ଅର୍ଥ କୋଇଲି
ପ୍ରାୟ ୧୪୯୧–୧୫୫୦
- ପଢ଼ିବା ସମୟ
- ୧୩ ମିନିଟ୍
- ଶବ୍ଦ
- ୨୧୧୯
- ସ୍ଥିତି
- ସାର୍ବଜନୀନ (Public domain)
ତୁଳାଭିଣା, ଦାରୁବ୍ରହ୍ମଗୀତା ପ୍ରଭୃତି ଜଗନ୍ନାଥ ଦାସଙ୍କର ରଚନା ।କୋଇଲି କେଶବ ଯେ ମଥୁରାକୁ ଗଲେ ।କାହା ବୋଲେ ଗଲା ପୁତ୍ର ବାହୁଡ଼ି ନଇଲା ଲୋ ॥
ଅର୍ଜ୍ଜୁନ ଉବାଚଅର୍ଜ୍ଜୁନ ବୋଇଲେ ତୁମ୍ଭେ ଶୁଣ ମହାବାହୁ ।ପୁଚ୍ଛିବି କଥାଏ ପ୍ରଭୁ ମୋତେ ଆଜ୍ଞା ହେଉ ॥
କେଶବ କୋଇଲି ନାଥ କାହାକୁ ଯେ କହି ।ଏହା ମୋତେ ଶ୍ରୀହରି ପ୍ରସନ୍ନେ ଦେବା କହି ॥
ଶ୍ରୀ ଭଗବାନୁବାଚପାର୍ଥର ବଚନେ ଯେ ବୋଲନ୍ତି ଭଗବାନ ।ଉତ୍ତମ କଥା ଏ ପାର୍ଥ ପଚାରିଲୁ ପୁଣ ॥
କୋଇଲି ବୋଲିଣ ପାର୍ଥ ଜୀବକୁଟି କହି ।ସେହି ଜୀବ ମୁହିଁ ଜାଣ ସର୍ବତ୍ର ଅଟଇ ॥
ଆପେ ଆସିଥିଲା ଜୀବ ଆପେ ଚାଲିଗଲା ।ସେହି ପୁତ୍ର ଗୋଟି ଆଉ ବାହୁଡ଼ି ନ ଅଇଲା ॥
ଏହି ପୁତ୍ର ଗୋଟି ଯହୁଁ ବାହୁଡ଼ି ନ ଅଇଲା ।ମଥୁରା ସ୍ୱରୂପ ପିଣ୍ଡ ପଡ଼ିଣ ରହିଲା ॥
କୋଇଲି ଖଣ୍ଡକ୍ଷୀର ଦେବି ମୁଁ କାହାକୁ ।ଖାଇବାର ପୁତ୍ର ଗଲା ମଥୁରାପୁରକୁ ଲୋ ॥
ପୁଣ ପୁଣ ଅର୍ଜ୍ଜୁନ ଯେ ଚରଣେ ପଡ଼ଇ ।ଆବର କଥାଏ ମୋତେ କହ ଭାବଗ୍ରାହୀ ॥
ଖଣ୍ଡକ୍ଷୀର କଥା ମୋତେ କହ ଭଗବାନ ।ଶ୍ରୀହରି କହନ୍ତି ଏହା ଶୁଣ ହେ ଅର୍ଜ୍ଜୁନ ॥
ପିଣ୍ଡରେ ଥାଇଣ ଜୀବ ମହାସୁଖ ପାଇ ।ଅନ୍ତର ହୋଇଣ ପୁନଃ ଅନ୍ୟସ୍ଥାନ ଯାଇ ॥
ଆକାଶେ ମିଶିଣ ଜୀବ ଅନ୍ୟ ପିଣ୍ଡେ ଗଲା ।ହରିରସ ଖଣ୍ଡକ୍ଷୀର ବିଅର୍ଥ ହୋଇଲା ॥
ଶୁଣିକରି ଅର୍ଜ୍ଜୁନ ହୋଇଲା ତୋଷମନ ।ପୁଣ ପୁଣ କୃଷ୍ଣ ଆଗେ କହଇ ବଚନ ॥
କୋଇଲି ଗଲା ପୁତ୍ର ବାହୁଡ଼ି ନଇଲା ।ଗହନ ତ ବୃନ୍ଦାବନ ଶୋଭା ନ ପାଇଲା ଲୋ ॥
ଗହନ ତ ବୃନ୍ଦାବନ ଶୋଭାକୁ ଯେ କହି ।ଏ କଥା ବିସ୍ତାରେ ମୋତେ କହ ଭାବଗ୍ରାହୀ ॥
ଅର୍ଜ୍ଜୁନ ମୁଖକୁ ଚାହିଁ କମଳଲୋଚନ ।ଯାହା ପଚାରିଲୁ ଶୁଣ ପଣ୍ଡୁ ନନ୍ଦନ ॥
ଗହନ ବୋଲିଣ ପାର୍ଥ ଜୀବକୁଟି କହି ।ଗୋପପୁର ଦେହ ଗୋଟା ଶୋଭାପାଉ ନାହିଁ ॥
ପିଣ୍ଡକୁ ପରମ ଯହୁଁ ଛାଡ଼ିକରି ଗଲା ।ତେଣୁକରି ପିଣ୍ଡ ଗୋଟା ଭୂମିରେ ପଡ଼ିଲା ॥
ଏମନ୍ତ ପ୍ରକାରେ ପାର୍ଥ ଗ ଅକ୍ଷର ଅର୍ଥ ।ଏକମନେ ଶୁଣ ତୁ ହୋ ପଣ୍ଡୁରାଜାସୁତ ॥
କୋଇଲି ଘର ମୋର ନ ମଣନ୍ତି ନନ୍ଦ ।ଘଟଣ ନ ଦିଶେ ପୁର ନ ଥିଲେ ଗୋବିନ୍ଦ ଲୋ ॥
ଘର ବୋଲି କରି ପାର୍ଥ ଯାହାକୁ ଟି କହି ।ପାର୍ଥର ପିଣ୍ଡରେ ହସ୍ତ ଦେଲେ ଭାବଗ୍ରାହୀ ॥
ପରମ ଜୀବର ଅର୍ଥ ଶୁଣ ଫାଲଗୁନି ।ଶୀସ୍ତ୍ରର ବିଚାର ତୋତେ କହିବା ଏକ୍ଷଣି ॥
ଘଟଣ ପୁରୁଷ ଯହୁଁ ଛାଡ଼ିକରି ଗଲା ।ନନ୍ଦ ଯେ ପରମ ତହିଁ ନିଷ୍ଫଳ ହୋଇଲା ॥
ଜୀବଥିବା ଯାଏ ପିଣ୍ଡ ଶୋଭା ପାଉଥାଇ ।ଘଟଣ ପୁରୁଷ ଗଲା ଆସିବାକୁ ନାହିଁ ॥
ପରମକୁ ଜୀବ ଯହୁଁ ଘେନିକରି ଗଲା ।ତେଣୁ କରି ଘର ଗୋଟା ଅଶୋଭା ଦିଶିଲା ॥
କୋଇଲି ନନ୍ଦ-ଦେହ ପାଷାଣେ ଗଢ଼ିଲା ।ନୟନେ କଜ୍ଜ୍ୱଳ ଦେଇ ରଥେ ବସାଇଲା ॥
ଅର୍ଜ୍ଜୁନ ବୋଇଲେ ତୁମ୍ଭେ ଶୁଣ ଜଗନ୍ନାଥ ।ନନ୍ଦ ଦେହ ବୋଲି କରି କାହୁଁ ହେଲା ଜାତ ॥
ଅର୍ଜ୍ଜୁନ ବଚନେ ଯେ ବୋଲନ୍ତି ଭଗବାନ ।ନନ୍ଦ ଦେହ ବୋଲି ପାର୍ଥ ଦେହକୁଟି ଜାଣ ॥
ଏ ଜୀବ ଛାଡ଼ିଣ ଯହୁଁ ଅନ୍ତରୀକ୍ଷେ ଗଲା ।ନିରାଶ ହୋଇଣ ଆଉ ବାହୁଡ଼ି ନଅଇଲା ॥
ଯେତେବେଳେ ପିଣ୍ଡରୁ ଟି ଜୀବ ଛାଡ଼ିଯାଇ ।ବେନି ନୟନରୁ ଅଶ୍ରୁ ଯାଉଥାଏ ବହି ॥
କଜ୍ଜ୍ୱଳ ବୋଲିଣ ତାକୁ ଶାସ୍ତ୍ର ଅଛି କହି ।ପୁଣ ପୁଣ ଅର୍ଜ୍ଜୁନ ଯେ ଦଇନି କରଇ ॥
କୋଇଲି ଚଳୁଥାଇ କଟିସ୍ଥ ମେଖଳୀ ।ଚକିତ ହୋଇଲେ ଶୁଣି ଗୋପପୁର ବାଳୀ ଲୋ ॥
ଅର୍ଜ୍ଜୁନ ବଚନ ଶୁଣି କମଳଲୋଚନ ।ଯାହା ପଚାରିଲୁ ଶୁଣ ପାଣ୍ଡୁର ନନ୍ଦନ ॥
ପିଣ୍ଡର ପରମ ଯେବେ ଲୀଳା କରୁଥାଇ ।ନିଶ୍ଚଳ ହୋଇଣ ପିଣ୍ଡ ଯନ୍ତ୍ର ଚଳୁଥାଇ ॥
ପରମକୁ ଘେନି ଯହୁଁ ଜୀବ ଚଳିଗଲା ।ଯନ୍ତ୍ରମାନ ନିଶ୍ଚଳ ଯେ ହୋଇଣ ରହିଲା ॥
ସୂତ୍ରେ ଚଳୁଥିଲା ପିଣ୍ଡ ଜୀବ ଆଶ୍ରା ପାଇ ।ପଦେ ପଦେ କରି ଶୁଣ ସୁଭଦ୍ରାର ସାଇଁ ॥
କୋଇଲି ଛାଟେକ ମୁଁ ମାଇଲି ପୁତ୍ରକୁ ।ଛାଡ଼ିକରି ଗଲା କୃଷ୍ଣ ମଥୁରାପୁରକୁ ଲୋ ॥
ଛଛନ୍ଦ୍ର ହୋଇଣ ଜୀବ ଛାଡ଼ିକରି ଗଲା ।କ୍ଷିତିରେ ପଡ଼ିଣ ମୋହମାୟାକୁ ଛାଡ଼ିଲା ॥
ଛାଟେକ ପ୍ରକୃତି ପାର୍ଥ ପିଣ୍ଡ ମଧ୍ୟେ ଥାଇ ।ଛାଡ଼ିକରି ଗଲା ଜୀବ କ୍ଷୋଭମନ ହୋଇ ॥
ପୂର୍ବକଥା ବିଚାରିଣ ଗଲା ନିଜପୁରୀ ।ଅର୍ଜ୍ଜୁନ ଆଗରେ ଏହା କହିଲେ ଶ୍ରୀହରି ॥
ଏମନ୍ତ ପ୍ରକାରେ ପାର୍ଥ ଛ ଅକ୍ଷର ବାଣୀ ।ଶାସ୍ତ୍ର ବିଚାର ଏହା ମିଥ୍ୟା ନୋହେ ପୁଣି ॥
କୋଇଲି ଦୂତ ପଣେ ଅଇଲା ଅକ୍ରୂର ।ଯାତ୍ରା ବୋଲି ଭଣ୍ଡିନେଲା ବସାଇ ରଥର ଲୋ ॥
ଜୀବ ଗଲେ ପରମ ଯେ କ୍ଷଣେ ନ ରହଇ ।ଦୂତ ପଣେ ବୋଲି ପାର୍ଥ ପରମକୁ କହି ॥
ଯାତ୍ରା ଏ ଯେ ଖେଳଘର ସଂସାର ଅଟଇ ।ଅକ୍ରୂର ବୋଲିଣ ପାର୍ଥ ମୁହିଁ ଟି ବୋଲାଇ ॥
ରଥ ବୋଲି କରି ଯାହା ପଚାରିଲୁ ପାର୍ଥ ।ଜୀବ ଗଲେ ପିଣ୍ଡଟି ହୁଅଇ ଭୂମିଗତ ॥
କୋଇଲି ଝୁରୁ ଝୁରୁ ଲୁହ ନ ରହିଲା ।ଝଗଡ଼ା ସାରିଣ କୃଷ୍ଣ ମଧୁରା ରହିଲା ଲୋ ॥
ପୁଣ ପୁଣ ଅର୍ଜ୍ଜୁନ ଯେ ଚରଣେ ପଡ଼ଇ ।ଝୁରୁଅଛି କେଉଁ ସ୍ଥାନ କହ ଭାବଗ୍ରାହୀ ॥
ଜୀବକୁ ନ ଦେଖିଣ ପ୍ରକୃତି ଝୂରୁଥାନ୍ତି ।ଝଗଡ଼ା ସଂସାର ଗୋଟି କରି ଯାନ୍ତି ॥
ଝଗଡ଼ା ସଂସାର ପାର୍ଥ ପଚାରିଲୁ ଯେତେ ।ପଦେ ପଦେ କରି ଏବେ କହିଦେଲୁଁ ତୋତେ ॥
କୋଇଲି ନିଶାକାଳେ ହରି ମାଗେ ଚାନ୍ଦ ।ନୟନ ଟେକିଣ ତାଙ୍କୁ ରାଉଥାନ୍ତି ନନ୍ଦ ଲୋ ॥
ନିଶାକାଳ ବୋଲି ପାର୍ଥ ବକ୍ଷକୁ ଟି କହି ।ଚାନ୍ଦ ବୋଲି ପରମ ନଗର ଘର ସେହି ॥
ନନ୍ଦ ଯେ ପରମ ପାର୍ଥ ବାମଚକ୍ଷୁ ଜାଣୁ ।ନୟନ ବୁଜିଲେ ଯେ ଅନ୍ଧାର ଦିଶେ ତେଣୁ ॥
ନିଶାକାଳ ଅର୍ଥ ଶୁଣ ପାର୍ଥ ମନ ଦେଇ ।ଯାହା ପଚାରିଲୁ ପାର୍ଥ ଯୁଧିଷ୍ଠିର ଭାଇ ॥
ଶୁଣି କରି ଅର୍ଜ୍ଜୁନ ହୋଇଟି ତୋଷମନ ।କାର୍ପଣ୍ୟ ହୋଇଣ ପୁଣ ପୁଚ୍ଛଇ ବଚନ ॥
କୋଇଲି ଟହ ଟହ ହସୁଥାନ୍ତି କୋଳେ ।ଟଳ ଟଳ ହେଉଥାନ୍ତି ଝୁଲିବାର ବେଳେ ଲୋ ॥
ଟଳ ଟଳ ବନ୍ଧୁ ପାର୍ଥ ନାସାକୁ ଟି କହି ।ଟାକି ରହିଅଛି ଜୀବ ଛାଡ଼ିଯିବା ପାଇଁ ॥
ତ୍ରିକୂଟ ମଧ୍ୟରେ ଟଙ୍କଧରଙ୍କ ଆସ୍ଥାନ ।ସେଠାକୁ କହଇ କୋଳ ବୋଲି ହେ ଅର୍ଜ୍ଜୁନ ॥
ତହିଁର ଉପରେ ହରିବୋଲ ଯେ ବାଜଇ ।ପରମକୁ ଘେନି ଜୀବ ଶୂନ୍ୟରେ ରହଇ ॥
ଟଳବନ୍ଧ ନୟନ ଯେ ଶୂନ୍ୟେ ଆତଯାତ ।ଟଳିଣ ପଡ଼ିବ ପିଣ୍ଡ ହୋଇଣ ଅନାଥ ॥
କୋଇଲି ଠଣ ଯେ ସୁନ୍ଦର ବେନି ପୋଏ ।ଠକି ଭଣ୍ଡିଗଲେ କୃଷ୍ଣ ନଇଲେ ବେଢ଼ାଏ ଲୋ ॥
ଠ ଅକ୍ଷରର ଅର୍ଥ ଶୁଣ ଫାଲଗୁନି ।ଶାସ୍ତ୍ରର ବିଧାନ ତୋତେ ବୁଝାଇବା ପୁଣି ॥
ଠଣ ଯେ ସୁନ୍ଦର ଜୀବ ପରମକୁ କହି ।ବାହୁଡ଼ି ନଇଲେ ସେ ଯେ ଅନ୍ୟ ସାହା ପାଇ ॥
ଠଣ ଦେହ ଗୋଟା ପାର୍ଥ କ୍ଷଣକରେ ଯିବ ।ଶୁଣିକରି ଅର୍ଜ୍ଜୁନ ଯେ କରେ ବହୁ ସ୍ତବ ॥
କୋଇଲି ଡାକିଲେ ଭାଷଇ ଯେହ୍ନେ ସାରୀ ।ଡାଳରତ୍ନ ଶୁଆ ପ୍ରାୟେ ଭାଷୁଥାନ୍ତି ହରି ଲୋ ॥
ଅର୍ଜ୍ଜୁନ ବଚନ ଶୁଣି କମଳଲୋଚନ ।ଡାଳରତ୍ନ କଥା ତୁ ହୋ ଶୁଣସି ଅର୍ଜ୍ଜୁନ ॥
ଚାରିଡାଳ ଏ ପିଣ୍ଡକୁ ଆବୋରି ରହିଛି ।ଏହାର ମଧ୍ୟରେ ଜୀବ ଭ୍ରମଣ କରୁଛି ॥
ପିଞ୍ଜରୀ ଭିତରେ ଯେହ୍ନେ ଶୁଆପକ୍ଷୀ ଥାଇ ।ପିଣ୍ଡର ପରମ ଜୀବ ସେହିମତି ହୋଇ ॥
ଶୁଣିକରି ଅର୍ଜ୍ଜୁନ ହୋଇଲା ତୋଷଚିତ୍ତ ।ଢ, ଅକ୍ଷର ଅର୍ଥ ମୋତେ କହ ଗୋପୀନାଥ ॥
କୋଇଲି ଢଳହଳ ନୟନେ କଜ୍ଜ୍ୱଳ ।ଢଳଇ ନାସାରେ ମୋତିମାଣିକ୍ୟର ଫଳ ଲୋ ॥
ଢଳହଳ ବୋଲି ପାର୍ଥ ଭ୍ରୂଲତାକୁ କହି ।ମୋତିବର ବେନି ଚକ୍ଷୂ ଢଳହଳ ହୋଇ ॥
ଚକ୍ଷୁର ଲୋତକଧାରା ଯାଉଥାଇ ବହି ।କଜ୍ଜ୍ୱଳ ବୋଲିଣ ତାହା ଶାସ୍ତ୍ରେ ଅଛି କହି ॥
ଢଳିଣ ପଡ଼ିବ ଜୀବ କ୍ଷଣକ ଭିତର ।ଢ ଅକ୍ଷର ଅର୍ଥ ଶୁଣ ପାଣ୍ଡୁର କୁମର ॥
କୋଇଲି ଅନେକ ହିଂସିଲା ରାୟ କଂସ ।ଅଣହେଳା କରିଣ ଆପଣେ ଗଲା ନାଶ ଲୋ ॥
ଅଣଆୟତ୍ତରେ ଜୀବ ହୋଇଛି ବନ୍ଦନ ।କଂସପୁର ଶୂନ୍ୟ ପାର୍ଥ ହେତୁକରି ଜାଣ ॥
ଅଣହେଳା କଲେ ଜୀବ କ୍ଷଣକରେ ଯିବ ।ତେଣୁକରି ଆପଣେ ଯେ ବିଅର୍ଥ ହୋଇବ ॥
ଅଣ ହେତୁ କରିଣ ଯେ ପିଣ୍ଡ ନାଶ ଯାଇ ।ଅଲେଖ ପୁରୁଷ ଗଲେ ପାଇବୁ ତୁ କାହିଁ ॥
ଅଣଅକ୍ଷରର ଅର୍ଥ ଶୁଣି ବୀରମଣି ।ଆନନ୍ଦେ ଗଦ୍ଗଦ ହୋଇ ଯୋଡ଼େ ବେନି ପାଣି ॥
କୋଇଲି ତନୁରେ ତା ଲପିଲି କୁଙ୍କୁମ ।ତନୟ ଖେଳାଉଥାନ୍ତି ଭାଇ ବଳରାମ ଲୋ ॥
ତ୍ରିକୂଟ ସ୍ଥାନରେ ପୁଣି ହଂସ ଖେଳୁଥାଇ ।ତ୍ରିବେଣୀଶିଖରୁ ନୀର ଆସୁଥାଇ ବହି ॥
ତଳକୁ ଖସିଣ ବନ୍ଧମୂଳେ ସେ ରହଇ ।ତନୁ ତାର କୋମଳ ଯେ କ୍ଷଣକରେ ଯାଇ ॥
ବଳରାମ ପରମ ଯେ ଜୀବକୁ ଖେଳାଇ ।ଯାହା ପଚାରିଲୁ ଶୁଣ ଯୁଧିଷ୍ଠୀର ଭାଇ ॥
କୋଇଲି ସ୍ତନ ଭାଙ୍ଗି କ୍ଷୀରପାନ ଦେଲି ।ସ୍ଥବିର କାଳତୁ ପୁତ୍ର ଦେଖି ନ ପାରିଲି ଲୋ ॥
ଥକଘର ଛାଡ଼ିଣ ଯେ ଅନ୍ୟ ସ୍ଥାନ ଯିବ ।ଥଳ ଯେ ସେ ମୋର ନାମ ବିଅର୍ଥ ହୋଇବ ॥
ସ୍ଥବିର ଯେ ବୁଢ଼ାକାଳ ଯହୁଁ ଘୋଟି ଗଲା ।ସ୍ଥାନ ଭଗ୍ନ କରି ଜୀବ ଶୂନ୍ୟରେ ରହିଲା ॥
ଥକାଘର ସିନା ପାର୍ଥ କ୍ଷଣକରେ ଯିବ ।ସ୍ଥବିର ହୋଇଣ ଜୀବ କାହିଁ ନ ରହିବ ॥
ଥ ଅକ୍ଷର ଅର୍ଥ ଯାହା ପଚାରିଲୁ ବୀର ।ପଦେ ପଦେ କରି କହି ଦେଲେଟି ନିକର ॥
କୋଇଲି ଦଉଡ଼ିରେ ବାନ୍ଧିଲି ପୁତ୍ରକୁ ।ଦାମୋଦର ରାଗେ ଗଲେ ମଥୁରାପୁରକୁ ଲୋ ॥
ଦଉଡ଼ି ବୋଲିଣ ମାୟା ସଂସାର ଅଟଇ ।ଦାମୋଦର କୃଷ୍ଣ ମୁହିଁ ପିଣ୍ଡ ମଧ୍ୟେ ଥାଇ ॥
ପରମ ବୋଲାଇ ଅବା ମୋତେ ମନ କରି ।ପୂର୍ବ ଗୁଣ ସୁମରି ଯେ ଗଲା ଛାଡ଼ିକରି ॥
ମଥୁରା ଯେ ଶୂନ୍ୟସ୍ଥାନ ସେ ସ୍ଥାନେ ରହିଲେ ।ଜୀବ ଯେ ପରମ ଦୁହେଁ ଏକତ୍ତ୍ୱ ହୋଇଲେ ॥
ଶୁଣିକରି ଅର୍ଜ୍ଜୁନ ଯେ କରଇ ଦଇନୀ ।ଧ ଅକ୍ଷର ଅର୍ଥ ମୋତେ କହ ଦୟାମଣି ॥
କୋଇଲି ଧନ୍ୟ ସେହୁ ଦଇବକୀ ନାରୀ ।ଧର୍ମ ଥିଲା ପୁତ୍ର ଗୋଟି ହୋଇଲା ତାହାରି ଲୋ ॥
ଧର୍ମପଦ ଘେନି ଜୀବ ପିଣ୍ଡରେ ରହିଲା ।ଧରଣୀରେ ପଡ଼ି ସଦଜ୍ଞାନ ହରାଇଲା ॥
ଧର୍ମରେ ଚଳଇ ଜୀବ ଅଧର୍ମରେ ଯାଇ ।ଧ୍ରୂବ ଏ ଚରିତ ମିଥ୍ୟା ନ ମଣ ଯେ ତୁହି ॥
ଯେଉଁଆଡ଼େ ଧର୍ମନାଶ ସେହୁଆଡ଼େ ଯାଇ ।ଅର୍ଜ୍ଜୁନ ଆଗରେ ଏହା କହିଲେ ବୁଝାଇ ॥
କୋଇଲି ନିରାଶ କରିଣ କୃଷ୍ଣ ଗଲେ ।ନିଜଗୃହ ବାସ ବୋଲି ବେଢ଼ାଏ ନଇଲେ ଲୋ ॥
ନିରାଶ ହୋଇଣ ଜୀବ ଛାଡ଼ିକରି ଗଲା ।ନିଜଘର ଗୋଟା ତେଣୁ ଅଶୋଭା ଦିଶିଲା ॥
ନିରାକାର ପୁରୁଷ ଏହାର ଖେଳଘର ।ଆଦ୍ୟ ହୁଁ ସୃଜିଲା ପିଣ୍ଡ ମାନବ ଶରୀର ॥
ନିର୍ମଳ ଶରୀର ଗୋଟି ନିଷ୍ଫଳ ହୋଇଲା ।ଶ୍ରୀହରି କହିଲେ ଏହା ଅର୍ଜ୍ଜୁନ ଶୁଣିଲା ॥
ଶୁଣି କରି ଅର୍ଜ୍ଜୁନ ହୋଇଲା କୃତ କୃତ ।ପ ଅକ୍ଷର ଅର୍ଥ ମୋତେ କହ ଗୋପୀନାଥ ॥
କୋଇଲି ପବିତ୍ର ପୁରୁଷ ମୋ ମାଧୋଇ ।ପବିତ୍ର ମୁଁ ହେଉଥିଲି କୃଷ୍ଣମୁଖ ଚାହିଁ ଲୋ ॥
ପବିତ୍ର ପୁରୁଷ ବୋଲି ମହାମନ୍ତ୍ର କହି ।ପୁଣ୍ୟଦ୍ୱାର ବୋଲି ପାର୍ଥ କର୍ଣ୍ଣ ଯେ ଅଟଇ ॥
ଅପବିତ୍ର ପିଣ୍ଡ ପାର୍ଥ ପବିତ୍ର ହୋଇଲା ।ଏଣୁ କରି ମହାମନ୍ତ୍ର କର୍ଣ୍ଣରେ କହିଲା ॥
ପରମାନନ୍ଦ ପୁରୁଷ ମୁହିଁଟି ଅଟଇ ।ପଦେ ପଦେ କରି ଶୁଣ ଯୁଧିଷ୍ଠିର ଭାଇ ॥
କୋଇଲି ଫଳିବାକୁ ବଳ ନାହିଁ ମୋର ।ଫଳିବାର ଫଳଗଲା ବାସୁଦେବ ପୁର ଲୋ ॥
ଏ ବୃକ୍ଷର ଫଳ ପାର୍ଥ ହରିରସ କହି ।ଜୀବ ଗଲେ ଫଳମାନ ବିଅର୍ଥ ହୁଅଇ ॥
ବାସୁଦେବ ବୋଲି ପାର୍ଥ ମୁଖ ଗୋଟି କହି ।ପରମ ଜୀବର ଯିବା ବାଟ ଅଟେ ସେହି ॥
ବେନି ମଧ୍ୟେ ଜୀବ ପରମର ପୁଣି ବାଟ ॥
ପଦେ ପଦେ କରି ତୋତେ କହିଦେବା ପାର୍ଥ ॥
ବ୍ରହ୍ମଜ୍ଞାନ ଶୁଣି ପାର୍ଥ ହୋଇଲା ହରଷ ।ପୁଣି ହିଁ କୃଷ୍ଣଙ୍କୁ ଚାହିଁ ହୁଅଇ ହରଷ ॥
କୋଇଲି ବହୁତ ସହିଲି ତାଙ୍କ ଅଳି ।ବଡ଼ାଇ ଶରଧା ଭାଙ୍ଗି ଗଲେ ବନମାଳି ଲୋ ॥
ବ୍ରହ୍ମା ବିଷ୍ଣୁ ଥାଇଣ ଏ ପିଣ୍ଡକୁ ଚଢ଼ିଲେ ।ବଳଗଣ୍ଡି ବୋଲିଣ ଏହାର ନାମ ଦେଲେ ॥
ବହୁଅଛି ତ୍ରିବେଣୀଟି ଏହି ବୃକ୍ଷପର ।ସେହି ରସ ପିଉଛନ୍ତି ଭକତ ମୋହର ॥
ବଙ୍କୁନାଳ ସଳଖରେ ଗୋଲହାଟପୁର ।ମିଶିଛନ୍ତି ବ୍ରହ୍ମାବିଷ୍ଣୁ ତ୍ରିକୂଟ ମଧ୍ୟର ॥
ଏ ବୃକ୍ଷ ଫଳ ସରିଲେ ସେହି ନ ରହନ୍ତି ।ଅର୍ଜ୍ଜୁନ ଆଗରେ ଏହା ଶ୍ରୀହରି କହନ୍ତି ॥
କୋଇଲି ଭଣ୍ଡି ମୋତେ ଗଲେ ବେନି ପୋଏ ।ଭାଇ ତାଙ୍କ ବଳରାମ ନଇଲେ ବେଢ଼ାଏ ଲୋ ॥
ଭଣ୍ଡିକରି ଗଲା ଜୀବ ବାହୁଡ଼ି ନଇଲେ ।ବଳରାମ ପରମ ଯେ ଛାଡ଼ିକରି ଗଲେ ॥
ଜୀବ ଯେ ପରମ ସ୍ଥାନ ଭ୍ରମର ଗୁମ୍ଫାରେ ।ଭକ୍ତଜନମାନଙ୍କର ସୁଖ ସେହିଠାରେ ॥
ଡାହାଣ ଚକ୍ଷୁରେ ଜୀବ ପରମ ବାମେଣ ।ତେଣୁକରି ଭ୍ରମରର ଗୁମ୍ଫା ବୋଲି ଜାଣ ॥
ଭ ଅକ୍ଷର ଅର୍ଥ ଯେତେ ପଚାରିଲୁ ବୀର ।ପଦେ ପଦେ କରି ତୋତେ କହିଲୁଁ ନିକର ॥
କୋଇଲି ମଥୁରାକୁ ଯିବିକି ମୁଁ ଧାଇଁ ।ମାଧବ ମଧୁସୂଦନ ଆଣିବି କଢ଼ାଇ ଲୋ ॥
ମଧୁପୁର ବାଟେ ଯହୁଁ ଜୀବ ଛାଡ଼ିଗଲା ।ପରମ ଜୀବର ଆଉ ଦେଖା ଯେ ନୋହିଲା ॥
ମୁଖ ବାଟେ ଜୀବ ଯହୁଁ ବାହାର ହୁଅଇ ।ମଧୁପୁର ବୋଲି ତେଣୁ ମୁଖଟି ବୋଲାଇ ॥
ମୁକୁନ୍ଦର ନାମ ବ୍ରହ୍ମଜ୍ଞାନଟି ଅଟଇ ।ଶୁଣିକରି ଅର୍ଜ୍ଜୁନ ହେ ପୁଣ ପଚାରଇ ॥
କୋଇଲି ଯିବେ ଯେ ଆସିବେ ବୋଲି ଗଲେ ।ଜଗତଜୀବନ କୃଷ୍ଣ ବେଢ଼ାଏ ନଇଲେ ଲୋ ॥
ଯାଉଁଳି କବାଟ ପାର୍ଥ ନାସାକୁ ଟି କହି ।ଜୀବର ଆହାର ପାର୍ଥ ପବନ ଅଟଇ ॥
ଜଗତ-ଜୀବନ କୃଷ୍ଣ ଛାଡ଼ିକରି ଗଲା ।ଯାଉଁଳି କବାଟ ପାର୍ଥ ନିଷ୍ଫଳ ହୋଇଲା ॥
ଜାଣି କରି ଯୋଗୀଜନେ ସେହି ଦ୍ୱାରେ ଭଜ ।ନିଶ୍ଚଳେ ପାଇବ ଭେଟ ମହାମତ୍ତ ଗଜ ॥
ଯ ଅକ୍ଷର ଅର୍ଥ ଏବେ ଶୁଣିଲୁ ଅର୍ଜ୍ଜୁନ ।କାର୍ପଣ୍ୟ ହୋଇଣ ପୁଣ କହଇ ବଚନ ॥
କୋଇଲି ରତ୍ନ ବସ୍ତ୍ର ଅଳଙ୍କାରମାନ ।ରାମ-କୃଷ୍ଣ ଶ୍ରୀଅଙ୍ଗକୁ ଦିଶେ ଶୋଭାବନ ଲୋ ॥
ରତ୍ନ ବୋଲି କରି ପାର୍ଥ ପଚାରିଲୁ ଯାହା ।ପଦେ ପଦେ କରି ତୋତେ କହିଦେବି ତାହା ॥
ପିଣ୍ଡକୁ ଯେ ବୋଲି ନାମରତ୍ନ ବୋଲି ତାହା ।ବ୍ରହ୍ମା ବେଦବର ଆଣି ପ୍ରତିକାର କୁହା ॥
ରାମନାମ ପରମ ଯେ କୃଷ୍ଣ ନାମ ରାମ ।ଶୋଭା ଦିଶେ ଏ ପିଣ୍ଡକୁ ଦୁଇ ଗୋଟି ନାମ ॥
ଶୁଣିକରି ଅର୍ଜ୍ଜୁନ ଯୋଡ଼ଇ ବେନି କର ।ଲକ୍ଷ୍ମୀର ବଲ୍ଲଭ ନାଥ ମୋତେ ଦୟା କର ॥
କୋଇଲି ଲକ୍ଷ୍ମୀର ବଲ୍ଲଭ ନାରାୟଣ ।ଲଳିତେଣ ନାମ ଦେଲେ ଗାର୍ଗବ ବ୍ରାହ୍ମଣ ଲୋ ॥
ଲକ୍ଷ୍ମୀପତି ନାରାୟଣ ଶୂନ୍ୟରେ ମିଶିଲା ।ରାମପଦ ଗୋଟା ପଦ ନିଶବଦ ହେଲା ॥
ରାମପଦ ଚଳିଗଲା ମଥୁରାପୁରକୁ ।ଶୂନ୍ୟ ହୋଇ ଗଲା ଜୀବ ମୃତ୍ୟୁ ଭବନକୁ ॥
ଲ ଅକ୍ଷରର ଅର୍ଥ ଶୁଣ ଫାଲଗୁନି ।ପିଣ୍ଡ ଯେ ବ୍ରହ୍ମାଣ୍ଡ ତୋତେ ଭେଟାଇଲୁ ଆଣି ॥
କୋଇଲି ବୃନ୍ଦାବନ ନ ଶୋଭଇ ମୋର ।ବତ୍ସା କିଏ ଚରାଇବ ଯମୁନାର ତୀର ଲୋ ॥
ବିନୟ ହୋଇଣ ପୁଣ ପାର୍ଥ ପଚାରଇ ।ଚ ଅକ୍ଷର ଅର୍ଥ ମୋତେ କହ ଭାବଗ୍ରାହୀ ॥
ବୃନ୍ଦାବନ ଗୋଟା ପାର୍ଥ ଦେହକୁଟି କହି ।ବତ୍ସା ବୋଲି କରି ପାର୍ଥ ପ୍ରକୃତି ଅଟଇ ॥
ପିଣ୍ଡରୁ ପରମ ଜୀବ ଅନ୍ତର ହୋଇଲା ।ବୃନ୍ଦାବନ ତେଣୁ କରି ଅଶୋଭା ଦିଶିଲା ॥
ବ ଅକ୍ଷର ଅର୍ଥ ଶୁଣି ଅର୍ଜ୍ଜୁନ ସନ୍ତୋଷ ।କୃଷ୍ଣର ହୋଇଣ ପୁଣି କହେ କୃଷ୍ଣଦାସ ॥
କୋଇଲି ଶ୍ରୀମନ୍ତ ପୁରୁଷ ମୋ ମାଧୋଇ ।ଶିରୀରଙ୍ଗ ଗଲାଦିନୁ ନନ୍ଦ ହେଲେ ବାଇ ଲୋ ॥
ଶ୍ରୀନୀଳକନ୍ଦର ପାର୍ଥ ଜୀବର ଆସନ ।ଶ୍ରୀମନ୍ତ ପୁରୁଷ ଗଲେ ପିଣ୍ଡ ହୁଏ ଲୀନ ॥
ନୀଳ ଯେ ମାଧବ ରୂପ କଣ୍ଠ ମଧ୍ୟେ ଥିଲା ।ବ୍ରହ୍ମାଶିବ ଦେବ ପ୍ରାଣ ସେହି ଛାଡ଼ିଗଲା ॥
ମୃତ୍ୟୁପିଣ୍ଡ କରି ଜୀବ ଛାଡ଼ିକରି ଗଲା ।ନନ୍ଦର ପରମ ଜୀବ ଛାଡ଼ି ଚଳିଗଲା ॥
କୋଇଲି ସାତଦିନ ଇନ୍ଦ୍ର ବୃଷ୍ଟି କଲା ।ସପତ ବରଷ ପୁତ୍ର ମନ୍ଦର ଧଇଲା ଲୋ ॥
ସପତ ଦଣ୍ଡରେ ପିଣ୍ଡୁ ପ୍ରାଣ ଛାଡ଼ିଯାଇ ।ତେଣୁ କରି ସାତଦିନ ଶାସ୍ତ୍ରେ ଅଛି କହି ॥
ସାତବାର ଭିତରେ ଏ ଆତଯାତ ହୋଇ ।ସପତ ବରଷେ ପାର୍ଥ ବ୍ରହ୍ମଜ୍ଞାନ ପାଇ ॥
ଜଳରୁ ଜନ୍ମଇ ପିଣ୍ଡ ଜଳରେ ଯେ ନାଶ ।ସପତ ଦଣ୍ଡରେ ପାର୍ଥ ଘୋଟଇ ଆକାଶ ॥
ଶୁଣିକରି ଅର୍ଜ୍ଜୁନ ଯେ ହୋଇ ଦିବ୍ୟ ତୋଷ ।ସ ଅକ୍ଷର ଅର୍ଥ ମୋତେ କହ ପୀତବାସ ॥
କୋଇଲି ଶଶୀ ଯେହ୍ନେ ଦିନୁ ଦିନୁ କ୍ଷୀଣ ।ସେହିପରି କ୍ଷୀଣ ହେଲେ ନନ୍ଦ ଯେ ରାଜନ ଲୋ ॥
ଶଶୀ ଚନ୍ଦ୍ର ଯେହ୍ନେ ପାର୍ଥ ଆକାଶରେ ଥାଇ ।କଳଙ୍କ ମିଶିଲେ ସେ ଯେ ନାଶ ହିଁ ନ ପାଇ ॥
ପିଣ୍ଡରେ ଥାଇଣ ଜୀବ ସେହିମତି ନାଶ ।ପ୍ରକୃତି ପୁରୁଷମାନେ ବେଢ଼ିଛନ୍ତି ପାଶ ॥
ଶଶୀ ପ୍ରାୟ ହେଲେ ପିଣ୍ଡ ବାହାର ହୁଅଇ ।ଏକ ମନେ ଶୁଣ ତୁ ହୋ ଯୁଧିଷ୍ଠିର ଭାଇ ॥
କୋଇଲି ହାଇ ଯେ ମାରଇ ପୁତ୍ର ତୁଣ୍ଡ ।ହୃଦରେ ଦେଖିଲେ ମାଏ ସପତ ବ୍ରହ୍ମାଣ୍ଡ ଲୋ ॥
ହରଷ ହୋଇଣ ପୁଣ ପାର୍ଥ ପଚାରଇ ।ହ ଅକ୍ଷର ଅର୍ଥ ମୋତେ କହ ଭାବଗ୍ରାହୀ ॥
ହରି-ହର-ବ୍ରହ୍ମା କେହି ରଖି ନ ପାରନ୍ତି ।ହରଷ ହୋଇଣ ଜୀବ ପରମେ କହନ୍ତି ॥
ହରିନାମ ଭଜିଥିଲେ ବ୍ରହ୍ମଜ୍ଞାନ ପାଇ ।ଅଶେଷ ବ୍ରହ୍ମାଣ୍ଡ ପାର୍ଥ ହରିନାମ କହି ॥
କୋଇଲି କ୍ଷନ୍ଦଣି ବନ୍ଦଣି ଭୁଜଦଣ୍ଡ ।କ୍ଷମାକର ଦୋଷ ମୋର ଭଣେ ମାରକଣ୍ଡ ଲୋ ॥
କ୍ଷନ୍ଦଣି ଯେ ବୋଲାଯାଏ ମାୟା ଜନ୍ତୁଙ୍କର ।କ୍ଷମା ଯେ କରୁଣାନିଧି ଏଥିର ବିଚାର ॥
ଭୃତ୍ୟଜନମାନଙ୍କୁ ସେ ଦଣ୍ଡ ଦେବାପାଇଁ ।ପିଣ୍ଡ ଯେ ବ୍ରହ୍ମାଣ୍ଡ ଏକ କରିଣ ବୁଝାଇ ॥
ଅର୍ଜ୍ଜୁନ ପଚାରିଲେ ଶ୍ରୀକୃଷ୍ଣ ଅର୍ଥ କଲେ ।ଜଗନ୍ନାଥ ଦାସ ଏହା ପୁରାଣେ କହିଲେ ॥
କେଶବ କୋଇଲି ଅର୍ଥ ବ୍ରହ୍ମଜ୍ଞାନ ସାର ।ଲବଣୀ ସାଗରୁ ଏ ଯେ ହୋଇଛି ବାହାର ॥
ସାଧୁଜନମାନେ ମୋର ନ ଘେନିବ ଦୋଷ ।ଶ୍ରୀମୁଖରେ ଆଜ୍ଞା ଯାହା ଦେଲେ ପୀତବାସ ॥
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର
ଅଛତ ଅନ୍ତରେ
ଲକ୍ଷ୍ମୀନାରାୟଣ ସାହୁ
ଗୀତାଭିଧାନ
ଉପେନ୍ଦ୍ର ଭଞ୍ଜ