଆଗରୁ ![ପ୍ରିୟବତୀର ପ୍ରବେଶ ।]
ପ୍ରିୟ – ସ୍ୱର୍ଣ୍ଣ ! ଆ ଘରକୁ ଯିବୁ । ମୁକୁନ୍ଦ ! ତୁ ବିଲାତକୁ ଯାଇ ଯେଉଁ ଗୁଣ ଅର୍ଜି ଆସିଚୁ ତୋର ବୁଦ୍ଧିର ଅନୁରୂପ । ମୁଁ ଆଢ଼ୁଆଳରୁ ଥାଇଁ ସବୁ ଶୁଣିଚି । ତୋର ମା ଏ ସମ୍ବନ୍ଧ ମନାସି ଥିଲେ - ମୁଁ ଉଭୟଙ୍କର ସଚ୍ଚରିତ୍ର ଦେଖି ବିବାହବନ୍ଧନରେ ବାନ୍ଧିବାକୁ ସ୍ଥିର କରିଚି ।
ସ୍ୱର୍ଣ୍ଣ – (ଲଜ୍ଜାରେ ଅଧୋବଦନା) ।
ପ୍ରିୟ – ମା ସ୍ୱର୍ଣ୍ଣ ! ଆଉ ଲଜ୍ଜାରେ କାର୍ଯ୍ୟ ନାହିଁ - ଯେଉଁ ମାଳା ଗୁନ୍ଥିଚୁ ତୋତେ ଯେ ଗଳାରେ ମାଳା କରି ଚିରକାଳ ନାଇବ ତାହାରି ଗଳେ ଲମ୍ବାଇ ଦେ । ଯାମିନି, କାମିନି, ତୁମେମାନେ ହୁଳହୁଳି ଦେଇ ସ୍ୱର୍ଣ୍ଣକୁ ଘରକୁ ଘେନିଯାଅ ।
ଯାମି, କାମି – (ଫୁଲମାଳ ନେଇ ସ୍ୱର୍ଣ୍ଣଲତା ହାତେ ଦେବା) ।ସ୍ୱର୍ଣ୍ଣ – (ସଲଜ୍ଜା ମାଳା ଘେନି ମୁକୁନ୍ଦ ବେକରେ ଲମ୍ବାଇ ଦେବା ।)ଯାମି, କାମି, ପ୍ରିୟ ଓ ଦାସୀ – (ହୁଳହୁଳି ଦେବା) ।ପ୍ରିୟ – ବତ୍ସ ମୁକୁନ୍ଦ ! ଏବେ ଘରକୁ ଯା -ତୋର ଶ୍ୱଶୁର ଆଦେଶ ଦେଇଚନ୍ତି କାଲି ବିବାହ ହେବ ।
[ଆଗେଆଗେ ହୁଳହୁଳି ଦେଇ ଯାମିନୀ ଓ କାମିନୀ ସ୍ୱର୍ଣ୍ଣଲତାକୁ ଧରି ଓ ତତ୍ପଶ୍ଚାତ୍ ପ୍ରିୟବତୀ ଓ ଦାସୀ ପଛରେ ମୁକୁନ୍ଦର ପ୍ରସ୍ଥାନ ଓ ଅଦୃଷ୍ଟ-କୁମାରୀମାନଙ୍କର ପ୍ରବେଶ ।]
ଅଃ କୁଃ – (ନୃତ୍ୟ ସହିତ ଗୀତ)ରାଗିଣୀ ସାହାନା । ତାଳ ଯତ୍ ।ହସଇ ଧରଣୀ ଶୋଭା ପଡ଼ଇ ଉଛୁଳି ।ରୂପେ ଗୁଣେ ଅନୁରୂପେ ବରକନ୍ୟାଯୋଡ଼ି । ଘୋଷା ।ଧନ୍ୟ ବାମଦେବ ପିତା ଧନ୍ୟା ପ୍ରିୟବତୀ ମାତା,ସୁଯୋଗ୍ୟ ପାତ୍ରରେ କନ୍ୟା ଧରେ ଦିବ୍ୟ ଶିରୀ । ୧ ।ଉଭୟଙ୍କ ମାତାପିତା ସଂସାର-ସୁଖ-ବିଧାତା,ଚିତ୍ରାକୁ ଚନ୍ଦ୍ରମା ମନଗୁଣେ ଅଛି ମିଳି । ୨ ।ଭବେ ଭାଗ୍ୟ ବଡ଼ ତାର ଯେ କର୍ମ କରଇ ଭଲ,ଜନ-ଆଶୀର୍ବାଦେ ଈଶ-ଆଶୀର୍ବାଦ ଫଳି । ୩ ।ଯବନିକାପତନ ।ତୃତୀୟ ଅଭିନୟ