ଅଚ୍ୟୁତାନନ୍ଦ ଚଉତିଶା
ମହାପୁରୁଷ · ପ୍ରାୟ ୧୪୮୫–୧୫୭୦
- ପଢ଼ିବା ସମୟ
- ୯ ମିନିଟ୍
- ଶବ୍ଦ
- ୧୩୭୨
- ସ୍ଥିତି
- ସାର୍ବଜନୀନ (Public domain)
ଜଗନ୍ନାଥତତ୍ତ୍ୱ ଚଉତିଶା
(କବିଙ୍କର ଏହା ଅନ୍ୟ ଏକ ଶ୍ରେଷ୍ଠ ଚଉତିଶା । ନାମର ମାହାତ୍ମ୍ୟ । ଜଗନ୍ନାଥ ତତ୍ତ୍ୱର ମହିମା, ଭଗବାନଙ୍କ କୀର୍ତ୍ତିରାଜିକୁ କବି ତାତ୍ତ୍ୱିକ ଦୃଷ୍ଟିକୋଣରୁ ଏଠାରେ ଆଲୋଚନା କରିଛନ୍ତି । କ୍ଷୁଦ୍ର ହେଲେ ହେଁ ଏହାର ରଚନା ଉଚ୍ଚକୋଟିର ।)
କହଇ ଚୈତନ୍ୟ ବାରେ ଶୁଣ ରେ ମନାଇକ୍ଷୀରସିନ୍ଧୁ ମଧ୍ୟେ ଦେଖ କଳ୍ପବଟ ଛାଇ ।୧।ଗୁପତ ହୋଇଛି ମହାନିତ୍ୟ ଯେଉଁଠାଇ,ଘନ ଘନ ହୋଇ ନିଦ ମାଡ଼ଇ ସେଠାଇଁ ।୨।ଉତ୍ତର ଦକ୍ଷିଣ ପୂର୍ବ ପଶ୍ଚିମରେ ହେଜ,ଚାରିଦ୍ୱାରେ ଆବୋରି ରହିଛି ଚାରି ବେଦ ।୩।ଛାମୁ ଦର୍ଶନକୁ ବାଟ ପଡ଼ିଛି ସଧୀରେ,ଜଗନ୍ନାଥ ମହାପ୍ରଭୁ ସିଂହାସନ ପରେ ।୪।ଝୀନ ଯେ ପତନୀ ଦେଖ ତାଙ୍କ ଅଙ୍ଗେ ଶୋଭା,ନିତ୍ୟ କିଶୋରୀ ରାଧିକା ତାଙ୍କ ଅଙ୍ଗ ପ୍ରଭା ।୫।
ଭାବାର୍ଥ- (୧-୫) କବି ଅଚ୍ୟୁତାନନ୍ଦଙ୍କ ପୂର୍ବ ଚଉତିଶା ଭଳି ଉକ୍ତ ଚଉତିଶାଟି ଚୈତନ୍ୟ- ମନ ସମ୍ବାଦ ଆଧାରରେ ରଚିତ । ଚୈତନ୍ୟ କହୁଛି- ରେ ମନ, ମନ ଦେଇ ଶୁଣ, କ୍ଷୀରସିନ୍ଧୁ ମଧ୍ୟରେ କଳ୍ପବଟ ଛାଇକୁ ଦେଖ । ଅର୍ଥାତ୍ ସ୍ୱୟଂ ଭଗବାନ କ୍ଷୀର ସାଗର ମଧ୍ୟରେ ବିଜେ କରିଛନ୍ତି । ମହାନିତ୍ୟ ସେହିଠାରେ, ଗୁପ୍ତରେ ରହିଛନ୍ତି । ବାରମ୍ବାର ନିଦ ମାଡ଼ି ଆସୁଛି । ମହାପ୍ରଭୁଙ୍କ ତେଜ, ମହିମା ଅପାର । ସ୍ୱୟଂ ଜଗନ୍ନାଥ ଯେଉଁଠାରେ ବିଜେ କରୁଛନ୍ତି, ସେଠାରେ ଚାରି ଦିଗ- ଚାରି କବାଟ- ଉତ୍ତର, ଦକ୍ଷିଣ, ପୂର୍ବ ଓ ପଶ୍ଚିମ ଚାରି ଦିଗର ସମାଗମ ଘଟିଛି ।
ରେ ମନ, ପ୍ରଭୁ ଜଗନ୍ନାଥ ରତ୍ନସିଂହାସନ ଉପରେ ବିଜେ କରିଛନ୍ତି । ଛାମୁଙ୍କ ଦର୍ଶନ ପାଇଁ ବାଟ ରହିଛି । ଧୀର ଭାବରେ ସେଠାକୁ ଯାଇ ଦର୍ଶନ କର । ଝାନପତନୀ ପରିଧାନ କରି ସେ ଶୋଭା ଦିଶୁଛନ୍ତି । ନିତ୍ୟ କିଶୋରୀ ରାଧିକା ତାଙ୍କ ଅଙ୍ଗ ଶୋଭାକୁ ବଢ଼ାଉଛନ୍ତି ।
ଟାକି ହର ବ୍ରହ୍ମା ଯାକୁ କରିଛନ୍ତି ଆଶ,ଠୁଳ ଶୂନ୍ୟ ପରେ ଦେଖ ଲାଗିଛି ରାହାସ ।୬।ଡାକହାକ ଶବଦ ନିର୍ଣ୍ଣୟ ଯେଉଁଠାଇଁ,ଡୋଳା ସମାଧିକୁ ଚାହାଁ ଢୋଳାଇବାକୁ ନାହିଁ ।୭।ନାଦରେ ବିନ୍ଦୁକୁ ଯେବେ ପାରିବୁ ମିଶାଇ,ତିନି ମୂର୍ତ୍ତି ଏକ ବ୍ରହ୍ମ ଦେଖିବୁ ସେଠାଇଁ ।୮।ଥୟେ କରି ମନ ନେଇ ଭୂରୂମଧ୍ୟେ ଭର,ଦୟା, କ୍ଷମା, ଶାନ୍ତି ହୋଇ ଦାସୀ ଅଙ୍ଗ ଧର ।୯।ଧର୍ମ ଅର୍ଥ କାମ ମୋକ୍ଷ ହେଉଅଛି ଦୂର,ନେବା ଆଣିବାକୁ ଆଉ ନାହିଁ ଯେ ବିଚାର ।୧୦।ପାଣି ନାହିଁ ପଙ୍କ ନାହିଁ ମାଡ଼ୁଛି ଲହଡ଼ା,ଫୁଲ ଗୋଟି ଫୁଟିଅଛି ସହସ୍ର ପାଖୁଡ଼ା ।୧୧।ବାରିବୁ ବାସନା ଯେବେ ଗୁରୁ ଆଜ୍ଞା ପାଇ,ଭ୍ରମର ଚୁମ୍ବିବ ତେବେ କର୍ଣ୍ଣିକାରେ ରହି ।୧୨।
ଭାବାର୍ଥ- (୬-୧୨) ରେ ମନ, ଯାହାଙ୍କୁ ହର, ବ୍ରହ୍ମା ଟାକି ବା ଚାହିଁ ରହିଛନ୍ତି, ସେ ପରଂବ୍ରହ୍ମ ଶୂନ୍ୟରେ ବିଜେ କରୁଛନ୍ତି, ସେଠାକୁ ଦେଖେ, ସେଠାରେ ରାହାସ ଲୀଳା ଲାଗିଛି । ଡାକହାକ ଶବ୍ଦରେ ସେଠାରେ ଉଛୁଳି ପଡ଼ୁଛି । ରେ ମନ ଡୋଳା ସମାଧି (ପ୍ରଭୁଙ୍କର ଚକାନୟନ)କୁ ଚାହାଁ । ଢୋଳାଇବୁ ନାହିଁ ବା ଆଖିରେ ପଲକ ପକାଇବୁ ନାହିଁ । ନିର୍ଲିପ୍ତ ନୟନରେ ଚାହିଁବୁ । ଜଗନ୍ନାଥ ହେଉଛନ୍ତି ନାଦବ୍ରହ୍ମ । ତୁ ବିନ୍ଦୁ ପ୍ରଭୁଙ୍କ ଆତ୍ମାରେ ମିଶିଯାଇ ଏକାକାର ହୋଇଯିବୁ । ତେବେ ତିନି ମୂର୍ତ୍ତି ବା ତିନି ଠାକୁର ଏକ ବ୍ରହ୍ମକୁ ସେଠାରେ ଦେଖିବୁ ।
ସମ୍ବନ୍ଧିତ ରଚନା
ଓଗାଳ ଖଣ୍ଡ ପ୍ରଥମ ଭାଗ
ଅଚ୍ୟୁତାନନ୍ଦ ଦାସ
ଗୋପାଳକୃଷ୍ଣଙ୍କ ଚଉତିଶା
ଗୋପାଳକୃଷ୍ଣ ପଟ୍ଟନାୟକ