ଚତୁର୍ଦ୍ଦଶ ପରିଚ୍ଛେଦ — ଟଙ୍କାଗଛ — ଚିନ୍ତାମଣି ମହାନ୍ତି · ସ୍ୱର୍ଣ୍ଣଲିପିସମ୍ପୂର୍ଣ୍ଣ ସୂଚୀପତ୍ର
ଚତୁର୍ଦ୍ଦଶ ପରିଚ୍ଛେଦ
ପତ୍ର ପାଠ ଶେଷରେ ସାମନ୍ତଙ୍କ ମୁଖ ଶ୍ରାବଣର କାଉଁଳିଆ ମେଘପରି ବିଷଣ୍ଣ ହୋଇଗଲା । ‘‘ତେବେ କୁଆଡ଼େ ଗଲା ?’’ ଏତିକି ମାତ୍ର ତାଙ୍କ ଶୋକାର୍ଦ କଣ୍ଠରୁ ବାହାରି ବାକ୍ୟରୋଧ ହୋଇଗଲା । ମନ ଏବଂ ଇନ୍ଦ୍ରୟାଦି ତାଙ୍କୁ ଛାଡ଼ି ପଳାଇଗଲେ, କି ପୃଥିବୀ ତାଙ୍କ ପାଦତଳୁ ଧସିଗଲା, ସେ କିଛି ସ୍ଥିର କରି ପାରିଲେ ନାହିଁ । କିନ୍ତୁ ଚାରିଆଡ଼େ ପ୍ରତିଧ୍ୱନି କହିବୁଲିଲା–ତେବେ କୁଆଡ଼େ ଗଲା ? ଆକାଶରେ, ପବନରେ ଧ୍ୱନିତ ହେଲା–ତେବେ କୁଆଡ଼େ ଗଲା ? ବୃକ୍ଷମାନେ ପତ୍ରର ମର୍ମରଛଳରେ କହିଲେ–ତେବେ କୁଆଡ଼େ ଗଲା ? ଏହିପରି ଭାବରେ କେତେକ୍ଷଣ କଟିଗଲା ପରେ ଗୋଟିଏ ଦୀର୍ଘ ନିଶ୍ୱାସ ଛାଡ଼ି ସେ ପ୍ରକୃତିସ୍ଥ ହେଲେ । ବିକଳାଠାରୁ ଅନ୍ୟାନ୍ୟ ସ୍ଥାନର ସମ୍ବାଦ ଶୁଣିବାର ଆବଶ୍ୟକ ହେଲା ନାହିଁ । ସେ ହାତ ଇସିରାରେ ତାକୁ ବିଦାୟ କରିଦେଲେ । ବିଧାତା ମାନବକୁ ଶୋକ ଦିଏ, ଆଉ ଶୋକ ସହିବାର ଶକ୍ତି ମଧ୍ୟ ଦିଏ । ତାହା ନକରି ଶୋକ ଅବିଚ୍ଛିନ୍ନ ରଖିଥିଲେ ମାନବସୃଷ୍ଟି ଆଉ ଜଗତରେ ନ ଥାନ୍ତା । ଶୋକର ସ୍ୱଭାବ, ସେ ନଦୀବନ୍ୟା ପରି ଯେରୂପ କ୍ରମେ କ୍ରମେ ମାଡ଼ିଆସେ, ସେହିରୂପେ କ୍ରମେ କ୍ରମେ ଛାଡ଼ିଯାଏ । ଶ୍ମଶାନର ଅଗ୍ନି ପରି ସେ କେତେବେଳେ ଦପକରି ଜଳିଉଠେ–କେତେବେଳେ ବା ଭସ୍ମାନ୍ତରାଳରେ ଆତ୍ମଗୋପନ କରେ । ଶୋକ କ୍ରମେ କ୍ରମେ ମିଳେଇଯାଏ, ମାତ୍ର ସ୍ମୃତି ଯାଏ ନାହିଁ । ମାନବ କାଳକ୍ରମେ ଆତ୍ମୀୟ ସ୍ୱଜନର ଶୋକ ଭୁଲି ଯାଏ । ଯେଉଁ କାଳ ଶୋକ ଆଣିଦିଏ, ସେହିକାଳ ପୁଣି ଶୋକ ହରିନିଏ । ଶୀତକାଳର ଦିବସ ପ୍ରାୟ ଶୋକ ସ୍ୱଳ୍ପାୟୁ । ସମୟ ଅତିକ୍ରମ ସଙ୍ଗେ ସଙ୍ଗେ ସାମନ୍ତ ପରିବାର ଶୋକ କ୍ରମେ କ୍ରମେ ଊଣା ହୋଇ ଆସିଲା । ଦିନେ ନିଶୀଥ ସମୟରେ ସାମନ୍ତ ଏକ ଅଦ୍ଭୁତ ସ୍ୱପ୍ନ ଦେଖିଲେ । ଗୋଟିଏ ଅପୂର୍ବ ସ୍ତ୍ରୀମୂର୍ତ୍ତି ତାଙ୍କ ଶର୍ଯ୍ୟାପାର୍ଶ୍ୱରେ ଦଣ୍ଡାୟମାନ । ଶରୀର-ଜ୍ୟୋତିରେ ଗୃହ ଆଲୋକିତ ହୋଇଗଲା । ମୂର୍ତ୍ତିର ବର୍ଣ୍ଣ ଶ୍ୱେତ ଶତଦଳ ପରି ସ୍ନିଗ୍ଧୋଜ୍ଜ୍ୱଳ । ତାଙ୍କ ଶ୍ରୀଅଙ୍ଗରୁ ଦେବପ୍ରଭା, ମୃଦୁହାସରୁ ମାତୃତ୍ୱର ଅଗାଧ ମହିମା ଏବଂ ସୌମ୍ୟ ଶୀତଳ ଦୃଷ୍ଟିରୁ ସ୍ନେହ ଏବଂ କରୁଣା ଝଡ଼ି ପଡ଼ୁଅଛି । ସୁନ୍ଦରପଣର ପଟାନ୍ତର ନାହିଁ–ସେ ମୂର୍ତ୍ତିକୁ ସୁନ୍ଦର ନକହି ସୁନ୍ଦରର ଚାରୁ ଅଙ୍କାର କହିଲେ ବରଂ ସୁସଙ୍ଗତ ହେବ । ସେ ବୀଣାଜିଣା ଧୀର ମଧୁର ସ୍ୱରରେ କହିଲେ–‘‘ବତ୍ସ, ମୋତେ ଚିହ୍ନିପାରିଲୁଟି ? ମୁ ତୋର ଭାଗ୍ୟଦେବୀ । ତୋ ପ୍ରତି ପ୍ରସନ୍ନ ହୋଇ ତୋତେ ସାନ୍ତ୍ୱନା ଦେବାକୁ ଆସିଅଛି । ତୁ ଆଉ ଦୁଃଖରେ କାତର ନହୋଇ ଧୈର୍ଯ୍ୟଧାରଣ କର ତୋର ଏ ଅଶ୍ରୁ ପଛରେ ହାସ୍ୟ ଲୁଚି ରହିଅଛି ! ଦୁଃଖକୁ ଭୟ କରିବାର କୌଣସି କାରଣ ନାହିଁ । ଦୁଃଖବୃକ୍ଷର ସୁପକ୍ୱ ମଧୁର ଫଳ ସୁଖ । ମୋ ହସ୍ତରେ ଏହି ଯେ ସ୍ୱର୍ଣ୍ଣପେଣ୍ଡୁ ଏବଂ ଲୌହପେଣ୍ଡୁ ଦେଖୁଅଛୁ, ଏହାର ନାମ ସୁଖ ଏବଂ ଦୁଃଖ । ଏ ଦୁଇଟି ମୋର ପ୍ରିୟ କ୍ରୀଡ଼ା ସାମଗ୍ରୀ । ଯେତେବେଳେ ସ୍ୱର୍ଣ୍ଣ ପେଣ୍ଡୁରେ ଖେଳେଁ, ତେତେବେଳେ ତୋର ସୁଖ ହୁଏ, ଆଉ ଯେତେବେଳେ ଲୌହପେଣ୍ଡୁରେ ଖେଳେଁ, ତେତେବେଳେ ତୋର ଦୁଃଖ ହୁଏ । ଦୁଃଖ ପରେ ସୁଖ ଏବଂ ସୁଖପରେ ଦୁଃଖ ଏହା ପ୍ରକୃତିର ନିୟମ । ମାତ୍ର ଅଖଣ୍ଡ ସୁଖ ବା ଅଖଣ୍ଡ ଦୁଃଖ କାହାରି ଭାଗ୍ୟରେ ଘଟେନାହିଁ । ତୋର ପୁତ୍ର ନିଶ୍ଚୟ ମିଳିବ; ମାତ୍ର ଅତିଶୀଘ୍ର ନୁହେଁ, ଆଜିଠାରୁ ଦଶବର୍ଷ ପରେ । ମୋର ଏ କଥାରେ ତୁ ବିଶ୍ୱାସ ଅଟଳ ରଖିବୁ–ସ୍ୱପ୍ନ ଅଳୀକ କଳ୍ପନା ବୋଲି ହେୟଜ୍ଞାନ କରିବୁ ନାହିଁ । ଏ ତୋର ବିପଦ ନୁହେଁ–ଏଥିରେ ଶେଷ ଫଳ ଶ୍ରେୟସ୍ୱର, ଏହା ମନେ ରଖିଥିବୁ ।’’ ଏହା କହି ଦେବୀ ଅନ୍ତର୍ହିତ ହେଲେ । ମୁହୂର୍ତ୍ତକ ମଧ୍ୟରେ ସାମନ୍ତ ଭଗ୍ନନିଦ୍ରା ହୋଇ ଶଯ୍ୟାରେ ଉଠି ବସିଲେ । ତାହାଙ୍କ ପ୍ରାଣର ଛିନ୍ନ ତାର ସଂଯୋଜିତ ହୋଇଗଲା । ଯେମନ୍ତ କି ଆନନ୍ଦ ରାଜ୍ୟରୁ ଗୋଟାଏ ବାଞ୍ଛିତ ସଙ୍କେତ ଜୟ ଘଣ୍ଟା କଜାଇ ଓହ୍ଲାଇ ଆସିଲା । ଭାବ୍ୟ ସାଫଲ୍ୟରେ ତାଙ୍କର ମ୍ଳାନ ମୁଖ ଦୀପ୍ତ ହୋଇ ଉଠିଲା । ଜ୍ଞାନ, ଭକ୍ତି ହାତ ଧରାଧରି ହେଲା ପ୍ରାୟ ସ୍ୱପ୍ନବୃତ୍ତାନ୍ତ ଏବଂ ଆଶା ହାତ ଧରାଧରି ହୋଇ ତାହାଙ୍କ ଆଖି ଆଗରେ ନାଚି ବୁଲିଲେ । ତହୁଁ ସେ ହର୍ଷ ଗଦ୍ଗଦ ଚିତ୍ତରେ ସ୍ୱପ୍ନଦୃଷ୍ଟ ଭାଗ୍ୟଦେବୀଙ୍କୁ ଦଣ୍ଡବତ କରି କହିଲେ, ‘‘ମା, ତୁମ୍ଭର ଏ ପରିହାସ ନା ଆଶୀର୍ବାଦ ?’’ ପୁଣି ପରମୁହୁର୍ତ୍ତରେ ଭାବିଲେ–ନାଁ, ନା, ବିପନ୍ନ ପୁତ୍ର ପ୍ରତି ମାତାର ପରିହାସ ନିତାନ୍ତ ଅସଙ୍ଗତ । ଏହା ନିଶ୍ଚିତ ସତ୍ୟ-ଜୀବନ୍ତ ସତ୍ୟ-ବିଶୁଦ୍ଧ ସତ୍ୟ । ଛି, ସନ୍ଦେହ, ତୁ ବଡ଼ ନିର୍ଲଜ୍ଜ ! ପ୍ରତ୍ୟକ କାର୍ଯ୍ୟରେ ତୁ ବେଳେ ବେଳେ ଆସି କଥା କହୁ କାହିଁକି ? କିଏ ତୋତେ ହାତ ଗୋଡ଼ ଧରି ନିମନ୍ତ୍ରଣ କରେ ? ବିପନ୍ନକୁ ସାହସ ଦେବା ସିନା ଧର୍ମ, ମାତ୍ର ବିପନ୍ନର ତଣ୍ଟି ଚିପି ମାରିବା କେଉଁ ନ୍ୟାୟ ? ତୁ ଦେବତା ନୋହୁ–ପିଶାଚ । ଯା, ଯା ଦୂର୍ହ–ତୋର ଅମଙ୍ଗଳ ଦଗ୍ଧ ମୁଖ ଆଉ ଦେଖାନା । ଜଗତରେ ସମସ୍ତଙ୍କର ମୃତ୍ୟୁ ଅଛି, ତୋର କି ମୃତ୍ୟୁ ନାହିଁ ? ତୁ ‘‘ମିଛ ମିଛ’ କହି ତାଳି ମାରୁଛୁ, ହେଉ ପଛେ ମିଛ, ମାତ୍ର ସେହି ମିଛ ମୋର ପ୍ରାଣ ଶୀତଳକାରୀ । ଦେବତାଙ୍କ କଥା ମିଛ - ପିଶାଚର କଥା ସତ୍ୟ, ଏହା କେଉଁ ପାମର ବିଶ୍ୱାସ କରିବ ? ତୋର ସତ୍ୟ ଘେନି ତୁ ଚତୁର୍ଭୁଜ ହୋଇଥା, ମାତ୍ର ମୋ ସଙ୍ଗରେ ଆଉ ବୃଥା ହଟ ଲଗାନା । ତୋର ଚତୁଷ୍ପଦରେ ନମସ୍କାର କରି ବିନୟରେ ପ୍ରାର୍ଥନା କରୁଛି ରେ ରନ୍ଧ୍ରସ୍ଥ ଶନି, ତୁ ବିଦାୟ ହ, ବିଦାୟ ହ । ଭାଗ୍ୟଦେବୀଙ୍କର ଆଦେଶ ମୋ ପକ୍ଷରେ କୋଟିନିଧି–କୋଟି ଶୁଭ ବର ।’’
ଯେତେବେଳେ ମଧୁ ମନେ ପଡ଼େ, ସେତେବେଳେ ସାମନ୍ତେ ସ୍ୱପ୍ନ କଥା ହେଜି ଆଶ୍ୱସ୍ତ ହୁଅନ୍ତି । ସ୍ୱପ୍ନଟି ତାଙ୍କ ପକ୍ଷରେ ସଞ୍ଜୀବନୀ ମନ୍ତ୍ର ତୁଲ୍ୟ ହେଲା । ଏହିପରି ଦିନପରେ ଦିନ-ପକ୍ଷପରେ ପକ୍ଷ-ମାସପରେ ମାସ ଜପାମାଳ ପରି ଗଡ଼ିଗଡ଼ି ଚାଲିବାକୁ ଲାଗିଲା । ଦେଖୁଁ ଦେଖୁଁ ବର୍ଷେକାଳ ଗତ ହୋଇଗଲା; ମାତ୍ର ମଧୁର ସ୍ମୃତି ଗ୍ରାମରୁ ଗୋଡ଼ କାଢ଼ି ଗଲା ନାହିଁ । ସମୟ ସମୟରେ ଗ୍ରାମବାସିମାନେ ସେହି କଥାର ଆଲୋଚନା କରନ୍ତି । କେହି କହେ, ମଧୁକୁ ବାଘନେବା କଥା ସତ, ନ ହେଲେ ବର୍ଷେଯାଏ କି ଆସନ୍ତା ନାହିଁ । କେହି କହେ, ବର୍ଷେକାଳ ଆସି ଗଡ଼ିଗଲା, ତେବେ ବି ସାଆନ୍ତ ଘରଶୌଚ ହେଲେ ନାହିଁ । କେହି କହେ, ବଡ଼ ଲୋକଙ୍କୁ ସବୁ ଶୋଭାପାଏ, ତମ ଆମ କଥା ସିନା ନିଆରା । ଏହିପରି ପ୍ରଥମରେ ଫୁସ୍ଫାସ୍, ଦ୍ୱିତୀୟରେ ଭୁଟ୍ଭାଟ୍, ଶେଷରେ ଦାଣ୍ଡଘାଟରେ ରାଷ୍ଟ୍ର ହେଲା; ମାତ୍ର ସାମନ୍ତଙ୍କୁ କେହି କହିବାକୁ ସାହସୀ ହେଲେ ନାହିଁ । ଖଳ ଲୋକଙ୍କର ସ୍ୱଭାବ, ସେମାନେ ନିଜର ଚିନ୍ତା ଛାଡ଼ି ପରଚିନ୍ତାରେ କାଳ କଟାନ୍ତି–ପରର ରେଣୁ–ପରିମିତ ଦୋଷ ଦେଖିଲେ ତାହାକୁ ବିଦାରି ବସନ୍ତି । ସେମାନେ ପର-ଚିନ୍ତାରେ ଯେଉଁ ସମୟ ଅତିବାହିତ କରନ୍ତି, ସେହି ସମୟକୁ ନିଜର ଆଧ୍ୟାତ୍ମିକ ଚିନ୍ତାରେ ଲଗାଉଥିଲେ ତଦ୍ଦ୍ୱାରା ପରକାଳର ପାଥେୟ ସଞ୍ଚୟ କରି ପାରୁଥାଆନ୍ତେ । ନିଜର ପରମାୟୁ ଏବଂ ପରର ଦୋଷକୁ ବଡ଼ ଦେଖିବା ସେମାନଙ୍କର ସ୍ୱାଭାବିକ ଧାରା । ଉପନେତ୍ରଦ୍ୱାରା ସାନ ଅକ୍ଷର ବଡ଼ ଦିଶେ, ସେହିପରି ପରର ରେଣୁ–ପରିମିତ ଦୋଷ ସେମାନଙ୍କ ଚକ୍ଷୁରେ ହିମାଳୟ ପର୍ବତଠାରୁ ବଡ଼ ଦେଖାଯାଏ; କିନ୍ତୁ ନିଜ ବେଳକୁ ଠିକ୍ ତାହାର ବିପରୀତ, ଅର୍ଥାତ୍ ଦର୍ପଣରେ ବଡ଼ ପଦାର୍ଥମାନ ଦିଶିଲା ପରି ସେମାନଙ୍କର ହିମାଳୟ ପରିମିତ ଦୋଷ ଧୂଳିକଣାଠାରୁ ସୁଦ୍ଧା ସାନ ଦିଶେ । ପରର ଦୋଷ ଛେନାଗୁଡ଼ ପରି ରୁଚିକର, ମାତ୍ର ଗୁଣରାଶି ନିମ୍ବଠାରୁ ତିକ୍ତ । ଏ ରୋଗ ଏହା ଅଶିକ୍ଷିତ ସମାଜରେ ନୁହେଁ–ଶିକ୍ଷିତ ସଭ୍ୟ ସମାଜରେ ସୁଦ୍ଧା ସଂକ୍ରମିତ । ସେଦିନ ଦୁଇ ଜଣ ବୃଦ୍ଧ କଥାବାର୍ତ୍ତା ହେଉଥିଲେ । ଜଣେ କହିଲା - ଆଜିକାଲିର ଟୋକାଗୁଡ଼ାକ କାହିଁକି ଆଖିରେ ଚଷମା ଲଗାନ୍ତି, ଅଧିକ ପାଠ ପଢ଼ିଲେ ବୋଧହୁଏ ପକ୍ଷିବିଶେଷ ପରି ଦିନକଣା ରୋଗ ଧରେ । ଦ୍ୱିତୀୟ ବୃଦ୍ଧ କହିଲା–ନା, ତାହା ନୁହେଁ–ପରଛିଦ୍ରର ଅଣୁ ପରମାଣୁ ପର୍ଯ୍ୟନ୍ତ ଦେଖିବାର ସୁବିଧା ହେବ ବୋଲି ସେମାନେ ପ୍ରଚକ୍ଷୁ ଧାରଣ କରନ୍ତି । ତହୁଁ ପ୍ରଥମ ବୃଦ୍ଧ ପଚାରିଲା, ପରଛିଦ୍ର ସକାଶେ ତ ଏ ବ୍ୟବସ୍ଥା; ମାତ୍ର ନିଜ ଛିଦ୍ର ପାଇଁ କି ବ୍ୟବସ୍ଥା ହୋଇଅଛି ? ଦ୍ୱିତୀୟ ବୃଦ୍ଧ କହିଲା–ସେମାନେ ଯେ ନିଜକୁ ନିଦ୍ରା ମଣନ୍ତି । ଛିଦ୍ରଗୁଡ଼ାକ ସିନା ପରର ଥାଏ; ମାତ୍ର ନିଜର ଥାଏ ନାହିଁ । ନଈବଢ଼ିର ଫେନସ୍ତୂପଗୁଡ଼ାକ ବାହାରକୁ ନିଶ୍ଛିଦ୍ର ଦେଖାଯାଏ; ମାତ୍ର ଭାଙ୍ଗି ପକାଇଲେ କେବଳ ଛିଦ୍ରମୟ । ଏହିପରି ଅନେକ ଲୋକ ଅଛନ୍ତି, ଯେଉଁ ଦିନ ପରିଛିଦ୍ର ନ ମିଳେ, ସେ ଦିନକୁ ସେମାନେ ବୃଥା ଜ୍ଞାନ କରନ୍ତି ଏବଂ ସେ ଦିନର ଅନ୍ନଜଳ ସେମାନଙ୍କୁ ବିଷବତ୍ ବୋଧହୁଏ । ସେମାନଙ୍କୁ ସେ ଦିନର ରାତ୍ରରେ ଶଯ୍ୟାକଣ୍ଟକୀ ରୋଗ ଧରେ, ସୁତରାଂ ସୁନିଦ୍ରା ହୁଏନାହିଁ । ଯାଉ ସେ କଥା, ଗୋଳିଆ ପାଣି ଘାଣ୍ଟିଲେ ଦେହରେ ମଳି ଲାଗିଥାଏ-।
କଥା ପବନରୁ ଉତ୍ପନ୍ନ, ଗବନପରି ସେ ବୁଡ଼ି ନ ରହି ଉଡ଼ିବୁଲେ, ଯେତେ ଢାଙ୍କି ଘୋଡ଼ାଇ ରଖିଲେ ସୁଦ୍ଧା ସେ ବାହାରିଯାଏ । ସମୟରେ ସେହି ଗୋପନୀୟ ଭୁଟଭାଟ କଥା ସାମନ୍ତଙ୍କ କର୍ଣ୍ଣଗୋଚର ହେଲା । ସେ ଭାବିଲେ, ‘‘କଥାଟା ପ୍ରତି ଉପେକ୍ଷା ପ୍ରଦର୍ଶନ କରିବା ଭଲ ନୁହେଁ–ତାହାର ଗୋଟାଏ ମୀମାଂସା ହେବା ଆବଶ୍ୟକ । କଥାଟା ଅସାର ହେଲେ ସୁଦ୍ଧା ବହୁ ବ୍ୟାପ୍ତିଦ୍ୱାରା କେତେବେଳେ କି ଆକାର ଧାରଣ କରିବ ତାହା କିଏ କହିପାରେ ? ନିତାନ୍ତ ଅମୂଳକ ମିଥ୍ୟା ରଟନା ସୁଦ୍ଧା ବହୁମୁଖରେ ସତ୍ୟପରି ପ୍ରତୀତ ହୁଏ । ସଂସାରରେ ସମସ୍ତେ ଧର୍ମ ଯୁଧିଷ୍ଠିର ନୁହନ୍ତି–ଖଳ ଦୁର୍ଯ୍ୟୋଧନର ବି ଅଭାବ ନାହିଁ । ସବୁ ଗ୍ରାମରେ ବିଭିନ୍ନ ପ୍ରକୃତିର ଲୋକ ଅଛନ୍ତି, କିଏ ବା କାହାର ମୁଖ ରୁଦ୍ଧ କରିପାରିବ ? ଅପବାଦର ରସନା କ୍ଷୁରଧାର ପରି ତୀକ୍ଷ୍ଣ, ଅଗ୍ନି-ଶୁଦ୍ଧା ସତୀଶିରୋମଣି ସୀତାଙ୍କର ବିଶୁଦ୍ଧ ନୈତିକ ଆଦର୍ଶ ଚରିତ୍ର ସୁଦ୍ଧା ସେଥିରେ କ୍ଷତବିକ୍ଷତ ହୋଇଥିଲା ଏବଂ ଜଗତର ସର୍ବଶ୍ରେଷ୍ଠ ପୁରୁଷ ସ୍ୱୟଂ ବିଜ୍ଞମଣି ରାମଚନ୍ଦ୍ର ବିଚଳିତ-ବୁଦ୍ଧି ହୋଇ ନିରପରାଧିନ ସୀତାଙ୍କୁ ବନରେ ବିସର୍ଜନ କରିଥିଲେ, ଅନ୍ୟର ବା କଥା କଅଣ ? ଜାତି ଆଗରେ ହାତୀ ଚାଲିପାରେ ନାହିଁ–ମୁଁ ଅବା କେଉଁ ଛାର ! ବ୍ରାହ୍ମଣ ସଭା ଆହ୍ୱାନ କରି ଗୋଟାଏ ଚୂଡ଼ାନ୍ତ ପ୍ରତିକାର କରିନେବା ଉଚିତ ।’’ ତହିଁ ପରଦିନ ସାମନ୍ତଙ୍କ ବଙ୍ଗଳାରେ ବ୍ରାହ୍ମଣ ସଭା ବସିଲା । ଗୋସାଇଁ ମାନେ ଆସନ ଜମାଇ ବସି ସଭା ଅଳଙ୍କୃତ କଲେ । ଦର୍ଶକସ୍ୱରୂପ ଗ୍ରାମବାସୀମାନେ ଆସି ସଭାକୁ ପୃଥୁଳ କଲେ । ସଭାର ଏକ ସ୍ଥାନରେ ସାମନ୍ତଙ୍କ ବସିବା ସକାଶ ଖଣ୍ଡିଏ ଗାଲିଚା ବିଛା ହେଲା । ତାହା ଉପରେ ଝାଲିରୀ ପୋଷାକପିନ୍ଧା ତିନିଟା ମୋଟ ତକିଆ ଦେବ ପୀଠରେ ରୋଗୀପ୍ରାୟ ଅଷ୍ଟାଙ୍ଗ ଲୁଟାଇ ଧାରଣା ପଡ଼ିଲେ । ଯଥା ସମୟରେ ସାମନ୍ତେ ଆସି ଆସନରେ ଉପବେଶନ କଲେ । ଅନନ୍ତର ସାମନ୍ତଙ୍କ ପୁରୋହିତ ରଘୁ ଆଚାର୍ଯ୍ୟ ଦଣ୍ଡାୟମାନ ହୋଇ କହିଲେ, - ‘‘ହେ ବ୍ରାହ୍ମଣ, ପଣ୍ଡିତବର୍ଗ ସାମନ୍ତ ମଣିମାଙ୍କ ଦ୍ୱିତୀୟ କୁମାର ଶ୍ରୀମାନ୍ ମଧୁସୂଦନଙ୍କ ନିରୁଦ୍ଦେଷ୍ଟ ବିଷୟ ଆପଣମାନେ ଜାଣିଅଛନ୍ତି, ସେ ପ୍ରାୟ ବର୍ଷକର କଥା । ବହୁଚେଷ୍ଟା ଏବଂ ବହୁ ଅନ୍ୱେଷଣରେ ଆଜି ପର୍ଯ୍ୟନ୍ତ ତାଙ୍କ ତତ୍ତ୍ୱ ମିଳିଲାନାହିଁ । ଏଥି ମଧ୍ୟରେ ସାମନ୍ତ ଅଶୌଚ ଧାରଣ କରି ନାହାନ୍ତି ବୋଲି ଗ୍ରାମବାସୀଏ ତାଙ୍କ ପ୍ରତି ଦୋଷାରୋପ କରୁଅଛନ୍ତି–ଏଥିରେ ଆପଣମାନଙ୍କର ମତ କଅଣ, ତାହା ପ୍ରକାଶ କରି ସାଧାରଣର ସନ୍ଦେହ ମୋଚନ କରିବା ହେଉନ୍ତୁ ।’’ ଏହା କହି ପୁରୋହିତ ଆସନ ଗ୍ରହଣ କଲେ । ଘଡ଼ିଏ ଯାଏଁ ସଭା ନିସ୍ତବ୍ଧ ଭାବ ଧାରଣ କଲା–ଯେମନ୍ତ କି ଏକକାଳରେ ସମସ୍ତଙ୍କର ବାକ୍ୟରୋଧ ହୋଇଗଲା । ତହିଁ ପରେ ଭିନ୍ନ ଗ୍ରାମରୁ ଆଗତ ନରସିଂହ ପାଣି ନାମରେ ଜଣେ ବ୍ରାହ୍ମଣ କହିଲେ–‘‘ରଘ୍ୱାଚାର୍ଯ୍ୟ ଆପଣେ, କେହି କେହି କହନ୍ତି, ମଧୁସୂଦନଙ୍କୁ ବ୍ୟାଘ୍ର ଘେନିଯାଇଅଛି । ଏଥିରେ ସନ୍ଦେହ ନାହିଁ । ଅତଏବ ସାମନ୍ତ ମଣିମା ତିନିପକ୍ଷ କିମ୍ବା ତିନିମାସ ଅଥବା ତିନିଋତୁ ମଧ୍ୟରେ ଶୌଚ ଧାରଣ କରି ନ ଥିବାରୁ ଶାସ୍ତ୍ରାନୁସାରେ ତାଙ୍କୁ ପ୍ରାୟଶ୍ଚିତ୍ତ କରିବାକୁ ହେବ । ଏହା ଶୁଣି ବ୍ରାହ୍ମଣ ଗୋସାଇଁମାନେ ପରସ୍ପର ମୁହଁ ଚାହୁଁଚାହୁଁ ହୋଇ ମୁରୁକି ହସିବାକୁ ଲାଗିଲେ । ଭୋଜି ଖାଇବା ଆଶାରେ କାହାରି ତୁଣ୍ଡରୁ ତରଳ ପଦାର୍ଥ ବିଶେଷ ସ୍ରବିତ ହେଲା । ମାତ୍ର ଜଣେ ସଂସ୍କୃତପଢ଼ା ଯୁବକ ପଚାରିଲେ -‘‘ପାଣି ଆପଣେ, କେଉଁ ଶାସ୍ତ୍ରରେ ଏ ପାଠ ଲେଖାଅଛି ?’’
ପାଣି–କେଉଁ ଶାସ୍ତ୍ରରେ ତାହା ଠିକ୍କହିପାରୁ ନାହିଁ ମାତ୍ର ଶାସ୍ତ୍ରରେ ନିଶ୍ଚୟ ଅଛି, ଏଥିରେ ଭୁଲ କଅଣ ?
ଯୁବକ–ହଁ, ଆପଣ ଶାସ୍ତ୍ରଜ୍ଞ ଯଥାର୍ଥ । ବୋଧହୁଏ ଆପଣ ଯେଉଁ ଶାସ୍ତ୍ର ପଢ଼ିନାହାନ୍ତି, ସେହି ଶାସ୍ତ୍ରରେ ଥିବ । ତେବେ ତାହାର ନାମ ଅଜାଣିତ ଶାସ୍ତ୍ର ବୋଲି କହନ୍ତୁ ।
ପାଣି–(କ୍ରୋଧରେ ଜଳି ଉଠି) ଆରେ ତୁ ଟୋକାଟା, ଗାଲ ଚିପିଦେଲେ ଦୁଧ ବାହାରିବ, ତୋତେ ଏତେ ଥଟ୍ଟା କରି ଆସିଲାଣି । ମୁଁ ଶାସ୍ତ୍ର ଜାଣେ ନାହିଁ–ତୁ ଜାଣୁ ! ମୋର ଶିରାରେ ଶିରାରେ ଶାସ୍ତ୍ର ବହୁଛି, ଦେହ ଚିପୁଡ଼ିଦେଲେ ଶାସ୍ତ୍ର ବାହାରି ପଡ଼ିବ, ତୁ ମୋତେ ଚିହ୍ନିନାହୁଁ ପରା !
ଯୁବକ–ଆଜ୍ଞା, ଏତେ ରାଗନ୍ତୁ ନାହିଁ, ଆପଣଙ୍କ ଦେହରେ ବ୍ରହ୍ମଅଗ୍ନି ଅଛି । ତାହା ଜଳି ଉଠିଲେ ପୋଡ଼ି ମରିବେ ଯେ ।
ପାଣି–ମୂର୍ଖ, ଟାପରା ଲାଗିଛି, ନୁହେଁ ? ତୋର କେଉଁ ବୋପାକାଳେ ପାଠ ପଢ଼ିଥିଲୁ ରେ ? ବ୍ରହ୍ମାଗ୍ନି ନା, ବ୍ରହ୍ମ ଅଗ୍ନିରେ ? ସନ୍ଧି ନ ଜାଣି ଯୁକ୍ତି !
ଯୁବକ–ଆପଣ ଏକା ସନ୍ଧି ଜାଣନ୍ତି, ସେଥିପାଇଁ ‘‘ରଘ୍ୱାଚାର୍ଯ୍ୟ’’ ବୋଲି କହିଥିଲେ ପରା-? ତେବେ ରାମ ଆସିଲା=ରାମାସିଲା, ପଖାଳ-ଆଣ=ପଖାଳାଣ, ଏହାହିଁ ପରା ସନ୍ଧି ? ଆପଣଙ୍କ ସନ୍ଧିଜାଳାରେ ମରିବାକୁ ଇଚ୍ଛା ହୁଏ । ବୋଧହୁଏ ଆପଣ ପାଣିନୀଙ୍କ ବଂଶଧର । ଆଚ୍ଛା ସନ୍ଧ୍ୟା ବନ୍ଦନବେଳାୟାଂ ତଡ଼ାଗାନ୍ତଂ ଦ୍ୱିଜୋତ୍ତମୈଃ’’ ଏହି ବାକ୍ୟ ମଧ୍ୟରୁ ଛମାସ ମଧରେ କ୍ରିୟାଟା ବାହାର କରି ଦେଉନ୍ତୁ ତ । ନଚେତ୍ନର ଶବ୍ଦଟା ରୂପ କରନ୍ତୁ ।
ପାଣି–ତୁ ମୋତେ ପଚାରିବାକୁ ଯୋଗ୍ୟ ? ତୋର ସମସ୍କନ୍ଧକୁ ପଚାର; କାନଟା ମୋଡ଼ିଦେବି ଯେ ତେବେ ଯାଇ ବୁଦ୍ଧି ଆସିବ ।
ଅନ୍ୟ ଜଣେ ଯୁବକ ଏହା ସହି ନ ପାରି କହିଲା–‘‘ଚୁପ୍ରହ ବ୍ରାହ୍ମଣ, ନ ହେଲେ ଆଷାଢ଼ ମାସିଆ ପାକଲା ତାଳପୁଞ୍ଜାଏ ଖସାଇ ଦେବିଟି ।’’ ଦ୍ୱିତୀୟ ଯୁବକର ଉଗ୍ର ଷଣ୍ଢମାର୍କା ମୁର୍ତ୍ତି ଦେଖି ପାଣିଙ୍କ କଲିଜା ପାଣି ହୋଇଗଲା । ତହୁଁ ସେ ଶୀତଳମୂର୍ତ୍ତି ଧରି କହିଲେ–‘‘ଦେଖୁଛ ନା, ଦେଖୁଛ ନା, ଅଳ୍ପୟିଶିଆ ଭସ୍ମା ଟୋକାକୁ, କିରେ ତୋ ମୁଣ୍ଡ ବୁଲେଇଲାଣି କି ?
ପ୍ରଥମ ଯୁବକ–ଆଜ୍ଞା, ଏବେ ଥଣ୍ଡା ହେଉନ୍ତୁ, ଏତେ ରାଗିଲେ ଆମେ କାହାର ହେବୁଁ ? ସେ ଯାହା ହେଉ, କୃପାକରି କେଉଁ ଶାସ୍ତ୍ରରେ ଭଲା ଏ ବିଧାନ ଅଛି, କହିବା ହେଉନ୍ତୁ ।
ପାଣି–କେଉଁ ଶାସ୍ତ୍ରରେ କହିବି ? ବେଦରେ ।
ଦ୍ୱିତୀୟ ଯୁବକ–ତୋ ଚୌଦପୁରୁଷରେ କେହି ବେଦ ଦେଖିଛନ୍ତି ନା ? ସାରୁଆ ବ୍ରାହ୍ମଣର ବେଦ ଛୁଇଁବାର ଅଧିକାର ଅଛି କି ରେ ?
ଦ୍ୱିତୀୟ ଯୁବକ–ସାରୁଆ ନ ହେଲେ ହଳୁଆ ଆଉ କଅଣ ? ପାଣ ହାଡ଼ିପରି ଯେ ତୁଣ୍ଡ ସମ୍ଭାଳି କଥା କହି ନ ଜାଣେ, ସେ କଅଣ ବ୍ରାହ୍ମଣ ?
ପାଣି–ତୁ ମୋତେ ଆଜି ଏତେ ଅପମାନ ଦେଲୁ, ତୋତେ ଶୁଳାବାଡ଼ି ଧରୁରେ ନିରଂଶିଆ ।
ଦ୍ୱିତୀୟ ଯୁବକ–ଆହା, ସାରୁବୁଦାର ଅଭିସମାତ, କଅଣ କରିବି ? ହେଉ ତେବେ ସୋରିଷ ଖୋଳି ତା ଭିତରେ ଲୁଚିବି । ଯାହା କହନ୍ତି ‘‘ବ୍ରାହ୍ମଣ କଳା, ଶୁଦ୍ରପିଙ୍ଗଳା’’ ତାହା ଠିକ୍ । ଏଟା ଦେହରୁ କଳା ଛାଡ଼ିନାହିଁ, ଏ ଅଡ଼ଚିଣା କାଠଟା କାଳେ ବ୍ରାହ୍ମଣ !
ପାଣି ଆଉ କିଛି ନ କହି ଦ୍ୱିତୀୟ ଯୁବକ ପ୍ରତି ଅଗ୍ନିଦୃଷ୍ଟି ନିକ୍ଷେପ ନୀରବ ରହିଲେ । ମନେ ମନେ ଭାବିଲେ, ଅଧିକ ଅଗ୍ରସର ହେଲେ ବିପଦର ସମ୍ଭାବନା । କଥାରେ ତ ଏ ଟୋକାଟାକୁ ଜୟ କରିପାରିଲି ନାହିଁ, ଜଳରେ ତ ହନୁମାନ ସୂର୍ଯ୍ୟକୁ କାଖରେ ଯାକିଲା ପରି ଏ ମୋ ପରି ତିନିଟାକୁ କାଖରେ ଯାକି ଦେଇପାରେ । ସୁତରାଂ ରଣରେ ପୃଷ୍ଠଭଙ୍ଗ ବ୍ୟତୀତ ଉପାୟାନ୍ତର ନାହିଁ, ନଚେତ୍ ଆଜି ଏହିଠାରେ ପରମାୟୁ ଶେଷ । ଏହା ଭାବି ମୁହଁ ତଳକୁ ପୋତି ବସି ରହିଲେ । ବିପଦରେ ପଡ଼ିଲେ ଉଦ୍ଧତର ଉପଯୁକ୍ତ ଶିକ୍ଷା ଲାଭ ହୁଏ । ପାଣିଙ୍କର ମଧ୍ୟ ତାହାହିଁ ହେଲା । ସାମନ୍ତ ବିରକ୍ତ ହୋଇ କହିଲେ, ‘‘ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିଲା ପରି ସାମାନ୍ୟ କଥା ଘେନି ଆପଣମାନେ ବ୍ୟାକରଣର ପିତୃଶ୍ରାଦ୍ଧଠାରୁ ବେଦବେଦାନ୍ତ ପର୍ଯ୍ୟନ୍ତ ଯୁକ୍ତିତର୍କ ଟାଣି ଘେନି ଗଲେଣି, ଏଥିରେ ଆଉ ମୀମାଂସାର ଆଶା ବା କଅଣ ରହିଲା ? ଯାହାଙ୍କର ବାକ୍ୟ ସଂଯମ ନାହିଁ–ଆତ୍ମସମ୍ଭବ ନାହିଁ, ସେ ଅନ୍ୟର ମର୍ଯ୍ୟାଦା କାହୁଁ ବୁଝିବେ ? ଇତର ଲୋକପରି ପିଟାପିଟି କାମୁଡ଼ାକାମୁଡ଼ି କି ବ୍ରାହ୍ମଣର ଲକ୍ଷଣ ? ଯେଉଁ ଜାତି ସମାଜର ମସ୍ତକସ୍ୱରୂପ, ଯାହାଙ୍କର ଅଙ୍ଗୁଳ ସଙ୍କେତରେ ରାଜାଠାରୁ ପ୍ରଜା ପର୍ଯ୍ୟନ୍ତ ପରିଚାଳିତ–ସେମାନଙ୍କର ଏଭଳି ଅଧୋଗତ ବାସ୍ତବରେ ଗଭୀର ଯୋଉ ଏବଂ ପରିତାପର ବିଷୟ । ଯେଉଁ ବ୍ରାହ୍ମଣମାନଙ୍କର ଶମ, ଦମ ଏବଂ ତପସ୍ୟା ଏ ଦେବଭୂମି ଭାରତକୁ ଅଦ୍ୟାପି ସଜୀବିତ ରଖିଅଛି, ଆପଣମାନେ ତାଙ୍କର ବଂଶଧରଟି କି ? ହାୟ, ଅଧଃପତନର ଶେଷ ସୀମା ଆଉ କେତେ ଦୂର ଅଛି ? ଯାହାଙ୍କ ଯୋଗୁ ଭାରତର ପ୍ରାଧାନ୍ୟ–ଯାହାଙ୍କ ଯୋଗୁଁ ସନାତନ ପବିତ୍ର ଆର୍ଯ୍ୟ ଧର୍ମର ଗୌରବ ଯୁଗେ ଯୁଗେ ଅକ୍ଷତ ରହିଅଛି–ଯାହାଙ୍କ ପ୍ରତିଭାର ସ୍ୱର୍ଣ୍ଣଦୀପ ଅଦ୍ୟାପି ଜଗତକୁ ପ୍ରଥପ୍ରଦର୍ଶନ କରୁଅଛି–ସେହି ପୂଣ୍ୟପୁତ ବିଶ୍ୱନମସ୍ୟ ତ୍ରିକାଳଦର୍ଶୀ ଦେବାତ୍ମା ମହାପୁରୁଷମାନେ ସ୍ୱର୍ଗଧାମରୁ ତୁମ୍ଭମାନଙ୍କର ଏ କଦାଚାର ଦେଖି ଅଶ୍ରୁସମ୍ଭରଣ କରିପାରୁଥିବେ ତ ? ହାୟ, ବ୍ରାହ୍ମଣ, ଏ ଅଧୋଗତି ତୁମ୍ଭର ନୁହେଁ–ଭାରତର ଅଭିଶପ୍ତ ଭାଗ୍ୟର । ବଂଶନାଶ ବେଳକୁ ଘୋଡ଼ାମୁହାଁ ପୁତ୍ର ଜାତ ହୁଅନ୍ତି–ଭାରତର ଦୁର୍ଭାଗ୍ୟରେ ତାହାହିଁ ଘଟିଅଛି । ହେ ଦେବତା, କଳିଯୁଗ ଶେଷ ହେବାକୁ ଆଉ କେତେକାଳ ବାକୀ ଅଛି ? ତାହା ଶୀଘ୍ର ଶେଷ ହେଉ, ପୃଥିବୀ ପ୍ରଳୟ ହେଉ, ଏ ଦୃଶ୍ୟ ବଡ଼ ଅସହ୍ୟ ! ଏ ପୁରାତନ ସୃଷ୍ଟି ସଂହାର କର–ନୂତନ ସୃଷ୍ଟି ସ୍ଥାପନ କର–ନବସୂର୍ଯ୍ୟ ନବୀନ ତେଜରେ ଉଦିତ ହୋଇ ସ୍ୱର୍ଗରୁ ମଙ୍ଗଳ ସଙ୍କେତ ଓହ୍ଲାଇ ଆଣୁ–ହେ ଦେବତା ତୁମ୍ଭର ମଙ୍ଗଳମୟ ପାଦପଦ୍ମରେ ସନ୍ତପ୍ତ ବିଶ୍ୱମାନବର ଏହାହିଁ ବିନୀତ ଭିକ୍ଷା ।’’
ଅନନ୍ତର ହେମହରି ସାମନ୍ତ ବ୍ରାହ୍ମଣସଭାକୁ ସମ୍ଭୋଧନ କରି କହିଲେ–‘‘ହେ ବିପ୍ରବର୍ଗ, ମୁଁ ଶାସ୍ତ୍ର ଜାଣେ ନାହିଁ ପୁରାଣ ଜାଣେ ନାହିଁ–ଜାଣିବାର ଯୋଗ୍ୟତା ମଧ୍ୟ ଅର୍ଜନ କରିନାହିଁ । ତେବେ ଦେଶାଚାର, କୁଳାଚାର ଯାହା ସାମାନ୍ୟ କିଛି ଜାଣେ, ତାହାରି ଉପରେ ନିର୍ଭର କରି କିଛି କହିବାକୁ ସାହସୀ ହୋଇଅଛି । ଆପଣମାନେ ମୋର ଏ ଧୃଷ୍ଟତା ମାର୍ଜନ କରିବେ । ଯେ ନିରୁଦ୍ଦେଷ୍ଟ ହୁଏ, ତାହାକୁ ବାରବର୍ଷ ଅପେକ୍ଷା କରିବାକୁ ହୁଏ, ଏହା ଆପଣମାନେ ସୁଦ୍ଧା ଜାଣନ୍ତି । ମୁଁ ମଧ୍ୟ ତାହାହିଁ କରିବି–ପ୍ରାୟଶ୍ଚିତ୍ତ କିମ୍ବା ଅଶୌଚ ଧାରଣ କଦାଚ କରିବି ନାହିଁ । ମୁଁ ତ କୌଣସି ପାପ କରିନାହିଁ–ତେବେ ବୃଥାରେ ପ୍ରାୟଶ୍ଚିତ୍ତ ବା କାହିଁକି କରିବି ? ମୋର ସମ୍ପୂର୍ଣ୍ଣ ବିଶ୍ୱାସ, ମୋର ପୁତ୍ର ଜୀବିତ ଅଛି-। ବର୍ଷେ ଦୁଇବର୍ଷ ପରେ ହେଉ ବା ପାଞ୍ଚବର୍ଷ ଦଶବର୍ଷ ପରେ ହେଉ, ସେ ଅବଶ୍ୟ ଆସି ଘରେ ପହୁଞ୍ଚିବ । ଏହା ମୋର ବିବେକ–ମୋର ଆତ୍ମା ମୋତେ ଦୃଢ଼ ଭରସା ଦେଇ କହୁଅଛି । ବିବେକ ବିରୁଦ୍ଧରେ ମୁଁ କଦାଚ କାର୍ଯ୍ୟ କରି ପାରିବିନାହିଁ । ଏଥିରେ ଜାତି ବିରକ୍ତ ହେଉ ବା ସମାଜ ବିରକ୍ତ ହେଉ, ତହିଁକି ମୋର ତିଳେ ମାତ୍ର ଭ୍ରୁକ୍ଷେପ ନାହିଁ । ମୁଁ କାହାର ଅଧୀନ ନୁହେଁ–ମୁଁ ମୋର ବିବେକର ଚିରକାଳ ଅଧୀନ । ବାରବର୍ଷପରେ ଯାହା କର୍ତ୍ତବ୍ୟ, ତାହା ସ୍ୱତଃପ୍ରବୃତ୍ତ ହୋଇ କରିବି । କି ପୁରୋହିତ ମହାପାତ୍ରେ, ଏଥିରେ ଆପଣଙ୍କର ମତ କଅଣ ସ୍ପଷ୍ଟ ପରିବ୍ୟକ୍ତ କରନ୍ତୁ । ଆଶାକରେଁ, ଆପଣ ଚକ୍ଷୁଲଜ୍ଜା ବା ମୁଖଲଜ୍ଜାର ବଶବର୍ତ୍ତୀ ହୋଇ ଅଥବା ଯଜମାନର ଉପରୋଧ ରକ୍ଷା କରି କଥା କହିବେନାହିଁ । ପୁରୋହିତ କହିଲେ–‘‘ଆପଣଙ୍କ କଥାରେ ମୁଁ କଅଣ କହିବି, ଆପଣ ତ କିଛି ଅନ୍ୟାୟ ବା ଅସଙ୍ଗତ କଥା କହିନାହାନ୍ତି । ଯାହା ଦେଶରେ ଚଳୁଛି, ଆପଣ ତାହାର ପ୍ରତିଧ୍ୱନି କରିଅଛନ୍ତି । ଆପଣ କ୍ଷତ୍ରିୟ ହେଲେ ସୁଦ୍ଧା ଆପଣଙ୍କର ସଦାଚାର ଏବଂ ଧର୍ମନିଷ୍ଠା ଆପଣଙ୍କୁ ବ୍ରାହ୍ମଣର ଅର୍ଦ୍ଧାସନ ପ୍ରଦାନ କରିଅଛି । ଏବେ ଅନୁମତି ଦେଲେ ଆମ୍ଭେମାନେ ପ୍ରସ୍ଥାନ କରିବୁଁ । ଆପଣଙ୍କ ମତ ସହିତ ଆମ୍ଭମାନଙ୍କ ମତର ପାର୍ଥକ୍ୟ ନାହିଁ ।’’ ସାମନ୍ତ କହିଲେ, ‘ତେବେ ଟିକିଏ ମିଷ୍ଟମୁଖ କରିଯିବା ଉଚିତ । ଆପଣମାନେ ବ୍ରାହ୍ମଣ, ବିଶେଷତଃ ମୋ ଦ୍ୱାରା ନିମନ୍ତ୍ରିତ । ଅଭୁକ୍ତ ଅବସ୍ଥାରେ ଗଲେ ବାସ୍ତବରେ ମୋ ମନ ଦୁଃଖିତ ହେବ ।’’ ଏହା ଶୁଣି ବ୍ରାହ୍ମଣସଭାରୁ ସାଧୁ ସାଧୁ ଶବ୍ଦ ଉଠିଲା । କେହି କହିଲା–ଯଥାକୁଳେ ଜନ୍ମ ତଥା ଗରିଷ୍ଠ । କେହି କହିଲା, ଏ ଘରର କଥା ଦୁନିଆ ବାହାର–ଦୟାଧର୍ମ ଏ ଘରୁ କେବେ ଉଠିନାହିଁ କି ଉଠିବାରୁ ନୁହେଁ-। କେହି କହିଲା–ଆଉ ବିଳମ୍ବ କାହିଁକି, ପତ୍ର ପଡ଼ିବାର ବ୍ୟବସ୍ଥା ହେଉ । ପୁରୋହିତେ ନରସିଂହ ପାଣିଙ୍କୁ ଚାହିଁ ପଚାରିଲେ–କି ହେ ପାଣି ଆପଣେ, ତୁମ୍ଭେ ଲାଗି ପତ୍ର ପଡ଼ିବ ତ ?
ପାଣି–କି, ସମସ୍ତଙ୍କର ପଡ଼ିବ, ମୋର ପଡ଼ିବ ନାହିଁ ? ଗରୀବ ବ୍ରାହ୍ମଣର କଅଣ ?
ପୁରୋହିତ–ତୁମ୍ଭେ ପରା ପ୍ରାୟଶ୍ଚିତ୍ତ କରାଇବାକୁ କାରିକା ଦେଉଥିଲ । ପ୍ରାୟଶ୍ଚିତ୍ତ ନ କଲେ କାଳେ କାଳେ ନ ଖାଇବ, ସେହିଲାଗି ପଦେ ପଚାରିଦେଲି ।
ପାଣି–ଖୁଆ ପକାଇ ନ ମନ୍ଥିଲେ ଦହିରୁ ନହୁଣୀ ବାହାରେ ? ସେହିପରି କଥାକୁ ଯୁକ୍ତିତର୍କଦ୍ୱାରା ଘଣ୍ଟା ଚକଟା ନ କଲେ ସେଥିରୁ ସାର ବହାରେ ନାହିଁ । ସେଥିପାଇଁ କହୁଥିଲି ନା, ସତରେ ପ୍ରାୟଶ୍ଚିତ୍ତ କରିବାକୁ କହୁଥିଲି ।
ଏହା ଶୁଣି ବ୍ରାହ୍ମଣସଭାରୁ ଗୋଟାଏ ଉଚ୍ଚହାସ୍ୟର ତରଙ୍ଗ ଉଠିଲା । ପାଣି ନିଜେ ମଧ୍ୟ ନହସି ରହିପାରିଲେ ନାହିଁ । କେହି ପରିହାସ କରି କହିଲା–ଖାଇବାବେଳକୁ ଶାସ୍ତ୍ରଯୁକ୍ତି ଖଟେ ନାହିଁ-। ଅନ୍ୟ କେହି କହିଲା–ଖାଲି ଗିଳିବା କଥା ନୁହେଁ, ତହିଁ ଉପରେ ଅର୍ଜନ ଅଛି ଯେ ! ଏହିପରି ଅନେକ ବ୍ୟଙ୍ଗବିଦ୍ରୂପବାଣ ନିକ୍ଷପ୍ତ ହେଲା, ମାତ୍ର ପାଣି ତାହା ସବୁ ପାଣିପରି ଜୀର୍ଣ୍ଣ କରିଦେଇ ଗ୍ରାମ ନିମନ୍ତେ ପ୍ରସ୍ତୁତ ହେଲେ । ବ୍ରାହ୍ମଣ ଭୋଜନ ଯଥାରୀତି ହୋଇଗଲା, ଗୋସାଇଁମାନେ ପେଟ ଆଉଁସି ଦୀର୍ଘ ହାକୁଟି ମରି ‘‘ଆତାପି ବାତାପି ଚୈବ ଅଗସ୍ତି ବାଡ଼ବାନଳ’’ ଜୀର୍ଣ୍ଣମନ୍ତ୍ର ଆବୃତ୍ତିସହ ସାମନ୍ତଙ୍କର ଜୟଜୟକାର ଉଚ୍ଚାରଣ ପୂର୍ବକ ପତ୍ର ଛାଡ଼ି ଉଠିଲେ । ପରେ ଦକ୍ଷିଣା ହସ୍ତଗତ, ତତ୍ପରେ ପତ୍ର ଛାଡ଼ି ଉଠିଲେ । ପରେ ଦକ୍ଷିଣା ହସ୍ତଗତ, ତତ୍ପରେ ଅଣ୍ଟିଜତ କରି ଛନ୍ଦାପାତ୍ରର ବୁଜୁଲା କାନ୍ଧରେ ପକାଇ ପ୍ରସ୍ଥାନ କଲେ । ଭଣ୍ଡାରମାନେ ସଙ୍ଖୁଡ଼ି ପତ୍ର ଉଠାଇ ନେଇ ଖତ ଗଦାରେ ଜମା କରି ଦେଲେ । ତହୁଁ କୁକୁର ଗୁଡ଼ାଏ ଧାଇଁ ଆସି ଦୀର୍ଘଜୀବୀ ହେବା ଆଶାରେ ବ୍ରାହ୍ମଣ ଅଧରାମୃତ ସେବନରେ ଲାଗିଗଲେ । ଶେଷରେ ଗୋଟାଏ ରୋଗା କୁକୁର ଆସି ପହୁଞ୍ଚିଲା-। ଚାରି ପାଞ୍ଚଟା କୁକୁର ତାକୁ ଖଣ୍ଡେଦୂରଯାଏ ଖେଦି ନେଇଗଲେ । ସେ ହଠାତ୍ ପଛକୁ ଲେଉଟି ପଡ଼ି ଦାନ୍ତନିଫିଡ଼ି କୁକୁରୀଭାଷାରେ ଗୋଟାଏ ଉତ୍ତେଜକ ବକ୍ତୃତା ଝାଡ଼ିଦେଲା । ପଛରେ ଗୋଡ଼ାଇଥିବା କୁକୁରଗୁଡ଼ାକ ସେହି ଅଗ୍ନିମୟୀ ବକ୍ତୃତା ସହି ନ ପାରି ରାଗରେ ଗରଗର ହୋଇ ଯଥା ସ୍ଥାନକୁ ଫେରିଆସି ଅବଶିଷ୍ଟ ପ୍ରସାଦର ସଦ୍ବାହାରରେ ଆଖି ବୁଜି ଆତ୍ମଯୋଗ କଲେ । ରୋଗା କୁକୁରଟା ସେମାନଙ୍କ ବ୍ରାହ୍ମଣଭକ୍ତିର ପରାକାଷ୍ଟା ଦେଖି ‘‘ସ୍ୱଜାତି ପରହିଂସ୍ରକ’’ ବୋଲି ମନେ ମନେ ଭାବି-ଅନ୍ୟତ୍ର ଚାଲିଗଲା ଏବଂ ଅଭିଶାପ ଦେଇ କହିଗଲା–ତୁମ୍ଭେମାନେ ଚିରକାଳ କୁକୁର ଜନ୍ମ ପାଅ ।