ଅବତରଣିକା — ଯଦୁମଣି ମହାପାତ୍ର · ସ୍ୱର୍ଣ୍ଣଲିପିସାଧାରଣତଃ କବି ଏବଂ ଲେଖକମାନଙ୍କ ଜୀବନାଲେଖ୍ୟ ସେହିମାନଙ୍କ ରଚନା ମଧ୍ୟରେ ଅଙ୍କିତ ହୋଇଥାଏ । କିନ୍ତୁ ଘଟଣାଚକ୍ରରେ ଅନେକ କବିଙ୍କର ଜୀବନଚରିତକୁ ସେ କାଳର ଚରିତ୍ରବନ୍ତ ବିଦ୍ୱାନ୍ କେତେଜଣ ଏପରି ଧର୍ମ ଯୁଧିଷ୍ଠିର ଭାବରେ ଚିତ୍ରଣ କରିଅଛନ୍ତି, ଯାହା ପାଠ କଲେ ଉକ୍ତ କବିମାନେ ଯେ କିପରି ଶୃଙ୍ଗାର ରସର କାମୋଦ୍ଦୀପକ କବିତାମାନ ରଚନା କଲେ ତା’ ଭାବି ହୁଏ ନାହିଁ । କାଳିଦାସଙ୍କୁ ଯେବେ ଆମେ ଶୁକଦେବ ବୋଲି ଚିତ୍ରଣ କରୁଁ, ତାହା ଅତୀବ ହାସ୍ୟାସ୍ପଦ ହୋଇପଡ଼ିବ । ତେଣୁ କାଳିଦାସ ବେଶ୍ୟାସକ୍ତ ଥିଲେ, ସେ ଲମ୍ପଟ ଥିଲେ, ସେ ରସିକାଗ୍ରଗଣ୍ୟ ଥିଲେ ବୋଲି ଚିତ୍ରଣ କରାଯାଇଛି ।
କବିବର ରାଧାନାଥ ରାୟ ଜଣେ ରସିକ ବ୍ୟକ୍ତି ଥିଲେ ବୋଲି ତାର କ୍ଷୀଣ ସୂଚନା ମଧ୍ୟ ଦିଆଯାଇ ନାହିଁ । ଅଥଚ ତାଙ୍କର କବିତାମାନଙ୍କରେ ଆଦି−ରସର ବ୍ୟଞ୍ଜନା ବିଶେଷ ଭାବରେ ପରିବେଷିତ ହୋଇଛି । ଭଞ୍ଜଙ୍କୁ ମଧ୍ୟ ଋଷିକଳ୍ପ ବୋଲି କେହି କେହି କହିଲେଣି ।
କବିସୂର୍ଯ୍ୟ ବଳଦେବ ରଥଙ୍କର ଜୀବନାଲେଖ୍ୟ ଯେଉଁ ବିଜ୍ଞ ପଣ୍ଡିତ ଲେଖିଲେ ସେ ତାଙ୍କ ନିଜର ଜୀବନାଲେଖ୍ୟକୁ ମିଳାଇ ଦେଖିଲେ ଯେ, କବିସୂର୍ଯ୍ୟ ନିଶ୍ଚୟ ମାଛିକି ମ କହୁ ନ ଥିବେ କି ପାଣିକୁ ହାତ ବଢ଼ାଉ ନ ଥିବେ । କିନ୍ତୁ ନିଜ ରଚନା ଏବଂ କବିସୂର୍ଯ୍ୟଙ୍କ ରଚନା କେତେ ପୃଥକ୍ ଧରଣର, ତାହା ସେ ବିଚାରିବାକୁ ଭୁଲିଗଲେ । କେହି କେହି କହନ୍ତି, କବିସୂର୍ଯ୍ୟଙ୍କର ଫୁଲ୍ଲ କୋମଳ କବିତାମାନଙ୍କ ସାଥିକୁ ଜୀବନାଲେଖ୍ୟ ଗୋଟିଏ ଅସଡ଼ ପଥର ପରି ଯୋଡ଼ାଯାଇଛି । ‘ମାର୍ଜ୍ଜିତ ରୁଚି’, ‘ସାହିତ୍ୟ ସେବା ବ୍ରତ’ ଓ ‘ଆରାଧ୍ୟ ଦେବତାର ଭକ୍ତି’ ଦୃଷ୍ଟିରୁ ସେ ଜଣେ ପ୍ରକୃଷ୍ଟ ପ୍ରଣୟବର୍ଣ୍ଣନକାରୀ ବୋଲି ଅଭିହିତ କରି ତାଙ୍କର ଚରିତ୍ରକୁ ଅତି କମନୀୟ ବୋଲି କହିବାକୁ ଯାଇ ଆମେ ତାଙ୍କୁ କ୍ଳୀବ କରୁ ନାହୁଁ କି ?
କର କ୍ଷମାରେ, ରତି ପ୍ରତିମା ତୁ କର କ୍ଷମାରେ
ନ ଥିଲା ମାଜଣା ବୋଲି ମୋତେ ଜଣା ।
ରେ କିଶୋରୀ, ରୁଷିବାର ସିନା ଜାଣୁ
ରସ ଜଳଧିରେ ଅବଗାହି ଧୀରେ ତହୁଁ ତ ସାର ନ ଛାଣୁ ।
ଏହିପରି ଗୀତମାନ କ’ଣ ବରାଦରେ ରଚିତ ହୋଇପାରେ ନା କେଉଁ ପ୍ରଭୁର ମନଃତୁଷ୍ଟି ଲାଗି ରଚିତ ହୋଇପାରେ ? ଏଥିରେ ଲେଖକର ଦୈହିକ ଅନୁଭୂତି ସବୁ ଯେ ନାହିଁ ତା କିଏ ବା କିପରି କହିବ ?
ତାଙ୍କର ସମସାମୟିକ କବି ଯଦୁମଣି ମହାପାତ୍ର ଥରେ ପରିହାସରେ ଅତି ଅସଭ୍ୟ ଭାବରେ କହିଥିଲେ ସେହି କବିସୂର୍ଯ୍ୟ ବଳଦେବ ରଥଙ୍କର ପ୍ରେମିକ ଜୀବନର ଦୁର୍ଦ୍ଦଶାର ସମ୍ବାଦ ଶୁଣି -
ଭଲ ଗ୍ରହଣା
ଖମଣା ଖୋଲରେ ପାଇଲେ ହଣା ।
ଏହି ଗ୍ରହଣାର ଗ୍ର କୁ ବଦଳାଇଲେ ଅତି ଅସଭ୍ୟ ଶୁଭିବ ଏବଂ ଅଚଳ ହେବା ଲକ୍ଷ୍ୟରେ ବହୁଦିନରୁ ଏହି ପ୍ରବାଦଟି ଏପରି କୁହା ଚାଲିଛି ।
ଯେଉଁସବୁ ଶବ୍ଦ ସମାଜରେ ଅସଭ୍ୟ ବୋଲି ବିବେଚିତ, ଅନେକ ପଣ୍ଡିତ ବ୍ୟକ୍ତି ତାଙ୍କ ଅଭିଧାନରେ ତାହା ଭୁଲରେ ସୁଦ୍ଧା ଦେଇ ନାହାନ୍ତି; ଯେପରି ସେ ଶବ୍ଦମାନ ଓଡ଼ିଆଭାଷାରେ ନାହିଁ-। କିନ୍ତୁ ପ୍ରହରାଜଙ୍କ ଭାଷା କୋଷରେ ତାର ଅଭାବ ନାହିଁ । ଯେବେ କବିସୂର୍ଯ୍ୟ ରଥେ ତୁଳସୀପତ୍ର ଥିଲେ, ତେବେ ଏ ଅସଭ୍ୟ ପ୍ରବଚନ ଆସିଲା କେଉଁଠୁ ?
ଏପରି କ୍ଷେତ୍ରରେ କବି ଏବଂ କବିତା ପ୍ରତି ଦୃଷ୍ଟି ନ ଦେଇ ପ୍ରାଚୀନ କବିମାନଙ୍କୁ ଘେନି ଯେଉଁସବୁ ଜୀବନ କଥା ଲେଖା ହୋଇଛି ତାହାର ପୁନଃ ଲେଖନ କରାଯିବା ଉଚିତ ।
ବର୍ତ୍ତମାନ ସମାଜରେ ଜୀବିତ ଲୋକଙ୍କୁ ଅଭଲ ବୋଲି କହିବା ଯେପରି, ମୃତ୍ୟୁ ପରେ ସେ ସମସ୍ତଙ୍କୁ ଭଲ ବୋଲି କହିବା ସେପରି ଅନୈସର୍ଗିକ ଏବଂ ହାସ୍ୟାସ୍ପଦ ।
ତେଣୁ ଜୀବନଚରିତ ମାତ୍ରକରେ, କାବ୍ୟକବିତା ମାତ୍ରକରେ ତାର ପ୍ରକୃତ ସତ୍ୟ ଉଦ୍ଘାଟନ କରାଯିବା ପ୍ରତି ସଜାଗ ରହିବା ସାହିତ୍ୟକର ସର୍ବାଗ୍ରେ ମୁଖ୍ୟ କର୍ତ୍ତବ୍ୟ ।
ଯଦୁମଣି ମହାପାତ୍ର ସାଧାରଣ ଜଣେ ବ୍ୟକ୍ତି ଥିଲେ ବୋଲି କହିବା ଅସୀମଚୀନ । କେବଳ ଅଭିଧାନ ମୁଖସ୍ଥ କରି ସେ କାବ୍ୟ କବିତା ଲେଖି ନାହାନ୍ତି । ନାନା ଶାସ୍ତ୍ରଜ୍ଞାନରେ ତାଙ୍କର ପାଣ୍ଡିତ୍ୟ ନିବଦ୍ଧ ଥିବାର ଜଣାଯାଏ । କିନ୍ତୁ ଏକଥା ନିଶ୍ଚିତ ଯେ ସେ ଜଣେ ହାସ୍ୟରସ–ରସିକ କବି ଥିଲେ ।
ସମ୍ବନ୍ଧିତ ରଚନା
ନାଟ୍ୟରସୂର ଉଦାହରଣଯଦୁମଣି ମହାପାତ୍ର ଯଦୁମଣି ମହାପାତ୍ର
ମଧୁସୂଦନ ରାଓ
ଅତି ସୁଖର ବିଷୟ ଯେ କବି ଯଦୁମଣି ମହାପାତ୍ରଙ୍କର ଜୀବନ କଥାର ବହୁଅଂଶ ଜନ ସମାଜରେ ପ୍ରକାଶିତ ହୋଇଯାଇଛି । ସେ କ’ଣ ଥିଲେ, କ’ଣ ନ ଥିଲେ, ସେଥିରୁ ହାରାହାରି ସମ୍ଭାବ୍ୟ ଅସଂଭାବ୍ୟ ଚିତ୍ରଣମାନ ମଧ୍ୟ ପୂର୍ବରୁ ରହିଆସିଛି । ସମଗ୍ର ସମାଜରେ ଯାହା ଚଳି ଆସିଛି, ତାକୁ ଘୋଡ଼େଇଦେବା ବା ଲୁଚେଇଦେବାର ସୁବିଧା ନାହିଁ ।
ପ୍ରତ୍ୟେକ ଜୀବନ କଥା ସତ୍ୟମୂଳକ ହେବା ସମୀଚୀନ । ମହାତ୍ମା ଗାନ୍ଧୀ ତାଙ୍କର ଜୀବନ କଥାକୁ ‘ସତ୍ୟର ପରୀକ୍ଷା’ ନାମ ଦେଇ ତହିଁରେ ପ୍ରକୃତ ସତ୍ୟମାନ ଲିପିବଦ୍ଧ କରି ଯାଇଅଛନ୍ତି । ସେ କେବେ କାମାତୁର ଥାଇ ତାଙ୍କର ପିତାଙ୍କ ମୃତ୍ୟୁ ଜାଣିପାରି ନ ଥିଲେ, କେବେ ସେ ବେଶ୍ୟାଳୟକୁ ଯାଇଥିଲେ, କେବେ ସେ ଅସତ୍ ଚରିତ୍ରା ସ୍ତ୍ରୀ ପ୍ରତି ଖେଳୁ ଖେଳୁ ପ୍ରଲୁବ୍ଧ ଥିଲେ, ତାହା ଲେଖିବାରେ ଭୟ କରି ନାହାନ୍ତି । ଆମର ପଣ୍ଡିତ ଗୋଦାବରୀଶ ନିଜ ଜୀବନ କଥା ନିଜେ ଲେଖି ତାଙ୍କର ଚରିତ୍ର ସ୍ଖଳନକୁ କଦାପି ଘୋଡ଼ାଇ ଦେଇ ନାହାନ୍ତି ।
ଯେବେ କବିସୂର୍ଯ୍ୟ ରଥେ ଲାବଣ୍ୟବତୀ−ସମା ଅପରୂପ ରୂପସୀ ଆଠଗଡ଼ ଜେମାଙ୍କଠାରେ ଆସକ୍ତ ଥିଲେ ବା ତାଙ୍କୁ ସେଥିପାଇଁ କଠୋର ଦଣ୍ଡର ସମ୍ମୁଖୀନ ହେବାକୁ ହୋଇଥିଲା, ତାହା ଲୁଚାଇ ଦେବାର ହେତୁ କ’ଣ ? ସେ ସବୁ ଲୁଚାଇ ଦେଲେ କ’ଣ ତାହା କେବେ ଲୁଚିଯିବ ? ଦିନେ ତାହା ନିଶ୍ଚୟ ପ୍ରକାଶିତ ହେବ । ଚୋରକବି ଗୁର୍ଜର ରାଜଜେମାଙ୍କୁ ପାଠ ପଢ଼ାଉ ପଢ଼ାଉ କାମଶାସ୍ତ୍ରରେ ନିର୍ଜିତ କରି ନିଜ ଆଡ଼କୁ ଟାଣି ଆଣି ଧରାପଡ଼ନ୍ତେ, ଶୂଳିଯୋଗ୍ୟ ହୋଇ ଚୌର ପଞ୍ଚାଶିକା ଗାଇଥିଲେ - ମୃତ୍ୟୁ ପୂର୍ବରୁ । ତା’ ତ ଭାରତବର୍ଷର ମନସ୍ୱୀ ସମାଜ ଗୋପନ କରିନାହାନ୍ତି । କିନ୍ତୁ ବଳଦେବ ସେହିପରି ଦୋଷରେ କବିତା ଲେଖି ହଣା ହେବାକୁ ଦଣ୍ଡିତ ହୋଇ ପୁଣି ଛାଡ଼ପାଇ ପରେ କଠୋର ଦଣ୍ଡରେ ମୃତ୍ୟୁ ବରଣ କରିବା କଥାକୁ ଗୋପନ କରାଯାଉଛି କାହିଁକି ? ଏଥିରେ କ’ଣ ଓଡ଼ିଆ ଜାତିର ଗୌରବ ସୁରକ୍ଷିତ ହେବ ? ଜଣେ କବିର ଜୀବନ କଥା ଜଣେ ନିରୀହ ଅରସିକ ପରି ବର୍ଣ୍ଣନା କରାହେବାକୁ ଓଡ଼ିଆ ଜାତି କ’ଣ ମହତ୍ୱ ବୋଲି ମନେ କରେ ? ଏତଦ୍ଦ୍ୱାରା ପ୍ରତିଭା ଏବଂ ପ୍ରଣୟ ପରି ସୁକୁମାର କଳାକୁ ହତ୍ୟା କରାଯାଉ ନାହିଁ କି ? ଏସବୁ କୁହାଯିବାର ଉଦ୍ଦେଶ୍ୟ ହେଲା, ଯଦୁମଣିଙ୍କର ଜୀବନ ଚରିତ୍ରକୁ ଆମେ ସତ ସତ ଭାବରେ ଯେ ପ୍ରକାଶ କରିବାକୁ ଯାଇଛୁଁ, ଆମକୁ କେହି ଦୋଷ ନ ଦେଉ ।
ଯଦୁମଣି ମହାପାତ୍ର ରସିକାଗ୍ରହଣ୍ୟ ଥିଲେ । ଯୋଗକୁ ଅତି ସୁନ୍ଦରୀ ଚତୁରୀ ସ୍ତ୍ରୀଟିଏ ମଧ୍ୟ ପାଇଥିଲେ । ତାଙ୍କ ସ୍ତ୍ରୀ ତାଙ୍କୁ ଯେତେ ସନ୍ତୋଷ ଦେଲେ ମଧ୍ୟ ସେ ମନେ କରୁଥିଲେ ବାକି ବହୁତ ରହିଯାଉଛି । ବେଶ୍ୟାର ଉଲ୍ଲଙ୍ଗ ପ୍ରେମ ସେହି ରମଣୀଠୁ ପାଇବାକୁ ଲାଳାୟିତ ହୁଅନ୍ତେ, ତହିଁରେ ତାଙ୍କ ସ୍ତ୍ରୀ ଅସ୍ୱୀକୃତ ହୋଇଥିଲେ । ତେଣୁ ଯଦୁମଣି ସତୀ ସ୍ତ୍ରୀ ପ୍ରତି କ୍ରୁଦ୍ଧ ହୋଇ ଯୌବନରେ ଥରେ ବେଶ୍ୟାଳୟକୁ ଯାଇଥିଲେ । ବେଶ୍ୟା ସ୍ୱୀକୃତ ଥିଲା । କିନ୍ତୁ ଏହି ସାଂଘାତିକ ରସିକଠାରେ କାଳେ ହାରିଯିବ ଏହି ଭୟରେ ସେ କପଟ ରଚନା କରି ଅନ୍ୟ ନାଗର ସହିତ ଅଛି କହି କହି ରାତ୍ରି ପୁଆଇ ଦେଇଥିଲା । ତେଣୁ ସେ ବ୍ୟଥିତ ହୋଇ ଗୋପନରେ ଫେରିଆସି ନିଜର ରସିକା ଭାର୍ଯ୍ୟା ପାଦତଳେ ପଡ଼ି କ୍ଷମା ମାଗିଥିଲେ । ତାଙ୍କ ହାସ୍ୟରସରେ ଏ ସମ୍ପର୍କରେ ଯେଉଁ କବିତାଟି ଅଛି ତାହା ପଢ଼ିଲେ ତାଙ୍କ ମନୋଭାବ ଜଣାଯାଇ ପାରିବ ।
ଯଦୁମଣି ମହାପାତ୍ରଙ୍କୁ ଏବେ ମଧ୍ୟ ସମଗ୍ର ଉତ୍କଳରେ କେବଳ ଜଣେ ହାସ୍ୟରସିକ କବି ଭାବରେ ଗ୍ରହଣ କରାଯାଉଛି । ସେ ପ୍ରବନ୍ଧ ପୂର୍ଣ୍ଣଚନ୍ଦ୍ର ଏବଂ ରାଘବ ବିଳାସ ନାମକ ଦୁଇଟି କାବ୍ୟ ରଚନା କରିବାଦ୍ୱାରା ଯେ ଜଣେ ପ୍ରଖ୍ୟାତ ମହାକବି ଓ ପଣ୍ଡିତ, ଏ ଧାରଣା ସମାଜରେ ଗ୍ରହଣଯୋଗ୍ୟ ହୋଇପାରି ନାହିଁ । ସମସ୍ତେ ତାଙ୍କୁ ହାସ୍ୟରସର ଚମତ୍କାରିତାରେ ଜଣେ ଅଦ୍ୱିତୀୟ ଶିଳ୍ପୀ କହିବାରେ କୁଣ୍ଠିତ ନୁହନ୍ତି; କିନ୍ତୁ ତାଙ୍କର ଅସାଧାରଣ କବିତ୍ୱ ପ୍ରତି ସମ୍ମାନ ବୋଧ ଶିକ୍ଷିତ ସମାଜରେ ମଧ୍ୟ ଆଜିପର୍ଯ୍ୟନ୍ତ ଦେଖାଯାଇ ନାହିଁ । ସେହି ଭୟରେ ସେ ପ୍ରବନ୍ଧ ପୂର୍ଣ୍ଣଚନ୍ଦ୍ରରେ ଲେଖିଛନ୍ତି -
ବିଧୁ ବିଧୁନ୍ଣଦ ଉଚ୍ଛିଷ୍ଟ ଜଣା
ଶିବେ ବାଜେ ଚନ୍ଦ୍ରଚୂଡ଼ ବାଜଣା ସେ
ସମ୍ଭବ ସମ୍ପଦ ପଦାର୍ଥରେ ବ୍ୟର୍ଥ ଖଣ୍ଡିବାର ଅପବାଦ ଯେ ।
‘‘ଏହି ଗ୍ରନ୍ଥ (ପ୍ରବନ୍ଧ ପୂର୍ଣ୍ଣଚନ୍ଦ୍ର) ଜଣେ ଶୂଦ୍ରବ୍ୟକ୍ତିର ମୁଖରୁ ପ୍ରକାଶିତ ହୋଇଛି ବୋଲି କେହି ତୀବ୍ର ଭାବ ଧରି ବିଚାର କରନାହିଁ । ଅର୍ଥାତ୍ ଏ ଗ୍ରନ୍ଥର କବି ଜଣେ ଶୁଦ୍ର ବଢ଼େଇ ଜାତିର ଥିବାରୁ ତାଙ୍କ ମୁଖନିଃସୃତ ବାଣୀ ଶୂଦ୍ର ଅଇଣ୍ଠା ମନେକରି କେହି ବ୍ରାହ୍ମଣାଦି ଉଚ୍ଚ ବର୍ଣ୍ଣର ବ୍ୟକ୍ତି କୋପ ବା ଘୃଣା ପ୍ରକାଶ କର ନାହିଁ ।
ପରମ ଅହ୍ଲାଦକ ଚନ୍ଦ୍ରମା ଚାଣ୍ଡାଳ ଚାହୁର ଉଚ୍ଛିଷ୍ଟ ବୋଲି ଜଣାଗଲେ ହେଁ ଯେପରି ତାହାକୁ ମଣ୍ଡି ହୋଇ ଅନାଦି ଦେବତା ପରମେଶ୍ୱର ଶିବ, ଚନ୍ଦ୍ରଚୁଡ଼, ଚନ୍ଦ୍ରଶେଖର ନାମରେ ବିଦିତ ହୋଇଅଛନ୍ତି, ସେହିପରି ପଦ୍ମାପତି ଯେ−ମହାନ ଦେବତା ବିଷ୍ଣୁସ୍ୱରୂପୀ କୃଷ୍ଣ ତାଙ୍କ ବିଷୟ ଏ ଗ୍ରନ୍ଥରେ ବର୍ଣ୍ଣିତ ହୋଇଥିବାରୁ ଏହା ସମସ୍ତଙ୍କର ଶିରୋଧାର୍ଯ୍ୟ ହୋଇପାରିବ ।” ଏହିଭଳି ପ୍ରସଙ୍ଗରେ ଅଭିମନ୍ୟୁ ମଧ୍ୟ ଦୃଢ଼ତାର ସହିତ କହି ଅଛନ୍ତି -
‘‘ଅମ୍ୱୁ ଯେ ହେଉ ସେ ହେଉ, ଶାଳଗ୍ରାମ ସ୍ନାନେ,
ଅଗ୍ରାହ୍ୟ କାହାର ପାଦୋଦକ ନାମ ଜ୍ଞାନେ ।”
ଏକାନ୍ତ ସୁଖର ବିଷୟ ଯେ ଡକ୍ଟର ହରେକୃଷ୍ଣ ମହତାବ ତାଙ୍କ ଇତିହାସରେ ପ୍ରାଚୀନ କବିମାନଙ୍କ ତାଲିକାରେ ଯଦୁମଣିଙ୍କ ନାମଟିକୁ ଉଚ୍ଚ ସ୍ଥାନ ଦେଇଅଛନ୍ତି । ଏତତ୍ ବ୍ୟତୀତ ‘‘ପ୍ରାଚୀନ ଉତ୍କଳ” ଲେଖକ ସ୍ୱର୍ଗତ ଜଗବନ୍ଧୁ ସିଂହ ଯଦୁମଣିଙ୍କର ବ୍ୟଙ୍ଗ ସାହିତ୍ୟର ମଧ୍ୟ ଯଥାର୍ଥ ଆଲୋଚନା କରିଅଛନ୍ତି । ଅଧ୍ୟାପକ ରାଜକିଶୋର ରାୟ ତାଙ୍କ ଲିଖିତ ‘ଓଡ଼ିଆ ସାହିତ୍ୟରେ ରଙ୍ଗରସ’ ଶୀର୍ଷକ ପ୍ରବନ୍ଧରେ ଯଦୁମଣିଙ୍କ ସମ୍ୱନ୍ଧରେ ‘ଯଦୁମଣି ରହସ୍ୟ’ମାନଙ୍କ ମଧ୍ୟରୁ କେତେକ ଗ୍ରହଣ କରି ତାଙ୍କୁ ହାସ୍ୟରସର ଅଦ୍ୱିତୀୟ ଶିଳ୍ପୀ ଭାବରେ ବର୍ଣ୍ଣନା କରିଅଛନ୍ତି । ସେ ଲେଖିଛନ୍ତି - ‘ପ୍ରତ୍ୟୁତ୍ପନ୍ନମତି ଯଦୁମଣିଙ୍କ କବିତାଗୁଚ୍ଛ ଓଡ଼ିଆ ସାହିତ୍ୟର ଶୋଭା ବର୍ଦ୍ଧନକାରୀ ସନ୍ଦେହ ନାହିଁ । କିନ୍ତୁ ସାହିତ୍ୟ ଓ ସାହିତ୍ୟତତ୍ତ୍ୱ ଲେଖିବାକୁ ଯାଇ ଯଦୁମଣିଙ୍କର କବିପ୍ରତିଭା ପ୍ରତି ଦୃଷ୍ଟି ଦେବାର ସୁଯୋଗ ସେ ମଧ୍ୟ ଲାଭ କରିପାରି ନାହାନ୍ତି । ପୃଥିବୀରେ ଗୋଟିଏ ମାତ୍ର କବିତା ଲେଖି କବି ଅମର ହୋଇଥିବାର ଦୃଷ୍ଟାନ୍ତ ବିରଳ ନୁହେ । ଅଥଚ ପ୍ରବନ୍ଧ ପୂର୍ଣ୍ଣଚନ୍ଦ୍ର ପରି ରସପ୍ରଧାନ, ଅଳଙ୍କାର−ପ୍ରଧାନ, ଭାବ ପ୍ରଧାନ କବିତା ଯଦୁମଣି ଲେଖି ମଧ୍ୟ କାବ୍ୟଲେଖକ କବି ବୋଲି ପ୍ରସିଦ୍ଧି ପାଇପାରି ନାହାନ୍ତି, ଏହା ହିଁ ଦୁଖ-।
‘‘କାବ୍ୟଞ୍ଚ ବିଲକ୍ଷଣ ରଚନୋପଲକ୍ଷିତୋ ବିବିଧଗୁଣମ୍ଫିତୋ ନାନାଳଙ୍କାରମଣ୍ଡିତୋ ରସଭାବାଦିପ୍ରଧାନୋ ବାକ୍ୟବିଶେଷଃ” ତାଙ୍କ କାବ୍ୟରେ ଏଥିରୁ କ’ଣ ବା ଊଣା ଅଛି ?
ଯଥା ସ୍ଥାନରେ ତାଙ୍କ କାବ୍ୟର ମହତ୍ତ୍ୱ ପ୍ରତିପାଦିତ ହେବ । ନିଷ୍ଠୁର ସତ୍ୟର ଉପାସକ, ଜାତୀୟତାର ପୂର୍ଣ୍ଣ ବିଗ୍ରହ, ମାନବ ଭାବରେ ନିଜକୁ ନିରନ୍ତର ପରିଚିତ କରିବାର ସୁଦୃଢ଼ ଯୂପସ୍ତମ୍ଭସ୍ୱରୂପୀ ଯେଉଁ ଯଦୁମଣି ଅନ୍ଧକାରାଚ୍ଛନ୍ନ ପୀଡ଼ିତ ମୂର୍ଚ୍ଛିତ ଦେଶରେ ପଞ୍ଚାଅଶୀ ବର୍ଷ କାଳ ଜୀବନରଥର ଜୟ−ଯାତ୍ରାରେ ସମର୍ଥ ହୋଇଥିଲେ, ତାଙ୍କର ସେ ନିର୍ଭୀକ, ରସବନ୍ତ ଜୀବନର ପୂଜା ଆମ୍ଭଙ୍କୁ ଯେ କେବେ କରିବାକୁ ହେବ ତା ଭାବି ହୁଏ ନାହିଁ । ଏହାଠାରୁ ପରିତାପର ବିଷୟ କ’ଣ ହୋଇପାରେ ?
ଯଦୁମଣି ସର୍ବଦା ନ୍ୟାୟ ଓ ନିରାଟ ସତ୍ୟର ଉପାସକ ଥିଲେ । ଶକ୍ତିଶାଳୀ ରାଜାଙ୍କର ପ୍ରିୟପାତ୍ର ହୋଇ ମଧ୍ୟ ତାଙ୍କ ନ୍ୟାୟରେ ପ୍ରତିକାରସୂଚକ ମନ୍ତବ୍ୟ ଦେବାକୁ କେବେହେଲେ ପଶ୍ଚାତ୍ତ୍ପଦ ହେଉ ନ ଥିଲେ । ନୂଆଗଡ଼ର ରାଜା ବିନାୟକ ସିଂହ ମାନଧାତା ତାଙ୍କୁ ଅତି ଆପଣାର କରିଥିଲେ, କିନ୍ତୁ ରାଜାଙ୍କର ଏକ ଅନ୍ୟାୟ ବ୍ୟବହାରରେ ସେ ଡୋଲି ଭିତରେ ରହି ନିଜକୁ ଲୁଚାଇ ରଖି ଯେପରି ଲୀଳା ଦେଖାଇ ରାଜାଙ୍କର ଗର୍ବଗଞ୍ଜନ କରିଥିଲେ, ସେପରି ଅସୀମ ସାହସିକତା ଅଳ୍ପ ଲୋକଙ୍କଠାରେ ଦେଖାଯାଏ । ରଣପୁର ରାଜାଙ୍କୁ କନ୍ଧି, ଅନ୍ଧ କହି ଗାଳିଦେବା, ଦଶପଲା ରାଜାଙ୍କୁ ପୂଜ୍ୟପୂଜାର ଅନୁପଯୁକ୍ତ ବୋଲି ସହସ୍ର ଜନତା ସମ୍ମୁଖରେ, ଏପରି କି ଦେବତା ସମ୍ମୁଖରେ ବ୍ୟକ୍ତ କରିବା, ବୌଦ୍ଧ ରାଜାଙ୍କୁ କୁତା ବୋଲି ନିର୍ଦ୍ଦେଶ କରିବା, ଢେଙ୍କାନାଳ ରାଜାଙ୍କୁ ଚଣ୍ଡାଳ କେତୁ ମୁଖ ବୋଲି ବର୍ଣ୍ଣନା କରିବା ଏମନ୍ତ କି ଦୁର୍ଦ୍ଧର୍ଷ ନୃପତି ଅନୁଗୁଳ ଜଗଦ୍ଦେବଙ୍କୁ ଚିତା କାଟିବା ପ୍ରଭୃତି କାର୍ଯ୍ୟରୁ ତାଙ୍କ ନିର୍ଭୀକତା ଓ ସ୍ପଷ୍ଟବାଦିତାର ବହୁ ନିଦର୍ଶନ ମିଳେ ।
୧୮୧୭ ପାଇକ ବିଦ୍ରୋହକୁ ଯଦୁମଣି ସ୍ୱାଗତ କରିଛନ୍ତି । ଦେଓ୍ୱାନ କୃଷ୍ଣଚନ୍ଦ୍ର ଏବଂ ବକ୍ସି ଜଗବନ୍ଧୁଙ୍କୁ ଅରଣ୍ୟ ପଥରେ ନିରନ୍ତର ଭେଟି ଜୀବନକୁ ଫାଶିଖୁଣ୍ଟରେ ରଖିଦେଇ, ପୁନଶ୍ଚ ନୟାଗଡ଼ ରାଜା ବ୍ରଜବଲ୍ଲଭ ଏବଂ ଲଡ୍ଡୁକେଶଙ୍କ ଅତ୍ୟାଚାରର ପ୍ରତିକାର ପାଇଁ ସେ ମେଳି ସୃଷ୍ଟି କରିଛନ୍ତି । ଜଣେ ବିଧବାର ଜମି କେହି ଧନୀବ୍ୟକ୍ତି ଅନ୍ୟାୟରେ ନେଇଗଲା, ଯଦୁମଣି ସେଥିପାଇଁ ରାଜକର୍ମ୍ମଚାରୀ ସହିତ ଲଢ଼ିଅଛନ୍ତି; ଅନାଥ ଶିଶୁ ତାର ସେବାପୂଜାରୁ ବଞ୍ଚିତ ହେବାରୁ ଯଦୁମଣି ତାର ସେବାପୂଜା ଫେରାଇ ଆଣିବାକୁ ନିଜ ସ୍ୱାର୍ଥ ଛାଡ଼ି ଅତ୍ୟାଚାର ମଧ୍ୟ ଭୋଗିଛନ୍ତି । ଏପରି କି ଯାହା ରୋଜଗାର କରିଛନ୍ତି ତାହା ଦୀନ ଦରିଦ୍ର, ବ୍ରାହ୍ମଣ, ବିଧବା, ଅନାଥ ଏବଂ ନିରକ୍ଷରମାନଙ୍କୁ ଦେବାରେ ସର୍ବସ୍ୱ ସାରିଦେଇ ଚିର ଦାରିଦ୍ର୍ୟ ବରଣ କରିବାକୁ ପଛଘୁଞ୍ଚା ଦେଇ ନାହାନ୍ତି । ତେଣୁ ସେ ମୃତ୍ୟୁପୁରକୁ ଯାତ୍ରା କଲାବେଳେ ନୂଆଗଡ଼ର ଗ୍ରାମେ ଗ୍ରାମେ ଘରେ ଘରେ ଆର୍ତ୍ତ କୋଳାହଳ ଧ୍ୱନି ଉଠିଛି । ନିରାଶ୍ରୟ ଲୋକ ମାତ୍ରେ ଭାବୁଥିଲା ଯେ ଯଦୁମଣି ମହାପାତ୍ର ବସିଛି, କିଏ ମୋର କ’ଣ କରିବ ? ଏକଥା ଏକାନ୍ତ ନିଶ୍ଚିତ ସତ୍ୟ ଯେ ମାନବିକତାର ଜ୍ୱଳନ୍ତ ନିଷ୍ଠା ତାଙ୍କ ପରି କେହି ସେକାଳରେ ଦେଖାଇ ନ ଥିଲେ ।
ଜୀବନର ଅର୍ଦ୍ଧାଂଶ ପର୍ଯ୍ୟନ୍ତ ସେ ଈଶ୍ୱରବିଶ୍ୱାସୀ ନ ଥିଲେ । ତେଣୁ ମୁର୍ତ୍ତିପୂଜା ବିରୁଦ୍ଧରେ ତାଙ୍କର ଉକ୍ତି ଥିଲା -
କେଉଁଠାରେ ଖଡ଼ୁ ଗଡ଼ୁ କେଉଁଠାରେ ମୁଦି
କେଉଁଠାରେ ବୋଲାଉଛ କରୁଣାବାରିଧି ।
ଏହା ବୋଲି ସେ ପୂର୍ଣ୍ଣ ନାସ୍ତିକ ଥିଲେ ତାହା କହିହେବ ନାହିଁ । ସେ ପଶୁଘାତର ଏକାନ୍ତ ବିରୋଧି ଥିଲେ । ତେଣୁ ସେ କହିଥିଲେ -
ଜନ୍ମ ଜନ୍ମକେ ହଣା ହୋଇବୁ ତୁହି ।
ପରମାର୍ଥ ଧର୍ମ୍ମ ପ୍ରତି ସ୍ୱତଃ ଆକୃଷ୍ଟ ହୋଇ ସେ ରାମ ଓ କୃଷ୍ଣ ଉଭୟଙ୍କ ବିଷୟରେ ଦୁଇଟି ସରସ କାବ୍ୟ ଲେଖିଅଛନ୍ତି । ଅବଶ୍ୟ ସେ ଉକ୍ତ ଗ୍ରନ୍ଥ ବର୍ଣ୍ଣନାରେ ଧର୍ମ୍ମର କୌଣସି ବିଶେଷତ୍ୱ ବର୍ଣ୍ଣନା କରି ନାହାନ୍ତି । କବିତ୍ୱ ଓ ବର୍ଣ୍ଣନାସୌଷ୍ଠବ ହିଁ ତାଙ୍କର ଅଭିପ୍ରେତ ଥିଲା । ତାଙ୍କର ପ୍ରବନ୍ଧ ପୂର୍ଣ୍ଣଚନ୍ଦ୍ର ଗ୍ରନ୍ଥ ବର୍ଣ୍ଣନାରେ ସେ କୃଷ୍ଣଙ୍କୁ ଜଗନ୍ନାଥ ବୋଲି ସଂପୂର୍ଣ୍ଣ ବିଶ୍ୱାସ କରିଥିବାର ଦେଖାଯାଏ । ସେ ପ୍ରତି କଳା ବା ଛାନ୍ଦର ଶେଷରେ ଜଗନ୍ନାଥଙ୍କ ସମ୍ବନ୍ଧରେ ଏହିପରି ବର୍ଣ୍ଣନା କରିଥିବାର ଦେଖାଯାଏ । ଯଥା: -
ପ୍ରଥମ କଳା: - ଘୋଷ ଯାତ୍ରାରେ ତିନି ରଥର ଯେଉଁ ୪୨ ଚକ ତାହା ଗୁଣ୍ଡିଚା ବାହୁଡ଼ାରେ ମିଶି ୮୪ ଚକ ହେଉଥିବାରୁ ତାର ଧ୍ୱନିକୁ ତତ୍ତ୍ୱଜ୍ଞାନରେ ଚଉରାଶି ଚକ୍ରର ଉତ୍ସବ ବୋଲି ବର୍ଣ୍ଣନା କରିଛନ୍ତି ।
ଦ୍ୱିତୀୟ କଳା: - ସ୍ୱୟଂ ଜଗନ୍ନାଥ ରତ୍ନସିଂହାସନ ତ୍ୟାଗ କରି ନନ୍ଦିଘୋଷ ରଥରେ ଚଢ଼ି ରଥଚକ୍ର ଧ୍ୱନିରେ ଆର୍ତ୍ତୀର ପାପ ନିବାରଣ କରିଥାନ୍ତି ।
ତୃତୀୟ କଳା: - ପୁଣି ସେହି ରଥଯାତ୍ରାର ବର୍ଣ୍ଣନା କରି ସେ ମହାପ୍ରଭୁଙ୍କୁ ଦୟାର ଶଗଡ଼ ଅଟନ୍ତି ଏବଂ ତାଙ୍କ ଆଖି ଦୁଇଟି ଚକପ୍ରାୟ ଅଟେ ବୋଲି ଲେଖିଛନ୍ତି ।
ଚତୁର୍ଥ କଳା: - ମିଥୁନ ମାସରେ ଯେ ରଥରେ ଭ୍ରମଣ କରନ୍ତି, ଉକ୍ତ ଜଗନ୍ନାଥ ସମସ୍ତଙ୍କ ମୋକ୍ଷଦାତା ଅଟନ୍ତି ବୋଲି ଲେଖିଛନ୍ତି ।
ପଞ୍ଚମ କଳା: - ଯେ ଦେବତା ସ୍ନାନ ବେଦୀ, ଯଜ୍ଞ ବେଦୀ ଏବଂ ରତ୍ନସିଂହାସନରେ ବସି ଭୋଜନ କରୁଥିବାରୁ ସୁଦର୍ଶନ ଚକ୍ର ବାମହସ୍ତରେ ଥାଏ କିନ୍ତୁ ରଥଯାତ୍ରାରେ ସେ ପ୍ରଭୁ ପତିତମାନଙ୍କୁ ଉଦ୍ଧାର କରିବାକୁ ଯାଉଥିବାରୁ ଚକ୍ର ତାଙ୍କର ଦକ୍ଷିଣ ହସ୍ତରେ ଶୋଭାପାଏ ବୋଲି ବର୍ଣ୍ଣନା କରିଛନ୍ତି ।
ଷଷ୍ଠ କଳା: - ସ୍ନାନ ବେଦୀରେ ବିଜେ ହେବା ବିଷୟ ବର୍ଣ୍ଣନା ଦେଇଛନ୍ତି ।
ସପ୍ତମ କଳା: - ରଥଯାତ୍ରାର ଚତୁର୍ଦ୍ଧାମୂର୍ତ୍ତି ବର୍ଣ୍ଣନା ଦେଇଛନ୍ତି ।
ଅଷ୍ଟମ କଳା: - ଲକ୍ଷ୍ମୀ−ନାରାୟଣ ଭେଟର ବର୍ଣ୍ଣନା କରିଛନ୍ତି ।
ଯଦୁମଣି ରଥଯାତ୍ରାରେ ଠାକୁରଙ୍କର ଅଣସର କାର୍ଯ୍ୟ ସ୍ୱହସ୍ତରେ କରୁଥିଲେ, ବିଶେଷରେ ସେ ବଢ଼େଇ ଥିବାରୁ ରଥଯାତ୍ରା−ବର୍ଣ୍ଣନାର ମହାନୀୟତା ପ୍ରତି କଳାରେ ଦେଖାଇଅଛନ୍ତି ।
ଜଗନ୍ନାଥଙ୍କ ସଂପର୍କରେ ସେ ନାରଦଙ୍କ ଉକ୍ତିରେ କୃଷ୍ଣଙ୍କୁ ପ୍ରତ୍ୟକ୍ଷ ଜଗନ୍ନାଥ ବୋଲି ସ୍ୱୀକାର କରି ଲେଖିଅଛନ୍ତି -
ମଞ୍ଜୁଳ ନୀଳ ନିଚୋଳ ଚୋଳ ମେଳ କୁଚ ନୀଳାଦ୍ରି ଶଙ୍ଖ ଗୋଳ
ରତ୍ନ ସିଂହାସନ ଯତନ ଅଧର ମଧୁର ବିଶ୍ରାମସ୍ଥଳ, ହେ ମାଧବ
ଆଣିବ ତ ତାଙ୍କୁ ହୃଦୟ ବାହୁକୁ ମାନିବାକୁ ଆଶ୍ଳେଷରେ,
ହେ ମାଧବ । ୨୦ । (୪ର୍ଥ କଳା)
ହେ ମାଧବ ! (ସେହି ରୁକ୍ମିଣୀର) ମଞ୍ଜୁଳ ନୀଳ ନିଚୋଳ ଚୋଳ ମେଳ କୁଚ ନୀଳାଦ୍ରୀ (ପ୍ରାୟ ଅଟେ) । (ତାର କଣ୍ଠ) ଗୋଳ ଶଙ୍ଖ (ପ୍ରାୟ ଅଟେ) । (ତା) ଲପନ ତ ଶତଦଳ କମଳ (ପ୍ରାୟ ଅଟେ) । (ତାର) ଯତନ ଅଧର ମଧୁର ବିଶ୍ରାମସ୍ଥଳ (ହେତୁ) ରତ୍ନସିଂହାସନ (ସଦୃଶ ଅଟେ) । ହେ ମାଧବ ! ବିକ୍ରମରେ ନଗଦରେ ରାଜିଲେ (ତାଙ୍କ) ରାଜିଲେ ନଗଦରେ ବିକ୍ରମରେ (ତାଙ୍କ) ହୃଦୟ (ତୁମ୍ଭ) ଅର୍ଥ ହେଲା -
ହେ ମାଧବ ! ସେହି ରୂପସୀ ରୁକ୍ମିଣୀଙ୍କର ସୁନ୍ଦର ନୀଳ−ଶାଢ଼ୀ ସାଥିକୁ କାଞ୍ଚୁଲା ଯେଉଁଠି ଏକତ୍ର ହୋଇଛି ସେହି କୁଚଯୁଗ ତୁମ୍ଭର ଶୈଳ ପ୍ରାୟ ଅଟେ । ତାଙ୍କର ମୁଖ ତୁମ୍ଭର ଶତଦଳ କମଳାସନ ପରି ଅଟେ । ତାଙ୍କର ସୁନ୍ଦର ଅଧର ମିଷ୍ଟତାର ବିଶ୍ରାମସ୍ଥଳ ହେତୁ ତୁମ୍ଭର ରତ୍ନ ସିଂହାସନ ସଦୃଶ ଅଟେ ।
ହେ ମାଧବ ! ଜାଣିବ ଯେ ତୁମ୍ଭର ପ୍ରିୟ ବୈକୁଣ୍ଠ ଧାମ, ବିପରୀତ ଭାବରେ ତାଙ୍କଠାରେ ରହିଅଛି । କାରଣ ତୁମ୍ଭର ପ୍ରିୟପୁରୀ ଶଙ୍ଖ ଉପରେ ପର୍ବତ ରହି ବିରାଜିତ, କିନ୍ତୁ ସେହି ଶୋଭାବତୀ କଣ୍ଠରୂପକ ଶଙ୍ଖ କୁଚରୂପୀ ପର୍ବତ ଉପରେ ସ୍ଥାପିତ । ଏତିକି ମାତ୍ର ପ୍ରଭେଦ । ତୁମ୍ଭେ ତାଙ୍କର ସ୍ୱୀକୃତି ଲାଭକରି, ସାହାସର ସହିତ ନିକଟରେ ତାଙ୍କ ହୃଦୟକୁ ତୁମ୍ଭ ବାହୁଦ୍ୱୟର ଆଲିଙ୍ଗନରେ ଶୋଭିତ କରିବ ତ ?
* ଶବ୍ଦାର୍ଥ । ନିଚୋଳ - ଶାଢ଼ୀ । ଚୋଳ - କାଞ୍ଚୁଲା । ଲପନ - ମୁଖ । ଗୋଳ - ମଣ୍ଡଳାକାର କ୍ଷେତ୍ର, ବର୍ତ୍ତୁଳାକାର ପିଣ୍ଡ । ଯତନ - ସୁନ୍ଦର । ମଧୁ - ଅମୃତ, ମିଷ୍ଟ । ବି - ବିରୁଦ୍ଧ । ନଗ - ପର୍ବତ । ଦରେ - ଶଙ୍ଖରେ । ନଗଦରେ - ନିକଟରେ । ରାଜିଲେ - ରାଜିରେ, ସମ୍ମତିରେ । ମାନିବା - ଶୋଭନୀୟ ହେବା ।
ଏ ପଦକ ପାଠ କରିବା ପରେ ପାଠକମାନେ ଜାଣିପାରିବେ ଯେ କବି ଯଦୁମଣି, କୃଷ୍ଣଙ୍କୁ ଜଗନ୍ନାଥ ବୋଲି କିପରି ସଂପୂର୍ଣ୍ଣ ଧାରଣା କରିଅଛନ୍ତି ।
କେହି କେହି କହିଥାନ୍ତି ଯେ ଜଗନ୍ନାଥ ଅତି ଆଦିମ ମୂର୍ତ୍ତି । ଦୀର୍ଘ ଅତୀତରେ କେଉଁ ଆଦିମ ଯୁଗରେ ଆର୍ଯ୍ୟଜନଙ୍କର ବ୍ରହ୍ମ ଧାରଣା ଆସିବା ବେଳେ ସେ ନିର୍ମିତ ହୋଇଥିଲା ।
ପଶ୍ୟତ୍ୟଚକ୍ଷୁଃ ସଶୃଶୋତ୍ୟ କର୍ଣ୍ଣଃ
ସ ବେତ୍ତି ବେଦ୍ୟଂ ନ ଚ ତସ୍ୟାସ୍ତି ବେତ୍ତା
ତମା ହୁରଗ୍ର୍ୟଂ ପୁରୁଷଂ ମହାନ୍ତଂ ।
‘ସେହି ପରମାତ୍ମା ହସ୍ତପଦଶୂନ୍ୟ ହୋଇ ମଧ୍ୟ ବେଦବାନ ଓ ଗ୍ରହୀତା ଅଟନ୍ତି । ସେ ଅଚକ୍ଷୁ ହୋଇ ମଧ୍ୟ ଦର୍ଶନ କରନ୍ତି । ଅକର୍ଣ୍ଣ ହୋଇ ମଧ୍ୟ ଶ୍ରବଣ କରନ୍ତି । ସେ ଜ୍ଞେୟ ବିଷୟ ଜାଣନ୍ତି, କିନ୍ତୁ ତାଙ୍କର ଜ୍ଞାତା କେହି ନାହିଁ । ବ୍ରହ୍ମବାଦିଗଣ ତାହାଙ୍କୁ ଆଦି ଓ ମହାନ ପୁରୁଷ ବୋଲି କୀର୍ତ୍ତନ କରିଥାନ୍ତି ।’ ଉପନିଷଦର ଏହି ଆଦି ପୁରୁଷଙ୍କ ବର୍ଣ୍ଣନା ଜଗନ୍ନାଥ ମୂର୍ତ୍ତିରେ ହିଁ ପ୍ରାୟ ପ୍ରକଟିତ ହୁଏ ।
ବାଲ୍ମୀକି ରାମାୟଣ ଉତ୍ତରାକାଣ୍ଡ ସ୍ୱର୍ଗାରୋହଣ ଅଧ୍ୟାୟରେ ଲିଖିତ ଅଛି, ରାମଚନ୍ଦ୍ର ବିଭୀଷଣଙ୍କୁ କହିଛନ୍ତି -
‘‘ଆରାଧୟ ଜଗନ୍ନାଥମିକ୍ଷାକୁ କୁଳଦୈବତଂ
ଆରାଧନୀୟ ମନିଶଂ ଦେବୈରପି ସବା ସବୈଃ ।”
ଜଗନ୍ନାଥଙ୍କୁ ଚିରନ୍ତନ ପରଂବ୍ରହ୍ମ ରୂପେ ଯଦୁମଣି ଆରାଧନା କରିଥିବା ତାଙ୍କ ଗ୍ରନ୍ଥମାନଙ୍କରେ ସୁସ୍ପଷ୍ଟ ହୋଇଛି । ତାଙ୍କ ସମ୍ବନ୍ଧରେ ଏପରି କେତେକ ଧାରଣା ଅଣାଯାଇପାରେ । କାଳକ୍ରମେ ତାଙ୍କ ସମ୍ବନ୍ଧରେ ଆଲୋଚନା ବିସ୍ତୃତରୁ ବିସ୍ତୃତ ନିଶ୍ଚିୟ ହେବ ।
ଯଦୁମଣିଙ୍କର କାବ୍ୟ କବିତାଗୁଡ଼ିକକୁ ମୁଖ୍ୟତଃ ଚାରି ଭାଗରେ ବିଭାଗ କରାଯାଇପାରେ-। ଯଥା -
ଆମଘରର ହାଲ୍ଚାଲ୍ଗୋପାଳ ଚନ୍ଦ୍ର ପ୍ରହରାଜ