ବାଣପୁର — ଗୋଦାବରୀଶ ମହାପାତ୍ର · ସ୍ୱର୍ଣ୍ଣଲିପିବାଣପୁରନିସର୍ଗ-ମାଧୁରୀ-ଲଳିତ ପ୍ରକୃତିସୃଷ୍ଟି ଆଦିଦିନୁ ବିଶ୍ୱେ ଯା’ର ସ୍ଥିତି !ନବ ଦମ୍ପତିର ନବ ପ୍ରେମୋଚ୍ଛ୍ୱାସ,ମହର୍ଷି-ସଞ୍ଚିତ ଜ୍ଞାନର ବିକାଶ,ପ୍ରେମିକ ପ୍ରେମିକା ପ୍ରୀତି ସମ୍ଭାଷଣ,ଶଠ ଖଳଜନ ଅପ୍ରିୟ ବଚନ,-ଏହିପରି କେତେ ଅତୁଲ୍ୟ ବିଭୂତିଅଭୟ ଭଣ୍ଡାରେ ନିହିଛୁ ପ୍ରକୃତି !କିବା ଧନୀ ମାନୀ, କିବା ଉଚ୍ଚମନା,ତୋର ପାଦପଦ୍ମେ ସର୍ବ ନତମନା ।ତୋର ଦରଶନେ ବିମଳସଙ୍ଗୀତପଲେକେ ହୃଦୟେ ହୁଅଇ ଧ୍ୱନିତ ।କେତେ ନବରୂପ ଧରୁ ଲୋ ପ୍ରକୃତି !କେତେ ତ କହିଛୁ ଅତୀତର ସ୍ମୃତି;ବର୍ତ୍ତମାନେ କରୁ ଭବିଷ୍ୟତ ଠୁଳ,ଭବିଷ୍ୟତ ତୋର ଅଗ୍ର ସହଚର ।ଜୀବରାଜ୍ୟେ ଯେହୁ ଅତି ଦୀନହୀନତୋର ଆଶ୍ରେ ନୋହେ କିବା ମହୀୟାନ !ବିକଟ ଗର୍ଜନ, ମଧୁ କଳରବବଳାହକେ ଇରମ୍ମଦର ତାଣ୍ଡବ,ଅନନ୍ତ ଜଳଧି, ଶ୍ୟାମଳ ବିପିନ,ସିନ୍ଦୂରିତ ଊଷା, ଆରକ୍ତ ତପନ,ଜନମନମୋହୀ ସୁର ଶକ୍ରଧନୁ,ବନ କେକାରବ, ଭୃଙ୍ଗ ଗୁଣୁଗୁଣୁ,ଋତୁରାଜ ମଧୁ ପ୍ରଦୋଷ ଗରିମା,କୁହେଳି-ଆବୃତ ଦିଗ୍ବଳୟ ସୀମା,-କେତେ କେତେ ରୂପେ ଲଭୁ ତୁ ବିକାଶ,କେତେମନ୍ତେ ଗଢ଼ି କରୁ ଲୋ ବିନାଶ ।ପଷ୍ପୋଦ୍ୟାନ ତୁହି ପ୍ରେମପୁଷ୍ପେ ପୂରିଆହରନ୍ତି ଯୋଗୀ ହୃଦ-ଡ଼ାଲା ଧରି ।ନୋହିଲେ କି ତୋର ଚିରସହଚରହୋଇଥାନ୍ତେ ଜ୍ଞାନୀ, ଗୁଣୀ, କବିବର ?ନ ଥାଆନ୍ତା ଯଦି ତୋ ରୂପେ ମାଧୁରୀ,ଈଶ କି ଆଶ୍ରନ୍ତେ କଇଳାସ ଗିରି ?ଧନ୍ୟ ଲୋ ପ୍ରକୃତି ! ଧନ୍ୟ ତୋର ଗୁଣ,ଧନ୍ୟ ତୋର ରୂପ, ଧନ୍ୟ ତୋ ଭିଆଣ ।ଯେ ଗୁଣଗାୟନେ ବିମୋହିତ କବି,କୋଟିଜନ ହୃଦ ଯାଏ ଲୋ ଦରବି,ସେ ଗୁଣ କୀର୍ତ୍ତନେ ହେବ କି ଭାଜନଏ ମୋର ଲେଖନୀ ଅତି ଅକିଞ୍ଚନ ?ଆହା ବାଣପୁର, ମୋ ପ୍ରିୟ ଜନନୀ,ତୋ ରୂପଛଟା ମୁଁ କି ବର୍ଣ୍ଣିବି ପୁଣି -ଯହିଁ ଚାହେଁ ଶତ ଶୋଭାର ଭଣ୍ଡାରବିଲ, ବନ, ପଦା, ଶଇଳ , କେଦାର;ଗୋଟିଏ ଗୋଟିକି ବଳି ଶୋଭାବନ -କାନନୁଁ ଭୂଧର ଭୂଧରୁଁ ଗଗନ ।ଇନ୍ଦ୍ରନୀଳକାନ୍ତି-ବସନେ ଶିଖରୀରହିଅଛି ତୋର ପଦଦେଶ ଘେରି ।
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପଗଙ୍ଗାଧର ମେହେର ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟଗଙ୍ଗାଧର ମେହେର ଗଙ୍ଗାଧର ମେହେର
ବିହଗ-କୂଜିତ ଚିରଝଙ୍କାରିତ,
ଭୂଜଗ-କୁଟିଳ ଗତି ଯା’ର ପଥ;
ଉଷା-ହେମଧୈାତ ସୈାଧ ଚୂଳବାସୀ,
ତୁଙ୍ଗ ତରୁ ଯା’ର କାଦମ୍ବିନୀସ୍ପର୍ଶୀ;
ଆପଣା ବିଭବେ ଅତି ବଳିଆର;
ଏକେ ଆନେ କିବା ତୁଳନା ତାହାର ।
ଯା ବିଜନ ବକ୍ଷେ ନରକଣ୍ଠସ୍ୱନ
ଶୁଣିନାହିଁ ବନ ବିକଟ ଶ୍ରବଣ;
ସହିଛି ଯେ ବନ ଭୀମ ଶୋଭାଶାଳୀ;
ନିଦାରୁଣ ନବ ପ୍ରାବୃଟ ଦମ୍ଭୋଳି;
ସେ ଚାରୁ ବିଶାଳ ଶଇଳ ତୋ ପଦେ
ଦିଶେ କି ରୁଚିର ଅତୁଳ ସମ୍ପଦେ ।
ସେହି ତ ଭାଲେରୀ ନୀଳ ପାରାବାର-
ନୀଳିମାକୁ ଜିଣି ଦିନେ ମନୋହର ।
ପ୍ରତୀଚୀ ପ୍ରାକାର ଗିରି ଖଣ୍ଡାହଣା
ମୃଗ, ମୃଗରାଜ ବକ୍ଷେ ଯା’ର ବଣା ।
ଅର୍ଦ୍ଧ-ଦିବା-ରବି କିରଣ ପ୍ରଖର
ଯା’ ଚୂଡ଼େ ଚୁମ୍ବଇ ଶୀତଳ ମଧୁର ।
ଶାଳ, ପିଆଶାଳ ପ୍ରତିହାରୀ ବ୍ୟାଜେ
ବକ୍ଷେ ଯା’ର ଶିର ଟେକିଛନ୍ତି ତେଜେ;
ନିମିଷେ ନିମିଷେ ଶ୍ୟାମ ଶାଖାରାଜି
ବାୟୁ ପ୍ରତିଘାତେ ପଡ଼ନ୍ତି ଆଉଜି;
ଶ୍ୱାପଦସଙ୍କୁଳ ବିକଟ କୋଟରେ
ଶୋଭେ ଖଣ୍ଡାହଣା ନୀଳ କଳେବରେ ।
ଯା’ର ଦରଶନେ ଶଙ୍କିତ ସେନେହ
ଦୂର ପାନ୍ଥ ମନେ ହୁଅଇ ଉଦୟ ।
ଉଷା ଅଂଶୁମାଳୀ ଯେ କର-ପ୍ରବାଳେ
ପରଶଇ ଧୀରେ ଖଣ୍ଡାହଣା ଶିରେ,
ସେହି କରେ ଆହା ଚୁମ୍ବେ ସେ ଅରୁଣ
ନଭସ୍ପର୍ଶୀ ଘଣ୍ଟଶିଳାର ବଦନ ।
ଅଭ୍ରଭେଦୀ ଶ୍ୟାମ ବିମାନ ଯେସନେ
ଶୋଭଇ ଶିଖରୀ ଶାଳିଆ ପୁଳିନେ ।
ରହିଛନ୍ତି ବେଢ଼ି ଶୋଲରୀ, ଭାଲେରୀ,
ରଥୀଗଣେ ଯଥା ଅଭିମନ୍ୟୁ ଘେରି ।
ପ୍ରାଚୀ ଦିଗ ଏକା ରହିଛି ମୁକୁଳା
ଶାଳିଆ-ଧଉତ କେଦାର ଶ୍ୟାମଳା ।
ଆହା, ମୋ ଶାଳିଆ ରଜତ ସଲିଳା,
ତୋ କୋଳେ କେତେ ମୋ ଶଇଶବଲୀଳା ।
କେତେ ଦିନେ ଆଉ ଯିବି ତ ବରଜି;
ଯହିଁ ଥିବି ସଦା ହେଉଥିବି ହେଜି ।
ଭେଦି ତୁ ଆସିଛୁ କେତେ ଅରଣ୍ୟାନୀ,
ଚିତ୍ରକୂଟ ପାଶେ କିବା ମନ୍ଦାକିନୀ ।
କଳକଳ ସ୍ୱରେ ଅବିରତ ଭୁଲି
ଆସିଅଛୁ ପଥେ କେତେ ରଙ୍ଗେ ଖେଳି ।
ତୋ ଅଙ୍ଗ ପରଶେ ଅସଂଖ୍ୟ ବ୍ରତତୀ
ପୁଷ୍ପେ ସୁଶୋଭିତା, ଫଳେ ଫଳବତୀ ।
ପଲ୍ଲୀବାସୀ ଦୀନ କୃଷକର ପ୍ରାଣ
ଶାଳିଆ ସୈକତେ ଆନନ୍ଦେ ମଗନ ।
ନିସର୍ଗ ପ୍ରବାହେ ଉଲ୍ଲସିତ ମନେ
ବିହଗ ନିକର ଗାଉଛନ୍ତି ବ୍ୟୋମେ ।
ଯା’ର ତଳଦେଶେ ପୁଣ୍ୟ ଅଧିଷ୍ଠାନ
ରଚି ବିରାଜନ୍ତି ଦେବ ତ୍ରିଲୋଚନ ।
କପିଳ-ଈଶ୍ୱର ନାମେ ଲୋକେ ଖ୍ୟାତ,
ଗିରିପଦଦେଶ ବନ କରି ପୂତ ।
ଦିବ୍ୟ ସରୋବର ରାଜଇ ପୁରତେ
ଗିରିଛାୟା ଧରି ସ୍ୱବକ୍ଷ ରଜତେ ।
ଭେକ ମୀନ ଆଦି କେତେ ଜଳଚର
ଅବିଲମ୍ବିଛନ୍ତି ତାର କଳେବର ।
ସମୀର ପରଶେ ଉଠଇ ଲହରୀ
ଭୁଜଗ ଗତିକୁ ସହସ୍ର ଧିକ୍କାରି ।
ପଶ୍ଚାତେ ଗମଇ ଶାଳାବତୀ ଶାଖା,
ବୃଷ୍ଟିହୀନେ ଯେହୁ ବାଣପୁର ସଖା ।
ଚଳଇ ସେ ଧୀର ମନ୍ଦ ଗତି ହୋଇ,
ଠାବେ ଉଠି ପଡ଼େ, ଠାବେ ଗରଜଇ ।
ଚାରୁ ପୁଷ୍ପ-ଫଳେ ହୋଇ ବିଭୂଷିତା
ଶୋଭନ୍ତି ତା କୂଳେ କେତେ ତରୁଲତା,
ସେହି ସେ ସାପୁଆ ଅତି ମନୋହର,
ତୀରଦେଶେ ଯା’ର ପାଟ, କୋଟପୁର ।
ଶ୍ୟାମଳ କେଦାର-ମାଳିକାର ମାଳେ
କିବା ଶୋଭାବନ ପ୍ରାଣ ମନ ହରେ ।
ଘଣ୍ଟଶିଳା ପଦେ ନାରୀକେଳ ବନ -
ଅଚ୍ୟୁତ ରାଜାଙ୍କ ସ୍ଥାପିତ ଶାସନ ।
ବାଣପୁର ପୁଣ୍ୟ ଶାନ୍ତିର ତପନ
ଦେବ ସୋମନାଥ କରି ଆଗମନ,
ମଣ୍ଡିଛନ୍ତି ଘଣ୍ଟଶିଳା ତଳଦେଶ,
ସୈାଧ ଦେବାଳୟେ ନ କରି ବିଳାସ ।
ଉଡ଼ଇ ପତାକା ହୋଇ ଫରଫର,
ଦେବଭୂମି ଆହା ମୋର ବାଣପୁର ।
ଦିଶେ କୁମାରାଙ୍ଗ ଶ୍ୟାମ କଳେବର
ନାରୀକେଳପୁଞ୍ଜେ ଅତି ପ୍ରିୟ ଜନପଦ ।
ସୁଖେ ଦୁଃଖ ନିତି ମୋ ପ୍ରାଣ-ସମ୍ପଦ
ମରଧାମେ ମୁହିଁ ଅକିଞ୍ଚନ ମତି
ତୋ କୋଳେ ଜନମି ଭାଗ୍ୟବାନ ଅତି ।
ତୋର ଏହି କୋଳେ ଲଭିଣ ଜନମ
କବିଚନ୍ଦ୍ର ପରା ଲୋକେ ଖ୍ୟାତ-ନାମ ?
କନ୍ଧପଲ୍ଲୀଶୋଭୀ ବିରଜା କାନ୍ତାର -
ବାଣପୁର ଚାରୁ ଶୋଭାର ଭଣ୍ଡାର ।
ପନସ, ବେତସ, ଚୂତ ଶ୍ୟାମଳିତ
ଶାଳାବତୀ ସ୍ୱଚ୍ଛ ସଲିଳ ସଂଜାତ ।
ଯା ଅଙ୍ଗ ପୁଷ୍ପିତ ତରୁଲତା କୁଞ୍ଜେ
ଦିବା ନିଶି ଅଳି ମଧୁ ଭୋଳେ ଗୁଞ୍ଜେ ।
ପ୍ରତୀଚୀ ଗଗନେ ଭାନୁ ଅବସାନ
ଦେଖି ଉଦେ ଯହିଁ ଶୁକ୍ର ସୁଶୋଭନ ।
ଅଟେ କିବା ସେହି ବନଦେବୀଙ୍କର
ସିନ୍ଦୂର ଲଲାଟେ ଶୁଭ୍ର ଚିତାଗାର ?
କେବେ ପୁଣି ଶୁଭ୍ର ବଳାହକମାଳା
ବନଚୂଡ଼େ କରେ କେତେ ରଙ୍ଗେ ଖେଳା ।
କେବେ ଶୁକ୍ରଚାପ ଶୋଭେ ନଭସ୍ଥଳେ
ବନଦେବୀଙ୍କର ଅର୍ଦ୍ଧଚନ୍ଦ୍ର ଭାଲେ ?
ନିବିଡ଼ କାନ୍ତାରେ ପରିଣତ ଗଡ଼ -
ଶ୍ରୀ ହରିଚନ୍ଦନ ସ୍ଥାପିତ ବଙ୍କାଡ଼ ।
ବୀରଦର୍ପ ଗାଥା ସଦା ମୁଖରିତ,
ଭାଗ୍ୟଦୋଷେ ଆଜି ସବୁ ବିପରୀତ !
ଶରଦଭ୍ରଧୈାତ ଦରୀ ମନୋହର
ଶାନ୍ତିଦେବୀଙ୍କର ବେହରଣ ସ୍ଥଳ ।
ଶୋଭଇ ଶୋଲରୀ ଘନ ବଂଶବନେ
ତୁଙ୍ଗ ଶୃଙ୍ଗ ତୋଳି ଅନନ୍ତ ଗଗନେ ।
କିଭଳି ଆହା ମୋ ଶଇଳ-ଶେଖର
ଚାରୁ ଚିତ୍ର-ମାଳା ବର୍ଣ୍ଣିବଇଁ ତୋର ?
ରାଜନ୍ତି ତୋ ବକ୍ଷେ ଜଗତ ଈଶ୍ୱରୀ
ମହାମାୟା ପୀଠଦେବୀ ସିଦ୍ଧାମ୍ବରୀ ।
ଚିଲିକା ମୁକୁରେ ନିରେଖି ବଦନ,
ଯୁଗ୍ମ ଆଲିଙ୍ଗନେ ସଂକୋଚି ଅୟନ,
ରାଜନ୍ତି ସମୀପେ ଯୁଗଳ ଭୂଧର -
ମାମୁ ଭଣଜା ସେ କିବା ମନୋହର ।
ମାମୁ ! ବକ୍ଷେ ତୋର ଉଠିଥିଲି ଦିନେ,
ପଡ଼ୁଛି ସେ କଥା ଆଜି ମୋର ମନେ ।
ହୋଇଥିଲି ଦିନେ ସରସ ଅନ୍ତରେ
ଉଭା ତୋ କୁଟଜ-ଶ୍ୟାମଳ ଶିଖରେ ।
ନବ ବେଶଭୂଷା ସେ ବନ-ପ୍ରବାସେ
ଦେଖିଲି କେତେ ମୁଁ ବିସ୍ମୟ ହରଷେ ।
ଶାଖାମୃଗମେଳ ବିକଟ ଚିତ୍କାର
ଆଣିଲା ମୋ ଚିତ୍ତେ ଭୟ ଭୟଙ୍କର ।
କରୁଥିଲା ତୋର ଉରସ ବିଦୀର୍ଣ୍ଣ
ରେଳମାର୍ଗଚାରୀ ଘର୍ଘର ଗର୍ଜନ ।
ପ୍ରକୃତିର ମଧୁ ମୋହନ ଶାଳିକା
ଶ୍ୟାମଳ ଶଇଳ-ମାଳିନୀ ଚିଲିକା !
ମତ୍ସଜୀବୀ ମତ୍ସରଙ୍କା ମେଳ ମେଳ;
ଦିଶୁଥିଲା ତାଙ୍କ ଆଭାସ କେବଳ ।
ତୋ ବକ୍ଷେ ଲହରୀ ହେମ କିରୀଟିନୀ,
ଉଷା-ରବିକରେ ସ୍ୱର୍ଣ୍ଣ କାଦମ୍ବିନୀ
ଉଡ଼ିଆସୁଥିଲା ସମୀର ସଙ୍ଗତେ
ତୋ ନୀର ଶୀତଳ ସେତେ ଦୂରପଥେ ।
କ୍ଷଣକ ମୋ ଅଙ୍ଗ-କ୍ଲାନ୍ତି ସ୍ୱେଦବାରି
କୋମଳ ପରଶେ ନେଲା ଅପହରି ।
ସେ ଚାରୁ ମାଧୁରୀ ଯିବ କି ମୋ ମନୁ
ସେ ଛବି କି ପୋଛି ପାରିବି ନୟନୁ,
ଦର୍ଶକ ଭାବୁକ ଚିର ମନୋହରା
ପୀଠ ନାରାୟଣୀ, ଡ଼ୋମଣି କନ୍ଦରା ।
ଏ ସବୁ ତୋହର ଶୋଭା ଉପାଦାନ,
ବାଣପୁର ! ତୁହି ଶୋଭାର ଆଶ୍ରମ ।
ଯୋଗୀ ଜନ ଯୋଗ୍ୟ ଆସ୍ଥାନ, କାନ୍ତାର
ମଣ୍ଡିଛି ବିଶାଳ ତୋର କଳେବର ।
ପୀଠ ଚତୁଷ୍ଟୟ ତୋର ଚାରିଦିଗ
କରିଆସୁଛନ୍ତି ପୂତ ଯୁଗ ଯୁଗ ।
ନିସର୍ଗ ମାଧୁରୀ ଯେବେ ଏହି ସ୍ଥଳ
ପରଶି ନ ଥିଲା, ଅରଣ୍ୟ-ସଂକୁଳ ।
ଥିଲା ଭୂମିଖଣ୍ଡ, ବାଣାସୁର ଏଥି
କରୁଥିଲା ରାଜ୍ୟ, କହେ କିଂବଦନ୍ତି ।
ଶଇଳୁଁ ଶଇଳେ କରି ସେ ବିହାର
ରଖିଅଛି ବାଣପୁର ନାମ ତାର ।
ରାଜପଦଭୀତ ଯା’ର ପୂର୍ବ-ସ୍ମୃତି
ମୃତ୍ତିକାର ବନ୍ଧ ବିଚ୍ଛିନ୍ନ ଆକୃତି
ସେ ଆଜି ହୋଇଛି ଦିବ୍ୟ ଅଧିଷ୍ଠାନ
ପ୍ରକୃତି ଦେବୀର ବିହାର କାନନ ।
କଳା ପାଟଶାଢ଼ି-ପରିହିତା ଦେବୀ
ପାର୍ବଣେ ଯା’ ତନୁ ବଳିରକ୍ତ ସେବି,
ଘଣ୍ଟଶୈଳତଳ ଶାଳିଆ ପୁଳିନେ
ଶେଫାଳି, ଟଗର, ନାଗେଶ୍ୱର ବନେ
ଥିଲେ ଯେଉଁ ଦେବୀ ବୃକ୍ଷମୂଳବାସୀ
ସୈାଧବାସେ ଆଜି ବିରାଜନ୍ତି ହସି ।
ସତ୍ୟେ ଦକ୍ଷ-ମହା-ଯଜ୍ଞେ ଯେଉଁ କାଳେ
ଅପମାନେ ସତୀ ଝାସିଲେ ଅନଳେ,
ବିଶ୍ୱଗ୍ରାସୀ ଚଣ୍ଡ ଈଶ ଭୟେ ଅବା
ଦକ୍ଷ ପ୍ରଜାପତି ସଙ୍ଗତେ ମଘବା
ଲୁଚିଲେ କି ଆସି ଏ ଗିରି ସମ୍ପୂଟେ
ଭାଲେରୀ, ଶୋଲରୀ ମଧ୍ୟଗତ ପଥେ ?
ବାଣପୁର ! କେଉଁ ପୁଣ୍ୟବଳେ ଧରି-
ଅଛୁ ତୋର ବକ୍ଷେ ଅସଂଖ୍ୟ ଶିଖରୀ ।
କାଳଚକ୍ରେ ଯେବେ ତୋ ମୋହନ ଅଙ୍ଗ
ଭୋଗେ ନିଦାରୁଣ ଭୀଷଣ ନିଦାଘ,
କେଡ଼େ ନିଷ୍ଠୁର ସେ ନୁହଞଇ ମରତେ,
ଆସେ କି ପ୍ରକୃତି ତରବାରିହାତେ ?
ପ୍ରସନ୍ନ ଶାଳିଆ ହୁଏ ନୀରହୀନ,
ବ୍ୟୋମପଟ ହୁଏ ଜଳଧରଶୂନ୍ୟ ।
ପ୍ରବେଶି ନିଦାଘ ମଧ୍ୟାହ୍ନ ସମୟ
ତାପେ ଘୋରତାପେ ପାଦପନିଚୟ ।
ଭାଲେରୀ ଶିଖରେ ଜ୍ୱଳନ୍ତ ଅୟନେ
ଜଳି କି ଯାଆନ୍ତି ମୃଗଦଳ ବନେ ?
ହଳଦୀବସନ୍ତ ଶୁଷ୍କ ତରୁଡ଼ାଳେ,
ସହକାର କିଶଳୟେ ବସି ଭାଳେ ।
ଭାଳେ କି ସେ ଅବା ଋତୁ-ରାଜ କଥା,
ଦାରୁଣ ନିଦାଘେ ଲଭି ଘୋର ବ୍ୟଥା ?
ହୁଅନ୍ତେ ତାପେ ତୋ ବକ୍ଷ ଉତପତ,
ଖଣ୍ଡିଆଭୂତ ସେ ଧୂଳି ଶୁଷ୍କ ପତ୍ର
ଉଡ଼ି ଉଡ଼ି ଯାଏ କେତେ ରଙ୍ଗେ ଖେଳି
ପ୍ରଳୟ ତାଣ୍ଡବୁ ବିକଟ ଆହୁରି ।
ବସି ଘଣ୍ଟଶିଳା ରୁଦ୍ର ବକ୍ଷେ ତୋର
କାଠହଣା ପକ୍ଷୀ ଡ଼ାକେ ଭୟଙ୍କର ।
ଭାଲେରୀ, ଶୋଲେରୀ ପରଶି ଗଗନ
ମରୀଚିକା କାୟେ ଦିଶନ୍ତି ମଳିନ ।
ଦିଶେ ଗଛପତ୍ର ରୁଢ଼ିଆ ରୁଢ଼ିଆ
ମାମୁ-ଭଣଜାରା ଚୂଳେ ହୋଇ ଠିଆ ।
ବହେ ବେଳୁଁ ବେଳ ଗରତମ ପବନ
ଅରାଜକ ରାଜ୍ୟେ ଯେହ୍ନେ ବଳବାନ ।
ଡ଼ାକନ୍ତି ଚାତକେ ଫଟାଇ ଗଗନ,
ଘନାଗମେ ସେ କି ବିକଳ ଆହ୍ୱାନ ?
ଭାଲେରୀ, ଶୋଲରୀ ଶିଖେ ଦାବାନଳ
ଜଳି ଶୁଭ୍ରାକାଶ କରଇ ଆବିଳ ।
ଖଣ୍ଡ ଖଣ୍ଡ ଦିଶେ ଦୂରୁ ବନ-ନିଆଁ,
ଦେଖି ଥରେ ମାତା କୋଳେ ଶିଶୁ-ହିଆ ।
ନୀହାରିକା ସମ ଅବା ବେଳେବେଳେ
ଲୁଚେ ସେ ଦାବାଗ୍ନି ଗଛ ଆଢ଼ୁଆଳେ ।
ଅଗ୍ନି ଚଉପାଶେ ନ ପାଇଣ ବାଟ
କାତରେ ଜନ୍ତୁଏ ହୁଅନ୍ତି ଉଚ୍ଚାଟ ।
ଏହିଭଳି କେତେ ଦୃଶ୍ୟ ନିଦାରୁଣ
ବାଣପୁର ! ତୋର ଦେଖିଛି ନୟନ ।
ନିରାଶାର କେତେ ଜ୍ୱଳନ୍ତ ଲହରୀ
ଦେଖିଛି ତୋ ଅଙ୍ଗେ ଯିବାର ମୁଁ ଖେଳି ।
ତେବେହେଲେ ତୋର ମୋହନ ମୂରତି
ଏ ନେତ୍ରଯୁଗଳେ ରହିଅଛି ନିତି ।
ଭୁଲି କି ପାରିବି ସେ ଚାରୁ ପ୍ରତିମା,
ଏ ସ୍ୱର୍ଗ-ରାଇଜେ ଛବି ଅନୁପମା !
ଉଷା ମଧୁରତା, ସନ୍ଧ୍ୟାର ସୈାନ୍ଦର୍ଯ୍ୟ
ଦେଖିଲେ ଭାବୁକ ପରାଣ ଆଶ୍ଚର୍ଯ୍ୟ ।
ସହକାର କିଶଳୟ ଛାୟାତଳେ,
ଅବା ଜଟାଧାରୀ ବଟବୃକ୍ଷମୂଳେ,
ଚିର ଶାନ୍ତିମୟ ମଣି ତାକୁ ଏକା
ଆଶ୍ରନ୍ତି ସରବେ ମନୁ ତେଜି ଦକା ।
ଶାଳିଆ ସୈକତେ ପଡ଼ି ରବିକର
ଦିଶେ ଦୂରେ ହୀରା-ରେଣୁର ଆକାର ।
କୋମଳ ଶ୍ୟାମଳ ରକ୍ତାଭ ପଲ୍ଲବ
ବଟ ବୃକ୍ଷେ ଦୂରୁ ଦିଶଇ ଦୁର୍ଲଭ ।
ଶୋଭଇ ସେ ବଟ ରକ୍ତ ପେନ୍ଥା ଫଳେ
ମଣ୍ଡିଛି କି ଅଙ୍ଗ ପଦ୍ମରାଗଛଳେ ?
ଭାଲେରୀ ଶିଖରେ ଦିଶେ ଗୁଣ୍ଡିତରୁ
ରକ୍ତିମାରେ ଜିଣି ପଦ୍ମରାଗ ଦୂରୁ ।
ଶାଳିଆ ସୈକତ ପକ୍ୱଚୂତେ ଭରା,
କୁଳିଆ ଶାସନ, ପ୍ରତାପ, ତାମରା ।
ବଇଁଚ, ଫିରିକି, ଶଗଡ଼ବାଟୁଆ,
କିଆବୁଦା ତଳେ ଲୁଚି କୁମ୍ଭାଟୁଆ,
ଦିଅନ୍ତି ବୋବାଇ ଦିନେ ବେଳେବେଳେ,
ବନ, ଗରି, ଦରୀ ସେ ରାବେ ଉଛୁଳେ ।
ପଲ୍ଲୀ-ଶିଶୁଗଣ ଶୁଣି ସେ ଆରାବ
କୈାତୁକେ ଦିଅନ୍ତି ମଧୁ ପ୍ରତି-ରବ ।
କୋଚିଳାବହୁଳ ବିରଜା କାନନ
ଉଛୁଳେ କୋଚିଳାଖାଇ-ନାଦେ ଘନ ।
ଘଣ୍ଟଶିଳା ଶିଖେ ତରୁ ମୂଳେ ନତ-
କରିଣ ମସ୍ତକ ରାବଇ କପୋତ ।
ନିଶୀଥେ ଟିଟ୍ଟିଭ କେକେରେ କେକେରେ
ସୁଖ-ସୁପ୍ତ ଜନେ ଜାଗରିତ କରେ ।
କୁହେଳି-ଆଚ୍ଛନ୍ନ ହୋଇ ସୁଧାକର
କରନ୍ତି ଗଗନେ ରାଜତ୍ୱ ବିସ୍ତାର ।
ଭାଗ୍ୟ-ବିପର୍ଯ୍ୟୟେ କରେ ପରିପ୍ଲୁତ
କାଦମ୍ବିନୀଧାରା ଝରିଣ ନିରତ ।
ବିଦ୍ୟୁଲ୍ଲାସେ ହସେ ବଳାହକମାଳା-
ନିଦାଘ-ସଞ୍ଚିତ ଜଳରାଶି ଲୀଳା ।
ପଲ୍ଲବେ କାନନ ନବୀନ ଅଙ୍କୁରେ
ଭାଲେରୀ, ଶୋଲରୀ, ଖଣ୍ଡାହଣା ଶିରେ ।
ଘଣ୍ଟଶିଳା ଚାରୁ ଯାମଳ ଶିଖରୀ
ଧରଇ ପ୍ରାବୃଟେ ମୋହନ ମାଧୁରୀ ।
ରମ୍ଭାନାସି, ପୂତ ନାରାୟଣୀ ପୀଠ,
ବାଣପୁର ପୂର୍ବ-ଗୈାରବ ସଂକେତ ।
ବଙ୍କାଡ଼ ବିଜନ ନିଘଞ୍ଚ କାନନ;
ବିରଜାଈ ପୀଠ ଯା’ର ପୁଣ୍ୟସ୍ଥାନ ।
ଲଭନ୍ତି ଶ୍ୟାମଳୁଁ ଶ୍ୟାମତର କାନ୍ତି
ସୁଷମାରେ ଜିଣି ମହେନ୍ଦ୍ର ମୂରତି ।
ଜଳଦ ଗର୍ଜନ, ବରଷା ଆସାର,
ଭେକ, ବଣି, କୁଆ ରବ ସୁମଧୁର,
ବନୁବନାନ୍ତରେ ଭେଦି ଆସେ ବାତେ
ବିରଜା କାନନୁଁ ବହୁ ଦୂର ପଥେ ।
ଭେଦି ଘଣ୍ଟଶିଳା ଶାଳିଆ ପୁଳିନେ,
ସାପୁଆ ବାଉଁଶ ଜଳ ଆସ୍ତରଣେ,
ପ୍ରବେଶି ସେ ରବ ପାଷାଣ ସଉଧେ
ଉଛୁଳି ପଡ଼ଇ ପ୍ରତିଧ୍ୱନି ନାଦେ ।
ଭାଲେରୀ ଶିଖରୁ ଝର-କଳସ୍ୱର
କରେ ଝଙ୍କାରିତ ବନ, ଗିରି, ତୀର ।
ଭାଲେରୀ ! ନିଶୀଥେ ତୋର ଚାରୁ ଝର
ଉଛୁଳାଇ ଦିଏ ମୋ ହୃଦ-କନ୍ଦର ।
ଭ୍ରମିଛି କେତେ ମୁଁ ତୋ ମଧରୁ କୋଳେ,
ଭୟଙ୍କର ପଥେ, ଭୀଷଣ ଗୁହାରେ ।
ପାବଚ୍ଛୁଁ ପାବଚ୍ଛ ଡ଼େଇଁ କେତେ ଥର
ଦେଖିଅଛି ତୋର ଚାରୁ କଳେବର ।
ଭୁଜଗ-କୁଟିଳ-ଗତି ଜଳପଥ
ଦେଖିଛି ମୁଁ ତୋର ଉରସେ ବହୁତ ।
ତୋର ଚାରୁବକ୍ଷେ ଲତା ତଳେ ଲଇଁ
କୁଟଜ ତୋଳିଛି କେତେ ଥର ମୁହଁ ।
ଦେଖିଛି ତୋ କୋଳେ ହରିଣ, ଶମ୍ବର,
ଦେଖିଛି ଭୀଷଣ ନୃଶଂସ ଶାର୍ଦୂଳ ।
ଅଶୋକ, ଧାତୁକୀ, କଣ୍ଟା ପାଳଧୁଆ
ରାହାଣ, ଗମ୍ଭୀର, ବେଲ, କାଳଚୁଆ;
ଦେଖିଛି ତୋ ବକ୍ଷେ ଛବି ଅଗଣିତ
ଦେଖିଛି ତୋ ବକ୍ଷେ ଛବି ଅଗଣିତ
ଦେଖିଛି ପ୍ରଦୋଷ, ଦେଖିଛି ପ୍ରଭାତ ।
ପୂତ ପ୍ରେମେ ପ୍ରାଣ ଉଛୁଳି ଆସଇ
ଦେଖିଳେ ତୋ ତୁଙ୍ଗ ଶୃଙ୍ଗେ ଛିଡ଼ାହୋଇ ।
ଦିଶେ ପଲ୍ଲୀବାସ ବୃକ୍ଷପୁଞ୍ଜ କୋଳେ,
ଧୂମ ଉଠେ କାହିଁ କୁଞ୍ଚିତ ଗତିରେ ।
ବକଶ୍ରେଣୀ ପରି ଦିଶନ୍ତି ଗୋରୁଏ,
ପଲ୍ଲ୍ୱଳ ଦିଶଇ ପାଣିଚୋଳା ପ୍ରାୟେ ।
ନ ଶୁଭେ ସଂସାର ଡ଼ାକହାକ କିଛି,
ଶାନ୍ତି କି ନିସର୍ଗ ନିଳୟ ରହିଚି ?
ଚାହିଁଲେ ଦିଗନ୍ତେ ଶୃଙ୍ଗପରେ ରହି,
ଶୃଙ୍ଗପରେ ଶୃଙ୍ଗ ତା ପରେ ଦିଶଇ ।
ଦିଶେ ମର୍ଦ୍ଦରାଜ ପାଳିତ ଧରଣୀ,
ଦିଶେ ସୁମଞ୍ଜୁଳ ବନଗିରିଶ୍ରେଣୀ ।
ବଂଶକୁଞ୍ଜ-ଶୋଭୀ ଘଣ୍ଟଶିଳା ଗିରି
ଦିଶେ ଏଥି ବଡ଼ ମାଟିକୁଦ ପରି ।
ଶିଳାଖଣ୍ଡ ମିଶେ ଗୋଡ଼ି-ଖପରାରେ,
ବୃକ୍ଷ, ଲତା, ଗୁଳ୍ମ ମିଶନ୍ତି ଘାସରେ ।
ତୋର ଚାରୁ କୋଳେ ନାରାୟଣୀ ପୀଠ,
ଦେଶଦେଶାନ୍ତରେ ଯା’ ନାମ ପ୍ରକଟ,
ନିର୍ଝରଧ୍ୱନିତ ନାରାୟଣୀ ଗିରି
ତୋର ଅଙ୍ଗ ପାଶେ ଘାସବୁଦା ପରି ।
ମାଙ୍କଡ଼ଗଡ଼ିଆ ଗୋଡ଼ି ରଗଡ଼ିଆ
ତୋ ପାଶେ ବାମନ ବେଶେ କିବା ଠିଆ !
ତୋ ଶିଖରେ ରହି ଅନାଇଲେ ବାରେ
କିବା ସେ ନିସର୍ଗ ସମ୍ପଦ ପୟରେ !
କ୍ରମୁ କ୍ରମନିମ୍ନ ଦିଶଇ ଭୂତଳ
ଗ୍ରାମ, ତୋଟା କୁଞ୍ଜ ଅତି ମନୋହର ।
ନାରୀକେଳ, ପୂଗ, ଖର୍ଜୁର, ପନସ
ଶ୍ୟାମ ଛବି କୁଞ୍ଜେ ହରନ୍ତି ମାନସ ।
ତୋର ଚାରୁ ତଟେ ପୁନ୍ନାଗ, ଟଗର
କିଆଫୁଲ ଫୁଟି ଦିଶେ ମନୋହର ।
ଦିବା ଶେଷଭାଗେ ଭ୍ରମୁ ଭ୍ରମୁ ଦିନେ
ଯେ ଛବି ଦେଖିଲି ଲାଖିଛି ନୟନେ ।
ହସୁଥିଲେ ରବି ପଶ୍ଚିମ ଆକାଶେ
ତୋର ଚାରୁ ଚୂଡ଼ ପରଶିବା ଆଶେ ।
ଚିତ୍ରିତ ସପତ ସ୍ୱର୍ଣ୍ଣ କରଜାଳ
ଚୁମ୍ବୁଥିଲା ଚାରୁ ଘଣ୍ଟଶିଳା ଶିର ।
ହେଉଥିଲା ଏଣେ ମାମୁ-ଭଣଜାର
ପ୍ରାଚୀ ଦିଗପ୍ରାନ୍ତ କ୍ରମେ ଅନ୍ଧକାର ।
ସରଳାପଦର ସ୍ୱଚ୍ଛ ସରୋବରେ
କ୍ରୀଡ଼ୁଥିଲେ ହଂସ ପ୍ରାଣପୁଲକରେ ।
ବାରିଦର ମାଳା ସନ୍ତରେ ଆକାଶେ
ଅସ୍ତ ରବିକରେ ହେମତରୀ କି ସେ ?
ହଂସ, ବକରାଳୀ, ସଞ୍ଚାଣ, କପୋତ
ଉଡ଼ି ଉଡ଼ି ଯାଉଥିଲେ ଗୁଡ଼ିବତ;
ଘଣ୍ଟାଶିଳା ଶିଖୁଁ ଓହ୍ଲାଇ ସେ ଖରେ
ଦଳ ଦଳ ହୋଇ ତୋ ଚାରୁ କୂଳରେ,
ଉଡ଼ିଯାଉଥିଲେ ଉଡ଼ିଆସୁଥିଲେ,
କେତେ ବୃକ୍ଷେ, କେତେ ପାଟେ ବସୁଥିଲେ ।
ହଳଦୀବସନ୍ତ ବସି ଠାବେ ଠାବେ
ଢାଳୁଥିଲା ମଧୁ ସାନ୍ଧ୍ୟ ସୁଧା-ରବେ ।
ଚିଲିକା ପୁଳିନୁ ଉଡ଼ି ପକ୍ଷିମାନେ
ମହୋଲ୍ଲାସେ ଗମୁଥିଲେ ପକ୍ଷଯାନେ ।
ରବିକର ଅସ୍ତ ଦେଖି ତାମରସ
ନିଶୀଥ ଯାତନା ଭାବି କି ବିରସ ।
ବସି ଫୁଲବନେ ମହୁମାଛିପଲ
ପୁଷ୍ପରେଣୁ ସଙ୍ଗେ ହେଉଥିଲେ ଗେଲ ।
ପଡ଼ୁଛି ଏ ସବୁ ଆଜି ମନେ ମୋର,
ରହିଛି ହୃଦୟେ ସ୍ୱର୍ଣ୍ଣ ତିନିଗାର ।
ଭ୍ରମଇ ନୀରଦ ଆକାଶଦେଶରେ
କଜ୍ଜ୍ୱଳ କାନ୍ତିକୁ ସହସ୍ର ଧିକ୍କାରେ ।
ଫୁଟେ କେତେ ଫୁଲ ଫୁଲ-ଉପବନେ
ଦର୍ଶକର ମନ-ନୟନ ହରଣେ ।
ମରକତ କାନ୍ତି ରଜତ ପତ୍ରିକା
ଦର-ପ୍ରସ୍ଫୁଟିତେ ଶୋଭେ ଶେଫାଳିକା ।
ପୋଖରୀ ହୁଡ଼ାରେ ଦେଉଳ ବେଢ଼ାରେ
ଗ୍ରାମପ୍ରାନ୍ତେ ଅବା କଣ୍ଟାବଣିଆରେ
କାହାଳୀ ଆକୃତି ପୀତ କନିଅର
ଟେକିଣ ମସ୍ତକ ଦିଶଇ ସୁନ୍ଦର ।
ଗୁଞ୍ଜରି ଗୁଞ୍ଜରି ଉଡ଼ିଆସି ଭୃଙ୍ଗେ
ବସି ପଦ୍ମ କୋଳେ ଗାଆନ୍ତି କି ରଙ୍ଗେ ।
ଶୁଆ, ବଣି, ପାରା, କୋଇଲି, କପୋତ
ବେନି ପକ୍ଷଯାନେ ପକ୍ଷୀ ଅଗଣିତ
ବଜାଇଣ ସାନ୍ଧ୍ୟ ନାଗରା ସଘନେ
ଚଳନ୍ତି ଉସତେ ବାରୁଣୀ ଗଗନେ ।
ବକ ସଙ୍ଗୀ ବକୀ ଉଡ଼ିଣ ଆକାଶେ
ବନେ ବନେ ଭ୍ରମି ବୁଲନ୍ତି ହରଷେ ।
ଶୁଭଇ ମୟୂର ଚଟକର ଡ଼ାକ
ସନ୍ଧ୍ୟା ଆଗମନ ସୂଚାଏ ଡ଼ାହୁକ ।
ବୁଡ଼ି ଅର୍ଦ୍ଧଜଳେ ରାବନ୍ତି ଦର୍ଦ୍ଦୂରେ
ଶ୍ରବଣ ସ୍ତବଧ କରି ଶବଦରେ ।
ସାଧବବୋହୂର ରଙ୍ଗ ଶରୀରଟି
ଘାସପଡ଼ିଆରେ ଦିଶୁଥାଇ ଫୁଟି ।
ଦିଶେ ଦିଗ୍ବଳୟବ୍ୟାପୀ ଇନ୍ଦ୍ରଧନୁ
ବାରେ ଦେଖିଲେ ଯା’ ନ ଯିବ ନୟନୁ ।
ଶରତେ ତୋ ରୂପ ଦିବ୍ୟ ମନୋହର
ଶସ୍ୟ-ଶ୍ୟାମଳିତ ତୋର ବକ୍ଷସ୍ଥଳ ।
ପଲ୍ୱଳ, ତଡ଼ାଗ ଦିଶେ ଅନାବିଳ
ଫୁଟନ୍ତି ନିର୍ମଳ କୁମୁଦ, କହ୍ଲାର ।
କାଶତଣ୍ଡୀ ଫୁଲେ ଧବଳିତ ଧରା
ଭାବୁକ-ଦର୍ଶକ-ପ୍ରାଣମନୋହରା ।
ସୁମନସଙ୍ଗିନୀ ରଜତବରନା
ଉଷା ନାଚିଉଠେ ପ୍ରାଚୀ ଦିଗଙ୍ଗନା ।
ସେ ଦିଗଙ୍ଗନାର ବନ୍ଦାପନା ଆଶେ
ଶେଫାଳିକା ପରା ବୃକ୍ଷ ଚୂଳୁଁ ଖସେ ।
ଗାଏ ଯଶୋଗୀତି ଧୀର ସମୀରଣ
ପତ୍ର ମରମରେ ପାଦପେ ବାଜିଣ ।
ଶାଳିଆ ସାପୁଆ ବହି ଶୀର୍ଣ୍ଣ ତନୁ
ସ୍ୱବକ୍ଷେ ଦେଖନ୍ତି ନବୋଦିତ ଭାନୁ ।
ଲଭନ୍ତି ନିଶୀଥେ ଜ୍ୟୋତ୍ସ୍ନା ସୁମଧୁର
କି ରଙ୍ଗେ ମିଶାଇ ସିକତା ସଲିଳ ।
ମଆ ଭଗବତୀ କରୁଣାନୟନୀ
ବାଣପୁର ହୃଦ-ଚାନ୍ଦ ସ୍ୱରୂପିଣୀ ।
ସର୍ବ ଅଗ୍ରେ ତୋର ପୂଜା ଏ ଭୁବନେ,
ସର୍ବବ୍ୟାପୀ ତୁହି ବିଧିର ବିଧାନେ ।
କେଉଁ ପୁଣ୍ୟବଳେ ପୀଠସମାଜରେ
ଗଣ୍ୟ ବାଣପୁର ତୋର କୃପାବଳେ ।
ତୋ କୃପା-ଚାହାଣି ମୃତ-ସଞ୍ଜୀବନୀ,
ନିରାଶ ପରାଣେ ଢ଼ାଳେ ଆଶା-ବାଣୀ ।
ତୋ କରୁଣା ବଳେ ଏହି ବାଣପୁର
ହୋଇଥିଲା ଦିନେ କୀରତି-ଭଣ୍ଡାର ।
ବହିଥିଲା ଦିନେ ମଧୁବାତ ମନ୍ଦ୍ର
ଜନ୍ମିଥିଲେ ଶୁଭ ଯୋଗେ କବିଚନ୍ଦ୍ର ।
ଫୁଟିଥିଲା ଦିନେ ଜ୍ଞାନ-କମଳିନୀ,
ଉଠିଥିଲା ଦିନେ ଏକତାର ଧ୍ୱନି ।
ଜନ୍ମିଥିଲେ ଏଥି ନାରୀ-ସୀମନ୍ତିନୀ,
ଥିଲେ ମହାତେଜା ରାଜା ଗୁଣମଣି ।
ଉଇଁଥିଲା ଦିନେ ଏଥି ଦିବ୍ୟ ଉଷା
କୀର୍ତ୍ତି-ପାରିଜାତ-ପୁଷ୍ପ-ମାଳଭୂଷା ।
ଅଛି ସେହି ଦେଶ ଅଛି ସେ ଦେଉଳ,
ଅଛି ସେ ଶିଖରୀ, ଛନ୍ତି ଦେବୀକୁଳ ।
କାହିଁ ସେ ଗୀତିକା, କାହିଁ ସେହି ସ୍ୱନ ?
ହାହାକାରେ ପୂର୍ଣ୍ଣ କନ୍ଦରା ଗହନ ।
ଯାଇଛି ନିଦାଘ, ଯାଇଛି ଶରତ,
ଯାଇଛି ବରଷା, ଯାଉଅଛି ଶୀତ ।
ଆସିବ ବସନ୍ତ ନବବେଶ ସାଜି,
କଳା ମେଘ କାହିଁ ଯିବେ ତ ଆଉଜି ।
ଫୁଟିବେ ଆକାଶେ ତାରା ଗୋଟି ଗୋଟି,
ବାଣପୁର ଭାଗ୍ୟ ଆସିବ ଲେଉଟି ।
ମେଲିବେ କିରଣ ଚନ୍ଦ୍ରମା ଗଗନେ,
ଶୋଭିବେ ନିକୁଞ୍ଜେ ବିକଶି ସୁମନେ ।
କୋଳାହଳେ ପୂର୍ଣ୍ଣ ହୋଇବ ଚିଲିକା,
ଉଠିବ ହୃଦୟେ ନବୀନ ଗୀତିକା,
ତରଙ୍ଗ-ଦୋଳାରେ ହେବ ଦୋଳାୟିତ;
ଶୁଭ୍ରାକାଶ ଦେଖି ହୋଇବ ମୋହିତ ।
ଗିରିଚୂଳେ ବସି ହରଷେ କୋକିଳ
ଗାଇବ ପୂରୁବ କୀରତି ବିମଳ ।
ଜନମିବେ କେତେ ସୁଯୋଗ୍ୟ ନନ୍ଦନ
କର୍ମୀ, ଭକ୍ତ, ଗୁଣୀ, କବି, ଜ୍ଞନବାନ ।
ଆସିଲାଣି ଦିନ ଶୁଭିବ ତ ସ୍ୱର
‘‘ଜୟ ବାଣପୁର ! ଜୟ ବାଣପୁର !’’
ସେ ସ୍ୱର ସର୍ବତ୍ର ହେବ ନିନାଦିତ
ସୁଷୁପ୍ତ ସନ୍ତାନେ କରି ଜାଗରିତ ।
କନ୍ଦରେ କନ୍ଦରେ ଭେଦି ସେହି ସ୍ୱର
ହୃଦେ ହୃଦେ ଯିବ ପରଶି ମଧୁର ।
ଗମ୍ଭୀର ନିନାଦେ ଉଚ୍ଚାରିବ ବାଣୀ-
‘‘ଉଠ ହେ ସନ୍ତାନେ, ନିଶି ପାହିଲାଣି ।
ଉଠ ହେ ସନ୍ତାନେ ପୂର୍ବ-କୀର୍ତ୍ତି ସ୍ମରି,
ଗଲାଣି ତ ବହୁଦିନ ଅପସରି,
କେତେ କାଳ ଥିବ ସପନେ ଜଡ଼ିତ ?
ଉଠ ହେ, ହେଲାଣି ଏ ନବ ଜଡ଼ିତ ?
ଉଠ ହେ, ହେଲାଣି ଏ ନବ ପ୍ରଭାତ ।’’
ମାଆ ଭଗବତୀ ବରଷି କରୁଣା
ସତେ କି କରିବ ପୂର୍ଣ୍ଣ ଏ କାମନା ?
ଅଛତ ଅନ୍ତରେଲକ୍ଷ୍ମୀନାରାୟଣ ସାହୁ